Home / ସାହିତ୍ୟ ସଂସ୍କୃତି / ଇତିହାସ / ଅଡ଼ବା ଗାଁ’ର ଇତିହାସ ଓ ସଂସ୍କୃତି

ଅଡ଼ବା ଗାଁ’ର ଇତିହାସ ଓ ସଂସ୍କୃତି

Share Samadhwani

ଆମ ଗାଁର ନାମ ହେଉଛି ଅଡ଼ବା । ସବୁ ଗାଁ ଭଳି ଆମ ଗାଁର ନାମକରଣ ପଛରେ ରହିଅଛି କିଛି ଐତିହାସିକ କାହାଣୀ । ସବୁଠୁ ମହତ୍ୱପୂର୍ଣ୍ଣ କଥା ଏହିକି ଯେ, ଆମ ଗାଁ ସବୁଜ ସୁନ୍ଦର ଭରା ଜଙ୍ଗଲ, ପାହାଡ଼, ନଦୀ ଏବଂ ଝରଣାରେ ଭରପୂର । ପ୍ରକୃତି ଦେବୀ ସ୍ୱୟଂ ଏଠାରେ ବିରାଜମାନ କରିଛନ୍ତି । ଏ ସବୁ ପରେ ମୁଁ ଜଣାଇବାକୁ ଚାହୁଁଛି ଆମ ଗାଁର ନାମକରଣ ପଛରେ ଥିବା କାରଣ, ପ୍ରଥମେ ଏହି ବିଷୟରେ ଜାଣିବାପାଇଁ ଆମେ ସମସ୍ତେ ଏକାଠି ହୋଇ ଆମ ଗ୍ରାମର କିଛି ବୟସ୍କ ଏବଂ ଜ୍ଞାନୀ ଲୋକଙ୍କୁ ପଚାରିବୁଝି ଜାଣିପାରିଲୁ କି, ଆମ ଗାଁର ନଦୀ ସେପାରିରେ କନ୍ଧ ଅଡ଼ବା ନାମକ ଏକ ଗ୍ରାମ ଥିଲା । ବ୍ରିଟିସ୍ ଶାସନ ସମୟର କଥା । ସେତେବେଳେ ହାଡ଼ୁ ପାତ୍ର ନାମକ ଏକ ବ୍ୟକ୍ତି ପ୍ରଥମେ ଏଠାରେ ପାଦ ଦେଇଥିଲେ । ଏବଂ ତା’ ପରେ ଧିରେ ଧିରେ ବହୁ ପ୍ରଜାତିର ଲୋକ ଆସି ଏଠାରେ ଜୀବନ ଯାପନ କଲେ । ମୁଁ ବହୁତ ଲୋକଙ୍କୁ ପଚାରି ବୁଝିଲି ଏହି ଗାଁର ନାମକରଣ ବିଷୟରେ, ସେ ମଧ୍ୟରୁ କିଛି ଲୋକ ହିଁ ଉତ୍ତର ଦେଇପାରିଲେ ।

ସିନେମାସ୍ ପାତ୍ର- ସିନେମାସ୍ ପାତ୍ର ହେଉଛନ୍ତି ଅଡ଼ବା ଗ୍ରାମର ଏକ ବୃଦ୍ଧ ଗ୍ରାମବାସୀ । ଆମ ପ୍ରିୟର ଜେଜେ ବାପା । ସେ ୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ବୟସ ହେଉଛି ୬୯ । ସେ ଏହି ଗାଁର ନାମକରଣ ପଛେ ଥିବା କାରଣଟି କହିଛନ୍ତି ଯେ-ଯେତେବେଳେ ସେ ଏହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସେ ସମୟରେ କନ୍ଧ ଅଡ଼ବା ନାମକ ଏକ ଜାତି ଏଠାରେ ନଦୀ କୂଳରେ ବାସ କରୁଥିଲେ । ଏବଂ ସେ ମତେ କହିଲେ ଯେ ସେତେବେଳେ ଏହି ଗାଁକୁ ପ୍ରତିଷ୍ଠା କରାଗଲା । ସେତେବେଳେ ବରଗଡ଼ ରାଜାଙ୍କୁ ଅତିଥି ଭାବରେ ଏଠାକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସେ ଦିନ ରାଜାଙ୍କ ଜରୁରୀ କାମ ପାଇଁ ସେ ଏଠାକୁ ଆସିପରି ନ ଥିଲେ କିନ୍ତୁ ସେ ତାଙ୍କ ଗୁମୁସ୍ତାଙ୍କୁ ଏଠାକୁ ଅତିଥି ଭାବରେ ପଠାଇଥିଲେ । ଏଠାକାର ଲୋକମାନେ ବରଗଡ଼କୁ ଯାଇ ବାଜା ବଜାଇ, ନାଚଗୀତ କରି ତାଙ୍କୁ ଏଠାକୁ ଆଣିଥିଲେ । ଯେତେବେଳେ ସେ ଏଠାକୁ ଆସିଲେ ତାଙ୍କ ମସ୍ତକରେ ଏଠାକାର ତିଆରି ଏକ ମୁକୁଟ ଦିକ୍ଷା ପାଇ ତାଙ୍କୁ ସମ୍ମାନ ଦିଆ ଯାଇଥିଲା । ଠିକ୍ ସେହି ଦିନ ଏଠାରେ ଏକ ସଭା ଆୟୋଜନ କରାଗଲା ଏହି ଗାଁର ନାମକରଣ ପାଇଁ । ପ୍ରଥମେ କନ୍ଧ ଅଡ଼ବା ଗ୍ରାମର କିଛି ଲୋକ ଜିବୀକା ନିମନ୍ତେ ଏଠାକୁ ଆସି ବସବାସ କରିଥିଲେ । କନ୍ଧ ଅଡ଼ବା ଗ୍ରାମଟି ଖଜୁରୀପଦା ନିକଟରେ ଅବସ୍ଥିତ । ତା’ପରେ ସେହି ସଭାରେ ନିଷ୍ପତି ନିଆଗଲା ସେ ଗାଁର ନାମ ଅଡ଼ବା ରଖିବା ପାଇଁ । ଏବଂ ଧିରେ ଧିରେ ଏହି ଗାଁର ନାମ ଅଡ଼ବା ନାମରେ ପରିଚିତ ହେଲା ।

ମଧୁ ନାୟକ- ମଧୁ ନାୟକ ଯେ କି ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବୟସ ହେଉଛି ୫୮ ବର୍ଷ । ମଧୂ ନାୟକଙ୍କ ବାପାଙ୍କ ନାମ ହେଉଛି ଗାବ୍ରେଲ୍ ନାୟକ । ମୁଁ ବହୁତ ଖୁସି ଅନୁଭବ କରେକି ସେ ଆମ ଗାଁ ପାଇଁ ବହୁତ କିଛି କାମ କରିଛନ୍ତି । ଏବଂ ସେ ବ୍ୟଙ୍ଗ କବିର ମାନ୍ୟତା ମଧ୍ୟ ପାଇଛନ୍ତି । ମଧୁ ନାୟକଙ୍କ କହିବା ଅନୁଯାୟୀ ଏହି ତଥ୍ୟ ସେ ତାଙ୍କ ଜେଜେଙ୍କ ଠାରୁ ଜାଣିଛନ୍ତି । ସେ ମତେ ଏହି ତଥ୍ୟ ଦେଇଛନ୍ତି ଯେ; ଏହି ଗାଁଟି କେବଳ ବଣଲତାରେ ପରିପୂର୍ଣ୍ଣ ହୋଇ ରହିଥିଲା । ଏଠାରେ ବହୁତ କମ୍ ଲୋକ ଜୀବନ ଯାପନ କରୁଥିଲେ । ନିକଟରେ ଖଜୁରୀପଦା, କନ୍ଧ ଅଡ଼ବା ଭଳି ଛୋଟ ଛୋଟ ଗାଁ ଥିଲା । ସାଧାରଣତଃ ଏଠାରେ କନ୍ଧ ଲୋକମାନେ ବାସବାସ କରୁଥିଲେ । ବରଗଡ଼ ରାଜାଙ୍କ ଗୁମସ୍ତା ଆସି ଏଠାକାର ନାମ କନ୍ଧ ଅଡ଼ବା ଦେଇଥିଲେ ।

କନ୍ଧ ଅଡ଼ବା ଦେବାର କାରଣ ଏହିକି ଯେ, ଏଠାକାର ଅଧିକ କନ୍ଧ ଲୋକ ବାସ କରୁଥିଲେ ଏବଂ ଏଠାକାର ଗମନାଗମନ ବହୁତ ଅଡ଼ୁଆ ଥିଲା। ସେହି କନ୍ଧ ଅଡ଼ବା ନାମକୁ ନେଇ ଏହି ଗାଁ ନାମ ଅଡ଼ବା ରଖାଗଲା ।

ବାସନ୍ତ ନାୟକ- ବସନ୍ତ ନାୟକ ଯେ କି ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବୟସ ହେଉଛି ୫୭ ବର୍ଷ । ବସନ୍ତ ନାୟକ ଏହା ମତ ଦେଇଛନ୍ତି ଯେ; ପ୍ରଥମେ କନ୍ଧ ଅଡ଼ବା ନାମକ ଗାଁରୁ କିଛିଲୋକ ଜୀବିକା ନିମନ୍ତେ ଏଠାକୁ ଆସି ବସବାସ କଲେ । ଧିରେ ଧିରେ ଜନବସତି ବଢ଼ିଚାଲିଲା । ଲୋକମାନଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଲା । ଗାଁର ନାମକରଣ ନିମନ୍ତେ ବରଗଡ଼ ରାଜାଙ୍କୁ ଏଠାକୁ ନିମନ୍ତ୍ରଣ କରାଗଲା । ସେ ତାଙ୍କର କିଛି ଜରୁରୀ କାମ ପାଇଁ ଏଠାକୁ ଆସିପାରିଲେ ନାହିଁ । ସେ ତାଙ୍କର ଗୁମସ୍ତାଙ୍କୁ ଏଠାକୁ ଅତିଥି ଭାବରେ ପଠାଇଥିଲେ । ପ୍ରଥମେ କନ୍ଧଅଡ଼ବାର କିଛି ଲୋକ ଆସି ଏଠାରେ ଜୀବନ ଯାପନ କରୁଥିଲେ । ଏଣୁ ସେହି କନ୍ଧ ଅଡ଼ବା ନାମକୁ ବଜାୟ ରଖି ଏହି ଗାଁର ନାମ ଅଡ଼ବା ରଖାଗଲା ।

ଖ) ଆମ ଗାଁ କେବେ ପ୍ରତିଷ୍ଠା ହୋଇଥିଲା?

ଆମ ଗାଁ ଅଡ଼ବା ବହୁତ ପୁରାତନ ଅଟେ । ଲୋକଙ୍କ କହିବା ଅନୁଯାୟୀ ଏହି ଗାଁଟି ୧୯୦ ବର୍ଷ ତଳର ଅଟେ । ସିନେମାସ୍ ପାତ୍ର, ବୟସ ୬୯ ବର୍ଷ, ଜଣେ ପୁରାତନ ବ୍ଲକ୍ ଗ୍ରାମବାସୀ । ତାଙ୍କର କହିବା ଅନୁଯାୟୀ ଏହି ଗାଁଟି ୧୯୦ ବର୍ଷ ତଳର ଅଟେ । ଏବଂ ଏହି ଗ୍ରାମଟି ବ୍ରିଟିଶ୍ ଶାସନ ଅମଳରୁ ଅବସ୍ଥିତ । ପ୍ରଥମେ ଏହି ଗ୍ରାମରେ କନ୍ଧଆଡ଼ବାରୁ କିଛି ବାସିନ୍ଧା ଆସି ରହିଥିଲେ । ସେତେବେଳେ ଏଠାରେ କେବଳ ୨ଟି ବସ୍ତି ଥିଲା । ୧) ଓଡ଼ିଆ ବସ୍ତି ୨) ହରିଜନ ବସ୍ତି କାଳକ୍ରମେ ସେ ତାଙ୍କର ପୁଅ, ନାତି ଏବଂ ଅନ୍ୟ ଗ୍ରାମରୁ ଲୋକଆସି ବସତି କଲେ । ସିନେମାସ୍ ପାତ୍ରଙ୍କ କହିବା ଅନୁଯାୟୀ ଏହି ଗ୍ରାମଟି ୧୮୩୨ରେ ପ୍ରତିଷ୍ଠା କରାଯାଇ ଥିଲା । କାଳକ୍ରମେ ଜନବସତି ବଢ଼ି ବ୍ରିଟିସ୍ ଅମଳରୁ ଆରମ୍ଭ ହୋଇ ବର୍ତ୍ତମାନ ପାଞ୍ଚାୟତ ଅମଳ ପର୍ଯ୍ୟନ୍ତ ଚଲିଛି । ବସନ୍ତ ନାୟକ, ବୟସ ୫୩ ବର୍ଷ ତାଙ୍କର କହିବା ଅନୁଯାୟୀ ଏହି ଗ୍ରାମଟି ବହୁତ ପୂରାତନ ଅଟେ, ଏବଂ ଏହି ଗ୍ରାମଟି ୧୮୩୨ରୁ ୧୮୩୪ ମଧ୍ୟରେ ପ୍ରତିଷ୍ଠା ହୋଇଥିଲା । ଯାହାକି ସେ ତାଙ୍କ ଜେଜେଙ୍କ ଠାରୁ ଶୁଣିଥିଲେ । ମଧ୍ୱ ନାୟକ, ବୟସ ୫୮ ବର୍ଷବାପା ଗାବ୍ରେଲ୍ ନାୟକ । ତାଙ୍କର କହିବା ଅନୁଯାୟୀ ଏହି ଗ୍ରାମଟି ୧୮୩୦ ମସିହା ପରର ଅଟେ । ଯାହାକି ସେ ତାଙ୍କ ଜେଜେଙ୍କ ଠାରୁ ତାଙ୍କ ବାଳୁତ ସମୟରେ ଶୁଣିଥିଲେ ।

ଗ) ଆମ ଗାଁର ପ୍ରଥମ ବାସିନ୍ଦା ଯେଉଁମାନେ ଥିଲେ?

ଆମ ଗାଁ ଅଡ଼ବା ବହୁତ ପୂରାତନ ଅଟେ । ପ୍ରଥମେ ଏଠାକୁ କନ୍ଧଅଡ଼ବାରୁ କିଛି ଲୋକ ଆସିଥିଲେ । ସବୁଠାରୁ ପ୍ରଥମେ ଏହି ଗାଁରେ ପାଦ ଦେଇଥିଲେ ହାଡ଼ୁ ପାତ୍ର । ଏବଂ ହାଡ଼ୁପାତ୍ରଙ୍କ ସାଥିରେ ତାଙ୍କ ପୁଅ ନବୀନ ପାତ୍ର ଆସିଥିଲେ । ହାଡ଼ୁ ପାତ୍ରଙ୍କ ପରେ ଏହି ଗ୍ରାମକୁ ଆସିଥିବା ଲୋକମାନେ ହେଉଛନ୍ତି ।

୧) ନବୀନ ପାତ୍ର                                                                       ୧୨) ରଣ ଦାସ

୨) ଗଣ ସିଂ ପାତ୍ର                                                                     ୧୩) ସିନ୍ଧୁ ନାୟକ

୩) ପୁରୁଷୋତ୍ତମ ପାତ୍ର                                                                ୧୪) ବାହଦୁର୍ ସିଂ

୪) ଲାଲ୍ ସିଂ ପାତ୍ର                                                                    ୧୫) ଫେରେ ପାତ୍ର

୫) ରୁଷି କଅଁର                                                                         ୧୬) କିନ୍ଦି ସିଂ

୬) ବାଉରୀ ସାହୁ                                                                      ୧୭) ରୁଷିଆ ଦଳାଇ

୭) ଭଗିନୀ ପ୍ରଧାନୀ                                                                    ୧୮) ସତ ସିଂ

୮) ଦିନ ବନ୍ଧୁ ବେହେରା ଦଳାଇ                                                        ୧୯) ବତ୍ର ସିଂ

୯) ଦୁଖୀ ଦୁଯାରୀ                                                                      ୨୦) କ୍ଷେତ୍ର ଗୌଡ଼

୧୦) ସିନ୍ଧୁ ବରଦ୍ଧନ                                                                   ୨୧) କାଳିଆମଣି ନାୟକ

୧୧) ରାମଚନ୍ଦ୍ର ପୁଜାରୀ                                                             ୨୨) ପଟ୍ରି ନାୟକ

୨) କ) ଗାଁର ନଦୀ ଓ ନାଳ, ଖ) ପୋଖରୀ, ଗ) ଜଙ୍ଗଳ ଓ ଡ଼ଙ୍ଗର, ଘ) ଜୀବଜନ୍ତୁ, ଙ) କୀଟପତଙ୍ଗ, ଚ) ଗଛଳତା, ଚ) ଫଳ ଓ ଫୁଲ, ଜ) ଶସ୍ୟ ଫସଲ ।

ଆମ ଗାଁ ଅଡ଼ବା ବହୁତ ପୁରାତନ ଅଟେ । ଯାହାକି ସବୁଜ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଟେ । ଏହି ଗାଁର, ନଦୀ, ନାଳ, ପୋଖରୀ, ଡଙ୍ଗର ଇତ୍ୟାଦି ବିଷୟରେ ଜାଣିବା ପାଇଁ ଏଠାକାର କିଛି ବୃଦ୍ଧ ଜ୍ଞାନୀ ଲୋକମାନଙ୍କୁ ମୁଁ ପଚାରିବୁଝିଲି । ସିନେମାସ୍ ପାତ୍ର, ବୟସ ୬୯ ବର୍ଷ ଜଣେ କର୍ମ କରୁଥିବା ବ୍ୟକ୍ତି । ସେ କୁହନ୍ତି ଯେ, ଆଗକାଳରେ ଏଠାରେ କୌଣସି ଜଳର ସୁବିଧା ନଥିଲା । କେବଳ ଲୋକମାନେ ପାନୀୟ ଜଳ ରୂପେ ନଦୀ, ନାଳ ଏବଂ ପୋଖରୀର ଜଳକୁ ଗ୍ରହଣ କରୁଥିଲେ । ଜୁନ୍ ମାସରୁ ସେପ୍ଟେମ୍ବର ମାସ ଅର୍ଥାତ୍ ବର୍ଷା ଦିନେ ନଦୀ, ନାଳ ଏବଂ ପୋଖରୀର ଜଳ ପୂର୍ଣ୍ଣ ହୋଇଯାଉଥିଲା ଏଣୁ ଲୋକମାନେ ଏହି ଜଳକୁ ପାନୀୟ ଜଳ ରୂପେ ଗ୍ରହଣ କରି ପାରୁନଥିଲେ । ଲୋକମାନେ ବର୍ଷା ଦିନେ ବିଲ ପାଣି କିମ୍ବା ପାନୀୟ ଜଳ ନିମନ୍ତେ ଫଲାଣ୍ଟି ଯିବାକୁ ପଡ଼ୁଥିଲା । ପ୍ରଥମେ ଏଠାରେ ଗୋଟିଏ ପୋଖରୀ ଥିଲା କାଳକ୍ରମେ ଏଠାରେ ଆଉ ଗୋଟିଏ ପୋଖରୀ ଖୋଳାଗଲା । ଲୋକଙ୍କ ସୁବିଧା ନିମନ୍ତେ । ବର୍ତ୍ତମାନ ଲୋକମାନେ ନଳକୂପ ଏବଂ କେନାଳର ଜଳକୁ ପାନୀୟ ଜଳରୂପେ ସେବନ କରୁଛନ୍ତି । ସ୍ନାନ ପାଇଁ ଲୋକମାନେ ନଦୀ ଉପରେ ନିର୍ଭର କରୁଛନ୍ତି ।

ଖ) ଜଙ୍ଗଲ ଓ ଡ଼ଙ୍ଗର – ପୁରାତନ କାଳରେ ଏହି ଗ୍ରାମଟି କେବଳ ଜଙ୍ଗଲ ଓ ଡ଼ଙ୍ଗରରେ ପରିପୂର୍ଣ୍ଣ ହୋଇ ରହିଥିଲା । ଏଠାରେ ପ୍ରଚୁର ମାତ୍ରାରେ ଶାଳୁଆ ଗଛ, ଶାହନ ଗଛ ଏବଂ ଆମ୍ବ ଗଛ ଦେଖାଯାଉଥିଲା । କାଳକ୍ରମେ ଜୀବିକା ନିମନ୍ତେ ଲୋକମାନେ ଏଠାକୁ ଆସି ବୃକ୍ଷ କାଟି ବାସ ଗୃହ ନିର୍ମାଣ କଲେ । ଏଠାରେ ବହୁତ ଔଷଧିୟ ଗଛ ମିଳୁଥିଲା । ଜଙ୍ଗଲରେ ଦେଖାଯାଉଥିବା ବୃକ୍ଷମାନଙ୍କ ମଧ୍ୟରୁ ହେଉଛି- ଶାଗୁଆନ୍‌, ତେନ୍ତୁଳି, ପିପଳ, କନ୍ଦୁରୀ, ଦେବଦାରୁ, ଆମ୍ବ, ଅଶ୍ୱଗନ୍ଧା, ପଣସ, ବେଲ ଗଛ, କରଡ଼ା ଅଶୋକ, ପଳାଶ, ଡିମ୍ବିରି, ଅଁଳା, ତାଳ, ନଡ଼ିଆ ଇତ୍ୟାଦି । ଡଙ୍ଗରରେ ଦେଖାଯାଉଥିବା ଗଛ ହେଉଛି- ବାଉଁଶ କରଡ଼ି ଗଛ, ବରକୋଳି, ଚନ୍ଦନ ଇତ୍ୟାଦି ।

ଗ) ଜୀବଜନ୍ତୁ- ଏହି ଅଞ୍ଚଳଟି କେବଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଥିଲା । ଏଣୁ ଏଠାରେ ନାନା ପ୍ରକାର ଜୀବଜନ୍ତୁ ଦେଖାଯାଉଥିଲେ । ସେମାନଙ୍କ ମଧ୍ୟରୁ ଜିଆଦ, କାଉ, ବାଦୁଡ଼ି ପକ୍ଷୀ, କୁଟୁରା, କୁମୁଟି, କାଉ, କାଠହଣା ପକ୍ଷୀ, ହରିଣ, କାଇଁନ ଚଢ଼େଇ, ରାଜହଂସ, ବାଘ, ପଥର କଇଁଚ, କୋକିଶିଆଳୀ, ଭାଲୁ, ଗଧିଆ, ହଳଦୀ ବସନ୍ତ, ମାଙ୍କଡ଼, ହାତୀ, ଛେଳି, ବିଲୁଆ, ଅଜଗର ସାପ, ଭୁଆଁ, ଗାଈ, ଚିଲ, କୁକୁର, ମଇଁଷି, ଶାଗୁଣା, ନେଉଳ, ଠେକୁଆ, ପାରା, କବତା ପକ୍ଷୀ, ଘୁଷୁରୀ, ପେଚା, ରଣି ପକ୍ଷୀ, ବାରାହା, ଶୁଆ, କଳାପନୀ ଚତେଇ ଇତ୍ୟାଦି ।

ଏହି ଜୀବଜନ୍ତୁଙ୍କ ମଧ୍ୟରୁ ଏଠାରେ ବହୁତ ଜୀବଜନ୍ତୁ ଲୋପ ପାଇଯାଇଛନ୍ତି । ଲୋକମାନଙ୍କ ଶିକାର ନିମନ୍ତେ ଏବଂ ବୃକ୍ଷକାଟିବା ନିମନ୍ତେ ।

ଘ) କୀଟପତଙ୍ଗ – ଗ୍ରୀଷ୍ମ ଏବଂ ବର୍ଷା ରୁତୁରେ ଏଠାରେ ବହୁତ କୀଟପତଙ୍ଗ ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ ପ୍ରଜାପତି, ମହୁମାଛି, ଝିଣ୍ଟିକା, ଅସରପା, ଜାଲିପୁଇ, କଲିକତର, ପୋକ ଜୋକ, ଜନ୍ଦା, ଭଅଁର, କାଇ, ପିମ୍ପୁଡ଼ି ଇତ୍ୟାଦି ।

ଙ) ଗଛଲତା – ଏହି ଅଡ଼ବା ଅଞ୍ଚଳଟି କେବଳ ଘଞ୍ଚ ଜଙ୍ଗଳରେ ପରିପୂର୍ଣ୍ଣ ହୋଇଥିଲା । ଏଣୁ ଏଠାରେ ବହୁତ ଗଛଲତା ଦେଖାଯାଉଥିଲା । ଅଙ୍ଗୁରୁ ଗଛ, ବରକୋଳି ଗଛ, ନାଶପତି ଗଛ, ରାମଫଳ ଗଛ, କୁନ୍ଦୁରୀ ଗଛ, ପିଜୁଳି ଗଛ, କାଇଁଚ ଗଛ, ଶହଁର ଗଛ, ଆମ୍ବ ଗଛ, ନିସ ଗଛ, ତେନ୍ତୁଳି ଗଛ, ବାହଁର ଗଛ, ଓଲ ଗଛ, ପଣସ ଗଛ, ଆତ ଗଛ, ହରିଡ଼ ଗଛ, ଗେଣ୍ଡୁ ଗଛ, ଚାହଁର ଗଛ, ଭାଲିଆ ଗଛ, ମହୁଲ ଗଛ, କେନ୍ଦୁଫୁଲ ଗଛ, ମହୁଲ ଗଛ, ବାଉଁସ ଗଛ, ଲଙ୍କା ଗଛ, ଓସ୍ତ ଗଛ ଟଗର ଗଛ ଇତ୍ୟାଦି ।

ଚ) ଫଳ ଓ ଫୁଲ- ଏଠାରେ ନାନା ପ୍ରକାର ଫଳ ଓ ଫୁଲ ମଧ୍ୟ ମିଳୁଥିଲା । ଫଳମାନଙ୍କ ମଧ୍ୟରୁ-ପଣସ, ଖଜୁରୀ, ଆମ୍ବ, କଇଠ, ଡିମ୍ବିରି, ସାଫେଟା ଜାମୁ, ପିଜୁଳି, କୁସୁମ କୋଳି, ବରକୋଳି, କରମଙ୍ଗା,ବଣ ଭାଲିଆ ଚାହିଁର ଫଳ, କେନ୍ଦୁ ଫଳ, ତେନ୍ତୁଳି, କଦଳୀ ଇତ୍ୟାଦି । ଫୁଲମାନଙ୍କ ମଧ୍ୟରୁ- ଶାହଁର, ବାହଁର, ଗେଣ୍ଡୁ, ମନ୍ଦାର, ମଲ୍ଲି, ଚମ୍ପା, ପଦ୍ମ, ହେନା, ଜୁଇ, ସେବତୀ, ଗୋଲାପ, ଡାଲିଆ, ଗଛଶିଉଳୀ, ପଳାସ, ରଜନୀ ଗନ୍ଧା, କାଗଜ, ଟଗର ଫୁଲ ଇତ୍ୟାଦି ।

ଛ) ଶସ୍ୟ ଫସଲ- ଆଗକାଳରେ ଏଠାରେ ବହୁତ ଲୋକ ଚାଷବାଷ କରି ନିଜ ପେଟ ପୋଷୁ ଥିଲେ । ଏଠାରେ ବିଭିନ୍ନ ଫସଲ ହୁଏ । ତଥା- ଧାନ, ଗହମ, କୋଳଥ, ମୁଗ, ରାଶି, ସୋରିଶ, ଜଡ଼ା, ବାଇଲ, ଭାଲିଆ, ହଳଦୀ, ମକା, ବାଜରା, କାନ୍ଦୁ, ମୁଆଁ, ଆଖୁ ଇତ୍ୟାଦି । ଆମେ ଯେଉଁ ତିନି ଜଣ ବ୍ୟକ୍ତିଙ୍କୁ ଏହି ପ୍ରଶ୍ନଟି ପଚାରିଥିଲୁ । ପ୍ରାୟ ସମସ୍ତଙ୍କର ମତଟି ଏକାଭଳି ଅଟେ । ଯାହା ମୁଁ ମୋ ବୟସ୍କ ଜେଜେଙ୍କ ଠାରୁ ଶୁଣିଲି ଆଜି ସେତିକି ଜିନିଷ ନାହିଁ ଯାହା ଆଗକାଳରେ ଏଠାରେ ଥିଲା । ସମୟ ସହ ଆମ ଗାଁରେ ଥିବା ଗଛଲତା, ଜୀବଜନ୍ତୁ, ସମସ୍ତଙ୍କର ପରିବର୍ତ୍ତନ ଘଟିଛି । ଆଗକାଳରେ ଯେତେକି ଗଛଥିଲା ଏବେ ତା’ର ଗୋଟେ ଭାଗ ମଧ୍ୟ ନାହିଁ । ଲୋକମାନେ ଜଙ୍ଗଲ କାଟି ଘର କରୁଛନ୍ତି । ଆମର ଦୁର୍ଭାଗ୍ୟ ଆମେ ସେ ଗଛମାନଙ୍କୁ ଆଉ ଏଠାରେ ଦେଖିପାରୁନାହିଁ । ବର୍ତ୍ତମାନ ଏଠାରେ ବହୁତ କମ୍ ଗଛଲତା ଦେଖାଯାଉଛି । ଏବଂ କୋଠା ହିଁ ବହୁତ ହୋଇଗଲାଣି । ଆଉ ଜୀବଜନ୍ତୁ ମଧ୍ୟ ଏଠାରେ ଦେଖାଯାଉନାହାନ୍ତି । ଜଙ୍ଗଲ କାଟିଦେଇ ସେମାନେ ଏଠାରୁ ପଲାଇ ଗଲେ । ଅତ୍ୟଧିକ ମାତ୍ରାରେ ବାୟୁ ପ୍ରଦୂଷଣ ଯୋଗୁଁ ନାନା ପ୍ରକାର ପକ୍ଷୀ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ପ୍ରଦୂଷଣ ଯୋଗୁଁ ବର୍ତ୍ତମାନ ଗାଁରେ ସବୁଜତା ଦେଖାଯାଉନାହିଁ । ନଦୀ, ପୋଖରୀ ମଧ୍ୟ ପୋତି ହୋଇଗଲାଣି । ଲୋକମାନଙ୍କ ଯେଗୁଁ ପ୍ରଦୂଷିତ ହୋଇଗଲାଣି । ଏଣୁ ଲୋକମାନେ ନିଜ ଘରେ ଟେପ୍ ଏବଂ କୂପ ଖୋଳି ଦେଇଛନ୍ତି । ଏହିପରି ସମୟ ଚକ୍ରରେ ଆଜି ସବୁ ବଦଳିଯାଉଛି । ଆଧୁନିକ ମାନବ ଗାଁ ସବୁଜତାକୁ ନଷ୍ଟ କରିଦେଉଛନ୍ତି । କିନ୍ତୁ ଆମେ ସବୁ ଏବେ ଚେଷ୍ଟା କରୁଛୁ ପୁଣି ସେହି ପୁରୁଣା ସବୁଜ ଭରା ଗାଁକୁ ଗଢ଼ିବା ପାଇଁ । ପୁଣି ସେହି ଝରଣା ଝରିବ, ପକ୍ଷୀ, ମାନଙ୍କର କିଚିରି ମିଚିରି ଶବ୍ଦ ସମ୍ପୂର୍ଣ୍ଣ ଜଙ୍ଗଲରେ ଶବ୍ଦିତ ହେଉଥିବ । ବର୍ତ୍ତମାନ ସମ୍ପୂର୍ଣ୍ଣ ଜଙ୍ଗଲଟି ଜୀବଜନ୍ତୁଙ୍କୁ ନେଇ ପରିପୂର୍ଣ୍ଣ ଦେଖାଯିବ । ବର୍ତ୍ତମାନ ଆହୁରି ଏକ ବଡ଼ ପରିବର୍ତ୍ତନ ଏଠାରେ ଦେଖାଯାଉଛି ଯେ, ଲୋକମାନେ ଆଉ କ୍ଷେତ କାମ ନ କରି ଚାକିରି କରି ବାହାର ରାଜ୍ୟକୁ ପଳାଉଛନ୍ତି । ନିଜ ମାଟି ମାଆକୁ ଭୁଲିଯାଇ ବାହାର ରାଜ୍ୟରେ ଖୁସିରେ ରହୁଛନ୍ତି । ଯଦି ପୂର୍ବ କଥାକୁ ମନେପକାଇବି ଆଜି ମୋ ଗ୍ରାମରେ ବହୁତ କିଛି ନଷ୍ଟ ହୋଇଯାଇଛି । ୧୦ ବର୍ଷ ମଧ୍ୟରେ ମୁଁ ଯେତିକି ଦେଖିଛି, ବୃକ୍ଷଲତାରୁ ଆରମ୍ଭକରି ଜୀବଜନ୍ତୁ ପର୍ଯ୍ୟନ୍ତ ସବୁ ବଦଳିଯାଇଛି । ସବୁଥିରେ ପରିବର୍ତ୍ତନ ଆସିଯାଇଛି ।

ତଥାପି ପରିବର୍ତ୍ତନ ହେଲେ ମଧ୍ୟ ଗାଁର ରୂପ, ବର୍ଣ୍ଣ ଏବଂ ତା’ର ମାଟିର ବାସ୍ନା, ମୋ ମାଟି ମାଆର ମୋ ପ୍ରତି ପ୍ରେମ କମିନାହିଁ କି ଆଗକୁ ମଧ୍ୟ କମିବ ନାହିଁ । ଆମ ଦୁହିଁକ ମଧ୍ୟରେ ସବୁବେଳେ ଏମିତି ନିବିଡ଼ ବନ୍ଧନ ରହିବ । ଆଜି ଲୋକମାନେ ନିଜକୁ ଆଧୁନିକ ବୋଲି କହୁଛନ୍ତି । ହେଲେ ସେମାନେ ଆଧୁନିକ ନୁହଁନ୍ତି । ଶିକ୍ଷା ଲାଭ କରିମଧ୍ୟ ସେମାନେ ଶିକ୍ଷାକୁ କୌଣସି ବ୍ୟବହାରରେ ଲଗାଉନାହାଁନ୍ତି । ସେମାନଙ୍କର କେବଳ ପାଠପଢ଼ି ପଇସା କମେଇବା ମୂଳ ଉଦ୍ଦେଶ୍ୟ । ମୁଖ୍ୟ ଜିନିଷଟି ଏହିକି ଯେ ଆମ ନିଜର ଗାଁଟିର କ’ଣ ଅବଦାନ ରହିଛି ତାହା ଜାଣିବା ଉଚିତ୍ ସେତେବେଳେ ମୁଁ ବହୁତଜଣଙ୍କୁ ପଚାରିଲି ଗାଁର ପରିବର୍ତ୍ତନ ବିଷୟରେ ଏବେ ସେହି ଗୁଡ଼ିକ କାହିଁକି ଲୋପ ପାଇଯାଇଛି ।

ସେମାନେ ଉତ୍ତର ଦେଲେ ଯେ, ଲୋକମାନେ ଧିରେ ଧିରେ ନୂତନ ଯୁଗ ଆଡ଼କୁ ଯାଉଛନ୍ତି । ଏ ସମୟ ସହିତ ସେମାନେ ବଦଳିଯାଉଛନ୍ତି । ସେମାନଙ୍କୁ ଆଉ ଗଛଲତା, ପଶୁପକ୍ଷୀ ଉପରେ ମମତା ରହୁନାହିଁ ସେମାନେ କେବଳ ନିଜ ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି । ସବୁ ମାନବ ଜଣେ ଜଣେ ଯନ୍ତ୍ରପାତି ପାଲଟି ଯାଇଛନ୍ତି । ଏଣୁ ସେମାନେ ଜଙ୍ଗଲ, ପଶୁ ପକ୍ଷୀ, ଫୁଲ ଏବଂ ଫଳ ଇତ୍ୟାଦି ନଷ୍ଟ କରି ଦେଉଛନ୍ତି । ପୂରାତନ କାଳରେ ପ୍ରତ୍ୟେକ ଲୋକଙ୍କର ଗଛଲତା ପ୍ରତି କଠୋର ଭଲପାଇବା ଥିଲା । ମାନବ ଧର୍ମ ଏହି କଥାଟି ଭୁଲିଯାଇଛି ଯେ ବୃକ୍ଷ ଦ୍ୱାରାହିଁ ଆମର ସମସ୍ତ ଆବଶ୍ୟକତା ପୂରଣ ହେଉଛି । ଏହି କଥାଟି ଭୁଲିଯାଇ ସମସ୍ତ ଲୋକ ଗଛ କାଟି ଚାଲିଛନ୍ତି । କେବଳ ଜନବସତି ପାଇଁ ଜଙ୍ଗଳ କ୍ଷୟ ହେଉଛି । ଜଙ୍ଗଳ କ୍ଷୟ ଯୋଗୁଁ ସମସ୍ତ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଘର, ଶିଳ୍ପ ଗଢ଼ିବା ଯୋଗୁଁ ବାୟୁ ପ୍ରଦୂଷଣ ହେଉଛି । ବାୟୁ ପ୍ରଦୂଷଣ ଯୋଗୁଁ ନିରିହ ପକ୍ଷୀମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଲୋକମାନଙ୍କ ନିଜ ଗାଁ ପ୍ରତି ଭାବନା ଟିକେ କମିଯାଉଛି । ତେଣୁ ଏହି ଭଳି ଅନେକ କାରଣ ଯୋଗୁଁ ବହୁତ କିଛି ଜିନିଷ ଲୋପ ପାଇଯାଇଛି ।

୩)କ) ଗାଁରେ ଘର:

ଅଡ଼ବା ଗ୍ରାମଟି ବହୁତ ପୂରାତନ ଅଟେ । ଆମ ଗ୍ରାମରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଲୋକ ପ୍ରାୟତଃ ବସବାସ କରନ୍ତି । ତା ସଙ୍ଗେ କିଛି ମୁସଲ୍‌ମାନ ଲୋକ ମଧ୍ୟ ବସବାସ କରୁଛନ୍ତି । ଏଠାରେ ଓଡ଼ିଆ ବସ୍ତି ହରିଜନ ବସ୍ତି, ଏ ସବୁ ମିଶାଇ ୭୯୫ ଘର ଅବସ୍ଥିତ । ଆମ ଗାଁର ଜନସଂଖ୍ୟା ହେଉଛି ୩୪୭୦ । ସେଥି ମଧ୍ୟରୁ ପୁରୁଷ ସଂଖ୍ୟା ୧୭୮୨ ଏବଂ ମହିଳା ସଂଖ୍ୟା ହେଉଛି ୧୬୮୮ । ୧ ବର୍ଷରୁ ଆରମ୍ଭ କରି ୬ ବର୍ଷ ମଧ୍ୟରେ ଥିବା ଶିଶୁଙ୍କ ସଂଖ୍ୟା ହେଉଛି ୫୧୬ ।

ଗ) ଏଠାକାର କିଛି ଲୋକ ବାଣିଜ୍ୟ ଏବଂ କିଛି ଲୋକ ଦିନ ମଜୁରିଆ ଭାବରେ କାମକରି ପେଟ ପୋଷୁଛନ୍ତି । ପ୍ରାୟତଃ ଗାଁର ଅଧିକାଂଶ ବ୍ୟକ୍ତି ଦିନ ମଜୁରିଆ ଭାବରେ କାମ କରୁଛନ୍ତି । ଏଠାରେ ଲୋକ ସରକାରୀ ଚାକିରୀ ମଧ୍ୟ କରୁଛନ୍ତି । ଆଉ କିଛି ଲୋକ ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ ବାହାର ରାଜ୍ୟକୁ ଯାଇ ବିଭିନ୍ନ ପ୍ରକାର କାରଖାନାରେ କାମ କରୁଛନ୍ତି । ଅଳ୍ପ କେତେକ ବ୍ୟକ୍ତି ଜଙ୍ଗଲରୁ କାଠ ହାଣି କରି ହୋଟେଲରେ ବିକ୍ରିକରି ସେହି ଟଙ୍କାରେ ନିଜ ପରିବାର ଚଳାଉଛନ୍ତି ।

ଘ) ଗାଁରେ ଲୋକଙ୍କ ଚଳଣି?

ଗାଁରେ ପ୍ରାୟତଃ ମଧ୍ୟବିତ୍ତ ଶ୍ରେଣୀର ଲୋକ ରହୁଥିବାରୁ ସେମାନଙ୍କର ଚଳଣି ମଧ୍ୟ ମଧ୍ୟମ ଧରଣର ଅଟେ । ଗାଁର ପରିବାରର ମୁଖ୍ୟାମାନେ ଛୋଟ ପିଲାମାନଙ୍କୁ ସଦାବେଳେ ଉପଯୁକ୍ତ ସଂସ୍କାର ଶିଖାଇଥାନ୍ତି । ସମସ୍ତ ପରସ୍ପର ମଧ୍ୟରେ ଭାଇଭାଇ ହୋଇ ଚଳିଥାନ୍ତି । ଅନ୍ୟର ବିପତ୍ତି ସମୟରେ ଯେତେ ଅସୁବିଧା ସତ୍ତ୍ୱେ ବି ତା’କୁ ସାହାଯ୍ୟ କରନ୍ତି ।

ଙ) ଗାଁରେ ସବୁଠାରୁ ବଡ଼ ଓ ସୁନ୍ଦର ଘର ଏବଂ ସେଠି ରହୁଥିବା ଲୋକମାନଙ୍କ ସମ୍ପର୍କରେ ଦୁଇ ପଦ ।

ଆମ ଗାଁରେ ଆନେକ ସୁନ୍ଦର ଏବଂ ବଡ଼ ଘର ଅବସ୍ଥିତ । ସେଥି ମଧ୍ୟରୁ ଖଦାଳ ଗୌଡ଼ ନାମକ ବ୍ୟକ୍ତିଙ୍କ ଘର ସବୁଠାରୁ ବଡ଼ ଏବଂ ସୁନ୍ଦର ଘର ଅଟେ । ସେ ନାନା, ପୋଲ୍‌, ଘର, ବିଦ୍ୟାଳୟ, ରାସ୍ତାକାମର ଠିକାଦାର ଅଟନ୍ତି । ତତ୍ ସଙ୍ଗେ ସଙ୍ଗେ ସେ ଜଣେ ବ୍ୟବସାୟୀ ଅଟନ୍ତି । ସେ ସିମେଣ୍ଟ ଓ ଖାଡ଼ି ଗୋଦାମ୍ ଓ ନାନା ପ୍ରକାର କଲର୍ ଦୋକାନ କରିଛନ୍ତି । ତାଙ୍କ ପରିଚାଳନାରେ ଏଠାରେ ଭାରତ ଗ୍ୟାସ ଡିପୋ ମଧ୍ୟ ଚାଲୁଅଛି । ଏଠାରେ ସେ ବହୁତ ଲୋକଙ୍କୁ ଘରଭଡ଼ା ଦେଇଛନ୍ତି । ତାଙ୍କର ଚାରୋଟି ପୁଅ ଏବଂ ତିନୋଟି ଝିଅ ଅଟେ । ତାଙ୍କର ଚାରୋଟି ପୁଅ ହୋଇଥିବା ଯୋଗୁଁ ସେ ସମସ୍ତଙ୍କୁ ତାଙ୍କର ଥିବା ସଂସ୍ଥାକୁ ଜଣ ଜଣକୁ ପରିଚାଳନା ଦାୟିତ୍ୱ ଦେଇଛନ୍ତି । ଏତେ ସମ୍ପତ୍ତି ଥିବା ସତ୍ତ୍ୱେ ମଧ୍ୟ ସେ କେବେ ଗର୍ବ ଅନୁଭବ ନକରି ଅନ୍ୟକୁ ସବୁବେଳେ ସାହାଯ୍ୟ କରଥାନ୍ତି । ଗ୍ରାମର କୌଣସି ଯାତ୍ରା କିମ୍ବା ପୂଜା ପର୍ବରେ ସେ ବହୁତ କିଛି ସାହାଯ୍ୟ କରି ତା’ର ଦାୟିତ୍ୱ ଭଲଭାବରେ ତୁଲାଇଥାନ୍ତି । ସେ ଏଠାକାର ପୂରାତନ ସରପଞ୍ଚ ଥିଲେ । ତାଙ୍କର ବଡ଼ ପୁଅ ନାନା ଖେଳ କ୍ଲବ୍ ଅନୁଷ୍ଠାନ କରି ଅନ୍ୟ ଗ୍ରାମକୁ ଯାଇ ବହୁତ ପୁରସ୍କାର ଆମ ଗାଁ ପାଇଁ ଆଣିଛନ୍ତି । ଭବିଷ୍ୟତରେ ସେ ଗୋଟିଏ ଜିମ୍ ସେଣ୍ଟର କରି ଲୋକମାନଙ୍କୁ ସୁବିଧା ଦେବାର ତାଙ୍କର ଲକ୍ଷ ଅଛି ।

ଚ) ଆମ ଗାଁରେ ଥିବା ସବୁଠାରୁ ଛୋଟ ଘର ଓ ସେଠି ରହୁଥିବା ଲୋକଙ୍କ ସମ୍ପର୍କରେ ଦୁଇ ପଦ?

ଆମ ଗାଁରେ ଅନେକ ଗରିବ ଲୋକ ଥିଲେବି ସବୁଠାରୁ ଅଧିକ ଗରିବ ହେଉଛନ୍ତି ନିଳାନ୍ଦ୍ରି ଗୌଡ଼ । ତାଙ୍କର ବୟସ ହେଉଛି ୪୦ ବର୍ଷ । ତାଙ୍କର ଏକମାତ୍ର ପୁଅ ଅଛି । ସେ ଯାହାକୁ ବିବାହ କରାଇଥିଲେ । ସେ ମଦ୍ୟପ ହୋଇଥିବାରୁ ତାଙ୍କୁ ନାନା ଅତ୍ୟାଚାର କରିବାରୁ ସେ ନିଜ ପୁଅକୁ ୨ ବର୍ଷ ଅବସ୍ଥାରେ ସେଠାରୁ ଆଣି ଏକ ଛୋଟ ମାଟି ଘର କରି ଏଠାରେ ରହିଲେ । ବହୁ କଷ୍ଟରେ ନାନା ପ୍ରକାର ଅସୁବିଧାକୁ ସମ୍ମୁଖୀନ କରି ସେ ଦିନ ମଜୁରିଆ ଭାବରେ କାମ କରି ବର୍ତ୍ତମାନ ତାଙ୍କ ପୁଅ ପାଇଁ ଛୋଟ ବ୍ୟବସାୟର ଆରମ୍ଭ କରିପାରିଛନ୍ତି । ସେ ଜଣେ ନାରୀ ଜାତି ପାଇଁ ଜ୍ୱଳନ୍ତ ଉଦାହରଣ । ଜଣେ ନାରୀ ଚାହିଁଲେ ସବୁ ଅସମ୍ଭବକୁ ସମ୍ଭବ କରିପାରନ୍ତି ବୋଲି ସେ ଏ ସମାଜକୁ ଜଣାଇ ଦେଇଛନ୍ତି ।”

୪)କ) ଆମ ଗାଁର ମନ୍ଦିର ଓ ଗୀର୍ଜା?

ରାମକୃଷ୍ଣ ମନ୍ଦିର-

ଆମ ଗାଁର ଦକ୍ଷିଣ ଦିଗରେ ଏକ ରାଧାକୃଷ୍ଣ ମନ୍ଦିର ଅବସ୍ଥିତ । ସେଠାରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣମାରେ ଯାତ୍ରା ଅନୁଷ୍ଠିତ ହୁଏ । ସେହି ଦିନ ରାଧାକୃଷ୍ଣଙ୍କୁ ଅତି ଆଡ଼ମ୍ବର ସହିତ ଦୋଳି ଝୁଲଣାରେ ଝୁଲାଯାଏ । ଏ ସବୁ ପରେ ହୋଲି ଦିନ ସବୁଠାରୁ ପ୍ରଥମେ ରାଧାକୃଷ୍ଣଙ୍କୁ ହୋଲି ଲଗାଯାଏ । ତା’ପରେ ଗାଁର ସମସ୍ତେ ହୋଲି ଖେଳନ୍ତି ।

ଶିବ ମନ୍ଦିର- ଆମ ଗାଁର ଉତ୍ତର ଦିଗରେ ଏକ କାଶି ବିଶ୍ୱନାଥଙ୍କ ମନ୍ଦିର ଅବସ୍ଥିତ । ସେଠାରେ ପ୍ରତିବର୍ଷ ଶିବରାତ୍ରରେ ଯାତ୍ରା ଅନୁଷ୍ଠିତ ହୁଏ । ଶୀତଳ ଷଷ୍ଠିରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ମଧ୍ୟ ପାଳନ କରାଯାଏ । ସେହିଦିନ ଗ୍ରାମର ସମସ୍ତ ଲୋକ ଏକାଠି ହୋଇ ଭୋଜିଭାତ କରି ପ୍ରସାଦ ସେବନ କରନ୍ତି । ସେହି ମନ୍ଦିରଟି ପାହାଡ଼ିଆ ଓ ପ୍ରାକୃତିକ ପରିବେଶରେ ଥିବା ଯୋଗୁଁ ଅନେକ ଲୋକ ସେଠାରେ ବଣଭୋଜି କରିବାକୁ ଯାଅନ୍ତି ।

ଗ୍ରାମ ଦେବତୀ-         ଆମ ଗ୍ରାମରେ ଏକ ଗ୍ରାମ ଦେବତୀଙ୍କ ମନ୍ଦିର ଅବସ୍ଥିତ । ଯେ କୌଣସି ଶୁଭ କାର୍ଯ୍ୟରେ ଗ୍ରାମବାସୀମାନେ ଗ୍ରାମ ଦେବତୀଙ୍କ ଆଶୀର୍ବାଦ ଗ୍ରହଣ କରି ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ କରନ୍ତି । ଏହି ମନ୍ଦିରଟି ଆମ ଗାଁର ଥାନା ନିକଟରେ ଅବସ୍ଥିତ । ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାର ଗୁଡ଼ିକରେ ଗ୍ରମର ମହିଳା ମାନେ ମା’ଙ୍କୁ ଚୁଡ଼ି, ହଳଦୀ, ସିନ୍ଦୁର, ଲାଲ ବସ୍ତ୍ର ପରିଧାନ କରାଇ ମଣ୍ଡା, କ୍ଷିରୀ ଓ ନାନା ପ୍ରକାର ପାଚିଲା ଫଳ ନେଇ ନିଜର ପରିବାରର ମଙ୍ଗଳ ସକାଶେ ମା’ଙ୍କ ଆରାଧନା କରିବାକୁ ସେଠାକୁ ଯାଆନ୍ତି ।

ଭୀମା କାଳୁଆ ମନ୍ଦିର – ଆମ ଗାଁର ରାଧାକୃଷ୍ଣ ମନ୍ଦିର ପାଶ୍ୱର୍ରେ ଗ୍ରାମର ପ୍ରସିଦ୍ଧ ଭୀମାକାଳୁଆ ମନ୍ଦିର ଅବସ୍ଥିତ । ଗ୍ରାମର ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ଯେ କୌଣସି ବିପତ୍ତି ସମୟରେ ସେ ସମସ୍ତଙ୍କୁ ସେହି ବିପତ୍ତିରୁ ଉଦ୍ଧାର କରିଥାନ୍ତି । କିଛି ଅସୁବିଧା ଆସିଲେ ତାଙ୍କର ନାମ ସ୍ମରଣ କଲେ ସବୁ ଅସୁବିଧା ଦୂର ହୋଇଯାଇ ଥାଏ । ଏହି ଭୀମାକାଳୁଆ ମନ୍ଦିରରେ ପ୍ରତିବର୍ଷ ଆଶ୍ୱୀନ ମାସରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରାରେ ସ୍ୱୟଂ ମା ଭକ୍ତଙ୍କ ଶରୀରରେ ଆସି କଣ୍ଟା ଦୋଳିରେ ଝୁଲିଥାନ୍ତି । ଏବଂ ଚୈତ୍ର ମାସରେ ମଙ୍ଗଳବାର ଗୁଡ଼ିକରେ ମଧ୍ୟ ଏଠାକୁ ଗ୍ରାମବାସୀମାନେ ପଣା, ଭୋଗ, ମୁଆଁ, ଇତ୍ୟାଦି ନେଇ ପୂଜା କରିଥାନ୍ତି ।

ସାଇ ମନ୍ଦିର – ଏଠାରେ ଏକ ସାଇ ମନ୍ଦିର ମଧ୍ୟ ଅବସ୍ଥିତ । ପ୍ରତି ଗୁରୁବାରରେ ସେଠାରେ ଭକ୍ତମାନେ ରୁଣ୍ଢ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତି ସମୟରେ ସେଠାରେ ଜନଗହଳି ହୁଅନ୍ତି ।

ଆମ ଗାଁର ଗୀର୍ଜା- ଆମ ଗାଁରେ କେବଳ ଗୋଟିଏ ମାତ୍ର ଗୀର୍ଜା ଅବସ୍ଥିତ । ଖ୍ରୀଷ୍ଟିଆନ୍ ସାହି ନୀକଟରେ ସେମାନଙ୍କ ପ୍ରସିଦ୍ଧ ଗୀର୍ଜା ଅବସ୍ଥିତ। ସେମାନେ ପ୍ରତ୍ୟେକ ଶୁକ୍ରବାର ଦିନ ଗୀର୍ଜାକୁ ଯାଇ ଯିଶୁଙ୍କୁ ଆରାଧନା କରି ମହମବତି ଜାଳନ୍ତି । ଡ଼ିସେମ୍ବର ୨୫କୁ ଯିଶୁଙ୍କ ଜନ୍ମଦିନ ହୋଇଥିବାରୁ ସେମାନେ ମହା ଆଡ଼ମ୍ବରରେ ପାଳନ କରନ୍ତି । ପ୍ରତିବର୍ଷ ଜାନୁଆରୀ ୨୫ରେ ସେମାନେ କ୍ୟାଣ୍ଡେଲ ଯାତ୍ରା ପାଳନ କରନ୍ତି । ସେହିଦିନ ସମସ୍ତ ଖ୍ରୀଷ୍ଟିଆନ୍ ବାସୀ ଧାଡ଼ି ହୋଇ ମହମବତୀ ଧରି ଗ୍ରାମର ରାସ୍ତାରେ ଯାତ୍ରା କରନ୍ତି ଏବଂ ସେମାନଙ୍କର ବୈଠକ ସ୍ଥାପନ କରନ୍ତି।

  

୫- ଆମ ଗାଁରେ ଥିବା ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ?

ଅମା ଗାଁ ଅଡ଼ବାରେ ଏକ ଉପ୍ରା ବିଦ୍ୟାଳୟ ଅବସ୍ଥିତ । ଯାହାକି ୧୮୮୮ ମସିହାରେ ଅରମ୍ଭ ହୋଇଥିଲା । ବିଦ୍ୟାଳୟଟି ଦେଖିବାକୁ ବହୁତ ସୁନ୍ଦର ଅଟେ । ଏହି ବିଦ୍ୟାଳୟଟି ଇଂରେଜ ଶାସନ ସମୟରେ ନିର୍ମାଣ କରାଯାଇଥିଲା । ଯାହାକି ୧୩୩ ବର୍ଷ ତଳର ଅଟେ । ଏହି ବିଦ୍ୟାଳୟରେ ୧ମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି । ଗାଁରେ ଏକ ଉଚ୍ଚ ବିଦ୍ୟାଳୟ ମଧ୍ୟ ଅବସ୍ଥିତ । ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି । ଏହି ବିଦ୍ୟାଳୟକୁ ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଠାରେ ଏକ ବାଳିକା ଛାତ୍ରାବାସ ମଧ୍ୟ ଅବସ୍ଥିତ । ଏହି ବିଦ୍ୟାଳୟରେ ଏଠାକାର ପିଲାମାନେ ଏବଂ ଗାଁର ନିକଟରେ ଥିବା ଛୋଟ ଛୋଟ ପିଲାମାନେ ଅଧ୍ୟୟନ ନିମନ୍ତେ ଏଠାକୁ ଆସନ୍ତି । ଏହି ଉଚ୍ଚ ବିଦ୍ୟାଳୟ ଏବଂ ଉପ୍ରା ବିଦ୍ୟାଳୟ ଗୋଟିଏ ସ୍ଥାନରେ ହୋଇଥିବା ଯୋଗୁଁ ୨୦୧୭ ମସିହାରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଦୁଇଟି ବିଦ୍ୟାଳୟକୁ ଏକାଠି କରି ନୋଡ଼ାଲ ହାଇସ୍କୁଲ ନାମରେ ନାମାଙ୍କନ କରାଗଲା ।

୧୮୮୮ ମସିହାରେ ଅଡ଼ବା ଉପ୍ରା ବିଦ୍ୟାଳୟ ଏବଂ ୧୯୮୬ ମସିହାରେ ଅଡ଼ବା ହାଇସ୍କୁଲ ନିର୍ମାଣ ହୋଇଥିଲା । ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି ଶିବରାମ ପାଢ଼ି ।

(ଗ) ତିନୋଟି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବିଷୟରେ ପଚାରା ଯାଇଥିବା ପ୍ରଶ୍ନର ଉତ୍ତର : ରୁଦ୍ର ଗୌଡ଼- ଯେ କି ଦଶମ ଶ୍ରେଣୀର ଛାତ୍ର ଅଟନ୍ତି । ତାଙ୍କର କହିବା ଅନୁଯାୟୀ ; ‘ମତେ ଏହି ବିଦ୍ୟାଳୟଟି ବହୁତ ଭଲ ଲାଗେ । କାରଣ ଏଠାକାର ଶିକ୍ଷକମାନଙ୍କର ପଢ଼ାଇବା ଶୈଳୀଟି ବହୁତ ଭଲ । ମତେ ଗଣିତ କଷିବାକୁ ବହୁତ ଭଲ ଲାଗେ । ସେ ଗଣିତ ଓ ବିଜ୍ଞାନ ବହୁତ ଭଲ ଭାବରେ ବୁଝାଇଥାନ୍ତି । ତାଙ୍କର ପଢ଼ାଇବା ଯୋଗୁଁ ମୋର କୌଣସି ସନ୍ଦେହ ରୁହେ ନାହିଁ । ଶୁଭମ୍ ଗୌଡ଼ ଯିଏକି, ସପ୍ତମ ଶ୍ରେଣୀ ଛାତ୍ର ଅଟନ୍ତି । ତାଙ୍କର କହିବା ଅନୁଯାୟୀ, ‘ମତେ ଏହି ବିଦ୍ୟାଳୟଟି ଭଲ ଲାଗେ କାରଣ ଏହି ବିଦ୍ୟାଳୟଟି ସମସ୍ୟା ମୁକ୍ତ ବିଦ୍ୟାଳୟ ଅଟେ । ପାଠପଢ଼ାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ଜଳ ଏବଂ ଶୌଚାଳୟରେ କୌଣସି ସମସ୍ୟା ନାହିଁ । ମତେ ସାହିତ୍ୟ ପଢ଼ିବାକୁ ଭଲ ଲାଗେ । ମୋର ପ୍ରିୟର ଶିକ୍ଷକ ହେଉଛନ୍ତି ସରୋଜ କୁମାର ନାୟକ କାରଣ ସେ ବହୁତ ମଜା କରି ପାଠ ପଢ଼ାଇଥାନ୍ତି । ରାହୁଲ୍ ପାତ୍ର ଯିଏକି ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି । ତାଙ୍କର କହିବା ଅନୁଯାୟୀ- ମତେ ଏହି ବିଦ୍ୟାଳୟଟି ବହୁତ ଭଲ ଲାଗେ । ଭଲ ଲାଗିବାର କାରଣ ଏହିକି ଯେ ମତେ ଏଠାରେ ବହୁତ ସାଙ୍ଗ ମିଳିଛନ୍ତି । ଏବଂ ବହୁତ ଭଲ ଶିକ୍ଷକ ମଧ୍ୟ ମତେ ଗଣିତ ଅଭ୍ୟାସ କରିବାକୁ ବହୁତ ଭଲ ଲାଗେ । ମୋର ପ୍ରିୟର ଶିଷକ ହେଉଛନ୍ତି ସରୋଜ କୁମାର ନାୟକ, କାରଣ ସେ ସବୁବେଳେ ଆମକୁ ମଜା କରି ପାଠ ପଢ଼ାଇଥାନ୍ତି ।

ଘ) ଗାଁର ଶିକ୍ଷକ ଏବଂ ଶିକ୍ଷୟୀତ୍ରିଙ୍କୁ ପଚାରାଯାଇଥିବା ପ୍ରଶ୍ନର ଉତ୍ତର-

– ଆମ ବିଦ୍ୟାଳୟର ମୂଳ ସମସ୍ୟା କ’ଣ? ସ୍ୱପ୍ନା କୁମାରୀ ଦାଶ ବୟସ ୪୦ ବର୍ଷ, ସ୍ୱପ୍ନା କୁମାରୀ ଦାଶଙ୍କର କହିବା ଅନୁଯାୟୀ ଏହି ବିଦ୍ୟାଳୟରେ କୌଣସି ସମସ୍ୟାନାହିଁ । ଏହି ବିଦ୍ୟାଳୟଟି ସମସ୍ୟା ମୁକ୍ତ ବିଦ୍ୟାଳୟ ଅଟେ । ସରୋଜ କୁମାର ନାୟକଙ୍କ କହିବା ଅନୁସାରେ ଏହି ବିଦ୍ୟାଳୟ କେବଳ ଗୋଟିଏ ସମସ୍ୟା ଥିଲା ଯାହାକି ଜଳର ସମସ୍ୟା କିନ୍ତୁ ବର୍ତ୍ତମାନ ପାଣି ପାଇପ ଲଗାଇବା ଯୋଗୁଁ କୌଣସି ସମସ୍ୟା ଦେଖାଯାଉ ନାହିଁ ।

ଦୁଇଟି ଅଭିଭାବକଙ୍କ ସାକ୍ଷାତାକାର – ସିନେମାସ୍ ପାତ୍ର, ବୟସ ୬୯ବର୍ଷ । ତାଙ୍କର ନାତି ଏହି ଅଡ଼ବା ନୋଡ଼ାଲ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ୁଛନ୍ତି । ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଉପରେ ସେ କହିଲେ ଯେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବହୁତ ଭଲ । ବିଦ୍ୟାଳୟର ଶିକ୍ଷକମାନଙ୍କର କୌଣସି ଅଭାବ ନାହିଁ । ଏଠାରେ ସମସ୍ତ ପ୍ରକାର ସୁବିଧା ଦେଖାଯାଏ । ଗାଁର ଶିକ୍ଷା ବ୍ୟବସ୍ଥା ବିଷୟରେ ସେ ଏହା କହିଲେ ଯେ, ଗାଁରେ ଯଦି ନବମ ଏବଂ ଦଶମ ଶ୍ରେଣୀ ପାଇଁ ଟିଉସନ୍‌ର ସଂଖ୍ୟା ବଢ଼ିବ ତାହାଲେ ପିଲାମାନଙ୍କୁ ସୁବିଧା ହେବ ଏବଂ ପିଲାମାନେ ଅତି ଆନନ୍ଦନରେ ପାଠ ପଢ଼ିପାରିବେ । ପ୍ରଫୁଲ୍ଲ କଅଁରଙ୍କର କହିବା ଅନୁଯାୟୀ ବିଦ୍ୟାଳୟର ଶିକ୍ଷାବ୍ୟବସ୍ଥା ବହୁତ ଭଲ । ପିଲାମାନେ ୧ମ ଶ୍ରେଣୀରୁ ୧୦ ମ ଶ୍ରେଣୀ ପର୍ଯନ୍ତ ପାଠ ପଢ଼ିପାରୁଛନ୍ତି । ଦୂରରୁ ପିଲା ଆସି ଛାତ୍ରାବାସରେ ରହି ପାଠପଢ଼ିପାରୁଛନ୍ତି । ତେଣୁ ବିଦୟାଳୟଟି ସବୁ କ୍ଷେତ୍ରରେ ଭଲ ।

୬) ଆମ ଗାଁର ସବୁଟାରୁ ବଡ଼ ସମସ୍ୟା ସବୁ କ’ଣ?

ଆମ ଗାଁରେ ଯେତେ ସୁବିଧା ସୁଯୋଗ ଅଛି ତାହା ସହିତ ବହୁତ ସମସ୍ୟା ମଧ୍ୟ ରହିଛି । ଆଜି ମୁଁ ଆମ ଗାଁର ସବୁଠାରୁ ବଡ଼ ସମସ୍ୟା ହେଲା ରାସ୍ତା ସମସ୍ୟା । ରାସ୍ତା ତିଆରି ହୋଇସାରିଛି କିନ୍ତୁ ରାସ୍ତା ତିଆରିର ଠିକ୍ ଏକ ବର୍ଷ ପରେ ରାସ୍ତା ପୁଣିଥରେ ଭାଙ୍ଗିଯାଉଛି । ଯାହା ଫଳରେ ବର୍ଷା ହେଲାମାତ୍ରକେ ରାସ୍ତାରେ ପାଣି ଜମି ଦୁର୍ଘଟଣାର ସମସ୍ୟା ରହୁଛି । ଦ୍ୱିତୀୟ ସମସ୍ୟା ହେଲା ଆମ ଗାଁରେ ଅଧିକାଂଶ ଲୋକଙ୍କର ଚାଳ ଓ ଟିଣ ଘର ଅଟେ ତେଣୁ ସେତେବେଳେ ବନ୍ୟା ଓ ବାତ୍ୟା ଆସେ ଆମ ଗାଁର ଲୋକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ନଦୀ ପାଖରେ ରହିଥିବା ଘର ବନ୍ୟା ଜଳରେ ବୁଡ଼ିଯାଏ । ଲୋକଙ୍କ ଧନଜୀବନ ନଷ୍ଟ ହୋଇଯାଏ । ତୃତୀୟ ବଡ଼ ସମସ୍ୟା ହେଲା ଆମ ଗାଁରେ ବହୁତ ଲୋକ ଚାଷବାସ କରନ୍ତି । ଚାଷ ପ୍ରଧାନ ହେଉଛି ଆମର ଗାଁ କିନ୍ତୁ କହିବାକୁ ମତେ ଦୁଃଖ ଲାଗେ ଆମ ଗାଁର ଯେତେ ଗରିବ ଲୋକ ଅଛନ୍ତି ସେମାନଙ୍କୁ ସରକାରୀ ସାହାଯ୍ୟ ମିଳିପାରୁନାହିଁ । ଯଦି ବି.ପି.ଏଲ୍‌. କାର୍ଡ଼ ଜଣେ ଗରିବଙ୍କ ନାମରେ ଆସେ ତାଙ୍କୁ ତା’ର ସୁଯୋଗ ମିଳିପାରୁ ନାହିଁ । କିନ୍ତୁ ଯେଉଁମାନେ ଟିକେ ଧନୀ ବ୍ୟକ୍ତି ସେମାନେ ପଇସା ଦେଇ ସମସ୍ତ ସୁଯୋଗ ପାଇପାରୁଛନ୍ତି । ଯଥା ଇନ୍ଦିରା ଆବାସ, ବି.ପି.ଏଲ୍‌. ଭଳି ସମସ୍ତ ସୁବିଧା ଯାହାକୁ ଦେଖି ମତେ ବହୁତ ଦୁଃଖ ଲାଗେ ଯାହା ସେ ଗରିବର ଅଧିକାର ତାହା ତା’କୁ ମିଳିନଥାଏ । ତେଣୁ ଏହି କାରଣ ଯୋଗୁଁ ଦାରିଦ୍ରତାର ସଂଖ୍ୟା ବଢ଼ିଥାଏ । ସରକାର ସବୁବେଳେ ଚାହାଁନ୍ତି ଓଡ଼ିଶାରୁ ଦାରିଦ୍ରତା କମେଇବାକୁ । ସେଥିପାଇଁ ସେ ବହୁତ ଚେଷ୍ଟା କରଥାନ୍ତି । ବହୁତ ସୁବିଧା ଯୋଗାନ୍ତି । କିନ୍ତୁ ସେ ଜାଣପାରନ୍ତି ନାହିଁ ତାଙ୍କର ସେହି ବ୍ୟବସ୍ଥା ଗରିବଙ୍କ ପାଖରେ ପହଞ୍ଚିପାରୁନାହିଁ । ଏହା ମୁଁ ନିଜ ଆଖିରେ ଦେଖିଛି । ଗୋଟିଏ ବୁଢ଼ିମା ପାଖରେ ରହିବା ପାଇଁ ଘର ନ ଥିବ । ତାକୁ ପ୍ରଧାନ ମନ୍ତ୍ରୀ ବା ବିଜୁ ଇନ୍ଦିରାବାସ ମିଳେନି । କିନ୍ତୁ ଜଣେ ଧନୀ ମୂଳକ ବ୍ୟକ୍ତି ଯାହାର ଘର ଥିବ ସେମାନଙ୍କୁ ଏହି ସୁବିଧା ମିଳିଥାଏ । ଚତୁର୍ଥ ସମସ୍ୟା ହେଲା ବେକାରୀ ସମସ୍ୟା । ଆମ ଗାଁରେ ବହୁତ ପିଲା ଅଛନ୍ତି । ଯେଉଁମାନେ କିଛି କାମର ସୁବିଧା ସୁଯୋଗ ପାଇପାରୁ ନାହାନ୍ତି । ପାଠପଢ଼ିଛନ୍ତି କିନ୍ତୁ କୌଣସି ଚାକିରୀ ନାହିଁ । ଆଜି ସେମାନେ ନିଜ ପେଟ ପାଇଁ ଛୋଟ ଛୋଟ କାମ କରୁଛନ୍ତି । ପରିବା ବିକିବା, ଦିନ ମଜୁରିଆ ଭାବରେ କାମ କରିବା ଇତ୍ୟାଦି । ସେମାନଙ୍କ ବାପା ମାଆ ତାଙ୍କୁ ସବୁବେଳେ ଗାଳି କରନ୍ତି । ସେମାନେ ମଧ୍ୟ ନିଜ ଜୀବନକୁ ଦୋଷ ଦେଇ ହୀନ ମାନୁଛନ୍ତି । ତେଣୁ ଯଦି ଯୁବ ସମାଜର ଏହି ଭଳି ମନୋବଳ କମିଯିବ ତା ହେଲେ ଦେଶର ବା ସମାଜର କଣ ଉନ୍ନତି ହେବ । ପଞ୍ଚମ ସମସ୍ୟା ହେଲା- ଆମ ଗାଁର ବହୁତ ଲୋକ ଅଛନ୍ତି ଯେଉଁମାନେ ପ୍ରାଚୀନ ରୀତିନୀତିରେ ବିଶ୍ୱାସ କରୁଛନ୍ତି । କିଛି ଅଛନ୍ତି ଅନ୍ଧବିଶ୍ୱାସ ସେମାନଙ୍କ ମନରେ ଘର ବାନ୍ଧି ନେଇଛି । ସେମାନଙ୍କର ଗୋଟିଏ ଟାର୍ଗେଟ ଥାଏ ଝିଅକୁ ଦଶମ ପରେ ଘରେ ରହି ଘର କାମ କରାଇବା । ଅତିବେଶିରେ ଯୁକ୍ତ ଦୁଇରୁ ଅଧିକ ନାହିଁ । ଯୁକ୍ତ ଦୁଇ ସରିଲା ପରେ ଭଲ ଘର ଖୋଜି ତାର ବିବାହ କରିଦିଅନ୍ତି । ଝିଅଟିର ଇଚ୍ଛାଥାଏ ସେ ଡାକ୍ତର ହେବ ନ ହେଲେ ଶିକ୍ଷୟତ୍ରୀ ହେବ । କିନ୍ତୁ ତା ସ୍ୱପ୍ନ ପାଣିଫୋଟକା ଭଳି ଧୋଇ ହୋଇଥାଏ । ଜୀବନ ତାକୁ ଅଲଗା ମୋଡ଼ରେ ନେଇଯାଏ । ଏହିଭଳି ନାନା ସମସ୍ୟା ରହିଛି ଆମ ଗାଁରେ । ଯାହାକୁ ଦେଖି ମତେ ବହୁତ କଷ୍ଟ ଲାଗେ । ଏହି ସମସ୍ୟାକୁ ଆମ ଘରେ ସବୁବେଳେ ଆଲୋଚନା କରାଯାଏ କିନ୍ତୁ ଚାହିଁଲେ ବି ପରିବର୍ତ୍ତନ ଘଟୁନି ।

ତେଣୁ ଏହି ସବୁକୁ ଲକ୍ଷ୍ୟ କରି ମୁଁ ଚିନ୍ତା କରିଛି ମୁଁ ବଡ଼ ହୋଇ ଏହି ସବୁ ସମସ୍ୟାର ସମାଧାନ କରିବି । ଏହା କେବଳ ଆମ ଗାଁର ସମସ୍ୟା ନୁହଁ । ସବୁ ଗାଁର ସବୁ ଅଞ୍ଚଳର ସମସ୍ୟା । ବାବୁ ମାନଙ୍କର ହାତରେ ଶକ୍ତି ଥାଏ ଏବଂ ଏହି ସମସ୍ୟାର ସମାଧାନ ପାଇଁ ବହୁତ ବ୍ୟବସ୍ଥା ମଧ୍ୟ ଅଛି । କିନ୍ତୁ ଏହି ବ୍ୟବସ୍ଥା ଏବଂ ସୁବିଧା ଅତି ବେଶିରେ ବହୁତ କମ୍ ଲୋକଙ୍କୁ ମିଳେ । ତେଣୁ ଏତିକି ଆଶା ସମସ୍ତେ ଯଦି ଏହି ସମସ୍ୟାକୁ ତଦାରଖ କରିବେ ଏବଂ ମର୍ମେ ମର୍ମେ ଅନୁଭବ କରୁଥିବେ ସମସ୍ୟାର ସମାଧାନ ପାଇଁ ବାଟ ଖୋଜିବେ ତାହାଲେ ସବୁ ସମସ୍ୟାର ସମାଧାନ ହୋଇପାରିବ । ମୋର ବିଶ୍ୱାସ ଆମେ ସମସ୍ତେ ଏହି ସମସ୍ୟାକୁ ଅନ୍ତଃ କରିଦେବୁ ଏବଂ ପ୍ରତ୍ୟେକଙ୍କୁ ନ୍ୟାୟ ଦେଇପାରିବୁ । ଯଦି ସେହି ଦୁଃଖିନୀ ବୁଢ଼ିମାର ଝରୁଥିବା ଲୁହକୁ ରୋକିପାରିବୁ ତାହାଲେ ଆମ ଜୀବନ ସାର୍ଥକ ହୋଇପାରିବ । ଯଦି ଗରିବ ବୁଢ଼ା ମାଉସାଙ୍କ ଅଧିକାରର ଭତ୍ତା ଦେଇପାରିବୁ ତାହାଲେ ଆମେ ଖୁସି ହେବୁ । ତେଣୁ ପ୍ରତ୍ୟେକ ଆମେ ଏହା ଭାବିବା ଦରକାର ସମସ୍ୟାକୁ ଆମେ ଡ଼ରି ନ ଯାଇ ମୁକାବିଲା କରିବା ଏବଂ ଶେଷରେ ନିଶ୍ଚୟ ସଫଳତା ପାଇପାରିବା ।

ମୁଁ ଏହି ସମ୍ପର୍କରେ ଅଧିକ ଜାଣିବା ପାଇଁ ଅମା ଗାଁର କିଛି ଲୋକଙ୍କୁ ପଚାରିଥିଲି । ସେମାନେ ଏହି ବିଷୟକୁ ନେଇ ଏହା ତଥ୍ୟ ଦେଲେ ଯେ

(କ) ଗରେତି ସୁଆଲ ସିଂ, ବୟସ ୬୦ବର୍ଷ, କହିଥିଲେ ଯେ- ପାଠରେ ପିଲାମାନଙ୍କ ମାନସିକ ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ । ନା କୌଣସି ପୁସ୍ତକାଳୟ ଅଛି ନା ପିଲାଙ୍କ ଭିତରେ ରହିଥିବା ପ୍ରତିଭାକୁ ବିକାଶ କରିବା ପାଇଁ ସୁଯୋଗ ଅଛି । ଏଠାରେ ଘରଭଡ଼ା ମିଳିବା ବହୁତ କଷ୍ଟ ହୋଇଥିାଏ । ରାସ୍ତାର ବ୍ୟବସ୍ଥା ଟିକେ ଖରାପ ଅଛି ଏବଂ ଏକମାତ୍ର ଚିକିତ୍ସାଳୟ ଅଛି । ତାହା ବି ଏତେ ସୁବିଧାଜନକ ନୁହଁ । ଯଦି ଆଉ ଗୋଟିଏ ଚିକିତ୍ସାଳୟ ହେବ କିମ୍ବା ସେହି ଚିକିତ୍ସାଳୟକୁ ଉନ୍ନତିକରଣ କରାଯିବ ତାହାଲେ ଭଲ ହେବ ।

(ଖ) ଚିତ୍ତରଞ୍ଜନ ସୁଆଲସିଂ- କାର୍ଯ୍ୟରେ ସେ ଜଣେ ଶିକ୍ଷକ । ତେଣୁ ସେ ଆମକୁ ଆମ ଗାଁର ସମସ୍ୟା ବିଷୟରେ ଏହା କହିଛନ୍ତି ଯେ ଆମ ଗାଁ ହେଉଛି ଏକ ଶସ୍ୟ ଶ୍ୟାମଳା ଗ୍ରାମ । ବହୁତ ଲୋକ ଏଠାରେ ଚାଷ କରନ୍ତି କାରଣ ଏଠାକାର ମାଟି ବହୁତ ଉର୍ବର । ତେଣୁ ଏଠାକର ଚାଷୀଙ୍କର ଉନ୍ନତି ଉପରେ ଧ୍ୟାନ ଦେଲେ ଭଲ ହୋଇଥାନ୍ତା । ଆଉ ଗୋଟେ ବଡ଼ ସମସ୍ୟା ହେଲା ବହୁତ ପିଲା ଅଛନ୍ତି ସେମାନେ କିଛି କାମ କରିବାର ସୁଯୋଗ ପାଇପାରୁନାହାଁନ୍ତି । ରାସ୍ତାର ମଧ୍ୟ ମରାମତି ଭଲରେ ହୋଇନି । ଚିକିତ୍ସାଳୟର ଯଦି ଉନ୍ନତି ହୋଇଥାନ୍ତା ତା ହେଲେ ଭଲ ହୋଇଥାନ୍ତା ।

ଆମ ଗାଁ ଅଡ଼ବାରେ ବିଭିନ୍ନ ପ୍ରଜାତିର ଲୋକମାନେ ଏକାଠି ବସବାସ କରନ୍ତି । ବଞ୍ଚିବା ପାଇଁ ପ୍ରତ୍ୟେକ କୌଣସି ନା କୌଣସି କାର୍ଯ୍ୟ ବା ଜୀବିକାକୁ ଆପଣେଇ ନେଇ ସେହି କାର୍ଯ୍ୟରେ ସେବାରତ ଅଟନ୍ତି ।

ମଣିଷ ରହିବା ପାଇଁ ଯେମିତି ଘର ଦରକାର, ପିନ୍ଧିବା ପାଇଁ ପୋଷାକ ଦରକାର, ଠିକ୍ ସେହି ଭଳି ବଞ୍ଚିବା ପାଇଁ ଜୀବିକା କାର୍ଯ୍ୟ କରିବା ଦରକାର ତେଣୁ ଏହି ବିଷୟକୁ ନେଇ ମୁଁ ଆମ ଗାଁରେ ବହୁତ ଲୋକଙ୍କୁ ସାକ୍ଷାତ୍‌କାର ନେଇଥିଲି । ଏବଂ ସେମାନଙ୍କଠୁ ଏହା ଜାଣିଲି ଯେ ଜୀବିକା ପ୍ରତ୍ୟେକଙ୍କ ପାଇଁ ନିତାନ୍ତ ଆବଶ୍ୟକ । ବିନା କାର୍ଯ୍ୟରେ ବଞ୍ଚିବା ଅସମ୍ଭବ । ସେହି କିଛି ଜୀବିକା ଅର୍ଜନ କରୁଥିବା କାର୍ଯ୍ୟ ଗୁଡ଼ିକ ହେଲା- ଗୋପାଳନ, କୃଷିକାର୍ଯ୍ୟ, କମାର, ବଢ଼େଇ, ମୋଚି, ଭଣ୍ଡାରି କିରାନୀ ଦୋକାନୀ, ପରିବା ଦୋକାନୀ, ସୁନାରି, ପୂଜାରି ଇତ୍ୟାଦି ।

ଏହି ସବୁ ଜୀବିକାକୁ ଆପଣେଇ ନେଇ ଲୋକମାନେ କାର୍ଯ୍ୟ କରନ୍ତି । ଆମ ପାଇଁ ସବୁଠାରୁ ବଡ଼ କଥା ବେପାର ହେଇଗଲେ, ତାହା ଯଥେଷ୍ଟ କିନ୍ତୁ ଏହି ସବୁ କାର୍ଯ୍ୟ କରି ବଞ୍ଚିବା ବି ବହୁତ କଷ୍ଟ । ସହଜରେ କୌଣସି କାମ ହୁଏନି । ସେମାନେ ବହୁତ କଷ୍ଟ ସହନ୍ତି । ତାହାପରେ ତାଙ୍କୁ କିଛି ଲାଭ ହୁଏ ।

ପର୍ଶୁରାମ ଡ଼ାକୁଆ । ବୟସ ୭୦ ବର୍ଷ । ଚୁଟି କାଟିବା ତାଙ୍କର ଜୀବିକା ଅଟେ । ସେହି କାର୍ଯ୍ୟ ଦ୍ୱାରା ସେ ଓ ତାଙ୍କର ପରିବାର ଚଳେ । ତାଙ୍କର ଆଠଟି ସନ୍ତାନଙ୍କୁ ଏହି କାର୍ଯ୍ୟ ଦ୍ୱାରା ଚଳାନ୍ତି । ବହୁତ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଛି । କାରଣ କେବଳ ଚୁଟି କାଟିବାରୁ ତାଙ୍କର ଏତେ ରୋଜଗାର ହୁଏନି । ତାଙ୍କୁ ପୁଣି ନିଜ ପରିବାରର ଭରଣ ପୋଷଣ କରିବାର ଅଛି । ପିଲାଙ୍କୁ ପଢ଼େଇବାର ଅଛି । ଆମେ ତାଙ୍କୁ ନନା ବୋଲି ଡାକୁ । ନନା ବହୁତ କଷ୍ଟରେ କାମ କରନ୍ତି ବୁଢ଼ା ହୋଇଗଲେଣି ଏତେ କାମ ବି କରିବାକୁ ସକ୍ଷମ ନୁହେଁ । ତଥାପି ସେ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି । ରୋଜଗାରରେ ତାଙ୍କର ଏତେ ବି ଲାଭ ହୁଏନି । ଅଭାବରେ ପଡ଼ି ସେ ଅନ୍ୟ ଏକ କାମର ଆଶ୍ରୟ ନେଲେ । କିଛି ଗାଈ ଗୋପାଳନ କାର୍ଯ୍ୟ ଆରମ୍ଭ କରିଦେଲେ ଏବଂ ତାହାଦ୍ୱାରା ସେହି ଅଭାବ ଟିକେ ମରିଯାଏ । ତାଙ୍କ କହିବା ଅନୁସାରେ ଆଜି କାଲି ଲୋକମାନେ ବଡ଼ ବଡ଼ ପାଲର ଯାଉଛନ୍ତି । ତେଣୁ ତାଙ୍କ ପାଇଁ ଏକ ଛୋଟ ଘର ଟି ହୋଇଗଲେ । ସେ ନିଜେ ବି କାମ କରିବେ । ଏବଂ ବହୁତ ଜଣଙ୍କୁ ବି ଏହି କାମ ଶିକ୍ଷା ଦେଇ, ତାଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତି କରାଇବେ ।

ଗୋଲକ ବିହାରି ଦାସ । ସେ ଜୀବିକାରେ ଜଣେ ମୂର୍ତ୍ତିକାରିଗର । ଲୋକମାନଙ୍କୁ ଭଳିକି ଭଳି ବଡ଼ ବଡ଼ ମୂର୍ତ୍ତି କରି ଦିଅନ୍ତି । ତାଙ୍କର ମୂର୍ତ୍ତି ଆମ ଗାଁରେ ପ୍ରସିଦ୍ଧ । ଯେକୌଣସି ପୂଜା ପର୍ବାଣୀରେ ସେ ନାନା ମୂତ୍ତି ଗଢ଼ନ୍ତି । ଏବଂ ଯାହା ମିଳେ ତାହା ହିଁ ତାଙ୍କର ରୋଜଗାର । କିନ୍ତୁ ଏହି ରୋଜଗାର ଦ୍ୱାରା ମଧ୍ୟ ତାଙ୍କୁ ଅଭାବରୁ ସମ୍ମୁଖୀନ ହେବାକୁ ନାହିଁ । କେବଳ ପୂଜା ପର୍ବାଣୀରେ ଯାହା ଲୋକମୂର୍ତ୍ତି ଗଢ଼ିବା ପାଇଁ କହନ୍ତି । ତେଣୁ ବାକି ସମୟରେ ଘରେ ବସନ୍ତି । ବର୍ତ୍ତମାନ ସେ ଚିତ୍ରକର ରୂପେ ମଧ୍ୟ କାର୍ଯ୍ୟରତ । ପୂଜା ପର୍ବାଣୀରେ ମୂର୍ତ୍ତି ଗଢ଼ନ୍ତି ଏବଂ ବାକି ମାସ ଯାକ ସେ ଚିତ୍ରକର ଭାବେ ନିଜ ଜୀବନ ଅତିବାହିତ କରନ୍ତି । ଆମେ ଜାଣିଛନ୍ତି ଆମ ଗାଁରେ ଏମିତି ବି ଦେଖାଦିଏ, ଯେ ଲୋକମାନେ ଏବଂ ବର୍ତ୍ତମାନ ସାଧାରଣ ପିଲାମାନେ ବାହାରକୁ ଚାଲିଯାଆନ୍ତି । କାମ କରିବା ପାଇଁ । ଖାଦ୍ୟ ବସ୍ତ୍ର, ବାସଗୃହ ଏହା ସମସ୍ତଙ୍କ ପାଇଁ ମୂଲ୍ୟବାନ ବସ୍ତୁ । ତେଣୁ ଘରେ ଯେତେବେଳେ ଏହି ଅସୁବିଧା ହୁଏ ଲୋକମାନେ ବାଧ୍ୟ ହୁଅନ୍ତି ବାହାର ଦେଶରେ କାମ କରିବା ପାଇଁ । ପଇସା ରୋଜଗାର କରି ସେହି ପଇସାରେ ହିଁ ସେମାନେ ନିଜ ପରିବାର ଚଳାନ୍ତି ।

କୁହନ୍ତି “ସ୍ୱାସ୍ଥ୍ୟ ହିଁ ସମ୍ପଦ” । ଏହାର ଅର୍ଥ ଏହାକି ଯେ, ସ୍ୱାସ୍ଥ୍ୟ ଏକ ମୂଲ୍ୟବାନ ସମ୍ପଦ । ଯଦି ଆମ ସ୍ୱାସ୍ଥ୍ୟ ଠିକ୍ ରହିବନି ତାହାଲେ ଆମେ କୋଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ । ତେଣୁ ମଣିଷ ବଞ୍ଚିବା ପାଇଁ ତାହାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବା ଦରକାର । ଯଦି ଆମ ଶରୀର, ମସ୍ତିସ୍କ ବି ଭଲ ରହିବ ତାହାଲେ ଭଲ ଭଲ ଜିନିଷ ଭାବି ପାରିବା ଏବଂ କରିବା ମଧ୍ୟ । ସେଥିପାଇଁ ପ୍ରଥମ ଦାୟିତ୍ୱ ହେଲା ଯେ ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର । ପୁଷ୍ଟିକର ଯୁକ୍ତ ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରିବା ଦରକାର । ତେଣୁ ମୁଁ ଆଜି ଆମ ଗାଁର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବର୍ଣ୍ଣନା କରିବାକୁ ଯାଉଛି । ଆମ ଗାଁରେ ଲୋକମାନଙ୍କର ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା ହୁଏ ସେତେବେଳେ ଲୋକମାନେ ଆମର ଅଡ଼ବା ସରକାରୀ ହସ୍‌ପିଟାଲ୍‌କୁ ଯାଅନ୍ତି । ସେଠାରେ ରୋଗୀଙ୍କ ଚିକିତ୍ସା କରାଯାଏ । ଯଦି ଦେହ ବହୁତ ଖରାପ ଅଛି ତାହାଲେ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟକୁ ପଠାଇ ଦିଅନ୍ତି । ଗାଁ ଗହଳରୁ ଲୋକମାନେ ଚିକିତ୍ସାଳୟକୁ ଯାଅନ୍ତି ନାହିଁ । ଗାଁରେ ରହିଥିବା ବୈଦ୍ୟଙ୍କ ପାଖକୁ ଯାଅନ୍ତି । ବୈଦ୍ୟ ମହାଶୟଙ୍କ ଚେରମୂଳ ଚିକିତ୍ସାକୁ ଲୋକମାନେ ଆପଣେଇ ନେଇଥାନ୍ତି । ତେଣୁ ଆମ ଗାଁର ବୈଦ୍ୟଙ୍କୁ ଲୋକମାନେ ମାନନ୍ତି । ବହୁତ ବୟସ୍କ ଲୋକବି ଅଛନ୍ତି ସେମାନେ ମଧ୍ୟ ଚେରମୂଳ ଔଷଧ ଦେଇ ଲୋକଙ୍କ ଦେହ ଭଲ କରିଦିଅନ୍ତି । ଦ୍ୱିତୀୟ ହେଲା ଆଉ କିଛି ଲୋକ ଆୟୁର୍ବେଦିକ ଚିକିତ୍ସା ଉପରେ ବିଶ୍ୱାସ କରୁଛନ୍ତି । ଏଲୋପାତି ଓ ହୋମିଓପାତି ଔଷଧ ଖାଇ ସ୍ୱାସ୍ଥ୍ୟ ଅବସ୍ଥାର ଉପଚାର କରନ୍ତି । ଏହିପରି ଭାବେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରନ୍ତି । ଲୋକମାନଙ୍କର ଏହି ବିଶ୍ୱାସ ଯେ, ଚେରମୂଳି ଓ ଆୟୁର୍ବେଦିକ ଔଷଧ ବହୁତ ସମୟ ଧରିକି ଖାଇବାକୁ ହୁଏ କିନ୍ତୁ ଏହାର ଉପଚାର ବହୁତ ଭଲ ହୁଏ । ତେଣୁ କୌଣସି ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ଲୋକମାନେ ଏହି ଛୋଟ ଛୋଟ ଘରୋଇ ଚିକିତ୍ସା କରି ଠିକ୍ ହୋଇ ଯାଆନ୍ତି । ବେଳେବେଳେ ସେଇଟା ତାଙ୍କର ବିପଦର କାରଣ ବି ହୋଇଯାଏ । ଯେତେ ଭଲ ବି ହୁଏ ସେତିକି ପରିମାଣର ଅସୁବିଧାର ସମ୍ମୁଖୀନ ହୋବକୁ ପଡ଼େ ।

(କ) ମୁଁ ଏହି ବିଷୟରେ ଏଠାକାର ଜଣେ ବ୍ୟକ୍ତିଙ୍କୁ ପଚାରିଥିଲି, ଯାହାଙ୍କର ନାମ ହେଉଛି ଏମ୍‌.ରାମଚନ୍ଦ୍ର ରାଓ, ତାଙ୍କର ବୟସ ୫୦ ବର୍ଷ । ସେ ମୋତେ ଏହା ସୂଚନା ଦେଲେ ଯେ, ଆମ ଗାଁର ସ୍ୱାସ୍ଥ୍ୟ ଅବସ୍ଥା ଏତେ ବି ଭଲ ନୁହେଁ । ‘ଗୋଟିଏ ମାତ୍ର ଚିକିତ୍ସାଳୟ ଅଛି । ସେଠାରେ ଏତେ ଉନ୍ନତି ଏବଂ କୌଶଳମାନ ବ୍ୟବସ୍ଥା ନାହିଁ । ଗାଁର ଲୋକମାନେ ସାଧାରଣ ଗରିବ ତେଣୁ ସେମାନଙ୍କ ଉପରେ ଆୟୁର୍ବେଦିକ ନ ହେଲେ ବୈଦ୍ୟରାଜଙ୍କ ଚେରମୂଳ ଉପରେ ବିଶ୍ୱସ କରନ୍ତି । ବାନ୍ତି, ଜ୍ୱର ହେଲେ ଝଡ଼ାଫୁଙ୍କର ବି ଆଶ୍ରୟ ନିଅନ୍ତି । ଏହିପରି ଉପାୟରେ ସେମାନେ ନିଜ ରୋଗର ଉପଚାର କରନ୍ତି । ତେଣୁ ତାଙ୍କର ବିନତି ଯେ, ଆମ ଗାଁରେ ଏକ ବଡ଼ ଚିକିତ୍ସାଳୟ ଖୋଲା ହୁଅନ୍ତା ଅଥବା ଗାଁରେଥିବା ଚିକିତ୍ସାଳୟର ଉନ୍ନତି କରାଯାଇଥାନ୍ତା, ଯେଉଁଠି ଉନ୍ନତମାନର ସୁବିଧା ଥାଆନ୍ତା ଏବଂ ଉନ୍ନତମାନର ଡାକ୍ତର ରହିଥାଆନ୍ତେ ରୋଗର ଉପଚାର ଭଲ ଭାବରେ ହୋଇପାରିଥାନ୍ତା ।

ମୋର ଛୋଟ ଏବଂ ସୁନ୍ଦର ଗାଁ ହେଉଛି ଅଡ଼ବା । ଗାଁ ଯେପରି ଶସ୍ୟଶ୍ୟାମଳାରେ ପରିପୂର୍ଣ୍ଣ ଠିକ୍ ସେହିପରି ଆମ ଗାଁର ଲୋକମାନେ ବି ସେତିକି ସୁନ୍ଦର । ମୋତେ ମୋ ଗାଁର ବହୁତ କିଛି ଜିନିଷ ଭଲଲାଗେ । ଯେପରି, ପ୍ରଥମ ହେଉଛି ଆମ ଗାଁର ଲୋକମାନେ, ସେମାନେ ବହୁତ ଭଲ । ଲୋକଙ୍କ ମଧ୍ୟରେ ସବୁବେଳେ ସ୍ନେହ ଭଲପାଇବା ରହିଥାଏ । ଭାଇ – ଭାଇ, ବନ୍ଧୁ ଓ ସଖା, ଅଜା- ଆଈ ଏହିଭଳି ସମ୍ପର୍କ ଆପେ ଆପେ ବଢ଼ିଯାଏ । ନିଜର ନହେଲେ ବି ସେମାନେ ତାଙ୍କର ଭଲପାଇବା ଓ ସ୍ନେହରେ ପରକୁ ଆପଣା କରି ନିଅନ୍ତି । ଦ୍ୱିତୀୟହେଲା ମୋ ଗାଁର ସୌନ୍ଦର୍ଯ୍ୟ । ଏଠାରେ ବଡ଼ ବଡ଼ ପାହାଡ଼, ଝରଣା, ଜଙ୍ଗଲ, ନଦୀ ଏହିଭଳି ଅପୂର୍ବ ପ୍ରାକୃତିକ ଦୃଶ୍ୟ ମନୋଲୋଭା ଅଟେ । ଦେଖିବାକୁ ରମଣୀୟ । ଏହା ମୋତେ ବହୁତ ଭଲଲାଗେ । ଲାଗେ ଯେମିତି ଏହି ଗଛଲତା ହିଁ ମୋ ବନ୍ଧୁ ଓ ମୋ ଭାଇ ସବୁକିଛି । ସତେ ଯେପରି ଲାଗେ ଏହି ଗଛଲତା ବି ମୋତେ କହୁଛନ୍ତି । ତାଙ୍କର କଥା ମୋ ମନକୁ ଶାନ୍ତ କରିଦିଏ । ଜୀବନ ସାର୍ଥକ ହୋଇଥାଏ । ସତ କହିବି ଓ ଏ ଜଙ୍ଗଲ ଧାରା ଆମ ଗାଁର ସ୍ୱର୍ଗ ପରି ଅଟେ । ତେଣୁ ମୁଁ ଏଠାର ବାସିନ୍ଦା ହୋଇଥିବାରୁ ବହୁତ ଖୁସି । ତୃତୀୟ ହେଲା ଆମ ଗାଁରେ ସବୁକିଛି ମିଳେ । ଫଳ, ପନିପରିବା ଠୁ ଆରମ୍ଭ କରି ସବୁକିଛି ମିଳେ । କେହି ଏଠାରେ ଭୋକରେ ରୁହନ୍ତି ନାହିଁ । ମାଟି ଏଠାରେ ବହୁତ ଉର୍ବର । ତେଣୁ ଯାହାବି ଚାଷକଲେ ବହୁତ ଭଲ ଫସଲ ଅମଳ ହୁଏ । ଯଦି ଘରେ କିଛି ନ ଥିଲେ ବି ବାରିର ଶାଗ ଓ ପଖାଳ ଅମୃତ ତୁଲ୍ୟ ଲାଗେ । ଏହା ହେଉଛି ଆମ ଗାଁର ଜୀବନ । ତେଣୁ ଖାଇବା ପାଇଁ କିଛି ଅସୁବିଧା ହୁଏ ନାହିଁ । ରହିବା ପାଇଁ ଘର ଅଛି । ସବୁ କିଛି ଶସ୍ତା ଓ ସହଜରେ ମିଳିଯାଏ । ଚତୁର୍ଥ ହେଲା ଆମ ଗାଁରେ ଏକତା ଦେଖାଯାଏ । ଅନ୍ୟର ଅସୁବିଧାରେ ଆଉ ଜଣେ ଆସି ଛିଡ଼ାହୁଏ । ପୂଜା, ପର୍ବାଣୀରେ ସମସ୍ତେ ମିଶି କାମ କରିଥାନ୍ତି । କାମଟିକୁ ଭଲରେ ତୁଳାଇଥାନ୍ତି । ପଞ୍ଚମ ହେଲା ଆମ ଗାଁରେ ଥିବା ଘର ମାନଙ୍କର ମୁଖ୍ୟମାନେ ସେ ଘରର ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇଥାନ୍ତି । ଗୁରୁଜନମାନଙ୍କୁ ସମ୍ମାନଦେବା ଶିଖାଇଥାନ୍ତି ଯାହାକି ମୋତେ ବହୁତ ଭଲଲାଗେ । ଷଷ୍ଠ ହେଲା ଆମ ଗାଁର ଡ୍ୟାମ୍ ମୋତେ ବହୁତ ଭଲ ଲାଗେ । ଶେଷରେ ଏହା କହିବି ଆମର ଏଠାକାର ଲୋକ ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଏଠାକାର ଲୋକ ଖୁବ୍ ନିରିହ ଓ ହୃଦୟରୁ ସଫା ଅଟନ୍ତି ।

କିଛି କଥା ଅଛି ଯାହା ମୋତେ ଭଲ ଲାଗେ ନାହିଁ । ଯେଭଳି ଭଲ ଅଛି ସେଭଳି ମନ୍ଦା ମଧ୍ୟ ଅଛି । ତେଣୁ କିଛି ଜିନିଷ ଏମିତି ଅଛି ଯାହାକି ମୋତେ ଭଲ ଲାଗେ ନାହିଁ । ପ୍ରଥମ ହେଲା “ଅନ୍ଧବିଶ୍ୱାସ” । ଏବେ ବି ଲୋକମାନେ ଅନ୍ଧବିଶ୍ୱାସକୁ ମାନନ୍ତି ଏବଂ ତାହାର ସାହାଯ୍ୟ ନେଇଥାନ୍ତି । ଯାହା ମୋତେ ବହୁତ ଖରାପ ଲାଗେ । ଦ୍ୱିତୀୟ ହେଲା ଏବେ ବି ଝିଅଙ୍କୁ ଏବଂ କଷ୍ଟ ଓ ଅତ୍ୟାଚାର ଦିଅନ୍ତି । ଝିଅମାନଙ୍କୁ ଅଧିକ ପଢ଼ାନ୍ତି ନାହିଁ । ଅଳ୍ପ ପଢ଼େଇ ଦେଇ ଝିଅମାନଙ୍କୁ ୧୬ ବର୍ଷ ହେଲେ ବିବାହ କରି ଦିଅନ୍ତି । ଯାହା ସମ୍ପୂର୍ଣ୍ଣ ଅନ୍ୟାୟ ଏବଂ ଅପରାଧ ଅଟେ । ଯେଭଳି ଗୋଟିଏ ପୁଅର ସ୍ୱପ୍ନ ଥାଏ, ଠିକ୍ ସେହିଭଳି ଗୋଟିଏ ଝିଅର ବି ଛୋଟ ସ୍ୱପ୍ନ ଥାଏ । ସେ ନିଜ ଗୋଡ଼ରେ ଠିଆ ହେବ, ନିଜ ବାପାମାଆଙ୍କୁ ଦୁନିଆର ସବୁକିଛି ସୁଖ ଦେବ । କିନ୍ତୁ ତା’ର ସ୍ୱପ୍ନ ପୂରଣ ନ ହେଉଣୁ ତାର ବିବାହ କରି ଦେଉଛନ୍ତି । ଯାହାକି ମୋତେ ବହୁତ ଦୁଃଖ ଲାଗେ । ଝିଅଟିର ସ୍ୱପ୍ନ ପାଣିଫୋଟକା ଭଳି ଅଳ୍ପଦିନରେ ଫାଟିଯାଏ । ତୃତୀୟ ହେଲା କିଛି ଲୋକ ଅଛନ୍ତି ଯେଉଁମାନେ ଗରିବମାନଙ୍କୁ ଶୋଷଣ କରନ୍ତି । ଧନୀ-ଧନୀ ହୋଇ ଯାଆନ୍ତି ଏବଂ ଗରିବ ଗରିବ ଭଳି ରହିଥାନ୍ତି । ଗରିବଙ୍କ ଦୁଃଖ ଅନେକ, ତାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସେହି ଚାଳଛପର ଘର ତାଙ୍କର ଆଶ୍ରୟ । ତାଙ୍କର ହକ୍ କେବେ ବି ସେମାନେ ପାଆନ୍ତି ନାହିଁ । ଦୁଃଖକୁ ସେମାନେ ଆପଣେଇ ନେଇଯାଇଛନ୍ତି । ଚତୁର୍ଥ ହେଲା ବିଦ୍ୟୁତ୍ ସମସ୍ୟା । ସବୁବେଳେ ବିଦ୍ୟୁତ୍ ସମସ୍ୟା ଲାଗି ରହିଥାଏ । ଅଳ୍ପମାତ୍ରାରେ ବି ଯଦି ବର୍ଷା ପବନ ହୁଏ ତାହାଲେ ବିଦ୍ୟୁତ୍ କାଟ ଦେଖାଯାଏ । ଲୋକଙ୍କୁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ବିଦ୍ୟୁତ କାଟ ବଡ଼ ସମସ୍ୟା ଯାହା ମୋତେ ଜମାବି ଭଲଲାଗେ ନାହିଁ । ପଞ୍ଚମ ହେଲା ବେକାରୀ ସମସ୍ୟା । ବହୁତ ପିଲା ଅଛନ୍ତି । ଯେଉଁମାନେ ଖାଲିରେ ରହୁଛନ୍ତି । ତାଙ୍କ ପାଖରେ କୌଣସି କାମ ନାହିଁ । ସେଥିପାଇଁ ସେମାନେ ଗାଁରେ ସବୁବେଳେ ବୁଲିକି ଦିନ କାଟନ୍ତି । ଏହି ଭଳି କିଛି କଥା ଅଛି ଯାହାକି ମୋତେ ଭଲଲାଗେ ନାହିଁ ।

            ଆମ ଗାଁର ଖାଦ୍ୟପେୟ:

ଖାଦ୍ୟ ଆମ ସସସ୍ତଙ୍କ ପାଇଁ ଅତି ଜରୁରୀ ଏବଂ ମୁଖ୍ୟ । ବିନା ଖାଦ୍ୟରେ ମଣିଷ ବଞ୍ôଚବା ଅସମ୍ଭବ । ଆମେ ଜାଣିଛେ ସବୁଜାଗାରେ ଭିନ୍ନ ଭିନ୍ନ ଖାଦ୍ୟପେୟ ଦେଖାଯାଏ । ଯେପରି ଓଡ଼ିଶାରେ ଭାତ, ଡାଲି, ଶାଗ ଖାଦ୍ୟ ଲୋକମାନେ ପସନ୍ଦ କରନ୍ତି । କିନ୍ତୁ ପଞ୍ଜାବରେ ରୁଟି, ଭାତ ତାଙ୍କର ପ୍ରଧାନ ଖାଦ୍ୟ । ବେଙ୍ଗଲିଙ୍କର ମାଛ, ଭାତ, ପ୍ରଧାନ ହୋଇଥାଏ । ତେଣୁ ମୁଁ ଆଜି ଆମ ଗାଁ ଅଡ଼ବାର ଖାଦ୍ୟପେୟ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛି । ଆମ ଗ୍ରାମରେ ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟ- କ) ସକାଳେ ଛତୁଆ, ଚକୁଳି ପିଠା ସହ ତରକାରୀ, ମସଲା ଉପମା, ଚୌମିନ୍‌, ମ୍ୟାଗି, ପରଟା, ଭଜା, ରୁଟି, ଉପମା, ତରକାରୀ, ଇଡ଼ଲି, ପୁରୀ, ତରକାରୀ, ମସଲା ଭାତ, ପୁରୀ, ଉପମା, ତରକାରୀ, ବରା, ଦୋସା ଇତ୍ୟାଦିଖିଆଯାଏ ।

ଏହି ସବୁ ଖାଦ୍ୟ ଲୋକମାନେ ସାଧାରଣତଃ ସକାଳ ଜଳଖିଆରେ ଖାଆନ୍ତି । କିଛି ଲୋକ ଘରେ ବନାଇ ଖାଅନ୍ତି ତ ଆଉ କିଛି ଲୋକ ହୋଟେଲ୍‌ରୁ ଆଣି ଖାଆନ୍ତି । ଖରା ବେଳେ ଖାଉଥିବା ଖାଦ୍ୟ-ଭାତ, ଡାଲି, ରତକାରୀ, ଶାଗ, ଭଜା, ପଖାଳ ଭାତ, ବଡ଼ିଚୂରା, ଟମାଟ ଭଜା, ସନ୍ତୁଳା, ଘାଣ୍ଟ ତରକାରୀ, ଡାଲମା, ସୁଖୁଆ ଭଜା, ଚିଙ୍ଗୁଡ଼ି ଇତ୍ୟାଦି । ଖରାବେଳେ ଲୋକମାନେ ସାଧାରଣତଃ ଏହି ଭଳି ଖାଦ୍ୟ ଖାଅନ୍ତି । ଯେହେତୁ ଆମେ ଗାଁରେ ରହୁ । ଘରେ କିଛି ପରିବା ନ ଥିଲେ ମଧ୍ୟ ବାରିଶାଗରେ ଭାତ ଖାଇବା ଚଳିଯାଉ । ନ ହେଲେ ବାରିର ଭଣ୍ଡା ସନ୍ତୁଳା ସହ ପଖାଳଭାତ ଖାଇ ରହିଯାଉ । ପ୍ରାୟତଃ ଲୋକ ବୁଧବାର, ଶୁକ୍ରବାର ଏବଂ ରବିବାର ଆମିଶ ଖାଅନ୍ତି ଏବଂ ଅନ୍ୟ ଚାରୋଟି ବାରରେ ଲୋକମାନେ ସାଧା ଖାଅନ୍ତି । ସନ୍ଧ୍ୟାବେଳେ ପକୁଡ଼ି ତରକାରୀ, ଝାଲମୁଡ଼ି, ଗୁଗୁନି, କେକ୍‌, କଟ୍‌ଲେଟ୍‌, ସିଙ୍ଗଡ଼ା, ଆଲୁଚୋପ୍‌, ବରା, ମସଲା ବରା, ଅନ୍‌ଡ଼ା ଚୌମିନ୍‌, ଚିକେନ୍ ରୋଲ୍‌, ଚିକେନ୍ ଚୌମିନ୍‌, ଚିକେନ୍ ପକଡ଼ା, ମ୍ୟାଗି, ବିସ୍କୁଟ, ଦହିବରା ଇତ୍ୟାଦି ଖାଆନ୍ତି । ବେଳେବେଳେ ବେଶି ଭୋକ ଲାଗିଲେ ଖରାବେଳର ଭାତ ମଧ୍ୟ ସନ୍ଧ୍ୟାବେଳେ ଖାଅନ୍ତି । ରାତିରେ ଖାଉଥିବା ଖାଦ୍ୟ- ରୁଟି ସନ୍ତୁଳା, ପରଟା ତରକାରୀ, ଆଳୁ ପରଟା, ଭାତ, ଅଣ୍ଡା ତରକାରୀ ଇତ୍ୟାଦି । ଲୋକମାନେ ସାଧାରଣତଃ ରୁଟି ସହିତ ସନ୍ତୁଳା, ଡାଲମା, ତରକାରୀ ଅଧିକ ମାତ୍ରାରେ ଖାଆନ୍ତି । ରାତିରେ ଲୋକମାନେ ହାଲ୍‌କା ଭୋଜନ କରନ୍ତି ।

ଖ) ଆମ ଗ୍ରାମରେ ପର୍ବପର୍ବାଣୀରେ ହେଉଥିବା ଖାଦ୍ୟ :

ଆମ ଜାଣିଛେ ଆମେ ଓଡ଼ିଆ ହୋଇଥିବାରୁ, ବାର ମାସରେ ତେର ପର୍ବ ପାଳନ କରିଥାଉ । ଏବଂ ଏହି ପର୍ବ ପର୍ବାଣୀରେ ଲୋକମାନେ ସୁନ୍ଦର ଖାଦ୍ୟ ଘରେ ବନାନ୍ତି ଏବଂ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି ଏବଂ ନିଜେ ଖାଅନ୍ତି ।

ରଜସଂକ୍ରାନ୍ତି- ପୋଡ଼ପିଠା, କାକରା, ଇଡ଼ଲୀ, ଚକୁଳିପିଠା, ଛେନା ପୋଡ଼, ପୁରୀ, ହାଳୁଆ, ଚିତଉ, କ୍ଷିରୀ, ଏହିଭଳି ବିଭିନ୍ନ ପ୍ରକାର ପିଠା କ୍ଷିରୀ ଲୋକମାନେ ବନାନ୍ତି ।

ରଥଯାତ୍ରା- ଭାତ, ଡାଲମା, ବିନା ପିଆଜ ରସୁଣ ଯୁକ୍ତ ତରକାରୀ, ଭଜା, ସାଲାଟ୍‌, ପାମ୍ପଡ଼ ନାନା ପ୍ରକାରର ପିଠା ଇତ୍ୟାଦି ।

ଦୀପାବଳି – ପୁରୀ, ଚକୁଳି, କ୍ଷିରୀ, ହାଲୁଆ, ବରା, ଆରିସା, କାକରା, ମୁଦୁକ, ମଣ୍ଡା ପିଠା ଇତ୍ୟାଦି ଆମ ଗାଁର ଲୋକମାନେ ଘରେ ତିଆରି କରି ଦୀପାବଳି ଦିନ । ଏ ସବୁ ଖାଅନ୍ତି ।

ହୋଲି- ନାନା ପ୍ରକାର ପିଠା ସହିତ, ପଲହୁ, ଖୁର୍‌ମା, କ୍ଷିରୀ, ଖଟା, ଘାଣ୍ଟ ତରକାରୀ ଏହି ଭଳି ଖାଦ୍ୟ ଲୋକମାନେ ଖାଆନ୍ତି ।

ଦସହରା- ଏଠାକାର ଲୋକମାନେ ଦସହରା ଦିନ ଦସହରା ମେଢ଼ ଦେଖିବାକୁ ଯାଅନ୍ତି । ତା ସହିତ ଘରେ ବିନା ପିଅଜ ରସୁଣ ଭୁକ୍ତ ଖାଦ୍ୟ ଘରେ ବନାଇ ଖାଅନ୍ତି ।

ଗଣେଶ ପୂଜା – ଗଣେଶ ପୂଜା ଦିନ ଏଠାକାର ଲୋକମାନେ ଲଡ଼ୁ, ବୁନ୍ଦି, ନାନା ପ୍ରକାର ପିଠା ଘରେ ବନାଇ ଖାଅନ୍ତି ।

ବ୍ରତ-ବାହାଘରରେ ହେଉଥିବା ଖାଦ୍ୟ- ସାଧାରଣତଃ ବ୍ରତ ବାହାଘରେ ଆମେ ନାନା ପ୍ରକାର ଖାଦ୍ୟ ଭୋଜିରେ ଖାଇଥାଉ । ଭାତ, ପଲହୁ, ଡାଲି, ଘଣ୍ଟ ତରକାରୀ, ସାଲେଡ଼୍‌, ଚିପ୍ସ, ଖୁରମା, ଦହି ବାଇଗଣ, ବାଇଗଣ ମସଲା, ପାମ୍ପଡ଼, ଛତୁ ଚିଲି, ଖଟା ଝିଲାପି, ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍‌, କ୍ଷିରୀ ଇତ୍ୟାଦି ।

ପୂର୍ବରୁ ଆମ ଗାଁ କେମିତି ଥିଲା ଓ ଏବେ କେମିତି ଅଛି ?

ଆମେ ଜାଣିଛେ ସମୟ ସହ ସବୁ ବଦଳିଯାଏ । ସେ ଗାଁ ହେଉ ବା ସହର । ସବୁକିଛି ସମୟସହ ପରିବର୍ତ୍ତନ ହୋଇଯାଏ । ପୂର୍ବରେ ବା ଅତୀତରେ ଯାହାକିଛି ଥିଲା, ଆଜି ସେ ସବୁ ଆମକୁ କମ୍ ଦେଖିବାକୁ ମିଳେ । ସମୟର ପରିବର୍ତ୍ତନ ଯୋଗୁଁ ଗାଁରେ ମଧ୍ୟ ପରିବର୍ତ୍ତନ ହୋଇଛି । ତେଣୁ ଏହି ସମ୍ପର୍କରେ ଅଧିକ ଜାଣିବା ପାଇଁ ଯଥା ପୂର୍ବରେ କେମିତି କଣ ଆମ ଗାଁର ପରିବେଶ ଥିଲା ଆଜି କେମିତି ଅଛି ସେ ବିଷୟରେ ଜାଣିବା ପାଇଁ ମୁଁ ଆମ ଗାଁର କିଛି ବୟସ୍କ ଲୋକଙ୍କୁ ପଚାରିଥିଲି-

୧) ପର୍ଶୁରାମ ଡାକୁଆ- (୮୦ ବର୍ଷ) ବାପାଙ୍କୁ ମୁଁ ଯେତେବେଳେ ଏହି ପ୍ରଶ୍ନଟି ପଚାରିଥିଲି, ସେ ମତେ ଏହା କହିଥିଲେ ଯେ ଅତୀତରେ ଆମ ଗାଁ ସବୁଜ ସୁନ୍ଦରରେ ଭରପୂର ଥିଲା ଏବଂ ପଶୁପକ୍ଷୀଙ୍କ ସ୍ୱରରେ ଗାଁ ବହୁତ ଭଲ ଲାଗୁଥିଲା । ସମସ୍ତଙ୍କ ମଧ୍ୟରେ ଭଲ ଓ ଗଭୀର ସ୍ନେହ ଭଲପାଇବା ଥିଲା । କାହା ମଧ୍ୟରେ କଳି ଝଗଡ଼ା ଅତି କମ୍‌ରେ ଦେଖାଯାଉଥିଲା । ସେତେବେଳେ ଝରଣା ଓ ନଦୀ ମଧ୍ୟ ଗୀତ ଗାଇଲା ଭଳି ଲାଗୁଥିଲା । ଅତୀତରେ କିଛି କଷ୍ଟ ନ ଥିଲା । ଖାଇବାର ଅଭାବ ନ ଥିଲା ନା ପିଇବାର । ଖୁସିରେ ସମସ୍ତେ ଏକ ହୋଇ ରହୁଥିଲେ । ଗାଁର ପଖାଳ, ଶାଗ ଭଜା, ବଡ଼ିଚୁରା ଅମୃତତୁଲ୍ୟ ଲାଗେ ଏବଂ ଝରଣା ଓ ନଦୀର ପାଣି ସବୁ ଶୋଷ ମେଣ୍ଟାଦିଏ । ତେଣୁ ଏହିପରି ସବୁ ପର୍ବପର୍ବାଣୀ ହେଉ ବା ଯାତ୍ରା ସବୁ ଏକଜୁଟ ହୋଇ ଏକ ପରିବାର ହୋଇ ପାଳନ୍ତି । ଭୋଜି ଭାତ କରି ସବୁ ଖୁସିରେ ରହୁଥିଲେ । ଏବେ ଗାଁରେ ଯଦି କଳି ହୁଏ ତାହାଲେ ଛୋଟ କଳିଟେ ହେଲେ ମଧ୍ୟ ସେୟା ବହୁତ ବଡ଼ କଳିରେ ପରିଣତ ହୋଇଯାଏ । ଆଉ ଯଦି ଗାଁରେ କାହାର ଦେହ ଅସୁସ୍ଥ ହୁଏ ତାହାଲେ ଗାଁର ବୈଦ ଠିକ୍ କରି ଦେଉ ଥିଲେ । ଆଜି ସବୁ ପରିବର୍ତ୍ତନ ଘଟିଛି । ଗାଁରେ ଆଉ କମ୍ ଗଛଲତା ଦେଖିବାକୁ ମିଳେ । ନଦୀ, ଝରଣା ପାଣି ଶୁଖି ଗଲାଣି । ଲୋକ ଜଳକୁ ଏବେ ପଇସା ଦେଇ କିଣିକି ପିଉଛନ୍ତି । ବର୍ତ୍ତମାନ ସମସ୍ତେ ପଇସା ଉପରେ ନିର୍ଭର । ସମସ୍ତେ ପଇସା ପାଇଁ ନିଜ ପରିବାରକୁ ଛାଡ଼ି ବାହାରକୁ ଚାଲିଯାଉଛନ୍ତି । ଏବଂ ବର୍ତ୍ତମାନ ଗାଁରେ ସେ ଭାଇଚାରା ବା ଭଲପାଇବା, ସ୍ନେହ ଦେଖିବାକୁ ଏତେ ମିଳେ ନାହିଁ । କିଏ ଦୁଃଖରେ ଚଳୁଛି ତ କିଏ ଖୁସିରେଏମିତି ଲୋକ ବଞ୍ଚୁଛନ୍ତି । ପଖାଳ, ଶାଗଭଜା ଯେଉଁମାନଙ୍କ ପାଇଁ ଅମୃତ ଥିଲା ଆଜି ଲୋକମାନେ ପିଜା, ବର୍‌ଗର୍ କୋଲଡ଼୍ରିଙ୍କ ଆଦି ଖାଉଛନ୍ତି । ଆଗରୁ ଲୋକମାନେ ଦଶ ଦଶ ମାଇଲ ଚାଲିକି ଯାଇ ପାହାଡ଼, ପର୍ବତ ବି ଚଢ଼ିନେଉଥିଲେ । କିନ୍ତୁ ବର୍ତ୍ତମାନ ଲୋକମାନେ ୧୦ ପାଦ ଗଲେ ଥକି ଯାଉଛନ୍ତି । ନୂଆ ଯନ୍ତ୍ର ଲୋକମାନଙ୍କୁ ଅଳସୁଆ କରିଦେଇଛି । ନିଜର କାମ ନିଜେ କରିବା ପାଇଁ କେହି ମଣିଷ ନୁହନ୍ତି । ଦ୍ୱିତୀୟ ହେଲା ଗାଁରେ ପ୍ରତିଦିନ ଝଗଡ଼ା ଦେଖାଯାଏ, ଯାହା ଫଳରେ କି ଲୋକମାନେ କୋର୍ଟ କଚେରୀ ଥାନା ଯାଇ ଦିନ ବିତାନ୍ତି । ଆଉ ରହିଲା ପର୍ବପର୍ବାଣୀ ଓ ସଂସ୍କୃତି । ସେତେବେଳେ କିଛି ପର୍ବାପର୍ବାଣୀ ହୁଏ, ବାପା ମାଆ ଗାଁରେ ରହିଥାନ୍ତି, ପୁଅ ଏବଂ ଝିଅ ରହିଥାନ୍ତି ସହରରେ ଏକାଠି ହୋଇ ପାଳିବା କମ୍ ଦେଖାଯାଏ । ବର୍ତ୍ତମାନ ଦୁନିଆରେ ସମସ୍ତେ ବ୍ୟସ୍ତ । କିଏ ତା କାମକୁ ନେଇତ ଆଉ କିଏ ତା ପରିବାରକୁ ନେଇ । ବ୍ୟସ୍ତ ଦୁନିଆରେ ନିଜ ଜୀବନକୁ ଖୁସିରେ, ଭଲ ପାଇବାରେ ବଞ୍ଚିବା କେମିତି ହୋଇଥାଏ । ସେମାନେ ଭୁଲିଯାଇଛନ୍ତି । ଗୋଟେ ଘଣ୍ଟା ନିଜ ପରିବାରକୁ ଦେବା ପାଇଁ କାହାର ସମୟ ନାହିଁ । ସବୁକିଛି ବଦଳିଯାଇଛି ଇତ୍ୟାଦି । ଗଛଲତା ଲୋକମାନଙ୍କ ପାଇଁ ଭଗବାନ ଥିଲା, କିନ୍ତୁ ବର୍ତ୍ତମାନ ଲୋକମାନେ ଗଛଳତାକୁ କାଟି କାଟି ଚାଲିଛନ୍ତି । କେଉଁ ପଶୁପକ୍ଷୀର ସ୍ୱର ମଣିଷ ମନକୁ କିଣି ନେଉଥିଲା । ଆଜି ସେଇ ପଶୁପକ୍ଷୀମାନଙ୍କୁ ମଣିଷ ମାନେ ମାରି ଦେଉଛନ୍ତି । କାଶିନାଥ ରଥ- (୮୫ ବର୍ଷ) ଜେଜେଙ୍କୁ ମୁଁ ଯେତେବେଳେ ପଚାରିଥିଲି, ସେ ମୋତେ ଏହା ଉତ୍ତର ଦେଲେ ଯେ; ଅତୀତର ସେ ଗାଁ ତାଙ୍କ ପାଇଁ ରାମରାଜ୍ୟ ଥିଲା । କିନ୍ତୁ ବର୍ତ୍ତମାନ ଏହା ତାଙ୍କ ଲଙ୍କାପୁରୀ ଭଳି ମନେ ହେଉଛି । ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲପାଇବା, ସ୍ନେହ ରହିଥିଲା, କିନ୍ତୁ ବର୍ତ୍ତମାନ ଭଲପାଇବା, କମ୍ ଘୃଣା, ହିଂସା, ଅହଂକାର ଅଧିକ ଅଛି । ଏହା କେବଳ ନୁହେଁ ବହୁତ ବଦଳି ଯାଇଛି । ଯେତେବେଳେ ସେ ଛୋଟ ଥିଲେ । ତାଙ୍କ ପାଇଁ ଏ ଗାଁ ମନ୍ଦିର ଥିଲା ଏବଂ ସେମାନେ ଗୋଟିଏ ପୁଜାରୀ ଥିଲେ । ଯଦି ମନ୍ଦିରରେ ପୂଜାରୀ ଭଲ ରହିବ ତା ହେଲେ ମନ୍ଦିର ମଧ୍ୟ ଭଲରହିବ, ଠିକ୍ ସେହି ଭଳି ଯଦି ଗାଁର ଲୋକ ଭଲରହିବ ତାହାଲେ ଗାଁ ମଧ୍ୟ ଭଲରହିବ । ପିଲାବେଳେ ସମସ୍ତେ ମିଶି ଗାଁ ପାଠଶାଳାକୁ ଯାଆନ୍ତି । ବର୍ତ୍ତମାନ ଗାଁ ପାଠଶାଳା ଉନ୍ନତି ହୋଇ ବିଦ୍ୟାଳୟରେ ପରିବର୍ତ୍ତନ ହୋଇଯାଇଛି । ଆଗର ଲୋକମାନେ ରାତିରେ ବସି ଭାଗବତ, ରାମାୟଣ ଏବଂ ପୁରାଣ ଶୁଣୁଥିଲେ କିନ୍ତୁ ଏବେ ଏହା ବୋର୍ ଜିନିଷ । ଲୋକମାନଙ୍କୁ ଯାହା ମିଲୁଥିଲା ସେମାନେ ସେଥିରେ ଅତି ଆନନ୍ଦର ସହିତ ଚଳୁଥିଲେ କିନ୍ତୁ ବର୍ତ୍ତମାନ ଲୋକମାନେ ଲୋଭ, ଲାଳସାରେ ବୁଡ଼ିଯାଇଛନ୍ତି । ସେମାନେ କେବେ ବି ସନ୍ତୁଷ୍ଟରେ ରହିପାରନ୍ତି ନାହିଁ । ଅଳ୍ପ ଜିନିଷକୁ ନେଇ ଖୁସିହେବା ବର୍ତ୍ତମାନ ଲୋକମାନଙ୍କ ପାଇଁ ସ୍ୱପ୍ନ । ଅତୀତରେ ଗାଁରେ ରହୁଥିବା ଲୋକମାନେ ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲେ । ସାହାଯ୍ୟ କରିବା ସେମାନଙ୍କ ମାନବିକତା ଥିଲା ଅନ୍ୟକୁ ସାହାଯ୍ୟ କରି ସମସ୍ତେ ଖୁସି ହେଉଥିଲେ । ଜଣଙ୍କ ଦୁଃଖ ସମୟରେ ଗାଁର ସବୁ ଲୋକ ଆସି ତା ପାଖେ ଛିଡ଼ା ହେଉଥିଲେ । ଲୋକଟି ନିଜ ଦୁଖ ଭୁଲିଯାଉଥିଲା । କିନ୍ତୁ ବର୍ତ୍ତମାନରେ ଜଣେ ଯଦି ଅନ୍ୟମାନଙ୍କୁ ସାହାଯ୍ୟ କରୁଛି ତ ତା ମନରେ ଲୋଭ ଲାଳସା ରହିଥାଏ । କିଛି ଲୋକ ତ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି । ନିଜେ କେମିତି ଭଲ ରହିବେ ସେ କଥା ଭାବନ୍ତି । ଗାଁରେ ଯଦି ଜଣେ ଦୁଃଖରେ ଅଛି ତାହାଲେ କେହି ତା ପାଖରେ ଆସି ଛିଡ଼ା ହୁଅନ୍ତି ନାହିଁ । ତା ବଦଳରେ ସେମାନେ ତା ଦୁଃଖକୁ ବଢ଼ାନ୍ତି । ଜଣଙ୍କର ସଫଳତାକୁ ଲୋକମାନେ ବର୍‌ଦାସ୍ କରିପାରନ୍ତି ନାହିଁ । ଏହି ଭଳି ବହୁତ କିଛି ଅଛି ଯାହା କହିଲେ ସରିବ ନାହିଁ । ଅତୀତକୁ ଆଜି ସହିତ ତୁଳନା କଲେ ଆକାଶ ପାତାଳ ଫରକ୍ ।

ଗାଁରେ ଖେଳୁଥିବା ବିଭିନ୍ନ ପ୍ରକାରର ଖେଳ କ’ଣ?

ଆମ ଗାଁରେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ଖେଳ ଖେଳନ୍ତି । ଆମ ଗାଁର ପିଲାମାନେ ବହୁତ ଖେଳପ୍ରେମୀ ଅଟନ୍ତି । ସେମାନେ ଯେତିକି ପାଠପଢ଼ନ୍ତି ତାର ଅଧା ସମୟ ଖେଳରେ ବିତାନ୍ତି । ଏଠାରେ କ୍ରିକେଟ୍‌, ବେଡ଼ମିଣ୍ଟନ୍ ଭଲିବଲ୍‌, ପିଲ, କବାଡ଼ି ଇତ୍ୟାଦି ଖେଳ ଖେଳନ୍ତି । ଏଠାକାର ପିଲାମାନେ ଅଧିକ ମାତ୍ରାରେ କ୍ରିକେଟ୍ ଖେଳିବାକୁ ଭଲପାଆନ୍ତି । ପିଲାମାନେ ସନ୍ଧ୍ୟା ୩.୩୦ମି. ରୁ ୬ଟା ସମୟ ପର୍ଯ୍ୟନ୍ତ ଖେଳନ୍ତି । ଯଥା କ୍ରିକେଟ୍ ଭଲି ବଲ୍ କବାଡ଼ି ଇତ୍ୟାଦି ।

ଆମ ଗାଁର ସାମ୍ନାରେ ଏକ ଗୁଣ୍ଡିମା ନାମକ ଗ୍ରାମ ଅଛି । ଯେଉଁଥିରେ କି ଏକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅବସ୍ଥିତ । ଆମର ସେହି ବିଦ୍ୟାଳୟରେ ବହୁତ ଅଡ଼ବାର ପିଲା ପାଠ ପଢ଼ୁଛନ୍ତି । ଆମ ଆଦର୍ଶ ବିଦ୍ୟାଳୟରୁ ବହୁତ ପିଲା ଯାଇ ରାଜ୍ୟ ସ୍ଥରୀୟ ପୁରସ୍କାର ଜିତୁଛନ୍ତି । ଏଣୁ ଏଠାକାର ପିଲାମାନେ ରାଜ୍ୟସ୍ତରୀୟ ପାଇଁ କବାଡ଼ି ଖୋ-ଖୋ, କ୍ରିକେଟ୍ ଭଲିବଲ୍‌, ଫୁଟ୍‌ବଲ୍‌, ଦୌଡ଼, ଯୋଗ, ଜାବ୍‌ଲିନ, ସଟ୍‌ଫୁଟ୍‌, ହାଇଜମ୍ପ, ଲଙ୍ଗ୍‌ଜମ୍ପ, ରିଲେ ଅଦି ଖେଳନ୍ତି ।      ଏଠାକାର ବଡ଼ପିଲା ମାନେ ବାହରକୁ ଯାଇ ନାନା ପ୍ରକାର ପୁରସ୍କାର ଜିତୁଛନ୍ତି । ଏଠାରେ ଏକ ଭଲି ଦଳ ଏବଂ ଏକ କ୍ରିକେଟ୍ ଦଳ ଅଛି । ଶୀତଦିନେ ଏଠାକାର ବଡ଼ପିଲାମାନେ ସକାଳେ ଏବଂ ସନ୍ଧ୍ୟାରେ ଭଲି ଖେଳନ୍ତି । ଟୁର୍‌ନାମେଣ୍ଟ ଖେଳି ବିଜେତା ହୋଇ ନିଜ ପ୍ରଦର୍ଶନ ମଧ୍ୟ ଦେଖାଉଛନ୍ତି । ଶୀତଦିନେ ଏହି ଟିମ୍ ବହୁତ ଜାଗରେ ଭଲିକପ୍ ଜିତୁଛନ୍ତି । ଏସବୁ ପରେ ରାତିରେ ଲାଇଟ୍ ଲଗାଇ ବେଡ଼ମିଣ୍ଟନ୍ ଖେଳନ୍ତି । ଖରାଦିନେ ସବୁ ମିଳି ମିଶି ୨ ଘଣ୍ଟା ପାଇଁ କ୍ରିକେଟ୍ ଖେଳନ୍ତି । ଏଠାକାର ବାପାମାଆମାନେ ଝିଅମାନଙ୍କୁ ବାହାରକୁ ଖେଳିବା ପାଇଁ ପଠାଉନାହାନ୍ତି । ଏଣୁ ସେମାନେ ଘର ଭିତରେ କ୍ୟାରମ୍‌, ଲୁଡ଼ୋ, ଚେସ୍ ଇତ୍ୟାଦି ଖେଳନ୍ତି । କିନ୍ତୁ ବିଦ୍ୟାଳୟରେ କବାଡ଼ି ବେଡ଼ମିଣ୍ଟନ୍ ଦୌଡ଼, ଖୋ-ଖୋ ଇତ୍ୟାଦି ଖେଳନ୍ତି । ଖେଳ ଗୋଟିଏ ଏମିତି କାମ ଯାହାକି ପ୍ରତ୍ୟେକଙ୍କୁ ଖେଳିବା ଦରକାର । ସେ ପୁଅ ହେଇ ଝିଅ ହେଉ ପିଲା ହେଉ ବା ବୁଢ଼ା ହେଉ । କାହିଁକି ନା ଖେଳିବା ଦ୍ୱାରା ଆମର ଶରୀର ସୁସ୍ଥ ରହିଥାଏ । ଯଦି ଆମେ ଖେଳିବାକୁ ପସନ୍ଦ କରନ୍ତି ନି ତାହାଲେ ଆମେ ଯୋଗ କରିବା ଦରକାର । ସବୁଠାରୁ ପ୍ରଥମେ ଆମର ଶରୀର ସୁସ୍ଥ ରହିବା ଆବଶ୍ୟକତା ଶରୀର ସୁସ୍ଥ ରହିଲେ ହିଁ ଆମେ ପ୍ରତ୍ୟେକ କାମ ସହଜରେ କରିପାରିବା ।

ବଡ଼ ହେଲେ ଆମ ଗାଁର ଯେଉଁସବୁ କଥାକୁ ମୁଁ ଧ୍ୟାନ ଦେବି ଏବଂ ଯେଉଁ ସବୁ କଥା ଗାଁର ଭଲ ପାଇଁ ଏବେ ବି ମୁଁ ଆରମ୍ଭ କରିପାରିବି?

ଯେମିତି ସବୁ ଗାଁରେ ଅସୁବିଧା ଦେଖାଯାଏ, ସେମିତି ଆମ ଗାଁରେ ମଧ୍ୟ ବହୁତ ଅସୁବିଧା ଦେଖାଯାଏ । ଆମ ଗାଁରେ ବହୁତ ଅସୁବିଧା ଦେଖିବାକୁ ମିଳୁଛି । ଯଥା, ଜଳ, ଅନ୍ଧବିଶ୍ୱାସ, ଖାଦ୍ୟ, ଗରିବୀର ସମସ୍ୟା ଇତ୍ୟାଦି । ଆମ ଗାଁରେ ବହୁତ ଜଳର ଅସୁବିଧା ଦେଖାଯାଏ । ଏଠାକାର ଲୋକମାନେ ସରକାରୀ ଜଳ ଉପରେ ନିର୍ଭର କରୁଛନ୍ତି ପ୍ରତ୍ୟେକ ସାହିରେ ଗୋଟିଏ ମାତ୍ର ଲାଇନ୍ ପାଇପ୍ ଅବସ୍ଥିତ । ଲାଇନ୍ ପାଇପ୍‌ର ନଳ ଦିନକରେ କେବଳ ୨ ଘଣ୍ଟା କେବଳ ୨ ଘଣ୍ଟା ପାଇଁ ହିଁ ଆସେ । ଗୋଟିଏ ସାହିରେ ୧୫ ରୁ ୧୬ ଘର ଅବସ୍ଥିତ ଯାହା ଫଳରେ କି ସମସ୍ତେ ପାଣିକୁ ରଖିପାରୁ ନାହାନ୍ତି । ଏସବୁ ପରେ ଲାଇନ୍ ଚାଲିଗଲେ କିମ୍ବା ସବୁବେଳେ ଲାଇନ୍ ପାଣି ଆସେ ନାହିଁ । ଏଣୁ ଲୋକମାନେ ସବୁବେଳେ ଜଳ ପାଇଁ କଷ୍ଟ ପାଉଛନ୍ତି । ଏଠାରେ ଜଳ ଏକ ନିତିଦିନୀୟା ଅସୁବିଧା ରୂପେ ପରିଣତ ହୋଇଗଲାଣି । ଜଳ ପାଇଁ ଲୋକମାନେ ନିତି ଝଗଡ଼ା କରୁଛନ୍ତି । ଏଣୁ ମୁଁ ଜଳକୁ ନେଇ ଏହା ଚିନ୍ତା କରିଛି କି ମୁଁ ଯେତେବେଳେ ବଡ଼ ହେବି ସର୍ବ ପ୍ରଥମେ ଜଳର ସୁବିଧା କରିବି । କିଛି ଟଙ୍କା ଖର୍ଚ୍ଚ କରି ସମସ୍ତ ସାହିରେ ଆଉ ଦୁଇଟି ଲେଖାଏଁ ନଳକୂପ ଦେବି ଯାହା ଫଳରେ କି ଲୋକମାନେ ଏହି ସୁବିଧାର ସୁଯୋଗ ପାଇପାରିବେ । ଆମ ଗାଁରେ ବହୁତ ଗରିବ ଲୋକ ଅଛନ୍ତି । ଯେଉଁମାନଙ୍କୁ କି ସବୁବେଳେ ଖାଇବାକୁ ଭଲରେ ମିଳୁନାହିଁ । ଦିନସାରା କଷ୍ଟ କରୁଛନ୍ତି କିନ୍ତୁ ରାତିରେ ଖାଇବାକୁ ଦୁଇମୁଠା ଭାତ ମିଳୁନାହିଁ । ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନା ସେମାନଙ୍କୁ ଖାଇବାକୁ ମିଳୁଛି ନା ସେମାନଙ୍କ ପିଲାମାନେ ଅଧିକ ପାଠ ପଢ଼ିପାରୁଛନ୍ତି । ଏସବୁ ପରେ ବର୍ଷା ଦିନ ହେଲେ ବହୁତ ପବନର ସୁଅରେ ସେମାନଙ୍କର ଘରର ଛପର ଭାଙ୍ଗି ଯାଉଛି । ଯାହା ଫଳରେ କି ସେମାନେ ବହୁତ କଷ୍ଟ ପାଉଛନ୍ତି । ସେମାନଙ୍କର କଷ୍ଟ ବୁଝିବାକୁ ଏହି ଦୁନିଆରେ କାହାପାଖରେ ସମୟ ନାହିଁ । ଏହି ଗରିବର ସମସ୍ୟାକୁ ମୁଁ ବଡ଼ହେଲେ ହାଟାଇବାକୁ ଚେଷ୍ଟା କରିବି । ଗରିବ ଲୋକମାନଙ୍କୁ ସାହାଯ୍ୟ କରିବି । ଏକ ଖାଦ୍ୟଗୃହ ଖୋଲିବି । ଯେଉଁଠିକି କେବଳ ଗରିବ ଲୋମାନଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ । ଆମ ଗାଁରେ ଆଗକାଳରେ ବହୁତ ଗଛ ଦେଖାଯାଉଥିଲା, ଯାହାକି ଏବେ ଆଉ ଦେଖାଯାଉନି । କାହିଁକି ନା ଲୋକମାନେ ନାନା ପ୍ରକାର କାମ ପାଇଁ ଗଛ କାଟୁଛନ୍ତି । ଯଦି ଏମିତି ଲୋକମାନେ ଗଛକାଟି ଚାଲିବେ, ତାହାଲେ ଆଉ ୧୧୦ ବର୍ଷ ପରେ ଏଠାରେ ଆଉ ଗୋଟିଏ ମଧ୍ୟ ଗଛ ଦେଖାଯିବ ନାହିଁ । ସମସ୍ତ ଗଛ ଲୋପ ପାଇଯିବ । ଯଦି ଗଛ ଲୋପ ପାଇଯିବ ତାହା ହେଲେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ଲୋକମାନଙ୍କୁ ଅମ୍ଲଜାନ, ଜଳ, ଖାଦ୍ୟ ଆଦି କୌଣସି ମିଳିବ ନାହିଁ । ଏଣୁ ଏହି ବିଷୟକୁ ନେଇ ମୁଁ ଏବେଠୁ ମୋର କାମ ଆରମ୍ଭ କରିବି । ଗଛ ଲଗାଇବି । ଗାଁକୁ ସୁନ୍ଦର ଗାଁ ରୂପେ ଗଢ଼ିବାକୁ ଚେଷ୍ଟା କରିବି । ତାହାଲେ ଯାଇ ମୋ କାମ ସଂପୂର୍ଣ୍ଣ ହେବ । ଆମ ଗାଁରେ ରୋଗୀ ସମସ୍ୟା ହେଉଛି ଏକ ମୂଳ ସମସ୍ୟା । ଗାଁରେ ଅଧିକ ଲୋକ ଜ୍ୱରରେ ମରିଯାଉଛନ୍ତି । ଯଦି ଲୋକମାନଙ୍କୁ ଅଧିକ ଜ୍ୱର ହୁଏ ତାହାଲେ ସେମାନେ ଭଲ ହେଉ ନାହାନ୍ତି । ଏଠାକର ହସ୍ପିଟାଲରେ ସେମାନେ ଭଲ ହେଉ ପାରୁ ନାହାଁନ୍ତି ନିକଟରେ ସେମିତି କିଛି ଭଲ ହସ୍ପିଟାଲ ନାହିଁ । ଯାହା ଫଳରେ କି ସେମାନେ ବ୍ରହ୍ମପୁର ଗଲାବେଳେ ବାଟରେ ଦେହାନ୍ତ ହେଉଛି । ଏମିତି ବହୁତ ଲୋକ ଏଠାରେ ମରିଗଲେଣି । ଏଣୁ ଏଠାରେ ଏକ ବଡ଼ ହସ୍ପିଟାଲ ଖୋଲିବା ଦରକାର । ଯାହା ଫଳରେ ଲୋକମାନେ ସୁବିଧାରେ ଭଲ ହୋଇ ପାରିବେ । ଏଣୁ ମୁଁ ବଡ଼ ହେଲେ ଗାଁ ପାଇଁ ଏକ ବଡ଼ ହସ୍ପିଟାଲ ଖୋଲିବି ବୋଲି ଭାବିଛି । ଯେଉଁଥିରେ କି ସମସ୍ତ ରୋଗର ଚିକିତ୍ସା ହୋଇପାରୁଥିବ ।

ଅନ୍ଧବିଶ୍ୱାସର ସମସ୍ୟା- ଆମ ଗାଁର ଲୋକମାନେ ସବୁବେଳେ ଅନ୍ଧବିଶ୍ୱାସରେ ବାନ୍ଧି ହୋଇଥାନ୍ତି । କାହାର ଦେହ ଖରାପ ହେଲେ ପ୍ରଥମେ ଝାଡ଼, ଫୁଙ୍କ କରନ୍ତି ତା’ ପରେ ଯାଇ ହସ୍ପିଟାଲ ନିଅନ୍ତି । ଏଠାର କିଛି ଲୋକ ପୁରୁୁଣା ରୀତିନୀତିରେ ଚାଲୁଛନ୍ତି । ଝିଅକୁ ୧୦ମ ଶ୍ରେଣୀରୁ ଅଧିକ ପାଠ ପଢ଼ାଉନାହାଁନ୍ତି । ଏଠାକାର ଲୋକମାନେ ପୁଣି ତାନ୍ତ୍ରିକକୁ ଅଧିକ ବିଶ୍ୱାସ କରନ୍ତି । ମୁଁ ବଡ଼ ହେଲେ ଏ ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି । ଲୋକମାନଙ୍କ ମନରେ କିଛି ନୂଆ କଥା ଜାଗ୍ରତ କରିବି । ପୁଣି ତାନ୍ତ୍ରିକକୁ ମଧ୍ୟ ହଟାଇବାକୁ ଚେଷ୍ଟା କରିବି । ଯଦି ଲୋକମାନେ ଏହିସବୁ ଅନ୍ଧବିଶ୍ୱାସରେ ବାନ୍ଧି ହେବେ, ତାହାଲେ ଗାଁର କେବେ ମଧ୍ୟ ଉନ୍ନତି ହେବ ନାହିଁ ।

 ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ:

ଆମ ଗାଁ ଏକ ସଂସ୍କୃତମୟ ଗାଁ ଅଟେ । ହୋଲି, ଦୀପାବଳୀ, ଭଳି ନାନା ପର୍ବରେ ଆମ ଗାଁରେ ନାଟକ ଅନୁଷ୍ଠିତ ହୁଏ । ରଜାନାଟ, ରାମାୟଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ଗାଁରେ ଅନୁଷ୍ଠିତ ହୁଏ ।

ରଜାନାଟ : ରଜାନାଟ ପାଇଁ ବିଭିନ୍ନ ଗାଁର ଲୋକମାନେ ଆମ ଗାଁର ନାଟକମାନଙ୍କ ଡାକିଥାନ୍ତି । ଆମ ଗାଁର ନାଟକମାନେ ବହୁତ ଭଲ ଭାବରେ ରଜାନାଟ ଅଭିନୟ କରିଥାନ୍ତି । ଏଠାରେ ରଜାନାଟ ହୋଲି ସମୟରେ କରାଯାଏ । ହୋଲି ପୂର୍ବଦିନ ସନ୍ଧ୍ୟାବେଳେ ରାଜନାଟ ଆରମ୍ଭ କରାଯାଏ ।

ରାମାୟଣ : ଆମ ଗାଁରେ ବର୍ଷକେ ଥରେ କିମ୍ବା ଦୁଇଥର ରାମାୟଣ ଅନୁଷ୍ଠିତ ହୁଏ । ଆମ ଗାଁରେ ରାମାୟଣ ହେଲେ ଏଠାରେ ଲୋକ ଏବଂ ଆଖପାଖ ଗାଁର ଲୋକମାନେ ଦେଖିବାକୁ ଆସନ୍ତି । ରାମାୟଣରେ ଆମ ଗାଁର ବହୁତ ଲୋକମାନେ ନାଟକ କରିଥାନ୍ତି । ଛୋଟରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ।

ମୁଁ କଳା ଓ ସଂସ୍କୃତିକୁ ନେଇ କଣ ଚିନ୍ତା କରେ?

ମୁଁ କଳା ଓ ସଂସ୍କୃତିକୁ ନେଇ ବହୁତ ଉଚ୍ଚମାନର ଚିନ୍ତା କରେ । କଳା ହେଉଛି ଗୋଟିଏ ଏମିତି ଜିନିଷ ଯାହାକି ସମସ୍ତ ପାଖରେ ଥାଏ । କାହା ପାଖରେ ଅଭିନୟର କଳା ତ ଆଉ କାହା ପାଖରେ ନାଚର କଳା ଏସବୁ କଳାକୁ ଯିଏ ନିଜ ପାଖରେ ରଖି ଆଗକୁ ବଢ଼ି ପାରିଲା, ସେ ଏହି ଦୁନିଆରେ ନିଶ୍ଚୟ ସଫଳତା ପାଇବ । ଲୋକେ କୁହନ୍ତି କି କଷ୍ଟ କଲେ କୃଷ୍ଣ ମିଳେ । ଏକଥାରେ ବହୁତ ସତ୍ୟତା ଅଛି । ଯଦି ଆମେ କଷ୍ଟ କରିବା ତାହାଲେ ଆମେ ନିଶ୍ଚୟ ସଫଳତା ହାସଲ କରିପାରିବା । କେହି ମଧ୍ୟ ଆମକୁ ଅଟକାଇ ପାରିବେ ନାହିଁ । ପ୍ରଥମେ ଆମେ ଜାଣିବା ଦରକାର କି ଆମ ପାଖରେ କେଉଁ ସବୁ କଳା ଅଛି । ସେହି କଳାକୁ ନେଇ ଆମେ ଆଗକୁ ବଢ଼ିବା ଦରକାର । ଯଦି ସମସ୍ତେ ଡାକ୍ତର, ଶିକ୍ଷକ, ପୋଲିସ ହୋଇଯିବେ ତା ହେଲେ କ’ଣ ହେବ ଆମ କଳା ଏବଂ ସଂସ୍କୃତିର । ଲୋକେ ସଂସ୍କୃତି ବିଷୟରେ ଜାଣିପାରିବେ ନାହିଁ । ଆମ ଓଡ଼ିଶାର ସଂସ୍କୃତି ଆଗକୁ ବଢ଼ିପାରିବ ନାହିଁ । ଏଣୁ ଆମେ ମାନେ ଆମର କଳା ଏବଂ ସଂସ୍କୃତିକୁ ନେଇ ଆଗକୁ ବଢ଼ିବା ଦରକାର । ବାହାର ରାଜ୍ୟର ଲୋକମାନେ ଜାଣିବା ଦରକାର କି ଆମ ଓଡ଼ିଶାର ସଂସ୍କୃତି କେତେ ମହାନ । ଆମେ ସମସ୍ତେ ଗର୍ବ କରିବା ଦରକାର କାହିଁକି ନା ଆମେ ଏହି ଓଡ଼ିଶା ମାଟିରେ ଜନ୍ମଲାଭ କରିଛନ୍ତି, ଏହି ମଧୁସୂଦନ ଦାଶଙ୍କର ମାଟିରେ । ଯେଉଁମାଟିରେ କି କେଡ଼େ କେଡ଼େ ବୀରମାନେ ଜନ୍ମଲାଗ କରିଥିଲେ ଆମେ ମଧ୍ୟ ସେମାନଙ୍କ ଭଳି ହେବା ଦରକାର, ଆମର କଳା, ସଂସ୍କୃତିକୁ ଆଗକୁ ବଢ଼ାଇବା ଦରକାର ।

 ଆମ ଗାଁର ହିସାବ ଖାତା ଗାଁର ଲୋକମାନଙ୍କର ବାର୍ଷିକ ଆୟ କେତେ ଏବଂ ବ୍ୟୟ କେତେ?

ଆମ ଗାଁରେ ବିଭିନ୍ନ ପ୍ରଜାତିର ଲୋକମାନେ ବସବାସ କରୁଛନ୍ତି । ଯଥା କିରାନୀ, କୃଷକ ମାଛ ବେପାରୀ, ମାଂସ ବେପାରୀ, ଇତ୍ୟାଦି । ଆମ ଗାଁରେ ବହୁତ ଦିନ ମଜୁରୀଆ ଭାବେ କାମ କରୁଥିବା ଲୋକ ମଧ୍ୟ ଅଛନ୍ତି । ଯେଉଁମାନେ କି ସକାଳେ କାମ କରିବାକୁ ଯାଇ ସଂନ୍ଧ୍ୟାରେ ଘରକୁ ଫେରନ୍ତି । ସେମାନେ ବହୁତ କଷ୍ଟ କରନ୍ତି ।

ଗାଁର ଲୋକମାନଙ୍କର ବାର୍ଷିକ ଆୟ ଏବଂ ବ୍ୟୟ:

ଆମ ଗାଁର କୃଷକ- ଆମ ଗାଁରେ କିଛି କୃଷକ ମଧ୍ୟ ଅଛନ୍ତି । କୃଷକ ମାନଙ୍କର ଚଳିବାରେ ବହୁତ ଅସୁବିଧା ହୁଏ । ସେମାନେ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଜମିରେ କାମ କରନ୍ତି, କିନ୍ତୁ ସେମାନେ ଦୁଇଓଳା ଭଲରେ ଖାଇବାକୁ ପାଅନ୍ତି ନାହିଁ । କୃଷ୍ଣକ ମାନଙ୍କର ଆୟ ହେଉଛି ଦିନକରେ ୧୫୦ ରୁ ୨୦୦ ଟଙ୍କା, ଯାହାକି ସେମାନେ ସବୁବେଳେ ପାଆନ୍ତି ନାହିଁ । ମାସକରେ ୭୦ ଦିନ କାମ ଏବଂ ଆଉ ୧୦ ଦିନ ଛୁଟିରେ ରୁହନ୍ତି । ସେମାନେ ବହୁତ କଷ୍ଟରେ ଜୀବନଯାପନ କରନ୍ତି । ଏତିକି ଟଙ୍କାରେ ନା ସେମାନେ ଖାଇପାରୁଛନ୍ତି ନା ସେମାନେ ତାଙ୍କ ପିଲାକୁ ପଢ଼ାଇ ପାରୁଛନ୍ତି । ଏଣୁ ତାଙ୍କ ପିଲାମେନ ମଧ୍ୟ ବଡ଼ହୋଇ ଏହି କୃଷକ କାମହିଁ କରୁଛନ୍ତି । ସେମାନଙ୍କର ଆୟ ୧୫୦ ଟଙ୍କା ହୋଇଥିବାବେଳେ ବ୍ୟୟ ହେଉଛି ଦିନକେ ୨୫୦ ଟଙ୍କା ସେମାନେ କେମିତି ଏତେ କମ୍ ଟଙ୍କାରେ ଚଳିବେ ସେମାନେ ନିଜେ ହିଁ ଜାଣିପାରୁ ନାହାନ୍ତି ।

୨) ମାଛ ବେପାରୀ- ଆମ ଗାଁରେ ୩ଟି ମାଛ ଦୋକାନ ଅଛି । ଯେଉଁମାନେକି ସବୁବେଳେ ମାଛ ବିକ୍ରି କରନ୍ତି । ମାଛ ବିକ୍ରି କଲେ ହିଁ ସେମାନଙ୍କର ନିତିଦିନିଆ ଭରଣ ପୋଷଣ ଚଳେ । ସେମାନଙ୍କର ଆୟ ହେଉଛି ଦିନକରେ ୩୦୦ ରୁ ୪୦୦ ଟଙ୍କା ମାସକରେ ୨୦ ଦିନ ୪୦୦ ଟଙ୍କା ମିଳିଲା ବେଳେ ଆଉ ୧୦ ଦିନ ୧୫୦ ରୁ ୨୦୦ ଟଙ୍କା ମିଳିଥାଏ । ଯେଉଁଥିରେକି ସେମାନେ ଚଳିଥାନ୍ତି ।

୩) ମାଂସ ବେପାରୀ-

ଆମ ଗାଁରେ ୨ଟି ମାଂସ ଦୋକାନ ଅଛି । ଯେଉଁ ଥିରେକି ପ୍ରତିଦିନ ଚିକେନ୍ ଏବଂ ମଟନ୍ ମିଳେ । ମାଂସ ବେପାରୀ ମାନଙ୍କୁ ବହୁତ ଲାଭ ହୋଇଥାଏ । କାରଣ ଲୋକମାନେ ସପ୍ତାହରେ ୨ ଥର ରୁ ୩ ଥର ମାଂସ ଖାଇଥାନ୍ତି । ତା’ ଛଡ଼ା ଏଠାରେ ବହୁତ ଜଳଖିଆ ଦୋକାନ ଅଛି, ଏଣୁ ଲୋକମାନେ ଜଳଖିଆ ପାଇଁ ମାଂସ କିଣିଥାନ୍ତି । ମାଂସ ବେପାରୀ ମାନେ ଦିନକରେ ୧୫୦୦ ରୁ ୨୦୦୦ ଟଙ୍କା ପାଇଥାନ୍ତି । ଯେଉଁଥିରେକି ସେମାନେ ବହୁତ ଭଲରେ ଚଳିଥାନ୍ତି ।

ଦିନ ମଜୁରୀଆ-

ଆମ ଗାଁର ଅଧା ଲୋକ ଦିନ ମଜୁରୀଆ ଭାବେ କାମ କରନ୍ତି । ସେମାନେ ଦିନ ଓ ରାତିକୁ ଏକ କରି କାମ କରନ୍ତି । ସେମାନେ ବହୁର କଷ୍ଟ କରନ୍ତି କିନ୍ତୁ ସେମାନଙ୍କୁ ପଇସା ମିଳିଲା ବେଲେ ୨୦୦ ରୁ ୨୫୦ ଟଙ୍କା ହିଁ ମିଳେ । ଯେଉଁଥିରେକି ସେମାନଙ୍କର ଖର୍ଚ୍ଚ, କାରଣ ଖାଇବା ଖର୍ଚ୍ଚ ଏବଂ ପିଲାଙ୍କର ପଢ଼ିବା ଖର୍ଚ୍ଚକୁ ସେ ଚଳନ୍ତି । ଘରର ବ୍ୟୟ ଦିନକୁ ୩୦୦ ରୁ ୩୫୦ ଟଙ୍କା ହୋଇ ଥାଏ । ଏ ସବୁ କୁ ସେମାନେ ବହୁତ କଷ୍ଟ ସହିତ ତୁଲାଇ ଥାନ୍ତି ।

 ଆମ ଗାଁର ଗ୍ରାମ ଦେବତୀ?

ଆମ ଗାଁର ଗ୍ରାମ ଦେବତୀ ଗାଁର ଶେଷରେ ଅବସ୍ଥିତ । ଆମ ଗାଁର ଗ୍ରାମ ଦେବତୀଙ୍କ ନିକଟରେ ମୁଖ୍ୟତଃ ଏକ ବଡ଼ ନିମଗଛ ଅବସ୍ଥିତ । ସେହି ଗଛ ମୂଳରେ ଗ୍ରାମ ଦେବତୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଚୈତ୍ର ମାସର ମଙ୍ଗଳବାର ମାନଙ୍କରେ ଆମ ଗ୍ରାମର ଗ୍ରାମବାସୀମାନେ ଗ୍ରାମ ଦେବତୀଙ୍କ ପାଖକୁ ନାନା ପ୍ରକାର ପିଠା, ପଣା, ମୁଆଁ ଓ ଭୋଗ ଇତ୍ୟାଦି ନେଇ ପୂଜା କରନ୍ତି । ସମସ୍ତଙ୍କର ବିଶ୍ୱାସ ଏହି ମାସରେ ଗ୍ରାମ ଦେବତୀଙ୍କର ପାଖରେ ପଣା ଢ଼ାଳିଲେ ବର୍ଷଯାକ ପରିବାରର ମଙ୍ଗଳ ହୁଏ । ଏହି ବିଶ୍ୱାସ ପରମ୍ପରା ସମସ୍ତଙ୍କର ମଙ୍ଗଳ କରିଥାଏ । ନିମ ଗଛ ସହିତ ମାଆଙ୍କର ପ୍ରିୟ ଲାଲ୍ ମନ୍ଦାର ଗଛ ସେଠାରେ ଅବସ୍ଥିତ । ସେଠାରୁ ଫୁଲ ନେଇ ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ । ଗାଁରେ ଲୋକମାନେ କେଉଁ କେଉଁ ଗଛକୁ ପୂଜା କରନ୍ତି ଓ କାହିଁକି?

ଆମ ଗାଁର ବିଦ୍ୟାଳୟ ନିକଟରେ ଥିବା ବଟ, ଓସ୍ତ ଗଛକୁ ଲୋକମାନେ ପୂଜା କରନ୍ତି । ସମସ୍ତଙ୍କର ବିଶ୍ୱାସ ଯେ ଏହି ଗଛ ମୂଳରେ ଶନିବାର ଦିନ ପାଣି ଢ଼ାଳିଲେ ଲୋକଙ୍କର ଗ୍ରହଦସା ଖଣ୍ଡନ ହୋଇଥାଏ । ତେଣୁକରି ଏହି ଗଛକୁ ଶନିବାର ଦିନ ବଡ଼ି ଭୋରରୁ ଲୋକମାନେ ଯାଇ ରାଶୀ ତେଲ ଯୁକ୍ତ ଦୀପ ଲଗାନ୍ତି ଏବଂ ପାଣି ଢାଳି ନିଜର ଗ୍ରହ ଖଣ୍ଡନ ପାଇଁ ଶନି ଦେବଙ୍କୁ ପୂଜାର୍ଚ୍ଚନା କରନ୍ତି । ଯାହାଦ୍ୱାରା ନିଜର ପରିବାରର ମଙ୍ଗଳହୁଏ ।

ବଡ଼ ହେଲେ ଆମ ଗାଁର ଯେଉଁ ସବୁ କଥାକୁ ମୁଁ ଧ୍ୟାନ ଦେବି ଏବଂ ଯେଉଁ ସବୁ କଥା ଗାଁର ଭଲ ପାଇଁ ଏବେ ବି ମୁଁ ଆରମ୍ଭ କରିପାରିବି?

ବଡ଼ ହେଲେ ମୁଁ ଆମ ଗାଁ ପାଇଁ ବହୁତ କିଛିକରି ବାକୁ ଚେଷ୍ଟା କରିବି । ଗାଁର ସମସ୍ତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି । ମୁଖ୍ୟତଃ ଜଳ ଏବଂ ମେଡ଼ିକାଲ୍‌ର ସମସ୍ୟାକୁ ସମାଧାନ କରିବି । ଆମ ଗାଁରେ ବହୁତ ଜଳର ଅସୁବିଧା ଦେଖାଯାଏ । ମୁଁ ଯେତେବେଳେ ବଡ଼ ହେବି ଏହି ସମସ୍ୟାର ସମାଧାନ ପ୍ରଥମେ କରିବି । ତା’ ପରେ ମୁଁ ଧ୍ୟାନ ଦେବି ମେଡ଼ିକାଲ୍‌ର ସମସ୍ୟାକୁ । ଆମ ଗାଁରେ ଏକ ସରକାରୀ ମେଡ଼ିକାର ଅବସ୍ଥିତ । ଯେଉଁଠିକି ପ୍ରତ୍ୟେକ ରୋଗର ରୋଗୀ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି ସେହି ମେଡ଼ିଲାକ୍‌ରେ ସମସ୍ତ ରୋଗୀ ଚିକିତ୍ସିତ ହୋଇପାରୁ ନାହାଁନ୍ତି । ଏଣୁ ମୁଁ ଏହି କଥାକୁ ନିଶ୍ଚୟ ଧ୍ୟାନ ଦେବି । ଏସବୁ ପରେ ମୁଁ ଧ୍ୟାନ ଦେବି ଆମ ଗାଁର ଗରିବୀ ସମସ୍ୟାକୁ । ଆମ ଗାଁର ବହୁତ ଗରିବ ଲୋକ ଅଛନ୍ତି । ଯେଉଁମାନେ କି ଖାଇବାକୁ ନ ପାଇ ଛଟପଟ ହୋଇ ମରିଯାଉଛନ୍ତି । ସେମାନଙ୍କର ମଧ୍ୟ ସହାୟତା ପାଇଁ ମୁଁ ନିଶ୍ଚୟ ହାତ ବଡ଼ାଇବି । ଆମ ଗାଁର ଲୋକମାନେ ବହୁତ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି । ମୁଁ ଯେତେବେଳେ ବଡ଼ ହେବି ଏହି କଥାକୁ ମଧ୍ୟ ଧ୍ୟାନ ଦେବି ।

ମୁଁ ଏବେଠାରୁ ଆମ ଗାଁରେ ଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇସାରିଛି । ମୁଁ ଏବେଠାରୁ ଗାଁରେ ଗଛ ଲଗାଇ ତାକୁ ସବୁଜ ସୁନ୍ଦର ଭାବରେ ପରିଣତ କରିବି । ଏତିକି ମୁଁ ମୋ ଗାଁ ନିମନ୍ତେ କରିବାକୁ ନିଶ୍ଚୟ ଚେଷ୍ଟା କରିବି ।


Share Samadhwani
Support Samadhwani

About ସୁମିତ୍ ଦାଶ

ଛାତ୍ର ସାମ୍ବାଦିକ (Student Journalist)

Check Also

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share SamadhwaniPhoto credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ …