ଲୋକନାଟକ ପରମ୍ପରାରେ : ହରିକଥା

ବୋଇରାଣୀ ଠାରେ ୧୯୪୮-୪୯ ବେଳକୁ ସେ ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର ପ୍ରତିଷ୍ଠା କରିଥିଲେ, ଯାହା ତାରିଣୀ ପାତ୍ରଙ୍କ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ଓଡ଼ିଶାର ପ୍ରଥମ ସଙ୍ଗୀତ ଓ ନାଟକ ପ୍ରଶିକ୍ଷଣ ଅନୁଷ୍ଠାନ

ଅଜିତ କୁମାର ମୁନୀ
ଅଜିତ କୁମାର ମୁନୀ 726 Views
17 Min Read

[box type=”shadow” align=”” class=”” width=””]ହରିକଥା ଲୋକନାଟକ ପରମ୍ପରାର ସୃଷ୍ଟି ସମ୍ପର୍କରେ ପଢ଼ିଲେ ପଣ୍ଡିତ ତାରିଣୀ ଚରଣ ପାତ୍ରଙ୍କର ଓଡ଼ିଶାର ସଙ୍ଗୀତ ଜଗତ ପ୍ରତି ରହିଥିବା ଅବଦାନକୁ ଅନୁଭବ କରିହୁଏ । ଓଡ଼ିଶାର ପ୍ରଥମ ସଂଗୀତ ବିଦ୍ୟାଳୟ, ‘ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର’ ତାଙ୍କଦ୍ୱାରା ବୋଇରାଣି ଠାରେ ପ୍ରତିଷ୍ଠା କରାଯାଇଥିଲା ଯାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଏବଂ ଯାହାକୁ ସଂରକ୍ଷଣ କରିବାର ବିଶେଷ ଆବଶ୍ୟକତା ଅଛି । ସମଧ୍ୱନି ବିଭିନ୍ନ ଲୋକ କଳା ଓ ସଂସ୍କୃତି ସମ୍ପର୍କରେ ଓ ସେସବୁର ସୁରକ୍ଷା ପାଇଁ ଲେଖିଚାଲିଛି । ପରବର୍ତ୍ତୀ ସଂଖ୍ୟା ମାନଙ୍କରେ ଆହୁରି ଅନେକ ଲୋକକଳା ଓ ଲୋକନାଟକ ସଂସ୍କୃତି ସମ୍ପର୍କରେ ଉପସ୍ଥାପନ କରିବାପାଇଁ ପ୍ରୟାସ ରହିଛି ଯେଉଁମାନେ ଏବେ ମୃତ ଅବସ୍ଥାରେ ବଞ୍ଚିଛନ୍ତି । ଆବଶ୍ୟକତା ଏକ ସଂସ୍କୃତି ପ୍ରେମୀ ଦୃଢ ମନ ଓ ସମସ୍ତଙ୍କୁ ଏକାଠି କରି ଆମ ରାଜ୍ୟର କଳା ସଂସ୍କୃତିକୁ ଆଗେଇନେବା ର ମାନସିକତା ଥିବା ଏକ ସାମୁହିକ ଉଦ୍ୟମ ଯାହା ଆଜିର ଦିନରେ ବିରଳ । – ସମ୍ପାଦକ[/box]

ଉପକ୍ରମ :

ଲୋକନାଟକ କ୍ଷେତ୍ରରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାଚୀନ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ଲୋକ ନାଟକ ଓ ପାରମ୍ପରିକ ଲୋକନାଟକ ଓଡ଼ିଆ ନାଟକର କଳେବର ସମୃଦ୍ଧ କରିଛନ୍ତି । ସେହି ଲୋକ ନାଟକ ଗୁଡି଼କ ମଧ୍ୟରୁ ହରିକଥା ଏକ ପ୍ରମୁଖ ଲୋକ ନାଟକ ଥିଲା । ଏହି ଲୋକ ନାଟକ ମୁଖ୍ୟତଃ ଗଂଜାମ ଜିଲ୍ଲାରେ ପରିବେଷିତ ହେଉଥିଲା । ଭାଣ ଓ ବିଥି ସଂପ୍ରଦାୟର ଦକ୍ଷିଣ ଓଡ଼ିଶାର ଲୋକନାଟକ ଓ ପାରମ୍ପରିକ ଲୋକ ନାଟକ ଜଗତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା । ଲୋକନାଟକ ତଥା ପାରମ୍ପରିକ ଲୋକ ନାଟକ ଜଗତର ଭଣ୍ଡାର ଭାବରେ ପରିଚିତ ଥିବା ଗଂଜାମ ମାଟିର ସାଂସ୍କୃତିକ ଓ ଧର୍ମିୟ ପୃଷ୍ଠଭୂମିରେ ବହୁ ଲୋକ ନାଟକ ତଥା ପାରମ୍ପରିକ ଲୋକନାଟକର ଉନ୍ମେଷ ଘଟିଥିଲା ଯଥା ଦଣ୍ଡନାଟ, ଓଷାକୋଠି, ପ୍ରହ୍ଲାଦ ନାଟକ, ଭାରତଲୀଳା, ରାଧାପ୍ରେମ ଲୀଳା, ଦାସକାଠିଆ, ଗଳ୍ପ ସାଗର ଏବଂ ଅନ୍ୟାନ୍ୟ । ଏହି ହରିକଥା ମଧ୍ୟ ଗଂଜାମର ସାଂସ୍କୃତିକ ପ୍ରବାହ ମଧ୍ୟରୁ ଉନ୍ମେଷ ଲାଭ କରି ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଥିଲା ।

ହରିକଥାର ନାମକରଣ :

୧) ହରିକଥା ଶବ୍ଦଟିକୁ ବିସ୍ତାର କରି ଦେଖିଲେ ଜଣାପଡେ ଯେ ଏହା ହରି ଓ କଥା ନାମକ ୨ଟି ଶବ୍ଦର ସମ୍ମିଶ୍ରଣରେ ଉତ୍ପତ୍ତି ଲାଭ କରିଛି । ଏଠାରେ ହରି ଶବ୍ଦଟି ଭଗବାନ ବିଷ୍ଣୁଙ୍କୁ ବୁଝାଉଥିବା ବେଳେ କଥା ଶବ୍ଦଟି ଗଳ୍ପ ବା କାହାଣୀକୁ ବୁଝାଏ । ପ୍ରଭୁ ଶ୍ରୀହରୀ ବା ଭଗବାନ ବିଷ୍ଣୁଙ୍କ କଥା ପରିବେଷଣ ମାଧ୍ୟମରେ ଦର୍ଶକମାନଙ୍କ ମନରେ ଶ୍ରୀହରିଙ୍କ ପ୍ରତି ଭକ୍ତି ଭାବ ସୃଷ୍ଟି କରିବା ଏହାର ମୂଳ ଲକ୍ଷ ହୋଇଥିବାରୁ ଏହାକୁ ହରିକଥା ଭାବରେ ନାମିତ କରାଯାଇଛି ।

୨) ବିଷୟ ବସ୍ତୁ ଦୃଷ୍ଟିକୋଣରୁ ଚିନ୍ତା କଲେ ଜଣାଯାଏ ଯେ ଓଡ଼ିଆ ସାହିତ୍ୟର ପୁରାଣ ଯୁଗୀୟ କବି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ହରିବଂଶ ପୁରାଣର କଥାବସ୍ତୁ ଏହି ଲୋକ ନାଟକରେ ପରିବେଷିତ ହୋଇଥାଏ । ତେଣୁ ଏହାକୁ ହରିକଥା ଭାବରେ ନାମିତ କରାଯାଇଛି ।

ତାରିଣୀ ଚରଣ ପାତ୍ର

ହରିକଥାର ଉନ୍ମେଷ ଉତ୍ତରଣ

୧) ଏକଦା ଏହି ହରିକଥା ଲୋକପ୍ରିୟ ଲୋକନାଟକ ଥିଲା, ବିଶେଷ କରି ଗଂଜାମ ଜିଲ୍ଲାରେ ବହୁଳ ଭାବରେ ଏହାର ପରିବେଷଣ ଦେଖିବାକୁ ମିଳୁଥିଲା । କିନ୍ତୁ ଏହାର ଉନ୍ମେଷର ଆଦ୍ୟବୀଜର ଅଙ୍କୁରୋଦ୍ଗମ ଗଂଜାମରୁ ହୋଇ ନ ଥିଲା । ଏହାର ବାସ୍ତବ ଉନ୍ମେଷ ପ୍ରାଚୀନ ବର୍ମା ବା ଏବେକାର ମିଆଁମାର ରୁ ହୋଇଥିଲା । ବିଂଶଶତକର ପ୍ରଥମାର୍ଦ୍ଧ ବେଳକୁ ବହୁ ଓଡ଼ିଆ ଶ୍ରମିକ ଜୀବିକାର ସନ୍ଧାନରେ ବିସ୍ଥାପିତ ହୋଇ ବର୍ମା ଦେଶକୁ ଚାଲି ଯାଉଥିଲେ । ସେହି ସମୟରେ ଦାରିଦ୍ର୍ୟତାର ଶିକାର ହୋଇ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଓଡ଼ିଶୀ ସଙ୍ଗୀତ ବିଷାରଦ ତାରିଣୀ ଚରଣ ପାତ୍ର ମଧ୍ୟ ଶିଳ୍ପ କଳକାରଖାନାର ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ବର୍ମା ଦେଶର ରେଙ୍ଗୁନ୍ ଚାଲିଯାଇଥିଲେ । ସେହି ସମୟରେ ସେ କଳକାରଖାନାର ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ଭିତରେ ଥିବା କଳାପ୍ରବଣତା ବା ସୃଜନଶୀଳତାକୁ ସେ ମାରି ପାରିନଥିଲେ । ସେଠାରେ କାମକରୁଥିବା ଶତାଧିକ ବିସ୍ଥାପିତ ଓଡ଼ିଆ ଶ୍ରମିକମାନଙ୍କ ମନୋରଂଜନ ନିମନ୍ତେ ଏକ ବିଶେଷ ପ୍ରକାରର କଥା ଧର୍ମୀ ଲୋକନାଟକର ସୃଜନ କ୍ଷେତ୍ରରେ ମନୋନିବେଶ କରିଥିଲେ । ଏଥି ନିମନ୍ତେ ସେ ହରିବଂଶ ପୂରାଣରୁ ହରିଭକ୍ତି ଆଧାରିତ ବିଭିନ୍ନ କଥା ଓ ଉପକଥାମାନଙ୍କୁ ସଂଗ୍ରହ କଲେ, ସେଥିରେ କର୍ଣ୍ଣାଟକୀ ଗାୟନ ଶୈଳୀର ସଂଗୀତ ପ୍ରୟୋଗ କରିବା ସହ ଭାଣ ଶୈଳୀର ନାଟ୍ୟ ରୀତିକୁ ଅନୁସରଣ କରି ଏକ ସ୍ୱତନ୍ତ୍ର ପ୍ରକାରର ଲୋକ ନାଟକ ସୃଷ୍ଟି କଲେ । ହରିବଂଶ ପୁରାଣର ହରି ଭକ୍ତି କଥାମୃତକୁ ଆଧାର କରି ଏହାକୁ ସୃଷ୍ଟି କରାଯାଇଥିବାରୁ ହରିକଥା ଭାବରେ ଏହାର ନାମକରଣ କଲେ । କୁହାଯାଏ ଯେ, ଆନ୍ଧ୍ରପ୍ରଦେଶର ଏକ ଲୋକପ୍ରିୟ ଲୋକନାଟକ ବୋରାକଥା ପ୍ରଭାବରେ ପ୍ରଭାବିତ ହୋଇ ଗୁରୁ ତାରିଣୀ ଚରଣ ପାତ୍ର ଏହି ହରିକଥା ନାମକ ଲୋକନାଟକ ସୃଷ୍ଟି କରିଥିଲେ । ଗୁରୁ ତାରିଣୀ ଚରଣ ପାତ୍ରଙ୍କ ଶିଷ୍ୟ ଗୁରୁ ଲଡ଼ୁ କିଶୋର ପାଣିଙ୍କ ମତରେ ତାରଣୀ ଚରଣ ପାତ୍ର ୧୯୪୦ ମସିହାରେ ରେଙ୍ଗୁନ୍‌ରେ ହରିକଥା ସୃଷ୍ଟି କରିଥିଲେ । ତାର ଅଳ୍ପ କିଛି ବର୍ଷ ପରେ ସେ ତାଙ୍କର ପୈତୃକ ବାସସ୍ଥାନ ଗଂଜାମ ଜିଲ୍ଲାର ପିତଳ ଗ୍ରାମକୁ ଚାଲିଆସିଲେ । ଏହା ତାଙ୍କର ମଧ୍ୟ ଜନ୍ମସ୍ଥାନ ଥିଲା । ସେ ୧୯୦୧ ମସିହା ଜୁନ୍ ମାସ ୦୩ ତାରିଖରେ ପିତା ଗୌର ପାତ୍ର ଓ ମାତା ଯୋଗୀ ଆମ୍ମଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ରେଙ୍ଗୁନ୍‌ରୁ ଫେରିଲା ପରେ ସେ ପିତଳରେ ରହି ଅନ୍ୟ କୌଣସି ଜୀବିକା ମାଧ୍ୟମରେ ନିଜ ପରିବାର ପ୍ରତିପୋଷଣ କରିବାକୁ ଚାହିଁଲେ ନାହିଁ । ସେ ନିଜର ଭିଟାମାଟି ଛାଡ଼ି ନିକଟସ୍ଥ ବୋଇରାଣୀ ଗ୍ରାମକୁ ଚାଲିଗଲେ ଏବଂ ସେଠାରେ ସଙ୍ଗୀତ ଓ ନାଟକର ଗୁରୁ ଭାବରେ କଳାର ପ୍ରଚାର ପ୍ରସାରରେ ମନୋନିବେଶ କଲେ । ସଙ୍ଗୀତ ଓ ନାଟକର ଜୀବନ ଯାତ୍ରା ଭିତରେ ସେ ସଙ୍ଗୀତ ତଥା ନାଟକର ପ୍ରଶିକ୍ଷଣ ଓ ପରିବେଷଣ ନିମନ୍ତେ ଏକ ସ୍ଥାୟୀ ରଙ୍ଗମଞ୍ଚ ଏବଂ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଇଚ୍ଛା ପ୍ରକାଶ କଲେ । ଏଥି ନିମନ୍ତେ ତାକୁ ଯଥେଷ୍ଟ ମାତ୍ରାରେ ସାହାଯ୍ୟ କରିଥିଲେ କବିସୂର୍ଯ୍ୟ ନଗର ବା (ପୂରାତନ ବୋଇରାଣୀ) ନିକଟବର୍ତ୍ତୀ ଗୁଡ଼ିଆଳି ଗ୍ରାମର ରାମଚନ୍ଦ୍ର ଦୋରା ।

ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର, ବୋଇରାଣୀ

ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର, ବୋଇରାଣୀ:

ତାଙ୍କର ପ୍ରତ୍ୟକ୍ଷ ସହଯୋଗରେ ବୋଇରାଣୀ ଠାରେ ୧୯୪୮-୪୯ ବେଳକୁ ସେ ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର ପ୍ରତିଷ୍ଠା କରିଥିଲେ, ଯାହା ତାରିଣୀ ପାତ୍ରଙ୍କ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ଓଡ଼ିଶାର ପ୍ରଥମ ସଙ୍ଗୀତ ଓ ନାଟକ ପ୍ରଶିକ୍ଷଣ ଅନୁଷ୍ଠାନ । ଏହାର ପରବର୍ତ୍ତି ପର୍ଯ୍ୟାୟରେ ୧୯୫୪ ମସିହାରେ ଗୁରୁ ତାରିଣୀ ଚରଣ ପାତ୍ର ତାଙ୍କର ଶିଷ୍ୟ ଲଡ଼ୁକିଶୋର ପାଣିଙ୍କୁ ହରିକଥାର ନାଟ୍ୟକଳା ପ୍ରଶିକ୍ଷଣ ଦେଇଥିଲେ । ୧୯୫୪ ମସିହାରେ କୌଣସି ଏକ ଶାରଦ ସଂନ୍ଧ୍ୟାରେ ଲଡ଼ୁ କିଶୋର ପାଣି ତାଙ୍କ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ବୋଇରାଣୀ ଶାସନ ଠାରେ ହରିକଥା ପରିବେଷଣ କରିଥିଲେ । ତାହା ଥିଲା ଓଡ଼ିଶା ମାଟିରେ ହରିକଥାର ପ୍ରଥମ ପରିବେଷଣ । ଏଠାରେ ସେ ସୀତା ବନବାସ ନାଟକ ହରିକଥା ପରିବେକ୍ଷଣ କରିଥିଲେ । ତାପରଠୁ ନିରବଚ୍ଛିନ୍ନ ଭାବରେ ଲଡ଼ୁ କିଶୋର ପାଣି ହରିକଥା ପରିବେଷଣ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏହି ନାଟ୍ୟଧାରାର ଜଣେ ଅଭିନ୍ନ ତଥା ପ୍ରବୀଣ ଗୁରୁ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଲୋକନାଟକର ଜୀବନ ଯାତ୍ରା ଭିତରେ ହରିକଥାର ପ୍ରଚାର ପ୍ରସାର ନିମନ୍ତେ ସେ ବହୁ ହରିକଥା ଶୈଳୀର ଲୋକ ନାଟକ ରଚନା କରିଥିଲେ । ସେ ଗୁଡ଼ିକ ହେଲା ଯଥା :- ସୀତା ବନବାସ, ଅମର ବିଳାସ, ଗୟା ପାଷାଣ, ବବ୍ରୁବାହଳ, ଭାଗ୍ୟଚକ୍ର, କୁରୁକ୍ଷେତ୍ର, କର୍ମକ୍ଷେତ୍ର, ସୁଦାମର ଭକ୍ତର ଭଗବାନ, ହରିଶ୍ଚନ୍ଦ୍ର, ସତ୍ୟବାନ ସାବିତ୍ରୀ, ପାପର ପ୍ରାୟଶ୍ଚିତ, ରୂପକୁମାରୀ, ବସନ୍ତ ମଂଜରୀ, ଅଭିଶାପ, ସୁଶୀଳ ମାଳତୀ, ସତୀ ଅସତୀ ଏବଂ ଅନ୍ୟାନ୍ୟ । ଧିରେ ଧିରେ ଏହି ହରିକଥା ନାଟ୍ୟ ପରମ୍ପରାରେ ଲୋକମାନଙ୍କ ପାଖରେ ଲୋକ ପ୍ରିୟ ହୋଇ ଲୋକ ନାଟକର ମାନ୍ୟତା ହାସଲ କରିବାରେ ସକ୍ଷମ ହୋଇପାରିଥିଲା । ଏପରିକି ଗଂଜାମର ପଡ଼ୋଶି ଜିଲ୍ଲା ମାନଙ୍କରେ ମଧ୍ୟ ଏହା ଆମୋଦ ପ୍ରମୋଦର ଏକ ପ୍ରମୁଖ ମାଧ୍ୟମ ଭାବରେ ଗ୍ରହଣୀୟ ହୋଇପାରିଥିଲା। ଏହାର ପରିବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧ୍ୟକ୍ଷ ଶ୍ରୀଯୁକ୍ତ ଧିରେନ୍ ଦାସଙ୍କ ସମୟରେ ଏହା ଓଡ଼ିଆ ଲୋକ ନାଟକ କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସ୍ୱୀକୃତି ହାସଲ କରିବା ସହ ବିଭିନ୍ନ ଲୋକ ନାଟକ ଉତ୍ସବ ମାନଙ୍କରେ ପରିବେଷିତ ହୋଇ ଅଧିକରୁ ଅଧିକ ଲୋକପ୍ରିୟ ହୋଇପାରି ଥିଲା ।

୧୯୫୪ ମସିହା ପରଠାରୁ ସମୟ କ୍ରମେ ହରିକଥାର ପରିବେଷଣରେ ବହୁ ପରିବର୍ତ୍ତନର ଧାରା ପ୍ରବେଶ କରିଛି । ସେ ସବୁକୁ ସଂକ୍ଷେପରେ ନିମ୍ନରେ ପ୍ରଦାନ କରାଯାଇଛି ।

୧) ପ୍ରାଥମିକ ପର୍ଯ୍ୟାୟରେ ଏହାର ବିଷୟ ବସ୍ତୁ କେବଳ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ହରିବଂଶ ପୂରାଣର ହରିଭକ୍ତି କଥାମୃତ ଆଧାରିତ କଥା ଓ ଉପକଥା ତଥା ଭକ୍ତିକବି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ସୁକ ପରୀକ୍ଷିତ ଓ ଯଦୁ ଅବଧୁତ ସମ୍ବାଦ ମଧ୍ୟରେ ସୀମିତ ଥିଲା । କାଳକ୍ରମେ ଏହାର ବିଷୟବସ୍ତୁ ପରିଧି ଭିତରକୁ ସାରଳା ଦାସଙ୍କ ମହାଭାରତ, ବିଳରାମ ଦାସଙ୍କ ଦାଣ୍ଡୀ ରାମାୟଣ, ଜଗନ୍ନାଥ ଦାସଙ୍କ ଭାଗବତ, ମହାଦେବ ଦାସଙ୍କ ବିଷ୍ଣୁ କେଶରୀ ପୁରାଣ ତଥା ଅନ୍ୟାନ୍ୟ ଓଡ଼ିଆ ପୁରାଣ ତଥା ବହୁ ମଧ୍ୟ ଯୁଗୀୟ କବି ଯଥା, ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଅଭିମନ୍ୟୁ ସାମନ୍ତ ସିଂହାର ଆଦି କବି ମାନଙ୍କ କାବ୍ୟ କବିତା ପ୍ରବେଶ କରି ଏହାର ବିଷୟ ବସ୍ତୁକୁ ରସବନ୍ତ କରିବାରେ ସହାୟକ ହୋଇଥିଲା ।

୨) ଲୋକନାଟକରୁ ଧିରେ ଧିରେ ଏହା ନାଟକୀୟ ସନ୍ଧି ଓ ପ୍ରକୃତିକୁ ଅନୁସରଣ କରି ଏକ ସମ୍ପୂର୍ଣ୍ଣ ନାଟକର କଳେବର ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଥିଲା ।

୩) ସମୟକ୍ରମେ ଗୁରୁ ଲଡ଼ୁ କିଶୋର ପାଣି ହରିକଥା ନାଟକ ପରିବେଷଣରେ ବିଭିନ୍ନ ଛାନ୍ଦ, ଚଉପଦୀ, ଚମ୍ପୁ, ଚଉତିଶା, ଭଜନ, ଜଣାଣ, ପ୍ରାଚୀନ ଓଡ଼ିଶୀ ସଙ୍ଗୀତ ତଥା ବିଭିନ୍ନ ଉପାଦେୟ ସଂସ୍କୃତ ଶ୍ଲୋକମାନଙ୍କୁ ପ୍ରୟୋଗ କରି ଏହାର ପରିବେଷଣକୁ ପ୍ରାଣବନ୍ତ କରିପାରିଥିଲେ । ଫଳରେ ଏହା ଆହୁରି ଅଧିକ ଉପଭୋଗ୍ୟ ହୋଇପାରିଥିଲା ।

୪) ଏହାର ପରିବେଷଣରେ ମୃଦଙ୍ଗ ଓ ହାରମୋନିୟମ୍‌ର ସହଯୋଗୀତା ହରିକଥାର ସଙ୍ଗୀତ ଓ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ସହାୟକ ହୋଇପାରିଥିଲା ।

ଲଡ଼ୁ କିଶୋର ପାଣି

ହରିକଥା ପରିବେଷଣ ଶୈଳୀ ପରିବେଷଣ ଅବିଧି :

ବିଶେଷ କରି ହରିକଥା ଜଣେ ଅଭିନେତା ବା ଗୁରୁଙ୍କ ଦ୍ୱାରା ପରିବେଷିତ ହୋଇଥାଏ ଏବଂ ତାଙ୍କୁ ସଙ୍ଗୀତରେ ଦୁଇଜଣ ସଙ୍ଗୀତଜ୍ଞ ସହଯୋଗ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହାର୍‌ମୋନିୟମ୍ ଏବଂ ଅନ୍ୟ ଜଣେ ମୃଦଙ୍ଗ ବାଦନ କରିଥାନ୍ତି । ସର୍ବପ୍ରଥମେ ଅଭିନେତାର ମଞ୍ଚ ପ୍ରବେଶ ପରେ ସେ ତାଙ୍କର ଆରାଧ୍ୟ ଦେବତା ଜଗତପାଳକ ପ୍ରଭୁ ନାରାୟଣ, ବିଘ୍ନ ବିନାଶକ ଗଜାନନ, ବାଗ୍‌ଦେବୀ ମା ସରସ୍ୱତୀ, ଗୁରୁ ତଥା ଜନତା ଜନାର୍ଦ୍ଦନଙ୍କୁ ନାଟକର ବିଘ୍ନଶୂନ୍ୟ ପରିବେଷଣ ତଥା ବିଶ୍ୱ କଲ୍ୟାଣ କାମନା କରି ନାଟକର ମୂଳ ବିଷୟବସ୍ତୁ ପରିବେଷଣ ଆରମ୍ଭ କରିଥାନ୍ତି । ଯଥା –

ନାରାୟଣଂ ନମସ୍କୃତ୍ୟ ନରୋଶ୍ଚୌବ ନରୋତ୍ତମମ୍

ଦେବୀ ସରସ୍ୱତୀ ବ୍ୟାସଂ ତତୋଜୟାତ୍ ମୁଦିରୟେତ୍ ।

ଗୁରୁବ୍ରାହ୍ମା ଗୁରୁବିଷ୍ଣୁ ଗୁରୁର୍ଦେବ ମହେଶ୍ୱର

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।

ଏହା ପରେ ଅଭିନେତା ମଞ୍ଚକୁ ବେଢ଼ି ରହିଥିବା ଦର୍ଶକମାନଙ୍କୁ ପରିବେଷଣ ହେବାକୁ ଥିବା ନାଟକ ସମ୍ପର୍କରେ ସୂଚନା ପ୍ରଦାନ କରନ୍ତି କିମ୍ବା ଦର୍ଶକମାନଙ୍କ ଦ୍ୱାରା ସ୍ଥିରୀକୃତ ବିଷୟବସ୍ତୁକୁ ଆଧାର କରି ନିଜର ଗାୟନ, ନୃତ୍ୟ ଓ ଅଭିନୟର ଦକ୍ଷତା ଉପଯୋଗ କରି ହରିକଥା ପରିବେଷଣ କରିଥାନ୍ତି । ହରିକଥା ପରିବେଷଣ ସମୟରେ ବିଶେଷକରି ଆଙ୍ଗିକ, ବାଚିକ, ସାତ୍ୱିକ ଓ ଆହାର୍ଯ୍ୟ ଆଦି ସମସ୍ତ ପ୍ରକାର ଅଭିନୟ ଦକ୍ଷିତା ଏଥିରେ ପ୍ରୟୋଗ କରାଯାଏ । ନାଟକୀୟ ପରିବେଷଣକୁ ପ୍ରାଣବନ୍ତ କରିବା ନିମନ୍ତେ ହରିକଥାରେ ଅଭିନେତାମାନେ ନିଜର ଭିନ୍ନ ଭିନ୍ନ ସ୍ୱରରେ ଭିନ୍ନ ଭିନ୍ନ ଚରିତ୍ରମାନଙ୍କୁ ସୁନ୍ଦର ଭାବରେ ପରିବେଷଣ କରିଥାନ୍ତି । ସମୟ ସମୟରେ ହରିକଥାର ପରିବେଷଣରେ ଦର୍ଶକମାନେ ମଧ୍ୟ କାହାଣୀର ଆବଶ୍ୟକତା ଅନୁସାରେ ଭାଗ ନେବାର ଦେଖାଯାଇଥାଏ । ଜଣେ ଅଭିନେତା କାହାଣୀର ସମସ୍ତ ଚରିତ୍ରକୁ ନିଜର ଅଭିନୟର ଦକ୍ଷତା ମାଧ୍ୟମରେ ପରିବେଷଣ କରି ଦର୍ଶକକୁ ଅଭିଭୁତ କରି ବାନ୍ଧି ରଖିଥାନ୍ତି । ପରିଶେଷରେ ନାଟକର ସମାପ୍ତିରେ ଭରତବାକ୍ୟ ପରିବେଷଣ ପୂର୍ବକୁ ନାଟକର ନିର୍ବିଘ୍ନ ପରିବେଷଣ ନିମନ୍ତେ ଦର୍ଶକ ଏବଂ ଭଗବାନଙ୍କ ପଦାରବିନ୍ଦରେ କୃତଜ୍ଞତା ଜ୍ଞାପନ ପୂର୍ବକ ଜଗତ ମଙ୍ଗଳ ନିମନ୍ତେ ପ୍ରାର୍ଥନା କରି ନାଟକକୁ ସମାପ୍ତ କରାନ୍ତି ।

ହରିକଥା ନାଟକର ପରିବେଷଣର ଅବଧି ବିଶେଷ କରି ତିନି ଚାରି ଘଣ୍ଟା ହୋଇଥାଏ । ଗାଁ ଗହଳିରେ ବିଶେଷ କରି ଏହି ନାଟକ ସଂନ୍ଧ୍ୟା ଆଠ କିମ୍ବା ନଅ ରୁ ଆରମ୍ଭ ହୋଇ ରାତ୍ରି ଏଗାର କିମ୍ବା ବାରରେ ଶେଷ ହୋଇଥାଏ ।

ମଞ୍ଚ

ବିଶେଷତଃ ହରିକଥା ଗାଁ ମଝିରେ ରାସ୍ତା ଉପରେ ମନ୍ଦିର ସମ୍ମୁଖରେ ଗାଁ ମୁଖିଆ କିମ୍ବା ଏହାର ପରିବେଷଣକୁ ପୃଷ୍ଠପୋଷକତା କରୁଥିବା ବଦାନ୍ୟ ତଥା କଳାପ୍ରାଣ ବ୍ୟକ୍ତିମାନଙ୍କ ଘର ସମ୍ମୁଖରେ ଏହାର ପରିବେଷଣ ଆୟୋଜନ କରାଯାଇଥାଏ । ପରିବେଷଣ ସ୍ଥଳରେ ଚାରିକୋଣରେ ଚାରୋଟି ବାଉଁଶ ଖମ୍ବ ସହାୟତାର ଏକ ଚାନ୍ଦୁଆ ବାନ୍ଧି ମଞ୍ଚର ବ୍ୟବସ୍ଥା କରାଯାଇଥାଏ । ସେହି ମଞ୍ଚକୁ ହେଲୋଜେନ୍ ଲାଇଟ୍ ସହାୟତାରେ ଆଲୋକିତ କରାଯାଇଥାଏ । ପ୍ରାଥମିକ ପର୍ଯ୍ୟାୟରେ ମଶାଲ କିମ୍ବା ବଡ଼ ବଡ଼ କିରୋସିନ୍ ଚାଳିତ ଲେମ୍ପ୍ ମାଧ୍ୟମରେ ଏହାର ଆଲୋକ ବ୍ୟବସ୍ଥା କରାଯାଉଥିଲା । ସାଧାରଣତଃ ହରିକଥା ପରିବେଷଣରେ କୌଣସି କୁତ୍ରିମ ଶବ୍ଦଯନ୍ତ୍ର ଅଥବା ମାଇକ୍ରୋଫୋନ୍ କିମ୍ବା ଫନେଲ୍ ବା ସାଉଣ୍ଡ ବକ୍ସର ବ୍ୟବହାର କରାଯାଇ ନ ଥିଲା । ଏପରିକି ମଞ୍ଚନ ବା ପରିବେଷଣ ନିମନ୍ତେ କୌଣସି ସ୍ଥାୟୀ ମଞ୍ଚ ମଧ୍ୟ ବ୍ୟବହୃତ ହେଉ ନ ଥିଲା ।

ପୋଷାକ, ମୁଖସଜ୍ଜା ହସ୍ତୋପକରଣ :

ହରିକଥା ପରିବେଷଣରେ ଅଭିନେତାମାନେ ମଧ୍ୟଯୁଗୀୟ ରାଜଦରବାର ଦରବାରୀ କବି ବା ପଣ୍ଡିତମାନଙ୍କ ଭଳି ପୋଷାକ ବ୍ୟବହାର କରିଥାନ୍ତି । ସାଧାରଣତଃ ଖଣ୍ଡେ ଧଳା କୁର୍ତ୍ତା, ଧୋତି ଏବଂ କାନ୍ଧରେ ଏକ ଉତ୍ତରୀୟ ପକାଇଥାନ୍ତି । ତତ୍‌ସହିତ ଗଳାରେ କିଛି ରୁଦ୍ରକ୍ଷା ମାଳା କିମ୍ବା ପୋହଳା ନିର୍ମିତ ମାଳା ବ୍ୟବହାର କରିଥାନ୍ତି । ବେଳେ ବେଳେ ଆଉ ଏକ ଗାମୁଛା ସଦୃଶ କପଡ଼ାକୁ ସେମାନେ ନାଟକର ବିଭିନ୍ନ ଘଟଣାକୁ ବର୍ଣ୍ଣନା କରିବା ନିମନ୍ତେ ହାତରେ ବ୍ୟବହାର କରିଥାନ୍ତି, ଯଥା – ରାଜା, ମନ୍ତ୍ରୀ, ଯୋଦ୍ଧା, ଅଶ୍ୱ ଚାଳନା, ନବବିବାହିତ କନ୍ୟା, ରାଣୀ, ଖଡ୍ଗ ଇତ୍ୟାଦି । ଏତତ୍‌ବ୍ୟତୀତ ଅନ୍ୟ କୌଣସି ନାଟ୍ୟୋପକରଣ କମ୍ବା ହସ୍ତୋପରକରଣର ପ୍ରୟୋଗ ହରିକଥା ପରିବେଷଣରେ ଦେଖାଯାଏ ନାହିଁ । ମଧ୍ୟଯୁଗୀୟ ରାଜଦରବାରର ପଣ୍ଡିତ କିମ୍ବା ମନ୍ତ୍ରୀ ଭଳି ଅତି ସରଳ ଓ ସାଧାରଣ ମୁଖ ସଜ୍ଜା ଏହି ନାଟକରେ ଦେଖିବାକୁ ମିଳେ । କୌଣସି ପ୍ରକାରର ଅତିରଂଜିତ କିମ୍ବା ପରିକଳ୍ପିତ ମୁଖସଜ୍ଜାର ପ୍ରୟୋଗ ଏହି ନାଟକରେ ଦେଖିବାକୁ ମିଳେ ନାହିଁ । ଅତି ଅଳ୍ପ ପରିମାଣର ହସ୍ତୋପକରଣ ଯଥା-ଖଣ୍ଡା, ମୁକୁଟ, ସର୍ପ, ଗଦା, ଫୁଲମାଳ, ମାଠିଆ, ବଂଶୀ ଭଳି ହସ୍ତୋପକରଣର ପ୍ରୟୋଗ ବେଳେ ବେଳେ ଏହାର ପରିବେଷଣରେ ବ୍ୟବହାର କରଯାଏ । ତାହା ମଧ୍ୟ ବହୁଳ ମାତ୍ରାରେ ନୁହେଁ କହିଲେ ଚଳେ ।

ହରିକଥାର ସଙ୍ଗୀତ :

ହରିକଥା ପରିବେଷଣରେ ଏକାଧାରରେ କଥନ, ଗାୟନ, ନର୍ତ୍ତନ ଓ ଅଭିନୟର ପ୍ରୟୋଗ ଦେଖିବାକୁ ମିଳେ । ଏହାର ହରିଭକ୍ତି ରସାମୃତ ଆଧାରିତ ପୌରାଣିକ ବିଷୟବସ୍ତ୍ରୁ ବିଭିନ୍ନ ପାରମ୍ପରିକ ଓଡ଼ିଶୀ ଛାନ୍ଦ, ଚମ୍ପୁ, ଚଉତିଶା, ଭଜନ ତଥା ଜଣାଣ ଶୈଳୀରେ ପରିବେଷିତ ହୋଇଥାଏ । ମୁଖ୍ୟତଃ ଗୋଟିଏ ମୃଦଙ୍ଗ, ହାର୍‌ମୋନିୟମ୍‌, ଝାଞ୍ଜ ଏବଂ ଦାସକାଠିଆକୁ ଏଠାରେ ସଂଗୀତ ପରିବେଷଣର ସହଯୋଗ ନିମନ୍ତେ ବାଦନ କରାଯାଇଥାଏ । ଓଡ଼ିଶୀ ସଙ୍ଗୀତ ପରମ୍ପରାର ପ୍ରୟୋଗ ଏଠାରେ ଦେଖିବାକୁ ମଳିଲେ ମଧ୍ୟ ଦକ୍ଷିଣ ଭାରତୀୟ ସଙ୍ଗୀତ ପରିବେଷଣ ପରମ୍ପରା ଏଠାରେ ଅଧିକ ଗୁରୁତ୍ୱ ପାଉଥିଲା । କୌଣସି ପ୍ରକାରର ଶାସ୍ତ୍ରୀୟ କିମ୍ବା ଆଧୁନିକ ଯନ୍ତ୍ର ସଂଗୀତର ପ୍ରୟୋଗ ଏଠାରେ ଦେଖାଯାଏ ନାହିଁ । ଗୀତ ଓ କଥାର ତାଳେ ତାଳେ ଅଭିନେତା ମାନେ ଏଠାରେ ଅଭିନୟ କରିଥାନ୍ତି ।

ହରିକଥାର ଗୁରୁ

୧) ଗୁରୁ ଶ୍ରୀ ତାରିଣୀ ଚରଣ ପାତ୍ର

ପିତଳ, ଶେରଗଡ଼ ଗଂଜାମ୍‌

୨) ଲଡ଼ୁ କିଶୋର ପାଣି

ଗୋଲାମୁଣ୍ଡଳା, କବିସୂର୍ଯ୍ୟ ନଗର, ଗଂଜାମ

୩) ଶ୍ୟାମ ସୁନ୍ଦର ବସନ୍ତିଆ

ସୁନାଥର, ପୁରୁଷୋତ୍ତମପୁର, (ଗଂଜାମ)

ଲଡ଼ୁ କିଶୋର ପାଣି

ସାଂପ୍ରତିକ ସ୍ଥିତି :

୧) ପ୍ରସିଦ୍ଧ ହରିକଥା ଗୁରୁ ତଥା ଅଭିନେତା ଲଡ଼ୁ କିଶୋର ପାଣିଙ୍କ ମତରେ ଏକବିଂଶ ଶତକର ପ୍ରାରମ୍ଭ ବେଳକୁ ହରିକଥା ଲୋକନାଟକର ପରିବେଷଣଧାରା ମୃତପ୍ରାୟ ହୋଇସାରିଲାଣି କାରଣ ପୂର୍ବବର୍ଣ୍ଣିତ ଗୁରୁମାନଙ୍କ ମଧ୍ୟରୁ ଲଡ଼ୁ କିଶୋର ପାଣି ପ୍ରାୟ ୨୦ ବର୍ଷ ତଳୁ ହରିକଥାର ପରିବେଷଣ ବନ୍ଦ କରିସାରିଲେଣି । ଗଂଜାମ୍ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକର ତାରାତାରିଣୀ ନିକଟବର୍ତ୍ତୀ ସୁନାଥର ଗ୍ରାମର ଶ୍ୟମ ସୁନ୍ଦର ବସନ୍ତିଆ କେବଳ ଜଣେ ମାତ୍ର ଗୁରୁ ଯିଏ କି କାଁ ଭାଁ ହରିକଥା ପରିବେଷଣ ପୂର୍ବକ ଏହି ନାଟ୍ୟ ପରମ୍ପରାକୁ ଅଦ୍ୟାବଧି ବଞ୍ଚେଇ ରଖିବାରେ ସକ୍ଷମ ହୋଇପାରିଛନ୍ତି ।

୨) ହରିକଥା ଭଳି ଏକ କ୍ଷୁଦ୍ର ଲୋକନାଟକର ପରିବେଷଣର ପରିଧି ଭିତରକୁ ଆଧୁନିକତାର କୌଣସି ପ୍ରଭାବ ଅଦ୍ୟାବଧି ପଡ଼ି ପାରିଲା ନାହିଁ । ଫଳତଃ ଏହାର ଉଭୟ ବିଷୟବସ୍ତୁ ଏବଂ ପରିବେଷଣ ଶୈଳୀରେ ନିଜର ମୌଳିକତା ବଜାୟ ରଖିବା ସହ ନିଜର ମୌଳିକତା ରକ୍ଷା କରିବାରେ ସକ୍ଷମ ହୋଇ ପାରିଲା ।

୩) ଉତ୍କଟ ଦାରିଦ୍ର୍ୟତା କାରଣରୁ ତାରିଣୀ ଚରଣ ପାତ୍ର କିମ୍ବା ଲଡ଼ୁ କିଶୋର ପାଣିଙ୍କ ଭଳି ଗୁରୁମାନେ ତାଙ୍କ ବଂଶଧରମାନଙ୍କୁ ହରିକଥା ନାଟକର ପ୍ରଶିକ୍ଷଣ ପ୍ରଦାନ କରି ଏଭଳି ଏକ ଆଧ୍ୟାତ୍ମିକ ଭାବ ସମ୍ପନ୍ନ ଲୋକନାଟକର ପ୍ରଚାର ପ୍ରସାରରେ ସାମିଲ୍ କରେଇଲେନି ।

୪) ହରିକଥାର ଉଭୟ ବିଷୟବସ୍ତୁ ଏବଂ ପରିବେଷଣର ସରଳତା ଓ ନିରାଡମ୍ବର କାରଣରୁ ଏହା ଅନ୍ୟାନ୍ୟ ଲୋକପ୍ରିୟ ଲୋକନାଟକ ଗୁଡ଼ିକ ଯଥା ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ରଜା ନାଟକ ସହିତ ପ୍ରତିଯୋଗିତାରେ ସକ୍ଷମ ହୋଇ ବ୍ୟବସାୟିକ ସଫଳତା ହାସଲ କରିପାରିଲା ନାହିଁ ।

୫) ପ୍ରଶିକ୍ଷଣ, ପରିବେଷଣ ଓ ଗବେଷଣା ଅଭାବରୁ ଏହା ଅଧିକରୁ ଅଧିକ ଲୋକପ୍ରିୟ ହୋଇ ନ ପାରିବା ସହ ସାମାଜିକ ସ୍ୱୀକୃତି ହାସଲ କରିବାରେ ସକ୍ଷମ ହୋଇପାରିଲା ନାହିଁ ।

୬)ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କୌଣସି ସହଯୋଗ, ଆର୍ଥିକ ପ୍ରୋତ୍ସାହନ କିମ୍ବା ପୁରସ୍କାର ଏହି ଲୋକନାଟକର ଉତ୍ସର୍ଗୀକୃତ କଳାକାରମାନଙ୍କ ପାଖରେ ପହଞ୍ôଚ ପାରିଲା ନାହିଁ ।

୭) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ମଧ୍ୟ ସାଂସ୍କୃତିକ ଯୋଜନା ମାଧ୍ୟମରେ ଏହି ଲୋକନାଟକର ସୁପ୍ତ ଓ ମୃତ ଅନୁଷ୍ଠାନ ମାନଙ୍କୁ ଜାଗ୍ରତ କରାଯାଇପାରିଲା ନାହିଁ ।

୮) ୨୦୧୦ ପର୍ଯ୍ୟନ୍ତ ଏହାର ମଞ୍ଚ, ପରିବେଷଣ ଅବଧି ଓ ପୋଷାକ ମୁଖସଜ୍ଜାରେ କୌଣସି ପରିବର୍ତ୍ତନ ଆସିପାରିଲା ନାହିଁ । ଏହା ଆଗଭଳି ମୁକ୍ତାକାଶ ତଳେ କିମ୍ବା ଗାଁ ରାସ୍ତା ଉପରେ ବନ୍ଧାଯାଇଥିବା ଚାନ୍ଦୁଆ ତଳେ ପରିବେଷଣ କରାଯାଉଥିଲା ।

୯) ଏହାର ସଙ୍ଗୀତ କ୍ଷେତ୍ରରେ ମଧ୍ୟ କୌଣସି ପରିବର୍ତ୍ତନ ଆସି ପାରିନଥିଲା । ଆଗଭଳି ଛାନ୍ଦ, ଚମ୍ପୁ, ଚଉପଦୀ, ଭଜନ, ଜଣାଣ ଏବଂ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ରାଗମାନଙ୍କ ମାଧ୍ୟମରେ ଗୋଟିଏ ହାର୍‌ମୋନିୟମ୍ କିମ୍ବା ମୃଦଙ୍ଗ ସହଯୋଗରେ ପରିବେଷିତ ହେଉଥିଲା ।

୧୦) ଏହାର କଳାକାରମାନେ ଏହି ନାଟ୍ୟ ପରିବେଷଣ ମାଧ୍ୟମରେ ସେମାନଙ୍କର ପରିବାର ପ୍ରତିପୋଷଣ କରିବାକୁ ଆଦୌ ସକ୍ଷମ ହେଲେ ନାହିଁ । ଫଳରେ ସେମାନେ ବିମୁଖ ହୋଇ ଅନ୍ୟାନ୍ୟ ଜୀବିକା ଅବଲମ୍ବନ କଲେ ।

୧୧) କରୋନା ଆକ୍ରମଣ ଫଳରେ ସରକାରଙ୍କ କଠୋର କୋଭିଡ଼୍ ନୀତି ନିୟମାନୁସାରେ ଦୀର୍ଘ ଦୁଇବର୍ଷ ପର୍ଯ୍ୟନ୍ତ ସମସ୍ତ ଲୋକନାଟକ ଭଳି ଏହାର ମଞ୍ଚନକୁ ମଧ୍ୟ ନିଷଦ୍ଧ କରିଦିଆଗଲା । ଫଳରେ ସୁପ୍ତ ଅବସ୍ଥାରେ ଥିବା ଏହି ଲୋକନାଟକଟି ସମ୍ପୂର୍ଣ୍ଣ ମୃତ ପ୍ରାୟ ହୋଇଗଲା ।

ଶେଷ କଥା :

ଆଧୁନିକତା ଓ ଜଗତିକରଣ ପ୍ରଭାବରେ ଓଡ଼ିଶାର ସମସ୍ତ ଲୋକନାଟକ ଯେ ଅବକ୍ଷୟାଭିମୁଖି ଏହା ନିଃସନ୍ଦେହ । ଆଧୁନିକତାର ପ୍ରଭାବରୁ ନିଜକୁ ମୁକ୍ତ ରଖି ଆସିଥିବା ଏବଂ ହରିଭକ୍ତି କଥାମୃତ ଆଧାରିତ ପ୍ରାଚୀନ ଓ ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟର ସାହିତ୍ୟିକ ମୂଲ୍ୟବୋଧକୁ ଜନ ମାନସରେ ପ୍ରଚାର କରି ଆସୁଥିବା ଏହି ‘ହରିକଥା’ ନାମକ ଲୋକନାଟକ ଆଜି ସମ୍ପୂର୍ଣ୍ଣ ମୃତ । ଏହାର ପରିବେଷଣ ମଧ୍ୟ ଦେଖିବାକୁ ବିରଳ ଅଟେ । ଅଳ୍ପ କେତେ ଟଙ୍କାର କଳାକାର ଭତ୍ତା ଓ ଗରିବୀ ଚାଉଳର ସାହାରାରେ ଗୁରୁ ଶ୍ରୀ ଲଡ଼ୁ କିଶୋର ପାଣିଙ୍କ ଭଳି କଳାକାରମାନେ ବଞ୍ଚୁଥିବା ଜୀବନ ଯେ କେତେ ଦୁର୍ବିସହ ସେ କଥା ତାଙ୍କୁ ଆଖିରେ ନ ଦେଖିଲେ ହୃଦୟଙ୍ଗମ କରି ହେବ ନି । ତେଣୁ ଆଧୁନିକତା ଓ ଅଶ୍ଳିଳତାର ବିନାଶ ନଈରେ ବୁଡ଼ିଯାଇଥିବା ଲୋକନାଟକର ଏହି ଆଧ୍ୟାତ୍ମିକ ନାଆଟିକୁ ଯଦି ଉଦ୍ଧାର କରି ଉଭୟ କଳା ଓ କଳାକାରମାନଙ୍କର ପ୍ରଗତିର ମହାସ୍ରୋତରେ ସାମିଲ ହୋଇ ପାରିଥାନ୍ତେ, ତା ହେଲେ ସମାଜର ଏବ ବୃହତ୍ତର ସ୍ୱାର୍ଥ ସାଧିତ ହୋଇପାରିଥାନ୍ତା । ଏଥିପାଇଁ କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ରାଜନେତାମାନେ ସହୃଦୟତାର ସହ ଚିନ୍ତାକରିବାର ଉପଯୁକ୍ତ ବେଳ ଅଟେ ।

Photo credit- https://upsc4history.wordpress.com/2018/07/30/harikatha-the-story-telling/

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ