ମଞ୍ଚପୂଜନ (ତୃତିୟ ଅଧ୍ୟାୟ)

11 Min Read

ସମସ୍ତ ଲକ୍ଷଣଯୁକ୍ତ ନାଟ୍ୟଗୃହ ନିର୍ମିତ ହୋଇସାରିଲା ପରେ ତହିିଁରେ ସାତଦିନ ପର୍ଯ୍ୟନ୍ତ ବ୍ରାହ୍ମଣ ମାନଙ୍କୁ ଜପ କାର୍ଯ୍ୟରେ ନିଯୁକ୍ତ କରିବା ସହ ସେଠାରେ ଗାଈ ଗୋରୁ ବାନ୍ଧିବେ । ଏହା ସହ ବ୍ରାହ୍ମଣଙ୍କ ମନ୍ତ୍ରିତ ଜଳସିଞ୍ଚନ ଦ୍ୱାରା ନିଜକୁ ତଥା ରଙ୍ଗପୀଠକୁ ପବିତ୍ର କରି ସେଠାରେ ସନ୍ଧ୍ୟାରେ ଅଧିବାସ କରିବେ । ଏହାପରେ ନାଟ୍ୟାଚାର୍ଯ୍ୟ ସେଠାରେ ତିନିରାତି ପର୍ଯ୍ୟନ୍ତ ଉପବାସ ବ୍ରତ ଅବଲମ୍ବନ ପୂର୍ବକ ଶୃଙ୍ଖଳିତ ଏବଂ ସଂଯମଶୀଳ ଜୀବନ ଯାପନ କରିବା ସହ ଅଖଣ୍ଡିତ ବସ୍ତ୍ର ପରିଧାନ କରି ଯଥାସ୍ଥାନରେ କାଳ ଯାପନ କରିବେ । ତତ୍ପରେ ସମସ୍ତ ଦେବତା ଯଥା :- ଶିବ, ବ୍ରହ୍ମା, ବିଷ୍ଣୁ, ବୃହସ୍ପତି, ଇନ୍ଦ୍ର, ସରସ୍ୱତୀ, ଲକ୍ଷ୍ମୀ, ସିଦ୍ଧୀ, ମେଧା, ଧୃତୀ, ମତୀ, ସୂର୍ଯ୍ୟ, ମରୁତ, ଲୋକପାଳ, ଅଶ୍ୱିନୀ, ମିତ୍ର, ଅଗ୍ନି, ସ୍ୱର, ବର୍ଣ୍ଣ, ରୁଦ୍ର, କାଳ, କଳି, ମୃତ୍ୟୁ, ନିୟତି, କାଳଦଣ୍ଡ, ବିଷ୍ଣୁଙ୍କ ଆୟୁଧ, ନାଗରାଜ, ଖଗେଶ୍ୱର, ବଜ୍ର, ବିଦ୍ୟୁତ, ସମୁଦ୍ର, ଗନ୍ଧର୍ବ, ଅପ୍ସରା, ମୁନି, ଭୂତ, ପିଶାଚ, ଯକ୍ଷ, ଗୁହ୍ୟକ, ମହୋରଗ, ଅସୂର, ଦୈତ୍ୟ, ରାକ୍ଷସ ତଥା ରାଜର୍ଷି ମାନଙ୍କ ଉଦ୍ଦେଶ୍ୟରେ କୃତାଞ୍ଜଳୀ ପ୍ରଦାନ ପୂର୍ବକ ପ୍ରଣାମ କରିବେ । ସେମାନଙ୍କୁ ଯଥା ସ୍ଥାନରେ ଅବସ୍ଥାନ କରାଇ ନାଟ୍ୟକାର୍ଯ୍ୟରେ ସହାୟତା କରିବା ନିମନ୍ତେ ଅନୂରୋଧ ପୂର୍ବକ ବିନମ୍ର ପ୍ରାର୍ଥନା କରଯିବା ଉଚିତ । ଏହି ସମୟରେ ବାଦ୍ୟ ପରିବେଷଣ ପୂର୍ବକ ନାଟ୍ୟର ନିର୍ବିଘ୍ନ ପରିବେଷଣ ନିମନ୍ତେ ଜର୍ଜରକୁ ପୂଜା କରିବା ସହ ପ୍ରାର୍ଥନା କରି କହିବେ “ହେ, ଜର୍ଜର ତୁମ୍ଭେ ଦେବରାଜ ଇନ୍ଦ୍ରଙ୍କ ଆୟୁଧ, ସର୍ବଦାନବ ବିନାଶକ ଏବଂ ସର୍ବ ବିଘ୍ନ ନିବାରକ ଅଟ । ତୁମ୍ଭେ ରାଜାଙ୍କର ବିଜୟ ଏବଂ ଶତ୍ର୍ରୁ ମାନଙ୍କର ପରାଜୟର କାରଣ, ଗୋବ୍ରାହ୍ମଣମାନଙ୍କର ହିତ ମଧ୍ୟ୍ୟ । ତେଣୁ ତୁମ୍ଭର ଶକ୍ତି ବଳରେ ନାଟକର ନିର୍ବିଘ୍ନ ପରିବେଷଣ ସହ ସଫଳତା ପ୍ରଦାନ ନିମନ୍ତେ ଆଶୀର୍ବାଦ ପ୍ରଦାନ କର ।” ଏହିପରି ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରି ପ୍ରଯୋଜକ ନାଟ୍ୟମଣ୍ଡପରେ ରାତ୍ରିଯାପନ କରିବେ ଏବଂ ତାପରଦିନ ସକାଳୁ ପୁନଶ୍ଚ ପୂଜନ କାର୍ଯ୍ୟକ୍ରମ ଆରମ୍ଭ କରିବ । ଏହି ପୂଜା ସାଧାରଣତଃ ଆଦ୍ରା, ମଘା, ଯାମ୍ୟ, ପୂର୍ବାଷାଢ଼ା, ପୂର୍ବା ଫାଲ୍‌ଗୁନି, ପୂର୍ବଭାଦ୍ର, ଅଶ୍ଲେଷା, ମୂଳା ଆଦି ନକ୍ଷତ୍ର ବେଳାରେ ସମ୍ଫାଦିତ କରିବା ବିଧେୟ ଅଟେ । ଏହି କାର୍ଯ୍ୟରେ ଯେଉଁ ବ୍ୟକ୍ତି ଆଚାର୍ଯ୍ୟର କାର୍ଯ୍ୟଭାର ବହନ କରିବେ ସେ ପବିତ୍ର, ଦୀକ୍ଷିତ, ଶୃଙ୍ଖଳିତ ତଥା ନିଷ୍ଠାବାନ୍ ହୋଇ ରହିବେ ।

Support Samadhwani

ଦିନାନ୍ତେ ଦାରୁଣେ ଘୋରେ ମୁହୁର୍ତ୍ତେ ଭୂତଦୈବତେ
ଆଚମ୍ୟ ତୁ ଯଥାନ୍ୟାୟଂ ଦୈବତାନି ନିବେଶୟେତ୍ ।ା

ଦିବସର ଶେଷ ପର୍ଯାୟରେ ଅର୍ଥାତ୍ ଦାରୁଣ, ଘୋର ଏବଂ ଭୂତ ମାନଙ୍କ ଚରାଚର ସମୟରେ ଆଚମନ ଆଦି ଯଥାରୀତି ପାଳନ ପୂର୍ବକ ଦେବତା ମାନଙ୍କୁ ଆବାହନ କରି ପୂଜନ କରିବେ । ଏହି ପୂଜାରେ ଦେବତା ମାନଙ୍କୁ ସାଧାରଣତଃ ରକ୍ତ ବର୍ଣ୍ଣର ମାଳା, ରକ୍ତ ବର୍ଣ୍ଣର ପୁଷ୍ପ, ରକ୍ତ ଚନ୍ଦନ, ରକ୍ତ ବର୍ଣ୍ଣର ଫଳ, ଯବ, ସୋରିଷ, ଚାଉଳ, ନାଗେଶ୍ୱର ପୁଷ୍ପର ଚୂର୍ଣ୍ଣ ବା କେଶର ଆଦି ଦ୍ରବ୍ୟମାନଙ୍କ ଦ୍ୱାରା ଦେବତାମାନଙ୍କର ନିବେଶନ କରିବେ । ତତ୍ପରେ ଯଥାସ୍ଥାନରେ ଯଥାବିଧି ଅବଲମ୍ବନ କରି ମଣ୍ଡଳ ରଚନା କରିବେ । ଏହାର ଚାରିଦିଗରେ ଚାରୋଟି ଦ୍ୱାର ରହିବ । ଏହାର ପ୍ରତିପାଶ୍ୱର୍ର ମାପ ଚାରି ହସ୍ତ ଲେଖାଏଁ ହେବ । ଏହାର ମଧ୍ୟରେ ଦୁଇଟି ରେଖା ଉର୍ଦ୍ଧ୍ୱଗାମି ହୋଇ କଟାଯିବ । ଯାହାର ମଧ୍ୟ ଭାଗରେ ବା ନବମ ବର୍ଗରେ ଦେବତା ମାନଙ୍କୁ ରଖାଯିବ ।

ପଦ୍ମୋପବିଷ୍ଟ ବ୍ରହ୍ମାଣାଂ ତସ୍ୟ ମଧ୍ୟେ ନିବେଶୟେତ୍‌
ଆଦୌ ନିବେଶ୍ୟୋ ଭଗବାନ୍ ସାର୍ଦ୍ଧଂ ଭୂତଗଣୈଃ ଶିବଃ ।ା
ନାରାୟଣୋ ମହେନ୍ଦ୍ରଶ୍ଚ ସ୍କନ୍ଦାର୍କାବଶ୍ୱିନୌ ଶଶୀ
ସରସ୍ୱତୀଶ୍ଚ ଲକ୍ଷ୍ମୀଶ୍ଚ ଶ୍ରଦ୍ଧା ମେଧା ଚ ପୂର୍ବତଃ ।ା
ପୂର୍ବଦକ୍ଷିଣେ ବହ୍ନିର୍ନିବେଶ୍ୟଃ ସ୍ପାହୟା ସହ
ବିଶ୍ୱେଦେବାଶ୍ଚ ଗନ୍ଧର୍ବା ରୁଦ୍ରାଶ୍ଚ ୠଷୟସ୍ତଥା ।ା
ଦକ୍ଷିଣେନ ନିବେଶ୍ୟସ୍ତୁ ଯମୋ ମିତ୍ରଶ୍ଚ ସାନୁଗଃ
ପିତୃନ୍ ପିଶାଚାନୁରଗାନ୍ ଗୁହ୍ୟକାଂଶ୍ଚ ନିବେଶୟେତ୍ ।ା
ପଶ୍ଚିମାୟାଂ ସମୁଦ୍ରାଂଶ୍ଚ ବରୁଣଂ ଚ ନିବେଶୟେତ୍
ନିବେଶଶେୟଚ୍ଚ ତତ୍ରେବ ଗରୁଡ଼ଃ ପକ୍ଷିଭିଃ ସହ ।ା
ଉତ୍ତରାସ୍ୟାଂ କୁବେରଂ ଚ ସର୍ବୈରନୁଚରୈଃ ସହ
ନାଟ୍ୟସ୍ୟ ମାତୃଶ୍ଚ ତଥା ଯକ୍ଷାନଥ ଚ ଗୁହ୍ୟକାନ୍ ।ା
ତଥୈବୋତ୍ତରପୂର୍ବାସ୍ୟାଂ ନନ୍ଦିନଂ ଚ ଗଣେଶ୍ୱରାନ୍
ବ୍ରହ୍ମର୍ଷିଭୂତସଂଘାଂଶ୍ଚ ଯଥାଭାଗଂ ନିବେଶୟେତ୍ ।ା
ସ୍ତମ୍ଭେ ସନତ୍ କୁମାରଂ ତୁ ଦକ୍ଷିଣେ ଦକ୍ଷମେବଚ
ଗ୍ରାମଣ୍ୟଂ ଚୋତ୍ତରେ ସ୍ତମ୍ଭେ ସ୍ୱଜାର୍ଥଂ ବିନିବେଶୟେତ୍ ।ା

Support Samadhwani

ଏହାର ମଧ୍ୟଭାଗରେ ପଦ୍ମାସୀନ ବ୍ରହ୍ମାଙ୍କୁ ସ୍ଥାପନା କରିବା ଆବଶ୍ୟକ । ପ୍ରଥମେ ଭୂତଗଣ, ଶିବ, ନାରାୟଣ, ମହେନ୍ଦ୍ର, ସ୍କନ୍ଦ, ଅର୍କ ବା ସୂର୍ଯ୍ୟ, ଅଶ୍ୱିନି, ଚନ୍ଦ୍ର, ସରସ୍ୱତୀ, ଲକ୍ଷ୍ମୀ, ଶ୍ରଦ୍ଧା, ମେଧା ଆଦି ଦେବାଦେବୀଙ୍କୁ ପୂର୍ବରେ ନିବେଶ କରିବା ବିଧେୟ ଅଟେ । ପୂର୍ବଦକ୍ଷିଣ କୋଣରେ ଅଗ୍ନି, ସ୍ୱାହା, ବିଶ୍ୱଦେବ, ଗନ୍ଧର୍ବ, ରୁଦ୍ର, ୠଷି ଆଦି ଦେବତାଙ୍କୁ ନିବେଶ କରିବା ଉଚିତ । ଠିକ୍ ସେହିପରି ଦକ୍ଷିଣ ଦିଗରେ ଯମ, ମିତ୍ର, ସେମାନଙ୍କ ଅନୂଚର, ପିତୃଦେବତା, ପିଶାଚ ଏବଂ ଗୁହ୍ୟକ ଆଦି ଦେବତାଙ୍କୁ ନିବେଶ କରିବା ବିଧେୟ ଅଟେ । ନୈଋତ କୋଣରେ କୋଣରେ ନିୠତଙ୍କୁ, ଭୂତଗଣଙ୍କୁ ନିବେଶ କରିବା ବିଧେୟ । ବାୟବ୍ୟ କୋଣରେ ବାୟୁ ତଥା ଗରୁଡ଼ ପକ୍ଷୀଙ୍କୁ ନିବେଶ କରିବା ଉଚିତ । ଉତ୍ତରରେ କୂବେର ଏବଂ ତାଙ୍କର ଅନୁଚର ମାନଙ୍କୁ ନିବେଶ କରିବ । ଠିକ୍ ସେହିପରି ଉତ୍ତରପୂର୍ବ ଦିଗରେ ନାଟକର ମାତୃଦେବୀ ଅର୍ଥାତ୍ (ଶଚୀ), ଯକ୍ଷ, ଗୁହ୍ୟକ, ନନ୍ଦୀ, ଗଣେଶ୍ୱର, ବ୍ରହ୍ମର୍ଷି ତଥା ଭୂତଗଣଙ୍କୁ ନିବେଶ କରିବା ବିଧେୟ ଅଟେ । ପରିଶେଷରେ ସ୍ତମ୍ଭରେ ସନତ୍ କୁମାର, ଦକ୍ଷଙ୍କୁ ଦକ୍ଷିଣରେ ଏବଂ ଉତ୍ତର ସ୍ତମ୍ଭରେ ଗ୍ରାମଣୀଙ୍କୁ ସ୍ଥାପନ କରି ପୂଜାକାର୍ଯ୍ୟ କରାଯିବା ଉଚିତ୍ ଅଟେ । ସେମାନଙ୍କୁ ଯଥା ସ୍ଥାନରେ ସ୍ଥାପନ କରି ସେମାନଙ୍କର ଆକାର ଓ ରଙ୍ଗ ଅନୁସାରେ ଉପଯୁକ୍ତ ପୁଷ୍ପ, ମାଲ୍ୟ, ଧୁପ, ଦୀପ, ପ୍ରଦାନ ପୂର୍ବକ ନୈବେଦ୍ୟ ବା ପୂଜା କରାଯିବା ଉଚିତ । ଦ୍ର୍ରୁହିତା ବା ବ୍ରହ୍ମାଙ୍କୁ ମଧୁପର୍କ, ମା ସରସ୍ୱତୀଙ୍କୁ ପାୟସ, ଶିବ, ବିଷ୍ଣୁ ଓ ଇନ୍ଦ୍ରଙ୍କୁ ମୋଦକ, ହୁତ୍‌ଭୁକ୍ ବା ଅଗ୍ନିଙ୍କୁ ଘୃତୋଦନ ବା ଘିଅଭାତ, ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଗୁଡ଼ଭାତ, ବିଶ୍ୱଦେବ, ଗନ୍ଧର୍ବ ତଥା ମୁନିମାନଙ୍କୁ ମଧୁପାୟସ, ଯମ ଏବଂ ମିତ୍ରଙ୍କୁ ମୋଦକ ପିଠା, ପିତୃଲୋକ, ପିଶାଚ ଏବଂ ଉରଗ ମାନଙ୍କୁ ଦୁଗ୍ଧ ଏବଂ ଘୃତ, ଭୂତମାନଙ୍କୁ ରନ୍ଧା ଓ କଞ୍ଚାମାଂସ ସହିତ ମଦ ଏବଂ ତତ୍‌ସହିତ ବିଭିନ୍ନ ଫଳ ଏବଂ ଚଣା, ବୁଟ ଆଦି ଖାଦ୍ୟ ପଦାର୍ଥ ପ୍ରଦାନ କରିବ । ମତ୍ତବାରଣୀକୁ ମଧ୍ୟ ଏହି ଭଳି ଅନୂରୁପ ବିଧିରେ ପୂଜା କରିବା ବିଧେୟ । ରାକ୍ଷସ ମାନଙ୍କୁ କଞ୍ଚା ଏବଂ ରନ୍ଧାମାଂସ, ଦାନବ ମାନଙ୍କୁ ମଦ ଓ ମାଂସ, ଅନ୍ୟାନ୍ୟ ଦେବତା ମାନଙ୍କୁ ପିଠା ସହ ଭାତ, ତରକାରି, ନୈବେଦ୍ୟ ବାଢି଼ ପୂଜା କରିବ । ସାଗର, ସରିତ ବା ନଦୀକୁ ମାଛ ଏବଂ ପିଠା, ବରୁଣଙ୍କୁ ଘୃତ ଓ ପାୟସ, ମୁନି ମାନଙ୍କୁ ବହୁବିଧ ଫଳମୂଳ, ବାୟୁ ତଥା ପକ୍ଷୀ ମାନଙ୍କୁ ନାନାପ୍ରକାର ଭକ୍ଷଣିୟ ଖାଦ୍ୟପଦାର୍ଥ ପ୍ରଦାନ କରିବ । ନାଟକର ମାତୃଦେବତାମାନଙ୍କୁ କୁବେର ଏବଂ ତାଙ୍କର ସହଚର ମାନଙ୍କୁ ପିଠା ତଥା ନାନା ଖାଦ୍ୟପଦାର୍ଥ ଯାଚି ପୂଜାର୍ଚ୍ଚନା କରିବ । ଏହାପରେ ମନ୍ତ୍ରୋଚ୍ଚାରଣ ପୂର୍ବକ ସମସ୍ତ ଦେବତାମାନଙ୍କୁ ବ୍ରହ୍ମା, ମହାଦେବ, ନାରାୟଣ, ଇନ୍ଦ୍ର, ସ୍କନ୍ଦ, ସରସ୍ୱତୀ, ଲକ୍ଷ୍ମୀ, ସିଦ୍ଧୀ, ମତି, ଧ୍ର୍ରୁତି, ଗଣ, ପିତୃଲୋକ, ଭୂତଲୋକ, କାମପାଳ, ନାରଦ, ଟୁମ୍ବୁରୁ, ବିଶ୍ୱାବସୁ, ଗନ୍ଧର୍ବ, ଯମ, ମିତ୍ର, ପନ୍ନଗ, ବରୁଣ, ସାଗର, ନଦ,ନଦୀ, ଗରୁଡ଼, କୁବେର, ଗୁହ୍ୟକ, ଯକ୍ଷ, ନାଟ୍ୟମାତୃଗଣ,ରୁଦ୍ରଙ୍କ ଆୟୁଧ, କାଳ, ମୃତ୍ୟୁ ଆଦି ସମସ୍ତ ଦେବତା ମାନଙ୍କୁ ବଳି ପ୍ରଦାନ କରାଯିବା ବିଧେୟ ଅଟେ ।

ଦେବ ଦେବ ମହାଦେବ ପଦ୍ମଯୋନେ ପିତାମହ
ମନ୍ତ୍ରପୂତଂ ମିମଂ ସର୍ବଂ ବଳିଂ ଦେବ ଗୃହତାନିଃ ।ା

ଉପରବର୍ଣ୍ଣିତ ମନ୍ତ୍ର୍ରକୁ ଉଚ୍ଚାରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ବଳି ପ୍ରଦାନ ପୂର୍ବକ ସେମାନଙ୍କୁ ନିର୍ବିଘ୍ନ ନାଟ୍ୟପରିବେଷଣ ନିମନ୍ତେ ଆଶିର୍ବାଦ ପ୍ରଦାନ କରିବାକୁ ପ୍ରାର୍ଥନା କରିଥାନ୍ତି । ବଳିପ୍ରଦାନ କାର୍ଯ୍ୟ ସଂପାଦିତ ହୋଇସାରିବା ପରେ ଏକ ଜଳପୁର୍ଣ୍ଣ ସଜ୍ଜିତ ମାଠିଆକୁ ଆମ୍ବପତ୍ରର ମାଳା ପିନ୍ଧାଇ ସେଥିମଧ୍ୟରେ ସୁବର୍ଣ୍ଣ ରଖି ରଙ୍ଗ ମଧ୍ୟରେ ସ୍ଥାପନ କରାଯିବା ଉଚିତ । ସମସ୍ତ ପ୍ରକାର ବାଦ୍ୟଯନ୍ତ୍ରକୁ ବସ୍ତ୍ର୍ରଦ୍ୱାରା ଆଚ୍ଛାଦିତ କରି ପୁଷ୍ପ, ଧୁପ, ଗନ୍ଧ, ମାଲ୍ୟ, ଭକ୍ଷଣିୟ ତଥା ଭୋଜନୟ ଦ୍ରବ୍ୟ ପ୍ରଦାନ ପୂର୍ବକ ସମସ୍ତ ଦେବତାଙ୍କୁ ପୂଜା କରିସାରିବା ପରେ ଧୁପ ଓ ମାଲ୍ୟ ଅନୂଲେପନ ପ୍ରଦାନ କରି ନାଟକର ସମସ୍ତ ବିଘ୍ନ ବିନାଶ କରିବା ନିମନ୍ତେ ଜର୍ଜର ସ୍ଥାପିତ ହେବା ଆବଶ୍ୟକ । ଏହି ଜର୍ଜରକୁ ସର୍ବାଗ୍ରରେ ଶ୍ୱେତ ବସ୍ତ୍ର, ରୁଦ୍ର ବାସ କରୁଥିବା ସ୍ଥାନରେ ନୀଳ ବସ୍ତ୍ର, ବିଷ୍ଣୁ ବାସ କରୁଥିବା ସ୍ଥାନରେ ହଳଦିଆ ବସ୍ତ୍ର୍ର, ସ୍କନ୍ଦ ବାସ କରୁଥିବା ସ୍ଥାନରେ ରକ୍ତବର୍ଣ୍ଣର ବସ୍ତ୍ର, ମୂଳ ସ୍ଥାନରେ ଛିଟ ବସ୍ତ୍ର ଦ୍ୱାରା ଆଛାଦିତ କରିବା ବିଧେୟ ଅଟେ ।

“ଶ୍ୱେତଂ ଶିରସି ବସ୍ତ୍ର୍ରଂ ସ୍ୟାନ୍ନୀଳଂ ରୌଦ୍ରେଥପର୍ବଣି
ବିଷ୍ଣୁ ପର୍ବଣି ପୀତଂ ସ୍ୟାଦ୍ରକ୍ତଂ ସ୍କନ୍ଦସ୍ୟ ପର୍ବଣି ।ା
ମୂଳପର୍ବଣି ଚି଼ତ୍ରଂତୁ ଦେୟଂ ବସ୍ତ୍ର ହିତାର୍ଥିନା”

ଏହାପରେ ସମସ୍ତଙ୍କୁ ବସ୍ତ୍ରାଭରଣ କରି ଗନ୍ଧ, ମାଲ୍ୟ, ଧୁପ, ଦୀପ, ଭୋଜନ ପ୍ରଦାନ କରି ନିମ୍ନ ବର୍ଣ୍ଣିତ ମନ୍ତ୍ରରେ ପ୍ରାର୍ଥନା କରାଯାଏ ।

“ ଶିରସ୍ତେ ରକ୍ଷତୁ ବ୍ରହ୍ମା ସର୍ବଦେବ ଗଣୈଃ ସହ
ଦ୍ୱିତିୟଂ ଚ ହରଃ ସର୍ବଂ ତୃତିୟଂ ତୁ ଜନାର୍ଦ୍ଦନଃ ।ା
ଚତୁର୍ଥଂ ଚ କୁମାରସ୍ତୁ ପଞ୍ଚମଂ ପନ୍ନଗୋତ୍ତମାଃ
ନିତ୍ୟଂ ସର୍ବୋପି ପାନ୍ତୁ ତ୍ୱଂ ଚ ପ୍ରସୂତୋ ରିପୁସୂଦନଃ ।ା
ଅୟଂ ଚାଭ୍ୟୁଦୟଂ ଚୈ଼ବ ପାର୍ଥିବାୟ ପ୍ରୟଛନ୍ନଃ”
ଅର୍ଥାତ୍ ହେ ଜର୍ଜର, ତୁମର ଜର୍ଜରର ଶୀର୍ଷ ଭାଗକୁ ବ୍ରହ୍ମା ସମସ୍ତ ଦେବତା ରକ୍ଷା କରନ୍ତୁ । ତୁମର ଦ୍ୱିତିୟ ଭାଗକୁ ହର ବା ଶିବ, ତୃତିୟ ଭାଗକୁ ଜନାର୍ଦ୍ଦନ ବା ବିଷ୍ଣୁ, ଚତୁର୍ଥ ଭାଗକୁ କୁମାର ବା କାର୍ତ୍ତିର୍କେୟ, ପଞ୍ଚମ ଭାଗକୁ ପନ୍ନଗୋତ୍ତମ ବା ସର୍ପରାଜ ରକ୍ଷା କରନ୍ତୁ । ଅଭିଜିତ ନକ୍ଷତ୍ରରେ ଜନ୍ମଲାଭ କରିଥିବାରୁ ତୁମ୍ଭେ ସର୍ବ ମଙ୍ଗଳଦାୟକ ଏବଂ ସମସ୍ତ ଶତ୍ର୍ରୁବିନାଶକାରୀ ଅଟ । ତେଣୁ ଆପଣ ଆମ୍ଭର ରାଜାଙ୍କୁ ତୁମ୍ଭେ ବିଜୟ ଏବଂ ଅଭ୍ୟୁଦୟ ପ୍ରାପ୍ତି ନିମନ୍ତେ ଆଶିର୍ବାଦ ପ୍ରଦାନ କରନ୍ତୁ ।

ଏହିଭଳି ପ୍ରାର୍ଥନା କରି ସମସ୍ତ ବିଧିମୁତାବକ ପୂଜା ଏବଂ ବଳି ପ୍ରଦାନ କରି ହୋମାଗ୍ନିର ଆୟୋଜନ କରାଯିବା ଆବଶ୍ୟକ । ଏହା ସହିତ ସେହି ହୋମରେ ଜଳୁଥିବା କାଷ୍ଠ ଖଣ୍ଡରେ ଯଜ୍ଞକର୍ତ୍ତା ରାଜା ଓ ନର୍ତ୍ତକୀ ମାନଙ୍କର ଦୀପ୍ତିକୁ ବର୍ଦ୍ଧିତ କରିବେ । ଏହାପରେ ଅଭିମନ୍ତ୍ରିତ ଜଳକୁ ଚାରିଆଡ଼େ ସିଞ୍ଚନ କରି ସମସ୍ତ ଦେବତାଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୁପ ପ୍ରଣାମ ଜଣାଇ ଅନୁରୋଧ କରିବା ଆବଶ୍ୟକ । “ଆପଣମାନେ ଉଚ୍ଚକୂଳରେ ଜନ୍ମ ଲାଭ କରିଛନ୍ତି । ସମସ୍ତ ମହାନ ଗୁଣାବଳିମାନ ଧାରଣ କରିଛନ୍ତି । ସମସ୍ତ ଶ୍ରେଷ୍ଠ ବା ମହାନ ଗୁଣର ଅଧିକାରୀ ଅଟନ୍ତି । ଚୀରକାଳ ଆପଣମାନେ ଏହିଭଳି ସମ୍ମାନର ଅଧିକାରୀ ହୋଇ ରାଜା ଏବଂ ନାଟ୍ୟପ୍ରଯୋଜକ ମାନଙ୍କର ପ୍ରଗତି ନିମନ୍ତେ ଆଶିର୍ବାଦ ପ୍ରଦାନ କରୁଥାନ୍ତୁ । ମା ସରସ୍ୱତୀ, ଧୃତି, ମେଧା, ହ୍ରୀ, ଶ୍ରୀ, ଲକ୍ଷ୍ମୀ, ମତି, ସ୍ମ୍ମୃତି ଏହି ମାତୃଗଣ ଆପଣମାନଙ୍କୁ ରକ୍ଷା କରିବା ସହ ସମସ୍ତ ସିଦ୍ଧି ପ୍ରଦାନ କରନ୍ତୁ ।” ଏହାପରେ ନାଟ୍ୟାଚାର୍ଯ୍ୟ ଯଥାବିଧି ମନ୍ତ୍ରୋଚ୍ଚାରଣ ସହ ହୋମ କରି ରଙ୍ଗ ମଧ୍ୟରେ ପୁର୍ବରୁ ସ୍ଥାପନା କରାଯାଇଥିବା କୁମ୍ଭଟିକୁ ଭାଙ୍ଗିଦେବେ । ପାରମ୍ପରିକ ବିଶ୍ୱାସ ଅନୂସାରେ ଏହା ଯଦି ଗୋଟିଏ ଥରରେ ନଭାଙ୍ଗେ ତେବେ ରାଜାଙ୍କର ଶତ୍ର୍ରୁଭୟ ବୃଦ୍ଧି ହେବ ଏବଂ ଯଦି ଭାଙ୍ଗିଯାଏ ତେବେ ରାଜାଙ୍କର ଶତ୍ର୍ରୁକ୍ଷୟ ହେବା ସହ ସମୃଦ୍ଧି ପ୍ରାପ୍ତ ହେବ । କୁମ୍ଭଟିକୁ କଚାଡି଼ ଭାଙ୍ଗିସାରିବା ପରେ ନାଟ୍ୟାଚାର୍ଯ୍ୟ ଗୋଟିଏ ଜଳନ୍ତା ଦୀପକୁ ଧରି ତ୍ୱରିତ ବେଗରେ ଗତିକରି ରଙ୍ଗମଣ୍ଡପର ଚତୁର୍ପାଶ୍ୱକୁ ଅଲୋକିତ କରିବେ ଏବଂ ଶେଷରେ ତାକୁ ରଙ୍ଗମଧ୍ୟରେ ସ୍ଥାପନ କରିବେ । ତତ୍ପରେ ଶଙ୍ଖ, ଦୁନ୍ଦୁଭି, ଘୋଷ, ମୃଦଙ୍ଗ, ପ୍ରଣବ ଆଦି ବାଦ୍ୟବାଦନ କରି ରଙ୍ଗମଣ୍ଡପ ଉପରେ ଯୁଦ୍ଧାଭିନୟର ଆୟୋଜନ କରାଇବେ । ବିଶ୍ୱାସ କରାଯାଏ ଯେ ଏହି ଯୁଦ୍ଧାଭିନୟରେ ଯଦି ଅସ୍ତ୍ରଶସ୍ତ୍ର ମାନଙ୍କର ପ୍ରୟୋଗଜନିତ ଭେଦନ, ଛେଦନ, ବିଦାରଣ, କର୍ତ୍ତନ, ଦହନ ଦ୍ୱାରା ରକ୍ତ ନିର୍ଗମନ ଜନିତ ସାମାନ୍ୟ କ୍ଷତି ଘଟେ । ତେବେ ତାହା ପ୍ରଯୋକ୍ତାଙ୍କର ସିଦ୍ଧି ପ୍ରଦାୟକ ହୋଇଥାଏ । ଏହି ଅଭିଳଷିତ ରଙ୍ଗ ବା ଅଭିନୟ ରାଜା, ପ୍ରଜା, ବାଳ ଓ ବୃଦ୍ଧ ସମସ୍ତଙ୍କର ଶୁଭଦାୟକ ହୋଇଥାଏ । ନଚେତ୍ ତାହା ରାଜା ଏବଂ ରାଜ୍ୟର କ୍ଷତି ଘଟିଥାଏ । ଯେଉଁଠି ପ୍ରଯୋଜକ ବା ନାଟ୍ୟାଚାର୍ଯ୍ୟ ଉପରବର୍ଣ୍ଣିତ ନିୟମ ମାନଙ୍କୁ ଉଲ୍ଲଙ୍ଘନ କରି ତାହାକୁ ସ୍ୱଇଚ୍ଛାରେ ପରିଚାଳିତ କରିବେ ସେଠାରେ ତାଙ୍କର କ୍ଷତି ଘଟିଥାଏ । ପରଜନ୍ମରେ ସେ ନୀଚ୍ଚ ଜନ୍ମ ଲାଭ କରିଥାନ୍ତି । କାରଣ ରଙ୍ଗଦେବତାଙ୍କ ପୂଜନ ଯଜ୍ଞକର୍ମ ସହ ସମାନ ବୋଲି ପରିଗଣିତ କରାଯାଏ । ତେଣୁ ବିନା ରଙ୍ଗପୂଜନରେ ନାଟ୍ୟକର୍ମ ସମ୍ପାଦିତ ହେବା ଆଦୈା ବିଧେୟ ନୁହେଁ । ରଙ୍ଗଙ୍ଗେଦବତା ପୂଜିତ ହେଲେ ତାଙ୍କର ଆଶିର୍ବାଦ ଦ୍ୱାରା ସେ ରଙ୍ଗକର୍ମୀ ମାନଙ୍କୁ ପୂଜିତ ଓ ସମ୍ମାନିତ କରାନ୍ତି । ଯଦି ଏହାର ଅପପ୍ରୟୋଗ ହୁଏ ତେବେ ଅଳ୍ପ ସମୟରେ ସମସ୍ତଙ୍କୁ ଏହାର କୁପ୍ରଭାବ ଦଗ୍ଧ କରି ପକାଇବା ସହ ସମସ୍ତ ସଫଳତାକୁ ମଧ୍ୟ ନଷ୍ଟ କରିଦିଏ । ଏପରିକି ବାତ୍ୟା ଦ୍ୱାରା ପରିଚାଳିତ ଭୟଙ୍କର ଅଗ୍ନି ସେମିତି ନଷ୍ଟ କରିପାରେ ନାହିିଁ ।

ନାଟ୍ୟାଚାର୍ଯ୍ୟ ଶାସ୍ତ୍ରଜ୍ଞ, ବୀନିତ, ଶୂଚୀବନ୍ତ, ଦୀକ୍ଷିତ, ସିଶାନ୍ତ ତଥା କର୍ତ୍ତବ୍ୟପରାୟଣ ହେବା ନିତାନ୍ତ ଆବଶ୍ୟକ ଅଟେ । ଯେଉଁମାନେ ଭ୍ରଷ୍ଟ, ଅଜ୍ଞ, ଉଦ୍‌ବିଘ୍ନମନା, ମନ୍ତ୍ରହୀନ ହୋଇ ବିଧିବିଧାନକୁ ଉଲ୍ଲଙ୍ଘନ କରନ୍ତି ସେମାନଙ୍କୁ ଏଥିପାଇଁ ବହୁ ପ୍ରାୟଶ୍ଚିତ କରିବାକୁ ପଡି଼ଥାଏ । ଏହିପରି ଭାବରେ ପ୍ରଯେଜକ ମାନେ ନାଟ୍ୟମଣ୍ଡପ ବା ରଙ୍ଗଙ୍ଗେଦବତାଙ୍କୁ ଯଥାରୀତି ପାଳନପୂର୍ବକ ପୂୂଜାର୍ଚ୍ଚନା କରି ଅଭିନୟର ଆୟୋଜନ କରିବା ଉଚି଼ତ ଅଟେ ।

—ସମାପ୍ତ—

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ