ସେଦିନ ୨୦୨୩ ମସିହା ଜୁଲାଇ ମାସ ୨୬ ତାରିଖ । ରାତି ପାଖାପାଖି ୩ଟା ହେବ । ଅନିଦ୍ରା ଲାଗୁଥାଏ । କିନ୍ତୁ ମନ ଭିତରେ ଅସୁମାରୀ ଆଗ୍ରହ କିଛି ନୂତନ ସମ୍ଭାବନାକୁ ନେଇ । ୬.୩୫ମିନିଟରେ ଅଛି ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍ । ପାଇକମାଳ ଯିବାକୁ ବାହାରିଛୁ । କାମ ସାରି ଟ୍ରେନ ଧରିବୁ । ମୋ ସହିତ ଥାଆନ୍ତି ମୋର ଜଣେ ସହକର୍ମୀ ତଥା ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଛାତ୍ର ଲକ୍ଷ୍ମୀଧର ମୁର୍ମୁ । ସମଦୃଷ୍ଟି ମୁକ୍ତ ବିଦ୍ୟାଳୟରୁ ୨୦୧୧ ମସିହାରେ ସେ ସଂସ୍କୃତି ଓ ସାମ୍ବାଦିକତା ପଢ଼ିବାଠାରୁ ମୋ ସହିତ କାମ କରୁଛନ୍ତି । ପ୍ରକୃତରେ ଲକ୍ଷ୍ମୀଧର ମୁର୍ମୁ ନିଜେ ଜଣେ କାହାଣୀ, ଯାହାଙ୍କ ସମ୍ପର୍କରେ ପରେ କେବେ ଚର୍ଚ୍ଚା ହୋଇପାରେ । ସେଦିନ ଦୁଇଜଣ ଟ୍ରେନଧରି ବାହାରିଗଲୁ ପାଇକମାଳ ଅଭିମୁଖେ । ପାଇକମାଳରେ ୫ଟି ଗାଁ’ର ଇତିହାସ ଓ ଖାଦ୍ୟ ସଂସ୍କୃତିକୁ ଡ଼କ୍ୟୁମେଣ୍ଟେସନ୍ କରାଇବାକୁ ହେବ ଗାଁର ଛାତ୍ରଛାତ୍ରୀମାନଙ୍କୁ ନେଇ । ଏଇଟା ଥିଲା ଓଡ଼ିଶା ମିଲେଟ ମିଶନଙ୍କର ଏକ ପାଇଲଟ୍ ପ୍ରୋଜେକ୍ଟ । ମୁଁ ଜଣେ ଏକ୍ସପର୍ଟ ଭାବରେ ଯାଇଥାଏ ଓ ଲକ୍ଷ୍ମୀଧର ଜଣେ ଭିଡ଼ିଓ ଏକ୍ସପର୍ଟ ଭାବରେ ମୋତେ ସାଥି ଦେଉଥାନ୍ତି । ଗାଁରେ ବୁଲି ବୁଲି କିଶୋର କିଶୋରୀ ବୟସର ପିଲାମାନଙ୍କୁ ନେଇ ନିଜ ଗାଁ’ର ଇତିହାସ ଲେଖାଇବା ସମ୍ଭବତଃ ଏକ ନୂଆ ଅନୁଭୂତି ଥିଲା । ମୁଁ ଏହିଭଳି ଅନେକ ଛାତ୍ରଛାତ୍ରୀଙ୍କ ଗାଁ’ର ଜୀବନୀ ଲେଖା କାମ ସହିତ ୨୦୦୫ମସିହାରୁ ପରିଚିତ ଥିଲି । ମାନେ ୨୦୦୫ ମସିହାରୁ “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ସହିତ ମୁଁ ଯୋଡ଼ି ହୋଇଥିଲି ।
ମନେଅଛି ୨୦୦୪ ମସିହାରେ ମୁଁ ଇଗ୍ନୁରୁ ସମ୍ବାଦିକତାରେ ପିଜିଡିପ୍ଲୋମା ଶେଷ କରିଥାଏ । ସେତେବେଳେ ମୁଁ କିଛି ସଂବାଦପତ୍ର ସହିତ ଯୋଡ଼ି ହୋଇଥାଏ । ବିଶେଷକରି ବାମପନ୍ଥୀ ରାଜନେତା ଶ୍ରୀ ଜନାର୍ଦ୍ଦନ ପତିଙ୍କ ଦ୍ଵାରା ସମ୍ପାଦିତ ଅଧିକାର ପତ୍ରିକା ସହିତ କାମ କରୁଥାଏ । ଏହି ସମୟରେ ଭିତରେ ୨୦୦୫ ମସିହାରେ ଶ୍ରୀ ସୁଧୀର ପଟ୍ଟନାୟକ ଯିଏକି ଜଣେ ଜନବିଜ୍ଞାନ କର୍ମୀ ଓ ଜଣେ ସମାଜ ବିଜ୍ଞାନୀ ଭାବରେ ଜଣାଶୁଶୁଣା ମୋତେ କିଛି ଖାତା ଆଣି ଦେଲେ । ସେ ଚାହୁଁଥିଲେ ଲେଖା ଗୁଡ଼ିକୁ ପଢି ସେଥିରୁ କିଛି ଲେଖା ବାଛି ବାହାର କରିବା ପାଇଁ । ଲେଖା ଗୁଡିକ ଥିଲା ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର ଭୁବନେଶ୍ବରକୁ ଗଣିତ ମେଧା ବୃତି ପରୀକ୍ଷା ଦେବାକୁ ଆସିଥିବା 80 ଜଣ ଛାତ୍ରଛାତ୍ରୀ ଲେଖିଥିବା ଗାଁ ସମ୍ପର୍କିତ ଲେଖା । ସୁଧୀର ଭାଇ ଯେଉଁ ଖାତା ଗୁଡିକ ଦେଇଥିଲେ ସେସବୁ ଲେଖାକୁ ମୁଁ ପଢିବା ଆରମ୍ଭ କଲି । ବିଷୟଟି ଚିରାଚରିତ ଶିକ୍ଷା ବ୍ୟବସ୍ଥା ଠାରୁ ସମ୍ପୁର୍ଣ୍ଣ ଭିନ୍ନ ଥିଲା । ମୋତେ ବହୁତ ଆଗ୍ରହ ଲାଗୁଥାଏ । ଏମିତିରେ ମୋର ଚିରାଚରିତ ପାଠପଢିବାରେ କମ୍ ଆଗ୍ରହ ଥାଏ ଯଦିଓ ପରୀକ୍ଷାରେ ଭଲ ଫଳ ମିଳିଯାଏ । ମୋ ନିଜ ସମ୍ପର୍କରେ ପଦୁଟିଏ କହିବି । ମୋତେ କ’ଣ କରିବାକୁ ସବୁଠୁ ଭଲଲାଗେ ଯଦି ଆପଣ ପଚାରିବେ ଗୋଟିଏ କଥା ପିଲା ଦିନରୁ ଆଜିଯାଏ ମୁଁ କହେ । ମୁଁ ପିଲା ଦିନରୁ ଗୀତ ଗାଇବାକୁ, ନାଚିବାକୁ ଆଉ ନାଟକ କରିବାକୁ ବହୁତ ଭଲ ପାଏ । ଆମ ଗାଁ ଓ ଆମ ଦୋଳସାହି ହାଇସ୍କୁଲର ସବୁ ପିଲା ସେତେବେଳେ ଏକଥା ଜାଣିଥିଲେ । ଗାଁ’ରେ ଆଉ ସ୍କୁଲରେ ମୋତେ ତ ଗୀତ ଝିଅ ବୋଲି ଡାକନ୍ତି । ଆଉ ବାଣୀବିହାରର ଥାର୍ଡ ହଷ୍ଟେଲରେ ସମସ୍ତେ ମୋତେ ସଦାବେଳିଆ ରେଡ଼ିଓ କହୁଥିଲେ । ଆଜିକାଲି ମୋ କଣ୍ଠରେ ଟିକେ ସମସ୍ୟା ଯୋଗୁଁ ଗୀତ ଗାଇବା ଟିକେ କମିଯାଇଛି । ମୋଟାମୋଟି ମୋର କହିବାର କଥା କି ମୁଁ ଟିକେ ଅଲଗା କରି ଚିରାଚରିତ ଶିକ୍ଷା ତଥା ଦୁନିଆ ଠାରୁ ସବୁବେଳେ ଚିନ୍ତାକରେ । ସେଥିପାଇଁ ସେଦିନ କୁନି କୁନି ପିଲାମାନେ ନିଜ ଗାଁ ଉପରେ ଲେଖିଥିବା ହୃଦୟଛୁଆଁ ଆକର୍ଷଣୀୟ ଲେଖା ମୋ ମନରେ ଗଭୀର ରେଖାପାତ କରିଥିଲା । ଏହିସବୁ ଗାଁ ଗୁଡ଼ିକୁ ଯେତେବେଳେ ମୁଁ ପଢୁଥାଏ ସେ ଗାଁ ଗୁଡିକ ଭିତରେ ନିଜକୁ ଦେଖେ । ଆହା କି ସୁନ୍ଦର ବର୍ଣ୍ଣନା । କୋଭିଡ ସମୟରେ 2020 ମସିହାରେ ଏହି କାହାଣୀରୁ 4 ଟି କାହାଣୀକୁ ମୁଁ ନିଜର କଣ୍ଠରେ ସ୍ଵର ଦେଇ ଭିଡିଓ ତିଆରି କରି ୟୁଟ୍ୟୁବରେ ପ୍ରକାଶ ମଧ୍ୟ କରିଥିଲି । କିଛି ସମସ୍ୟା ଯୋଗୁଁ ସେ ଭିଡ଼ିଓ କାମ ବନ୍ଦ କରି 2021 ମସିହାରୁ ଛାତ୍ରଛାତ୍ରୀ ମାନଙ୍କ ସ୍ଵରରେ ଗାଁ’ର ଜୀବନୀ ଭିଡ଼ିଓ ତିଆରି କରିବା ଆରମ୍ଭ କଲି । ସେହି ପିଲାମାନଙ୍କର କାହାଣୀ ଭିତରୁ ଗୋଟିଏ କାହାଣୀ ମୁଁ ଆପଣଙ୍କୁ ଏଠି ଜଣେଇବି ।
ନବରଙ୍ଗପୁର ଜିଲ୍ଲାର ଖାତିଗୁଡା ଗାଁର ସୋହନା ପରବିନ ୨୦୦୫ ମସିହାରେ ଲେଖିଥିଲେ ନିଜ ଗାଁ‘ର ଜୀବନୀ ।
ମୋ ଗ୍ରାମର ନାମ ଖାତିଗୁଡ଼ା। ଏହା ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍ର ପରଜା ବାରଙ୍ଗପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ଅଟେ । ଆମ ଗ୍ରାମରେ ଗ୍ରାମଦେବୀ ରୂପେ ମା’ ମଙ୍ଗଳା ଠାକୁରାଣୀ ବିରାଜମାନ । ଏହି ଦେବୀଙ୍କର ଖ୍ୟାତି ଆଖପାଖ ଅଞ୍ଚଳରେ ସର୍ବଜନବିଦିତ । ବାରବର୍ଷରେ ଥରେ ଦେବୀଙ୍କର ଉଦ୍ଦେଶ୍ୟରେ ସର୍ବଦା ବାଲିଯାତ୍ରା ଅନୁଷ୍ଠିତ ହୁଏ । ଲୋକମାନେ ପରିବାରର ସୁଖ ଶାନ୍ତି ପାଇଁ, ଗ୍ରାମର ବିକାଶ ପାଇଁ ଭଲ ଫସଲ ପାଇଁ, ରୋଗ ବ୍ୟାଧରୁ ମୁକ୍ତି ପାଇବା ପାଇଁ ଗ୍ରାମଦେବୀଙ୍କର ଦରବାରରେ ଶରଣାପନ୍ନ ହୁଅନ୍ତି । ଗ୍ରାମଦେବୀ ସେମାନଙ୍କୁ ସହାୟ ହୁଅନ୍ତି । ଆମ ଗ୍ରାମରେ ଏହିପରି ବହୁତ କିମ୍ବଦନ୍ତୀ ଅଛି । ଦେବୀ ମା’ ମଙ୍ଗଳା ଲୋକମାନଙ୍କର ରୋଗ, ଦୁଃଖ, କଷ୍ଟକୁ ନିବାରଣ କରିଛନ୍ତି । ଆଖପାଖ ଅଞ୍ଚଳରେ ଆମ ଗାଁର ଦେବୀଙ୍କର ଖ୍ୟାତି ରହିଥିବାରୁ ଏହି ଖ୍ୟାତି ଶବ୍ଦରୁ ଆମ ଗ୍ରାମର ନାମ ଖାତିଗୁଡ଼ା ହୋଇଅଛି । ଆମ ଗ୍ରାମଟି ଆବହମାନ କାଳରୁ ସୃଷ୍ଟି । ଏହା ପ୍ରତିଷ୍ଠା କେବେହେଲା ଏହା କହିବା ଅସମ୍ଭବ । ଆମ ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ସେମାନେ ହେଉଛନ୍ତି ଆମ ଗ୍ରାମର ପ୍ରଥମ ବାସିନ୍ଦା । ସେମାନେ ଝାଟିମାଟି ଓ ନୁଆଁଣିଆ କୁଡ଼ିଆରେ ରହିଆସୁଛନ୍ତି । ତାଙ୍କର ବେଶପୋଷାକ ଅଭୂତ ପ୍ରକାରର । ସେମାନଙ୍କର ଜୀବିକା ଚାଷ କରିବା ଓ ଶିକାର କରିବା । ସେମାନେ ଭାରି ସରଳବିଶ୍ଵାସୀ । ଦିନସାରା ବହୁତ କଠିନ ପରିଶ୍ରମ କରନ୍ତି । ସନ୍ଧ୍ୟାହେଲେ ସେମାନେ ନାଚ ଗୀତରେ ମସଗୁଲ୍ ହୋଇଉଠନ୍ତି ଓ ଦିନସାରାର କଷ୍ଟ ଭୁଲିଯାଆନ୍ତି । ଦେବାଦେବୀଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ।
ଆମ ଗ୍ରାମର ଦକ୍ଷିଣ ପାର୍ଶ୍ଵରେ ଇନ୍ଦ୍ରାବତୀ ନଦୀ ବହିଯାଇଛି । ନଦୀ ଉପରେ ଗଢ଼ିଉଠିଛି ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା । ଏହି ନଦୀବନ୍ଧ ଯୋଜନାଟି ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ଯୋଜନା । ଏହାର ଶୁଭାରମ୍ଭ ୧୯୭୭ ମସିହାରେ ହୋଇଥିଲା । ଏହି ନଦୀବନ୍ଧ ଯୋଜନାର ସଦର ମହକୁମା ଖାତିଗୁଡ଼ାରେ ଅବସ୍ଥିତ । ଖାତିଗୁଡ଼ାରେ ବୃହତ ଅଟ୍ଟାଳିକାମାନ ହୋଇଛି । ଏଠାରେ ପ୍ରୋଜେକ୍ଟ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକ୍ତରଖାନା, ବଜାର, କର୍ମଚାରୀ ରହିବା ପାଇଁ କଲୋନୀ ତିଆରି ହୋଇଛି କିନ୍ତୁ ଖାତିଗୁଡ଼ା ଗ୍ରାମର ସ୍ଥାନୀୟ ବାସିନ୍ଦାଙ୍କର ଅବସ୍ଥା ସେହିପରି ଜରାଜୀର୍ଣ ଅଟେ । ତାଙ୍କର ଅବସ୍ଥା ଦୀପ ତଳେ ଅନ୍ଧାର ସଦୃଶ ଅଟେ ।
ପ୍ରୋଜେକ୍ଟ ହେବାଦ୍ଵାରା ରାସ୍ତାଘାଟ ଉନ୍ନତି ହୋଇଛି । ବଜାର ଗଢ଼ି ଉଠିଛି । ଗାଡ଼ି ମଟର ଚାଲିଛି କିନ୍ତୁ ଖାତି ଗୁଡ଼ା ଆଦିବାସୀଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ । ଆମ ଖାତିଗୁଡ଼ା ଗ୍ରାମର ଚତୁଃପାର୍ଶ୍ଵରେ ପାହାଡ଼ମାନ ଘେରି ରହିଛି । ପାହାଡ଼ରୁ କୁଳୁକୁଳୁ ନାଦରେ ବହି ଆସିଛି ଝରଣାମାନ । ଏହି ଝରଣାମାନ ଶେଷରେ ମିଶିଯାଇଛି ଇନ୍ଦ୍ରାବତୀ ନଦୀର ଜଳସ୍ରୋତରେ । ଇନ୍ଦ୍ରାବତୀ ନଦୀ ହେଉଛି ଖାତିଗୁଡ଼ା ଅଧିବାସୀଙ୍କର ଜୀବିକା ନିର୍ବାହ କରିବାର ଏକମାତ୍ର ଜୀବନ ସ୍ରୋତ । ଆମ ଗ୍ରାମରେ କୌଣସି ପୋଖରୀ ନାହିଁ । ଆମ ଗ୍ରାମର ଚତୁଃପାର୍ଶ୍ଵରେ ବଡ଼ ବଡ଼ ଜଙ୍ଗଲ ଦେଖିବାକୁ ମିଳେ । ଏହି ଜଙ୍ଗଲରେ ବହୁତ ବଡ଼ ବଡ଼ ବୃକ୍ଷ, ଯଥା – ଶାଳ, ପିଆଶାଳ, ଟିକ୍, ଶାଗୁଆନ୍, ଶିଶୁ ଇତ୍ୟାଦି ମୂଲ୍ୟବାନ୍ ବୃକ୍ଷ ରହିଅଛି । ଜଙ୍ଗଲରୁ ଆମେ ହରିଡ଼ା, ବାହାଡ଼ା, ଅଁଳା, ସବାଇ ଘାସ, ଝୁଣା, ଲାଖ, ମହୁ ସଂଗ୍ରହ କରୁ । ଆମ ଗ୍ରାମର ଆଦିବାସୀମାନେ ଏହାକୁ ବିକି ନଜ ପରିବାରର ପ୍ରତିପୋଷଣ କରନ୍ତି । ଜଙ୍ଗଲ ବ୍ୟତୀତ ଏଠାରେ ଡଙ୍ଗର ଦେଖାଯାଏ । ଏହି ଡଙ୍ଗର ଜମି ଘାସପୂର୍ଣ୍ଣ ଅଟେ । ଏଠାକାର ଆଦିବାସୀମାନେ ଗାଈ, ଗୋରୁ, ମେଣ୍ଢା, ଛେଳି ପାଳନ କରନ୍ତି । ଆମ ଗ୍ରାମ ଖାତିଗୁଡ଼ାର ଜଙ୍ଗଲରେ ବହୁପ୍ରକାର ହିଂସ୍ର ଜନ୍ତୁ ଯଥା – ହରିଣ, କୁଟୁରା, ସମ୍ବର, ଠେକୁଆ ଇତ୍ୟାତି ଦେଖାଯାଆନ୍ତି । ଜୀବଜନ୍ତୁଙ୍କର ସଂରକ୍ଷଣ ପାଇଁ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଏଠାକାର ଅଞ୍ଚଳରେ ଟସର ପୋକ ପାଳନ କରାଯାଏ । ଟସର ପୋକର ଲୋମରୁ ଟସର ସୁତା ତିଆରି କରାଯାଇ ଟସର ଲୁଗା ସେଥୁରୁ ତିଆରି କରାଯାଏ । ଏହା ବହୁତ ମୂଲ୍ୟବାନ ଅଟେ । ଏଠାକାର ଲୋକଙ୍କର ପ୍ରଧାନ ଖାଦ୍ୟ ମାଣ୍ଡିଆ । ଏହା ବ୍ୟତୀତ ଗହମ, ଧାନ, ବିରି, ମୁଗ, ହରଡ଼, ଆଖୁ, ମକା ଇତ୍ୟାଦି ଚାଷ କରାଯାଏ । ଏଠାକାର ଅର୍ଥକାରୀ ଫସଲର ନାମ ଧୂଆଁପତ୍ର, କେନ୍ଦୁପତ୍ର । ଏଠାରେ ଅସଂଖ୍ୟ ପରିମାଣରେ ମହୁଲ ଗଛ ଦେଖାଯାଏ l ମହୁଲ ଫୁଲର ବାସନାରେ ଚାରିଆଡ଼େ ସୁବାସିତ ହୋଇଯାଏ । କବିଙ୍କ ଭାଷାରେ ‘ମହୁଲ ଫୁଲର ବାସ, ଚହଟଇ ଚଉପାସ ।’’
ଆମ ଗ୍ରାମରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି । ପ୍ରକଳ୍ପର ସଦର ମହକୁମା ହେବା ଫଳରେ ଏହି ଗ୍ରାମର ଲୋକସଂଖ୍ୟା ବଢ଼ିଛନ୍ତି । ବିଜ୍ଞାନର ଉନ୍ନତି ଫଳରେ ସାମାଜିକ ସ୍ତର ବା ସଭ୍ୟତାର ଉନ୍ନତି ହୋଇଛି । ଆଜିକାଲି ସମସ୍ତ ପ୍ରକାର ଜାତିର ଲୋକ ବିଭିନ୍ନ ଜୀବିକା କରି ଚଳୁଛନ୍ତି । ପ୍ରଥମେ କିନ୍ତୁ ଚିରାଚରିତ ପ୍ରଥା ଅନୁସାରେ ଜୀବିକା ନିର୍ବାହ କରୁଥିଲେ । ଗ୍ରାମର ବହୁତ ବଂଶର ଲୋକ ମଧ୍ୟ ଚିରାଚରିତ ପ୍ରଥା ଅନୁସାରେ ବଢ଼େଇ କାମ, କୁମ୍ଭାର କାମ କରନ୍ତି । କେତେକ ଲୋକ ବ୍ୟବସାୟ କରନ୍ତି । ଶିକ୍ଷିତ ଲୋକମାନେ ସରକାରୀ ଚାକିରି ମଧ୍ୟ କରନ୍ତି । ଆମ ଗ୍ରାମକୁ ଲାଗି ପ୍ରୋଜେକ୍ଟ କଲୋନୀ ଅବସ୍ଥିତ । ଏହି କଲୋନୀରେ ଚାକିରିଆମାନେ ରହନ୍ତି । ଖାତିଗୁଡ଼ାରେ ବୃହତ୍ ଅଟ୍ଟାଳିକାମାନ ନିର୍ମିତ ହୋଇଛି । ଏଠାରେ ପ୍ରୋଜେକ୍ଟ କାର୍ଯ୍ୟାଳୟ, ବ୍ୟାଙ୍କ୍, ଡାକ୍ତରଖାନା, ବଜାର, କର୍ମଚାରୀ ରହିବା ପାଇଁ କଲୋନୀ ତିଆରି ହୋଇଛି କିନ୍ତୁ ଖାତିଗୁଡ଼ା ଗ୍ରାମର ସ୍ଥାନୀୟ ବାସିନ୍ଦାମାନଙ୍କର ଅବସ୍ଥା ସେହିପରି ଜରାଜୀର୍ଣ୍ଣ ଅଟେ । ତାଙ୍କର ଅବସ୍ଥା ଦୀପତଳେ ଅନ୍ଧାର ସଦୃଶ ।
ପ୍ରୋଜେକ୍ଟ ହେବା ଦ୍ଵାରା ରାସ୍ତାଘାଟ ଉନ୍ନତି ହୋଇଛି । ବଜାର ଗଢ଼ିଉଠିଛି । ଗାଡ଼ି ମୋଟର ଚାଲିଛି କିନ୍ତୁ ଖାତିଗୁଡ଼ା ଆଦିବାସୀଙ୍କର ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ । ଆମ ଗ୍ରାମରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଆଦିବାସୀମାନେ ଭାଇଭାଇ ହୋଇ ଚଳନ୍ତି । ନିଜକୁ ଭାରତୀୟ ଭାବି ଭାରତ ଦେଶର ଉନ୍ନତି ପାଇଁ କାମ କରନ୍ତି । ପ୍ରୋଜେକ୍ଟ କଲୋନୀର ଲୋକମାନେ ସାଧାରଣତଃ ପକ୍କାଘରେ ରହନ୍ତି । ସେମାନେ ଉଚ୍ଚଶିକ୍ଷିତ ଓ ଚାକିରିଆ । ସେମାନେ ବହୁତ ରୋଜଗାର କରନ୍ତି । ସେମାନଙ୍କର ସାମାଜିକ ମାନଦଣ୍ଡ ବହୁତ ଉନ୍ନତ । କିନ୍ତୁ ଖାତି ଗୁଡ଼ା ଗ୍ରାମରେ ଲୋକମାନେ ଚାଳଘରେ ଓ ପତ୍ରକୁଡ଼ିଆରେ ବାସକରନ୍ତି । ସେମାନଙ୍କର ସାମାଜିକ ସ୍ତର ବହୁତ ନିମ୍ନରେ । ଯେଉଁମାନେ ଶିକ୍ଷିତ, ସେମାନେ ବିଜ୍ଞାନକୁ ବ୍ୟବହାର କରି ନିଜର ଉନ୍ନତି ସାଧନ କରିବା ସଙ୍ଗେ ସଙ୍ଗେ ସମାଜର ଉନ୍ନତି ସାଧନ କରନ୍ତି । ପ୍ରୋଜେକ୍ଟ କଲୋନୀରେ ଶିକ୍ଷିତ ଲୋକ ଥିବାରୁ ସେମାନେ ଅଧିକ ରୋଜଗାରକ୍ଷମ । ଗ୍ରାମର ଲୋକମାନେ ସେତେ ଶିକ୍ଷିତ ନଥୁବାରୁ, ବିଜ୍ଞାନ ଚିନ୍ତାଧାରା ଅଭାବରୁ ସେମାନେ ଆଜି ମଧ୍ୟ ପଛୁଆ ଅବସ୍ଥାରେ ଅଛନ୍ତି । ଆମ ଗ୍ରାମରେ ଯେଉଁ ମାନେ ଅସୁବିଧାରେ ଥାଆନ୍ତି, ଆଜିକାଲି ଉନ୍ନତ ଶିକ୍ଷିତ ଲୋକମାନେ ସେମାନଙ୍କୁ ପୋକମାଛି ଭଳି ଦେଖନ୍ତି । ବର୍ତ୍ତମାନ କେହି ଗାନ୍ଧୀ, ଗୋପବନ୍ଧୁ ନାହାଁନ୍ତି ସେମାନଙ୍କୁ ସେବା ଶୁଶ୍ରୂସା କରିବାକୁ । ଏହି କ୍ଷୀପ୍ର ଗତିରେ ଚାଲୁଥବା ଦୁନିଆରେ ସମସ୍ତେ କେବଳ ନିଜ କଥା ହିଁ ଭାବନ୍ତି । ସମାଜର ମଙ୍ଗଳ କେହି ଦେଖନ୍ତି ନାହିଁ । ଏହା ଆମ ଭାରତବର୍ଷରେ ବ୍ୟାପକ ରୂପଧାରଣ କଲାଣି । ଆମେ ନିଜେ ସଚେତନ ହୋଇ ସେମାନଙ୍କୁ ଦେଶର ପ୍ରଗତିର ମୁଖ୍ୟଧାରାକୁ ଆଣିବା ଉଚିତ୍ ।
ଆମ ଗ୍ରାମ ଖାତିଗୁଡ଼ା ସର୍ବଧର୍ମ ପୀଠର କେନ୍ଦ୍ରବିନ୍ଦୁ ଅଟେ । ଏଠାରେ ସବୁ ଧର୍ମର ପୀଠ ଯଥା ମନ୍ଦିର, ମସଜିଦ୍, ଗୀର୍ଜା ଇତ୍ୟାଦି ରହିଅଛି । ସେମାନଙ୍କ ଭାବର ଆଦାନ ପ୍ରଦାନ, ପର୍ବପର୍ବାଣୀ ପାଳନ କଲାବେଳେ ଦେଖାଯାଏ । ବିଭିନ୍ନ ଧର୍ମପୀଠରୁ ଯେଉଁ ଶିକ୍ଷାମିଳେ ସେହି ସଂସ୍କୃତିକୁ ଲୋକମାନେ ନିଜ ନିଜ ଭିତରେ ବାଣ୍ଟିନେଇ ମନରେ ବିଚ୍ଛେଦ ନରଖ୍ ନିଜକୁ କେବଳ ଭାରତୀୟ ବୋଲି ପରିଚୟ ଦିଅନ୍ତି । ଆମ ଗ୍ରାମରେ ବିଭିନ୍ନ ଧର୍ମର ଲୋକ ବିଭିନ୍ନ ପର୍ବ ପାଳନ କରନ୍ତି । ସେଗୁଡ଼ିକ ହେଲା ଦଶହରା, ରଥଯାତ୍ରା, ଇଦ୍, ମହରମ୍, ନୂଆଖାଇ, ବଡ଼ଦିନ, ଚୈତ୍ରପର୍ବ ଇତ୍ୟାଦି ପାଳନ କରାଯାଏ । ଆମ ଗ୍ରାମରେ ଆମେ ମିଳିମିଶି ଫୁଟବଲ୍, କ୍ରିକେଟ୍ ଭଲିବଲ୍, କବାଡ଼ି, ଖୋଖୋ, ବୋହୂଚୋରୀ ଇତ୍ୟାଦି ଖେଳ ମନ ଆନନ୍ଦରେ ଖେଳୁ । ଖେଳିଲା ବେଳେ ପିଲମାନଙ୍କର କିଚିରି ମିଚିରି ଶବ୍ଦ ଗ୍ରାମ ଶୋଭାକୁ ଆହୁରି ବଢ଼ାଇଦିଏ । ବଡ଼ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ଖେଳ ଖେଳନ୍ତି ଓ ଆମ୍ଭମାନଙ୍କୁ ବିଭିନ୍ନ ଖେଳ ଖେଳିବାକୁ ଉତ୍ସାହିତ କରନ୍ତି । ପର୍ବପର୍ବାଣୀରେ ବିଭିନ୍ନ ଯାନିଯାତ୍ରା ପାଳନ କରାଯାଏ । ଏଥିରେ ଲୋକମାନେ ମନୋରଞ୍ଜନ କରନ୍ତି । ବିଭିନ୍ନ ଧର୍ମର ଲୋକଙ୍କର ସଂସ୍କୃତି ମଧ୍ୟରେ ଆଦାନ ପ୍ରଦାନ ଘଟେ । ବିଭିନ୍ନ ଲୋକମାନେ ଭାଇ ଭାଇ ହୋଇ ଚଳନ୍ତି ।
ଆମ ଗ୍ରାମରେ ବହୁତ ଶିକ୍ଷିତ ଓ ଜ୍ଞାନୀ ଲୋକ ରହିଛନ୍ତି । ସେମାନେ ଅନ୍ୟମାନଙ୍କୁ ଜ୍ଞାନ ଅର୍ଜନ କରିବାକୁ ଉତ୍ସାହିତ କରନ୍ତି । ସେମାନଙ୍କୁ ଯୋଗୁଁ ସମାଜ ମଙ୍ଗଳମୟ ହେଉଛି । ଯେଉଁ ପରିବାର ମୁର୍ଖ, ଶିକ୍ଷାର ମୂଲ୍ୟବୋଧ ଜାଣିନାହିଁ, ସେହି ପରିବାରର ପିଲାମାନେ ଆଜି ଶିକ୍ଷାରୁ ବଞ୍ଚତ । ସେମାନେ ପାଠପଢ଼ା ପରିବର୍ତ୍ତେ ସାଜିଛନ୍ତି ଶିଶୁ ଶ୍ରମିକ । ଏହି ଶିଶୁଙ୍କ ପ୍ରତି କେତେ ଅନ୍ୟାୟ ହେଇଛି, ଏହା ବିଷୟରେ ପ୍ରଶ୍ନ ପଚାରିବ କିଏ ? ଶିକ୍ଷାର ବିକାଶ ନିମିତ୍ତ ଆମ ଗ୍ରାମରେ ନିମ୍ନ ପ୍ରାଥମିକ, ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଛି । ଶିକ୍ଷାଲାଭ ନିମିତ୍ତ ବିଦ୍ୟାଳୟ ଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା ଅଛି । ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ତଥାପି ପିତାମାତାଙ୍କର ନିରକ୍ଷରତା, ଶିକ୍ଷା ସମ୍ବନ୍ଧୀୟ ଅନଭିଜ୍ଞତା ଯୋଗୁଁ ସେମାନଙ୍କର ସନ୍ତାନ-ସନ୍ତତିମାନଙ୍କୁ ଶିକ୍ଷାଲାଭ ପାଇଁ ଉପଯୁକ୍ତ ଉପଦେଶ ଦେଇପାରୁ ନାହାଁନ୍ତି । ସେମାନଙ୍କୁ ବିଦ୍ୟାଳୟକୁ ନ ପଠାଇ ନିଜର କୌଳିକ ବୃତ୍ତିରେ ନିୟୋଜିତ କରାଉଛନ୍ତି । ଫଳରେ ସେମାନେ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ।
‘ଆମ ଗ୍ରାମରେ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ଅତ୍ୟନ୍ତ ମନମୁଗ୍ଧକର । ଏଠାକାର ଢେମସା ନାଚ ଆମକୁ ଅଧିକ ଆନନ୍ଦ ଦିଏ । ଆମ ଗ୍ରାମର କେତେକ ଲୋକ ଦେଶୀମଦ ପାନକରି ଅସାମାଜିକ ଅବସ୍ଥାରେ ନିଜକୁ ପରିଚୟ ଦେଇ ଗ୍ରାମର ଶୃଙ୍ଖଳାଭଙ୍ଗ କରନ୍ତି । ଏହି ମଦ୍ୟପଙ୍କୁ ଦେଖିଲେ ମନରେ ବହୁତ ଘୃଣା ଆସେ । ସମାଜରେ ଲୋକଙ୍କର ଏହି କଳଙ୍କିତ ପ୍ରକୃତି ଗୁଣ ଆମ ପରିବେଶକୁ କଳୁଷିତ କରିଥାଏ । ଆମ ଭବିଷ୍ୟତ ପିଢ଼ି ଏମାନଙ୍କଠାରୁ କ’ଣ ଶିକ୍ଷା ଲାଭ କରିବ ଏହା ଆମ ମନକୁ ବହୁତ ଦୁଃଖ ପ୍ରଦାନ କରିଥାଏ ।
ବଡ଼ହେଲେ ମୁଁ ଲୋକମାନଙ୍କୁ ଏକତ୍ରିତ କରି ଏକ ସଂଘ ଗଠନ କରିବି । ସଂଘର ପ୍ରଥମ କାର୍ଯ୍ୟ ହେବ ଗ୍ରାମର ପ୍ରତ୍ୟେକ ପିଲାଙ୍କୁ ଶିକ୍ଷିତ କରିବା । ଲୋକମାନଙ୍କୁ ମଦ୍ୟପାନ ଓ ଧୂମ୍ରପାନରୁ ନିବୃତ କରିବା । ଗ୍ରାମର ସଫାସୁତୁରା ରକ୍ଷା କରିବା ଓ ଗ୍ରାମରେ ବୃକ୍ଷରୋପଣ କରିବା । ଗ୍ରାମର ଲୋକମାନଙ୍କୁ ଏକଜୁଟ୍ କରି ଛୋଟ ଛୋଟ କୁଟୀର ଶିଳ୍ପ ନିର୍ମାଣ କରି ଲୋକମାନଙ୍କୁ ରୋଜଗାରକ୍ଷମ କରିବା ।
ଆପଣଙ୍କୁ କାହାଣୀଟି କେମିତି ଲାଗିଲା ? ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ଗାଁ’କୁ ନେଇ ଉପସ୍ଥାପନା ଯେକୌଣସି ସଂବେଦନଶୀଳ ମଣିଷ ମନରେ ପ୍ରଭାବ ପକେଇବ ବୋଲି ଆଶା । ପୁଣିଥରେ ନିଜକୁ ପ୍ରଶ୍ନ କରିବାକୁ ଇଛା ହେବ ଆମେ ଆମ ଗାଁ’ ପାଇଁ କ’ଣ କ’ଣ କରିଛେ । ଆମେ କ’ଣ ସତରେ ନିଜ ସମୟରୁ କିଛି ସମୟ କାଢି ଗାଁ ପାଇଁ କେବେ ଚିନ୍ତା କରିଛନ୍ତି ? କୁନି କୁନି ପିଲାଙ୍କର ଗାଁ’କୁ ନେଇ ସେହିସବୁ ଲେଖା ଗୁଡିକ ମୋ ମନରେ ଗଭୀର ପ୍ରଭାବ ପକାଇଲା ଓ ସେ ବିଷୟରେ ଗୁରୁତ୍ଵ ଦେଇ ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଇଲା । ଫଳରେ ଲୋକ ବିଜ୍ଞାନ ପରିଷଦର “ଆମ ଗାଁ ଆମ ଜୀବନ” ପୁସ୍ତକରେ ଭାଗ ନେବା ମୋତେ ଭବିଷ୍ୟତରେ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା ।