ଭଞ୍ଜନଗରର ସଂସ୍କୃତି ଓ ଜୀବନ

ଆମ ଗାଁ ଆମ ଜୀବନ

ପ୍ରିୟଦର୍ଶିନୀ ଗୌଡ଼
ପ୍ରିୟଦର୍ଶିନୀ ଗୌଡ଼ 3.8k Views
43 Min Read

 

Support Samadhwani

ନିଜ ଗାଁ’ର ସଂସ୍କୃତି ଓ ଜନ ଜୀବନକୁ ଲିପିବଦ୍ଧ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିଶ୍ଚିତ ଭାବରେ ଏକ ଅତି ଆନନ୍ଦଦାୟକ ଓ ଆଗ୍ରହର ବିଷୟ । କୋଭିଡ଼-୧୯ ଲକଡ଼ାଉନରେ ସମସ୍ତେ ଘରେ ରହୁଥିବା ସମୟରେ ସ୍ଵୟଂପ୍ରଭା ପାଢୀ (ସମଧ୍ୱନିର ସମ୍ପାଦକ ଓ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଅଧ୍ୟକ୍ଷ)ଙ୍କ ଉଦ୍ୟମରେ ଗାଁ’ର ଜୀବନୀ ଲିପିବଦ୍ଧ କରାଇବାପାଇଁ ପ୍ରୟାସଟିଏ ଆରମ୍ଭ ହୋଇଥିଲା । ପିଲାମାନଙ୍କୁ ନେଇ ଏଭଳି ଏକ ଚିନ୍ତା କରିବା ପଛରେ ସ୍ଵୟଂପ୍ରଭା ପାଢୀଙ୍କର ମୁଖ୍ୟ ପ୍ରେରଣା ଥିଲା ତାଙ୍କର ଅତୀତର ଅନୁଭୂତି ଯାହା ସେ ୨୦୦୫ ମସିହାରେ ଲୋକବିଜ୍ଞାନ ପରିଷଦ ତରଫରୁ ପ୍ରକାଶିତ ହୋଇଥିବା “ଆମ ଗାଁ ଆମ ଜୀବନ” ପୁସ୍ତକର ସହ-ସମ୍ପାଦନା କାର୍ଯ୍ୟ କରିବା ସମୟରେ ଓ ସମଦୃଷ୍ଟି ମୁକ୍ତବିଦ୍ୟାଳୟ(ଯିଏକି ଗ୍ରାସରୁଟ ସମ୍ବାଦିକତା ଓ ଗଣ ସମ୍ବାଦିକତା ସହିତ ଗାଁ’ର ଜୀବନୀ ଲିପିବଦ୍ଧ କରିବା ପାଇଁ ଶିକ୍ଷା ଦେଇଥାନ୍ତି)ରେ ଅଧ୍ୟକ୍ଷଭାବେ କାମ କରିବା ଭିତରେ ସଂଗ୍ରହ କରିଥିଲେ । ସେ ଏକ ନୂତନ ଆଭିମୁଖ୍ୟ ନେଇ ଏହି କାର୍ଯ୍ୟକ୍ରମଟି ପ୍ରଥମେ ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ସ୍କୁଲରେ ଆରମ୍ଭ କରିଥିଲେ, ଯେଉଁ କ୍ଷେତ୍ରରେ  ସ୍କୁଲର ସଂଗୀତ ଶିକ୍ଷକ ଅଜିତ କୁମାର ମୁନୀ ତାଙ୍କୁ ସହଯୋଗ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ, ସେତେବେଳେ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ଯେଉଁ ଛାତ୍ରଛାତ୍ରୀମାନେ ନିଜ ଗାଁର ଜୀବନୀ ଲେଖା କାମ ଶେଷ କରିଥିଲେ ସେମାନଙ୍କୁ ଅନଲାଇନ କାର୍ଯ୍ୟକ୍ରମ ମାଧ୍ୟମରେ “ଛାତ୍ର ସାମ୍ବାଦିକ” ସାର୍ଟିଫିକେଟ ପ୍ରଦାନ କରିଥିଲେ । ସମଧ୍ଵନି ସଂସ୍କୃତି ପତ୍ରିକା ଏହିସବୁ “ଛାତ୍ର ସାମ୍ବାଦିକ” ମାନଙ୍କୁ ନିଜର ପୃଷ୍ଠାରେ ସ୍ଥାନିତ କରି ସମଗ୍ର ରାଜ୍ୟରେ ଏହି ବାର୍ତ୍ତାର ପ୍ରଚାର ପ୍ରସାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଶେଷକରି ଛାତ୍ରଛାତ୍ରୀମାନେ ଗାଁକୁ କେମିତି ଦେଖିଛନ୍ତି ଓ ସେମାନେ କେମିତି ଗା’କୁ ଅନୁସନ୍ଧାନ କରିଛନ୍ତି, ସେ ବିଷୟଟି ସମସ୍ତେ ଜାଣିବା ଜରୁରୀ ଓ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହିଭଳି ଉଦ୍ୟମରେ ଯୋଗଦେବାର ଆବଶ୍ୟକତା ରହିଛି । ସତ କହିବାପାଇଁ ଗଲେ କୋଭିଡ଼-୧୯ ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ନିଜ ଗାଁ’କୁ ଜାଣିବାର ଓ ନିଜ ସଂସ୍କୃତିକୁ ଲିପିବଦ୍ଧ କରିବାର ଏକ ଛୋଟ ଉଦ୍ୟମ ଭିତରୁ ଗାଁ ଇତିହାସ ଓ ସଂସ୍କୃତି ସମ୍ପର୍କିତ ଏହିସବୁ ଲେଖା ଓ ଭିଡିଓ ପ୍ରସ୍ତୁତ ହୋଇଛି ଯାହାକୁ ସମଧ୍ୱନି ଆହୁରି ଆଗକୁ ଆଗେଇ ନେବାପାଇଁ ୨୦୨୦ ମସିହାରୁ ପ୍ରୟାସ ଆରମ୍ଭ କରିଛି । ଏହି ପ୍ରୟାସ ଫଳରେ ଏବେ ଅନେକ ଛାତ୍ର ଛାତ୍ରୀ ନିଜ ଗାଁର ଜୀବନୀ ଲେଖି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଯାହା ସମଗ୍ର ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କପାଇଁ ପ୍ରେରଣାର ଉତ୍ସ ହୋଇଛି।

ପ୍ରିୟଦର୍ଶିନୀ ଗୌଡ଼ଙ୍କର ଭଞ୍ଜ ନଗରର ସାଂସ୍କୃତିକ ଇତିହାସ ଏହି ଉଦ୍ୟମର ଅଂଶବିଶେଷ ଯାହାକୁ ଏଠାରେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାର ମୂଳ ଉଦେଶ୍ୟ ହେଲା ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କୁ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ତରଫରୁ ଆରମ୍ଭ କରାଯାଇଥିବା ‘ଆମ ଗାଁ ଆମ ଜୀବନ’ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପ୍ରେରଣା ଦେବା । ଯେଉଁମାନେ ନିଷ୍ଠାର ସହିତ ଲେଖାଟିକୁ ଶେଷ କରିବେ ସମଧ୍ୱନି ସେମାନଙ୍କୁ ଛାତ୍ର ସାମ୍ବାଦିକର ସମ୍ମାନ ଦେବା ସହିତ ସେମାନଙ୍କ ଲେଖାକୁ ନିଜ ପୃଷ୍ଠାରେ ସ୍ଥାନିତ କରିବ । ପ୍ରିୟଦର୍ଶିନୀ ନିଜ ଗାଁର ଜୀବନୀ ଲେଖିବା ଭିତରେ ଗାଁକୁ ପୁଣିଥରେ ବୁଝିବା ଓ ଭୌଗଳିକ ପରିସ୍ଥିତିକୁ ଜାଣିବାପାଇଁ ସକ୍ଷମ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ତାଙ୍କ ମତରେ ଭଞ୍ଜ ନଗର ଗାଁଟି କେମିତି ଗାଁରୁ ସହରର ରାସ୍ତାରେ ପରିବର୍ତ୍ତିତ ହୋଇଛି, ନିଜ ଅଂଚଳର ଇତିହାସଟିକୁ ଜାଣିବା ପାଇଁ ତାଙ୍କୁ ବହୁତ ପ୍ରେରଣା ଦେଇଛି । ରାଜ୍ୟର ଯୁବ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଗାଁ ସମ୍ପର୍କରେ ଲେଖିବା ପାଇଁ ଓ ଗାଁ କୁ ଆଉଥରେ ଜାଣିବା ପାଇଁ ସମଧ୍ୱନି ପୁଣିଥରେ ଆହ୍ୱାନ ଦେଉଛି । –  ସ୍ଵୟଂପ୍ରଭା ପାଢୀ, ସମ୍ପାଦକ

Support Samadhwani

ଆମ ଗ୍ରାମର ନାମ ‘ଭଞ୍ଜନଗର’। ଏହି ଭଞ୍ଜନଗର ଗ୍ରାମଟି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ଆମ ଗାଁର କିଛି ବୟସ୍କ ଲୋକଙ୍କୁ ଗାଁର ନାମକରଣ ସମ୍ପର୍କରେ ପଚାରି ଦେଖିଲି ଯେ, ବହୁତ ଲୋକ ପ୍ରଶ୍ନର ଉତ୍ତର ଦେଇ ପାରିଲେ କିନ୍ତୁ ସେମାନଙ୍କ ଉତ୍ତର ଅଲଗା ଅଲଗା ଥିଲା । ପ୍ରଥମେ ଜଣେ କହିଲେ; କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଜନ୍ମ ଏହି ଭଞ୍ଜନଗରର ଏକ ପ୍ରସିଦ୍ଧ ସ୍ଥାନ କୁଲାଡ଼ରେ ହୋଇଥିଲା । କବି ସମ୍ରାଟଙ୍କ କବିତା ଲେଖାରେ ଅନେକ ଆଗ୍ରହ ଥିଲା । ତାଙ୍କର ସେହି ଆଗ୍ରହରୁ ସେ ବହୁତ କବିତା ଓ କାବ୍ୟ ଗ୍ରନ୍ଥ ଇତ୍ୟାଦି ଲେଖି ଓଡ଼ିଶା ପ୍ରସିଦ୍ଧ ହୋଇଗଲେ । ତାଙ୍କ ନାମରୁ ହିଁ ଭଞ୍ଜନଗର ହେଲା । ୨ୟ ଲୋକ; ଆମ ଗ୍ରାମର ସୁବାଷ ଚନ୍ଦ୍ର ଗୌଡ଼ଙ୍କୁ ପଚାରିବାରୁ ସେ ଉତ୍ତର ଦେଲେ କି ପ୍ରଥମେ ଆମ ଗାଁର ନାମ ଭଞ୍ଜନଗର ନଥିଲା । ବହୁତ ବଡ଼ କଥା ଥିବ ଏହି ଗ୍ରାମର ନାମ ପଛରେ । ମୁଁ ଯେମିତି ମୋ ମା’ ଆଉ ବାପାଙ୍କ ଠାରୁ ଶୁଣିଛି ଯେ, ଭଞ୍ଜନଗରର ପ୍ରାଚୀନ ନାମ ଥିଲା “ରସେଲକୁଣ୍ଡା’ । ‘ରସେଲ + କୁଣ୍ଡା’ ରସେଲକୁଣ୍ଡା । ଏହି ଗ୍ରାମକୁ ଅତୀତରେ ବିଟ୍ରିଶମାନେ ମଧ୍ୟ ଶାସନ କରିଥିଲେ । ସେଥିମଧ୍ୟରୁ ଜଣେ ବଡ଼ ସାହେବ ଥିଲେ ‘ରସେଲ’ ସାହେବ । ସେ ଜଣେ ଗୋରା ସାହେବ । ‘ରସେଲକୁଣ୍ଡା’ ର ରସେଲ୍ ଶବ୍ଦଟି ଗୋରା ସାହେବଙ୍କ ଅନୁସାରେ ହୋଇଥିଲା । ଏବଂ ଆଉ ବାକି ରହିଲା କୁଣ୍ଡା । ତେଲୁଗୁ ଭାଷାରେ କୁଣ୍ଡାର ଯିବା ପରେ ରସେଲ ହିଲ ଆସି ଶାସନ କରିଥିଲେ । ଯାହା ଫଳରେ ଗ୍ରାମର ନାମ ରସେଲ୍‌କୁଣ୍ଡା ଥିଲା । ତାଙ୍କର ଯିବା ପରେ ଭଞ୍ଜ ପରିବାର ଆସି ଶାସନ କରିଥିଲେ ଏବଂ ତାଙ୍କ ନାମରୁ ଭଞ୍ଜନଗର । ଯାହା ଆଜି ମଧ୍ୟ କୁହାଯାଉଛି ।

ଆମ ଗାଁ ପାଖରେ ଲୋହରାଖଣ୍ଡି ନଦୀ ପ୍ରବାହିତ ହେଉଛି । ଆମ ଗାଁର କୃଷି କାର୍ଯ୍ୟ ପାଇଁ ଜଳସେଚନର ସୁବିଧା ରହିଛି । ଗାଁରେ ଛୋଟ ଛୋଟ ନାଳ ଗୁଡ଼ିକ ଅଛି । ଆମ ଗାଁରେ ରୁଷିକୁଲ୍ୟା, ଲୋହରାଖଣ୍ଡି, ଘୋଡ଼ାହାତ ଏବଂ ବଡ଼ନଦୀ ମଧ୍ୟ ପ୍ରବାହିତ ହେଉଛି । ଆମ ଗାଁରେ ନାତୁଣୀ ନାଳ ବହିଯାଇଛି । ଏହି ନାଳ ମାଧ୍ୟମରେ ସୋରିଷ ମୂଳି ଓ ଥୋଲାପିଟା ଧୋଇ ହୋଇଯାଇଥିଲା । ଭଞ୍ଜନଗର ବ୍ଲକ୍ ନିକଟସ୍ଥ ଗୋଟିଏ ପୋଖରୀ ଅଛି ଯାହାର ନାମ ହାତୀବନ୍ଧ ଅଟେ ଏବଂ ଭଞ୍ଜନଗରରେ ଅନେକ ଛୋଟ ଛୋଟ ପୋଖରୀ ରହିଅଛି । ଲୋକଙ୍କ ପାଇଁ ଏହା ବହୁତ୍ ଉପକାରୀ ଅଟେ । ଭଞ୍ଜନଗରର ଦଣ୍ଡୁଆମାନେ ପୋଖରୀରେ ପାଣ୍ଡିଦଣ୍ଡ କରନ୍ତି ଏବଂ ଏଠାକାର ଲୋକମାନେ ମଧ୍ୟ ସ୍ନାନ କରନ୍ତି।

ଭଞ୍ଜନଗରର ଚତୁର୍ପାଶ୍ୱରେ ଛୋଟ ବଡ଼ ଜଙ୍ଗଲ ରହିଛି । ପୁରାତନ ଯୁଗ ଏବଂ ପୁରାତନ ଲୋକଙ୍କ କଥାନୁସାରେ ଜଙ୍ଗଲ ଗୁଡ଼ିକ ବହୁତ ପୁରୁଣା ଓ ଘଞ୍ଚ ଅଟେ । ବ୍ରହ୍ମପୁର ଠାରୁ ୭୨କି.ମି. ଦୂରରେ ସାଳୁଆପାଲ୍ଲୀ ଗ୍ରାମ ଠାରୁ ସୋମାନାଥ ପଲ୍ଲୀ ମଧ୍ୟରେ କାଳିଅମ୍ବା ନାମକ ଏକ ଜଙ୍ଗଲ ଅବସ୍ଥିତ । ସେଠାରେ ଏକ ବିଶ୍ରାମସ୍ଥଳୀ ମଧ୍ୟ ଅବସ୍ଥିତ । ଦୂର ଦୂରର ଲୋକ ସେହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଧାଇଁ ଆସନ୍ତି । ଭଞ୍ଜନଗର-ଫୁଲବାଣୀ ରାସ୍ତା ନିକଟସ୍ଥ ଏକ ପର୍ଯ୍ୟଟନସ୍ଥଳୀ, ବନବିହାର ୫ ହେକ୍ଟର ଜମି ମଧ୍ୟରେ ଅଛି । ଏହି ଜଙ୍ଗଲରେ ବଡ଼ ଗୁଣ୍ଡୁଚିମୂଷା ଦେଖିବାକୁ ମିଳେ । ଜଙ୍ଗଲ ମଧ୍ୟରୁ ସବୁଠୁ ସୁନ୍ଦର ଏବଂ ଆକର୍ଷଣୀୟ ଜାଗା ହେଲା ‘ଚମ୍ବା ବନ’ ଏବଂ ‘ଗୋଲାପ ବଗିଚା’ । ଭଞ୍ଜନଗରରେ ବହୁଳ ପରିମାଣରେ ହନୁ ମାଙ୍କଡ଼ ଅଛନ୍ତି । ଗୃହପାଳିତ ପଶୁ ଭିତରେ ଗାଈ, ମେଣ୍ଢା, ଛେଳି, ବଳଦ, ଠେକୁଆ, କୁକୁର ବିଲେଇ ଓ ଗୃହପାଳିତ ପକ୍ଷୀ ଭିତରେ ଶୁଆ, ଶାରୀ, ବଣୀ, କୁକୁଡ଼ା, ବତକ, ହଂସ ଇତ୍ୟାଦି ଅଛନ୍ତି । ଭଞ୍ଜନଗର ନିକଟସ୍ଥ ଗ୍ରାମ ଅଗଝୋଳର ପୋଖରୀରେ ଅନେକ ବତକ, ହଂସ ଦେଖିବାକୁ ମିଳେ । ସୂର୍ଯ୍ୟାସ୍ତ ସମୟରେ ଅନ୍ଧାର ହୋଇଆସୁଥିବା ବେଳେ ଛୋଟ ଛୋଟ କୀଟ ଦେଖିବାକୁ ମଳେ । ତାକୁ ଲୋକେ ଜୁଳୁଜୁଳିଆ ପୋକ ବୋଲି କୁହନ୍ତି । ସେହି ସନ୍ଧ୍ୟା ସମୟରେ ଗାଁର ଛୋଟ ଛୋଟ ପିଲା ଖେଳୁଥାଆନ୍ତି । ସେମାନେ ଏହି ଛୋଟ ଛୋଟ ଜୁଳୁଜୁଳିଆ ପୋକକୁ ଲାଇଟ ପୋକ କହି କହି ଧରିବା ପାଇଁ କୀଟ ପଛରେ ଦୌଡ଼ନ୍ତି । ଗାଁର କୂଅ ଏବଂ ପାଣି ରହୁଥିବା ବା ନାଳ, ନର୍ଦ୍ଦମା ପାଖରେ ଗେଣ୍ଡାମାଳିଆ କୀଟ ମଧ୍ୟ ଦେଖିବାକୁ ମିଳେ । ଆଉ କ୍ଷେତମାନଙ୍କରେ ଜିଆ ଦେଖିବାକୁ ମିଳିଥାଏ । ଆଉ କିଛି କୀଟ ପତଙ୍ଗମାନଙ୍କ ନାମ ଯାହା ଗ୍ରାମରେ ଦେଖିବାକୁ ମିଳୁଛି – ଅସରପା, ଝିଟିପିଟି, ବୁଢ଼ୀଆଣୀ, ବିଛା, ବିଛାମଳା, ପ୍ରଜାପତି ଇତ୍ୟାଦି । ଗଛମାନଙ୍କ ଭିତରେ ଶାଳ, ପିଆଶାଳ, ଶାଗୁଆନ୍‌, ଟିକ୍ କାକପୋଇ, ଶିମିଳି ଗଛ, ନିମ, ବରଗଛ, ଓସ୍ତଗଛ, ଆମ୍ବଗଛ, ପଣସ ଗଛ, ତେନ୍ତୁଳି ଗଛ, ନଡ଼ିଆ ଗଛ, କଦଳୀ ଗଛ, ଆଖୁ ଗଛ ଇତ୍ୟାଦି ଦେଖିବାକୁ ମିଳୁଛି । ଲୋକମାନେ ଶାଳ, ପିଆଶାଳ, ଜାମକୋଳି, ଶାଗୁଆନ୍‌, ନିମ, ଆମ୍ବଗଛ ଗଣ୍ଡିର କାଠ କାଟି ବିକନ୍ତି । ଲତା ଭିତରେ କଖାରୁ, ବୋଇତାଳୁ, କାକୁଡ଼ି, କାଙ୍କଡ଼, ପୋଇ, ଶିମ୍ବ ଅଲଡ଼ି, ବିନ, ତୋରଡ଼ା ଏବଂ ଅନ୍ୟ ଲତାଗୁଡ଼ିକ ଅଛି । ଲୋକମାନେ ଏହିସବୁ ଲତା ଗୁଡ଼ିକ ନିଜେ ଯତ୍ନର ସହ ଚାଷ କରନ୍ତି ଏବଂ ଏହି ସବୁକୁ ବିକ୍ରି କରି ପଇସା ରୋଜଗାର କରନ୍ତି । ଆମ ଗାଁରେ ଡାଳିମ୍ବ, ଆମ୍ବ, ପଣସ, କଦଳୀ, କାକୁଡ଼ି, ସୀତାଫଳ, ରାମଫଳ, ପିଜୁଳି, ଲେମ୍ବୁ, କମଳା, ଅଙ୍ଗୁର, ସପେଟା, କମଳା, କରୁଣା, ଟଭା ଇତ୍ୟାଦି ସବୁମିଳେ । ଭଞ୍ଜନଗରର ମୁଖ୍ୟ ସୌନ୍ଦର୍ଯ୍ୟ ହେଲା ଫୁଲ । ଏଠାରେ ରହୁଥିବା ପ୍ରତ୍ୟେକ ଲୋକଙ୍କ ଘର ବାଡ଼ିରେ ବିଭିନ୍ନ ପ୍ରକାରର ଫୁଲ ଦେଖିବାକୁ ମିଳେ । ଟଗର, ମଲ୍ଲି, ଚମ୍ପା, ସେବତୀ, ଗୋଲାପ, ଗେଣ୍ଡୁ ଓ ମନ୍ଦାର, ଛଡ଼ା ଅନେକ ରଙ୍ଗର ଗୋଲାପ, ମନ୍ଦାର ଗେଣ୍ଡୁ ସେହିଭଳି ହଳଦିଆ ଗୋଲାପୀ ରଙ୍ଗ, ନାଲି ରଙ୍ଗ, ଧଳା ରଙ୍ଗର ଫୁଲ ମଧ୍ୟ ଦେଖିବାକୁ ମିଳେ । ଏଥି ମଧ୍ୟରୁ ବିଭିନ୍ନ ପ୍ରକାର ରଙ୍ଗର ମନ୍ଦାର ମଧ୍ୟ ଦେଖିବାକୁ ମିଳେ; ଧଳାମନ୍ଦାର, ନାଲି ମନ୍ଦାର, ସପ୍ତପୁରୀ ମନ୍ଦାର, ମରିଚ ମନ୍ଦାର, ହଳଦିଆ ମନ୍ଦାର ଇତ୍ୟାଦି । ଫସଲ ଭିତରେ ଆମ ଗାଁରେ କୋଳଥ, ରାଶି, ମାଣ୍ଡିଆ, ଧାନ, ଆଖୁ ଫସଲ କରାଯାଏ । ଏଠାକାର ମୁଖ୍ୟ ଫସଲ ହେଲା ଧାନ । ଧାନ ବ୍ୟତୀତ ସେମାନେ ଅନ୍ୟାନ୍ୟ ଫସଲ ମଧ୍ୟ କରନ୍ତି । ସେମାନେ ଆଖୁ ଅମଳ କରି ସେଥିରୁ ଗୁଡ଼ ତିଆରି କରି ସେଥିରୁ ଅର୍ଥ ରୋଜଗାର କରନ୍ତି ।

୧୯୯୨ ମସିହା ଅନୁଯାୟୀ ଦେଖିଲେ ଏବଂ ଲୋକେ କହିଲେ ସେତେବେଳେ ଗ୍ରାମର ପ୍ରାୟ ୭୦,୫୦୦ଲୋକ ବସବାସ କରୁଥିଲେ । ସମୟ ଅନୁସାରେ ଗ୍ରାମରେ ଲୋକ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାଫଳରେ ଭଞ୍ଜନଗର ଗାଁରୁ ସହର ବୋଲି କୁହାଗଲା । ବର୍ତ୍ତମାନ ଆମ ଗାଁ’ମାନେ ବର୍ତ୍ତମାନ ଯାହା ସହରରେ ୧ ଲକ୍ଷରୁ ଉପରେ ଲୋକ ରହିବାକୁ ଲାଗିଲେଣି । ଅନେକ ବୟସ୍କ ଲୋକଙ୍କୁ ପଚାରିଲି ଗାଁର ଚାଲିଚଲଣି ବିଷୟରେ ସେମାନେ ସେମାନଙ୍କ ପିଲାବେଳ କଥା ବା ତାଙ୍କ ବାପା, ମାଙ୍କ ସମୟ କଥା କହିଲେ । ସେ କହିଲେ – ଯେତେବେଳେ ସେମାନେ ଗାଁକୁ ଆସିଥିଲେ ଗାଁର ପ୍ରତ୍ୟେକ ଲୋକ ଗାମୁଛା, ଧୋତି ପିନ୍ଧୁଥିଲେ ଓ ସ୍ତ୍ରୀ ଲୋକମାନେ ଖଣ୍ଡିଏ ଲୁଗା ପିନ୍ଧୁଥିଲେ । ସେହି ସମୟରେ ସେମାନଙ୍କ ଖଣ୍ଡିଏ ଧୋତି, ଗାମୁଛା, ଲୁଗା ବର୍ଷ ବର୍ଷ ଚଳି ଯାଉଥିଲା । ସେମାନେ ସାମାନ୍ୟ ମାଟି, ଚାଳ, ଘରେ ରହୁଥିଲେ । ବିଦ୍ୟୁତ୍‌ର ସୁବିଧା ନ ଥିଲା । ସେମାନେ ରାତି ଅନ୍ଧାରରେ ବିନା ଆଲୁଅ କିମ୍ବା ଅଳ୍ପ ଆଲୁଅରେ କଟାଉଥିଲେ । ବାଘ, ଭାଲୁ, ବିଲୁଆର ଭୟ ଥାଏ ସେହି ସମୟରେ । ସେମାନେ ନିଜେ ପରିଶ୍ରମ କରି ନିଜ ପାଇଁ ଅନ୍ନ ଉପାର୍ଜନ କରୁଥିଲେ । ସେମାନେ ମୁଖ୍ୟତଃ ପଖାଳ ଭାତ, ଶୁଖୁଆ ଭଜା, ଶାଗ ଖାଉଥିଲେ । ଆଗକାଳର ଅନେକ ଲୋକ କେବଳ କୃଷି କାର୍ଯ୍ୟ ହିଁ କରୁଥିଲେ । ସୋନେ ଆଲୁଅ ଦୀପ ଓ ଲଣ୍ଠନରୁ ପାଉଥିଲେ । ସେ ଏହା ମଧ୍ୟ କହିଲେ କି- ଏ ଯୁଗର ନାନା ରକମର, ରଙ୍ଗ ବେରଙ୍ଗ ପୋଷାକ ସେ ଯୁଗର ନ ଥିଲା । ଏ ଯୁଗର ଭଳି ମୋଟର ବାଇକ୍‌, ୪ ଚକିଆ ଗାଡ଼ି, ବସ ଏସବୁ କିଛି ନଥିଲା । ଆକାଶର ଉଡ଼ିବା ଉଡ଼ାଜାହାଜ ତ ସ୍ୱପ୍ନ ଥିଲା । ସେ କହିଲେ ସେମାନଙ୍କୁ ଦୂରକୁ ଯିବାକୁ ହେଲେ ଦିନ ସାରା ଚାଲି ଚାଲି କିମ୍ବା ଶଗଡ଼ରେ ଯିବାକୁ ପଡ଼ୁଥିଲା । ମୁଁ ଭାବୁଛି ଯଦି ସେମାନଙ୍କୁ ବାହାଘର ନିମନ୍ତ୍ରଣ ମିଳୁଥାଏ ତାହାଲେ ସେମାନେ ବାହାଘର ୭-୮ ଦିନ ପୂର୍ବରୁ ଯାତ୍ରା ଆରମ୍ଭ କରିବେ ତେବେ ଠିକ୍ ସମୟ, ଦିନରେ ପହଞ୍ଚିବେ । ଯଦି ଗୋଟିଏ ଦିନ ପୂର୍ବରୁ ବାହାରିବେ ତା ହେଲେ ବାହାଘର ସରି ବୋହୂ ଶାଶୁଘର ଗଲାପରେ ପହଞ୍ଚିବେ । ଏହି କଥା ମୁଁ ସେ ବୟସ୍କଙ୍କୁ କହିବାରୁ ସେ ହସିଲେ ଓ କହିଲେ ସେତେବେଳେ ଏ ସବୁର ସୁବିଧା ନଥିଲା ଯେଭଳି ତୁମେ ଏବେ ଚାହିଁଲେ ଦୁଇ-ତିନି ଘଣ୍ଟାରେ ଅନ୍ୟ ରାଜ୍ୟ ବା ଦୂର ରାଜ୍ୟକୁ ଯାଇପାରିବ । ସେତେବେଳେ ବହୁତ୍ ପରିଶ୍ରମ କରିବାକୁ ପଡ଼ୁଥିଲା । ଏସବୁ କଥା ଶୁଣିସାରିଲା ପରେ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଲି । ମୁଁ ତାଙ୍କ ନାମ ମଧ୍ୟ ପଚାରିଥିଲି କିନ୍ତୁ ସେ ମତେ ତାଙ୍କ ନାମ କହିନଥିଲେ କିନ୍ତୁ ପ୍ରତ୍ୟୁତ୍ତରରେ ମୋ ନାମ ପଚାରିଥିଲେ । ବହୁତ ସମୟ ସେହି ଲୋକଙ୍କ ସହ କଥା ହୋଇ ଆସିଲି । ତାଙ୍କ ବୟସ ଅତିକମ୍‌ରେ ୮୫ ହୋଇଥିବ । ବର୍ତ୍ତମାନ ଲୋକଙ୍କ ବହୁତ ଉନ୍ନତି ଘଟିଛି ଯାହାକି ମୁଁ ସେହି ଲୋକଙ୍କ ଠାରୁ ଶୁଣିଲି । ସେତେବେଳେ ଶଗଡ଼ ଥିଲା । ବର୍ତ୍ତମାନ ଗାଡ଼ି, ବସ୍‌, କାର, ମୋଟର ବାଇକ୍ ଇତ୍ୟାଦି । ସେତେବେଳେ ଗାଈଗୋରୁ ଦ୍ୱାରା ଚାଷ କରୁଥିଲେ । ବର୍ତ୍ତମାନ ଟ୍ରାକ୍ଟର ଦ୍ୱାରା ଚାଷ କରାଯାଉଛି। ସେତେବେଳେ ମାଟି ରାସ୍ତା ଥିଲା ଯାହା ବର୍ଷା ହେଲେ ଧୋଇ ହୋଇଯାଉଥିଲା। କିନ୍ତୁ ବର୍ତ୍ତମାନ ପିଚୁ ରୋଡ଼ । ସେତେବେଳେ ଦୋକାନ-ବାଡ଼ି ନ ଥିଲା ଏବେ ପ୍ରତ୍ୟେକ ଜାଗାରେ ଅଛି । ସେତେବେଳେ ବିଦ୍ୟୁତ୍‌ର ସୁବିଧା ନ ଥିଲା କିନ୍ତୁ ଏବେ ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ୍ । ସେତେବେଳେ ସେମାନେ ସରଳ ପୋଷାକ ପିନ୍ଧୁଥିଲେ କିନ୍ତୁ ଏବେ ନାନା ରକମର ପୋଷାକ ପିନ୍ଧୁଛନ୍ତି। ସେତେବେଳେ ଚାଳ, କୁଡ଼ିଆରେ ଲୋକେ ରହୁଥିଲେ କିନ୍ତୁ ଏବେ ଲୋକେ କୋଠାଘରେ ରହୁଛନ୍ତି। ବହୁତ୍ କିଛି ପରିବର୍ତ୍ତନ ହୋଇଛି। ସେତେବେଳେ ବହୁତ୍ ପ୍ରକାର ପଶୁ, ପକ୍ଷୀ, କୀଟପତଙ୍ଗ, ମାଛ ସବୁଜ ପରିବେଶ, ନିର୍ମଳ ପାଣି, ପବନ ସବୁ କିଛି ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ପଶୁ ପକ୍ଷୀ, କୀଟପତଙ୍ଗ, ମାଛ ସବୁଜ ପରିବେଶ, ସବୁକିଛି ଲୁପ୍ତ ହେବାରେ ଲାଗିଛି । ନିର୍ମଳ ପାଣି, ପବନ ବଦଳରେ ବର୍ତ୍ତମାନ ଆମକୁ ଗାଡ଼ିର ଧୂଆଁ ମିଳୁଛି । ପୃଥିବୀ ବୈଜ୍ଞାନିକ ପଥରେ ଉଗ୍ର ଭାବରେ ଗତି କରୁଛି କିନ୍ତୁ ପରିବେଶ ଅବନତି କରି ଚାଲିଛି । ଆସ୍ତେ ଆସ୍ତେ ଗାଁ ମଧ୍ୟ ସହର ହୋଇଯାଉଛି ।

ପୁରାତନ ଯୁଗକୁ ଦେଖିଲେ ସବୁଠାରୁ ସୁନ୍ଦର ଏବଂ ବଡ଼ ଘର ନୀଳ ପ୍ରଧାନଙ୍କର ଥିଲା । ନୀଳ ପ୍ରଧାନଙ୍କ ବଡ଼ ଏବଂ ସୁନ୍ଦର ଘର ଥିଲେ ମଧ୍ୟ ସେ ଗର୍ବୀ ଓ ଅହଂକାରୀ ନ ଥିଲେ । ସେ ସମସ୍ତଙ୍କୁ ସମାନ ଭାବରେ ଦେଖୁଥିଲେ । କାହାକୁ ମଧ୍ୟ ଧନୀ ଓ ଗରିବ ବୋଲି ପ୍ରଭେଦ ଦେଖୁନଥିଲେ । ଗାଁରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯେଭଳି- ଯାନିଯାତ୍ରାରେ ସମସ୍ତଙ୍କୁ ସହଯୋଗ କରୁଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ଚାକିରିଆ ଓ ବ୍ୟବସାୟୀ ଲୋକ । ସମସ୍ତଙ୍କ ଘର ସୁନ୍ଦର ଏବଂ ଅନେକ ଲୋକଙ୍କ ବଡ଼ ଘର ମଧ୍ୟ ଅଛି । ପୁରାତନ ଯୁଗ ଅନୁସାରେ ସବୁଠାରୁ ସାନ ଘର ପଟ୍ଟନାୟକ ଥିଲେ । ସେ ବହୁତ୍ ଗରୀବ ଥିଲେ । ଏତେ ଗରୀବ ଯେ ତାଙ୍କ ପାଖରେ ରହିବାକୁ କୁଡ଼ିଆଟି ବି ନଥିଲା କି ଖାଇବାକୁ ମଧ୍ୟ କିଛି ନ ଥିଲା । ସେ ଲୋକଙ୍କ ଘରେ କାମ କରି ବୋଲ ହାକ କରି ଚଳୁଥିଲେ । ବର୍ତ୍ତମାନ ମଧ୍ୟ ଭଞ୍ଜନଗରରେ ଅନେକ ଗରିବ ଲୋକ ଅଛନ୍ତି । ସେମାନଙ୍କୁ ଦରକାର ଠାରୁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ୁଛି ତଥାପି ଦିନେ ଦିନେ ସେମାନଙ୍କୁ ଉପାସ ମଧ୍ୟ ରହିବାକୁ ପଡ଼ୁଛି ।

ଆଜିକୁ ୫୦-୬୦ ବର୍ଷ ପୂର୍ବରୁ ଲୋକେ ଚାଳଘରରେ ରହୁଥିଲେ । ଚାଳଘର ଗୁଡ଼ିକରେ ଲୋକମାନେ ନଡ଼ା, ଛପର ମାଟି, ଛାଟି ଦ୍ୱାରା ନିଜେ ନିଜ ଘରକୁ ତିଆରି କରୁଥିଲେ । ଘର ଚଟାଣକୁ ଗୋବରରେ ଲିପି ସଫା ସୁତରା କରୁଥିଲେ । କାରଣ ଗାଁର ଲୋକମାନେ ଗାଈ ମୁତ୍ର ଓ ଗୋବରକୁ ପବିତ୍ର ବୋଲି କୁହନ୍ତି । ଘରେ ସ୍ତ୍ରୀ ଲୋକାମାନେ ରଙ୍ଗମାଟି ଏବଂ ଚାଉଳ ବାଟି ବିଭିନ୍ନ ପ୍ରକାର ଝୋଟି ଦେଇ ଘରକୁ ସୁସଜ୍ଜିତ କରୁଥିଲେ । ବର୍ତ୍ତମାନ ମଧ୍ୟ କରୁଛନ୍ତି । ଘରଟିକୁ ବାହାରୁ ଦେଖିଲେ ଏମିତି ଲାଗେ ଯେପରି ଘରେ ସ୍ୱଂୟ ମା’ ଲକ୍ଷ୍ମୀଙ୍କ ବାସ ଅଛି । ଘରକୁ ଗଲେ ମଧ୍ୟ ଘରଟି ଶୀତଳ ଲାଗେ ।

ଆମ ଗାଁରେ ବିଭିନ୍ନ ଜାତି-ଧର୍ମ-ବର୍ଣ୍ଣର ଲୋକ ବସବାସ କରନ୍ତି । ଯେଭଳି କି ହିନ୍ଦୁ, ମୁସଲିମ୍‌, ଶିଖ, ଖ୍ରୀଷ୍ଟିୟାନ୍‌, କନ୍ଧ ଇତ୍ୟାଦି ଜାତି-ଧର୍ମର ଲୋକ ଅଛନ୍ତି । ସମସ୍ତଙ୍କର ଜାତି ଧର୍ମ ଭିନ୍ନ ଭିନ୍ନ ହେଲେ ମଧ୍ୟ ସେମାନେ ଏକ ହୋଇ ଭାତୃଭାବର ଭାବନା ନେଇ ଏକାଠି ଚଳନ୍ତି ଏବଂ ଗାଁର ଲୋକଙ୍କ ଜାତି-ଧର୍ମ ଅଲଗା ପର୍ବପର୍ବାଣୀ ଅଲଗା ହେଲେ ମଧ୍ୟ ମିଳିମିଶି ପାଳନ୍ତି । ସବୁଠୁ ସୁନ୍ଦର ଏବଂ ଆଶ୍ଚର୍ଯ୍ୟ କଥା ହେଲା ଜାତି-ଧର୍ମ-ବର୍ଣ୍ଣକୁ ନେଇ ଗାଁରେ କେବେ ମଧ୍ୟ ମତାନ୍ତର ହୋଇନାହିଁ ।

ଆମ ଗାଁର ପ୍ରାୟ ଲୋକ ଚାଷବାସ କରି ଆଗକାଳରୁ ଜୀବନଯାପନ କରୁଥିଲେ କିନ୍ତୁ ବର୍ତ୍ତମାନକୁ ଦେଖିଲେ ଏଠାକାର ଲୋକମାନେ ଚାକିରିଆ ବା ବ୍ୟବସାୟୀ ଅଛନ୍ତି । ଯେମିତି ଶିକ୍ଷକ, ପୋଷ୍ଟମାଷ୍ଟର, ଡାକ୍ତର, ଇଂଜିନିୟର, କିରାଣୀ ବ୍ୟବସାୟୀ ଇତ୍ୟାଦି ମଧ୍ୟ କରନ୍ତି । ଆଉ ବାକି ଲୋକ କୃଷି କାର୍ଯ୍ୟ, ମିସ୍ତ୍ରୀ କାମ ଅଥବା ଦେଶ ବିଦେଶ ଯେମିତି କି ସୁରତକୁ ଯାଇ କାମ କରି ରୋଜଗାର କରନ୍ତି । ରୋଜଗାର ପାଉ ନଥିବା ଲୋକମାନେ ନିଜ ଗାଁଛାଡ଼ି ଅର୍ଥରୋଜଗାର ପାଇଁ ସୁରତ, ମୁମ୍ବାଇ, ଦିଲ୍ଲୀ, କେରଳ, କଲିକତା ଯାଆନ୍ତି। ଆଉ କିଛି ଲୋକ ରୋଜଗାର ପାଇଁ ସରକାରଙ୍କ ଯୋଜନା ହିସାବରେ ଜବକାର୍ଡ଼ଧାରୀମାନେ ଦିନ ମଜୁରିଆ ଭାବରେ ଖଟି ଅର୍ଥରୋଜଗାର କରନ୍ତି । କମ୍ ରୋଜଗାର ଯୋଗୁଁ ବା ରୋଜଗାର ପାଉଥିବା ଲୋକଘରେ ଯାହା ଥିବ ସେଥିରେ ହିଁ ଚଳଣି କିମ୍ବା ଉଧାର କରନ୍ତି । ବହୁତ୍ କଷ୍ଟକର ସେମାନେ ଜୀବନଯାପନ କରନ୍ତି । ଅସୁବିଧାରେ, ଥିବା ଲୋକଙ୍କ ପାଇଁ ସରପଞ୍ଚ ଚିନ୍ତା କରନ୍ତି । ଗାଁ ଲୋକ ଅସୁସ୍ଥ ଥିଲା ବେଳେ ଏଠାକାର ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ର୍କମଚାରୀମାନେ ସାହାଯ୍ୟ କରନ୍ତି । ଗାଁରେ ଥିବା ଧନୀ ଲୋକମାନେ ଅଭାବରେ ଥିବା ଲୋକମାନଙ୍କୁ ସାହାଯ୍ୟ କରନ୍ତି ।

ମନ୍ଦିର

ଆମ ଗାଁରେ ବହୁତ୍ ସାରା ମନ୍ଦିର ଅଛି କିନ୍ତୁ ମସ୍‌ଜିଦ୍ ଏବଂ ଗୀର୍ଜା ସଂଖ୍ୟା କମ୍ ଅଛି କାରଣ ଏଠାରେ ବହୁତ୍ ସଂଖ୍ୟାରେ ହିନ୍ଦୁଲୋକ ଅଛନ୍ତି । ଆମ ଗାଁର କୁଳଦେବୀ ବାଘଦେଇ ଅଟନ୍ତି । ତାଙ୍କରି କୃପାରୁ ଆଜି ଆମ ଗାଁ ସୁରକ୍ଷିତ ଓ ସମୃଦ୍ଧି ସମ୍ପୂର୍ଣ୍ଣ ଅଟେ । ମନ୍ଦିରର ଦୃଶ ଅତି ମନୋହର । ମା’ଙ୍କର ପ୍ରତିମା ଯିଏ ଥରେ ଦେଖେ ସେ ଧନ୍ୟ ହୋଇଯାଏ । ଅତି ସୁନ୍ଦର ପରିବେଶରେ ମା’ ବାଘଦେଇଙ୍କ ସ୍ଥାପନା ହୋଇଛି । ମା’ଙ୍କୁ ଦେଖିଲେ ଏମିତି ଲାଗେ ମା’ ଯେମିତି ସ୍ୱୟଂ ବାଘ ପିଠିରେ ବସି ଲୋକଙ୍କୁ ସଂକଟରୁ ଉଦ୍ଧାର କରିବାକୁ ଆସୁଛନ୍ତି । ଭଞ୍ଜନଗର ବସ୍‌ଷ୍ଟାଣ୍ଡ ପାଖରେ ଗୋଟିଏ ହନୁମାନ ମନ୍ଦିର ଶୋଭାପାଉଛି । ଏଠାରେ ଶନିବାର ଓ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଆସନ୍ତି । ଏଠାରେ ଏକ ପ୍ରସିଦ୍ଧ ସାଇ ମନ୍ଦିର ରହିଛି । ଗୁରୁବାର ଅନେକ ଭକ୍ତ ସାଇବାବାଙ୍କ ମହିମା ତଥା ସାଇ ପୁରାଣ ଶୁଣିବା ପାଇଁ ଦୂରଦୂରରୁ ଆସନ୍ତି । ସାଇ ମନ୍ଦିରରେ ପ୍ରସାଦରେ ମୋଦକ ଓ ଭାକ୍ରି (ରୁଟି) ଭୋଗ ଲାଗେ । ସତରେ ଥରେ ଯିଏ ଆମ ଭଞ୍ଜନଗରର ସାଇ ମନ୍ଦିର ଯାଏ ସେଠାରୁ ଫେରି ଆସିବାକୁ ଇଚ୍ଛା ହୁଏ ନାହିଁ । ମୋ ଦୃଷ୍ଟିରେ ସବୁଠାରୁ ଭାବପ୍ରବଣ ଦୃଶ୍ୟ ହେଲା ସାଇ ବାବାଙ୍କ ସନ୍ଧ୍ୟା ଆଳତୀ ।

ଭଞ୍ଜନଗରର ଗୋବରା ବୋଲି ଏକ ଗ୍ରାମର ଅଳ୍ପ ଟିକେ ଦୂରରେ ଏକ ଶିବମନ୍ଦିର ମଧ୍ୟ ରହିଛି । ଭଞ୍ଜନଗର ଅତୀତରେ ଗୋଟିଏ ଗାଁ ଥିଲା ଏବଂ ଆଗରେ ମନ୍ଦିର ତିଆରି କରାଯାଇଥିଲା ଯାହାକି ଏବେ ମଧ୍ୟ ଶୋଭାପାଉଛି । ବର୍ତ୍ତମାନ ଭଞ୍ଜନଗର ପରିବର୍ତ୍ତନର ରାସ୍ତାରେ ପାଦ ରଖିଛି । ସମୟ ଅନୁସାରେ ଭଞ୍ଜନଗରରେ ଏକ ସତସଙ୍ଗ ମଧ୍ୟ ରହିଛି ଯାହାର ନାମ ସତ୍‌ସଙ୍ଗ ବିହାର ଏବଂ ଅନ୍ୟାନ୍ୟ ମନ୍ଦିର ଗୁଡ଼ିକର ନାମ ହେଲା- ଗୁପ୍ତେଶ୍ୱର ମନ୍ଦିର, ମା’ ବାସଙ୍ଗ ପିଠ, ବିଲେଶ୍ୱର ମନ୍ଦିର, ମା ସୋରାଦେବୀ ମନ୍ଦିର ଇତ୍ୟାଦି । ବହୁତ୍ ମନ୍ଦିର ପୁରାତନ ଯୁଗରୁ ତିଆରି କରାଯାଇଅଛି କିନ୍ତୁ ବର୍ତ୍ତମାନ ମଧ୍ୟ ମନ୍ଦିରର ଉନ୍ନତି ହେବାରେ ଲାଗିଛି । କିନ୍ତୁ ପ୍ରତ୍ୟେକଟି ମନ୍ଦିର ଅତି ସୁନ୍ଦର ସବୁଜ ପରିବେଶରେ ଉପାସ୍ଥାପିତ ହୋଇଛି । ଯାହାକି ମନୋମୁଗ୍ଧକର ।

ମସ୍ଜିଦ୍

ମସ୍‌ଜିଦ୍ ରେ ପ୍ରତିଦିନ ସନ୍ଧ୍ୟା ୫ ଏବଂ ସକାଳ ୫ ବାଜିଲେ ସେମାନେ ତାଙ୍କ ଆରାଧ୍ୟ ଦେବତା ଆଲ୍‌ହା ଓ ଆକବର ବୋଲି ନମାଜ କରନ୍ତି । ହିନ୍ଦୁ ଲୋକଙ୍କ ପରି ମୁସଲମାନ ଲୋକଙ୍କ ମଧ୍ୟ ପ୍ରଥା ରହିଅଛି । ମସ୍‌ଜିଦ୍‌ରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ଗୋଡ଼, ହାତ, ମୁହଁ ଧୋଇ ଧଳା ରୁମାଲ୍ କିମ୍ବା ଟୋପି ପିନ୍ଧି ନମାଜ ପଢ଼ିବାର ମୁଁ ଦେଖିଛି । ଏମାନଙ୍କ ମୁଖ୍ୟ ପର୍ବ ହେଲା ଇଦ୍‌, ମହରମ୍ । ବର୍ତ୍ତମାନ ଏଠାରେ ଦୁଇଟି ମସ୍‌ଜିଦ୍ ଅଛି । ଏହି ଦୁଇ ମସ୍‌ଜିଦ୍‌ରେ ଇଦ୍ ଏବଂ ମହରମ୍ ଖୁବ୍ ଆନନ୍ଦ ସହ ପାଳନ କରନ୍ତି । ମସ୍‌ଜିଦ୍ ଆଲୋକରେ ସୁସଜ୍ଜିତ ହୋଇଥାଏ । ମୁସଲମାନ୍ ଧର୍ମର ପ୍ରତ୍ୟେକଟି ଲୋକ ନୂଆ ପୋଷାକ ପିନ୍ଧି ବଡ଼ ଆଡ଼ମ୍ବର ସହ ପାଳନ କରୁଥାନ୍ତି ।

ଗୀର୍ଜା

ଏଠାରେ ମାତ୍ର ଗୋଟିଏ ଗୀର୍ଜା ଅଛି । ଯାହାର ନାମ ସେଣ୍ଟ ପେରର୍ସ ଚର୍ଚ୍ଚ । ଏହି ଗୀର୍ଜାଟି କ୍ୟାଥୋଲିକ ଖ୍ରୀଷ୍ଟିଆନ୍‌ମାନଙ୍କ ଅଟେ । ଏହି ଗୀର୍ଜାରେ ରବିବାର ଦିନ ସକାଳ ଏବଂ ସନ୍ଧ୍ୟାରେ ପ୍ରାର୍ଥନା ଏବଂ ଗୀର୍ଜାର ନିର୍ଦ୍ଦେଶକ ଫାଦର ଅଟନ୍ତି । ଗୀର୍ଜାକୁ ଯିବା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରି ଯିବାକୁ ପଡେ । ସେଠାରେ ସେମାନେ ଇଂରାଜୀ, ହିନ୍ଦୀ ଓଡ଼ିଆ, ଭାଷାରେ ପ୍ରାର୍ଥନା କରନ୍ତି । ମୁଁ ଶୁଣିଥିଲି ପ୍ରଥମେ ଫାଦର ପ୍ରାର୍ଥନା ପଢ଼ନ୍ତି । ତା’ ପରେ ସେଠାରେ ଥିବା ଆଉ ବାକି ଲୋକ ଦୋହରାନି ପଢ଼ନ୍ତି । ଆଉ ଖ୍ରୀଷ୍ଟିଆନ୍ ମାନଙ୍କ କ୍ୟାଣ୍ଡେଲ ଯାତ୍ରା ଦେଖିବାକୁ ମତେ ଭାରି ମଜା ଲାଗେ। ଖ୍ରୀଷ୍ଟଧର୍ମର ସବୁ ଲୋକ ନୂଆ ପୋଷାକ ପିନ୍ଧି ଜାକଯମକରେ ହାତରେ ଗୋଟିଏ କେଣ୍ଡେଲ ଧରି ପ୍ରାର୍ଥନା ଗାଇ ଗାଇ ଯାଆନ୍ତି । ଏମାନଙ୍କ ଆରାଧ୍ୟ ଦେବତା ହେଲେ ଯୀଶୁ । ଏମାନଙ୍କ ମୁଖ୍ୟ ଦିନ ହେଲା ୨୫ ଡିସେମ୍ବର (ବଡ଼ଦିନ) । ମୁଁ ଜଣେ ଖ୍ରୀଷ୍ଟଧର୍ମର ବ୍ୟକ୍ତିଙ୍କୁ ପଚାରିଲି ତାଙ୍କ ବିଧିବିଧାନ ବିଷୟରେ ସେ ସବୁ ତଥ୍ୟ ମତେ ଦେଇଥିଲେ । ସେ କହୁଥିଲେ କି ପ୍ରାର୍ଥନା ର ପ୍ରାରମ୍ଭରେ ଫାଦର ଏବଂ ସନ୍ ହୋଲି ସ୍ପିରିଟ୍ କହି ପ୍ରାର୍ଥନା ଆରମ୍ଭ କରିଥାନ୍ତି । ତା’ ପରେ ସେଠରେ ଥିବା ଆଉ ବାକି ଲୋକ ଆୱାର ଫାଦର କହନ୍ତି ତା’ ପରେ ହେଲ ମୋଲେ ଆଉ ଗ୍ଲୋରି ଟୁ ଗଡ଼୍‌. ସେମାନେ ମାରିଆଙ୍କ ପ୍ରାର୍ଥନା ମଧ୍ୟ ଆବୃତ୍ତି କରନ୍ତି । ସେମାନେ ଫାଦରଙ୍କ ପ୍ରତ୍ୟେକଟି କଥା ଏବଂ ନୀତି ନିୟମକୁ ପାଳନ୍ତି । ସେମାନେ ତାଙ୍କ ଫାଦରଙ୍କ ଠାରୁ ବହୁତ୍ କିଛି ଶିକ୍ଷା ଗ୍ରହଣ କରନ୍ତି ।

ଭାତୃଭାବ ହେତୁ ସମସ୍ତଙ୍କ ଜାତି-ଧର୍ମ-ବର୍ଣ୍ଣ ଅଲଗା ହେଲେ ହେଁ ଆମେ ମିଳିମିଶି ଚଳୁଛୁ । ସୁଖଦୁଃଖରେ ପରସ୍ପରଙ୍କୁ ସାହାଯ୍ୟ କରୁ। ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ଥିବା ହେତୁ ପ୍ରତ୍ୟେକଟି ବାହାରୁ ଆସୁଥିବା ଲୋକ ମନ୍ଦିର, ମସ୍‌ଜିଦ୍, ଗୀର୍ଜା ଏବଂ ଦେବାଦେବୀଙ୍କ ମହତ୍ତ୍ୱକୁ ଜାଣିପାରୁଛନ୍ତି ।

ଆମ ଗାଁ ଲୋକମାନେ ବହୁତ୍ ପ୍ରକାରର ଖେଳଖେଳନ୍ତି । ବୈଶାଖ ମାସ ଶେଷ ବେଳକୁ କୃଷକମାନେ ତାଙ୍କ କ୍ଷେତରୁ ଫସଲ ଅମଳ କରି କର୍ମକ୍ଲାନ୍ତ ଶରୀରକୁ ଟିକିଏ ଆରାମ ଦେବାପାଇଁ ଘର ଲୋକଙ୍କ ସହିତ ସମୟ ତାସ୍‌, କଉଡ଼ି ଖେଳ, ବାଘଛେଳି ଇତ୍ୟାଦି ଖେଳ ସମୟ ବିତାନ୍ତି । ଗାଁ ମୁଣ୍ଡରେ ଥିବା ବରଗଛ ତଳେ ଗାଁର ଯୁବକମାନେ ବସି ତାସ ଖେଳନ୍ତି । ଛୋଟଛୋଟ ପିଲାମାନେ ବୋହୂ ଚୋରି, ବିଷଅମୃତ, ରୋଷେଇ ଖେଳ ଇତ୍ୟାଦି ଖେଳନ୍ତି । ରଜ ସମୟରେ ଝିଅମାନେ ଦୋଳ, ପୁଚି ଖେଳନ୍ତି ଏବଂ ପୁଅମାନେ କବାଡ଼ି, ତାସ ଇତ୍ୟାଦି ଖେଳନ୍ତି । ଗହ୍ମା ପୂର୍ଣ୍ଣମା ବେଳକୁ ଲୋକେ ଗହ୍ମା ଡିଅଁନ୍ତି । କୁମାର ପୂର୍ଣ୍ଣମାରେ ଡାବିଲି ଗୁଡ଼ି, ତାସ୍‌, ସାପସିଡ଼ି, ଲୁଡ଼ୁ ଇତ୍ୟାଦି ଖେଳ ଖେଳି ମନୋରଞ୍ଜନ କରନ୍ତି । ମୁଁ ଦେଖିଛି ଯେ ଶୀତ ଦିନ କଅଁଳ ଖରାରେ ଛୋଟଛୋଟ ପିଲାମାନେ ଶୀତବସ୍ତ୍ର ପିନ୍ଧି ବାଟୁଳି, ଲାଠିବାଡ଼ି ଏବଂ କାଚବାଟି ଧରି ସାଙ୍ଗପିଲାମାନଙ୍କ ସହ ଖେଳିବାକୁ ବାହାରନ୍ତି । ସେଠାରେ ବହୁତ୍ ପିଲା ଜମା ହୋଇ ପାଟିତୁଣ୍ଡ କରି ମଜାମସ୍ତିରେ ଖେଳନ୍ତି । ଗାଁର ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରନ୍ତି ଓ ଖେଳର ମଜା ନିଅନ୍ତି ।

ଓଡ଼ିଶା ହେଲା ପର୍ବପର୍ବାଣୀର ରାଜ୍ୟ । ବାରମାସରେ ତେର ପର୍ବ ଆମେ ପାଳନ କରିଥାଉ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଆମେ ଗର୍ବିତ । ଆମର ବୈଶାଖ ଠାରୁ ଚୈତ୍ର ମାସ ପର୍ଯ୍ୟନ୍ତ ବଡ଼ ସାନ ପର୍ବ ଲାଗିରହିଥାଏ । ସେଥି ମଧ୍ୟରୁ ଆମ ଗାଁର ଜାନୀଯାତ୍ରାରେ ମହତ୍ତ୍ୱ ଅନ୍ୟତମ । ଆମ ଗାଁରେ ଜ୍ୟେଷ୍ଠ ମାସରେ ରଜପର୍ବ ଧୂମଧାମରେ ପାଳନ କରିଥାନ୍ତି । ବାଳକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ପୁର୍ବରୁ ମଜା ନିଅନ୍ତି । ରଜଦିନ ଯୁବକମାନେ ଦଳ ଦଳ ହୋଇ ଗାଁ ପଡ଼ିଆରେ କବାଡ଼ି ଖେଳନ୍ତି ଓ ତାସ୍ ଖେଳିବାର ମଜା ନେଇଥାନ୍ତି । କୁଆଁରୀ ଝିଅମାନେ ନୂଆଁ ପୋଷାକ ପିନ୍ଧି ଗୋଡ଼ରେ ଅଳତା ଲଗାଇ ସଜବାଜ ହୋଇ ସାଙ୍ଗମାନଙ୍କ ସହିତ ଦୋଳି ଖେଳନ୍ତି । ଘରେ ଘରେ ପିଠାପଣା ତିଆରି ହଉଥାଏ । ମୁଁ ଆମ ପଡ଼ିଶା ଘର ଏବଂ ଆଖପାଖ ଘରକୁ ଯାଇଥାଏ ବୁଲିବାକୁ । ସେଠାରେ କିଏ ଅଳତା ତ କିଏ ମେହେନ୍ଦୀ ଲଗେଇବା ପାଇଁ ଡାକନ୍ତି । ମୁଁ ମଧ୍ୟ ଯାଏ । କାରଣ ସେମାନେ ବହୁତ ସ୍ନେହରେ ଡାକନ୍ତି ମନା କରି ହୁଏନି । ଆମେ ସାଙ୍ଗମାନେ ମିଶି ପିଠାପଣା ଖାଇ ଦୋଳି ଖେଳି ବହୁତ୍ ମଜା କରିଥାଉ । ଆଷାଢ଼ ମାସରେ ଆମ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ଗୁଣ୍ଡିଚା ଯାତ୍ରା ହୁଏ । ଯାତ୍ରା ଦେଖିବାକୁ ଦୂରଦୂରାନ୍ତରୁ ଅନେକ ଭକ୍ତ ରୁଣ୍ଡ ହୋଇଥାନ୍ତି । ମୁଁ ଓ ମୋ ଭାଇ ବାପାଙ୍କ ସହ ଗୁଣ୍ଡିଚା ଯାତ୍ରା ଦେଖିବାକୁ ଯାଇଥିଲୁ । ସେଠାରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗିଥିଲା । କୁନି କୁନି ପିଲାମାନେ ଖେଳଣା କିଣିବା ଜିଦ୍ କରୁଥିବାର ମଧ୍ୟ ଦେଖିଥିଲି । ଅନେକ ସ୍ତ୍ରୀ ଲୋକ ସେଠାରୁ ନିଜ ପାଇଁ ରଙ୍ଗ ଚିଡ଼ୁ କିଣୁଥାଆନ୍ତି । ଦ୍ୱିପହର ବେଳକୁ ସେଠାକୁ ଆସିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଛେରାପହଁରା କରି ତିନି ରଥକୁ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଭକ୍ତମାନେ ହରି ବୋଲ ହୁଳହୁଳି ଦେଇ ଟାଣିଟାଣି ନେଉଥାନ୍ତି । ଏ ସବୁ ଦେଖି ଆମ ଆଗ୍ରହ ବଢ଼ିବାରେ ଲାଗୁଥିଲା। ଏହା କେବଳ ଆମ କଥା ନୁହେଁ ପ୍ରତ୍ୟେକଟି ଭକ୍ତର ଭାବନା । ଏହା ସହ ଶ୍ରାବଣ ମାସର ଗହ୍ମା ପୂର୍ଣ୍ଣିମାରେ ଆମ ଗାଁର ପ୍ରତ୍ୟେକଟି ଝିଅ ସକାଳୁ ଉଠି ସ୍ନାନ ସାରି ଭାଇମାନଙ୍କ ପାଇଁ ବନ୍ଦାପନା ଥାଳି ନେଇ ଭାଇକୁ ଅପେକ୍ଷା କରନ୍ତି । ଭାଇମାନଙ୍କୁ ରାକ୍ଷୀ ବାନ୍ଧନ୍ତି । ଭାଇ ହାତରେ ରାକ୍ଷୀ ବାନ୍ଧି ଅପୂର୍ବ ଆନନ୍ଦରେ ଭାଇ ଭଉଣୀର ପବିତ୍ର ବନ୍ଧନକୁ ବୁଝିଥାଆନ୍ତି । ଭାଦ୍ରବ ମାସରେ ଆମ ଗାଁର ପ୍ରତ୍ୟେକ ଗଳିକନ୍ଦିରେ ବିଘ୍ନହର୍ତା ଶ୍ରୀ ଗଣେଶଙ୍କ ମେଢ଼ କରିଥାଆନ୍ତି । ମେଢ଼ ଗୁଡ଼ିକ ରଙ୍ଗ ବେରଙ୍ଗ ଆଲୋକରେ ସୁସଜ୍ଜିତ ହୋଇଥାଏ। ମୁଁ ଓ ମୋ ପରିବାର ଓ ସାଙ୍ଗସାଥି ମିଶି ଗଣେଶ ମେଢ଼ ଦେଖିବାକୁ ଯାଇଥାଉ । ସନ୍ଧ୍ୟା ସମୟର ଏ ଦୃଶ୍ୟକୁ ଦେଖି ପ୍ରତିତ ହୁଏ ଯେପରି ଆକାଶରୁ ଝିଲ୍‌ମିଲ୍ କରୁଥିବା ତାରାଗୁଡ଼ିକ ଯେପରି ପୃଥିବୀ ପୃଷ୍ଠକୁ ଓହ୍ଲେଇ ଆସିଛନ୍ତି। ସେହିପରି ଆଶ୍ୱିନ ମାସରେ ଦଶହରା ମେଢ଼ ମଧ୍ୟ ଗାଁରେ ତିଆରି ହୋଇଥାଏ । ମା’ଙ୍କ ଦର୍ଶନପାଇଁ ଆମ ଗାଁର ସବୁ ଲୋକଙ୍କ କ୍ଲାନ୍ତର ଅନ୍ତ କରି ସେମାନେ ଏହି ସଂସ୍କୃତିର ପରମ୍ପରାକୁ ପାଳନକରନ୍ତି । ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏହା ଏକ ପବିତ୍ର ଦିନ ହୋଇଥାଏ । ଏହି ଦିନଟିକୁ ପାଳିଲା ପରେ ପୁର୍ନବାର ଯିଏ ଯାର କାମ ଏବଂ ବ୍ୟବସାୟରେ ଲାଗିପଡ଼ନ୍ତି । କାର୍ତ୍ତିକ ମାସରେ କାର୍ତ୍ତିକ ପୂଣ୍ଣିମା ବେଳକୁ ନଦୀ ଓ ବନ୍ଧରେ ବୋଇତ ଭଷାଣି କାର୍ଯ୍ୟ କରୁ । ମାର୍ଗଶୀର ମାସର ଗୁରୁବାର ଦିନ ମହାଲକ୍ଷ୍ମୀ ପୂଜା ହୁଏ । ଗାଁ ସ୍ତ୍ରୀ ଲୋକମାନେ ପାହାନ୍ତିଆରୁ ଉଠି ନିଜ ନିଜର ଦୁଆର ଆଗରେ ଦୀପ ଲଗାଇ, ହୁଳହୁଳି ଦେଇ ବନ୍ଦାପନା କରନ୍ତି । ସ୍ତ୍ରୀ ହୁଳହୁଳିରେ ଗାଁ ପ୍ରକମ୍ପିତ ହୋଇ ଉଠେ । ପୌଷ ମାସରେ ଆମ ଗାଁରେ ପୌଷ ପୂର୍ଣ୍ଣିମା ଦିନ ଗାଁର ପ୍ରତ୍ୟେକ ଲୋକ ଘରେ ମଣ୍ଡାପିଠା ଓ ଗଜାମୁଆଁ ତିଆରି କରି ଗାଁରେ ଥିବା ଠାକୁରାଣୀଙ୍କ ମନ୍ଦିରକୁ ଢୋଲ ବଜାଇ ଗାଁ ସାରା ଲୋକ ନିଅନ୍ତି । ମାଘ ମାସରେ ସରସ୍ୱତୀ ପୂଜା ହୁଏ । ମାଘ ମାସରେ ଗାଁର ବୟସ୍କ ସ୍ତ୍ରୀ ଲୋକମାନେ ମାଘ ବୁଡ଼ ପାରନ୍ତି ଓ ତିଳ ସପ୍ତମୀ ଦିନ ଗାଁରେ ପାହାନ୍ତିଆ ୩ଟାରୁ ଗାଁ ଚଳଚଞ୍ଚଳ ହୋଇ ଉଠେ ଓ ଗାଁରେ ଥିବା ନଦୀରେ ଯାଇ ତିଳ ସପ୍ତମୀ ବୁଡ଼ ପକାନ୍ତି । ଫାଲଗୁନ୍ ମାସରେ ଫାଲଗୁନ୍ ପୂର୍ଣ୍ଣିମା ଦିନ ଆମ ଗାଁରେ ନୂଆ ନାଚ ଉଠେ । ପୂର୍ଣ୍ଣିମା ଦିନ ଗାଁରେ ହୋଲି ପର୍ବ ବସାଇ ନାଲି ଫଗୁ ସହ ଗାଁ ଦାଣ୍ଡରେ ହୋଲି ଖେଳନ୍ତି । ସେହି ଦିନ ଗାଁରେ ରାଧା ଏବଂ କୃଷ୍ଣଙ୍କ ମୂର୍ତ୍ତିକୁ ରଥରେ ବସାଇ ଗାଁ ସାରା ଢୋଲ, ମାଦଳ, ଗିନି ବଜାଇ ଗାଁ ସାରା ବୁଲାନ୍ତି, ରାଧାକୃଷ୍ଣ ହୋଲି ଖେଳିଲା ପରେ ଗାଁ ସାରା ଲୋକ ହୋଲି ଖେଳନ୍ତି । ଚୈତ୍ର ମାସରେ ୧୩ ଦିନ ଧରି ମେରୁ ଯାତ୍ରା ହୁଏ । ସେଥିରୁ ଦଣ୍ଡୁଆମାନେ ମାନସିକ କରି ଦଣ୍ଡକାଳୀଙ୍କ ପାଖରେ ପ୍ରାର୍ଥନା କରନ୍ତି । ୧୩ ଦିନ ପରେ ସେମାନେ ତାଙ୍କ ମାନସିକ ଭାଙ୍ଗି ଘରକୁ ଫେରନ୍ତି । ମେରୁ ଦିନ ଗାଁରେ ଯାତ୍ରା ହୁଏ । ଯାତ୍ରାରେ ବିଭିନ୍ନ ପ୍ରକାର ଖାଇବା ଜିନିଷ, ଖେଳନା ଇତ୍ୟାଦି ବିକ୍ରି ହୁଏ ।

ପୁରୁଣା ଗାଁ ଅନୁସାରେ ପ୍ରାୟତଃ ବହୁତ୍ ଲୋକ ଅଶିକ୍ଷିତ ଥିଲେ । ଯେଉଁମାନେ ୪ର୍ଥ-୫ମ ପାଠ ପଢ଼ିଥିଲେ ସେ ଯୁଗରେ ସେମାନଙ୍କୁ ଶିକ୍ଷିତ କୁହାଯାଉଥିଲା । ବର୍ତ୍ତମାନ ଯୁଗ ଦେଖିଲେ ଗାଁର ପ୍ରାୟ ଲୋକ ଶିକ୍ଷିତ ଅଟନ୍ତି । ଏହି ତଥ୍ୟ ମୁଁ ଗାଁର ଜଣେ ୭୨ ବର୍ଷର ବୃଦ୍ଧ ଲୋକ ବାପ ନାୟକଙ୍କ ଠାରୁ ପାଇଲି । ଆମ ଗାଁର ଜ୍ଞାନୀ ଲୋକ ଅଭୟ ପ୍ରଧାନ ବୋଲି ଲୋକେ କୁହନ୍ତି । ତାଙ୍କର ପ୍ରତ୍ୟେକଟି କ୍ଷେତ୍ରରେ ବହୁତ୍ ଅଭିଜ୍ଞତା ରହିଛି । ମୁଁ ଦେଖିଛି ଯେଉଁମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ସେମାନେ ଇଚ୍ଛା ଥାଇ ମଧ୍ୟ ପାଠ ପଢ଼ିପାରୁ ନାହାନ୍ତି । ଆଉ ଅଳ୍ପ କେତୋଟି ପିଲା ନିଜେ ରୋଜଗାର କରି ପାଠ ପଢ଼ିବା ସହ ଘରକୁ ମଧ୍ୟ ଚଳାଉଛନ୍ତି । ଘର ରୋଜଗାର, ଖିଆପିଆ ପାଇଁ ଅଳ୍ପ ବୟସରୁ ହିଁ ବାହାରେ କାମ କରିବାକୁ ତାଙ୍କ ବାପା ମା’ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ବୟସରେ ସେମାନେ ପଟା, ଖଡ଼ି ଧରି ସ୍କୁଲ ଯିବା କଥା ସେହି ସମୟରେ ସେମାନେ ଚା ବିକୁଛନ୍ତି, ବାସନ ମାଜୁଛନ୍ତି କିଏ ଦୋକାନରେ କାମକରୁଛନ୍ତି ତ ଆଉ କିଏ ଭିକ ମାଗୁଛନ୍ତି । ଆମ ଗାଁରେ ମଧ୍ୟ ଗରୀବ ଲୋକ ଏବଂ ପାଠ ପଢ଼ୁଥିନ ଥିବା ପିଲା ଅଛନ୍ତି ।

ପୁରୁଣା ଗାଁ ଲୋକମାନେ କହୁଥିଲେ ଗାଁରେ ପଢ଼ିବାକୁ ସୁବିଧା ନ ଥିଲା । ବିଦ୍ୟାଳୟ ମଧ୍ୟ ନଥିଲା କିନ୍ତୁ ଏବେ ଓଡ଼ିଆ ବିଦ୍ୟାଳୟ ସହ ଇଂରାଜୀ ମିଡ଼ିୟମ୍ ବିଦ୍ୟାଳୟ ମଧ୍ୟ ହେଲାଣି । ବର୍ତ୍ତମାନ ଗାଁର ଉନ୍ନତି ଅନୁସାରେ ୯ଟି ବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ରହିଛି । ବିଦ୍ୟାଳୟର ନାମଗୁଡ଼ିକ ହେଲା -ସାଇ ଗୁରୁକୁଳ, Residental School, St.xavier’s High School, CT Training School, Bachapan – A play school, Gurkrupa Abasika Vidyalaya, Saraswati Sishu Bidya Mandira, Kalam Institute of Computer Studies, Upendra Bhaja High School, KSUB CTE. ଇତ୍ୟାଦି ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଅଛି ।

ଆମ ଗାଁର ସବୁଠୁ ବଡ଼ ସମସ୍ୟା ହେଲା ଚୋରୀ । ଚୋରୀ ର ଭୟ ଯୋଗୁଁ ଲୋକମାନେ ଘରକୁ ଖାଲି କରି ବାହାରକୁ ନିଶ୍ଚିନ୍ତରେ ଯାଇପାରୁ ନାହାନ୍ତି । ଲୋକମାନେ ଯଦି ଘର ଛାଡ଼ି ଯାଆନ୍ତି ତାହାଲେ ସେମାନଙ୍କ ମନରେ ଭୟ ରହିଥାଏ । ରାତି ସମୟରେ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କୁ ଚୋରମାନେ ହଇରାଣ କରନ୍ତି । ସେମାନଙ୍କ ପାଖରେ ଥିବା ସୁନାଗହଣା, ପଇସା, ଦାମି, ମୂଲ୍ୟବାନ୍ ଜିନିଷ ଅଟକାଇ ମାର୍‌ପିଟ୍ କରି ନେଇଯାଆନ୍ତି । ଏଥିଯୋଗୁଁ ଲୋକଙ୍କ ମନରେ ଚୋରିର ଭୟ ରହିଛି । ଏହା ହେଉଛି ସବୁଠୁ ବଡ଼ ସମସ୍ୟା ।

ଆଜିକୁ ପ୍ରାୟ ୪୦ ବର୍ଷ ପୂର୍ବର କଥା, ଗାଁରେ ଲୋକଙ୍କ ଘର ପୋଡ଼ି ଯାଇଥିଲା । ଗାଁରେ ବନ୍ୟା, ବାତ୍ୟା, ଝଡ଼ପବନ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ଆଗରୁ ହୋଇଥିଲା । ୧୧ଅକ୍ଟୋବର ୨୦୧୮ ମସିହାରେ ଏକ ବନ୍ୟା ଓ ବାତ୍ୟା ହୋଇଥିଲା । ଯାହାର ପ୍ରଭାବ ଗାଁ ଉପରେ ପଡ଼ିଥିଲା । ତିତିଲି ନାମକ ଏକ ବନ୍ୟାରେ ଗାଁର ବହୁତ୍ ପ୍ରଭାବ ପଡ଼ିଥିଲା । ଏଠାରେ ଏକ ଡ଼୍ୟାମ ରହିଛି । ତିତିଲି ବନ୍ୟା ସମୟରେ ଅତ୍ୟଧିକ ବର୍ଷା ଯୋଗୁଁ ଡ୍ୟାମ୍‌ରେ ପ୍ରବଳ ପାଣି ଭର୍ତ୍ତି ହୋଇଗଲା । ବିନା ସୂଚନା ଦେଇ ସେମାନେ ଡ୍ୟାମ୍‌ର ଗେଟ୍ ଖୋଲିବାକୁ ବାଧ୍ୟ ହେଲେ ଏବଂ ଡ୍ୟାମର ଗେଟଟିକୁ ଖୋଲି ଦେଇଥିଲେ । ରାତି ସମୟ ଲୋକମାନେ ଶୋଇଥିବା ବେଳେ ପାଣି ଆସ୍ତେଆସ୍ତେ ଘରକୁ ପଶୁଥାଏ । ପାଣିର ଶବ୍ଦ ଶୁଣି କିଛି ଲୋକ ଉଠି ପାଟିତୁଣ୍ଡ କରି ସମସ୍ତଙ୍କୁ ସଚେତନ କରାଇଲେ । ଯାହାର ଦୁଇତାଲା ଘର ସେ ଜରୁରୀ କାଗଜପତ୍ର ନେଇ ଦୁଇ ତାଲାକୁ ଚାଲିଗଲେ । ସେଥି ମଧ୍ୟରେ ପାଣି ଘରର ଅଧା ଯାଏଁ ପୁରି ଆସିଥିଲା । ଯେଉଁମାନେ ସଡ଼କ ଉପରେ ଶୁଅନ୍ତି ସେମାନେ ଛାତଘର, ବିଦ୍ୟାଳୟ ଏବଂ ଉଚ୍ଚଉଚ୍ଚ ଜାଗାକୁ ନିଜ ଜିନିଷ ଧରି ଧୌଡ଼ିବାରେ ଲାଗିଲେ, ଦୋକାନ, ବଜାର, ରାସ୍ତା ସବୁ ଜଳମଗ୍ନ ହୋଇସାରିଥିଲା । ରାସ୍ତା, ଘର ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଡ୍ୟାମ ମାଛ ଆସି ପଶିଗଲେ । ଏହି ଭୟଙ୍କର ବିପର୍ଯ୍ୟୟ ଯୋଗୁଁ ଗାଁ ଲୋକ ୨-୩ ଦିନ ଧରି ଭୋକ-ଶୋଷରେ ଥିଲେ । ୩ ଦିନ ଧରି ରାତି ଅନିଦ୍ରା ମଧ୍ୟ ଥିଲେ । ୩-୪ ଦିନ ପରେ ଖରା ବାହାରିଲା ଏବଂ ପାଣି ଶୁଖିଶୁଖି ଗଲା । ଯାହା ଫଳରେ ଗାଁ ପୂର୍ବ ପରି ସ୍ୱାଭାବିକ ହେଲା । ତଥାପି ଅନେକ ଲୋକଙ୍କ ଅନେକ ଦରକାରୀ ଜିନିଷ ନଷ୍ଟ ହୋଇଥିଲା । ବ୍ୟବସାୟୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା । ବର୍ଷାର ପବନରେ ଅନେକ ଚାଳ, ଛପର, ଟିଣ ଘର ଭାଙ୍ଗି ଯାଇଥିଲା । ପବନରେ ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ଯାଇଥିଲା । ବିଦ୍ୟୁତ୍ ତାର ମଧ୍ୟ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ୨-୩ ଦିନ ଧରି ଗାଁ ଲୋକଙ୍କୁ ବିଦ୍ୟୁତ୍ ଯୋଗାଯୋଗ ଇତ୍ୟାଦି ମିଳିପାରୁ ନଥିଲା ଲୋକେ ସେହି ୨-୩ ଦିନ ବହୁତ୍ କଷ୍ଟରେ କଟାଇଥିଲେ । ଏ ସବୁ ସ୍ୱଭାବିକ୍ ହେବାକୁ ବହୁତ୍ ଦିନ ଲାଗିଥିଲା । କୃଷକମାନଙ୍କୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ସେମାନଙ୍କ ସବୁ କ୍ଷେତ ନଷ୍ଟ ହୋଇଯାଇଥିଲା ।

ଏବେ ଗାଁର ପ୍ରାୟ ୫୦% ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରି ଜୀବିକା ଅର୍ଜନ କରି ବଞ୍ଚୁଛନ୍ତି । ୩୦% ଲୋକ ବିଭିନ୍ନ ବ୍ୟବସାୟ ଯେପରି କିରାଣୀ ଦୋକାନ, ଲୁଗା ଦୋକାନ, ବହି ଦୋକାନ ସୁନାରୁପା ଦୋକାନ, ଚୁଡ଼ି ଦୋକାନ, ଲୁହା ଦୋକାନ, ଚପଲ ଦୋକାନ ଇତ୍ୟାଦି ବ୍ୟବସାୟ କରି ଜୀବିକା, ଅର୍ଜନ କରି ବଞ୍ଚୁଛନ୍ତି । ଆଉ ୧୦% ଲୋକ ନିଜ ଗାଁ ମାଟିକୁ ଛାଡ଼ି ଜୀବିକା ଅର୍ଜନ ପାଇଁ ଅନ୍ୟ ରାଜ୍ୟକୁ ଯାଆନ୍ତି । ଆଉ ୩% ଲୋକ ଦିନମଜୁରିଆ କାମ ଏବଂ ଆଉ ବଳକା ଲୋକ ସରକାରୀ ଓ ବେସରକାରୀ ଚାକିରୀ କରି ଜୀବିକା ଅର୍ଜନ କରି ବଞ୍ଚୁଛନ୍ତି । ଆମ ଗାଁର ୫୦% ଲୋକ ଚାଷବାସ କରନ୍ତି । ଅନେକ ପ୍ରକାର ଚାଷକରନ୍ତି । ଯେପରିକି- ଧାନ, ମାଣ୍ଡିଆ, ମୁଗ, ବିରି, ମକା, ଚିନାବାଦାମ ଇତ୍ୟାଦି ଚାଷ କରନ୍ତି । ଗାଁ ଲୋକମାନେ ବଳଦ, ଟ୍ରାକ୍ଟର, ହଲ, ଲଙ୍ଗଳ ସାହାଯ୍ୟରେ ଚାଷ କରନ୍ତି । କଥାରେ ଅଛି “କୃଷକ ହେଲେ ଭରତର ମେରୁଦଣ୍ଡ । ଏହି କୃଷକ ମାନଙ୍କର ଚାଷବାସ କାର୍ଯ୍ୟ ଯୋଗୁଁ ଆଜି ଆମକୁ ଖାଇବାକୁ ମିଳୁଛି । ସେମାନେ ଅନେକ କଷ୍ଟ କରନ୍ତି । କଥାରେ କହିବା ବହୁତ୍ ସହଜ କି “ମୁଁ ଜଣେ କୃଷକ ହେବି” କିନ୍ତୁ କରିବା ବହୁତ କଷ୍ଟ । କୃଷକମାନେ ଖରା, ବର୍ଷା, ଥଣ୍ଡାକୁ ଖାତିର ନକରି ଲୋକଙ୍କ ପାଇଁ ଖାଦ୍ୟସଶ୍ୟ ଅମଳ କରୁଛନ୍ତି । ସେମାନେ ସତରେ ଧନ୍ୟ । ସେମାନେ ବିନା ସ୍ୱାର୍ଥରେ ଆମକୁ ଖାଇବାକୁ ଦେଉଛନ୍ତି । ଆମେ କେବେ ବି ସମାଜରେ ତାଙ୍କୁ ନିଚ୍ଚ କହିବା ନାହିଁ । ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କୁ ଆହୁରି ଉତ୍ସାହିତ କରିବା । ଆମ ଗାଁର କିଛି ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିଜ ଜୀବିକା ପାଇଁ ନିର୍ଭର କରନ୍ତି ଏବଂ ଜଙ୍ଗଲରୁ ଜାତ ହେଉଥିବା ଦ୍ରବ୍ୟଗୁଡ଼ିକ ହେଲା :- କାଠ, ବାଉଁଶ, ଝୁଣା, ଲାଖ, ମହୁ, ଔଷଧ, ଶାଗୁଆନ, ପିଆଶାଳ, ଶାଳ, ଗଛ ଇତ୍ୟାଦି । ଆମ ଗାଁର କିଛି ଲୋକ ମାଛ ଯାଆଁଳା ଛାଡ଼ି ପୋଖରୀରେ ମତ୍ସ୍ୟ ଚାଷ କରି ଜୀବିକା ନିର୍ବାହ କରନ୍ତି ।

ଗାଁ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ହେଲେ ପ୍ରଥମେ ଗାଁରେ ଥିବା ଡାକ୍ତର କିମ୍ବା ବୈଦ୍ୟଙ୍କ ଠାରୁ ପରାମର୍ଶ ନିଅନ୍ତି । କିମ୍ବା ଅଙ୍ଗନବାଡ଼ି ଦିଦିଙ୍କ ପରାମର୍ଶ ଆଣନ୍ତି । ବୈଦ୍ୟ କହିବା ଅନୁସାରେ କାର୍ଯ୍ୟ କରନ୍ତି । କିଛି ଲୋକ ଗାଁର ଚେଳମୂଳି ଉପରେ ବିଶ୍ୱାସ କରି ତା’ର ସାହାଯ୍ୟ ନିଅନ୍ତି ଏବଂ ଅନ୍ୟ କିଛି ଲୋକ ଗୁଣିଆ ପାଖକୁ ଯାଇ ଝାଡ଼ାଫୁଙ୍କା କରନ୍ତି ସୁସ୍ଥ ହେବା ପାଇଁ । ଆଉ ଯୁଗର ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଦେହ ଅସୁସ୍ଥ ହେଲେ ଡାକ୍ତରଖାନା ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡ଼ିସିନ୍ ଖାଇ ସୁସ୍ଥ ହେବା ପାଇଁ ଆଶା ରଖନ୍ତି । ହଁ ଆମ ଗାଁରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ଗୋଟିଏ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ଏବଂ କିଛି ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଅଛି । ଲୋକମାନେ ମାଗଣାରେ ଚିକିତ୍ସା ପାଇପାରୁଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଡାକ୍ତର ନର୍ସ ଅଲଗା ଅଲଗା ବିଭାଗ ପାଇ ଅଛନ୍ତି ଡାକ୍ତରଖାନା ବହୁତ ସଫାସୁତରା ଅଛି । ସେଠାରେ ଡାକ୍ତରଖାନାକୁ ସଫା କରିବା ପାଇଁ ମଧ୍ୟ ଅନେକ କର୍ମଚାରୀ ଅଛନ୍ତି । ଯେଉଁ ଲୋକମାନେ ଅନ୍ଧବିଶ୍ୱାସ ଯେପରି ଗୁଣିଗାରିଡ଼ି ଭୂତ, ପ୍ରେତ, ଡାହାଣୀ, ଚେରମୂଳି ଏବଂ ଗୁଣିଆ ଉପରେ ଅତ୍ୟଧିକ ବିଶ୍ୱାସ କରନ୍ତି ସେମାନେ ଡାକ୍ତର ଖାନା ଆଦୌ ଯାଆନ୍ତି ନାହିଁ । ଅନେକ ଗରୀବ ଲୋକ ମଧ୍ୟ ଯାଆନ୍ତି ନାହିଁ କାରଣ ହେଲା ଅର୍ଥର ଅଭାବ । ଭଲ ଚିକିତ୍ସା କରାଇବାକୁ ଚାହିଁଲେ ବି ଅଭାବ ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ର ଯାଇପାରୁ ନାହାନ୍ତି ।

ଆମ ଗାଁରେ ଫାଲ୍‌ଗୁନ ମାସ ପୂର୍ଣ୍ଣିମା ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ । ଗାଁରେ ରାମାୟଣ, ମହାଭାରତ, ଭକ୍ତପ୍ରହଲ୍ଲାଦ, କୀଚକବଧ ଇତ୍ୟାଦି ପୌରାଣିକ ନାଟକ ପରିବେଷଣ ହୋଇଥାଏ । ଦଣ୍ଡନାଚରେ ହଳିଆ ଗୀତ, ଚଢ଼େୟା ନାଚ, ବାଘର ନାଚ ଇତ୍ୟାଦି ପରିବେଷଣ କରିଥାନ୍ତି । ଏହା ବ୍ୟତୀତ ପାଲା, ଦାଶକାଠିଆ ମଧ୍ୟ ହୁଏ । ଆମ ଗ୍ରାମରେ ନିଜସ୍ୱ ଦଣ୍ଡ ନାଚ ଅଛି । ଆମ ଗାଁର ପିଲା ଏବଂ ଯୁବକମାନେ ନିଜେ ବେଶପଡ଼ି ନାଟକ ଶିଖନ୍ତି ଓ ମଞ୍ଚରେ ବହୁତ୍ ସୁନ୍ଦର ଭାବରେ ପରିବେଷଣ କରନ୍ତି । ଆମ ଗାଁର ଦଣ୍ଡନାଚ ଓ ଅପରା ଗାଁ ଆଖପାଖ ଥିବା ଦଶଖଣ୍ଡ ଗାଁରେ ପ୍ରସିଦ୍ଧ । ଦଣ୍ଡ ନାଚରେ ଦଣ୍ଡୁଆମାନେ ଟାଣ ଖରାରେ ଗଡ଼ି ଧୂଳିଦଣ୍ଡ କରନ୍ତି । ଧୂଳିଦଣ୍ଡ ପରେ ଗାଁରେ ଥିବା ପୋଖରୀରେ ପାଣିଦଣ୍ଡ ମଧ୍ୟ କରନ୍ତି ଓ ମା’ଙ୍କ ପାଖେ ଲିଆ, ପଣା ଭୋଗ କରି ପ୍ରସାଦ ସେବନ କରନ୍ତି । ମଧ୍ୟ ରାତ୍ରିରେ କାଳୀକା ନାଚ କରନ୍ତି । ସନ୍ଧ୍ୟାବେଳକୁ ମା’ଙ୍କର ସନ୍ଧ୍ୟା ଆଳତୀ ହୁଏ । ମା’ଙ୍କ ଢୋଲରେ ଗାଁ ଦୁଲୁକି ଉଠେ । ମାନସିକଧାରୀମାନେ ଆଳତୀ ସମୟରେ ଦାନ୍ତ ତିରଣ ଧରି ମା’ଙ୍କ ପାଦ ତଳେ ଶରଣ ପଶି ନିଜ ମାନସିକ ପୁରଣ ପାଇଁ ପ୍ରାର୍ଥନା କରନ୍ତି । ଆଳତୀ ଶେଷ ହେଲା ପରେ ମା ପ୍ରତ୍ୟେକ ମାନସିକଧାରୀଙ୍କ ପାଖକୁ ଯାଇ ସେମାନଙ୍କର ଦୁଃଖ ପ୍ରାର୍ଥନା ଶୁଣନ୍ତି ଓ ପିଞ୍ଚମୁଠାରେ ସେମାନଙ୍କୁ ଝାଡ଼ି ଉଠିବାକୁ କୁହନ୍ତି । ତେର ଦିନର ଦଣ୍ଡନାଚ ପରେ ପଣା ସଂକ୍ରାନ୍ତି (ମେରୁ ସଂକ୍ରାନ୍ତି) ପଡ଼େ ସେହି ଦିନ ଆମ ଗାଁ ଦଣ୍ଡକାଳୀ ମନ୍ଦିର ସ୍ଥିତ ଆମ୍ବ ତୋଟାରେ ମେରୁଯାତ୍ରା ହୁଏ ପ୍ରାୟ ଗାଁରେ ସଂକ୍ରାନ୍ତି ମେରୁ ହୁଏ କିନ୍ତୁ ଆମ ଗାଁରେ ମାସନ୍ତ ମେରୁ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଦିନ ପାଟଦଣ୍ଡୁଆକୁ ମେରୁରେ ଲଟକେଇବା ପୂର୍ବରୁ ଏକୋଇଶ ଯୋଡ଼ା ପାଣି ଗାଧୋଇବାକୁ ଦିଅନ୍ତି । ତାପରେ ତାଙ୍କୁ ମେରୁ ଘରେ ଓଲଟା ଲଟକେଇ ଦିଅନ୍ତି ଓ ତାଙ୍କ ମୁହଁକୁ ସେତେବେଳେ ଝୁଣା ମାରନ୍ତି । ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ନାକରୁ ରକ୍ତ ନ ବାହାରେ ତାଙ୍କୁ ଛାଡ଼ନ୍ତି ନି । ଲୋକମାନେ ଏହି ସମୟରେ ଢୋଲ ଜୋରରେ ବଜାନ୍ତି ଓ ସେଠାରେ ରୁଣ୍ଡ ହୋଇ ଭାବୁକ ସ୍ତ୍ରୀ ଲୋକମାନେ ହୁଲହୁଳି ଦେଇଥାଆନ୍ତି । ସେଠାରୁ ମେରୁ କାଠରେ ଲାଗିଥିବା ଆମ୍ବଗୁଡ଼ିକୁ ଲୋକେମାନଙ୍କ ଆଡ଼କୁ ଫିଙ୍ଗନ୍ତି । ସେଠାରେ ଦେଖୁଥିବା ମୋର ଜଣେ ଖୁଡ଼ିଙ୍କୁ ପଚାରିବାରୁ ସେ କହିଲେ ଯେ ଏ ଆମ୍ବକୁ ଯିଏ ପାଇବ ତା’ର କୁଆଡ଼େ ଶୁଭ ହେବ । ସଂକ୍ରାନ୍ତି ବାସିରେ ବାର ଅନୁଯାୟୀ ଯେମିତି (ବୁଧବାର କିମ୍ବା ଶୁକ୍ରବାରରେ ମେରୁ ତୋଟାରେ ଛାଡ଼ଖାଇ ହୁଏ ତା’ପରେ ଦଣ୍ଡୁଆମାନେ ନିଜ ନିଜ ଘରକୁ ଫେରି ଯାଆନ୍ତି । ମେରୁ ତେର ଦିନ ଆମ ଗାଁରେ ରାତି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଗାଁ ଲୋକେ ଓ ତାଙ୍କ ଘରକୁ ଆସିଥିବା କୁଣିଆ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦ ମନରେ ଉପଭୋଗ କରିଥାଆନ୍ତି। ଏହି ତେର ଦିନ ବଢ଼ିଗଲା ପରେ ମୁଁ ଅନୁଭବ କରିଛି ଯେ ମାଁଙ୍କ ଢ଼ୋଲ ଶବ୍ଦ ମୋ କାନକୁ ଅନେକ ଦିନ ଧରି ବାଜୁଥିଲା । ଫାଲଗୁନ ମାସରେ ଆମ ଗାଁରେ ଫାଲଗୁନ ଶୁକ୍ଳ ସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ତିନି ଦିନ ଧରି ରାଧାକୃଷ୍ଣଙ୍କୁ ରଥରେ ବସାଇ ଗାଁ ଲୋକମାନେ ଗିନି ମୃଦଙ୍ଗ ବଜାଇ ଗାଁ ଦାଣ୍ଡ ବୁଲାନ୍ତି । ନବମୀ ଦିନ ମଧ୍ୟରାତ୍ରିରେ ହେଲିକା ଦହନ କାଯ୍ୟକ୍ରମ ହୋଇଥାଏ । ପ୍ରଥା ଅନୁଯାୟୀ ହିରଣ୍ୟକଶ୍ୟପୁଙ୍କ ଆଦେଶରେ ପ୍ରହଲାଦଙ୍କ ପିୟୁଷି ହୋଲିକା ପ୍ରହଲ୍ଲାଦଙ୍କୁ ମାରିବା ପାଇଁ କୋଳରେ ବସାଇ ଅଗ୍ନି ଉପରେ ବସିଥିଲେ କିନ୍ତୁ ଉକ୍ତ ପ୍ରହଲାଦଙ୍କର କୌଣସି କ୍ଷତି ହୋଇ ନ ଥିଲା ଓ ହୋଲିକା ସେହି ଅଗ୍ନରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେହି ଦିନ ସତ୍ୟର ଜୟ ଓ ପାପର ଅନ୍ତ ଘଟିଥିଲା । ସେହି ଦିନଟିକୁ ମନେ ରଖିବା ପାଇଁ ଲୋକମାନେ ହୋଲିକା ଦହନ କରି ପର ଦିନ ସକାଳେ ରଙ୍ଗର ପର୍ବ ହୋଲି ପାଳନ କରନ୍ତି । ହୋଲି ଆମ ଗାଁର ମଧ୍ୟ ହୋଲି ଧୂମଧାମରେ ପାଳନ କରନ୍ତି । ଏହି ଦିନ ଗାଁର ଲୋକମାନେ ପରସ୍ପର ମଧ୍ୟରେ ରାଗ ଅଭିମାନଙ୍କୁ ଭୁଲି ମିଳିମିଶି ପିଲାଠାରୁ ବୁଢ଼ାଯାଏଁ ସମସ୍ତେ ହୋଲି ଖେଳନ୍ତି । ରାତି ସମୟରେ ଆମ ଗାଁରେ ଗାଁ ଲୋକମାନେ ନାରୀ ବେଶରେ କୋଳି ବିକ୍ରି କରିବାକୁ ଆସନ୍ତି । ବାଘ ନାଚ ପରିବେଷଣ କରନ୍ତି ଓ ରାତି ସାରା ମଞ୍ଚ ଉପରେ ଗାଁର ଯୁବକମାନେ ଶିଖିଥିବା ମଞ୍ଚ ନାଟକକୁ ଅତି ସୁନ୍ଦର ଭାବରେ ପରିବେଷଣ କରନ୍ତି । ମୁଁ ମଧ୍ୟ ମୋର ପରିବାର ସହ ମିଶି ଯାତ୍ରାର ମଜା ନିଏ । ଆମ କଳା ସଂସ୍କୃତିର ଉନ୍ନତି ହେଲେ ଆମର ବିକାଶ ହେବ ଓ ଆମ ଦେଶର ମଧ୍ୟ ବିକାଶ ହେବ । ହଁ ମୁଁ ଗାଁରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦିଏ । ଆମ ଗାଁରେ ଚୈତ୍ର ମାସରେ ୩ ବର୍ଷକୁ ଥରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଦୂରଦୂରରୁ ଏହି ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଲୋକେ ଆସନ୍ତି ଏହି ଯାତ୍ରାରେ ମିନାବଜାର, ରାମଦୋଳି, ମୌତକା କୁଆଁ, ଟ୍ରେନ୍ ବିଭିନ୍ନ ପ୍ରକାର ଖେଳନା ଓ ଘର ସଜ୍ଜା ଜିନିଷ ସବୁ ଆସେ । ମୁଁ ମୋ ପରିବାର ସହ ମେଳା ଦେଖିବା ପାଇଁ ଯାଏ । ସେଠାରେ ଟର୍ଚ୍ଚ, ଗୁପ୍‌ଚୁପ୍ ଆଇସ୍‌କ୍ରିମ୍ ଇତ୍ୟାଦି ଖାଇ, ଦୋକାନ ବଜାର ବୁଲି ମେଳାର ଆନନ୍ଦ ନେଇଥାଉ । ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୁଏ । ରାତିରେ ମା’ ଠାକୁରାଣୀଙ୍କ ହାଣ୍ଡିକୁ କୁଣ୍ଡରେ ଧରି ବୁଲନ୍ତି ।

ଗାଁର ବୟସ୍କ ଲୋକମାନେ କୁହନ୍ତି ଯେ – ଆମ ପିଲାବେଳେ ଆମ ମାଁ’ମାନେ ଚୁଲିରେ କାଠ, ଘଷି ଜାଳି ରୋଷେଇ କରୁଥିଲେ । ସେତେବେଳେକୁ ଗାଁରେ ଚାଳଛପର ଘର ଥିଲା ଏବଂ ସେଥିଯୋଗୁଁ ରୋଷେଇ କଲାବେଳେ ଚାଳ ଦେଇ ଯେଉଁ ଧୂଆଁ ବାହାରେ ଦେଖିବା ପାଇଁ ବହୁତ୍ ଭଲ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ଯୁଗରେ ଲୋକମାନେ ଗ୍ୟାସରେ ରୋଷେଇ କରନ୍ତି ଓ ଏହା ବିନା ଧୂଆଁରେ ଶୀଘ୍ର ହୋଇଯାଏ। ବର୍ଷା ଋତୁର ଆଗମନରେ ଯେତେବେଳେ ବର୍ଷାର ପ୍ରଥମ ଜଳବିନ୍ଦୁ ପୃଥିବୀ ପୃଷ୍ଠରେ ପଡ଼େ । ସେତେବେଳେ ସେହି ମାଟିର ବାସ୍ନା ଏମିତି ଲାଗୁଥିଲା ଯେ ସତେଯେମିତି ମାଟି ଗୁଡ଼ିକୁ ଖାଇପକାଇଥାନ୍ତି । ଆମ ଯୁଗରେ କୃଷକମାନେ ହଳ, ଲଙ୍ଗଲ ଧରି ହଳିଆ ଗୀତ ଗାଇ ଗାଇ ଚାଷ କାର୍ଯ୍ୟ କରୁଥିଲେ । କିନ୍ତୁ ବର୍ତ୍ତମାନ କୃଷକମାନେ ଟ୍ରାକ୍ଟର, ପାୱରଟିଲରରେ ଚାଷ କରନ୍ତି । ଆଗ କାଳରେ ଲୋକମାନେ ଚାଳଛପର ଘରେ ରହୁଥାନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ବିଭିନ୍ନ ଡିଜାଇନ୍‌ର ପକ୍କା ଘର କରି ରହୁଛନ୍ତି । ଆଗ କାଳରେ ଗାଁ ଗହଳିର ଲୋକମାନେ ଜାଉ ଭାତ ଓ ଶୁଖୁଆ ପୋଡ଼ା କରି ଖାଉଥାନ୍ତି କିନ୍ତୁ ବର୍ତ୍ତମାନ ଯୁଗରେ ବିଭିନ୍ନ ପ୍ରକାର ସୁସ୍ୱାଦ ଭୋଜନ କରି ଖାଆନ୍ତି । ଲୋକମାନେ ଗାଁରେ ଛୁଆଁ ଅଛୁଆଁ ବିଚାର କରନ୍ତି ନି । ଆଗେ ଲୋକମାନେ ଗାଁରେ ଛୁଆଁ ଅଛୁଆଁ ଭେଦଭାବକୁ ଅଧିକ ଗୁରୁତ୍ୱ ଦେଉଥିଲେ କିନ୍ତୁ ବର୍ତ୍ତମାନ ସମୟରେ ଛୁଆଁ ଅଛଆଁ ଭେଦଭାବ ମାନନ୍ତି ନାହିଁ । ସମସ୍ତେ ମିଳିମିଶି ଚଳନ୍ତି । ଆଗ କାଳରେ ଗାଁର ଲୋକମାନେ ଗୋଟିଏ ଗାମୁଛା ପିନ୍ଧୁଥିଲେ ମଳିମୁଣ୍ଡିଆ ହୋଇ ରହୁଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ପୋଷାକ ପିନ୍ଧୁଛନ୍ତି । ଆଗ କାଳରୁ ଗାଁ ଗହଳିର ଲୋକମାନେ ସତୀଦାହ ପ୍ରଥା ଅନୁସାରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ୱାମୀଙ୍କ ଚିତାଅଗ୍ନିରେ ସ୍ତ୍ରୀକୁ ଜିଅନ୍ତା ଜାଳି ଦଉଥିଲେ । କିନ୍ତୁ ବର୍ତ୍ତମାନ ସତୀଦହା ପ୍ରଥା ର ରୀତିନୀତି ଆଉ ନାହିଁ । ଆଗକାଳରେ ଝିଅ ମାନଙ୍କୁ ଘରୁ ବାହାରିବା ପାଇଁ କିମ୍ବା ପାଠ ପଢ଼ିବା ପାଇଁ ଦେଉ ନ ଥିଲେ । କିନ୍ତୁ ବର୍ତ୍ତମାନ ଝିଅମାନେ ପାଠ ପଢ଼ି ବହୁତ ଅଗ୍ରସର କଲେଣି । ବହୁତ ଦିଗରେ ଉନ୍ନତି କଲେଣି ଉଡ଼ାଜାହାଜ ମଧ୍ୟ ଚଲେଇଲେଣି ବହୁତ୍ ଉନ୍ନତି କରିଲେଣି । ଆଗ କାଳରେ ଯାତାୟାତର ସୁବିଧା ନ ଥିଲା କିନ୍ତୁ ବର୍ତ୍ତମାନ ଗାଁ ଗାଁରେ ପକ୍କା ସଡ଼କର ସଂଯୋଗ ହେଲାଣି । ଆଗକାଳରେ ପାଠପଢ଼ିବା ପାଇଁ ପିଲାମାନେ ଗୁରୁକୁଳ ଆଶ୍ରମକୁ ଯାଉଥିଲେ କିନ୍ତୁ ବର୍ତ୍ତମାନ ଅନେକ ପ୍ରକାର ଅନୁଷ୍ଠାନ ହେଲାଣି । ସେତେବେଳେ ଯୋଗଯୋଗ କେବଳ ଚିଠି କିମ୍ବା ପାରା ମାଧ୍ୟମରେ ଯୋଗାଯୋଗ ହେଉଥିଲା କିନ୍ତୁ ବର୍ତ୍ତମାନ ମୋବାଇଲ ଦ୍ୱାରା ଯୋଗାଯୋଗ ହୋଇପାରୁଛି । ଆଗକାଳରେ ଲୋକମାନେ ଖାଲି ପାଦରେ ଦୂରସ୍ଥାନକୁ ଯାତ୍ରା କରୁଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ବିନା ଜୋତାରେ ଲୋକେ ଘରୁ ବାହାରନ୍ତି ନାହିଁ । ପୂର୍ବକାଳର ଲୋକମାନେ ଚନ୍ଦ୍ର ସୂର୍ଯ୍ୟକୁ ଦେଖି ସମୟର ଅନୁମାନ କରୁଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ବିଭିନ୍ନ ପ୍ରକାର ଘଣ୍ଟା ମାଧ୍ୟମରେ ସମୟକୁ ଜାଣନ୍ତି । ପୂର୍ବେ ଆମ ଗାଁର ଚତୁର୍ପାଶ୍ୱରେ ବହୁତ୍ ପରିମାଣରେ ଜଙ୍ଗଲ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ଜଙ୍ଗଲକାଟି ଜନସଂଖ୍ୟା ବୃଦ୍ଧି ହେତୁ ପକ୍କା ଘର ତିଆରି କଲେଣି । ଆଗକାଳରେ ଗାଁରେ ବିଦ୍ୟୁତ୍‌ର ସୁବିଧା ନ ଥିଲା କିନ୍ତୁ ବିର୍ତ୍ତମାନ ଗାଁ ଗାଁରେ ବିଦ୍ୟୁତ୍ ସଂଯୋଗ୍ ହୋଇଗଲାଣି । ଆମ ଗାଁରେ ଗୋଟିଏ ନଦୀବନ୍ଧ ଥିଲା । କିନ୍ତୁ କାଳକ୍ରମେ ଲୋକମାନେ ନିଜର ଜ୍ଞାନ, କୌଶଳକୁ ବିନିଯୋଗ କରି ଏକ ବିରାଟ ନଦୀବନ୍ଧରେ ପରିଣତ କରିଦେଲେଣି । ସେହି ନଦୀବନ୍ଧରେ ଲୋକଙ୍କ ମନୋରଞ୍ଜନ ପାଇଁ ଦୋଳି ଖସଡ଼ା, ଟ୍ରେନ୍‌, ବୋଝ କମ୍ପ୍ୟୁଟର ଖେଳ, ବିଭିନ୍ନ ଔଷଧୀୟ ଗଛର ଉଦ୍ୟାନ, ରଙ୍ଗବେରଙ୍ଗ ବିଭିନ୍ନ ଡିଜାଇନ୍‌ର ଫୁଲ ଉଦ୍ୟାନ, ଗୋଲାପ ଉଦ୍ୟାନ ଇତ୍ୟାଦି ମନୋରଞ୍ଜନ ପାଇଁ ତିଆରି କରାଯାଇଛି । ସେହି ପାର୍କର ନାମ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ । ଏଠାରେ ଗୋଟେ ୬୯ ଫୁଟର ବିରାଟ ଶିବ ମୂର୍ତ୍ତିର ନିର୍ମାଣ ହୋଇଛି । ଯାହାକି ଭାରତର ଷଷ୍ଠତମ ମୂର୍ତ୍ତି ଅଟେ । ଏଠାରେ ମାଛ ଚାଷ ମଧ୍ୟ କରାଯାଏ। ଏଠାକୁ ବିଭିନ୍ନ ଜାଗାର ପର୍ଯ୍ୟଟକମାନେ ଦେଖିବାକୁ ଆସନ୍ତି । ସେଥିରୁ ରୋଜଗାର ହେଉଥିବା ଅର୍ଥକୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ଯେଉଁସବୁର ସୁବିଧା ପୁରାତନ ଯୁଗରେ ନଥିଲା । ଏ ସବୁ ପରିବର୍ତ୍ତନ ସେମାନେ ତାଙ୍କ ପିଲାବେଳଠାରୁ ଏଯାଏଁ ଦେଖିଛନ୍ତି ।

ଗାଁର ବୟସ୍କା ମା’ମାନେ ଗାଁକୁ ବୋହୂ ହୋଇ ଆସିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯେପରିକି ସେ ତାଙ୍କ ଅଧିକାର ପାଇଁ ପାଟି ଖୋଲି କହିପାରୁ ନଥିଲେ । ଜଳର ସୁବିଧା ନଥିବା ଯୋଗୁଁ ପାଣି ପାଇଁ ସେମାନେ ପୋଖରୀକୁ ଯାଉଥାଆନ୍ତି । ପାନୀୟ ଜଳର କେଉଁ ସୁବିଧା ନଥିବା ଯୋଗୁଁ ଦୂରଦୂରକୁ ହାଣ୍ଡି, ମାଠିଆ ଧରି ଯାଇ ମୁଣ୍ଡରେ ବୋହି ବୋହି ଆଣୁଥିଲେ। ଗାଁର ସ୍ତ୍ରୀ ଲୋକମାନେ ସ୍ନାନଶୌଚ ପାଇଁ ଦୂର ଜାଗାକୁ ଯାଉଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଘରେ ଘରେ ନଳକୂପ ଓ କୂଅଁର ସୁବିଧା ରହିଛି ଓ ସ୍ନାନଶୌଚ ପାଇଁ ଶୌଚାଳୟ ଏବଂ ସ୍ନାନାଗାର ରହିଛି । ଏ ସବୁ କଥା ମୁଁ ମୋ ଜେଜେମାଙ୍କ ଠାରୁ ଜାଣିବାକୁ ପାଇଲି ।

ଆମ ଗାଁରେ କାର୍ତ୍ତିକ ମାସରେ କୀର୍ତ୍ତନ ମଣ୍ଡଳୀ ସକାଳେ ଓ ସନ୍ଧ୍ୟାରେ ଗିନି, ତାଳ, ମୃଦଙ୍ଗ, ବଜାଇ ‘ହରେକୃଷ୍ଣ ହରେରାମ” ଭଜନ କରି ଗାଁ ଦାଣ୍ଡରେ ବୁଲିବା ସମୟ ଆମକୁ ବେଶୀ ଖୁସି ଦିଏ । ସକାଳେ ଓ ସନ୍ଧ୍ୟାରେ ଗାଁର ବୃଦ୍ଧ ବୟସ୍କ ଲୋକ ଆମ ଘର ଦାଣ୍ଡରେ ବସି କଥାବାର୍ତ୍ତା ହେବା ସମୟ । ସକାଳର ସୂର୍ଯ୍ୟ କିରଣ ସହ ଶୀତ ପାଗ ସମୟ ଲୋକ କଥା ହେଇହେଇ ନିଆଁ ପାଖରେ ବସିଥିବା ଦୃଶ୍ୟ । ଛୋଟ ଛୋଟ ପକ୍ଷୀ କିଚିରି ମିଚିର ଶବ୍ଦ କରି ନିଜ ବସା ଛାଡ଼ି ଖାଦ୍ୟ ଅନୁସରଣରେ ବାହାରନ୍ତି । ଗାଁର ଗୁହାଳରେ ଥିବା ଗାଈ ବାଛୁରୀକୁ କ୍ଷୀର ଦେବା ଦିଅନ୍ତି । ଗଉଡ଼ ଗାଈର କ୍ଷୀର ଦୁହିଁଲା ବେଳେ ଏବଂ ପର୍ବପର୍ବାଣୀରେ ପିଠା, ମିଠା, କ୍ଷୀର ଯାହାବି ତିଆରି ହୁଏ ତାକୁ ବଣ୍ଟାବଣ୍ଟି କରି ଖାଇବା ସମୟରେ ଇତ୍ୟାଦି ଗାଁର ମଜା ଆଉ କେଉଁଠାରେ ମିଳିବ ନାହିଁ । ସେହି ସ୍ନେହଭରା କଥାବାର୍ତ୍ତା, ମିଳିମିଶି ପର୍ବପର୍ବାଣୀ ପାଳନ କରିବା ଦେଖିଲେ ଖୁସି ଲାଗେ । ଗାଁର ମୁଖ୍ୟ କଥା ହେଲା ଦିପାବଳୀ ଦିନ ସମସ୍ତେ ବାଣ ଫୁଟାଇବା ସମୟରେ ସମସ୍ତେ ନିଜ ନିଜ ପରିବାର ସହ ପିତୃପୁରୁଷକୁ ଡାଙ୍ଗ ଦେଖାଇବା ସମୟରେ ପ୍ରାର୍ଥନା କରନ୍ତି । ଏହା ଆନନ୍ଦଦାୟକ ଅଟେ । ଏ ସବୁ କଥା ଆମକୁ ବେଶୀ ଖୁସି ଲାଗେ । ଆମ ଆତ୍ମୀୟ ଲୋକଙ୍କର ବା ଗାଁର କୌଣସି ଲୋକଙ୍କ ମୃତ୍ୟୁ ଆମକୁ ଅଧିକ କଷ୍ଟ ହୋଇଥାଏ । ସେମାନଙ୍କ କଥା ମଧ୍ୟ ସେମାନେ ସ୍ନେହ, ଭଲ ପାଇବା । ଗାଁ ପାଇଁ କରିଥିବା କାର୍ଯ୍ୟ ଏବଂ ବୀରତ୍ୱ ଇତ୍ୟାଦି ଭାବିକି ଗର୍ବ ଅନୁଭବ କରିଥାଉ ।

ମୁଁ ବଡ଼ ହେଲେ ଗାଁରେ ଯେଉଁସବୁ ପୋଖରୀ ଗୁଡ଼ିକର ପାହାଚ ନାହିଁ ତାକୁ ତିଆରି କରିବି । ଯେଉଁ ସବୁ ଗ୍ରାମରେ ରାସ୍ତାର ସୁବିଧା ନଥିବ ସେଠାରେ ରାସ୍ତାର ସୁବିଧା କରିବି । ଯେଉଁସବୁ ମନ୍ଦିର ଧ୍ୱଂସାବଶେଷ ଅବସ୍ଥାରେ ଅଛି ତାକୁ କଳାକାରମାନଙ୍କ ଦ୍ୱାରା ପୁଣି ଗଠନ କରିବି ଏବଂ ଗାଁର ମର୍ଯ୍ୟଦାକୁ ଆହୁରି ଉଚ୍ଚ କରିବାପାଇଁ ଚେଷ୍ଟା କରିବି । ଗାଁରେ ଥିବା ଗରିବ ଲୋକ ଯେଉଁମାନଙ୍କର ଘରେ ଏବଂ ଖାଇବାର ସୁବିଧା ନାହିଁ ସେମାନଙ୍କ ପାଇଁ ମାଗଣା ଖାଇବା ପାଇଁ ଏକ ଭୋଜନାଳୟ ଏବଂ ବିଶ୍ରାମାଗାରା ତିଆରି କରିବି । ଗରୀବ ଲୋକମାନଙ୍କୁ ସାହାଯ୍ୟ କରିବି । ବର୍ତ୍ତମାନ ମୁଁ ମନଧ୍ୟାନ ଦେଇ ଭଲ ଭାବରେ ପାଠପଢ଼ିବି । ଭଲ ରୋଜଗାର କରିପାରିଲେ ହିଁ ମୁଁ ଗାଁର ଅଧୁରା କାମକୁ ପୂରା କରିପାରିବି । ପାଠ ହେଲା ସବୁଥିର ମୂଳ ମନ୍ତ୍ର । ଗାଁର ପ୍ରତ୍ୟେକଟି ଲୋକଙ୍କ ମନସ୍କାମନା ପୂରଣ କରିବାକୁ ଚେଷ୍ଟା କରିବି ଏବଂ ପ୍ରତ୍ୟେକଟି ଇଚ୍ଛା ପୂରଣ କରିବି ।

Share This Article
Student Journalist