ନାଟକ ‘ଅସମାହିତ’ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଚମତ୍କାର ବିଶ୍ଳେଷଣ

ନାଟକ 'ଅସମାହିତ' ରଚନା ଓ ନିର୍ଦ୍ଦେଶନା - ସୋମନାଥ ବେହେରା 

ଡକ୍ଟର ବିଧୁପ୍ରଭା ରଥ
271 Views
5 Min Read

ଜଣେ ବୈଜ୍ଞାନିକ ନିର୍ଣ୍ଣୟଙ୍କର ସୁପ୍ରା ଇଞ୍ଜିନ ବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ଇଞ୍ଜିନ ଉଦ୍ଭାବନ କରିବାର ଗବେଷଣାକୁ ଏଥିରେ ସେ ଦେଖାଇଛନ୍ତି । ସୁପ୍ରା ଇଞ୍ଜିନ ଦ୍ୱାରା ଜୀବନର ଦୈନନ୍ଦିନ କାର୍ଯ୍ୟରେ ଗତିଶୀଳତାର ଏକ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ବୈଜ୍ଞାନିକ ନିର୍ଣ୍ଣୟ ଦୃଢତାର ସହିତ କହୁଥିଲେ । ନିର୍ଣ୍ଣୟଙ୍କର ପରିବାରରେ ତାଙ୍କର ପତ୍ନୀ ଚପଳା ଓ ପୁତ୍ର ସମାହିତ ରହିଛନ୍ତି । ଚପଳା ସ୍ୱାମୀ ନିର୍ଣ୍ଣୟଙ୍କର ଗବେଷଣାରେ ନିମଗ୍ନ ହୋଇ ରହିବା ଫଳରେ ପାରିବାରିକ ଜୀବନକୁ ସମୟ ଦେଇ ପାରୁନାହାନ୍ତି ବୋଲି ବିରକ୍ତି ପ୍ରକାଶ କରିଛନ୍ତି । ସେତେବେଳେ ନିର୍ଣ୍ଣୟ ଏକ ଚମତ୍କାର ସଂଳାପ ମାଧ୍ୟମରେ ନିଜର ଗବେଷଣାର ଉପଲବ୍ଧିକୁ ପ୍ରକାଶ କରିଛନ୍ତି । ନିର୍ଣ୍ଣୟ – “ ମୋ ଗବେଷଣା ବିଫଳ ହୋଇନି କି ହେବନି ଚପଳା । ଏ ନିର୍ଣ୍ଣୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ ନିଶ୍ଚିତ । ମୋର ଉଦ୍ଭାବନ ମାନବ ଜଗତର ଗମନାଗମନ କ୍ଷେତ୍ରରେ ଆଣିବ ଅପୂର୍ବ ପରିବର୍ତ୍ତନ । କମ୍ ଆଉ ଶସ୍ତା ଇନ୍ଧନରେ ଚାଲୁଥିବା ସୁପର ସ୍ପିଡ ସୁପ୍ରା ଇଞ୍ଜିନ ମଣିଷକୁ ଦେବ ଏକ ନୂତନ ଗତି ବେଗ । ଏ ଦୁନିଆ ସ୍ପିଡ ହୋଇଯାଇଛି ଚପଳା । ଜୀବନ ଆଜି ଭେରି ଫାଷ୍ଟ ହୋଇଯାଇଛି…. ହେଲେ ମଣିଷ” । ବୈଜ୍ଞାନିକ ନିର୍ଣ୍ଣୟ ତାଙ୍କର ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଚାକିରୀ ଛାଡି ଦେଇଥିଲେ ।  ଏପରିକି ବଡ ବଡ କମ୍ପାନୀମାନଙ୍କର ଲୋଭନୀୟ ପ୍ରସ୍ତାବକୁ ମଧ୍ୟ ନିର୍ଣ୍ଣୟ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ । ନିର୍ଣ୍ଣୟଙ୍କର ସହକାରୀ ଗବେଷକ ସିଦ୍ଧାନ୍ତ ତାଙ୍କର ପାରିବାରିକ ଜୀବନକୁ ଭଲ ଭାବରେ ବୁଝିପାରିଛନ୍ତି । ତେଣୁ ସିଦ୍ଧାନ୍ତ କହିଛନ୍ତି – “ ସାର୍ ମୁଁ ବୁଝିପାରୁନି ମ୍ୟାଡମ୍ କାହିଁକି ଆପଣଙ୍କର ରିସର୍ଚ୍ଚ ୱାର୍କ କୁ ସମର୍ଥନ କହିପାରୁ ନାହାନ୍ତି” ? ନିର୍ଣ୍ଣୟ ଙ୍କର ସଂଳାପ ଏ କ୍ଷେତ୍ରରେ ଅଶନ୍ତ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ନିର୍ଣ୍ଣୟ – “ ଏଇଟା ଲାଭ ଭିତ୍ତିକ ସମାଜ । ବିନା ଲାଭରେ ସମାଜ ପାଇଁ କାମ କରିବାଟାକୁ ଟଲରେଟ୍ କରିବା ଏତେ ସହଜ ନୁହେଁ । ତା’ପାଇଁ ବହୁତ ବଡ ହୃଦୟ ଦରକାର । ଏପରି ସୋସିଆଲ ହୃଦୟ ଗଢି ଉଠିବାର ପରିବେଶ କାହିଁ “ ?

ପାଞ୍ଚଟି ଦୃଶ୍ୟ ରେ ନାଟକ ଟି ଗତିଶୀଳ ହୋଇଥିଲା । ପ୍ରତ୍ୟେକ ଚରିତ୍ରଙ୍କର ସଂଳାପ, କଥା ବସ୍ତୁ, ଉପସ୍ଥାପନା, ମଞ୍ଚସଭା ଅଭିନୟ, ନାଟକ ଶୈଳୀ ପ୍ରଭୃତି ପରସ୍ପର ସହିତ ଏକାତ୍ମ ହୋଇ ପରିବେଷିତ ହୋଇଥିଲା । ନାଟକରେ ଉତ୍କଣ୍ଠା ମଧ୍ୟ ଚମତ୍କାର ଭାବରେ ବିଷୟବସ୍ତୁକୁ ଆଗକୁ ନେଇଛି ।

ବୈଜ୍ଞାନିକଙ୍କର ପୁଅ ସମାହିତକୁ କିଛି ଲୋକ ଅପହରଣ କରି ନେଇଛନ୍ତି । ତାକୁ ନିର୍ଣ୍ଣୟଙ୍କର ଗବେଷଣା ସମ୍ପର୍କରେ ପଚାରିଛନ୍ତି । ତା’ପରେ ସମାହିତକୁ ଛାଡି ଦେଇଛନ୍ତି । ଏହି ଘଟଣା ପରେ ଚପଳା ନିର୍ଣ୍ଣୟଙ୍କ ଉପରେ ଆହୁରି ରାଗିଛନ୍ତି । ନିର୍ଣ୍ଣୟ ଏହି ଘଟଣାରେ ଅତ୍ୟନ୍ତ ବିଚଳିତ ହୋଇପଡିଛନ୍ତି । ତାଙ୍କର ଗବେଷଣା କାମରେ ନିମଗ୍ନିତ ହୋଇଯାଇଛନ୍ତି । ଏହି ସମୟରେ ଜଣେ ରେପୁଟେଡ୍ କମ୍ପାନୀର ମ୍ୟାନେଜର ମାୟାଧର ଆସି ନିର୍ଣ୍ଣୟଙ୍କର ସୁପ୍ରା ଇଞ୍ଜିନ ଉଦ୍ଭାବନ ପାଇଁ ଆଧୁନିକ ଗବେଷଣା କେନ୍ଦ୍ର, ବିଭିନ୍ନ ଯନ୍ତ୍ରପାତି, ଖାଇବା ରହିବା ପାଇଁ ଉଚ୍ଚ ବେତନର ଚାକିରୀ, ଘର ସବୁ ତାଙ୍କର କମ୍ପାନୀ ଯୋଗାଇ ଦେବ ବୋଲି ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ନିର୍ଣ୍ଣୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କର ବାସ୍ତବବାଦୀ ସଂଳାପ ଏହିପରି ଥିଲା – “ ଏଇ ଲାଭ ପାଇବାର ଆକାଂକ୍ଷା ଏ ସମାଜକୁ ରସାତଳକୁ ନେଇ ଯାଇଛି ମିଷ୍ଟର । ପ୍ରତ୍ୟେକ ମଣିଷ ଆଜି କୌଣସି କାମ କରିବା ପୂର୍ବରୁ ନିଜକୁ ପଚାରୁଛି ଏଥିରେ ମୋର ଫାଇଦା କ’ଣ ? ଏଇ ଫାଇଦା, ଲାଭ, ପ୍ରଫିଟ ମେକିଙ୍ଗ ମେଣ୍ଟାଲିଟି ଦିନେ ଏ ସଭ୍ୟତାକୁ ଧ୍ୱଂସ କରିବ । ଆଉ ସେ ଧ୍ୱଂସସ୍ତୁପ ଭିତରୁ ହୁଏତ ସୃଷ୍ଟି ହେବ ଏକ ନୂତନ ସଭ୍ୟତା” ।

ନାଟ୍ୟକାର ସୋମନାଥ ବେହେରା ଆଜିର ପୁଞ୍ଜିବାଦୀ ଲାଭଖୋର ମନୋବୃତ୍ତି କିପରି ଏକ ନିଷ୍ଠାପର ବୈଜ୍ଞାନିକର କଷ୍ଟଲବ୍ଧ ଗବେଷଣାକୁ ସମାଜର ଉନ୍ନତରେ ବିନିଯୋଗ ନକରି କେବଳ ଗୋଟିଏ କମ୍ପାନିର ଏକଚାଟିଆ ଶୋଷଣ ଦ୍ୱାରା କବଳିତ ହୋଇଛି ତାକୁ ତୀବ୍ର ଭାବରେ ଘୃଣା କରିଛନ୍ତି ଏବଂ ତାହାର ଏକ ବଳିଷ୍ଠ ପ୍ରତିବାଦର ସ୍ୱର ଆସମାହିତରେ ପ୍ରତିଧ୍ୱନିତ ହୋଇଛି । ନିର୍ଣ୍ଣୟଙ୍କ ସ୍ୱରରେ ନାଟ୍ୟକାର ସମାଜର ସାଧାରଣ ମେହେନତୀ ମଣିଷର ଉନ୍ନତ ପାଇଁ ବ୍ୟାକୁଳତା ପ୍ରକାଶ କରିଛନ୍ତି । ସେଥିପାଇଁ ବୈଜ୍ଞାନିକ ନିର୍ଣ୍ଣୟ ସମସ୍ତ ଗବେଷଣାର ଫାଇଲ ସିଡି ସବୁ ସହକାରୀ ଗବେଷକ ସିଦ୍ଧାନ୍ତଙ୍କୁ ଦେଇଛନ୍ତି ଏବଂ କହିଛନ୍ତି – “ ଏ ସମାଜ ବ୍ୟବସ୍ଥା ଦିନେ ବଦଳିବ ସିଦ୍ଧାନ୍ତ ! ଏ ବିଜ୍ଞାନ ଦିନେ ଏକ ଭାଗ ଲୁଟିଖିଆଙ୍କ ହାତରୁ ମୁକ୍ତ ହୋଇ ସାଧାରଣ ମଣିଷର ଉପକାରରେ ଆସିବ । ସେହିଦିନ ତୁମେ ଏ ସୁପ୍ରା ଇଞ୍ଜିନର ଉଦ୍ଭାବନର ଫର୍ମୁଲା ଏ ଜଗତ ସମ୍ମୁଖରେ ଉନ୍ମୋଚନ କରିବ” ।

Samadhwani Support us

ବୈଜ୍ଞାନିକ ନିର୍ଣ୍ଣୟଙ୍କୁ ଲାଭଗୋରୀ କର୍ପୋରେଟ ହାଉସର ଲୋକମାନେ ସୁପ୍ରା ଇଞ୍ଜିନର ଗବେଷଣା ନ ଦେବା ଫଳରେ ବିଷାକ୍ତ ଇଂଜେକସନ ଦେଇ ମାରି ଦେଇଛନ୍ତି । ନାଟକଟି ନିର୍ଣ୍ଣୟଙ୍କର ମୃତ୍ୟୁ ପରେ ଶେଷ ହୋଇଛି । ସମସ୍ତ କଳାକାର ଚମତ୍କାର ଅଭିନୟ କରିଛନ୍ତି । ନିଜେ ନାଟ୍ୟକାର ସୋମନାଥ ମୁଖ୍ୟ ରଚିତ୍ର ନିର୍ଣ୍ଣୟ ଭୂମିକାରେ ବଳିଷ୍ଠ ଅଭିନୟ କରିଛନ୍ତି । ନାଟକ ‘ ଅସମାହିତ ’ ତା 18.02.2026 ରିଖରେ ବ୍ରହ୍ମପୁର ସହରର ଉତ୍କଳ ଆଶ୍ରମ ମୁକ୍ତମଞ୍ଚରେ ଅଭିନୀତ ହୋଇଥିଲା । ଏଥିରେ ଅଭିନୟ କରିଥିଲେ ସୋମନାଥ ବେହେରା, ରାଜେଶ୍ ନାୟକ, କାଳିଆ ପ୍ରସାଦ, ଜଗନ୍ନାଥ ଓ ଶୁଭସ୍ମିତା । “ଅନ୍ୟଦୃଷ୍ଟି” ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ଦର୍ଶକ ମାନଙ୍କ ଦ୍ୱାରା ନାଟକ ‘ ଅସମାହିତ ’ ଯଥେଷ୍ଟ ଦର୍ଶକୀୟ ପ୍ରଶଂସା ପାଇଥିଲା । ଆଧୁନିକ ନାଟକର ଯାତ୍ରା ପଥରେ ‘ ଅସମାହିତ ’ ଏକ ଭିନ୍ନସ୍ୱାଦର ଉଚ୍ଚକୋଟୀର ନାଟକ ଭାବରେ ଆଦୃତ ହୋଇଥିଲା ।

Share This Article