ଶ୍ରୀକ୍ଷେତ୍ର – ପୁରୁଷୋତ୍ତମ ଓ ଜଗନ୍ନାଥ

[box type=”shadow” align=”” class=”” width=””]ଗଙ୍ଗବଂଶୀ ସମ୍ରାଟ ଅନଙ୍ଗଭୀମ(ତୃତୀୟ) ତ୍ରୟୋଦଶ ଶତକର ଆରମ୍ଭରେ ଏକ ସନ୍ଧିକ୍ଷଣରେ ବ୍ରାହ୍ମଣ୍ୟ ଶକ୍ତିର ସହାୟତାରେ ଆଞ୍ଚଳିକ ଗଙ୍ଗ ସାମ୍ରାଜ୍ୟକୁ ଅଖଣ୍ଡ ରଖିବାକୁ ଉଦ୍ୟମ କଲେ । ଏହି ପଦକ୍ଷେପଦ୍ୱାରା ସବୁ ଧର୍ମସମ୍ପ୍ରଦାୟ ସନ୍ତୁଷ୍ଟ ହେବେ ଏବଂ ପୁରୁଷୋତ୍ତମ ଜଗନ୍ନାଥଙ୍କ ଆଧିପତ୍ୟ ପ୍ରତିପାଦିତ ହୋଇପାରିବ ବୋଲି ବିଶ୍ୱାସ କରାଗଲା । ଏଣୁ ଅନଙ୍ଗଭୀମ ତୃତୀୟଙ୍କ ରାଜତ୍ୱ କାଳରେ ପୁରୁଷୋତ୍ତମ ଜଗନ୍ନାଥ ନାମରେ ସୁପରିଚିତ ହେଲେ ବୋଲି ଉକ୍ତ ଲେଖାରେ ବିଭିନ୍ନ ଐତିହାସିକ ତଥ୍ୟ ସହ ପ୍ରକାଶ କରିଛନ୍ତି ଐତିହାସିକ ପ୍ରଫେସର କୈଳାସଚନ୍ଦ୍ର ଦାଶ – ସମ୍ପାଦକ[/box]

ଜଗନ୍ନାଥ ତତ୍ତ୍ୱର ଏକ ସମ୍ପ୍ରସାରିତ ଅତୀତ ଅଛି । ଏହି ଅତୀତ ଚର୍ଚ୍ଚାର ଏକ ବଳିଷ୍ଠ ଦିଗ ହେଉଛି ଜଗନ୍ନାଥ ନାମକରଣ ରହସ୍ୟର ଆଲୋଚନା । ଯେଉଁ ବୃହତ୍ ମନ୍ଦିର ଆଜି ପର୍ଯ୍ୟନ୍ତ ମୁଣ୍ଡିଟେକି ରହିଛି ପୁରୀରେ, ତାହାର ମୁଖ୍ୟଦେବତା-ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ-ଚତୁର୍ଦ୍ଧା ମୂର୍ତ୍ତି ଆଜି ମଧ୍ୟ ପୂଜିତ । ଭାରତ ବର୍ଷର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଚତୁର୍ଦ୍ଧା ମୂର୍ତ୍ତିର ଆଦର ରହିଛି ଏବଂ ବିଭିନ୍ନ କାଳରେ ମନ୍ଦିର ନିର୍ମାଣ କରାଯାଇ ଉପାସନା କରାଯାଇଅଛି । ଏହି ଜଗନ୍ନାଥ ତତ୍ତ୍ୱ୍ୱ, ମନ୍ଦିରର ଇତିହାସକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିବେଚନା କଲାବେଳେ ଏହି ନାମ ସମ୍ପର୍କରେ ଜାଣିବାର ଆଗ୍ରହ ବଢିଯାଏ । ଅନୁସନ୍ଧାନ କରିବାକୁ ଇଚ୍ଛାହୁଏ କେବେ ଓ କାହିଁକି ଏହି ନାମ ପୁରୀର ମୁଖ୍ୟଦେବତା ପାଇଁ ଉଦ୍ଦିଷ୍ଟ ହେଲା ।

ପୁରାଣଖଣ୍ଡମାନଙ୍କରେ ତଥା ସାରଳା ମହାଭାରତର ବନପର୍ବ ଓ ମୁଷଳୀ ପର୍ବରେ ଜଗନ୍ନାଥଙ୍କର ଆଦିବାସୀ ମୂଳ ଉପରେ ଗୁରୁତ୍ୱ ଦିଆଯାଇଛି । ଇନ୍ଦ୍ରଦ୍ୟୁମ୍ନ ଜନଶ୍ରୁତି, ନୀଳମାଧବ ଆଖ୍ୟାନ ଓ ଦେଉଳ ତୋଳା ପରି ବିବରଣୀରେ ଜଗନ୍ନାଥ ଆର୍ଯ୍ୟୋତ୍ତର ବିଗ୍ରହର ଆର୍ଯ୍ୟକରଣ ବୋଲି ସୂଚାଇ ଦିଆଯାଇଛି । ତେବେ ବହୁ ଆଲୋଚକ ଏହି ଆଦିମ ମୂଳକୁ ସ୍ୱୀକାର କରୁଥିବା ବେଳେ ଅନ୍ୟମାନେ ନାନା ଧର୍ମଧାରା ସମର୍ଥନ କରି ଜଗନ୍ନାଥ ବୌଦ୍ଧଦେବତା, ଜୈନଦେବତା, ବୈଷ୍ଣବଦେବତା, ଶୈବଶାକ୍ତ ସମନ୍ନୟର ପ୍ରତୀକର ସ୍ତର ଦେଇ ଗତିକରି ଆଦିମ ମୂଳକୁ ଅସ୍ୱୀକାର କରନ୍ତି । ଏ ସମସ୍ତ ବିବରଣୀ ଉପରେ ଗୁରୁତ୍ୱ ଦେବା ବେଳେ ଅଭିଲେଖୀୟ ବିବରଣୀର ଗୁରୁତ୍ୱକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଆଜି ପର୍ଯ୍ୟନ୍ତ ଆବିଷ୍କୃତ ତ୍ରୟୋଦଶ ଶତାବ୍ଦୀ ପୂର୍ବର କୌଣସି ଶିଳାଲିପି/ତାମ୍ରଲେଖରେ ପୁରୀକ୍ଷେତ୍ରର ଦେବତା ଜଗନ୍ନାଥ ନାମ ଉଲ୍ଲେଖ ହୋଇନାହିଁ ।

ସେହି ସମସ୍ତ ଶିଳାଲିପି/ତାମ୍ରଲେଖ ଗୁଡିକରେ ଏହି କ୍ଷେତ୍ରର ମୁଖ୍ୟଦେବତା ପୁରୁଷୋତ୍ତମ ବୋଲି ସୂଚାଇ ଦିଆଯାଇଛି । ଏପରିକି ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗ ଏବଂ ତାଙ୍କର ବଂଶଧର(ପୁତ୍ର ଓ ପୌତ୍ର)ଙ୍କର ସମସ୍ତ ଦାନବ୍ୟବସ୍ଥାରେ ପୁରୁଷୋତ୍ତମଙ୍କର ନାମର ଉଲ୍ଲେଖ ରହିଛି । କ୍ଷେତ୍ରର ନାମ ସର୍ବତ୍ର ପୁରୁଷୋତ୍ତମ କ୍ଷେତ୍ର ବୋଲି ସୂଚିତ । ଏପରିକି ସ୍ମରଣୀୟ ସଂସ୍କୃତ ଗ୍ରନ୍ଥ-ମୁରାରୀ ମିଶ୍ରଙ୍କ ଅନର୍ଘ ରାଘବ ନାଟକ, କୃଷ୍ଣମିଶ୍ରଙ୍କ ପ୍ରବୋଧ ଚନ୍ଦ୍ରୋଦୟ, ଭୋଜ ପାରମାରଙ୍କ ରାଜମାର୍ତ୍ତଣ୍ଡ, କାଳବିବେକ, ନୈଷଧୀୟ ଚରିତ ଏବଂ ସତାନନ୍ଦଙ୍କ ଭାସ୍ୱତୀ ମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ରର ନାମ ରହିଛି । ଏ ଦୃଷ୍ଟିରୁ ଜଗନ୍ନାଥ ନାମ ଦ୍ୱାଦଶ ଶତକର ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀର ମୁଖ୍ୟଦେବତାଙ୍କ ପ୍ରତି ଆରୋପିତ ହୋଇଥିଲା ବୋଲି ଏ ଲେଖକ ସିଦ୍ଧାନ୍ତ ଗ୍ରହଣ କରିଛି ।

କେତେକ ତନ୍ତ୍ର ସାହିତ୍ୟ( ଇନ୍ଦ୍ରଭୁତିଙ୍କ ଜ୍ଞାନସିଦ୍ଧି, ରୁଦ୍ରଯାମଳା ତନ୍ତ୍ର)ରେ ଜଗନ୍ନାଥ ନାମର ଉଲ୍ଲେଖ ରହିଛି । ଜ୍ଞାନସିଦ୍ଧି ଏକ ବଜ୍ରଜାନ ଗ୍ରନ୍ଥ ଏବଂ ଏହା ଉଡ୍ଡିୟାନ ରାଜା ଇନ୍ଦ୍ରଭୁତିଙ୍କ ଏକ ବିଶିଷ୍ଟ ରଚନା । ଜ୍ଞାନସିଦ୍ଧି ପୁସ୍ତକର ମଙ୍ଗଳାଚରଣ ପ୍ରଥମ ଶ୍ଳୋକରେ ଜଗନ୍ନାଥ ଶବ୍ଦର ଅବତାରଣା କରାଯାଇଛି ଏବଂ ବହୁ ଆଲୋଚକ ଏହି ଜଗନ୍ନାଥଙ୍କୁ ପୁରୀର ଇଷ୍ଟଦେବତା ଜଗନ୍ନାଥ ବୋଲି ଗ୍ରହଣ କରିଛନ୍ତି । ଏହି ଶ୍ଳୋକର ଏକ ଯୁକ୍ତିଯୁକ୍ତ ଆଲୋଚନା କରି ସ୍ୱର୍ଗତଃ ପ୍ରହଲାଦ ପ୍ରଧାନ ମତ ଦେଇଛନ୍ତି । ତାଙ୍କ ମତାନୁସାରେ ଜଗନ୍ନାଥ ସବୁ ଜିନବର ବା ଶ୍ରେଷ୍ଠ ଜିନମାନଙ୍କ ଦ୍ୱାରା ପୂଜିତ, ସର୍ବ ବୁଦ୍ଧମୟ । ସବୁ ସିଦ୍ଧରେ ବ୍ୟାପ୍ତ ହୋଇରହିଥିବା, ଗଗନ ସଦୃଶ, ସବୁ ସତ୍ତ୍ୱ(ପ୍ରାଣୀ)ମାନଙ୍କ ସର୍ବଦ(ଯାହା ଚାହିଁଲେ ତାହା ଦାନ କରୁଥିବା), ସର୍ବଜ୍ଞ ଶ୍ରେଷ୍ଠବଜ୍ରୀଙ୍କୁ ଭକ୍ତ ସହକାରେ ପ୍ରଣିପାତ କରି ତାଙ୍କୁ ସିଦ୍ଧି କରିବାରେ ଶ୍ରେଷ୍ଠସାଧନ ଅର୍ଥାତ୍ ସାଧନ ପ୍ରକ୍ରିୟା ମୁଁ କହୁଅଛି । ଏଠାରେ ଜଗନ୍ନାଥ ଶବ୍ଦକୁ ଗୋଟିଏ ନାମବାଚକ ବିଶେଷ୍ୟ ପଦରେ ଗ୍ରହଣ କରିହେବ କି? ଜ୍ଞାନସିଦ୍ଧି ହେଉଛି ଗୋଟିଏ ବଜ୍ରଜାନ ଗ୍ରନ୍ଥ । ବଜ୍ରଜାନରେ ସାଧ୍ୟଦେବତା ହେଉଛନ୍ତି ବଜ୍ରସତ୍ତ୍ୱ ବା ବଜ୍ରସତ୍ତ୍ୱ ବୁଦ୍ଧ ଏବଂ ବଜ୍ରହସ୍ତ ହୋଇଥିବାରୁ ତାଙ୍କୁ ବଜ୍ରୀ ମଧ୍ୟ କୁହାଯାଏ ।

ଏପରି ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଇନ୍ଦ୍ରଭୁତିଙ୍କ ସୂଚିତ ଜଗନ୍ନାଥ କେବଳ ବୁଦ୍ଧଙ୍କୁ ବୁଝାଇପାରେ ଏବଂ ଏହାକୁ ପୁରୁଷୋତ୍ତମ କ୍ଷେତ୍ରର ଜଗନ୍ନାଥଙ୍କ ସହିତ ସଂଯୋଜିତ କରିବା ଅନୁଚିତ । ସେହିପରି ରୁଦ୍ରଯାମଳା ସୂଚିତ ଜଗନ୍ନାଥ ଭୈରବ ରୂପରେ ଗ୍ରହଣ କରାଯାଇପାରେ ଏବଂ ଏହା ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ପୁରୁଷୋତ୍ତମ କ୍ଷେତ୍ରର ଜଗନ୍ନାଥଙ୍କୁ ନିର୍ଦ୍ଦେଶ କରେନାହିଁ । ଏକଦା ହୁଏତ ପୁରୁଷୋତ୍ତମ କ୍ଷେତ୍ରରେ ତନ୍ତ୍ରର ପ୍ରାଧାନ୍ୟ ଦେଖାଦେଇଥିଲା ଏବଂ ସେତେବେଳେ ଜଗନ୍ନାଥ ଭୈରବ ଏବଂ ବିମଳାଙ୍କୁ ଇଷ୍ଟଦେବ ଓ ଇଷ୍ଟଦେବୀ ଆକାରରେ ପୂଜା କରାଯାଇଥିଲା । କିନ୍ତୁ ସେହି ଜଗନ୍ନାଥ ଭୈରବ ପୁରୁଷୋତ୍ତମ କ୍ଷେତ୍ରରେ ଥିବା ଚତୁର୍ଦ୍ଧା ମୂର୍ତ୍ତିର ପ୍ରଥମ-ଜଗନ୍ନାଥ ସହିତ ଚିହ୍ନିତ କରିବା ସମ୍ଭବ ନୁହେଁ ।

ଓଡିଶାରେ ଏକଦା ଭୈରବ ଏକ ଶକ୍ତିଶାଳୀ ଦେବତାରୂପେ ଶୈବ-ଶାକ୍ତ-ତାନ୍ତ୍ରିକ ସମ୍ପ୍ରଦାୟ ଦ୍ୱାରା ସ୍ୱୀକୃତ ହୋଇଥିଲେ ଏବଂ ବୈଷ୍ଣବମାନେ ମଧ୍ୟ ଏ ତତ୍ତ୍ୱର ଅଧୀନତା ସ୍ୱୀକାର କରିଥିଲେ । ସାରଳା ଦାସ ମୂଷଳୀ ପର୍ବରେ ଗୋମୁଖୀ କେଶବ ପ୍ରସଂଗରେ ଏହି ଅତ୍ୟନ୍ତ କ୍ଷମତାଶାଳୀ ଭୈରବଙ୍କ କଥା ପ୍ରକାଶ କରିଛନ୍ତି । ତେଣୁ ଏହି ତନ୍ତ୍ରଗ୍ରନ୍ଥରେ ଥିବା ଭୈରବ ପୁରୀର ଇଷ୍ଟଦେବତା ଜଗନ୍ନାଥ ନହୋଇ ଓଡିଶାରେ ଏକାଦଶ ଶତକରେ ସୁପରିଚିତ ଭୈରବ-ଜଗନ୍ନାଥ ହୋଇପାରନ୍ତି । ଏହା ସହିତ ସଂଯୋଜିତ ପୁରୀର ବିମଳା(ତନ୍ତ୍ରଦେବୀ)ଙ୍କୁ ସେହି ଦୃଷ୍ଟିରୁ ଗ୍ରହଣ କରିବା ଉଚିତ । ହୁଏତ ପୁରୀରେ ଏପରି ଏକ ବିଗ୍ରହ ଏକାଦଶ ଶତକ ବେଳକୁ ପୂଜିତ ହେଉଥିଲେ; କିନ୍ତୁ ଏ ଜଗନ୍ନାଥ ଭୈରବ ପୁରୀର ପୁରୁଷୋତ୍ତମ-ଜଗନ୍ନାଥ ସହିତ ଚିହ୍ନିତ କରିବା ସଂଗତ ନୁହେଁ ।

ଜଗନ୍ନାଥ ଶବ୍ଦଟି ଏତେ ବ୍ୟାପକ ଯେ ବିଭିନ୍ନ ଧର୍ମ ସମ୍ପ୍ରଦାୟ ଆପଣାର ପ୍ରାଧାନ୍ୟ ପାଇଁ ନିଜନିଜର ଆରାଧ୍ୟ ଦେବତାଙ୍କୁ ଜଗନ୍ନାଥ ବୋଲି ସଂବୋଧିତ କରିଥାନ୍ତି । ମୁଖଲିଙ୍ଗମ୍ ମନ୍ଦିର ଲିପିରେ ମଧୁକେଶ୍ୱରଦେବତାଙ୍କୁ ଜଗତୋନାଥ ବୋଲି କୁହାଯାଇଛି । ରାଜମାର୍ତ୍ତଣ୍ଡରେ ବିଷ୍ଣୁ-କୃଷ୍ଣଙ୍କୁ ଜଗନ୍ନାଥ ବୋଲି କୁହାଯାଇଛି । ଏଣୁ ଦ୍ୱାଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଜଗନ୍ନାଥ ବିଭିନ୍ନ ମୁଖ୍ୟଦେବତାଙ୍କୁ ନିର୍ଦ୍ଦେଶିତ କରୁଥିଲେ ମଧ୍ୟ ପୁରୀର ପୁରୁଷୋତ୍ତମଙ୍କର ଏପରି ନାମ ସେତେବେଳେ ପ୍ରଚଳିତ ନଥିଲା । ସମସ୍ତ ଶିଳାଳିପି ଓ ତାମ୍ରଲେଖ ଏ ପର୍ଯ୍ୟନ୍ତ ପୁରୁଷୋତ୍ତମ ନାମ ବ୍ୟବହାର କରିଛନ୍ତି । ରାଜମାର୍ତ୍ତଣ୍ଡରେ ଜଗନ୍ନାଥ ନାମ ବିଷ୍ଣୁଙ୍କୁ ଆରୋପିତ ହୋଇଥିଲେ ମଧ୍ୟ ସେଥିରେ ପୁରୁଷୋତ୍ତମ କ୍ଷେତ୍ରର ଦେବତାଙ୍କୁ ଜଗନ୍ନାଥ ଅପେକ୍ଷା ପୁରୁଷୋତ୍ତମ ବୋଲି ପ୍ରକାଶ କରାଯାଇଛି ।

ପୁରୁଷୋତ୍ତମ କାହିଁକି ଜଗନ୍ନାଥ ନାମରେ ତ୍ରୟୋଦଶ ଶତାବ୍ଦୀରେ ସୁପରିଚିତ ହେଲେ ତାହାର ମୂଳକଥା ଏଠାରେ ଆଲୋଚନା କରାଯାଇପାରେ । ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗ ଦ୍ୱାଦଶ ଶତକର ତିନି ଦଶନ୍ଧି ମଧ୍ୟରେ ଓଡିଶାର ବହୁଳାଂଶ, ଆନ୍ଧ୍ର ତଥା ବଂଗର କେତେକ ଅଂଶରୁ ରାଜ୍ୟ ଜୟ କରି ଏକ ବୃହତ୍ ସାମ୍ରାଜ୍ୟ ଗଠନ କରିଥିଲେ । ଏହି ସାମ୍ରାଜ୍ୟ ସଂଗଠନ ତଥା ତାଙ୍କ କ୍ଷମତା ବୈଧୀକରଣ ପାଇଁ ପୁରୁଷୋତ୍ତମଙ୍କ ମହାମନ୍ଦିର ନିର୍ମାଣ କରାଇଥିଲେ । ସେତେବେଳେ ପୁରୁଷୋତ୍ତତ୍ତମଙ୍କ ମହାମନ୍ଦିର ନିର୍ମାଣ ସହିତ ବ୍ୟାପକ ସେବାପୂଜା ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହି କାଳରେ ମଧ୍ୟ ଜଗନ୍ନାଥ ନାମର ସୂଚନା ମିଳିନାହିଁ । ନୃସିଂହ ମନ୍ଦିରରେ ଥିବା ଚୋଡଗଙ୍ଗ ଏବଂ ତାଙ୍କ ପୁତ୍ର ପ୍ରଦତ୍ତ ଦାନ ବ୍ୟବସ୍ଥାରେ ପୁରୁଷୋତ୍ତମ ନାମ ସର୍ବତ୍ର ବ୍ୟବହାର କରାଯାଇଛି । ଏଣୁ ଏହି ସମୟରେ ପୁରୀର ମୁଖ୍ୟଦେବତାଙ୍କ ନାମ ଥିଲା ପୁରୁଷୋତ୍ତମ ।

ପୁରୁଷୋତ୍ତମ ଶବ୍ଦଟିରେ ବିଷ୍ଣୁଙ୍କର କାମରୂପ ପ୍ରତିପାଦିତ ବୋଲି ବିଖ୍ୟାତ ଐତିହାସିକ ଗୟାଚରଣ ତ୍ରିପାଠୀ ମତ ଦେଇଛନ୍ତି । ହର୍ଷଚରିତ, ଅନର୍ଘରାଘବ ନାଟକ ଏବଂ ସାରଦାତିଳକ ପରି ଗ୍ରନ୍ଥାନୁସାରେ ପୁରୁଷୋତ୍ତମ ତତ୍ତ୍ୱରେ ବିଷ୍ଣୁ ଏବଂ ତାଙ୍କ ପତ୍ନୀ କମଳା ସଂଯୋଜିତ । ଯେତେବେଳ ପର୍ଯ୍ୟନ୍ତ ପୁରୁଷୋତ୍ତମ ନାମ ବ୍ୟବହାର କରାଯାଉଥିଲା ସେତେବେଳ ପର୍ଯ୍ୟନ୍ତ ପୁରୀର ମୁଖ୍ୟଦେବତାଙ୍କର କ୍ଷମତାର ପରିସର ସଂକୁଚିତ ଥିଲା । ସେ କେବଳ ବୈଷ୍ଣବ ପରିବାରର ମୁଖ୍ୟ ହୋଇଥିଲେ । ମାତ୍ର ଓଡିଶାରେ ବୌଦ୍ଧ, ଜୈନ, ଶାକ୍ତ ଓ ଶୈବ ମଧ୍ୟଯୁଗରେ ଅତ୍ୟନ୍ତ ଶକ୍ତିଶାଳୀ ଧାର୍ମିକ ସମ୍ପ୍ରଦାୟ ଥିଲେ । ବିଭିନ୍ନ ଧର୍ମପୀଠ ମଧ୍ୟରେ ଧର୍ମଗତ ବିବାଦ ଏପରିକି ବିଦ୍ୱେଷ ଲାଗିରହିଥିଲା । ତେଣୁ ବ୍ରାହ୍ମଣ୍ୟ/ରାଜଶକ୍ତି ମଧ୍ୟଯୁଗୀୟ ଓଡିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ । ସବୁଧର୍ମଧାରା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଥିଲା ଏହି ଉଦ୍ୟମର ମୂଳ ଉଦ୍ଦେଶ୍ୟ ।

ଗଙ୍ଗବଂଶୀ ସମ୍ରାଟ ଅନଙ୍ଗଭୀମ(ତୃତୀୟ) ତ୍ରୟୋଦଶ ଶତକର ଆରମ୍ଭରେ ବୃହତ୍ ଗଙ୍ଗ ସାମ୍ରାଜ୍ୟର ପୂର୍ଣ୍ଣାଙ୍ଗ କଳେବର ପ୍ରକାଶ କରିଥିଲେ । ତାଙ୍କ ସମୟକୁ ଏହି ସାମ୍ରାଜ୍ୟର ସୀମାରେ ମୁସଲମାନମାନେ କ୍ଷମତାଶାଳୀ ହୋଇଥିଲେ ଏବଂ ଏକ ନୂଆ ରାଜନୈତିକ ବିପଦରୂପେ ମୁଣ୍ଡଟେକି ରହିଥିଲେ । ସେତେବେଳେ ମଧ୍ୟ ନାନା ହିନ୍ଦୁଶକ୍ତି ମଧ୍ୟରେ ବିବାଦ ରହିଥିଲା । ଏପରି ଏକ ସନ୍ଧିକ୍ଷଣରେ ବ୍ରାହ୍ମଣ୍ୟ ଶକ୍ତିର ସହାୟତାରେ ଧର୍ମର ଅବଲମ୍ବନରେ ସେ ଆଞ୍ଚଳିକ ଗଙ୍ଗ ସାମ୍ରାଜ୍ୟକୁ ଅଖଣ୍ଡ ରଖିବାକୁ ଉଦ୍ୟମ କଲେ। ସେହି ଉଦ୍ଦେଶ୍ୟରେ ପୁରୁଷୋତ୍ତମଙ୍କୁ ଏହି ସାମ୍ରାଜ୍ୟର ଅଧିଶ୍ୱର ବୋଲି ଦାବୀ କରାଗଲା ଏବଂ ଗଙ୍ଗରାଜା ନିଜେ ଜଣେ ରାଉତ ବା ସାମନ୍ତ ବୋଲି ପ୍ରକାଶ କଲେ । ପୁଣି ପୁରୁଷୋତ୍ତମଙ୍କ ନାମ ଅତିବ୍ୟାପକ ହୋଇନଥିବାରୁ ତାଙ୍କ ନାମର ପରିବର୍ତ୍ତନ ଏହି କାଳରେ ଘଟିଲା । ସେତେବେଳେ ବ୍ରାହ୍ମଣ୍ୟ/ସେବକ ସମ୍ପ୍ରଦାୟ ଏହି ଜଗନ୍ନାଥ ନାମକୁ ଗ୍ରହଣ କରିଥିଲେ । ଜଗନ୍ନାଥ ନାମ ଅତି ବ୍ୟାପକ । ଏହାକୁ ପୂର୍ବରୁ ବିଭିନ୍ନ ଧର୍ମ ସମ୍ପ୍ରଦାୟ ଆପଣାର ଇଷ୍ଟଦେବତା ପାଇଁ ବ୍ୟବହାର କରିଛନ୍ତି ।

ଏହି ପଦକ୍ଷେପଦ୍ୱାରା ସବୁ ଧର୍ମସମ୍ପ୍ରଦାୟ ସନ୍ତୁଷ୍ଟ ହେବେ ଏବଂ ପୁରୁଷୋତ୍ତମ ଜଗନ୍ନାଥଙ୍କ ଆଧିପତ୍ୟ ପ୍ରତିପାଦିତ ହୋଇପାରିବ ବୋଲି ବିଶ୍ୱାସ କରାଗଲା । ଏଣୁ ଅନଙ୍ଗଭୀମ ତୃତୀୟଙ୍କ ରାଜତ୍ୱ କାଳରେ ପୁରୁଷୋତ୍ତମ ଜଗନ୍ନାଥ ନାମରେ ସୁପରିଚିତ ହେଲେ । ଯେତେବେଳେ ରାଜାରାଜ ତୃତୀୟ ପୁରୁଷୋତ୍ତମଙ୍କ ପ୍ରାସାଦ କଥା ତାଙ୍କ ଦାସଗୋବା ତାମ୍ରଫଳକରେ ଉଲ୍ଲେଖ କଲେ, ସେତେବେଳକୁ ହୁଏତ ପୁରୁଷୋତ୍ତମଙ୍କୁ ସମ୍ରାଟ ବୋଲି ଚିନ୍ତା କରାଯାଇଥିଲା । କିନ୍ତୁ ସେ ରାଷ୍ଟ୍ରଦେବତା, ସାମ୍ରାଜ୍ୟାଧିଶ୍ୱର ବୋଲି ପ୍ରଚାରିତ ହୋଇନଥିଲେ ।

ଏହି ପ୍ରଚାର ତୃତୀୟ ଅନଙ୍ଗଭୀମ କାଳରେ ହୋଇଥିବା ସମ୍ଭବ, କାରଣ ସେ ଥିଲେ ପୁରୁଷୋତ୍ତମଙ୍କର ପ୍ରଥମ ରାଉତ । ୧୨୩୦ ଖ୍ରୀଷ୍ଟାବ୍ଦର କୂର୍ମେଶ୍ୱର ଶିଳାଲିପିରେ ଜଗନ୍ନାଥ ନାମର ପ୍ରଥମ ଉଲ୍ଲେଖ ରହିଛି । ଏଥିରେ ସୂଚିତ ଅଛି ଯେ ଦୁଇଟି ଗ୍ରାମର ବିବାଦର ସମାଧାନର ନିଷ୍ପତ୍ତି କରାଇଥିଲେ ଜଗନ୍ନାଥ ଏବଂ ତାଙ୍କର ରାଉତ ଅନଙ୍ଗଭୀମ । ଏହା ଜଣାଇଦିଏ ଯେ ସେତେବେଳକୁ ପଶ୍ଚିମ ପୂର୍ବଭାରତରେ ପୁରୁଷୋତ୍ତମ କ୍ଷେତ୍ରରେ ରାଷ୍ଟ୍ରଦେବତା ଜଗନ୍ନାଥ ସୁପରିଚିତ ଥିଲେ । ପୁଣି ସେହି ଅନଙ୍ଗଭୀମ ରାଜତ୍ୱ କାଳରେ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସୁଦର୍ଶନ ପରି ଚତୁର୍ଦ୍ଧା ଦାରୁ ମୂର୍ତ୍ତି ଉପାସନା ପ୍ରଚଳନ ହେବାରୁ ବୈଷ୍ଣବ, ଶୈବ, ଶାକ୍ତ, ବୌଦ୍ଧ, ଜୈନ ଏବଂ ଆଦିମ ଧର୍ମଧାରା ମଧ୍ୟରେ ସମନ୍ୱୟ ଆସିପାରିଲା । ପୁରୁଷୋତ୍ତମ କ୍ଷେତ୍ରରେ ମୁଖ୍ୟଦେବତା ଜଗନ୍ନାଥଙ୍କ ଆଧିପତ୍ୟରେ ଏହି କ୍ଷେତ୍ର ସର୍ବଧର୍ମଧାରାର ସମନ୍ୱୟ ପୀଠରୂପେ ପରିଚିତ ହେଲା ।

PHOTO CREDIT –

https://www.google.com/search?biw=1366&bih=577&tbm=isch&sa=1&ei=_dwgXIbwOcybkwWJipeIDQ&q=PURI+MANDIR+OLD&oq=PURI+MANDIR+OLD&gs_l=img.3..0i24.6927.8393..8996…0.0..0.449.1783.4-4……1….1..gws-wiz-img…….0j0i5i30j0i8i30.slSGRqlm7a0#imgrc=cCiZ2V9r549QFM:

Share This Article
ଇତିହାସ ବିଭାଗର ପ୍ରଫେସର, ଗବେଷକ