ଧୋରେ ବାୟା ଧୋ… (କ୍ଷୁଦ୍ରଗଳ୍ପ)

ଧୋରେ ବାୟା ଧୋ ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ...

ସ୍ୱୟଂପ୍ରଭା ପାଢ଼ୀ
ସ୍ୱୟଂପ୍ରଭା ପାଢ଼ୀ 507 Views
5 Min Read

ମା’ ତୁ ମୋତେ ସବୁଦିନ ଧୋରେ ବାୟା ଧୋ ଗୀତ ଶୁଣଉଛୁ କାହିଁକି? କିଏ ସେ ବାୟା କହିଲୁ?
ମା କହିଲା ତୁ ଶୋଇପଡ଼ । ମୁଁ କାଲି ସକାଳୁ ଉଠିଲେ ବାୟା ଗପ କହିବି । ମୁନି ମୁଣ୍ଡ ହଲେଇ ମନାକଲା । ନାଇଁ ତୁ ଗପ ନ କହିଲେ ମୁଁ ଶୋଇବିନି । ସବୁଦିନେ ମା ତୁ ମୋତେ ଠକିଦେଉଛୁ । ଆଜି ମୁଁ ଅନେଇକି ରହିବି । ଗପ ଶୁଣିବି ।
ହଉ ଶୁଣ । ଆଖି ବୁଜି ବୁଜି ଶୁଣିବୁ । ନହେଲେ ବାୟା ଆସିଯିବ ।
ଏଁ ବଡ଼ପାଟି କଲା ମୁନି । ବାୟା ବାୟା କହି ଡ଼ରଉଛୁ କାହିଁକି? ବାୟା କିଏ?
ମା କହିବା ଆରମ୍ଭ କଲା । ଆଗ କାଳରେ ଆମ ଗାଁ ଅନ୍ଧାରିଆ ଥିଲା । ବାୟା ସବୁ ଦିନରେ ବୁଲୁଥିଲେ । ଆମେ ପାଣି ପାଇଁ ଖଣ୍ଡେ ବାଟ ଯାଉଥିଲୁ । ବେଳେ ବେଳେ ପାଣି ଆଣୁ ଆଣୁ ବାୟାକୁ ଦେଖି ଦଉଡ଼ୁ ଥିଲୁ । ବାୟା କ’ଣ ମୁନି ପଚାରିଲା? ସିଏ ଗୋଟେ ବଡ଼ ମଣିଷ ହେଲେ ଭୟ ଲାଗେ ତାକୁ ଦେଖିଲେ । ସିଏ ଅନ୍ଧାରରେ ରହେ । ଗାଁ ଭିତରେ ବାହାରେ ବହୁତ ଗଛ ଥିଲା । ଦିନରେ ବି ସବୁ ଅନ୍ଧାର ଦିଶେ । ଛୁଆମାନେ ବାୟା ଡ଼ରରେ ସଞ୍ଜ ହେଲେ ଶୋଇ ପଡ଼ନ୍ତି । ସଞ୍ଜ ହେଲେ ଘର ଦୁଆରେ ଅଗ୍ନି ଜଳେ । ବାୟା ଆସିପାରେନି ଗାଁ ଭିତରକୁ । ସିଏ ବଣ ଜଙ୍ଗଲରେ ଳୁଚିକି ରହେ । ଏବେ ଶୋଇପଡ଼ । ରାତିରେ ବେଶି ପ୍ରଶ୍ନ ପଚାରିଲେ ବି ବାୟା ଆସିବ । ମୁନି ହି ହି ହୋଇ ହସିଲା । କହିଲା ମା’ଲୋ ଆମ ଦାଣ୍ଡରେ ପରା ଲାଇଟି ଜଳୁଛି । ବାୟା କେମିତି ଆସିବ ? ଅନ୍ଧାର ଆଉ ଅଛି ବୋଲି ଭାବୁଛୁ ନାଁ କ’ଣ ।
ହେଲେ ବାୟା ମାଣ୍ଡିଆ କିଆରୀରେ କାହିଁକି ରହେ ?ତୁ ମୋତେ ତ ମାଣ୍ଡିଆ କିଆରୀ କଥା କହିନୁ । ଶୋଇବି କେମିତି? ମା କହିଲା ତୋତେ ପାରି ହେବନି । ମୁଁ ତୋ ବଉକୁ ଡ଼ାକୁଛି । ନାଁ ନାଁ ତୁ ତାକୁ ଡ଼କେନା । ତୁ କହ ମାଣ୍ଡିଆ କିଆରୀ ଗପ । ସତ କହୁଛି ଏଇ ଗପ ସରିଲେ ଶୋଇ ପଡ଼ିବି ।
ମା କହିଲା ଆଗରୁ ଆମ ଗାଁ’ରେ ମାଣ୍ଡିଆ ଚାଷ ହେଉଥିଲା । ଏବେତ ମାଣ୍ଡିଆ ସାତ ସପନ । କାହିଁକି ଲୋ ମା? ମାଣ୍ଡିଆକୁ କ’ଣ ବାୟା ଖାଇଗଲା?
ମା କହିଲା ନାଇଁ ଆମ ଗାଁ ଲୋକେ ମାଣ୍ଡିଆ ଚାଷ ଛାଡ଼ିଦେଲେ । ଖାଲି ମାଣ୍ଡିଆ ନୁହଁ କୁଦୋ, ଗୁଞ୍ଜି, ରସକି ସବୁ ଚାଷ କରୁଥିଲୁ । ଧିରେ ଧିରେ ଆମ ଗାଁ ଲୋକେ ଏସବୁ ଖାଦ୍ୟ ଛାଡ଼ିଦେଲେ ।
କାହିଁକି ମୁନି ପଚାରିଲା?
ମା କହିଲା କେତେ ଖାଦ୍ୟ ଥିଲା ଏବେ ସବୁ ସାତ ସପନ । ମୁନି ପଚାରିଲା ମା କହ ଲୋ ତୁମେ କ’ଣସବୁ ଖାଉଥିଲ?
ମା ତା ପିଲାବେଳର ଖାଦ୍ୟ ମନେ ପକେଇ ପକେଇ କହିଲା । ଆମେ ଛୋଟରୁ ବଡ଼ ହବାଯାଏଁ ମହୁଲ ଭଜା, ମହୁଲ ରସା, ମହୁଲ ପୁଟକା ଖାଉଥିଲୁ । ଜଙ୍ଗଲରୁ କେନ୍ଦୁ ଗୋଟେଇକି ଆଣି ତାକୁ ଶୁଖେଇକି ରଖି ଦେଉଥିଲୁ । ବର୍ଷା ଦିନରେ କେନ୍ଦୁ ଖାଇଲେ ଭାରି ମଜା ଲାଗୁଥିଲା । ମାଣ୍ଡିଆର ଜାଉ ଖାଉଥିଲୁ । ମାଣ୍ଡିଆର ପିଠା ଖାଇବାକୁ ଭାରି ଭଲ ଲାଗେ । ରସକି ବୋଲି ଗୋଟେ ମଞ୍ଜିକୁ ଲିଆ ଭାଜିକି ଖାଉଥିଲୁ । ଗୁଞ୍ଜି ଚାଉଳର ଭାତ ରସୁଣ ଚଟଣୀ ସହ ଖାଉଥିଲୁ । କୁଦୋ ଚାଉଳର ବାସୀ ପଖାଳ ଖାଉଥିଲୁ । ସେକାଳ ପଖାଳ କୁଆଡ଼େ ଗଲା । ଏବେତ ମାଣ୍ଡିଆ, ଗୁଞ୍ଜି, କୁଦୋ ସାତ ସପନ ହେଲା । ଖାଇବ କ’ଣ?
ଜାଣିଛୁ ଜଙ୍ଗଲରୁ ଚାର ଭାଙ୍ଗିକି ଆଣୁଥିଲୁ । ଚାର ବହୁତ ମିଠା ଲାଗେ । ପାଚିଲା ଚାର ଭିତରୁ ଗୋଟେ ମଞ୍ଜି ବାହାରେ । ଚାର ମଞ୍ଜିକୁ ଗୁଡ଼ପାଗ କରି ଚାର ଖଜା କରୁ । ଚାର ଖଜା ଖାଇଲେ ବହୁତ ଭଲଲାଗେ । ମୁନି ପଚାରିଲା ମା’ ତୁ ମୋତେ ଚାର ଖଜା ଦେଉନୁ ତ? ମା କହିଲା ଏବେ ତ ଗଛ ସବୁ କାଟି ପକେଇଲେ । ଚାର ଗଛ ଅଛି ଯେ ଖଜା ଖାଇବ? ଗାଁ ପାଖରେ ଗଛ ନାହିଁ । ଆଗରୁ ଗାଁ ଭିତରକୁ ଦିନରେ ପଶିଲାବେଳେ ଅନ୍ଧାର । ଦିନରେ କଟାସ, ବିଲୁଆ ଗାଁରେ ପଶୁଥିଲେ । ଏବେ ସବୁ ଫାଙ୍କା । ସବୁଆଡ଼େ ହାଁ ହାଁ । ଖାଲି ପଡ଼ିଛି । ଗଛ କାହିଁ?
ଏତେ ଜଙ୍ଗଲ ଥିଲା ସେଠି କଣ ବାୟା ରହୁଥିଲା ? ତୁ କହୁଥିଲୁ ବାୟା ମାଣ୍ଡିଆ କିଆରୀରେ ଶୋଉଥିଲା ବୋଲି ?ସେ ବାୟା ଜଙ୍ଗଲରେ ନ ରହି ମାଣ୍ଡିଆ କିଆରୀରେ କାହିଁକି ଶୋଉଥିଲା?
ମା କହିଲା ତୁ ଶୋଇବୁ ନା ଏମିତି ଗପ ଶୁଣୁଥିବୁ? ମୁନି କହିଲା, ସତ କହୁଛି ତୁ ଆଉ ଗୋଟେ କଥା କହି ଦେ ମୁଁ ଶୋଇପଡ଼ିବି ।
ମା କହିଲା ମାଣ୍ଡିଆ ବିଲ ଭାରି ଗହଳ ହେଉଥିଲା । ସେଠି ଚୋର ଲୁଚିଲେ ବି ଧରିହେବନି । ସେଥିପାଇଁ ପାଇକମାନେ ସେଠି ଲୁଚିକି ରହୁଥିଲେ । ପାଇକ ପୁଣି କିଏ ମୁନି ପଚାରିଲା । ମା କହିଲା ରଜାଙ୍କର ସୈନ୍ୟ ।
ରାଜାମାନେ ଆଗରୁ ଶାସନ କରୁଥିଲେ । ଯେତେବେଳେ ଯୁଦ୍ଧ ହେଉଥିଲା ପାଇକମାନେ ଯୁଦ୍ଧ କରିବାକୁ ଯାଉଥିଲେ । ଆମ ଗାଁ ପାଖ ରାସ୍ତାଦେଇ ସେମାନେ ଆଗରୁ ଯିବା ଆସିବା କରୁଥିଲେ । କିଛି ପାଇକ ତ ଏଠି ଘର କରିକି ରହିଥିଲେ । ସେଥିପାଇଁ ସେ ଗାଁ’ର ନାଁ କିଏ କିଏ ପାଇକମାଳ ବି ଡାକିଲେ । ପାଇକମାନେ ଲୁଚି ଲୁଚି ଯିବାଆସିବା କରୁଥିଲେ। ଦିନରେ ପାଇକମାନେ ମାଣ୍ଡିଆ କିଆରୀରେ ଲୁଚୁଥିଲେ । ଗାଁ ପିଲାମାନେ ପାଇକଙ୍କୁ ଦେଖିଲେ ଭାରି ଡ଼ରନ୍ତି । ସେଥିପାଇଁ ତାଙ୍କୁ ବାୟା କହନ୍ତି । ତାଙ୍କର ଅଜବ ବେଶ ପୋଷାକ । ହାତରେ ଖଣ୍ଡା। ମୁଣ୍ଡରେ ପଗଡ଼ି। ଯିଏ ଦେଖିବ ସିଏ ଡରିଯିବ । ଖାଲି ପିଲାମାନେ କାହିଁକି ଆମେ ବି ଡରୁଥିଲୁ ।
ଓ! ତୁ ମୋତେ ଡ଼ରଉଛୁ ନାଇଁ । ସେଇଥିପାଇଁ ବାୟା ବାୟା କହୁଛୁ । ହେଲେ ଏବେ ବାୟସବୁ କୁଆଡେ ଗଲେ ? କହୁ କହୁ ମୁନି ଶୋଇଗଲା।

Support Samadhwani
Share this Article
ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା, ଗବେଷିକା ଓ ସମ୍ପାଦକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।