ଓଡ଼ିଆ ସାହିତ୍ୟରେ ନାରୀ ଚେତନା: ଅଭ୍ୟୁଦୟ ଓ ବିକାଶ

ଦେଖ ଏ ଅଶିକ୍ଷିତା ନାରୀ ଗୀତ ଚାରିପଦ ଲେଖେ ବୋଲି କି ସୁନ୍ଦର ଲଭେ ଅପବାଦ

ସୁଧୀର କୁମାର ସାହୁ
ସୁଧୀର କୁମାର ସାହୁ 115 Views
20 Min Read

ଦେଖ ଏ ଅଶିକ୍ଷିତା ନାରୀ ଗୀତ ଚାରିପଦ

ଲେଖେ ବୋଲି କି ସୁନ୍ଦର ଲଭେ ଅପବାଦ

ପଦ୍ୟ ଲେଖି ବନେ ବସି କରୁଛି ରୋଦନ

ଉତ୍କଳେ କି କେହି ଅଛି କରିବ ଶ୍ରବଣ ? I୧I

ବିଂଶ ଶତକର ଆଦିକାଳରେ ବିଂଶ ଶତକର ପ୍ରଥମ ନାରୀ କବି ଅର୍ଣପୂର୍ଣାଙ୍କ ଏ ପଂକ୍ତିଟି, ଏହି ଚାପା ପ୍ରତିବାଦଭରା କାକୁସ୍ଥିଠାରୁ

ସେ ଠିଆ ଫାଡ଼ିଦେଇଥିବ ସେଦିନ

ଯୁଗଯୁଗର ଯେତେ କଳଙ୍କିତ ଦସ୍ତାବିଜ୍

ଜାଳିଦେଇଥିବ ସବୁ ଚରିତ୍ରହୀନ ଶବ୍ଦଙ୍କୁ

ଜରାଗ୍ରସ୍ତ ଦେବତାଙ୍କୁ ମାରିଥିବ ଠୋକ୍କର

ଅସ୍ୱୀକାର କରିଥିବ ସବୁ ମନମୁଖି ନିୟମ I୨I

ଏକବିଂଶ ଶତକର ଏହି ଦୃଢ଼ ଓ ଆତ୍ମବିଶ୍ୱାସସମ୍ପନ୍ନ ପ୍ରତିରୋଧ ତଥା ପିତୃସତ୍ତାର ଆଧିପତ୍ୟକୁ ଖୋଲାଖୋଲି ଆହ୍ୱାନ ମଧ୍ୟରେ ଦୋଳାୟିତ ଓଡ଼ିଆ କବିତାର ନାରୀ ଚେତନା I ତେବେ, ବିଂଶ ଶତକ ପୂର୍ବରୁ ବି କେତେକ ନାରୀ ଲେଖନୀ ଚାଳନା କରିଥିଲେ .I

ଓଡ଼ିଆ ସାହିତ୍ୟରେ ନାରୀ ଚେତନାର ବିକାଶକୁ ବୁଝିବାକୁ ଚେଷ୍ଟା କରିବା I ଓଡ଼ିଆ ସାହିତ୍ୟରେ ନାରୀ ରଚନା ଓ ନାରୀ ଚେତନାକୁ ଆମେ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରି ଆଲୋଚନା କରିପାରିବା l ସମାଜ ସଂରଚନା ତଥା ସମାଜ ବ୍ୟବସ୍ଥା ପ୍ରତିଟି ଯୁଗରେ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ ଏବଂ ଏହା ହିଁ ସାହିତ୍ୟର ଯୁଗରୁଚି ନିର୍ମାଣ କରିଥାଏ l ତେଣୁ କୌଣସି ଯୁଗର ସାହିତ୍ୟର ଯୁଗରୁଚିକୁ ପରଖି ସେହି ସାହିତ୍ୟ ନିର୍ମାଣ କରିଥିବା ସମାଜର ଚେତନାକୁ ବୁଝାଯାଇପାରେ l ଯୁଗରୁଚି ଓ ଯୁଗଚେତନା ଭେଦରେ ଓଡ଼ିଆ ସାହିତ୍ୟର ନାରୀ ରଚନାକୁ ଆମେ ଚାରି ଭାଗରେ ବିଭକ୍ତ କରି ଆଲୋଚନା କରିପାରିବା l ପ୍ରଥମ ପର୍ଯ୍ୟାୟରେ ମଧ୍ୟଯୁଗରୁ ଉନବିଂଶ ଶତକ ଶେଷ ଯାଏଁ, ଦ୍ୱିତୀୟ ପର୍ଯ୍ୟାୟ ବିଂଶ ଶତକର ପ୍ରାରମ୍ଭରୁ ୧୯୫୦ ଯାଏଁ, ତୃତୀୟ ପର୍ଯ୍ୟାୟ ୧୯୫୦ରୁ ୨୦୦୦ ଯାଏଁ ତଥା ଚତୁର୍ଥ ପର୍ଯ୍ୟାୟ ଏକବିଂଶ ଶତକର ନାରୀ ରଚନା l ଏହି ପ୍ରବନ୍ଧରେ କେବଳ ପ୍ରଥମ ଦୁଇଟି ପର୍ଯ୍ୟାୟର ଆଲୋଚନା ରହିଛି l

ଓଡ଼ିଶାର ମଧ୍ୟଯୁଗରେ ମାଧବୀ ଦାସୀ, ବୃନ୍ଦାବତୀ ଦାସୀ, ନିଶଙ୍କ ରାୟଙ୍କ ରାଣୀ ତଥା କେତେଜଣ ଜେମାଦେଇ ଓ ବୈଷ୍ଣବୀ ଦାସୀ କାବ୍ୟକବିତା ରଚ଼ନା କରିଥିଲେ । ଏମାନଙ୍କ ମଧ୍ୟରେ ମାଧବୀ ଦାସୀ ସର୍ବପୁରାତନ । ମାଧବୀ ପନ୍ଦରଶହ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତା ହୋଇଥିଲେ ଓ ଚୈତନ୍ୟଙ୍କ ଶିଷ୍ୟା ଥିଲେ । ଓଡ଼ିଆ,ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ସେ ପାରଦର୍ଶିତା ଅର୍ଜନ କରିବା ସହ ସେ ବ୍ରଜବୋଲି ଭାଷାରେ ରାଧାକୃଷ୍ଣ ପ୍ରେମଲୀଳା ସମ୍ବନ୍ଧିତ କାବ୍ୟ ତଥା ସଂସ୍କୃତରେ ପୁରୁଷୋତ୍ତମ ଦେବ ନାଟକମ୍  ରଚନା କରିଥିଲେ । କବିସିଦ୍ଧିର ପ୍ରାପ୍ତି ସହ ବୈଷ୍ଣବ ଧର୍ମର ସାଧିକା ଭାବରେ ସେ ପରମ ବୈଷ୍ଣବୀ ରୂପେ ପରିଚିତା ହୋଇଥିଲେ । ତଥାପି ସେ ନାରୀ ବୋଲି ଚୈତନ୍ୟଙ୍କ ଦର୍ଶନରୁ ବଞ୍ଚିତା ହୋଇଥିଲେ । ସେହିପରି ଚୈତନ୍ୟ ଚରିତାମୃତର ରଚୟିତା କୃଷ୍ଣ ଦାସ ଶ୍ରୀଚୈତନ୍ୟଙ୍କ ଚାରିଜଣ ଅନ୍ତରଙ୍ଗ ଶିଷ୍ୟମାନଙ୍କ ସୂଚନାଦେଇ, ତାକୁ ସାଢ଼େ ତିନିଜଣରେ ସୀମିତ ରଖନ୍ତି । କାରଣ, ତନ୍ମଧ୍ୟରୁ ଜଣେ ମାଧବୀ ଥିଲେ ଏବଂ ମାଧବୀ ନାରୀ ହୋଇଥିବାରୁ ଜଣେ ସଂପୂର୍ଣ ବ୍ୟକ୍ତି ଭାବରେ ଗଣିତା ନ ହୋଇ ଅଧାଜଣ ରୂପରେ ଗଣାହେଲେ ।୩।

ଏଇଠି ଦୁଇଟି କଥା ଲକ୍ଷ୍ୟଣୀୟ । ପ୍ରଥମ ତ ମାଧବୀ ନାରୀ ହୋଇଥିବାରୁ ପରମ ବୈଷ୍ଣବୀ ହୋଇ ମଧ୍ୟ ଶ୍ରୀଚୈତନ୍ୟଙ୍କ ଦର୍ଶନ ପ୍ରାପ୍ତିରୁ ବଞ୍ଚିତା ହେଲେ । ବୈଷ୍ଣବ ଧର୍ମରେ ସାଧିକାମାନେ ସ୍ୱୀକୃତ ଥିଲେ ଏବଂ ଶ୍ରୀଚୈତନ୍ୟ ନିଜେ ନାରୀମାନଙ୍କୁ ଦୀକ୍ଷା ଦେଉଥିଲେ । ସୁରେନ୍ଦ୍ର ମହାନ୍ତିଙ୍କଠାରୁ ସୂଚନା ମିଳେ ଯେ ପ୍ରତାପରୁଦ୍ରଙ୍କ ମନ୍ତ୍ରୀ ସାର୍ବଭୌମଙ୍କ କନ୍ୟା ଚୈତନ୍ୟଙ୍କ ଶିଷ୍ୟା ଥିଲେ । ତାଙ୍କୁ ଦୀକ୍ଷା ଦେବାକୁ ସାର୍ବଭୌମଙ୍କ ଘରକୁ ଶ୍ରୀଚୈତନ୍ୟ ନିୟମିତ ଯାଉଥିବାରୁ ତଥା ଏହାକୁ ସାର୍ବଭୌମଙ୍କ ଜ୍ୱାଇଁ ବିରୋଧ କରୁଥିବାରୁ; ଚୈତନ୍ୟଙ୍କ ତାଙ୍କ ଘରକୁ ବିଜେ କରିବା ସମୟରେ ସାର୍ବଭୌମ ତାଙ୍କ ଜ୍ୱାଇଁଙ୍କୁ ପ୍ରତିରୋଧ କରିବାକୁ ଏକ ଲାଠି ନେଇ ଦ୍ୱାର ନିକଟରେ ଛିଡ଼ାରହୁଥିଲେ ।୪। ଏପରି ସ୍ଥିତିରେ ମାଧବୀଙ୍କୁ ନାରୀ ବୋଲି ଦର୍ଶନ ନ ଦେବାଟା ଆଶ୍ଚର୍ଯ୍ୟଜନକ ଲାଗେ । ଏହା ନାରୀର ପ୍ରତିଭା ଓ ପ୍ରତିଷ୍ଠା ପ୍ରତି ଏକ ସ୍ୱାଭାବିକ ପୁରୁଷତାନ୍ତ୍ରିକ ଇର୍ଷା ଓ ଉପେକ୍ଷା ଥିଲା ନା ସେ ସମୟଯାଏଁ ପୁରୁଷତନ୍ତ୍ରର ଏକଚାଟିଆ ଅଧିକାର ପରି ମନେକରାଯାଉଥିବା ରଚନା କର୍ମ ବିରୁଦ୍ଧରେ ନାରୀଟିଏ କଲମ ଉଠାଇବା ପରି ଏକ ବିଦ୍ରୋହ କରିଥିବା ନାରୀ ପାଇଁ ଏହା ଅବଦମନର ଏକ ଉପାୟ ଥିଲା । ପୁରୁଷ, ସେ ରାଜା ହେଉ କି ବ୍ରାହ୍ମଣ ହେଉ କି ହେଉ ସନ୍ୟାସୀ, ନାରୀକୁ ତାର ଉପଯୁକ୍ତ ସମ୍ମାନ ଦେଇ ପୁରୁଷ ତନ୍ତ୍ରର ଏକଚାଟିଆ ଆଧିପତ୍ୟକୁ ଅପମାନିତ ବା କେମିତି କରିବ ! ତାହା ପୁଣି ସେହି ସମାଜରେ ଯେଉଁଠି ପୁରୁଷତନ୍ତ୍ର ନାରୀକୁ ଏକ ସମ୍ପୂର୍ଣ ମଣିଷ ଭାବରେ ଗ୍ରହଣ କରିପାରେନାହିଁ, ଅଧା ଗଣେ । ବୈଷ୍ଣବ ଧର୍ମ, ସେ ସହଜିଆ ହେଉ କି ଉତ୍କଳୀୟ, ଉଭୟ ଯଦିଓ ବୈଚାରିକ ଓ ଦାର୍ଶନିକ ରୂପରେ ସହଜତନ୍ତ୍ରର ଉତ୍ତରାଧିକରଣ କରିଥିଲେ, ପଞ୍ଚଦଶ ଶତକକୁ ଆସିଲା ବେଳକୁ ରାଜ୍ୟ ସଂସ୍ଥା ଓ ବ୍ରାହ୍ମଣ୍ୟତନ୍ତ୍ରର ନିକଟକୁ ଆସି ପିତୃସତ୍ତାତ୍ମକ ସାମନ୍ତବାଦର ପୃଷ୍ଠପୋଷକତା ଆରମ୍ଭ କରିସାରିଥିଲେ ।

ମାଧବୀଙ୍କ ପରେ ରୀତିଯୁଗରେ ତତ୍କାଳୀନ ଯୁଗରୁଚି ଅନୁଯାୟୀ ବୃନ୍ଦାବତୀ ଦାସୀ ଓ ନିଶଙ୍କ ରାୟଙ୍କ ରାଣୀ କାବ୍ୟ ରଚନା କରିଥିଲେ । ଏମାନଙ୍କ ବ୍ୟତୀତ କେତେକ ଜେମା ଦେଈ ଯଥା; ଶିବପ୍ରିୟା ଜେମା ଦେଈ, ଚିତ୍ରମାଳୀ ଜେମା ଦେଈ, ରତ୍ନମାଳୀ ଜେମା ଦେଈ, ମନୋରମା ଜେମା ଦେଈ, କୃଷ୍ଣପ୍ରିୟା ଜେମା ଦେଈ, ରଜମଣି ଜେମା ଦେଈ, ନୟନମାଳି ଜେମା ଦେଈ ଓ ମର୍ଦ୍ଦରାଜ ଜେମା ଦେଈ ପ୍ରଭୃତି ଅନେକ ରାଜ ପରିବାର ସଂଭୂତା ନାରୀ କବି ମଙ୍ଗଳ ଗୀତିକା ଆଦି ରଚନା କରିଥିବା ବେଳେ ବୈଷ୍ଣବୀ ଦାସୀ  କବିମାନେ ବୈଷ୍ଣବ ପଦାବଳୀ, ଗୀତିକବିତା, ଛାନ୍ଦ, ଚଉପଦୀ ଆଦି ରଚନା କରିଥିବାର ଜଣାଯାଏ ।୫।

ଏହି ଯୁଗର ନାରୀ କବିମାନେ ସାଧାରଣତଃ ଦୁଇଟି ବର୍ଗରୁ ଥିଲେ । ସେମାନେ ହୁଏତ ଥିଲେ ରାଜ ପରିବାରରୁ ଅଥବା ଥିଲେ ବୈଷ୍ଣବ ଧର୍ମାବଳମ୍ବୀ । କିନ୍ତୁ, ତତ୍କାଳୀନ ସମାଜରେ ନାରୀ ପାଇଁ ଯେଉଁ କଠୋର ଅନୁଶାସନର ଅଲଂଘନୀୟ ଶୃଙ୍ଖଳ ବେଢ଼ିରହିଥିଲା, ନିଜକୁ ସେଥିରୁ ମୁକ୍ତ କରିପାରିନଥିଲେ ସେମାନେ । ସେ ସମୟରେ ସଂଗୀତ, ଚିତ୍ର, ନୃତ୍ୟଗୀତ ଓ କବିତା ଅଭ୍ୟାସ କରୁଥିବା ନାରୀ ପକ୍ଷେ ନିନ୍ଦନୀୟ ବ୍ୟାପାର ଥିଲା । ନିଜକୁ ପ୍ରକାଶ କରିବାର ଅଦମ୍ୟ ଆକୁଳତା ସତ୍ତ୍ୱେ ସେହି ନିନ୍ଦାର ଭୟ ସେମାନଙ୍କୁ ଭୀରୁ କରିରଖିଥିଲା । ମର୍ମେ ମର୍ମେ ଆତ୍ମପୀଡ଼ନରେ ଘାରିହୋଇ ଏହି ଭୀରୁ କବିକୁଳ ନିଜ ମତକୁ କୁଣ୍ଠିତ ଭାବରେ ଉଚ୍ଚାରଣ କରୁଥିଲେ । ବୃନ୍ଦାବତୀ ଦାସୀ ତାଙ୍କ କାବ୍ୟରେ ଶ୍ରୀକୃଷ୍ଣଙ୍କ ରୂପ ବର୍ଣନା କଲାବେଳେ ବଡ଼ କୁଣ୍ଠିତ ସ୍ୱରରେ ବର୍ଣନା କରିଥିଲେ ଯେ ପରପୁରୁଷ (କୃଷ୍ଣ)ର ରୂପ ବର୍ଣ୍ଣନା ସତୀଧର୍ମ ବିରୋଧୀ ହେଲେ ହେଁ ସେ (କୃଷ୍ଣ) ତାଙ୍କ ପତିଙ୍କର ସଖା ହୋଇଥିବାରୁ ସେ ତାହା କରିବାକୁ ସାହସ କରିଛନ୍ତି । ନିନ୍ଦିତ ହେବା ଭୟରେ ଏହା ଏକ ପରିପ୍ରକାଶ । ନିଶଙ୍କ ରାୟଙ୍କ ରାଣୀ ମଧ୍ୟ ସେହିପରି ନିଜକୁ ଅକିଞ୍ଚନ ସାବ୍ୟସ୍ତ କରି କହିଛନ୍ତି ”ରାଜଗୃହେ ବନ୍ଦୀପ୍ରାୟେ ହୋଇ ଧନ୍ଦି… ”। ନିଶଙ୍କ ରାୟଙ୍କ ରାଣୀ ନିଜ ନାଁରେ ତାଙ୍କର କାବ୍ୟ ପ୍ରକାଶ କରିନାହାନ୍ତି; କରିପାରିନାହାନ୍ତି । । ସମାଜ ବ୍ୟବସ୍ଥା ଓ ପୁରୁଷ ତନ୍ତ୍ରର ତାଡ଼ଣା ଏପରି ଥିଲା ଯେ କେତେକ ନାରୀ କବି ନିଜର ଅସ୍ତିତ୍ୱକୁ ସମ୍ପୂର୍ଣ ବିଲୁପ୍ତ କରିଦେବା ପାଇଁ, ନିଜ ନାଁକୁ ନିଜେ ଢୋକିନେଇ ସ୍ୱାମୀଙ୍କ ନାମରେ ଅଥବା ପିତାଙ୍କ ନାମରେ ନିଜର ପରିଚୟ ଦେଇଛନ୍ତି । ଏହିପରି ପ୍ରାଚୀନ କାଳରେ ଏହି କବିମାନେ ଅତୂଳନୀୟ କାବ୍ୟପ୍ରତିଭା ପ୍ରଦର୍ଶନ କରିଥିଲେ ହେଁ ନିଜ ନିଜ ଲେଖାରେ ନିଜକୁ ’ଛାରନାରୀ ’, ’ପାମରନାରୀ ’, ’ଅବଳାନାରୀ ’ଆଦି ରୂପରେ ବାରମ୍ବାର ବର୍ଣ୍ଣନା କରି ନିଜର ତୁଚ୍ଛତା, ଅସାରତା ଘୋଷଣା କରିଛନ୍ତି ।୬। ଏହା ଥିଲା ସାମନ୍ତବାଦୀ ବ୍ରାହ୍ମଣ୍ୟତନ୍ତ୍ରର ରକ୍ଷଣଶୀଳ ପିତୃସତ୍ତାର ଏକାଧିକାରର ଯୁଗ । ଏ ଅବଦମନ ଓ ନାରୀ ନିଜକୁ ତୁଚ୍ଛମଣିବାର ପରମ୍ପରା ବିଂଶ ଶତକର ପ୍ରଥମ ପର୍ଯ୍ୟାୟ ପର୍ଯ୍ୟନ୍ତ ଗଡ଼ିଆସିଥିଲା । ତେବେ ବିଂଶ ଶତକର ଏ ସ୍ୱରରେ ନାରୀକଣ୍ଠରେ ପ୍ରତିବାଦଟେ ବି ରହିଥିଲା ।

ବିଂଶ ଶତକକୁ ପହଞ୍ଚିଲା ବେଳକୁ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିସାରିଥିଲା I ଉନବିଂଶ ଓ ବିଂଶ ଶତକ କେବଳ ୟୁରୋପ ନୁହେଁ, ଭାରତ ବର୍ଷରେ ବି ଅନେକ ପରିବର୍ତ୍ତନର ସଂକେତ ନେଇ ଆସିଥିଲା I ଉନବିଂଶ ଶତକରେ ସମଗ୍ର ବିଶ୍ୱରେ ଦର୍ଶନ ଓ ଚିନ୍ତନରେ ଅଭୂତପୂର୍ବ ନୂତନ ଆଲୋକଗୁଡ଼ିକର ସଂଧାନ ମିଳିଥିଲା; ଯାହା ନବଜାଗରଣର ପ୍ରକ୍ରିୟାକୁ ନୂତନ ଆଲୋକ ପ୍ରଦାନ କରିବା ସହ ତ୍ୱରାନ୍ୱିତ କରିଥିଲା I ନିତ୍ସେ, ଡାରଉଇନ୍, ମାର୍କସ, ଏନ୍ଗେଲ୍ସ, ଲେନିନ୍, ମୋର୍ଗାନ ଆଦି ଚିନ୍ତକ ଓ ଗବେଷକମାନଙ୍କ କାର୍ଯ୍ୟାବଳୀ ସମଗ୍ର ଜଗତରେ ନୂତନ ଚେତନାଗୁଡ଼ିକର ଉଦ୍ଦୀପନା ଖେଳେଇଦେଇଥିଲା I ଅନେକ ନୂତନ ବୈଜ୍ଞାନିକ ଉଦ୍ଭାବନ ସହ ପ୍ରିଣ୍ଟିଂ ପ୍ରେସର ପ୍ରସାର ସକଳ ନୂତନ ଚିନ୍ତାଚେତନାକୁ ସାରା ଦୁନିଆଁରେ ଖେଳେଇଦେବାର କାମଟି କରିଥିଲା I ଭାରତ ବର୍ଷରେ ଇଂରାଜୀ ଶିକ୍ଷା ପ୍ରଚଳନର ଆରମ୍ଭ ହୋଇ ସମଗ୍ର ବିଶ୍ୱର ନୂତନ ଚିନ୍ତାଚେତନାକୁ ଭାରତ ବର୍ଷଯାଏଁ ବୋହିଆଣିଥିଲା I ଏହି ସମୟରେ ହିନ୍ଦୁ ଧର୍ମର ଏକୀକରଣରେ ଚିନ୍ତିତ କେତେକ ଇଂରାଜୀ ପଢ଼ୁଆ ଚିନ୍ତାମନୀଷୀ, ଏହାର ନିଦାନର ଉପାୟ ଭାବରେ ବ୍ରାହ୍ମଣ୍ୟ ଧର୍ମର କଠୋରତା, ନାରୀ ବିରୋଧୀ ଆଭିମୁଖ୍ୟ ଆଦିରେ ସଂସ୍କାର ଆଣିବା ନିମନ୍ତେ ଆର୍ଯ୍ୟ ସମାଜ, ବ୍ରାହ୍ଣ ସମାଜ ଆଦି ନୂତନ ଉଦାରପନ୍ଥୀ ପନ୍ଥା ଗୁଡ଼ିକର ସ୍ଥାପନା ଓ ପ୍ରସାର କରିଥିଲେ I ଅଶିକ୍ଷା ଓ ଅନ୍ଧବିଶ୍ୱାସର ନିଗୁଢ଼ ଅନ୍ଧକାର ଭିତରେ ପ୍ରଗତି ଓ ପରିବର୍ତ୍ତନ ଆକାଂକ୍ଷୀ ମଣିଷ ମନରେ ଏଗୁଡ଼ିକ କିଛି ଆଲୋକ ଓ ଆତ୍ମବିଶ୍ୱାସ ସଂଚାର କରିପାରିଥିଲେ I ସେଦିନ ମଣିଷ ଜାତି ବୁଝିଥିଲା ଯେ ସାମାଜିକତା ଓ ସାମୂହିକତା ହିଁ ମଣିଷକୁ ପ୍ରଗତିର ସେହି ଆଲୋକିତ ସୋପାନ ଆଡ଼କୁ ନେଇଯାଇପାରିବ I ସ୍ୱାଧୀନତା, ସ୍ୱତନ୍ତ୍ରତା ଓ ଭାଇଚାରାର ବିସ୍ତାର ହିଁ ମଣିଷକୁ ସୁଖ, ଶାନ୍ତି ଓ ପ୍ରଗତିର ରାସ୍ତା ବତେଇପାରିବ I

ଓଡ଼ିଶାରେ ଉନବିଂଶ ଶତକରେ ଆରମ୍ଭ ହୋଇ ବିଂଶ ଶତକ ବେଳକୁ ଇଂରାଜୀ ଶିକ୍ଷା ଫଳି ଫୁଲିସାରିଥିଲା I ୧୮୩୮ ମସିହାରେ ପ୍ରଥମେ ପୁରୀରେ ଏକ ଇଂରାଜୀ ସ୍କୁଲ ସ୍ଥାପିତ ହୋଇଥିଲା I ପରେ ୧୮୪୧ ମସିହାରେ କଟକରେ ଓ ୧୮୬୩ ମସିହାରେ ବାଲେଶ୍ୱରରେ ଇଂରାଜୀ ସ୍କୁଲ ସ୍ଥାପିତ ହୋଇଥିଲା I୭I ୧୮୫୪ ମସିହାରେ ଭାରତ ସରକାର ନାରୀଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ I ୧୮୭୧ ମସିହାରେ କଟକରେ ଏକ ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ଉପସ୍ଥାନ ବହୁତ ନଗଣ୍ୟ ଥିଲା I ୧୮୮୧ ମସିହାରେ ମାତ୍ର ପଚିଶ ଜଣ ଛାତ୍ରୀ ସ୍କୁଲକୁ ଆସିଥିଲେ ଓ ସେମାନଙ୍କ ମଧ୍ୟରୁ ମାତ୍ର ଚାରିଜଣ ଓଡ଼ିଆ ଝିଅ ଥିଲେ I୮I ପରବର୍ତ୍ତୀ ସମୟରେ ନାରୀ ଶିକ୍ଷା ଓ ନାରୀର ସ୍ୱାଧୀନତା ତଥା ସ୍ୱାବଲମ୍ବୀତାର ପ୍ରବଳ ପ୍ରବକ୍ତା କର୍ମୀ, ଲେଖିକା ତଥା କବି ରେବା ରାୟ ନିଜର ସହଯୋଗୀ ଇନ୍ଦୁବାଳା ଦେବୀଙ୍କ ସହ ନିଜ ଘରେ କଟକରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ I ନିଜର ସମସ୍ତ ଆସବାବପତ୍ର ଯୋଗାଇ, ଦୁଇଟି ଗାଡ଼ି ନିଜେ କରି ମହିଳାମାନଙ୍କୁ ତାଙ୍କ ଘରୁ ଆଣି ଶିକ୍ଷାଦାନ କରୁଥିଲେ ଓ ପୁଣି ସେମାନଙ୍କୁ ନିଜ ନିଜ ଘରେ ଛାଡ଼ିବାର ବନ୍ଦୋବସ୍ତ କରିଥିଲେ I୯I କେବଳ ସେତିକି ନୁହେଁ, ତତ୍କାଳୀନ ରୂଢ଼ବାଦୀ ଓ ରକ୍ଷଣଶୀଳ ସମାଜର ପ୍ରତିସ୍ପର୍ଦ୍ଧାରେ ରେବା ବିଧବା ବିବାହ ସଂଗଠନ କରି ବିଧବା ବିବାହ ସମ୍ପନ୍ନ କରିଥିଲେ  I ପ୍ରଭାତ ସାହିତ୍ୟ ପତ୍ରିକାର ସଂପାଦନା କରି ନାରୀମାନଙ୍କ ସାମାଜିକ ଅବସ୍ଥା ତଥା ସେମାନଙ୍କ ବିଡ଼ମ୍ବିତ ଅବସ୍ଥାରୁ ମୁକ୍ତି ସମ୍ପର୍କରେ ଲେଖାମାନ ପ୍ରସ୍ତୁତ କରୁଥିଲେ I ୧୮୯୨ ମସିହାରେ ସେ ସ୍ତ୍ରୀ ଶିକ୍ଷା ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ I ପଣ୍ଡିତ ରମାବାଈ ସରସ୍ୱତୀଙ୍କ ଜୀବନୀ ବିବାହ ବିଦ୍ରୋହ  ରଚନା ସହ ତାଙ୍କର କବିତା ପୁସ୍ତକ ଅଞ୍ଜଳୀ  ପ୍ରକାଶ ପାଇଥିଲା ୧୯୦୪ ମସିହାରେ I୧୦I ରେବା ରାୟ ଏକାଧାରରେ ସମାଜ କର୍ମୀ, ସଙ୍ଗଠିକା, ଲେଖିକା, ସମ୍ପାଦିକା ଓ ସଂଘର୍ଷଶୀଳା ମହିଳା ଥିଲେ I ସେହିପରି ମଧୁବାବୁଙ୍କ କନ୍ୟା ଶୈଳବାଳା ଦାସ ତାଙ୍କ ଭଉଣୀ ସୁଧାଂଶୁବାଳା ହାଜରାଙ୍କ ସହ ଘର ଘର ବୁଲି ଅର୍ଥ ସଂଗ୍ରହ କରି ରେଭେନ୍ସା ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ I୧୧I

ଏହି ଇଂରାଜୀ ଶିକ୍ଷା ତଥା ବ୍ରାହ୍ମଧର୍ମ ଆଦି ସଂସ୍କାରବାଦୀ ଆନ୍ଦୋଳନର ପ୍ରଭାବ ଓଡ଼ିଶାର ସମ୍ଭ୍ରାନ୍ତ ଓ ଉଚ୍ଚ ଜାତିବଂଶ ପରିବାରମାନଙ୍କର ନାରୀମାନଙ୍କ ଉପରେ ମଧ୍ୟ ପଡ଼ିସାରିଥିଲା I କ୍ରମେ ଅନ୍ୟାନ୍ୟ ସାମାଜିକ‒ରାଜନୀତିକ ଚେତନାଗୁଡ଼ିକୁ ମଧ୍ୟ ଏହି ନାରୀ ସମାଜ ଗ୍ରହଣ କରିଥିଲା I ଜାତୀୟତାବାଦ, ସାମ୍ୟବାଦ, ସମାଜବାଦ, ଗାନ୍ଧୀବାଦ, ସମତାମୂଳକ ସମାଜ ଗଠନ ଆଦି ଚେତନା ତାର ମାନସ ଭୂମିକୁ ଆଲୋଡ଼ିତ କରିସାରିଥିଲା I ଏକ ଅବହେଳିତା, ଅବଦମିତା, ନିସ୍ପେଷିତା ତଥା ଅତ୍ୟାଚାରିତା ସତ୍ତା ଭାବରେ ଭାରତୀୟ ସମାଜରେ ନାରୀର ବିଡ଼ମ୍ବିତ ସ୍ଥିତିକୁ ସେ ବୁଝିସାରିଥିଲା I ସେଇଥିପାଇଁ ଏକ ଜାଗ୍ରତ କର୍ମୀ ଭାବରେ ସେ ଉଭୟ ସମାଜ ଓ ସାହିତ୍ୟରେ ଗତିଚଞ୍ଚଳ ହୋଇଉଠିଥିଲା I

ବିଂଶ ଶତକର ପ୍ରଥମାର୍ଦ୍ଧରେ ସାମାଜିକ ଓ ସାହିତ୍ୟିକ ଜୀବନରେ ନାରୀର ଗତି ଚଞ୍ଚଳତାର ପ୍ରକୃଷ୍ଟ ଉଦାହରଣ ରୂପେ ରେବା ରାୟ, ପଦ୍ମାବାଈ, ସୂଚାରୁ ଦେବୀ, ସୁଲୋଚନା ଦେବୀ, ଶୈଳବାଳା ଦାସ, ସୁଧାଂଶୁବାଳା ହାଜରା, ଅର୍ଣପୂର୍ଣା ଦେବୀ, ବିଷ୍ଣୁପ୍ରିୟା ଦେବୀ, ସାବିତ୍ରୀ ଦେବୀ, ସୁପ୍ରଭା କର, ନର୍ମଦା କର, ପ୍ରତିଭା ଦେବୀ,  ସରୋଜିନୀ ଚୌଧୁରୀ, ଅବନ୍ତୀ ରାଓ, ହୀରଣ୍ମୟୀ ଦେବୀ, ସୂର୍ଯ୍ୟମଣି ଦେବୀ, ସରଳା ଦେବୀ, ରମା ଦେବୀ, ମାଳତୀ ଦେବୀ, ରାଧାମଣି ଦେବୀ, କୋକିଳା ଦେବୀ, କୁନ୍ତଳା କୁମାରୀ, ବିଦ୍ୟୁତ୍ ପ୍ରଭା ଦେବୀ ଆଦି ଅନେକ ନାମ ଆମ ସମ୍ମୁଖକୁ ଆସେ I ଏହି ସମୟରେ ନାରୀ ଚେତନାର ପ୍ରମୁଖ ପ୍ରବୃତ୍ତି ମାନଙ୍କ ମଧ୍ୟରେ ସମାଜରେ ପ୍ରଚଳିତ ସମସ୍ତ କୁପ୍ରଥା, ଦମନଶୀଳ ପରମ୍ପରା, ଅନ୍ଧବିଶ୍ୱାସ, ନାରୀ ଅଶିକ୍ଷା, ବାଲ୍ୟ ବିବାହ, ଜାତିବାଦ, ପୁରୁଷର ବହୁ ବିବାହ, ସାମାଜିକ ନ୍ୟାୟିକ ଅସମତା ବିରୁଦ୍ଧରେ ତଥା ନାରୀ ଶିକ୍ଷା (କାରଣ ଏହି ପୀଢ଼ିର ନାରୀକର୍ମୀ ତଥା ଚିନ୍ତକଗଣ ଅଶିକ୍ଷା ହିଁ ନାରୀର ଆଭ୍ୟନ୍ତରୀଣ ଉପନିବେଶିକରଣ ଓ ଅବଦମନର ସବୁଠୁ ମୁଖ୍ୟ କାରଣ ବୋଲି ବୁଝିଥିଲେ ), ବିଧବା ବିବାହ, ଅସବର୍ଣ୍ଣ ବିବାହ, ସାମାଜିକ ନ୍ୟାୟିକ ସମତା, ଶ୍ରମଜୀବୀ ଓ କୃଷିଜୀବୀ ମଣିଷ ପ୍ରତି ସମ୍ମାନ, ସମବେଦନା ତଥା ସ୍ୱର ଉତ୍ତୋଳନ, ଜାତୀୟ ମୁକ୍ତି ସଂଗ୍ରାମ ଇତ୍ୟାଦି ସପକ୍ଷରେ ସଂଗଠନ, ସଂଗ୍ରାମ ତଥା ସାହିତ୍ୟ ରଚନା କରିଥିଲେ I

ଏହି ଆଲୋଚନାର ଦ୍ୱିତୀୟ ଅଂଶର ପ୍ରଥମରୁ ଉଦ୍ଧୃତ ବିଂଶ ଶତକର ପ୍ରଥମ ନାରୀ କବି ଅନ୍ନପୂର୍ଣା ଦେବୀଙ୍କ ଏ କାତର ସ୍ୱର

ଦେଖ ଏ ଅଶିକ୍ଷିତା ନାରୀ ଗୀତ ଚାରିପଦ

ଲେଖେ ବୋଲି କି ସୁନ୍ଦର ଲଭେ ଅପବାଦ

ପଦ୍ୟ ଲେଖି ବନେ ବସି କରୁଛି ରୋଦନ

ଉତ୍କଳେ କି କେହି ଅଛି କରିବ ଶ୍ରବଣ ?

ଏ ବିନୀତ ସମର୍ପଣଭାବ ନାରୀର ତତ୍କାଳୀନ ସାମାଜିକ ସ୍ଥିତିର ଏକ ନିଛକ ଚିତ୍ର ପ୍ରଦାନ କରେ I ଏ ନାରୀ ଯିଏ ଏତେ ବିନୀତ ସ୍ୱରରେ ଆପଣା ପ୍ରତିଭା ପ୍ରଖ୍ୟାପନ ଅପରାଧର ଅପବାଦରେ ଜର୍ଜରିତା ସେ ସାଧାରଣ ଗରୀବ କୂଟୀରର ଅନ୍ଧକାରରୁ ଆସିନାହିଁ; ଆସିଛି ଅଭିଜନ ବର୍ଗରୁ I ଏହା ଥିଲା ସେ ସମୟର ଅଭିଜନ ବର୍ଗୀୟ ନାରୀର ଅବରୁଦ୍ଧତାର ଆର୍ତ୍ତନାଦ, ଯାହା କ୍ରମେ ଏକ ସ୍ୱରରେ ବିକଶିତ ହୋଇ ଅବରୁଦ୍ଧତାର ଏ ବେଡ଼ିକୁ ଖୋଲିବାର ଦୃପ୍ତ ସ୍ୱରରେ ରୂପାନ୍ତରିତ ହୋଇଗଲା I ତେଣୁ ଏହି ସୀମିତତାରେ ଅଟକିଲା ନାହିଁ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ନାରୀର ସ୍ୱର I

ସ୍ୱାଧୀନତା ପୂର୍ବର, ଜାତୀୟ ମୁକ୍ତିସଂଗ୍ରାମ ବା ଆଦ୍ୟ ପ୍ରଗତିଶୀଳତାର ଯୁଗରେ ନାରୀ କବି ସୀମା ଓ ସ୍ୱାର୍ଥପରତାର ଉର୍ଦ୍ଧ୍ୱକୁ ଯାଇ ସମଗ୍ର ଜଗତ ଉଦ୍ଧାର, ସମଗ୍ର ମାନବ ଜାତିର କଲ୍ୟାଣର ତଥା ଭେଦାଭେଦହୀନତାର ନବଜାଗରଣ ନେଇ ଶ୍ରମିକ, କୃଷକ, ନିପୀଡ଼ିତର ଜାଗରଣ, ପ୍ରତିରୋଧ ଓ ପ୍ରତିବାଦର ସ୍ୱର ବି ବନିଥିଲା । ଏହି କବି ସେଦିନ ରୋମାଣ୍ଟିକ୍ ଭାବପ୍ରବଣତାଠାରୁ ସାମାଜିକ ବାସ୍ତବତା ଓ ସଂଘର୍ଷ ପ୍ରବଣତାକୁ ଅଗ୍ରାଧିକାର ଦେଇଥିଲା । ଏହି କ୍ରମରେ କୁନ୍ତଳା କୁମାରୀ ଓ ବିଦ୍ୟୁତପ୍ରଭାଙ୍କ କବିତାରୁ ଉଦାହରଣ ନିଆଯାଇପାରେ । କୁନ୍ତଳା କୁମାରୀଙ୍କ ଭାଷାରେ‒

 

ଶୁଣ ହେ ମଣିଷ ଭାଇ ।

ଝୁରିମରିବାକୁ, ବୁଡ଼ିମରିବାକୁ ମଣିଷ ଜନମି ନାହିଁ ।।୧୨I

ପୁଣି       ପଖାଳ ଭାତକୁ ନମିଳେ ଲୁଣ

ତବତ ସାଥୀକୁ ନାହିଁ ତିଆଣ

ଗୋରୁ ହେଲେ ହଡ଼ା ଲୋକ ହେଲେ ମଡ଼ା

ସାର କୁଲିଗିରି ଚାହାବଗିଚା କାମ । (ଅର୍ଚ୍ଚନା- ୧୯୨୭) ।୧୩।

ପୁଣି       ଭଗ୍ନ କୁଟୀରେ ହେ କୃଷକ ଭାଇ

ଅର୍ଦ୍ଧମୃତ ତୋର ପରିବାର

ନିତି କ୍ଳାନ୍ତି ନିତି ଖଟଣି ତୋର ତୋ’

ନ ମିଳଇ ପୂର୍ଣ ଆହାର

ନଈ ବଢ଼ି ପାଣି ଧୋଇନେଲା ତୋର

ଯତ୍ନକର୍ଷିତ କେଦାର

ନଗର ନିବାସୀ ନ ବୁଝିଲେ କେହି

ଲୁଟିନେଲେ ତୋର ଭଣ୍ଡାର I୧୪I

କୁନ୍ତଳା କୁମାରୀ ଭାରତୀୟ ମୁକ୍ତି ସଂଗ୍ରାମ ଓ ଜାତୀୟ ଜାଗରଣର ଏକ ସ୍ୱର ହେବା ସହ ସମତାପୂର୍ଣ ସମାଜ ଓ ନାରୀମୁକ୍ତିର ପ୍ରବଳ ପକ୍ଷଧର ଥିଲେ I କେବଳ କବିତା ନୁହେଁ, ଉପନ୍ୟାସଗୁଡ଼ିକରେ ବି ସାମାଜିକ ସମସ୍ୟାଗୁଡ଼ିକର ଉପସ୍ଥାପନ କରିଛନ୍ତି I ବୈଧବ୍ୟ ହିନ୍ଦୁ ସମାଜରେ, ବିଶେଷ କରି ଉଚ୍ଚଜାତି ସମାଜମାନଙ୍କରେ ଏକ ଦୁଃସହ ଅଭିଶାପ ହିଁ ଥିଲା I ନାହିଁ ନାହିଁର ଜୀବନ ଭିତରେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା, ପ୍ରତି ମୁହୂର୍ତ୍ତରେ ମରିମରି ଜୀଉଁଥିବା ଏକ ଜୀବନ I ବିଧବା ସମସ୍ୟାକୁ ନେଇ ତତ୍କାଳୀନ ଓଡ଼ିଆ ସାହିତ୍ୟରେ କେତେଗୁଡ଼ିଏ ଉପନ୍ୟାସ ରହିଛି I ଔପନ୍ୟାସିକମାନେ ବିଧବା ସମସ୍ୟାକୁ ଉତ୍ଥାପନ କରିଥିଲେ ମଧ୍ୟ, ଗାନ୍ଧୀବାଦ, ପ୍ରଗତିବାଦର ପ୍ରଭାବ ସତ୍ତ୍ୱେ ତତ୍କାଳୀନ ପୁରୁଷତାନ୍ତ୍ରିକ ବ୍ରାହ୍ମଣବାଦୀ ପରମ୍ପରା ମଧ୍ୟରେ ସ୍ୱକୀୟ ବିଶ୍ୱାସର ଅବରୁଦ୍ଧତା ହେତୁ କୌଣସି ପୁରୁଷ ଔପନ୍ୟାସିକ ସେ ସମସ୍ୟାର ସମାଧାନ କରିପାରିନଥିଲେ I କାରଣ, ବିଧବାକୁ ସ୍ୱାବଳମ୍ବୀ କରିବା ବା ବିଧବାର ବିବାହ କରାଇଦେବା ତାଙ୍କର ଜାତିଧର୍ମ ପରମ୍ପରା ବା କୁଳାଚାରର ପରିପନ୍ଥୀ ଥିଲା I କୁନ୍ତଳା କିନ୍ତୁ ସେହି ସାହସ ଦେଖେଇଥିଲେ କାଳୀବୋହୂ  ଉପନ୍ୟାସରେ I

କାଳୀବୋହୂ ଉପନ୍ୟାସ ହେଉଛି ଲକ୍ଷ୍ମୀ ଜୀବନର କାରୁଣ୍ୟ ଓ ସଂଘର୍ଷର ଏକ ଦୂରଦୃଷ୍ଟିସମ୍ପନ୍ନ ଆଲେଖ୍ୟ I ସାତବର୍ଷ ବୟସରେ ବିବାହ ଓ ଦଶବର୍ଷ ବୟସରେ ବିଧବା ହେବା ପରେ ପରମ୍ପରାର ଉତ୍କଟ ଉତ୍ପୀଡ଼ନର ଶୀକାର ହୋଇଯାଏ ଲକ୍ଷ୍ମୀ I ପରମ୍ପରା ଅନୁଯାୟୀ ଓଷାବ୍ରତରେ ବାନ୍ଧିହୋଇଯାଏ ତାର କିଶୋରୀ ଜୀବନ I ଏକାଦଶୀ ଦିନ ନିର୍ଜଳା ଉପବାସ I ବୈଶାଖ ମାସ ଦ୍ୱିପହର ଖରାରେ ତଣ୍ଟି ଶୁଖିଗଲା ବେଳେ ତା ପାଟିରେ ଟୋପାଏ ପାଣି ନଦେଇ କାନବାଟେ ଦୁଇଟୋପା ପାଣି ଢାଳିଦିଆଯ଼ାଏ I ପୁଣି ତା ବାପା ମାଁ ମରିଗଲା ପରେ ଯେଉଁମାନେ ସାହାଯ୍ୟ କରିବାକୁ ଆସନ୍ତି, ସେମାନଙ୍କର ଦୂରଭିସନ୍ଧି ବୁଝିଗଲା ପରେ ସେ ସନ୍ୟାସିନୀ ହୋଇ ବୃନ୍ଦାବନ ଚାଲିଯାଏ I ସମାଜ ଓ ପରିବାର ମଧ୍ୟରେ ଧର୍ମ ଓ ପୁରୁଷତନ୍ତ୍ରର ତାଡ଼ଣାରୁ ମୁକ୍ତି ପାଇବା ପାଇଁ ସେ ସେହି ଧର୍ମ ଓ ପୁରୁଷତନ୍ତ୍ର ଆଉ ଏକ ବଡ଼ ପୀଠ; ଯାହା ମହାନ ବୋଲି ସେ ସେହି ସମାଜରେ ଆଜି ଯାଏଁ ଶୁଣିଆସିଥିଲା, ସେଠିକି ପହଞ୍ଚିଯାଏ I କିନ୍ତୁ ସେଇଠି ପହଞ୍ଚି ସେ ଧର୍ମ ଓ ପୁରୁଷତନ୍ତ୍ର ଅଧିକ ବୀଭତ୍ସ ରୂପର ସମ୍ମୁଖୀନ ହୋଇଛି ଓ ଯମୁନାରେ ଝାସ ଦେଇ ଜୀବନ ହାରିଦେବାର ପ୍ରୟାସ କରିଛି I ତତ୍କାଳୀନ ସମାଜରେ ବିଧବା ନାରୀଙ୍କ ସ୍ଥିତି ଓ ଶେଷ ପରିଣତି ସାଧାରଣତଃ ଏଇଆ ହିଁ ଥିଲା ଯେ ସେ ଜୀବନ ହାରିଦେବାକୁ ବାରମ୍ବାର ଉତପ୍ରେରିତ ଅଥବା ବାଧ୍ୟ ହେଉଥିଲା I

କୁନ୍ତଳାଙ୍କ ବିଦ୍ରୋହୀ ମନ କିନ୍ତୁ ହାର ମାନିନି ଏଇଠି I ଶୁଣ ହେ ମଣିଷ ଭାଇ । ଝୁରିମରିବାକୁ, ବୁଡ଼ିମରିବାକୁ ମଣିଷ ଜନମି ନାହିଁ କହିଥିବା କୁନ୍ତଳା ଆଗକୁ ଲକ୍ଷ୍ମୀକୁ ଉଦ୍ଧାର କରାଇଛନ୍ତି, ଜଣେ ସମାଜସେବୀଙ୍କ ଦାୟିତ୍ୱରେ ରଖି ଶିକ୍ଷିତ କରାଇଛନ୍ତି, ଏକ କର୍ମମୟ ଜୀବନ ଦେଇଛନ୍ତି ତଥା ଆଉଜଣେ ସମାଜସେବୀ ଆଦର୍ଶବାଦୀ ଯୁବକ ଚନ୍ଦ୍ରୋଦୟ ସହିତ ବିବାହ କରାଇଛନ୍ତି I ଏତିକି ରଚନା ସେ ସମୟରେ ନିଶ୍ଚୟ କ୍ରାନ୍ତିକାରୀ ଥିଲା ଯେତେବେଳେ ଉପେନ୍ଦ୍ର କିଶୋର ଦାସ(ମଲାଜହ୍ନ) ଓ ନନ୍ଦ କିଶୋର ବଳ (କନକଲତା) ପ୍ରମୂଖ ଔପନ୍ୟାସିକ ବିଧବା ବିବାହ କରାଇପାରିବାର ସାହସ ଜୁଟେଇ ପାରିନାହାନ୍ତି ତତ୍କାଳୀନ ବ୍ରାହ୍ମଣବାଦୀ ହିନ୍ଦୁ ସମାଜରେ I କାହ୍ନୁଚରଣ ବିଧବା ବିବାହ କରାଇଛନ୍ତି ତାଙ୍କ ନିଷ୍ପତ୍ତି ଉପନ୍ୟାସରେ, ନାରୀ ମଙ୍ଗଳ ସମିତିର କାର୍ଯ୍ୟକ୍ରମରେ ଉଦବୋଧିତ ହୋଇ I୧୫I

ସେହିପରି ବିଦ୍ୟୁତ୍ ପ୍ରଭାଙ୍କ କବିତାରେ ସମାଜର ଅବହେଳିତ ଶ୍ରେଣୀ ପାଇଁ ଆତ୍ମୀୟତା ଲକ୍ଷଣୀୟ I

ଜୀର୍ଣ୍ଣ ତାର କୁଟୀର ଡରେ

ବତାସ ବାଆ ଦେଖି

ଜାତକେ ତାର ବିଧି କି ଚିର

ବିପାକ ଅଛି ଲେଖି ?

ପଉଷ ପ୍ରାତ- ପଦୁଅଁ ପରି

ବାଧକା ଶିଶୁ ବକ୍ଷେ ଧରି

ଗୃହିଣୀ ତାର ଦେବତାପଦେ

ଆୟୁଷ ଖାଲି ମାଗେ

କଙ୍କାଳର ମୂର୍ତ୍ତି ଧରି

ଠିଆ ଯେ ଧରା ଆଗେ ।୧୬I

ଉଭୟ କୁନ୍ତଳା କୁମାରୀ ଓ ବିଦ୍ୟୁତପ୍ରଭା ଦେବୀ ରାଜନୀତି ସଚେତନ ଥିଲେ । ତତ୍କାଳୀନ ଆହୁରି ଅନେକ ନାରୀ ଲେଖିକା ଯେମିତି ସରଳା ଦେବୀ, ରେବା ରାୟ ପ୍ରଭୃତି ପୂର୍ବ ବର୍ଣିତ ସମସ୍ତ ନାରୀ ଲେଖିକା/କବି/ସମାଜ କର୍ମୀ ସମାଜ ଓ ରାଜନୀତି ସଚେତନ ଥିଲେ । ସେ ରାଜନୀତିକ ସଚେତନତା ସମାଜର ଶ୍ରମଜୀବୀ, କୃଷକ, ଦଳିତ, ପତିତ ସମସ୍ତଙ୍କଯାଏଁ ବ୍ୟାପ୍ତ ଥିଲା । ସେ ସଚେତନାତାର କଡ଼ିଟି ସ୍ୱାଧୀନତା ପରବର୍ତ୍ତି ମଧ୍ୟବର୍ଗୀୟ ନାରୀ ସାହିତ୍ୟରୁ ତିରୋହିତ ହୋଇଗଲା ।

ସ୍ୱାଧୀନତା ପରବର୍ତ୍ତୀ କାଳରେ, ବିଶେଷ କରି ପ୍ରୟୋଗବାଦର ଯୁଗରେ ଓଡ଼ିଆ ନାରୀ ଲେଖିକା ବା କବି ମାନସ  ସାମାଜିକ‒ରାଜନୀତିକ ଚେତନାଟି ଏକ ପ୍ରକାର ସଂପୂର୍ଣ୍ଣ ଗାୟବ ରହିଲା I ସାମାଜିକ ଜୀବନରେ ଏକ ଗତିଚଞ୍ଚଳ ବର୍ଗରୁ ଆସୁଥିବା ଚେତନାଟି ଆପଣାର ବ୍ୟକ୍ତିଗତ ତଥା ବର୍ଗୀୟ ସୀମାବଦ୍ଧତାରୁ ମୁକୁଳିନପାରି ଯଥାସ୍ଥିତିବାଦୀ ରହିଲା I ମାଟିର ମମତା ଠାରୁ ତାକୁ ଅଧିକ ରୁଚିଲା ଗୀତ ଗୋବିନ୍ଦର ଗୀତ I ମାଟି ମଣିଷର କଥା ଠାରୁ ତାକୁ ଅଧିକ ଡାକିଲା ବୈଷ୍ଣବ ତତ୍ତ୍ୱ ଓ ବିରହ ଗାନ I ଆପଣା ଅବରୁଦ୍ଧତାର ଯେତେ ବିଳାପ କଲେ ମଧ୍ୟ ଯଥାସ୍ଥିତିବାଦୀର ସକଳ କ୍ରାନ୍ତି ଅଭିଳାଷଙ୍କ କୁଣ୍ଠିତ କ୍ରନ୍ଦନରେ ସୀମିତ ହୋଇଯାଏ I ଏହି ସମୟର ନାରୀ ସାହିତ୍ୟ ସମାଜରେ, ସମଗ୍ର ଭାରତ ବର୍ଷରେ ହେଉଥିବା ଆର୍ଥନୀତିକ, ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ପରିବର୍ତ୍ତନଗୁଡ଼ିକ ପ୍ରତି ସଂପୂର୍ଣ ଉଦାସୀନ ରହିଲା I

ଏକବିଂଶ ଶତକର କାବ୍ୟ ଜଗତରେ ନାରୀ ସ୍ୱର କ୍ରମେ ପ୍ରଖର ହେବା, ପ୍ରଶ୍ନ କରିବା ଆରମ୍ଭ କଲା I ସାମାଜିକ‒ରାଜନୀତିକ ଚେତନାର ନାହିଁ ନାହିଁର ଅନ୍ଧକାର ଭିତରେ ମାଟି ମଣିଷର ସ୍ୱର ପୁଣିଥରେ ଧ୍ୱନିତ ହେବାର ଆରମ୍ଭ କଲା I କବିତା ବିସ୍ତାର କଲା ନିଜକୁ ଆତ୍ମମଗ୍ନତାରୁ ନିସ୍ପେଷିତ ମଣିଷର ସ୍ୱରଯାଏଁ I ଜନବାଦର ଉଚ୍ଚାରଣ, ନୂତନ ଅର୍ଥନୀତିଗତ ବିଧ୍ୱଂସବାଦର ପ୍ରତିରୋଧ ପୁଣି ଥରେ ଓଡ଼ିଆ ନାରୀ ସାହିତ୍ୟରେ ଆସିଲା l

 

 

ସୂଚନା ଓ ଟୀକା

୧. ବିଂଶ ଶତକର ପ୍ରଥମ ନାରୀ କବି ଅର୍ଣପୂର୍ଣାଙ୍କ ଏ ପଂକ୍ତିଟି ୨୦୦୦ ମସିହାରେ ଭୂବନେଶ୍ୱରର ପଶ୍ଚିମା ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ ଓଡ଼ିଆ ଲେଖିକା: ଆଦ୍ୟପର୍ବ ପୁସ୍ତକରେ ବନଜ ଦେବୀଙ୍କ ଦ୍ୱାରା ଲିଖିତ ମୁଖବନ୍ଧରେ ସ୍ଥାନୀତ I

୨. ସୁଜାତା ସାହାଣୀ, ୨୦୧୭, ନାରୀଟିଏ କଲମ ଧରିବା ଦିନ, ଭୂବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ, ପୃ‒୭୨

୩. ଓଡ଼ିଆ ଲେଖିକା: ଆଦ୍ୟପର୍ବ ପୁସ୍ତକରେ ବନଜ ଦେବୀଙ୍କ ଦ୍ୱାରା ଲିଖିତ ମୁଖବନ୍ଧ ଦେଖନ୍ତୁ

୪. ସୁରେନ୍ଦ୍ର ମହାନ୍ତି, ୨୦୦୭(ସପ୍ତମ ସଂସ୍କରଣ), ଓଡ଼ିଆ ସାହିତ୍ୟ ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ, କଟକ: କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର, ପୃ‒୧୭୨

୫. ଓଡ଼ିଆ ଲେଖିକା: ଆଦ୍ୟପର୍ବ ପୁସ୍ତକରେ ବନଜ ଦେବୀଙ୍କ ଦ୍ୱାରା ଲିଖିତ ମୁଖବନ୍ଧରୁ ଗୃହୀତ

୬. ଏଜ୍ନ

୭. ସୁଧୀର କୁମାର ସାହୁ, ୨୦୧୮, ସାହିତ୍ୟରେ ଆଧୁନିକତା: କଥା ସାହିତ୍ୟର କଥା, ନବନୀତା, ପୃ‒୫୫

୮. ଜ୍ୟୋତ୍ସ୍ନାମୟୀ ମହାନ୍ତି, ୨୦୧୫, ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ନାରୀ, ଭୂବନେଶ୍ୱର: ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ଣୟନ ଓ ପ୍ରକାଶନ ସଂସ୍ଥା, ପୃ‒୧୭

୯. ଏଜ୍ନ, ପୃ‒୨୦

୧୦. ଏଜ୍ନ, ପୃ‒୨୦

୧୧. ଏଜ୍ନ, ପୃ‒୨୨

୧୨. ନିତ୍ୟାନନ୍ଦ ଶତପଥୀ, ୨୦୦୮ (ପଞ୍ଚମ ସଂସ୍କରଣ), ସବୁଜରୁ ସାଂପ୍ରତିକ, କଟକ: ଗ୍ରନ୍ଥମନ୍ଦିର, ପୃ‒୫୮

୧୩. ଏଜ୍ନ, ପୃ‒୫୭

୧୪. ଅର୍ଚ୍ଚନା ନାୟକ, ୨୦୦୦, ଉତ୍କଳ ଭାରତୀ କୁନ୍ତଳା କୁମାରୀ, ବନଜ ଦେବୀ ସଂପାଦିତ ”ଓଡ଼ିଆ ଲେଖିକା: ଆଦ୍ୟପର୍ବ”ରେ ସ୍ଥାନିତ, ପୃ‒୫୪

୧୫. ୧୯୩୦ ମସିହାରେ ସମାଜ ସଂସ୍କାରକ ବୈରାଗୀ ମିଶ୍ର କଟକଠାରେ ନାରୀ ମଙ୍ଗଳ ସମିତି ଗଠନ କରି ବାଲ୍ୟ ବିଧବା ପ୍ରଥା ବିରୁଦ୍ଧରେ ବା ବିଧବା ବିବାହ ସପକ୍ଷରେ କାର୍ୟକ୍ରମମାନ ଜାରିରଖିଥିଲେ ଏବଂ ନିରାଶ୍ରୟା ବିଧବାମାନଙ୍କୁ ଆଶ୍ରୟ ପ୍ରଦାନ କରିବା ସହ ସେମାନଙ୍କର ପୁନର୍ବିବାହ କରାଉଥିଲେ I ଏମାନଙ୍କ ଏହି କାର୍ଯ୍ୟାବଳୀରେ ଉଦବୁଦ୍ଧହୋଇ କାହ୍ନୁଚରଣ ନିଷ୍ପତ୍ତି ଉପନ୍ୟାସ ରଚନା କରିଥିଲେ I

ବିଭୂତି ପଟ୍ଟନାୟକ, ୨୦୧୨, ଓଡ଼ିଆ ଉପନ୍ୟାସର ସମାଜତାତ୍ତ୍ୱିକ ରୂପରେଖ, କଟକ: ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ,

୧୬. ବିଦ୍ୟୁତପ୍ରଭା ଦେବୀଙ୍କ ବହୁଚର୍ଚ୍ଚିତ କବିତା ମାଟିର ମଣିଷରୁ ଆନୀତ

 

ଓଡ଼ିଆ ବିଭାଗ,

ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟ,

ବିଷ୍ଟୁପୁର, ଖରଖାଇ ଲିଙ୍କ୍ ରୋଡ଼,

ଜାମଶେଦପୁର, ଝାରଖଣ୍ଡ, ୮୩୧୦୦୧

 

 

 

 

 

 

 

 

 

 

 

 

 

 

Share This Article
ଡକ୍ଟର ସୁଧୀର କୁମାର ସାହୁ (ଅଧ୍ୟକ୍ଷ, ଓଡ଼ିଆ ବିଭାଗ, ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟ ଜାମସେଦପୁର, ଝାରଖଣ୍ଡ, 831001)