ଶ୍ରୀ ମନ୍ଦିରର ପରିକ୍ରମା

ଡ. ହିମାଦ୍ରୀ ତନୟା ମିଶ୍ର
ଡ. ହିମାଦ୍ରୀ ତନୟା ମିଶ୍ର 475 Views
23 Min Read

ଉଡ୍‌ଡ଼ୀୟାନ ପୀଠ ହିଁ ଭାରତବର୍ଷର ପ୍ରମୁଖ ତନୁପୀଠ. ଯାହା ପୁରୀ ପୁରୁଷୋତ୍ତମ ଶ୍ରୀକ୍ଷେତ୍ର । ଏହି ପୀଠର ଉପାସନା ଧାରା ଅନନ୍ୟ । ଏଠାରେ ମୁକ୍ତିର ଆକାଂକ୍ଷା ନାହିଁ, କି ମୋକ୍ଷ ପ୍ରାପ୍ତିର ଆସକ୍ତି ନାହିଁ । କେବଳ ଜଗତ ସୁଖୀ ହେଉ, ସମସ୍ତ ପ୍ରାଣୀ ଆନନ୍ଦର ପାରାବାରରେ ଅବଗାହନ କରନ୍ତୁ । ଏହି ଉପାସନା ସାଧନା ଧାରା ଛାଇଯାଇଛି ଓଡ୍ର ରାଷ୍ଟ୍ରର, ଉତ୍କଳ ରାଜ୍ୟର, ସାମ୍ପ୍ରତିକ ଓଡ଼ିଶା ଭୂମିର ଇଷ୍ଟ ଜଗନ୍ନାଥଙ୍କୁ ପାଥେୟ କରି ଗଢ଼ି ଉଠିଥିବା ଜଗନ୍ନାଥୀୟ ସଂସ୍କୃତିକୁ । କେବଳ ସମଗ୍ର ଜୀବ ଜଗତ ସଭା ପରସ୍ପରକୁ ସହଯାତ୍ରୀ ଭାବ କୋଳେଇ ନେବା ଏ କ୍ଷେତ୍ରର ବୈଭବ । ଆଚାଣ୍ଡାଳ ବ୍ରାହ୍ମଣ, ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ, ସୌର, ଅଥବା ଆହ୍ଲା, ରହିମର ଉପାସକ – ଯିଏ ହେଉ ନା କାହିଁକି, ସେ ସମସ୍ତେ ମଣିଷ ଓ ଅମୃତର ସନ୍ତାନ । ଶ୍ରୀକ୍ଷେତ୍ର ପୁରୀର କ୍ଷେତ୍ରେଶ୍ୱର ଶ୍ରୀଜଗନ୍ନାଥ ଯୁଗଯୁଗାନ୍ତ ପରୀକ୍ଷିତ, ସମନ୍ୱିତ ଜ୍ଞାନ ସାଧନା, କର୍ମ ଓ ବିଶ୍ୱପ୍ରେମର ଅନୁଗ୍ରହ ନିଗ୍ରହ ବିଗ୍ରହ କେବଳ ମାତ୍ର । ପ୍ରତୀକରେ ହିଁ ମଣିଷ ବିଶ୍ୱ ଧାରଣା କରି ତାହାକୁ ଜୀବନ୍ତ କରି ରଖିଥାଏ । ଶବର ଦାରୁ ଉପାସନାର ଉନ୍ମନା, ଦ୍ରାବିଡ଼ ଜୈନର ଦାରୁଦେବତା ତଥା ଜୀବ-ଅଜୀବର କେବଳୀ ଭାବ, ବୌଦ୍ଧଧର୍ମର ଶୂନ୍ୟ ସହଜାନନ୍ଦ ପୁରୁଷୋତ୍ତମରେ ସମଗ୍ର ଜଗତକୁ ଆପଣା ପିଣ୍ଡରେ କୁକ୍ଷିଗତ କରିବାର ଅନିର୍ବାଣ ଆନନ୍ଦ ତଥା ବୈଦିକ-ବ୍ରାହ୍ମଣ୍ୟ ଧର୍ମର ଦାରୁବ୍ରହ୍ମ ମଧ୍ୟରେ ସହ ବନ୍ଧନର ସମନ୍ୱିତ ଭାବର ଉଚ୍ଛ୍ୱାସ ତାହାହିଁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ରୂପ ପରିଗ୍ରହ ଲଭି ଅଛି । ଜ୍ଞାନ, କର୍ମ ଓ ପ୍ରେମର ମହାମିଳନ ଏଥିରେ ସମାହିତ । ସସୀମ ଓ ସ୍ୱରୂପ ଓ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ପରମାର୍ଥ ତତ୍ତ୍ୱର ଆଦି, ମଧ୍ୟ ଓ ଶେଷ ଶୀର୍ଷ ସ୍ଥାନୀୟ ତତ୍ତ୍ୱ ଅଟନ୍ତି । ସହଯୋଗ, ସାହଚର୍ଯ୍ୟ, ସହାବସ୍ଥାନ, ସତ୍ୟବଚନ, କର୍ମ ହିଁ ଜୀବନ, ସରଳ ବିଶ୍ୱାସ ହିଁ ଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଅନ୍ତର୍ଚେତନା ମର୍ମେ ମର୍ମେ ଅନୁଭବ ହୁଏ ଯେତେବେଳେ ଶ୍ରୀକ୍ଷେତ୍ର ମାଟିରେ ମଣିଷର ପାଦ ପଡ଼େ ଓ ସେ ଶ୍ରୀକ୍ଷେତ୍ର ପରିକ୍ରମା କରି ଗୁଣ୍ଡିଚାଯାତ୍ରାରେ ନିଜ ମନ ପ୍ରାଣ ଓ ଧ୍ୟାନକୁ ଈଶ୍ୱରାନୁଗାମୀ କରିଥାଏ ।
ଶ୍ରୀକ୍ଷେତ୍ରର ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀମନ୍ଦିର ଓ ଶ୍ରୀମନ୍ଦିରର କେନ୍ଦ୍ରବିନ୍ଦୁ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ମନ୍ଦିରର ସମ୍ମୁଖ ଦ୍ୱାରରେ ଉପସ୍ଥିତ ଥିବା ଶ୍ରୀମନ୍ଦିରର ଅରୁଣସ୍ତମ୍ଭ ଠାରୁ ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କୁ ଦର୍ଶନ କରିବାର ବିଧି ରହିଛି । ବେଢ଼ା ଭିତରେ ଥିବା ସମସ୍ତ ଦେବଦେବୀଙ୍କୁ ଦର୍ଶନ କରିବା ବିଧେୟ । କାରଣ ମହାପ୍ରଭୁଙ୍କ ସହିତ ଏମାନେ ସମସ୍ତେ ସମ୍ପର୍କିତ ଅଟନ୍ତି । ଅରୁଣସ୍ତମ୍ଭ ଠାରୁ ବେଢ଼ା କାଳୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବିଶ୍ୱାସ ରହିଛି । ବେଢ଼ା ପରିକ୍ରମା ସମୟରେ ଭକ୍ତ କେଉଁଠାରୁ ଆରମ୍ଭ କରି ଶେଷରେ କେଉଁଠାରେ ଦର୍ଶନର ପରିସମାପ୍ତି କରନ୍ତି ତା’ର ଏକ ସମ୍ୟକ୍ ସୂଚୀ ଆଲୋଚନା କରିବା ଓ ଜାଣିବା ନିତ୍ୟାନ୍ତ ଜରୁରୀ ରହିଥାଏ ।

ଅରୁଣସ୍ତମ୍ଭ :

ଶ୍ରୀଯେତ୍ର ଧାମରେ ପୂର୍ବ ଦିଗକୁ ଅରୁଣସ୍ତମ୍ଭ ରହିଛି । ଏହି ସ୍ତମ୍ଭ ଗୋଟିଏ ମାତ୍ର କଳା ମୁଗୁନି ପଥରରେ ନିର୍ମିତ । ସ୍ତମ୍ଭର ଶୀର୍ଷ ଦେଶରେ ସୂର୍ଯ୍ୟଦେବଙ୍କ ସାରଥୀ (ଅରୁଣ) ଯୋଡ଼ ହସ୍ତରେ ଅବସ୍ଥାପିତ ଅଛନ୍ତି । ଅଷ୍ଟାଦଶ ଶତାବ୍ଦୀରେ ମରହଟ୍ଟାମାନଙ୍କ ରାଜତ୍ୱ କାଳରେ ଗଜପତି ଦିବ୍ୟସିଂହ ଦେବ ଅରୁଣସ୍ତମ୍ଭକୁ କୋଣାର୍କ କ୍ଷେତ୍ରରୁ ଆଣି ସିଂହଦ୍ୱାରରେ ସ୍ଥାପନ କରିଥିଲେ । ଏହି ସ୍ତମ୍ଭର ବ୍ୟାସ ୨ ଫୁଟ, ଗୋଲେଇ ୬ ଫୁଟ ୩.୫ ଇଞ୍ଚ । ୭.୯ ଇଞ୍ଚ ଦୈର୍ଘ୍ୟ ଏବଂ ୬ ଫୁଟ ଉଚ୍ଚତା ବିଶିଷ୍ଟ ପୀଠିକା ଉପରେ ଅରୁଣସ୍ତମ୍ଭ ଦଣ୍ଡାୟମାନ । ସର୍ବମୋଟ ଏହାର ଉଚ୍ଚତା ୩୩ ଫୁଟ ୮ ଇଞ୍ଚ ରହିଛି ।
ଫତେ ମହାବୀର :
ଶ୍ରୀମନ୍ଦିରର ବାମପାଶ୍ୱର୍ରେ ଏକ ହନୁମାନ ମୂର୍ତ୍ତି ରହିଛନ୍ତି ଯିଏ କି ‘ଫତେ ମହାବୀର’ ନାମରେ ପ୍ରସିଦ୍ଧ । ଅର୍ଥାତ୍ ଯେଉଁ ମହାବୀର ଭକ୍ତର ସାଂସାରିକ ମନୋବାଞ୍ଛାକୁ ପୂରଣ କରିଥାନ୍ତି । ଶ୍ରୀମନ୍ଦିରର ପୂର୍ବ ଦିଗକୁ ସେ ରହି ଶ୍ରୀମନ୍ଦିରକୁ ସର୍ବଦା ସୁରକ୍ଷା ଦେଇ ଆସୁଛନ୍ତି ।
ପତିତପାବନ :
ସିଂହଦ୍ୱାର ଗୁମୁଟ ଭିତରେ ଉତ୍ତର ପିଣ୍ଡା ଉପରେ ମନ୍ଦିର ସମ୍ମୁଖ ପୂର୍ବାଭିମୁଖ ହୋଇ ପତିତପାବନ ମୂର୍ତ୍ତି ବିରାଜମାନ ରହିଛନ୍ତି । ଐତିହାସିକଙ୍କ ମତରେ ଗଜପତି ରାମଚନ୍ଦ୍ର ଦେବ (ଖ୍ରୀ ୧୭୨୭-୧୭୩୬) ମୁସଲମାନଙ୍କ ଦ୍ୱାରା ପରାସ୍ତ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ନିମିତ୍ତ ମୁସଲମାନ ଧର୍ମ ଗ୍ରହଣ କରି ସେ ହାଫିଜ କାଦର ଭାବରେ ପରିଚିତ ହୋଇଥିଲେ । ବାଧ୍ୟତାମୂଳକ ଭାବରେ ମୁସଲମାନ ସେନାପତି ମୂର୍ଶିଦ କୁଲିଖାଁଙ୍କ କନ୍ୟା ସୁରେୟାଙ୍କୁ ବିବାହ କଲାପରେ ପତିତ ଭାବରେ ଶ୍ରୀମନ୍ଦିର ପ୍ରବେଶ ଅଧିକାରରୁ ବଞ୍ôଚତ ହୋଇଥିଲେ । ୧୭୬୩ ସାଲରେ ସେ ଏହି ପତିତପାବନଙ୍କୁ ପ୍ରତିଷ୍ଠା କରି ତାଙ୍କ ଦର୍ଶନ ଲାଭ କରିଥିଲେ । ପତିତ ଅର୍ଥ ପାପୀ, ତାପୀ, ଅହଙ୍କାରୀ, ଦୁରାରୋଗ୍ୟ ପୀଡ଼ିତ ବ୍ୟକ୍ତି ବିଶେଷ ଗୁମୁଟ ଭିତରୁ ଏହି ମୂର୍ତ୍ତିଙ୍କୁ ଦର୍ଶନ କରି ଉଦ୍ଧାର ପାଇଯାନ୍ତି ବୋଲି ବିଶ୍ୱାସ ରହିଛି ।

ବାଇଶି ପାହାଚ :

ଗୁମୁଟ ପାରି ହେବା ପରେ ବାଇଶି ପାବଚ୍ଛ ଆରମ୍ଭ ହୁଏ । ପାବଚ୍ଛଗୁଡ଼ିକ କୁଣ୍ଡା ପଥରରେ ନିର୍ମିତ । ଏହା ପବିତ୍ର ସ୍ଥାନ ହୋଇଥିବାରୁ ପିତୃପୁରୁଷଙ୍କ ପିଣ୍ଡଦାନ ଶ୍ରାଦ୍ଧ ଏଇ ଠାରେ ସମାପନ କରାଯାଏ । ଓଡ଼ିଶାର ଅନ୍ୟତମ ପର୍ବ ପବିତ୍ର ଦୀପାବଳୀ ଅମାବାସ୍ୟା ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଯେଉଁ ବଡ଼ ବଡ଼ିଆଙ୍କୁ ଆବାହନ କରାଯାଏ, ସେହି ସବୁ ନାମ ଅନୁସାରେ ବାଇଶ ପାବଚ୍ଛର ନାମକରଣ ରହିଛି । ପ୍ରତ୍ୟେକ ପାବଚ୍ଛର ଲମ୍ବ ୭୦ ଫୁଲ, ଓସାର ୬ ଫୁଟ ଏବଂ ଉଚ୍ଚତା ପ୍ରାୟ ୬ ଇଞ୍ଚ । ଜୈନ୍ୟଧର୍ମର ପରିକଳ୍ପନା ଅନୁସାରେ ଶ୍ରୀମନ୍ଦିରର ବାଇଶି ପାବଚ୍ଛ ହେଉଛି ପ୍ରଥମ ୭୨ ଜଣ ଜୈନତୀର୍ଥଙ୍କର ନାମରେ ପ୍ରତୀକ ଅଟନ୍ତି । ଶ୍ରୀଜଗନ୍ନାଥଙ୍କ ବିଜେପୀଠର ନାମାନ୍ତର ଗୋଲକ । ଏଠାରେ ଅଷ୍ଟ ବୈକୁଣ୍ଠ ଅବସ୍ଥିତ (ଶ୍ରୀ, କୈବଲ୍ୟ, କାରଣାର୍ଣ୍ଣବ, ଶେଷଶାୟୀ, ଶ୍ୱେତଦ୍ୱୀପ, ପରବ୍ୟୋମ, ଗର୍ଭୋଦକଶାୟୀ, କୈଳାସ ବୈକୁଣ୍ଠ)ା ଏହି ଅଷ୍ଟ ବୈକୁଣ୍ଠର ଅଧଃ ଦେଶରେ ରହିଛି ଚତୁର୍ଦ୍ଦଶ ଭୁବନ ଯାହାଙ୍କ ସପ୍ତଲୋକ ଓ ସପ୍ତପାତାଳର ସାମହାର । (ସପ୍ତଭୁବନ – ଭୁଃ, ଭୁବଃ, ସ୍ୱଃ, ମହଃ, ଜନ, ତପଃ, ସତ୍ୟ ଏବଂ ସପ୍ତପାତାଳ – ଅତଳ, ସୁତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ) । ଏ ସମସ୍ତେ ବାଇଶି ପାବଚ୍ଛରେ ଅଧିଷ୍ଠାନ କରିଛନ୍ତି । ମହାପ୍ରଭୁଙ୍କୁ ରତ୍ନବେଦୀରେ ଦର୍ଶନ କରିବାକୁ ଦଶତତ୍ତ୍ୱ (ବାସୁଦେବ, ନୃସିଂହ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଗୋବିନ୍ଦ ନାରାୟଣ, ମଦନ ମୋହନ, ବିମଳା ଓ ଭୁବନେଶ୍ୱରୀ) ସହିତ ବାଇଶି ପାବଚ୍ଛ ସମ୍ପର୍କିତ ରହିଛି । ବାଇଶି ପାବଚ୍ଛ ୨୨ଗୋଟି ତତ୍ତ୍ୱ (ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ଜୀବ, ପରମ…) ଉପରେ ଆଧାରିତ । ବାଇଶି ପାବଚ୍ଛ ୨୨ଟି ତୀର୍ଥଭୂମିର ମଧ୍ୟ ପ୍ରତୀକ ହୋଇଥିବାରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଗଲା ବେଳେ ଭକ୍ତ ପ୍ରତିଟି ପାବଚ୍ଛକୁ ଚଢ଼ିବା ପୂର୍ବରୁ ମୁଣ୍ଡିଆ ମାରି ଚଢ଼ିଥାଏ ।

ଚାରି ଦ୍ୱାର :

ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ୪ଟି ଦ୍ୱାର ରହିଛି, ଯଥା- ପୂର୍ବଦ୍ୱାର (ସିଂହଦ୍ୱାର), ପଶ୍ଚିମ ଦ୍ୱାର (ବ୍ୟାଘ୍ର ଦ୍ୱାର), ଉତ୍ତର ଦ୍ୱାର (ହସ୍ତୀ ଦ୍ୱାର), ଦକ୍ଷିଣ ଦ୍ୱାର (ଘୋଡ଼ା ଦ୍ୱାର) । ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାରକୁ ‘ସିଂହଦ୍ୱାର’ କୁହାଯାଏ । ଏହାର ଦୁଇ ପାଶ୍ୱର୍ରେ ବିଶାଳଦ୍ୱୟ ସିଂହ ମୂର୍ତ୍ତି ମନ୍ଦିରର ପ୍ରବେଶ ପଥକୁ ସଦା ଜାଗ୍ରତ ଅବସ୍ଥାରେ ଜଗି ରହିଛନ୍ତି । ଏହି ଦ୍ୱାରରେ ୧୫ ଫୁଟ ଉଚ୍ଚର ପିତଳ ପାତିଆ ଯୁକ୍ତ କବାଟ ରହିଛି । କବାଟର ଉପରି ଭାଗରେ ମହାଲକ୍ଷ୍ମୀଙ୍କର ମୂର୍ତ୍ତି ଶୋଭା ପାଉଛନ୍ତି । ଏବଂ ତାଙ୍କ ମୂର୍ତ୍ତିର ଠିକ୍ ତଳକୁ ଶ୍ରୀଜଗନ୍ନାଥଙ୍କ ଦଶ ଅବତାର ମୂର୍ତ୍ତି ରହିଛନ୍ତି । ଦ୍ୱାର ମଝିରେ ଏକ ଛୋଟ ଚୋରା କବାଟ ରହିଛି ଯାହା ଧର୍ମଦ୍ୱାର ନାମରେ ବିଦ୍ୟମାନ । ସେହିପରି ଶ୍ରୀମନ୍ଦିରର ‘ବ୍ୟାଘ୍ର ଦ୍ୱାର’କୁ ମନୁଷ୍ୟର ଶ୍ରେଷ୍ଠ ପୁରୁଷାର୍ଥ (ଧର୍ମ, ଅର୍ଥ, କାମ, ମୋକ୍ଷ) ମଧ୍ୟରୁ ‘ଅର୍ଥ ଦ୍ୱାର’ ଭାବରେ ଗ୍ରହଣ କରାଯାଇଛି । ଏହି ଦ୍ୱାର ଦେଶରେ ୧୭ ଫୁଟ ଉଚ୍ଚ ଦୁଇ ଫାଳିଆ କାଠ ଦ୍ୱାର ରହିଛି ଯାହାର ଉପରି ଭାଗରେ ନବଗ୍ରହ ପାଟ ଅଛନ୍ତି । ତାହା ଉପରେ ଗଣେଶଙ୍କ ମୂର୍ତ୍ତି ରହିଛି । ଦୁଇଟି ବିଶାଳ ବ୍ୟାଘ୍ର ମୂର୍ତ୍ତି ଦ୍ୱାରକୁ ଜଗି ରହିଛନ୍ତି । ଚାରିଧାମର ଠାକୁର ଏହି ଦ୍ୱାରରେ ବିଜେ କରିଛନ୍ତି । ଏହି ଦ୍ୱାର ଦେଇ ମନ୍ଦିରର ଉପବନକୁ ପ୍ରବେଶ କରିହୁଏ । ଏହି ଦ୍ୱାରର ଉତ୍ତର ପାଶ୍ୱର୍ରେ କାନପତା ହନୁମାନ ଅଛନ୍ତି । ସମୁଦ୍ରର ଗୁରୁଗର୍ଜନ ଶ୍ରୀମନ୍ଦିର ବେଢ଼ାକୁ ନ ଶୁଭିବା ପାଇଁ ସେ କାନପାତି ରହିଛନ୍ତି ପ୍ରବାଦ ରହିଛି । କାନପତା ହନୁମାନଙ୍କ ପଛପଟରେ ନୀଳାଦ୍ରି ବିହାର ରହିଛି । ସେହିପରି ଶ୍ରୀମନ୍ଦିରର ‘ହାତୀଦ୍ୱାର’ କୁ ‘ମୋକ୍ଷଦ୍ୱାର’ କୁହାଯାଏ । ଏହି ଦ୍ୱାର ଦେଇ ଗଲାବେଳେ କୂର୍ମ ବେତାର ପ୍ରବେଶ ପଥରେ ଦୁଇଟି ବଡ଼ବଡ଼ ହସ୍ତୀଙ୍କ ମୂର୍ତ୍ତି ରହିଛି । ଏହି ଦ୍ୱାର ଦେଇ ମହାପ୍ରଭୁ ନବକଳେବର ସମୟରେ ଦାର ‘କୋଇଲି ବୈକୁଣ୍ଠ’କୁ ଯାଇଥାନ୍ତି । ଏଠାରେ ସୁନାକୂଅ ମଧ୍ୟ ରହିଛି । ସ୍ନାନଯାତ୍ରା ସମୟରେ ଏହି କୂଅରୁ ଜଳ ନିଆଯାଏ । ଏହି ଦ୍ୱାରରେ ହନୁମାନ ଓ ମା’ ଶୀତଳା ରହିଛନ୍ତି । ୧୪ ଫୁଟର କବାଟ ରହିଛି ଦ୍ୱାର ଉପରେ ନବଗ୍ରହଙ୍କ ମୂର୍ତ୍ତି ରହିଛି । ଈଶାନେଶ୍ୱର ମହାଦେବ ମଧ୍ୟ ରହିଛନ୍ତି । ସେହିପରି ଶ୍ରୀମନ୍ଦିରର ‘ଘୋଡ଼ା ଦ୍ୱାର’କୁ ମନୁଷ୍ୟର ଶ୍ରେଷ୍ଠ ପୁରୁଷାର୍ଥ ମଧ୍ୟରୁ କାମର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି । ଏହି ଦ୍ୱାରର ଦ୍ୱୟ ପାଶ୍ୱର୍ରେ ବଡ଼ବଡ଼ ଘୋଡ଼ା ମୂର୍ତ୍ତି ଦ୍ୱୟ ରହିଛନ୍ତି । ମୁଖ୍ୟତଃ ଗଜପତି ମହାରାଜ ଓ ତାଙ୍କ ପରିବାରର ସଦସ୍ୟ ବର୍ଗ ଏହି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ଏହି ଦ୍ୱାରର ଶୀର୍ଷରେ ବଂଶୀଧାରୀ ଶ୍ରୀକୃଷ୍ଣ ଓ ତାଙ୍କର ୪ଟି ସଖୀଗଣ ଅଛନ୍ତି । ଦ୍ୱାରର ପଶ୍ଚିମ ପଟକୁ ୬ ଫୁଟ ଉଚ୍ଚରୁ ଏକ ଘୋଡ଼ା ରହିଛି ଓ ବାମ ପଟକୁ ସିଦ୍ଧ ହନୁମାନ, ସଙ୍କଟମୋଚନଙ୍କ ମୂର୍ତ୍ତି ରହିଛି । ଦକ୍ଷିଣ ଓ ପଶ୍ଚିମ କୋଣରେ ଦୁର୍ଗା ମାଧବଙ୍କ ମୂର୍ତ୍ତି ରହିଛି । ଏହି ବାଟ ଦେଇ ଦକ୍ଷିଣକୁ ଗଲେ ରୋଷଶାଳା ରହିଛି । ରୋଷ ହନୁମାନ ଅଛନ୍ତି ଏବଂ ବାମକୁ ଗଲେ ବାରଭାଇ ହନୁମାନଙ୍କ ଆସ୍ଥାନ ସହ ନିର୍ମାଲ୍ୟ ଖଳା ରହିଛି ।

କାଶୀ ବିଶ୍ୱନାଥ :

ବାଇଶି ପାବଚ୍ଛର ତୃତୀୟ ପାବଚ୍ଛ ଦକ୍ଷିଣ ଦିଗରେ କାଶୀ ବିଶ୍ୱନାଥଙ୍କ ମନ୍ଦିର ବିଦ୍ୟମାନ । ଛୋଟ ମନ୍ଦିରଟିଏ ୧୫ ଫୁଟ ପ୍ରାୟ । କଳା ମୁଗୁନି ପଥରର ଶିବଲିଙ୍ଗ ପୂଜା ପାଉଛନ୍ତି । ଦେବଦେବ ମହାଦେବ ଏହି କ୍ଷେତ୍ରର ମାହାତ୍ମ୍ୟକୁ ଅନୁଭବ କରି ନିଜ ଇଚ୍ଛାରେ କାଶୀବିଶ୍ୱନାଥ ନାମରେ ଅବସ୍ଥାନ କରିଆସୁଛନ୍ତି । ଏହି ମନ୍ଦିରର ପରେ ପରେ ଦକ୍ଷିଣ ପାଶ୍ୱର୍ରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ରହିଛି । ସେଠାରେ ରାମ, ଲକ୍ଷ୍ମଣ, ସୀତା ଓ ବାନର ସେନା ରହିଛନ୍ତି । ଏଥିସହିତ ଶ୍ରୀ ନରସିଂହ, ରାଧାବଲ୍ଲଭ, ଘଣ୍ଟେଶ୍ୱରୀ ଠାକୁରାଣୀ ଓ ଶ୍ରୀ ଗଣେଶ ଅଛନ୍ତି । ବାଇଶି ପାବଚ୍ଛ ଶେଷରେ ରହିଛି ଭିତର ବେଢ଼ା (କୂର୍ମ ବେଢ଼ା)କୁ ଯିବା ପାଇଁ ଗୁମୁଟ (ପ୍ରବେଶ ଦ୍ୱାର) । ଏଠାରେ ଅଛନ୍ତି ଗର୍ବ ଗଞ୍ଜନ ମହାବୀର ।

ଭିତର ବେଢ଼ା :

ଏହାର ଅନ୍ୟ ନାମ କୂର୍ମ ବେଢ଼ା । ଶ୍ରୀମନ୍ଦିରର ଚତୁଃପାଶ୍ୱର୍କୁ ବେଢ଼ି ଯେଉଁ ପାଚେରୀ ରହୁଛି ତାକୁ କୂର୍ମ ପାଚେରୀ କୁହାଯାଏ । ୧୪୭୦ ସାଲରେ ଗଜପତି ପୁରୁଷୋତ୍ତମ ଦେବ ଏହି ପ୍ରାଚୀର ନିର୍ମାଣ କରିଥିଲେ । ଏଥିରେ ୬ ଗୋଟି ଦ୍ୱାର ରହିଛି । ମେଘନାଦ ପାଚେରୀର ୪ ଦ୍ୱାର ଭଳି ଏହାର ୪ଟି ଦ୍ୱାର ସାମ୍ନାସାମ୍ନି ରହିଛି । ଅନ୍ୟ ୨ଟି ପୂର୍ବକାନ୍ଥ ଐଶାନ୍ୟକୋଣ ଗୋଟିଏ ଦ୍ୱାର ଓ ଅନ୍ୟଟି ଆଗ୍ନେୟ କୋଣ ଆଡ଼କୁ ନିର୍ମାଣ କରାଯାଇଅଛି । ଐଶାନ୍ୟକୋଣ ଦ୍ୱାରରେ ମହାପ୍ରଭୁ ସ୍ନାନବେଦୀକୁ ବିଜେ କରନ୍ତି ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧ୍ୟ ବିଭିନ୍ନ ପର୍ବପର୍ବାଣୀର ଏହି ବାଟଦେଇ ଆସିଥାନ୍ତି । ଆଗ୍ନେୟ କୋଣ ଦ୍ୱାର କେବଳ ରୋଷଶାଳା ପାଇଁ ଉଦ୍ଦିଷ୍ଟ ରହିଛି । ମେଘନାଦ ପାଚେରୀ ଠାରୁ କୂର୍ମ ପାଚେରୀ ମଧ୍ୟରେ ୧୫୦ ଫୁଟର ଦୂରତା ରହିଛି ।

ବିମାନ :

ମହାପ୍ରଭୁଙ୍କ ମୁଖ୍ୟ ମନ୍ଦିରକୁ ବିମାନ କୁହାଯାଏ । ଏଠାରେ ରତ୍ନସିଂହାସନ ଉପରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ, ଶ୍ରୀଦେବୀ ଓ ଭୂଦେବୀ ପ୍ରଭୃତି ବିଦ୍ୟମାନ । ଏହି ବିମାନ (ଗର୍ଭଗୃହ) ସତ୍ତ୍ୱଗୁଣ ଆଧାରିତ ବିଶ୍ୱାସ ରହିଛି ।
ଜଗମୋହନ :
ଏହାର ୩ଟି ଦ୍ୱାର ରହିଛି । ନାଟ ମନ୍ଦିର ଓ ଭଣ୍ଡାର ଘରକୁ ଯିବା ପାଇଁ ଏହାର ଦ୍ୱାର ରହିଛି । ଜଗମୋହନ ରଜଗୁଣ ଆଧାରିତ ଯାହା ଶକ୍ତିର ଆଧାର ଅଟେ । ଜୟ-ବିଜୟ ଦ୍ୱାର ମଧ୍ୟ ଏହାକୁ କୁହାଯାଏ । ଜଗମୋହନର ଦୈର୍ଘ୍ୟ ଓ ପ୍ରସ୍ଥ ପ୍ରତ୍ୟେକ ୮୦ ଫୁଟ ଓ ଉଚ୍ଚତା ପ୍ରାୟ ୧୦୦ ଫୁଟ କୂର୍ମ ବେଢ଼ାର ଚଟାଣ ଉପରୁ ମାପ କଲେ ଜଣାଯାଏ ।

ନାଟ ମନ୍ଦିର :

ନାଟ ମନ୍ଦିରରେ ୪ ଧାଡ଼ିରେ ୧୬ ଗୋଟି ଖମ୍ବ ରହିଛି । ଏହି ଖମ୍ବଗୁଡ଼ିକ ଉପରେ ପିଚୁ ଛାତ ରହିଛି । ଏହି ମନ୍ଦିରର ଦୈର୍ଘ୍ୟ ପ୍ରାୟ ୬୭ ଫୁଟ । ଏଠାରେ କେବଳ ପ୍ରଭୁଙ୍କୁ ବାଳଭୋଗ, ନଡ଼ିଆ ଭୋଗ ଲଗାଯାଏ । ଅନ୍ନ ଭୋଗର ବ୍ୟବସ୍ଥା ବା ବିଧି ନାହିଁ । ଏହି ମନ୍ଦିରରେ ଦେବଦାସୀ ନୃତ୍ୟ ପରିବେଷଣ ସହ, କୀର୍ତ୍ତନ ଧ୍ୟାନ-ଜପ-ତପ କରାଯାଏ । ବିଭିନ୍ନ ଛବି ଏଠାରେ ଦୃଶ୍ୟମାନ । କାଞ୍ôଚ ଯାତ୍ରାର କିଛି ଦୃଶ୍ୟ ଚମତ୍କାର ଭାବରେ ଦେଖିବାକୁ ମିଳେ ଯାହାକି ଚୂନରେ ତିଆରି କରାଯାଇଅଛି । ମୁଦି ଦେଇ ମାଣିକ ଗଉଡୁଣୀ ଠାରୁ ପ୍ରଭୁ ଦହି ଖାଇବାର ଦୃଶ୍ୟ ରହିଛି । ଏହି ନାଟ ମନ୍ଦିର ତମୋଗୁଣ ସଂପନ୍ନ ଭାବରେ ଗ୍ରହଣ କରାଯାଏ ।

ଭୋଗ ମଣ୍ଡପ :

ଏହି ମନ୍ଦିରଟି ବାଲିଆ ପଥରରେ ତିଆରି । ସମସ୍ତ ପଥର ନାଲି ରଙ୍ଗରେ ଚିତ୍ରିତ କରାଯାଇଛି । ଏହାର ବାଡ଼ରେ ସୁନ୍ଦର ସୁନ୍ଦର ପଥର ମୂର୍ତ୍ତି ରହିଛନ୍ତି । ‘ଜଂଘା, ଭରାଣ୍ଡି ଓ ସାକାର’ ବହୁ ମୂର୍ତ୍ତିମାନ ରହିଛନ୍ତି । ଏଥିରେ ଶାର୍ଦ୍ଦୁଳ, ହାତୀଧାଡ଼ି, କୁମ୍ଭୀର, ହଂସ, ମିଥୁନ ଚିତ୍ର ସବୁ ରହିଛି । ଶ୍ରୀକୃଷ୍ଣଙ୍କ ଦୋଳଯାତ୍ରା, ବୃଷଭ ପୃଷ୍ଠରେ ଶିବ ଉପବେଶନ କରିଛନ୍ତି ଚିତ୍ର, ଶ୍ରୀକୃଷ୍ଣ ଗାଈ ଚରାଇବାର ଦୃଶ୍ୟ, ନୌକାରେ ଶ୍ରୀକୃଷ୍ଣ ବସିଥିବାର ଦୃଶ୍ୟ ଓ ଗୋପୀମାନେ ନୌକା ବାହି ନେଉଥିବାର ଚିତ୍ର ରହିଛି ଓ ଶ୍ରୀରାମଙ୍କ ରାଜ୍ୟାଭିଷେକର ଅତି ମନୋରମ ଦୃଶ୍ୟ ମଧ୍ୟ ରହିଛି । କିଛି ଶିଳାଲିପି ମଧ୍ୟ ରହିଛି । ସକାଳ ଧୂପ ପରେ ଏଠାରେ ‘ଭଅଣ୍ଡ’ ଭୋଗ କରାଯାଏ । ଏହା ତମଗୁଣ ସଂପନ୍ନ ଭାବରେ ଗ୍ରହଣ କରାଯାଇଛି ।

ଅଗ୍ନୀଶ୍ୱର ମହାଦେବ :

ଛୋଟ ମନ୍ଦିର ଭିତରେ ମହାଦେବ ଶିବଙ୍କ ଲିଙ୍ଗ ରହିଛି । ଏହି ମହାଦେବ ପାକଶାଳାର ଅଗ୍ନିକୁ ରକ୍ଷା କରୁଥିବାରୁ ତାଙ୍କ ନାମ ଅଗ୍ନୀଶ୍ୱର ରଖାଯାଇଛି ।
ସତ୍ୟନାରାୟଣ :
କଳାମୁଗୁନି ପଥରର କମନୀୟ ମୂର୍ତ୍ତି ସତ୍ୟନାରାୟଣଙ୍କର ପୂଜା ପାଉଛି । ମନ୍ଦିରର ମୁହଁ ଉତ୍ତର ପଟକୁ ରହିଛି । ଚତୁର୍ଭୂଜ ଜନାର୍ଦ୍ଦନ ନାମରେ ଅଛନ୍ତି । ମୂର୍ତ୍ତିଙ୍କର ଉଚ୍ଚତା ପ୍ରାୟ ୫ ଫୁଟ । ଦୁଇ ପାଶ୍ୱର୍ରେ ତାଙ୍କର ଜୟା ଓ ବିଜୟା ଶୋଭା ପାଉଛନ୍ତି । ପ୍ରଭୁଙ୍କ ପାଦତଳେ ଗରୁଡ଼ ବିନମ୍ର ମୁଦ୍ରାର ରହିଛନ୍ତି । ତାଙ୍କ ଉପରେ ଅପ୍‌ସରା ଓ କିନ୍ନରୀମାନେ ରହିଛନ୍ତି । ପ୍ରଭୁଙ୍କ ହସ୍ତରେ ଶଙ୍ଖ, ଚକ୍ର, ଗଦା ଶୋଭା ପାଉଛି । ସ୍ନାନ ପୂର୍ଣ୍ଣିମା ଦିନ ଆସୁଥିବା ଜଳ ସୁନାକୂଅରୁ ଆଣି ଏହି ମନ୍ଦିର ଭିତରେ ସଂରକ୍ଷଣ କରାଯାଏ କୁଡ଼ୁଆମାନଙ୍କରେ । ଏଠାରେ ଆହୁରି ମଧ୍ୟ ପ୍ରତିଦିନ ମହାପ୍ରଭୁଙ୍କ ପାଇଁ ମାଳା ଗୁନ୍ଥାଯାଏ।

କଳ୍ପବଟ :

ଏହା ଭକ୍ତମାନଙ୍କର ସକଳ କାମନାକୁ ପୂର୍ଣ୍ଣ କରିଥାଏ । ଏହା ଶଙ୍ଖକ୍ଷେତ୍ରର ନାଭିଦେଶରେ ଅବସ୍ଥିତ । ଏହାକୁ ବାଞ୍ଛାବଟ, ବଂଶୀବଟ, ଅକ୍ଷୟ ବଟ ଓ ଦେବନାଶନ ବଟ କୁହାଯାଇଥାଏ । ବୈଷ୍ଣବମାନଙ୍କ ମତରେ ଏହା ବ୍ରହ୍ମାଣ୍ଡର ସ୍ୱର୍ଗଦ୍ୱାର । ଆଶା ପୂରଣ ପାଇଁ ଏହି କଳ୍ପବଟର ଶାଖା-ପ୍ରଶାଖାର ଭକ୍ତମାନେ ଗୋଡ଼ି ବାନ୍ଧିଥାନ୍ତି ଏବଂ ବିଶ୍ୱାସର ସହ ପ୍ରଣାମ କରିଥାନ୍ତି । ଏଥିସହିତ ଆଉ କିଛି ବଟବୃକ୍ଷ ଶ୍ରୀମନ୍ଦିର ଭିତରେ ଅଛନ୍ତି । ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଶୀତଳା ଦେବୀଙ୍କ ପାଖରେ ‘ରତ୍ନବଟ’ ଅଛନ୍ତି । ଆନନ୍ଦ ବଜାର ଭିତରେ ‘କୈବଲ୍ୟ ବଟ’ ଅଛନ୍ତି । ମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ‘ଅକ୍ଷୟ ବଟ’ ଓ କୋଇଲି ବୈକୁଣ୍ଠ ନିକଟରେ ‘ବୈକୁଣ୍ଠ ବଟ’ ରହି ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରିବା ସହ ଛାୟା ପ୍ରଦାନ କରୁଛନ୍ତି ।
ହରି ସହଦେବ :
ଏହି ମନ୍ଦିର ବଟବୃକ୍ଷର ପୂର୍ବ ଦିଗରେ ରହିଛି । ମହାପ୍ରଭୁଙ୍କ ଗୋଧନର ମାଲିକ ଅଟନ୍ତି ହରି ସହଦେବ । ଏକଫୁଟ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ଏଠାରେ ପୂଜା ପାଉଛନ୍ତି । ତାଙ୍କ ସମ୍ମୁଖ ଭାଗରେ ବୃଷଭ ରହିଛନ୍ତି । ବିଶ୍ୱାସ ରହିଛି ଯେଉଁମାନଙ୍କର ପୋଷା ହୋଇ ରହିଥିବା ଗୃହପାଳିତ ଗାଈଗୋରୁ ହଜିଯାଆନ୍ତି ହରି ସହଦେବଙ୍କୁ ଜଣାଇବା ପାଇଁ ବୃଷଭ କାନରେ କହିଲେ ହଜିଥିବା ଗୃହପାଳିତ ଗାଈଗୋରୁ ମିଳିଯାଇଥାନ୍ତି ।

ମାର୍କଣ୍ଡେୟ ପାଦୁକା :

କଳ୍ପବଟ ତଳେ ଏକ କ୍ଷୁଦ୍ର ମନ୍ଦିର ଭିତରେ ଏହି ଋଷିଙ୍କର ପାଦୁକା ପୂଜା ହେଉଛି । ପୌରାଣିକ ତଥ୍ୟ ଅନୁସାରେ ପ୍ରଳୟ କାଳରେ ମାର୍କଣ୍ଡେୟ ଋଷି ପ୍ରଳୟ ଜଳରେ ଭାସି ଆସି ବିଷ୍ଣୁଙ୍କ ଶରଣରେ ପଶିଥିଲେ । ଭକ୍ତ ବାନ୍ଧବ ବିଷ୍ଣୁ ତାଙ୍କୁ ଉଦର ମଧ୍ୟରେ ସ୍ଥାନ ଦେଇଥିଲେ । ତେଣୁ ଏହି ମୁନିଙ୍କର ଚରଣ ଯୁଗଳ ଦର୍ଶନ କଲେ ଭକ୍ତର ଭଗବତ୍ ଭାବନାଟି ବିଶ୍ୱାସରେ ପରିଣତ ହୋଇଥାଏ ।

ବାଳମୁକୁନ୍ଦ / ବଟକୃଷ୍ଣ :

ପୂର୍ବ ଦିଗ ଆଡ଼କୁ ମୁହଁକରି କଳ୍ପବଟ ମୂଳରେ ଏହି ମନ୍ଦିର ରହିଛି । କଳାର ପଥର ମୂର୍ତ୍ତି ପ୍ରାୟ ଏକ ଫୁଟ ଲମ୍ବର ବଟପତ୍ର ଆକାରର ଏକ ପଥର ଉପରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଚିତ୍ ହୋଇ ଶୋଇ ରହିଛନ୍ତି । ଏହା ପ୍ରଭୁଙ୍କର ବାଳମୁକୁନ୍ଦ ରୂପ ବିଗ୍ରହ ।

ବଟ ଗଣେଶ :

ଶ୍ରୀ ଗଣନାୟକ ଶ୍ରୀମନ୍ଦିରର କଳ୍ପବଟ ମୂଳରେ ଦକ୍ଷିଣକୁ ମୁହଁକରି ବସି ରହିଛନ୍ତି । ଗଣେଶଙ୍କ ବାହାନ ମୂଷିକ ଏକ ପୀଠ ଉପରେ ବିରାଜମାନ କରିଛନ୍ତି । ବିଶ୍ୱାସ ରହିଛି ସେ ଭକ୍ତଙ୍କର ସମସ୍ତ ମନୋବାଞ୍ଛା ପୂରଣ କରିଥାନ୍ତି । ସେ ଅଗ୍ରପୂଜ୍ୟ ଅଟନ୍ତି ତେଣୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ସିଦ୍ଧିବିନାୟକଙ୍କୁ ଦର୍ଶନ କରି ଭକ୍ତ ନିଜର ଅଭିପ୍‌ସା ପୂରଣ କରିଥାନ୍ତି ।

ବଟବିହାରୀ ଜଗନ୍ନାଥ :

ପାଞ୍ଚଫୁଟ ଉଚ୍ଚତା ବିଶିଷ୍ଟ ଜଗନ୍ନାଥଙ୍କ ମୂର୍ତ୍ତି ଓ ତାଙ୍କ ପାଖରେ ମା’ ମହାଲକ୍ଷ୍ମୀ ପୂଜା ପାଉଛନ୍ତି । ଦକ୍ଷିଣ ଦିଗ କୂର୍ମ ବେଢ଼ା ପାଚେରୀକୁ ଲାଗି ଏହି ମନ୍ଦିରଟି ରହିଛି । ଏହି ମନ୍ଦିରର ବିଶେଷତ୍ୱ ରହିଛି ମନ୍ଦିରର ଅଗଣାରେ ପଶ୍ଚିମ ଦିଗକୁ ଏକ ପଥର କୁଣ୍ଡ ରହିଛି । ଏହି କୁଣ୍ଡରେ ଜଳ ସର୍ବଦା ପୂର୍ଣ୍ଣ ହୋଇ ରହିଥାଏ । ଛତିଶାନିଯୋଗର ସେବାୟତମାନେ ବଡ଼ ଦେଉଳକୁ ଯାଇଥାନ୍ତି ।

ଶ୍ରୀବଟ ସର୍ବମଙ୍ଗଳା ଦେବୀ :

ରତ୍ନ ସିଂହାସନର ସୁରକ୍ଷା ପାଇଁ ମା’ ବିରାଜିତ ଅଛନ୍ତି । ଦେବୀ ସର୍ବମଙ୍ଗଳା ଚତୁର୍ଭୂଜା ଏବଂ ତ୍ରିନେତ୍ର ଧାରିଣୀ ଅଟନ୍ତି । ମୁଖ୍ୟ ପ୍ରବେଶ ଦ୍ୱାରର ଦୁଇ ପାଶ୍ୱର୍ରେ ଛାୟା ଓ ମାୟା ରହିଛନ୍ତି । ଦୁଇଗୋଟି କ୍ଷୁଦ୍ର ହନୁମାନ ମୂର୍ତ୍ତି ତାଙ୍କ ଉପରକୁ ରହିଛନ୍ତି । ମନ୍ଦିର ଦ୍ୱାରର ସମ୍ମୁଖ ଭାଗରେ ଏକ ସିଂହ ଶୋଭା ପାଉଛନ୍ତି । ମନ୍ଦିରର ବାହାର ପଟେ ମା’ ସଙ୍କଟ ତାରିଣୀ ମଧ୍ୟ ରହିଛନ୍ତି ।

ଇନ୍ଦ୍ରାଣୀ ବା ମହାବ୍ରଜେଶ୍ୱରୀ :

କ୍ଷେତ୍ରପାଳ ଶିବଙ୍କର ଶକ୍ତି ରୂପରେ ମହାବ୍ରଜେଶ୍ୱରୀଙ୍କୁ ଶ୍ରୀମନ୍ଦିରରେ ପୂଜା କରାଯାଏ । କଳ୍ପବଟର ସମ୍ମୁଖ ଭାଗରେ ମା’ଙ୍କ ମନ୍ଦିରଟି ଅବସ୍ଥିତ । ଦେବୀ ଦ୍ୱିଭୁଜା ବିଶିଷ୍ଟ ହୋଇ ବସିଛନ୍ତି ।

ପଞ୍ଚମହାଦେବ ମନ୍ଦିର :

ଏହି ମନ୍ଦିରଗୁଡ଼ିକରେ ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ୱର, ଶ୍ରୀ ନୀଳକଣ୍ଠେଶ୍ୱର, ମହାମୃତ୍ୟୁଞ୍ଜୟ, ଶ୍ରୀ ମାର୍କଣ୍ଡେୟ ଓ କପାଳମୋଚନ ପୂଜା ପାଉଛନ୍ତି । ଏହି ମନ୍ଦିରମାନ କଳ୍ପବଟ ତଳେ ଅବସ୍ଥିତ ରହିଛନ୍ତି ।

ମାର୍କଣ୍ଡେୟର ମନ୍ଦିର :

ଉଦ୍ୟୋତ କେଶରୀ ରାଜାଙ୍କ ସମୟରେ ଏହି ମନ୍ଦିରରେ ଶିବଲିଙ୍ଗ ସ୍ଥାପନା ହୋଇଥିଲା । ଶ୍ରୀମନ୍ଦିରର ବେଢ଼ା ଭିତରେ ଚଟାଣ ଠାରୁ ୭/୮ ଫୁଟ ତଳେ ଏହା ଅବସ୍ଥିତ ।

ସୂର୍ଯ୍ୟନାରାୟଣ ମନ୍ଦିର :

ଏହି ମନ୍ଦିର ଚୋଡ଼ଗଙ୍ଗ ଦେବଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲା । ମୁକ୍ତିମଣ୍ଡପର ଐଶାନ୍ୟ କୋଣରେ ଏହି ମନ୍ଦିରଟି ଅବସ୍ଥିତ । ସୂର୍ଯ୍ୟପରାଗ ଦିନ ଏଠାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।

କୁତାମଚଣ୍ଡୀ :

କ୍ଷେତ୍ରପାଳ ମନ୍ଦିରର ପୂର୍ବପଟ କାନ୍ଥରେ ଏକ କୁକୁର ଉପରେ ଦେବୀ ବିରାଜିତ ଅଛନ୍ତି । କୁକୁରଟି ଦେବୀଙ୍କୁ ପ୍ରଣିପାତ କରିବା ଭଳି ରହିଚି । କଥିତ ରହିଛି ମହାପ୍ରଭୁଙ୍କ ଭୋଗ ଲାଗି ସମୟରେ କୌଣସି ବ୍ୟାଘାତ ନ ଆସିବା ଉଦ୍ଦେଶ୍ୟରେ ଉଜ୍ଜୟିନୀର ଜଣେ ତାନ୍ତ୍ରିକଙ୍କ ଦ୍ୱାରା ଦେବୀ ପ୍ରତିଷ୍ଠା ପାଇଛନ୍ତି ।

ଅନନ୍ତ ବାସୁଦେବ ଓ ଶ୍ରୀ କ୍ଷେତ୍ରପାଳ ମନ୍ଦିର :

ମୁକ୍ତିମଣ୍ଡପର ପଛ ଭାଗରେ ମହାଦେବ କ୍ଷେତ୍ରପାଳଙ୍କ ମନ୍ଦିର ରହିଛି । ଶିବ ଦକ୍ଷିଣାଭିମୁଖୀ ହୋଇ ଅଛନ୍ତି । ସେଠାରେ ମହାଦେବଙ୍କ ସହ ନନ୍ଦି, ଭୂକୁଟି, ବୃଷଭ, ମହାଲକ୍ଷ୍ମୀ ଓ ଜୟବିଜୟ ଦୃଶ୍ୟମାନ ଅଛନ୍ତି ।

ମୁକ୍ତିମଣ୍ଡପ ଓ ଯଜ୍ଞନୃସିଂହ ମନ୍ଦିର :

ଶ୍ରୀମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ମୁକ୍ତିମଣ୍ଡପ ରହିଛି । ଏହି ମୁକ୍ତିମଣ୍ଡପକୁ ଲୋକେ ଯଜ୍ଞମଣ୍ଡପ, ମୋକ୍ଷ ମଣ୍ଡପ, ବ୍ରହ୍ମଦେବୀ ଓ ବ୍ରହ୍ମାସନ ନାମରେ ଜାଣନ୍ତି । ଶ୍ରୀମନ୍ଦିର ଗଲେ ମୁକ୍ତିମଣ୍ଡପକୁ ପ୍ରଣାମ ଜଣାଇ ବ୍ରାହ୍ମଣମାନଙ୍କ ଆଶୀର୍ବାଦ ନେବାର ବିଧି ରହିଛି । ଲୋକ ବିଶ୍ୱାସ ରହିଛି ଏଠାରେ ଭକ୍ତଟିଏ ଦାନ ଦକ୍ଷିଣ ଦେଇ ନିଜର ଭକ୍ତିଭାବକୁ ଅର୍ପଣ କଲେ ସମସ୍ତ ପାପ ଖଣ୍ଡନ ହୋଇଥାଏ । ମୁକ୍ତିମଣ୍ଡପର ସାମ୍‌ନାରେ ଯଜ୍ଞ ନୃସିଂହ ମନ୍ଦିର ବିଦ୍ୟମାନ । ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଏହି ମନ୍ଦିରକୁ ଉତ୍କଳର ରାଜା ଚୋଡ଼ଗଙ୍ଗ ଦେବ ପ୍ରତିଷ୍ଠା କରାଇଥିଲେ ଯାହା ମନ୍ଦିର ଗାତ୍ରରେ ରହିଥିବା ଏକ ଶିଳାଲିପିରୁ ଜଣାଯାଏ ।

ରୋହିଣୀକୁଣ୍ଡ ଓ ନାଟ ଗଣେଶ :

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥର୍ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ । ଦାରୁବ୍ରହ୍ମ ଏହି କୁଣ୍ଡର ଜଳରେ ପଡ଼ି ଏକ କାକ ଚତୁର୍ଭୁଜ ହୋଇଥିଲେ ଲୋକ ବିଶ୍ୱାସ ରହିଛି । ନାଟ ଗଶେଣ କଳା ମୁଗୁନି ପଥରରେ ନିର୍ମିତ ଅଛନ୍ତି । ବେଢ଼ା ପରିକ୍ରମା ସମୟରେ ନାଟ ଗଣେଶଙ୍କୁ ନିହାତି ଦର୍ଶନ କରିବାର ପରମ୍ପରା ରହିଛି । କାରଣ ବିଶ୍ୱାସ ରହିଛି ସେ ସମସ୍ତ ଭକ୍ତଙ୍କ ତାଲିକା ପୁସ୍ତକ କରି ରାତ୍ରିକାଳୀନ ଦରବାରରେ ସେ ମହାପ୍ରଭୁଙ୍କୁ ଭକ୍ତ ତାଲିକାଟି ସମର୍ପଣ କରିଥାନ୍ତି ।

ମା’ ବିମଳା, ଶ୍ରୀ ଗୋପେଶ୍ୱର ଓ ସାକ୍ଷିଗୋପାଳ :

ଶ୍ରୀମନ୍ଦିରର ଦକ୍ଷିଣ ପଶ୍ଚିମ ପଟରେ ମା’ ବିମଳାଙ୍କ ମନ୍ଦିର ରହିଛି । ସେ ଶ୍ରୀକ୍ଷେତ୍ରାଧିଶ୍ୱରୀ ଅଟନ୍ତି । ଆଦ୍ୟାଶକ୍ତି ଓ ମହା ଭୈରବୀ ଭାବରେ ପୂଜା ପାଇଥାନ୍ତି । ପ୍ରବାଦ ରହିଛି ଦକ୍ଷ ରାଜାଙ୍କ କନ୍ୟା ସତୀ ଯଜ୍ଞ କୁଣ୍ଡରେ ଆତ୍ମାହୁତି ଦେବା ପରେ ଶିବ ସତୀଙ୍କର ମୃତ ଶରୀରକୁ ନେଇ ବୁଲିବା ସମୟରେ ତାଙ୍କର ପାଦର ଗୋଟିଏ ଅଂଶ ଏହି ସ୍ଥାନରେ ଛିଣ୍ଡି ପଡ଼ିଥିଲା । ଫଳରେ ମହାଶକ୍ତି ବିମଳାଙ୍କ ଆବିର୍ଭାବ ହୋଇଥିଲା । ସେହିପରି ଶ୍ରୀମନ୍ଦିରରେ ଗୋପୀ ଓ ଗୋପରେ ରକ୍ଷକ ରୂପେ ଗୋପେଶ୍ୱର ପୂଜା ପାଉଛନ୍ତି । ଶିବ ଓ ଶ୍ରୀକୃଷ୍ଣଙ୍କ ପରିବାର ଏହି ମନ୍ଦିରରେ ରହିଛନ୍ତି । କଥିତ ରହିଛି ଶୈବ ଓ ବୈଷ୍ଣବ ସମ୍ପ୍ରଦାୟର ମିଳନସ୍ଥଳୀ ଏହି ମନ୍ଦିରର ମାହାତ୍ମ୍ୟ । ସାକ୍ଷିଗୋପାଳ ମନ୍ଦିରରେ ଶ୍ରୀରାଧା ଓ ସାକ୍ଷିଗୋପାଳଙ୍କର ବିଗ୍ରହ ଅଛନ୍ତି । କାର୍ତ୍ତିକ ମାସ ଅଁଳାନବମୀ ଦିନ ଗୋପାଳ ଓ ରାଧାଙ୍କ ପାଦ ଦର୍ଶନ କରି ଭକ୍ତମାନେ ନିଜର କାର୍ତ୍ତିକ ବ୍ରତକୁ ପାଳନ କରି କୋଟିପୁଣ୍ୟ ଲାଭ କରିଥାନ୍ତି ବିଶ୍ୱାସ ରହିଛି ।

ବେଣୁମାଧବ ମନ୍ଦିର, କାଞ୍ଚି ଗଣେଶ ଓ କ୍ଷୀରଚୋରା ଗୋପୀନାଥ :

ତ୍ରିଭଙ୍ଗୀଠାଣୀରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ଏହି ମନ୍ଦିରରେ ବିଦ୍ୟମାନ । ଏହି ମନ୍ଦିରକୁ ପଟିଦିଅଁ ମନ୍ଦିର କୁହାଯାଏ । ଏହାର କାରଣ ଠାକୁର ଅଣସର ସମୟରେ ଏହି ମନ୍ଦିରରେ ପୂଜା ପାଉଥିବା ତିନି ଦିଅଁ (ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା) ମନ୍ଦିରକୁ ଯାନ୍ତି ପୁଣି ଅଣସର ସରିଲେ ଫେରି ଆସିଥାନ୍ତି । କୂର୍ମ ବେଢ଼ାର ପଶ୍ଚିମ ପାଶ୍ୱର୍ ସାକ୍ଷିଗୋପାଳଙ୍କ ନିକଟରେ କାଞ୍ôଚ ଗଣେଶ ବିରାଜମାନ । ୧୪୭୪ ସାଲରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ôଚରାଜା (ସାଲ ନରସିଂହ)ଙ୍କୁ ପରାସ୍ତ କରି ତାଙ୍କର ଇଷ୍ଟ ଦେବଙ୍କୁ ଆଣି ଏହିଠାରେ ସ୍ଥାପନା କରିଥିଲେ । ମନ୍ଦିରର ଦ୍ୱାର ପୂର୍ବକୁ ରହିଛି । କର୍ଣ୍ଣାଟକୀ ଶୈଳୀରେ ଏହି ମୂର୍ତ୍ତି ନିର୍ମିତ ହୋଇଥିବାର ଜଣାଯାଏ । କାଞ୍ôଚ ଗଣେଶଙ୍କ ମନ୍ଦିର ପାଶ୍ୱର୍ରେ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ରହିଛି।

ଶ୍ରୀ ଭୁବନେଶ୍ୱରୀ, ନୀଳମାଧବ ଓ ବେଢ଼ାକାଳୀ :

ପାଞ୍ଚ ଜଣ ଆଦିମାତା ପୂଜା ପାଇଛନ୍ତି ଶ୍ରୀ ଭୁବନେଶ୍ୱରୀ ମନ୍ଦିର ଭିତରେ । ଯଥା- ଦେବୀ ସରସ୍ୱତୀ, ଦେବୀ ଗାୟତ୍ରୀ, ଦେବୀ ସାବିତ୍ରୀ, ଷଷ୍ଠୀ ଦେବୀ ଏବଂ ଦେବୀ ଭୁବନେଶ୍ୱରୀ । ବସନ୍ତ ପଞ୍ଚମୀ ଓ ସାବିତ୍ରୀ ଅମାବାସ୍ୟା ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଏହି ମନ୍ଦିରରେ ହୋଇଥାଏ । ପ୍ରତିବର୍ଷ ବସନ୍ତ ପଞ୍ଚମୀରେ ଦେବୀ ସରସ୍ୱତୀଙ୍କ ପାଖରେ ମାଦଳାପାଞ୍ଜିକୁ ପୂଜାର୍ଚ୍ଚନା କରାଯାଇଥାଏ । ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ନୀଳମାଧବ ମନ୍ଦିର ରହିଛି । ଶବର ରାଜା ବିଶ୍ୱାବସୁଙ୍କ ଠାରୁ ନୀଳମାଧବ ପୂଜା ପାଇଆସୁଛନ୍ତି । ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପୂର୍ବରୁ ସେ ପୂଜା ପାଇଆସିଛନ୍ତି । ନୀଳମାଧବଙ୍କ ମୂର୍ତ୍ତିଙ୍କୁ ଗାଲମାଧବ ସିଂହାସନ ଉପରେ ପ୍ରତିଷ୍ଠା କରି ପୂଜା କରୁଥିବାର ଲୋକ ପ୍ରବାଦ ମଧ୍ୟ ରହିଛି । ଏହି ମନ୍ଦିରରେ ଶ୍ରୀକୃଷ୍ଣ, ନୀଳମାଧବ ଓ ଶ୍ରୀଜଗନ୍ନାଥଙ୍କୁ ମାଧବ ରୂପରେ ପୂଜା କରାଯାଉଛି । ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଥିବା ନୀଳମାଧବ ଓ ଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟରେ ବେଢ଼ାକାଳୀ (ଗୁହ୍ୟ କାଳୀ) ମନ୍ଦିର ରହିଛି । ମନ୍ଦିରର ସୁରକ୍ଷା ଦାୟିତ୍ୱରେ ସେ ରହିଥିବାର ଜଣାଯାଏ । ଭଦ୍ରକାଳୀ ନାମରେ ସେ ପରିଚିତ ।

ମହାଲକ୍ଷ୍ମୀ ଓ ନବଗ୍ରହ ମନ୍ଦିର :

ଶ୍ରୀମନ୍ଦିରର ଭିତର ବେଢ଼ା ବାୟୁ କୋଣରେ ମା’ଙ୍କ ମନ୍ଦିର ରହିଛି । ଏଥିରେ ବିମାନ, ଜଗମୋହନ, ନାଟ ମନ୍ଦିର ଓ ଭୋଗ ମନ୍ଦିର ରହିଛି । ଏହି ମନ୍ଦିରଟିକୁ ରାଜା ମୁକୁନ୍ଦଦେବ (ଖ୍ରୀ. ୧୬୫୫ରୁ ୧୬୯୩) ଙ୍କର ପାତ୍ର ପୀତାମ୍ବର ବିଦ୍ୟାଧର ମହାପାତ୍ର ମା’ଙ୍କର ଜଗମୋହନ ତିଆରି କରିଥିଲେ ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି । ଏହି ଜଗମୋହନରେ ନୃସିଂହ ଓ ମା’ ଲକ୍ଷ୍ମୀଙ୍କର ପଥର ବିଗ୍ରହ ନୃସିଂହଙ୍କ କୋଳ ପ୍ରଦେଶରେ ଲକ୍ଷ୍ମୀମାତା ବିରାଜମାନ ମୁଦ୍ରାରେ ରହିଛନ୍ତି । ବିଶ୍ୱାସ ରହିଛି ମହାଲକ୍ଷ୍ମୀ ମନ୍ଦିରରେ ମା’ଙ୍କ ଦର୍ଶନ ସାରି କିଛି ସମୟ ବସି ଚଟାଣରେ ଝୋଟି ପକାଇ ଆସିଲେ ଭକ୍ତ ଐଶ୍ୱର୍ଯ୍ୟଶାଳୀ ହୋଇଥାଏ । ମହାଲକ୍ଷ୍ମୀଙ୍କ ନାଟ ମନ୍ଦିରର ଠିକ୍ ଉତ୍ତର ପାଶ୍ୱର୍ରେ ନବଗ୍ରହଙ୍କ ମନ୍ଦିର ରହିଛି (ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ) । ଦକ୍ଷିଣରୁ ବାମ ଆଡ଼କୁ ମୂର୍ତ୍ତିଗୁଡ଼ିକ ବିରାଜମାନ କରିଛନ୍ତି ।

ସୂର୍ଯ୍ୟନାରାୟଣ, ପାତାଳେଶ୍ୱର, ଐଶାନେଶ୍ୱର :

କୂର୍ମ ପାଚେରୀର ଉତ୍ତର ଦ୍ୱାରରେ ପାତାଳେଶ୍ୱର ମହାଦେବ ଅଛନ୍ତି । ଚଟାଣର ୨୦ ଫୁଟ ନିମ୍ନରେ ସେ ବିରାଜମାନ । ମନ୍ଦିର ଭିତରେ ମହାଦେବଙ୍କ ଲିଙ୍ଗ ଦର୍ଶନ ଯିବା ପାଇଁ ପାହାଚର ବ୍ୟବସ୍ଥା ରହିଛି । କୂର୍ମ ବେଢ଼ା ହସ୍ତୀଦ୍ୱାରର ବାହାର ପାଶ୍ୱର୍ରେ ଐଶାନ୍ୟ କୋଣରେ ଏହି ଐଶାନେଶ୍ୱର ମହାଦେବଙ୍କ ମନ୍ଦିର ରହିଛି । ଶ୍ରୀଜଗନ୍ନାଥଙ୍କ ଈଶାଣ (ଗୁରୁ) ଭାବରେ ସେ ପରିଚିତ । କୂର୍ମ ପ୍ରାଚୀରର ଉତ୍ତର ପାଶ୍ୱର୍ରେ ସୂର୍ଯ୍ୟନାରାୟଣ ମନ୍ଦିର ରହିଛି । ପଥରର ମୂର୍ତ୍ତି ରହିଛନ୍ତି । ଏହି ମୂର୍ତ୍ତିରେ ସପ୍ତାଶ୍ୱ ସଂଯୋଜିତ ରହିଛି ।

ଶୀତଳାଦେବୀ, ଲୋକେଶ୍ୱର ମହାଦେବ, ବୈକୁଣ୍ଠେଶ୍ୱର :

ଶ୍ରୀମନ୍ଦିର ବାହାର ବେଢ଼ା ଉତ୍ତର ଦ୍ୱାର ନିକଟରେ ଶୀତଳାଙ୍କ ମନ୍ଦିର । ଦେବୀ ହାତରେ କୁଲା ଧାରଣ କରିଛନ୍ତି । ସେ ଗର୍ଦ୍ଦଭ ବାହିନୀ ଭାବରେ ପୂଜା ପାଉଛନ୍ତି । ଶୀତଳା ଦେବୀଙ୍କ ମନ୍ଦିରର ପୂର୍ବ ପଟରେ ଲୋକେଶ୍ୱର ମହାଦେବଙ୍କ ମନ୍ଦିର । ଛୋଟ ମନ୍ଦିର ହେଲେ ବି ଦେଖିବାକୁ ଖୁବ୍ ଭଲ ଲାଗେ । ବୈକୁଣ୍ଠ କ୍ଷେତ୍ରର ପାଳନକର୍ତ୍ତା ଭାବରେ ବୈକୁଣ୍ଠେଶ୍ୱର ଶ୍ରୀମନ୍ଦିରରେ ରହି ପୂଜା ପାଉଛନ୍ତି ।

ତପସ୍ୱୀ ହନୁମାନ, କୋଇଲି ବୈକୁଣ୍ଠ, ନୀଳଚକ୍ର ଓ ଆନନ୍ଦ ବଜାର :

ଶ୍ରୀମନ୍ଦିର ବେଢ଼ାର ଉତ୍ତର ପାଶ୍ୱର୍ରେ ତପସ୍ୱୀ ହନୁମାନ ଅଛନ୍ତି । ପୂର୍ବାଭିମୁଖୀ ହୋଇ ବସିଛନ୍ତି । ଚାରିଫୁଟ ଉଚ୍ଚତା ବିଶଷ୍ଟ ତପସ୍ୱୀ ହନୁମାନ ଧ୍ୟାନ ମୁଦ୍ରାରେ ରହିଛନ୍ତି । ଭକ୍ତମାନେ ତାଙ୍କୁ ‘ଚାରିଚକ୍ର ଅଥବା ଅଷ୍ଟଭୁଜା ହନୁମାନ’ ନାମରେ ଜାଣନ୍ତି । ନବକଳେବର ସମୟରେ ଶ୍ରୀ ମହାପ୍ରଭୁଙ୍କ ବିଗ୍ରହମାନଙ୍କୁ ଶ୍ରୀମନ୍ଦିର ବେଢ଼ାର ସର୍ବ ପୁରାତନ ସ୍ଥାନ କୋଇଲି ବୈକୁଣ୍ଠରେ ସମାଧି ଦିଆଯାଇଥାଏ । ଏହାର ସନ୍ନିକଟ ପଶ୍ଚିମକୁ ଜନ୍ମ କୁଞ୍ଜ ରହିଛି । ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିରର ଚୂଡ଼ାରେ ନୀଳଚକ୍ର ଶୋଭା ପାଇଥାନ୍ତି । ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ । ନୀଳଚକ୍ର ସ୍ୱୟଂ ଜଗନ୍ନାଥଙ୍କର ପ୍ରତୀକ । ନୀଳଚକ୍ର ଉପରେ ପତିତପାବନ ବାନାକୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ଲୋକକ୍ତି ରହିଛି । ଶ୍ରୀମନ୍ଦିର ସବୁଠାରୁ ଆକର୍ଷଣ ଶ୍ରୀ ମହାପ୍ରଭୁଙ୍କ ପରେ ରହିଛି ଆନନ୍ଦ ବଜାର । ଯାହାଙ୍କ ମହାପ୍ରସାଦ ବିକ୍ରୟ କେନ୍ଦ୍ର । ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ପେଟ ପୁରିଯାଏ । କେହି ଆଜିଯାଏଁ ସେ ଠାରୁ ଉପାସରେ ଫେରି ନାହିଁ ଘରକୁ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲାଗି ହେଉଥିବା ସମସ୍ତ ଭୋଗ- ଅନ୍ନ, ଡାଲି, ଡାଲ୍‌ମା, ମହୁର, ବେସର, ଶାଗମୁଗ, ଖଟା, ନାନା ପ୍ରକାର ମିଠା, ଲଡୁ, ଖଜା ପ୍ରଭୃତି ମିଳିଥାଏ ।

ସହକାରୀ ଗବେଷିକା
ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରଶିକ୍ଷା ମନ୍ତ୍ରଣାଳୟ,
ସର୍ଦ୍ଦାର ପଟେଲ ହଲ କମ୍ପେ୍ଲକ୍ସ, ଭୁବନେଶ୍ୱର

Share This Article
ସହଯୋଗୀ ଗବେଷିକା,ଓଡିଆ ଭାଷା ଉତ୍କର୍ଷ ଗବେଷଣା କେନ୍ଦ୍ର, ଭାରତ ସରକାର