ଅମର ସଙ୍ଗୀତ, ଅନବଦ୍ୟ ଗ୍ରନ୍ଥ

ଭାସ୍କର ପରିଚ୍ଛା
ଭାସ୍କର ପରିଚ୍ଛା 236 Views
4 Min Read

ଦୁଇ ବର୍ଷ ତଳେ ଅର୍ଥାତ୍ ୭ ଜୁନ୍ ୨୦୨୦ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଥିଲା। ଏହା ଥିଲା ରାଜ୍ୟବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ। ଭାରତର ତେରଟି ରାଜ୍ୟ ସଙ୍ଗୀତ ଭିତରୁ ଅନ୍ୟତମ, ବନ୍ଦେ ଉତ୍କଳ ଜନନୀକୁ ମାନ୍ୟତା ଦେବା କେବଳ ଏକ ଐତିହାସିକ ପଦକ୍ଷେପ ନଥିଲା ଓଡ଼ିଆ ଜାତିର ପ୍ରାଣ -ପୁଲକ ଏହି ସଙ୍ଗୀତ ପାଇଁ ଏକ ନୂଆ ପରିଚୟ ମଧ୍ୟ ସୃଷ୍ଟି କଲା। ଉଲ୍ଲେଖ ଅନାବଶ୍ୟକ ଯେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ଅମର ସଙ୍ଗୀତ ପ୍ରଥମେ ୧୯୧୩ ମସିହାରେ ଗାନ କରାଯାଇଥିଲା। ସେହିଁ ଦିନ ଉତ୍କଳ ସମ୍ମିଳନୀର ନବମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ପୁରୀ ରାମଚଣ୍ଡୀ ଠାକୁରାଣୀଙ୍କ ସମ୍ମୁଖ ପଡ଼ିଆରେ।ତା ପର ଠାରୁ ଯାହା ଘଟିଯାଇଛି ତାହା ଏକ ଘଟଣା ବହୁଳ ଇତିହାସ। ଆଉ ସେହି ଇତିହାସକୁ ପ୍ରାଞ୍ଜଳ ଭାବରେ ଓ ସୁସଂହତ ଢ଼ଙ୍ଗରେ ଲିପିବଦ୍ଧ କରଯାଇଛି ଆଲୋଚ୍ୟ ପୁସ୍ତକରେ।

Support Samadhwani

ଡ଼ ସନ୍ତୋଷ କୁମାର ମହାନ୍ତିଙ୍କ ଏହି ଗବେଷଣାତ୍ମକ ପୁସ୍ତକ ଏଥିପାଇଁ ଅନନ୍ୟ ଯେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ସମଗ୍ର ପୃଷ୍ଟୁଭୂମିକୁ ସେ ଏଥିରେ ଖୁବ୍ ସଫଳତାର ସହ ଉପସ୍ଥାପିତ କରି ପାରିଛନ୍ତି। ପାଖାପାଖି ତିନି ଶହ ପୃଷ୍ଠାର ଗ୍ରନ୍ଥ ଗୋଟିଏ ଜାତିର ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରିଛି କେବଳ ନୁହେଁ ଭବିଷ୍ୟତ ପିଢ଼ି ପାଇଁ ଛାଡ଼ି ଯାଇଛି ଏକ ସ୍ୱର୍ଣିମ ସ୍ୱାକ୍ଷର।

ଗୋଟିଏ ଗୀତ ପାଇଁ ଗୋଟିଏ ବହିର ପରିକଳ୍ପନା ଅଲୌକିକ ଲାଗୁଥିଲେ ହେଁ ତାହା ସମ୍ଭବ ହୋଇପାରିଛି ଏହି ବିସ୍ତୃତ ଆଲୋଚନାତ୍ମକ ଗ୍ରନ୍ଥରେ। ଗୀତଟିଏ ପାଇଁ କାହିଁକି ବହିଟିଏ ଲେଖାଗଲା ସେ ସମ୍ପର୍କରେ ଲେଖକଙ୍କ ଅବଧାରଣା ବାସ୍ତବ: ‘ଜାତୀୟ ସ୍ବପ୍ନ ଜାତିର ଗାଥାରେ ପ୍ରବାହମାନ ହେଲେ ସୃଷ୍ଟି ହୁଏ ଏକ ସମ୍ମିଳିତ ଆବେଗ,ଏକ ସଙ୍ଗଠିତ ସ୍ବପ୍ନ, ଜାତୀୟ ସଂଗୀତ ହୋଇପାରେ ତା’ର ସଂରକ୍ଷକ। ମାଟି ପ୍ରେମ ଓ ଏକତାର ଅନୁଭବ ଯଦି ଜୀବନ ହୁଏ, ତେବେ ସେ ଜୀବନକୁ ଗାନରେ ପ୍ରାଣମୟୀ କରାଯାଇପାରେ।’

ପଚିଶିଟି ଅଧ୍ୟାୟରେ ଲେଖକ ଏହି ଐତିହାସିକ ସଙ୍ଗୀତ ପଛର ସମସ୍ତ ଦିଗକୁ ଉନ୍ମୋଚିତ କରିଛନ୍ତି। ଉତ୍କଳ ସମ୍ମିଳନୀରେ ବିଭିନ୍ନ ଅଧିବେଶନରେ କେଉଁ ଦେଶାତ୍ମବୋଧକ ଗୀତ ଗାନ କରାଯାଇଥିଲା ସେହିଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ସରକାରଙ୍କ ଦ୍ବାରା ମାନ୍ୟତା ପ୍ରଦାନ ପର୍ଯ୍ୟନ୍ତ ସମଗ୍ର ଇତିହାସକୁ ଖୋଜି ବାହାର କରିପାରିଛନ୍ତି ଲେଖକ। ମହୀଶୂରରେ ଥିବା ଭାରତ ସରକାରଙ୍କ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନର ବରିଷ୍ଠ ଗବେଷକ ଡ ମହାନ୍ତି ଲେଖିଛନ୍ତି ଯେ ବହିଟିକୁ ତଥ୍ୟାଶ୍ରିତ ବା ପ୍ରାମାଣିକ କରିବା ପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି।

Support Samadhwani

ସରକାରୀ ନଥି,ଚିଠିପତ୍ର, ପୁରୁଣା ବହି ପତ୍ରିକା ଆଦିକୁ ମିଶାଇ ପ୍ରାୟ ଦୁଇ ଶହ ମୂଳ ଆଧାର ଓ ଶହେରୁ ଅଧିକ ପ୍ରତିଲିପିର ସଂଯୋଜନ ଏହି ପୁସ୍ତକର ମର୍ଯ୍ୟାଦାକୁ ବଢ଼ାଇଛି କେବଳ ନୁହେଁ ଗ୍ରନ୍ଥଟି ଭବିଷ୍ୟତର ଗବେଷକମାନଙ୍କ ପାଇଁ ଏକ ମୌଳିକ ପୁସ୍ତକର ଯୋଗ୍ୟତା ହାସଲ କରିପାରିଛି।ପୁସ୍ତକର ପ୍ରଚ୍ଛଦପୃଷ୍ଠରେ ଲେଖାଯାଇଛି ଯେ ଓଡ଼ିଶାର ରାଜ୍ୟ ସଙ୍ଗୀତର ଆଲୋଚନା କ୍ଷେତ୍ରରେ ଏହା ପ୍ରଥମ ଓ ପ୍ରାମାଣିକ ପୁସ୍ତକ।

ବନ୍ଦେ ଉତ୍କଳ ଜନନୀର ମୂଳ ରୂପ କଣ ଥିଲା, ସ୍ବାମୀ ବିଚିତ୍ରାନନ୍ଦ ଦାସଙ୍କ ମତ, ସରକାରୀ ମାନ୍ୟତା, ଅଧିନିୟମ ଓ ବିଧି , ବିଦ୍ୟାଳୟରେ ଏହି ସଙ୍ଗୀତର ସ୍ଥାନ, ଏହାର ସରଳ ଅର୍ଥ, ଏହି ସଙ୍ଗୀତର ଇଂରେଜୀ ଅନୁବାଦ, ଦେବନାଗରୀ ଓ ରୋମାନ ଲିପ୍ୟନ୍ତକରଣ, ଗୋକୁଳି ମହାନ୍ତିଙ୍କ କଣ୍ଠରେ ବନ୍ଦେ ଉତ୍କଳ ଜନନୀ,କଟକ ବେତାର କେନ୍ଦ୍ରରେ ଏହାର ଗାୟନ ଓ ସଙ୍ଗୀତର ବର୍ତ୍ତମାନ ସ୍ଥିତି ଏସବୁ ପ୍ରଥମ ଭାଗର ବିଷୟବସ୍ତୁ।

ଦ୍ୱିତୀୟ ଭାଗରେ ଡ ମହାନ୍ତି ଓଡ଼ିଆ କବିତାରେ ବନ୍ଦେ ଉତ୍କଳ ଜନନୀ, ଉତ୍କଳ ସମ୍ମିଳନୀରେ ଏହାର ଗାୟନ ପରମ୍ପରା ଓ ଗାୟନ ପଦ୍ଧତି, ରାଧାନାଥ ରାୟଙ୍କ ଭାରତ ଗୀତିକା ଓ ମାନସିଂହଙ୍କ ବନ୍ଦେ ଉତ୍କଳ ଜନନୀର ପ୍ରକାର ଭେଦ, କାନ୍ତକବି ଓ ଗୋକୁଳିଙ୍କ ମହାନ୍ତିଙ୍କ ପରିଚୟ, ଭାରତର ଅନ୍ୟ ରାଜ୍ୟର ସଂଗୀତ, ପତ୍ର ପତ୍ରିକା, ସରକାରୀ ଚିଠି ଓ ଖବକାଗଜମାନଙ୍କରେ ପ୍ରକାଶିତ ଏହି ସଙ୍ଗୀତ ସମ୍ବନ୍ଧିତ ଖବରର ଅବିକଳ ପ୍ରତିଲିପି, ଅତୀତରେ ବିଭିନ୍ନ ବିଜ୍ଞାପନରେ ବନ୍ଦେ ଉତ୍କଳ ଜନନୀ ଶୀର୍ଷକର ବ୍ୟବହାର, ଟିସାର୍ଟ ଓ ମୋବାଇଲ ଫୋନ୍ କଭରରେ ବନ୍ଦେ ଉତ୍କଳ ଜନନୀର ଛାପ ଆଦି ସଚିତ୍ର ଓ ବିସ୍ତୃତ ଆଲୋଚନା ଏହି ଗ୍ରନ୍ଥକୁ ସାଂପ୍ରତିକ ସମୟର ଏକ ଉଲ୍ଲେଖନୀୟ କୃତି ଭାବେ ଛିଡ଼ା କରିପାରିଛି।

ଇତିହାସ ସଚେତନତା, ଶାଣିତ ଦୃଷ୍ଟିଭଙ୍ଗୀ, ଭାଷା ବିଜ୍ଞାନରେ ଦଖଲ, ତତ୍ତ୍ଵର ଆହରଣ-ଦକ୍ଷତା, ଅନାବିଷ୍କୃତ ବିଷୟ ପ୍ରତି ସ୍ଵତଃ ଆଗ୍ରହ ଓ ଗବେଷଣା କ୍ଷେତ୍ରରେ ପାରଦର୍ଶିତା ଏସବୁ ନଥିଲେ ଏଭଳି ଏକ ପୁସ୍ତକ ରଚନା କରିବା କଷ୍ଟକର।

ଓଡ଼ିଆ ଜାତିର ଗର୍ବ ଓ ଗୌରବ ତଥା ଆମ ସାଂସ୍କୃତିକ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତର ଆମୂଳଚୁଳ ଇତିବୃତ୍ତକୁ ପୁସ୍ତକ ମାଧ୍ୟମରେ ପାଠକଙ୍କ ନିକଟରେ ଉପଲବ୍ଧ କରାଇଥିବାରୁ ଉଭୟ ପ୍ରକାଶକ ମନୁ ଦାଶ ତଥା ଲେଖକ ସନ୍ତୋଷ କୁମାର ମହାନ୍ତି ପ୍ରଶଂସାର ପାତ୍ର।

ବନ୍ଦେ ଉତ୍କଳ ଜନନୀ – ଅତୀତ ଓ ବର୍ତ୍ତମାନ
ଡ଼ ସନ୍ତୋଷ କୁମାର ମହାନ୍ତି
ଧଉଳି ବୁକ୍ସ
ଭୁବନେଶ୍ଵର

Share This Article