ଶୁଣ ଶୁଣ ଶୁଣ ସୁଧୀ ଜନେ ଶୁଣ
ବିହନର ମନ କଥା
ହଜି ଯିବା ବେଳେ ଯିଏ ସାଇତିଲା
ହୋଇଲା ଜଗତ ଜିତା … ସୁଧୀ ଜନେ
ହୋଇଲା ଜଗତ ଜିତା…
ଗାଁ ବୁଡ଼ି ଯେବେ ପାଣି ଉଛୁଳିଲା
ଲୋକ ବଞ୍ଚିବେକି ଶଙ୍କା
ବିହନର କିବା ପାଟି ଫିଟୁ ଅଛି
ହଂବା ରଡି ଦେବ ବଞ୍ଚା
ଯୁଗ ଯୁଗ ଧରି ମଣିଷ ପେଟକୁ
ଆନ୍ନ ଯୋଗେଇଛି ଏକା
ତା’ ଜୀବନ ଆଜି ପାଣିରେ ଭାସୁଛି
ଗାଁ ବୁଡି ପାଣି ଅଣ୍ଟା
ପାଗ ଯୁଗ ଭିଡ଼ି କିଏ ଆସିଲାଣି
ଅକାତ ପାଣିରେ ମାଡି
ସରକାରୀ ଅବା ବେସରକାରିଆ
ହୋଇଥିବେ ଅଧିକାରୀ
ଗାଁ ଉଦ୍ଧାରିବା ପାଇଁ ଆସିଥିବେ
ବଡ ବୋଟ ଟେ ଧରି
ଖୋଜୁଛନ୍ତି ସିଏ ସନିଆର ଘର
ଘର ତାର ଦିଶୁନାହିଁ
କାଠ ଗଡ଼ ଖଣ୍ଡେ ଆଶରା କରିକି
ସନିଆ ଆସିଲା ଧାଇଁ
ସାର ଦଣ୍ଡବତ କହି ବଢେଇଲା
ପୁରୁଣା ଅଖାର ମୁଣି
ସମ୍ପତ୍ତି ସମ ଛାତିରେ ଲଗାଇ
ସନିଆକୁ ସାବାସିଲେ
ସମସ୍ତଙ୍କୁ ସିଏ ଆଶ୍ଵାସନା ଦେଇ
ମୁଣି ଧରି ବାହୁଡିଲେ …
ବନ୍ୟାର ସେଇ ଅକାତ ପାଣିରେ
ଡଙ୍ଗା ଧୀରେ ଧୀରେ ଚାଲେ
ମୋ ଭିତରେ ଏବେ ଜୀବନ ଫେରିଲା
ସାରଙ୍କ ମୁଣି ଭିତରେ
ଚିହ୍ନିଛନ୍ତି ମୋର ମୂଲ୍ୟ କେଉଁ କାଳୁ
ଖୋଜୁଛନ୍ତି ମୋର ବାସ
ସାତତାଳ ପାଣି ଡେଇଁଯାଇ ସିଏ
ବିହନ ସଞ୍ଚିଲେ ଦେଖ
ରାଜା ଘର ଖିରୀ ଖେଚୁଡି ମୁଁ ଏବେ
ପଞ୍ଚ ତାରକା ମୋ ବାସ
ତଥାପି ମଣିଷ ବୁଝିନି ମୋ ମୂଲ୍ୟ
ଗରିବ ହାଣ୍ଡିର ପେଜ
ବାଡିରେ ହଜେଇ ଦାଣ୍ଡରେ ଖୋଜିଲେ
ମିଳିବ କି ସେଇ ଚିଜ
ବୁଝିଛନ୍ତି ବୋଲି ଜଗିଛନ୍ତି ସିଏ
ଧରି ଦିନ ମାସ ବର୍ଷ
ମୋ ସତର୍କ ବାଣୀ ମନ ଦେଇ ଶୁଣ
ଚାଷୀ ଭାଇ ଗୁଣୀ ଜନ
ବେଳ ଥାଉ ଥାଉ ହୁଅ ଜାଗରତ
ବିଷକୁ କର ବର୍ଜନ
ମାଟି ପାଣି ଆଉ ପବନରେ ପରା
ବଞ୍ଚିଛି ସବୁ ଜୀବନ
ବିଷ ବଳୟରେ ଜଳୁଛି ବସୁଧା
ବଞ୍ଚାଅ ସକଳ ପ୍ରାଣ
ସାରା ଜଗତରେ ଅକାଳ ପଡିଲେ
ଖୋଜିବ କାହିଁ ବିହନ
ହା ଅର୍ନ୍ନ ହା ଅର୍ନ୍ନ ସଂସାର ଡାକିଲେ
ବଞ୍ଚାଇବି ତୁମ ପ୍ରାଣ
ମୋର ସାର ବାକ୍ୟ ସ୍ଵୟଂ ଏ କଟାକ୍ଷ
ଶୁଣ ଦେଇ ମନ କର୍ଣ୍ଣ
ଜଗତ ବଞ୍ଚିଲେ ସଭିଏଁ ବଞ୍ଚିବା
ଲୋଭ ମୃତ୍ୟୁର କାରଣ …
ସ୍ଵୟଂପ୍ରଭା
18.07.2024