ପ୍ରସଙ୍ଗ : ମୂଲ୍ୟବୋଧ ଓ ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସ’

ମୂଲ୍ୟବୋଧକୁ ଛାଡ଼ି କୌଣସି ସାହିତ୍ୟ ସୃଷ୍ଟି ହୋଇନାହିଁ । ସକ୍ରେଟିସ୍‌, ଆରିଷ୍ଟୋଟଲ କିମ୍ବା ପ୍ଲାଟୋ; ଏପଟେ ବ୍ୟାସ, ବାଲ୍ମୀକିଙ୍କ ଠାରୁ ଆରମ୍ଭ କରି ଯେତେ ସବୁ ସାହିତ୍ୟ ସୃଷ୍ଟି କରିଛନ୍ତି, କେବଳ ଜୀବନର ସକାରାତ୍ମକ ଦିଗଟିକୁ ହିଁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରିଛନ୍ତି ।

ଡକ୍ଟର ଗୋପୀନାଥ ବାଗ
ଡକ୍ଟର ଗୋପୀନାଥ ବାଗ 707 Views
16 Min Read

ବୈଚିତ୍ର୍ୟମୟ ଜୀବନ ଓ ଉତ୍କୃଷ୍ଟ ଚନ୍ତା-ଚେତନା ଦୃଷ୍ଟିରୁ ଜୀବଜଗତରେ ମଣିଷ ଏକ ସ୍ୱତନ୍ତ୍ର ଓ ଶ୍ରେଷ୍ଠ ପ୍ରାଣୀ । ପ୍ରକୃତିକୁ ପ୍ରାଣଭରି ଭଲପାଉଥିବା ମଣିଷ ପ୍ରକୃତି ପ୍ରତି ସବିସ୍ମୟ କୌତୂହଳୀ ହୋଇ ସୃଷ୍ଟିକରିଛି କଳା । ନୃତ୍ୟ, ଗୀତ, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ସାହିତ୍ୟ ପ୍ରଭୃତି ତା’ର ସୃଷ୍ଟ କଳାରେ ପ୍ରକାଶପାଇଛି ମଣିଷ ମନର ଭାବ । ସାହିତ୍ୟ ହେଉଛି ବାଚନିକ କଳା । ଶବ୍ଦ ତଥା ପଦ ମାଧ୍ୟମରେ ବାକ୍ୟବଦ୍ଧ ହୋଇ ସାହିତ୍ୟ ଜୀବନ ଓ ଜଗତର ବାଙମୟ ରୂପକୁ ପ୍ରକଟିତ କରେ । ସାହିତ୍ୟର କାବ୍ୟକବିତା, ନାଟକ ଓ ଗଳ୍ପାଦି ତୁଳନାରେ ବୟସ ଦୃଷ୍ଟିରୁ ଉପନ୍ୟାସ କନିଷ୍ଠ ହେଲେ ସୁଦ୍ଧା ଏହାର ଲୋକପ୍ରିୟତାର ଆଧିକ୍ୟ ଅବିସମ୍ବାଦିତ ।

Support Samadhwani

ଉପନ୍ୟାସରେ ମଣିଷ ଜୀବନ ଓ ସମାଜର ଚିତ୍ର ଯେଉଁ ଭାବରେ ପ୍ରତିଫଳିତ ହୋଇଛି ସାହିତ୍ୟର ଅନ୍ୟ କୌଣସି ବିଭାଗରେ ସେପରି ଘଟିନାହିଁ । ଆଧୁନିକ ମଣିଷ ଆଉ ତୁଚ୍ଛ କଳ୍ପନା କିମ୍ବା ଅବିଶ୍ୱସନୀୟ ଅଲୌକିକତା ପ୍ରତି ଆସକ୍ତ ନୁହେଁ; ବାସ୍ତବତା ପ୍ରତି ସେ ଶ୍ରଦ୍ଧାବଦ୍ଧ । ଜୀବନବ୍ୟସ୍ତ ଓ ଜଞ୍ଜାଳଗ୍ରସ୍ତ ମଣିଷ ଉପନ୍ୟାସରେ ଖୋଜେ ତା’ର ଓ ତା’ ପରିବେଶର ବାସ୍ତବ ଚିତ୍ର । ଉପନ୍ୟାସରେ ସେ ସବୁକୁ ଦେଖିବାକୁ ପାଇ କୌତୂହଳୀ ହୋଇଉଠେ ଜୀବନ ପ୍ରତି । ଉପନ୍ୟାସ ହେଉଛି ମଣିଷ ଜୀବନ ଓ ସମାଜର କଳାତ୍ମକ ଅଭିବ୍ୟକ୍ତି ତଥା ଅନୁକୃତି । ଏହା ମୁଖ୍ୟତଃ ସାଂପ୍ରତିକ ମଣିଷର ହୃଦୟର ସ୍ପନ୍ଦନ, ଭାବନାର ନିର୍ଯ୍ୟାସ ଓ ଚେତନାର ଚୌହଦୀକୁ ଉପଜୀବ୍ୟ କରି ଜୀବନ ଓ ଜଗତକୁ ଅନନ୍ତ ମମତ୍ୱବୋଧରେ ତୋଳି ଧରିଥାଏ । ଜୀବନ ହିଁ ଉପନ୍ୟାସର ମୂଳାଧାର, ପ୍ରାଣ । ଜୀବନକୁ ବାଦ୍ ଦେଇ ଉପନ୍ୟାସର କଳ୍ପନା କରାଯାଇ ପାରେନା । ଜୀବନର ଅନୁପସ୍ଥିତିରେ ଉପନ୍ୟାସ ନିଷ୍ପ୍ରାଣ ଓ ନିଷ୍ପନ୍ଦ ।

ଔପନ୍ୟାସିକ ସମାଜରେ ବଞ୍ଚୁଥିବା ନିଚ୍ଛକ ମଣିଷଟିଏ । ଅନ୍ତଦୃଷ୍ଟି ଓ ବହିର୍ଦୃଷ୍ଟିରେ ସେ ଦେଖେ ଜୀବନ, ସମାଜ ଓ ପାରିପାଶ୍ୱିର୍କ ଅବସ୍ଥାକୁ । ମଣିଷର ଆଶା-ଆକାଂକ୍ଷା, ଦୁଃଖ-ଦୈନ୍ୟ, ସୁଖ-ସନ୍ତୋଷ, ପ୍ରାପ୍ତି- ପ୍ରତ୍ୟାଶା, ଯନ୍ତ୍ରଣା-ଯୁଦ୍ଧ ଇତ୍ୟାଦି ତା’ ସ୍ରଷ୍ଟାପ୍ରାଣରେ ଆଣେ ଗଭୀର ଆଲୋଡ଼ନ । ଯୁଗୀୟ ଚିନ୍ତାଧାରା ଓ ସାମାଜିକ ଆବେଦନକୁ ଅନୁଭବ କରେ ମର୍ମେମର୍ମେ । ଜୀବନ ଓ ଜଗତରୁ ଉପାଦାନ ଆହରଣ କରି ଶିଳ୍ପ ଚାତୁର୍ଯ୍ୟରେ ସୃଷ୍ଟି କରେ ଉପନ୍ୟାସ । ଉପନ୍ୟାସ ଜୀବନର କଥା କହିବାରେ ମୁଖର ହୋଇଉଠେ ।

ଓଡ଼ିଆ ଉପନ୍ୟାସ ଜୀବନ ଓ ସମାଜ ଚିତ୍ରରେ ବର୍ଣ୍ଣୋଜ୍ଜ୍ୱଳ । ‘ପଦ୍ମମାଳୀ’ (୧୮୮୮) ଠାରୁ ଅଦ୍ୟାବଧି ଯେତେ ଉପନ୍ୟାସ ରଚିତ ହୋଇଛି ସେଗୁଡ଼ିକରେ ଜୀବନର ବୈଚିତ୍ର୍ୟକୁ ପ୍ରତିପାଦିତ କରିବାରେ ପ୍ରୟାସ କରାଯାଇଛି । ଯୁଗଚେତନା ଓ ଯୁଗ ଆହ୍ୱାନରେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଛି ବଞ୍ଚିବାର ଶୈଳୀ ଓ ଜୀବନ ସଂଗ୍ରାମର ଧାରା । ମାଟି ପାଇଁ ‘ଛଅମାଣ ଆଠଗୁଣ୍ଠ’ (୧୮୮୯)ରେ ନିରୀହ ସାରିଆ ଭଗିଆ ତଳିତଳାନ୍ତ ହୋଇଯାଇଛନ୍ତି; କିନ୍ତୁ ‘ପରଜା’ (୧୯୪୫)ରେ ଶୋଷିତ ସରଳ ଆଦିବାସୀ ଟାଙ୍ଗିଆ ଉଠାଇଛି । ପଲ୍ଲୀକୁ କେନ୍ଦ୍ର କରି ରଚିତ ‘ମାଟି ମଟାଳ’ (୧୯୬୪)ରେ ଥିବା ବିପୁଳ ପଲ୍ଲୀଚିତ୍ର ଓ ସାଂଗଠାନିକ ଆଧାର ‘ଦୁର୍ଗ ପତନର ବେଳ’ (୧୯୮୮)ରେ ଦେଖାଯାଇଛି ଅବକ୍ଷୟୀ ଗ୍ରାମ ଜୀବନର କାହାଣୀ, କୃଷକ ସମସ୍ୟା ଓ କଳଙ୍କିତ ରାଜନୀତିର ହୀନ ଷଡ଼ଯନ୍ତ୍ର ରୂପରେ ।

Support Samadhwani

ଓଡ଼ିଆ ଉପନ୍ୟାସ ଯଥେଷ୍ଟ ବିଳମ୍ବରେ ସୃଷ୍ଟି ହୋଇଥିଲେ ସୁଦ୍ଧା ତା’ର ଆବେଦନ କିଛି କମ୍ ନୁହେଁ । ନୂଆ ଜୀବନର ଆହ୍ୱାନ ଓ ସମାଜର ପୁନର୍ଗଠନର ସ୍ୱପ୍ନ ଦେଖୁଥିବା ଓଡ଼ିଆ ଔପନ୍ୟାସିକର ସୃଷ୍ଟିରେ କ୍ଷୀଣ ନୁହେଁ ମୂଲ୍ୟବୋଧ ଓ ପ୍ରତିବଦ୍ଧତାର ସ୍ୱର । ମାନବ ପ୍ରତିବଦ୍ଧ ଶିଳ୍ପୀ ମନୋଜ ଦାସ ବ୍ୟକ୍ତିର ଚେତନାରେ ସଂଘଟିତ ଘାତ ପ୍ରତିଘାତ, ଅବତରଣ ଓ ଉତ୍ତରଣର ଚିତ୍ର ଆଙ୍କିବାରେ ଧୂରୀଣ । ମଣିଷ ପ୍ରତି ସୀମାହୀନ ସମ୍ବେଦନ ଜରିଆରେ ସୁନ୍ଦରତର ମାନବ-ପ୍ରଜାତି ସୃଷ୍ଟି ଲକ୍ଷ୍ୟରେ ତାଙ୍କ ଉପନ୍ୟାସ ପ୍ରତିବଦ୍ଧତା ରକ୍ଷାକରେ । ବିଭୂତି ପଟ୍ଟନାୟକ, ଶାନ୍ତନୁ ଆଚାର୍ଯ୍ୟ, ମହାପାତ୍ର ନୀଳମଣି ସାହୁ, ଚନ୍ଦ୍ରଶେଖର ରଥ, ପ୍ରତିଭା ରାୟ, ସରୋଜିନୀ ସାହୁ, ପରେଶ ପଟ୍ଟନାୟକ, ଭୀମ ପୃଷ୍ଟି ଓ ଆହୁରି ବହୁ ଓଡ଼ିଆ ଔପନ୍ୟାସିକ ଜୀବନର ମୂଲ୍ୟବୋଧକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ।

ମୂଲ୍ୟବୋଧକୁ ଛାଡ଼ି କୌଣସି ସାହିତ୍ୟ ସୃଷ୍ଟି ହୋଇନାହିଁ । ସକ୍ରେଟିସ୍‌, ଆରିଷ୍ଟୋଟଲ କିମ୍ବା ପ୍ଲାଟୋ; ଏପଟେ ବ୍ୟାସ, ବାଲ୍ମୀକିଙ୍କ ଠାରୁ ଆରମ୍ଭ କରି ଯେତେ ସବୁ ସାହିତ୍ୟ ସୃଷ୍ଟି କରିଛନ୍ତି, କେବଳ ଜୀବନର ସକାରାତ୍ମକ ଦିଗଟିକୁ ହିଁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରିଛନ୍ତି । ମଣିଷ ସମ୍ପର୍କରେ, ପୃଥିବୀ ସମ୍ପର୍କରେ ସେମାନେ ସଚେତନ ଦୁଇଟି ଶକ୍ତି ବିଷୟରେ; ସେ ଶକ୍ତି ହେଉଛି – ମନ୍ଦ ଶକ୍ତି (Evil Force ) ଏବଂ ଭଲ ଶକ୍ତି (Good Force) । ଉଭୟ ଶକ୍ତି ସବୁବେଳେ ସକ୍ରିୟ ରହିଥାଏ । ତେବେ ମନ୍ଦଶକ୍ତି ଚେଷ୍ଟା କରିବ ନିଜକୁ ବିସ୍ତାର କରିବା ପାଇଁ ଓ ଅହରହ ଭଲଶକ୍ତିକୁ କବଳିତ କରିବା ପାଇଁ ଉଦ୍ୟମ ଜାରି ରଖିବ । ରାମାୟଣ ହେଉ ବା ମହାଭାରତ, ଏଥିରେ ରହିଛି ବିଭିନ୍ନ ଚରିତ୍ରକୁ ନେଇ କେବଳ ମୂଲ୍ୟବୋଧର ଗୋଟିଏ ପ୍ରକାରର ନାଟକୀୟ ପରିବେଷଣ । ଏହା ଭଲମନ୍ଦ ମିଶ୍ରିତ; କିନ୍ତୁ ଶେଷରେ ଭଲଶକ୍ତି ହିଁ ବିଜୟ ଲାଭ କରେ । ଇଏ କେବଳ ଆଦର୍ଶବାଦର କଥା ନୁହେଁ, ଚିରନ୍ତନ ସତ୍ୟର କଥା ଇଏ । ‘ସତ କେବେ ଲୁଚି ରହେନା’, God sees the truth but wait’ ପ୍ରଭୃତି କଥା ଏହାର ସତ୍ୟତାକୁ ସମର୍ଥନ କରେ । ଈଶ୍ୱର ସବୁକିଛି ଦେଖୁଥା’ନ୍ତି, କିନ୍ତୁ ଅପେକ୍ଷା ରଖୁଥା’ନ୍ତି, ଏଇଥିପାଇଁ ଯେ ଦିନେ ନା ଦିନେ ଏସବୁର ବିନାଶ ଘଟିବ ଏବଂ ସତ୍ୟ, ଯାହା ଚିରନ୍ତନ, ତାହା ହିଁ ବିଜୟ ଲାଭ କରିବ । ମୂଲ୍ୟବୋଧ ଏହି ପ୍ରକାର ଆଧାର ଉପରେ ପ୍ରତିଷ୍ଠିତ ।

ଭଲ ଶକ୍ତି (Good Force) ହିଁ ମଣିଷକୁ ଶାନ୍ତି ଓ ସୁଖ ଦିଏ । ମନ୍ଦ ଶକ୍ତି କେବଳ ଗୋଟିଏ ଉନ୍ମାଦନା ସୃଷ୍ଟିକରିବ, ତା’ଭିତରେ ମଣିଷକୁ ଅସ୍ଥିର କରିବ, ମଣିଷକୁ ଛାରଖାର କରିବ, ଏମିତିକି ମଣିଷର ପତନ ମଧ୍ୟ ଘଟାଇବ । ସାହିତ୍ୟ ଏହି ସଂପର୍କରେ ମଣିଷକୁ ଜୀବନ ପ୍ରତି ସଚେତନ ହେବାକୁ କହେ । ସାହିତ୍ୟ କହେ ମୂଲ୍ୟବୋଧର କଥା । ତେବେ ମୂଲ୍ୟବୋଧ କହିଲା ମାନେ ଗୋଟେ ଆଦର୍ଶବାଦ ବା କୌଣସି ବାଦକୁ ପରିବେଷଣ କରାଯିବ, ସେମିତି କିଛି ନୁହେଁ; ଲେଖକର ହୃଦବୋଧ, ଏହି ଦୁଇଟି ଶକ୍ତି (Evil Force I Good Force) ସଂପର୍କରେ ସେ କେତେ ସଚେତନ ଓ କେତେ ପରିମାଣରେ ବିଶ୍ୱାସ କରୁଛି ଏବଂ ତହିଁରେ କିପରି ସୌନ୍ଦର୍ଯ୍ୟ (Asthetic) ଆଣିପାରୁଛି ତାହା ବଡ଼ କଥା । ମଣିଷର ଜୀବନଚର୍ଯା ସହିତ କେତେ ବେଶି ସଂପୃକ୍ତ ହୋଇ କଥାଟିକୁ କୁହାଯିବ, ତାହା ହେଉଛି ସୃଜନଶୀଳ ଲେଖକର ଚ୍ୟାଲେଞ୍ଜ । ସେ ପ୍ରୟାସ କରେ ଯେମିତି ତା’ ଲେଖା ଭିତରେ ଫୁଟିଉଠିବ ଜୀବନ, ତା’ ଲେଖା ଜରିଆରେ ଜୀବନଟି ଉଦ୍ଭାସିତ ହେବ ।

ମଣିଷ ଠିକ୍ ଭାବରେ ସୁସ୍ଥ ଓ ପରିଚ୍ଛନ୍ନ ଜୀବନଯାପନ କରିବା ହେଉଛି ସାଧନାର କଥା । କାହିଁକି ନା, ତା’ ଭିତରେ ଗୋଟିଏ ପାର୍ଶ୍ୱରେ ଅଛି ବିଚାରବୋଧ ଓ ବିବେକ ଏବଂ ଅନ୍ୟ ପାର୍ଶ୍ୱରେ ରହିଛି ପ୍ରବୃତ୍ତି । ପ୍ରବୃତ୍ତି ସବୁବେଳେ ଶରୀର ସମ୍ପର୍କିତ । ମଣିଷର ଇନ୍ଦ୍ରିୟଗୁଡ଼ିକ କିଛି ନା କିଛି ଜିନିଷକୁ ଖୋଜୁଥାଏ । ଏହି ଖୋଜିବା ଅବସରରେ ତା’ର ମତିଭ୍ରମ ଘଟିପାରେ, ବିପଥଗାମୀ ବି ହୋଇପାରେ କିମ୍ବା ମନ୍ଦଶକ୍ତିକୁ ଆପଣେଇ ନେଇପାରେ । ଏହା ହେଉଛି ମଣିଷର ପ୍ରବୃତ୍ତି ।

ବିବେକ ଓ ବିଚାରବୋଧ – ଏହି ଦୁଇଟିର ସଂହତ ସବୁବେଳେ ମଣିଷ ଭିତରେ ଘଟୁଥାଏ । ସାଧାରଣ ଉଦାହରଣଟିଏ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ । ଜଣେ ଲୋକ ସାମୟିକ କ୍ରୋଧରେ ଅନ୍ଧ ହୋଇ ଅନ୍ୟ ଜଣକ ଉପରେ ଚାପୁଡ଼ା ମାରିଥିଲା; କିନ୍ତୁ ପରବର୍ତ୍ତୀ ସମୟରେ ଭୁଲ୍ ବୁଝିପାରି ଅନୁତପ୍ତ ହୋଇ ସଂପୃକ୍ତ ଲୋକ ପାଖରେ ନିଜ ଗର୍ହିତ କାମ ପାଇଁ କ୍ଷମା ମାଗିଛି । ଏଠାରେ ଲୋକ ହେଉଛି ଗୋଟିଏ । ପ୍ରଥମ ପର୍ଯ୍ୟାୟରେ ସେ ଆକ୍ରମଣ କରିଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷମା ପ୍ରାର୍ଥନା କରିଛି । କ୍ରୋଧ ହେଉଛି ତା’ର ପ୍ରବୃତ୍ତି ଓ କ୍ଷମା ମାଗିବା ହେଉଛି ବିଚାରବୋଧ । ମଣିଷ ଭିତରେ ଥିବା ଏହି ଦୁଇଟି ପକ୍ଷର ସବୁବେଳେ ସଂଘର୍ଷ ଚାଲିଥାଏ । ମନ୍ଦଶକ୍ତି ଓ ଭଲଶକ୍ତି ସବୁଠି ଅଛି । ମଣିଷ ଭିତରଠୁ ଆରମ୍ଭ କରି ସମାଜ ଏପରିକି ଶୂନ୍ୟତା ଭିତରେ ମଧ୍ୟ ଏହା ହୁଏତ ଚଳପ୍ରଚଳ ହୋଇଥାଇପାରେ । ରହସ୍ୟବାଦୀ ଲେଖକମାନେ ଏହାକୁ ସ୍ୱୀକାର କରିଛନ୍ତି ।

ମୂଲ୍ୟବୋଧ ଏତେ ବ୍ୟାପକ ଯେ ସର୍ବତ୍ର ଏହା ବିଦ୍ୟମାନ୍ । ମଣିଷର ମଙ୍ଗଳ, ମଣିଷର ଜୀବନଚର୍ଯା ପାଇଁ ଯାହା ଉପଯୋଗୀ, ଯାହା ଚିରନ୍ତନ, ଯାହା ବଳରେ ମଣିଷ ନିଜ ଜୀବନକୁ ମାର୍ଜିତ, ସମୃଦ୍ଧ ଓ ସମର୍ଥ କରେ, ତାହା ହିଁ ମୂଲ୍ୟବୋଧ । ଯେତେଦୂର ସମ୍ଭବ ଅନ୍ଧକାର ଦିଗ ଆଡ଼କୁ ରକ୍ଷା କରିବା ଭଳି ସାମର୍ଥ୍ୟ ରଖିଥାଏ ମୂଲ୍ୟବୋଧ । ସମ୍ପୂର୍ଣ୍ଣ ଭାବରେ ମୂଲ୍ୟବୋଧ ପ୍ରତି ଜଣକର ହୃଦ୍‌ବୋଧ ନ ହେବା ପର୍ଯ୍ୟନ୍ତ ସେ ଲେଖକଟିଏ ହୋଇପାରେ ନାହିଁ । ସାହିତ୍ୟ କହିଲାମାନେ ମୂଲ୍ୟବୋଧକୁ ହିଁ ବୁଝାଏ ।

ଲେଖକ ରାମଚନ୍ଦ୍ର ବେହେରାଙ୍କ ସହିତ ଆଳାପ – ଆଲୋଚନାରୁ ଜାଣିହୁଏ, ମୂଲ୍ୟବୋଧ ବିହୀନ ଲେଖା ହୁଏତ ସାମୟିକ ଉତ୍ତେଜନା ସୃଷ୍ଟି କରିପାରେ, କୋଉଠି ନା କୋଉଠି ଟିକିଏ କୁତୁକୁତୁ ଲାଗିପାରେ, ଏପରିକି ଭଲ ବି ଲାଗିପାରେ; କିନ୍ତୁ ତାହା ସାହିତ୍ୟ ନୁହେଁ । ଏଥିରେ ଯେଉଁଯେଉଁ ଉପାଦାନ ଥାଏ ତାହା ପ୍ରବୃତ୍ତିକୁ ସକ୍ରିୟ କରେ, ଉଚ୍ଚାଟିତ କରେ । ଏଭଳି ଉପାଦାନଗୁଡ଼ିକୁ ନେଇ କେବେ ହେଲେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ହୋଇପାରେ ନାହିଁ । ପ୍ରବୃତ୍ତିଗୁଡ଼ିକ କୌଣସି ବହିରେ ସେହି ପ୍ରକାର ଜିନିଷ ଦେଖିଲେ ଉନ୍ମାଦ ହୋଇଯା’ନ୍ତି କିମ୍ବା ଆହୁରି ବେଶି ସକ୍ରିୟ ହୋଇଉଠନ୍ତି । ଏମିତି ବହୁ ସଂଖ୍ୟକ ବହି ମଧ୍ୟ ଅଛି ଯାହା ଆମକୁ ଜୀବନ ସମ୍ପର୍କରେ ବିଭ୍ରାନ୍ତ କରେ ।

ଯେଉଁ ସାହିତ୍ୟ ଜୀବନ ଭିତରକୁ ଯଦି ପ୍ରଶାନ୍ତି ନ ଆଣିପାରିଲା, ମାର୍ଜିତ କରିବା ପାଇଁ ଶକ୍ତି ଓ ଭାବାନା ନ ଆଣିପାରିଲା, ତେବେ ତା’କୁ ଉଚ୍ଚାଙ୍ଗ ସାହିତ୍ୟ କୁହାଯାଇ ପାରେ । କହିବା ଅତିରଞ୍ଜିତ ହେବ ନାହିଁ ଯେ, ରାମଚନ୍ଦ୍ର ବେହେରା ତାଙ୍କ ଉପନ୍ୟାସରେ ଏସବୁକୁ ଗୁରୁତ୍ୱ ଦେଇ ଜୀବନର ମଧୁସନ୍ଧାନ କରିଛନ୍ତି ।

ରାମଚନ୍ଦ୍ର ବେହେରା ବର୍ତ୍ତମାନ ସମୟର ଅନ୍ୟତମ ଶକ୍ତିଶାଳୀ ସ୍ରଷ୍ଟା । ମାନବ ଜୀବନର କୋଣାନୁକୋଣକୁ ସଂଗ୍ରହ ଦୃଷ୍ଟି ପକାଇ, ତା’ ମନର ଅକୁହା ଆବେଗକୁ ନିଜର ସୂକ୍ଷ୍ମ ଅବରୋଧରେ ହୃଦଗଦ କରାଇ ସେ ଯେଉଁ ସାହିତ୍ୟ ସୃଷ୍ଟି କରିଛନ୍ତି ତାହା ଜୀବନର ବ୍ୟାଖ୍ୟା କରିଛି । ମାନବୀୟ ସମ୍ବେଦନାରେ ଆର୍ଦ୍ର ଔପନ୍ୟାସିକ ବେହେରାଙ୍କ ସଚ୍ଚିଦାନନ୍ଦରୁ ଯେଉଁ ସୃଜନୀର ମନ୍ଦାକିନୀ ପ୍ରବାହିତ ହୁଏ ତା’ର ପରିଣାମରେ ତାଙ୍କ ସବୁଜ ସୃଷ୍ଟି ଜୀବନର ପଞ୍ଚଜନ୍ୟକୁ ନିନାଦିତ କରେ । ସେ ଯେଉଁ ଚରିତ୍ରକୁ ଆହରଣ କରନ୍ତି, ତାହା ଜୀବନଠାରୁ ବି ଆହୁରି ଉଜ୍ଜ୍ୱଳ ଓ ଆହୁରି ଗରୀୟାନ୍ ହୋଇପାରିଛି ।

‘ଅଭିନୟର ପରିଧି’ ଠାରୁ ‘ନିଖୋଜ ଅପରାଧୀ’ ଓ ‘ସିନେମା ପୋଷ୍ଟର’ ଠାରୁ ‘ଫଟାକାନ୍ଥର ଗଛ’ ସବୁଠି ଜୀବନ ପ୍ରାଣମୁଖର – ମୂଲ୍ୟବୋଧର ସୂକ୍ଷ୍ମ ସମ୍ଭାର ଧରି ଓ ସବୁଠି ଜୀବନ ସୌନ୍ଦର୍ଯ୍ୟମୟ କଳା- କାରିଗରିର ନିଖୁଣ ସ୍ପର୍ଶ ନେଇ । ‘ଅଭିନୟର ପରିଧି’ରେ ଦେବ ଆଚାର୍ଯ୍ୟ ଜଣେ ଆବେଗ ସର୍ବସ୍ୱ ବ୍ୟକ୍ତିବିଶେଷ । ସେ ଜଣେ କଳାପ୍ରାଣ ମଣିଷ । ଗ୍ରାମ୍ୟ ବାଳକମାନଙ୍କ ପ୍ରତି ତାଙ୍କର ଅଛି ଗଭୀର ମମତ୍ୱବୋଧ । ସେମାନଙ୍କୁ ସେ ଆକଟ କରନ୍ତି, ଲଜେଞ୍ଜ ଓ ବିସ୍କିଟ୍ ଖାଇବାକୁ ଦିଅନ୍ତି । ନିର୍ଲୋଭତା ତାଙ୍କର ଅନ୍ୟ ଏକ ବିଶେଷ ଗୁଣ । ଶ୍ରୀମତୀ ସିହ୍ନା ଉପହାର ଦେଇଥିବା ସୁନାଚୁଡ଼ିକୁ ସେ ଆଣି ନାହାନ୍ତି । ଦୋକାନୀ ଭାବରେ ମଧ୍ୟ ସେ ସଚ୍ଚୋଟ । ପ୍ରଚୁର ଆର୍ଥିକ ସଂକଟ ମଧ୍ୟ ଦେଇ ଗତି କରୁଥିଲା ବେଳେ ଅବଶ୍ୟ ଭାବିଛନ୍ତି ଶ୍ରୀମତି ସିହ୍ନାଙ୍କ ଦିଆ ଚୁଡ଼ି ଆଣିଥିଲେ ଅସମୟରେ କାର୍ଯ୍ୟକୁ ଆସିଥା’ନ୍ତା । ପରିଣତ ବୟସରେ ଇନ୍ଦୁର ଅବୈଧ ମାତୃତ୍ୱ ତାଙ୍କୁ ବ୍ୟଥିତ ଓ କ୍ରୋଧିତ କରିଦେଇଛି । ସେ ନବଜାତ ଶିଶୁକୁ ହତ୍ୟା କରିବାକୁ ଅଗ୍ରସର ହୋଇଛନ୍ତି । କିନ୍ତୁ ଔପନ୍ୟାସିକ ତାଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି ଦେବତ୍ୱ, ସେ ଅବୈଧ ଶିଶୁ ପାଲଟିଛି ଅମୃତର ସନ୍ତାନ । ତାକୁ ହତ୍ୟା କରି ନାହାନ୍ତି ଦେବ ଆଚାର୍ଯ୍ୟ ।

ଗୀତା ନାରୀଟିଏ ହୋଇ ସୁଦ୍ଧା ପୂର୍ଣ୍ଣ ଦମ୍ଭରେ ଜୀବନକୁ ସାମ୍ନା କରିଛି । ସେ ନିଃସହାୟା, ଅଥଚ ଅସହାୟ ଶିଶୁର ଜୀବନ ନିର୍ମାଣ କରିଛି ନିଃସ୍ୱାର୍ଥପର ଭାବରେ । ଆଭା, ସତ୍ୟ ଓ ସଂଘର୍ଷର ପ୍ରକାଶିତ ରୂପ । ତା’ର କୋମଳ ଓ ନିରୀହ ମନ ଭିତରେ ଔପନ୍ୟାସିକ ଆରୋପଣ କରିଛନ୍ତି ବଳିଷ୍ଠ ସଂଗ୍ରାମୀର ଶକ୍ତି । ଯା’କୁ ସାରା ସହର ଭୟ କରେ, ତା’କୁ ସେ ଅସୀମ ଶକ୍ତି ଓ ସାହସର ସହିତ ନିଧନ କରିବାକୁ ସମର୍ଥ ହୋଇଛି ।

ରାମଚନ୍ଦ୍ର ବେହେରା କୁତ୍ରାପି ଅନୈତିକତାକୁ ପ୍ରୋତ୍ସାହିତ କରିନାହାନ୍ତି । ସବୁଠି ମୂଲ୍ୟବୋଧକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ସେ ଆଦର୍ଶର କଥା କହିଛନ୍ତି, କିନ୍ତୁ ନିର୍ଦ୍ଦିଷ୍ଟ କୌଣସି ଆଦର୍ଶର ପ୍ରତିଷ୍ଠା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଯେକୌଣସି ପରିସ୍ଥିତିରେ ଜୀବନଠାରୁ ବିମୁଖ ନ ହୋଇ ଜୀଇଁ ରହିବାର ପକ୍ଷପାତୀ ରାମଚନ୍ଦ୍ର ପ୍ରଚାରଧର୍ମୀ ସାହିତ୍ୟ ସୃଷ୍ଟି କରିନାହାନ୍ତି, ମଣିଷର ନିଚ୍ଛକ ଜୀବନର ଚିତ୍ରକୁ ହିଁ ଅତି ଶ୍ରଦ୍ଧାର ସହିତ କଳାତ୍ମକ ଭାବରେ ଆଙ୍କିଛନ୍ତି । ଭଲ ଚରିତ୍ର ହେଉ କି ମନ୍ଦ ଚରିତ୍ର, ରାମଚନ୍ଦ୍ର ସବୁ ଚରିତ୍ର ପ୍ରତି ସମ୍ବେଦନଶୀଳ । ଭଲ ମନ୍ଦିର ଉର୍ଦ୍ଧ୍ୱରେ ଯେଉଁ ଜୀବନ ଅଛି ତାହା ହିଁ ବଡ଼ କଥା, ତାହା ହିଁ ରାମଚନ୍ଦ୍ରଙ୍କ ପବିତ୍ର ଅନ୍ୱେଷା ।

କୁକର୍ମ ହେଉ କି ସତ୍‌କର୍ମ, ମଣିଷ ଜୀବଦ୍ଦଶାରେ କର୍ମଫଳ ଭୋଗକରେ । ଏହାକୁ ବିଶ୍ୱାସ କରନ୍ତି ଔପନ୍ୟାସିକ ବେହେରା । “କିଏ କ’ଣ ପାଇଲା”ରେ ପ୍ରଭାବର ନାନୀ ସ୍ୱାମୀକୁ ପନିକିରେ ହାଣିଛି, କିନ୍ତୁ ତା’ର ଶେଷ ଜୀବନ ପୂତିଗନ୍ଧମୟ ପାଲଟିଛି । ସ୍ୱାମୀକୁ ହତ୍ୟା କରି ସମ୍ପତ୍ତିର ଅଧିକାରିଣୀ ହେବାର ରଙ୍ଗୀନ ସ୍ୱପ୍ନ ପ୍ରଭାର ଧୂଳିସାତ୍ ହୋଇଯାଇଛି । ସେ କ୍ରାଇମ୍ ବ୍ରାଞ୍ଚର ଜାଲରେ ଛନ୍ଦି ହୋଇପଡ଼ିଛି । ‘ଦୁଆର ଟପିଲେ ବାଟ’ ଉପନ୍ୟାସରେ ମଣ୍ଟୁ ଭଳି ଅସାମାଜିକ ନଷ୍ଟ ଚରିତ୍ର ଦୁର୍ଦ୍ଦାନ୍ତ ଯୁବକର ପ୍ରାଣ ଯାଇଛି ସରଳା-ଅବଳା ଆଭା ହାତରେ । ଏକଦା ଭିକାରୁଣୀ ଓ ତା’ ପୁଅକୁ ଆକ୍ସିଡ଼େଣ୍ଟ କରି ସେମାନଙ୍କ ଚିକିତ୍ସା କରିବା କିମ୍ବା ସମବେଦନା ଜଣାଇବା ବଳଦରେ କଦର୍ଯ୍ୟ ଭାଷାରେ ଗାଳିଦେଇଥିବା ମଦମତ୍ତ ଯୁବକ ଦୀପୁର ଜୀବନହାନୀ ଘଟିଛି ରାସ୍ତା ଦୁର୍ଘଟଣାରେ । ଅସତ୍ ଉପାୟରେ ଟଙ୍କା ସୁନା ସଂଗ୍ରହ କରି ରଖିଥିବା ଲୁସିର ସାଇତା ଟଙ୍କା ଓ ସୁନାଗହଣା ଚୋରି ହୋଇଯାଇଛି । ଦେବ ଆଚାର୍ଯ୍ୟ ଯାହା ଘରେ ଚାକର ଥିଲେ, ସେହି ଘରର ଘରଣୀକୁ ସମ୍ଭୋଗ କରିଥିଲେ । ପରିଣତ ବୟସରେ ହେଲେ ବି ତାଙ୍କ ପତ୍ନୀ ଇନ୍ଦୁ ତାଙ୍କ ଘରର ଏକଦା ଚାକରବତ୍ ଅନନ୍ତର ପୁତ୍ର ରାଧାକାନ୍ତ ଦ୍ୱାରା ଧର୍ଷିତା ହୋଇଛି । ସୁରଭି ନିଜ କୃତକର୍ମର ଫଳ ସ୍ୱରୂପ ମାନସିକ ଭାରସାମ୍ୟ ହରାଇଛି ଓ ଝୁନୁ ଆତ୍ମହତ୍ୟା କରିଛି । ଦୁଷ୍ଟ ଚରିତ୍ରମାନଙ୍କୁ ରାମଚନ୍ଦ୍ର ଅବଶ୍ୟ ଦଣ୍ଡ ଦିଆଯାଇଛନ୍ତି ।

ଜୀବନର ଅସହାୟତାକୁ ରାମଚନ୍ଦ୍ର ମୁକ୍ତ ଭାବରେ ଚିତ୍ରଣ କରିଥିଲେ ବି ତା’କୁ ବଞ୍ôଚବା ପାଇଁ ସାହାରା ଯୋଗାଇ ଦେଇଛନ୍ତି । ବିକଳାଙ୍ଗ ଶରୀରକୁ ନେଇ ଜୟନ୍ତୀ କାହା ଉପରେ ବୋଝ ହୋଇ ରହିନାହିଁ । ସେ ଶିକ୍ଷକତା କରି ଅର୍ଥ ଉପାର୍ଜନ କରିପାରୁଛି । ଜଗନ୍ନାଥ କେବେ ନିଜକୁ ଅନ୍ୟଠାରୁ ହେୟଜ୍ଞାନ କରିନାହିଁ । ବରଂ ବିଭିନ୍ନ କ୍ଷେତ୍ରରେ ଚାରିଗୋଡ଼ହାତ ସଳଖ-ସୁନ୍ଦର ଥିବା ଲୋକଙ୍କୁ ବି ପଛରେ ପକାଇ ଦେଇଛି । ଏସିଡ୍ ପିଙ୍ଗାରେ କୁରୂପା ହୋଇଯାଇଥିବା ଗୀତାର ବିବାହ ଅନିଶ୍ଚିତ । ବାପାମାଆର ମୃତ୍ୟୁ ପରେ ତା’ର ଜୀବନ ବଞ୍ଚିବା ଯେ କେତେ ଦୁର୍ବିସହ ହୋଇଯା’ନ୍ତା, ତାହା କଳନା କରାଯାଇପାରେ । ତା’ ଭାଇର ଗୋଟିଏ ଛୋଟ ଚାକିରି, ତହିଁରେ ପୁଣି ପରିବାର ବଢ଼ିଚାଲିଛି । ଏପରି ସ୍ଥଳେ ସେ କିପରି ଓ କେତେ ସାହାଯ୍ୟ ଗୀତାକୁ କରିପାରିବ ତାହା ବିଚାର୍ଯ୍ୟ । ଅନ୍ୟ ଭାବରେ ଦେଖିଲେ ରାମଚନ୍ଦ୍ର ଚରିତ୍ରମାନଙ୍କ ମଧ୍ୟରେ ସ୍ୱାଭିମାନର ଆଲୁଅ ଢାଳି ଦେଇଥା’ନ୍ତି । ତେଣୁ ଆପାତତଃ ସୁସ୍ଥ ହେବା ପରେ ଗୀତା ଶିକ୍ଷକତା କରିଛି।

ରାମଚନ୍ଦ୍ର ଉପନ୍ୟାସରେ ଆହୁରି ଗୋଟିଏ ଭଲଗୁଣକୁ ଆବିଷ୍କାର କରାଯାଇଥାଏ, ତାହା ହେଉଛି ଦ୍ୱିତୀୟ ବିବାହ ନାସ୍ତି । ପୁରୁଷ ହେଉ କି ନାରୀ ହେଉ, ଦ୍ୱିତୀୟ ବିବାହ ପାଇଁ କେଉଁଠାରେ ବି ଉତ୍ସାହିତ କରାଯାଇନାହିଁ । ‘ପାଦତଳର ମାଟି’ରେ କେବଳ ଉମେଶର ପ୍ରଥମ ସ୍ତ୍ରୀ ତା’ ପ୍ରେମିକ ସହିତ ପଳାଇଯିବା ପରେ ଉମେଶ ଦ୍ୱିତୀୟ ବିବାହ କରିଛି ନିହାତି ସାଧାରଣ ଭାବରେ । ନଚେତ୍‌, ପୁରୁଷ ଚରିତ୍ରମାନେ ଅଳ୍ପ ବୟସରେ ବିପତ୍ନୀକ ହୋଇ ବି ଆଉ ବିବାହ କରିନାହାନ୍ତି । ନାରୀ ଚରିତ୍ରମାନଙ୍କ କ୍ଷେତ୍ରରେ ଏହାଠାରୁ ବି ଆହୁରି ଉତ୍କଳତା ପ୍ରକାଶ ପାଇଛି । ସବିତା ବିପତ୍ନୀକ ଭାଇର ସଂସାରକୁ ସମ୍ଭାଳିଛି । ଗୀତା ଯଦି ଦାୟିତ୍ୱ ନେଇ ନ ଥା’ନ୍ତା ତେବେ ପପୁ ମଣିଷ ହେବା ପ୍ରଶ୍ନବାଚୀ ହୋଇଉଠନ୍ତି । ତେବେ ରାମଚନ୍ଦ୍ର ବେହେରାଙ୍କୁ ରକ୍ଷଣଶୀଳତାର ପୃଷ୍ଠପୋଷକ ବୋଲି କୁହାଯାଇ ନ ପାରେ । କାରଣ ସେ ନୈତିକ ମୂଲ୍ୟବୋଧକୁ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି । ମାନବିକତା ଓ ଦାୟିତ୍ୱବୋଧ ପାଖରେ ଦେହର କ୍ଷୁଧା ଭାରି ହୋଇଯାଇପାରେନା । ସ୍ୱାମୀ ପରିତ୍ୟକ୍ତା ହୋଇ ଆସିଲା ପରେ ଗୀତା ଭେଟିଛି ବାସ୍ତବତାକୁ । ଭାଇଭାଉଜର ଅକାଳ ବିୟୋଗରେ ପପୁର ବଞ୍ôଚ ରହିବା ତା’ ପାଇଁ ମୁଖ୍ୟ ହୋଇଛି । ସେ ଭୁଲିଯାଇଛି ପେଟ ଓ ଦେହର ଭୋକ । ପପୁର ଜୀବନ ନିର୍ମାଣରେ ନିଜକୁ ସମ୍ପୂର୍ଣ ନିୟୋଜିତ କରିଦେଇଛି । ମଣିଷର ଜୀବନ ପାଖରେ ଦୁନିଆର କିଛି ବି ବଡ଼ ନୁହେଁ ଏହାକୁ ପ୍ରତିପାଦିତ କରିବାରେ ରାମଚନ୍ଦ୍ରଙ୍କ ଉପନ୍ୟାସ ପରମାର୍ଥ ଭାବରେ ଗ୍ରହଣ କରିନେଇଛି ।

ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ରାମଚନ୍ଦ୍ର ବେହେରା । ଏକ ସ୍ପର୍ଶିତ ଉଚ୍ଚାରଣ । ତାଙ୍କ ଉପନ୍ୟାସରେ ଜୀବନ ଓ ଜଗତ ହିଁ ବିମ୍ବିତ । ସମାଜର ବିଭିନ୍ନ ସ୍ତରର ମଣିଷ ଓ ନାନାଦି ଘଟଣାକୁ ଆହରଣ କରି ରାମଚନ୍ଦ୍ର ଯେଉଁ ବାଣୀ ରୂପ ଦିଅନ୍ତି, ତାହା ତାଙ୍କୁ ମାନବବାଦୀ କଳାକାର ତଥା ସମାଜ ପ୍ରତିବଦ୍ଧ ଲେଖକର ପରିଚୟ ଆଣିଦେଉଛି । ମଣିଷ ଓ ସମାଜ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ସମାଜ ବିନା ମଣିଷ ଯେପରି ନିଃସହାୟ, ତଦନୁରୂପ ମଣିଷକୁ ବାଦ ଦେଇ ସମାଜର କଳ୍ପନା କରିବା ନିରର୍ଥକ । ଏଣୁ ମଣିଷ ଓ ସମାଜର ସୁସଂହତରେ ଉପନ୍ୟାସ ଆହୁରି ବାସ୍ତବ ଓ ଜୀବନ୍ତ ହୋଇଉଠେ । ରାମଚନ୍ଦ୍ରଙ୍କ ଉପନ୍ୟାସରେ ଏହି ତତ୍ତ୍ୱର ଯଥାର୍ଥତା ପରିଲକ୍ଷିତ ହୁଏ । ଔପନ୍ୟାସିକ ବେହେରାଙ୍କ ବାଲ୍ୟକାଳ କଟିଛି କେଉଁଝରର ନିପଟ ମଫସଲ ଗାଁରେ । ଏବେ ସେ ରହୁଛନ୍ତି ସହରରେ, କେନ୍ଦ୍ରାପଡ଼ାରେ । ଜୀବନରେ ସେ ବିଭିନ୍ନ ସ୍ତରର ମଣିଷମାନଙ୍କୁ ଭେଟିଛନ୍ତି । ଗ୍ରାମ୍ୟ ଜୀବନ ଓ ସହରୀ ଜୀବନକୁ ନିବିଡ଼ ଭାବରେ ଅନୁଭବ କରିଛନ୍ତି । ଅଧ୍ୟାପନା ଜୀବନରେ ବୃହତ୍ତର ଶିକ୍ଷିତ ଗୋଷ୍ଠୀକୁ ଚିହ୍ନି ପାରିଛନ୍ତି ନିହାତି ନିକଟରୁ । ଜୀବନ ସହିତ ଏକାତ୍ମ ହୋଇ ଅନୁଭବ କରିଛନ୍ତି ଜୀବନର ଦୁଃଖ, ଦୁର୍ଦ୍ଦଶା ଓ ଅସହାୟତାକୁ । ଜଣେ ବିଚାରଶୀଳ ମଣିଷ ଭାବରେ ସମାଜର ସ୍ଥିତି ଓ ଗତିକୁ ହୃଦୟଙ୍ଗମ କରିପାରିଛନ୍ତି । ଜୀବନ ଓ ସମାଜ ପ୍ରତି ଥିବା ତାଙ୍କର ବ୍ୟାପକ ଦୃଷ୍ଟିଭଙ୍ଗୀ ଉପନ୍ୟାସରେ ପ୍ରତିଫଳିତ ହୋଇଛି କଳାତ୍ମକ ଭାବରେ । ସେ କହିଛନ୍ତି ଜୀବନର କଥା, ସମାଜର କଥା, ସର୍ବୋପରି ମୂଲ୍ୟବୋଧର କଥା । ମୂଲ୍ୟବୋଧକୁ ଗୁରୁତ୍ୱ ଦେବାକୁ ଯାଇ ତାଙ୍କ ଉପନ୍ୟାସ ପ୍ରଚାରଧର୍ମୀ ହୋଇଯାଇନାହିଁ; ବରଂ ଜୀବନକୁ ମାର୍ଜିତ ଓ ଜୀବନାଭିମୁଖୀ କରିଥାଏ । ଗୋଟେ ସୁସ୍ଥ, ଶୃଙ୍ଖଳିତ, ସମୃଦ୍ଧ ଓ ସୁନ୍ଦର ସମାଜର ସ୍ୱପ୍ନ ଦେଖୁଥିବା ମାନବବାଦୀ ଓ ସମାଜ ପ୍ରତିବଦ୍ଧ ଏକନିଷ୍ଠ ସାହିତ୍ୟ ସାଧକ ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସରେ ମୂଲ୍ୟବୋଧ ଓ ପ୍ରତିବଦ୍ଧତାର ସ୍ୱର ଓ ସ୍ୱାକ୍ଷର ଅତ୍ୟନ୍ତ ଉଜ୍ଜ୍ୱଳ ।

Share This Article
ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ