କୁନି କୁନି ପିଲାଙ୍କର ଗାଁ’କୁ ନେଇ ଅନୁଚିନ୍ତା: (ଆମ ଗାଁ’ ଆମ ଜୀବନ – ୧)

 ନବରଙ୍ଗପୁର ଜିଲ୍ଲାର ଖାତିଗୁଡା ଗାଁର ସୋହନା ପରବିନ ୨୦୦୫ ମସିହାରେ ଲେଖିଥିଲେ ନିଜ ଗାଁ'ର ଜୀବନୀ

Swayamprava Parhi (Chief Editor)
Swayamprava Parhi (Chief Editor) 446 Views
13 Min Read

ସେଦିନ ୨୦୨୩ ମସିହା ଜୁଲାଇ ମାସ ୨୬ ତାରିଖ । ରାତି ପାଖାପାଖି ୩ଟା ହେବ । ଅନିଦ୍ରା ଲାଗୁଥାଏ । କିନ୍ତୁ ମନ ଭିତରେ ଅସୁମାରୀ ଆଗ୍ରହ କିଛି ନୂତନ ସମ୍ଭାବନାକୁ ନେଇ । ୬.୩୫ମିନିଟରେ ଅଛି ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍ । ପାଇକମାଳ ଯିବାକୁ ବାହାରିଛୁ । କାମ ସାରି ଟ୍ରେନ ଧରିବୁ । ମୋ ସହିତ ଥାଆନ୍ତି ମୋର ଜଣେ ସହକର୍ମୀ ତଥା ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଛାତ୍ର ଲକ୍ଷ୍ମୀଧର ମୁର୍ମୁ । ସମଦୃଷ୍ଟି ମୁକ୍ତ ବିଦ୍ୟାଳୟରୁ ୨୦୧୧ ମସିହାରେ ସେ ସଂସ୍କୃତି ଓ ସାମ୍ବାଦିକତା ପଢ଼ିବାଠାରୁ ମୋ ସହିତ କାମ କରୁଛନ୍ତି । ପ୍ରକୃତରେ ଲକ୍ଷ୍ମୀଧର ମୁର୍ମୁ ନିଜେ ଜଣେ କାହାଣୀ, ଯାହାଙ୍କ ସମ୍ପର୍କରେ ପରେ କେବେ ଚର୍ଚ୍ଚା ହୋଇପାରେ । ସେଦିନ ଦୁଇଜଣ ଟ୍ରେନଧରି ବାହାରିଗଲୁ ପାଇକମାଳ ଅଭିମୁଖେ । ପାଇକମାଳରେ ୫ଟି ଗାଁ’ର ଇତିହାସ ଓ ଖାଦ୍ୟ ସଂସ୍କୃତିକୁ ଡ଼କ୍ୟୁମେଣ୍ଟେସନ୍ କରାଇବାକୁ ହେବ ଗାଁର ଛାତ୍ରଛାତ୍ରୀମାନଙ୍କୁ ନେଇ । ଏଇଟା ଥିଲା ଓଡ଼ିଶା ମିଲେଟ ମିଶନଙ୍କର ଏକ ପାଇଲଟ୍ ପ୍ରୋଜେକ୍ଟ । ମୁଁ ଜଣେ ଏକ୍ସପର୍ଟ ଭାବରେ ଯାଇଥାଏ ଓ ଲକ୍ଷ୍ମୀଧର ଜଣେ ଭିଡ଼ିଓ ଏକ୍ସପର୍ଟ ଭାବରେ ମୋତେ ସାଥି ଦେଉଥାନ୍ତି । ଗାଁରେ ବୁଲି ବୁଲି କିଶୋର କିଶୋରୀ ବୟସର ପିଲାମାନଙ୍କୁ ନେଇ ନିଜ ଗାଁ’ର ଇତିହାସ ଲେଖାଇବା ସମ୍ଭବତଃ ଏକ ନୂଆ ଅନୁଭୂତି ଥିଲା । ମୁଁ ଏହିଭଳି ଅନେକ ଛାତ୍ରଛାତ୍ରୀଙ୍କ ଗାଁ’ର ଜୀବନୀ ଲେଖା କାମ ସହିତ ୨୦୦୫ମସିହାରୁ ପରିଚିତ ଥିଲି । ମାନେ ୨୦୦୫ ମସିହାରୁ “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ସହିତ ମୁଁ ଯୋଡ଼ି ହୋଇଥିଲି ।

Support Samadhwani

ମନେଅଛି ୨୦୦୪ ମସିହାରେ ମୁଁ ଇଗ୍ନୁରୁ ସମ୍ବାଦିକତାରେ ପିଜିଡିପ୍ଲୋମା ଶେଷ କରିଥାଏ । ସେତେବେଳେ ମୁଁ କିଛି ସଂବାଦପତ୍ର ସହିତ ଯୋଡ଼ି ହୋଇଥାଏ । ବିଶେଷକରି ବାମପନ୍ଥୀ ରାଜନେତା ଶ୍ରୀ ଜନାର୍ଦ୍ଦନ ପତିଙ୍କ ଦ୍ଵାରା ସମ୍ପାଦିତ ଅଧିକାର ପତ୍ରିକା ସହିତ କାମ କରୁଥାଏ । ଏହି ସମୟରେ ଭିତରେ ୨୦୦୫ ମସିହାରେ ଶ୍ରୀ ସୁଧୀର ପଟ୍ଟନାୟକ ଯିଏକି ଜଣେ ଜନବିଜ୍ଞାନ କର୍ମୀ ଓ ଜଣେ ସମାଜ ବିଜ୍ଞାନୀ ଭାବରେ ଜଣାଶୁଶୁଣା ମୋତେ କିଛି ଖାତା ଆଣି ଦେଲେ । ସେ ଚାହୁଁଥିଲେ ଲେଖା ଗୁଡ଼ିକୁ ପଢି ସେଥିରୁ କିଛି ଲେଖା ବାଛି ବାହାର କରିବା ପାଇଁ । ଲେଖା ଗୁଡିକ ଥିଲା ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର ଭୁବନେଶ୍ବରକୁ ଗଣିତ ମେଧା ବୃତି ପରୀକ୍ଷା ଦେବାକୁ ଆସିଥିବା 80 ଜଣ ଛାତ୍ରଛାତ୍ରୀ ଲେଖିଥିବା ଗାଁ ସମ୍ପର୍କିତ ଲେଖା । ସୁଧୀର ଭାଇ ଯେଉଁ ଖାତା ଗୁଡିକ ଦେଇଥିଲେ ସେସବୁ ଲେଖାକୁ ମୁଁ ପଢିବା ଆରମ୍ଭ କଲି । ବିଷୟଟି ଚିରାଚରିତ ଶିକ୍ଷା ବ୍ୟବସ୍ଥା ଠାରୁ ସମ୍ପୁର୍ଣ୍ଣ ଭିନ୍ନ ଥିଲା । ମୋତେ ବହୁତ ଆଗ୍ରହ ଲାଗୁଥାଏ । ଏମିତିରେ ମୋର ଚିରାଚରିତ ପାଠପଢିବାରେ କମ୍ ଆଗ୍ରହ ଥାଏ ଯଦିଓ ପରୀକ୍ଷାରେ ଭଲ ଫଳ ମିଳିଯାଏ । ମୋ ନିଜ ସମ୍ପର୍କରେ ପଦୁଟିଏ କହିବି । ମୋତେ କ’ଣ କରିବାକୁ ସବୁଠୁ ଭଲଲାଗେ ଯଦି ଆପଣ ପଚାରିବେ ଗୋଟିଏ କଥା ପିଲା ଦିନରୁ ଆଜିଯାଏ ମୁଁ କହେ ।  ମୁଁ ପିଲା ଦିନରୁ ଗୀତ ଗାଇବାକୁ, ନାଚିବାକୁ ଆଉ ନାଟକ କରିବାକୁ ବହୁତ ଭଲ ପାଏ । ଆମ ଗାଁ ଓ ଆମ ଦୋଳସାହି ହାଇସ୍କୁଲର ସବୁ ପିଲା ସେତେବେଳେ ଏକଥା ଜାଣିଥିଲେ । ଗାଁ’ରେ ଆଉ ସ୍କୁଲରେ ମୋତେ ତ ଗୀତ ଝିଅ ବୋଲି ଡାକନ୍ତି । ଆଉ ବାଣୀବିହାରର ଥାର୍ଡ ହଷ୍ଟେଲରେ ସମସ୍ତେ ମୋତେ ସଦାବେଳିଆ ରେଡ଼ିଓ କହୁଥିଲେ । ଆଜିକାଲି ମୋ କଣ୍ଠରେ ଟିକେ ସମସ୍ୟା ଯୋଗୁଁ ଗୀତ ଗାଇବା ଟିକେ କମିଯାଇଛି । ମୋଟାମୋଟି ମୋର କହିବାର କଥା କି ମୁଁ ଟିକେ ଅଲଗା କରି ଚିରାଚରିତ ଶିକ୍ଷା ତଥା ଦୁନିଆ ଠାରୁ ସବୁବେଳେ ଚିନ୍ତାକରେ । ସେଥିପାଇଁ ସେଦିନ କୁନି କୁନି ପିଲାମାନେ ନିଜ ଗାଁ ଉପରେ ଲେଖିଥିବା ହୃଦୟଛୁଆଁ ଆକର୍ଷଣୀୟ ଲେଖା ମୋ ମନରେ ଗଭୀର ରେଖାପାତ କରିଥିଲା । ଏହିସବୁ ଗାଁ ଗୁଡ଼ିକୁ ଯେତେବେଳେ ମୁଁ ପଢୁଥାଏ ସେ ଗାଁ ଗୁଡିକ ଭିତରେ ନିଜକୁ ଦେଖେ । ଆହା କି ସୁନ୍ଦର ବର୍ଣ୍ଣନା । କୋଭିଡ ସମୟରେ 2020 ମସିହାରେ ଏହି କାହାଣୀରୁ 4 ଟି କାହାଣୀକୁ ମୁଁ ନିଜର କଣ୍ଠରେ ସ୍ଵର ଦେଇ ଭିଡିଓ ତିଆରି କରି ୟୁଟ୍ୟୁବରେ ପ୍ରକାଶ ମଧ୍ୟ କରିଥିଲି । କିଛି ସମସ୍ୟା ଯୋଗୁଁ ସେ ଭିଡ଼ିଓ କାମ ବନ୍ଦ କରି 2021 ମସିହାରୁ ଛାତ୍ରଛାତ୍ରୀ ମାନଙ୍କ ସ୍ଵରରେ ଗାଁ’ର ଜୀବନୀ ଭିଡ଼ିଓ ତିଆରି କରିବା ଆରମ୍ଭ କଲି ।  ସେହି ପିଲାମାନଙ୍କର କାହାଣୀ ଭିତରୁ ଗୋଟିଏ କାହାଣୀ ମୁଁ ଆପଣଙ୍କୁ ଏଠି ଜଣେଇବି ।

ନବରଙ୍ଗପୁର ଜିଲ୍ଲାର ଖାତିଗୁଡା ଗାଁର ସୋହନା ପରବିନ ୨୦୦୫ ମସିହାରେ ଲେଖିଥିଲେ ନିଜ ଗାଁର ଜୀବନୀ । 

Support Samadhwani

ମୋ ଗ୍ରାମର ନାମ ଖାତିଗୁଡ଼ା। ଏହା ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ପରଜା ବାରଙ୍ଗପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ଅଟେ । ଆମ ଗ୍ରାମରେ ଗ୍ରାମଦେବୀ ରୂପେ ମା’ ମଙ୍ଗଳା ଠାକୁରାଣୀ ବିରାଜମାନ । ଏହି ଦେବୀଙ୍କର ଖ୍ୟାତି ଆଖପାଖ ଅଞ୍ଚଳରେ ସର୍ବଜନବିଦିତ । ବାରବର୍ଷରେ ଥରେ ଦେବୀଙ୍କର ଉଦ୍ଦେଶ୍ୟରେ ସର୍ବଦା ବାଲିଯାତ୍ରା ଅନୁଷ୍ଠିତ ହୁଏ । ଲୋକମାନେ ପରିବାରର ସୁଖ ଶାନ୍ତି ପାଇଁ, ଗ୍ରାମର ବିକାଶ ପାଇଁ ଭଲ ଫସଲ ପାଇଁ, ରୋଗ ବ୍ୟାଧରୁ ମୁକ୍ତି ପାଇବା ପାଇଁ ଗ୍ରାମଦେବୀଙ୍କର ଦରବାରରେ ଶରଣାପନ୍ନ ହୁଅନ୍ତି । ଗ୍ରାମଦେବୀ ସେମାନଙ୍କୁ ସହାୟ ହୁଅନ୍ତି । ଆମ ଗ୍ରାମରେ ଏହିପରି ବହୁତ କିମ୍ବଦନ୍ତୀ ଅଛି । ଦେବୀ ମା’ ମଙ୍ଗଳା ଲୋକମାନଙ୍କର ରୋଗ, ଦୁଃଖ, କଷ୍ଟକୁ ନିବାରଣ କରିଛନ୍ତି । ଆଖପାଖ ଅଞ୍ଚଳରେ ଆମ ଗାଁର ଦେବୀଙ୍କର ଖ୍ୟାତି ରହିଥ‌ିବାରୁ ଏହି ଖ୍ୟାତି ଶବ୍ଦରୁ ଆମ ଗ୍ରାମର ନାମ ଖାତିଗୁଡ଼ା ହୋଇଅଛି । ଆମ ଗ୍ରାମଟି ଆବହମାନ କାଳରୁ ସୃଷ୍ଟି । ଏହା ପ୍ରତିଷ୍ଠା କେବେହେଲା ଏହା କହିବା ଅସମ୍ଭବ । ଆମ ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ସେମାନେ ହେଉଛନ୍ତି ଆମ ଗ୍ରାମର ପ୍ରଥମ ବାସିନ୍ଦା । ସେମାନେ ଝାଟିମାଟି ଓ ନୁଆଁଣିଆ କୁଡ଼ିଆରେ ରହିଆସୁଛନ୍ତି । ତାଙ୍କର ବେଶପୋଷାକ ଅଭୂତ ପ୍ରକାରର । ସେମାନଙ୍କର ଜୀବିକା ଚାଷ କରିବା ଓ ଶିକାର କରିବା । ସେମାନେ ଭାରି ସରଳବିଶ୍ଵାସୀ । ଦିନସାରା ବହୁତ କଠିନ ପରିଶ୍ରମ କରନ୍ତି । ସନ୍ଧ୍ୟାହେଲେ ସେମାନେ ନାଚ ଗୀତରେ ମସଗୁଲ୍ ହୋଇଉଠନ୍ତି ଓ ଦିନସାରାର କଷ୍ଟ ଭୁଲିଯାଆନ୍ତି । ଦେବାଦେବୀଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ।

ଆମ ଗ୍ରାମର ଦକ୍ଷିଣ ପାର୍ଶ୍ଵରେ ଇନ୍ଦ୍ରାବତୀ ନଦୀ ବହିଯାଇଛି । ନଦୀ ଉପରେ ଗଢ଼ିଉଠିଛି ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା । ଏହି ନଦୀବନ୍ଧ ଯୋଜନାଟି ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ଯୋଜନା । ଏହାର ଶୁଭାରମ୍ଭ ୧୯୭୭ ମସିହାରେ ହୋଇଥିଲା । ଏହି ନଦୀବନ୍ଧ ଯୋଜନାର ସଦର ମହକୁମା ଖାତିଗୁଡ଼ାରେ ଅବସ୍ଥିତ । ଖାତିଗୁଡ଼ାରେ ବୃହତ ଅଟ୍ଟାଳିକାମାନ ହୋଇଛି । ଏଠାରେ ପ୍ରୋଜେକ୍ଟ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକ୍ତରଖାନା, ବଜାର, କର୍ମଚାରୀ ରହିବା ପାଇଁ କଲୋନୀ ତିଆରି ହୋଇଛି କିନ୍ତୁ ଖାତିଗୁଡ଼ା ଗ୍ରାମର ସ୍ଥାନୀୟ ବାସିନ୍ଦାଙ୍କର ଅବସ୍ଥା ସେହିପରି ଜରାଜୀର୍ଣ ଅଟେ । ତାଙ୍କର ଅବସ୍ଥା ଦୀପ ତଳେ ଅନ୍ଧାର ସଦୃଶ ଅଟେ ।

ପ୍ରୋଜେକ୍ଟ ହେବାଦ୍ଵାରା ରାସ୍ତାଘାଟ ଉନ୍ନତି ହୋଇଛି । ବଜାର ଗଢ଼ି ଉଠିଛି । ଗାଡ଼ି ମଟର ଚାଲିଛି କିନ୍ତୁ ଖାତି ଗୁଡ଼ା ଆଦିବାସୀଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ । ଆମ ଖାତିଗୁଡ଼ା ଗ୍ରାମର ଚତୁଃପାର୍ଶ୍ଵରେ ପାହାଡ଼ମାନ ଘେରି ରହିଛି । ପାହାଡ଼ରୁ କୁଳୁକୁଳୁ ନାଦରେ ବହି ଆସିଛି ଝରଣାମାନ । ଏହି ଝରଣାମାନ ଶେଷରେ ମିଶିଯାଇଛି ଇନ୍ଦ୍ରାବତୀ ନଦୀର ଜଳସ୍ରୋତରେ । ଇନ୍ଦ୍ରାବତୀ ନଦୀ ହେଉଛି ଖାତିଗୁଡ଼ା ଅଧିବାସୀଙ୍କର ଜୀବିକା ନିର୍ବାହ କରିବାର ଏକମାତ୍ର ଜୀବନ ସ୍ରୋତ । ଆମ ଗ୍ରାମରେ କୌଣସି ପୋଖରୀ ନାହିଁ । ଆମ ଗ୍ରାମର ଚତୁଃପାର୍ଶ୍ଵରେ ବଡ଼ ବଡ଼ ଜଙ୍ଗଲ ଦେଖିବାକୁ ମିଳେ । ଏହି ଜଙ୍ଗଲରେ ବହୁତ ବଡ଼ ବଡ଼ ବୃକ୍ଷ, ଯଥା – ଶାଳ, ପିଆଶାଳ, ଟିକ୍, ଶାଗୁଆନ୍, ଶିଶୁ ଇତ୍ୟାଦି ମୂଲ୍ୟବାନ୍ ବୃକ୍ଷ ରହିଅଛି । ଜଙ୍ଗଲରୁ ଆମେ ହରିଡ଼ା, ବାହାଡ଼ା, ଅଁଳା, ସବାଇ ଘାସ, ଝୁଣା, ଲାଖ, ମହୁ ସଂଗ୍ରହ କରୁ । ଆମ ଗ୍ରାମର ଆଦିବାସୀମାନେ ଏହାକୁ ବିକି ନଜ ପରିବାରର ପ୍ରତିପୋଷଣ କରନ୍ତି । ଜଙ୍ଗଲ ବ୍ୟତୀତ ଏଠାରେ ଡଙ୍ଗର ଦେଖାଯାଏ । ଏହି ଡଙ୍ଗର ଜମି ଘାସପୂର୍ଣ୍ଣ ଅଟେ । ଏଠାକାର ଆଦିବାସୀମାନେ ଗାଈ, ଗୋରୁ, ମେଣ୍ଢା, ଛେଳି ପାଳନ କରନ୍ତି । ଆମ ଗ୍ରାମ ଖାତିଗୁଡ଼ାର ଜଙ୍ଗଲରେ ବହୁପ୍ରକାର ହିଂସ୍ର ଜନ୍ତୁ ଯଥା – ହରିଣ, କୁଟୁରା, ସମ୍ବର, ଠେକୁଆ ଇତ୍ୟାତି ଦେଖାଯାଆନ୍ତି । ଜୀବଜନ୍ତୁଙ୍କର ସଂରକ୍ଷଣ ପାଇଁ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏଠାକାର ଅଞ୍ଚଳରେ ଟସର ପୋକ ପାଳନ କରାଯାଏ । ଟସର ପୋକର ଲୋମରୁ ଟସର ସୁତା ତିଆରି କରାଯାଇ ଟସର ଲୁଗା ସେଥୁରୁ ତିଆରି କରାଯାଏ । ଏହା ବହୁତ ମୂଲ୍ୟବାନ ଅଟେ । ଏଠାକାର ଲୋକଙ୍କର ପ୍ରଧାନ ଖାଦ୍ୟ ମାଣ୍ଡିଆ । ଏହା ବ୍ୟତୀତ ଗହମ, ଧାନ, ବିରି, ମୁଗ, ହରଡ଼, ଆଖୁ, ମକା ଇତ୍ୟାଦି ଚାଷ କରାଯାଏ । ଏଠାକାର ଅର୍ଥକାରୀ ଫସଲର ନାମ ଧୂଆଁପତ୍ର, କେନ୍ଦୁପତ୍ର । ଏଠାରେ ଅସଂଖ୍ୟ ପରିମାଣରେ ମହୁଲ ଗଛ ଦେଖାଯାଏ l ମହୁଲ ଫୁଲର ବାସନାରେ ଚାରିଆଡ଼େ ସୁବାସିତ ହୋଇଯାଏ । କବିଙ୍କ ଭାଷାରେ ‘ମହୁଲ ଫୁଲର ବାସ, ଚହଟଇ ଚଉପାସ ।’’

ଆମ ଗ୍ରାମରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି । ପ୍ରକଳ୍ପର ସଦର ମହକୁମା ହେବା ଫଳରେ ଏହି ଗ୍ରାମର ଲୋକସଂଖ୍ୟା ବଢ଼ିଛନ୍ତି । ବିଜ୍ଞାନର ଉନ୍ନତି ଫଳରେ ସାମାଜିକ ସ୍ତର ବା ସଭ୍ୟତାର ଉନ୍ନତି ହୋଇଛି । ଆଜିକାଲି ସମସ୍ତ ପ୍ରକାର ଜାତିର ଲୋକ ବିଭିନ୍ନ ଜୀବିକା କରି ଚଳୁଛନ୍ତି । ପ୍ରଥମେ କିନ୍ତୁ ଚିରାଚରିତ ପ୍ରଥା ଅନୁସାରେ ଜୀବିକା ନିର୍ବାହ କରୁଥିଲେ । ଗ୍ରାମର ବହୁତ ବଂଶର ଲୋକ ମଧ୍ୟ ଚିରାଚରିତ ପ୍ରଥା ଅନୁସାରେ ବଢ଼େଇ କାମ, କୁମ୍ଭାର କାମ କରନ୍ତି । କେତେକ ଲୋକ ବ୍ୟବସାୟ କରନ୍ତି । ଶିକ୍ଷିତ ଲୋକମାନେ ସରକାରୀ ଚାକିରି ମଧ୍ୟ କରନ୍ତି । ଆମ ଗ୍ରାମକୁ ଲାଗି ପ୍ରୋଜେକ୍ଟ କଲୋନୀ ଅବସ୍ଥିତ । ଏହି କଲୋନୀରେ ଚାକିରିଆମାନେ ରହନ୍ତି । ଖାତିଗୁଡ଼ାରେ ବୃହତ୍ ଅଟ୍ଟାଳିକାମାନ ନିର୍ମିତ ହୋଇଛି । ଏଠାରେ ପ୍ରୋଜେକ୍ଟ କାର୍ଯ୍ୟାଳୟ, ବ୍ୟାଙ୍କ୍, ଡାକ୍ତରଖାନା, ବଜାର, କର୍ମଚାରୀ ରହିବା ପାଇଁ କଲୋନୀ ତିଆରି ହୋଇଛି କିନ୍ତୁ ଖାତିଗୁଡ଼ା ଗ୍ରାମର ସ୍ଥାନୀୟ ବାସିନ୍ଦାମାନଙ୍କର ଅବସ୍ଥା ସେହିପରି ଜରାଜୀର୍ଣ୍ଣ ଅଟେ । ତାଙ୍କର ଅବସ୍ଥା ଦୀପତଳେ ଅନ୍ଧାର ସଦୃଶ ।

ପ୍ରୋଜେକ୍ଟ ହେବା ଦ୍ଵାରା ରାସ୍ତାଘାଟ ଉନ୍ନତି ହୋଇଛି । ବଜାର ଗଢ଼ିଉଠିଛି । ଗାଡ଼ି ମୋଟର ଚାଲିଛି କିନ୍ତୁ ଖାତିଗୁଡ଼ା ଆଦିବାସୀଙ୍କର ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ । ଆମ ଗ୍ରାମରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଆଦିବାସୀମାନେ ଭାଇଭାଇ ହୋଇ ଚଳନ୍ତି । ନିଜକୁ ଭାରତୀୟ ଭାବି ଭାରତ ଦେଶର ଉନ୍ନତି ପାଇଁ କାମ କରନ୍ତି । ପ୍ରୋଜେକ୍ଟ କଲୋନୀର ଲୋକମାନେ ସାଧାରଣତଃ ପକ୍କାଘରେ ରହନ୍ତି । ସେମାନେ ଉଚ୍ଚଶିକ୍ଷିତ ଓ ଚାକିରିଆ । ସେମାନେ ବହୁତ ରୋଜଗାର କରନ୍ତି । ସେମାନଙ୍କର ସାମାଜିକ ମାନଦଣ୍ଡ ବହୁତ ଉନ୍ନତ । କିନ୍ତୁ ଖାତି ଗୁଡ଼ା ଗ୍ରାମରେ ଲୋକମାନେ ଚାଳଘରେ ଓ ପତ୍ରକୁଡ଼ିଆରେ ବାସକରନ୍ତି । ସେମାନଙ୍କର ସାମାଜିକ ସ୍ତର ବହୁତ ନିମ୍ନରେ । ଯେଉଁମାନେ ଶିକ୍ଷିତ, ସେମାନେ ବିଜ୍ଞାନକୁ ବ୍ୟବହାର କରି ନିଜର ଉନ୍ନତି ସାଧନ କରିବା ସଙ୍ଗେ ସଙ୍ଗେ ସମାଜର ଉନ୍ନତି ସାଧନ କରନ୍ତି । ପ୍ରୋଜେକ୍ଟ କଲୋନୀରେ ଶିକ୍ଷିତ ଲୋକ ଥିବାରୁ ସେମାନେ ଅଧିକ ରୋଜଗାରକ୍ଷମ । ଗ୍ରାମର ଲୋକମାନେ ସେତେ ଶିକ୍ଷିତ ନଥୁବାରୁ, ବିଜ୍ଞାନ ଚିନ୍ତାଧାରା ଅଭାବରୁ ସେମାନେ ଆଜି ମଧ୍ୟ ପଛୁଆ ଅବସ୍ଥାରେ ଅଛନ୍ତି । ଆମ ଗ୍ରାମରେ ଯେଉଁ ମାନେ ଅସୁବିଧାରେ ଥାଆନ୍ତି, ଆଜିକାଲି ଉନ୍ନତ ଶିକ୍ଷିତ ଲୋକମାନେ ସେମାନଙ୍କୁ ପୋକମାଛି ଭଳି ଦେଖନ୍ତି । ବର୍ତ୍ତମାନ କେହି ଗାନ୍ଧୀ, ଗୋପବନ୍ଧୁ ନାହାଁନ୍ତି ସେମାନଙ୍କୁ ସେବା ଶୁଶ୍ରୂସା କରିବାକୁ । ଏହି କ୍ଷୀପ୍ର ଗତିରେ ଚାଲୁଥବା ଦୁନିଆରେ ସମସ୍ତେ କେବଳ ନିଜ କଥା ହିଁ ଭାବନ୍ତି । ସମାଜର ମଙ୍ଗଳ କେହି ଦେଖନ୍ତି ନାହିଁ । ଏହା ଆମ ଭାରତବର୍ଷରେ ବ୍ୟାପକ ରୂପଧାରଣ କଲାଣି । ଆମେ ନିଜେ ସଚେତନ ହୋଇ ସେମାନଙ୍କୁ ଦେଶର ପ୍ରଗତିର ମୁଖ୍ୟଧାରାକୁ ଆଣିବା ଉଚିତ୍ ।

ଆମ ଗ୍ରାମ ଖାତିଗୁଡ଼ା ସର୍ବଧର୍ମ ପୀଠର କେନ୍ଦ୍ରବିନ୍ଦୁ ଅଟେ । ଏଠାରେ ସବୁ ଧର୍ମର ପୀଠ ଯଥା ମନ୍ଦିର, ମସଜିଦ୍, ଗୀର୍ଜା ଇତ୍ୟାଦି ରହିଅଛି । ସେମାନଙ୍କ ଭାବର ଆଦାନ ପ୍ରଦାନ, ପର୍ବପର୍ବାଣୀ ପାଳନ କଲାବେଳେ ଦେଖାଯାଏ । ବିଭିନ୍ନ ଧର୍ମପୀଠରୁ ଯେଉଁ ଶିକ୍ଷାମିଳେ ସେହି ସଂସ୍କୃତିକୁ ଲୋକମାନେ ନିଜ ନିଜ ଭିତରେ ବାଣ୍ଟିନେଇ ମନରେ ବିଚ୍ଛେଦ ନରଖ୍ ନିଜକୁ କେବଳ ଭାରତୀୟ ବୋଲି ପରିଚୟ ଦିଅନ୍ତି । ଆମ ଗ୍ରାମରେ ବିଭିନ୍ନ ଧର୍ମର ଲୋକ ବିଭିନ୍ନ ପର୍ବ ପାଳନ କରନ୍ତି । ସେଗୁଡ଼ିକ ହେଲା ଦଶହରା, ରଥଯାତ୍ରା, ଇଦ୍, ମହରମ୍, ନୂଆଖାଇ, ବଡ଼ଦିନ, ଚୈତ୍ରପର୍ବ ଇତ୍ୟାଦି ପାଳନ କରାଯାଏ । ଆମ ଗ୍ରାମରେ ଆମେ ମିଳିମିଶି ଫୁଟବଲ୍, କ୍ରିକେଟ୍ ଭଲିବଲ୍, କବାଡ଼ି, ଖୋଖୋ, ବୋହୂଚୋରୀ ଇତ୍ୟାଦି ଖେଳ ମନ ଆନନ୍ଦରେ ଖେଳୁ । ଖେଳିଲା ବେଳେ ପିଲମାନଙ୍କର କିଚିରି ମିଚିରି ଶବ୍ଦ ଗ୍ରାମ ଶୋଭାକୁ ଆହୁରି ବଢ଼ାଇଦିଏ । ବଡ଼ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ଖେଳ ଖେଳନ୍ତି ଓ ଆମ୍ଭମାନଙ୍କୁ ବିଭିନ୍ନ ଖେଳ ଖେଳିବାକୁ ଉତ୍ସାହିତ କରନ୍ତି । ପର୍ବପର୍ବାଣୀରେ ବିଭିନ୍ନ ଯାନିଯାତ୍ରା ପାଳନ କରାଯାଏ । ଏଥିରେ ଲୋକମାନେ ମନୋରଞ୍ଜନ କରନ୍ତି । ବିଭିନ୍ନ ଧର୍ମର ଲୋକଙ୍କର ସଂସ୍କୃତି ମଧ୍ୟରେ ଆଦାନ ପ୍ରଦାନ ଘଟେ । ବିଭିନ୍ନ ଲୋକମାନେ ଭାଇ ଭାଇ ହୋଇ ଚଳନ୍ତି ।

ଆମ ଗ୍ରାମରେ ବହୁତ ଶିକ୍ଷିତ ଓ ଜ୍ଞାନୀ ଲୋକ ରହିଛନ୍ତି । ସେମାନେ ଅନ୍ୟମାନଙ୍କୁ ଜ୍ଞାନ ଅର୍ଜନ କରିବାକୁ ଉତ୍ସାହିତ କରନ୍ତି । ସେମାନଙ୍କୁ ଯୋଗୁଁ ସମାଜ ମଙ୍ଗଳମୟ ହେଉଛି । ଯେଉଁ ପରିବାର ମୁର୍ଖ, ଶିକ୍ଷାର ମୂଲ୍ୟବୋଧ ଜାଣିନାହିଁ, ସେହି ପରିବାରର ପିଲାମାନେ ଆଜି ଶିକ୍ଷାରୁ ବଞ୍ଚତ । ସେମାନେ ପାଠପଢ଼ା ପରିବର୍ତ୍ତେ ସାଜିଛନ୍ତି ଶିଶୁ ଶ୍ରମିକ । ଏହି ଶିଶୁଙ୍କ ପ୍ରତି କେତେ ଅନ୍ୟାୟ ହେଇଛି, ଏହା ବିଷୟରେ ପ୍ରଶ୍ନ ପଚାରିବ କିଏ ? ଶିକ୍ଷାର ବିକାଶ ନିମିତ୍ତ ଆମ ଗ୍ରାମରେ ନିମ୍ନ ପ୍ରାଥମିକ, ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଛି । ଶିକ୍ଷାଲାଭ ନିମିତ୍ତ ବିଦ୍ୟାଳୟ ଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା ଅଛି । ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ତଥାପି ପିତାମାତାଙ୍କର ନିରକ୍ଷରତା, ଶିକ୍ଷା ସମ୍ବନ୍ଧୀୟ ଅନଭିଜ୍ଞତା ଯୋଗୁଁ ସେମାନଙ୍କର ସନ୍ତାନ-ସନ୍ତତିମାନଙ୍କୁ ଶିକ୍ଷାଲାଭ ପାଇଁ ଉପଯୁକ୍ତ ଉପଦେଶ ଦେଇପାରୁ ନାହାଁନ୍ତି । ସେମାନଙ୍କୁ ବିଦ୍ୟାଳୟକୁ ନ ପଠାଇ ନିଜର କୌଳିକ ବୃତ୍ତିରେ ନିୟୋଜିତ କରାଉଛନ୍ତି । ଫଳରେ ସେମାନେ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ।

‘ଆମ ଗ୍ରାମରେ ପାଳନ କରାଯାଉଥ‌ିବା ବିଭିନ୍ନ ପର୍ବପର୍ବାଣୀ ଅତ୍ୟନ୍ତ ମନମୁଗ୍ଧକର । ଏଠାକାର ଢେମସା ନାଚ ଆମକୁ ଅଧିକ ଆନନ୍ଦ ଦିଏ । ଆମ ଗ୍ରାମର କେତେକ ଲୋକ ଦେଶୀମଦ ପାନକରି ଅସାମାଜିକ ଅବସ୍ଥାରେ ନିଜକୁ ପରିଚୟ ଦେଇ ଗ୍ରାମର ଶୃଙ୍ଖଳାଭଙ୍ଗ କରନ୍ତି । ଏହି ମଦ୍ୟପଙ୍କୁ ଦେଖ‌ିଲେ ମନରେ ବହୁତ ଘୃଣା ଆସେ । ସମାଜରେ ଲୋକଙ୍କର ଏହି କଳଙ୍କିତ ପ୍ରକୃତି ଗୁଣ ଆମ ପରିବେଶକୁ କଳୁଷିତ କରିଥାଏ । ଆମ ଭବିଷ୍ୟତ ପିଢ଼ି ଏମାନଙ୍କଠାରୁ କ’ଣ ଶିକ୍ଷା ଲାଭ କରିବ ଏହା ଆମ ମନକୁ ବହୁତ ଦୁଃଖ ପ୍ରଦାନ କରିଥାଏ ।

ବଡ଼ହେଲେ ମୁଁ ଲୋକମାନଙ୍କୁ ଏକତ୍ରିତ କରି ଏକ ସଂଘ ଗଠନ କରିବି । ସଂଘର ପ୍ରଥମ କାର୍ଯ୍ୟ ହେବ ଗ୍ରାମର ପ୍ରତ୍ୟେକ ପିଲାଙ୍କୁ ଶିକ୍ଷିତ କରିବା । ଲୋକମାନଙ୍କୁ ମଦ୍ୟପାନ ଓ ଧୂମ୍ରପାନରୁ ନିବୃତ କରିବା । ଗ୍ରାମର ସଫାସୁତୁରା ରକ୍ଷା କରିବା ଓ ଗ୍ରାମରେ ବୃକ୍ଷରୋପଣ କରିବା । ଗ୍ରାମର ଲୋକମାନଙ୍କୁ ଏକଜୁଟ୍ କରି ଛୋଟ ଛୋଟ କୁଟୀର ଶିଳ୍ପ ନିର୍ମାଣ କରି ଲୋକମାନଙ୍କୁ ରୋଜଗାରକ୍ଷମ କରିବା ।

ଆପଣଙ୍କୁ କାହାଣୀଟି କେମିତି ଲାଗିଲା ? ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ଗାଁ’କୁ ନେଇ ଉପସ୍ଥାପନା ଯେକୌଣସି ସଂବେଦନଶୀଳ ମଣିଷ ମନରେ ପ୍ରଭାବ ପକେଇବ ବୋଲି ଆଶା । ପୁଣିଥରେ ନିଜକୁ ପ୍ରଶ୍ନ କରିବାକୁ ଇଛା ହେବ ଆମେ ଆମ ଗାଁ’ ପାଇଁ କ’ଣ କ’ଣ କରିଛେ । ଆମେ କ’ଣ ସତରେ ନିଜ ସମୟରୁ କିଛି ସମୟ କାଢି ଗାଁ ପାଇଁ କେବେ ଚିନ୍ତା କରିଛନ୍ତି ? କୁନି କୁନି ପିଲାଙ୍କର ଗାଁ’କୁ ନେଇ ସେହିସବୁ ଲେଖା ଗୁଡିକ ମୋ ମନରେ ଗଭୀର ପ୍ରଭାବ ପକାଇଲା ଓ ସେ ବିଷୟରେ ଗୁରୁତ୍ଵ ଦେଇ ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଇଲା । ଫଳରେ  “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇ ରହିଗଲା ।

 

 

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is an Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.