ମନମୋହନ ମିଶ୍ରଙ୍କ ନାଁ ଶୁଣିଥିଲି । ବୋଧହୁଏ ପିଲାବେଳେ ଥରେ ସେ ଜାମସେଦପୁର ଯାଇଥିଲେ, ସେତେବେଳେ ତାଙ୍କୁ ଦୂରରୁ ଦେଖିଥିଲି । କିନ୍ତୁ ତାଙ୍କୁ ଅତି ପାଖରୁ ଦେଖିଲି ୧୯୯୫ ମସିହାରେ, ପୁରୀରେ ଅନୁଷ୍ଠିତ ଏକ ସଭାରେ । ଅନ୍ନପୂର୍ଣ୍ଣା ଏ’ର ପ୍ରେକ୍ଷାଳୟରେ ସଭା ହେଉଥାଏ । ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା, ଡକ୍ଟର ଆଶୁତୋଷ ପରିଡା ଓ ମୁଁ ସେହି ସଭାର ମଂଚରେ ଶ୍ରୀଯୁକ୍ତ ମନମୋହନ ମିଶ୍ରଙ୍କ ସହ ଉପସ୍ଥିତ ଥାଉ । ସେହି ସଭାରେ ପ୍ରଥମ ଥର ପାଇଁ ତାଙ୍କ ମୁହଁରୁ ତାଙ୍କର କବିତାର ଆବୃତ୍ତି ଶୁଣିଲି । ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଯେ ମନମୋହନ ବାବୁ ଯଦି ରାଜନୀତିରେ ନଥାଇ ଗାୟକ ହୋଇଥାନ୍ତେ ତାହାହେଲେ ସେ ବୋଧହୁଏ ଭୂପେନ ହଜାରିକାଙ୍କ ଠାରୁ କୈାଣସି ଦୃଷ୍ଟିରୁ ଊଣା ହୋଇ ନଥାନ୍ତେ । ୭୫ ବର୍ଷ ବୟସରେ ଏପରି ସ୍ୱର ମୋତେ ଅଭିଭୂତ କରୁଥିଲା ।
ମୁଁ ଚାହିଁଲି ଯେ ଆମ ଗଣିତ ବିଭାଗର ଛାତ୍ର/ଛାତ୍ରୀ, ଆଜିକାର ଯୁବକ ଯୁବତୀ ମନମୋହନ ବାବୁଙ୍କୁ ଶୁଣିବା ଦରକାର । ମୁଁ ଥିଲି ଆମ ଛାତ୍ର ସେମିନାରର ଉପଦେଷ୍ଟା । ପ୍ରତ୍ୟେକ ବର୍ଷ ଆମର ସେମିନାରର ବାର୍ଷିକ ଉତ୍ସବ ହୁଏ ଓ ଜଣେ ବରେଣ୍ୟ ବ୍ୟକ୍ତିଙ୍କୁ ଆମେ ଅତିଥି ଭାବରେ ନିମନ୍ତ୍ରଣ କରିଥାଉ। ୧୯୯୬ ମସିହାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମନମୋହନ ମିଶ୍ରଙ୍କୁ ନିମନ୍ତ୍ରଣ କରିବାର ପ୍ରସ୍ତାବ ସେମିନାରର ଛାତ୍ର ସଦସ୍ୟଙ୍କ ନିକଟରେ ରଖିଲି । ସେମାନେ କେହି ମନମୋହନ ମିଶ୍ରଙ୍କ ନାଁ ସୁଦ୍ଧା ଶୁଣି ନଥିଲେ । ମୁଁ ତାଙ୍କୁ କହିଲି ଯେ ଓଡିଶାର ପ୍ରସିଦ୍ଧ ମହାବିଦ୍ୟାଳୟ ରେଭେନ୍ସା କଲେଜର ଛାତ୍ର ୟୁନିୟନର ଛାତ୍ର ସଭାପତି ଥିଲେ ମନମୋହନ ମିଶ୍ର । ସେ ଜଣେ ରାଜନୈତିକ ବ୍ୟକ୍ତି କିନ୍ତୁ ଅପୂର୍ବ ଗଣସାହିତ୍ୟର ସ୍ରଷ୍ଟା । ପିଲାମାନେ ରାଜି ହେଲେ। ତାପରେ ମୋର ଦାୟିତ୍ୱ ହେଲା ମନମୋହନ ବାବୁଙ୍କୁ ଅତିଥି ଭାବେ ଆସିବାକୁ ମନାଇବା । ଯେତେବେଳେ ତାଙ୍କୁ ଏ ପ୍ରସ୍ତାବ ଦେଲି , ସେ କହିଲେ ଗଣିତ ବିଭାଗରେ ମୁଁ କଣ କହିବି? ମୁଁ ତ ଇଂରାଜୀ ସାହିତ୍ୟର ଛାତ୍ର ଥିଲି। ମୁଁ ତାଙ୍କୁ କହିଲି ଆପଣ କହିବେ ନାହିଁ ବୋଲିବେ। ସେ ହସିଲେ। କହିଲେ ଯାହା ବୋଲିବି ତାକୁ କଣ ଆଜିକାର ଯୁବକ-ଯୁବତୀଙ୍କୁ ପସନ୍ଦ ହେବ? ମୁଁ କହିଲି ପରୀକ୍ଷା କରିବାରେ ଅସୁବିଧା କଣ? ଆପଣ ତ ଜୀବନରେ ବହୁ ପରୀକ୍ଷା କରିଛନ୍ତି । ଇଏ ଆଉ ଗୋଟିଏ ପରୀକ୍ଷା ହେବ । ସେ ରାଜି ହେଲେ ଓ ଆସିଲେ । ତାରିଖ ଥିଲା ୨ ଏପ୍ରିଲ ୧୯୯୬ । ସ୍ଥାନ ଥିଲା ଉତ୍କଳ ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟ । କେବଳ ଗଣିତ ବିଭାଗର ଛାତ୍ର/ଛାତ୍ରୀ ନଥିଲେ ସେ ପ୍ରେକ୍ଷାଳୟରେ, ବିଶ୍ୱବିଦ୍ୟାଳୟର ଅନ୍ୟ ବିଭାଗରୁ ଛାତ୍ର/ଛାତ୍ରୀମାନେ ମଧ୍ୟ ଥିଲେ। ସେ କିପରି ନିଜର ବକ୍ତବ୍ୟ ରଖିଥିଲେ ଓ ସୁଲଳିତ କଣ୍ଠରେ ତାଙ୍କ ନିଜର ସ୍ମରଣୀୟ କବିତା କେତୋଟି ଆବୃତ୍ତି କରିଥିଲେ-ତାହାକୁ ଆମେ ଅଡିଓ କାସେଟରେ ରେକର୍ଡ କରି ନେଉଥିଲୁ । ସେହି ବକ୍ତବ୍ୟକୁ ୟୂଟ୍ୟୁବରେ ଆପଣମାନେ ଦେଖିପାରିବେ ।
– ପ୍ରଫେସର ବୀରେନ୍ଦ୍ର ନାୟକ