Home / କଳା ସଙ୍ଗୀତ / ନାଟକ / ନାଟକରେ ନାରୀ (ସାକ୍ଷାତକାର – ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ)

ନାଟକରେ ନାରୀ (ସାକ୍ଷାତକାର – ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ)

Share Samadhwani

ଜଗଦାନନ୍ଦ ଛୁରିଆ – ଓଡ଼ିଶାର ନାଟ୍ୟକାରମାନଙ୍କ ଭିତରେ ଜଣେ ସୁନାମଧନ୍ୟ ପ୍ରତିଭା । କୁଟେନପାଲି, ପୁଇନ୍ତଳା ବ୍ଲକ୍, ବଲାଙ୍ଗିର ଜିଲ୍ଲାରେ ତାଙ୍କର ଜନ୍ମ । ପିଲାଟି ଦିନରୁ ନାଟକ ପ୍ରତି ବିଶେଷ ଅନୁରକ୍ତି ତାଙ୍କର । ଆଜିଯାଏଁ ନାଟକ ହିଁ ତାଙ୍କ ପାଇଁ ସବୁକିଛି । ନିକଟରେ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଆଦିମବିଚାର’ରେ ମଧ୍ୟ ସେ କଳାକାର ଭାବରେ ଲୋକଙ୍କ ମନ ଜିଣିଛନ୍ତି । ଏହି ମହାନ କଳାକାର ‘ନାଟକରେ ନାରୀ’ ପ୍ରସଙ୍ଗରେ  ଯାହା କହିଛନ୍ତି ଆମେ ଏଠାରେ ଉପସ୍ଥାପନ କରୁଛୁ । – ସମ୍ପାଦକ

 

ପ୍ରଶ୍ନ: କେତେ ବୟସରୁ ନିର୍ଦ୍ଦେଶନା, ଲେଖାଲେଖି କଲେଣି? କିଏ ନାଟକ ପାଇଁ ପିଲାଦିନେ ପ୍ରୋତ୍ସାହନ ଦେଇଥିଲେ?

ଉ: ଗାଁରେ କଟିଥିବା ବାଳୁତ କାଳରୁ ନିର୍ଦ୍ଦେଶନା ଆରମ୍ଭ । ରାତିରେ ରାମଲୀଳା ଦେଖା ଓ ଧୁ ଧୁ ଖରାବେଳେ ସାଙ୍ଗକୁ ନେଇ, ଖଡ଼ି, ରଙ୍ଗମାଖି, କୋଇଲାରରଙ୍ଗ ମାଖି ଦେଖିଥିବା ଉପାଖ୍ୟାନମାନଙ୍କ ଅଭିନୟ କରୁ । ସୀତାଚୋରି, ଅଙ୍ଗଦପଡ଼ି, ମଥୁରାମଙ୍ଗଳ ଆଦିର ପ୍ରଭାବରେ ଲେଖାଲେଖି ବି ସେଇ ବୟସରୁ । ବଡ଼ଭାଇ ପରମାନନ୍ଦ ଛୁରିଆ ମୋତେ ପ୍ରେରଣା ଦେଇଥିଲେ । ସେ ମୋଠୁ ତିରିଶବର୍ଷ ବଡ଼ । ବଲାଙ୍ଗିର ଏଲିମେଣ୍ଟାରି ଟ୍ରେନିଂ ସ୍କୁଲର ସେକେଣ୍ଡ ପଣ୍ଡିତ ବୃତ୍ତିଧାରୀ । ଲୋକନାଟକ, ମଞ୍ଚନାଟକ ଅଭିନୟ ସାତେ ଲୀଳାନାଟକ ରଚନା-ସମ୍ପାଦନା ଥିଲା ତାଙ୍କର ପ୍ରବୃତ୍ତି । ନାଟକର ମୁଖା ତିଆରିରେ ବି ପୋଖତ ଥିଲେ – ଦଶମୁଣ୍ଡିଆ ରାବଣ, ହନୁମାନ, କୁମ୍ଭକର୍ଣ୍ଣ, ତ୍ରିଶୀରା, ଘଡ଼କା ଆଦି ଭଳିକି ଭଳି ମୁଖା । ସେ କାମରେ ଲାଗିଥିଲାବେଳେ ମୁଁ ପାଖେ ପାଖେ ଥାଇ ବୋଲହାକ କରେ । ନାଟୁଆଟେ ହେବାର ସପନଦେଖା ଆରମ୍ଭ ହେଲା ଏଇଠୁ ।

ପ୍ର: କାହିଁକି ଆପଣଙ୍କୁ ନାଟକ ଦେଖିବା ପାଇଁ,ନିର୍ଦ୍ଦେଶନା ଦେବା ପାଇଁ ଭଲ ଲାଗିଲା? କେତେବର୍ଷ ନାଟକରେ କାମ କରୁଛନ୍ତି ଏବଂ ଆପଣଙ୍କର ଜୀବନଜୀବିକା ସହିତ ନାଟକ କେଉଁଭଳି ଜଡ଼ିତ?

ଉ: ନାଟକ ଦୃଶ୍ୟକାବ୍ୟ କି ନା? କଲାବାଲା ଖୁସି, ଦେଖିଲାବାଲା ଖୁସି । ଏ ଖୁସିବାସିଆ କ୍ରିୟା ଭିତରେ ସମାଜକୁ ସଜିଲ କରିବାର ବାଟ ବତାଏ ନାଟକ । ଭଲଲାଗିଲା ସେଥିପାଇଁ ନାଟକ କଲି । ବାଳୁତ ବୟସର ନାଟକ ଖେଳକୁ ହିସାବକୁ ନେବା କାହିଁକି? ୧୯୫୮ମିହାରେ, ଅଷ୍ଟମ ଶ୍ରେଣୀର ଛାତ୍ର ଜୀବନରୁ ଏଯାଏଁ ନାଟ୍ୟକର୍ମ ଚାଲିଛି । ପୋଷାକ ଭଳି ନୁହେଁ, ଦେହ ଦେଉଳକୁ ଢାଙ୍କିଥିବା ଚମ ଭଳି ମୋ ଜୀବନ ସହିତ ନାଟକ ଜଡ଼ିତ ।

ପ୍ର: ମଞ୍ଚ ନାଟକରେ ନାରୀମାନଙ୍କୁ ଅଭିନୟ କରିବା ପାଇଁ କେବେ ସୁଯୋଗ ମିଳିଲା? ଏବେ ବି ନାରୀମାନେ ଗ୍ରାମାଞ୍ଚଳରେ ନାଟକ ଭିତରକୁ ଆସିବା ପାଇଁ ଶଙ୍କା ଅନୁଭବ କରୁଛନ୍ତି । ତା’ର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି?

ଉ: ତଥାକଥିତ ଭଦ୍ର ଘର ଝିଅ ନୁହନ୍ତି, ଇତର ବର୍ଗର କନ୍ୟାମାନେ ଅଭିନୟ ଜଗତକୁ ଆସି ମଞ୍ଚନାଟକ ପରମ୍ପରାରେ ନୂଆ ଅଧ୍ୟାୟଟେ ଯୋଡ଼ିଲେ ୧୮୯୪ରେ । ଏ ସ୍ମରଣୀୟ କର୍ମ ସମ୍ପାଦନ କଲେ ‘ମାଗ୍ଟେନିକ୍ ଥିଏଟର’ ପ୍ରତିଷ୍ଠାତା ସତୀଶଚନ୍ଦ୍ର ସରକାର (ନାଟୁବାବୁ) । କଟକ ଚୌଧୁରୀ ବଜାରର ନାମଜାଦା ଗଣିକା ଛୋଟ ମୋହିନୀ, ଫିରିଙ୍ଗି ବଜାରର ବଡ଼ ମୋହିନୀ, ଜୁମା ମସଜିଦ୍ ଗଳିର ରାଣୀ, ବଧୁମୁଖୀ, କୃଷ୍ଣା, ନାରୀମାନଙ୍କ ପାଇଁ ନାଟକ କ୍ଷେତ୍ରକୁ ମାର୍ଗ ଉନ୍ମୋଚନ କଲେ । ଗ୍ରାମାଞ୍ଚଳରେ ଖାଲି ନୁହେଁ, ସହରାଞ୍ଚଳରେ ବି ନାରୀମାନେ ଶଙ୍କା ଅନୁଭବ କରୁଛନ୍ତି । ଏମିତି କିଛି ମୁଖ୍ୟ କାରଣ ଦର୍ଶାଯାଇପାରେ:- ଋଢ଼ିବାଦୀ ସମାଜର ଅନୁମୋଦନର ଅଭାବ, ପୁରୁଷମାନଙ୍କର ଅଶାଳୀନ ଆଚରଣ, ବିବାହ ପାଇଁ ପ୍ରତିପକ୍ଷଙ୍କର ଆଶଙ୍କା ।

ପ୍ର: ନାଟକରେ ନାରୀ ଭୂମିକାରେ ପୁରୁଷମାନେ ଅଭିନୟ କରୁଥିଲେ, ତେବେ ନାରୀ କାହିଁକି ନାଟକ ଭିତରକୁ ଆସିଲେ?

ଉ: ବାସ୍ତବତାର ଭେଳିକିରେ ଦେଖଣାହାରିଙ୍କୁ ଭୋଳ କରିବା ନାଟକର ଧର୍ମ । ଏ ଗରଜରେ ନାଟକକୁ ନାରୀ ଆସିଲେ । ନାରୀ ଭୂମିକାରେ ଅଭିନୟ ପୁରୁଷମାନେ କ୍ରମେ ଅପସରି ଗଲେ ।

ପ୍ର: ପୁରୁଷମାନଙ୍କ ଦ୍ୱାରା ଯେଉଁସବୁ ଭୂମିକା ପରିବେଶିତ ହୋଇଆସିଥିଲା, ନାରୀଙ୍କୁ ସେହି ଭୂମିକାରେ ଅବତାରଣା କଲାପରେ ନାଟକ ଦଳର କିଭଳି ପ୍ରତିକ୍ରିୟା ଥିଲା? କେଉଁଭଳି ନାରୀ ଚରିତ୍ର ନାଟକ ଭିତରେ ଅଧିକ ପ୍ରଭାବଶାଳୀ ଥିଲା?

ଉ: ଅଭାବ, ଅନାଥିନୀ, ନିରକ୍ଷରା ଝିଅମାନେ ନାଟକରେ ସାମିଲ ହେଲେ । ପୁରୁଷ କଳାକାରଙ୍କ ଅପେକ୍ଷା ଅଧିକ ଯତ୍ନ ସହକାରେ ଏମାନଙ୍କୁ ସଜିଲ କରିବାକୁ ପଡ଼ିଲା । ପୁରୁଷ କଳାକାରଙ୍କ ଭିତରେ ଅସନ୍ତୋଷ ତେଜିଲା । ଫଳତଃ, ନାଟକମାନଙ୍କ ସ୍ଥିତି ପ୍ରଥମେ ଦୋହଲିଗଲା । ଓଡ଼ିଆ ନାଟ୍ୟ ଜଗତରେ ପ୍ରବାଦ ପୁରୁଷ କାଳୀଚରଣଙ୍କ ‘ଓଡ଼ିଶା ଥିଏଟର୍ସ’ ମଧ୍ୟ ଏ ବିପର୍ଯ୍ୟୟର ସମ୍ମୁଖୀନ ହେଲା । ବିଦ୍ରୋହୀ ଆଚରଣ ପ୍ରଦର୍ଶନ କରି ସବୁ ପୁରୁଷ କଳାକାର ଦଳ ଛାଡ଼ିବାରୁ, କେବଳ ଅଭିନେତ୍ରୀଙ୍କୁ ନେଇ କାଳୀବାବୁ କିଛି କାଳ ନାଟକ ପ୍ରଦର୍ଶନ କରିଚାଲିଲେ । ପ୍ରତିକ୍ରିୟାର ପ୍ରତିକ୍ରିୟା ଆବଶ୍ୟକ । ନାନା ଜାତିର ଦୁଃଖ ମଣିଷକୁ ଅଧିକ ପ୍ରତିକ୍ରିୟାଶୀଳ କରେ । ଏ ରୀତିରେ, ଜାଗତିକ ଯନ୍ତ୍ରଣାର ଉତ୍ପୀଡ଼ନକୁ ଉପେକ୍ଷା କରି ଜିଉଁଥିବା ନାଟକୀୟ ନାରୀ ଚରିତ୍ର ଅଧିକ ପ୍ରଭାବଶାଳୀ ଥିଲା ।

ପ୍ର – ଆପଣ ନିର୍ଦ୍ଦେଶନା ଦେଉଥିବା ନାରୀ ଭୂମିକା ଭିତରୁ କେଉଁ ଚରିତ୍ରଟି ଆପଣଙ୍କୁ ଅଧିକ ଭଲ ଲାଗିଥିଲା ଏବଂ କାହିଁକି ଭଲ ଲାଗିଥିଲା? ସେହି ଚରିତ୍ର ଭିତରେ ଆପଣ କ’ଣ ଦେଖିବାକୁ ପାଉଥିଲେ?

ଉ: ଅଧିକ ଭଲ ଲାଗିଥିଲା ରଣଜିତ ପଟ୍ଟନାୟକଙ୍କ ‘ଗୋଇଠା ବାବା’ର ‘କାଇଁଚ’ ଚରିତ୍ର । ବାପା ଶଙ୍କର ତିଆଡ଼ି ମୃତ୍ୟୁପରେ ପୁରାପୁରି ଏକାକିନୀ ହୋଇଯାଇଛି କାଇଁଚ । ସରପ, ବିଡ଼ିଓ, ଥାନାବାବୁ ଓ ଶାସନଦଣ୍ଡ ଧାରୀ ମନ୍ତ୍ରୀର ସୌରାଚାରର ଶୀକାର ହୋଇଛି । ପ୍ରତିଶୋଧର ବହ୍ନି ପ୍ରଜ୍ୱଳିତ ହୋଇଛି । ବ୍ୟଭିଚାରୀ ମନ୍ତ୍ରୀକୁ ସର୍ବସମକ୍ଷରେ ଗୋଇଠା ଖୁଆଇଛି ।

ପ୍ର:  ଆପଣ ଯଦି ନାଟକ ଲେଖିଥାନ୍ତେ, ସମାଜ ପାଇଁ କେଉଁପ୍ରକାର ନାରୀ ଚରିତ୍ର ସୃଷ୍ଟି କରିଥାନ୍ତେ?

ଉ:  ମୁଁ କିଛି ନାଟକ ଲେଖିଛି, ଅଳ୍ପ ପ୍ରକାଶିତ ହୋଇଛି । ସେଠି ଶକ୍ତିମତୀ ଭୂମିକାରେ ଉତାରିଛି ନାରୀ ଚରିତ୍ରକୁ ।

ପ୍ର: ଜଣେ କଳାକାର ଭାବରେ ନାରୀମାନଙ୍କର ସାମାଜିକ ସ୍ଥିତିକୁ ନେଇ ଆପଣ କ’ଣ ଚିନ୍ତା କରନ୍ତି?

ଉ: ମହାଭାରତୀୟ ସଂସ୍କୃତିରେ ନାରୀମାନେ ସର୍ବାଧିକ ମର୍ଯ୍ୟାଦାର ଅଧିକାରିଣୀ । ବିଦ୍ୟାବୁଦ୍ଧି, କଳାକୁଶଳତାର ଅଧିକାରିଣୀ ମାତା ସରସ୍ୱତୀ, ସର୍ବବିଧ ସମୃଦ୍ଧି ପ୍ରଦାୟିନୀ ମାତା ମହାଲକ୍ଷ୍ମୀ, ଶକ୍ତି ସ୍ୱରୁପିଣୀ ଦୁର୍ଗାଙ୍କର ପ୍ରତିରୂପ ସେମାନେ । ମାତୃଜାତି ଏ ମର୍ଯ୍ୟାଦା ମଣ୍ଡିତା ହେବାକଥା ।


Share Samadhwani
Support Samadhwani

About ଜଗଦାନନ୍ଦ ଛୁରିଆ

ନାଟ୍ୟଗୁରୁ ଓ ନାଟ୍ୟକାର

Check Also

ସାପୁଆ କେଳା

Share Samadhwani“କାଳିରେ ବନମାଳି ତୋ ପୟରେ ନଲାଗଇ ଧୂଳି । ବାହାରିଆ, ବାହାରିଆ । ଆରେ ନାଗ ବଚା ଅଛୁତ …