Home / ଅନ୍ୟାନ୍ୟ / ସମ୍ପାଦକୀୟ / ନାଟକ ଶକୁନ୍ତଳା (ଆମ ଗାଁ’ରେ ନାଟ ତାମସା- ୩)

ନାଟକ ଶକୁନ୍ତଳା (ଆମ ଗାଁ’ରେ ନାଟ ତାମସା- ୩)

Share Samadhwani

ଆଜି ଦର୍ଶକ ଗ୍ୟାଲେରି ଫୁଲ । କୁଆଡ଼ୁ କୁଆଡ଼ୁ ଲୋକ ଜମା ହେଲେଣି । ଯାତ୍ରା ପାର୍ଟି ନାଟତ ଦେଖିଛନ୍ତି । ଏଥିଏଟର ଗୋଟେ କ’ଣ ବହାରିଛି । ମନତ ଲାଗିଛି । ମାଡ଼ି ଆସିଛନ୍ତି । ଏତେ ଗୁଡ଼ାଏ ଲୋକଙ୍କୁ ଦେଖି ଲୁଙ୍ଗା ବାବୁତ ମହାପ୍ରେମ ଆଜି ଆଦିଲ ମିଆଁ ଦିଟା ବଡ଼ ବଡ଼ ସତରଂଜି ପଠାଇଛନ୍ତି । ସେତ ଜମିଦାରିଆ ମିଆଁ ଲୋକ । ନ ମିଳିଲା ଜିନିଷ ତାଙ୍ଗ ପାଖରେ ମିଳିବ । ମହେଶ୍ୱର ମହାପାତ୍ର ଆଗରେ ବଟୁଆ ମେଲେଇ ପାନ ଭାଂଗି ଚାଲିଛନ୍ତି । ଖଣ୍ଡେ ଖଣ୍ଡେ ବଂଧୁମାନଙ୍କୁ ଲଗେଇ ନିଜେ ଖଣ୍ଡେ ପାଟିରେ ପୁରାଉଛନ୍ତି । ତାଂକର ବଡ଼ ପୁଅ କୁଳିଆ ଭାଇନା ଓରଫ କୁଳମଣି ମହାପାତ୍ର । ସ୍ୱାଧୀନତା ସଂଗ୍ରାମୀ । ସାର୍‌ମାନଙ୍କ ସାଙ୍ଗରେ ତାଂକର ଦୋସ୍ତି । ଗ୍ରୀନରୁମକୁ ପଶିଯାଇ ଲୁଙ୍ଗାବାବୁଙ୍କ ସଂଗେ ଦି ଚାରିପଦ କଥା ହୋଇ ଷ୍ଟେଜ ଆଡ଼କୁ ମୁହଁଇଲେ । ମୋର ତାଂକ ସହିତ ଚିହ୍ନା ପରିଚୟ ନାହିଁ । ଅଭି ପାଖରେ ପହଞ୍ଚିଗଲେ । ଅଭି ଷ୍ଟେଜ ସଜାଡ଼ିବାରେ ବ୍ୟସ୍ତ । କ’ଣ ପଚାରୁଥିଲେ ଅଭି ଦି ପଦରେ ସାରିଲା, “କୁଳ ଭାଇନା । ତୁମେ ଦେଖିନିଅ କ’ଣ କଉଠି ଅଭାବ ରହିଲା କି?” ରୋଗୀ ଖୋଜୁଥିଲା ଯାହା ବଇଦ କହିଲା ସେଇଆ । କୁଳିଆ ଭାଇନା ବୋଧେ ଚାହୁଁଥିଲେ ଟିକେ ମାମଲତକାରି କରନ୍ତେ । ଏତେ ସ୍ୱପ୍ନକୁ ରାତି କାହିଁ । ଘଣ୍ଟା ହୁଇସିଲ ଏକାଠି ବାଜୁଛି । ଡ୍ରାମା ଆରମ୍ଭ ହେବ । ଆଜି ଆଗ ପରଦା ଧଡ଼ ଧାଡ଼ ଉଠିଗଲା । ବାଜା ରେଡ଼ି । ନାଟ ପିଲା ରେଡ଼ି । ଲୁଙ୍ଗାବାବୁଙ୍କୁ ଗୋଡ଼ତଳେ ପଡି, ଷ୍ଟେଜକୁ ମାନ୍ୟ କରି ତାଳେ ତାଳେ ବାଜାକୁ ଶୁଣି ଗୋଡ଼ ବାଡ଼େଇ ଆରମ୍ଭ କରିଦେଲେ ନାଚ ଗୀତର ଆସର । ଜଂଗଲ ସିନ୍ ପଡ଼ିଛି । ଋଷି କନ୍ୟା ମାନେ ନାଚ କରୁଛନ୍ତି । ଶକୁନ୍ତଳା ମଝିରେ । ତାଂକୁ ସମସ୍ତେ ଘେରିଛନ୍ତି ।

ହସ୍ତିନାର ରାଜା ଦୁଷ୍ମନ୍ତ । ପାରିଧି କରିବାକୁ ଆସିଛନ୍ତି । ରଜାଙ୍କୁ ବାଡ଼ି ଛାଡ଼ । ଜନ୍ତୁଜୁନ୍ତା ମାରି ଜଂଗଲର ପରିବେଶ ଉଜାଡ଼ିଲେ ବି ସେ ବଡ଼ ଲୋକ । ସ୍ୱର୍ଗକୁ ନିଶୁଣୀ ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ । ପାରିଧି ବାହିନିରେ ଆସିଛନ୍ତି ହାତୀ, ଘୋଡ଼ା, ସୈନ୍ୟ, ସାମନ୍ତ । ପାରଧି ସରିଆସୁଛି । ସଂଧ୍ୟା ଆସନ୍ନ । ଦୂରରୁ ଭାସି ଆସୁଛି ନୃତ୍ୟ ସଂଗୀତରେ ମୂର୍ଚ୍ଛାନା । ଘଂଚ ଅରଣ୍ୟ ମଧ୍ୟରେ ସଂଗୀତର ଆସର! ସୈନ୍ୟ, ସାମନ୍ତ ହାତୀ, ଘୋଡ଼ା ଅସ୍ଥାୟୀ ଶିବିରରେ ଆସ୍ଥାନ ଜମାଇଲେଣି । ଘୋଡ଼ା ଚଢ଼ି ଦୁଷ୍ମନ୍ତ ସଂଗୀତର ସ୍ୱର ଅନୁସରଣ କରି ପହଞ୍ଚନ୍ତି କଣ୍ୟ ମୂନିଙ୍କ ଆଶ୍ରମରେ । ଘୋଡ଼ାରୁ ଓହ୍ଲାଇ ଯାହା ଦେଖନ୍ତି ଆତ୍ମ ବିସ୍ମୃତି ହୋଇପଡ଼ନ୍ତି ରାଜା ଦୁଷ୍ମନ୍ତ । ଘନ ଜଂଗଲ ମଧ୍ୟରେ ଏ ଅପରୂପ ଲଳନା! ସ୍ୱର୍ଗର ଅପସରା, ମେନକା, ରମ୍ଭା, ଉର୍ବଶୀ ଏ ଋଷି କନ୍ୟାର ଦାସୀ ଯୋଗ୍ୟା ହେବେନି । ଭାବ ବିହ୍ୱଳ ଦୁଷ୍ମନ୍ତ । ଛଳନା କରନ୍ତି, ସେ ତୁଷାର୍ତ୍ତ । ଋଷିକନ୍ୟାକୁ ମାଗନ୍ତି ଜଳ । ଶକୁନ୍ତଳା ମନ୍ତ୍ରମୁଗ୍ଧ, ସ୍ତମ୍ଭୀଭୂତ । କିଏ ଏହି ଦିବ୍ୟ ପୁରୁଷ? “ହସ୍ତିନାର ସମ୍ରାଟ ମୁଁ ଦୁଷ୍ମନ୍ତ, ତୁଷାର୍ତ୍ତ। ଜଳ ଦେଇ ତୃଷ୍ଣା ନିବାରଣ କରନ୍ତୁ ପ୍ରିୟା!” ସମ୍ରାଟ ଦୁଷ୍ମନ୍ତଙ୍କ ମୁହଁରେ ଅସଂଜତ କଥା । ଶାଳିନତା ନାହିଁ! ଋଷି କନ୍ୟାଙ୍କର ମନ ଚହଲି ଗଲାଣି । ଅଲକ୍ଷ୍ୟରେ ଆଖିକୁ ଆଖି ମିଶିଗଲେଣି । ସନ୍ତର୍ପଣରେ ଶକୁନ୍ତଳା, ଆଶ୍ରମ ଭିତରୁ ମାଟିପାତ୍ରରେ ଜଳ ବଢ଼ାଇ ଦିଅନ୍ତି । ସୁବାସିତ ଶୀତଳ ଜଳ । ତୃପ୍ତିର ଅଭିନୟ କରନ୍ତି ରଜା ।

ରଜା -ଋଷି କନ୍ୟା, ସୁଶ୍ରୀ! ଏ ଘନ ଜଂଗଲରେ ତୁମେ?

ଶକୁନ୍ତଳା – କଣ୍ୟମୁନିଙ୍କର ଏ ଆଶ୍ରମ । ମୁଁ ତାଂକର ପାଳିତା କନ୍ୟା ।

ରଜା- ରୂପଶ୍ରୀ! ତୁମର ରୂପ ଯୌବନ ମତେ ମୁଗ୍ଧ କରିଛି । ମୁଁ ପ୍ରେମାଶକ୍ତ । ମତେ ସ୍ୱୀକର କର ପ୍ରେୟସୀ ।

(ଶକୁନ୍ତଳା ଚହଲି ଯାଉଛନ୍ତି । ମନର ସମର୍ପଣ ଭାବ ମୁଖରେ ପ୍ରସ୍ଫୁଟିତ । ଆଖିରେ ସ୍ୱୀକୃତିର ଲକ୍ଷଣ । ଦ୍ୱନ୍ଦରେ ଶକୁନ୍ତଳା, ସଖୀମାନେ ଦୂରରୁ ଏକ କମନୀୟ ଭାବ୍ୟ ଉପଭୋଗ କରୁଛନ୍ତି । ହସର ଲହଡି ଖେଳିଯାଉଛି ।

ଶକୁନ୍ତଳା-ରାଜନ୍‌! ମୁଁ ଋଷି କନ୍ୟା । ଆପଣ ହସ୍ତିନାର ରାଜଧିରାଜା । ମୋର ପିତା ମୋର ବର୍ତ୍ତମାନ ଆଉ ଭବିଷ୍ୟତ । ହିନ୍ଦୁ ଶାସ୍ତ୍ରକାରମାନେ କନ୍ୟାକୁ ସେ ସ୍ୱାଧୀନତା ଦେଇ ନାହାଁନ୍ତି । ନାରୀ ପରାଧୀନ । ବିବାହ ପୂର୍ବରୁ ପିତା, ମାତା, ପରିଜନ । ବିବାହ ପରେ ସ୍ୱାମୀ ଘରେ । ସେ ପୁରୁଷ ହାତରେ କ୍ରୀଡ଼ନକ । ଏ ବିଧାନ, ଏ ଲକ୍ଷ୍ମଣ ରେଖାକୁ ଡେଇଁ ମୁଁ ଯାଇପାରିବନି । ମୁଁ ଅସହାୟା । ମୋତେ ଦୟା କରନ୍ତୁ । ଆପଣ ଏ ସ୍ଥାନ ପରିତ୍ୟାଗ କରନ୍ତୁ । (ଶକୁନ୍ତଳାର ମନର କଥା ନୁହେଁ । ସାମାଜିକ ବଂଧନର ବାର୍ତ୍ତା । ତା ମନ ଭିତରେ ଦୁଷ୍ମନ୍ତଙ୍କ ପ୍ରତି ପ୍ରେମର ଉତ୍ତାଳ ତରଂଗ । ତାର ଅସ୍ୱୀକାର ବାକ୍ୟ ସମ୍ରାଟଙ୍କୁ ଆଘାତ ଦଉ ନାହିଁ ତ । ସେ ଭାଂଗି ପଡ଼ିଲେଣି । ଜଳଧାର ହୋଇ ମହୋଦଧିରେ ସଂଗମ ସୂଚନା ତା ମୁଖମଣ୍ଡଳରେ ପ୍ରସ୍ଫୁଟିତ । ଅତିଥି ଦେବ ଭବଃ । ଅତିଥିକୁ ଅମର୍ଯ୍ୟାଦା ଔଦ୍ଧତ୍ୟର ପ୍ରମାଣ ଦବ । କିଂକର୍ତ୍ତବ୍ୟ ବିମୁଖ ଶକୁନ୍ତଳା ଥକାହୋଇ ପଡ଼ୁଛନ୍ତି । ଶକୁନ୍ତଳାଙ୍କର ମନର କଥା ତାଂଙ୍କର ଚକ୍ଷୁ ସୂଚାଉଛି ।)

ଦୁଷ୍ମନ୍ତ – ମତେ ପ୍ରତ୍ୟାକ୍ଷାନ କରନି ଭଦ୍ରେ । ହସ୍ତୀନାର ସମ୍ରାଟ ଦୁଷ୍ମନ୍ତ ଆପଣଙ୍କ ପ୍ରେମ ଭିକ୍ଷା କରୁଛି (କହି ଶକୁନ୍ତଳାଙ୍କ ହାତ ଧରି ପକଉଚନ୍ତି । ଶକୁନ୍ତଳାଙ୍କ ଶରୀରରେ ବିଦ୍ୟୁତ ବେଗରେ ଶୀହରଣ । ଶକୁନ୍ତଳା ସବୁ ଶୃଙ୍ଖଳା ଭୁଲି ଦୁଷ୍ମନ୍ତଙ୍କ ଆଡ଼କୁ ଆଗେଇ ଆସିଲେଣି । ଦୁଷ୍ମନ୍ତଙ୍କ ବାହୁବଂଧନରେ ଶକୁନ୍ତଳା । ଦୁହେଁ ପ୍ରେମ ଜର୍ଜରିତ । ଦୁଷ୍ମନ୍ତ ଶକୁନ୍ତଳାଙ୍କ ମୁଖରେ ଚୁମ୍ବନ ଆଂକି ଚାଲିଛନ୍ତି । ଋଷିକନ୍ୟା ଶକୁନ୍ତଳା ସମ୍ରାଟଙ୍କ ପ୍ରେମ ବଂଧନରେ ଆବଦ୍ଧ ।

(ସଂଧ୍ୟା ଆଗମନ । ସମ୍ରାଟ ଆଶ୍ରମରେ ରାତ୍ରି ବିଶ୍ରାମ ପାଇଁ ନିବେଦନ କରନ୍ତି)

ସମ୍ରାଟ- ଭଦ୍ରେ । ମୁଁ ଆଶ୍ରମରେ ରାତ୍ରି ଯାପନ କରି ପାରେ କି?

(ଶକୁନ୍ତଳାଙ୍କୁ ସମ୍ରାଟଙ୍କ ବଚନ ସ୍ୱର୍ଗରୁ ଅମୃତ ବୃଷ୍ଟି ଭଳି ଅନୁଭବ ହେଉଛି । ସଖି ମାନଙ୍କୁ ସଂକେତ ଦିଅନ୍ତି । ସୁସ୍ୱାଦୁ ଭୋଜନ ପରିବେଷଣ କରାଯାଉଛି । ଅନ୍ଧକାର ଘୋଟିଗଲାଣି । ଦୁହିଁଙ୍କ ମନ ଚଞ୍ଚଳ । ସମ୍ରାଟ ଶୟନ କକ୍ଷକୁ ଯିବେ । ଶକୁନ୍ତଳା ବିଦାୟ ନେବା ପାଇଁ ଉଦ୍ୟମ କରନ୍ତିତ ସମ୍ରାଟ ହାତ ଧରି ଟାଣି ନେଲେ । ଶୟନ କକ୍ଷକୁ । ଦୁଷ୍ମନ୍ତଙ୍କ କୋଳରେ ଶକୁନ୍ତଳା ରାତ୍ରିଯାପନ କରନ୍ତି । ପୂର୍ବ ଆକାଶ ରକ୍ତ ରଂଜିତ । ଉଦିତ ସୂର୍ଯ୍ୟ । ଶକୁନ୍ତଳା ବିବ୍ରତ । ନାରୀର ମୂଲ୍ୟବାନ ସଂପଦ ସମ୍ରାଟ ଲୁଟି ନେଇଛନ୍ତି । ଆଗକୁ କିଛି ଅଘଟଣ ଘଟିଲେ । ସମ୍ରାଟ ଶକୁନ୍ତଳାଙ୍କ ମନ କଥା ବୁଝିପାରିଛନ୍ତି ।

ସମ୍ରାଟ- ମୁଁ ହସ୍ତିନାର ସମ୍ରାଟ ଦୁଷ୍ମନ୍ତ । ବଚନ ଦଉଛି । ଖୁବ୍ ଶୀଘ୍ର ତୁମକୁ ପାଟରାଣୀ କରି ରାଜଉଆସକୁ ପାଛୋଟି ନେବି ।

ଶକୁନ୍ତଳା- ଯଦି ଆଶ୍ରମ ପରିତ୍ୟାଗ ପରେ ଭୁଲି ଯାଆନ୍ତି । ଏ ଅଭାଗିନୀ ପାଇଁ ବାଟ?

ସମ୍ରାଟ- ବିଦୁଷୀ । ତୁମେ ଖାଲି ସୁନ୍ଦରୀ ନୁହଁ । ଚତୁର ମଧ୍ୟ । ( ଆଙ୍ଗୁଠିରୁ ମୁଦିକାଢ଼ି) । ରଖ ଏ ମୁଦ୍ରିକା । ତୁମର ମୋର ମଧୁର ସମ୍ପର୍କର ମୁକ ସାଖୀ ଏ ମୁଦ୍ରିକା । ବିଦାୟ ।

ଶକୁନ୍ତଳା ଆଖିରୁ ଆନନ୍ଦାଶ୍ରୁ ହଜିଯାଉଛି । ଦିଗ୍‌ବଳୟରେ ରଜାଙ୍କ ଘୋଡ଼ା ଲୁଚିଯିବା ପର୍ଯ୍ୟନ୍ତ ଏକ ଲୟରେ ଚାହିଁ ରହିଛନ୍ତି ଶକୁନ୍ତଳା । ଆଖି ଛଳ ଛଳ । ତୃପ୍ତିରେ ଅନନ୍ଦ ।

“ସାର୍ । କ’ଣ ଲେଖୁଛନ୍ତି । ପୁରାପୁରି ବୁଡ଼ିଯାଉଛନ୍ତି । ମୁଁ ୧୫ ମିନିଟ ହେଲା ଆପଣଙ୍କ ପାଖେ ଠିଆ ହୋଇଛି ।” ପୀତାମ୍ବର ବାବୁ କହୁଛନ୍ତି । ପିତାମ୍ବର ନିଆଳିରେ ବାଇଆ ଚଢେଇ ସୁରକ୍ଷା ଅଭିଯାନର ମୁଖ୍ୟ । ପ୍ରକୃତି ମିତ୍ର ପୁରସ୍କାର ପାଇଛନ୍ତି । ମୋ ସହିତ ୫/୭ ବର୍ଷ ହେଲା ଖୁବ୍ ସଂପର୍କ ।” ଆରେ ପୀତାମ୍ବର ମୁଁ ଗୋଟେ ଭାବନା ରାଜ୍ୟରେ ଥିଲି । ଲେଖୁଥେଲି । ତୁମେ କେତେବେଳୁ ଆସି ଠିଆ ହୋଇଛି ।” ସାର, କ’ଣ ଏ ଲେଖା?” ପୀତାମ୍ବର ଆମ ପିଲାଦିନର ନାଟତାମସା କଣ ଲେଖୁଥିଲି । ନିଆଳି ମାଇନର ସ୍କୁଲରେ ପଢ଼ୁଥାଏ । ଶକୁନ୍ତଳା ନାଟକ ମଂଚସ୍ଥ ହଉଛି । ଶକୁନ୍ତଳାଙ୍କ ଆଶ୍ରମକୁ ଦୁଷ୍ମନ୍ତ ଆସିଛନ୍ତି । ସମ୍ରାଟ ଓ ଋଷି କନ୍ୟାଙ୍କର ସମ୍ପର୍କ ହେଉଛି । ସିନ୍ ସରିଲା ପରବର୍ତ୍ତୀ ଦୃଶ୍ୟ ଆସିବ । ଷ୍ଟେଜରେ କିଛି ସଜଡ଼ା ସଜଡ଼ି ଚାଲିଛି । ମୁଁ ତ ସେତେବେଳେ ୧୨/୧୩ ବର୍ଷର ପିଲାଟିଏ ଉପର ଠାଉରିଆ କରି ଦେଖୁଥାଏ । ଭିତରକୁ ପଶିପାରୁ ନଥାଏ । ଆଜି ଯେତେବେଳେ ସେ କାଳର କାଥା ଲେଖୁଛି ମୋ ମନରେ ଅସଂଖ୍ୟ ପ୍ରଶ୍ନ ଉଠୁଛି । ଦ୍ୱନ୍ଦ ଆସୁଛି । ଶକୁନ୍ତଳାକୁ ମହାନ୍ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । ଆଗିଲା ଦୃଶ୍ୟମାନଙ୍କରେ ଆସିବ । ମୁଁ ଭାବୁଛି ନାରୀ, ପୁରୁଷଙ୍କ ପାଇଁ ତ ପୃଥିବୀ, ନାରୀ ଜାତି ଉପରେ ଏତେ ନିର୍ଯ୍ୟାତନା କାହିଁକି? ଯାତ୍ରା କୁହ, ଥିଏଟର କୁହ, ସିନେମା ହେଉ କି ଟିଭି ସବୁଥିରେ ୨/୩ ଜଣ ନାରୀଙ୍କୁ ବଳି ଦିଆଯାଉଛି । ସେମାନଙ୍କୁ ନିର୍ଯ୍ୟାତନାର ଦୃଶ୍ୟମାନ ଆସୁଛି ।

ମଣିଷ କୁହ ଜୀବଜନ୍ତୁ କୁହ ନାରୀ ପୁରୁଷ, ଆଡ଼ାମ ଇଭଙ୍କୁ ଛାଡ଼ି ଜୀବଜଗତର କଳ୍ପନା କରି ହେବ କି? ସେଥିରେ ପୁରୁଷଟି ସାଧୁ ଆଉ ସ୍ତ୍ରୀ ଦାସୀର ମାନ୍ୟତା ପାଇଛି । ଶାସ୍ତ୍ର ପୁରାଣରେ ଇତିହାସରେ ହିନ୍ଦୁ ସଂବିଧାନ ପ୍ରଣେତା ମନୁସ୍ମୃତିରେ କାହିଁକି? ପୁରୁଷ ସ୍ତ୍ରୀ ପ୍ରେମର ଆଦାନ ପ୍ରଦାନ କଲେ । ସ୍ତ୍ରୀଟି କାଠଗଡ଼ାରେ ଛିଡ଼ା ହେଉଛି ପୁରୁଷଟି ସୁନାପୁଅ ଧେଇକି ନାଚ । କାହିଁକି? ଶକୁନ୍ତଳାଙ୍କର ଦୁଷ୍ମନ୍ତଙ୍କ ସହିତ ମିଳନରେ ଶକୁନ୍ତଳା ଅନ୍ତଃସତ୍ତା ହେଉଛନ୍ତି । ଦୁର୍ବାଶା ଋଷି ତାଂକୁ ଅଭିଶାପ ଦଉଛନ୍ତି । ଅନ୍ୟମନସ୍କ ଅଛନ୍ତି । ଦୁର୍ବାଶାଙ୍କ ଆତିଥ୍ୟରେ ତୃଟି କରିଛନ୍ତି । ଅଭିଶାପ “ତୁମକୁ ରାଜା ଦୁଷ୍ମନ୍ତ ପ୍ରତ୍ୟାଖ୍ୟାନ କରିବେ” । ଇନ୍ଦ୍ର ଜମଦଗ୍ନି ଋଷିଙ୍କ ସ୍ତ୍ରୀ ରେଣୁକା ସହିତ ମନ୍ଦ ଆଚରଣ କଲେ । ପିତା ଆଦେଶରେ ପର୍ଶୁରାମ ମା’ଙ୍କୁ ହତ୍ୟା କରିଛନ୍ତି । ଅହଲ୍ୟାଙ୍କୁ ଇନ୍ଦ୍ର ଛଦ୍ମବେଶରେ ମନ୍ଦ କାମ କଲେ । ଗୌତମଙ୍କ ଅଭିଶାପ । ଅହଲ୍ୟା ପଥର ପାଲଟିଗଲେ । ସ୍ତ୍ରୀମାନେ କଣ ପୁରୁଷମାନଙ୍କର ପଣ୍ୟଦ୍ରବ୍ୟ । ମହାନ ଋଷି ପରାଶର । ନଦୀ ପାରି ହେବେ । କୈବର୍ତ୍ତ ଝିଅକୁ ଡଂଗା ଜଗେଇ ଘରକୁ ଯାଇଛି । ୧୨/୧୩ ବର୍ଷର ନାବାଳିକା ‘ପରାଶର ବାଧ୍ୟ କଲେ ଡଂଗା ଫିଟାଇବାକୁ । ଏତେ ବଡ଼ ଋଷି । ମତ୍ସଗଂଧା ଋଷିକୁ ପାରି ପରୁଛନ୍ତି । ଋଷିଗୁଡ଼ାକ ବ୍ରହ୍ମଚାରୀ । ଦିନ ଦ୍ୱିପହରେ ପରାଶର କୁନି ଝିଅଟି ଉପରେ ପାଶବିକ ଅତ୍ୟାଚାର କରୁଛନ୍ତି । ତୁମେ ପୀତାମ୍ବର ପରବର୍ତ୍ତୀ କଥା ଜାଣିଥିବ । ଝିଅ ଗୁଡ଼ାକ କ’ଣ ନିଆଁରେ ମୁତନ୍ତି । ପୁଅ ଗୁଡ଼ାକ ଗୋଟିକ ଯାକ ସୁନା । ହିନ୍ଦୁ ଧର୍ମର ଏହି କଳଙ୍କିତ ବିଚାର ଶକୁନ୍ତଳା ନାଟକ ଦେଖିଲା ପରେ ମୋତେ ବିବ୍ରତ କରୁଛି । ପିଲାବେଳେ ଦେଖିଥିଲି । ଆଜି ବଡ଼ ବେଳେ ଲେଖିଲା ବେଳକୁ ମୁଁ ନାଚଗୀତ ଛାଡ଼ି ଭାବନା ଭିତରେ ମଜ୍ଜିଯାଇଛି । ପିତାମ୍ବର ତୁମେ ଆସିଲ ମୋର ହୋସ୍ ଆସିଲା । ମୋ ପାଠକମାନଙ୍କୁ ମୁଁ ବହୁ କଷ୍ଟ ଦେଲିଣି । ନାଚ ଗୀତ ଛାଡ଼ି ମୁଁ ଶାସ୍ତ୍ର, ପୁରାଣ ରାଜନୀତି ଆଡ଼କୁ ମାଡ଼ି ଯାଉଥିଲି । ପୁରୁଷ ପ୍ରଧାନ ସମାଜରେ ମୋ ଭଳି ଲକ୍ଷ ଲକ୍ଷ ନଟ ସାର କ’ଣ ଏ ଧାରା ବଦଳାଇ ପରିବେ? ମାଡ଼ୁଆ ନ ଥାଇ ଗୁହାରିଆ । ପିତାମ୍ବର ମତେ ଲାଗୁଛି । ଆଉ ବେଶୀଦିନ ନୁହେଁ । ଭାରତୀୟ ନାରୀ ଏ ନିର୍ଯ୍ୟାତନା ବିରୁଦ୍ଧରେ ବିଦ୍ରୋହ କରିବ । ବିପ୍ଲବ କରିବ । ସମାଜରେ ତାର ସ୍ଥାନ ସେ ନିଜେ ନିରୂପଣ କରିପାରିବ । କେତେବେଳେ ଗାଡ଼ିକା ଉପରେ ନାହା ପୁଣି କେତେବେଳେ ନାହାକା ଉପରେ ଗାଡ଼ି । ଏ କଥା ଏଇଠି ରଖିବା । ଘଣ୍ଟା, ହୁଇସିଲ୍ ବାଜିଲା, ସିନ୍ ଉଠିଲା ନୂତନ ଦୃଶ୍ୟ ପରିବେଷଣ ହେବ ।

ଷ୍ଟେଜ ସଜଡ଼ା ସଜଡ଼ିକୁ ସମୟ ଲାଗୁଛି । ଶକୁନ୍ତଳାର ପରବର୍ତ୍ତୀ ଦୃଶ୍ୟ ସଜାସଜି ଚାଲିଛି । ଲୁଙ୍ଗାବାବୁ ଗୋଟେ ଫାର୍ସା ଯୋଡ଼ି ଦେଇଛନ୍ତି । “ଅବୁଝା ରାଜାକୁ ପାଳିବିଣ୍ଡା ମନ୍ତ୍ରୀ । ବସି ବସି ଆଗରେ ଦର୍ଶକମାନେ ଘୋଷା ହେଲେଣି । ଗୋଟେ ବେଞ୍ଚରରେ ଲୁଙ୍ଗାବାବୁ ପାଳବିଣ୍ଡାଟେ ମୁହଁରେ ଦେଇ ବସିଗଲେ । ସେ ପାଳବିଣ୍ଡା ମନ୍ତ୍ରୀ । ଚେୟାରରେ କ୍ଷୀରୋଦ ରାୟ ରାଜା ବେଶରେ ବସନ୍ତି । ସେ ଅବୁଝାରଜା । ମନ୍ତ୍ରୀ! ରାଜ୍ୟର ସଂବାଦ କଣ?” ଜଣେ ପ୍ରଜା ଆଗରେ ଠିଆ ହେଇଗଲେଣି । ମନ୍ତ୍ରୀ ପାଟିରୁ ପାଳବିଣ୍ଡା କାଢ଼ି ପଚାରୁଛନ୍ତି ।” ତୁମର ଅଭିଯୋଗ କ’ଣ ପ୍ରକାଶ କର ।” ପ୍ରଜା- ଆଜ୍ଞା ପଞ୍ଚୁ ସାହୁ ପକୁଡ଼ି ଛଟାକୁ ଦି ପଇସା ନିଏ । କାଲି ମୁଁ ପକୁଡ଼ି କିଣିଲା ବେଳକୁ ଛଟାକୁ ଚାରିପଇସା ନେଲା । ଆଜ୍ଞା ଦରବୃଦ୍ଧି ଶହେକୁ ଶହେ?” (ପଞ୍ଚୁ ସାହୁ ନିଆଳିରେ ଗୋଟିଏ ମାତ୍ର ଗୁଡ଼ିଆ ଦୋକାନ । ଅଳଙ୍କାର ମଧ୍ୟରେ ନିମକାଠି ଏକ ଥାନ । ବରା, ପକୁଡ଼ି ମୁଢ଼ି ବେଳେ ବେଳେ ମିଠାଇ, ଜିଲାପି ବିକା କିଣା କରେ । ପକୁଡ଼ିଟା ତାର ଏକ ନମ୍ବର । ଦନେଇ ସାହୁ ତେଜରାତି ଦୋକାନରୁ ଚାନ୍ଦମାର୍କାର ବେସନ ଆଉ ବାଦାମ ତେଲ କିଣି ପକୁଡ଼ି ଛାଣେ । ପିଆଜ ସେତେବେଳକୁ ନିଆଳି ହାଟରେ ପଡ଼ିଛି । ବେସନ୍‌, ଜିରା, ଅଦା ଏମତି କଣ ପକାଇ ପାଗ କରେ । ଏକ ନମ୍ବର ପକୁଡ଼ି । ଛଟାକୁ ଦୁଇ ପଇସା । ସେତେବେଳେ ଟଂକାକ ୬୪ ପଇସା ।)

ରଜା- ମନ୍ତ୍ରୀ! ଡଗର ପଠାଇ ପଞ୍ଚୁ ସାହୁଙ୍କୁ ତଲବ କର ।

ମନ୍ତ୍ରୀ – ହଜୁର ଆଜ୍ଞା!

ସପ୍ତମୀ ଶ୍ରେଣୀର ଜଣେ ବଡ଼ ପିଲା ଧୋତି ପିନ୍ଧି, ଗାମୁଛା କାଂଧରେ ପକାଇ ହାଜର ହୁଏ । ମୁଣ୍ଡରେ ଛତା, କାନରେ ଚିତା, ଖୁବ୍ ମାତ୍ରିକିଆ ଲୋକ, ପଞ୍ଚୁ ସାହୁ ।

ମନ୍ତ୍ରୀ – ସାହୁ ଏ ତୁମେ ପକୁଡ଼ି ଦାମ ୨ ପଇସା ଜାଗାରେ ୪ ପଇସା କରିଛ କାହିଁକି?

ପଞ୍ଚୁ ସାହୁ- ଆଜ୍ଞା ମୁଣ୍ଡ ରହିଲେ ସତ ସତ କହିବି । ଦନେଇ ସାହୁ ବେସନ୍ ସେର ୪ ଅଣା ନେଉଥିଲା । ବାଦାମ ତେଲ ସେର ୧୦ ଅଣା । ହଠାତ୍ ଦାମ ବଢ଼ାଇ ଦେଇଛି । ବେସନ ସେର ଆଠ ଅଣା, ତେଲ ସେର ପାଞ୍ଚସୁକା । ସେ କଞ୍ଚାମାଲ ଦିଗୁଣ ଭେଟ୍ କଲା ତ ମୁଁ ଛଟାକୁ ୪ ପଇସା କରିଛି ।

ରଜା- ମନ୍ତ୍ରୀ ମହାଶୟ, ଦନେଇ ସାହୁଙ୍କୁ ତଲବ କର ।

ଆଉ ଜଣେ ପିଲା ଦନେଇ ସାହୁ ପାଖରେ ଠିଆ ହେଇଛି । ଧୋତି ଯାକିଯୁକି ପିନ୍ଧିଛି । ଖଣ୍ଡେ ଫତେଇ ଚଢେଇଛି । ମୁଣ୍ଡରେ ଚିତା । ହନୁମାନ ସିନ୍ଦୁର ( ସେ ହନୁମାନ ଭକ୍ତ) । କାନ, ନାକ , ବେକ, ହାତ ଚାରିଆଡ଼େ ତିଲକ । ଧର୍ମାବତାର ।

ମନ୍ତ୍ରୀ- ଦନେଇ ସାହୁ ମହାଜନ । ତୁମେ ହଠାତ୍ ଦରଦାମ ଏତେ ବଢ଼ାଇଛ । ରଜାଙ୍କୁ ଖବର ନାହିଁ ।

ଦନେଇ ସାହୁ- ଆଜ୍ଞା ଯୁଦ୍ଧ ପରେ ତେଜରାତି ଦର ନିଆଁ ଧୂଆଁ । ମାଲଗୋଦାମରେ ନାହିଁ ନଥିବା ଭିଡ଼ । ଜିନିଷ ପତ୍ର କଳାବଜାର ୨ ଟଙ୍କାର ସଉଦା ପାଞ୍ଚ ଟଂକା ।

(ଦ୍ୱିତୀୟ ମହାଯୁଦ୍ଧ ସରିଛି । ଯୁଦ୍ଧର ପ୍ରଭାବ ଚାଷ, ବ୍ୟବସାୟ, ଅର୍ଥନୀତିକୁ ପ୍ରଭାବିତ କରିଛି । ଦର ଦାମ ହୁହୁ ହେଇ ବଢ଼ିଯାଇଛି ।

ବାଦ୍ୟଯନ୍ତ୍ରମାନେ ମଝିରେ ମଝିରେ ତାଂକ ଅଭିନୟ ଚଳେଇଛନ୍ତି । ଚଢ଼ା କଥା ବାର୍ତ୍ତାରେ ତୋହକି ବାଜି ଉଠୁଛି । କେତେବେଳେ ହାରମୋନିୟମ ଦୁଇ ତିନି ଥର ସୁର ଛାଡ଼ିଲାଣିତ କେତେବେଳେ ଘୁଙ୍ଗୁର ମାଳକୁ ରୁଣଝୁଣ କିଏ କଲାଣି । ନାଟ ତାମସା ତ, ଖାଲି ବଚନିକା, ଶୁଖିଲା ଲାଗିବନି ।

ରଜା- ଯୋଗାଣିଆକୁ ଡାକି ବୁଝ ପଞ୍ଚୁ ସାହୁ ଉଆସକୁ ପକୁଡ଼ି ପଠାଉଛି କି ନାହିଁ । ଯୋଗାଣିଆ ଆସିଗଲା । ମାଈଚିଆ ଲୁଗାପିନ୍ଧିଛି । ଚାଦର ଖଣ୍ଡେ ଛାତିରେ ଏପଟ ସେପଟ କରୁଛି । ଅଷ୍ଟବକ୍ର ଚାଲି…

ଯୋଗାଣିଆ – ମୋତେ ଡକାଇଥିଲେ ମହାରାଜ । (ଲମ୍ବେର ଲମ୍ବେଇ, ମୁହଁ ମୋଡ଼ି କଥା କହୁଛନ୍ତି । ଦର୍ଶକ ଗ୍ୟାଲେରିରେ ହାସ୍ୟରୋଳ ଚାଲିଲା ।

ମନ୍ତ୍ରୀ- (ପାଳ ବିଣ୍ଡାକୁ ପାଟିରୁ କାଢ଼ି) । ସନାତନ! ଉଆସକୁ ପକୁଡ଼ି ନିୟମିତ ଆସୁଛି ତ ।

ସନାତନ- ନାଇଁ ଆଜ୍ଞା । ମାସେ ହେଲା ସାହୁଙ୍କର ପାଦ ପଡ଼ିନି ।

ରାଜା-ମନ୍ତ୍ରୀ! ସାଖି, ପ୍ରମାଣ, ବୟାନ ସରିଲାଣି । ରାୟ ଦିଅ ।

ମନ୍ତ୍ରୀ- ମହାନୁଭବ! ଏ କି ଅସଂଗତ କଥା କହୁଛନ୍ତି । ମୁଁ କୋଉ ଗାଈର ଗୋବର । ରାୟ ମୁଁ ଶୁଣାଇବି । ରାୟ ମହାରାଜ ଦେବେ ନା ।

ରଜା- ହଁ । ଆମେ ରାୟ ଦବୁ । ଆମେ ଆଦ୍ୟ ଠାରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ ବୁଝିଗଲୁ । ଘଟଣାର ସବିଶେଷ ତର୍ଜମା ପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ଦନେଇ ସାହୁ ମାଲର ଦାମ ବଢ଼େଇବାରୁ ପଞ୍ଚୁସାହୁ ପକୁଡ଼ିଦାମ ବଢ଼େଇଛନ୍ତି । ଦୋଷ ଦନେଇ ସାହୁଙ୍କର ଶହେପଣ । ତାଂକ ଦୋଷ ପାଇଁ ପାକୁ ବାବୁ ଓରଫ ଭରତ ବ୍ଳଲଭ ରାୟଙ୍କୁ ଦୁଇ ଟଂକା ଜରିମାନା । ଜରିମାନା ଅର୍ଥ ଆଦାୟ ନହେଲେ ମହେଶ୍ୱର ମହାପାତ୍ରଙ୍କୁ ଛଅ ମାସ ଫାଶୀ । ଦରବାର ଆଜି ପାଇଁ ଶେଷ । ଏତେ ବେଳକୁ ହସ ହସ ହସର ତ ଲହଡ଼ି । ପଞ୍ଚୁ, ଦନେଇ ସାହୁ ପାର । ପାକୁ ବାବୁ, ମହେଶ୍ୱର ମହାପାତ୍ର ଭାବୁଛନ୍ତି “ ଆରେ ଅବୁଝା ରଜାକୁ ପାଳ ବିଣ୍ଡା ମନ୍ତ୍ରୀ କି ରାୟ ଶୁଣାଇଲେ ନାଁ । ନିହାଲ ସିଂହ ମହେଶ୍ୱର ମହାପାତ୍ରଙ୍କୁ କହୁଛନ୍ତି” ଭାଇନା ଦିନେ ଓଳିଏ ନୁହେଁ ଛଅ ମାସ ଫାସି” । ମହେଶ୍ୱର ମହାପାତ୍ର ମୁରୁକି ମୁରୁକି ହସି ପାନ ଲଗାଉଛନ୍ତି । ରଘୁବାବୁ ୨ଟଂକା ଧରି ଷ୍ଟେଜ ଉପରେ ।’ ଅବୁଝା ରଜା, ପାଳ ବିଣ୍ଡା ମନ୍ତ୍ରୀଙ୍କ ଅଭିନୟରେ ମୁଗ୍ଧ ହେଇ ଆଦିଲ ଭାଇ ୨ଟଂକା ପୁରସ୍କାର ଦେଇଛନ୍ତି । ତାଳି, ତାଳି, ତାଳି । ହସ ଆଉ ତାଳି ଭିତରେ ପର୍ଦ୍ଦା ପଡ଼ିଯାଉଛି । ମୋତେ ନିଦୁଆ, ନିଦୁଆ ଲାଗୁଛି । କାହିଁକି ସମସ୍ତେ ହସିଲେ ମୁଁ ଟେର ପାଉନି । ସମସ୍ତେ ତ ହସୁଛନ୍ତି ବୋକାଙ୍କ ଭଳି ହସି ଦଉଛି । ଆଉ ନୁହେଁ । ନିଦ ଘାରିଲାଣି ଟଳ ଟଳ ହେଇ ଗ୍ରୀନ ରୁମର ଗୋଟେ କଣରେ ଯାକିଯୁକି ପଡ଼ିଗଲି । ସକାଳ ହେଲା ତିଳ ମତେ ଉଠେଇଲା । ଗାଁ କୁ ଚାଲିଲୁ ।” ହଇରେ ତିଳ ତୁ ତ ମାଇଚିଆ ଟହଲିଆ କାମ କମାଲ୍ କରିଦେଲୁ ।

ଏଣିକି ନିଆଳୀରେ ଡ୍ରାମା, ଥିଏଟରର ଗୋଟେ ଛୋଟ କାଟିଆ ବିପ୍ଳବ ଆରମ୍ଭ ହେଲାଣି । ଡ୍ରାମା ପରେ ଡ୍ରାମା । ମୋର ୭ମ ଶ୍ରେଣୀକୁ ଶ୍ରୀ ଜଗନ୍ନାଥ, ଶ୍ରୀ ଲୋକ ନାଥ ଡ୍ରାମା । ଅଷ୍ଟମ ଶ୍ରେଣୀକୁ ମୂଲିଆ । ମୂଲିଆରେ ମୋର ପ୍ରଥମ ଅଭିନୟ ଆରମ୍ଭ । ଝିଅ ପାର୍ଟ । କ’ଣ ଝିଅ, କାହା ଝିଅ କି ସ୍ତ୍ରୀ ମନେ ପଡ଼ୁନି । କିନ୍ତୁ ଗୋଟେ କଥା ମୋର ମଲା ପର୍ଯ୍ୟନ୍ତ ମନେ ଥିବ ଲୁଙ୍ଗା ବାବୁଙ୍କ ଅଖା ବୁହା । ଲୁଙ୍ଗାବାବୁ ବାପା ଅଭିନୟ କରୁଛନ୍ତି । ଅଟା, ଚିନି, ଅଖା ଶଗଡ଼ରୁ ଗୋଦାମକୁ ବୋହୁଛନ୍ତି । ଗୋଟେ ଅଖା ପିଠିରେ ପକାଇ ଷ୍ଟେଜରେ ଏପଟୁ ସେ ପଟକୁ ଯିବେ । ଅଖାରେ ଆଡ଼ୁସାଡ଼ୁ କଣ ପୁରାଇ ଅଭିଥୋଇ ଦେଇଛି । ପାର୍ଟ ପଢ଼ିଲେ ଲୁଙ୍ଗାବାବୁ ପିଠିରେ ପକେଇ ଚାଲିବେ । ଲୁଙ୍ଗାବାବୁ ଅଖାକୁ ପରୀକ୍ଷା କଲେ । ରାଗରେ ଯାହା ସବୁ ପଶିଥିଲା ଏଣେ ତେଣେ ଫୋପାଡ଼ି ଦେଲେ ।” ହଇରେ ଅଭି । ଏଇ ଅଖା ମୁଁ ପିଠିରେ ପକେଇ ଯାଇଥାନ୍ତି । ଆଉ ଅଭିନୟ ଲୋକ ଦେଖିଥାନ୍ତେ । ଏ ହବନି । ଦନେଇ ସାହୁ ଦୋକାନରୁ ଗୋଟେ ଅଟାବସ୍ତା ବା ବେସନବସ୍ତା ଆଣ । ସେତବେଳର ବସ୍ତା ଦେଢ଼ ମହଣ (ଆଜିକା ୭୫ କିଲିଆ ବସ୍ତା) । ଅଭି ସାରଙ୍କ କଥା ତଳେ ପକାଏନି । ଆସିଲା ଗୋଟେ ଚଉରସ ଅଟାବସ୍ତା । ଷ୍ଟେଜ ପାଖେ ଥୁଆ ହୋଇଥାଏ । ମୁଁ ଟିକେ ଟେକିବାକୁ ଚେଷ୍ଟା କଲି । ଇଲୋ ବୋପାଲୋ । ଏ ଅଖାକୁ ଟେକିଲେ ତ ମଣିଷ ହଗି ପକାଇବ । ସାର୍ ପିଠିରେ ପକେଇ ନେବେ । ଅଭି ସେତବେଳକୁ ଆମ ସାଙ୍ଗରେ ପଡ଼ୁଛି । ଷ୍ଟେଜ କାମରେ ସେତ ପୋକ । ଏଥର ପ୍ରମଟିଂ ଗୋବିନ୍ଦ ବାବୁ କରିବେ । ହେଡ଼ମାଷ୍ଟର । ନାଟ, ତାମସାର ଖୁବ୍ ସଉକ ।

ଲୁଙ୍ଗାବାବୁତ ଜଣେ ସଫଳ ଶିଳ୍ପୀ । ବଙ୍ଗାଳୀ ସାହି ଦେବି ମଣ୍ଡପରେ ସିନ୍ ତିଆରି କାରଖାନା ଚାଲିଲା । ବୃନ୍ଦାବନ ବିଶ୍ୱାଳ, ଲୁଙ୍ଗାବାବୁ । ବୃନ୍ଦାବନ ବିଶ୍ୱାଳ କପଡ଼ା, ରଂଗ, ତୁଳି କିଣିବେ । ତଦାରଖ କରିବେ । ଲୁଙ୍ଗାବାବୁ ସିନ୍ ରଂଗ କରିବେ । ୧୦/୧୫ ସିନ୍‌, ଡ୍ରପର ଉଇଙ୍ଗସ୍ ଝାଲେରି ତିଆରି ହୋଇଯାଇଛି । ସାମାଜିକ ନାଟକ ମୂଲିଆ । ଅନ୍ନପୂର୍ଣ୍ଣା ବି ଗ୍ରୁପରେ ପରିବେଷଣ ସରିଥାଏ । ପୋଷାକ ସେତେଟା ଦରକାର ନଥାଏ । ଫୁଲପ୍ୟାଣ୍ଟ କୋର୍ଟ ସେତେବେଳକୁ ସେପରି ଆତ୍ମପ୍ରକାଶ କରି ନଥାନ୍ତି । କଟକ ଶ୍ରୀକୃଷ୍ଣ ଡ୍ରେସ୍ ଷ୍ଟୋରରୁ ବାଦ୍ୟଯନ୍ତ୍ର, ପୋଷାକ ପତ୍ର ଉପରେ ଆସିଲା । ହାଇସ୍କୁଲ ସେଇ ମାଇନର ସ୍କୁଲ ହତାରେ ହଉଥାଏ । ପୁରୁଣା ଷ୍ଟେଜ । ଆମେ ଅଷ୍ଟମ ଶ୍ରେଣୀ ୧୩/୧୪ ଜଣ ପିଲା । ହାଇସ୍କୁଲ ସାର, ମାଇନର ସ୍କୁଲ ସାର୍ ସମସ୍ତେ ଲଗିଥାନ୍ତି । ଏଥର ଦର୍ଶକ ବହୁତ । ୪୦୦/୫୦୦ ହେବେ । ହାଇସ୍କୁଲ ନାଁ ଫିଟି ଯାଇଛି ତ । ବେଶୀ ଲୋକଙ୍କର ସମାଗମ । ଏ କ୍ଲାସ ନାଟକ । ଏଣୁ ତେଣୁ ଫାର୍ସା, ନାଚ, ଗୀତ ସେତେଟା ନ ଥାଏ । ନାଟକରେ କିନ୍ତୁ ଗୋଟିଏ ଚରିତ୍ର ହରିମିଶ୍ର । ତେଜରାତି ଜିନିଷ ବିକେ । ଭାରି ସଉକିଆ । ଝିଅ ପିଲା ସଉଦାକୁ ଗଲେ ଭିଡ଼ା ଓଟରା କରେ । ୧୩/୧୪ ବର୍ଷର ଗୋଟିଏ ଝିଅ ସଉଦା ନିଏ । ପଇସା କମ୍ ରଖେ । ତା ବାପା ଗରିବ, ବାପକୁ କହିଲା ଝିଅକୁ ବାହାହବ । ବାପା ରାଗି ନିଆଁ । କି ହାରାମି ହୋ ତୁମର ବଡ଼ ପୁଅ ବାହା ହବାକୁ ହେଲାଣି । ତୁମର ତ କମ୍ ସାହାସ ନୁହେଁ । ମାରି ମୁଣ୍ଡ ଗଣ୍ଡି ଅଲଗା କରିଦେବି । ନାଟକ ଭିତରେ ହରିମିଶ୍ରଙ୍କୁ ନେଇ କେତୋଟି ଦୃଶ୍ୟ ଥାଏ । ମୋର ସାଙ୍ଗ ବଳରାମକୁ ହରି ମିଶ୍ର ପାଟି କରୁଥାଏ । ତାକୁ ଏମିତି ପୋଷାକ ପତ୍ର ଡ୍ରେସିଂ ପେଣ୍ଟିଂ ଲୁଙ୍ଗାବାବୁ କରିଥାନ୍ତି । ସେ ବି ଷ୍ଟେଜ ଉପରକୁ ଯାଇ କିଛି ବଚନିକା ନ କରି ଏପରି ଅଭିନୟ କରେ ଦର୍ଶକ ହସି ହସି ନଳରା ବୋତରା । ଲୁଙ୍ଗାବାବୁ ତ ନାହାଁନ୍ତି । ମୁଁ ଅଛି । ମୋର ସବୁ ସାଙ୍ଗ ଗଲେଣି । ବଳରାମ ୧୫/୨୦ ବର୍ଷ ତଳୁ ଗଲାଣି । ହାସ୍ୟ ରସ ପରିବେଷଣରେ ବଳରାମର ଅଭିନୟ ମାନିବାକୁ ହେବ ।

ନିଆଳିକୁ ଲଗାଇ ୮/୧୦ କୋଶ ଇଲାକାରେ ସ୍କୁଲରେ ଡ୍ରାମା, ଗାଁ ଗଣ୍ଡାରେ ଡ୍ରାମା । ଏଥି ମଧ୍ୟରେ ବୃନ୍ଦାବନ ବାବୁ ସବୁ ପୋଷାକ ତିଆରି କଲେଣି । ତାଂକ ସ୍ତ୍ରୀ, ଝିଅ, ପୁଅ ସମସ୍ତେ ଜରି ଗୁନ୍ଥି ରଜା ପୋଷାକ, ମନ୍ତୀ ପୋଷାକ, ଇତ୍ୟାଦି ଅତି ଉଚ୍ଚ କୋଟୀର ପୋଷାକ ପତ୍ର ତିଆରି କରନ୍ତି । ବଳରାମର ବାପା ଅଗାଧୁ ମହାପାତ୍ର । ଗୀତ ବୋଲିଲେ ହାରମୋନିୟମ ରିଡ଼୍ ପାଇବନି । କଟକ ରେଡ଼ିଓ ଷ୍ଟେସନକୁ ଥରେ ଦିଥର ଯାଇଥିଲେ । ଏତେ ବଡ଼ ପାଟିରେ ଗୀତ ବୋଲିଲେ ଯେ ତାଙ୍କର ସିଲେକ୍‌ସନ ହେଲା ନି । ଲୁଙ୍ଗାବାବୁ, ବୃନ୍ଦାବନ ବାବୁ ଆଉ ଅଗାଧୁ ମାମୁଁ ଏ ତିନିହେଁ ସେତେବେଳର ଡ୍ରାମା ଥିଏଟରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର । ରଜକୁ ଥିଏଟର, ଦଶହରାକୁ ଥିଏଟର, ଦୋଳକୁ ଥିଏଟର । ଆଜି ଏ ଗାଁରେ ଡ୍ରାମା ଓ ଆଠ ଦିନ ପରେ ଆର ଗାଁରେ ଡ୍ରାମା । ସବୁଠିକି ଲୁଙ୍ଗାବାବୁଙ୍କୁ ଡକରା । ସେ ଇଂଜିନି । ବୃନ୍ଦାବନ ବାବୁ, ଅଗାଧୁ ବାବୁ ଆଉ ଆମେ କେତେକ ଲୁଙ୍ଗାବାବୁଙ୍କ ତିଆରି ନାଟୁଆ ଦଳବଳ ହେଇଯାଉ । ମୋର ସାଙ୍ଗ ଭୀମ ସିଂହ, ସିନେମା ଷ୍ଟାର, ଆଉ ନାହିଁ । ସେ ଓ ମୁଁ ଦୁଇଜଣଙ୍କୁ ଲୁଙ୍ଗାବାବୁ ନିଶ୍ଚୟ ପୁଟୁଳି ବାଂଧିବେ । ବାହାରଣାରେ ଡ୍ରାମା, ନୁଆହାଟରେ ଡ୍ରାମା, ସିଠଳୋରେ ଡ୍ରାମା । ପାଠପଢ଼ା ତ ଚାଲିଥାଏ । ଶାଠ ବି ଚାଲିଥାଏ । ନିଆଳି ହାଇସ୍କୁଲର ଛାତ୍ର ଚିତ୍ତରଂଜନ ମିଶ୍ର, ସ୍କୁଲରେ ଡ୍ରାମା କରି ଆଜି ଜଣେ ପ୍ରତିଷ୍ଠିତ ସିନେ ତାରକା । ପ୍ରଯୋଜକ ଓ ନିର୍ଦ୍ଦେଶକ ।

ନଦୀ ବଢ଼ିଭଳି ମାଡ଼ିଗଲା ଡ୍ରାମା । ସାରା ଓଡ଼ିଶାରେ ସେତବେଳେ ଡ୍ରାମା, ଥିଏଟର ମାହଲ । ସାମାଜିକ ନାଟକ ସାଙ୍ଗକୁ ବୈଷ୍ଣବ ପାଣି ଗୀତାଭିନୟ, ଭଦ୍ରଖର ମୋଗଲ ତାମସା । ଦେଶ ସ୍ୱାଧୀନ ହେଲାଣି । ଲୋକଙ୍କ ପାଖରେ ଦି’ପଇସା ହେଲାଣି । ଚାଷ ବାସ ଭଲ ହଉଛି । ଗାଁ ଗଣ୍ଡାରେ ନାଟ ତାମସାର ଧାମକା । ଗାଁ ଗଣ୍ଡାର ଛୋଟ ଛୋଟ ନାଟ ଦଳ ଉଠି ପାରିଲେନି, ହାରିଗଲେ । ଡ୍ରାମା, ଥିଏଟର, ଏକାଂଖିକା ଉପରେ ମାଡ଼ ।

୧୦/୧୫ ବର୍ଷ ଚାଲିଲା । ଏ ଭିତରେ ସିନେମା ଟେକିଲାଣି । ଜୁଆର ପରେ ତ ଭଟ୍ଟା । ଡ୍ରାମା, ଥିଏଟର ବି ଆଉ ଟେକୁନି । ଏଥର ଗାଁ ଗାଁରେ ପିଲା, ବଡ଼ ନାଟ କରୁଛନ୍ତି । କିନ୍ତୁ ଯାତ୍ରା ବହିସବୁ ଚାଲିଲା । ଆଉ ସିନ୍ ଟଣା ନାହିଁ । ବାଜା, ଅଭିନୟ, ହାସ୍ୟରସର ଉଚ୍ଛ୍ୱାସ । ବଡ଼ ବଡ଼ ଗାଁକୁ ସିନେମା ଆସିଲେଣି । ପ୍ରଥମେ ମୁକ ଅଭିନୟ । ଏବେ ଅଭିନୟ, କଥା ଚାଲିଲାଣି । କଟକ ଅନ୍ନପୂର୍ଣ୍ଣା ଥିଏଟର (ଏ) ଗ୍ରୁପ ଗାଁ ଗଣ୍ଡାରେ ଯାତ୍ରା ବେଳେ ଆସିବି ଅଭିନୟ ପ୍ରଦର୍ଶନ କଲେ । ସିନେମା ଆଡ଼କୁ ବେଶି ମୁହାଁଇଲେ ତ । ଥିଏଟର ପଡ଼ିଗଲା । ତଥାପି କଟକରେ ଓଡ଼ିଶା ଥିଏଟର, ଜନତା ଥିଏଟର ଏମିତି ୩/୪ ପ୍ରେକ୍ଷାଳୟରେ ଅଭିନୟ ଚାଲିଲା । ହେଲେ କେହି ବେଶୀଦିନ ଟେକିଲେ ନାହିଁ । ପୁଣି ଥରେ ନାଟ ପାର୍ଟି ଉଠିଲେ । ବଡ଼ ବଡ଼ ପାର୍ଟି ନାଗେଶପୁର, କାଂପୁର, ପୁଅ ପିଲା ଦାଢ଼ି କାଟି ଝିଅ ରୋଲ୍ କରିବେ ଆଉ ଦର୍ଶକଙ୍କ ମନକୁ ପାଇଲାନି । ଅନ୍ନପୂର୍ଣ୍ଣାରେ ଝିଅମାନେ ରୋଲ କରୁଥାନ୍ତି । ବଡ଼ ବଡ଼ ନାଟ ପାର୍ଟିରେ ଲେଡ଼ି ଆର୍ଟିଷ୍ଟ ଦେଖାଦେଲେ । ଦର୍ଶକଙ୍କ ମନ ସେଣିକି ଟାଣିଲା ।

୧୯୮୦-୯୦ ବେଳକୁ ଥିଏଟର ଡ୍ରାମାର ମୃତ୍ୟୁ ହୁଏ । ଟେଲିଭିଜନ ଆସିଗଲାଣି । ଗାଁରେ ଗୋଟିଏ ଟିଭିଥିଲେ ବି ସେ ଘରେ ଦର୍ଶକଙ୍କର ଭିଡ଼ । ଟିଭି ସଂଖ୍ୟା ବଢ଼ିଲା ତ ସିନେମାରେ ବି ଲୋକ କମିଲେ । ଯାତ୍ରା ପାର୍ଟି ହେଉ, ଥିଏଟର ହଉ ପାରମ୍ପରିକ ବାଦ୍ୟ ସ୍ଥାନରେ ଇଲେକ୍ଟ୍ରୋନିକ୍ ବାଦ୍ୟ ଲୋକ ପ୍ରିୟ ହେଲା । ଲକ୍ଷ ଲକ୍ଷ ବାଦ୍ୟଯନ୍ତ୍ର କାରିଗରଙ୍କ ଜୀବିକା ଚାଲିଗଲା । ଗାଁରେ ଠୋଲିଆ ମହୁରିଆଙ୍କ ହାତରୁ ଯନ୍ତ୍ର ଛଡ଼ାଇ ନେଇ ଡ଼ିଜେ ରାଜୁତି କଲେ । ହାରମୋନିୟମ, ଡୁବି ତବଲା, ଢ଼ୋଲକି ସବୁ ତ ମାନ୍ଦା । ଇଲୋକ୍ଟ୍ରିନିକ୍ ଆରକେଷ୍ଟ୍ରା । ନାଟ ତାମସାରେ ବିକାଶ ପବନ । ପାରଂପାରିକ ବାଦ୍ୟଯନ୍ତ୍ର, ବାଦକ ଏମାନଙ୍କର ମୂଳ ଉପୁଡ଼ିଗଲା । ହଜିଗଲା ଗୀତ, ନାଟ୍ୟର ପ୍ରାକୃତିକ ପରିବେଶ । ସଚେତନ ବ୍ୟକ୍ତି, କେତେକ ଅନୁଷ୍ଠାନ ହଜିଯାଉଥିବା ପରଂପରାକୁ ପୁନଃଉଦ୍ଧାର ପାଇଁ ଉଦ୍ଦ୍ୟମ କରୁଛନ୍ତି । ସେମାନଙ୍କର ଉଦ୍ୟମ ପ୍ରଶଂସନୀୟ । ସମୟକୁ ଅପେକ୍ଷା କରିବା ବହୁ ପୁଞ୍ଜିମାଳି ଲୋକ ତ ଦେଶୀୟ ସଂସ୍କୃତି, ଦେଶୀ ଚାଷ, ହସ୍ତଶିଳ୍ପ ପ୍ରତି ଆଗ୍ରହ ଦେଖାଇଲେଣି । ଆଶା ରଖିବା ଓଡ଼ିଶାରେ ଗୀତ, ନାଟ୍ୟ, ସଂସ୍କୃତି ପୁନରୁଦ୍ଧାର ହୋଇପାରେ । ସହୃଦୟ ପାଠକଙ୍କର ଠାରୁ କ୍ଷମା ମାଗି ରହୁଛି ।

Photo credit-https://bit.ly/3RcSeAO


Share Samadhwani
Support Samadhwani

About ନଟବର ଷଡ଼ଙ୍ଗୀ

ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)

Check Also

“ଭୂ ପାଲିନି- ଭୂପାଲି”

Share Samadhwani‘ଭୂପାଲି’ ରାଗକୁ ବର୍ଣ୍ଣନା କରିବାକୁ ଯାଇ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଅନ୍ୟତମ ଗୁରୁ ‘ଶ୍ରୀ ଧନେଶ୍ୱର ଦାସ’ କହିଥିଲେ …