ଯୁବ ବିଜ୍ଞାନ ଉତ୍ସବରୁ ଆମ ଗାଁ ଆମ ଜୀବନ: (କିଛି ଗାଁ’ କିଛି ଅନୁଭୂତି – ୨)

Swayamprava Parhi (Chief Editor)
9 Min Read

ସୁଧୀର ଭାଇ ୧୯୯୪ ମସିହାର ଜନବିଜ୍ଞାନ ଆନ୍ଦୋଳନ ସମୟର ଯେଉଁ କଥା ସବୁବେଳେ ଆଲୋଚନା କରନ୍ତି ସେ ଭିତରୁ ପ୍ରମୁଖ କଥାଟି ହେଲା ଭଞ୍ଜନଗରରେ ଯୁବ ବିଜ୍ଞାନ ଉତ୍ସବ । ୧୯୯୪ ମସିହା ବେଳକୁ ଓଡ଼ିଶାରେ ଚାଲିଥାଏ ଜନବିଜ୍ଞାନ ଆନ୍ଦୋଳନ । ଓଡ଼ିଶାରେ ଜନବିଜ୍ଞାନ ଆନ୍ଦୋଳନ ଦାୟିତ୍ଵରେ ଥାଆନ୍ତି ସୁଧୀର ପଟ୍ଟନାୟକ । ସେ ତାଙ୍କର କିଛି ବନ୍ଧୁଙ୍କ ସହିତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରଠାରେ ଯୁବ ବିଜ୍ଞାନ ଶିବିର ଆୟୋଜନ କଲେ । ସେମାନେ କିଛି ଗାଁ’ର ଯୁବକମାନଙ୍କୁ ନେଇ ନିଜ ଗାଁ’ର ଇତିହାସ, ବର୍ତ୍ତମାନ ସମ୍ପର୍କରେ ଓ ଗାଁ’ର ସମ୍ବଳ ଗୁଡିକୁ ତାଲିକା କରିବାପାଇଁ ପ୍ରୟାସ କରିଥିଲେ । ଗାଁ’ର ଯୁବକ ମାନଙ୍କ ଭିତରେ ନିଜ ଗାଁ’କୁ ନେଇ ଆଗ୍ରହ ଓ ଉତ୍ସାହ ସେମାନଙ୍କୁ ଗାଁ’କୁ ନେଇ ଅଧିକ କିଛି କରିବା ପାଇଁ ପ୍ରେରଣା ଦେଇଥିଲା ।  ସେହି ଯୁବ ବିଜ୍ଞାନ ଉତ୍ସବ ହିଁ ପରବର୍ତ୍ତୀ ସମୟରେ ସୁଧୀର ଭାଇଙ୍କୁ ପ୍ରେରଣା ଦେଲା “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ । ଭଞ୍ଜନଗରର ସେହିସବୁ ଗାଁ’ ସମ୍ପର୍କିତ ଲେଖାର ଏକ ସଙ୍କଳନ ସେତେବେଳେ ପ୍ରକାଶ ପାଇଥିଲା ଯାହାର ନାଁ ରଖାଯାଇଥିଲା “ଆମ ଗାଁ ଆମ ବିଜ୍ଞାନ” । ଏହି କାର୍ଯ୍ୟକ୍ରମ ଅଧିକ ଆଗେଇପାରି ନଥିଲା, କାରଣ ସେତେବେଳେ ସୁଧୀର ଭାଇଙ୍କୁ ଜନବିଜ୍ଞାନ ଆନ୍ଦୋଳନ ଛାଡ଼ିବାକୁ ପଡ଼ିଥିଲା ।

Support Samadhwani

୨୦୦୫ ମସିହାରେ ଭୁବନେଶ୍ୱର ସ୍ଥିତ ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର ଦ୍ୱାରା ଗ୍ରାମ୍ୟ ଗଣିତ ମେଧା ପରୀକ୍ଷା ଆୟୋଜନ କରାଯାଇଥାଏ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଗଣିତ ମେଧା ପରୀକ୍ଷା ଦେବାକୁ ଆସିଥାନ୍ତି ପାଖାପାଖି ୮୦ ଜଣ ଛାତ୍ରଛାତ୍ରୀ । ସୁଧୀର ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ସେହିସବୁ ସ୍କୁଲ ପିଲାଙ୍କୁ ନେଇ “ଗାଁ ଜୀବନୀ” ଲେଖା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସହମତି ପ୍ରଦାନ କରିଥିଲେ । ସେହି ଛାତ୍ରଛାତ୍ରୀମାନଙ୍କୁ ନିଜ ଗାଁ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାପାଇଁ ୧୫ ଦିନ ଆଗରୁ ପ୍ରଶ୍ନ ଦିଆଯାଇଥିଲା । ଗାଁ’ର ବୟସ୍କ ଲୋକଙ୍କୁ ପଚାରି ସେମାନେ ତଥ୍ୟ ସଂଗ୍ରହ କରି ଭୁବନେଶ୍ଵର ଆସିଥାନ୍ତି । ଗଣିତ ମେଧା ପରୀକ୍ଷା ସହିତ ଏହି ଛାତ୍ରଛାତ୍ରୀମାନେ ନିଜ ଗାଁର ଜୀବନୀ ମଧ୍ୟ ଲେଖିଥିଲେ । ସେହିସବୁ ଜୀବନୀକୁ ସୁଧୀର ପଟ୍ଟନାୟକଙ୍କ ସମ୍ପାଦନାରେ ଏକ ପୁସ୍ତକ ଆକାରରେ ପ୍ରକାଶ କରାଯାଇଥିଲା ଯାହାର ନାମ ରଖାଗଲା ‘ଆମ ଗାଁ ଆମ ଜୀବନ’।  ମୁଁ ସେହି ସମୟରେ ସେହିସବୁ ଜୀବନୀକୁ ସମ୍ପାଦନା କରିବାରେ ସହ-ସମ୍ପାଦକ ଭାବରେ ସହଯୋଗ କରୁଥିଲି । ଏହି ଲେଖା ଗୁଡ଼ିକ ମୋ ମନରେ ଗଭୀର ଭାବରେ ରେଖାପାତ କରିଥିଲା । ସେବେଠାରୁ ଗାଁ’ର ଜୀବନୀ ଲେଖାଇବା କାମଟି ମୁଁ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ତରଫରୁ କରିଆସିଛି । ଏହା ସହିତ ବିଷୟଟି ସାଂସ୍କୃତିକ ହୋଇଥିବାରୁ ସମଧ୍ଵନି ଏହିସବୁ କାର୍ଯ୍ୟକୁ ଅଗ୍ରାଧିକାର ଦେବା ସହ ନିଜ ପୃଷ୍ଠାରେ ସ୍ଥାନିତ କରିବାପାଇଁ ନିଷ୍ପତ୍ତି ନେଇଛି । ସମଧ୍ୱନି ପାଇଁ ଲୋକକଳା, ଲୋକ ସଂସ୍କୃତି ଓ ଗାଁ’ର ହଜି ହଜି ଯାଉଥିବା ସଂସ୍କୃତିକ ବିଭବ, ଅବହେଳିତ କଳା ଓ କଳାକାରମାନେ ହିଁ ମୂଳ ବିଷୟ । ତେଣୁ ଗାଁ’ର ଜୀବନୀ ଲେଖା ମାଧ୍ୟମରେ ଏହିସବୁ ବିଷୟରେ ବ୍ୟାପକ ଭାବରେ ତଥ୍ୟ ସଂଗ୍ରହ କରାଯାଇ ପାରିବ ବୋଲି ସମଧ୍ଵନି ସଂସ୍କୃତି ପତ୍ରିକା ଏହି କାମକୁ ଅଗ୍ରାଧିକାର ଦେଇଛି । 

ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ “ଗାଁର ଜୀବନୀ” ଲେଖାଇବା କାର୍ଯ୍ୟକ୍ରମକୁ ସାମ୍ବାଦିକତା ପାଠ୍ୟକ୍ରମର ପ୍ରାଥମିକ କାର୍ଯ୍ୟ ଭାବରେ ଗ୍ରହଣ କରିଛି । ସମଦୃଷ୍ଟି ମୁକ୍ତବିଦ୍ୟାଳୟ ଆରମ୍ଭ କରିବା ପଛରେ ସୁଧୀର ଭାଇଙ୍କର ଉଦ୍ଦେଶ୍ୟ ଥିଲା ଯେ, ଓଡ଼ିଶାରେ ଯିଏ ବି ସାମ୍ବାଦିକ ହେବ ସେ ପ୍ରଥମେ ନିଜ ଗାଁ’ ସମ୍ପର୍କରେ, ନିଜ ଗାଁ’ର ଲୋକଙ୍କ ସମ୍ପର୍କରେ, ନିଜ ଗାଁ’ର ସମସ୍ୟା ଗୁଡିକୁ ଭଲକରି ଜାଣିଥିବ ଓ ବୁଝିଥିବ । ତେବେଯାଇ ସେ ରାଜ୍ୟ, ଦେଶ ତଥା ସମାଜକୁ ବୁଝିପାରିବ ।  ଗାଁ’ର ସଂସ୍କୃତି, ଇତିହାସ, ଭୌଗଳିକ ସ୍ଥିତି, ଅର୍ଥନୀତି, ରାଜନୀତି ଓ ଗାଁ’ର ନଦୀନଳ, ଜମିବାଡ଼ି, କ୍ଷେତ ଖଳା, ଗାଁ ‘ର ସମସ୍ୟା ଗୁଡ଼ିକୁ ନଜାଣି କିମ୍ବା ନବୁଝି ଜଣେ କେବେ ବି ସାମ୍ବାଦିକ ହୋଇ ପାରିବ ନାହିଁ । ଏହିଭଳି ଏକ ବୁଝାମଣା ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଆଜିଯାଏ ପୋଷଣ କରିଆସିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠ୍ୟକ୍ରମରେ ମୂଳ ବିଷୟ ରଖାଯାଏ ଯେ, ସେମାନେ ନିଜ ଗାଁ’ର ଜୀବନୀ ଉପରେ ଏକ ଦସ୍ତାବିଜ ଆମ ନିକଟରେ ପଇଠ କଲେ ଯାଇ ସେମାନଙ୍କୁ ସମ୍ବାଦିକତାରେ ସାର୍ଟିଫିକଟେ ପ୍ରଦାନ କରାଯିବ । ଏହା ଅନେକାଂଶରେ ସଫଳ ମଧ୍ୟ ହୋଇଛି । ୨୦୦୮ ମସିହାରୁ ଏବେ ପର୍ଯ୍ୟନ୍ତ ବରଗଡ଼, ଜଗତସିଂପୁର, ବଲାଙ୍ଗିର, ଝାରସୁଗୁଡା ଆଦି ସ୍ଥାନରୁ ଛାତ୍ରଛାତ୍ରୀମାନେ ନିଜ ନିଜର ଗାଁ’ ସମ୍ପର୍କରେ ଲେଖିଛନ୍ତି ଓ କେହି କେହି ଗାଁ’ର ଜୀବନୀ ମଧ୍ୟ ଲେଖିଛନ୍ତି । ସେହିସବୁ ଗାଁ’ର ଜୀବନୀକୁ ନେଇ ଭିଡ଼ିଓ ପ୍ରକାଶ କରିବା ବିଷୟରେ ମୁଁ ସବୁବେଳେ ପ୍ରୟାସ କରିଆସିଛି । ଯଦିଓ ଗାଁ’ ସମ୍ପର୍କିତ ଭିଡିଓ କନସେପ୍ଟ କୋଭିଡ଼ – ୧୯ ସମୟରେ ମୋ ମନରେ ଆସିଲା । କାରଣ ମୋ ନିଜର ଏହି କାମକୁ ନେଇ ଏକ ନିଆରା ଅନୁଭୂତି ହେଲା ୨୦୨୦ ମସିହାରେ କୋଭିଡ଼ – ୧୯ ସମୟରେ ।  ଲକଡାଉନ ପାଇଁ ସମସ୍ତେ ଘରେ ରହୁଥିଲେ । ସେତେବେଳେ ମୁଁ ଭାବିଲି ଗାଁ’କୁ ନେଇ କିଛି କାମ ଘରେ ବସି  ଆରମ୍ଭ କରିବି। ଆମ ଗାଁ ଆମ ଜୀବନ ପୁସ୍ତକରୁ କେତୋଟି ଲେଖାକୁ ମୁଁ ନିଜେ ପଢି ତାରି ଉପରେ ଭିଡିଓ ତିଆରି କରିବା ଆରମ୍ଭ କଲି । 

ଭିଡିଓର ଲିଙ୍କ: 

Support Samadhwani

1- Biography of a Village: Bankipala – https://www.youtube.com/watch?v=RnbwwuvTiC8

2- Khatiguda: Biography of a Village- https://www.youtube.com/watch?v=W_rZXDa9LG0

ଏହିସବୁ ଭିଡିଓକୁ ଦେଖି ସମଧ୍ଵନିର ଲେଖକ ତଥା ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର କଳା ଶିକ୍ଷକ ଡ. ଅଜିତ କୁମାର ମୁନୀ ଅନୁରୋଧ କଲେ ତାଙ୍କ ସ୍କୁଲ ପିଲାଙ୍କୁ ନେଇ ଗାଁର ଜୀବନୀ ଲେଖାଇବା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ । କଥାଟି ମୋ ମନକୁ ଛୁଇଁଲା । ଅଜିତ କୁମାର ମୁନୀଙ୍କ ସହଯୋଗରେ ୨୦୨୦ରୁ ୨୦୨୨ ମସିହା ଯାଏଁ ୨ ବର୍ଷ ଧରି ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ପିଲାମାନଙ୍କୁ ନେଇ ଅନଲାଇନ ମାଧ୍ୟମରେ ଗାଁ’ର ଜୀବନୀ ଲେଖାଇବା କାର୍ଯ୍ୟ ଚାଲିଲା । ପ୍ରଥମ ବ୍ୟାଚରେ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ୪୫ରୁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜୁମ କଲ, ଗୁଗୁଲ ମିଟ୍ ମାଧ୍ୟମରେ ଓ ହ୍ୱାଟସାପ ଗ୍ରୃପ କରି ଗାଁ ଜୀବନୀ ଲେଖାଇବା କାର୍ଯ୍ୟ ଚାଲିଲା । ପ୍ରତି ରବିବାରରେ କ୍ଳାସ ଚାଲିଥାଏ । ଦ୍ଵିତୀୟ ବର୍ଷ ୫୦-୫୫ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।   ଏହି ପ୍ରକ୍ରିୟା ଦୁଇ ବର୍ଷ ଧରି ଚାଲିଲା । ଅନେକ ପିଲା ଲେଖା ଆରମ୍ଭ କଲେ କିନ୍ତୁ ଅଧାରୁ ଆଉ ଆଗ୍ରହ ଦେଖାଇଲେ ନାହିଁ । ସେହି ଭିତରେ ଓଡ଼ିଶାର ଅନ୍ୟ କିଛି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟ ଗାଁ’ର ଜୀବନୀ ଲେଖାଇବାପାଇଁ ପ୍ରୟାସ ଆରମ୍ଭ ହେଲା । ମନେଅଛି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ନ୍ୟୁଜ୍ ୧୮ ତରଫରୁ ଏକ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଥିଲା ।

  ଭିଡିଓର ଲିଙ୍କ: https://www.youtube.com/watch?v=JcFdTYpvJUs&feature=youtu.be 

ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀ ମୋ ସହିତ ଶନିବାର ଓ ରବିବାରରେ ଅନଲାଇନ୍‌ରେ ଯୋଡ଼ିହୋଇ ନିଜ ନିଜ ଗାଁ’ର ଜୀବନୀ ଲେଖୁଥିଲେ । ସେହିସବୁ ଛାତ୍ରଛାତ୍ରୀ ମାନଙ୍କୁ ପରବର୍ତ୍ତୀ ସମୟରେ ସମଦୃଷ୍ଟି ମୁକ୍ତବିଦ୍ୟାଳୟ ତରଫରୁ “ଛାତ୍ର ସାମ୍ବାଦିକ” ସାର୍ଟିଫିକେଟ ଦେବାପାଇଁ ନିଷ୍ପତ୍ତି ହେଲା ଓ ସେହିସବୁ ଛାତ୍ରଛାତ୍ରୀ ମାନଙ୍କୁ ଜୁମ ମିଟିଂ ରେ ସାର୍ଟିଫିକେଟ ଦିଆଯାଇଥିଲା । ସେହି ମିଟିଂର ଲିଙ୍କ ପରବର୍ତ୍ତୀ ସମୟରେ ୟୁଟ୍ୟୁବରେ ପ୍ରକାଶ କରଯାଇଥିଲା, ତାହା ଏଠାରେ ଦିଆଯାଇଛି ।  

  ଭିଡିଓର ଲିଙ୍କ:   https://youtu.be/jyOaQcNSfF0 

ସେହି ଭିତରୁ କିଛି କିଛି ଜୀବନୀକୁ ସମଧ୍ୱନି ଡ଼ିଜିଟାଲ ପତ୍ରିକାରେ ପ୍ରକାଶ କରାଯାଇଥିଲା  । ଲକ୍ଷ୍ୟ ଥିଲା ଏହି ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ଲେଖାଲେଖି କରିବାପାଇଁ ପ୍ରେରଣା ଦେବା ଓ ଓଡିଶାର ସବୁ ଗାଁ’ର ଛାତ୍ରଛାତ୍ରୀ ମାନଙ୍କୁ ଏହି କାମ ସମ୍ପର୍କରେ ସୂଚନା ଦେବା । ଯଦିଓ ସେହି କାର୍ଯ୍ୟରେ କିଛି ମାତ୍ରାରେ ଆମେ ସଫଳ ମଧ୍ୟ ହୋଇଥିଲୁ । କେବଳ ଲେଖା ଭିତରେ ଏହି କାର୍ଯ୍ୟ ସୀମିତ ରହିନଥିଲା । ଛାତ୍ରଛାତ୍ରୀମାନେ ନିଜ ଗାଁ ସମ୍ପର୍କରେ ଛୋଟ ଡ଼କ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରିଥିଲେ । ସେ ଦିଗରେ ସେମାନଙ୍କୁ ଜୁମ ଓ ଗୁଗୁଲ ମିଟ ମାଧ୍ୟମରେ ବାରମ୍ବାର ଘରେ ବସି ମୁଁ ଶିକ୍ଷା ଦେଉଥିଲି । ପରେ ସେ ଭିଡ଼ିଓ ଗୁଡ଼ିକୁ ଏଡ଼ିଟ କରି ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ କରିଥିଲି । ସେହିସବୁ ଲେଖାର ଓ ଭିଡିଓ ର ଲିଙ୍କ ଏଠାରେ ଦିଆଯାଇଛି । 

ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର କିଛି ଲେଖା ଯେଉଁଗୁଡିକ ସମଧ୍ୱନିରେ ପ୍ରକାଶିତ ହୋଇଥିଲା:

୧- ମୋ ଗାଁ ‘ଡେଙ୍ଗମା’ର ସାଂସ୍କୃତିକ ଜୀବନ – ଆମ ଗାଁ ଆମ ଜୀବନ – https://samadhwani.com/4067 

୨- ଛୋଟ ମୋର ଗାଁ’ଟି (ଗୋବିନ୍ଦପୁରର ସାଂସ୍କୃତିକ ଜୀବନ) – ଆମ ଗାଁ ଆମ ଜୀବନ – https://samadhwani.com/4114 

୩- ଭଞ୍ଜନଗରର ସଂସ୍କୃତି ଓ ଜୀବନ – ଆମ ଗାଁ ଆମ ଜୀବନ – https://samadhwani.com/4678 

୪- ଆମ ଗାଁ ଅଡ଼ବାର ଇତିହାସ ଓ ସଂସ୍କୃତି – ଆମ ଗାଁ ଆମ ଜୀବନ – https://samadhwani.com/5664 

୫- ଆମ ଗାଁ ବାଲିପଦରର ଇତିହାସ ଓ ଜୀବନୀ – ଆମ ଗାଁ ଆମ ଜୀବନ –https://samadhwani.com/5818 

୬- ଘୋଡ଼ାପଙ୍କା ଗାଁର ସାଂସ୍କୃତିକ ପରିଚୟ – ( ଆମ ଗାଁ ଆମ ଜୀବନ) – https://samadhwani.com/5990   

୭- ଡ଼େଙ୍ଗିଲି ଗାଁ’ର ସାଂସ୍କୃତିକ ଜୀବନୀ – https://samadhwani.com/5743 

ଭିଡ଼ିଓ ଲିଙ୍କ:

୧- Dengama (Biography of a Village)- https://www.youtube.com/watch?v=y146UcxxANI&t=37s 

୨- Patigobindapur( Biography of a Village)- https://youtu.be/gQWZXxIW3sA 

୩- BIOGRAPHY OF ADAVA – https://youtu.be/lumcya-Zc_w 

ଗଣସାମ୍ବାଦିକ ମାନଙ୍କର ଭିଡିଓର ଲିଙ୍କ: 

1- Manapada (Biography of a Village) – https://www.youtube.com/watch?v=WdUW9K7hW74 

2- Jayapur (Biography of a Village) – https://www.youtube.com/watch?v=nWz8vxpUEY8&t=9s 

ଶେଷରେ ଏତିକି କହିବି କୋଭିଡ଼ ସମୟରେ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ୨ ବର୍ଷ ଧରି ଯେଉଁସବୁ ଅନୁଭୂତି ସଂଗ୍ରହ କରିଥିଲି ସେଇଟା ଥିଲା ଅତି ନିଆରା । ଯେତେବେଳେ ସମଗ୍ର ବିଶ୍ଵବାସୀ ଘରେ ରହି ସମୟ କେମିତି କଟାଇବେ ଚିନ୍ତା କରୁଥିଲେ କୁନି କୁନି ପିଲା ଗାଁ’ରେ ବୁଲି ତଥ୍ୟ ସଂଗ୍ରହରେ ଲାଗିଥିଲେ । ମୋତେ ବି ସମୟ ମିଳୁନଥିଲା ସବୁ ପିଲାଙ୍କୁ ଠିକ ଭାବରେ ବୁଝେଇ କାମଟିକୁ ଲିପିବଦ୍ଧ କରାଇବା ପାଇଁ । ଥରେ ଦେଖା ହୋଇନଥିବା ଓ ମୁଁ ଜାଣିନଥିବା ପିଲାଙ୍କ ସହିତ ଗୋଟିଏ ବର୍ଷ ଭିତରେ ଏତେ ନିବିଡ଼ ସମ୍ପର୍କ ସ୍ଥାପନ ହୋଇଯାଇଥିଲା । ମୁଁ ଲକଡାଉନରେ ସଂପୂର୍ଣ୍ଣ ସୁଯୋଗ ପାଇଥିଲି ମୋ ନିଜର ଆଗ୍ରହର ବିଷୟକୁ ଆଗକୁ ନେବା ପାଇଁ । ଏହି କାମ ପଛରେ ମୋତେ ଯିଏ ସହଯୋଗ କରିଥିଲେ ସେ ହେଉଛନ୍ତି ସେତେବେଳେ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଥିବା ତଥା ସମଧ୍ୱନିର ଅନ୍ୟତମ ସଦସ୍ୟ ଡ. ଅଜିତ କୁମାର ମୁନୀ । ବର୍ତ୍ତମାନ ସେ ଆସ୍କା ସାଇନ୍ସ କଲେଜର ଓଡ଼ିଆରେ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି ଓ ସେଠାରେ ମଧ୍ୟ ସେ ଗାଁ’ର ଜୀବନୀ ଲେଖାଇବା କ୍ଷେତ୍ରରେ ସହଯୋଗର ହାତ ବଢେଇଛନ୍ତି । ସେଥିପାଇଁ ତାଙ୍କୁ ଆମେ ଅନେକ ଅନେକ ଧନ୍ୟବାଦ ଜଣାଉଛୁ ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.