Home / ଅନ୍ୟାନ୍ୟ / ସମ୍ପାଦକୀୟ / ଘୋଡ଼ାପଙ୍କା ଗାଁର ସାଂସ୍କୃତିକ ପରିଚୟ

ଘୋଡ଼ାପଙ୍କା ଗାଁର ସାଂସ୍କୃତିକ ପରିଚୟ

Share Samadhwani

ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ବଣ ପାହାଡ଼ ଉହାଡ଼ର ଏକ ଛୋଟିଆ ଗାଁ ଘୋଡାପଙ୍କା । ଘୋଡ଼ାପଙ୍କା ଗାଁଟି ପ୍ରାକୃତିକ ପରିବେଶଠାରୁ ଆରମ୍ଭ କରି ଶସ୍ୟ କ୍ଷେତ୍ରରେ ଆବୃତ୍ତ ହୋଇ ରହିଛି । ଆମ ରାଜ୍ୟ କି ଦେଶର ମାନଚିତ୍ରରେ ମୋ ଗାଁର ଚିହ୍ନ ବର୍ଣ୍ଣ ନାହିଁ  ହେଲେ ମୋ ପାଇଁ ମୋ ଗାଁ ସରଗ ଭୂଇଁ , ଏକଥା କହୁଛନ୍ତି ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରେ ୨୦୨୦ ମସିହାରେ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆମ ଗାଁର ଜୀବନୀ ଲେଖିବା କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରୀ ପ୍ରଭାତୀ ମଲ୍ଲିକ। ସମ୍ପୂର୍ଣ୍ଣ ଆଦିବାସୀ ଗାଁ ଘୋଡାପଙ୍କା । ଜଣେ ଛାତ୍ରୀ ନିଜର କିଶୋରୀ ବୟସରେ ଗାଁ କୁ କେମିତି ଦେଖିଛନ୍ତି ତାହା ନିଶ୍ଚିତ ଭାବରେ ଏକ ଭାବନାତ୍ମକ ବିଷୟ । ବହୁତ ବଡ ବଡ ଗବେଷକ, ଲେଖକଙ୍କ କଲମ ମୁନରୁ ନିଜ ଗାଁକୁ ନେଇ ବର୍ଣ୍ଣନା କରିବାର ଉଦାହରଣ ବହୁତ ରହିଛି କିନ୍ତୁ ଯେତେବେଳେ ଜଣେ ଛାତ୍ରୀ ନିଜ କିଶୋରୀ ବୟସରେ ଗାଁକୁ ଏତେ ଭଲପାଇବା ଓ ଗାଁ ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି ବହୁତ ନିଆରା ଅନୁଭବ ଆଣିଦେଉଛି । ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ତାଙ୍କ ଲେଖା ଭିତରୁ ଜାଣିବାପାଇଁ ମିଳେ । ଅତି କିଶୋରୀ ବୟସରୁ ନିଜ ଗାଁ ଓ ମାଟି ପାଣି ପରିବେଶକୁ ଭଲପାଇବାର ଉଦାହରଣ ବି ମିଳେ । ଏହି ଲେଖାଟିରୁ ପ୍ରେରଣା ନେଇ ଯଦି ଅନ୍ୟ ଗାଁର ଛାତ୍ରଛାତ୍ରୀମାନେ ନିଜ ଗାଁ ସମ୍ପର୍କରେ ଅଧିକ ଜାଣିବାପାଇଁ ବା ଲେଖିବା ପାଇଁ ପ୍ରୟାସ ଆରମ୍ଭ କରିବେ ତେବେ ନିଶ୍ଚିତ ଭାବରେ ଗାଁର ହଜି ହଜି ଯାଉଥିବା ଗୌରବକୁ ପୁନଃ ପ୍ରତିଷ୍ଠା କରିବାରେ ଏହି କିଶୋରୀ କିଶୋରମାନେ ନିଜର ଯୋଗଦାନ ଦେବେ ଯାହା ଆଜିର ସମୟରେ ଅତି ଜରୁରୀ । – ସମ୍ପାଦକ

ମୋର ନାମ ପ୍ରଭାତୀ ମଲ୍ଲିକ । ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ନିହିତ ଘୋଡ଼ାପଙ୍କା ଗାଁରେ ମୋର ଜନ୍ମ । ମୋ ଗାଁ ବଣ ପାହାଡ଼ ଉହାଡ଼ରେ ଶସ୍ୟ କ୍ଷେତ୍ରରେ ଆବୃତ୍ତ ହୋଇ ରହିଛି । ଆମ ରାଜ୍ୟ ମାନଚିତ୍ରରେ ମୋ ଗାଁର ଚିହ୍ନ ବର୍ଣ୍ଣ ନାହିଁ  ହେଲେ ମୋ ପାଇଁ ମୋ ଗାଁ ସରଗ ଭୂଇଁ । ମୋ ଗାଁ ଓ ମୋ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ମୁଁ ଏମିତି କହିବାକୁ ଚାହେଁ

“ମୋ ଗାଁ ମୋ ଜୀବନ           ତାହାରି ପାଇଁ ଚାଲେ ପରାଣ,

ଏଇଠି ମୁଁ ହୋଇଛି ଜନ୍ମ          ଏଇଠି ହବ ମୋ ମରଣ ।

ମୋ ଗାଁ ଘୋଡ଼ାପଙ୍କା ନାମରେ ସାରା ଅଞ୍ଚଳରେ ପରିଚିତ । ଏହି ନାମ ଶୁଣିବାକୁ ଅତି ଆକର୍ଷଣୀୟ ଲାଗେ । ଏହି ପ୍ରତିଯୋଗିତାର ସଂସ୍ପର୍ଶରେ ଆସିବା ପୂର୍ବରୁ ମୋ ମନରେ ମଧ୍ୟ ମୋ ଗାଁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା ଏବଂ ମୁଁ ସେହି ସମସ୍ତ ପ୍ରଶ୍ନ ମୋ ମାଙ୍କୁ ପଚାରିଥିଲି । ମୋ ମା ମୋତେ ସେହି ସବୁ ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଏବଂ ସରଳ ଭାବରେ ବୁଝାଇ ଥିଲେ ।

ମୋ ମା’ଙ୍କୁ ମୁଁ ପ୍ରଥମେ ପଚାରି ଥିଲି ଯେ, ଆମ ଗାଁ କେବେ ପ୍ରତିଷ୍ଠା ହୋଇଥିଲା? ଆମ ଗାଁକୁ କିଏ ପ୍ରଥମେ ଆସିଥିଲେ ଏବଂ ଆମ ଗାଁର ନାମ ଘୋଡ଼ାପଙ୍କା କାହିଁକି ହେଲା?

ଏ ସମସ୍ତ ପ୍ରଶ୍ନ ଶୁଣି ମୋ ମା ମୋତେ ଆମ ଗାଁର ସମସ୍ତ ଐତିହାସିକ କଥାକୁ ବୁଝାଇ କହିଥିଲେ ଯେ, “ ୧୫୦-୨୦୦ ବର୍ଷ ତଳର କଥା । ଏହି ଗାଁକୁ ପ୍ରଥମେ ୪ଜଣ ବ୍ୟକ୍ତି ଆସିଥିଲେ । ତାଙ୍କ ନାମ ହେଲା – ପ୍ଲିଭଲେଏଞ୍ଜ୍, ମୁଟୁଲେଏଞ୍ଜ୍, ହିଗଲେଏଞ୍ଜ, ଏବଂ ପଡ଼ଲେଏଞ୍ଜ । ଏହି ୪ ଜଣ ବ୍ୟକ୍ତି ବିଲିଗୁଡ଼ି ଠାରୁ ପ୍ରଥମେ କୁଏଜପାଙ୍ଗାକୁ ଆସିଥିଲେ ତାପରେ ବାବୁସ୍ପୁପ୍ତପାଣି, ଲୁଦେଙ୍ଗ, କୁମ୍ବେରହ୍ଲାଉ, ଗାନ୍ଦାଟଟ, ପ୍ଲିଉଗୁଡ଼ା (ମିଞ୍ଜାପଙ୍କା), ପାଟାଙ୍ଗପଡ଼ା ଏହି ସମସ୍ତ ଜାଗା (ଗାଁ) ଅତିକ୍ରମ କରି ଶେଷରେ ପାର୍ତ୍ତିକୃପା (ବର୍ତ୍ତମାନର ନାମ ଘୋଡ଼ାପଙ୍କା) ଠାରେ ରହିଲେ। ଏଠାରେ ହିଁ ସେମାନେ ଚୀର ସ୍ଥାୟୀ ଭାବରେ ବସତି ସ୍ଥାପନ କରି ରହିବା ପାଇଁ ମନସ୍ଥ କଲେ କାରଣ ଏଠାରେ ଶିକାର କରିବାକୁ ସୁବିଧା ହଉଥିଲା। ବିଭିନ୍ନ ପ୍ରକାରର କନ୍ଦା ଜାତୀୟ ଖାଦ୍ୟ ମଧ୍ୟ ପ୍ରଚୁର ପରିମାଣରେ ମିଳୁଥିଲା। ବିଭିନ୍ନ ପ୍ରକାରର ଫଳ ମଧ୍ୟ ଏଠାରେ ମିଳୁଥିଲା ଏବଂ ଚାଷ କରିବା ନିମନ୍ତେ ଉର୍ବର ମାଟି ମଧ୍ୟ ଥିଲା । ଏହି ସମସ୍ତ କାରଣ ଯୋଗୁଁ ଏଠାରେ ହିଁ ସେ ୪ ଜଣ ବ୍ୟକ୍ତି ଚୀରସ୍ଥାୟୀ ଭାବରେ ରହିବାକୁ ପସନ୍ଦ କଲେ ।

ଆମ ଗାଁର ପୂର୍ବତନ ନାମ ପାର୍ତ୍ତିକୃପା ଥିଲା । ଏହି ନାମ ରଖିବାର କାରଣ ହେଲା, ପାର୍ତ୍ତିର ଅର୍ଥ କପା ଏବଂ କୃପା ର ଅର୍ଥ ହେଲା ଜାଗା । ଏଠାରେ କପା ଚାଷ କରାଯାଉଥିଲା ଏବଂ ପଥର ଗୁଡ଼ିକ କପା ବୁଣିଲା ଭଳି ଥିବା ଯୋଗୁ ଏହାକୁ ପାର୍ତ୍ତିକୃପା ବୋଲି ନାମ କରଣ କରାଯାଇଥିଲା ।

ଆମ ଗାଁର ନାମ ଘୋଡ଼ାପଙ୍କା ହେବାର କାରଣ ହେଲା, ସେହି ସମୟରେ ରାଜା ଶାସନ ସହ ବ୍ରିଟିଶ ଶାସନ ମଧ୍ୟ ଚାଲିଥାଏ । ପୂର୍ବତନ ସମୟରେ ଗଜପତି ଏବଂ କନ୍ଧମାଳର ବିଭାଜନ ହୋଇ ନ ଥାଏ । ଏହାକୁ ଗୋଟିଏ କନ୍ଧମାଳ ଅଞ୍ଚଳ ବୋଲି ଧରା ଯାଉଥିଲା । ଏହି କନ୍ଧମାଳ ଅଞ୍ଚଳକୁ ବଡ଼ଗଡ଼ର ଟିକା ସାଇବ ରାଜା ଶାସନ କରୁଥିଲେ ଏବଂ ଆମ ଗାଁ ମଧ୍ୟ ଏହି ରାଜା ଶାସନ କରୁଥିବା ଅଞ୍ଚଳ ମଧ୍ୟରେ ଥିଲା ।

ଦିନେ ଆମ ଗାଁର ଲୋକମାନେ ଶିକାର କରିବା ନିମନ୍ତେ ନିଜର ଅସ୍ତ୍ର-ଶସ୍ତ୍ର ଧରି ବାହାରିଲେ । ଗୋଟିଏ ପରେ ଗୋଟିଏ ଏମିତି ବହୁତ ଜାଗା ବୁଲିଲେ ତଥାପି ସେମାନେ ଶିକାର ନିମନ୍ତେ କୌଣସି ଜୀବ-ଜନ୍ତୁଙ୍କୁ ଦେଖିଲେ ନାହିଁ । ଶେଷରେ ସେମାନେ ଯାଇ ଲିଡିକିହୁରୁ (ଗୋଟିଏ ପର୍ବତର ନାମ)ରେ ଯାଇ ପହଞ୍ଚିଲେ ଏବଂ ଦେଖିଲେ ଗୋଟିଏ ସୁନ୍ଦର ଘୋଡ଼ାଟି ବିଶ୍ରାମ ନେଉଛି । ସେହି ଘୋଡ଼ାକୁ ନେଇ ସେମାନେ ଆନନ୍ଦରେ ଗାଁକୁ ଫେରିଲେ ଏବଂ ଗାଁରେ ଥିବା ଗୋଟିଏ ସମତଳ ପଥର ଉପରେ ସେହି ଘୋଡ଼ାକୁ ରଖିଲେ । ସେହି ପଥରର ନାମ ଥିଲା ଦିଅ । ପାଟ (ଦିଅପାଟ) । ବର୍ତ୍ତମାନ ମଧ୍ୟ ଏହି ପଥରର ନାମ ପରିବର୍ତ୍ତନ ହୋଇନାହିଁ । ଏହି ପଥରରେ ଆମ ଗାଁର ସମସ୍ତ ସଭାର ଆୟୋଜନ କରାଯାଏ ଏବଂ ଆମ ଗାଁର ପୂଜାବିଧି ମଧ୍ୟ ଏଠାରେ ହିଁ ଆରମ୍ଭ କରାଯାଏ । ଘୋଡ଼ା ଆଣିବା କଥା ଶୁଣି ଗାଁର ସମସ୍ତ ଲୋକ ଘୋଡ଼ା ଦେଖିବା ପାଇଁ ପଥର ପାଖକୁ ଗଲେ ଏବଂ ଘୋଡ଼ାକୁ ବଡ଼ଗଡ଼ର ଟିକା ସାଇବ ରାଜାଙ୍କୁ ଦିଆଯାଉ ବୋଲି ମନସ୍ଥ କଲେ । ଆମ ଗାଁ ଲୋକ ଏହି ଘୋଡ଼ାକୁ ନେଇ ବଡ଼ଗଡ଼ର ମହାସଭାରେ ପହଞ୍ଚିଲେ ଏବଂ ତା ସାଥିରେ ଗୋଟିଏ ମୁକୁଟ ମଧ୍ୟ ରାଜାଙ୍କୁ ଉପହାର ସଦୃଶ ପ୍ରଦାନ କରିବା ନିମନ୍ତେ ନେଇଥିଲେ । ବିଭିନ୍ନ ଅଞ୍ଚଳ (ଗାଁ)ର ଲୋକ ବିଭିନ୍ନ ପ୍ରକାରର ଜିନିଷ ରାଜାଙ୍କୁ ପ୍ରଦାନ କରିବା ନିମନ୍ତେ ଆଣିଥିଲେ । ପରିଶେଷରେ ଆମ ଗାଁ ଲୋକ ସେହି ଘୋଡ଼ା ଏବଂ ମୁକୁଟ ରାଜାଙ୍କୁ ଉପହାର ରୂପେ ପ୍ରଦାନ କରିଥିଲେ । ରାଜା ଏଥିରେ ପ୍ରସନ୍ନ ହୋଇ ଆମ ଗାଁର ନାମ ପାର୍ତ୍ତିକୃପା ପରିବର୍ତ୍ତେ ଘୋଡ଼ାପଙ୍କା ବୋଲି ନାମ କରଣ କରିଥିଲେ । ସେହି ଦିନଠାରୁ ଆମ ଗାଁ ଏହି ସାରା ଅଞ୍ଚଳରେ ଘୋଡ଼ାପଙ୍କା ନାମରେ ପରିଚିତ ।

ଗଜପତିର ସୀମାରେଖାରେ ଆମ ଗାଁ ଅବସ୍ଥିତ । ଆମ ଗାଁ ଦେଇ ଗୋଟିଏ ନାଳ ବହୁଛି । ଏହି ନାଳ କନ୍ଧମାଳ ଏବଂ ଗଜପତିର କିଛି ଅଶଂରେ ପାଚେରି ଭଳି ରହିଛି । ଆମ ଗାଁରେ ଗୋଟିଏ ମଧ୍ୟ ପୋଖରୀ ନାହିଁ କେବଳ ଗୋଟିଏ ନଳକୂପ ଏବଂ ୫ଟି କୂପ ରହିଛି । ଆମ ଗାଁର ଚତୁଃର୍ପାର୍ଶ୍ୱରେ ସବୁଜିମା ଭରା ପରିବେଶ ଦେଖିବାକୁ ମିଳେ । ଆମ ଗାଁରେ ଘଞ୍ଚ ଜଙ୍ଗଲ ଦେଖିବାକୁ ମିଳେନାହିଁ କେବଳ ଡଙ୍ଗର ଗୁଡ଼ିକ ଦେଖିବାକୁ ମିଳେ । ଆମ ଗାଁ ପରିବେଶରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ବାସ କରନ୍ତି । ଏମାନଙ୍କ ଭିତରୁ କିଛି ଆମେ ପୋଷା ଭାବରେ ପୋଷିଥାଉଁ । ଯେପରି କି ଗାଈ, ବଳଦ, କୁକୁର, କୁକୁଡ଼ା, ଛେଳି ଇତ୍ୟାଦି ଏବଂ ଅନ୍ୟସବୁ ଜୀବଜନ୍ତୁ ବଣରେ ବାସ କରନ୍ତି ଯେପରିକି ସମ୍ବର, ଠେକୁଆ, ହରିଣ, ମୟୂର, ବରାହ ଇତ୍ୟାଦି । ଆମ ଗାଁ ପରିବେଶରେ ଆଉ କେତେକ କୀଟ-ପତଙ୍ଗ, ଗଛଲତା, ଫଳଫୁଲ ଇତ୍ୟାଦି ଦେଖିବାକୁ ମିଳେ । ଆମ ଗାଁରେ କୋଳଥ, ଧାନ, ବିରି, ଝୁଡ଼ୁଙ୍ଗ, ମକା, କାନ୍ଦୁଲ ଏବଂ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଏ ।

ଆମ ଗାଁରେ ୪୯ଟି ଘର ଅଛି ଏବଂ ଆମ ଗାର ଲୋକ ସଂଖ୍ୟା ପ୍ରାୟତଃ ୨୫୦ ପାଖାପାଖି ଅଟେ । ବିଭିନ୍ନ କାରଣ ଯୋଗୁଁ ଆମ ଗାଁରେ ପୂର୍ବରୁ ରହୁଥିବା ଲୋକମାନେ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏହି କାରଣ ଯୋଗୁଁ ଆମ ଗାଁର ଘର ସଂଖ୍ୟା ଏବଂ ଲୋକ ସଂଖ୍ୟା ମଧ୍ୟ ଆଗ ଅପେକ୍ଷା କମ୍ ହୋଇଯାଇଛି । ଆମ ଗାଁରେ ଆଜ୍‌ବେଷ୍ଟସ୍ ଏବଂ ଟିଣରେ ଛପର ହୋଇଥିବା ମାଟିଘର ଅଧିକାଶଂ ଦେଖିବାକୁ ମିଳେ । ଆମ ଗାଁର ସବୁଠୁ ଛୋଟ ଘର ହେଉଛି ଚନ୍ଦ୍ରା ମଲ୍ଲିକଙ୍କ ଘର ଯେଉଁ ଘରକି ଟିଣରେ ଛପର କରାଯାଇଛି । ଏହି ଘରେ ବାପା, ମା ଏବଂ ଦୁଇ ଭାଇ ଭଉଣୀ ରହନ୍ତି । ଏହା ବ୍ୟତୀତ ଅନ୍ୟସବୁ ଘରଗୁଡ଼ିକ ମଧ୍ୟମ ଧରଣର ଅଟେ । ଆମ ଗାଁର ସମସ୍ତ ଲୋକ ସରଳ ଭାବରେ ଜୀବନ ଯାପନ କରନ୍ତି ।

ଆମ ଗାଁରେ ସବୁ ଆଦିବାସୀ ଲୋକ ବାସକରୁ ଏବଂ ଆମର ଭାଷା ହେଉଛି କୁଇ ଭାଷା । ଏହି ଭାଷାରେ ହିଁ ଆମେ ଆମ ଗାଁରେ ପରସ୍ପର ସହ କଥାବାର୍ତ୍ତା କରୁ । ଆମ ଗାଁ ରେ କେବଳ ହିନ୍ଦୁ ଧର୍ମର ଲୋକ ବାସକରୁ । ଆମେ କେବେ ମଧ୍ୟ ଅନ୍ୟପ୍ରତି ବାଛ ବିଛାର କରି ନ ଥାଉ । ଆମ ଗାଁରେ ଗୋଟିଏ ମଧ୍ୟ ଚାଳ ଘର ଦେଖିବାକୁ ମିଳେ ନାହିଁ । ବର୍ତ୍ତମାନ ମସୟରେ ଟିଣ ଏବଂ ଆଜବେଷ୍ଟସ୍‌ରେ ଛପର ଘର ଅଧିକାଂଶ ଦେଖିବାକୁ ମିଳେ । ସରକାରଙ୍କ ସହାଯ୍ୟ ଅନୁଯାୟୀ ବର୍ତ୍ତମାନ ଆମ ଗାଁରେ କିଛି କିଛି ପକ୍କା ଘରର ନିର୍ମାଣ ଚାଲିଛି ।

ଆମ ଗାଁରେ ଶିକ୍ଷିତ ଲୋକ ଥାଇ ମଧ୍ୟ ସରକାରୀ ଚାକିରୀ କେହି କରୁନାହାନ୍ତି, କଲେ ମଧ୍ୟ ଅତି ବେଶୀରେ ୨ ଜଣ ଲୋକ ହିଁ ସରକାରୀ ଚାକିରୀ କରନ୍ତି । ଆମ ଗାଁର ଲୋକ ପ୍ରାୟତଃ ଚାଷବାସ ଉପରେ ନିର୍ଭର କରନ୍ତି ତେଣୁ ଆମ ଗାଁର ସମସ୍ତ ଲୋକ ଅଧିକାଶଂ ଚାଷୀ ଅଟନ୍ତି ।

ଆମ ଗାଁର ରୋଜଗାର ପାଉନଥିବା ଲୋକ ବିଭିନ୍ନ ପ୍ରକାରର ଚାଷ କରି, କୁଲି କାମ କରି, ବିଦେଶକୁ ଯାଇ କାମ କରି ନିଜର ଏବଂ ଘର ପରିବାରର ପେଟ ପୋଷନ୍ତି ।

ଆମ ଗାଁରେ ଜଣେ ଯୁବକ ଅଛନ୍ତି ଯାହାର ବୟଷ ୨୨ ବର୍ଷ ପାଖାପାଖି ଅଟେ । ତାଙ୍କ ନାମ ହେଲା ଟୁନା ମଳିକ । ଏହି ଯୁବକ ଅଧିକାଂଶ ଭାବରେ ଆମ ଗାଁର ସୁବିଧା ବା ଅସୁବିଧାରେ ଥିବା ଲୋକଙ୍କ ପାଇଁ ଚିନ୍ତା କରନ୍ତି ଏବଂ ସମସ୍ତଙ୍କୁ ସାହାର୍ଯ୍ୟ ମଧ୍ୟ କରନ୍ତି ଯଦି ତାହା ତାଙ୍କ ପକ୍ଷରେ ସମ୍ଭବ ଅଟେ । ଏହା ବ୍ୟତିତ ଆମ ଗାଁରେ ସମସ୍ତ ଲୋକ ପରସ୍ପରକୁ ସାହାର୍ଯ୍ୟ କରିଥାନ୍ତି ।

ଆମ ଗାଁର ଲୋକମାନେ ଜଙ୍ଗଲରୁ ଜାଳେଣି କାଠ ଆଦାୟ କରି ନିଜେ ବ୍ୟବହାର କରନ୍ତି ଏବଂ କିଛି ଲୋକ ବିକ୍ରି ମଧ୍ୟ କରନ୍ତି । ଆମ ଗାଁ ଜଙ୍ଗଲରୁ ବିଭିନ୍ନ ପ୍ରକାରର ଫଳ ମଧ୍ୟ ମିଳିଥାଏ ସେମାନଙ୍କ ମଧ୍ୟରୁ ଆମ୍ବ, କଇଠ, କୁସୁମ, ବାଆଡ଼ା ପ୍ରଧାନ । ଘର ତିଆରି ପାଇଁ ଆମେ ଅଧିକାଂଶ ଜଙ୍ଗଲ ଉପରେ ହିଁ ନିର୍ଭର କରିଥାଉ । ଜଙ୍ଗଲ ଭିତରେ ହିଁ ଆମର ବଗଡ଼ପଦର ଆଦି ରହିଛି ଏଣୁ ଆମେ ଜଙ୍ଗଲକୁ ଅଧିକ ପରିମାଣରେ ନିର୍ଭର କରିଥାଉ ।

ଯଦି ଆମ ଗାଁରେ କୌଣସି ସ୍ଥାସ୍ୟ ସମସ୍ୟା ହୁଏ ତେବେ ଆମ ଗାଁର ଲୋକମାନେ ଡ଼ାକ୍ତରଖାନାକୁ ଯାଆନ୍ତି । ଆମ ଗାଁରେ କିମ୍ବା ଆମ ଗାଁ ପାଖାପାଖି ଅଞ୍ଚଳରେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ର ଦେଖିବାକୁ ମିଳେ ନାହିଁ । ଆମ ଗାଁ ଠାରୁ ୧୩ କିଲୋମଟର ଦୂରରେ ବା ଅଡ଼ବାରେ ଗୋଟିଏ ବାକ୍ତରଖାନା ଅଛି । ଏଠାକୁ ଆମେ ଚିକିତ୍ସା ନିମନ୍ତେ ଯାଇଥାଉ । କିଛି ଲୋକ ଅଛନ୍ତି ଯାହାରକି ଆର୍ଥିକ ଅବସ୍ଥା ଖରାପ ସେମାନେ ଡ଼ାକ୍ତରଖାନା ନ ଯାଇପାରି ବୈଦଙ୍କଠାରୁ ଔଷଧ ଆଣି ସେବନ କରନ୍ତି ।

ଆମଗାଁ ବିଦ୍ୟାଳୟରେ ସ୍ୱାଧିନତା ଦିବସ, ସାଧାରଣତନ୍ତ୍ର ଦିବସ ଏବଂ ଅନ୍ୟାନ୍ୟ ଦିବସ ଏବଂ ବିଭିନ୍ନ ପ୍ରକାରର ପୂଜା ପର୍ବ ମଧ୍ୟ ପାଳନ କରାଯାଏ । ଏହି ବିଦ୍ୟାଳୟ ସପ୍ତାହକୁ ଥରେ ଛୁଟି ହୋଇଥାଏ । ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ସରକାରଙ୍କ ସମସ୍ତ ନିୟମମାନି ଚଳନ୍ତି ।

ଘରର ସମସ୍ୟା ଏବଂ ଆର୍ଥିକ ଦୁର୍ବଳତା ହେତୁ ଆମ ଗାଁର କିଛି ପିଲା ପାଠ ପଢ଼ିପାରୁ ନାହାନ୍ତି । ସେମାନେ ହେଲେ – ସନ୍ଧ୍ୟା ମଳିକ, ଟୁନିତା ମଳିକ , ଜିତୁ ମଳିକ, ସଞ୍ଜିବ ମଳିକ। ଆମ ଗାଁର ପାଠ ପଢ଼ୁନଥିବା ପିଲାମାନେ ବଗଡ଼-ପଦରରେ କାମ କରନ୍ତି, କୁଲ୍ଲି କାମ କରନ୍ତି ଏବଂ ଘରର ସମସ୍ତ କାମ ମଧ୍ୟ କରନ୍ତି । ଏହାବ୍ୟତିତ ବିଦେଶ ଯାଇ କିଛି ଟଙ୍କା ରୋଜଗାର କରନ୍ତି ।

ଆମ ଗାଁରେ ଲୋକ ହିନ୍ଦୁ ହୋଇଥିଲେ ମଧ୍ୟ ଆମ ଗାଁରେ ଗୋଟିଏ ମଧ୍ୟ ମନ୍ଦିର ନାହିଁ । ଏଠାରେ ମସ୍‌ଜିଦ୍ କିମ୍ବା ଗୀର୍ଜା ମଧ୍ୟ ଦେଖିବାକୁ ମିଳେ ନାହିଁ ।

ଆମ ଗାଁର ସବୁଠୁ ବଡ଼ ସମସ୍ୟା ହେଲା ଆମ ଗାଁରେ ୫ଟି କୂପ ଏବଂ ଗୋଟିଏ ନଳକୂପ ରହିଛି । ଏହି ୫ଟି କୂପ ମଧ୍ୟରୁ ୩ଟି କୂପର ପାଣି ପିଇବା ଅନୁପଯୋଗ୍ୟ ଅଟେ ଏବଂ ଖରା ଦିନ ଆସିବା ମାତ୍ରେ କିଛି କୂଅର ପାଣି ଶୁଖିଯାଏ । ତେଣୁ ଆମ ଗାଁରେ ଜଳର ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ । ଏହାବ୍ୟତିତ ଆମ ଗାଁର ଲୋକ ରୋଗରେ ପୀଡ଼ିତ ହେଲେ ତାଙ୍କୁ ବହୁଦୂର ଡ଼ାକ୍ତରଖାନା ନେବାକୁ ପଡ଼ିଥାଏ । ଏମିତିରେ କାହାର ଜୀବନ ମଧ୍ୟ ଚାଲି ଯାଇଥାଏ । ଏଣୁ ଆମ ଗାଁରେ ଡ଼ାକ୍ତରକାନାର ସମସ୍ୟା ମଧ୍ୟ ରହିଛି ।

ପର୍ବପାଳନ ଆମ ସାମାଜିକ ଓ ବ୍ୟକ୍ତିଗତ ଜୀବନର ଏକ ଚିରନ୍ତନ ପ୍ରଥା । ଏହା ଦ୍ୱାରା ସାମାଜିକ ଓ ବ୍ୟକ୍ତିଗତ ଜୀବନର ଏକ ସ୍ପଷ୍ଟ ଚିତ୍ର ପ୍ରତିପ୍ରଳିତ ହୁଏ । ପର୍ବପର୍ବାଣୀ ପାଳନ ଆମ ଗାଁର ଧାର୍ମିକ ଚେତନାର ପରିଚୟ ଦିଏ । ପ୍ରତ୍ୟେକ ଗାଁର ଅଧିଷ୍ଠାତ୍ରୀ ଦେବୀ ବା କ୍ଷେତ୍ରାଧିପତି ଦେବତା ଜଣେ ଥାଆନ୍ତି । ଏହିପରି ଆମ ଗାଁରେ ମଧ୍ୟ କ୍ଷେତ୍ରାଧିପତି ଦେବତା ପୂଜା ପାଆନ୍ତି ଯାହାଙ୍କୁ ଆମେ “ଗୁଙ୍ଗି” ଏବଂ “ବାସାପିନୁ” ବୋଲି କହିଥାଉ । ଏହି ଦେବତା ଆମ ଗାଁରେ ୩ ବର୍ଷକୁ ଥରେ ପୂଜା ପାଆନ୍ତି । ଗାଁର ସମସ୍ତ ଲୋକଙ୍କ ମିଳନରେ ବା ଏକତ୍ରିତରେ ଏହି ପୂଜାଟି ଆରମ୍ଭ ହୋଇଥାଏ । ଏହି ପୂଜାରେ ଆମ ଗାଁର ସମସ୍ତ ଘର ସଫା ସୁତୁରା, ଲିପାଫୋଛା କରାଯାଏ ଏବଂ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଏ । ଏହା ବ୍ୟତିତ ଭୂମିପୂଜା, ଗୁଙ୍ଗିପୂଜା, ଚଇତି ମଙ୍ଗଳବାର ଇତ୍ୟାଦି ପୂଜା ଆମ ଗାଁରେ କରାଯାଏ ଏବଂ ବାହାଘର, ଜନ୍ମଦିନ, ଏକୁସିଆ ଏବଂ ନୂଆବର୍ଷ ବା ନୂତନବର୍ଷ ମଧ୍ୟ ପାଳନ କରାଯାଏ । ଏହି ପର୍ବମାନଙ୍କରେ ଆମ ଗାଁ ଲୋକେ ଅଭୀଷ୍ଟ ଫଳ ପ୍ରଦାନ ନିମନ୍ତେ ପ୍ରାର୍ଥନା କରନ୍ତି । ତେଣୁ ଏଥିରେ ଆମର ଆଧ୍ୟତ୍ମିକ ଚେତନା ପ୍ରକାଶିତ ହୁଏ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପୂଜା, ସେମାନଙ୍କଠାରୁ ଫଳପ୍ରାପ୍ତି, ପ୍ରତ୍ୟେକ କ୍ଷେତ୍ରରେ ଜୟଲାଭର ଆଶା ଆମ ଗାଁ ପୁରାଣ ଶାସ୍ତ୍ରର ବିଷୟ ବସ୍ତୁକୁ କେନ୍ଦ୍ରକରି ରହିଛି ।

ଦ୍ୱିତୀୟତଃ ବର୍ଷସାରା ଖଟି ଖଟି କର୍ମକ୍ଲାନ୍ତ ମଣିଷ ଏହି ପର୍ବପର୍ବାଣୀର ଆନନ୍ଦମୁଖର ପରିବେଶକୁ ଚାହିଁଥାଏ । ପୂଜା ଅର୍ଚ୍ଚନା, ପିଠାପଣା, ବନ୍ଧୁଗୃହ ବୁଲିଯିବା ଭିତରେ ସେ କଷ୍ଟ ଭୁଲିଯାଏ । ତୃତୀୟତଃ ପର୍ବପର୍ବାଣୀ ପାଳନରେ ଏକତା, ଭାତୃଭାବ ଓ ସହଯୋଗ ମନୋଭାବ ବୃଦ୍ଧିପାଏ । ଏକତ୍ର ପର୍ବପାଳନରେ ଭାବର ଆଦାନ ପ୍ରଦାନ ଘଟେ । ସାମାଜିକ ପରମ୍ପରା, ଧର୍ମନୀତି ଓ ସଂସ୍କୃତିର ସ୍ମରଣ ଓ ସାଧନ ମଧ୍ୟ ପର୍ବ ପାଳନରେ ଏକ ଉଦ୍ଦେଶ୍ୟ । ଦୁର୍ନୀତି ଓ ଅନ୍ୟାୟ ଭିତରେ ମଣିଷ ଯେତେବେଳେ ପଥଭ୍ରଷ୍ଟ ହୁଏ, ସେତେବେଳେ ପର୍ବପର୍ବାଣୀର ମୂଳନୀତି ଏବଂ ଭାବଧାରା ତାକୁ ଉତ୍ତମ ମାର୍ଗ ପ୍ରଦର୍ଶନ କରିଥାଏ ।

ଏସବୁକୁ ଅନୁଧ୍ୟାନ କରି ଆମ ଗାଁରେ ଗୋଟିଏ ସୁନ୍ଦର ପର୍ବ ପାଳନ କରାଯାଏ ଯାହାକୁକି ଆମେ ରେମା ବା ସଡ଼୍ରା ବୋଲି କହିଥାଉ । ବର୍ଷା ଋତୁରେ ଆରମ୍ଭରେ ଏହି ପର୍ବ ପାଳନ କରାଯାଏ । ଏହି ପର୍ବ ଆମ ଗାଁ ରେ ସାତ ଦିନ ଧରି ଚାଲିଥାଏ । ଏହି ପୂଜା ଆମ ଗାଁର ପୂଜାରୀଙ୍କ ଦ୍ୱାରା କରାଯାଏ ଯାହାଙ୍କୁ ଆମେ “ଗୁତେଞ୍ଜ” ବା “ଜାନି” କହିଥାଉ । ଏହି ପର୍ବରେ ଆମ ଗାଁର ମହିଳା, ସ୍ତ୍ରୀ ଲୋକମାନେ ଏବଂ ଛୋଟ ପିଲା ମାନେ ମଧ୍ୟ କୁଣ୍ଡୁତିଆ (ଗୋଟିଏ ପ୍ରକାରର କଟକ ଲୁଗା) କୁ ଅତି ସୁନ୍ଦରରେ ସଜେଇ ପରିଧାନ କରନ୍ତି । ଗୋଡ଼ରେ ଘୁଙ୍ଗୁର ଭଳି କିଛି ପିନ୍ଧନ୍ତି ଯାହାକୁ ଆମେ “ଲର୍‌ଗାଗଲ” ବୋଲି କହିଥାଉ ଏବଂ ହାତରେ ମୟୂରଚୂଳ ଧରି ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରନ୍ତି । ବିଭିନ୍ନ ପ୍ରକାରର ଗୀତ ମଧ୍ୟ ଆମ କୁଇ ଭାଷାରେ ଗାଇଥାନ୍ତି ।

ଆମ ଗାଁରେ ପର୍ବପର୍ବାଣୀ, ଭୋଜି ଭାଜଣ ଇତ୍ୟାଦିରେ ଆମକୁ ବହୁତ ଆନନ୍ଦ ଅନୁଭବ ହୋଇଥାଏ । ଆମ ଗାଁର ଏକତା ଭାବ, ବନ୍ଧୁତ୍ୱଭାବ ସବୁକୁ ଦେଖିଲେ ମୋତେ ବେଶୀ ଖୁସି ଲାଗିଥାଏ । ଆମ ଗାଁରେ ଯଦି କାହାର ଦେହାନ୍ତ ହୁଏ ସେହି ସମୟରେ ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଅଟେ । ଯଦି ଆମ ଗାଁର କୌଣସି ଝିଅ ଅନ୍ୟ ଗାଁକୁ ବୋହୁ ହୋଇଯାଏ ତେବେ ଦୁଃଖ ଲାଗିଥାଏ । ଦୁଃଖ ହେବାର କାରଣ ଏହାକି ଯେ- ତାଙ୍କ ଭଲପାଇବା ସ୍ନେହ, ମମତା ଇତ୍ୟାଦି ମନେପଡ଼େ ଏବଂ ଆମ ପରିବେଶ ଛାଡ଼ି ଯିବ ଅନ୍ୟ କେଉଁ ଜାଗାକୁ । ଜଣଙ୍କର ଦୁଃଖର ସମୟରେ ଏବଂ ସୁଖର ସମୟରେ ମଧ୍ୟ ଆମ ଗାଁର ସମସ୍ତ ଲୋକ ତାର ସାଥି ଦିଅନ୍ତି ।


Share Samadhwani
Support Samadhwani

About ପ୍ରଭାତି ମଲ୍ଲିକ

Student Journalist

Check Also

“ଭୂ ପାଲିନି- ଭୂପାଲି”

Share Samadhwani‘ଭୂପାଲି’ ରାଗକୁ ବର୍ଣ୍ଣନା କରିବାକୁ ଯାଇ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଅନ୍ୟତମ ଗୁରୁ ‘ଶ୍ରୀ ଧନେଶ୍ୱର ଦାସ’ କହିଥିଲେ …