ଗଳ୍ପସାଗର ; ଓଡ଼ିଶାର ଲୋକ ସଂସ୍କୃତିର ଏକ ବିଭାବ

ଅଜିତ କୁମାର ମୁନୀ
ଅଜିତ କୁମାର ମୁନୀ 895 Views
15 Min Read

ଗଳ୍ପସାଗର ଶବ୍ଦର ଅର୍ଥ ହେଲା କଥା ବା କାହାଣୀର ସମୁଦ୍ର । ଲୋକ ନାଟକ ପରିବେଷଣ ପରମ୍ପରାରେ ଅଭିନେତାଟିକୁ ଗଳ୍ପସାଗର କୁହାଯାଇଥାଏ । ଗଳ୍ପସାଗର ପରିବେଷଣରେ ବିଭନ୍ନ ପୂରାଣମାନଙ୍କର ଲୋକପ୍ରିୟ କାହାଣୀକୁ ପରିବେଷଣ କରାଯାଇଥାଏ । ଏହା ସହିତ ମଧ୍ୟ ଯୁଗର କବି ମାନଙ୍କର କଥାବସ୍ତୁର ପ୍ରଭାବ ମଧ୍ୟ ଗଳ୍ପସାଗର ପରିବେଷଣରେ ଦେଖିବାକୁ ମିଳେ । ଗଳ୍ପ ସାଗର ଭଳି ଏକ ବିଦଗ୍ଧ ଲୋକନାଟକ ପରମ୍ପରା ଏକବିଂଶ ଶତକର ପ୍ରାରମ୍ଭିକ ସମୟ ବେଳକୁ ବିଲୁପ୍ତ ହୋଇ ସାରିଲାଣି । କାରଣ ଏହି ନାଟ୍ୟ ପରମ୍ପରାର ସମସ୍ତ ଗୁରୁମାନେ ଆଜିକୁ କୋଡ଼ିଏ ବର୍ଷ ତଳୁ ଏହାର ପରିବେଷଣରୁ ନିଜକୁ ଦୂରେଇ ସାରିଲେଣି ବୋଲି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଲୋକନାଟକ ଗବେଷକ ତଥା କଳା ଶିକ୍ଷକ ଅଜିତ କୁମାର ମୁନୀ।  – ସମ୍ପାଦକ

ଉପକ୍ରମ

ପ୍ରାଚୀନ ଓ ମଧ୍ୟଯୁଗରେ ରାଜାମାନେ ସ୍ୱତ ବା ଚାରଣ ନିଯୁକ୍ତ କରି ସାଧାରଣ ଲୋକମାନଙ୍କର ମନୋରଂଜନ କରୁଥିଲେ । ଏଥି ନିମନ୍ତେ ସେମାନେ ରାଜାମାନଙ୍କ ଠାରୁ ନିଜର ଜୀବନ ଜୀବିକା ନିମନ୍ତେ ପୃଷ୍ଠପୋଷକତା ପାଉଥିଲେ ଏବଂ ତାକୁ ନିଜର କୌଳିକ ବୃତ୍ତି ଭାବରେ ଗ୍ରହଣ କରି ନେଇଥିଲେ । ସେମାନେ ସମାଜର ଭାଣ, ସୂତ ବା ଚାରଣ ଆଦି ବିଭିନ୍ନ ନାମରେ ପରିଚିତ ଥିଲେ । ସେମାନେ ନିଜର ନୃତ୍ୟ, ଗୀତ, ଅଭିନୟ ତଥା ଗଳ୍ପ ପରିବେଷଣ ଭଳି କଳାତ୍ମକ ଦକ୍ଷତା ମାଧ୍ୟମରେ ଲୋକମାନଙ୍କର ମନୋରଂଜନ କରୁଥିଲେ । ପ୍ରାଚୀନ ଭାରତୀୟ ନାଟ୍ୟତତ୍ତ୍ୱର ଦୁଇ ପ୍ରମୁଖ ଗ୍ରନ୍ଥ ଭରତ ମୁନୀଙ୍କ ନାଟ୍ୟଶାସ୍ତ୍ର ଏବଂ ଧନଞ୍ଜୟଙ୍କ ଦଶ ରୂପକରେ ମଧ୍ୟ ଏ ସମ୍ବନ୍ଧରେ ସୂଚନା ମିଳେ । ଭାରତୀୟ ନାଟ୍ୟ ପରମ୍ପରାରେ ପରିବେଷଣ ଶୈଳୀର ଓ ବିଷୟବସ୍ତୁର ଭିନ୍ନତାକୁ ଆଧାର କରି ନାଟ୍ୟ ପରିବେଷଣକୁ ଦଶ ଭାଗରେ ବିଭକ୍ତ କରାଯାଇଛି ଏବଂ ସେଗୁଡ଼ିକୁ ରୂପକ କୁହାଯାଏ । ସେଗୁଡ଼ିକ ହେଲା :- ୧) ନାଟକ, ୨) ପ୍ରକରଣ, ୩) ସମବକାର, ୪) ଇହାମୃଗ, ୫) ଡିମ, ୬) ବ୍ୟାୟୋଗ, ୭) ଅଙ୍କ, ୮) ପ୍ରହସନ, ୯) ଭାଣ, ୧୦) ବିଥି । ଏହି ଭାଗ ଓ ବିଥି ୨ ଗୋଟି ରୂପକ ହେଉଛନ୍ତି ଭାରତ ବର୍ଷରେ ପ୍ରାଚୀନ ଯୁଗରୁ ପରିବେଷିତ ହୋଇ ଆସୁଥିବା କଥାଧର୍ମୀ ଲୋକ ନାଟକ । ଏ ସମ୍ବନ୍ଧରେ ନାଟ୍ୟଚାର୍ଯ୍ୟ ଭରତ ମୁନୀ ନାଟ୍ୟଶାସ୍ତ୍ରର ବିଂଶ ଅଧ୍ୟାୟର ବର୍ଣ୍ଣନା କରିଛନ୍ତି ଯେ :-

ଆତ୍ମାନୁଭୂତଶଂସି ପରଶଂସ୍ରିତ ବର୍ଣ୍ଣନା ବିଶେଷସ୍ଣ

ଦ୍ୱିବିଧ ଶ୍ରେୟୋହିଭାତାଃ ବିଜ୍ଞୟାସ୍ତେ୍ୱକାହାର୍ଯ୍ୟଶ୍ଚ ।୦୮।।

ପରବଚନାମାତ୍ମ ସଂସ୍ଥାମ୍ ପରବଚନେ ରିଭାରୋତ୍ତରୋତ୍‌ପ୍ରଥିତ ବାକ୍ୟମ୍‌

ଆକାଶପୁରୁଷ କଥିତୈ ରଙ୍ଗ ବିକାର୍ରେରିଭିନୟାତ୍ ତତ୍ ।୦୯।।

ଧୁର୍ତ୍ତବିଟ୍ ସଂପ୍ରଯୋଜ୍ୟ ନାନାବସ୍ଥାନ୍ତରାତ୍ମକଶ୍ଚୈବ

ଏକାକି ବହୁଚେଷ୍ଟତଃ ଶତତମ୍ କାର୍ଯ୍ୟ ବୁର୍ଦ୍ଧେର୍ଭାଣଃ ।୧୦।।

ଜଣେ ଅଭିନୟ ସହିତ କହୁଥିବା ଏକକ ଅଭିନୟକୁ ଭାଣ କୁହାଯାଏ । ଏଥିରେ ନିଜ ଅନୁଭୂତିକୁ ଭଙ୍ଗୀ ଓ ଅଭିନୟ ମାଧ୍ୟମରେ ପରିବେଷଣ କରାଯାଏ । ପରକୁ ଆକ୍ଷେପ କରି ମଧ୍ୟ କୁହାଯାଇଥାଏ । ଭାଣ ଏହି ଦୁଇ ପ୍ରକାର ବିଷୟକୁ ଆଶ୍ରା କରିଥାଏ । ପର କଥାକୁ ନିଜ ଆଡ଼ୁ କହିବ, ପୁଣି ସେହି ପରର ଆକ୍ଷେପକୁ ନିଜେ ହିଁ ଉତ୍ତର ଦେବ । ଏଥିରେ ଅଙ୍ଗ ବିକାର ଓ ଆଙ୍ଗିକ ଅଭିନୟରେ ମଧ୍ୟ କେବେ ହସି ହସାଇ କାନ୍ଦି କନ୍ଦାଇ ଧୁର୍ତ୍ତବିଟମାନଙ୍କ ଅଭିନୟ କରି ସୁଖ ଦୁଃଖ ମିଶାଇ ବହୁ ଅଭିନୟ ପରିପୃଷ୍ଣ ଏକାକ ବିଶିଷ୍ଟ ଭାଣ ରଚନା ଓ ପ୍ରୟୋଗ କରିବେ।

(ମୁନୀ ଭରତ, ପୃ-୨୦, ନାଟ୍ୟଶାସ୍ତ୍ର-୩, ୨୦୦୭, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ, ଭୂବନେଶ୍ୱର, ଓଡ଼ିଶା)

ବୀଥି ସ୍ୟାଦେକାକାଂ ଦ୍ୱିପାତ୍ରାହାର୍ଯ୍ୟା ତଥୈକହାର୍ଯ୍ୟାବ ।

ଅଧମୋତ୍ତମ ମଧ୍ୟାଭିଯୁକ୍ତା ସ୍ୟାତ୍ ପ୍ରକୃତିଭିଃସ୍ତିସୃତ୍ତିଃ ।୧୧୨।।

ସର୍ବରସ ଲକ୍ଷଣାତ୍ୟା ହ୍ୟଙ୍ଗୈ ସ୍ତ୍ରୟୋଦଶଭିଃ

ଅଙ୍ଗାନାଂ ବକ୍ଷେଦ୍ଧହଂ ଲକ୍ଷଣମଖିଳଂ ଯଥାଦେଶମ୍ ।୧୧୩ ।

ଏଥିରେ ଗୋଟିଏ ମାତ୍ର ଅଙ୍କ ରହିବ । ଗୋଟିଏ ବା ଦୁଇଟି ଅଭିନୟରେ ରହିବେ । ଉତ୍ତମ, ମଧ୍ୟମ ଓ ଅଧମ ତିନି ପ୍ରକୃତିର ଲୋକ ଚରିତ୍ର ଏଥିର ପରିବେଷଣ କରାଯିବ । ସମସ୍ତ ରସ ଲକ୍ଷଣପୂର୍ଣ୍ଣ ହୋଇ ରହିବ ।

ସମଗ୍ର ଭାରତ ବର୍ଷରେ ପ୍ରାଚୀନ ଯୁଗୀୟ ପୁରାଣ ଏବଂ କାବ୍ୟ ସାହିତ୍ୟର ଭିତ୍ତିଭୂମିରେ ଭାଣ ଓ ବିଥିର ପରିବେଷଣ ଶୈଳୀର ଅନୂସରଣରେ ବହୁବିଧ ଲୋକନାଟକ ଜନ୍ମ ନେଇଛି । ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ଗଳ୍ପ ସାଗର ଭଳି ଏକ ଲୋକ ନାଟକର ଉନ୍ମେଷ ଘଟିଛି । ଏକ ସମୟରେ ଏହା ଦକ୍ଷିଣ ଓଡ଼ିଶାର ଗଂଜାମ ଜିଲ୍ଲାରେ ଲୋକପ୍ରିୟ ଲୋକନାଟକ ମାଧ୍ୟମ ଭାବରେ ଜନସମାଜକୁ ମନୋରଂଜନ ପ୍ରଦାନ କରିବା ସହ ପ୍ରାଚୀନ ଓ ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟର ପ୍ରଚାର କରି ଲୋକପ୍ରିୟତା ହାସଲ କରିପାରିଥିଲା ।

ନମକାରଣ :

ଗଳ୍ପସାଗର ଶବ୍ଦଟିକୁ ବିଶ୍ଲେଷଣ କଲେ ସ୍ପଷ୍ଟ ଜଣାପଡ଼େ ଯେ ଏହା ଗଳ୍ପ ଓ ସାଗର ଭଳି ଦୁଇଟି ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି । ଗଳ୍ପର ଅର୍ଥ ହେଲା କାହାଣୀ ବା ଗପ ଏବଂ ସାଗରର ଅର୍ଥ ହେଲା ସମୁଦ୍ର । ସାମୁହିକ ଭାବରେ ଗଳ୍ପସାଗର ଶବ୍ଦର ଅର୍ଥ ହେଲା କଥା ବା କାହାଣୀର ସମୁଦ୍ର । ବିଶେଷ କରି ଏହି ଲୋକ ନାଟକ ପରିବେଷଣ ପରମ୍ପରାରେ ଅଭିନେତାଟିକୁ ଗଳ୍ପସାଗର କୁହାଯାଇଥାଏ । ସେ ଜ୍ଞାନର ସାଗର ରୂପକ ଆମର ଅଷ୍ଟାଦଶ ମହାପୂରାଣ, ଉପପୂରାଣ ତଥା କାବ୍ୟ ସାହିତ୍ୟରୁ କାହାଣୀ ମାନ ସଂଗ୍ରହ କରି ତାଙ୍କର ନିଜସ୍ୱ ଜ୍ଞାନ ଏବଂ ଆଙ୍ଗିକ ତଥା ବାଚିକ ଅଭିନୟର ଦକ୍ଷତାକୁ ପ୍ରୟୋଗ କରି ନାଟକ ପରିବେଷଣ କରୁଥିବାରୁ ତାକୁ ଗଳ୍ପସାଗର କୁହାଯାଇଥାଏ ।

ବିଷୟବସ୍ତୁ :

ମୁଖ୍ୟତଃ ଗଳ୍ପସାଗର ପରିବେଷଣରେ କଥନ ବା ଅଭିନେତା ସାରଳା ଦାସଙ୍କ ମହାଭାରତ, ବିଲଙ୍କା ରାମାୟଣ, ବଳରାମ ଦାସଙ୍କ ଦାଣ୍ଡି ରାମାୟଣ, ଲକ୍ଷ୍ମୀପୂରାଣ, ଜଗନ୍ନାଥ ଦାସଙ୍କ ଭାଗବତ, ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ ପୂରାଣ ଚୈତନ୍ୟ ଦାସଙ୍କ ବିଷ୍ଣୁ ପୁରାଣ, ଦ୍ୱାରିକା ଦାସଙ୍କ ଶିବ ପୂରାଣ, ମହାଦେବ ଦାସଙ୍କ ବିଷ୍ଣୁକେଶରୀ ପୂରାଣ, ପିତାମ୍ବର ଦାସଙ୍କ ବିଷ୍ଣୁକେଶରୀ ପୂରାଣ, ଭଳି ପୂରାଣମାନଙ୍କର ଲୋକପ୍ରିୟ କାହାଣୀକୁ ପରିବେଷଣ କରୁଥିଲେ । ତତ୍ ସହିତ ମଧ୍ୟ ଯୁଗର କବି ଯଥା ଭକ୍ତ କବି ଦୀନକୃଷ୍ଣ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କାବ୍ୟ ମାନଙ୍କର କଥାବସ୍ତୁର ପ୍ରଭାବ ମଧ୍ୟ ଗଳ୍ପସାଗର ପରିବେଷଣରେ ଦେଖିବାକୁ ମିଳୁଥିଲା । ଏପରିକି ଆଧୁନିକ ଯୁଗର କବିବର ରାଧାନାଥ ରାୟ, ସ୍ୱଭାବକବି ଗଙ୍ଗାଧର ମେହେର, ପଲ୍ଲୀକବି ନନ୍ଦ କିଶୋର ବଳଙ୍କ କାବ୍ୟ କବିତା ମାନ ମଧ୍ୟ ଗଳ୍ପସାଗର ପରିବେଷଣରେ ଲୋକପ୍ରିୟ କଥାବସ୍ତୁ ଭାବରେ ବ୍ୟବହୃତ କରାଯାଉଥିଲା । ଦୃଷ୍ଟାନ୍ତ ସ୍ୱରୂପ ସେମାନଙ୍କ ପରିବେଷିତ କିଛି ଲୋକପ୍ରିୟ କଥାବସ୍ତୁର ନାମ ପ୍ରଦାନ କରାଯାଇଛି ।

୧) ସୀତାଜନ୍ମ, ୨) ଶିବ ଧନୁଭଗ୍ନ, ୩) ରାମ ପର୍ଶୁରାମ, ୪) ରାମ ବନବାସ, ୫) ସୀତା ଚୋରି, ୬) ବାଳି ସୁଗ୍ରୀବ, ୭) ସେତୁ ବନ୍ଧ, ୮) ଲଙ୍କା ପୋଡ଼ି, ୯) ଲବକୁଶ ଜନ୍ମ, ୧୦) ଅଶ୍ୱମେଧ ଯଜ୍ଞ, ୧୧) ଅଗ୍ନିପରୀକ୍ଷା, ୧୨) ପାଣ୍ଡବ ବନବାସ, ୧୩) ଦ୍ରୌପଦୀ ବସ୍ତ୍ରହରଣ, ୧୪) ମହାଭାରତ ଯୁଦ୍ଧ, ୧୫) ଅଭିମନ୍ୟୁ ବଧ, ୧୬) କର୍ଣ୍ଣଅର୍ଜୁନ, ୧୭) ସୁଭଦ୍ରା ପରିଣୟ, ୧୮) କୃଷ୍ଣ ଜନ୍ମ, ୧୯) କଂସ ବଧ, ୨୦) ଗୋପକେଳୀ, ୨୧) କାଳୀୟ ଦଳନ, ୨୨) ଲକ୍ଷ୍ମୀପୂରାଣ, ୨୩) ନଳଦମୟନ୍ତୀ, ୨୪) ଲକ୍ଷ୍ୟେ ହୀରା, ୨୫) ଦୁଷ୍ମନ୍ତ ଶକୁନ୍ତଳା, ୨୬) ଅମରବିଳାସ, ୨୭) ଲାବଣ୍ୟବତୀ, ୨୮) ଉଷା ପରିଣୟ, ୨୯) ଶର୍ମିଷ୍ଠା, ୩୦) ତପସ୍ୱିନୀ ୩୧) ପାର୍ବତୀ

ପରିବେଷଣ ଶୈଳୀ :

ଏହି ଗଳ୍ପସାଗର ଲୋକନାଟକଟି ଜଣେ ମାତ୍ର ଅଭିନେତା ଦ୍ୱାରା ପରିବେଷିତ ହୋଇଥିଲା । ଏହା ଏକ ଏକକ ଲୋକନାଟକ କହିଲେ କିଛି ଭୁଲ୍ ହେବ ନାହିଁ । ଏହାର ପରିବେଷଣ ପ୍ରାଥମିକ ପର୍ଯ୍ୟାୟରେ ଅଭିନେତା ଜଣଙ୍କ ପ୍ରଥମେ ଆମ ଜାତୀୟ ଜୀବନର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନିଜର ଭକ୍ତିପୂତ ପ୍ରଣାମ ଜଣାନ୍ତି । ତତ୍‌ପରେ ବିଘ୍ନ ବିନାଶକ ଗଜାନନ ଏବଂ ବାକ୍ୟଦେବୀ ମା ସରସ୍ୱତୀ ସର୍ବପୂଜ୍ୟ ଗୁରୁ ତଥା ଜନତା ଜନାର୍ଦ୍ଦନଙ୍କ ଉଦ୍ଦେଶ୍ୟରେ ମଙ୍ଗଳାଚରଣ ଗାନ କରି ନାଟକ ପରିବେଷଣ ଆରମ୍ଭ କରିଥାନ୍ତି । ବିଷୟବସ୍ତୁ ଆରମ୍ଭ କରିବା ପୂର୍ବରୁ ଦର୍ଶକଙ୍କୁ ଭାବାବେଗକୁ ସମ୍ମାନ ଜଣାଇ ଦର୍ଶକମାନଙ୍କ ସେମାନଙ୍କ ଆଗ୍ରହାନୁସାରେ ସ୍ଥିରିକୃତ ବିଷୟବସ୍ତୁକୁ ପରିବେଷଣ କରିଥାନ୍ତି । ଅଭିନେତାମାନେ ମୁଖ୍ୟତଃ ଅଭିନୟକୁ ପ୍ରମୁଖ ମାଧ୍ୟମ ରୂପେ ବ୍ୟବହାର କରି ଏବଂ ଅନ୍ୟାନ୍ୟ ନୀଟକୀୟ ଉପାଦାନକୁ ପ୍ରୟୋଗ କରି ଗଳ୍ପସାଗରର ବିଷୟବସ୍ତୁ ପରିବେଷଣ କରିଥାନ୍ତି । ବେଳେବେଳେ ଅଭିନେତା ମାନେ ସେମାନଙ୍କ ନାଟକୀୟ କଥାବସ୍ତୁକୁ ଅଧିକା ମନୋରମ କରିବା ନିମନ୍ତେ ଆମ ଓଡ଼ିଆ ଲୋକଗୀତ ଓ ଲୋକ ନୃତ୍ୟମାନଙ୍କୁ ପ୍ରୟୋଗ କରିଥାନ୍ତି । ଏହି ଲୋକ ନାଟକ ପରିବେଷଣ କରୁଥିବା ଅଭିନେତାମାନଙ୍କୁ ନାଟକର ସମସ୍ତ ବିଭାଗରେ ଦକ୍ଷତା ଅର୍ଜନ କରିବାକୁ ପାଡ଼ୁଥିଲା । କାରଣ ପରିବେଷଣ ସମୟରେ ସେମାନଙ୍କୁ କାହାଣୀ, ସଂଳାପ ସଂଗୀତ ଆଦି କୌଣସି କ୍ଷେତ୍ରରେ କେହି ସହାୟତା କରୁ ନଥିଲେ । ସେମାନଙ୍କ ଦ୍ୱାରା ପରିବେଷିତ କାହାଣୀଗୁଡ଼ିକ ନାଟକୀୟ ଭାବାବେଗ, ଘଟଣାବଳୀ ତଥା କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ଗତିଶୀଳ ଥିଲା । ଗଳ୍ପସାଗର ପରିବେଷଣର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଏଥିରେ ଅଭିନେତାମାନଙ୍କ ନିମନ୍ତେ ଭିନ୍ନ ଭିନ୍ନ ଚରିତ୍ରଙ୍କୁ ପ୍ରଦର୍ଶନ କରିବା ନିମନ୍ତେ ଭିନ୍ନ ଭିନ୍ନ ସ୍ୱରର ପ୍ରୟୋଗ କରୁଥିଲେ । ଏପରିକି ନାରୀଚରିତ୍ରମାନଙ୍କ କଥାକୁ ସେମାନେ ନାରୀ କଣ୍ଠସ୍ୱର ମାଧ୍ୟମରେ ପରିବେଷଣ କରୁଥିଲେ । ଫଳରେ ତାହା ଲୋକମାନଙ୍କୁ ଆନନ୍ଦିତ କରିବା ସହ ବାନ୍ଧି ରଖିପାରୁଥିଲା । ବେଳେ ବେଳେ କାହାଣୀର ଆବଶ୍ୟକତା ଅନୁସାରେ ସେମାନେ ଦର୍ଶକମାନଙ୍କ ସହ ମଧ୍ୟ ନିଜକୁ ଯୋଡ଼ି ଦେଉଥିଲେ । ବିଶେଷ କରି କରୁଣ ରସ ଆଧାରିତ କଥାବସ୍ତୁ ମାନ ଗାଁମାନଙ୍କର ସରଳ ଦର୍ଶକମାନଙ୍କୁ ଭାବବିହ୍ୱଳ କରି ପକାଉଥିଲା । ସବା ଶେଷରେ ସେ ଦର୍ଶକ ତଥା ସମାଜର ମଙ୍ଗଳ ବିଧାନ ପୂର୍ବକ ଭରତ ବାକ୍ୟ ଗାନ କରି ନାଟକକୁ ସମାପ୍ତି କରୁଥିଲେ ।

ମଞ୍ଚ:

ଗଳ୍ପସାଗର ପରିବେଷଣ ନିମନ୍ତେ କୌଣସି ସ୍ଥାୟୀ ସଜ୍ଜିତ ରଙ୍ଗମଞ୍ଚର ବ୍ୟବହାର କରାଯାଉନଥିଲା । ବିଶେଷକରି ଏହା ଗାଁ ରାସ୍ତାର ମଧ୍ୟ ଭାଗରେ, ମନ୍ଦିର ପ୍ରାଙ୍ଗଣରେ କିମ୍ବା ଗାଁ ମୁଖିଆମାନଙ୍କ ଘର ସମ୍ମୁଖରେ ପରିବେଷିତ ହେଉଥିଲା । ଗଳ୍ପସାଗର ପରିବେଷଣ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ଏକ ଚାନ୍ଦୁଆ ଦ୍ୱାରା ଆଚ୍ଛାଦିତ କରାଯାଉଥିଲା ଏବଂ ମଞ୍ଚକୁ ଆଲୋକିତ କରିବା ନିମନ୍ତେ ଯେକୌଣସି ବୈଦ୍ୟୁତିକ ଆଲୋକର ବ୍ୟବହାର କରାଯାଉଥିଲା । ଶବ୍ଦ ବିନିମୟ ନିମନ୍ତେ କୌଣସି ଡାକବାଜି ଯନ୍ତ୍ର କିମ୍ବା ବୈଦ୍ୟୁତିକ ଉପରକଣର ପ୍ରୟୋଗ ଏଥିରେ ଦେଖିବାକୁ ମିଳୁନଥିଲା ।

ମାତ୍ର ଦୁଇଘଣ୍ଟାରୁ ତିନି ଘଣ୍ଟା ଏହାର ପରିବେଷଣର ଅବଧି ରହୁଥିଲା । ବିଶେଷକରି ଏହାର ପରିବେଷଣ ରାତ୍ରି ୯ଟାରୁ ଆରମ୍ଭ ହୋଇ ରାତ୍ରି ୧୨ ପର୍ଯ୍ୟନ୍ତ ଚାଲୁଥିଲା ।

 

ପୋଷାକ, ମୁଖସଜ୍ଜା ଏବଂ ନାଟ୍ୟୋପକରଣ :

ଏହି ଲୋକନାଟକରେ ସାଧାରଣତଃ ଗଳ୍ପସାଗର ବା ଅଭିନେତା ଜଣକ ଏକବର୍ଣ୍ଣ କୁର୍ତ୍ତା ଏବଂ ଧୋତି ସାଙ୍ଗକୁ କାନ୍ଧରେ ଏକ ଉତ୍ତରୀୟକୁ ପୋଷାକ ଭାବରେ ପରିଧାନ କରୁଥିଲେ । ପାଲା ନାଟକର ଗାୟକମାନଙ୍କ ଭଳି ବେକରେ ମୋଟା ତୁଳସୀ କିମ୍ବା ରୁଦ୍ରାକ୍ଷ ମାଳା ମଧ୍ୟ ପରିଧାନ ରୂପେ ବ୍ୟବହାର କରୁଥିଲେ । ବେଳେ ବେଳେ ଏହାର ଅଭିନେତା ଜଣକ ଅନ୍ୟ ଏକ ଉତ୍ତରୀୟକୁ ଭିନ୍ନ ଭିନ୍ନ ନାଟକୀୟ ଚରିତ୍ର କିମ୍ବା ନାଟକୀୟ ଘଟଣାକୁ ବର୍ଣ୍ଣନା କରିବା ନିମନ୍ତେ ଭିନ୍ନ ଭିନ୍ନ ଶୈଳୀରେ ବ୍ୟବହାର କରୁଥିଲେ । ଉଦାହରଣ ସ୍ୱରୂପ- ରାଜା, ମନ୍ତ୍ରୀ, ଯୋଦ୍ଧା, ଅଶ୍ୱାରୋହୀ, ନବବିବାହିତା ବଧୁ, ରାଣୀ ଇତ୍ୟାଦି । ଏତଦ୍‌ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ପୋଷାକ କିମ୍ବା ଅଳଙ୍କାର ଏଥିରେ ପ୍ରୟୋଗ କରାଯିବାର ଦେଖାଯାଉ ନ ଥିଲା । ଏହି ଲୋକ ନାଟକ ପରିବେଷଣ କରୁଥିବା ଅଭିନେତାର ମୁଖ ସଜ୍ଜା ମଧ୍ୟ ଅତ୍ୟନ୍ତ ସରଳ ଥିଲା । ସାଧାରଣତଃ ମଧ୍ୟଯୁଗୀୟ ରାଜ ଦରବାର ମାନଙ୍କରେ କାର୍ଯ୍ୟରତ ମନ୍ତ୍ରୀ, କିମ୍ବା ପୁରୋହିତମାନଙ୍କ ଭଳି ମୁଖ ସଜ୍ଜା ଶୈଳୀକୁ ଏଠାରେ ପ୍ରୟୋଗ କରାଯାଉଥିଲା । କୌଣସି ପ୍ରକାର ଅତିରଂଜିତ କିମ୍ବା ଅବାସ୍ତବ ଶୈଳୀର ମୁଖସଜ୍ଜା କିମ୍ବା ପୋଷାକ ପରିଚ୍ଛଦ ଏହି ନାଟକରେ ବ୍ୟବହାର କରାଯାଉ ନ ଥିଲା । ଗଳ୍ପ ସାଗରର ଅଭିନେତା ଜଣକ ଅଭିନୟ ପରିବେଷଣ ସମୟରେ ନିଜର ଚରିତ୍ରକୁ ଜୀବନ୍ତ କରିବା ନିମନ୍ତେ ଅତି ଅଳ୍ପ ପରିମାଣର ଏବଂ ସାମାନ୍ୟ ହସ୍ତୋପକରଣ, ଫୁଲମାଳ, ମାଠିଆ, ବଂଶୀ ଆଦି ଉପରକଣକୁ ବ୍ୟବହାର କରୁଥିଲେ । ଏପରିକି ଦର୍ଶକମାନଙ୍କ ଠାରୁ ମଧ୍ୟ ସେମାନଙ୍କ ବ୍ୟବହୃତ ଠେଙ୍ଗା ବାଡ଼ି ଆଣି ନାଟକରେ ବ୍ୟବହାର କରୁଥିଲେ । ମାତ୍ରାଧିକ ହସ୍ତୋପକରଣର ପ୍ରଚଳନ ମଧ୍ୟ ଏହି ନାଟକ ପରିବେଷଣ ପରମ୍ପରାରେ ଦେଖିବାକୁ ମିଳୁ ନ ଥିଲା ।

ସଂଗୀତ

କଥାଧକୀ ବା ବକ୍ତବ୍ୟଧକୀ ଏହି ଲୋକନାଟକରେ ଅଭିନେତା ଜଣକ ନାଟକ ପରିବେଷଣକୁ ଉତ୍ସାହିତ କରିବା ନିମନ୍ତେ ବେଳେ ବେଳେ ନାଟକର ବିଷୟବସ୍ତୁ ଓ ଚରିତ୍ରକୁ ସୁହାଇଲା ଭଳି ଓଡ଼ିଆ ପୂରାଣ କିମ୍ବା କାବ୍ୟ ସାହିତ୍ୟରୁ ଉଦ୍ଧୃତ କବିତା ପଂକ୍ତିମାନଙ୍କୁ ସରଳ ଏବଂ ସୁମଧୁର ଓଡ଼ିଶୀ ଶୈଳୀରେ ଗାନ କରୁଥିଲେ । ବିଶେଷ କରି ଆମର ଲୋକପ୍ରିୟ ଭଜନ, ଜଣାଣ, କୋଇଲି, ଚଉତିଶା, ଛାନ୍ଦ, ଚମ୍ପୁର ସୁନ୍ଦର ପ୍ରୟୋଗ ଏଠାରେ ଦେଖିବାକୁ ମିଳୁଥିଲା । ତତ୍ ସହିତ ସେ ଏହାର ପରିବେଷଣ ସମୟରେ ପାଦରେ ଘୁଙ୍ଗୁର ଏବଂ ହାତରେ ଦାସକାଠିର ବ୍ୟବହାର କରୁଥିଲେ । ବେଳେବେଳେ ଖଞ୍ଜଣିକୁ ମଧ୍ୟ ବଜାଇ ନାଟକ ପରିବେଷଣ କରୁଥିଲେ ।

ଗଳ୍ପସାଗରର ପ୍ରସିଦ୍ଧ ଅଭିନେତା

୧) ଅଭିମନ୍ୟୁ ଦାସ (ଲାଡ଼ିଗାଁ ପଦ୍ମନାଭପୁର, ଦିଗପହଣ୍ଡି, ଗଂଜାମ)

୨) କୃଷ୍ଣଚନ୍ଦ୍ର ଦାସ (ସୋରଡ଼ା, ଗଂଜାମ)

୩) ଗୋରାଚାନ୍ଦ ପାଢ଼ୀ (ଗଉଡ଼ ଗାଁ, ଦିଗପହଣ୍ଡି, ଗଂଜାମ)

୪) ତାରିଣୀ ଚରଣ ରଣା (ଦାଉଣି, ସାନଖେମୁଣ୍ଡି, ଗଂଜାମ)

୫) ଭାଲୁ ରଣା (ଏରେଣ୍ଡା, କଙ୍କୋଭଡ଼ା, ସାନଖେମୁଣ୍ଡି, ଗଂଜାମ)

୬) କୁଞ୍ଜବିହାରୀ ଦାସ (ଏରେଣ୍ଡ୍ରା, କଙ୍କୋରଡ଼ା, ସାନଖେମୁଣ୍ଡି, ଗଂଜାମ)

କୁଞ୍ଜବିହାରୀ ଦାସ (ଫଟୋ)

ଭାଲୁ ରଣା (ଫଟୋ)

ମୂଳ ସମସ୍ୟା :

୧) ଗଳ୍ପ ସାଗର ଭଳି ଏକ ବିଦଗ୍ଧ ଲୋକନାଟକ ପରମ୍ପରା ଏକବିଂଶ ଶତକର ପ୍ରାରମ୍ଭିକ ସମୟ ବେଳକୁ ବିଲୁପ୍ତ ହୋଇ ସାରିଲାଣି । କାରଣ ଉପର ବର୍ଣ୍ଣିତ ସମସ୍ତ ଗୁରୁମାନେ ଆଜିକୁ କୋଡ଼ିଏ ବର୍ଷ ତଳୁ ଏହାର ପରିବେଷଣରୁ ନିଜକୁ ଦୂରେଇ ସାରିଲେଣି ।

୨) ଶେଷ ପର୍ଯ୍ୟନ୍ତ ଏହି ଲୋକ ନାଟକର ପରିବେଷଣ କିମ୍ବା କଥାବସ୍ତୁକୁ ଆଧୁନିକତା, ଜଗତିକରଣ କିମ୍ବା ଅଶ୍ଳିଳତା ସ୍ପର୍ଶ କରିପାରିନଥିଲା। ଏହା ଶେଷ ପର୍ଯ୍ୟନ୍ତ ତାର ନିଜସ୍ୱ ମୌଳିକ ପରିବେଷଣ ଶୈଳୀ ଏବଂ ଉଚ୍ଚ ମୂଲ୍ୟବୋଧକୁ ଜାବୁଡ଼ି ରଖି ପାରିଥିଲା ।

୩) ଅନ୍ୟାନ୍ୟ ଲୋକ ନାଟକ କିମ୍ବା ପାରମ୍ପରିକ ଲୋକ ନାଟକ ଭଳି ଏହା ବ୍ୟବସାୟିକ ହୋଇପାରି ନ ଥିଲା । ଉତ୍କଟ ଦାରିଦ୍ର୍ୟ କାରଣରୁ ସେମାନେ ଏହି ନାଟ୍ୟ ପରମ୍ପରାକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ସହ ଏହାର ସାମାଜିକ, ସାହିତ୍ୟିକ ତଥା ଆଧ୍ୟାତ୍ମିକ ମୂଲ୍ୟବୋଧକୁ ପ୍ରଚାର କରିବାରେ ସକ୍ଷମ ହୋଇପାରିଲେ ନାହିଁ । ଏପରିକି ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ମଧ୍ୟ ଏଥିରେ ସାମିଲ୍ କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ ।

୪) ଉଭୟ କଥାବସ୍ତୁ ଏବଂ ପରିବେଷଣରେ ସରଳତା କାରଣରୁ ଏହା ଅନ୍ୟାନ୍ୟ ଲୋକନାଟକ କିମ୍ବା ପାରମ୍ପରିକ ଲୋକ ନାଟକ ଗୁଡ଼ିକ ସହ ପ୍ରତିଯୋଗିତା କରି ସଫଳ ହୋଇ ପାରିଲା ନାହିଁ । ଫଳ ସ୍ୱରୂପ ପାଲା କିମ୍ବା ଭାରତ ଲୀଳା ଭଳି ଏହା ଆଗକୁ ବଢ଼ିପାରିଲା ନାହିଁ ।

୫) ସମୟୋପଯୋଗୀ ପରିବେଷଣ, ପ୍ରଶିକ୍ଷଣ ତଥା ଗବେଷଣାର ଅଭାବରୁ ଉଚ୍ଚ ସାହିତ୍ୟିକ ମୂଲ୍ୟବୋଧ ଆଧାରିତ ଏହି ଏକକ ଲୋକନାଟକ ପରମ୍ପରା ସମାଜରେ ମାତ୍ରାଧିକ ଜନପ୍ରିୟ ହୋଇପାରିଲା ନାହିଁ ।

୬) କଳାକାର ଭତ୍ତା ବ୍ୟତୀତ ଅନ୍ୟ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାମାନଙ୍କର ଆର୍ଥିକ ସହାୟତା ସହଯୋଗ କିମ୍ବା ପୁରଷ୍କାର ଏହି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରଚାର କରୁଥିବା କଳାକାରମାନଙ୍କ ପାଖରେ ପହଞ୍ଚି ପାରିଲା ନାହିଁ । ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଯୋଜନା ମାନଙ୍କ ମଧ୍ୟରୁ କୌଣସି ଯୋଜନା ଏହାକୁ ଆଗକୁ ବଢ଼ିବା ଦୂରର କଥା ବଞ୍ଚାଇ ରଖିବାରେ ମଧ୍ୟ ସଫଳ ହେଲା ନାହିଁ ।

୭) ଏକବିଂଶ ଶତକର ପ୍ରାରମ୍ଭ ପର୍ଯ୍ୟନ୍ତ ଏହାର ମଂଚ, ପରିବେଷଣ ଅବଧି, ପୋଷାକ ପରିଚ୍ଛଦ, ମୁଖସଜ୍ଜାରେ କୌଣସି ପରିବର୍ତ୍ତନ ଆସି ନ ଥିଲା । ଗାଁ ମଝିରେ ବନ୍ଧା ଯାଇଥିବା ଚାନ୍ଦୁଆ କିମ୍ବା ଖୋଲା ଆକାଶ ତଳେ ପରିବେଷିତ ହୋଇ ଆସୁଥିଲା ।

୮) ଗଳ୍ପସାଗରରେ ବ୍ୟବହୃତ ସଂଗୀତରେ ମଧ୍ୟ କୌଣସି ପରିବର୍ତ୍ତନ ଆସିନଥିଲା । ଏହାର ବିଷୟବସ୍ତୁମାନ ବିଭିନ୍ନ ଲୋକପ୍ରିୟ ଓଡ଼ିଶୀ ଛାନ୍ଦ, ଚଉପଦୀ, ଭଜନ, ଜଣାଣ ଦ୍ୱାରା ଗିନି, ଝାଞ୍ଜ ଓ ଦାସକାଠି ସହାୟତାରେ ପରିବେଷିତ ହେଉଥିଲା ।

୯) ମୃତ ପ୍ରାୟ ହୋଇଯାଇଥିବା ନାଟ୍ୟସଂସ୍ଥାଗୁଡ଼ିକ ପୁନର୍ଜୀବିତ କରିବା ନିମନ୍ତେ କୌଣସି ପ୍ରକାର ଘରୋଇ କିମ୍ବା ବେସରକାରୀ ସ୍ତରରେ ବଳିଷ୍ଠ ପଦକ୍ଷେପ ନିଆଯାଇନାହିଁ ।

୧୦) ସମୟାନୁକ୍ରମେ ଏହି ନାଟ୍ୟ ପରମ୍ପରା ଲୋକପ୍ରିୟତା ଅଭାବରୁ ଏହାର ବିଜ୍ଞ କଳାକାରମାନେ ନିଜକୁ ଅଭିନୟରୁ ଦୂରେଇ ରଖି ପ୍ରବଚକ ସାଜି ପ୍ରବଚନ ମାଧ୍ୟମରେ ସାମାଜିକ ସମ୍ମାନ ସହ ଧନ ରୋଜଗାର କରିବାକୁ ଅଧିକା ଆଗ୍ରହ ପ୍ରକାଶ କଲେ । ଫଳ ସ୍ୱରୂପ ସେମାନେ ଅଭିନେତାରୁ ପ୍ରବଚକ ସାଜି ଗଲେ ଏବଂ ଗଳ୍ପସାଗରରୁ ଧର୍ମୀୟ ପ୍ରବଚକରେ ରୂପାନ୍ତରିତ ହୋଇ ଏହାର ମୂଳ ସତ୍ତାକୁ ଲୋପ କରିଦେଲେ ।

୧୧) ଏହି ଲୋକନାଟକ ଏକବିଂଶ ଶତାଦ୍ଧିରୁ ବିଲୁପ୍ତ ହୋଇଗଲାଣି । ଏପରିକି ଏହାର ପରିବେଷଣ ଆଜି ସମାଜରେ ବିରଳ ।

ଶେଷକଥା :

ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧକୁ ନିଃସ୍ୱାର୍ଥପର ପ୍ରଚାରକ ଭଳି ଗାଁର ସାଧାରଣ ଲୋକମାନଙ୍କ ପାଖରେ ବୁଲି ବୁଲି ପ୍ରଚାର କରିଥିବା ସେହି ସାଧାରଣ ଅଭିଜ୍ଞ ତଥା ପ୍ରବୀଣ କଳାକାରମାନେ କଳା ଜଗତରୁ ନିଶ୍ଚିହ୍ନ ହୋଇଯିବା ଆମର ଏହି କଳାର ରାଜ୍ୟ ଓଡ଼ିଶା ପାଇଁ ଏକ ନିହାତି ଦୁଃଖଦ ଘଟଣା । ଏମାନେ କେବଳ ସାହିତ୍ୟିକ ମୂଲ୍ୟବୋଧର ପ୍ରଚାର କରୁ ନଥିଲେ । ଆମ ଲୋକ ସଂସ୍କୃତି ତଥା ଜନଜୀବନର ପରିଧି ଭିତରକୁ ଅଶ୍ଳିଳତା, ନଗ୍ନତା ତଥା ଅପସଂସ୍କୃତିର ପ୍ରବେଶକୁ ଅଟକେଇବାରେ ଯଥାସାଧ୍ୟ ଚେଷ୍ଟା କରିଆସୁଥିଲେ । ଆମମାନଙ୍କର ଅନ୍ତରିକତାର ଅଭାବ ଏବଂ ସରକାରଙ୍କ ପୃଷ୍ଠପୋଷକତାର ଅଭାବରୁ ଗଳ୍ପସାଗର ଭଳି ଲୋକନାଟକଟି ସତରେ ଅତୀତର ଗଳ୍ପ ହୋଇଗଲା । ଏବେ ବି ସମୟ ଅଛି ଆମେମାନେ ଯଦି ଯତ୍ନବାନ ହେବା, ପୁଣିଥରେ ସେମାନଙ୍କ ଉତ୍ତରାଧିକାର ଗ୍ରହଣ ପାଇଁ ଯୋଗ୍ୟ ପ୍ରତିଭାବନ୍ ଯୁବ କଳାକାରମାନଙ୍କୁ ବାଛି ସେମାନଙ୍କୁ ପ୍ରଶିକ୍ଷତ ତଥା ପ୍ରୋତ୍ସାହନ ପ୍ରଦାନ କରିବା ସାଙ୍ଗକୁ ସାମାଜିକ ସମ୍ମାନ, ସ୍ୱାଭିମାନ, ଜୀବନ ଓ ଜୀବିକା ପାଇଁ କିଛି ବଳିଷ୍ଠ ପଦକ୍ଷେପ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନେବା ତାହାଲେ ହୁଏତ ଏହା ପୁଣି ଗାଁ ଗାଁରେ ତାର ପ୍ରଭାବ ବିସ୍ତାର କରି କଳା ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବ । ଏହା ଆମ ସମସ୍ତଙ୍କର ଦାୟୀତ୍ୱ ଓ କର୍ତ୍ତବ୍ୟ ବୋଲି ଗ୍ରହଣ କରିବାକୁ ଆପଣମାନଙ୍କୁ ଆମର ବିନମ୍ର ଅନୁରୋଧ ।

ପାଠକୀୟ ସୂଚୀ

1-  ମୁନି ଭରତ, ନାଟ୍ୟଶାସ୍ତ୍ର , ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଭୁବନେଶ୍ୱର, ଓଡ଼ିଶା

2- ଚର୍ଚ୍ଚି ଡ଼ଃ ବାୟୀମନୁ, ଗଞ୍ଜାମର ଲୋକନାଟ୍ୟ ପରମ୍ପରା, 2012, ଭଞ୍ଜନଗର

3- ଦାସ ଡ଼ଃ ହେମନ୍ତ କୁମାର, ଓଡିଶା ଲୋକ ନାଟକ, 2011, ଗ୍ରନ୍ଥମନ୍ଦିର, କଟକ

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ