ଆମ ଓଡ଼ିଆଙ୍କ ଖିଆପିଆ ବାଗ

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 290 Views
38 Min Read

ସର୍ବ ମଙ୍ଗଳ ଜଗନ୍ନାଥ

[box type=”shadow” align=”” class=”” width=””]ଖାଦ୍ୟ ଆମ ସଂସ୍କୃତିର ମୁଖ୍ୟ ବିଷୟ। ଯଦି ମନଜାଣି ସୁଆଦିଆ ଖାଦ୍ୟଟିକେ ମିଳିଯାଏ ପିଲା ଠୁ ବଡ଼ ସମସ୍ତଙ୍କ ମନ ବେଶ ଆନନ୍ଦ । ପର୍ବ ପର୍ବାଣି, ଉତ୍ସବ, ବଜାର ସବୁଠି ଖାଦ୍ୟ ପାଖରେ ହିଁ ଭିଡ଼। ହେଲେ ଖାଦ୍ୟ ସମ୍ପର୍କରେ ଚର୍ଚ୍ଚା ଆଲୋଚନା, ଗବେଷଣା ବହୁତ କମ । ଓଡ଼ିଆରେ ଖୋଜିଲେ ବି ଖାଦ୍ୟ ସଂସ୍କୃତି ସମ୍ପର୍କରେ ପୁସ୍ତକଟିଏ ମିଳିବା ବହୁତ କଷ୍ଟ । ଏମିତି ସମୟରେ ଆମେ କେତେଜଣଙ୍କୁ ଅନୁରୋଧ କରି ସେମାନଙ୍କ ପିଲାଦିନର ଖାଦ୍ୟକୁ ନେଇ ଅନୁଭୂତିକୁ କେବଳ ଲିପିବଦ୍ଧ କରିବାପାଇଁ ପ୍ରୟାସ ଆରମ୍ଭ କରିଛୁ । ବିଶିଷ୍ଟ ଜୈବଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ ନିଜର ପିଲାଦିନର ଖାଦ୍ୟପେୟର ଅନୁଭୂତିକୁ ଲେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାକୁ ସେ ଧାରାବାହିକ ଭାବେ ଲେଖିବେ। ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପିଲାଦିନରୁ ଖାଦ୍ୟକୁ ନେଇ ସେ ଯାହା ସବୁ ଦେଖି ଆସିଛନ୍ତି ଏଥିରେ ସବୁ କଥା ଲିପିବଦ୍ଧ ହେବ । ସମଧ୍ୱନି ଏଥିପାଇଁ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କ ନିକଟରେ କୃତଜ୍ଞ। – ସମ୍ପାଦକ [/box]

ଓଡ଼ିଆ ଗଣ୍ଡେ ଭଲ ଖାଏ । ସେଇଥିପାଇଁ କଥା କଥାକେ କୁହାକୁହି ହୁଅନ୍ତି ଓଡ଼ିଆଙ୍କର ପେଟେଇ ଜଗନ୍ନାଥ । ଆମେ ପରା ପହିଲି ଭାତ ଗୁଣ୍ଡା ପାଟିକୁ ନେଲା ବେଳକୁ ପ୍ରଭୁ ଜଗନ୍ନାଥ କହୁଛୁ । ଧାନ ଗୌଣୀରେ ମାପିଲେ ଜଗନ୍ନାଥ, ଦୁଇ, ତିନି ଗଣୁଛୁ । ଜଗନ୍ନାଥ ଏକ ନମ୍ବର । ସେ ବଡ଼ ଠାକୁର । ତାଙ୍କ ଦେଉଳ ବଡ଼, ଦାଣ୍ଡ ବଡ଼, ଭୋଗ ବଡ଼ ଭୋଗ । ତାଙ୍କ ପେଟ ବି ବଡ଼ । ଷାଠିଏ ପଉଟି ଭୋଗ । ମୋ ବୋପାଲୋ। କେଡ଼େ ବଡ଼ ପେଟ ଜଗନ୍ନାଥଙ୍କର । ଶଂଖୁଡ଼ି ଭୋଗ, ଶୁଖିଲା ଭୋଗ, ଅଧରପଣା, କଂସାରେ ପଇଡ଼ ପାଣି । ଜଗନ୍ନାଥ ବି ଦାରୁ ଟିକେ ପାନ କରିବେ ତ । ଓଡ଼ିଶା ଜଗନ୍ନାଥ ଦେଶ । ପୁରୀ ଜଗନ୍ନାଥ ଧାମ, ଜଗନ୍ନାଥଙ୍କ ଖାନା ପିନାରୁ ଆମକୁ ଆରମ୍ଭ କରିବାକୁ ହେବ । ମୋର ଜଗନ୍ନାଥ ବା ଠାକୁର ଗୁଡ଼ାକ ସାଙ୍ଗେ ମୋଟେ ପଡ଼େନି । ଆପଣମାନେ ଜଗନ୍ନାଥଙ୍କୁ ଛାଡ଼ି କ’ଣ ଆଗକୁ ଯାଇ ପାରିବେ। ପ୍ରସାଦ ସେବନ କରି ଆଗକୁ ଯିବା ।

ଶ୍ରୀଜଗନ୍ନାଥ ହୋଟେଲ ପୃଥିବୀରେ ସବୁଠାରୁ ବଡ଼ ହୋଟେଲ । ସକାଳୁ ରାତି ଯାଏ ଅନବରତ ହଜାର ହଜାର ସଂଖ୍ୟାରେ ବଡ଼ ଦେଉଳକୁ ଧାଡ଼ି ବାନ୍ଧିବେ । ଠାକୁର ଦର୍ଶନ କରିବେ । ଅଭଡ଼ା ଖଳାରେ ମହାପ୍ରସାଦ ପାଇବେ । ଦିନକୁ ପାଞ୍ଚ ଦଶ ହଜାର ଭକ୍ତ ତ ବାୟା ହେଇ ଧାଇଁଥିବେ । ଅଶୋକା ହୋଟେଲ, ଓବ୍ରେଇ ହୋଟେଲର କୋଠା, ବାଡ଼ି ସାଜ ସଜ୍ଜାକୁ ମାର ଗୁଲି । ଆରେ ଏ ମହାପ୍ରସାଦ ଦେଉଳରେ ଯାହା ସେବା କଲେ ମାନେ ଖାଇଲେ । ପାର୍ସଲ କ’ଣ କମ୍ । ବାହା ଘର, ନିର୍ବନ୍ଧ, ବ୍ରତ ଶୁଦ୍ଧି ଶ୍ରାଦ୍ଧ, ବଂଧୁ ମିଳନ ବରାଦ ମହାପ୍ରସାଦ । ଆମକୁ ମାଲୁମ ନାହିଁ ଏତେ ବଡ଼ ହୋଟେଲ ୟୁନେସ୍କୋ ହେରିଟେଜ ଟ୍ୟାଗ୍‌ରେ ସ୍ଥାନ ପାଇଛି କି ନାହିଁ । ଖୁବ୍ ସମ୍ଭବ ଗିନିଜ ୱାର୍ଲଡ଼ ବୁକ୍‌ରେ ଜଗନ୍ନାଥଙ୍କ ହୋଟେଲର ନାଁ ଥିବ । ଥିଲେ ଭଲ କଥା । ନ ହେଲେ ସରକାର ଲାଗିଯିବେ । ଏଣିକି କଥାକୁ ଆସିବା । ମହାପ୍ରସାଦ ରୋଷେଇବାସ କଥା ଦେଖିବା ।

ଜଗନ୍ନାଥଙ୍କ ରୋଷେଇ ଶାଳରେ ବିଜ୍ଞାନ। ହଜାରେ ବର୍ଷରୁ ଅଧିକ ହେବ । ଜଗନ୍ନାଥଙ୍କ ମହାପ୍ରସାଦ କାରବାର ଚାଲିଛି, ଧୂପ ପରେ ଧୂପ ସକାଳୁ ରାତିଯାଏ । ବାଳ ଧୂପ, ମଧ୍ୟାହ୍ନ ଧୂପ, ରାତି ଧୂପ, ମଝିରେ ମଝିରେ ଶୁଖିଲା ଧୂପ । କେଡ଼େ ବଡ଼ ପେଟ ଆମ ବଡ଼ ଠାକୁରଙ୍କର । ବର୍ଣ୍ଣନା ଅଛି ଭୀମ ଶଗଡ଼େ ମଣ୍ଡା ଖାଇଦେଲା । ଆରେ ଆମ ଜଗନ୍ନାଥଙ୍କର ଦିନକର ଭୋଗ ୫୦ଶଗଡ଼ ହେବ । ତାଙ୍କର ପେଟ କ’ଣ ସବୁ ବେଳେ ଜଳୁଛି । କଥା ସେଠି ନାହିଁ । ତାଙ୍କର ଖାଦ୍ୟ ସହଜରେ ହଜମ ହୋଇଯାଉଛି । ହଜାର ବର୍ଷ ତଳୁ ଓଡ଼ିଆ ବିଜ୍ଞାନ ଭିତ୍ତିକ ରୋଷେଇ ଉଦ୍‌ଭାବନ କରିଛି । ମାଟି କୁଡୁଆରେ ରୋଷେଇ । କୁମ୍ଭାରପଡ଼ା କୁମ୍ଭକାର ମାନେ ସକାଳୁ ସକାଳୁ କୁଡ଼ୁଆ ବୋହିବେ ବୋହିବେ ବୋଲି ଦିନ ତମାମ ସେ ଯାତ୍ରା ଚାଲିଥିବ । କ’ଣ କେବେ ସମୟ ପାଆନ୍ତି ଜଗନ୍ନାଥକୁ ଟିକେ ଦର୍ଶନ କରିବେ ।“ ଆଜି ବେଳ ପାଇଲାନି କାଲି ଦେଖିବା” କହି କେବେ ବି ଦେଖିପାରି ନାହାଁନ୍ତି । ଆଗ କାଳେତ ଆମ ପୂର୍ବ ପୁରୁଷ ସମସ୍ତେ ମାଟି ପାତ୍ରରେ ହିଁ ରୋଷେଇ କରୁଥିଲେ । ମାଟି ହାଣ୍ଡି ରୋଷେଇ ସୁସ୍ୱାଦୁ, ସ୍ୱାସ୍ଥ୍ୟକର । ବେଶି ସମୟ ସତେଜ ରହିପାରେ । ଆଉ ଅଛି, ଆମେ ପରା ସଭ୍ୟ ହୋଇଗଲୁ । ମାଟି ହାଣ୍ଡିଗଲା । ରସ ବାସନରୁ ଆଲୁମିନିୟମ ବାସନରେ ରନ୍ଧାବଢ଼ା, ଖାଆପିଆ, ରୋଗଭୋଗ । ଦେଖୁନ କିମିତି ରାସ୍ତାକଡ଼ ଢାବାରେ ମାଟି ହାଣ୍ଡି ମାଂସ ତରକାରୀ ପାଖେ କେତେ ଭିଡ଼ । ଆରେ ନଈରେ ହଜେଇ ଗଡ଼ିଆରେ ଖୋଜିଲେ ଆଉ ନାହିଁରେ ବାପା ।

କୁଡ଼ୁଆ ବାହିହାଣ୍ଡି – ଅନ୍ନ ରୋଷେଇ ହବ । ଡାଲି, ବେସର, ମହୁର ପାଇଁ ମଝି ଆଳି କୁଡ଼ୁଆ । ଭାତ ୨/୩ ଆଂଜୁଳାକୁ ଡାଲି ୨/୩ ହତାରେ ତ ବୁଡ଼ି ପଡ଼ିବ । ସାଗ, ଖଟା ଚାଖୁଣିଆ କଥା । ଆହୁରି ଛୋଟ କୁଡ଼ୁଆ । ୮/୧୦ ସାଇଜର କୁଡ଼ୁଆ । ସରୁ ଅରୁଆ ଚାଉଳ । ଜଗନ୍ନାଥଙ୍କ ରୋଷେଇ ଟି! ଟେକ ଚାଉଳ ଆସିବ । ବାଲାମ, ପଦ୍ମକେଶରୀ, କାକୁଡ଼ିମଂଜି, ଶାଳଫୁଲ, ମୟୂରକଣ୍ଠିଆ, ରତ୍ନଚୁଡ଼ି ଭଳି ଧାନରୁ ତିଆରି ଢିଙ୍କିକୁଟା, ଅରୁଆ ଚାଉଳ । ଗୋପ, କାକଟପୁର ନିମାପଡା, ପିପିଲିର ଚାଷୀମାନେ ଓଡ଼ିଶାରେ ଏହିସବୁ ଧାନ ଅଧିକ ଚାଷ କରୁଥିଲେ । ସେମାନଙ୍କର ଗର୍ବ ତାଙ୍କ ଚାଉଳର ଭାତ ଜଗନ୍ନାଥ ଖାଉଛନ୍ତି । ଭଲ ଦି ପଇସା ପାଉଥିଲେ । ବାଲାମ ପଦ୍ମକେଶରୀ ଅରୁଆ ଚାଉଳ ଭାତ, ଥାଳିରେ ବାଢ଼ି ଦେଲେ ଥାଳିଏ ମଲ୍ଲୀ ଫୁଲ ପରି ଦିଶିବ । ଦେଖିଲେ ପେଟ ପୁରିଯିବ । ଗରମ ଭାତ ବଢା ହେଲା । ଘିଅଟିକେ ଭାତ ଉପରେ ବୁଲେଇ ଦେଲ । ଲେମ୍ବୁ ଅଛିତ ଟିକେ ଚିପୁଡ଼ି ଦବ, ସାମାନ୍ୟ ଅସ୍ତରଙ୍ଗ ଲୁଣ ପକାଇ ଡାଲି ତରକାରି ଲାଗିବ ତ ବେଳକୁ ଅଧ ଥାଳି ଏ ଭାତ ଉଠି ଗଲାଣି । ସେ ଯେଉଁ ମିଠା ଭାତ, ବାସନା ଚହଟି ଯାଉଥିବ । ଜଗନ୍ନାଥ ଠିକ୍ ଠଉରେଇଛନ୍ତି । ଯେତେ ଅମଳ କରୁ ଚାଷୀ ସବୁଜାକ ଜଗନ୍ନାଥଙ୍କ ହାଉଁକୁ ନିଅଣ୍ଟ । କେଉଟ ଧରେ ମାଛ ଖାଏ କଂକଡ଼ା । ଚାଷୀ ଭୁତିଆ, ରାଜବଲ୍ଲଭ, ଚଂପା, ଡାଳିପୋହଳା, ମାଛ କଣ୍ଟା ଭଳି ମୋଟା ଧାନ ଚାଉଳ ଖାଏ । ମୋଟା ଚାଉଳ ସିନା ନାଲି ଚାଉଳ, ପୁଷ୍ଟିସାର ଖୁନ୍ଦି ହୋଇଯାଇଛି । ଓଡ଼ିଶାର ପଖାଳ କଂସାର କାରାଧାନି ଦେଶୀ କଂସାଏ ଭୁତିଆ ଚାଉଳ ପଖାଳ ଭାତ । ଖୁଆ ପୁରିଆ କଳା କଣ୍ଟା ବାଇଗଣ ଗୋଟେ ଘରଣୀ ପୋଡ଼ି ଦେଇ ଥାଳିଆରେ ବାଇଗଣ ଚକଟା ଚକଟି କରି ଦୁଇ ଚାରି ଟୋପା ଘଣା ସୋରିଷ ତେଲ, ଗୋଟାଏ ସୂର୍ଯ୍ୟମୁଖୀ କଳା ଲଂକା ଭାଂଗି ଘାଣ୍ଟି ଦେଇ ଗିରସ୍ତଙ୍କ ପଖାଳ କଂସା ପାଖେ ଧୋଇ ଦେଲେ । ଆରେ କି ବାସନା, ଦାଣ୍ଡ ଲୋକେ ଏଣେ ତେଣେ ଚାହିଁଲେଣି “ଆରେ ଏ ବାସନାତ ଭୁତିଆ ଚାଉଳ ଭାତର ବାସନା” । କଂସାଏ ଭାତ ଗୋଟାଏ ବାଇଗଣ ପୋଡ଼ାରେ ଉଠିଯିବ । ସେ ଅଯୋଧ୍ୟା ନାହିଁ କି ସେ ରାମରାଜ୍ୟ ନାହିଁ । ବିଜ୍ଞାନ ସବୁ ଖାଇଗଲା । ଏଇ ମୋଟା ଚାଉଳ ନାଲି ଭାତ ଖାଇ ଦିନକୁ ଦଶଘଣ୍ଟା ଜମିରେ ଖଟୁଥିଲା ଓଡ଼ିଆ । କୋଣାର୍କ, ପୁରୀ, ଲିଙ୍ଗରାଜଙ୍କ ଦେଉଳକୁ ପଥର ଟେକୁଥିଲା ସେମିତି ମର୍ଦ୍ଦ ହେଇଥିଲା ନା । ବଳି ହେଲା ଭଳି ଚେହେରା । କାଠିଏ ବଳ । ଆଉ ଅଛି, ଆଜି ପତରଟିଏ ଉଠାଇବା କଥା କହିଲେ ଟୋକାଏ ଭିଡ଼ି ମୋଡ଼ି ହେଲେଣି । ଖାଅ ପିଜା, ପିଅ କୋକାକୋଲା । ଭୋଗୁଥାଅ ରୋଗ । ଜଗନ୍ନାଥଙ୍କ ରୋଷେଇ କଥାରୁ ଆମେ ଗରିବର ପାଖଳ କଂସାରେ ପହଞ୍ଚିଲେଣି । ଆରେ ଆଜିକାଲି ପୁଣି ଗୋଟେ ଫେସନ ବାହାରିଲାଣି । ଖରାଦିନେ ପଞ୍ଚତାରକା ହୋଟେଲରେ ପଖାଳ ଖିଆ । ଯେତେ କରନ୍ତୁ ଭୁତିଆ ଚାଉଳ ନ ପାଆନ୍ତି । ସେଇ ପେଟୁଆ ବିହନର ଚାଉଳ ୧୦୦୯, ପୂଜା, ସାରଳା ଭାତ । ନାହିଁ ମିଠା, ନାହିଁ ବାସନା, ନାହିଁ ବଳ । କେବଳ ଅଛି ପଇସାବାଲାଙ୍କର ଏହି ଖତରା ପଖାଳ ଭାତ ପାଇଁ ଭିଡ଼, ହୋଟେଲର ବେପାର । ଅଚଳ ଦୋଣୀ ଚଞ୍ଚଳ ଚଳେ । ପାଠକେ ମହାପ୍ରସାଦ ରନ୍ଧାବଢ଼ା କଥାରୁ ଧାନ ଚାଉଳ ଆଡ଼େ, ମାଡ଼ି ଯାଉଛି । ହେଲେ ସବୁ ସେଇ ପେଟ ଚାଖଣ୍ଡକ ପାଇଁ । ସୁଆଦିଆ ହେଲେ ଭୋଜନ ଜମିବ । ଟିକେ କଥାକୁ ସୁଆଦିଆ କରିବାକୁ ଯାଉ ଯାଉ ଅତି ଲେମ୍ବୁ ଚିପୁଡ଼ିଲେ ପିତା । ଧେତ୍ ଏକଥା ଏତିକିରେ ଥାଉ । ମହାପ୍ରସାଦକୁ ପୁଣି ଫେରିବା ।

କୁଡ଼ୁଆ ତ ଜମା ହୋଇଗଲା । ସୁପକାରମାନେ ଗାମୁଛା ପିନ୍ଧି ଅଣ୍ଟାରେ ଗାମୁଛା ଭିଡ଼ିଥିବେ । ମୁହଁରେ ଗାମୁଛା ଗୁଡ଼େଇ କାମରେ ଲାଗିଯିବେ । ସଫା ସୁତୁରା । ଦୁଇ ଚାରି ବୁଡ ମାରି ଗାଧୋଇ ପାଧୋଇ ଆସି ଧାଡ଼ି ଲଗାଇବେ, ମୁଁ ଯାହା ଦେଖିଛି ପ୍ରାୟଙ୍କର ଠୁଙ୍ଗୁରା ଦିହ । ପେଟ ଟିକେ ଆଗକୁ ବାହାରି ପଡ଼ିଥିବ । ଖାଲି ଗୋଡ଼ । ସ୍ୱାସ୍ଥ୍ୟ ରକ୍ଷାର ନିୟମ ସ୍କୁଲରେ ପଢ଼ା ହୁଏ । ମାତ୍ର ଏମାନେ ସବୁ ଓଳିଆରୁ ପଡ଼ି ଗଜା । ପିଢ଼ି ପରେ ପଢ଼ି ଏକାମ କରୁଛନ୍ତି ତ । ସେମାନଙ୍କର ଅଭିଜ୍ଞତାରୁ ଆମେ ବିଜ୍ଞାନ ଶିଖିବା । ବସ୍ତା, ବସ୍ତା ଚାଉଳ ଡେରା ହେଇଛି । ଦଶ ପନ୍ଦର କିସମର ପରିବା । କାନପୁର ବଡ଼ ଫାଳ ହଉଡ଼ ଡାଲି । ଗୁଆ ଘିଅ । ଅସ୍ତରଂଗ ମୋଟା ଲୁଣ । ଜଗନ୍ନାଥଙ୍କର ତ ହଜମକ୍ରିୟା ଖୁବ୍ ଜୋର୍‌ଦାର । ସାରୁ ତାଙ୍କ ବେସର, ମହୁରରେ ବଡ଼ ପରିବା । ସାରୁ ଗୋଟେ ମିଷାଣ ପରିବା । ଆମ ଓଡ଼ିଶାରେ ଶଂଖସାରୁ, ମାଁକେଡ଼ିସାରୁ, ମୁକ୍ତାକେଶି ସାରୁ ଅନେକ କିସମର ସାରୁ ଚାଷ ଅଛି । ପାକଶାଳାରେ ଖାତିର ବି ଅଛି । ସାରୁ ବାଦ ମାଟିଆଳୁ, କଖାରୁ, କଂଚା କଦଳୀ, ବାଘ ଲଖିଆ, ବଡ଼ ବନ୍ତଳ, ମେଣ୍ଢି ବନ୍ତଳ, ପୋଟଳ, ଝୁଡ଼ଙ୍ଗ, କାଂକଡ଼, ବିଲାତି ବାଇଗଣ ଭଳି ନାନା ଜାତିର ପରିବାର ସମାହାର । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳରୁ କାକଂଡ ଶଗଡ଼ ଦେଉଳକୁ ଆସୁଥିଲା । ଜଗନ୍ନାଥ ଜଗତର ଠାକୁର ବୋଲି ଡାକୁ । ମାତ୍ର ସେ ତୀବ୍ର ଜାତୀୟତାବାଦି । ବର୍ତ୍ତମାନ ଶାସକ ଗୋଷ୍ଠୀଙ୍କ ଭଳି । ଗୋଲ ଆଳୁ, ଅମୃତଭଣ୍ଡା, ପିଆଜ, ବିଲାତି ବାଇଗଣ,କୋବି ଏ ସବୁର ଦେଉଳ ପ୍ରବେଶରେ ରୋକ ଲାଗିଛି । କାହିଁକି ନା ଏମାନେ ଭାରତୀୟ ପରିବା ନୁହଁନ୍ତି । ପର୍ତ୍ତୁଗିଜମାନେ ଭାରତରେ ଆସ୍ଥାନ ଜମେଇଲା ବେଳେ ପର୍ତ୍ତୁଗାଲରୁ ଏମାନଙ୍କ ମଂଜି ଭାରତକୁ ଆଣିଥିଲେ । ଏହା ୧୫ଶ ଶତାବ୍ଦୀ କଥା । ସେହିପରି ଆଳୁ ଅଷ୍ଟାଦଶ ଶତାବ୍ଦୀରେ ଭାରତରେ ପ୍ରବେଶ କରେ । ଏମାନେ ସବୁ ବିଦେଶୀ । ଜଗନ୍ନାଥଙ୍କ ସ୍ୱଦେଶୀ ନୀତି ଏବେ ବି ବଳବତ୍ତର । କିଛି ଡାଇବେଟିସ୍ ରୋଗୀ ଅମୃତଭଣ୍ଡା ପାଇଁ ଓକିଲାତି ଆରମ୍ଭ କରିଛନ୍ତି । ଅମୃତଭଣ୍ଡା ସହଜରେ ହଜମ ହୁଏତ । ଆରେ ଜଗନ୍ନାଥଙ୍କର ତ ପେଟରେ ନିଆଁ ଜଳୁଛି । ପଥର ଖାଇ ସେ ପାର କରିଦେବେ । ସଧାରଣ ଭାବେ ବହୁଦିନ ଯାଏ ଅମୃତଭଣ୍ଡା ତରକାରି ପାଇଁ ବ୍ୟବହାର ନ ଥିଲା । ପାଚିଲା ଅମୃତଭଣ୍ଡାର ଆଦରଥିଲା । ଏବେ ଷାଠିଏ ସତୁରି ବର୍ଷ ହେଲା ବହୁ ମୂତ୍ର ଓ ଅଗ୍ନିମାନ୍ଦ୍ୟ ରୋଗର ବହୁଳତା ଯୋଗୁଁ ଅମୃତଭଣ୍ଡା ଉପରେ ମାଡ଼ । ବଡ଼ି, ନାଡ଼ି ଜଗନ୍ନାଥଙ୍କ ବେସରରେ ପଡ଼ି ତାର ସ୍ୱାଦ ବଢ଼ାଇଥାଏ । ଆମେ ଆଗରୁ କହିଛୁ ଓଡ଼ିଆ ଖାଉଆ ଜାତି । ମାହାଲ ପଛେ ନିଲାମ ଯାଉ ବଡ଼ ମାଛ ମିଳିଲା, ଇଲିସି ଶୀତ ଦିନେ ଆସିଲା । ପାଟକପୁରା କଦଳୀ ଦେଖିଲେ ଧଇଲେ । ଖାଇବାପିଇବାରେ ଧନୀ ଗରିବ, ପଇସା ଅଛି ନ ଅଛି, କାଲି ପାଇଁ ରଖିବା ଏ ସବୁ ବିଚାର ନାହିଁ । ପେଟେଇ ଜଗନ୍ନାଥ ।

ଗୋଟିଏ ସତ କଥା ଆମେ ଏଠାକୁ ଆଣୁଛୁ । କ୍ଷୀର ବା ପାୟସ ଓଡ଼ିଶାରେ ଉଚ୍ଚ ନୀଚ, ଧନି, ଗରିବ ମୁସଲମାନ ଏପରିକି ଦଳିତ ଘରେ ମଧ୍ୟ ଆଦର । ମାଣବସା ଗୁରୁବାର । କ୍ଷୀରି, ଖେଚୁଡ଼ି । ପୁଅ ଝିଅ ଜନ୍ମ ଦିନ କ୍ଷୀରି । ଦଶହରା, ରଜ, ବାର ମାସରେ, ତେର ପର୍ବରେ କ୍ଷୀରି, ବାହା, ବ୍ରତ, ନିମନ୍ତ୍ରଣରେ ଶେଷ ଆଇଟମ୍ କ୍ଷୀରି ପିଠା ବା କ୍ଷୀରି, ଅମାଲୁ । ଆମ ଗାଁର ମୂଷା ଶତପଥୀ । ସ୍ତ୍ରୀ ହାଡ଼ିନାନୀ, ଏକାଗାଁର । ମୂଷା ଶତପଥୀଙ୍କର ୪/୫ ଏକର ଜମି ଥାଏ । ଆମ ହାଡ଼ିନାନୀ ଭଲ ରନ୍ଧାବଢ଼ା କରେ । ମୂଷା ପିଇସାଙ୍କର ଖାଇବା ଶୋଇ ଘୁଙ୍ଗୁଡ଼ି ମାରିବା ନିତି ଦିନର ଅଭ୍ୟାସ । କୁଟା ଖଣ୍ଡକ ଦିଖଣ୍ଡ କରନ୍ତନି । ଅଳସୁଆଙ୍କ ସର୍ଦ୍ଦାର । ବସି ଖାଇଲେ ନଈ ବାଲି ସରେ । ଜମି ବିକି ତେଜରାତି, ମାଛ, କ୍ଷୀର କିଣା । ଏମିତି ହେଲା ଦେଖୁ ଦେଖୁ ସବୁ ଯାଇ ଘରଡିହ ଖଣ୍ଡିକ ମାତ୍ର ବଂଚିଛି । ଆରେ ପେଟ କ’ଣ ଏକଥା ବୁଝୁଛି । ହାଡ଼ି ନାନୀ କରେ କ’ଣ? ବସିଛ କ’ଣ । ସବୁତ ବିକିଭାଂଗି ଖାଇ ଗଲ । ଏବେ ବ୍ରାହ୍ମଣ ପିଲାତ ଭିକ ମାଗିବା ଆରମ୍ଭ କର ।” ହାଡ଼ି ନାନୀ ଆମର ନିଜେ ଭଲ ଖାଇବାରେ ଓସ୍ତାଦ୍ । ଚାଲୁଣୀ କହୁଛି ଛୁଞ୍ଚିକି । ଦିହେଁ ଗୋଟିଏ ଘରର ପାରା । ଭିକ ମଗା ଚାଲିଲା । ଚାଉଳ ଦିନକୁ ୩/୪ ସେର ହୁଏ । ସେତ ମାମୁଁ ମାଈଁ ଦିଟା ପେଟ । ଦିନକୁ ସେରେ ଚାଉଳ ହେଲେ ବଳିପଡ଼ିବ । ଦିନେ ଲଗାଣ ବର୍ଷାରେ ଭିଜି ଚାଉଳ ସେରେ ଖଣ୍ଡେ ମିଳିଛି । ଅରୁଆ ଚାଉଳ ପାଏ ଖଣ୍ଡେ ମୂଷା ପିଇସା ଗାମୁଛାରେ ଅଲଗା ଗଣ୍ଠି ପକାଇଛି । ହାଡି ନାନୀ ଅରୁଆ ଚାଉଳ ଦେଖି କି ଖୁସୀ ।” ହେଇଟି ଶୁଣମ । ଏ କଳାଜିରି ଚାଉଳ । କିମିତ ବାସୁଛି । କ୍ଷୀରିକି ଚାହିଁଛି ।” ଧେତ୍ ଆଲୋ କ୍ଷୀରି ପାଇଁ ପଇସା କାହିଁ? ସେକାଳେ ହାତରେ ଇଙ୍କଫଳ ପିନ୍ଧୁଥିଲେ । ହାଡି ନାନୀ ଦିନେ ଇଲିସି ମାଛ କିଣିବା ପାଇଁ ପଟେ ବଟଫଳ କେଉଟକୁ ଦେଇ ସେରେ ଇଲିସି କିଣିଥିଲା । ଆରପଟ ବଟ ଫଳକୁ କାଢ଼ି ନାନୀ ପିଇସାକୁ ବଢ଼ାଇ ଦେଲା, ନିଅ ବଟ ଫଳ ଦୋକାନରେ ଦେଇ ଚିନି ଆଣିବ । ଦୋକାନି ଆଉ ଯାହା ପଇସା ଦବ ନିଳା ଗଉଡ଼ ଠାରୁ ସେରେ କ୍ଷୀର ଆଣିବ ।” ସେଇ ବର୍ଷାରେ ପଖିଆ ଦେଇ ଥୁରୁଥୁରୁ ମୂଷା ପିଇସା ବରାଦ ମୁତାବକ କାମ କଲେ । ହାଡି ନାନୀ କ୍ଷୀରି କଲେ । ଦୁହେଁ ଖାଇଲେ । ସେମାନେ ଦିହେଁ ଆଖି ବୁଜିଲେଣି । ଖାଇ ଖାଇ ଶେଷକୁ ଘରଡିହ ବିକି ଖାଇଗଲେ । ହାଡି ନାନୀ ବଟ ଫଳ ବିକା ଓ କ୍ଷୀରିଖିଆ କଥାଟି କିନ୍ତୁ ଏବେ ବି ବଂଚିଛି । ଖାଇବାରେ ଓଡ଼ିଆର ସାଲିସ ନାହିଁ।

ବଡ଼ ଠାକୁରଙ୍କ ନିତିରେ ବି କ୍ଷୀରି, କ୍ଷୀରା, କ୍ଷୀରରେ ୪/୫ ରକମ ପ୍ରସାଦ ବି ହୁଏ । ଛପନ ପ୍ରକାର ଷାଠିଏ ପଉଟି ପ୍ରତିଦିନର ଭୋଗଟି । ଠାକୁରଙ୍କ ନାଁ ମଣିଷର ଗାଁ । ଠାକୁରିଆ ଲୋକେ ଯାହା ଖାଆନ୍ତି ତାଂକ ଠାକୁର ମଧ୍ୟ ତାଙ୍କର ଆଶ୍ରିତ । ତାହା ହିଁ ଖାଇବେ । ହେଲେ ବଡ଼ ଠାକୁର ନିରାମିଷାଶୀ । ଭାତ, ଏକ ନମ୍ବର ଡାଲି, ବେସର, ମହୁର, ଶାଗ, ପାଚେଡ଼ି, ଅମାଲୁ, କାକରା ସରପୁଳି ଦାମିକା ଜିନିଷ ଯଦି ଖାଇବାକୁ ମିଳୁଛି ମାଛ, ମାଂସ ଆଡ଼କୁ କାହିଁକି ଆଖି ପକେଇବେ । ୫୬ ପ୍ରକାର ଭୋଗ ତ ବୁଝି ହେଉଛି । ଏମିତି ତ ନୂଆ ଜ୍ୱାଇଁ ଡାକରାରେ ଆସିଛି ଶାଶୁ ଆଇଁସକୁ ଛାଡ଼ି ଛଅତିଅଣ ନଅଭଜା କରି ପରସନ୍ତି । ବାହାଘର ଆଗରୁ ଝିଅର ଦେଖାଚାହାଁକୁ ପୁଅର ବାପ ଆସିଛନ୍ତି । ପେଟ ଥଣ୍ଡା ହେଲେ ଥଣ୍ଡା ମିଜାସରେ ଭାବି ସମୁଧୀ କଥାବର୍ତ୍ତା କରିବେ ଭାବି ସମୁଧୁଣୀର ଲାଣ୍ଡି ବାହାଘର ଲାଗିଯାଏ । ମାଛ ତ ମାମୁଲି କଥା । ଡାଲି, ଛଂକା ତରକାରି, ମାଟିଆଳୁ ଭଜା, କଦଳୀ ଭଜା ଭଜାରେ ୭/୮ ପ୍ରକାର । ରାଇ, ବେସର, ମଂଜିବଡ଼ି ଭଜା, କଖାରୁ ବଡ଼ି, ସଜନା ଛୁଇଁ, ସୋରିଷ ପାଣି, କ୍ଷୀରି କ’ଣ ଯେ ନ ବାଢ଼ନ୍ତି । ୧୫/୨୦ ରକମର । ଖରା ଦିନ । ଦେଖାଚାହାଁ ହଉଚି ତ ଖାଇବା ଶେଷକୁ ବଛା ବଛା ମିଠା ଆମ୍ବ କାଟି ଥାଳିଏ ସମୁଧୀଙ୍କ ଆଗରେ ଥୋଇ ଦେଲେ । ମୁହଁ ଭିଡ଼ା ପାଗ । ମଝିରେ ମଝିରେ ଓଢଣା ଟିକେ ଟାଣି ଦଉଥିବେ । ସମୁଧି ଖାଇ ସାରି ଆଉ କ’ଣ ଉଠିପାରୁଛନ୍ତି । ଦାବି ତ ଦେଇଛନ୍ତି । ବୋହୂ ଦେଖା ମାମୁଲୀ । ଝିଅକୁ ବୋହୁ ନ କରି ଯିବେ କୁଆଡ଼େ । ମଠ ବାଡ଼ିରେ କାର୍ତ୍ତିକ ମାସରେ ବ୍ୟଞ୍ଜନ ଦ୍ୱାଦଶୀ । ଛପନ ପ୍ରକାର ଖାଦ୍ୟ । ଜଗନ୍ନାଥଙ୍କର ଷାଠିଏ ପଉଟି କଥାଟି ଜାଣିଲେ ପାଠକ ଟେରା ହୋଇଯିବେ । ପୂର୍ଣ୍ଣଚନ୍ଦ୍ର ଭାଷା କୋଷରେ ଗୋପାଳଚନ୍ଦ୍ର ପ୍ରହରାଜ ପଉଟି ଶବ୍ଦର ଅର୍ଥ ଲେଖିଛନ୍ତି । ୧ ପଉଟି =୨୦ ଗୌଣୀ । ଗୌଣୀକ କଟକୀ ୩ ସେର ଠାରୁ ୮ ସେର ପର୍ଯ୍ୟନ୍ତ ଶସ୍ୟ । ଜଗନ୍ନାଥ ପୁରୀ ଜିଲ୍ଲା ବାସିନ୍ଦା । ପୁରୀରେ ଗୌଣୀ ୩ ସେରିଆ । ସେତିକ ହଉ । ପଉଟିକ ୩ x ୨୦ = ୬୦ ସେର । ୬୦ ପଉଟି ୬୦ x ୬୦ =୩,୬୦୦ ସେର କଟକୀ ସେରେ ଆଜିକା ମାପରେ ୧ କି ୨୫୦ ଗ୍ରାମ । ଅର୍ଥାତ୍ ୩୬୦୦ ସେର = ୪୫୦୦ କିଲେ । ଅର୍ଥାତ୍ ୪୫ କ୍ୱିଣ୍ଟାଲ । ବୋପାଲୋ ଦିନକୁ ୪୦ କ୍ୱିଣ୍ଟାଲ ଚାଉଳ । ଜଗନ୍ନାଥଙ୍କର ପେଟ ନା ହାଇକୋର୍ଟ । ଗୋଟିଏ ବାହିହାଣ୍ଡି ପଦ୍ମକେଶରି ଚାଉଳ ଭାତ ବା ପ୍ରସାଦକୁ ଶୁଖିଲା ଡାଲି ତରକାରି ଲଗାଇ ଖାଇବତ ଖୁବ କମରେ ୮୦ ଜଣ ଖାଇବେ । ୪୫ କ୍ୱିଣ୍ଟାଲକୁ ୨୨/୨୩ ହଜାର ଦିନକୁ ଜଗନ୍ନାଥଙ୍କ ମହାପ୍ରସାଦ ସେବନ କରନ୍ତି । ପାଗ ବାଂଧୁ ବାଂଧୁ କଚେରୀ ଭୋର । ଆଉ ଏତେ ନ ଲମ୍ବେଇ ସିଧା ପାକଶାଳାକୁ ଆଖି ପକାଇବା । ରନ୍ଧାରନ୍ଧି ହେଲେ ପଂଗତ ଲାଗିବ ନା । ଚାଉଳ ଧୁଆ ହେଲା । ୧୦୦/୨୦୦ ବାହି ହାଣ୍ଡିରେ ଚାଉଳ, ପାଣି ଯୋଗାଡ଼ ହେଇ ଧାଡ଼ିରେ ବସିଲେ । ବେସର, ମହୁର, ଶାଗ, ପାଚେଡ଼ି, ଖଟା । ଭାତ ମାପରେ ମଝିଆ ବା ଛୋଟ କୁଡ଼ୁଆରେ ଯୋଗାଡ଼ି ସୁପକାରମାନେ ଥୋଇଗଲେ । ଲୁଣ, ହଳଦୀ, ଅଦା ଛେଚା, ବେସର, ପାଣି ଯୋଗାଡ଼ି ବାରିଜ, ବାରିଜ କରି ଧାଡ଼ିରେ ବସାଇଲେ । ବଡ଼ ଠାକୁରଙ୍କର ସବୁତ ବଡ଼ । ବଡ଼ ବଡ଼ ଚୁଲିରେ କାଠ ଦେଇ ଘିଅ ବଳିତାରେ ଅଗ୍ନି ସଂଯୋଗ କରି ଠାକୁରଙ୍କୁ ଲାଗି କଲେତ କାଠରେ ଅଗ୍ନି ସଂଯୋଗ ହେଲା । ମାଳ ମାଳ ଚୁଲି । ଅଗ୍ନି କୁଡ଼ୁଆ ଚୁଲିକୁ ଉଠିବେ । ତଳେ ଗୋଟିଏ ବାହି ହାଣ୍ଡିରେ ଖାଲି ପାଣି । ତା ଉପରକୁ ଗୋଟିକ ପରେ ଗୋଟିଏ ୭/୮ ବାହି ହାଣ୍ଡି ସଜା ହୋଇ ଥୁଆ ହେଲେ । ଛୋଟ ବଡ଼ ସବୁ କୁଡ଼ୁଆ । ବାରିଜ ହୋଇ ସେମିତି ତଳେ ଖାଲି କୁଡ଼ୁଆରେ ପାଣି ଉପରକୁ ଉପର ଯୋଗାଡ଼ କୁଡ଼ୁଆ ବସିଗଲେ । ନିଆଁ ତ ଲାଗିଛି । ରୋଷେଇ କାମ ଚାଲିଲା । ଏଇଠି ଆମ ଓଡ଼ିଆଙ୍କର ରୋଷେଇ ଘରେ ବିଜ୍ଞାନର ପ୍ରୟୋଗ କଥାଟି ଆସିଲା । ତଳ କୁଡ଼ୁଆ ଗୁଡ଼ିକରେ ପାଣି ଫୁଟିଲା । ପାଣିର ବାମ୍ଫ ଉପର କୁଡ଼ୁଆକୁ ଗୋଟିକ ପରେ ଗୋଟିଏ କୁଡ଼ୁଆର ବାମ୍ଫରେ ଉପର କୁଡ଼ିଆରେ ରୋଷେଇ । ଆମେ ଆଜି କାଲିକା ଫେସନ୍‌ରେ ପ୍ରେସର କୁକୁର ରୋଷେଇ ଭଳି କଥା । କୁଡ଼ୁଆ ଉପରେ କୁଡ଼ୁଆ ଏମିତି ଟାଇଟ୍ ଫିଟ୍ ଯେ ବାମ୍ଫ ବାହାରକୁ ନ ଯାଏ । କେତେ ସମୟରେ ରୋଷେଇ ହବ ଏହା ସୁପକାର ମାନଙ୍କର ଟ୍ରେଡ଼୍ ସିକ୍ରେଟ । ଆମେ ତାଙ୍କ ବେପାର ଆଡ଼କୁ ଆଖି ନ ପକାଇ ଓଡ଼ିଆର ହଜାର ବର୍ଷ ତଳୁ ପଦାର୍ଥ ବିଜ୍ଞାନର ଥର୍ମୋଡାଇନାମିକ୍ସ ତତ୍ତ୍ୱର ପ୍ରୟୋଗ ଦେଖୁଛନ୍ତି ।

ଆମେ ଠାକୁରଙ୍କର ଶଂଖୁଡ଼ି ଭୋଗ ବା ଶୁଖିଲା ଭୋଗ ବିଷୟରେ ବିସ୍ତୃତ ତଥ୍ୟ ଦବୁ । ପୁରୀରେ ଦୁଇ ବର୍ଷ ପଢ଼ିଲା ବେଳେ ଦେଉଳ ଆଡ଼େ ସାଙ୍ଗମେଳରେ ଯାଆସ ଥାଏ ତ । ଅଭଡ଼ା ଖଳାରେ କେତେଥର ପ୍ରସାଦ ପାଇଛି । ଶୁଖିଲା ଭୋଗ ଦାମ ଚଢା । ଅମାଲୁ, କାକରା, କୋରା, ଖଜା, ଖଇ ନାନା ଜାତିର ଶୁଖିଲା ହାଲୋଇ ମାଲର ବିକ୍ରିଟିକ୍ରି ଚାଲୁଥାଏ ।

ଆମ ଗାଁ ନରିଶୋରେ ଅମାଲୁ ଏକ ମାମୁଲି ହାଲୋଇ । ୧୦/୧୫ କାରିଗର । ଅଟା, ଗୁଡ଼, ପାଚିଲା କଦଳୀ, କ୍ଷୀରର ଆଣ ତିଆରି ହେଲା । ଗୋଲମରିଚ ଫାଳ, ପାନ ମଧୁରୀ, ଅଳେଇଚ, ଗୁଜୁରାତି ଅଧା ଛେଚା ହୋଇ ଆଣରେ ପଡ଼ିବ । ଅମାଲୁର ବରାଦିଆ ଚୁଲି । ଚୁଲି ଉପରେ ତଇ ବସିବ । ଖାଣ୍ଟି ଗୁଆ ଘିଅ ୩/୪ ସେର ତଇରେ ଢଳାଯିବ । ଘିଅ ଗରମ ହେଲା । ଶଢ଼େଇରେ ଆଣ ଗୋଟି ଗୋଟି ହୋଇ ୫/୬ଟି ପଡ଼ିବ । ପାଗ ଠିକ ନ ଥିଲେ ଅମାଲୁମାନେ ଛିଡ଼ି ପଡ଼ିବେ ବା ଦାଢ ଟାଣ ହୋଇଯିବ । ସେ ଅଘୋର ବିଦ୍ୟା ଆମ ଗାଁ ସତିଆ ମଉସା ବିଦିଆ କକେଇ, ରତନା କକେଇ, ମୋ ନନା ସେଥିରେ ଓସ୍ତାଦ । ଅମାଲୁ ବାହାରିବ । ଖେଳିଆ ହୋଇ କଦଳୀ ପତ୍ରରେ ଥୁଆ ହେବ । ଥଣ୍ଡା ହବ । ଅମାଲୁ ରାଜୁତି ବେଳେ ଆମେ ୧୦/୧୨ ବର୍ଷର ପିଲା । ଧାରଣା ଦେଇଥାଉ । ଏକ ଲୟରେ ଅମାଲୁମାନଙ୍କୁ ଚାହିଁଥାଉ । ସତିଆ ମଉସା ଖୁବ୍ ଚିଡ଼ା ଲୋକ । ପାଟି କରି କୁହନ୍ତି ‘ତୁମେ କ’ଣ କାମ କରାଇ ଦବନି । ଆରେ ଆଗ ଠାକୁର ଖାଇଲେତ ତୁମକୁ ଖଣ୍ଡେ ଅଧେ ଦବା ।” ଧେତ୍ ରଖ ତୁମ ଠାକୁର । ଆମର ପାଟିରୁ ଲାଳ ବାହାରିଲାଣି” ମନେ ମନେ ଭାବି ମନ ମାରି ଠିଆ ହେବା ଦେଖି ବିଦିଆ କକେଇ ଛିଣ୍ଡା ଅମାଲୁ ୨/୪ ଖଣ୍ଡ ଲେଖାଏଁ ଦିଅନ୍ତି । ପ୍ରାପ୍ତ ମାତ୍ରେଣ ଭୁକ୍ତବ୍ୟ, ତତ୍‌କ୍ଷଣାତ ପାଟି ଚଲାଉ ।” ଆରେ ଏ ଅମୁଲର କି କରାମତି ହୋ! ବାଦାମି ରଙ୍ଗ, ଦିହ ଯାକ, ବସନ୍ତ ରୋଗୀ ଭଳି ଦାଗ, କଅଁଳିରେ ଛିଣ୍ଡିପଡ଼ୁଛି । ମିଠାରେ ପାଟି ବାନ୍ଧି ପକାଉଛି । ଘିଅ ବୋହି ପଡ଼ୁଛି । ବାସନାରେ ଦିଗ ଚହଟୁଛି” ଏମିତି ଭାବୁ ଭାବୁ ଛିଣ୍ଡା ଅମାଲୁମାନେ ହାତରୁ ପେଟକୁ ଗଲେଣି ଭାରି । ଆଉ ମିଳିବନିରେ ଆସ” ତିଳ ଆମକୁ ଭିଡ଼ିନିଏ । ଯିଏ ଅମାଲୁ ୨/୪ ପଟ ଖାଇଛି ସେ ତଥା କଥିତ ସ୍ୱର୍ଗସୁଖ ପାଇଲା ଜାଣ । ଆଜି ଆଉ ଅଛି! ନାଁ ଗୁଆ ଘିଅ ନାହିଁ, ତଇନାହିଁ । କାରିଗରମାନେ ଗଲେଣି । କି ନିମାପଡ଼ା ଛେନାଛିଲି କି ରସଗୋଲା । ଆଜି ଯଦି ସେକାଳ ଅମାଲୁ ଥାଆନ୍ତା ଜି.ଆଇ. ଟ୍ୟାଗ୍ କ’ଣ କାରିଗରମାନେ ଅମାଲୁକୁ ପେଟେଣ୍ଟ କରି ସାରନ୍ତେଣି । ଖୁବ୍ କମରେ ୭୦୦/୮୦୦ ବର୍ଷ ଅମାଲୁ ଓଡ଼ିଶାରେ ରାଜତ୍ୱ କରିଥିବ । ମୁଁ ଦେଖିଛି ମୋ ପିଲାବେଳେ ଘିଅ ସେର (କଟକି) ବାରଅଣା (ଆଜିକ ୭୫ ପଇସା), ଅଟା ସେର ୪ ପଇସା, ଗୁଡ଼ ଘରେ ଘରେ, ବଣାରେ ଡେରା ହୋଇଥାଏ । ଛାଡ଼ ସେ କଥା । ସେକାଳ ଦହି ଖଟା । ଘିଅ କିଲୋ ଆଜି ହଜାରେ ଟଙ୍କା, ପୁଅ ଅମାଲୁ ଖାଇବ । ନାଇଁରେ ବାବୁ ଏ ସରକାରଙ୍କ ଆଚ୍ଛାଦିନ କଭି ନେହିଁ ଆଏଗା । ତୁମ ଅମାଲୁ ଖାନା ଖତମ । ଆଜି ବି ଜଗନ୍ନାଥଙ୍କ ପାଖେ ଅମାଲୁ ସେବା ଖାଲି ବିଧି ରକ୍ଷା ମାତ୍ର ।

ପାଂଚଦଶ ପଚିଶି ନୁହେଁ ଛପନ ଭୋଗ । ଆମେତ ଆଗରୁ କହିଛୁ ମଣିଷ ଯାହା ଖାଏ ଘର ଠାକୁରଙ୍କୁ ସେଇଭଳି ରକମ ପୂଜା ଲଗାଏ । ନାଗା ଲ୍ୟାଣ୍ଡରେ ଲୋକେ କୁକୁର ମାଂସ ଖାଆନ୍ତି । କୁକୁର ମାରି ପେଟ ସଫା କରିବେ । ପେଟମୁଣା ଭିତରେ ଚାଉଳ, ଘିଅ, ମସଲା, ପୁରାଇ ସିଲାଇ କରିଦେବେ । ମଲା କୁକୁରକୁ ନିଆଁରେ ପୋଡ଼ିବେ । ନିଆଁରୁ କାଢ଼ି କଟାକଟି କରିବେ । ତିଆରି ହୋଇଗଲା କୁତା ଭାତ । ଠାକୁରଙ୍କୁ କୁତାଭାତ ଲାଗି କରି ଶ୍ରଦ୍ଧାଳୁମାନେ ପେଟେ ଲେଖାଏଁ କୁତାଭାତ ଠୁଙ୍କି ଦିଅନ୍ତି । ବୌଦ୍ଧ ଧର୍ମାବଲମ୍ବିମାନେ ନିରାମିଶସୀ । ବର୍ଟାଣ୍ଡ ରସଲେ ଥରେ ଏସିଆ ମହାଦେଶରେ ବୁଲିବୁଲି ତିଦ୍ଦତରେ ପହଞ୍ଚନ୍ତି । ସେତ ଖୁବ୍ ଜ୍ଞାନୀ ଗୁଣି ଲୋକ । ନୋବଲ ପୁରସ୍କାର ବିଜେତା । ବିଂଧା କଥା, ଲୋକଙ୍କଠାରୁ ସଂଗ୍ରହ କରନ୍ତି । ତିବତୀୟଙ୍କ ସହିତ କଥାବାର୍ତ୍ତା ଭିତରେ ସେ ଜାଣିବାକୁ ପାଇଲେ ସେମାନେ ମାଂସାସି । “କିଓ ତୁମେ ତ ସବୁ ବୌଦ୍ଧ ଧର୍ମ ଲୋକ । ତୁମ ମଠରେ ମାଂସ?” “ଆରେ ଜୀବନ ଥିଲେ ତ ଧର୍ମ କରିବୁ । ଏଠିକା ଶୀତ ଦେଖୁଛଟି । ଦିନ ଦିପହରେ ଶୀତ ପୋଷାକ ନ ହେଲେ ଥୁରୁଥୁରୁ । ମାଂସ ଖାଇଲେ ଟିକେ କଡ଼କା ଲାଗେତ । ବଂଚିବା ଆଗ । ଧର୍ମ କଥା ପଛ ।”-(Autobiography of Bertrand Russell)

ପାଞ୍ଚ ଦଶ ପଚିଶି ନୁହେଁ ଛପନ ଭୋଗ । ଆମେତ ଆଗରୁ କହିଛୁ ମଣିଷ ଯାହା ଖାଏ ଘର ଠାକୁରଙ୍କୁ ସେଇଭଳି ରକମ ପୂଜା ଲଗାଏ । ଖାଇବାରେ ଓଡ଼ିଆ ସହିତ ତାଳଦେଇ ପାରିବେନି । ଦେଶୀଚାଉଳ ଭାତ, ମୁଗଡାଲି ଷାଠିଏ ପ୍ରକାର ପରିବା । ଠାକୁରଙ୍କ ଫୁଲ ବେଲ ପତ୍ର ବନ୍ଦ ହୋଇପାରେ । କିନ୍ତୁ ଓଡ଼ିଆଙ୍କ ଖାଇବାରେ ସାଲିସ ନାହିଁ । ପୃଥିବୀରେ ଓଡ଼ିଆର ପରିବା ଖିଆ ସବୁଠାରୁ ଅଧିକ । ବିଲେଇ ଡେଇଁବନି ଥାଳିଏ ସରୁ ହଉ ବା ମୋଟା ଭାତ, ବେଲାଏ ଡାଲି । ଛଅ ତିଅଣ ସାତ ଭଜା, ମାଛ ତରକାରୀ, ଭଜା, ମହୂରରୁ ଧାରେ ଊଣା ହେଲେ ଭାତ ପାଟିକୁ ନ ଯାଏ । ଜଗନ୍ନାଥଙ୍କ ଛପନ ଭୋଗ ଓଡ଼ିଆର ଖାଦ୍ୟ ସଂସ୍କୃତିର ପ୍ରମାଣ ପତ୍ର ।

ଏବେ ଛପନ ଭୋଗର ତାଲିକା ନବା । ରୋଷଶାଳରେ ତ ଖାଦ୍ୟ ପ୍ରସ୍ତୁତ ହେଲା । ୨୪୦ ଚୁଲି । ୬୦୦ ସୁପକାର । ଯାନିଯାତ୍ରା ବେଳେ ଯାତ୍ରିଭିଡ଼ । ଦିନକୁ ଲକ୍ଷେ ଭକ୍ତଙ୍କ ପାଇଁ ରୋଷେଇ । ଭୋଗ ତିଆରି ହେଲା । ଜଗନ୍ନାଥଙ୍କୁ ଲାଗି ହେଲା । ବିମଳାଙ୍କୁ ସମର୍ପଣ କଲା ପରେ ଭୋଗ ମହାପ୍ରସାଦ ହେଲା । ଜଗନ୍ନାଥଙ୍କ ପେଟତ ସବୁବେଳେ ଜଳୁଛି । ଦିନକେ ଛଅ ଧୂପ ।

୧) ଗୋପାଳ ବଲ୍ଲଭ ଭୋଗ (୮.୩୦ମି ସକାଳ), ୨) ସକାଳ ଧୂପ (ଦିନ ୧୦ଟା), ୩) ଭୋଗ ମଣ୍ଡପ ଭୋଗ (କାଳ ୧୧ଟା), ୪- ମଧ୍ୟାହ୍ନ ଧୂପ (୧୨.୩୦ ରୁ ୧ଟା), ୫- ସଂଧ୍ୟା ଧୂପ (ରାତି ୭ ରୁ ୮ ), ୬- ବଡ଼ ଶୃଙ୍ଗାର ଭୋଗ (ରାତି ୧୧ଟା) ।

ଦିନ ତମାମ ତ ଖାଉଚନ୍ତି ଖାଉଛନ୍ତି ଆଉ ଖାଉଛନ୍ତି । ମାନିବାକୁ ହବ ତାଙ୍କର ଅଗ୍ନୀ ତେଜ । ଏଇ ଦିନ ତମାମ ଭୋଗ ଭିତରେ ଅସଲ ରହସ୍ୟ ଲୁଚି ରହିଛି । ଓଡ଼ିଆ ଦିନ ଭିତରେ ୫/୬ ଥର ଖାଏ । ଜଣେ ଚାଷୀ ସକାଳୁ ଚୁଡ଼ା, ନଡ଼ିଆ, ଗୁଡ଼ କରି ଗ୍ରାସେ ଠୁଙ୍କିବ ଦିନ ୮ଟା ଭିତରେ । ଆଠଟା ଠାରୁ ବାରଟା ଭିତରେ ମୁଢ଼ୀ, ନଡ଼ିଆ କରି ଗୌଣୀଏ ଚୋବାଇଲା । ୧୨ଟା ଗୋଟେ ବେଳେ ଚଉରସ ବକତେ ଠୁଙ୍କିଲା । ୪/୫ଟା ବେଳକୁ ଦୋଅଡ଼ା ଖିଆ । ପଖାଳ ଭାତ କଂସାଏ । ଭଜା ସନ୍ତୁଳା ଯାହା ମିଳିଲା । ବାଡ଼ି କଂଚାଲଂକା, ଲୁଣ । ସେତକ ଦାବିଲା । ରାତି ୮ଟା ୯ଟା ହେଲେ ବୁଡ଼ିପଡ଼ିବ । ରାତିରେ ପୁଣି ଥାଳିଏ ଭାତ, ଡାଲି, ତରକାରି । ରୁଟି ଫେସନ ଏଇ ୨୦/୩୦ ବର୍ଷ ହେଲା ଚାଲିଛି ।

ଓଡ଼ିଆଙ୍କ ଖାଇବା ପିଇବାର ଗୋଟିଏ ଠୁସୁକି ଗପ ନୁହେଁ ତ ସତ ଘଟଣା ଆମେ ଏଠାରେ ପାଠକମାନଙ୍କ ପାଖରେ ଥୋଇବାକୁ ମନ ବଳାଉଛୁ । ଆଖି ଛୁଇଁ, ପୁଅ ମୁଣ୍ଡ ଛୁଇଁ କହୁଛି ଘଟଣାଟି ଷୋହଳପଣ ସତ । ଓଡ଼ିଶା କୃଷି ପ୍ରଧାନ ରାଜ୍ୟ । ୬୦/୭୦ ବର୍ଷ ତଳର ଓଡ଼ିଶା । ସେତେବେଳେ ଜମି ମାଲିକ ନିଜେ ହଳ ଲଂଗଳ, ଗାଈ, ଗୋରୁ ରଖି ଚାଷ କରୁଥିଲେ । ଦଳିତ ମାନଙ୍କୁ ଚାକର ରଖିଥାନ୍ତି । ବ୍ରାହ୍ମଣ ହଉ ବା ଖଣ୍ଡାୟତ । ବୈଶ୍ୟ ହଉ କି କରଣ । ସମସ୍ତେ ଚାଷୀ । ପ୍ରତିଦିନ ସକାଳୁ ସକାଳୁ କ୍ଷେତବୁଲି ବାହାରି ପଡ଼ନ୍ତି । ମୁଣ୍ଡରେ ଠେକା । ହାତରେ ଠେଙ୍ଗା । ବିଲବାଡ଼ି ବୁଲିବେ । ତାଂକ ଧାନ କିଆରିରେ ଆଖି ପକାଇବେ । ଦେଖିଲେ ପାଣି ନାହିଁ । ହାତରେ ତଡା ଅଛି । ଏଣିକି ତେଣିକି ଚାହିଁ ଉପର ବିଲରୁ ହିଡ଼ରେ ଘଳିଅ ଗୋଟେ ଦିଟା କରି ଦେଲେ । ବିଲରେ ପାଣି ଠିଆ । ନିଜ ବିଲରୁ ଘଳିଆରେ ତଳ ବିଲକୁ ପାଣି ଚାଲିଯାଉଛି । ହିଡ଼ ଉପରେ ନାଚିକୁଦି ଘଳିଆ ମାରିଲେ । ଭୋର ଭୋରରୁ ତ ବାହାରି ଯାଇଥାନ୍ତି । ଫେରୁ ଫେରୁ କଅଁଳ ଗାଧୁଆ । ଭୋକ । ଜଳଖିଆ ଖାଇବେ । ଫେରିବା ଆଗରୁ ସଜଡ଼ା ହୋଇ ଥୁଆ ହୋଇଥବ । ଆମ ଗାଁ ରାମ ମକଦ୍ଦମ ଙ୍କ କଥା ସେରେ ଦେଢ ସେର (କଟକୀ) ଚୁଡା, କୋରା ନଡ଼ିଆ ଗୋଟାକର, ଗୁଡ଼ ଅଧସେର, ଛେନା ଅଧସେର, (ଦହି ଛେନା) ବା ପାଟକପୁରା କଦଳି ଫେଣାଏ ଚକଟା, ଚକଟି ହୋଇ କଂସାରେ କଂସାଏ ଥୁଆ ହୋଇଥିବ । ଆସିଲେତ ଗୋଡ଼ ହାତ ଧୋଇ ସେବା ଆରମ୍ଭ କଲେ । ୧୦/୧୫ ମିନିଟରେ କାରବାର । ଦିନକ କଥା । ନୂଆ ବୋହୂକୁ ଶାଶୁ ବରାଦ କରିଛି । ଶଶୁରଙ୍କ ପାଇଁ ଜଳଖିଆ ସଜାଡ଼ିବ । ସେ ସଜାଡ଼ିଛି । କିନ୍ତୁ କଂସା ପୁରିନି । ପିଲା ଲୋକ, ସେ ଭାବିପାରୁନି ଶଶୁର କଂସାଏ ମାଲ କିମିତି ଉଠାଇବେ । ଏତ ୫/୬ ଜଣଙ୍କର ଦଲମ । କଂସାରେ ଗଅଣ୍ଠ କଂସେ ରଖିଛି । ଶଶୁର କଂସା ଦେଖି ଅଗ୍ନିବାଣ । ଆଉ ଫୁରସତ୍ ନ ଦେଇ “ଆରେ କଂସାରେ ଏତେ କମ୍ କ’ଣ । ଲାବି ବୋଉ ତୋ ବୋପା ଘରୁ ଆଣି ଦେଲା ଭଳି ମୋ ପେଟରୁ କାଟିବାକୁ ତୋର ଦମ୍ କିମିତି ହେଲା?” ରାଗ ତମ ତମରେ କଂସାକୁ ଫୋପାଡ଼ି ଦେଲେ ଯେ ଦଶହାତ ଦୂରରେ ଛିନିଛତ୍ର ହୋଇ ପଡ଼ିଲା । ଘରଣୀ ଆସି କାଉଲି ମାଉଲି ହେଇ ବୋହୂ କଥା ଘୋଡ଼େଇ ପୁଣି ଜଳଖିଆ ସଜାଡ଼ିଲେ, ଗେରସ୍ତ ଖାଇ ଥମ୍ ପଡ଼ିଲେ । ପିଲାବେଳ କଥା । ମୁଁ ରାମ ମକଦ୍ଦମଙ୍କ ଘରକୁ ଯିବା ଆସିବା କରେ । ସେ ଦିନ ମୁଁ ପହଞ୍ଚିଛି ତ ଏ ନାଟକ । ମୁଁ ଏ ଦୃଶ୍ୟ ଦେଖି ମକଦ୍ଦମଙ୍କର ରାଗ ତମ ତମ ମୁହଁ ମୁଁ ଭାଗିସ୍ ।

ଧେତ୍ । ୫୬ ଭୋଗ ଆଡ଼େ ସିଧା ଆଖି ପକାଇଥିବା । ଅନ୍ନ ଭାତର ପ୍ରକାର

୧) ସାଧା ଅନ୍ନ – ଚାଉଳ ଓ ପାଣିରେ ତିଆରି

୨) ଦହି ପଖାଳ – ଦହିମିଶା ପଖାଳ (ପଖାଳ ଆଣିଥିଲା ଓଡ଼ିଶାର ଗୌରବ ପଖାଳ ବୁଡ଼ିଗଲା ଓଡ଼ିଶାର ମାନ-ମହତବ କମିଗଲା । (ଆମ ନିଜ ଭଣିତା)

୩) କାନିକା- ଘିଅ, ଚିନି, ମସଲା ମସଲି ପଡ଼ି ତିଆରି ପ୍ରସାଦ – ଧନୀକ ଶ୍ରେଣୀ, ପଇସାବାଲାଙ୍କ ପସନ୍ଦ । ଜଗନ୍ନାଥ ଧାମରେ ସବୁ ସମାନ କଥାରେ କାର୍ଯ୍ୟରେ ଶ୍ରେଣୀ ବିଚାର (ନିଜ ଭଣିତା)

୪) ଥାଳି ଖେଚୁଡ଼ି – ଭଜା ମୁଗଡ଼ାଲି, ନଡ଼ିଆ, ଘିଅ, ମସଲା ପଡ଼ି ତିଆରି – ଖେଚୁଡ଼ି ଏବେ ବି ଗାଁ ଗହଳରେ ଘରେ ଘରେ ପରିଚିତ ଗୁରୁବାର ଲକ୍ଷ୍ମୀପୂଜା – ଖେଚୁଡ଼ି, ପୁଅ, ଝିଅଙ୍କର ଜନ୍ମଦିନ ଖେଚୁଡ଼ି, ଶାମ୍ବ ଦଶମୀ, ରଜ, ଦଶହରା ଖେଚୁଡ଼ି ।

୫) ଅଦାପଖାଳ – ପଖାଳ ପ୍ରସାଦରେ ଅଦାଛେଚା ଭାଗ – (ଓଡ଼ିଆଙ୍କର ଖାଇବାରେ କ’ଣ କମ ବାଗ!)

୬) ଘିଅ ଅନ୍ନ – ପ୍ରସାଦ (ଭାତ) ଘିଅ ମିଶିଥିବ

୭) ମିଠା ପଖାଳ- ଚିନି ମିଶା ପଖାଳ ଭାତ

୮) ଓଡ଼ିଆ ପଖାଳ- ଘିଅ, ଲେମ୍ବୁରସ, ଲୁଣ ମିଶା ପଖାଳ

୯) ଖେଚୁଡ଼ି – ଚାଉଳ ମୁଗଡାଲି ମିଶି ରୋଷେଇ

ଶୁଖିଲା ମିଠା ଭୋଗ

୧୦) ଖଜା-ମଇଦା ଓ ଚିନିରେ ତିଆରି । ଘିଅ ଭାଗ ଥିବ ।

୧୧) ଗଜା- ଭଜା ଗହମକୁ ଚିନିରେ ଭିଜାଇ ପ୍ରସ୍ତୁତ ସାମଗ୍ରୀ । ଘିଅ ଛିଟା

୧୨) ଲଡୁ – ଅଟା, ଚିନି ଏବଂ ଘିଅରେ ପ୍ରସ୍ତୁତ

୧୩ ) ଜିରା ଲଡ଼ୁ – ଜିରା, ଲେମ୍ବୁରସ, ଚିନି ଓ ଲୁଣ ଏକାଠି ପାଗ ହୋଇ ପ୍ରସ୍ତୁତ ।

୧୪) ମଗଜ ଲଡ଼ୁ – ଘିଅ, ବେସନ, କ୍ଷୀର ଓ ଚିନିରେ ପ୍ରସ୍ତୁତ ଅତ୍ୟନ୍ତ ସୁବାସିତ ଲଡ଼ୁ ।

୧୫) ମଥାପୁଳି – ଘିଅ, ବରଗୁଡ଼ି ମଂଜି ଗୁଣ୍ଡ ହୋଇ ବହଳିଆ ଅଠାଭଳି ଏବଂ ଅଦା ।

୧୬) ଖୁରୁମା – ଚିନି, ଅଟା, ଘିଅ, ଓ ଲୁଣରେ ପ୍ରସ୍ତୁତ

୧୭) ଜଗନ୍ନାଥ ବଲ୍ଲଭ – ଗହମ, ଚିନି ଓ ଘିଅ, ନଡି଼ଆ କୋରାରେ ପ୍ରସ୍ତୁତ କଳାରଂଗର ରକମ

୧୮) କାକରା – ଅଟା, ନଡ଼ିଆ କୋରା, ଗୁଡ଼ ଏବଂ ଘିଅରେ ପ୍ରସ୍ତୁତ ଓଡ଼ିଆଙ୍କର ଅତି ପ୍ରିୟ ହାଲୋଇ ।

୧୯) ଲୁଣି ଖୁରୁମା- ଅଟା, ଘିଅ ଓ ଲୁଣରେ ପ୍ରସ୍ତୁତ ଲୁଣି ବିସ୍‌କୁଟ ଭଳି ସ୍ୱାଦ

୨୦) ମରିଚି ଲଡ଼ୁ – ଅଟା ଓ ଚିନିରେ ପ୍ରସ୍ତୁତ

ପିଠା, ମଣ୍ଡା

୨୧) ସୁଆର ପିଠା- ଘିଅ ଓ ଅଟାରେ ପ୍ରସ୍ତୁତ

୨୨) ଚଢ଼େଇ ଲଡ଼ା – ଘିଅ, ଅଟା ଓ ଚିନିରେ ପ୍ରସ୍ତୁତ

୨୩) ଝିଲ୍ଲି – ଚାଉଳଗୁଣ୍ଡ, ଘିଅ ଓ ଚିନିରେ ପ୍ରସ୍ତୁତ ଏକନାମୀ ମିଠା ।

୨୪) କାନ୍ତି – ଚାଉଳ ଗୁଣ୍ଡ ଓ ଘିଅରେ ପ୍ରସ୍ତୁତ ।

୨୫) ମଣ୍ଡା – ଚାଉଳ ଗୁଣ୍ଡ, କୋରା ନଡ଼ିଆ, ଗୁଡ଼, ଛେନା ଓ ଘିଅରେ ପ୍ରସ୍ତୁତ ପିଠା ।

୨୬) ଅମାଲୁ – ଅଟା, ଗୁଡ଼ ଓ ଘିଅରେ ତିଆରି । (ଅମାଲୁର ପ୍ରସ୍ତୁତ ପ୍ରଣାଳୀ ଆମେ ଆଗରୁ ଲେଖିଛୁ)

୨୭) ପୁରୀ – ଘିଅରେ ଛଣା ଅଟାରେ ତିଆରି ।

୨୮) ଲୁଚି – ମଇଦା ଘିଅରେ ଛଣା ହେଇଥିବ ।

୨୯) ଦହିବରା- ବିରିଡ଼ାଲି ବଟା ଘିଅରେ ଛଣା ହବ ଏବଂ ଦହିରେ ବୁଡ଼ିବ ।

(କଟକ ବାରବାଟୀ / ତୁଳସି ପୁର ଦହିବରାର ନାଁ ଟେକ)

୩୦) ବରା – ବିରି ବଟା ଘିଅରେ ଛଣା ହେଲେ ବରା ପ୍ରସ୍ତୁତ ହେଲା ।

୩୧) ଆରିଶା – ଚାଉଳ ଅଟା, ଚିନି ଓ ଘିଅରେ ପ୍ରସ୍ତୁତ ।

୩୨) ତ୍ରିପୁରି – ଚାଉଳଗୁଣ୍ଡ, ଅଟା, ଚିନି ଓ ଘିଅରେ ପ୍ରସ୍ତୁତ ।

୩୩) ରସ ପାଇକ – ଅଟା ଓ ଘିଅରେ ପ୍ରସ୍ତୁତ ପିଠା ।

କ୍ଷୀର କ୍ଷୀରଜାତ ପଦାର୍ଥରେ ପ୍ରସ୍ତୁତ ରକମ

୩୪) କ୍ଷୀରି- ଚାଉଳ, କ୍ଷୀର, ଚିନି ଓ ମସଲାରେ ପ୍ରସ୍ତୁତ । (ମୂଷା ପିଇସା, ହାଡ଼ି ନାନୀଙ୍କର କ୍ଷୀରି ଖିଆ ଆଗରୁ ଜାଣିଛେ)

୩୫) ପାପୁଡ଼ି- କେବଳ କ୍ଷୀର ର ସରରୁ ପ୍ରସ୍ତୁତ

୩୬) ଖୁଆ- ଶୁଦ୍ଧ କ୍ଷୀର ଧୀରେ ଧୀରେ କରେଇରେ ଫୁଟି ଫୁଟି କେତେ ଘଣ୍ଟାପରେ ଅର୍ଦ୍ଧତରଳ ଅବସ୍ଥାକୁ ଆସିଲେ ।

୩୭) ରସାବଳି- ଅଟା, କ୍ଷୀର ଓ ଚିନି ଦ୍ୱାରା ପ୍ରସ୍ତୁତ ।

୩୮) ତାଡ଼ିଆ – ଘିଅ, ଛେନା ଓ ଚିନିରେ ପ୍ରସ୍ତୁତ ଓଡ଼ିଶାର ଏକ ପାରମ୍ପାରିକ ଏବଂ ମୂଲ୍ୟବାନ ରକମ

୩୯) ଛେନାଖାଇ – ନଗଦ ଛେନା, କ୍ଷୀର ଓ ଚିନି ଦ୍ୱାରା ପ୍ରସ୍ତୁତ

୪୦) ବାପୁଡ଼ି ଖଜା – କ୍ଷୀର ସର, ଚିନି ଓ ଘିଅରୁ ପ୍ରସ୍ତୁତ

୪୧) ଖୁଆ ମଣ୍ଡା – ଅଟା, କ୍ଷୀର ଓ ଘିଅରେ ତିଆରି

୪୨) ସରପୁଳି – କ୍ଷୀରରୁ ପ୍ରସ୍ତୁତ ଖୁବ୍ ନାମି କିସମ ମିଠା । ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଖୁବ କଷ୍ଟ । ମୁଖ୍ୟତଃ ବିଶୁଦ୍ଧ କ୍ଷୀରକୁ କେତେ ଘଣ୍ଟା ଫୁଟାଇ ସରପୁଳି ତିଆରି କରାଯାଏ ।

ଡାଲି ତରକାରି

୪୩- ବିରି ଡାଲି – ବିରିରୁ ପ୍ରସ୍ତୁତ ଡାଲି ।

୪୪- ଚଣା ଡାଲି – ଚଣାରୁ ପ୍ରସ୍ତୁତ ଡାଲି । (ଚଣା ଡାଲି ଖାଇଲେ ପକ୍ଷାଘାତ ରୋଗର ଆଶଂକା ଅଛି ବୋଲି, ଭାରତ ସରକାର ଚଣା ଡାଲି ଉପରେ ରୋକ ଲଗାଇଛନ୍ତି । ଜଗନ୍ନାଥଙ୍କ କଥା ତ । ସେତ ପଥର ଖାଇ ହଜମ କରିବା ଠାକୁର । ଆଜିକାଲି ଚଣା ଡାଲି ରୋଷେଇ ହଉଚି କି ନାହିଁ ଆମକୁ ମାଲୁମ ନାହିଁ ।)

୪୫) ମିଠା ଡାଲି – ହରଡ଼ ଡାଲିରେ ଚିନି ପଡ଼ି ବହଳିଆ ଡାଲି (ଡାଲି ତରକାରି ଭିତରେ ଏଇ ମିଠା ହରଡ଼ ଡାଲି ରଜା । ଶୁଖିଲା ଡାଲି ମହାପ୍ରସାଦ ପେଟେ ଠୁଙ୍କିଦବତ ବେସର, ମହୁର ହେଲେ ଖୁସୀ ନ ହେଲେ ଆନନ୍ଦ । ମୁଁ ତ ଆଗରୁ କହିଛି ମୋର ଜଗନ୍ନାଥଙ୍କ ପାଖେ କିଛି କାମ ପଡ଼େନି । ମାତ୍ର ମହାପ୍ରସାଦ ଖାଇଲା ବେଳେ ମୁଁ ପେଟକୁ କଳିପାରେ ନି । ଖାଇତ ଯାଏ ହଜମ ବି ହୁଏ) ।

୪୬) ମୁଗ ଡାଲି – (ଓଡ଼ିଆଙ୍କର ମୁଗ ଡାଲି ଖୁବ୍ ପ୍ରିୟ – ମୁଗ ଡାଲିରେ ଅନ୍ୟ ସମସ୍ତ ପ୍ରକାର ଡାଲିଠାରୁ ପୁଷ୍ଟିସାର ଅଧିକ ।)

୪୭) ଡାଲମା- ଡାଲି, ପାଂଚଞ୍ଚ ଦଶ ପ୍ରକାର ପରିବା, ନାଡ଼ି ପଡ଼ି ଡାଲମା ପ୍ରସ୍ତୁତ ହୁଏ । ବାଇଗଣ, କଖାରୁ, ଚୁଡ଼ଙ୍ଗ, କଳମୂଳ, ନଡ଼ିଆ, ହେଙ୍ଗୁ, ନାଡ଼ି ପଡ଼ି ଜଗନ୍ନାଥଙ୍କ ଡାଲମା ତିଆରି ହୁଏ । ବିଲାତି ବାଇଗଣ ବିଦେଶୀ ପରିବା ବୋଲି ପୁରୀ ଅଭଡ଼ାରେ ବ୍ୟବହାର ନିଷେଧ । (ଡାଲମା ଓଡ଼ିଶାର ଏକ ପରିଚୟ । ବଂଗାଳୀମାନେ ଡାଲମାକୁ ନାକ ଟେକନ୍ତି । ସେମାନଙ୍କ ଖାନା, ପିନା, ଆମେ ପରେ ଲେଖିବା । ଆମ ସହରିଆ ବାବୁ ମାନଙ୍କର ମଧ୍ୟ ଡାଲମା ପ୍ରତି ଏକ ଅନୁସୟା ଭାବ ଥିଲା । ସମୟ କ୍ରମେ ସେମାନେ ଡାଲମାର ମହତ୍ତ୍ୱ ବୁଝିଲେଣି । ଏବେ ସହରର ନାମି ହୋଟେଲରେ ଡାଲମା ଗୋଟିଏ ଆଗ ଧାଡ଼ିର ଠା । କତେକ ହୋଟେଲର ନାଁ ଡାଲମା ହୋଟେଲ ହେଲାଣି । ଓଡ଼ିଶାର ପର୍ବ ଶାମ୍ବଦଶମୀ । ଦ୍ୱିପ୍ରହର ଭୋଗରେ ଖେଚୁଡ଼ି ସାଙ୍ଗକୁ ଡାଲମା । ହରଡ଼, ମୁଗ, ବୁଟ, ଡାଲି ସରି ସରି ପଡ଼ିଥବ । ବାଇଗଣ, ମାଟିଆଳୁ, କଖାରୁ, କଦଳୀ, ଝୁଡ଼ଙ୍ଗ ନଡ଼ିଆ ପରିବା ଥବ । ଭେଙ୍ଗୁ ଛିଟା ଦିଆଯିବ । ଘିଅରେ ବଘରା । ଅଦା ଛେଚା ବଘରାରେ ପଡ଼ିବ । ଘଡ଼ ଘଡ଼ ଫୁଟିବ । ଜିରା, ଲଙ୍କା ଚୁନା ମାପରେ ଛିଞ୍ଚା ହେଲା । ଉଦୁବୁଦିଆ ଦ୍ୱିପ୍ରହର । ଶୀତ ଦିନତ । ଖରା ସେତେଟା କାଟୁନି । ସୂର୍ଯ୍ୟପୂଜା ହେବ । ମାରଗୁଲି ସେ ପୂଜା । ଡାଲମା ବାସ ଚହଟାଉଛି । ବୋଉ ମୋ ମନବୁଝି ତରବରରେ ପାଣି ବୁଲେଇଦବ । ମୋ ଆଗରେ ଖେଚୁଡ଼ି ଡାଲମା ଥୋଇଦବ । ଭଜା, ରାଇକୁ ଅପେକ୍ଷା, ଖେଚୁଡ଼ି ନମୂନା । ଡାଲମା ତ ଚଲାଏ ଚଳାଏ ବୋଲି ଆକଣ୍ଠ ଭୋଜନ । ମୋର ଏକ ପୁରିଆ ଦିହ । ଛୋଟ ପେଟ, ଖାଇବାରୁ ଉଠିଲେ ସଁ ସଁ ଲାଗେ । ପୂର୍ଣ୍ଣିମୀ ପାଳି ସଂକ୍ରାନ୍ତି ପାଳିରେ ଡାଲମା । କାକରା ହୋଇଛି ତା ସାଙ୍ଗକୁ ଡାଲମା । ରାହାଙ୍ଗିଆ ଚୁଡ଼ାଘସା ସାଙ୍ଗକୁ ଡାଲମା, ଚାଉଳ କ୍ଷୀରି, ଆମ୍ବୁଲ ଖଟା, ଓଡ଼ିଆଙ୍କ ଖାଇବା ବାଗ ନିଆରା । ଓଡ଼ିଆ ଘରର ଡାଲମା ଥରେ ଖାଇଲେ ଝୁରୁଥବ । କେତେ ଅଣ ଓଡ଼ିଆଙ୍କୁ ଡାଲମା ଜବତ କରିଛି । ଡାଲମାର ମହିମା ଲେଖିଲେ ୫/୧୦ ପୃଷ୍ଠା ହବ । ଆଜି ଡାଲମାକୁ ଏତିକିରେ ଛୁଟି ଦବା)

୪୮) ରାଇତା ( ଗତ ୧୦/୨୦ ବର୍ଷ ହେଲା ଚାଲୁଛି ସାଲଡ଼ । କାକୁଡ଼ି ବିଲାତି ବାଇଗଣ, ପିଆଜ, ଲଂକା, ମୂଳା, ପତଳା ହୋଇ କଟା ହୋଇଥିବ । ଧନିଆପତ୍ର । ବାସ୍ ହୋଇଗଲା ସାଲାଡ଼ । ଜଗନ୍ନାଥଙ୍କ ରାଇତା ସଙ୍ଗେ ଏଗୁଡ଼ାକ ଲାଭ ଦିଆଯିବ) ଜଗନ୍ନାଥଙ୍କ ରାଇତା ବସାଦହି, ମୂଳା, କାକୁଡ଼ି, ଲୁଣ, ଲହୁଣୀ ପଡ଼ି ପ୍ରସ୍ତୁତ ହୁଏ । ରାଇତା ଆଉ ସାଲାଡ଼୍ । କାହିଁ ରାଣୀ କାହିଁ କାଣୀ ।

୪୯) ବେସର – ସବୁ ପରିବା, ଯଥେଷ୍ଟ ନଡ଼ିଆ କୋରା ଏବଂ ସୋରିଷ ବଟା ବେସର, ନାଡ଼ି । ଡାଲି ମହାପ୍ରସାଦ ସହିତ ଡାବେ ବେସର ଖାଇଲେ ଜବତ । ସେଠାରୁ ଉଠିଲା ବେଳକୁ ବୋପାକୁ ଡାକିବ ।

୫୦) ଶାଗ- ଲେଉଟିଆ, ଖଡ଼ା ଶାଗ ବଡ଼ି ଘିଅରେ ଭଜା ହୋଇ ପଡ଼ିଥିବ । (ଘିଅ ଖାଇଲେ ବଳ ହୁଏ ଶାଗ ଖାଇଲେ ମଳ । ମତେ ୪୦/୫୦ ବର୍ଷ ବୟସ ପର୍ଯ୍ୟନ୍ତ ଏ କଥାର ମରମ ମୋ ସମଝକୁ ଆସି ନ ଥିଲା । ଏବେ ଏବେ ଜାଣିଲି ବେଶୀ ଘିଅ ଖାଇଲେ ତଥା କଥିତ ଅଗ୍ନି ଦେବତାଙ୍କ ଭଳି ଲୁଦବୁଦ ବ୍ୟାଧି ହୋଇପାରେ । ଶାଗ ଖାଇଲେ ସବୁ ଖାଦ୍ୟ ତ ହଜମ କରି ମଳରେ ବାହାର କରିବେ । ଓଡିଆ କମ୍ ନୁହେଁ । ୨୩ ପ୍ରକାର ଶାଗ ଠାବ କରିଥିଲେ । ଦଳିତ ଶ୍ରେଣୀ ଲୋକମାନେ ଶାଗଭଜା ଖାଇ ହେଣ୍ଡି ମାରନ୍ତି । ଶାଗରେ ନାନା ପ୍ରକାର ଧାତବ ଲବଣ ଖୁଂଦି ହୋଇଅଛି । ଜଗନ୍ନାଥ ତ ଏ ମୁଣ୍ଡ ସେ ମୁଣ୍ଡ ୫୬ ଭୋଗରେ ଘିଅ ଖାଇଲେ । ଶାଗ ଖାଇଲେ ଘିଅକୁ କାଟିବ ।)

୫୧) ବାଇଗେଣି – ବାଇଗଣକୁ ସରୁ ସରୁ କାଟି, ଲୁଣ ମସଲା ଗୋଲାଇ ଘିଅରେ ଛାଣିଲେ ବାଇଗେଣି ହେଲା ।

୫୨) ଗୋଟି ବାଇଗଣ – ନଡ଼ିଆ ରସରେ ଛୋଟ ବାଇଗଣ ଗୋଟା ଗୋଟା ଚିରି ଘିଅଛୁଙ୍କରେ ରୋଷେଇ ।

୫୩) ଖଟା- ଆମ୍ବ, ସେଓ, ଅଙ୍ଗୁର ଏକାଠି ମିଶାଇ ତିଆରି ହେଲେ ଖଟା ପ୍ରସ୍ତୁତ ହେଲା ।

୫୪) ମହୁର – କଖାରୁ, ସାରୁ, କନ୍ଦମୂଳ ଭଳି ପରିବା ଏକାଠି ମିଶାଇ ତରକାରି

୫୫) ପିତା- ଲିମ୍ବ ଫୁଲକୁ ଭାଜି ପିତା ପ୍ରସ୍ତୁତ ହୁଏ (ଅନ୍ତେ ତୀକ୍ତ ଜନ୍ତେ ଲୁଣ । ଅନ୍ତକୁ ପିତା ହିତକର । ଜଗନ୍ନାଥ ପିତାକୁ ଛାଡ଼ନ୍ତେ କିମିତି । ଏଇ ପିତାର କରାମତି ଲଂଗାପୁରରେ ଧରା ପଡ଼ିଥିଲା । ରାବଣ ଖାଇଲାବେଳେ ପାତ୍ର ମନ୍ତ୍ରୀଙ୍କୁ ବି ପଙ୍ଗତରେ ବସାଇ ଖାଇବାକୁ ଦିଅନ୍ତି । ସବୁ ଆଇଟମ୍ ଦିଆଯାଏ । ମାତ୍ର ଗୋଟିଏ ଆଇଟମ କେବଳ ରାବଣଙ୍କ ଥାଳିରେ ପଡ଼େ । ରାବଣଙ୍କୁ ବେମାର ହେଲା । ରାଜକବିରାଜ ଆସିଲେ । ନାଡି ଦେଖି କ’ଣ ଠଉରେଇଲେ କହିଲେ, “ମହାରାଜ ଆପଣ ଖାଇଲା ବେଳେ କ’ଣ ଗୋଟେ ଜିନିଷ ଏକା ଖାଉଛନ୍ତି । ଅନ୍ୟମାନଙ୍କର ଆଶା ରହୁଛି । ତେଣୁ ଆପଣଙ୍କ ରୋଗ । “ଆରେ ମୋ ଲିମ୍ବ ପିତା ଟିକକ ସକାଶେ ମୋ ବେମାରି!” । ତା ପରଦିନ ଖାଇବା କାମ ଚାଲିଲା । ଶେଷରେ ସୁପକାର ପିତା ରାବଣଙ୍କ ଥାଳିରେ ପରଷିବାକୁ ଯାଉଛନ୍ତି ରାବଣ କହିଲେ”, ରୁହ ରୁହ ପିତା ବି ସମସ୍ତଙ୍କ ପତ୍ରରେ ଦିଆହେଲା । ପାଟିରେ ଲଗାଇଛନ୍ତି ତ ଥୁ ଥୁ ।” ଆରେ ରାଜା ଏହି ପିତା ଟିକେ ଖାଉଛନ୍ତି!” । ମନ୍ତ୍ରୀ ପରିଷଦ ବୋଧ । ରୋଗବି ନିପାତ ।

୫୬) ପୋଟଳ ରସା – ପୋଟଳ, ନଡ଼ିଆ ରସ ମସଲା ଘିଅରେ ଭଜା ହୋଇ ତରକାରି ।

ପ୍ରଭୁ ଜଗନ୍ନାଥଙ୍କ ଖାଦ୍ୟ ବିଳାସ ପୂର୍ଣ୍ଣ । ସମସ୍ତ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଏବଂ ମିଠା ଖାଇବାରେ ଜଗନ୍ନାଥ ଓସ୍ତାଦ । ଓଡ଼ିଶାର ଖାଦ୍ୟ ପାନୀୟର ମହାନୀୟତା, ଦେଶୀ ଖାଦ୍ୟର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକତା, କିସମ କିସମ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ଭାରତ ବର୍ଷରେ ଠିଆ କରାଇଛି । ଜଗନ୍ନାଥଙ୍କ ଛପନ ଭୋଗରେ ଓଡ଼ିଶାର ଖାଦ୍ୟ ସଂସ୍କୃତିର ଷାଠିଏଭାଗ ଆମେ ପାଇବା । ଓଡ଼ିଶା ତ ମତ୍ସ୍ୟ ଦେଶ । ହେଲେ ଜଗନ୍ନାଥ ନିରାମିଷିଆ । ଆରେ ୫୬ ପ୍ରକାରର ଭଲ, ଘିଅ ସରି ସରି ଯଦି ମିଳିଲା, ମାଛ ଆଡ଼କୁ କାହିଁକି ମନ ବଳେଇବା । ଯେତିକି ଖାଦ୍ୟ ଜଗନ୍ନାଥ ଖାଉଛନ୍ତି ଓଡ଼ିଆ କମ୍ ବେଶୀ ସେତିକି ଖାଦ୍ୟ ଖାଇଲେ ତ ବହି ମଲାଟ ସୁଦ୍ଧା ଜଳିଯିବ।

ଜଗନ୍ନାଥ ଦିନକେ ୪/୫ ସେର ଘିଅ ଖାଇଲେ । ଏତେ ଘିଅ ଆସେ କେଉଁଠୁ? ଏଥିରୁ ତ ନିଶ୍ଚିତ ପ୍ରମାଣ ମିଳୁଛି ଓଡ଼ିଆ ସେ କାଳରେ ଘିଅ ଖାଇ କ୍ଷୀରରେ ହାତ ଧୋଉଥିଲେ । ସେମିତି ଖାଇ ନ ଥିଲେ ସମ୍ରାଟ ଅଶୋକ ସହିତ କଳିଙ୍ଗ ଯୁଦ୍ଧରେ ମୁଣ୍ଡ ପକାଇଥାନ୍ତେ କିପରି? ଖାଇ ମରଦ ନା ନ ଖାଇ ପରଦ । ପାଇକ ବିଦ୍ରୋହରେ ଦୁର୍ଦ୍ଦାନ୍ତ ଫିରିଙ୍ଗି ଫଉଜକୁ ଖୋର୍ଦ୍ଧାରେ ଲହୁ ଲୁହାଣ କରିଥାନ୍ତେ କିପରି?

ଓଡ଼ିଶାରେ କୃଷି ସାଧାରଣ ମଣିଷର ଜୀବନଧାରା । ହଳ ଲଂଗଳ, ଓଡ଼ିଆରେ ବିହନ, ଗୁହାଳ, ପାଖେ ଖତ ଗଦା, ବାସ୍ ଚାଷ କାମ ଚାଲିଲା। ଖତ ପାଇଁ ଗାଈ ଗୋରୁ ଦରକାର । ସେତେବେଳେ ପ୍ରତି ୫ ଏକର ଜମି ପାଇଁ ଚାଷୀ ବାଂଧୁଥିଲା ହଳେ ବଳଦ । ଖତ ପାଇଁ ୧୦/୧୫ ଗାଇ ବାଛୁରୀ । ଚାଷଜମି ଯେତେ ଅଧିକ ଗାଇ ଗୋରୁ ସଂଖ୍ୟା ମଧ୍ୟ ଅଧିକ । ଆମ ଗାଁ ବୈକୁଣ୍ଠ ମକଦ୍ଦମଙ୍କର ୫ବାଟି (୧୦୦ ଏକର) ଜମି । ୧୫ ହଳ କଇଁଫୁଲିଆ ଧଳା, କଳା, ନାଲି ରଂଗର ବଳଦ । ଦେଢ଼ ଶହ ଗାଈ । ଗାଈ କ୍ଷୀର ପାଇଁ ଯେତେ ନୁହେଁ ଖତ ପାଇଁ । ସେତବେଳର ବିଂଝାର ପୁରି ଘୁମସରି ପ୍ରଜାତିର ଗାଈ ଦିନକୁ ହାରାହାରି ୪/୫ ଲିଟର କ୍ଷୀର ଦେଉଥିଲେ । ମାଲିକ ପେଜ ତୋରାଣୀ ନଡା କୁଟା ଦେଲା । ସକାଳୁ ସଞ୍ଜଯାଏ ଗୋଠରେ ଗଲେ । ରଜା, ଜମିଦାର ଖଞ୍ଜି ଦେଇଥାନ୍ତି ଗୋଚର ଜମି । ପେଟ ପୁରେଇ ଚରିଲେ । କ୍ଷୀରରେ ଚିକ୍କଣ ବେଶୀ । ଘରଣୀମାନେ କ୍ଷୀର ଆଉଟିବେ । ଚକୁଳି ପିଠା ପରି ହଳଦିଆ ସର ପଡ଼ିଯିବ ଦହି ପକାଇବେ । ୪/୫ ଦିନରେ ଗୋଳେଇ ଲହୁଣୀ ବାହାର କଲେ । ଘିଅ ମଲା । ଥରକେ ଅଧ ସେର ତିନିପା ଘିଅ । ପିଠା ପଣା ଘିଅରେ । ଭାତରେ ଘିଅ । କନିକା ହେବ ଘିଅ । ଖେଚୁଡ଼ୀରେ ଘିଅ । ଜଗନ୍ନାଥଙ୍କୁ ଘିଅ ଅଭାବ ହେବ? ଜଗନ୍ନାଥ ଘିଅ କୁଣ୍ଡରେ ଭାସୁଥିଲେ । ଓଡ଼ିଶାର ଗୌରବମୟ ଖାଦ୍ୟ ସଂସ୍କୃତି ଆଜି କମ୍ପାନୀ ରାଜରେ ମଳିନ ପଡ଼ିଯାଇଛି । ହେଲେ କର୍ପୂର ଯାଇ କନା ଖଣ୍ଡକ ବି କର୍ପୂର ବାସ ଦିଏନା! ହାଉ ଯାଉ ଖିଆ କମିଯାଇଛି । ତେବେ ବାଘ କ’ଣ ଘାସ ଖାଇବ । ଯେମିତି ହେଲେ ମାଉଁସ ଶୀକାର କରିବ । ଆଜି ବି ଜାତୀୟ ସ୍ତରରେ ଓଡ଼ିଆର ଖାନାପିନା ଉଚ୍ଚରେ। ସର୍ବ ମଙ୍ଗଳ ଜଗନ୍ନାଥଙ୍କୁ ଏଇଠି ରଖିବା । ଆର ବାରିକି “ଆସ କିଏ ଯିବରେ ଆଜି ରଜାଘର ଖାନା ।”

…କ୍ରମଶଃ

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)