“ଦଳିତ ଚେତନାର ଭିନ୍ନ ଏକ ସ୍ୱର: ‘କକରେ କଁ’

ଚମତ୍କାର ଶୀର୍ଷକ ବହନ କରିଥିବା ଏହି ‘କକରେ କଁ' କବିତା ସଂକଳନ ଦଳିତ ବିଧ୍ୱସ୍ତ ମଣିଷ ମାନଙ୍କ ବିଦ୍ରୋହର ଆତ୍ମଚିତ୍କାର ରୂପରେ ବିବେଚିତ ।

ଧର୍ମେନ୍ଦ୍ର ଚୁହାନ
ଧର୍ମେନ୍ଦ୍ର ଚୁହାନ 615 Views
11 Min Read

ଓଡ଼ିଆ କବିତା ଜଗତକୁ ନୂଆମୋଡ଼ ଦେବାରେ ଯେଉଁ କେତେଗୁଡ଼ିଏ ଚେତନାର ଅଭ୍ୟୁଦୟ ଘଟିଥିଲା ତନ୍ମଧ୍ୟରୁ ଦଳିତ ଚେତନା ଅନ୍ୟତମ। ଦଳିତ ଚେତନା ଉପରେ ଆଲୋଚନା କରିବା ପୂର୍ବରୁ ‘ଦଳିତ’ ଶବ୍ଦର ଅର୍ଥକୁ ପ୍ରଥମେ ବୁଝିବା ଉଚିତ ମନେହୁଏ । ‘ଦଳିତ’ ଶବ୍ଦର ଅର୍ଥ ଯାହାକୁ ଦବାଇ ଦିଆଯାଇଛି ବା ଦଳି ଦିଆଯାଇଛି । ଦଳିତ ଯେ କେବଳ ଜଣେ ଜାତିରେ ନୁହେଁ ସମାଜର ଯେ କୌଣସି ଅବହେଳିତ, ନିଷ୍ପେଷିତ, ଉତ୍ପୀଡ଼ିତ, ଉପେକ୍ଷିତ, ବିଧ୍ୱସ୍ତ ମଣିଷ ହୋଇପାରନ୍ତି । ଯେଉଁମାନେ ସମାଜରେ ଅଛୁଆଁ ବା ଅସବର୍ଣ୍ଣ, ଯେଉଁମାନଙ୍କୁ ସବର୍ଣ୍ଣ ଉଚ୍ଚବର୍ଗର ବ୍ୟକ୍ତିମାନେ ଘୃଣା ଚକ୍ଷୁରେ ଦେଖନ୍ତି, ଯେଉଁମାନେ ଆର୍ଥିକ ଓ ରାଜନୈତିକ ଦିଗରୁ ଧର୍ମନାମରେ ଶୋଷିତ, ଯେଉଁମାନେ ସାମାଜିକ ବିଧି ବ୍ୟବସ୍ଥା, ସୁବିଧା ସୁଯୋଗରୁ ବଞ୍ଚିତ ସେମାନେ ହିଁ ପ୍ରକୃତରେ ଦଳିତ ।

Support Samadhwani

‘ଦଳିତ ବିଚାର : ଦଳିତ ସାହିତ୍ୟ’ ଗ୍ରନ୍ଥରେ କପିଳେଶ୍ୱର ଗାହାଣ ଦଳିତ ଶବ୍ଦର ଅର୍ଥ ପ୍ରକାଶ କରିବାକୁଯାଇ କହିଛନ୍ତି- ‘ଦଳିତ’ ଶବ୍ଦର ଅର୍ଥ ପୀଡ଼ିତ ଓ ତିରସ୍କୃତ । ବେଦ, ବ୍ରାହ୍ମଣ, ଉପନିଷଦ, ବେଦାନ୍ତ ଓ ସ୍ମୃତି ଆଦି ଗ୍ରନ୍ଥରେ ବର୍ଣ୍ଣ ବ୍ୟବସ୍ଥା ଓ ଜାତି ପ୍ରଥା ସହ ଏହାର ସମ୍ବନ୍ଧ ରହିଛି ।’ ମୋଟାମୋଟି ଭାବରେ କହିବାକୁଗଲେ ଯେଉଁମାନେ ଅତ୍ୟାଚାରିତ, ଶୋଷିତ, ଉତ୍ପୀଡ଼ିତ ସେମାନଙ୍କୁ ଦଳିତ କୁହାଯାଇଛି । ଏହି ଦଳିତ ବିଧ୍ୱସ୍ତ, ଖଣ୍ଡିତ ମଣିଷର କଥା ଯେଉଁ ସାହିତ୍ୟ କହେ ତାକୁ ଦଳିତ ସାହିତ୍ୟ ଏବଂ ଏହି ଦଳିତ ନିଷ୍ପେଷିତମାନଙ୍କର ଅଧିକାର ପାଇଁ ଯେଉଁ ଲେଖକ କଲମ ଦ୍ୱାରା ସାହିତ୍ୟରେ ମତବ୍ୟକ୍ତ କରନ୍ତି ସେମାନଙ୍କୁ ଦଳିତ ଲେଖକ ଭାବରେ ଅଭିହିତ କରାଯାଇଛି ।

ଓଡ଼ିଆ ସାହିତ୍ୟରେ ବୌଦ୍ଧଯୁଗୀୟ ‘ଚର୍ଯ୍ୟାଗୀତିକା’ ଠାରୁ, ପଞ୍ଚଦଶ ଶତାବ୍ଦୀର କବି ସାରଳା ଦାସଙ୍କ ‘ମହାଭାରତ’, ଷୋଡ଼ଶ ଶତାବ୍ଦୀର ପଞ୍ଚସଖାଯୁଗୀୟ କବି ବଳରାମ ଦାସଙ୍କ ‘ଭାବସମୁଦ୍ର’, ‘ଲକ୍ଷ୍ମୀପୁରାଣ’ ଆଦି ଗ୍ରନ୍ଥରେ ଦଳିତ ଚେତନାର ଚିତ୍ର ଉଦ୍ଭାସିତ ହୁଏ । ପ୍ରଗତିବାଦୀ ଯୁଗର ସାମ୍ୟବାଦୀ ଚିନ୍ତା ନାୟକ କବିମାନଙ୍କ ଲେଖାରେ ଶୋଷକମାନଙ୍କ ପ୍ରତି ସର୍ବହରା ଶୋଷିତ ଶ୍ରେଣୀର ଯେଉଁ ସଂଗ୍ରାମର ସ୍ୱର ତା’ର ପରିପକ୍ୱ ରୂପ ହିଁ ଦଳିତ ଚେତନା ଭାବରେ ଅଭିହିତ । ଏହି ଯୁଗର ସାଧକଗଣଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ରବି ସିଂ ପ୍ରଭୃତି କବି ପ୍ରମୁଖଥିଲେ । ଏହି କବିମାନଙ୍କ କଲମରେ ପୁଞ୍ଜିପତି ଗୋଷ୍ଠୀଙ୍କ ପ୍ରତି ମାର୍କ୍ସବାଦୀୟ ବିପ୍ଳବାତ୍ମକର ସ୍ୱର ଫୁଟି ଉଠିଥିଲା । ସମକାଳୀନ ଓଡ଼ିଆ କବିତା କ୍ଷେତ୍ରରେ ଏହି ଚେତନାକୁ ଆତ୍ମସ୍ଥକରି ଲେଖନୀ ଚାଳନା କରୁଥିବା କବି ମାନଙ୍କ ମଧ୍ୟରେ ଆଶୁତୋଷ ପରିଡ଼ା, ବାସୁଦେବ ସୁନାନୀ, ପିତାମ୍ବର ତରାଇ, ଅଖିଳ ନାୟକ, କୁମାର ହସନ୍‌, ଜୟଦ୍ରଥ ସୁନା ପ୍ରମୁଖଙ୍କ ନାମ ସ୍ମରଣୀୟ । ଏହି ସମୟ ଖଣ୍ଡର କବି ଭାବରେ ଡ.ଗୋପୀନାଥ ବାଗ ସୁପରିଚିତ । ୨୦୧୯ ମସିହାରେ ରଚିତ କବିଙ୍କ ‘କକରେ କଁ’ କବିତା ସଂକଳନର ଅନେକ ଗୁଡ଼ିଏ କବିତା ଏହି ଚେତନାର ସ୍ୱର ବହନ କରନ୍ତି । ସର୍ବମୋଟ ଛୟାଳିଶ ଗୋଟି କବିତାରେ ପରିପୃଷ୍ଟ ଉକ୍ତ ସଂକଳନଟିରେ କବି କେବଳ ବଞ୍ଚିତ ମଣିଷମାନଙ୍କର ଜୀବନଯନ୍ତ୍ରଣାର କଥା ନୁହେଁ ସେମାନଙ୍କର ମନଲୋଭା ପ୍ରକୃତି ଏବଂ ସଂସ୍କୃତିର ଚିତ୍ରକୁ ଖବ୍ ନିକଟରୁ ଚିତ୍ରିତ କରିପାରିଛନ୍ତି ।

ଚମତ୍କାର ଶୀର୍ଷକ ବହନ କରିଥିବା ଏହି ‘କକରେ କଁ’ କବିତା ସଂକଳନ ଦଳିତ ବିଧ୍ୱସ୍ତ ମଣିଷ ମାନଙ୍କ ବିଦ୍ରୋହର ଆତ୍ମଚିତ୍କାର ରୂପରେ ବିବେଚିତ । ଉକ୍ତ ସଂକଳନଟି ସମାଜର ବଞ୍ଚିତ ମଣିଷମାନଙ୍କ ଲଢ଼େଇ କରୁଥିବା ସ୍ୱର ନିମନ୍ତେ କବି ଉତ୍ସର୍ଗୀକୃତ କରିଛନ୍ତି । ତେଣୁ ଏହାର ଅଧିକାଂଶ କବିତାରେ ସମାଜର ଅବହେଳିତ, ଦଳିତ, ଉତ୍ପୀଡ଼ିତ ମଣିଷ ମାନଙ୍କର ଜୀବନ-ଯନ୍ତ୍ରଣାର ସ୍ୱର ପ୍ରସ୍ଫୁଟିତ । ଗଞ୍ଜାକୁକୁଡ଼ାଟିଏର ‘କକରେ କଁ’ ଡାକ ଯେମିତି ସୁପ୍ତଲୋକଙ୍କୁ ଜାଗୃତକରି ସେମାନଙ୍କ ପାଇଁ ଏକ ନୂତନ ସକାଳର ସୂର୍ଯ୍ୟୋଦୟକୁ ଆବାହନ କରିଥାଏ, ଠିକ୍ ସେହିପରି ଏହି ସଂକଳନଟିରେ ସ୍ଥାନୀତ ଅଧିକାଂଶ କବିତା ସମାଜର ଶୋଷିତ, ଉତ୍ପୀଡ଼ିତ ମଣିଷମାନଙ୍କ ମଧ୍ୟରେ ଏକ ବିଦ୍ରୋହର ବାର୍ତ୍ତା ପ୍ରଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ଜାଗ୍ରତ କରିଥାଏ ।

Support Samadhwani

ଉକ୍ତ ସଂକଳନଟିର ‘ବାଉଁଶ’, ‘ସୁଖବାସୀ’, ‘କେତେ ଶୋଇବୁ’, ‘ମହୁଲ ବଣର ମହକ’, ‘ନଭେମ୍ବର ଚଉଦ’, ‘ଫାଶ’, ‘ଦ୍ରୋଣ’, ‘ଧୋବଣୀ’, ‘ଅନ୍ଧାର’, ‘ଭୋକ’, ‘ଆଉକେତେଦିନ’, ‘ମଲା ଚମଡ଼ା’, ‘ସରାଦେହରେ ଚେର’, ‘ଘର ଛାଡ଼ିବିନାହିଁ’, ‘ଡଙ୍ଗର ତଳର ଆଁ’, ‘କକରେ କଁ’, ‘ମହାବାତ୍ୟା’, ‘ବାତ୍ୟାପରର ଗୋଟିଏ ଦୃଶ୍ୟ’, ‘ଇଲେକସନ ଆସିଲେ’, ‘ଗନ୍ଧିଆ’, ‘ତୁମର ହସ’, ‘ବୁଡ଼ବକର ପ୍ରଶ୍ନ’, ‘ଚାଣ୍ଡାଳୁଣୀ କହେ’ ଇତ୍ୟାଦି କବିତାର ଛତ୍ରଛତ୍ରେ ଏହି ଅବଚେତନାର ଉଦ୍‌ବେଳନ ଘଟିଛି ।

କବିଙ୍କ ସରଳଭାଷା, ଶାଣିତ ସ୍ୱର, ମାର୍ମିକ ସାବଲୀଳ ଶବ୍ଦର ପ୍ରୟୋଗ’ କକରେ କଁ’ ସଂକଳନରେ ଥିବା ଦଳିତ ଚେତନାର କବିତା ଗୁଡ଼ିକର ସ୍ରୋତକୁ ଆହୁରି ମୁଖରିତ କରେ । ଉକ୍ତ ସଂକଳନର ‘ବାଉଁଶ’ କବିତାଟି ଏକ ପ୍ରତୀକଧର୍ମୀ କବିତା । ଏହି କବିତାରେ କବି ଘାସଶ୍ରେଷ୍ଠ ବାଉଁଶକୁ ଦଳିତ ମଣିଷର ପ୍ରତୀକ ଭାବରେ ତୁଳନା କରିଛନ୍ତି । ଅଯନ୍ତ୍ରରେ ବଢୁଥିବା ବଣର ବାଉଁଶଟିଏ ଯେପରି ହେଣୁଆ, କୁଲା, ଟୋପା, ଚାଙ୍ଗୁଡ଼ି, ଝୁଡ଼ି ହୋଇ ଗଜାବୟସରୁ ଦୁନିଆ କାମରେ ଲାଗିଥାଏ । ସେହିପରି ଦଳିତର ଜୀବନ ମଧ୍ୟ ସମାଜର ହିତରେ ଉତ୍ସର୍ଗୀକୃତ । ସବୁକିଛି ନିରବରେ ସହିନେଉଥିବା ଏହି ବାଉଁଶ-ମଣିଷ ତୀର ହୋଇ ବେଳେବେଳେ ଉଦ୍ଧତ ମୁଣ୍ଡକୁ ମଧ୍ୟ କାଟିଦେଇ ପାରେ । ଏହି ଚିତ୍ରଟି ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଶିକାର’ ଗଳ୍ପର ଘିନୁଆ ଚରିତ୍ରକୁ ସ୍ମରଣ କରାଇଦେଇଥାଏ । କବିଙ୍କ କଲମରେ-

“କାଟିଲେ, ହାଣିଲେ ଯାହାକଲେ ବି

ଭାବନାହିଁ, ସହିଯିବା ବାଉଁଶର ଭାଗ୍ୟ ଓ ଧର୍ମ

ତା’ଠି ଭରପୂର ଅଛି ଶକ୍ତି ଓ ସାମର୍ଥ୍ୟ

ତୀର ହୋଇ ସେ କାଟି ଦେଇପାରେ

ଉଦ୍ଧତ ମୁଣ୍ଡ ।”

ସେହିପରି କବିଙ୍କର ‘ସୁଖବାସୀ’ କବିତାରେ କବି ଅବହେଳିତ ମଣିଷର ଜୀବନ ଚିତ୍ରକୁ ଚିତ୍ରିତ କରିବାକୁ ଯାଇ ମେହନତି ଗରିବ ମଣିଷଟିଏ ଯେପରି ନିଜର ପରିଶ୍ରମବଳରେ ପେଟର ଭୋକ ମାରେ । ସେ କେବେ ମାଗିଖାଏ ନାହିଁ । ଯିଏ ବି ତାକୁ ଯାହାଦିଏ ପରବର୍ତ୍ତୀ ମୁହୂର୍ତ୍ତରେ ଆବଶ୍ୟକତା ଠାରୁ ଅଧିକ ଝାଳ ବୁହାଇ ତା’ଠାରୁ ଅସୁଲ କରିନିଏ । ଏହି ଗରିବମାନଙ୍କ ନିମନ୍ତେ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧାକୁ ସରକାରୀବାବୁମାନେ ବିଭିନ୍ନ ଆଳରେ ବାଟମାରଣା କରି ଉକ୍ତ ଟଙ୍କାକୁ ଉଦରସାତ୍ କରିନିଅନ୍ତି । ଫଳରେ ଦଳିତ ନିଃସ୍ୱ ମଣିଷଟିଏ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହୋଇ ଘର ଖଣ୍ଡେପାଇଁ ଏ ଅଫିସରୁ ସେ ଅଫିସକୁ ଦୌଡ଼ିଦୌଡ଼ି ନୟାନ୍ତ ହୁଏ । କବିଙ୍କ କଲମରେ ଫୁଟିଉଠିଛି –

“ସର୍କାର ମହାପ୍‌ରୁ ଗରିବଗୁରୁବାଙ୍କୁ ଘର ଦେଉଥିବା ଶୁଣି

ଧାଇଁ ଯାଇଥିଲି ଯେ ଆଚ୍ଛା କିନ୍ଦ୍ରେଇଲେ ମୋତେ

ଦି’ ହପ୍ତାର କାମକବାର ମୋର ଚିତପଟାଙ୍ଗ୍‌

କି କଥା ।”

 

‘କେତେ ଶୋଇବୁ’ କବିତାଟିରେ ଅସବର୍ଣ୍ଣ ମଣିଷର ସମାଜରେ ଥିବା ଉଚ୍ଚ ଗୋସେଇଁଙ୍କ ପ୍ରତି ଭୟର ଚିତ୍ର ଦେଖାଯାଇଛି । ତେଣୁକରି ପାଠୁଆ ପୁଅକୁ ତା’ର ଅପାଠୁଆ ବାପଟି ଚୁପଚାପ୍ ସବୁକିଛି ସହି ରହିବାକୁ ତାଗିଦ୍ କରି କହିଉଠିଛି-

“କି ପାଠ ପଢ଼ିଚୁରେ, ଅକଲ ଟିକେ ନାଇଁ…

ଏମିତି କଥା କ’ଣ କୁହାଯାଏରେ

ହତଭାଗା?

ଗୋସେଇଁ ଲୋକ ରାଗିମାଗି ଗଲେ

ଘୁଷୁରି ପେଟରେ ବି ଥାନ ପାଇବୁନି, ଜାଣିଥା ।”

 

ଏହି ଅସବର୍ଣ୍ଣ ମଣିଷମାନଙ୍କର କଥା କବି ଭକ୍ତ ସଂକଳନରେ ଥିବା ‘ଦ୍ରୋଣ’ ଏବଂ ‘ଚାଣ୍ଡାଳୁଣୀ କହେ’ ଦୁଇଟି ମିଥ୍ ଆଧାରିତ କବିତାରେ ପ୍ରତିଫଳିତ ହୋଇଛି । ମହାଭାରତ ମିଥ୍‌କୁ ନେଇ ରଚିତ ହୋଇଥିବା ‘ଦ୍ରୋଣ’ କବିତାରେ ମହାଭାରତ ଗ୍ରନ୍ଥରେ ବର୍ଣ୍ଣିତ ଏକଲବ୍ୟ ଚରିତ୍ରଟି ଜାତିରେ ଶବର ହୋଇଥିବାରୁ ଶିକ୍ଷାରୁ ବଞ୍ôଚତ ହୋଇ ବିନାଦୋଷରେ ନିଜର ଆଙ୍ଗୁଠିକୁ ହରେଇଛି । ତଥାପି ଏହି ଚରିତ୍ରଟି ଚୁପ୍ ରହିଥିବା ସମୟରେ କବିଙ୍କ ଏକଲବ୍ୟ ଚରିତ୍ର ବିଦ୍ରୋହରର ସ୍ୱର ତୋଲି ସାଂପ୍ରତିକ ଦ୍ରୋଣମାନଙ୍କୁ କହି ଉଠିଛି :-

 

“ବ୍ରାହ୍ମଣ ଦେବତା । ତୁମ କୁଟିଳତାକୁ

ମାନିବାକୁ ପଡ଼ିବ

କଆଁଳେଇକି ଚୋଟମାରିବା ତୁମ

ଜନ୍ମ ଜାତକ ।

ମୋର ସମସ୍ତ ଉ୍‌ଜ୍ଜ୍ୱଳତାର ତଣ୍ଟିଚିପି ମାରିଦେଲ

କେଡ଼େ ଚାଲାକିରେ

ତା’ପୁଣି ମୋ’ ନିଜ ହାତରେ ।”

 

ଲକ୍ଷ୍ମୀ ପୁରାଣ ମିଥ୍‌କୁ ନେଇ ରଚିତ ‘ଚାଣ୍ଡାଳୁଣୀ କହେ’ କବିତାର ଶ୍ରୀୟା ଚାଣ୍ଡାଳୁଣୀ ଏକ ଅସବର୍ଣ୍ଣ ନାରୀଚରିତ୍ର ଏବଂ ରାମାୟଣ ମିଥ୍‌କୁ ନେଇ ରଚିତ ‘ଧୋବଣୀ’ କବିତାଟିରେ ଧୋବଣୀ ମଧ୍ୟ ଏକ ଦଳିତ ନାରୀ ଚରିତ୍ର । ଏମାନେ ଦଳିତ, ନିଷ୍ପେଷିତ, ଅସବର୍ଣ୍ଣ କାରଣରୁ ସମାଜ ଦ୍ୱାରା ନିନ୍ଦିତ ହୋଇ ଅସନ୍ତୁଷ୍ଟ । ଯୁଗେଯୁଗେ ନୀଚ୍ଚ ମଣିଷ ପାଇଁ ସମାଜରେ କଳିକାହାଣୀ ଗଢିଉଠିଥିବାର ଦୋଷକୁ ଲଦି ଦିଆଯାଏ ଏହି ଦଳିତମାନଙ୍କ ମୁଣ୍ଡରେ । ତେଣୁ କରି ଚାଣ୍ଡାଳୁଣୀ କ୍ଷୋଭରେ ସମାଜର ଭଗବାନଙ୍କ ଉଦ୍ଦେଶ୍ୟରେ କହିଛି- “ସବୁବେଳେ ଆମ ପାଇଁ ତୁମର / ଗଢ଼ିଉଠିଛି କଳିକାହାଣୀ / ତେଜ୍ୟା ହୋଇଛ ସତୀ-ରାଜ୍ୟ-ରାଣୀ” । ଉକ୍ତ ସଂକଳନର ଅନ୍ୟ କବିତାଗୁଡ଼ିକରେ ମଧ୍ୟ ଏହି ସବର୍ଣ୍ଣ ଅସବର୍ଣ୍ଣ ଭେଦଭାବର ଚିତ୍ରପଟ ଦେଖିବାକୁ ମିଳେ । ସେହି କବିତାମାନଙ୍କ ମଧ୍ୟରେ ରହିଛି- ‘ମହାବାତ୍ୟା’, ‘ବାତ୍ୟାପରର ଗୋଟିଏ ଦୃଶ୍ୟ’, ‘ଗନ୍ଧିଆ’, ‘ବୁଡବକର ପ୍ରଶ୍ନ’ ଆଦି କବିତା । ଅସବର୍ଣ୍ଣ ମଣିଷ ପ୍ରତି ସବର୍ଣ୍ଣ ଗୋଷ୍ଠୀଙ୍କ ଘୃଣାରେ ନାକଟେକିବା କଥା ଭକ୍ତ କବିତାଗୁଡିକର ଛତ୍ରେଛତ୍ରେ ବିଦ୍ୟମାନ । ପଣ୍ଡିତଟିଏ ପୂଜାପାଠ କରି ଯେମିତି ସମାଜର ହିତ ସାଧନ କରେ ଠିକ୍ ସେହିପରି ଚାଣ୍ଡାଳଟିଏ ମଧ୍ୟ ମଇଳା ସଫାକରି ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୁଏ । କିନ୍ତୁ ବ୍ରାହ୍ମଣଟିଏ ତା’ର କର୍ମ ପାଇଁ ପୂଜିତ ହେଉଥିବାବେଳେ ଅସବର୍ଣ୍ଣ ମଣିଷଟିଏ କାହିଁକି ଘୃଣାର ପାତ୍ରହେବ, ତାକୁ କବି ମର୍ମେମର୍ମେ ଅନୁଭବକରି ତାଙ୍କ କବିତା ଗୁଡିକରେ ପ୍ରତିବିମ୍ବିତ କରିଛନ୍ତି । ତେଣୁ ‘ଗନ୍ଧିଆ’ କବିତାରେ ମନ୍ଦିରର ପଚାସଢ଼ା ଦୁର୍ଗନ୍ଧଯୁକ୍ତ ଫୁଲଫଳକୁ ମୁଣ୍ଡରେ ବୋହି ଫିଙ୍ଗୁଥିବା ଦଳିତ ମଣିଷଟିଏ ସେହି ମନ୍ଦିରର ଲୋଭୀ ଗୋସେଇଁଙ୍କ ତାଗିଦରେ ଅତିଷ୍ଟ ହୋଇ କହିଛି-

“କହୁଚ କ’ଣ ନା

କେମିତି ସଫାକରୁଚୁରେ ଗନ୍ଧ ଯାଉନି ।

ମାଲିକ୍ । ଗନ୍ଧଯିବ କେମିତି

ଦୁନିଆ ଯାକର ମଇଳାକୁ କୁଢ଼େଇ ରଖୁଚ ପେଟରେ

ଗନ୍ଧ ତ ଆସୁଚି ତୁମ ଆଖିର୍ ଥପ୍ ଥପ୍ ଲାଳରେ ।”

‘ନଭେମ୍ବର ଚଉଦ’ କବିତାଟିରେ ଆମଦେଶରେ ଶିଶୁ ଦିବସ ଭାବରେ ଯେଉଁ ନଭେମ୍ବର ଚଉଦ ତାରିଖକୁ କୋମଳମତି ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ । ସେହି ଫୁଲକଢ଼ିଗୁଡିକ ଆମଦେଶରେ କେତେ ସୁରକ୍ଷିତ ତାର ନଗ୍ନ ଛବି ପ୍ରଦାନ କରିଛନ୍ତି କବି । କୋମଳମୋତି ଫୁଲର ପ୍ରତୀକ ଏହି ଶିଶୁମାନେ ଏହି ସମାଜରେ କେତେ ଯେ ଅସୁରକ୍ଷିତ, ଶୋଷିତ, ନିଷ୍ପେଷିତ ତା’ର ସ୍ପଷ୍ଟ ଚିତ୍ର ହୋଟେଲ ମାନଙ୍କର ପ୍ଲେଟ୍ ଧୋଉଥିବା, ରାସ୍ତାକଡ଼ରେ ଜରିଗୋଟାଉଥିବା ଏବଂ ଧର୍ଷଣର ଶିକାର ହେଉଥିବା ଶିଶୁ କଳିକା ମାନଙ୍କୁ ଦେଖି ଜଣାପଡ଼େ । ନିର୍ଦ୍ଦୟ ମାଂସ ଲୋଭୀ ରାକ୍ଷସ ମାନଙ୍କ ଦ୍ୱାରା ନିରୀହ ଫୁଲକଢ଼ିଟିଏ କିପରି ଅକାଳରେ ଝଡ଼ିପଡ଼େ ତାର ଛବି ଦେଖାଇବାକୁ ଯାଇ କବିଙ୍କ କଲମ କହି ଉଠିଛି –

“ଫୁଲ ତ ଫୁଲ

ସେ କି ଜାଣେ

ଚକୋଲେଟ୍ ଦେବାର ଲୋଭ ଦେଖାଇ

ପଡ଼ିଶା ଘରର ଯୁବକ

ଛିଣ୍ଡାଇଦେବ ତା’ର କଅଁଳ ଗାଲ, ଓଠ

ଛୁରୀ ଚଳେଇବ ଜଙ୍ଘ ସନ୍ଧିରେ

ଅତି ନିର୍ଦ୍ଦୟ ଭାବରେ ।’

ସେହିପରି ‘ମଶା:ମଣିଷ’ କବିତାଟିରେ ମଶାକୁ ଶୋଷକର ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି । ଶୋଷକର ପ୍ରତୀକ ଭାବରେ ପ୍ରତିଭାତ ହୋଇଥିବା ସେହି ଶୋଷକ ମଶା କିଭଳି ବସ୍ତି ଅଞ୍ଚଳର ନିଷ୍ପେସିତ ମଣିଷ ମାନଙ୍କ ରକ୍ତକୁ ଶୋଷଣ କରେ ତାର ବର୍ଣ୍ଣନା କରିଛନ୍ତି କବି । ‘ଇଲେକସନ୍ ଆସିଲେ’ କବିତାଟିରେ ସାଂପ୍ରତିକ ସ୍ୱାର୍ଥବାଦୀ ନେତାଟିଏ ଭୋଟ ପୂର୍ବରୁ ଗରିବ ମଣିଷଙ୍କ ପ୍ରତି କିଭଳି ଛଳନାଭରା ପ୍ରିୟାପ୍ରୀତି ପୋଷଣ ମନୋଭାବ ପ୍ରକାଶ କରି ମଧୁର ପ୍ରତିଶ୍ରୁତିରେ ସେମାନଙ୍କୁ ତରଳାଇଦିଏ ଏବଂ ସ୍ୱାର୍ଥ ସାଧନପରେ ପୁଣି କିଭଳି ପାଦରେ ସେମାନଙ୍କୁ ଦଳିଦେଇଥାଏ ତା’ର ରୂପ ପ୍ରଦାନ କରିଛନ୍ତି କବି ।

‘ଆଉ କେତେଦିନ’ କବିତାରେ ଖଟିଖିଆ ଦଳିତ ଭୃତ୍ୟମଣିଷର ଆତ୍ମବେଦନାର ଅନ୍ତଃସ୍ୱର ପ୍ରସ୍ଫୁଟିତ । ସେହିପରି ‘ମଲାଚମଡ଼ା’ କବିତାରେ ନିର୍ଦ୍ଦୟ ଶୋଷକ ମାଲିକଟିର ଅକଥନୀୟ ନିର୍ଯ୍ୟାତନାକୁ ସହ୍ୟ କରି ନେଉଥିବା ଦଳିତ ମଣିଷର ଶକ୍ତ ଚମଡ଼ାକୁ କେନ୍ଦ୍ରକରି ଗଢିଉଠିଛି । କ୍ରୋଧରେ ଜର୍ଜରିତ ଶୋଷକ ସର୍ଦ୍ଦାର ମୁହଁରେ ନିର୍ଦ୍ଦୟ କ୍ରୋଧୋକ୍ତିର ସ୍ୱର ଫୁଟିଉଠିଛି-

“ସ୍ରାଟ୍ ସ୍ରାଟ୍ ସ୍ରାଟ୍‌

ଯେତେ ଚାବୁକ୍ ବାଜିଲେ ବି

କେଉଁ ଚମଡ଼ାକୁ ପିନ୍ଧିଚି କେଜାଣି ।’

‘ସାରାଦେହରେ ଚେର’ କବିତାଟି ମାଟିକୁ ଆଶ୍ରାକରି ବଞ୍ଚିଥିବା ଉତ୍ପୀଡ଼ିତ ମଣିଷର ମଜବୁତ୍ ଜୀବନକୁ ବ୍ୟାଖ୍ୟା କରିଛନ୍ତି କବି । ପୁଞ୍ଜିପତିମାନଙ୍କ ଅସହ୍ୟ ନିର୍ଯ୍ୟାତନାକୁ ସହ୍ୟ କରି ନେଇ ଶୋଷିତ ମଣିଷଟି ନିଜର ଶକ୍ତ ପଣକୁ ଦର୍ଶାଇ ବୁର୍ଜୁଆ ଗୋଷ୍ଠୀଙ୍କୁ କହିଛି –

“କେତେ ଉପାଡ଼ୁଚ ଉପାଡ଼

ସାରାଦେହରେ ଆମର ଚେର

ଯେଉଁଠି ଫିଙ୍ଗିଲେ ସେଇଠି

ଗଜୁରି ଉଠିବ

ମାଟି ମାଆ ଥନ ଚିପୁଡ଼ିଦେବ ।’

ବିକାଶ ନାମରେ ଦଳିତ ମଣିଷ ମାନଙ୍କର ଘରବାଡ଼ିକୁ ଆତ୍ମସାତ୍ କରିବାରେ ପ୍ରେଚେଷ୍ଟିତ ସମାଜର ସାହୁକାରମାନଙ୍କ ପ୍ରତି ଉପୀଡ଼ିତ ମଣିଷର ନିର୍ମମ ପ୍ରତିବାଦର ସ୍ୱରୋକ୍ତି ଫୁଟିଉଠିଛି ‘ଘର ଛାଡ଼ିବିନାହିଁ’ କବିତାରେ । କବି ନିଷ୍ପେସିତ ମଣିଷର ମୁଖରେ ତୀବ୍ର ବିପ୍ଳବାତ୍ମକର ସ୍ୱର ଖଞ୍ଜି କହିଛନ୍ତି :-

“ତୋ’ ପକ୍କାଘର ରଖିଥା ସାହୁକାର

ବୁଆକୁ ବଦଳାଇ ହୁଏ ନାହିଁ କେଉଁ ମୂଲ୍ୟରେ

ତାର ଝାଳ, ରକ୍ତ, ସ୍ୱପ୍ନ ଓ ଖୁସିକୁ

କିଣାବିକା କରାଯାଇ ପାରେ ନାହିଁ କେଉଁ କାଗଜରେ ।

ମୁଁ ଏଘର ଛାଡ଼ିବି ନାହିଁରେ ।”

ଉକ୍ତ ସଂକଳନର ଶୀର୍ଷକ କବିତା ‘କକରେ କାଁ’ ରେ କବି ଦଳିତ, ନିଷ୍ପେଷିତ ମଣିଷମାନଙ୍କ ଉଦ୍ଦେଶ୍ୟରେ ସଚେତନର ବାର୍ତ୍ତା ପ୍ରଦାନ କରିଛନ୍ତି । ଅକାଳ ଝଡ଼ରେ ବୁଡ଼ିଯାଇଥିବା ଏକ ଦଳିତ ମଣିଷର ନିଷ୍ପାପ ଦେଶକୁ ପୁଣିଥରେ ଉଦ୍ଧାର କରିବାର ସ୍ୱପ୍ନ, ଦମ୍ଭ, ଆତ୍ମପ୍ରତ୍ୟୟକୁ ସେହି ମଣିଷମାନଙ୍କ ମଧ୍ୟରେ ଜାଗ୍ରତ କରିବାର ପ୍ରଚେଷ୍ଟା କରିଛନ୍ତି କବି ।

‘କକରେ କଁ’ ସଂକଳନର ଉପରୋକ୍ତ ଆଲୋଚିତ କବିତାଗୁଡ଼ିକ ମାଧ୍ୟମରେ କବି ଡ.ଗୋପୀନାଥ ବାଗ ଦଳିତ ଚେତନାର ଚିତ୍ର ବହୁ ପ୍ରତୀକ, ମିଥ୍‌, ଚିତ୍ରକଳ୍ପ ମଧ୍ୟରେ ରୂପ ପ୍ରଦାନ କରିଛନ୍ତି । ଉକ୍ତ ସଂକଳନଟି କବିଙ୍କର ଶକ୍ତ ଲେଖନୀ ଚାଳନା ଦ୍ୱାରା ଦଳିତ, ନିଷ୍ପେଷିତ, ଖଣ୍ଡିତ, ବିଧ୍ୱସ୍ତ ମଣିଷର ସ୍ତରକୁ ଅଧିକ ବିପ୍ଳବାତ୍ମକ ଏବଂ ଶାଣିତ କରି ଏହି ଦଳିତ ଚେତନାର ଧାରାକୁ ଆହୁରି ବଳିଷ୍ଠ କରିପାରିଛି । ଏଥିରେ ସନ୍ଦେହ ନାହିଁ ।

Share this Article