ଲୋକସଂସ୍କୃତି କ୍ରମରେ ‘ପାଲା’

ଡ଼ଃ ତପସ୍ୱିନୀ ଗୁରୁ
ଡ଼ଃ ତପସ୍ୱିନୀ ଗୁରୁ 220 Views
6 Min Read

[box type=”shadow” align=”” class=”” width=””]ପାଲା ସଂସ୍କୃତି ମୋଗଲ ଶାସନ ସମୟରେ ଓଡ଼ିଶାରେ ପ୍ରବେଶ କରିଥିଲା ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ହିନ୍ଦୁ ଓ ମୁସଲମାନ ଧର୍ମର ସମ୍ମିଳନରେ ଏକ ସାଂସ୍କୃତିକ ପ୍ରଦର୍ଶନ ହେଉଛି ପାଲା ଯେଉଁଠାରେ ସତ୍ୟପୀରଙ୍କ ପୂଜା କରାଯାଇଥାଏ । ଓଡ଼ିଶାର ପୁରପଲ୍ଲୀରେ ଏହି ‘ପାଲା’ର ଲୋକପ୍ରିୟତା ଓ ପ୍ରଭାବ ରହିଆସିଛି । ପାଲା ଗାୟକମାନଙ୍କର ଭାଷାର ସରଳତା, ଭିନ୍ନ ଶୈଳୀ ଏବଂ ଅଙ୍ଗଭଙ୍ଗୀ ସହିତ ଗାୟନ, ବାଦନର ରୋଚକପୂର୍ଣ୍ଣ ପରିବେଷଣ ଶ୍ରୋତାଙ୍କ ମନରେ ବିଶେଷ ଆକର୍ଷଣ ସୃଷ୍ଟି କରିଥାଏ । ପାଲାର ସାମ୍ପ୍ରତିକ ସ୍ଥିତି ଏବଂ ପ୍ରାସଙ୍ଗିକତା ସମ୍ପର୍କରେ ଲେଖିକା ନିଜର ପରବର୍ତ୍ତି ପ୍ରବନ୍ଧରେ ଆଲୋକପାତ କରିବେ ବୋଲି ଆଶା ।  – ସମ୍ପାଦକ[/box]

Support Samadhwani

ପାଲା ସଂସ୍କୃତି ପ୍ରଥମେ ଲୋକସଂସ୍କୃତି ଏବଂ ତା’ର ବର୍ଗୀକରଣରେ ଲୋକନାଟକର ଏକ ଅଂଶ ଏବଂ ଏହି ବିଭାଗରେ ଏହା ବୋଧେ ସର୍ବୋତ୍ତମ ସାରସ୍ୱତ ପରିପ୍ରକାଶ । ସେହି କାରଣରୁ ସାମ୍ପ୍ରତିକ ପରିସ୍ଥିତିରେ ପାଲା ସଂସ୍କୃତିର ଉତ୍ତରୋତ୍ତର ପୁଷ୍ଟିସାଧନ, ଅଭିବୃଦ୍ଧି, ପ୍ରଚାର, ପ୍ରସାର ତଥା ଏହି କଳାକୁ ବଞ୍ଚେଇ ରଖିବାର ପ୍ରଚେଷ୍ଟା ରୂପି ବିଭିନ୍ନ ସ୍ଥାନରେ ଆୟୋଜିତ ‘ପାଲା ସମ୍ମିଳନୀ’ ବାସ୍ତବିକ ଏକ ସାରସ୍ୱତ ମହାଯଜ୍ଞ । ତେବେ ଏ ପାଲା ସଂସ୍କୃତି ଉପରେ କିଛି ଆଲୋଚନା ଓ ମତାମତ ରଖିବା ପୂର୍ବରୁ ଲୋକ ସଂସ୍କୃତିର ବିଭାଗୀକରଣ ପ୍ରତି ସାମାନ୍ୟ ଦୃଷ୍ଟି ଆକର୍ଷଣ କରାଯିବା ପ୍ରାସଙ୍ଗିକ ମନେହୁଏ ।

ପ୍ରାଥମିକ ବର୍ଗୀକରଣରେ ଲୋକ ସଂସ୍କୃତିର ଦୁଇଟି ବିଭାଗ ପ୍ରଥମଟି ହେଲା କଥିତ ଲୋକ ସଂସ୍କୃତି ଓ ଦ୍ୱିତୀୟଟି ହେଲା ଚଳଣୀ । ପରବର୍ତ୍ତୀ ସମୟରେ ଏଥିସହିତ ଲୋକକଳା, ଅନ୍ୟାନ୍ୟ ସୃଜନଶୀଳ କର୍ମ, ଚିତ୍ର, ଭାସ୍କର୍ଯ୍ୟ, ଲୋକନୃତ୍ୟ ଇତ୍ୟାଦିଙ୍କୁ ସାମିଲ କରାଯାଇଛି । ତେବେ ଲୋକସଂସ୍କୃତି ଇତିହାସର ଗବେଷକ ପ୍ରଫେସର ‘ରିଚାର୍ଡ଼ ଦର୍ଶନ’ ବିଶ୍ୱର ଅନେକ ଦେଶର ଲୋକସଂସ୍କୃତି ସମ୍ପର୍କରେ ଆଲୋଚନା କରି ଲୋକ ସଂସ୍କୃତିର ବିଷୟ ଶୃଙ୍ଖଳା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ତାଙ୍କ ମତରେ ଲୋକ ସଂସ୍କୃତିର ବିଷୟ ଶୃଙ୍ଖଳା ଚାରିଟି ଭାଗରେ ବିଭକ୍ତ :

୧)        ମୌଖିକ ସାହିତ୍ୟ ବା Oral literature

Support Samadhwani

୨)        ଭୌତିକ ସଂସ୍କୃତି ବା Matterial culture of physical folk life

୩)        ସାମାଜିକ ଚଳଣୀ ବା  Social folk life

୪)        ପ୍ରଦର୍ଶନଶୀଳ ଲୋକକଳା ବା Performing folk art

ଏଗୁଡ଼ିକ ମଧ୍ୟରୁ ପ୍ରଦର୍ଶନଶୀଳ ଲୋକକଳାରେ ଅନ୍ତର୍ଭୁକ୍ତ ହେଉଛି – ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକନାଟ୍ୟ । ଆଉ ଏ ‘ପାଲା’- ଯାହା ଉପରେ ଆମେ ଆଲୋଚନା କରୁଛୁ – ଏହା ସଙ୍ଗୀତ ପ୍ରଧାନ ହୋଇଥିବା କାରଣରୁ ଏହାକୁ ‘ସଙ୍ଗୀତ ଭିତ୍ତିକ ଲୋକନାଟକ’ ହିସାବରେ ଗ୍ରହଣ କରାଯାଉଛି । ଲୋକ ସଂସ୍କୃତିର ବିଷୟ ଶୃଙ୍ଖଳାରେ ଯେଉଁ ଚାରିଗୋଟି ବିଭାଗୀକରଣର ଦୃଷ୍ଟାନ୍ତ ଦିଆଗଲା ତନ୍ମଧ୍ୟରୁ ପ୍ରଥମ ତିନିଟି ବିଭାଗରେ ସ୍ରଷ୍ଟା ଓ ଭୋକ୍ତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । କାରଣ ସେଗୁଡ଼ିକର ସ୍ରଷ୍ଟା ଆଉ ଆମ ସମ୍ମୁଖରେ ନାହାନ୍ତି । ମାତ୍ର ପ୍ରଦର୍ଶନଶୀଳ ଲୋକକଳା କ୍ଷେତ୍ରରେ ସ୍ରଷ୍ଟା ସ୍ୱୟଂ ଆମ ସମ୍ମୁଖରେ ଏବଂ ସ୍ରଷ୍ଟା ଓ ଭୋକ୍ତା ମଧ୍ୟରେ ସମ୍ପର୍କ ପୁରାପୁରି ପ୍ରତ୍ୟକ୍ଷ ।  ଯେତେବେଳେ ‘ପାଲା’ର ଉଦାହରଣ ଦିଆଯାଏ ଏହା ତ ଛନ୍ଦ, ସୁର, ତାଳ, ଲୟ, ସଙ୍ଗୀତ, ନୃତ୍ୟ, ନାଟ୍ୟାଭିନୟ, ଧର୍ମ ପ୍ରଚାର, ସାହିତ୍ୟ ଚର୍ଚ୍ଚା ସବୁକିଛିର ଏକ ବୃହତ ସମନ୍ୱୟ ଅଟେ । ସେଥିପାଇଁ ସମସ୍ତ ସାରସ୍ୱତ କଳା ମଧ୍ୟରେ ପାଲା ଯେ ଏକ ସ୍ୱତନ୍ତ୍ର ଆସନର ଅଧିକାରୀ, ଏହି କଥାକୁ ଅସ୍ୱୀକାର କରାଯାଇ ନପାରେ ।

ନାମକରଣ: ପାଲାର ନାମକରଣ ଖୋଜିବାକୁ ଗଲେ ଓଡ଼ିଆ ଅଭିଧାନ କହେ ପାଲା ଅର୍ଥ ଉତ୍ସବ ବା କୋଳାହଳ ।

‘ପାଲ୍ୟତେ’ ସଂସ୍କୃତ ଶବ୍ଦର ଅପଭ୍ରଂଶ ବି ହୋଇପାରେ ପାଲା, ପୁଣି ‘ପାଞ୍ଚାଳୀ’ ଶବ୍ଦରୁ ମଧ୍ୟ ପାଲାର ଉତ୍ପତ୍ତି ବୋଲି କିଛି ଗବେଷକ ମତ ଦିଅନ୍ତି ।

ଇତିହାସ : ଇତିହାସ କହେ – ବଙ୍ଗାଳୀ କବି କର୍ଣ୍ଣ ପ୍ରଥମେ ଷୋଳପାଲାକୁ ‘ପାଞ୍ଚାଳୀ’ ରାଗରେ ରଚନା କରିଥିଲେ । ତେଣୁ ସେହି ଲୋକାଦୃତ ରାଗ ପରିଣତ ହୋଇଗଲା ‘ପାଲା’ ଶବ୍ଦରେ’ ।

ପାଲାର ନାମକରଣ ପ୍ରସଙ୍ଗରେ ଆଉ ଏକ ମତ ରହିଛି । ପାଲା ପରିବେଷଣ ଆରମ୍ଭରେ ପଞ୍ଚଦେବତାଙ୍କୁ ସ୍ତୁତି କରାଯାଏ –

‘ଗଣେ, ନାରାୟଣେ ରୁଦ୍ରେ ଅମ୍ବିକେ, ଭାସ୍କରେ ତଥା

ଭିନ୍ନ ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ।’

ଏହି ପଞ୍ଚଦେବଙ୍କୁ ମଧ୍ୟ କୁହାଯାଏ ‘ପାଞ୍ଚାଳୀ’ । ଏହି ପାଞ୍ଚାଳୀ ଶବ୍ଦରୁ ପାଲାର ସୃଷ୍ଟି ବୋଲି ମଧ୍ୟ ଅନୁମାନ କରାଯାଇପାରେ । ତେବେ ପାଲା ନାମକରଣ ଉପରେ ଏକ ସ୍ପଷ୍ଟ ମତ ଆମ ପାଖରେ ନାହିଁ ।

ପାଲାର ଇତିହାସ ଉପରେ ନଜର ପକାଇଲେ ଜଣାଯାଏ ମୋଗଲସମ୍ରାଟ ଆକବରଙ୍କ ଶାସନକାଳରୁ ହିନ୍ଦୁ, ମୁସଲମାନ ମୈତ୍ରୀ ବନ୍ଧନର ସ୍ମାରକୀ ଭାବେ ଆମ ଦେଶରେ ପାଲାର ଆତ୍ମପ୍ରକାଶ ଘଟିଥିଲା ବୋଲି କୁହାଯାଏ । ଠିକ୍ ସେମିତି ସତ୍ୟନାରାୟଣ ପୂଜାର ପ୍ରଥମସ୍ଥାନ ହେଉଛି ଆସାମ । ପରବର୍ତ୍ତୀ ସମୟରେ ଏହା ଓଡ଼ିଶା ଓ ବଙ୍ଗଳାକୁ ବ୍ୟାପିଛି । ହିନ୍ଦୁମାନଙ୍କ ସତ୍ୟ ଅର୍ଥାତ ବିଷ୍ଣୁ ଏବଂ ମୁସଲମାନ ସମ୍ପ୍ରଦାୟର ପୀର ଯାହାର ଅର୍ଥ ପାର୍ସୀ ଭାଷାରେ ଅଲୌକିକ ଶକ୍ତିସମ୍ପନ୍ନ ଧର୍ମ ପ୍ରତିଷ୍ଠାତା । ଏହି ଉଭୟଙ୍କର ସମନ୍ୱୟରେ ‘ସତ୍ୟ ପୀର’ ଦେବତାଙ୍କର ସୃଷ୍ଟି । ଏହି ‘ସତ୍ୟପୀର’ ହେଉଛନ୍ତି ପାଲାର ଆରାଧ୍ୟ ଦେବତା ।

ଗବେଷକ ଡଃ ରତ୍ନାକର ଚଇନି ମତଦିଅନ୍ତି ପାଲା ସଂସ୍କୃତି ପ୍ରଥମେ ‘ସୁଜାଉଦ୍ଦିନ’ଙ୍କ ସମୟରେ ଓଡ଼ିଶାରେ ଆରମ୍ଭ ହୋଇଥିଲା । ଆଉ ବଙ୍ଗଳା କବି କର୍ଣ୍ଣ ପ୍ରଥମେ ସତ୍ୟପୀରଙ୍କ ମହିମା ପ୍ରଖ୍ୟାପନ କରିବାକୁ ଯାଇ ୧୬ଖଣ୍ଡ ପାଲା ରଚନା କରିଥିବାର ପ୍ରମାଣ ରହିଛି ।

ଉଦ୍ଦେଶ୍ୟ :  ତେବେ ସେ ଯାହା ହେଉନା କାହିଁକି ପାଲାର ମୂଳ ଉଦ୍ଦେଶ୍ୟ ନିହିତ ଅଛି ଧାର୍ମିକ ପରମ୍ପରା ପରିପ୍ରେକ୍ଷୀରେ ଉଭୟ ମୁସଲମାନ ଓ ହିନ୍ଦୁମାନଙ୍କ ମଧ୍ୟରେ ସାଂସ୍କୃତିକ ଚେତନାକୁ ବଳିଷ୍ଠ କରିବାର ଅଭିପ୍ରାୟ ।

ପାଡ଼ା ଗ୍ରାମବାସୀ ସର୍ବ ଆନିଲ ଡାକିୟା, ହିନ୍ଦୁ ମୁସଲମାନ ବସେ ଏକ ମନ ହିୟା

ଚାରିଦିଗେ ଚାରିତୀର ପୁତିଲ ନିଶାନ, ଉପରେ କରିଲେ ଖାଡ଼ା ତମ୍ବୁ ସାହେବାନ୍

ବର୍ଷ ବର୍ଷ ଧରି ଓଡ଼ିଶାର ଜନଜୀବନ ଓ ସାଂସ୍କୃତିକ ଚେତନା ସହ ବାନ୍ଧି ହୋଇ ରହିଛି ପାଲା । ଆଜି ଆମ ଓଡ଼ିଶାର ନାରୀ ସମାଜ ମଧ୍ୟ ପାଲା ପରିବେଷଣ ପାଇଁ ଆଗେଇ ଆସିଲେଣି, ଏ ଏକ ଗୌରବର ବିଷୟ । ସାମ୍ପ୍ରତିକ ସମାଜର ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ପାଲାକୁ ଯୁଗୋପଯୋଗୀ କରାଯାଇପାରିଛି । ଦର୍ଶକଙ୍କ ମନକୁ ଛୁଇଁବା ଭଳି ପାଲାର ବର୍ତ୍ତମାନ ପରିବେଷିତ ବିଷୟବସ୍ତୁ ଭିତରେ ଚତୁରତାର ସହ ସମାଜ ସଂସ୍କାରକ, ଜନଶିକ୍ଷାପୂର୍ଣ୍ଣ ପ୍ରସଙ୍ଗ ଓ ଉପାଖ୍ୟାନକୁ ସ୍ଥାନ ଦିଆଯାଉଛି – ଏହା ଏକ ଅଭିନନ୍ଦନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ବିଗତ ଦିନମାନଙ୍କରେ ଆମେ ପାଲା ସଂସ୍କୃତିକୁ ଅଣଦେଖା କରିଆସୁଥିବା ପରି ଜଣାପଡ଼େ । ପୁରାଣଶାସ୍ତ୍ର, ସାହିତ୍ୟଚର୍ଚ୍ଚା, ପୁରାତନ ନୃତ୍ୟ, ସଙ୍ଗୀତ ଠାରୁ ମୁହଁ ଫେରାଇବାରେ ବ୍ୟସ୍ତ । ଆମ ଦୃଷ୍ଟିଭଙ୍ଗୀ ଓ ମାନସିକତାରେ ପରିବର୍ତ୍ତନ ନଆଣିଲେ, ପାଲା ପରି ଏକ ପ୍ରାଚୀନ, ସାରସ୍ୱତ ପରମ୍ପରା ନିକଟ ଭବିଷ୍ୟତରେ ଅବଲୁପ୍ତ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

ଲୋକସଂସ୍କୃତି ଯେହେତୁ ସମାଜର ଏକ ଗତିଶୀଳ ପ୍ରକ୍ରିୟା, ଏହା ପରମ୍ପରା ଓ ପ୍ରଗତିର ସମ୍ବାହକ । ଏଣୁ ପାଲା ସଂସ୍କୃତିର ପୁନରୁତ୍ଥାନ ଏବଂ ପୋଷଣ ପାଇଁ ସମସ୍ତ ସଂସ୍କୃତି ପ୍ରେମୀ ବିଶେଷକରି ପାଲା ପ୍ରେମୀ ଜନସାଧାରଣ, ପାଲାର କଳାକାର, ଏହାର ପୃଷ୍ଠପୋଷକ, ତଥା ଚିନ୍ତା ନାୟକମାନେ ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରିବା ବର୍ତ୍ତମାନ ସମୟର ଏକ ଆବଶ୍ୟକ ଆହ୍ୱାନ ବୋଲି ମୋର ସ୍ୱକୀୟ ମତ । ପୁନଶ୍ଚ ପାଲା ଭଳି ଏକ ଲୋକପ୍ରିୟ ଲୋକସଂସ୍କୃତିକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ବିଭିନ୍ନ ‘ମଣ୍ଡଳସ୍ତରୀୟ ପାଲାଗାୟକ ସଂଘ’ ପ୍ରତିଷ୍ଠା ମାଧ୍ୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପାଲା ମହୋତ୍ସବର ଆୟୋଜନ ମଧ୍ୟ ଏହି କଳାକୁ ବଞ୍ଚେଇ ରଖିବାର ଏକ ଅଭିନବ ପ୍ରୟାସ କହିଲେ ଅତ୍ୟୁକ୍ତି ହେବନାହିଁ ।

Photo credit- Wikipedia

Share this Article
କଳାକାର ତଥା ରାଜ୍ୟ ସରକାରୀ ଅଧିକାରୀ