ଜଗନ୍ନାଥ ତତ୍ତ୍ୱର ମୂଳକଥା – ୮

10 Min Read

“ଗୁଣ୍ଡିଚା ଶବ୍ଦଟି ସହିତ ଜଡିତ ରହିଛି ଆଦିବାସୀ ଉପାସନା ପଦ୍ଧତି । ଗୁଣ୍ଡିଚା ମଣ୍ଡପ ଥିବା ସ୍ଥାନରେ କୌଣସି ଆଦିମ ଉପାସନା ସହିତ ଜଡିତ ବୃକ୍ଷର ଗଣ୍ଡି ଉପାସନା ପ୍ରଥମେ ପ୍ରଚଳିତ ଥିଲା । କାରଣ ଗୁଣ୍ଡିଚା ମନ୍ଦିରରେ ରଥ ଯାତ୍ରା କାଳରେ ଉପାସନା ଦାୟିତ୍ୱ ନେଇଥିବା ସେବକ ଦଇତା ଶବର ବଂଶଜ ବୋଲି ଗ୍ରହଣ କରାଯାଇଛି । ଏକ ଦୃଷ୍ଟିକୋଣରୁ ଏହି ଗୁଣ୍ଡିଚା ବା ରଥ ଯାତ୍ରା ମୂଳରେ ଜଗନ୍ନାଥଙ୍କର ଆଦିମ ମୂଳରହସ୍ୟ ନିହିତ ।” ଜଗନ୍ନଥଙ୍କର ମୂଳ ଭିତ୍ତି ଆଦିବାସୀମାନଙ୍କ ସହିତ ସମ୍ପର୍କିତ ବୋଲି ଲେଖାଟିରେ ଉପସ୍ଥାପନ କରିଛନ୍ତି ଗବେଷକ ତଥା ଐତିହାସିକ ପ୍ରଫେସର କୈଳାସଚନ୍ଦ୍ର ଦାଶ । ଜଗନ୍ନାଥ ସଂସ୍କୃତି ଏବଂ ରଥଯାତ୍ରା ସମ୍ପର୍କରେ ଅଧିକ ଜାଣିବାପାଇଁ ଏହି ଲେଖାଟି ଗବେଷକ ତଥା ଛାତ୍ର/ଛାତ୍ରୀମାନଙ୍କୁ ନିଶ୍ଚୟ ସହଯୋଗ କରିବ ବୋଲି ଆଶା ।                -ସମ୍ପାଦକ

Support Samadhwani

ପୁରୁଷୋତ୍ତମ – ଜଗନ୍ନାଥ କ୍ଷେତ୍ରରେ ପାଳିତହୋଇ ଆସୁଥିବା ପର୍ବମାନଙ୍କ ମଧ୍ୟରେ ରଥ ଯାତ୍ରା ଶ୍ରେଷ୍ଠସ୍ଥାନ ଅଧିକାର କରିଛି ଏବଂ ଏହି ଯାତ୍ରା ଓଡିଶାର ସାଂସ୍କୃତିକ ଜୀବନର ଏକ ମୁଖ୍ୟ ଧାରାରୂପେ ଗୃହୀତ । ଜ୍ୟେଷ୍ଠମାସରେ ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଥିବା ସ୍ନାନ ମହୋତ୍ସବର ଏହା ସମ୍ପ୍ରସାରଣ । ଦ୍ୱାଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ଅଜଣା ଥିଲା ଏବଂ ତ୍ରୟୋଦଶ ଶତାବ୍ଦୀଠାରୁ ଏକ ବିଶିଷ୍ଟ ପର୍ବ ହିସାବରେ ଏହା ଆଦୃତ ହୋଇଥିଲା । ଆମକୁ ଜଣାଥିବା ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସାହିତ୍ୟିକ ବିବରଣୀରେ ଜଗନ୍ନାଥ ରଥଯାତ୍ରାର କୌଣସି ବିବରଣୀ ନାହିଁ । କେବଳ ମୁରାରୀ ମିଶ୍ରଙ୍କ ରଚିତ ଅନର୍ଘରାଘବ ନାଟକରେ ପୁରୁଷୋତ୍ତମଙ୍କର ଯାତ୍ରାର କଥା ଉଲ୍ଲେଖ ରହିଛି । ଏହାର ବିବରଣୀ ଅନୁସାରେ;

“ଭୋଭୋଲ ବଣୋଦ ବେଳା ବନାଲୀ ତମାଳ ତରୁ କନ୍ଦଳସ୍ୟ

ତ୍ରିଭୁବନ ମୌଳି ମଣ୍ଡନ ମହାନୀଳ ମଣେଃ କମଳା କୁଚ କଳଶ

Support Samadhwani

-କେଳି-କସ୍ତୁରିକା ପତ୍ରାଙ୍କୁରସ୍ୟ ଭଗବତଃ ପୁରୁଷୋତ୍ତମସ୍ୟ

ଯାତ୍ରାୟାଂ ଉପସ୍ଥାନୀୟାଃ ସଭାସଦଃ…”

ଜଗନ୍ନାଥ ସଂସ୍କୃତିର ଗବେଷକମାନେ ଏହି ଯାତ୍ରାକୁ ପୁରୁଷୋତ୍ତମ କ୍ଷେତ୍ରର ରଥଯାତ୍ରା ହିସାବରେ ଗ୍ରହଣ କରିଛନ୍ତି । ଏ ପ୍ରସଂଗରେଐତିହାସିକ ହରମାନ୍ କୁଲ୍କେଙ୍କରମତ ପ୍ରଣିଧାନଯୋଗ୍ୟ:” Most probably the earliest literary evidence for the existence of the car festival at Puri occurs in the period of Somavamsa rule over Orissa. xxxx A drama of the 10th or 11th century mentions the festival of the god Purushottama at the seashore. Although no final proof is possible, scholars agree that this description most likely refers to the Puri car festival  also at the seashore.” (The Cult and Culture of Lord Jagannath, ed. D.Panda and S.C. Panigrahi, 1984, Cuttack, p.183)

 

କିନ୍ତୁ ଅନର୍ଘନାଟକ ବର୍ଣ୍ଣିତ ଯାତ୍ରା ନିର୍ଦ୍ଦିଷ୍ଟଭାବରେ ରଥଯାତ୍ରାକୁ ବୁଝାଇନପାରେ । ପୁରୁଷୋତ୍ତମକ୍ଷେତ୍ରରେ  ବିଷ୍ଣୁ ଉପାସନା ସମ୍ପର୍କିତ ନାନା ପର୍ବ ପାଳିତ ହୋଇଥିବାର ସମ୍ଭାବନା ରହିଛି । ତେଣୁ ମୁରାରୀ ମିଶ୍ରଙ୍କ ଚିହ୍ନିତ ଯାତ୍ରା ଯେ କୌଣସି ପର୍ବକୁ ନିର୍ଦ୍ଦେଶ କରିପାରେ । ମୁରାରୀ କାହିଁକି ଏପରି  ପ୍ରସିଦ୍ଧ ରଥ ଯାତ୍ରାକୁ ସାଧାରଣ ଭାବରେ ଯାତ୍ରା ବୋଲି ବର୍ଣ୍ଣନା କଲେ?

ମୁରାରୀଙ୍କ ସମୟ ଖ୍ରୀଷ୍ଟୀୟ ଦଶମ-ଏକାଦଶ ଶତକ ମଧ୍ୟରେ ସ୍ଥିର କରାଯାଇପାରେ । (Tripathy, G.C., The Cult of Jagannath and the Regional Tradition of Orissa, hereafter cited as CJRTO, ed. Eschmann, H,Kulke and G.C. Tripathy, 1978, Manohar, Delhi, p.38-39)

ଏହି ସୂଚିତ ସମୟରେ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରସିଦ୍ଧ ଥିଲା ଜ୍ୟେଷ୍ଠଉତ୍ସବ; ଏହା କାଳ ବିବେକ, ନୈଷଧୀୟ ଚରିତ ପରିସଂସ୍କୃତ ଗ୍ରନ୍ଥରେ ବର୍ଣ୍ଣିତ ରହିଛି । ଏଣୁ ମୁରାରୀଙ୍କ ଯାତ୍ରା କାହିଁକି ଏହିସବୁ ସଂସ୍କୃତ ଗ୍ରନ୍ଥରେ ବର୍ଣ୍ଣିତ ଜ୍ୟେଷ୍ଠଯୋଗ ପାଇଁ ଯାତ୍ରାକୁ ନିର୍ଦ୍ଦେଶ ଦେଇନଥିବ? ପୁରୁଷୋତ୍ତମ କ୍ଷେତ୍ରରେ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ରଥଯାତ୍ରା ଅଜଣା ଥିଲା – ଏହି ତଥ୍ୟ ପାଇଁ ଏକ ଅନାଲୋଚିତ ସଂସ୍କୃତ ଗ୍ରନ୍ଥର ସାହାଯ୍ୟ ନିଆଯାଇପାରେ । ଖ୍ରୀଷ୍ଟୀୟ ଏକାଦଶ ଶତକର ପ୍ରଥମ ପର୍ଯ୍ୟାୟରେ ପାରମାର ସମ୍ରାଟ ଭୋଜଦେବଙ୍କ ରଚିତ ରାଜମାର୍ତ୍ତଣ୍ଡ ଭାରତ ବର୍ଷରେ ଦ୍ୱାଦଶ ମାସ କେଉଁକେଉଁ ଅଞ୍ଚଳ ପାଇଁ ଉତ୍ସବ ଦୃଷ୍ଟିରୁ ସୁପ୍ରସିଦ୍ଧ ଥିଲା ଏକ ବିସ୍ତାରିତ ବିବରଣୀରେ ପ୍ରକାଶ କରିଛି । (Kane, P.V., ‘Passages from the Rajamartanda’, Annals of Bhandarkar Oriental Institute, Vol.XXXVI, Pune, 1955, p.306-339.)ତିଥି, ବ୍ରତ, ଉତ୍ସବ ଉପରେ ଏହା ଏକ ଉପାଦେୟ ଗ୍ରନ୍ଥ । ଏହି ଗ୍ରନ୍ଥରେ ଭାରତବର୍ଷରେ ସେତେବେଳେ ପୁରୁଷୋତ୍ତମ କ୍ଷେତ୍ରଟି ଜ୍ୟେଷ୍ଠମାସ ପାଇଁ ପ୍ରସିଦ୍ଧ ଥିବାର ବର୍ଣ୍ଣନା ରହିଛି । ସେହି ବର୍ଣ୍ଣନା ଅନୁସାରେ;

ଗଙ୍ଗାଦ୍ୱାରେ ଚ ବୈଶାଖୀ ଜ୍ୟେଷ୍ଠୀତୁ ପୁରୁଷୋତ୍ତମେ/

ଆଷାଢୀ କନଖଳେଚୈବ କେଦାରେ ଶ୍ରୀବଣୀ ତଥା/

ଏହି ଶ୍ଳୋକାନୁସାରେ ଜ୍ୟେଷ୍ଠମାସ ପୁରୁଷୋତ୍ତମଙ୍କ ପାଇଁ ଭାରତରେ ପ୍ରସିଦ୍ଧ ଥିଲା, ଆଷାଢ କନଖଳ ଅଞ୍ଚଳ ପାଇଁ ପ୍ରସିଦ୍ଧ ଥିଲା । ଏଥିରୁ ଜଣାଯାଏ ଯେ ପୁରୁଷୋତ୍ତମକ୍ଷେତ୍ରରେ ବର୍ତ୍ତମାନ ସୁପରିଚିତ ରଥଯାତ୍ରା/ଗୁଣ୍ଡିଚା ଯାତ୍ରା ଏକାଦଶ ଶତକରେ ଆଷାଢ ମାସରେ ପାଳିତ ହେଉନଥିଲା ।ଏହି ପର୍ବ ପାଳିତ ହେଉଥିଲେ ରାଜମାର୍ତ୍ତଣ୍ଡ ଆଷାଢ ମାସକୁ ପୁରୁଷୋତ୍ତମକ୍ଷେତ୍ର ସହିତ ସଂଯୋଜିତ କରିଥାଆନ୍ତେ । ମାତ୍ର ଏହି ଗ୍ରନ୍ଥ ଅନୁସାରେ ଆଷାଢ ମାସ ପର୍ବ ସେତେବେଳେ ଅଜଣା ଥିଲା । ରଥ ଯାତ୍ରା ଏତେ ପ୍ରସିଦ୍ଧ ଥିଲା ଯେ ତ୍ରୟୋଦଶ ଚତୁର୍ଦ୍ଦଶ ଶତାବ୍ଦୀର ନାନା ବିବରଣୀରେ ଏହା ସ୍ଥାନ ପାଇଛି । ମାତ୍ର ଏକ ବୃହତ୍ ଗ୍ରନ୍ଥ ରାଜମାର୍ତ୍ତଣ୍ଡରେ ଏହାର ସାମାନ୍ୟ ସୂଚନା ନଥିବାରୁ ଏ ପର୍ବ ଦ୍ୱାଦଶ ଶତାବ୍ଦୀ ପରବର୍ତ୍ତୀ ବୋଲି ଏହି ଲେଖକ ସିଦ୍ଧାନ୍ତ ଗ୍ରହଣ କରିଛି । ରାଜମାର୍ତ୍ତଣ୍ଡ ଜ୍ୟେଷ୍ଠମାସ ପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିବା ସଂଗେ ସଂଗେ ମହାଜ୍ୟେଷ୍ଠ ଯୋଗ କେଉଁ ସମୟରେ ଆସେ ଏବଂ ତାହା ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ସହିତ ଜଡିତ ବୋଲି ବର୍ଣ୍ଣନା ରହିଛି । ଏହି ବର୍ଣ୍ଣନା ଅନୁସାରେ;

ଜ୍ୟେଷ୍ଠେ ସମ୍ବତ୍ସରେ ଚୈବ ଜ୍ୟେଷ୍ଠମାସସ୍ୟ ପୂର୍ଣ୍ଣିମା/

ଜ୍ୟେଷ୍ଠାଭେନ ଯଦାଯୁକ୍ତା ମହାଜୈଷ୍ଠୀ ପ୍ରକୀର୍ତ୍ତିତା/

ଐନ୍ଦ୍ରେଶଶି ଗୁରୁଶ୍ଚୈବ ପ୍ରାଜାପତ୍ୟେ ରବିସ୍ତତା/

ପୂର୍ଣ୍ଣିମା ଜ୍ୟେଷ୍ଠମାସସ୍ୟ ମହାଜୈଷ୍ଠୀ ଭବେତ୍ତଦା/

ଏହିଯୋଗ ମଧ୍ୟ ସ୍କନ୍ଦ ପୁରାଣ ଅନ୍ତର୍ଗତ ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟରେ ସ୍ନାନ ଯାତ୍ରା ବର୍ଣ୍ଣନାରେ ସ୍ଥାନ ପାଇଛି । ରାଜମାର୍ତ୍ତଣ୍ଡ ଅନୁସାରେ ମଧ୍ୟ ଏହି ମହାଜ୍ୟେଷ୍ଠୀ ମହୋତ୍ସବ ପାଇଁ ପୁରୁଷୋତ୍ତମକ୍ଷେତ୍ର ପ୍ରସିଦ୍ଧ ଥିଲା ।

ଏହି ତଥ୍ୟକୁ ବିଚାରକୁ ନେଲେ ଦ୍ୱାଦଶ ଶତକ ଶେଷ ପର୍ଯ୍ୟନ୍ତ ପୁରୁଷୋତ୍ତମକ୍ଷେତ୍ରରେ ସୁପ୍ରସିଦ୍ଧ ଥିଲା ଜ୍ୟେଷ୍ଠସ୍ନାନ ଏବଂ ମହାଜ୍ୟେଷ୍ଠ ଯୋଗ । ସମ୍ଭବତଃ ଜ୍ୟେଷ୍ଠମାସରେ ପୁରୁଷୋତ୍ତମ କ୍ଷେତ୍ରରେ ବିଗ୍ରହ ସ୍ନାନ ପରେ ଭକ୍ତ ତଥା ତୀର୍ଥଯାତ୍ରୀ ନବରୂପରେ ଦେଖିବାକୁ ଆସୁଥିଲେ । ଏହିକାର୍ଯ୍ୟ ଏକ ଉତ୍ସବର ରୂପ ନେଉଥଲା । ସେହି ଉତ୍ସବ ପାଇଁ ସମବେତ ଦର୍ଶକ ମାନଙ୍କ ପ୍ରସଂଗର ସୂଚନା ମୁରାରୀଙ୍କ ଅନର୍ଘରାଘବ ନାଟକରେ ସ୍ଥାନୀତ । ପରବର୍ତ୍ତୀ କାଳରେ ବୃହତ୍ ମନ୍ଦିର ନିର୍ମାଣ ପରେ ଏବଂ ଚତୁର୍ଦ୍ଧା ଦାରୂବିଗ୍ରହ ଉପାସନା ସେଥିରେ ପ୍ରବର୍ତ୍ତିତ ହେବାପରେ ଏହି ଉତ୍ସବ ସମ୍ପ୍ରସାରିତ ହୋଇ ସ୍ନାନ ଏବଂ ରଥ ଯାତ୍ରା ନାମରେ ଜ୍ୟେଷ୍ଠ ଓ ଆଷାଢ ମାସ ମଧ୍ୟରେ ଅନୁଷ୍ଠିତ ହେଲା । ରଥ ଯାତ୍ରା ସହିତ ଗୁଣ୍ଡିଚା ଶବ୍ଦ ଜଡିତ । ରଥଯାତ୍ରାର ଅନ୍ୟ ନାମ ଥିଲା ଗୁଣ୍ଡିଚା ଯାତ୍ରା । ସମ୍ଭବତଃ ଗୁଣ୍ଡିଚ ଅଞ୍ଚଳ ପୁରୁଷୋତ୍ତମ ତତ୍ତ୍ୱ ଇତିହାସର ଆଦି ପର୍ଯ୍ୟାୟ ବୋଲି ଅନୁମାନ ହୁଏ । ଅନୁମାନ କରାଯାଇ ପାରେ ଯେ ପ୍ରାଥମିକ ପର୍ଯ୍ୟାୟରେ ପୁରୁଷୋତ୍ତମ ବିଗ୍ରହ ପରିବର୍ତ୍ତେ  ଦାରୁ ରୂପୀ ଚତୁର୍ଦ୍ଧା ମୂର୍ତ୍ତି ବୃହତ୍ ମନ୍ଦିରରେ ପୂଜିତ ହେବା ପୂର୍ବରୁ ଏହି ଗୁଣ୍ଡିଚା ମଣ୍ଡପ ଥିବା ସ୍ଥାନରେ ଦାରୂ ମୂର୍ତ୍ତି ନିର୍ମାଣ କରାଯାଇଥିବ । ଗୁଣ୍ଡିଚା ଶବ୍ଦଟି ସହିତ ଜଡିତ ରହିଛି ଆଦିବାସୀ ଉପାସନା ପଦ୍ଧତି । ହୁଏତ ଦାରୁବିଗ୍ରହର ଅନ୍ୟ ଅର୍ଥ ଗୁଣ୍ଡିଚା (ସେହିଗଣ୍ଡି) । କିମ୍ବା ଗୁଣ୍ଡିଚା ମଣ୍ଡପ ଥିବା ସ୍ଥାନରେ କୌଣସି ଆଦିମ ଉପାସନା ସହିତ ଜଡିତ ବୃକ୍ଷର ଗଣ୍ଡି ଉପାସନା ପ୍ରଥମେ ପ୍ରଚଳିତ ଥିଲା-ଯାହା ଗଙ୍ଗ ରାଜତ୍ୱ କାଳରେ ହିନ୍ଦୁକରଣ ପ୍ରକ୍ରିୟାରେ ଚତୁର୍ଦ୍ଧା ଦାରୂ ମୂର୍ତ୍ତି ରୂପ ନେଇଥିଲା । ଜଗନ୍ନାଥଙ୍କର ମହାମନ୍ଦିର ଏହି ଗୁଣ୍ଡଚାଠାରୁ ଦୂରରେ ଅବସ୍ଥିତ ଥିବାରୁ ଏପରି ଗୁଣ୍ଡ ିଚା ଯାତ୍ରା ଗଙ୍ଗ ରାଜତ୍ୱ କାଳରେ ପ୍ରଚଳିତ ହେଲା । ଏହାଦ୍ୱାରା ଜଗନ୍ନାଥ ଦାରୂ ଦେବତା ତାଙ୍କ ମୂଳ ସ୍ଥାନକୁ ବର୍ଷକରେ ଥରେ ଯାଇ ପୂଜିତ ହୋଇପାରିଲେ । କାରଣ ଗୁଣ୍ଡିଚା ମନ୍ଦିରରେ ରଥ ଯାତ୍ରା କାଳରେ ଉପାସନା ଦାୟିତ୍ୱ ନେଇଥିବା ସେବକ ଦଇତା ଶବର ବଂଶଜ ବୋଲି ଗ୍ରହଣ କରାଯାଇଛି । ଏକ ଦୃଷ୍ଟିକୋଣରୁ ଏହି ଗୁଣ୍ଡିଚା ବା ରଥ ଯାତ୍ରା ମୂଳରେ ଜଗନ୍ନାଥଙ୍କର ଆଦିମ ମୂଳରହସ୍ୟ ନିହିତ । ଅନ୍ୟ ଦୃଷ୍ଟିକୋଣରୁ ପୁରୁଷୋତ୍ତମଙ୍କର ଉପାସନାର ଆଦି ପର୍ଯ୍ୟାୟ ସହିତ ଏହି ଅଞ୍ଚଳ ଜଡିତ ଥିବାରୁ ପୁରୁଷୋତ୍ତମଙ୍କର ଜ୍ୟେଷ୍ଠ ଯାତ୍ରାକୁ ପ୍ରସାରିତ କରି ଆଷାଢ ମାସରେ ଗୁଣ୍ଡିଚା ଯାତ୍ରା ଆୟୋଜନ କରାଯାଇ ଥାଇପାରେ । ପ୍ରସଂଗ ଅନୁରୋଧରେ ଏଠାରେ ମତ ଦିଆଯାଇପାରେ ଯେ ପୁରୁଷୋତ୍ତମ କ୍ଷେତ୍ର ସମ୍ପର୍କିତ ସୂତସଂହିତାରେ ଗୁଣ୍ଡିଚା ମଣ୍ଡପକୁ ଆଡପ ମଣ୍ଡପ ବା ଆଦି ପୀଠରୂପେ ବର୍ଣ୍ଣନା କରିବା ମୂଳରେ ଦାରୁବିଗ୍ରହ ଉପାସନାର ଆଦି ପର୍ଯ୍ୟାୟ ଜଡିତ । ଏହି ଅବକାଶରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ-ଚତୁର୍ଦ୍ଧା ଦାରୁବିଗ୍ରହ ରଥରେ ଗୁଣ୍ଡିଚା ଯାତ୍ରାକୁ ରଥ ଯାତ୍ରାବୋଲି କୁହାଯାଏ । ଏପରି ଯାତ୍ରା ଜଗନ୍ନାଥଙ୍କର ସାର୍ବଭୌମ କ୍ଷମତାର ପରିଚୟ ବହନ କରିଥାଏ; କାରଣ ଗଙ୍ଗ ରାଜତ୍ୱ କାଳରେ ଗଙ୍ଗରାଜା ତୃତୀୟ ଅନଙ୍ଗଭୀମ ପ୍ରଥମେ ତାଙ୍କ ସାମ୍ରାଜ୍ୟକୁ ପୁରୁଷୋତ୍ତମ-ଜଗନ୍ନାଥ ସାମ୍ରାଜ୍ୟରୂପେ ଗ୍ରହଣକରି ନିଜେ ଏକ ରାଉତ ରୂପେ ଶାସନ କରିଥିବା ପ୍ରସଂଗ ତାଙ୍କ ଶିଳାଲିପିମାନଙ୍କରେ ସୂଚିତ । ତେଣୁ ରଥଯାତ୍ରା ମୂଳରେ ସେହି ସମ୍ରାଟ ପଣର ବିଜ୍ଞାପନ ରହିଛି । ଗଙ୍ଗ ରାଜତ୍ୱ କାଳରେ ରଥ ଯାତ୍ରା ଅବକାଶରେ ରାଜା କେବଳ ଉପସ୍ଥିତ ରହି ନିଜର ସାମନ୍ତ ପଣକୁ ସୂଚନା ଦେଉଥିଲେ । ଦେବାଧିଦେବ, ରାଜାଧିରାଜ ଜଗନ୍ନାଥ ସମଗ୍ର ଓଡିଶା ସାମ୍ରାଜ୍ୟର ଅଧୀଶ୍ୱର ରୂପେ ସ୍ୱୀକୃତ ହେଉଥିଲେ ଏହି ମହୋତ୍ସବରେ । ୟୁରୋପୀୟ ଫ୍ରାଇଆସ୍ୟ ଓଡରିକ୍ୟ ୧୩୨୧ ଖ୍ରୀଷ୍ଟାବ୍ଦରେ ଦେଇଥିବା ବିବରଣୀରେ ରାଜଶକ୍ତି ଓ ରଥଯାତ୍ରା ସମ୍ପର୍କରେ ସୂଚନା ରହିଛି:

Annually on the recurrence of the day when the idol was made, the folk of the country come and take it down, and put it on a fine chariot; and then the king and queen and the whole body of the people join together and draw it forth from Church with loud singing of songs and all kinds of music.(Kulke, Hermann, ‘Rathas and Rajas: The Car Festival at Puri’ in Mobile Architecture in Asia:Ceremonial Chariots, Floats and Carriages, ed. G.Michell and J.Pieper: in The Cult and Culture of Lord Jagannath, ed.D.Panda and S.C.Panigrahi, Cuttack, 1984, p.187)

ପରବର୍ତ୍ତୀ ପର୍ଯ୍ୟାୟରେ ସୂର୍ଯ୍ୟବଂଶୀ ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ ଜଗନ୍ନାଥଙ୍କ ରାଜା ଆଦ୍ୟ ସେବକ ରୂପେ ରଥଯାତ୍ରା ସମୟରେ ଦେବତାଙ୍କର ଛେରା ପହଁରା କରିବାର ବିଧି ପ୍ରଚଳିତ ହେଲା । ରାଉତରୁ ଗଜପତି ରାଜା ସେବକ ରୂପେ ଜଗନ୍ନାଥଙ୍କର ଆଧିପତ୍ୟ ଗ୍ରହଣ କଲେ । ଏହି ଯାତ୍ରା ଦ୍ୱାରା ବ୍ରାହ୍ମଣ ଓ ଅବ୍ରାହ୍ମଣ ସେବକ ସମ୍ପ୍ରଦାୟ ମଧ୍ୟରେ ମତଭେଦ/ବିବାଦ ଅବସାନ ଘଟିଲା । କିନ୍ତୁ ଜଗନ୍ନାଥ ସମ୍ରାଟ ରୂପରେ ରଥରେ ଭ୍ରମଣ କରିବା ଦ୍ୱାରା ରାଜନୈତିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ଗଙ୍ଗ ସାମ୍ରାଜ୍ୟ ଦୃଢହେଲା । ସେତେବେଳେ ବିଭିନ୍ନ ଧର୍ମ ସମ୍ପ୍ରଦାୟ ମଧ୍ୟରେ ବିବାଦ ତଥା ମୁସଲମାନ ମାନଙ୍କର ଗଙ୍ଗ ସୀମା ବଙ୍ଗରେ ଆଧିପତ୍ୟ ଫଳରେ ରାଜନୈତିକ ଶତ୍ରୁତା ଗଙ୍ଗ ସାମ୍ରାଜ୍ୟକୁ ଶକ୍ତ କରିବାରେ ବାଧା ସୃଷ୍ଟି କରିଥିଲା । ରଥଯାତ୍ରା ଦ୍ୱାରା ଏହି ବିରୋଧୀ ଶକ୍ତି ପୂର୍ଣ୍ଣ ନୀରବ ହୋଇଯାଇଥିଲେ । ଗଙ୍ଗ ସାମ୍ରାଜ୍ୟର ରାଜନୈତିକ ସ୍ଥିତି ତଥା ସାଂସ୍କୃତିକ କଳେବର ଏହାଦ୍ୱାରା ଶକ୍ତ ହୋଇପାରିଥିଲା ।

Share This Article
ଇତିହାସ ବିଭାଗର ପ୍ରଫେସର, ଗବେଷକ