ମଞ୍ଚପୂଜନ (ନାଟ୍ୟଶାସ୍ତ୍ର୍ର ବିଷୟ – 2)

9 Min Read

ଭରତ ମୁନିଙ୍କ ଠାରୁ ତାଙ୍କର ଶିଷ୍ୟମାନେ ଏବଂ ଆତ୍ରେୟ ଆଦି ୠଷିମାନେ ନାଟ୍ୟୋତ୍ପତ୍ତିର କଥା ସବିଶେଷ ଶୁଣି ସାରିବା ପରେ ତାଙ୍କ ମନ ଭିତରେ ପୁଣି ନାଟ୍ୟ ସମ୍ବନ୍ଧିୟ କିଛି ପ୍ରଶ୍ନ ସୃଷ୍ଟି ହେଲା । ତେଣୁ ସେମାନେ ନାଟ୍ୟାଚାର୍ଯ୍ୟଙ୍କୁ କହିଲେ ଯେ “ଭଗବାନ, ଆମ୍ଭେ ବର୍ତ୍ତମାନ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛୁଯେ ରଙ୍ଗପୂଜାରେ କି କି କାର୍ଯ୍ୟ କରାଯାଏ ? ଭବିଷ୍ୟତରେ ଲୋକମାନେ କିଭଳି ଏହାର ପୂଜା କରିବେ ? ନାଟ୍ୟଗୃହର ଲକ୍ଷଣ ସବୁ କ’ଣ ? ଏ ସମସ୍ତ ବିଷୟରେ ବିସ୍ତାର କରି ଆମ୍ଭଙ୍କୁ କୁହନ୍ତୁ?” ସେମାନଙ୍କର ପ୍ରତ୍ୟୁତ୍ତରରେ ଭରତ ନାଟ୍ୟକ୍ରିୟାର ସବିଶେଷ ନାଟ୍ୟମଣ୍ଡପଠାରୁ କହିବା ଆରମ୍ଭ କଲେ । ନାଟ୍ୟଗୃହର ଲକ୍ଷଣ ଓ ପୂଜାବିଧି ବର୍ଣ୍ଣନା କରିବାକୁ ଯାଇ କହିଲେ ଯେ “ସ୍ୱର୍ଗରେ ଦେବତାମାନେ ସିନା ନିଜ ପାଇଁ ଆବଶ୍ୟକିୟ ଗୃହ ଏବଂ ଉପବନ ଗୁଡିକୁ ନିଜ ମାନସ ବା କଳ୍ପନା ବଳରେ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥାନ୍ତି କିନ୍ତୁ ମନୁଷ୍ୟ ମାନଙ୍କୁ ପ୍ରଦତ୍ତ ଲକ୍ଷଣ ଏବଂ ନୀତି ନିୟମ ଅନୂସାରେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପଡେ ।” ତତ୍ ସହିତ କେଉଁ ସ୍ଥାନରେ କିପରି ନାଟ୍ୟମଣ୍ଡପ ନିର୍ମାଣ କରାଯିବ ଏବଂ ଏହାର ପୂଜାବିଧି କିଭଳି କରାଯିବ ସେକଥା ନାଟ୍ୟକୋବିଦ ଭରତ ମୁନି କହିବା ଆରମ୍ଭ କଲେ ।

Support Samadhwani

ଇ୍ରହ୍ମାଙ୍କ ଦ୍ୱାରା ଯେତେବେଳେ ନାଟ୍ୟମଣ୍ଡପର ପରିକଳ୍ପନା ଏବଂ ନିର୍ମାଣ ଦାୟିତ୍ୱ ଦେବଶୀଳ୍ପି ବିଶ୍ୱକର୍ମାଙ୍କ ଉପରେ ନ୍ୟସ୍ତ କରାଗଲା ସେତେବେଳେ ସେ ଶାସ୍ତ୍ର୍ରାନୂସାରେ ତିନୋଟି ଶୈଳୀରେ ନାଟ୍ୟମଣ୍ଡପର ପରିକଳ୍ପନା କଲେ । ସେଗୁଡିକ ହେଲା ଯଥାକ୍ରମେ ବିକୃଷ୍ଟ, ଚତୁରସ୍ର ଏବଂ ତ୍ରସ୍ର । ଆକାର ଦୃଷ୍ଟିରୁ ଏହି ନାଟ୍ୟମଣ୍ଡପ ତ୍ରୟ ପରସ୍ପର ଠାରୁ ସମ୍ପୁର୍ଣ୍ଣ ପୃଥକ୍ ଅଟେ । ସାଧାରଣତଃ ଆୟତାକାର ମଣ୍ଡପଟିକୁ ବିକୃଷ୍ଟ, ବର୍ଗାକାର ମଣ୍ଡପଟିକୁ ଚତୁରସ୍ର ଏବଂ ତ୍ରିଭୂଜାକାର ମଣ୍ଡପଟିକୁ ତ୍ରସ୍ର ନାଟ୍ୟମଣ୍ଡପ କୁହାଯାଏ । ପୁନଶ୍ଚ ଆୟତନର ଭିନ୍ନତା ଦୃଷ୍ଟିରୁ ଏହି ନାଟ୍ୟମଣ୍ଡପ ତ୍ରୟକୁ ତିନି ତିନି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡିକ ହେଲା ଜ୍ୟେଷ୍ଠ, ମଧ୍ୟମ ଓ କନିଷ୍ଠ ।

ତ୍ରିବିଧଃ ସନ୍ନିବେଶଶ୍ଚ ଶାସ୍ତ୍ରତଃ ପରିକଳ୍ପିତ

ବିକୃଷ୍ଟଶ୍ଚତୁରସ୍ରଶ୍ଚ ତ୍ର‌୍ୟସ୍ରଶ୍ଚୈବ ହି ମଣ୍ଡପ ।ା୮।।

Support Samadhwani

ତେଷାଂ ତ୍ରୀଣି ପ୍ରମାଣାନି ଜ୍ୟେଷ୍ଠଂ ମଧ୍ୟଂ ତଥାଽବରମ୍ ।

(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୨୧, ଓଡି଼ଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ଓଡି଼ଶା)

ସେ ନାଟ୍ୟମଣ୍ଡପ ଗୁଡିକର ମାପକୁ ମଧ୍ୟ ହସ୍ତ ଦଣ୍ଡ ଦ୍ୱାରା ନିର୍ଦ୍ଧାରିତ କରିଛନ୍ତି । ଜ୍ୟେଷ୍ଠ, ମଧ୍ୟମ ଓ କନିଷ୍ଠ ମଣ୍ଡପର ଦୈର୍ଘ୍ୟକୁ ଯଥାକ୍ରମେ ୧୦୮, ୬୪ ଏବଂ ୩୨ ହସ୍ତରେ ପରିକଳ୍ପନା କରିଛନ୍ତି । ଜ୍ୟେଷ୍ଠ ମଣ୍ଡପଟିକୁ ଦେବତା, ମଧ୍ୟମ ମଣ୍ଡପଟିକୁ ରାଜନ୍ୟବର୍ଗ ଏବଂ ଆବର ବା କନିଷ୍ଠ ମଣ୍ଡପଟିକୁ ସାଧାରଣ ବର୍ଗର ଲୋକମାନଙ୍କ ବ୍ୟବହାର ନିମନ୍ତେ ସ୍ଥିର କରିଛନ୍ତି । ତତ୍‌ସହିତ ଏହି ନାଟ୍ୟମଣ୍ଡପର ଆକାରକୁ ପାରମ୍ପରିକ ମାପର ୮ ଗୋଟି ମାନକ ଦ୍ୱାରା ସ୍ଥିର କରିଛନ୍ତି । ସେଗୁଡିକୁ ଯଥା ୧. ଅଣୁ ୨. ରଜ ୩. ବାଳ ୪. ଲିଖା ୫. ଯୁକା ୬. ଯବ ୭. ଅଙ୍ଗୁଳ ୮. ହସ୍ତ ୯. ଦଣ୍ଡ ।

 

୮ ଅଣୁ – ୧ ରଜ

୮ ରଜ – ୧ ବାଳ

୮ ବାଳ – ୧ ଲିଖା

୮ ଲିଖା – ୧ ଯୁକା

୮ ଯୁକା – ୧ ଯବ

୮ ଯବ – ୧ ଅଙ୍ଗୁଳ

୨୪ ଅଙ୍ଗୁଳ – ୧ ହସ୍ତ

୪ ହସ୍ତ – ୧ ଦଣ୍ଡ

ପ୍ରେକ୍ଷାଗୃହାଣାଂ ସର୍ବେଷାଂ ତଚ୍ଚୈବ ହି ନିବୋଧତ ।

ଅଣୂରଜଶ୍ଚ ବାଳଶ୍ଚ ଲିକ୍ଷା ଯୂକା ଯବସ୍ତଥା ।ା୧୪।।

ଅଙ୍ଗୁଳଂ ଚ ତଥା ହସ୍ତୋ ଦଣ୍ଡଶ୍ଚୈବ ପ୍ରକୀର୍ତ୍ତିତଃ

ଅଣବୋଽଷ୍ଟୌ ରଜଃ ପ୍ରେକ୍ତଂ ତାନ୍ୟଷ୍ଟୌ ବାଳ ଉଚ୍ୟତେ ।ା୧୫।।

ବାଳାସ୍ତ୍ରଷ୍ଟୌ ଭବେଲ୍ଲିକ୍ଷା ଯୂକା ଲିକ୍ଷାଷ୍ଟକଂ ଭବେତ୍

ଯୂକାସ୍ତ୍ୱଷ୍ଟୌ ଯବୋ ଜେ୍ଞୟୋ ଯବାସ୍ତ୍ୱଷ୍ଟୌ ତଥାଙ୍ଗୁଳମ୍ ।ା୧୬।।

ଆଙ୍ଗୁଳାନି ତଥା ହସ୍ତଶ୍ଚତୁର୍ବିଂଶତିରୁଚ୍ୟତେ

ଚତୁର୍ହସ୍ତୋ ଭବେଦ୍ଦଣ୍ଡୋ ନିଦ୍ଧିଷ୍ଟସ୍ତୁ ପ୍ରମାଣତଃ ।ା୧୭।।

(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୨୪, ଓଡି଼ଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ଓଡି଼ଶା)

ମର୍ତ୍ତ୍ୟଲୋକରେ ନାଟ୍ୟପରିବେଷଣର ଧାରାକୁ କଳ୍ପନା କରି ବିଶ୍ୱକର୍ମା ମଧ୍ୟମାକାର ମଣ୍ଡପକୁ ଉପଯୁକ୍ତ ବୋଲି ବିବେଚନା କରିଛନ୍ତି । ସେହି ମଣ୍ଡପର ଦୈର୍ଘ୍ୟ ୬୪ ହସ୍ତ ଏବଂ ପ୍ରସ୍ଥ ୩୨ ହସ୍ତ । ଏତତ୍‌ତ୍ୟତିତ ସେ ଏହା ମଧ୍ୟ ନିର୍ଦେଶ କରିଛନ୍ତିଯେ ଏହି ନିର୍ଦ୍ଧାରିତ ମାପଠାରୁ ଯଦିବା ନାଟ୍ୟମଣ୍ଡପ ବୃହଦାକାର ହେବ ତେବେ ଏହା ସଠିକ୍ ଭାବରେ ଦୃଶ୍ୟ କିମ୍ବା ଶ୍ରାବ୍ୟ ହେବନାହିିଁ । ପାତ୍ରପାତ୍ରୀଙ୍କ ବକ୍ତବ୍ୟ କିମ୍ବା ଅଙ୍ଗଭଙ୍ଗି ଦର୍ଶକ ମାନଙ୍କ ନିକଟରେ ଉପଯୁକ୍ତ ଭାବରେ ପରିସ୍ଫୁଟନ ହେବନାହିିଁ ଫଳରେ ରସ ଉତ୍ପତ୍ତି ବା ନିଷ୍ପତ୍ତିରେ ବାଧା ସୃଷ୍ଟି ହେବ । ଦେବତା ମାନେ ସିନା ତତ୍‌କ୍ଷଣାତ୍ ଚାହିିଁବା ମୁତାବକ ଗୃହ ଏବଂ ଉପବନ ମାନ ସେମାନଙ୍କର ପରିକଳ୍ପନା ବଳରେ ସୃଷ୍ଟିକରି ନିଜର ଆବଶ୍ୟକତା ଦୂର କରିପାରନ୍ତି କିନ୍ତୁ ମାନବ ସମାଜକୁ ଏଦିଗରେ ନିଜର ସ୍ୱୀୟ ବୁଦ୍ଧି ଏବଂ ଶାରୀରିକ ଶ୍ରମ ଦ୍ୱାରା ସୃଷ୍ଟି କରିବାକୁ ପଡିବ । ତେଣୁ ମାନବ ନିଜକୁ ଭଗବାନଙ୍କ ସହିତ ତୂଳନା ନକରି ସେ ନିଜର ମନୋରଞ୍ଜନର ମାଧ୍ୟମ ସୃଷ୍ଟି ନିମନ୍ତେ ଯତ୍ନଶୀଳ ହେବା ବିଧେୟ ।

ନାଟ୍ୟଗୃହର ଲକ୍ଷଣ

ନାଟ୍ୟଗୃହର ଲକ୍ଷଣ ଏବଂ ଭୂମିର ପ୍ରକାରଭେଦ ସମ୍ବନ୍ଧରେ ଉତ୍ତର ଦେବାକୁ ଯାଇ ନାଟ୍ୟକୋବିଦ ଭରତ ୠଷି ମାନଙ୍କୁ କହୁଛନ୍ତି ଯେ ନାଟ୍ୟମଣ୍ଡପ ନିର୍ମାଣର ପ୍ରାଥମିକ ଅବସ୍ଥାରେ ଭୂମିର ପ୍ରକାରଭେଦକୁ ପରୀକ୍ଷା କରିବା ସହ ତାର ବାସ୍ତୁବିଦ୍ୟାକୁ ଜାଣିବା ଉଚିତ । ଏଥିନିମନ୍ତେ ସ୍ଥିର ବା ସମତଳ ତତ୍‌ସହିତ କୃଷ୍ଣ ବା ଗୌର ରଙ୍ଗର କିମ୍ବା କଳା ବା ଧଳା ସେଠାରେ ନାଟ୍ୟମଣ୍ଡପ ନିର୍ମାଣ କରିବା ପାଇଁ ସ୍ଥିର କରିବ । ପ୍ରଥମେ ଭୂମି ଶୋଧନ ପୂର୍ବକ ନିର୍ମାଣ ସ୍ଥାନରୁ ହାଡ, ଖପରା, ଘାସ, ଗୁଳ୍ମ ଆଦି ସଫାକରି ଲଙ୍ଗଳ ଦ୍ୱାରା କର୍ଷଣ ବା ହଳ କରି ଚାଷ କରିବା ବିଧେୟ । ଏହାପରେ କପା, ପଳାସି ଘାସ କିମ୍ବା ବକ୍କଳ ଦ୍ୱାରା ନିର୍ମିତ ଶୁକ୍ଲ ରଙ୍ଗର ବା ଧଳା ରଙ୍ଗର ଦଉଡି ସହାୟତାରେ ଉକ୍ତ ଭୂମିକୁ ମାପିବା ଆବଶ୍ୟକ । ଭୂମିକୁ ମାପ କଲାବେଳେ ପ୍ରଥମେ ଦଉଡିକୁ ଟାଣିଧରି ୬୪ ହସ୍ତ ମାପିବେ । ଏହାପରେ ସେହି ୬୪ ହସ୍ତ ଦୈର୍ଘ୍ୟକୁ ସମାନ ଦୁଇ ଭାଗରେ ବିଭାଜିତ କରିବ । ପଛଭାଗର ଅଧା ଅଂଶକୁ ପୁଣି ଦୁଇ ଭାଗ କରିବ । ସେହି ଦୁଇ ଭାଗରୁ ସମ୍ମୁଖ ଭାଗକୁ ରଙ୍ଗଶୀର୍ଷ ଏବଂ ପଶ୍ଚାତ୍ ଭାଗଟିକୁ ନେପଥ୍ୟ ପାଇଁ ଚିହ୍ନଟ କରିବ । ଏହାପରେ ମଣ୍ଡପର ପ୍ରଥମାର୍ଦ୍ଧରେ ବା ପ୍ରେକ୍ଷାଗୃହ ସ୍ଥାନରେ ଚାରିଦିଗରେ ଚାରୋଟି ସ୍ତମ୍ବ ଯଥାକ୍ରମେ ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ ଏବଂ ଶୁଦ୍ର ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ତମ୍ବ ନିର୍ମାଣ କରିବ । ରୋହିଣୀ ଏବଂ ଶ୍ରବଣା ନକ୍ଷତ୍ରଠାରୁ ଏହି ସ୍ତମ୍ବ ନିର୍ମାଣ କାର୍ଯ୍ୟ ତିନିଦିନ ଓ ତିନିରାତି ଉପବାସ ତଥା ନିଷ୍ଠାରେ ରହିଥିବା ଆଚାର୍ଯ୍ୟଙ୍କ ଦ୍ୱାରା ସମ୍ପାଦିତ ହେବ । ସ୍ତମ୍ବ ନିର୍ମାଣ ସମୟରେ ମଧ୍ୟ ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ ଏବଂ ଶୁଦ୍ର ଚିହ୍ନିତ ସ୍ତମ୍ବ ମାନଙ୍କ ମୂଳରେ ଯଥାକ୍ରମେ ସୁନା, ତମ୍ବା, ରୂପା ଓ ଲୁହା ଦାନ ଉଦ୍ଦେଶ୍ୟରେ ପୋତିବା ସହ ବ୍ରାହ୍ମଣ ମାନଙ୍କୁ ଗୋଦାନ, ଅନ୍ନଦାନ ଏବଂ ବସ୍ତ୍ରଦାନ ଦ୍ୱାରା ସନ୍ତୁଷ୍ଟ କରିବା ଉଚିତ । ଏହାପରେ ରଙ୍ଗପୀଠ ଓ ରଙ୍ଗଶୀର୍ଷ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ସାଧାରଣତଃ ସମୁଦାୟ ନାଟ୍ୟମଣ୍ଡପକୁ ସମାନ ଦୁଇ ଭାଗରେ ବିଭକ୍ତ କରି ଅଧାକୁ ମଣ୍ଡପ ଏବଂ ଆର ଅଧାକୁ ପ୍ରେକ୍ଷାଗୃହ ଭାବରେ ନିର୍ମାଣ କରିବାକୁ ଭରତ ନିର୍ଦେଶ ପ୍ରଦାନ କରିଛନ୍ତି । ସରଳ ଭାବରେ କହିବାକୁ ଗଲେ ଭରତ ପୁରା ନାଟ୍ୟଗୃହକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି ଯଥା ୧. ରଙ୍ଗଭୂମି ୨. ନେପଥ୍ୟ । ପୁଣି ସେହି ରଙ୍ଗଭୂମିକୁ ସମାନ ଦୁଇ ଭାଗରେ ବିଭକ୍ତ କରି ସମ୍ମୁଖ ଭାଗ ଅର୍ଥାତ୍ ପ୍ରେକ୍ଷାଗୃହକୁ ଲାଗିଥିବା ଭାଗଟିକୁ ରଙ୍ଗପୀଠ ଏବଂ ନେପଥ୍ୟ ଭାଗକୁ ଲାଗିଥିବା ଭାଗଟିକୁ ରଙ୍ଗଶୀର୍ଷ ଭାବରେ ବର୍ଣ୍ଣନା କରିଛନ୍ତି । ପୁଣି ରଙ୍ଗପୀଠର ଉଭୟ ପାଶ୍ୱର୍ରେ ଦେଢ଼ହସ୍ତ ଉଚ୍ଚତା ବିଶିଷ୍ଟ ଚାରିଗୋଟି ସ୍ତମ୍ବକୁ ବର୍ଗଚିତ୍ରର ଚାରୋଟି କୋଣଭଳି ଗଠନ କରି ମତ୍ତବାରଣି ନିର୍ମାଣ କରିବାକୁ ନର୍ଦ୍ଦେଶ କରିଛନ୍ତି । ଏହି ମତ୍ତବାରଣିକୁ ଘୃତ, ଚନ୍ଦନ ଏବଂ ପୁଷ୍ପ ଆଦି ନାନା ଦ୍ରବ୍ୟ ସହ ଭୂତମାନଙ୍କୁ ପୂଜା କରିବାର ବିଧି ମଧ୍ୟ ବର୍ଣ୍ଣନା କରିଛନ୍ତି । ତତ୍‌ସହିତ ବ୍ରାହ୍ମଣମାନଙ୍କୁ ଶାକର ଭୋଜନ ଦ୍ୱାରା ମଧ୍ୟ ସନ୍ତୁଷ୍ଟ କରିବାକୁ ନିର୍ଦ୍ଦେର୍ଶ ଦେଇଛନ୍ତି । ତତ୍‌ପରେ ନିର୍ଦ୍ଧାରିତ ନୀତିନିୟମ ଅନୂସାରେ ରଙ୍ଗପୀଠ ପ୍ରସ୍ତୁତ କରାଯାଏ । ରଙ୍ଗପୀଠରେ ବିଶେଷକରି ଛ ଗୋଟି ଶ୍ରେଣୀ ବା କାଷ୍ଠ ରଖାଯାଇଥାଏ । ଏହାକୁ ଷଢ଼ଦାରୁକ କୁହାଯାଏ । ଏହି ଷଢ଼ଦାରୁକର କାର୍ଯ୍ୟ ହେଲା ନାଟକରେ ଅଭିନୟ କରାଯାଉଥିବା ଦୃଶ୍ୟର ଏକ ଚିତ୍ର ସେଠାରେ ଲଗାଯିବ । ଯାହା ନାଟକର ଅଭିନୀତ ଦୃଶ୍ୟ ସମ୍ବନ୍ଧରେ ଦର୍ଶକ ମାନଙ୍କୁ ସୂଚନା ପ୍ରଦାନ କରିବ । ପୁଣି ସେହି ରଙ୍ଗପୀଠର ଉଭୟ ପାଶ୍ୱର୍ରେ ନେପଥ୍ୟ ଗୃହ ପ୍ରତି ପ୍ରବେଶ ପ୍ରସ୍ଥାନ ନିମନ୍ତେ ଦୁଇଗୋଟି ଦ୍ୱାର ରହିବା ବିଧେୟ । ନାଟ୍ୟମଣ୍ଡପ ମଧ୍ୟ ପର୍ବତଗୁହାକାର ହେବା ସହ ଦ୍ୱିଭୂୂମି ବିଶିଷ୍ଟ ହେବ । ତତ୍‌ସହିତ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ଏଭଳି ସମ୍ପାଦିତ କରିବାକୁ ପଡିବ ଯେପରିକି ତା ମଧ୍ୟକୁ ପବନ ଚଳାଚଳ କମ୍ ହେବ, କାରଣ ଅତ୍ୟଧିକ ପବନ ଚଳାଚଳ ଦ୍ୱାରା ନାଟ୍ୟପରିବେଷଣ ସମୟରେ ଉଚ୍ଚାରିତ ଶବ୍ଦ ବା ବାଦ୍ୟଧ୍ୱନି ସ୍ପଷ୍ଟ ଭାବରେ ଶୁଣାଯିବ ନାହିଁ । ଏହାପରେ କାନ୍ଥ କାମ ସାରି ଲେପ ପ୍ରଦାନ କରାଯିବ । ଏହି ବର୍ଣ୍ଣିତ ବିଧି ଅନୂସାରେ ନାଟ୍ୟପ୍ରଯୋକ୍ତାମାନେ ବିକୃଷ୍ଟ ମଣ୍ଡପର ନିର୍ମାଣ କାର୍ଯ୍ୟ କରିବା ବିଧେୟ । ଏହାପରେ ଚତୁରସ୍ର ନାଟ୍ୟ ମଣ୍ଡପ ନିର୍ମାଣ ବେଳେ ମଧ୍ୟ ନାଟ୍ୟଜ୍ଞ ମାନେ ଶୁଦ୍ଧଭୂମି ଚୟନ କରି ତାକୁ ପୂର୍ବୋକ୍ତ ବିଧିରେ ୩୨ ହସ୍ତ ଦୈର୍ଘ୍ୟ ଓ ପ୍ରସ୍ଥ ବିଶିଷ୍ଟ କରି ନିର୍ମାଣ କରିବା ସହ ବାହ୍ୟକାର୍ଯ୍ୟ ସମାପ୍ତ କରି ଏହାର ଭିତର ପାଶ୍ୱର୍ରେ ରଙ୍ଗପୀଠ ନିର୍ମାଣ କରିବ । ଏହି ରଙ୍ଗପୀଠକୁ ୧୦ଟି ସ୍ତମ୍ବଯୁକ୍ତ କରିବ । ସ୍ତମ୍ବ ଗୁଡିକର ବାହାର ପଟରେ ଇଟା ଏବଂ କାଠ ସହାୟତାରେ ପାବଚ୍ଛାକାର ପୀଠକ ନିର୍ମାଣ କରାଯିବ । ଏଠାରେ ଦର୍ଶକ ମାନେ ବସିବେ । ଏହି ପୀଠକ ଗୁଡିକ ଏଭଳି ନିର୍ମିତ ହେବା ଆବଶ୍ୟକ ଯେପରିକି ଦର୍ଶକମାନେ ରଙ୍ଗପୀଠର ଅଭିନୟକୁ ସୁବିଧାରେ ଦେଖିପାରିବେ । ମଣ୍ଡପକୁ ଧରି ରଖିବା ପାଇଁ ଏହାଉପରେ ଆଉ ଅଧିକ ଛ ଗୋଟି ସ୍ତମ୍ବ ବିଭିନ୍ନ ଦିଗରେ ନିର୍ମାଣ କରି ସେମାନଙ୍କ ଉପରିଭାଗରେ ପୁଣି ଆଉ ଆଠଗୋଟି ସ୍ତମ୍ବ ନିର୍ମାଣ କରିବ । ସେଗୁଡିକ କାଠ ଦ୍ୱାରା ଆଚ୍ଛାଦିତ ହେବା ସହ ସେଥିରେ ବିଭିନ୍ନ ପ୍ରକାରର କାଠ କଣ୍ଢେଇମାନ ସ୍ଥାପନ କରିବ ।

ଏହାପରେ ନେପଥ୍ୟ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ । ଏହି ନେପଥ୍ୟ ଗୃହ ମଧ୍ୟରୁ ରଙ୍ଗଶୀର୍ଷ ଆଡକୁ ଏକ ଦ୍ୱାର ରହିବ । ନେପଥ୍ୟର ସମ୍ମୁଖ ପାଶ୍ୱର୍ରୁ ଦର୍ଶକ ମାନଙ୍କ ପାଇଁ ପ୍ରବେଶ ଦ୍ୱାର ରହିବ । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ଆଠ ହାତ ହେବା ବିଧେୟ । ବିକୃଷ୍ଟ ନାଟ୍ୟମଣ୍ଡପ ନିର୍ମାଣ ଶୈଳୀରେ ଅନ୍ୟାନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ମଧ୍ୟ ଯଥାବିଧି ଅନୂସାରେ କରାଯିବା ଉଚିତ ।

ଠିକ୍ ସେହିପରି ତ୍ରସ୍ର ବା ତ୍ରିକୋଣାକାର ନାଟ୍ୟମଣ୍ଡପର ମଧ୍ୟ ଭାଗରେ ଏକ ତ୍ରିକୋଣାକାର ରଙ୍ଗପୀଠ ରହିବା ସହ ଏହାର ସମ୍ମୁଖ ଏବଂ ପଶ୍ଚାତରେ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଦ୍ୱାରମାନ ରହିବ । ଏହାସହିତ ନାଟ୍ୟଗୃହ ନିର୍ମାଣରେ ଅନ୍ୟାନ୍ୟ ସମସ୍ତ ନୀତି ନିୟମ ପାଳିତ ହେବ ।

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ