ଚଢେୟା ଚଢେୟାଣୀ ପଦ୍ୟାବୃତ୍ତି

ଜ୍ୟୋତି ନନ୍ଦ
1 Min Read

ପଢା କେତେ ଜାତି କହରେ ଚଢେୟା
ପଢା କେତେ ଜାତି କହ,
ନକହି ପାରିଲେ ନିବୁଜ କବାଟ
ନିଜ ବନସ୍ତ ରେ ରହ?

କବାଟରେ ମତି ନାହିଁ ଚଢେୟାଣୀ
ମୁଣ୍ଡ ରେ ଘୋର ବନସ୍ତ
ହେଣ୍ଟାଳ ଭୁଲିଛି ମତ୍ତମହାବଳ
ବେଳ ହେଲା ରତ ରତ।

ତୋ ମତ୍ତ ବୃତ୍ତାନ୍ତ ଜାଣେ ଚଢେୟା ରେ
ଜାଣଇ ଏଇ ଶରୀର,
ଭିତରେ ବନସ୍ତ ବାହାରେ ବନସ୍ତ
ଲେଖିବୁ ଭେଦ କାହାର ?

ବେଳ ମହାବଳ ଶୁଣ ଚଢେୟାଣୀ
ଗ୍ରାସଇ ଆମର ଦେହ
ଗମ୍ଭୀରାରେ ଶୁନ ବାହାରେ ବି ଶୁନ
ବନସ୍ତ ଟି ଏକା ଥୟ।

Samadhwani Support us

ପବନରେ ଫାଶ ନାହିଁ ଚଢେୟାଣୀ
ପବନରେ ନାହିଁ ଗାର
କିଏ ସେ ଚଢେୟା କିଏ ଚଢେୟାଣୀ
କିଏ ଜାଣେ ଏ ବେଭାର।

ତିନି ଜାତି ପଢା ଲେଖେ ଚଢେୟାଣୀ
ଲେଖେ ପଢା ତିନି ଜାତି
ପହିଲି ପଢାରେ ସଭିଏଁ ବାଳୁତ
ନିଜ କଳପନା ସାଥି।

ଦ୍ୱିତୀୟ ଯୁଗର ପଢା ସାଧବାଣୀ
ଶକତ ଯୁବକ ଜାଣ
ଶରୀର ଅକ୍ଷର ଶରୀର ଶବଦ
କାମ କମାଣ ନିର୍ମାଣ ।

ଶେଷ ଯୁଗ ପଢା ପଢୁ ଚନ୍ଦ୍ରମୁଖୀ
ଆଖି ହଳକ ନଥାଇ
ପୋଥିର ବେଭାର ଈଶ୍ବର ଗୋଚର
କେବଳ ପାଠକ ସେଇ।

•••••

Share This Article