ଲୋକଗୀତର ସୌନ୍ଦର୍ଯ୍ୟଦୃଷ୍ଟି

ଲୋକଗୀତର ବର୍ଣ୍ଣନା ବିଭବ ମଧ୍ୟରେ ଲୋକର କଳ୍ପନାଶୀଳ ସୌନ୍ଦର୍ଯ୍ୟଦୃଷ୍ଟିର ନିଦର୍ଶନ ମିଳିଥାଏ l

ସୁଧୀର କୁମାର ସାହୁ
ସୁଧୀର କୁମାର ସାହୁ 556 Views
14 Min Read

କବି ତଥା ଲେଖକ ଡ଼କ୍ଟର ସୁଧୀର କୁମାର ସାହୁ ଓଡ଼ିଶାର ଲୋକଗୀତ ଓ ସଂସ୍କୃତିର ଜଣେ ଅନନ୍ୟ ଗବେଷକ ତଥା ଲେଖକ l ତାଙ୍କର ଏହି ଲୋକ ଗୀତ ଓ ଲୋକ ସଂସ୍କୃତିର ଲେଖା ଗୁଡ଼ିକ ଭିତରେ ଅନେକ ସମୟରେ ପଶ୍ଚିମ ଓଡ଼ିଶାର ଜୀବନଧାରାର ପରିପ୍ରକାଶ ଦେଖିବାକୁ ମିଳେ  l ସମଧ୍ୱନିରେ ତାଙ୍କଦ୍ୱାରା  ପ୍ରକାଶିତ ପ୍ରାୟ ସବୁ ଲେଖାରେ ଲୋକ ହିଁ କେନ୍ଦ୍ରବିନ୍ଦୁ l “ଲୋକଗୀତର ସୌନ୍ଦର୍ଯ୍ୟଦୃଷ୍ଟି” ଲେଖାଟିରେ ତାଙ୍କର ଉକ୍ତିଗୁଡିକରୁ ଏହା ଯେମିତି ସ୍ପଷ୍ଟ ବାରି ହୁଏ, “ଲୋକର ନିତିଦିନିଆଁ ହସକାନ୍ଦର ଜୀବନପ୍ରବାହ ସହ ଲୋକସାହିତ୍ୟର ସମ୍ପର୍କ ଅତି ନିବିଡ଼ l… ଲୋକଗୀତ ଲୋକଜୀବନର ଛୋଟବଡ଼ ଘଟଣା, ଜୀବନ ଓ ସମାଜ ଚଳଣି, ପ୍ରେମ, ପରିବାର, ବିଶ୍ୱାସ, ନିଷେଧ, ପରମ୍ପରା ଇତ୍ୟାଦିର ପରିବହନ କରିଥାଏ l … ଲୋକର ବର୍ଣନା ବିଭବ ମଧ୍ୟରେ ଋତୁ, ପ୍ରକୃତି, ପରିବେଶ ଇତ୍ୟାଦିର ଜୀବନ୍ତ ଦୃଶ୍ୟାୟନ ତଥା ଲୋକର ଭାବଜଗତ ସହ ଏହାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥାଏ l ” – ସମ୍ପାଦକ

ଲୋକସାହିତ୍ୟ ହେଉଛି ଲୋକଜୀବନର ସାହିତ୍ୟ l ଲୋକର ନିତିଦିନିଆଁ ହସକାନ୍ଦର ଜୀବନପ୍ରବାହ ସହ ଲୋକସାହିତ୍ୟର ସମ୍ପର୍କ ଅତି ନିବିଡ଼ l ସୁଦୂର କଳ୍ପଲୋକର ଆଧିଭୌତିକ ଓ ଅତିଜାଗତିକ ଜୀବନ ବିଳାସ ଲୋକସାହିତ୍ୟରେ ନ ଥାଏ l ଲୋକର କଳ୍ପଲୋକର ପ୍ରସାର ଓ ବିସ୍ତାର ହୁଏ ଦୈନନ୍ଦିନ ବାସ୍ତବ ଜୀବନଭୂମିରୁ l ଲୋକର ଜୀବନଧାରା, ଚଳଣି, ବିଶ୍ୱାସ, ପରମ୍ପରା, ଆଚାର ବିଚାର ସହ ଲୋକସାହିତ୍ୟର ନିବିଡ଼ ଆତ୍ମୀୟତା ପରିଲକ୍ଷିତ ହୁଏ l ଲୋକସାହିତ୍ୟର ରଚୟିତା ଜ୍ଞାତ କି ଅଜ୍ଞାତ ଅଥବା ନିକଟ କି ସୁଦୂରର ଯେକୌଣସି ବ୍ୟକ୍ତି ହୋଇଥାଉନା କାହିଁକି, ଏହାର ସହଭାଗୀ ସମଗ୍ର ଲୋକସମାଜ ହୋଇଥାଏ l ଏହା ବ୍ୟତୀତ ଲୋକସାହିତ୍ୟରେ ସାମୂହିକତାର ଭାବ ରହିଥାଏ l ଲୋକସାହିତ୍ୟ ଲୋକକୁ ଜୀବନର ଗତିଶୀଳତାର ମାର୍ଗ ଦେଖେଇଥାଏ l ସାମାଜିକ ଶିକ୍ଷା, ନିଷେଧ, ଆଚାର, ବ୍ୟବହାର ଇତ୍ୟାଦି ସବୁକିଛିକୁ ଲୋକସାହିତ୍ୟ ପରିବହନ କରିଥାଏ l ଜୀବନର ପ୍ରତିଟି ବିଭାବକୁ ଆତ୍ମୀକୃତ କରି ଲୋକକୁ ସାମୁହିକ ଜୀବନଯାତ୍ରାରେ ପ୍ରେରିତ କରିଥାଏ ଲୋକସାହିତ୍ୟ l ଦେଖିବାକୁ ଗଲେ ଏହା ହେଉଛି ବାସ୍ତବରେ ଜନଜୀବନ ବା ଲୋକଜୀବନର ପ୍ରତିବିମ୍ବ l

ଲୋକଗୀତ, ଲୋକକାହାଣୀ ବା କଥାନି, ଲୋକୋକ୍ତି (ଢଗ, ଧନ୍ଦା, ଚୁଟକୁଲା ଇତ୍ୟାଦି), ଲୋକୋତ୍ସବ ଆଦି  ଲୋକସାହିତ୍ୟର ପ୍ରତିଟି ବିଭାବରେ ଉପରୋକ୍ତ କଥନର ସତ୍ୟତା ଦେଖିପାରିବା l ସମ୍ପ୍ରତି ଏହି ପ୍ରବନ୍ଧରେ ଲୋକଗୀତର ସାହିତ୍ୟିକ ମୂଲ୍ୟ କଳନା କରିବା l ଉଭୟ ଆତ୍ମିକ ଓ ଆଙ୍ଗିକ ଦୃଷ୍ଟିରୁ ଲୋକଗୀତର ସାହିତ୍ୟକ ମୂଲ୍ୟ କଳନା କରାଯାଇପାରିବ l ଲୋକଗୀତର ଆତ୍ମିକ ବିଭବ ମଧ୍ୟରେ ତାର କଥାବସ୍ତୁ, ସୌନ୍ଦର୍ଯ୍ୟଦୃଷ୍ଟି, ରସ ଇତ୍ୟାଦିକୁ ନିଆଯ଼ାଇଥିବା ବେଳେ ଆଙ୍ଗିକ ବିଭବ ରୂପରେ ତାର ଧ୍ୱନିବିନ୍ୟାସ ଓ ଛନ୍ଦକୁ ନିଆଯାଇପାରେ l ଏହି ପ୍ରବନ୍ଧରେ ଆମେ କେବଳ ଲୋକଗୀତର ଆତ୍ମିକ ବିଭବର ଆଲୋଚନା କରିବା l

କଥାବସ୍ତୁ:

ଲୋକଗୀତ ଲୋକଜୀବନର ଛୋଟବଡ଼ ଘଟଣା, ଜୀବନ ଓ ସମାଜ ଚଳଣି, ପ୍ରେମ, ପରିବାର, ବିଶ୍ୱାସ, ନିଷେଧ, ପରମ୍ପରା ଇତ୍ୟାଦିର ପରିବହନ କରିଥାଏ l ଲୋକର ପ୍ରେମ, ପ୍ରଣୟ, ବିରହ, ଦୁଃଖ, ସୁଖର ଦୈନନ୍ଦିନ ଜୀବନଚିତ୍ର ଲୋକଗୀତର କଥାବସ୍ତୁରେ ପ୍ରତିଫଳିତ ହୋଇଥାଏ l ହଲିଆ ଗୀତ, ସଜନୀ, ହୁମୋ-ବଉଲି, ଡାଲଖାଇ, ରସରକେଲି, ମାଏଲାଜଡ଼, ଜାଇଫୁଲ, ଜହ୍ନିଫୁଲ, ନଚନିଆଁ, ଦୋଳିଗୀତ, ଝୁମର ଗୀତ, ଫୁଲ ବଉଳବେଣୀ, ବାରମାସୀ ଗୀତ, କୋଇଲି ଗୀତ ଆଦି ଗୀତଗୁଡ଼ିକ କେତେବେଳେ ତାରୁଣ୍ୟର ସୌନ୍ଦର୍ଯ୍ୟ ଓ ଯୌବନର ପ୍ରେରଣା ପ୍ରେମ ଓ ଶୃଙ୍ଗାର ବିଭୋର ତ ପୁଣି କେତେବେଳେ ଲୋକର ନିତିଦିନିଆଁ ସାମାଜିକ ଜୀବନର ଘନିଷ୍ଠ ଓ ଆତ୍ମୀୟ ସହଯାତ୍ରୀ l

ଓଡ଼ିଶାର ଲୋକଗୀତମାନଙ୍କରେ ସାମନ୍ତୀ ଓ ଜନଜାତୀୟ ଜୀବନଧାରା ତଥା ଜୀବନଚଳଣିର ଚିତ୍ରସବୁ ଜୀବନ୍ତ ଭାବରେ ଅଙ୍କିତ l ଏଥିରେ ଲୋକର ପ୍ରେମ, ପ୍ରଣୟ, ପରକୀୟା, ବିରହ, ମିଳନ, ପ୍ରତୀକ୍ଷା, ସ୍ନେହ, ମମତା, ବନ୍ଧୁତା, ସ୍ୱାଭିମାନ, ଦୁଃଖ, ବିଳାପ, ଆଶଙ୍କା ଆଦି ମାନବୀୟ ଗୁଣର ପ୍ରଖ୍ୟାପନ ଏକ ଦିଗରେ ରହିଥିବା ବେଳେ ଅପର ଦିଗରେ ସାମନ୍ତୀ ସମାଜର ନଗ୍ନଚିତ୍ର ପ୍ରଖ୍ୟାପିତ ହୋଇଛି l ଏକ ପୁରୁଷ ସତ୍ତାତ୍ମକ ସାମନ୍ତୀ ସମାଜରେ ସପତ୍ନୀ, ରକ୍ଷିତା, ଗଣିକା ଇତ୍ୟାଦି ସମ୍ପର୍କ ଓ ତାର କରୁଣ ପରିଣତିର ଚିତ୍ର ବି ପ୍ରଦାନ କରିଥାଏ l ବିଧବା, ବନ୍ଧ୍ୟା, ଛାଡ଼ରିମାନଙ୍କ ସାମାଜିକ ସ୍ଥିତିର ଚିତ୍ର ପ୍ରଦାନ କରିବା ସହ ସମାଜର ଅନ୍ୟାନ୍ୟ ଦିଗଗୁଡ଼ିକ ପ୍ରତି ରହିଥିବା ଲୋକର ଦୃଷ୍ଟିଭଙ୍ଗୀ ସହିତ ଏଗୁଡ଼ିକର ମେଳ ରଖିବାର ପ୍ରୟାସ ଲୋକଗୀତରେ ରହିଥାଏ l ଅନ୍ୟ ଭାଷାରେ କହିଲେ, ଲୋକଗୀତ ଲୋକର ସମଗ୍ର ବ୍ୟକ୍ତିଗତ, ସାମାଜିକ ଓ ଗତିଶୀଳ ଜୀବନଯାତ୍ରାର ଏକ ମୁଖ୍ୟ ଓ ମୁଖର ସହଯାତ୍ରୀ l

ଲୋକଗୀତରେ ସୌନ୍ଦର୍ଯ୍ୟଦୃଷ୍ଟି :

ଲୋକଗୀତରେ ରହିଥିବା ଲୋକର ସୌନ୍ଦର୍ଯ୍ୟଦୃଷ୍ଟିକୁ ବର୍ଣନା ବିଭବ ଓ ବ୍ୟଞ୍ଜନା ବିଭବ ରୂପେ ଦୁଇ ଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ l

ଲୋକଗୀତର ବର୍ଣନା ବିଭବ:

ଲୋକଗୀତର ବର୍ଣ୍ଣନା ବିଭବ ମଧ୍ୟରେ ଲୋକର କଳ୍ପନାଶୀଳ ସୌନ୍ଦର୍ଯ୍ୟଦୃଷ୍ଟିର ନିଦର୍ଶନ ମିଳିଥାଏ l ଏହି କଳ୍ପନା କିନ୍ତୁ ଆଧୁନିକ ଓଡ଼ିଆ କବିତା ପରି ସୁଦୂର କଳ୍ପଲୋକର ସ୍ୱପ୍ନଭୂମିରେ ବିଚରଣ ନକରି ଜନଜୀବନଧାରା ମଧ୍ୟରୁ ଉତ୍ସରିତ ହୋଇଥାଏ l ଲୋକଗୀତର ସୌନ୍ଦର୍ଯ୍ୟଦୃଷ୍ଟିରେ ଜୀବନଭୂମିରୁ ଆଧିଭୌତିକ ଆଧ୍ୟାତ୍ମିକତା ଆଡ଼କୁ ପଳାୟନ କରିବାର ପ୍ରବୃତ୍ତି ନଥାଏ କି ଏହାର କଳ୍ପନାଭୂମି ଆଧୁନିକ କବିତା ପରି ଚନ୍ଦ୍ରକୁ ଟର୍ଚ୍ଚ ଦେଖେଇବାର ଦୁଃସାହସ କରିନଥାଏ l ଦୈନନ୍ଦିନ ଜୀବନଭୂମିରୁ, ଲୋକଜୀବନଧାରାରୁ, ଗାଁ ପ୍ରକୃତି ଓ ଲୋକ ଇତିହାସ ଭିତରୁ ଲୋକକବିର କଳ୍ପନାଭୂମି ଓ ସୌନ୍ଦର୍ଯ୍ୟଦୃଷ୍ଟି ପ୍ରସାରିତ ହୋଇଥାଏ l ଲୟ, ଛନ୍ଦ ଓ ତାଳର ସମନ୍ୱୟରେ ଲୋକକବିର କଳ୍ପିତ ସୌନ୍ଦର୍ଯ୍ୟ ଲୋକର ନିତିଦିନିଆ ଜୀବନସ୍ରୋତ ସହ ଜଡ଼ିତ ହୋଇଥାଏ l

ଲୋକର ବର୍ଣନା ବିଭବ ମଧ୍ୟରେ ଋତୁ, ପ୍ରକୃତି, ପରିବେଶ ଇତ୍ୟାଦିର ଜୀବନ୍ତ ଦୃଶ୍ୟାୟନ ତଥା ଲୋକର ଭାବଜଗତ ସହ ଏହାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥାଏ l ନିମ୍ନରେ ନଚନିଆଁ ଗୀତର ଏକ ଉଦାହରଣ ଦିଆଯାଉଛି l ଏହି ଗୀତରେ ମୂଷଳଧାରା ବର୍ଷାର ବର୍ଣନା ରହିଛି l

ଚିକିଚାକ ଦୁଲୁଦୁଲୁ ଦମାଦମା ଦଲଦଲ

ମଘା ନଏଖତର୍

ଲାଗିଛେରେ ମଘା ନଏଖତର୍

କୁଲାରମୁହେଁ ପାଏନ ବରଷେ ରେ

ବୁଡ଼େ କୁଲଛତର୍

ମିଟିମିଟି ଅଁଧାର ଘୁଟିଅଚେ ସଁସାର

ବାହାକେ ବାହା ନାଇଁ ଦିଶେ

ଗଅଁ ଗଅଁ ସଅଁ ସଅଁ ଘୁଟି ବରଷା ଆସେ

କେଁଟେ କେଁଟେ କେଁଟେ କେଁଟେ ବେଙ୍ଗ୍ ହୁଲାହୁଲି

ଘଁ ଘାଁ କେ ଭର୍ଦର୍

କୁଲାରମୁହେଁ ପାଏନ ବରଷେ ରେ

ବୁଡ଼େ କୁଲଛତର୍ l୧l

ପ୍ରକୃତି ପରି ପଶୁପକ୍ଷୀଙ୍କ ବର୍ଣନାରେ ବି ଲୋକଗୀତ ମୁଖର l ବିବିଧ ଉପମା ଓ ରୂପକର ବ୍ୟବହାରରେ ଲୋକକବିର ଗାନ ମଧ୍ୟରେ ପଶୁପକ୍ଷୀ ଓ ସେମାନଙ୍କ ସ୍ୱଭାବ-ପ୍ରକୃତିର ବର୍ଣନା ଜୀବନ୍ତ ହୋଇଉଠେ l ଝାରପତରିଆ ଗୀତରୁ ଉଦାହରଣ –

ଲୁକି ଲୁକି ଗୀତ ଗାଉଛୁ

ହଏଲା, ଲୁକି ଲୁକି ଗୀତ ଗାଉଛୁ

ଆମ୍ ବୁରେଇ ଭିତରେ ଥାଇ

କୁଇଲି ଲୋ…

ଚିକନକାଲି ଗଛଗହଲି ଗାଏସୁ କୁହୁକୁହୁ

ତୋର ମୁହୁଁଥୁ ଝରିପଡସି ଖଁଡ୍ ଖିରସାର ମହୁ

କୁଆଗୁଡ଼ାଥି ଡିମ୍ ପାରି ତୁଇ ଛୁ ଗଦବଦ କରସୁ

ବଡ଼ା ସଜର ମିରଚା ଖାଇ ଡିଁଡ଼ା ଲେଖେନ୍ ବୁଲସୁ

ଚେରେ ମଧ୍ୟେଁ ରାନି ତୁଇ ତ କାଲି କଟ୍ କଟ୍ ଘଁଟ୍ ବିଲେଇ

କୁଇଲି ଲୋ… l୨l

ସେହିପରି ପରିବେଶ ବର୍ଣନାରେ ମଧ୍ୟ ଲୋକକବି ସିଦ୍ଧହସ୍ତ l ଗୀତ ମାଧ୍ୟମରେ ପ୍ରକୃତି ସହ ଲୋକଜୀବନର ଜୀବନ୍ତ ପରିବେଶକୁ ଅଙ୍ଗୀକାର କରି ରୂପାୟିତ କରିଥାଏ ଲୋକକବି, ଗାୟକ l ଉଦାହରଣ ସ୍ୱରୂପ ଝୁମେର୍ ଗୀତର ପଦଟିଏ ନିମ୍ନରେ ଉପସ୍ଥାପନ କରାଯାଉଛି l

ଅହରେ ବଏଁଶି ବଜା

ବବରେ କେନ୍ତା ମଜା

ଅହରେ ବଏଁଶି ବଜା

ବବରେ କେନ୍ତା ମଜା

ତୋର ବଏଁଶି ନେଲା ମହତ ସାରି ରେ ନନ୍ଦର୍ ବଲା

ପାଏନ୍ ଘାଟେ ଚମକେ ପାଏନହାରି…

ନିଝାଝାର ବୃନ୍ଦାବନ ପଡ଼ୁଛେ ଉଛୁଲି

ଭାଲା ରେ ପଡ଼ୁଛେ ଉଛୁଲି

ସୁଖା ଗଛେ ପତର କାଏଁ ଗଲାନ ପାଆଁଲି

ଡହକ ବିକଲ ଗୁପର ଗୁରି ରେ ନନ୍ଦର୍ ବଲା

ଗାଏ ଦାମୁର ଶୁନୁଛନ କାଏନ୍ ଡେରି… l୩l

ବଂଶିସ୍ୱନରେ ବିମୁଗ୍ଧା ପାଣିହାରି ତୁଠରେ ଚମକେ, ଶୁଷ୍କ ଗଛରେ ପଲ୍ଲବନ ହୁଏ l ଗୋପବାଳା ସବୁ ଆକୁଳ ହୁଅନ୍ତି ଓ ଗାଈ, ବାଛୁରୀସବୁ ତନ୍ମୟ ହୋଇ କାନଡେରି ଶୁଣନ୍ତି ସେ ବଂଶିଗୀତ l ସେହିପରି ପରିବେଶ ଓ ଋତୁଚକ୍ର ସହ ମଣିଷ ମନର, ପ୍ରେମୀ ମନର ଭାବଜଗତକୁ ଅତି ସୁନ୍ଦର ଭାବରେ ସମାବେଶିତ କରିଥାଏ ଲୋକକବି l

ଚଇତେଁ ଫୁଟଇ ମଲ୍ଲି, ଚଇତେଁ ଫୁଟଇ ମଲ୍ଲି,

ଗୁଁଥିଥିଲିଁ ହାର, ଆସି ବାସିହେଲା, ଜାଇଫୁଲ ରେ

ମୋର୍, ଦିନ ନାଇଁସରେ ଭାଲି, ଜାଇଫୁଲ ରେ… l୪l

ଅଥବା

ଡାଲଖାଇ ରେ, ଡାଲଖାଇ ରେ

ଚଇତ ମାସରେ ଫଲସା ଫୁଲ,

ଚଇତ ମାସରେ ଫଲସା ଫୁଲ

ଫୁଟି ଲାଲ ଦିଶଇ ଚାରିଆଡ଼,

ଫୁଟି ଲାଲ ଦିଶଇ ଚାରିଆଡ଼

ପବନରେ ଝଡ଼ି ଗୁଟେ କେ ଗୁଟେ

ବସୁଧାରେ ପଡ଼ି ଦୂତି ସେ ଶୋଭାପାଉଛେ, ଲୁଭଲାଗୁଛେ

କାଏଁ ଡାଲଖାଇ ରେ… (ପଣ୍ଡା-୧୯୯୭)l୫l

ଲୋକଗୀତରେ ନାରୀର ଅଳଙ୍କାର ଓ ସୌନ୍ଦର୍ଯ୍ୟ ବର୍ଣନା ସୁପ୍ରତୂଳ l ଯୌବନର ସକଳ ଗୀତରେ ଏ ପ୍ରକାର ପ୍ରବଣତା ଅଧିକ l ନିମ୍ନରେ ମାଏଲାଜଡ଼ରୁ ଏକ ଉଦାହରଣ ଦିଆଯାଉଛି –

ବାଲ କେରି କେରି ଧନ, ଚାଏଁରି ମୁଡ଼ିର ଖୁସା

ଖୁସାକେ ସୁନ୍ଦର ଦିଶେ କୁରେଁ ଫୁଲର ଝୁପା

ଘିନିଦେମି ଜୁରା କାନର ଫସିଆ, କାଏଁ

ଥିବା ଛଅ ମସା, ପିନ୍ଧେଇଦେତିଁ

ମନ୍ ଭଏର ତତେ ଦେଖୁଥିତିଁ, ମୋର୍ ଖଡକାପାତି

ବୁଡ଼େଇଦେଲୁ ଆଗର୍ ଗତି ରେ ମୋର୍ ଖଡକାପାତି l୬l

ବ୍ୟଞ୍ଜନା ବିଭବ:

ଲୋକର ସୌନ୍ଦର୍ଯ୍ୟଦୃଷ୍ଟିରେ ବର୍ଣ୍ଣନା ପରି ବ୍ୟଞ୍ଜନା ମଧ୍ୟ ଏକ ଗୁରୁତ୍ୱପୂର୍ଣ ବିଭବ l ଲୋକର ବ୍ୟଞ୍ଜନାରେ ବ୍ୟବହୃତ ସକଳ ଉପମା, ରୂପକ, ବକ୍ରୋକ୍ତି, ଏପରିକି ଅତିଶୟୋକ୍ତି ସବୁ ଏକ ସ୍ୱାଭାବିକ ପ୍ରକ୍ରିୟାରେ ଲୋକଜୀବନ ତଥା ପରିଚିତ ପ୍ରକୃତି ଓ ପରିବେଶରୁ ଆସିଥାଏ l ଯେପରି –

ଆଟିକା ଯୋଡ଼ିକ ଧୋଇ ଥୋଇଲି ମୁଁ

ନିଗିଡ଼ିପଡ଼ିଲା ମହୁ

ଲୋକେ ପଚାରିଲେ କି ବୋଲି କହିବି

ମୁଁ ଯେ ସାଆନ୍ତ ବ୍ରାହ୍ମଣ ବୋହୂ… l୭l

ଏହି ଗୀତଟିର ପ୍ରଥମ ପାଦରେ ଅତିଶୟୋକ୍ତି ରହିଛି ଏବଂ ଏକ ଅସମ୍ଭବ କଥା କୁହାଯାଉଛି l ତେବେ ଏ ଅତିଶୟୋକ୍ତି ସାଆନ୍ତ ବ୍ରାହ୍ମଣ ପରିବାରର ପ୍ରାଚୁର୍ଯ୍ୟ, ଆଭିଜାତ୍ୟ ଓ ଆଧିପତ୍ୟକୁ ସୂଚାଉଛି l ଏହା ହିଁ ଲୋକକବିର ବ୍ୟଞ୍ଜନା ଚାତୁର୍ଯ୍ୟ l

ଲୋକକବି ଶାସ୍ତ୍ରୀୟ ରୂପରେ ଅଳଙ୍କାର ପ୍ରୟୋଗର ଧାର ଧାରେନା l ଅଳଙ୍କାର ପ୍ରୟୋଗ ବିଷୟରେ ସେ ଆଦୌ ସଚେତନ ନୁହେଁ l ତେବେ ଗୀତର ସ୍ୱାଭାବିକ ଗତି ପ୍ରକ୍ରିୟାରେ ମଣିଷର କଥାକୁ ବୁଲେଇ କହି ସୁନ୍ଦର କରିବାର ପ୍ରବଣତାରୁ ଏହା ଆସିଥାଏ l ଲୋକଗୀତରେ ତେଣୁ ଅଳଙ୍କାର ପ୍ରୟୋଗର ବହୁଳତା ନଥାଏ l ତେବେ ସ୍ଥାନେ ସ୍ଥାନେ ଉପମା, ଅନୁପ୍ରାସ ଓ ଅତିଶୟୋକ୍ତି ଆଦି ରହିଥାଏ l ଗତିଶୀଳ ଦୃଶ୍ୟମାନ ବିମ୍ବ ଉପସ୍ଥାପନ ବି ଲୋକଗୀତରେ କେଉଁଠି କେଉଁଠି ରହିଥାଏ l

ଉପମା:

ଲୋକଗୀତର ଉପମା ସବୁ ଲୋକଜୀବନ ଓ ପ୍ରାକୃତିକ ପରିବେଶରୁ ଚୟିତ ହୋଇଥାନ୍ତି l ଲୋକଗୀତର ନାୟିକା ଚନ୍ଦ୍ରମୁଖୀ, ଚନ୍ଦ୍ରକଳା ବା ଗଜଗମନୀ ରୂପରେ ଚିତ୍ରିତ ନ ହୋଇ ସରଗିମାଲ, ଜହ୍ନିଫୁଲ, ଜାଇଫୁଲ, ରସରଘରା, ରସର ମଟରଚନା, ଖଡକାପାତି, କଜଲପାତି, ଚିକିନିକାଲି ଆଦି ଲୋକଜୀବନ ସଂଲଗ୍ନ ଉପମାଗୁଡ଼ିକରେ ସମ୍ବୋଧିତ ହୋଇଥାଏ । ନିମ୍ନସ୍ଥ ଝାରପତରିଆ ଗୀତରେ କୋଇଲିର ବର୍ଣ୍ଣନା ଆଳରେ ତାକୁ ଚିକନକାଲି, ଗଛଗହଲି, ଘଁଟବିଲେଇ, ଡିଁଡ଼ା ଇତ୍ୟାଦି ଉପମାରେ ଭୂଷିତ କରାଯାଇଛି ।

ଚିକନକାଲି ଗଛଗହଲି ଗାଏସୁ କୁହୁକୁହୁ

ତୋର ମୁହୁଁଥୁ ଝରିପଡସି ଖଁଡ୍ ଖିରସାର ମହୁ

କୁଆଗୁଡ଼ାଥି ଡିମ୍ ପାରି ତୁଇ ଛୁ ଗଦବଦ କରସୁ

ବଡ଼ା ସଜର ମିରଚା ଖାଇ ଡିଁଡ଼ା ଲେଖେନ୍ ବୁଲସୁ

ଚେରେ ମଧ୍ୟେଁ ରାନି ତୁଇ ତ କାଲି କଟ୍ କଟ୍ ଘଁଟ୍ ବିଲେଇ

କୁଇଲି ଲୋ… l୮l

ଅନୁପ୍ରାସ:   

    ଉପମା ପରି ଲୋକଗୀତରେ ଅନୁପ୍ରାସ ଅଳଙ୍କାରର ସ୍ୱତଃ ବ୍ୟବହାର ହୋଇଥାଏ । ଭାଷାର ସୌନ୍ଦର୍ଯ୍ୟ, ସୁଶ୍ରାବ୍ୟତା ଓ ଧ୍ୱନିମେଳ ସକାଶେ ଲୋକକବି ସ୍ୱତଃସ୍ଫୁର୍ତ୍ତ ଭାବରେ ଅନୁପ୍ରାସାଳଙ୍କାର ଗଢ଼ିବସେ । ଯ଼େମିତି:-

ଝୁପୁଝୁପୁ ଝୁପିଆ ଠିକ୍ ରତରତିଆ

ଝିଁ ଝିଁ ଝିଁକାର ମେଲୁଛେ

ଶୁଉନ୍ ଶାଆନ୍ ମଥୁରା କଟକ

ନିଝକ୍ ହେଇଛେ

ଦେଖ ଦେଖ ଛେକ ଛେକ ଚୋର ପଲାଲା

ବୁହି ତମ୍ବାଖପର

ଆରେ, କୁଲାର୍ ମୁହେଁ ପାଏନ୍ ବରଷେରେ

ବୁଡ଼େ କୁଲଛତର (ନଚନିଆଁ ଗୀତ)।୯।

 

ଅତିସୟୋକ୍ତି ଅଳଙ୍କାର:    

      ଅତିସୟୋକ୍ତି ଅଳଙ୍କାରର ବ୍ୟବହାର ଲୋକଗୀତରେ ସୁପ୍ରତୂଳ ନୁହେଁ । ତେବେ, ଲୋକର ସ୍ୱତଃସ୍ଫୁର୍ତ୍ତ ସୌନ୍ଦର୍ଯ୍ୟଦୃଷ୍ଟିରେ ଏହା ସମ୍ପୂର୍ଣ୍ଣ ଅବହେଳିତ ବି ନୁହେଁ । ଯେମିତି:

          କାଏଁ ମହନି ଅଛେ ତୋର ବଏଁଶିର ସୁରେ

ଭାଲାରେ, ବଏଁଶିର ସୁରେ

ମଜୁର ନାଚଇ ଦେଖ ଚଇତ ମାସରେ

ଭାଲାରେ, ଚଇତ ମାସରେ

ଡହକ ବିକଳ ଗୁପର ଗୁରିରେ, ନନ୍ଦରବଲା

ବାଘର ସାଙ୍ଗେ ଧାଏଁଲା କସ୍ତୁରୀ (ଝୁମେର ଗୀତ)।୧୦।

ଚଇତ ମାସରେ ମୟୁରର ନୃତ୍ୟ ଓ ବାଘ ସହିତ କସ୍ତୁରୀର ଧାବନ ଆଦି ଅତିଶୟୋକ୍ତି ଏହି ଗୀତରେ ବଂଶିସ୍ୱନକୁ ମହିମାନ୍ୱିତ କରେ ।

ଲୋକଗୀତରେ ରସ:

   ଲୋକଗୀତରେ ରସର ସଚେତନ ବିନ୍ୟାସ ନଥାଏ । ଜୀବନର ସାଧାରଣ ଦୁଃଖସୁଖର ବର୍ଣ୍ଣନା ବେଳେ କେତେବେଳେ ଏହା କରୁଣ ରସର ଆଲେଖ୍ୟ ବାଢ଼ିଦିଏ ତ ପୁଣି କେବେ ଭରା ଯୌବନର ଗୀତବାଦ୍ୟ ଆସରରେ ଲୋକର ଶୃଙ୍ଗାରିକତା ଉଛୁଳିପଡ଼େ । ଏହି ହେତୁରୁ ଲୋକଗୀତରେ ଶୃଙ୍ଗାର ରସ ମୁଖ୍ୟ ଭାବରେ ରହିଥାଏ ଓ କରୁଣ ରସର ପ୍ରଖ୍ୟାପନ ସ୍ଥାନେ ସ୍ଥାନେ ହୋଇଥାଏ ।

ଶୃଙ୍ଗାର ରସ:

   ଯୌବନକୁ ଅଙ୍ଗୀକାର କରୁଥିବା ସକଳ ଲୋକଗୀତରେ ଶୃଙ୍ଗାରିକତା ଭରି ରହିଥାଏ । ସଜନୀ, ଡାଲଖାଇ, ରସରକେଲି, ମାଏଲାଜଡ଼, ଜାଇଫୁଲ, ହଳିଆଗୀତ, କରଞ୍ଜମାଲି ଆଦି ଲୋକଗୀତରେ ଶୃଙ୍ଗାରିକତାର ଆଧିକ୍ୟ ରହିଥାଏ । ଯେମିତି:

ଦୁଆରେ କାନ୍ଦୁଲ ଚେର

ପାନ ଦୁଇବିଡ଼ା ଦେମି ଦିଅର ହୋ

ପଲଙ୍କରେ ବିଜେ କର, ନାଗର ହୋ (ସଜନୀ ଗୀତ)l୧୧l

ଅଥବା

ମଝି କଣେ ଗଲେ ଜଡ଼ି

ମଝିଆଁ ଦିଅର ଲୁଗା ଆଣିଥିଲେ

ରଅସରସିଆ ଧଡ଼ି । (ଦୋଳିଗୀତ)।୧୨।

ଅଥବା

ଜାଇଫୁଲରେ, ବନ୍ଧଆଡ଼ି ଗଲା ଖସି

ସତେଁ ଜାଇଫୁଲ ବନ୍ଧଆଡ଼ି ଗଲା ଖସି

ଭାଲିବସିଛେଁ ମୁଇଁ ସୁଲ୍ହ ବୟସି, ସୁଲ୍ହ ବୟସି

ଜାଇଫୁଲରେ, ନାଇଁପାରେଁ ତତେ ମୁରୁଛି । (ଜାଇଫୁଲ ଗୀତ)l୧୩l

କରୁଣ ରସ:   

  ଜୀବନର ଦୁଃଖସୁଖର ଅବତାରଣା ସହ ଲୋକଗୀତରେ କାରୁଣ୍ୟର ଭାବ ସ୍ୱତଃସ୍ଫୂର୍ତ୍ତ ଭାବରେ ନିଗିଡ଼ିଆସେ । ମାଆର ମୃତ୍ୟୁରେ ବିଚଳିତ ଝିଅ ଅନୁଭବ କରିପାରେ ଜୀବନର ଅସହାୟତା । ମାଆର ଅବର୍ତ୍ତମାନରେ ତାକୁ ଲାଗେ ଯେ ଦୁନିଆଁର ସକଳ ସମ୍ପର୍କ କ୍ରମେ ଅର୍ଥହୀନ ହୋଇଉଠୁଛି । ତାର ଭାବରେ କାରୁଣ୍ୟ ଫୁଟିଉଠେ । ଲୋକଗୀତରେ ସେ କହେ:

          ମାଆ ଥିଲେ ମାମୁଘର

ମାଆ ମରିଗଲେ କିଏ କାହାର ରେ

ଦୁନିଆଁ ଦିଶେ ଅନ୍ଧାର, ସଜନୀ ରେ… (ସଜନୀ ଗୀତ)l୧୪l

ସେହିପରି ଚିର ଅବହେଳିତ ଝିଅ ଶାଶୁଘରେ ବହୁଦିନ ଧରି ବାପାର ଅପେକ୍ଷା କରିରହେ । ସାମାଜିକ ପରମ୍ପରା ବହୁଦିନ ଧରି ପିତୃଦର୍ଶନରୁ ତାକୁ ଦୂରେଇ ରଖେ । ତାର ଅବିମାନ ଭରା କଣ୍ଠରେ କାରୁଣ୍ୟର ଭାବ ଫୁଟିଉଠେ । ଯେମିତି:

ଆହା ମୋ ଶର୍ବନା ପକ୍ଷୀ

ମୁଇଁ ତ ଗୋ ବାପା ଜନମ ଦୁଃଖୀ ଗୋ

ଘାଏଁ ନାଇଁ ଆଏଲ ଦେଖି, ପିଅର ଗୋ (ସଜନୀ ଗୀତ)।୧୫।

ସେହିପରି ମଣିଷର/ପ୍ରିୟଜନର ମୃତ୍ୟୁରେ ତାର ଗୁଣ ବାହୁନି କାନ୍ଦିବା ସହ ଗୀତ ଗାଇବାର ପରମ୍ପରା ଓଡ଼ିଶାର ଲୋକଜୀବନରେ ପ୍ରଚଳିତ । ଏହି ଗୀତସବୁରେ କାରୁଣ୍ୟର ଆଲେଖ୍ୟ ବେ’ଶ ମାର୍ମିକ । ଯେମିତି:

ହାତୀ ହୋ… ତୁମେ ଯାଉଛ କାହିଁ

ରଜା ହୋ…  ତୁମେ ଯାଉଛ କାହିଁ

କୁଟୁମର ଜଞ୍ଜାଲ, କୁଟୁମର ଜଞ୍ଜାଲ କାହାକେ ଦେଇ

ହାତୀ ହୋ… ତୁମେ ଯାଉଛ କାହିଁ

ଭାଲା ଢଲିଗଲ ଛଏଁରା ଗଛ, ଛଏଁରା ଗଛ

ମତେ ଖାରମୁଡ଼ିକେ ଛାଡ଼ି ଯାଉଛ, ଛାଡ଼ି ଯାଉଛ

ସାଙ୍ଗକରି ନିଅ ମତେ,  ସାଙ୍ଗକରି ନିଅ କୁଲେ ବସାଇ

ହାତୀ ହୋ… ତୁମେ ଯାଉଛ କାହିଁ (ମୃତ୍ୟୁ ଶୋକଗୀତ- ଦରଗଡ଼ଗଞ୍ଜ)।୧୬।

ଲୋକଗୀତର ଅନ୍ତର୍ବସ୍ତୁ ଲୋକର ସମଗ୍ର ଜୀବନର ଗତି ଓ ପ୍ରକୃତିକୁ ସଦାବେଳେ ଅଙ୍ଗୀକାର କରିଚାଲିଥାଏ l ଜୀବନର ଦୁଃଖ, ସୁଖ, ହର୍ଷ, ବିଷାଦ ଭିତରେ ହିଁ ବିବିଧ ରୂପ, ରସ, ଛନ୍ଦ, ଲୟ ମାଧ୍ୟମରେ ଫୁଟିଉଠିଥାଏ ଲୋକଗୀତର ସୌନ୍ଦର୍ଯ୍ୟଦୃଷ୍ଟି l ଅନ୍ୟଭାଷାରେ କହିଲେ, ଲୋକର ସମଗ୍ର ଜୀବନବୋଧ ଓ ଜୀବନଦୃଷ୍ଟି ହିଁ ଲୋକଗୀତର ସୌନ୍ଦର୍ଯ୍ୟଦୃଷ୍ଟି ଭାବରେ ଉଭାହୋଇଥାଏ l

ସୂଚନା ଓ ଟୀକା:

ଏହି ପ୍ରବନ୍ଧରେ ଉପସ୍ଥାପିତ ଅଧିକାଂଶ ଲୋକଗୀତ ବା ଲୋକଗୀତର ପଙ୍କ୍ତି ନିଜ ଦ୍ୱାରା ସଂଗୃହୀତ l ୧୯୯୦ ମସୀହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଏମ. ଏ ଶ୍ରେଣୀରେ ପଢ଼ୁଥିବାବେଳେ ଫୋକଲୋର ସ୍ୱତନ୍ତ୍ର ପତ୍ରର ଛାତ୍ରଛାତ୍ରୀମାନେ ଆମ ଶିକ୍ଷକ ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀ ଓ ଡକ୍ଟର ନିମାଇଁ ଚରଣ ପଣ୍ଡାଙ୍କ ନେତୃତ୍ୱରେ ଘେଁସ୍ ଅଞ୍ଚଳକୁ କ୍ଷେତ୍ର ଅଧ୍ୟୟନ ପାଇଁ ଯାଇଥିଲୁ l ସେଠାରେ ସୌଭାଗ୍ୟକ୍ରମେ କାଲିଆ ଆମର ପ୍ରଧାନ ସହଯୋଗୀ ହୋଇଥିଲେ ଓ ଆମ ଦଳ ପାଇଁ ରୋଷେଇ ବ୍ୟବସ୍ଥା କରୁଥିଲେ ତଥା ରାତିରେ ବି ଆମ ସହିତ ରହୁଥିଲେ l ଦିନ ସାରା ବିଭିନ୍ନ ଗାଁ ବୁଲି ଲୋକ ଉପାଦାନ ସଂଗ୍ରହ କରିବା ପରେ ରାତିରେ କାଲିଆ ବାବୁଙ୍କ ବହୁବର୍ଣା ଲୋକଗୀତ ଆମକୁ ମିଳୁଥିଲା l ପ୍ରବନ୍ଧର ୧, ୨, ୩, ୪, ୬, ୮, ୯, ୧୦, ୧୬ କାଲିଆ – ଘେଁସ–୧୯୯୦ ଙ୍କ ଠାରୁ ସଗୃହୀତ l କାଲିଆ ସେତେବେଳେ ବି ଜଣେ ଲୋକକବି ଓ ଲୋକ କଳାକାର ଥିଲେ l ପରେ ସେ ପଦ୍ମଶ୍ରୀ ହଳଧର ନାଗ ନାଁରେ ପ୍ରସିଦ୍ଧି ଲାଭକଲେ l

୫. ପଶ୍ଚିମ ଓଡ଼ିଶାର ଲୋକସାହିତ୍ୟର ସ୍ୱରୂପ, ନିମାଇଁ ଚରଣ ପଣ୍ଡା, ୧୯୯୭

୭ ଓ ୧୨. ଚକ୍ରଧର ମହାପାତ୍ର, ଉତ୍କଳ ଗାଉଁଲି ଗୀତ, ୧୯୭୧, ପୃ– ୧୭୧

୧୧, ୧୩, ୧୪, ୧୫ – ନିଜ ସଂଗ୍ରହ

 

Share This Article
ଡକ୍ଟର ସୁଧୀର କୁମାର ସାହୁ (ଅଧ୍ୟକ୍ଷ, ଓଡ଼ିଆ ବିଭାଗ, ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟ ଜାମସେଦପୁର, ଝାରଖଣ୍ଡ, 831001)