ଚକୁଳିଆ ପଣ୍ଡା ଭାଇନା

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 153 Views
3 Min Read

ଗୋରା ତକ ତକ ଚେହେରା । ଠୁଙ୍ଗୁରା, ଥନ୍ତଳ ପେଟ । ଧଳା ସଫା ପଇତା ନଅସରି ବେକରୁ ଅଣ୍ଟାଯାଏ ଲମ୍ବିଯାଇଛି । ପଇତାଟି ତାଙ୍କର ଜୀବିକାର ଆୟୁଧ । ମୁଣ୍ଡରେ ଚନ୍ଦନ ଟୋପା । ଭାଡ଼ି ଭାତ ହୋଇ ଲୁଗା ପିନ୍ଧିଛନ୍ତି । ଅଣ୍ଟାରେ ଗୋଟେ ନାଲି ଗାମୁଛା ଭିଡ଼ି ଦେଇଛନ୍ତି । ଖାଲିଦିହ । କୁମ୍ଭପକା ଖଣ୍ଡେ ସଫା ଚାଦର କାନ୍ଧରେ ପଡ଼ିଛି । ଭେକ ଆଗ । ଭେକ ଥିଲେ ସିନା ଭିକ ମିଳିବ । ଗୋଟିଏ ପିତ୍ତଳ ଛୋଟ ହାଣ୍ଡି । ତାଳପତ୍ର ଛୋଟିଆ ଛତାଟିଏ । ତାଳ ପତ୍ର ଛତାଟି ତାଙ୍କର ଆଜିକା ଆଧାର କାର୍ଡ଼ ଜାଣ । ତାଳପତ୍ର ଛତା ମୁଣ୍ଡରେ ଦେଇ ବ୍ରାହ୍ମଣ ପହଞ୍ଚିଗଲେତ ପିଲା ଠାରୁ ବୁଢ଼ା ଜାଣିଲେ ଚକୁଳିଆ ପଣ୍ଡା ମାଗୁଣିକୁ ଆସିଗଲେ ।

Support Samadhwani

‘ଦବ, ଦିଆଇବ, ଦାନି ପଣ ବୋଲାଇବ । ଚକୁଳିଆ ପଣ୍ଡାକୁ କଲେ ଦାନ ଲକ୍ଷେ ପାପରୁ ମୁକ୍ତି ଜାଣ । ମା, ମାଉସୀ, ସଧବା ମାଇପେ ଶୁଣ ଶୁଣ । ଏ ଚକୁଳିଆ ପଣ୍ଡାକୁ ଚାଉଳ ଦେଲେ ପୁଅଝିଅ ଗଡ଼ିଯିବେ ଜାଣ । ଶହେ କୋଷରୁ ଆସିଛୁ ଆମେ । ଆମକୁ ଦେଲେ ଧନ, ସଂମ୍ପତ୍ତି ଗୋପ ଲକ୍ଷ୍ମୀ ମାଡ଼ିଯିବେ ହୋ… ।’ ଦାଣ୍ଡରେ ଖଣ୍ଡିଆ ଗୀତ ଯୋଡ଼ି ଯାଡ଼ି ଏମିତି ଲହର ଛାଡ଼ିବେ ଯେ ସାପ ଗାତରୁ ବାହାରି ଫଣା ଟେକି ଶୁଣିବ । ଆସିଲା ଚାଉଳ । ଗିନାରେ, କଂସାରେ, ମାଉଁଣୀରେ ଅରୁଆ, ଉସୁନା ମାଇପେ ବାଦ ବୁଦିଆ ଧରି ଦାଣ୍ଡରେ । ବୋହୂ ନୁହେଁ, ଦୁଇ ତିନି ପିଲାର ମା, ବିଧବା । ମା ରୁହ, ରୁହ । ଅରୁଆ ଚାଉଳ ଗାମୁଛାରେ ବାନ୍ଧିବା । ବାସୁଛି, ଖିରୀ, ଖେଚେଡ଼ି କରି ଠାକୁରଙ୍କୁ ଲାଗି କରିବା ।’ ଘଣ୍ଟାଏ ଖଣ୍ଡେ ଆମ ଦାଣ୍ଡରେ ଚକୁଳିଆ ପଣ୍ଡା ମାର୍ଚିଂ କରନ୍ତି । ପ୍ରାୟ ୪୦/୪୫ ବର୍ଷିଆ ଲୋକ, ଗଳା ଫଟାଇ ସ୍ୱର ଛାଡ଼ନ୍ତିତ ମାଇପି ମାନେ ଭଳିଯାନ୍ତି । ଚକୁଳିଆ ପଣ୍ଡାକୁ ସେମାନେ ଜୀଅନ୍ତା ଠାକୁର ବୋଲି ଧରି ନିଅନ୍ତି । ସେବି ସେମିତି ଠାଣି ମାଣି କରିଥାଏ । କୁହନ୍ତି ସେମାନେ ଜଗନ୍ନାଥ ଧାମ ପାଖାପାଖି ଗାଁରୁ ଆସିଛନ୍ତି । ଜଗନ୍ନାଥ ନାଁ ଶୁଣିଲେତ ମାଇପି ମାନଙ୍କର ଭୋକ ଶୋଷ ମରିଗଲା । ରୋଗୀକୁ ଚାହିଁ ଚଡ଼ୁଦବା କାଇଦା, ପରତୁଣ୍ଡରେ ସୁଆଦ ବାରିବାରେ ବ୍ରାହ୍ମୁଣିଆ ଗୁଡାକ ପୋଖତ । ମିଛକୁ ଗୋଳିବାଟି ପିଇ ଯାଇଥାନ୍ତି ।

ପଣ୍ଡା ମହାଶୟ ଛତା ଭିତରେ ଗୋଟାଏ ଅଖା ଖୋସିଥିଲେ । ମାଲ ବହକା ହେଲା । ଅଖାରେ ପୁରାଇଲେ । ଅଖାରେ ଅଖାଏ ଚାଉଳ, ଏତ ୨୦/୨୫ ସେର ଚାଉଳ ହେବ । ଅରୁଆ ଚାଉଳ ଗାମୁଛାର ଆଗ ପଛରେ ୨ ଯାଉଳି । କାନ୍ଧ ଗାମୁଛାରେ ପରିବା ପତ୍ର ବାଂଧିଛନ୍ତି । ଅଖା ମୁଣ୍ଡାଇ, ଗାମୁଛା ଯାଉଳି କାନ୍ଧରେ ପକାଇ ଚାଲିଲେ । ଦେଉଳକୁ ମୁଖମାଳି ବୁକାଉଛି । ବ୍ରାହ୍ମଣର ବୋପା ବାହାଘର ମନେପଡ଼ୁଛି । କୁଂଥେଇ କାଂଥେଇ ଢ଼ଳି ଢ଼ଳି ଚାଲିଲେ । ଆରେ ଏଇତ ଭଲ ବେପାର । ବିନା ମୂଳଧନରେ ଆଜିକା ମୂଲ୍ୟରେ ହଜାରେ ଟଙ୍କା ହେବ । ଆଜି ଆଉ ସେକାଳ ପଖାଳ ନାହିଁ । କ’ଣ ହେଲା କେଜାଣି ଏବେ ଚକୁଳିଆ ପଣ୍ଡା ମରୁଡ଼ି । ବ୍ରାହ୍ମଣଙ୍କ ମୁରାଟ କମି ଯାଇଛିତ! ଦଳିତ ମାନେ ଉଠିଲେଣି । ବ୍ରାହ୍ମଣତ ପଡ଼ିବେ! କେତେ ବେଳେ ଗାଡ଼ିକା ଉପରେ ନାହା ପୁଣି କେତେବେଳେ ନାହାକା ଉପରେ ଗାଡ଼ି! ତଥାପି ଆଜି ଗାଁ ଗଣ୍ଡାରେ ଦବ ଦିଆଇବ ଦାନି ପଣ ବୋଲାଇବ କଥା ବଞ୍ଚିଛି ।

photo credit- https://bit.ly/3wF5Pty

Support Samadhwani
Share this Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)