ଷ୍ଟାର ଥିଏଟର ସମ୍ବନ୍ଧରେ ନାନା କଥା- ପତ୍ର

Dr. Samidha Vedabala
Dr. Samidha Vedabala 156 Views
14 Min Read

ମହାଶୟ

ମୁଁ ସେତେବେଳେ ଭାରି ସଙ୍କଟରେ ପଡି ଯାଇଥିଲି। ଆମ ଭଳି ପତିତାଙ୍କ ଭାଗ୍ୟ ତ ସର୍ବଦା ହିଁ ଖରାପ, ବହୁତ କିଛି ସହିବାକୁ ପଡେ : କିନ୍ତୁ ମୋର ଭାଗ୍ୟ ଆହୁରି ଖରାପ। ଏମିତି ମୁଁ ଜ୍ଞାନ ହିନା , ଅଧମ ମହିଳା, ସେଥିରେ ସୁପଥ କୁପଥ ଜ୍ଞାନର ଅଭାବ। ଆମର ଗନ୍ତବ୍ୟ ପଥ , ଏମିତି ଦୋଷପୂର୍ଣ୍ଣ , ଆମେ ଭଲ ପଥ ଦେଇ ଯିବାକୁ ଚାହିଁଲେ , ମନ୍ଦ ଆସିଯାଏ , ମନ୍ଦ ଆମ ଜୀବନ ସହିତ ବନ୍ଧା। ଲୋକେ କୁହନ୍ତି ଆତ୍ମରକ୍ଷା ସତତ ଉଚିତ , କିନ୍ତୁ ଆମ ପାଇଁ  ଆତ୍ମରକ୍ଷା ନିନ୍ଦନୀୟ । ଅଥଚ ଆମ ପ୍ରତି ସ୍ନେହ ଚକ୍ଷୁରେ ଦେଖିବା ପାଇଁ ବା ଅସମୟରେ  ସାହାର୍ଯ୍ୟ କରିବା ପାଇଁ କେହି ନାହାନ୍ତି ! ଯାହା ହଉ ; ମୋର ମର୍ମ ବ୍ୟଥା ଶୁଣନ୍ତୁ।

ମୁଁ ଏଇ ସମୟରେ ସ୍ଵର୍ଗତଃ ପ୍ରତାପବାବୁ  ମହାଶୟଙ୍କର ଥିଏଟର ଛାଡି ଦେବି ବୋଲି ମନେ ମନେ ସ୍ଥିର କରିଦେଇଥିଲି  । ୟା ଆଗରୁ ଆହୁରି ଗୋଟେ ଘଟଣା ପାଇଁ ମୁଁ ଦୁଃଖ ପାଇଥିଲି। ମୁଁ ଯୋଉ ସମ୍ଭ୍ରାନ୍ତ ଯୁବକଙ୍କ ଆଶ୍ରୟରେ ଥିଲି , ସେ ସେତେବେଳେ ଅବିବାହିତ ଥିଲେ, ତାହାର କିଛି ମାସ ପରେ ସେ ବିବାହ କରନ୍ତି ଓ ଧନୀ ଯୁବକଙ୍କର ଚଞ୍ଚଳତା ତ ଜାଣନ୍ତି , ଧିରେ ଧିରେ ମୋ ପ୍ରତି ତାଙ୍କର ବ୍ୟବହାର ଖରାପ ହବାକୁ ଲାଗିଲା । ମୋତେ ଭାରି ଖରାପ ଲାଗୁଥିଲା । ସେଥିପାଇଁ ମୁଁ ଭାବିଲି ଯେ ଈଶ୍ୱର ତ ମୋର ଜୀବିକା ନିର୍ଵାହପାଇଁ ସାମର୍ଥ୍ୟ ଦେଇଛନ୍ତି , ଏମିତି ପରିଶ୍ରମ ଦ୍ୱାରା ମୋର ଓ ପରିବାରର ଭରଣ ପୋଷଣ ନିର୍ବାହ କରିବା ପାଇଁ ଯଦି ସକ୍ଷମ, ତାହେଲେ ଆଉ ଦେହ ବିକ୍ରି କରି ପାପ ସଂଚୟ କରିବିନି, ନିଜକୁ ବି ଆଉ ଉତ୍ପୀଡ଼ିତ କରିବା ଦରକାର ନାହିଁ ।

ମୁଁ ଯଦି ଗୋଟେ ଥିଏଟର କରି ପାରନ୍ତି ତାହେଲେ ମୋର ଚିରଦିନ ପାଇଁ ଅନ୍ନ ସନ୍ଧାନ କରିବାକୁ ପଡ଼ିବନି । ମୋ ମନର ଯେତେବେଳେ ଏଭଳି ଅବସ୍ଥା ସେତେବେଳେ ଏଇ “ଷ୍ଟାର ଥିଏଟର” କରିବା ପାଇଁ ଗୁର୍ମୁଖ ରାୟ ବ୍ୟସ୍ତ । ଏକଥା ମୁଁ ଆମ ଆକଟର ମାନଙ୍କ ପାଖରୁ ଶୁଣିଲି ଏବଂ ଘଟଣା ଚକ୍ରେ ସେତେବେଳେ ମୋର ଆଶ୍ରୟଦାତା ସେଇ ଯୁବକ କାମରେ ଦୂର ଦେଶ ଯାତ୍ରାରେ ଥିଲେ। ଏପଟେ ଅଭିନେତା ମାନେ ମୋତେ ଅତିଶୟ ଜିଦ ସହକାରେ ଅନୁରୋଧ କରୁଥିଲେ, କରିବାକୁ ଲାଗିଲେ ଯେ “ତମେ ଯେମିତି ହଉ ଗୋଟେ ଥିଏଟର କରିବାରେ ସାହାର୍ଯ୍ୟ କର !” ଥିଏଟର କରିବାରେ ମୋର ଅନିଚ୍ଛା ନଥିଲା , ତେବେ ଜଣେ ଆଶ୍ରୟ ଛାଡି ଅନ୍ୟ ଜଣଙ୍କ ଆଶ୍ରୟକୁ ଚାଲିଯିବା , ଅନ୍ୟାୟ, ମୋ ପବୃତ୍ତୀ ବାଧା ଦଉଥିଲା । ଏପଟେ ଥିଏଟର ବନ୍ଧୁ ମାନଙ୍କର ଜିଦ ଓ ଅନୁରୋଧ !

ମୁଁ ବଡ ସଂକଟରେ ପଡ଼ିଗଲି। ଗିରିଶବାବୁ କହିଲେ ଥିଏଟର ହିଁ ଆମର ଉନ୍ନତିର ସୋପାନ । ତାହାର ସାଫଲ୍ୟ ଆମ ଦ୍ୱାରା ହିଁ ସମ୍ଭବ। ଥିଏଟର ହେଲେ ହିଁ ଆମର ମାନ ସମ୍ମାନ ବଢିବ। ଏଭଳି ଉତ୍ତେଜନାରୁ  ମୋର କଳ୍ପନା ଆହୁରି ବଢିବାକୁ ଲାଗିଲା । ଥିଏଟରର ବନ୍ଧୁମାନେ ବି ବହୁତ ଅନୁରୋଧ କରିବାକୁ ଲାଗିଲେ, ମୁଁ ଚାହିଁଲେ ଗୋଟେ ନୂଆ ଥିଏଟର ହେଇଯିବ ମୁଁ ଜାଣିଛି ହେଲେ ଯାହା ଆଶ୍ରାରେ ଥିଲି, ତାଙ୍କ କଥା ମନରେ  ବାରମ୍ବାର ଆସୁଥାଏ । ଗୋଟେ ପଟେ ସେଇ ଯୁବକ ଅନ୍ୟ ପଟେ ମୋର ବନ୍ଧୁଗଣ, ମନ ଥିଏଟର ଦିଗରେ ଝୁଙ୍କିଲା । ଭାବିଲି ଯିଏ ଆଶ୍ରୟ ଦେଇଛନ୍ତି, ସେ ଯେ ମୋ ସହିତ ସତେରେ ଜଡିତ , ତାହା ସେ ଭଙ୍ଗ କରିଦେଇଛନ୍ତି , ଅନ୍ୟ ପୁରୁଷ ସାଙ୍ଗରେ ରହିଲେ ଯେମିତି ପ୍ରତାଡ଼ନା ଶବ୍ଦର ପ୍ରୟୋଗ ହୁଏ , ସେ ସେଇଆ ହିଁ କରିଛନ୍ତି । ସେ ବାରମ୍ବାର ଧର୍ମକୁ ସାକ୍ଷୀ ରଖି କହିଥିଲେ  ଯେ ମୁଁ ତାଙ୍କର ଏକମାତ୍ର ଭଲପାଇବା ବନ୍ଧୁ, ଆଜୀବନ ସେ ଭଲପାଇବା ରହିବ। କାଇଁ ତାହା ତ ସତ ନୁହେଁ । ସେ କାମ ପାଇଁ ଯାଉଛନ୍ତି ବୋଲି ମିଛ କହି ବାହା ହବାକୁ ଯାଇଛନ୍ତି । ତାହେଲେ କାହିଁ ତାଙ୍କର ଭଲପାଇବା ଏହା ତ ପ୍ରତାଡ଼ନା ! ମୁଁ ବା କାହିଁକି ବାଧ୍ୟ ରହିବି? ଏଇ ପରି ନା ନା ଯୁକ୍ତି ମନଭିତରେ ଚାଲିଥାଏ । ଫୁଣି ମଝିରେ ମଝିରେ ଲାଗୁଥାଏ , ତାଙ୍କର ବି କିଛି ଦୋଷ ନାହିଁ , ଆତ୍ମୀୟ ସ୍ଵଜନଙ୍କ ଅନୁରୋଧରେ ବାଧ୍ୟ ହେଇଛନ୍ତି । ମୁଁ ଜଣେ ଯେ ତାଙ୍କୁ ଭଲ ପାଏ , ମୁଁ ଇଏ କଣ କରୁଛି । ଏଇଆ ସବୁ ଭାବି ଭାବି ରାତ୍ରି ଅନିଦ୍ରା ହେଉଥାଏ , ହେଲେ ସକାଳେ ବନ୍ଧୁ ମାନଙ୍କର ଅନୁରୋଧର  ତରଙ୍ଗ ରାତିର ସବୁ ଭାବନାକୁ ବୋହିନେଇଯାଏ । ଥିଏଟର କରିବି ସଂକଳ୍ପ କଲି ! କିନ୍ତୁ ଏବେ ଦେଖୁଛି ମୋ ମନ ମୋ ସାଙ୍ଗରେ ପ୍ରତାଡ଼ନା କରିନି । ଯେତେଦୂର ପ୍ରମାଣ ପାଇବା କଥା ତା ମୁଁ ପାଇଛି । ତାଙ୍କ ସହିତ ଦିନ ଗୁଡା ଆଉ ଫେରିବନି, ଆଉ ଫେରିଲାନି।

ଏଇକଥା ସବୁ ମହାଶୟଙ୍କୁ ପରେ କେତେବେଳେ ଜଣେଇବି । ଥିଏଟର କରିବି ସଂକଳ୍ପ କରିଲି । କାହିଁକି କରିବିନି ? ଯୋଉଁମାନଙ୍କ ସହିତ ଚିରଦିନ ଭାଇ ଭଉଣୀ ଭଳି ଏକତ୍ର କଟେଇଛି , ଯୋଉଁମାନଙ୍କର ମୁଁ ଚିର ବଶୀଭୂତ, ସେଇମାନେ ସତ କଥା କହୁଛନ୍ତି । ମୋ ଦ୍ୱାରା ଥିଏଟର ସ୍ଥାପିତ ହେଲେ ଚିରକାଳ ସେଇମାନଙ୍କ ସାଙ୍ଗରେ ଭାଇ ଭଉଣୀ ପରି ଜୀବନ କଟିବ। ସଂକଳ୍ପ ଦୃଢ ହେଲା , ଗୁର୍ମୁଖ ରାୟଙ୍କୁ ଅବଲମ୍ବନ କରି ଥିଏଟର ଆରମ୍ଭ କଲି । ଏମିତି ଜଣଙ୍କ ଆଶ୍ରୟ ପରିତ୍ୟାଗ କରି ଅପରର ଆଶ୍ରୟ ଗ୍ରହଣ କରିବା ଆମର ପ୍ରଥା ହେଲେବି ଏଇ ଅବସ୍ଥା ମୋତେ ଭାରି ଚଞ୍ଚଳ ଓ ବ୍ୟଥିତ କରେ। ହୁଏତ ଲୋକେ ଶୁଣିଲେ ହସିବେ ଯେ ଆମକୁ ବି ଛଳନା ଓ ପ୍ରତାଡ଼ନାର ବୋଧ ବା ବେଦନା ହୁଏ । ଯଦି ସ୍ଥିର ଚିତ୍ତରେ ଭାବିଥାନ୍ତେ ତାହେଲେ ବୁଝି ପାରିଥାନ୍ତେ ଯେ ଆମେ ବି ନାରୀ ।

ଏ ସଂସାରରେ ଯେତେବେଳେ ଈଶ୍ୱର ଆମମାନଙ୍କୁ ପଠେଇଥିଲେ , ନାରୀ ହୃଦୟର ସକଳ କୋମଳତାରୁ  ବଂଚିତ କରି ତ ଆମକୁ ପଠେଇ ନାହାନ୍ତି। ସବୁ ହିଁ ଦେଇଛନ୍ତି, ଭାଗ୍ୟ ଦୋଷରୁ ସବୁ ହରେଇଛୁ । କିନ୍ତୁ ଏଥିରେ କ’ଣ ଦୁନିଆର କିଛି ଦାଇତ୍ୱ ନାହିଁ? ଯୋଉ କୋମଳତାରେ ଦିନେ ହୃଦୟ ପୁର୍ଣ ଥିଲା, ଏକଦମ ଖାଲି ହେଇଯାଏନି। ଆମେ ବି ସନ୍ତାନ ପାଳନ କରିପାରିବୁ, ପତି-ପ୍ରେମର  ଇଚ୍ଛା ଆମର ବି ଅଛି , ହେଲେ କୋଉଠୁ ପାଇବୁ? କିଏ ଆମକୁ ହୃଦୟ ପରିବର୍ତେ ହୃଦୟ ଦାନ କରିବା? ଲାଳସାରେ ଆସି, ପ୍ରେମ ବାକ୍ୟ କହି ମନମୁଗ୍ଧ କରିବା ଲୋକର ଅଭାବ ନାହିଁ, କିନ୍ତୁ କିଏ ହୃଦୟ ଦେଇ ପରୀକ୍ଷା କରିବାକୁ ଆସେ ଆମର ହୃଦୟ ଅଛି ନା ନାହିଁ? ଆମେ ପ୍ରଥମେ ପ୍ରତାଡନା କରିଛୁ, କି ପ୍ରତାଡୀତା ହେଇ ପ୍ରତାଡନା ଶିଖିଚୁ, କେହି କେବେ ତାହା ଅନୁସନ୍ଧାନ କରିଛନ୍ତି ? ବିଷ୍ଣୁ ପରାୟଣ ପ୍ରାତଃ ସ୍ମରଣୀୟ ହରିଦାସଙ୍କୁ ପ୍ରତାଡ଼ିତ କରିବା ପାଇଁ ଆମର ହିଁ ବାରଙ୍ଗନା ଜଣେ ପ୍ରେରିତ ହୁଏ, କିନ୍ତୁ ବୈଷ୍ଣବଙ୍କ ବ୍ୟବହାରରେ ସେ ବୈଷ୍ଣବୀ ହୁଅନ୍ତି, ଏ କଥା ଜଗତ ବ୍ୟାପ୍ତ । ଯଦି ହୃଦୟ ନଥାନ୍ତା, ସମ୍ପୂର୍ଣ ହୃଦୟ ଶୂନ୍ୟ ହେଇଥିଲେ ସେ କଦାପି ବିଷ୍ଣୁପରାୟଣ ହେଇ ପାରିନଥାନ୍ତେ। ଅର୍ଥ ଦେଇ କେହି କାହାର ଭଲପାଇବା କିଣି ପାରେନା ।

ଆମେ ବି ଅର୍ଥପାଇଁ ଭଲପାଇବା ବିକ୍ରି କରିନୁ । ଏ ଦୁନିୟାରେ ଏହାହିଁ ଆମର ଅପରାଧ। ନାଟ୍ୟାଚାର୍ଯ୍ୟ ଗିରିଶବାବୁ ମହାଶୟଙ୍କର “ବାରଙ୍ଗନା” ବୋଲି  ଗୋଟେ କବିତା ଅଛି ତାହା ଏଇ ଦୂରଭାଗିନୀ ମାନଙ୍କର ପ୍ରକୃତ ଛବି । “ଥିଲା ଅନ୍ୟ ନାରୀ ସମ ହୃଦୟ କୋମଳ” ବହୁ ପ୍ରଦେଶର ଜଳ ଜମି ପାଷାଣ ହେଇ ” ଆମେ ବି ସେଇଆ ହିଁ । ଉତ୍ପୀଡ଼ିତ ଅସହାୟ ଅବସ୍ଥାରେ ପଡି ପଡି ହୃଦୟ କଠିନ ହେଇଯାଇଛି । ଛାଡ ଏବେ ଆଉ ସେ କଥା କହି ଲାଭ ନାହିଁ । ଏଇ ସବୁ ବର୍ଣ୍ଣିତ ଅବସ୍ଥା ଗ୍ରହଣ କରିବାକୁ ମୋତେ ଓ ଥିଏଟରର ଲୋକ ମାନଙ୍କୁ ବହୁତ କିଛି ଅନୁଭୂତି ହେଇଛି। କାହିଁକି ନା ଯେତେବେଳେ ସେ ଯୁବକ ଶୁଣିଲେ ଯେ ମୁ ଅନ୍ୟର ଆଶ୍ରୟ ଗ୍ରହଣ କରି ଏକ ଥିଏଟରରେ ସଂଲଗ୍ନ ହବାର କରିଛି , ସେ କ୍ରୋଧ ବଶତଃ ହଉ କିମ୍ବା ନିଜର ଜିଦ ବଶତଃ ହଉ ନା ନା ରୂପେ ବାଧା ଦେବାକୁ ଚେଷ୍ଟା କରିବାକୁ ଲାଗିଲେ । ସେ ବାଧା ସହଜ ବାଧା ନୁହେଁ । ସେ ଜମିଦାର ସେଥିପାଇଁ ଆମ ଘର ଘେରାଉ କରିଦେଲେ, ଗୁର୍ମୁଖ ବାବୁ ବି ବଡ ବଡ ଗୁଣ୍ଡା ଅଣେଇଲେ, ମାରଧର ପୋଲିସ ହଂଗାମା ଚାଲିଲା ବହୁତ ଦିନ। ଏମିତିକି ଦିନେ ମରଣ ପରିସ୍ଥିତି ହେଇଗଲା । ଦିନେ ରିହରସଲ ପରେ ମୁଁ ମୋ ଘରେ ଶୋଇଥିଲି , ଭୋର ଛ’ଟା ବାଜିଥିବା , ଝନ ଝନ, ଛନ ଛନ ଶବ୍ଦ ରେ ମୋର ନିଦ ଭାଙ୍ଗିଗଲା ! ଦେଖେ ସେ ମିଲିଟାରୀ ପୋଷାକ ପିନ୍ଧି ହାତରେ ଗୋଟେ ଖଣ୍ଡା ଧରି ମୋ ଘର ଭିତରେ ଠିଆ ହେଇ କହୁଛନ୍ତି “କଣ ଏତେ ନିଦ କେମିତି ହଉଚି ?”

ମୁଁ ଚମକି ଗଲି ,ଉଠି ବସିଲି , ଫୁଣି କହିଲେ “ଦେଖ ବିନୋଦ, ତମୁକୁ ତମୁକୁ ସେମାନଙ୍କୁ ଛାଡିବାକୁ ପଡିବ। ତମ ପାଇଁ ଯାହା ତାଙ୍କ ତାଙ୍କର ଖର୍ଚ ହେଇଛି ମୁଁ ସବୁ ଦେଇଦେବି । ଏଇ ଦଶ ହଜାର ଟଙ୍କା ନିଅ , ଯଦି ଆଉ ଦରକାର ହୁଏ ଦେବି।” ମୁଁ ଭାରି ଜିଦଖୋର , କେହି ଯଦି ଜିଦି କରେ ମୋର ଭାରି ରାଗ ହୁଏ , ମୋର ହିତାହିତ ଜ୍ଞାନ ରୁହେନି। ଯାହା ଭାବିଥାଏ ତାହା କେବେ କାହା ଜିଦି ପାଇଁ ମୁଁ ବଦଳେଇନି। କେହି ସ୍ନେହରେ କିଛି କୁହେ ହୂଏତ କରିପାରେ କିନ୍ତୁ କେହି ଜିଦି କରି ମନା କଲେ ସେ କାମ ନାକରିବା ମୋ ପାଇଁ ସହଜ ନୁହେଁ । ତାଙ୍କର ଏଇ ଉଦ୍ଧତା ଦେଖି ମୋର ରାଗ ଆହୁରି ବଢ଼ିଲା , ମୁଁ କହିଲି ” ନା କେବେ ନୁହେଁ , ମୁଁ ଏମାନଙ୍କୁ କଥା ଦେଇଛି, ଏବେ ଜମା ମୁଁ ମୋ କଥାରୁ ଓହରି ପାରିବିନି “।  ସେ କହିଲେ ଯଦି ଟଙ୍କା କଥା ହୁଏ ମୁଁ ତମୁକୁ ଆହୁରି ଦଶ ହଜାର ଟଙ୍କା ଦଉଚି”। ତାଙ୍କ କଥା ଶୁଣି ମୋର ବ୍ରହ୍ମ ଜଳି ଗଲା ! ଠିଆ ହେଇ କହିଲି “ରଖ ତମ ଟଙ୍କା ! ଟଙ୍କା ମୁଁ ଉପାର୍ଜନ କରିଛି , ଏଇ ଟଙ୍କା ମୋତେ ଉପାର୍ଜନ କରି ପାରିବନି !

ଭାଗ୍ୟରେ ଥିଲେ ଏମିତି ଦଶ କୋଡିଏ ହଜାର କେତେ ଆସିବ, ତମେ ଚାଲି ଯାଅ ଏଇଠୁ” । ମୋର ଏଇକଥା ଶୁଣି ସେ ନିଆଁ ଭଳି ଜଳି ଉଠିଲେ , ଖଣ୍ଡାରେ ହାତ ଦେଇ କହିଲେ ,”ଆଚ୍ଛା- ଭାବିଛ ତମୁକୁ ସହଜରେ ଛାଡ଼ିଦେବି , ତମୁକୁ କାଟି ଦେବି ! ଯୋଉ କୋଡିଏ ହଜାର ତାଙ୍କ ତମୁକୁ ଦେବାକୁ ଚାହିଁ ଥିଲି ତାହା ଅନ୍ୟ ଉପାୟରେ ଖର୍ଚ୍ଚ କରିବି ,ପରେ ଯାହା ହବ ହବ”  । କହି କହି ଝନ କରିକି ଖୋଳରୁ ଖଣ୍ଡାଟା ବାହାର କରି , ଆଖିପିଛୁଳାକେ ମୋ  ମୁଣ୍ଡକୁ ଲକ୍ଷକରି ଆଘାତ କଲେ । ମୋ ଦୃଷ୍ଟି ରେ ଟଙ୍କା ଖଣ୍ଡାଟା ଥିଲା ସେଥପାଇଁ  ସେଇ ପାଖରେ ଗୋଟେ ଟେବଲ ଉପରେ ହାର୍ମୋନିଅମ ଥିଲା ମୁଁ ସେଇ ପାଖରେ ବସିପଡ଼ିଲି ; ସେଇ ଖଣ୍ଡା ର ଚୋଟ ହାର୍ମୋନିଅମ ଉପରେ ପଡିଲା ଆଉ ହାର୍ମୋନିଅମ ତିନି ଆଙ୍ଗୁଳି କେତେ କାଟି ଗଲା। ନିମିଷେ ମଧ୍ୟେ ଫୁଣି ଖଣ୍ଡା ଉଠେଇ ମୋତେ ଆଘାତ କରିବାକୁ ଲାଗିଲେ। ତାଙ୍କର ପାଗଳାମି, ଏଥର ଚୋଟ ବାଜିଲା ଚୌକି ଉପରେ। ମୁଁ ଘୁରି ପଡି ତାଙ୍କ ହାତକୁ ଜୋରରେ ଧରିଦେଲି , କହିଲି “କଣ କରୁଛ? ମୋତେ ମାରି ତମର କଣ ଲାଭ ହବ ?

ଏହାର ପରିଣାମ କ’ଣ ହବ ଭାବିଛ? ମୋର କଳଙ୍କିତ ଜୀବନ ଗଲା ରହିଲା ସେଥିରେ କାହାର କ’ଣ ଯାଏ ! ଥରେ ନିଜର ପରିଣାମ ଭାବ , ତମ ବଂଶର କଥା ଭାବ , ଗୋଟେ ଘୃଣିତ ବରଙ୍ଗନା ପାଇଁ ଏଇ କଳଙ୍କର ବୋଝ ଧରି ଏଇ ପୃଥିବୀରୁ ଚାଲିଯିବେ , ଛି! ଛି! ଶୁଣ ସ୍ଥିର ହୁଅ ! କ’ଣ ଚାହୁଁଛ କୁହ ? ଥଣ୍ଡା ହୁଅ । ଶୁଣିଥିଲି ଦୁର୍ଦମନୀୟ କ୍ରୋଧର ପ୍ରଥମ ବେଗ ଥମିଲେ ଲୋକଙ୍କର ହିତାହିତ ଜ୍ଞାନ ଫେରି ଆସେ !  ସେଇଆ ହିଁ ହେଲା , ହାତରୁ ଖଣ୍ଡାଟା  ଫୋପାଡ଼ି ଦେଇ ମୁହଁ ହାତରେ ଦେଇ ସେଇ ଜାଗାରେ ବସି ପଡିଲେ ! ତାଙ୍କର ସେଇ ସମୟର ଅବସ୍ଥା ଦେଖିବା ଭାରି କଷ୍ଟକର ! ଭାବୁଥିଲି ଛାଡି ଦିଏ ସବୁକିଛି ଫୁଣି ଫେରିଯାଏ ତାଙ୍କ ପାଖକୁ । କିନ୍ତୁ ଆଉ ନୁହେଁ ଏବେ ମୁଁ ଚାରିଦିଗେ ମୋ ଥିଏଟର ବନ୍ଧୁଗଣ ଓ ଗିରିଶବାବୁଙ୍କ ବନ୍ଧନରେ, କୋଉପଟେ ଫେରିବାର ରାସ୍ତା ନଥିଲା। ଯାହା ହଉ ଏମିତି ସେତେବେଳେ ତ ବଂଚି ଗଲି! ସିଏ କିଛି ନ କହି ଚାଲିଗଲେ !  ଏପଟେ ଆମେ ଯୋଉମାନେ ଏକତ୍ର ହେଇଥିଲୁ ସକଳେ ପ୍ରତାପବାବୁଙ୍କର ଥିଏଟର ଛାଡି ଦେଲୁ।

ଗୁର୍ମୁଖବାବୁ ବି କହିଲେ ଯେ ଆମେ ପୁରାପୁରି ତାଙ୍କ ପାଖକୁ ନ ଆସିଲେ ସେ କିଛି କାମ ଆରମ୍ଭ କରିବେ ନାହିଁ । ପରିସ୍ଥିତି ଦେଖି, ସବୁ ଝାମେଲା ମିଟିଲା ପର୍ଯ୍ୟନ୍ତ ମୋତେ ସମସ୍ତଙ୍କଠାରୁ ଦୂରରେ ରହିବାକୁ ସମସ୍ତେ ବାଧ୍ୟ କଲେ। କେତେବେଳେ ରାଣୀଗଞ୍ଜ, କେତେବେଳେ ଏଠି ସେଠି ମୋତେ ରହିବାକୁ ପଡିଲା। ଏଇ ଭିତରେ ଥିଏଟର କଣ କେମିତି ସ୍ଥାପିତ ହବ ସେଇ କାମ ଚାଲି ଥାଏ । ପରେ ଯେତେବେଳେ ସ୍ଥିର ହେଲା ଯେ ବିଡନ ଷ୍ଟ୍ରିଟରେ ଜଣେ ପ୍ରିୟ ମିତ୍ରର ଜାଗା ଲିଜ ନେଇକି କିଛି ଦିନ ଥିଏଟର ଚାଲିବ , ଏତେ ଟଙ୍କା ଖର୍ଚ୍ଚ ହବ; ଏଇ ସବୁ ନିଶ୍ଚିନ୍ତ ହେବ ପରେ ମୁଁ କଲିକତା ଫେରି ଆସିଲି। ମୁଁ କଲିକତା ଫେରି ଆସିବାର କେତେଦିନ ପରେ ଦିନେ ଗୁର୍ମୁଖ ବାବୁ କହିଲେ ” ଦେଖ ବିନୋଦ! ଏବେ ଥିଏଟର ଏତେ ଝାମେଲା ରେ କରିକି ଲାଭ ନାହିଁ , ତୁମେ ପଚାଶ ହଜାର ଟଙ୍କା ନିଅ! ମୁଁ ଏକାଥରେ ତମୁକୁ ଦେଇଦେଉଛି”। ଏଇଆ କହି କେତେଗୁଡ଼େ ନୋଟ ବାହାରକଲେ। ମୁଁ ଥିଏଟର ଭଲପାଏ , ସେଇ ନିମିତ୍ତ ଘୃଣିତକୁ ବାରନାରୀ ହେଇବି ଅଧ ଲକ୍ଷ ଟଙ୍କାର ପ୍ରଲୋଭନ ସେଇ ମୁହୁର୍ତରେ ପ୍ରତ୍ୟାଖ୍ୟାନ କଲି।

ଯେତେବେଳେ ଅମୃତ ମିତ୍ର ଶୁଣିଲେ , ଗୁର୍ମୁଖ ବାବୁ ଥିଏଟର ନ କରି ମୋତେ ପଚାଶ ହଜାର ଟଙ୍କା ଦେବାକୁ ଚାହୁଁଛନ୍ତି , ସେମାନଙ୍କର ଚିନ୍ତାର ସୀମା ରହିଲାନି । ମୁଁ ଯେମିତି ସେଇ ଟଙ୍କା ଗ୍ରହଣ ନ କରେ , ସେଥିପାଇଁ ସମସ୍ତେ ବହୁ ଚେଷ୍ଟା ଚଳେଇଲେ , କିନ୍ତୁ ସେଇ ସବୁ ଚେଷ୍ଟା ସେତେବେଳେ ନିଷ୍ପ୍ରୟୋଜନ। ମୁଁ ସ୍ଥିର କରିଛି ଥିଏଟର କରିବି। ଥିଏଟର ଘର ତିଆରି ନକଲା ପର୍ଯ୍ୟନ୍ତ ମୁଁ ତାଙ୍କର କୌଣସି କଥା ଶୁଣିବିନି। ସେତେବେଳେ ମୋର ଉଦ୍ୟମରେ ହିଁ ବିଡନ ଷ୍ଟ୍ରିଟରେ  ଜମି ଲିଜ ନିଆ ଗଲା , ଏବଂ ଥିଏଟର ପ୍ରସ୍ତୁତ ପାଇଁ ଦୁର୍ମୁଖ ରାଏ ଅକାତରେ ଅର୍ଥବ୍ୟୟ କରିବାକୁ ଲାଗିଲେ। ଉକ୍ତ ବିଡନ ଷ୍ଟ୍ରିଟରେ ହିଁ ବନମାଳୀ ଚକ୍ରବର୍ତୀ ମହାଶୟଙ୍କର ଘର ଭଡା ନେଇ ରିହରସଲ ଆରମ୍ଭ ହେଲା, ଧିରେ ଧିରେ ନୂଆ ପୁରୁଣା ଆକ୍ଟରମାନେ ଆସି ଯୋଗ ଦେବାକୁ ଲାଗିଲେ । ଗିରିଶବାବୁ ମହାଶୟ ମାଷ୍ଟର ଓ ମ୍ୟାନେଜର ହେଲେ ଏବଂ ବହି ଲେଖିବା ଆରମ୍ଭ କଲେ । ଠିକ ସେତିକିବେଳେ ସ୍ତର ଥିଏଟର ର ସୁଯୋଗ୍ୟ ମ୍ୟାନେଜର ଅମୃତଲାଲ ବାସୁ ଆସିଲେ। ଏହା ଆଗରୁ ସେ ବେଙ୍ଗଲ ଥିଏଟର ଲିଜ ନେଇଥିଲେ , ସେତେବେଳେ ଆମେ ବୋଧେ ପ୍ରତାପବାବୁଙ୍କର ଥିଏଟର ରେ ; ସେଇ ସମୟରେ କୌଣସି କାରଣ ବଶତଃ ଯୋଡ଼ା ମନ୍ଦିର ପାଖେର ଏଇ ସିମଲା ରେ ଆମର ଗୋଟେ ଭଡା ଘର ଥିଲା।

ସେଇ ଘରକୁ ଭୁନି ବାବୁ ପ୍ରାୟେ ଯାନ୍ତି ଓ କାମ ପାଇଁ ସେଠି ବହୁତ ଦିନ ରହିଛନ୍ତି ମଧ୍ୟ। ବେଙ୍ଗଲ ଥିଏଟର କତୃପକ୍ଷଙ୍କ ସହିତ ବିବାଦ ଥିବା କାରଣରୁ ଥିଏଟର ହାଉସ ଦାଖଲ କରିପାରୁନଥିଲେ । ଆମେ ହିଁ ନା ନା ଉପାୟ କରି ଭୁନି  ବାବୁଙ୍କୁ ଦଖଲ ଦେଇଦେଲୁ। ପରେ ଯେତେବେଳେ ଆମର ନୂଆ ଥିଏଟର ହେଲା ସେତେବେଳେ ଭୁନିବାବୁ ଆସି ଆମକୁ ଯୋଗ ଦିଅନ୍ତି । ସେଇ ସମୟରେ ପ୍ରଫେସର ଜହର ଲାଲ ଧର ଆମର ଷ୍ଟେଜ ମ୍ୟାନେଜର ହେଲେ!  ଦାସୁବାବୁ ଯଦିଓ ଛୋଟ ପିଲା କିନ୍ତୁ କାମ ଶିଖିବା ପାଇଁ ଗିରିଶବାବୁ ମହାଶୟ ତାଙ୍କୁ ସହକାରୀ ଷ୍ଟେଜ ମ୍ୟାନେଜର କରନ୍ତି ଏବଂ ହିସାବପତ୍ର ସବୁ ଭଲ ରହିବ ଓ ସବୁ ବନ୍ଦୋବସ୍ତ ସବୁ ଶୃଙ୍ଖଳାରେ ରହିବ ସେଥିପାଇଁ ସେ ସେତବେଳର ପ୍ରପିରାଇଟର ବାବୁ ହରିପ୍ରସାଦ ବାସୁ ମହାଶୟଙ୍କୁ ଆଣି ସବୁ ଭାର ଦେଲେ।

 

 

 

Share This Article
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ) Samidha Vedabala (Ph.D., Rabindra Bharati University, Kolkata), a performer and researcher of Indian Classical Music, Sitar. She has been working as an assistant professor of music in the Department of Music at Sikkim University since 2011. Along with performance in music, she is actively involved in academic research in Indian music. She has published two books and many academic journals. Her professional and academic association with Sitar inspires her to continue writing on the instrument and its various aspects. Her book titled "Sitar Music: The Dynamics of Structure and Its Playing Techniques" is one of them. Her work has been the source of information for one of the documentaries on Sitar in the UK. She has also attended many national and international seminars on sitar music. As a writer, Dr. Samidha has been associated with Samadhwani for over a decade.