ଝୁରି ବସେ ଯେବେ ସେହି ମାଟିକୁ

ଅନ୍ନଦା ଅପରାଜିତା
ଅନ୍ନଦା ଅପରାଜିତା 329 Views
3 Min Read

ଝୁରି ବସେ ଯେବେ ସେହି ମାଟି କୁ,
ମନ ଚାଲିଯାଏ ପିଲାଦିନ କୁ ,
କୋଠା, ବାଡି, ଗାଡ଼ି ଆସନ ଫିକା,
ସହରୀ ଜୀବନ ଲାଗଇ ଫାଙ୍କା ।

ନାହିଁ ତ ପାହାଡ଼ ନାହିଁ ବି ନଈ,
ସରଗୁ ସୁନ୍ଦର ମୋ ଗା ଭୂଇଁଁ
ପୂରୁବ ରେ ଯେବେ ସୁରୂଜ ଚାହେଁ
ଯୋଡ଼ି ବରଗଛ ପାଛୋଟି ନିଏ ।
ଯୋଡ଼ି ବରଗଛ ଲମ୍ବ ଓହଳ,
ଦୂର ତାଳ ବଣ ପୋଖରୀ କୂଳ
ବନ୍ଧ ,ବିଲ, ନାଳ ମଠ ମନ୍ଦିର
ଥିଲା ନିମ୍ବ ଅରା ମଧୁସାଗର ।

ବରଷାରେ ପିନ୍ଧେ ସବୁଜ ଶାଢ଼ୀ,
ଶୀତରେ ଖେଳଇ ସୁନା ଲହରୀ।
ସାବି ବରଗଛ କିଆ ଗୋହୀରି
ଡରି ଡରି ତୋଳା କଣ୍ଟେଇ କୋଳି ।
ଲାଗଇ ଚାହିଁଛି କଞ୍ଚା ଡାହାଣୀ ,
ଫୁଲ ସୁଙ୍ଘା ବାବା ଆସିବ ପୁଣି ।

ଆଉ ଦେଖୁନାହିଁ ବଣ ର ମଲ୍ଲି
ନାଲିକଳାର ସେ କାଇଁଚ ମାଳି ।
ନୀଳ କଇଁ ପୁଣି ଦଳର ଫୁଲ,
କିଚିର ମିଚିରି ଚଢେଇ ଦଳ
ନିତି ହିଡ଼ ମୁଣ୍ଡେ କରନ୍ତି କଳି ,
ନିମିଶକେ ଭୁଲି ହୁଅନ୍ତି ମେଳି ।
ଆକାଶେ ଉଡ଼ିଲେ ବଗ ବଗୁଲି,
ନଖ ଘଷି ମାଗୁଥିଲୁ କଉଡ଼ି ।

ନୀଳ ଆକାଶରେ ବଉଦ ରଙ୍ଗେ,
ଛବି ଆଙ୍କୁ ଥିଲେ ନାନା ଯେ ଢଙ୍ଗେ ।
ଗାଁ ମୁଣ୍ଡ ର ସେ ଛୋଟ କଣ୍ଡି ଆ
ଏବେ ବି ଯେଉଁଠି ଲାଗେ ଛାନିଆ
ଜେଜେ ଗୋଷୀଁବାପା ଜେଜେମା ବୁଢୀ
ଏଇପଟେ ଗଲେ ସରଗ ଚଢି।
ବଡ ବଡୁଆଙ୍କ ଯୂଇ କୁ ଛୁଇଁ
ପବିତ୍ର ହେଇଛି ଚାଖଣ୍ଡେ ଭୂ ଇଁ ।
ଭାରି ନିଛାଟିଆ ଅଛୁତା ତୋଟା
ପାତର ବାଡି ର ଆମ୍ବ କି ମିଠା ।
ଦାସ ବୁଢ଼ା ପୁଣି ଜଗିଛି ବାଡି ,
ନଳିମା’ ବାଡି କଷି କାକୁଡି ।
ତେନ୍ତୁଳି, ବାଗଲା , ରଧୁଆ କୋଳି,
ଏମାନଙ୍କ ପାଇଁ ବାପାଙ୍କ ଗାଳି।
ରାଉତ ଗଡିଆ ଦଳ ର ଭେଳା,
କଇଁ ଫୁଲ ଭାଲୁକୁଣୀ ରେ ତୋଳା
କୁଆଁର ପୁନେଇ ଗୀତ କୁ ଗାଈ
ଧାନ ମାଗୁଥିଲୁ ପିଢ଼ା ମୁଣ୍ଡେଇ।

ଚୈତ୍ରେ ବଉଳ ରଙ୍ଗର ଖେଳ,
କାକର ଭିଜା ସେ ଶୀତ ସକାଳ ।
ତାଆସ ଆସର ,ରଜର ଦୋଳି
ସପ୍ତା, ହରିହାଟ, ଅଷ୍ଟ ପ୍ରହରୀ ।
ମଜା ଲାଗେ ହେଲେ ବୁଢ଼ୀ ଙ୍କ କଳି,
ଶୁଣୁ ନୂଆ ଶବ୍ଦ ଢଗ, ଢମାଳି
ହାତକୁ ବୁଲେଇ ଶାଢ଼ୀ କୁ ଭିଡ଼ି ,
ଦାଣ୍ଡ ଦୁଲୁକାନ୍ତି ଛାଡ଼ି କି ରଡ଼ି।

ବର୍ଷା ପାଣି ଯେବେ ଚାଲେ ଦାଣ୍ଡରେ
ଜେଜେମା ପାଖେ ବସୁ ପିଣ୍ଡା ରେ ।
ହସ୍ତାକ୍ଷର ଖାତା କାଗଜ ଚିରି
ଲୁଚି ଲୁଚି କରୁ ଡଙ୍ଗା ତିଆରି
ବେଳ ଉଣ୍ଡି ପୁଣି ଦେଉ ଭସାଇ
ଭାବୁ ନିଶ୍ଚେ ଆସିବ ଏ ଦରିଆ ଛୁଇଁ ।
କଙ୍କି, ପ୍ରଜାପତି ପଛେ ଗୋଡ଼ାଇ
ପଡ଼ି ଉଠି ଖେଳୁ ଖଣ୍ଡିଆ ହୋଇ ।
ସମୟର ସ୍ରୋତ ଚାଲିଛି ବହି
ବଦଳି ଚାଲିଛି ସେ ସ୍ମୃତି ଭୂଇଁ ।
କେତେ ଚିହ୍ନା ମୁହଁ ଗଲାଣି ହଜି
ସ୍ନେହ ଆତ୍ମୀୟତ ପାଉନୁ ଖୋଜି
ଅଚିହ୍ନା ହେଲାଣି ସଭିଙ୍କ ଘର
ସମସ୍ତେ ଯେମିତି ଲାଗନ୍ତି ପର ।
ନୀରବି ଗଲେଣି ବିଦ୍ୱାନି ଗୁଣୀ
ଲାଗୁଛି ଗାଁ ମୋ ବୁଢ଼ା ହେଲାଣି ।
ହେଲେବି ନିଆରା ମୋ ଗାଁ ମାଟି
ରଖିଛି ଯତ୍ନେ ତା ସ୍ମୃତି ସାଉଁଟି ।
ଅଭୁଲା , ଦୂର୍ମୂଲ୍ୟ ସେ ପିଲାଦନ
ଗାଁ ଠୁ ଦୂରେଇ ମାନେନ ମନ ।

Share This Article