ନାଟ୍ୟଭୂଷଣ ଜଗଦାନନ୍ଦ ଛୁରୀଆ (ସାକ୍ଷାତକାର)

ଯୁଦ୍ଧିଷ୍ଟିର ମେହେର
ଯୁଦ୍ଧିଷ୍ଟିର ମେହେର 175 Views
8 Min Read

ଜଗଦାନନ୍ଦ ଛୁରିଆ, ନାଟୁଆ ମଣିଷ ।  ପ୍ରତ୍ୟେକଟି କଥା ଭିତରେ ଯେମିତି ମନେହେଉଥିବ ନାଟକର କିଛି ସଂଳାପ କହି ଚାଲିଛନ୍ତି। ପିଲାଟି ଦିନରୁ ନାଟକପ୍ରତି ଅନୁରାଗ ଆଜିଯାଏ କମିନି । ନାଟକ ସହିତ ଜୀବନ ଯୋଡ଼ିହୋଇ ରହିଛି । ତାଙ୍କ ଜୀବନ ଓ ତାଙ୍କ ନାଟକୀୟ ଅନୁଭୂତିକୁ  କ୍ୟାମେରାରେ ରେକର୍ଡ଼ କରି ଏଠାରେ ଉପସ୍ଥାପନ କରିଛନ୍ତି ଲକ୍ଷ୍ମୀଧର ମୁର୍ମୁ । ଏହି ଗୁଣୀ କଳାକାରଙ୍କ ସହ ପରିଚିତ କରାଇବା ଓ ସାକ୍ଷାତକାର ନେବାରେ ସହଯୋଗ କରିଛନ୍ତି ବଲାଙ୍ଗୀର ସହରର ଯୁବ ସାମ୍ବାଦିକ ଯୁଜେଷ୍ଠି ମେହେର । ସମଧ୍ୱନି ବିଭିନ୍ନ ଅଞ୍ଚଳର କଳାକାର, ଗୁଣୀ ମଣିଷ ଓ ସେମାନଙ୍କର ଅନୁଭୂତିକୁ ଆପଣମାନଙ୍କ ସହଯୋଗରେ ଉପସ୍ଥାପନ କରିବାପାଇଁ ସବୁବେଳେ ପ୍ରୟାସ କରିଆସିଛି । ବନ୍ଧୁ, ପାଠକମାନଙ୍କର ସହଯୋଗ ହିଁ ଏହି କାର୍ଯ୍ୟକୁ ଆଗକୁ ନେଇପାରିବ    – ସମ୍ପାଦକ

ମୁଁ ଜଗଦାନନ୍ଦ ଛୁରିଆ । ବୟସ ବର୍ତ୍ତମାନ ମୋର ୭୫ ପୁରିବାକୁ ଯାଉଛି । ମୋ ଜୀବନର ପ୍ରାୟ ୧୦ବର୍ଷ ଗାଁରେ କଟିଲା । ବଲାଙ୍ଗିର ସଦର ମହକୁମା ଠାରୁ ପୂର୍ବ ଦିଗକୁ ମାତ୍ର ୧୪ କି.ମି. ଦୂର ଆମ ଗାଁ କୁଟେଣ୍ଡପାଲି । ସେତେବେଳେ ଭାରି ଦୁର୍ଗମ ଥିଲା । ଏବେ ତ ରାସ୍ତାଘାଟ ସବୁଆଡ଼େ ଫିଟିଗଲାଣି । ସେଇ ବୟସରେ ନାଟକ ପ୍ରିତି ଜାଗ୍ରତ ହେଲା । ମୋର ବଡ଼ ଭାଇ ଯିଏ ମୋ ଠାରୁ ୧୮ ବର୍ଷ ବଡ଼ । ସେ ମୁଖା ତିଆରିରେ ଭାରି ପୋଖତ ଥିଲେ ଶିକ୍ଷକ ପ୍ରଶିକ୍ଷକ ଥିଲେ । ଗାଁରୁ ଯାଆ ଆସ କରି •କିରି କରୁଥିଲେ ବଲାଙ୍ଗୀରରେ । ଯେତେବେଳେ ମୁଖା ତିଆରି କରୁଥିଲେ ରାମଲୀଳା ନାଟକର ଦଶମୁଣ୍ଡିଆ ରାବଣ, ତ୍ରିଶିରା, ହନୁମାନ, ମାୟାମିରିଗର ମୁଣ୍ଡ । ଏହି ସବୁ ଯେତେବେଳେ କରୁଥିଲେ ପାଖରେ ଥାଇ ମୁଁ ବୋଲ ହାକ କରୁଥାଏ । ସେଇ ବୟସରୁ ନାଟୁଆଟେ ହେବାର ସପନ ଦେଖା ଆରମ୍ଭ ହୋଇଗଲା । ବାପା ପ୍ରାଥମିକ ଶିକ୍ଷକ ଥା’ନ୍ତି । ଆମ ଗାଁରେ ସ୍କୁଲ ନଥାଏ ସେତେବେଳେ । ପାଖ ଦଶପୁର ଗାଁରେ ଆଉ ମହିମୁଣ୍ଡାରେ ସ୍କୁଲ ଥାଏ । ବାପା ଯେତେବେଳେ ଦଶପୁରକୁ ବଦଳି ହୁଅନ୍ତି, ଆମେ ଦଳେ ପିଲା ଦଶପୁରକୁ ପାଠ ପଢ଼ିବାକୁ ଯାଉ । ଯେତେବେଳେ ମହିମୁଣ୍ଡାକୁ ବଦଳି ହୋଇ ଆସନ୍ତି ମହିମୁଣ୍ଡାକୁ ଆମେ ଯାଉ । ଏମିତି ଆମର ଅନିୟମିତ ପାଠପଢ଼ା ଚାଲିଥାଏ । ଯେତେବେଳେ ମୋର ଟିକେ ବୟସ ହେଲା, ବାପା ଚିନ୍ତିତ ହେଲେ, ନା ମୁଁ ବଲାଙ୍ଗୀରକୁ ଯାଏ ବଦଳି ହୋଇ କି, ନ ହେଲେ ପୁଅର ପାଠ ପଢ଼ା ବ୍ୟାଘାତ ହେବ । ବଲାଙ୍ଗୀର ଆସିଲୁ । ମୁଁ ଯେତେବେଳେ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲରେ ପାଠ ପଢ଼ୁଥାଏ, ସପ୍ତମ ଶ୍ରେଣୀ ବେଳକୁ ମଞ୍ଚ ନାଟକରେ ଅଭିନୟ କରିବାର ସୁଯୋଗ ମିଳିଲା । ତାହା ପୁଣି ଏକ ହିନ୍ଦୀ ନାଟକ ରେ ‘ଅନେ୍ଧରୀ ନଗର’ ବୋଲି କି । ବାର୍ଷିକ ଉତ୍ସବରେ ଏହି ନାଟକରେ ମୁଁ ଅଭିନୟ କରିଥିଲି । ଭାରି ପ୍ରଶଂସା ବି ପାଇଥିଲି । ସେବେଠାରୁ ନାଟ୍ୟ ନାଟନ ଚର୍ଚ୍ଚା ଆଜି ପର୍ଯ୍ୟନ୍ତ ଚାଲିଛି । ସବୁଠାରୁ ନାଟକ ପ୍ରତି ଉତ୍ସାହ ଆମ ଭିତରେ ଭରିଥିଲେ ଦିବଙ୍ଗତ୍ ଗୁରୁ ଶ୍ରୀକାନ୍ତ ମହାନ୍ତି ଯେ ହେଉଛନ୍ତି ପ୍ରଥମ ଓଡ଼ିଆ ଚଳଚିତ୍ର ଅଭିନେତା । ‘ସୀତା ବିବାହ’ରେ ଯିଏ ମୁଖ୍ୟ ରାମ ଚରିତ୍ର କରୁଥିଲେ ସେ ତ ଅଣ ଓଡ଼ିଆ ଥିଲେ । ଇଏ  କିଶୋର ରାମ ଚରିତ୍ରରେ ଅଭିନୟ କରିଥିଲେ । ପ୍ରଥମ ନାଟକ ‘ସୀତା ବିବାହ’ କାମପାଳ ମିଶ୍ରଙ୍କର । ସେ ଥିଲେ ଆମ ନାଟ୍ୟ ଗୁରୁ । ବଲାଙ୍ଗୀରକୁ ବଦଳି ହୋଇ ସେ ଆସିଥାନ୍ତି । ସେ ଆମ ଭିତରେ ବହୁତ ଉତ୍ସାହ ନାଟକ ପାଇଁ ଭରିଲେ । ଯେତେବେଳେ କଲେଜରେ ପାଠପଢ଼ୁ ଥାଉ, ଏମିତି କୌଣସି ଉତ୍ସବ ନାହିଁ, ଯେତେବେଳେ ଆମେ ନାଟକ କରିନାହୁଁ । ଗୁରୁ ଦିବସରେ ଆମେ ନାଟକ କରିଛୁ । ଗଣେଶ ପୂଜା, ସରସ୍ୱତୀ ପୂଜାରେ ମଧ୍ୟ ନାଟକ କରିଛୁ ରାଜେନ୍ଦ୍ର ମହାବିଦ୍ୟାଳୟରେ । ବାର୍ଷିକ ଉତ୍ସବ କଥା ତ ଗଲା, ଆମେ ନାଟକ ଖୋର ହୋଇଯାଇଥିଲୁ ସେତେବେଳେ । କେବଳ ତାଙ୍କର ନେତୃତ୍ୱରେ, ସେ ଆମ ଭିତରେ ଏମିତି ଉତ୍ସାହ ଭରିଦେଇଥିଲେ ଯେ, ତାଙ୍କୁ ଯେତେବେଳେ ଡକା ହୁଏ, ଅନ୍ୟ କେଉଁଠି ନାଟକରେ ନିର୍ଦ୍ଦେଶନା ଦେବା ପାଇଁ ବଲାଙ୍ଗୀରରେ ହେଉବା ପାଖାପାଖି ଅଞ୍ଚଳରେ ହେଉ ଆମକୁ ସାଥିରେ ନେଇ ଯାଆନ୍ତି । ମଞ୍ଚ ସଜାଡ଼ିବା ଦାୟୀତ୍ୱ ଆମକୁ ଦିଆଯାଏ । ପ୍ରମ୍ପଟିଙ୍ଗ୍ ଦାୟିତ୍ୱ ଦିଆଯାଏ, ସିନ୍ ଟଣା ଦାୟିତ୍ୱ ଦିଆଯାଏ, ଏମିତିକି ନାଟକର ବିଭିନ୍ନ କର୍ମ ସହିତ ଆମେମାନେ ପୂରାପୂରି ନିଜକୁ ଯୋଡ଼ି ରଖିଦେଲୁ ।

ଅନେକ ନାଟକ ମୁଁ ବଲାଙ୍ଗୀରରେ କରିଛି । ମାତା ସରସ୍ୱତୀଙ୍କ କରୁଣାରୁ, ପ୍ରଭୁ ନଟରାଜ ଶିବଙ୍କ ଆଶୀର୍ବାଦରୁ ଏ ପର୍ଯ୍ୟନ୍ତ ୧୧୪ଗୋଟି ପୂର୍ଣ୍ଣାଙ୍ଗ ମଞ୍ଚ ନାଟକରେ ମୁଁ ଅଭିନୟ କରିଛି । ନିର୍ଦ୍ଦେଶନା ଦେଇଛି, କିିଛି ନାଟକ ଲେଖିଛି ଏବଂ କିଛି ଭାରତୀୟ ଅତି ଉକ୍ରୃଷ୍ଟ ନାଟକୁ ଓଡ଼ିଆରେ ମୁଁ ଅନୁବାଦ କରି ତାକୁ ମଞ୍ଚସ୍ଥ କରିଛି । ଯେମିତି ବାଦଲ ସରକାରଙ୍କ ‘ବାକି ଇତିହାସ’ ହେଲା, ଯେମିତି ବିଜୟ ତେନ୍ଦୁଲକରଙ୍କର ‘ଜମ୍ବୁ ଦ୍ୱୀପ’ ହେଲା, ଯେମତି ‘ବକ୍ରି’ ନାଟକ ହେଲା । ଏ ନାଟକ ଗୁଡ଼ିକ ମୁଁ କରେଇଛି । ନିର୍ଦ୍ଦେଶନା ଦେବା ସହ ମୁଁ ବି ଅଭିନୟ କରିଛି । ଏ ଅଭିନୟଟା ଏପର୍ଯ୍ୟନ୍ତ ଚାଲୁ ରହିଛି । ନିକଟ ଅତୀତରେ ରବିନ୍ଦ୍ର ମଣ୍ଡପରେ ‘ଚରଣଦାସ ଚୋର’ରେ ମୁଁ ଅଭିନୟ କରିଥିଲି । ତା’ ପରେ ‘ତାଜମହଲର ଟେଣ୍ଡର’ ନାଟକରେ ମୁଁ ନିଜେ ଅଭିନୟ କରିଥିଲି ଏବଂ ହିନ୍ଦୀରୁ କୋଶଳୀ ଭାଷାକୁ ମୁଁ ଅନୁବାଦ କରିଥିଲି । ମୁଁ ନିଜେ ଗୋଟିଏ କୋଶଲୀ ନାଟକ ‘ରକତ୍’ ବଲାଙ୍ଗୀର ତରଫରୁ ନେଇ ଥିଲି ଡ.ସଦାନନ୍ଦ ଅଗ୍ରୱାଲଙ୍କର । ଯେଉଁଟାକି ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଅଭିନୀତ ହୋଇଥିଲା, ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ । ଏମିତି ନାଟକ କରିବା କ୍ରିୟାଟା ଆଜି ପର୍ଯ୍ୟନ୍ତ ଚାଲୁ ରହିଛି ଏବଂ ବଲାଙ୍ଗୀରରେ ମୁଁ ନାଟକ କରିଛି, ବରଗଡ଼ରେ ମୁଁ ନାଟକ କରିଛି, ଅଭିନୟ କରିଛି । ସମ୍ବଲରପୁରେ ଅଭିନୟ କରିଛି, ସୋନପୁରରେ ଅଭିନୟ କରିଛି ।

ଇଲାହାବାଦର ସର୍ବ ଭାରତୀୟ ନାଟ୍ୟ ସମାରୋହରେ ଆନେକ ଥର ନାଟକ କରିଛି । କଟକରେ ଅନେକ ଥର ମୋ ନିର୍ଦ୍ଦେଶିତ ନାଟକ ପରିବେଷଣ କରିଛି ଏବଂ ସେଇ ଯାଗାରୁ ମୁଁ ପାଇଛି ‘ନାଟ୍ୟ ଭୂଷଣ’ ଉପାଧି । ଉକ୍ରଳ ଯୁବ ସାଂସ୍କୃତିକ ସଂଘ କଟକ ତରଫରୁ ଯେ କି ବିଶ୍ୱ ନାଟ୍ୟ ସଂଘ ସହିତ ଅନୁବନ୍ଧିତ ସେଇ ଠୁଁ ‘ନାଟ୍ୟ ଭୂଷଣ’ ଉପାଧି ପାଇଥିଲି ଏବଂ ଉକ୍ରଳ ଥିଏଟର୍ ଏକାଡ଼େମୀ ଜ୍ୟୋତି ବିହାରରୁ ମୁଁ ପାଇଲି ‘ନାଟ୍ୟ ଗୌରବ’ ଏବଂ ଅନ୍ୟ ଠୁ ‘ନାଟ୍ୟ ଭାରତୀ’ ପାଇଛି ସ୍ୱଂୟ ଶାସିତ ପଞ୍ଚାୟତ କଲେଜ, ବରଗଡ଼ରୁ ।

ଏମିତି ସବୁ ଏ ନାଟ୍ୟନଟନ କ୍ରିୟାଟା ଆଜି ପର୍ଯ୍ୟନ୍ତ ଚାଲିଛି ପ୍ରଭୁଙ୍କ କରୁଣାରୁ । ମୁହଁରେ ରଙ୍ଗ ମାଖି ରଙ୍ଗମଞ୍ଚରେ ଉଭା ହେବାର କ୍ରିୟାଟି ଚାଲୁ ରହିଛି । ଆଗକୁ ଯେତେଦିନ ପର୍ଯ୍ୟନ୍ତ ଜୀବନ ଥିବ ଏଥିରେ ବିରତି ଆସିବ ନାହିଁ । ମୁଁ ଆଶା ବାନ୍ଧିଛି ଏମିତି ଅନେକ ନାଟକ ଭିତରୁ କେଉଁ ନାଟକ ଭଲ, କେଉଁଟା ଭଲରୁ ଭେଲ, ଏ କଥା କହିବା ଉଚିତ୍ ନୁହେଁ ।

ନିଜ ନିଜ ସ୍ଥାନରେ ସବୁ ନାଟକ ଗୁଡ଼ିକ ଭଲ । ତଥାପି ମୋତେ ସବୁଠାରୁ ଅଧିକ ଆନନ୍ଦ ଦେଇଛି ‘ରକତ୍’ ନାଟକ । କୋଶଲୀ ଭାଷାର ପୂର୍ଣ୍ଣାଙ୍ଗ ନାଟକ । ଯିଏ କି ଐତିହାସିକ, ନାଟ୍ୟକାର, ସଙ୍ଗୀତ ଶିଳ୍ପୀ ଡ. ସଦାନନ୍ଦ ଅଗ୍ରୱାଲ ସେ ବି ଦିବଙ୍ଗତ୍ ହୋଇଗଲେଣି ଦେଢ଼ ବର୍ଷ ହୋଇଗଲାଣି । ତାଙ୍କର ରଚିତ ଏହି ନାଟକ । ପ୍ରଥମ ଏହି ନାଟକକୁ ମୁଁ ନିର୍ଦ୍ଦେଶନା ଦେଇଥିଲି ବଲାଙ୍ଗୀରରେ । ବହି ରୂପେ ତାକୁ ଛପାଇଲୁ । ତାକୁ ଭଞ୍ଜକଳା ମଣ୍ଡପରେ ଦେଖାଇଲି ଏଇ ତିନିବର୍ଷ ତଳେ । ଏଇ ନାଟକ ଏଇଥିପାଇଁ ଭଲ ଲାଗେ ଯେ, ଜନଜୀବନର ବାସ୍ତବ ଚିତ୍ର ଏ ନାଟକରେ ପରିବେଷିତ ହୋଇଛି । ଲୋକମାନେ ଗୋଟିଏ ଭ୍ରମ, ଗୋଟିଏ ଭ୍ରାନ୍ତି, ଗୋଟିଏ ଭୁଲ ବୁଝାମଣାର ଶିକାର ହୋଇ ସତ୍ ପଥରୁ ସେମାନେ କେମିତି ବିଚ୍ୟୁତ ହୋଇଯାଆନ୍ତି ଏଇ କଥାଟିକୁ ନାଟକରେ ଦେଖାଇ ଦିଆଯାଇଛି ଏବଂ ଯେଉଁମାନେ ସ୍ୱାର୍ଥନ୍ୱେଷୀ ଲୋକ ସାଧାରଣ ସରଳ, ଗ୍ରାମୀଣ ଲୋକମାନଙ୍କୁ କେମିତି ସେମାନେ ତାଙ୍କୁ ଅସ୍ତ୍ର ରୂପରେ ରଖିଛନ୍ତି ତାଙ୍କୁ ଭୁଲାଇ କରି ସେମାନେ ଗୋଟିଏ ବିଭ୍ରାନ୍ତିକର ପରିସ୍ଥିତି ଗାଁ ଗଣ୍ଡାରେ ଗଣ୍ଡଗୋଳିଆ ପରିସ୍ଥିତି ସେମାନେ ସୃଷ୍ଟି କରିଛନ୍ତି ସେ କଥାକୁ ବର୍ଣ୍ଣନା କରାଯାଇଛି । ନାଟକରେ ନାଟ୍ୟକାର ତାହାର ପରିଣତରେ ଯେଉଁ ଲୋକମାନେ ଭୁଲ ବୁଝାମଣାର ଶିକାର ହୋଇଥିଲେ ତାଙ୍କର ଆଖି ଖୋଲିଯାଇଛି । ଭୁଲରେ ସେମାନେ ନିଜ ନିଜ ଭିତରେ ବାଡ଼ିଆପିଟା ମୁହଁ ଫୁଲାଫୁଲି ହେଉଥିଲେ, ଶତ୍ରୁତା ଆଚରଣ ଲାଗି ରହିଥିଲା ଶେଷରେ ଭୁଲ ବୁଝିପାରିଛନ୍ତି ଏବଂ ଗୋଟିଏ ପରିବାର ଭଳି, ଗୋଟିଏ ଗାଁ ଲୋକ ଏକାତ୍ମତାର ବନ୍ଧନରେ ବାନ୍ଧିହୋଇ ସେମାନେ ଚଳିଛନ୍ତି ।

ଏ ନାଟକଟି ଅତି ବାସ୍ତବଧର୍ମୀ ନାଟକ ହୋଇଥିଲା । ଗାଁ ଗଣ୍ଡାର ଅବିକଳ ଚିତ୍ର । ଆମର ଗାଁ ଗଣ୍ଡାରେ ଯେଉଁମାନେ ରହୁଛନ୍ତି ସେମାନେ ହେଲେ ପ୍ରକୃତରେ ଆମର ଦେଶର ଅସଲ ସମ୍ପଦ । ଦେଶରେ ତ ଅନେକ ପ୍ରକାରର ସମ୍ପତ୍ତି ଅଛି । ଜଳ ସମ୍ପଦ, ଖଣିଜ ସମ୍ପଦ, ମୂର୍ତ୍ତିକା ସମ୍ପଦ, ଅରଣ୍ୟ ସମ୍ପଦ କିନ୍ତୁ ସବୁଠାରୁ ବଡ଼ ସମ୍ପଦ ହେଉଛି ଆମର ଲୋକ ସମ୍ପଦ । ଅଧିକାଂଶ ବଡ଼ଭାଗ ଲୋକ ଯେଉଁମାନେ ଗ୍ରାମାଞ୍ଚଳରେ ବସବାସ କରନ୍ତି । ସରଳ ଲୋକମାନେ ଅଳ୍ପ ପାଠୁଆ ଲୋକମାନେ ଗ୍ରାମୀଣ ପରିବେଶରେ ଚଳୁଥିବା ବଢ଼ୁଥିବା ଲୋକମାନଙ୍କ କଥା କୁହାଯାଇଛି । ନାଟକଟି ଭାରି ମନଛୁଆଁ ହୋଇଛି । ଏ ନାଟକଟି ମୋତେ ସବୁଠାରୁବେଶୀ ଭଲ ଲାଗେ ।

ନାଟ୍ୟ ଶାସ୍ତ୍ରରେ କୁହାଯାଇଛି “ବିନୋଦକରଣ ଅବଲୋକେ ନାଟ୍ୟମେତ ଭବିଷ୍ୟତ” । ଲୋକଙ୍କୁ ଆନନ୍ଦ ଦେବା ହେଉଛି ନାଟକର ଧର୍ମ । ଯେଉଁ ଆନନ୍ଦ ସଂସାରର ସର୍ବ ଶ୍ରେଷ୍ଠ ଆନନ୍ଦ । ଟଙ୍କା, ସୁନା, ଜମିବାଡ଼ି, କୋଠାବାଡ଼ି ଗାଡ଼ିମୋଟର ଯେଉଁ ଆନନ୍ଦ ଦେଇପାରି ନାହିଁ ନାଟକ ସେହି ଆନନ୍ଦ ପରିବେଷଣ କରି ବିତରଣ କରେ । ସେଇଥିପାଇଁ ପଣ୍ଡିତମାନେ କହିଛନ୍ତି ବ୍ରହ୍ମପ୍ରାପ୍ତିର ପାଖାପାଖି ଆନନ୍ଦ ହେଉଛି ନାଟକ ଦେଉଥିବା ଆନନ୍ଦ । ବ୍ରହ୍ମାନନ୍ଦ ସହୋଦର ବୋଲି ସେମାନେ କହିଛନ୍ତି ନାଟକକୁ ।

Photo Credit – https://bit.ly/3LYO0LD

Share This Article
ସାମ୍ବାଦିକ