‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ

ଗତକାଲି ଲୋହିଆ ଏକାଡ଼େମୀ ପରିସରରେ  ‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି । ସମଧ୍ୱନି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବୃତ୍ତଚିତ୍ରକୁ ବିଶିଷ୍ଟ ଚଳଚିତ୍ର ନିର୍ମାତା ଶ୍ରୀ ସବ୍ୟସାଚୀ ମହାପାତ୍ର ଉନ୍ମୋଚନ କରିଥିଲେ । ବୃତ୍ତଚିତ୍ରଟି ପଶ୍ଚିମ ଓଡ଼ିଶାର ଗଁଡ଼ା ସମ୍ପ୍ରଦାୟ ବଜଉଥିବା ବାଜା ‘ଗଁଡ଼ାବଜା’ ଉପରେ ପର୍ଯ୍ୟବେଶିତ। ଏହି ‘ଗଁଡ଼ାବଜା’ କେମିତି ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରିଚୟ ସହିତ ଜଡ଼ିତ ଓ ବିନା ବାଦ୍ୟରେ ପଶ୍ଚିମ ଓଡ଼ିଶାରେ ସାଂସ୍କୃତିକ କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରେ ନାହିଁ ବୃତ୍ତଚିତ୍ରରେ ବର୍ଣ୍ଣନା କରାଯାଇଛି । ବଜା ବଜଉଥିବା ବଜନିଆମାନଙ୍କୁ ରାଜ୍ୟ ସରକାର ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ କାହିଁକି ଲୋକକଳାକାର ତାଲିକାଭୂକ୍ତ କରିନାହାଁନ୍ତି , କାହିଁକି କଳାକାରମାନେ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବୃତ୍ତଚିତ୍ର ମାଧ୍ୟମରେ ପ୍ରଶ୍ନ କରାଯାଇଛି । ସାମାଜିକ କ୍ଷେତ୍ରରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେବାଯୋଗୁଁ ଓ ଏହି ବାଜା ବଜେଇ ଉପଯୁକ୍ତ ପାରିଶ୍ରମିକ ନପାଇବା ଫଳରେ ବଜନିଆ ସମ୍ପ୍ରଦାୟର ଯୁବକମାନେ ଏବେ ଧିରେ ଧିରେ ଗଁଡ଼ାବଜା ଛାଡ଼ି ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ପ୍ରତି ଆକୃଷ୍ଟ ହେଉଛନ୍ତି ଯାହାଫଳରେ ହଜାର ହଜାର ବର୍ଷଧରି ବଞ୍ଚି ରହିଥିବା ଏହି ଆଦିବାଦ୍ୟ ଏବେ ଲୋପପାଇବା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାକୁ ବନ୍ଦ କରିବା ଓ ଯୁବ କଳାକାରମାନଙ୍କୁ ନିଜର ପାରମ୍ପାରିକ ବାଦ୍ୟ ସମ୍ପର୍କରେ ସଚେତନ କରାଇବା ଏହି ବୃତ୍ତଚିତ୍ରର ମୂଳ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ ହୋଇଥିଲା । ବୃତ୍ତଚିତ୍ରଟିରେ ଅନେକ କଳାକାରଙ୍କର ଦୁଃଖ, ଯନ୍ତ୍ରଣା ଓ ସେମାନେ କଳା ପ୍ରଦର୍ଶନ ବେଳେ ସାମ୍ନା କରୁଥିବା ସମସ୍ୟା ଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରାଯାଇଛି ।

ବୃତ୍ତଚିତ୍ର ପ୍ରଦର୍ଶନୀକୁ ଉନ୍ମୋଚନ କରି ବିଶିଷ୍ଟ ଚଳଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର କହିଥିଲେ ଯେ, ୩୦ବର୍ଷ ତଳେ ‘ଭୁକା’ ଚଳଚିତ୍ରରେ ‘ଗଁଡ଼ାବଜା’ର କଳାକାର ମାନଙ୍କର ଅଭାବ ଅସୁବିଧାକୁ ଆମେ ଉତ୍ଥାପନ କରିବାପାଇଁ ଚେଷ୍ଟା କରିଥିଲୁ ।  ଆଜି ପୁଣିଥରେ ଗଁଡ଼ାବଜା କଳାକାରମାନଙ୍କ ଉପରେ ସମଧ୍ୱନି ଗୋଟିଏ ବୃତ୍ତଚିତ୍ର ନିର୍ମାଣ କରିଛି ।  ଗତ ୩୦ ବର୍ଷ ଧରି ଗଁଡ଼ାବଜା ସମ୍ପର୍କରେ ଆଉକିଛି କାମ କରାଯାଇ ନାହିଁ । ସମଧ୍ୱନିର ଏହି ଉଦ୍ୟମକୁ ସେ ସ୍ୱାଗତ କରିଥିଲେ ଓ ଧନ୍ୟବାଦ ଜଣାଇଥିଲେ। ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ କଳାକାର ଗଁଡ଼ାବଜାର ଢ଼ୋଲବାଦକ ରମେଶ ଗୁର୍ଲା ବୃତ୍ତଚିତ୍ର ସମ୍ପର୍କରେ କହିଥିଲେ ଯେ, ସମଧ୍ୱନିର ଏହି ଉଦ୍ୟମ ଏକ ଅତ୍ୟନ୍ତ ସମୟୋପଯୋଗୀ ଗୁରୁତ୍ତ୍ୱପୂର୍ଣ୍ଣ ଉଦ୍ୟମ । ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ଭଲପାଇ ଲୋକକଳାକାରମାନଙ୍କ ସମସ୍ୟାକୁ ଏତେ ସ୍ପଷ୍ଟଭାବରେ ଉତ୍ଥାପନ କରିବାପାଇଁ ଯେଉଁ ପ୍ରୟାସ ସମଧ୍ୱନି କରିଛି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଏହି ବୃତ୍ତଚିତ୍ର ପଶ୍ଚିମ ଓଡ଼ିଶାର ଗାଁ ଗାଁରେ ଲୋକେ ଦେଖିବା ଆବଶ୍ୟକ ବୋଲି ସେ କହିଥିଲେ । ଗଁଡ଼ାବଜାର ବିଶିଷ୍ଟ ମହୁରୀ ବାଦକ ଶ୍ରୀ ସୁଦାମ ମହାନନ୍ଦ କହିଥିଲେ ଯେ ଗଁଡ଼ାବଜାର କଳାକାରମାନଙ୍କୁ ଆମ ସମାଜରେ ସେତିକି ସମ୍ମାନ ଦିଆଯାଉନାହିଁ । ସେମାନେ ଏତେ ପରେ ବି କଳାକୁ ବଞ୍ଚେଇ ରଖିଛନ୍ତି। ସେମାନଙ୍କୁ ଉଚିତ ପାରିଶ୍ରମିକ ଓ ସାମାଜିକ ସମ୍ମାନ ମିଳିଲେ ଯୁବ କଳାକାରମାନେ ଏହି କଳାପ୍ରତି ଆଗ୍ରହ ଦେଖେଇବେ ଓ ଗଁଡ଼ାବଜାର ଭବିଷ୍ୟତ ସୁରକ୍ଷିତ ହେବ । ଏହି ଆଲୋଚନାରେ ଭାଗନେଇ ବିଶିଷ୍ଟ ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ର କହିଥିଲେ ଯେ, ସମଧ୍ୱନି ଗଁଡ଼ାବଜାର ଗୋଟିଏ ଦିଗକୁ ବୃତ୍ତଚିତ୍ର ମାଧ୍ୟମରେ ଉତ୍ଥାପନ କରିବାପାଇଁ ପ୍ରୟାସ କରିଛି ଯାହା ଆଜିର ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଗଁଡ଼ାବଜାର ଅନେକ ଦିଗ ରହିଛି ଯାହା ଅଧାଘଣ୍ଟାର ବୃତ୍ତଚିତ୍ର ମାଧ୍ୟମରେ ଆଣିବା ସମ୍ଭବ ନୁହେଁ । କିନ୍ତୁ ସେସବୁ ଦିଗ ଗୁଡିକ ଲିପିବଦ୍ଧ କରାଯିବା ଜରୁରୀ ଯାହା ଧୀରେ ଧୀରେ ଲୋପ ପାଇ ପାଇ ଯାଉଛି । ଯଦି ଏବେ ନକରାଯାଏ ଆଉକେବେ ସେସବୁ ଦେଖିବାକୁ ମିଳିବ ନାହିଁ । ଏହି ବୃତ୍ତଚିତ୍ର ଉନ୍ମୋଚନ ଉତ୍ସବରେ ରାଜ୍ୟର ବିଶିଷ୍ଟ ସମାଜ ବିଜ୍ଞାନୀ , କଳାକାର, ସାମାଜିକ କର୍ମୀ, ସାମ୍ବାଦିକତା ଓ କଳାର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ବିଶିଷ୍ଟ ଗଣିତଜ୍ଞ ତଥା ଗଣିତ ପ୍ରୟୋଗ ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ସ୍ୱାଧିନାନନ୍ଦ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ତଥା ଗଣିତଜ୍ଞ ପ୍ରଫେସର ବୀରେନ୍ଦ୍ର ନାୟକ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟମହାପାତ୍ର ଇତ୍ୟାଦି ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ଶେଷରେ ‘ଗଁଡ଼ାବଜା’ ବୃତ୍ତଚିତ୍ରର ନିର୍ଦ୍ଦେଶକ ସ୍ୱୟଂପ୍ରଭା ପାଢ଼ୀ କହିଥିଲେ ଯେ, ଗଁଡ଼ାବଜା ଭଳି ବଳିଷ୍ଠ ସାଙ୍ଗିତିକ ଭିତ୍ତିଭୂମି ଥିବା କଳାକୁ ବଞ୍ଚାଇ ରଖିବାର ଦାୟିତ୍ୱ କେବଳ ପଶ୍ଚିମ ଓଡ଼ିଶାବାସୀଙ୍କର ନୁହେଁ ଏହା ସମଗ୍ର ଓଡ଼ିଶାର ଜନଗଣଙ୍କର ଦାୟିତ୍ୱ ହେବା ଉଚିତ୍। ପ୍ରକୃତି ସହିତ ଓତଃପ୍ରୋତ ଯୋଡ଼ିହୋଇ ରହିଥିବା ଏହି ବାଦ୍ୟ ଆଜିବି ଓଡ଼ିଶାର ଜନଗଣଙ୍କ ନିକଟରେ ସମ୍ପୁର୍ଣ୍ଣ ଭାବରେ ଅଜଣା ହୋଇ ରହିଛି । ଆମ ସମସ୍ତଙ୍କର ଦାୟିତ୍ୱ ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ କଳାକୁ ଅତି ଯତ୍ନର ସହିତ ବଞ୍ଚାଇ ରଖିବାପାଇଁ ଉଦ୍ୟମ କରିବା । ଆଧୁନିକତାର ପ୍ରଭାବରେ ଏହି ବଜା ଆଜି ବିଲୁପ୍ତିର ରାସ୍ତାରେ । ଏହିବଜାର ସୁରକ୍ଷା କରିବା ଦିଗରେ ‘ଗଁଡ଼ାବଜା’ ବୃତ୍ତଚିତ୍ର ସମଧ୍ୱନିର ଏକ ବିନମ୍ର ପ୍ରୟାସ ।

ଉନ୍ମୋଚନ ଉତ୍ସବରେ ଉପସ୍ଥିତ ରହି ଏହାକୁ ସଫଳ କରାଇଥିବା ସମସ୍ତ ବ୍ୟକ୍ତିତ୍ୱ ମାନଙ୍କୁ ଓ ଛାତ୍ରଛାତ୍ରୀ ମାନଙ୍କୁ ସମଧ୍ୱନିର ସମ୍ପାଦକ ଓ ‘ଗଁଡ଼ାବଜା’ ବୃତ୍ତଚିତ୍ରର ନିର୍ଦ୍ଦେଶକ ସ୍ୱୟଂପ୍ରଭା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଶେଷକରି ସବ୍ୟସାଚୀ ମହାପାତ୍ର, କବି କେଦାର ମିଶ୍ର , ସୁଦୂର ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦୁଇଜଣ ବାଦ୍ୟକାର ରମେଶ ଗୁର୍ଲା ଓ ସୁଦାମ ମହାନନ୍ଦ ତଥା ସାମ୍ବାଦିକ ଓ ସାମାଜିକ କର୍ମୀ ଗୋପବନ୍ଧୁ ସିକାଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଲୋହିଆ ଏକାଡ଼େମୀକୁ ଓ ଲୋହିଆ ଏକାଡ଼େମୀର ସମ୍ପାଦକ ଶ୍ରୀ ଦେବପ୍ରସାଦ ରାୟମହାପାତ୍ରଙ୍କୁ ତାଙ୍କର ସମଧ୍ୱନି ପ୍ରତି ସହଯୋଗ ପାଇଁ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ଭିଷଣ ବର୍ଷାରେ ଆସି ବୃତ୍ତଚିତ୍ର ଉନ୍ମୋଚନରେ ଯୋଗଦେଇଥିବା ସମସ୍ତ ଶୁଭେଛୁ ଓ ବନ୍ଧୁ ମାନଙ୍କୁ ସମଧ୍ୱନି ତରଫରୁ ସେ କୃତଜ୍ଞତା ଜଣାଇଥିଲେ ।  ଶେଷରେ ଏହି କାର୍ଯକ୍ରମକୁ ସମସ୍ତ ସହଯୋଗ ପ୍ରଦାନ କରିଥିବା ସମଧ୍ୱନିର ସମସ୍ତ ସଦସ୍ୟ ଯେଉଁମାନଙ୍କ ଭିତରେ ଥିଲେ ପ୍ରଫେସର ବୀରେନ୍ଦ୍ର ନାୟକ, ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟ , ଡ଼କ୍ଟର ସୁମିତ୍ରା ପଟେଲ, ଶିବାଶିଷ ରାୟ, ଜ୍ୟୋତିପ୍ରକାଶ ସାହୁ, ଦେବବ୍ରତ ପଟ୍ଟନାୟକ, ଦିଲ୍ଲୀପ ବେହେରା, ଲଷ୍ମୀଧର ମୁର୍ମୁ ଓ ସାଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି ଏହି କାର୍ଯ୍ୟକ୍ରମକୁ ଶେଷ ଘୋଷଣା କରିଥିଲେ ।

Share This Article