ଦଣ୍ଡନାଟର ଇତିହାସ

17 Min Read

ନାଟକ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଓଡ଼ିଆ ନାଟକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି । ପ୍ରାଚୀନ ଯୁଗରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଓଡ଼ିଆ ନାଟକ ତିନିଗୋଟି ପର୍ଯ୍ୟାୟରେ ପ୍ରଗତି ପଥରେ ଆଗେଇ ଆସିଛି, ଯଥା – ୧) ଓଡ଼ିଆ ନାଟ୍ୟକାରମାନଙ୍କ ଦ୍ୱାରା ରଚିତ ସଂସ୍କୃତ ନାଟକ, ୨) ଓଡ଼ିଆ ଲୋକନାଟକ ଓ ପାରମ୍ପରିକ ନାଟକ, ୩) ଓଡ଼ିଆ ନାଟ୍ୟକାରମାନଙ୍କ ଦ୍ୱାରା ଚରିତ ଓଡ଼ିଆ ନାଟକ । ଭାରତୀୟ ସଂସ୍କୃତ ନାଟକ ଯଥା- ଭାଷ, କାଳୀଦାସ, ଶୁଦ୍ରକ, ବିଶାଖାଦତ୍ତ ଆଦି ସଂସ୍କୃତ ନାଟ୍ୟକାରମାନଙ୍କ ରଚିତ ନାଟକ ଦ୍ୱାରା ପ୍ରଭାବିତ ହୋଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁସବୁ ଓଡ଼ିଆ ନାଟ୍ୟକାରମାନେ ସଂସ୍କୃତ ନାଟକ ରଚନାରେ ମନୋନିବେଶ କରି ଓଡ଼ିଆ ନାଟ୍ୟଧାରାକୁ ପ୍ରଗତି ପଥରେ ମୁହାଁଇଲେ ତାକୁ ଓଡ଼ିଆ ନାଟକର ଆଦି ପର୍ଯ୍ୟାୟ କୁହାଗଲା । କିନ୍ତୁ ଭାଷାଗତ କାରଣରୁ ଏହାକୁ ନାଟ୍ୟ ସମୀକ୍ଷକମାନେ ଗ୍ରହଣ କରିପାରିଲେ ନାହିଁ ।

Support Samadhwani

ସମଗ୍ର ଭାରତବର୍ଷ ଅଷ୍ଟମ-ନବମ ଶତକ ପରଠାରୁ ବିଭିନ୍ନ ବିଦେଶୀ ଶାସକ ଗୋଷ୍ଠୀଙ୍କ ଦ୍ୱାରା ଅଧିକୃତ ହୋଇ ସେମାନଙ୍କ ଦ୍ୱାରା ଶାସିତ ହୋଇଆସିଛି । ତତ୍ସହିତ ସେମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଧର୍ମଧାରା ସାଥିରେ ସମୟାନୁସାରେ ନାଟକ ମଧ୍ୟ ନିଜର ସାଂସ୍କୃତିକ କଳେବର ପରିବର୍ତ୍ତନ କରିବାରେ ଲାଗିଛି । ବିଶେଷକରି ପ୍ରାଚୀନ ଯୁଗରୁ ମଧ୍ୟଯୁଗ ପର୍ଯ୍ୟନ୍ତ ସଂସ୍କୃତ ଭାଷା ଭାବବିନିମୟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଦୁଃଖର କଥା ତକ୍ରାଳୀନ ସମାଜର ରାଜନ୍ୟ, ସମ୍ଭ୍ରାନ୍ତ ଏବଂ ବ୍ରାହ୍ମଣ ସମ୍ପ୍ରଦାୟ ଏହି ଭାଷାକୁ ଏଭଳି ଭାବରେ ବାନ୍ଧିଦେଲେ ଯେ ତାହା ସର୍ବବ୍ୟାପୀ ହୋଇପାରିଲା ନାହିଁ । ଯାହା ଫଳରେ ବୈଶ୍ୟ ଓ ଶୁଦ୍ର ସମ୍ପ୍ରଦାୟ ସଂସ୍କୃତ ଶିକ୍ଷା ଅଭାବରୁ ସଂସ୍କୃତ ନାଟକ ବୁଝିନପାରି ତାହାପ୍ରତି ବିମୁଖତା ପ୍ରକାଶ କଲେ ।

ବିଦ୍ୟାଶିକ୍ଷା କେବଳ ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ପ୍ରାଚୀନ ଯୁଗରେ ବିଦ୍ୟା କହିଲେ ଗଣିତ, ବେଦ, ତର୍କ, ଯୁଦ୍ଧ, ନ୍ୟାୟ, ପୂରାଣ, ସାହିତ୍ୟ, ଅସ୍ତ୍ର ଏବଂ ଜ୍ୟୋତିଷଶାସ୍ତ୍ରକୁ ବୁଝା ଯାଉଥିଲା ଏବଂ ଏହା ସମାଜର ସାଧାରଣବର୍ଗ ଠାରୁ ବହୁଦୂରରେ ଥିଲା । ତେଣୁ ଉଭୟ ବ୍ରାହ୍ମଣ ଓ ଶାସକ ସମ୍ପ୍ରଦାୟର ଦୂରଦୃଷ୍ଟି ଅଭାବରୁ ସଂସ୍କୃତ ଭାଷା ଧିରେ ଧିରେ ରାଜପ୍ରସାଦ ଓ ମନ୍ଦିରର ଚାରିକାନ୍ଥ ଭିତରେ ବାନ୍ଧିହୋଇ ରହିଗଲା । ଏହାର ପରବର୍ତ୍ତି ପର୍ଯ୍ୟାୟରେ ପୁଣି ମୋଗଲମାନେ ଭାରତରେ ନାଟ୍ୟ ପରିବେଷଣ ପ୍ରକ୍ରିୟାକୁ ନିଷିଦ୍ଧ ଘୋଷଣା କଲେ । କାରଣ ସେମାନଙ୍କ ଧର୍ମୀୟ ବିଚାରଧାରାରେ ଏ ସମଗ୍ର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଆଲ୍ଲା, ତାଙ୍କର ସୃଷ୍ଟିକୁ ଆମେ ସାଧାରଣ ମଣିଷ ଭାବରେ ଅନୁକରଣ କରିବା ପାପ ଏବଂ ଦଣ୍ଡନିୟ ଅପରାଧ । ଯାହାଫଳରେ ଗଡ଼ଜାତ ରାଜାମାନଙ୍କ ପୃଷ୍ଠପୋଷକତାର ନାଟକ ପରିବେଷିତ ହେଉଥିଲା ତାହା ବନ୍ଦ ହୋଇଗଲା । କିନ୍ତୁ ଗାଁ’ର କଳାକାରମାନଙ୍କ ମନରେ ଥିବା ନାଟ୍ୟ ପ୍ରତିଭାକୁ ସମାଜର କୌଣସି ଗୋଷ୍ଠୀ ବନ୍ଦ କରିପାରିଲେ ନାହିଁ ।

ଗାଁ’ର ସାଧାରଣ କୃଷକ ଓ ଶ୍ରମିକ ଗୋଷ୍ଠୀ ନିଜ ନିଜର ଆଞ୍ଚଳିକ ଭାଷା, ସାହିତ୍ୟ, ଧର୍ମ ଓ ଜୀବନଶୈଳୀକୁ ଆଧାର କରି ଏକ ନୂତନ ଧାରାର ନାଟ୍ୟ ପରମ୍ପରା ସୃଷ୍ଟି କଲେ ଯାହା ଧିରେ ଧିରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ôଚ ଲୋକନାଟକର ମାନ୍ୟତା ପାଇଲା । ପୁଣି ପରବର୍ତ୍ତୀ ସମୟରେ ଯେତେବେଳେ ବିଶେଷକରି ସାରଳାଯୁଗ ଏବଂ ପଞ୍ଚସଖା ଯୁଗ ସମୟରେ ଓଡ଼ିଆ ଭାଷାରେ ରାମାୟଣ, ମହାଭାରତ ଏବଂ ଅଷ୍ଟାଦଶ ପୂରାଣ ରଚିତ ହେଲା ଏବଂ ବୈଷ୍ଣବ, ଜଗନ୍ନାଥ, ଶୈବ, ଶାକ୍ତ ଭଳି ବିଭିନ୍ନ ଧର୍ମୀୟ ପରମ୍ପରାର ଉନ୍ମେଷ ଘଟିଲା । ସେତେବେଳେ ଓଡ଼ିଆ ଲୋକନାଟକରୁ ପୁଣି ଯେଉଁ ଏକ ନୂତନ ନାଟ୍ୟଧାରା ସୃଷ୍ଟିହେଲା, ତାକୁ ପାରମ୍ପରିକ ନାଟକ ବୋଲାଗଲା ।

Support Samadhwani

ଓଡ଼ିଶାର ପ୍ରସିଦ୍ଧ ଲୋକ ନାଟକଶୈଳୀଗୁଡ଼ିକ ମଧ୍ୟରେ ସୁଆଙ୍ଗ, ରାସଲୀଳା, ରାମଲୀଳା, କୃଷ୍ଣଲୀଳା, ଗୋପଲୀଳା, ରାଧାପ୍ରେମ ଲୀଳା, ଭାରତଲୀଳା, ଯାତ୍ରା, ଗୀତିନାଟ୍ୟ, ପ୍ରହ୍ଲାଦନାଟକ, ପାଲା, ଦାସକାଠିଆ, ଗାହାଣୀ, ଗଳ୍ପସାଗର, ମୋଗଲ ତାମସା, ଛଉ, ଦଣ୍ଡନାଚ, ଘୋଡ଼ାନାଚ, ବାଘନାଟ, କେଳାନାଟ, କୈସାବାଡ଼ି, କରମା, ବିଦେଶିଆ ଇତ୍ୟାଦି ।

ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆମ ନାଟ୍ୟ ସମୀକ୍ଷକମାନେ ଆଜିପର୍ଯ୍ୟନ୍ତ ଲୋକନାଟକ ଓ ପାରମ୍ପରିକ ନାଟକର ସମ୍ପର୍କକୁ ଆମ ପାଖରେ ସ୍ପଷ୍ଟ କରିନାହାନ୍ତି, ଯାହାଫଳରେ ଦୁଇଟି ଯାକ ନାଟଧାରାକୁ ଏକା ଦୃଷ୍ଟିଭଙ୍ଗୀ ନେଇ ଆମେ ସବୁବେଳେ ଚିନ୍ତା କରିଥାଉ । ସାଧାରଣତଃ ଯେଉଁସବୁ ଲୋକବୃତ୍ତର ନାଟକ ନାଟ୍ୟଶାସ୍ତ୍ରର ନୀତିନିୟମରୁ ବାହାରି ରାମାୟଣ, ମହାଭାରତ କିମ୍ବା ଆମ ସାଧାରଣ ଧର୍ମୀୟ ପରମ୍ପରାର ବିଷୟବସ୍ତୁକୁ ଆଧାର ନକରି ସାଧାରଣ ଜନଜୀବନ ଶୈଳୀକୁ ସିଧାସଳଖ ପ୍ରତିଫଳିତ କରି ପରିବେଷିତ ହୋଇଥାଏ ତାକୁ ଲୋକନାଟକ କୁହାଯାଏ । ଏଥିରେ ସାଧାରଣତଃ ଆମ ସମାଜର ପଛୁଆବର୍ଗ, ଜନଜାତି ଏବଂ ଅନୁସୂଚିତ ଜାତିମାନଙ୍କର ଜୀବନଜୀବିକା ଓ ପରମ୍ପରା ସିଧାସଳଖ ଭାବରେ ପରିବେଷିତ ହୋଇଥାଏ ।

ଯେଉଁ ଲୋକବୃତ୍ତର ନାଟକ ଆମ ଓଡ଼ିଆ ଧର୍ମୀୟ ପରମ୍ପରା ସାଥିରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ତାକୁ ପାରମ୍ପରିକ ନାଟକ କୁହାଯାଏ । ପରିବେଷଣ ଶୈଳୀ ଦୃଷ୍ଟିରୁ ପାରମ୍ପରିକ ନାଟକ ଓ ଲୋକନାଟକ ଭିତରେ ବେଶିକିଛି ଫରକ ନାହିଁ କିନ୍ତୁ ଧର୍ମୀୟ ପରମ୍ପରା ଦୃଷ୍ଟିକୋଣରୁ କିଛିଟା ମୌଳିକ ପ୍ରଭେଦ ପରିଲକ୍ଷିତ ହୋଇଥାଏ । ପାଲା ଯେତେବେଳେ ଗାଁ ଲୋକମାନଙ୍କର ସାମ୍ପ୍ରତିକ ମନୋରଞ୍ଜନ କିମ୍ବା ପାଲା କଳାକାରମାନଙ୍କର ଜୀବନ ଜୀବିକାକୁ ଆଖି ଆଗରେ ରଖି ଗାଁ’ରେ ପରିବେଷିତ ହୁଏ, ତାକୁ ଲୋକନାଟକ କୁହାଯାଏ । ତାହା ଯେତେବେଳେ କୌଣସି ବ୍ୟକ୍ତିର ନବଜାତ ଶିଶୁର ଏକୋଇଶା ଦିନ ପରିବେଷିତ ହୁଏ ତାକୁ ପାରମ୍ପରିକ ନାଟକ କୁହାଯାଏ ।

ସେହିଭଳି ଗାଁ’ର କୌଣସି ପର୍ବପର୍ବାଣିରେ କିମ୍ବା ଆମମାନଙ୍କ ମନୋରଞ୍ଜନକୁ ଆଖି ଆଗରେ ରଖି ଯେତେବେଳେ ରାମଲୀଳା ପରିବେଷିତ ହେବ ଆମେ ସେତେବେଳେ ତାକୁ ଲୋକନାଟକ କହିପାରିବା । କିନ୍ତୁ ରାମଲୀଳା ଯେତେବେଳେ ରାମନବମୀ ଦିନ ରାମପୂଜାରେ ପରମ୍ପରାକୁ ଆଧାର କରି ଆମ ଧର୍ମୀୟ ପରମ୍ପରାର ସମସ୍ତ ରୀତିନୀତିକୁ ଆଧାର କରି ପରିବେଷିତ ହେବ ତାକୁ ପାରମ୍ପରିକ ନାଟକ କୁହାଯାଏ । ଏତଦ୍ବ୍ୟତୀତ ଆମ ସମାଜରେ ଏଭଳି କେତେକ ପାରମ୍ପରିକ ନାଟକ ରହିଛି ଯାହାର ପରିବେଷଣ ଧାରାକୁ ଆମ ଧର୍ମୀୟ ପରମ୍ପରାରୁ ବାଦ ଦେଇ ହେବନାହିଁ ଅର୍ଥାତ୍ ତାହାର ପରିବେଷଣର ସମୟ, ମାନ ଏବଂ ପଦ୍ଧତି ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଏହି ବର୍ଗରେ ଥିବା ପାରମ୍ପରିକ ନାଟକଗୁଡ଼ିକ,

ଯଥା – ୧) ଦଣ୍ଡନାଟ, ୨) ଓଷାକୋଠି, ୩) ଘୋଡ଼ାନାଟ, ୪) ରାମଲୀଳା, ୫) କୃଷ୍ଣଲୀଳା, ୬) ପାଲା ଇତ୍ୟାଦି । ଉପରୋକ୍ତ ନାଟକଗୁଡ଼ିକ ମଧ୍ୟ ଦଣ୍ଡନାଟ ଓ ଓଷାକୋଠିକୁ ଛାଡ଼ିଦେଲେ ଅନ୍ୟାନ୍ୟ ନାଟକଗୁଡ଼ିକ ବର୍ଷର ଯେକୌଣସି ସମୟରେ ପରିବେଷିତ ହୋଇଥାଏ ଏବଂ ପରିବେଷଣ ସମୟରେ ମଧ୍ୟ ତା ଉପରେ ଆମ ସମାଜର ଧର୍ମୀୟ ପରମ୍ପରାରର କୌଣସି ଅଙ୍କୁଶ ନଥାଏ । ତେଣୁ ସେଗୁଡ଼ିକୁ ଲୋକନାଟକ ଶ୍ରେଣୀର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ ।

ଏହିଭଳି ଲୋକନାଟକ କଥା କହିଲେ ପାଖାପାଖି ପଚାଶରୁ ଅଧିକ ନାଟକ ଆମ ରାଜ୍ୟରେ ଜନ୍ମ ନେଇଛି । ଯଥା – ୧) ଯାତ୍ରା, ୨) ପ୍ରହ୍ଲାଦନାଟକ, ୩) ରାମଲୀଳା, ୪) କୃଷ୍ଣଲୀଳା, ୫) ରାଧାପ୍ରେମ ଲୀଳା, ୬) ଗୋପଲୀଳା, ୭) ଭାରତଲୀଳା, ୮) ଦାସକାଠିଆ, ୯) ଓଷାକୋଠି, ୧୦) କଣ୍ଢେଇନାଚ, ୧୧) ସଖିନାଚ, ୧୨) ରାମନାଟକ, ୧୩) ମହିରାବଣ ବଧ ନାଟକ, ୧୪) କଂସବଧ ନାଟକ, ୧୫) ଗାହାଣୀ, ୧୬) ଗଳ୍ପସାଗର, ୧୭) ଭୂତକେଳି, ୧୮) ପାଲା, ୧୯) ଜାନୁଘଣ୍ଟ, ୨୦) ଧୋବାନାଚ, ୨୧) ହରିକଥା, ୨୨) ଘୁଡ଼ୁକି ନାଟ, ୨୩) ସଙ୍ଗୀତ ନାଟକ, ୨୪) ଗୋଲାନାଟ, ୨୫) ପାଇକ ନାଟ, ୨୬) ରଣପା ନାଟ, ୨୭) କେଳା ନାଚ, ୨୮) ବାଘ ନାଚ, ୨୯) ଡୁବୁଡୁବା ନାଚ, ୩୦) ମୁଣ୍ଡପୋତା କେଳା ନାଚ, ୩୧) ବେଙ୍ଗୁଲି ନାଟ, ୩୨) କଳଘୋଡ଼ା ନାଚ, ୩୩) ରାଜାରାଣୀ ନାଚ, ୩୪) ମାହାରିନାଚ, ୩୫) ଯୋଡ଼ିଶଙ୍ଖ, ୩୬) ଘୋଡ଼ା ନାଚ, ୩୭) ମୋଗଲତାମସା, ୩୮) କରମା, ୩୯)କେସାବାଡ଼ି, ୪୦) ଦଣ୍ଡନାଟ, ୪୧) ଦେଶୀୟା ନାଟ, ୪୨) କିଷାନନାଚ, ୪୩) ଝୁମର୍, ୪୪) ଚାଙ୍ଗୁନାଚ, ୪୫) ଡାଲଖାଇ, ୪୬) ଘୁସରା, ୪୭) ଚଇତିଘୋଡ଼ା, ୪୮) ଚଢ଼େୟା, ୪୯) ଶବର, ୫୦) ଗଦ୍ବା ନାଟ ।

ଲୋକନାଟକ ଓ ପାରମ୍ପରିକ ନାଟକ ମଧ୍ୟରେ ଥିବା ମୌଳିକ ପ୍ରଭେଦଟିକୁ ଅତି ସୂକ୍ଷ୍ମଭାବରେ ଚିନ୍ତାକଲେ ଜଣାଯାଏ ଯେ ନାଟ୍ୟକୋବିଦ ଭରତମୁନୀ ବୀରଚିତ ନାଟ୍ୟଶାସ୍ତ୍ରକୁ ଭାରତୀୟ ନାଟ୍ୟ ପରମ୍ପରାର ପ୍ରଥମ ତତ୍ତ୍ୱଭିତ୍ତିକ ପୁସ୍ତକ ଭାବରେ ଗ୍ରହଣ କରାଯାଏ । ସେଠାରେ ଏହି କଥାଟିକୁ ସେ ‘ସଂଗ୍ରହ’ ପର୍ଯ୍ୟାୟରେ ଭାରତୀୟ ନାଟ୍ୟ ପରିବେଷଣ ଶୈଳୀକୁ ‘ଧର୍ମୀ’ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ପରିବେଷଣ ତଥା ଗାଠନିକତା ଦୃଷ୍ଟିକୋଣରୁ ଏହି ଧର୍ମୀକୁ ସେ ଦୁଇଭାଗରେ ବିଭକ୍ତ କରିଛନ୍ତି, ଯଥା – ୧) ଲୋକଧର୍ମୀ, ୨) ବିଦଗ୍ଧଧର୍ମୀ ।

ସହଜ ଭାବରେ ବୁଝିବାକୁ ଗଲେ ଲୋକବୃତ୍ତର ନାଟ୍ୟ ପରିବେଷଣ ଶୈଳୀକୁ ଲୋକଧର୍ମୀ କୁହାଯିବା ବେଳେ ତକ୍ରାଳୀନ ସମୟରେ ସଂସ୍କୃତ ଭାଷାରେ ରଚିତ ଓ ପରିବେଷିତ ନାଟ୍ୟ ପରିବେଷଣକୁ ବିଦଗ୍ଧଧର୍ମୀ ବା ନାଟ୍ୟଧର୍ମୀ କୁହାଗଲା । ଏହି କଥାଟିକୁ ଗଭୀର ଭାବରେ ଚିନ୍ତା କଲାବେଳକୁ ମନ ଭିତରେ ଏକ ସ୍ୱତଃ ପ୍ରଶ୍ନ ସୃଷ୍ଟିହୁଏ ଯେ ଯଦିବା ସମଗ୍ର ଭାରତବର୍ଷରେ ଲୋକନାଟକର ମାନ୍ୟତା ପାଉଥିବା ପ୍ରମୁଖ ନାଟ୍ୟଶୈଳୀ, ଯଥା – ଗୁଜୁରାଟର ଭବାଇ, ମହାରାଷ୍ଟ୍ରର ତାମ୍ସା, କର୍ଣ୍ଣାଟକର ଯକ୍ଷଗାନ, ଆନ୍ଧ୍ରପ୍ରଦେଶର କୁଚିପୁଡ଼ି, ବିହାରର ବିଦେଶିଆ, ବଙ୍ଗଳାର ଯାତ୍ରା, ଆସାମର ଅଙ୍କିଆ ନାଟ, ଉତ୍ତରପ୍ରଦେଶର ରାମଲୀଳା, ମଧ୍ୟପ୍ରଦେଶର କୃଷ୍ଣଲୀଳା, ମଣିପୁରର ରାସଲୀଳା ଠିକ୍ ସେହିଭଳି ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ପୃଷ୍ଠଭୂମିରେ ବିକାଶଲାଭ କରିଥିବା ନାଟ୍ୟଧାରା, ଯଥା – ଯାତ୍ରା, ପାଲା, ଦାସକାଠିଆ, ପ୍ରହ୍ଲାଦନାଟକ, ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ଦଣ୍ଡନାଟ, ଘୋଡ଼ାନାଟ ଇତ୍ୟାଦିର ଉନ୍ମେଷପର୍ବ ମଧ୍ୟଯୁଗ ଏବଂ ଆଧୁନିକ ଯୁଗର ପ୍ରାଥମିକ ପର୍ବରୁ ତା’ହେଲେ ଭାରତୀୟ ସାଂସ୍କୃତିକ ପଟ୍ଟଭୂମିରେ କିଭଳି ନାଟ୍ୟ ପରିବେଷଣର ପରମ୍ପରାକୁ ଉପଲବ୍ôଧ କରି ଭରତମୁନୀ ତାକୁ ଲୋକବୃତ୍ତ ବା ଲୋକଧର୍ମୀ ଭାବରେ ଗ୍ରହଣ କଲେ । ଏତଦ୍ବ୍ୟତୀତ ଯେଉଁ ସବୁ ନାଟ୍ୟଧାରାର ଉନ୍ମେଷ ପଛରେ ରହିଛି ବୈଷ୍ଣବ, ବ୍ରାହ୍ମଣ୍ୟ, ଶୈବ ଓ ଶାକ୍ତ ଭଳି ପ୍ରମୁଖ ଧର୍ମଧାରାର ପ୍ରତ୍ୟକ୍ଷ ପ୍ରଭାବ ତାକୁ ପାରମ୍ପରିକ ନାଟକ ନକହି କିଭଳି ଲୋକନାଟକ ବୋଲି କହିପାରିବ ।

ତେଣୁ ଏ କ୍ଷେତ୍ରରେ ରାମଲୀଳା, କୃଷ୍ଣଲୀଳା, ଯାତ୍ରା, ପାଲା, ଦଣ୍ଡନାଟ, ଘୋଡ଼ାନାଟ, ଓଷାକୋଠି ଭଳି ଧର୍ମ ଓ ପରମ୍ପରା ଆଧାରିତ ନାଟ୍ୟଶୈଳୀଗୁଡ଼ିକୁ ଲୋକନାଟକ ନକହି ପାରମ୍ପରିକ ନାଟକ କହିଲେ ଯୁକ୍ତିସିଦ୍ଧ ହେବ । ଏହାଛଡ଼ା ଉପରବର୍ଣ୍ଣିତ ଦୃଷ୍ଟିଭଙ୍ଗିକୁ ବିଚାର କରି ଆମକୁ ନିଶ୍ଚିତ ହେବାକୁ ପଡ଼ିବ ଯେ ପ୍ରାଚୀନ ଯୁଗରେ ଭାରତବର୍ଷରେ କେଉଁଭଳି ଲୋକବୃତ୍ତର ନାଟ୍ୟଶୈଳୀକୁ ଲୋକଧର୍ମୀର ପର୍ଯ୍ୟାୟଭୁକ୍ତ କରିଥିଲେ । ଅପରପକ୍ଷରେ ଯେହେତୁ ଭାଷଙ୍କ ପରବର୍ତ୍ତୀ ସମୟରୁ ଭାରତବର୍ଷରେ ରାଜନ୍ୟ ପୃଷ୍ଠପୋଷକତାରେ ବଢ଼ି ଆସିଥିବା ଯେଉଁ ସଂସ୍କୃତ ନାଟ୍ୟଧାରା ପ୍ରବାହିତ ହେଲା ତାକୁ ବିଦଗ୍ଧ ଧର୍ମୀର ପର୍ଯ୍ୟାୟଭୁକ୍ତ କରାଗଲା । ତେଣୁ ତକ୍ରାଳୀନ ସମୟରେ ଯେଉଁ ନାଟ୍ୟଶୈଳୀଗୁଡ଼ିକ ପ୍ରଥମତଃ ବ୍ରାହ୍ମଣ, ରାଜନ୍ୟ, ସମ୍ଭ୍ରାନ୍ତ ତଥା ଶିକ୍ଷିତ ସମ୍ପ୍ରଦାୟର କର୍ତ୍ତୃତ୍ୱ ଠାରୁ ଦୂରରେ ରହିଲେ ଏବଂ ଭାରତବର୍ଷରେ ବସବାସ କରୁଥିବା ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି କହିଲେ ଯେଉଁମାନଙ୍କୁ ଅଙ୍ଗୁଳିନିର୍ଦ୍ଦେଶ କରେ, ସେମାନଙ୍କ ଜୀବନ ଓ ଜୀବିକାକୁ ପ୍ରତିଫଳିତ କରୁଥିବା ନାଟ୍ୟଧାରାମାନଙ୍କୁ ଲୋକନାଟକ କୁହାଯିବା ଯୁକ୍ତିଯୁକ୍ତ ହେବ ।

ଏହି ନାଟ୍ୟଧାରାରେ ସେମାନଙ୍କ ଗୋଷ୍ଠୀଭିତ୍ତିକ ଆଞ୍ଚଳିକ କଥିତ ଭାଷା- ଭାବ ଆଦାନପ୍ରଦାନର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଏହି ନାଟ୍ୟ ପରମ୍ପରା ଆଜି ବିଲୁପ୍ତିର ଶେଷ ପର୍ଯ୍ୟାୟରେ । ଓଡ଼ିଶାର ସେହି ପର୍ଯ୍ୟାୟର ନାଟ୍ୟ ପରମ୍ପରାଗୁଡ଼ିକ ହେଲା, ଯଥା – କରମା, ରସରକେଲି, କୈସାବାଡ଼ଇ, ଦେଶିଆ, କୋୟା, ଗଦ୍ବା, ଗଣ୍ଡନାଟ, କନ୍ଧନାଟ, କିଷାନ୍ନୃତ୍ୟ, ଚାଙ୍ଗୁନୃତ୍ୟ, ଭୂତକେଳୀ, ଧୋବାନାଟ, ଗୋଲାନାଟ, ଚଢ଼େୟା ନାଟ, ବାଘନାଟ, କେଳାନାଟ, ଡୁବୁଡୁବା ନାଟ, ମେରେକୋୟା ନାଟ, ମୁଣ୍ଡପୋତା କେଳା ନାଟ, ବେଙ୍ଗୁଲି ନାଟ, ମାଙ୍କଡ଼ନାଟ, କାଠିନାଟ, କଳାଘୋଡ଼ା  ନାଚ, ଘୋଡ଼ାନାଟ, ଶବରନାଚ, ସାପୁଆ ନାଚ ଇତ୍ୟାଦି । ଆମେ କିନ୍ତୁ ଭାରତୀୟ ନାଟ୍ୟ ପରମ୍ପରାର ଏହି ମୌଳିକ ନାଟ୍ୟ ପରମ୍ପରାକୁ ଏଭଳି ଭାବରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅବହେଳା ପ୍ରଦର୍ଶନ କଲୁ ଯେ ତା’ର ସ୍ଥିତି ଏକବିଂଶ ଶତକର ପ୍ରଥମାର୍ଦ୍ଧ ବେଳକୁ ଲୁପ୍ତ ହେବାକୁ ବସିଲା । ତେଣୁ ତଥାକଥିତ ସାହିତ୍ୟିକ, ସମାଲୋଚକ, ସମୀକ୍ଷକ, ଗବେଷକ, କଳାକାର ତଥା ଅଧ୍ୟାପକମାନଙ୍କୁ ଲୋକନାଟକ ଏବଂ ପାରମ୍ପରିକ ନାଟକର ଭିନ୍ନତାକୁ ଯୁକ୍ତିସିଦ୍ଧ ଭାବରେ ଗ୍ରହଣ କରିବା ଆବଶ୍ୟକ ।

ଉପରବର୍ଣ୍ଣିତ ଲୋକନାଟକର ବିବରଣୀରୁ ଜଣାଯାଏ ଯେ ସମଗ୍ର ଭାରତବର୍ଷରେ ଲୋକନାଟକ ଓ ପାରମ୍ପରିକ ନାଟକ ପାରମ୍ପରିକ ନାଟକ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣି ଭୂମିକା ନିର୍ବାହ କରୁଛି ଏହା ନିଃସନ୍ଦେହ । ସବୁଠାରୁ ଖୁସିର କଥା ଏହା ଯେ ସେ ଭିତରୁ  ଅନେକ ନାଟ୍ୟଶୈଳୀ ପରିବେଷଣର ଭିନ୍ନତା ଦୃଷ୍ଟିରୁ ସମଗ୍ର ଭାରତୀୟ ନାଟକ କ୍ଷେତ୍ରରେ ଏକ ସମ୍ମାନଜନକ ସ୍ଥାନ ଲାଭ କରିଆସିଛନ୍ତି । ଏ ଦିଗରେ ବିଶେଷକରି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭୂମିକାକୁ ହେୟଜ୍ଞାନ ପ୍ରକାଶ କରିହେବ ନାହିଁ । କାରଣ ଉପରବର୍ଣ୍ଣିତ ନାଟକମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକନାଟକ ପାରମ୍ପରିକ ନାଟକର ଜନ୍ମ ଏହି ଜିଲ୍ଲାରେ ଘଟିଛି । ସେଗୁଡ଼ିକ ହେଲା ଯଥା – ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମ ଲୀଳା, ଭାରତଲୀଳା, ରାସଲୀଳା, ଦାସକାଠିଆ, ରାମନାଟକ, ମହାଭାରତ ନାଟ, ଦଣ୍ଡନାଟ, ଗାହାଣୀ, ଗଳ୍ପସାଗର, ଘୁଡ଼ୁକିନାଟ, ହରିକଥା, ସଙ୍ଗୀତନାଟକ, ଗୋଲାନାଚ, ରଣପା, କେଳାନାଟ, ବାଘନାଟ, ମୁଣ୍ଡପୋତା କେଳା, କଳଘୋଡ଼ା ନାଚ, ରାଜାରାଣୀ ନାଚ, ଯୋଡ଼ିଶଙ୍ଖ, ଘୋଡ଼ାନାଚ, ଚଢ଼େୟା ନାଚ ଇତ୍ୟାଦି । ବିଭିନ୍ନ କାରଣରୁ ଏହା ଭିତରୁ ଅନେକ ନାଟ୍ୟଶୈଳୀ ଲୁପ୍ତ ହେବାକୁ ବସିଲେଣି ଯେଉଁ କେତେକ ନିର୍ଦ୍ଦିଷ୍ଟ ଲୋକନାଟକ ବା ପାରମ୍ପରିକ ନାଟକ ଆଜି ବି ସେମାନଙ୍କ ସ୍ଥିତି ସୁଦୃଢ଼ କରି ରଖିପାରିଛନ୍ତି ସେମାନଙ୍କ ମଧ୍ୟରେ ଦଣ୍ଡନାଟ ଅନ୍ୟତମ ।

ଦଣ୍ଡନାଟ ନିମନ୍ତେ ଓଡ଼ିଶାର ଗଞ୍ଜାମଜିଲ୍ଲା ସ୍ୱତନ୍ତ୍ରସ୍ଥାନ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶାର ଅନ୍ୟାନ୍ୟ କେତେକ ସ୍ଥାନରେ ଏହାର ପରିବେଷଣ ଦେଖିବାକୁ ମିଳିଥାଏ । ପାରମ୍ପରିକ ରୀତିନୀତି ଏବଂ ପରିବେଷଣ ଶୈଳୀରେ ଭିନ୍ନତା ପରିଲକ୍ଷିତ ଥିଲେ ମଧ୍ୟ ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳ ଭଳି ଅନେକ ସ୍ଥାନରେ ଏହା ଦେଖିବାକୁ ମିଳେ । ଗଞ୍ଜାମ ଜିଲ୍ଲାର ଯେଉଁସବୁ ଗ୍ରାମରେ କାଳିମନ୍ଦିର ପ୍ରତିଷ୍ଠା କରାଯାଇଛି ସେହି ସବୁ ଗ୍ରାମମାନଙ୍କରେ ଶାକ୍ତ ପରମ୍ପରାକୁ ଆଧାର କରି ପ୍ରତିବର୍ଷ ଚୈତ୍ର ମାସରେ (ଇଂରାଜୀ ମାସ ମାର୍ଚ୍ଚ ଶେଷ ଏପ୍ରିଲ ଆରମ୍ଭ) ଏହି ଯାତ୍ରା ପାଳିତ ହୁଏ । ତେଣୁ ଏହି ପର୍ବର ଶେଷଦିନକୁ ମେରୁ ଯାତ୍ରା କୁହାଯାଏ । ମେରୁ ଯାତ୍ରା କହିବା ପଛରେ ଥିବା କାରଣଟି ହେଲା ପ୍ରଥମତଃ ଏହି ପାରମ୍ପରିକ ନାଟ୍ୟପ୍ରକ୍ରିୟା ଏକୋଇଶି ଦିନ କିମ୍ବା ଅଠରଦିନ ଅଥବା ତେରଦିନ ବ୍ୟାପି ପାଳିତ ହୁଏ ଏବଂ ପରିଶେଷରେ ମେଷ ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ଦିନ ଉଦ୍ୟାପିତ ହୋଇଥାଏ ।

ସମସ୍ତ ଦଣ୍ଡନାଟ ଦଳ ମେରୁସଂକ୍ରାନ୍ତି ଦିନ ନାଟ୍ୟକର୍ମ ଉଦ୍ୟାପନ କରୁଥିବାରୁ ମେରୁସଂକ୍ରାନ୍ତି ଦିନକୁ ଆଖି ଆଗରେ ରଖି ତେର ଦିନ ପୂର୍ବରୁ କିମ୍ବା ଅଠରଦିନ ପୂର୍ବରୁ କିମ୍ବା ଏକୋଇଶି ଦିନ ପୂର୍ବରୁ ନାଟକ ଆରମ୍ଭ କରିଥାନ୍ତି । ଦ୍ୱିତୀୟତଃ ଦଣ୍ଡନାଟରେ ଅଂଶଗ୍ରହଣ କରୁଥିବା ଭକ୍ତମାନେ କିମ୍ବା କଳାକାରମାନେ ନାଟକ ପରିବେଷଣ ଆରମ୍ଭର ପ୍ରଥମ ଦିବସରୁ ନିଜ ଗାଁ କାଳୀ ମନ୍ଦିରରୁ ଆରମ୍ଭ କରି ପ୍ରତିଦିନ ଗୋଟିଏ ଗୋଟିଏ ଗାଁ ପାଦରେ ଭ୍ରମଣ କରି ପରିଶେଷରେ ମେରୁସଂକ୍ରାନ୍ତି ଦିନ ନିଜ ଗାଁ’କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଏବଂ ସେଠାରେ ନିଜର ଯାତନୀତି ପାରମ୍ପରିକ ରୀତିରେ ସମାପନ କରି ନିଜ ନିଜର ଗ୍ରାମକୁ ପତ୍ୟାବର୍ତ୍ତନ କରିଥାନ୍ତି । ଏହି ଦୃଷ୍ଟିକୋଣରୁ ତାକୁ ଦଣ୍ଡଯାତ୍ରା ବୋଲି ସାଧାରଣ ଲୋକମାନେ ମଧ୍ୟ କହିଥାନ୍ତି । ତୃତୀୟତଃ ଦୁର୍ଭାଗ୍ୟବଶତଃ ସମାଜର ବଜାରିକରଣ ପ୍ରକ୍ରିୟା ପାରମ୍ପରିକ ନାଟକକୁ ମଧ୍ୟ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇନାହିଁ । କିଛିବର୍ଷ ଧରି ଆଧୁନିକତା ସାଥିରେ ତାଳଦେଇ ଚାଲିବାର ଅପଚେଷ୍ଟାରେ ଆମ ପାରମ୍ପରିକ ନାଟ୍ୟଦଳମାନେ ବର୍ତ୍ତମାନ ସମୟର ଯାତ୍ରାନାଟକ ରୀତିରେ ପରିବେଷଣ କରୁଥିବା ଯୋଗୁଁ ଏହି ନାଟ୍ୟଧାରାର ବିଧି ବିଷୟରେ ଅଜ୍ଞ ଥିବା ଦର୍ଶକମାନେ ମଧ୍ୟ ଏହାକୁ ଦଣ୍ଡଯାତ୍ରା ବୋଲି କହନ୍ତି ।

ସେମିତି ଦେଖିବାକୁ ଗଲେ ଗଞ୍ଜାମ ଜିଲ୍ଲାରେ କେବଳ ଶହେରୁ ଅଧିକ ଦଣ୍ଡନାଟ ଗୋଷ୍ଠୀ ପ୍ରତିବର୍ଷ ଚୈତ୍ରମାସରେ ଗାଁ ଗାଁ ପରିଭ୍ରମଣ କରି ପରିଶେଷରେ ସଂକ୍ରାନ୍ତି ଦିନ ଯାତ୍ରା ଉଦ୍ୟାପିତ କରିଥାନ୍ତି । ଦଣ୍ଡନାଟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଗାଁ’ଗୁଡ଼ିକ ହେଲା, ଯଥା – ଗାଲେରୀ, କୁଲାଗଡ଼, କୁଲାଡ଼, ମୁଣ୍ଡମରେଇ, ବନ୍ଧାଗୁଡ଼ା, ବଦାଙ୍ଗୀ, ପୋଲସରା, ସିଦ୍ଧପୁର, ଜାହାଡ଼ା, କବିସୂର୍ଯ୍ୟନଗର, ପାଟପୁର, ନୂଆଗାଁ, ଗୋବରା, ଜିଲୁଣ୍ଡି, କାଳଷଣ୍ଢପୁର, ହାତୀଓଟ, ଘୋଡ଼ାପଲାଣ, ସୋରଡ଼ା, ଆମ୍ବଆବାଡ଼ି, ଧରାକୋଟ, ସମରଖେଳ, ରୋହିଗାଁ, ବୁରୁପଡ଼ା, ପିତଳ, ହିଜିଳି, ନୂଆଗାଁ, ରାଉଳପଲ୍ଲୀ, ମୋଡ଼ାବାଇ, କୋଳିଦାସପୁର, ଜଗନ୍ନାଥପ୍ରସାଦ, ବୁଗୁଡ଼ା ଇତ୍ୟାଦି ।

ଦଣ୍ଡନାଟର ଉତ୍ପତ୍ତି :

ପୂରାଣ ମତରେ ହିମାଳୟ ପାଦଦେଶରେ ଏକ ରମଣୀୟ ଉଦ୍ୟାନ ରହିଥିଲା । ଏହି ଉଦ୍ୟାନଟିରେ ନାନା ଜାତିର ବୃକ୍ଷଲତା ଥିବାସହ ବିଭିନ୍ନ ପ୍ରଜାତିର ପଶୁ-ପକ୍ଷୀ ଅତି ଆନନ୍ଦରେ ରହୁଥିଲେ । ଏହି ବନରେ ସୁଧର୍ମା ନାମକ ଜଣେ ଚଢ଼େୟା ଘୋର ତପସ୍ୟା କରି ଶିବଙ୍କ ସାନ୍ନିଧ୍ୟ ଲାଭ କଲା । ତେଣୁ ଦଣ୍ଡନାଟ ପରିବେଷଣ ସମୟରେ ଶିବ ନାଚି ନାଚି ଗାଇଥାନ୍ତି –

‘ଅପୁତ୍ରିକ ସୁଧର୍ମା ଯେ କଲା ଯେଉଁ ବ୍ରତରେ

ତେଣୁ ଆମ୍ଭେ ବର ଦେଲୁ

ହେଲା ତା’ର ପୂତ ହେ…

ଥାଇଣ ପାର୍ବତୀ ବନେ

ଦ୍ରୋହ ସେତ କଲାରେ

ଏଣୁ ଆମ୍ଭ ଶାପ୍ୟରୁ ସେ

ନେତ୍ରହୀନ ହେଲା…

ଧନ୍ୟତାର ଜନନୀରେ କଲା ଯେଉଁଭକ୍ତି

ତେଣୁ ଆମ୍ଭେ ବର ଦେଲୁ

ଲଭିଲା ମୁକତି ।

ଏହି ସୁଧର୍ମାର ତେରଗୋଟି ପୁତ୍ର ମଧ୍ୟରୁ ଚହଟମଣି ଏକ ପୁତ୍ର ଥିଲା । ଥରେ ସୁଧର୍ମାର ପତ୍ନି କୌଣସି ଏକ ଦ୍ରୋହ କରିବା କାରଣରୁ ଶିବଙ୍କ ଠାରୁ ଅଭିଶାପ ପାଇ ବନ ମଧ୍ୟରେ ଅତି ଦୁଃଖରେ ଜୀବନ ଅତିବାହିତ କରୁଥିଲା । ପରେ ସେ ପୁଣି ପ୍ରାର୍ଥନା କରି ଶିବଙ୍କ ଠାରୁ ଶାପମୁକ୍ତ ହୋଇଥିଲେ । ପିତାମାତା ମରିଗଲା ପରେ ସେହି ଚହଟମଣି ପତ୍ନୀ ହେମା ଏବଂ ଦ୍ୱିତୀୟ ପତ୍ନୀ ବା ଶାଳୀ ଜେମାକୁ ପାଇ ଅତ୍ୟନ୍ତ ଖୁସିରେ କାଳାତିପାତ କରୁଥିଲା । କିନ୍ତୁ ଦୁଃଖର କଥା ସେମାନଙ୍କର କିଛି ପୂତ୍ର ସନ୍ତାନ ନଥିଲା । ଅପରପକ୍ଷରେ ପୁଣି ତିନିପ୍ରାଣି କୁଟୁମ୍ବ ପାଳିବା ଚହଟମଣି ପାଖରେ ଅସାଧ୍ୟ ହେବାକୁ ଲାଗିଲା । ତେଣୁ ସେ ଶିବଙ୍କୁ ପ୍ରାର୍ଥନା କରି ବର ମାଗିଲା ଯେ, ‘ପ୍ରଭୁ ମୋତେ ଏପରି ଏକ ଫାଶ ଦିଅନ୍ତୁ, ଯାହାକୁ ଦେଖିବା ମାତ୍ରେ ପକ୍ଷୀମାନେ ଆପେ ଆପେ ଆସି ସେ ଫାଶରେ ଲାଗିଯିବେ । ମୁଁ ତାଦ୍ୱାରା ଉଦର ପୋଷଣ କରି ସୁଖରେ ରହିବି ।’ ଏହି ଚହଟମଣି ଚଢ଼େଇ ମାରି ଉଦର ପୋଷଣ କରିବାର ମନସ୍କାମନା କରିଥିବାରୁ ତାକୁ ଚଢ଼େୟା କୁହାଗଲା ।

ଚହଟମଣିର ଉକ୍ତି ଅନୁସାରେ ତାକୁ ମୃତ୍ୟୁର ଫାଶକୁ ପ୍ରଦାନ କରିବା ନିମନ୍ତେ ଶିବ ମୃତ୍ୟୁର ଦେବତା ଯମକୁ ସ୍ମରଣ କଲେ ଏବଂ ଯେତେବେଳେ ଯମଙ୍କ ନିକଟରେ ଏକଥା ପ୍ରକାଶ କଲେ, ସେତେବେଳେ ଯମ କହିଲେ, ‘ପ୍ରଭୁ, ସକଳ ଜୀବଙ୍କ ମୃତ୍ୟୁର ଫାଶର ଅଧିକାରୀ ହେଉଛନ୍ତି ସ୍ୱୟଂ ସୃଷ୍ଟିକର୍ତ୍ତା । ଆଉ ଏହି ମୃତ୍ୟୁର ଫାଶ ଯେତେବେଳେ ସାଧାରଣ ମାନବ ହାତରେ ଆପଣ ଅର୍ପଣ କରିବେ ତେବେ ସୃଷ୍ଟିର ଅମଙ୍ଗଳ ହେବ । ତେଣୁ ଶିବ ଯମଙ୍କ ଯୁକ୍ତିକୁ ସମ୍ମାନ ପ୍ରଦର୍ଶନ କରି ଏକ ସର୍ତ୍ତ ରଖି ଚହଟମଣି ଚଢ଼େୟାକୁ ମୃତ୍ୟୁର ଫାଶ ପ୍ରଦାନ କଲେ ଏବଂ ସେହି ସର୍ତ୍ତଟି ହେଲା – ‘ହେ ଭକ୍ତ ଆମ୍ଭ ପ୍ରିୟ ପକ୍ଷୀ ରାଜହଂସ, ଶୁଆ, ଶାରି, କପୋତ, ମୟୂର ଏମାନଙ୍କୁ ଛାଡ଼ି ଅନ୍ୟାନ୍ୟ ବନପକ୍ଷୀମାନଙ୍କୁ ତୁମ୍ଭେ ଫାଶବିଦ୍ଧ କରି ମାରିବ ଆଉ ଦିନରେ ଗୋଟିଏ ପକ୍ଷୀରୁ ଅଧିକ ପକ୍ଷୀ ବଧ କରିବ ନାହିଁ । ଶୁଆ, ଶାରୀ, ରାଜହଂସ, ମୟୂର ଆଦି ପକ୍ଷୀକୁ ବଧ କଲେ ତୁମ୍ଭେ ନିଶ୍ଚୟ ଅକାଳ ମୃତ୍ୟୁ ଲାଭ କରିବ ।’

ଚହଟ ମଣି ଶିବଙ୍କ ପାଖରୁ ଫାଶଟି ନେଇ ସ୍ୱଗୃହକୁ ଗମନ କଲେ । ଚହଟମଣିର ସ୍ତ୍ରୀ’ମାନେ ତା’ର ବର ପ୍ରାପ୍ତ କଥା ଶୁଣି ଗୁଡ଼ିଏ ପକ୍ଷୀ ମାରି ଆଣିବାକୁ ପ୍ରବର୍ତ୍ତାଇଲେ । ଚହଟମଣି ମଧ୍ୟ ଅତ୍ୟନ୍ତ ଲୋଭର ଶିକାର ହୋଇ ଏକାଧିକ ପକ୍ଷୀ ଶିକାର କରିବାକୁ ଲାଗିଲା । ଏହି କଥାଟିକୁ କବି ଦଣ୍ଡପାଣି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି –

ଚଢ଼େୟା – ଶୁଣ ଆହେ ପ୍ରାଣସହୀ

                ଧରି ଆଣିବି ମୁଁ ପକ୍ଷୀଙ୍କୁ ଯାଇ

ବିକିବ ଯତନେ ଗ୍ରାମେ ଗ୍ରାମେ ତୁମ୍ଭେ ଯାଇ

                ଚଢ଼େୟାଣୀ – ଶୁଣ ଆହେ ପ୍ରାଣନାଥ

ନମାର ଶାରୀ, ଶୁଆ, ରାଜହଂସ

                ମୟୂର, କପୋତ କରିଛ ଶିବେ ଶପଥ ।

ଚଢ଼େୟା – ଚଢ଼େୟା ବୀର ମୋ ନାମ

                ପକ୍ଷୀ ଜନ୍ତୁ ମାରି ଧରେ ଜୀବନ

କିପରି ଛାଡ଼ିବି ସେହି ଭଲ ପକ୍ଷୀମାନ ।

                ଚଢ଼େୟାଣୀ -ମୋ ରାଣ ଶୁଣ ହେ ନାଥ

କେବେ ନ ମାରିବ ଏହି ପକ୍ଷୀ ତ

                ଶିବ ଶିବା ପାଶେ କରିଚ ଯେଉଁ ଶପଥ ।

ଏଣୁ ପକ୍ଷୀମାନେ ଆତ୍ମରକ୍ଷା ନିମନ୍ତେ ଗରୁଡ଼ଙ୍କୁ ଦୁଃଖ ଜଣାଇଲେ । ପକ୍ଷୀମାନଙ୍କ ଦୁଃଖ ସହିନପାରି ଗରୁଡ଼ ଶିବଙ୍କୁ ପ୍ରାର୍ଥନା କଲେ। ଶିବ ଚଢ଼େୟାକୁ ସତର୍କ କରେଇବା ନିମନ୍ତେ ଡୁବୁଡୁବା ବେଶରେ ଚଢ଼େୟାକୁ ଭବିଷ୍ୟତ ବିଷୟରେ ସତର୍କ କରାଇଲେ । ତଥାପି ଯେତେବେଳେ ଚଢ଼େୟା ଏକାଧିକ ପକ୍ଷୀ ହତ୍ୟା କରିଚାଲିଲା ସେତେବେଳେ ଶିବଙ୍କ ଅଭିଶାପରେ ସର୍ପାଘାତରେ ତା’ର ମୃତ୍ୟୁ ଘଟିଲା । ଚଢ଼େୟାର ମୃତ୍ୟୁ ପରେ ତା’ର ସ୍ତ୍ରୀ’ମାନେ ଯେତେବେଳେ ଦୁର୍ଗାଙ୍କୁ ପ୍ରାର୍ଥନା କଲେ ସେତେବେଳେ ମା’ଦୁର୍ଗା ସେମାନଙ୍କ ଦୁଃଖ ସହି ନପାରି ଧନ୍ୱନ୍ତରିଙ୍କୁ ପ୍ରେରଣ କରି ଚଢ଼େୟାକୁ ପୁନଃ ଜୀବନ ପ୍ରଦାନ କଲେ ଏବଂ ହରଗୌରିଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦଣ୍ଡଯାତ୍ରା ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ।

                                                                …କ୍ରମଶଃ

[box type=”shadow” align=”” class=”” width=””]ଲୋକକଳା ଓ ଲୋକ ନାଟକ ଆମ ଓଡ଼ିଶାର ସାଂସ୍କୃତିକ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ରାମଲୀଳା, କୃଷ୍ଣଲୀଳା,  ଦାସକାଠିଆ,  ଦଣ୍ଡନାଟ, ପାଲା ଏମିତି ଅନେକ ଲୋକ ନାଟକ ଆମ ରାଜ୍ୟର ଲୋକ ଜୀବନରେ ଏକ ବିଶିଷ୍ଠ ସ୍ଥାନ ଗ୍ରହଣ କରିଆସିଛି । ବିଶେଷକରି ଦଳିତ ଓ ଆଦିବାସୀ ମାନେ ଏହି ଲୋକକଳାକୁ ବଞ୍ଚାଇ ରଖିଛନ୍ତି । ଯାହା ଉପରେ ଖୁବକମ୍ ଗବେଷଣା କରାଯାଉନାହିଁ । ଗବେଷଣାରତ ଶିକ୍ଷାର୍ଥୀମାନେ ଯଦି ଏହିଭଳି ଲୁପ୍ତପ୍ରାୟ କଳା ସଂସ୍କୃତିକୁ ଗବେଷଣାର ପରିସରଭୂକ୍ତ କରିବେ ତେବେ ଓଡ଼ିଶାର ଲୋକକଳାକୁ ବଞ୍ଚାଇବାପାଇଁ ଉପାୟଟିଏ ବାହାରି ପାରିବ ।  –              ସମ୍ପାଦକ[/box]

photo credit-internet

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ