କାଳ ମହରଗ ପଡିଥିଲା ଭାରି ଭୟଙ୍କର
ନ’ଅଙ୍କର
ସୁନାର ଆମର ଉତ୍କଳ ଆମର କାଳିମା ଛୁଇଁ
ହାଡ଼ମାଳ ଘେନି ଦିଶୁଥିଲା ସତେ ମଶାଣି ଭୂଇଁ ।
ଲକ୍ଷ୍ମୀର ଦେଶ ହୋଇଯାଇଥିଲା ଆହା କି ଜୂର ।
ହା ଅନ୍ନ ଡାକେ ପୂରି ଉଠୁଥିଲା ପଲ୍ଲୀପୂର ।
ଦୁଇ ତିନି ଦିନେ ନପାଇ ଢ଼ୋକ
ଝଡ଼ି ପୋକ ପରି ଝଡ଼ି ପଡ଼ୁଥିଲେ ବହୁତ ଲୋକ
କଳନା ନାହିଁ
ହାଇରେ ହାଇ ।
କଟକ ଜିଲ୍ଲାର ଅଜଣା ସେ କେଉଁ ପଲ୍ଲୀ କଣେ
କେବଳ ଜଣେ
ବାର ବରଷର କେବଳ ଭିକାରୀ ବାଳକଟିଏ
ମରଣର ଦାଉ ଜୟ କରିଥିଲା ମରତ ଦିହେ
ତା ଗୀତ ଆଜି,
ଆକାଶେ ବତାସେ ପ୍ରତି ନିଃଶ୍ୱାସେ ଉଠୁଚି ବାଜିି ।
ସନାତନ ତେବେ ଭା’ରି ଦୁଃଖେ
ଦୂର ଗ୍ରାମେ ଯାଇ ଭିକ ମାଗୁଥିଲା କାତର ବୁକେ ।
ସବିଏ ଆତୁର ବଞ୍ଚାଇବାକୁ ଜୀବନ ଟିକ
ଏତେବେଳେ ଭଲା କିଏ ସେ କାହାକୁ ଦେଉଚି ଭିକ?
ଦୁଇଦିନ ଯାଇ ତିନିଦିନ ହେଲା ତଥାପି କାହିଁ?
କପାଳେ ତାହାର ଖୁଦମୁଠିଏବି ଜୁଟିଲା ନାହିଁ ।
ଚରକି ପରାଏ ଘୂରି ଘୁରି ସିଏ ହୋଇଲା ଅଧା
ଘିଁ ଘିଁ ତାର ଘୂରିଲା ମଥା ।
ସାତ ଆଠ ଘର ଘୂରିବାର ପରେ ଫିଟିଲା ମୁଦ,
ସାଆଁତରା ଘରୁ ପାଇଲା ଯେବେ ସେ ଦିଓଟି ଖୁଦ,
କପାଳେ ଲଗାଇ କହିଲା- “ପ୍ରଭୁ,
କିସ ଜଣାଇବି?
ବାଳୁତର ଦୁଃଖ ଜାଣୁତ ସବୁ!”
ଠିଆ ହେଲା ଯହୁଁ ଆର ଦୁଆରେ
ପଧାନ ବୁଢ଼ାଟି କଅଁଳେଇ ତାକୁ କହିଲା- “ବା’ରେ,
ଦେଇଥିଲେ ପ୍ରଭୁ ଧନସମ୍ପଦ
ମହା ସୁଖରେ
ଦିନ ଯାଉଥିଲା ପୁଅ ଝିଅ ଶିରୀ କଉତୁକରେ
ଏଇଖିଣି ଆମେ କାଙ୍ଗାଳ ଜାଣ ତୋହରି ପରି
କିସ ମୁଁ ଦେବିରେ ଦୁଇ ଦିନ ହେଲା ଜଳିନି ଚୁଲୀ ।
ସେଇଯେ ଦିଶୁଚି ଧୋବଲା କୋଠା
ସେଇଠିକି ଗଲେ
ମିଳିପାରେ ଆରେ ମୁଠେ ଦି ମୁଠା ।
ଡାକିଲା ଯାଇସେ ଜମିଦାର ଘର ଫାଟକ ଆଗେ,
ଦାସୀଟାଏ ଭା’ରି ପଡିଲା ରାଗେ,
“ଭିକତ ମାଗିବୁ,
କିଆଁରେ ଏଡିକି ପାଟିଟେ କରୁ,
ସାଆନ୍ତେ ଉଠିଲେ
ଛାଡି ଯିବ ତୋର ପିଠିରୁ ଗଲୁ ।
ଏଇଠି ପଡିଚି,
ଏଇଠି ତୁମର ହୋଇଚି ଠିକ୍,
ଦିନ ରାତି ଖାଲି
କେଳେଇ ଖାଉଚ ଭିକ ଭିକ ।
ଆହୁରି ତାପ,
ଅରଜି ଆଣି କି ଥୋଇ ଦେଇଅଛି ତମର ବାପ ।”
ଭିକାରୀର ବୁକେ ବିଦ୍ରୋହ ନିଆଁ ଉଠିଲା ଜଳି
ପୁଣି କି ଆବେଶେ ନୟନ ନିମେଷେ ଗଲା ତ ମରି ।
ସନାତନ ତଳୁଁ ଉତ୍ତର ଦେଲା ଭାରି ନରମ-
“ଦାତା ଅରଜିଚି, ଦେଲେ ତାର ହବ ଭାରି ଧରମ” ।
“ଧଅ ଧଅ ବେଗେ ପଡିଛି ମୋହର କାମ ଭଉତ,
ପୋଲା ଖିଆ ସାଥେ କେ କହି ପାରିବ?”
କହୁ କହୁ ତ
ଚାଉଳ ମୁଠିକୁ ଚଞ୍ଚଳେ ଅତି
ଚଞ୍ଚଳେ
ଛିଞ୍ଚାଡି ଦେଲା ମୁକୁଳା ତାହାର ଅଞ୍ଚଳେ ।
ଗୁଡିଆ ଦୋକାନ ଦେଖିଲା ଯାଉଁ ସେ ଅଳପ ଦୂରେ
“ମୁଢ଼ି ମୁଠେ ମିଳୁ”
ଜଣାଇଲା ବଡ କାତର ସୁରେ ।
ଦୋକାନୀ କହଇ- “ମୁଁ ବେସାୟୀ,
ବିକାକିଣା ଯାଗା, ଏଠି ଯେ ଖୋଜୁଚ ମାଗଣା କାହିଁ?”
“ତିନି ଦିନ ହେଲା
ମରୁଚି ହଇହେ ଗୁଡିଆ ସାଉ,
ମୁଠେ ଦିଅ, କିସ ଭାବୁଚ ଆଉ?”
“ଯାଆ ଯାଆ ଏଠୁ, ଦେଇ ଦେଇ ଆମେ ମଲୁଣି ଭଲା
ତୁଉ ମରିଗଲେ ସଂସାରେ କାର କଅଣ ଗଲା?”
ଫଅଁକରି ଗୋଟେ ନିଶ୍ୱାସ ମାରି ହତାଶ ବୁକେ
ମଝି ଦାଣ୍ଡରେ ଚାଲିଲା ବାଳକ ଭା’ରି ଦୁଃଖେ
କୁଆଡେ କାହିଁ,
ଦୃଷ୍ଟି ଫେରାଇ ଚାହିଁଲା ନାହିଁ ।
ଗାଁ ମୁଣ୍ଡରେ ଚାଳ ଘର ଟିଏ -ମୁହଁରେ ତାର
ବଉଳ ଗଛଟି ମେଲିଚି ପତର-ଗହଳ ଡାଳ
ବସି ପଡିଲା ସେ ତାହାର ମୂଳେ,
ଆକାଶ ପାତାଳ ଭାବିଲା ଭଉତ ମରମ ପୁରେ ।
ଘଡିକେ ସେ ଘରୁ ବାହାରିଲା ଜଣେ ପୌ÷ଢ଼ା ନାରୀ,
ଥକା ହୋଇ ତହିଁ ଛିଡା ହୋଇଗଲା କଅଣ ଭାଳି ।
ବୁଲାଇ ସେନେହ ସଜଳ ଆଖି
ସନାତନ ଦିହେ ଅମିୟ ପରଶ ଦେଲା କି ମାଖି?
ସ୍ନେହ କାଙ୍ଗାଳ ବାଳକର ହିଆ ବୁଝିଲା ତାହା,
ସତେ କି କୁଆଡେ ଦୂର ହୋଇଗଲା ପ୍ରାଣର ଦାହା ।
ତରୁ ଛାଇ ହୀନ ମରୁର ପଥେ
ସ୍ପଟିକ ଜଳର ଝରଣା ଗୋଟି, ଦେଖିଲା ସତେ!
ବହୁତ ଭରସା କରି ସେ କହିଲା ବିନୟ ବାଣୀ
“ପିଇବାକୁ ମତେ ଦେବକି ମାଉସୀ,
ଟୋପାଏ ପାଣି?
ଦେବ ଯଦି ଦିଅ ବେଇଗି ଦିଅ,
ତିନି ଦିନ ହେଲା ତୋରାଣି ଦେଖିନି
ଜଳୁଚି ଦିହ ।”
ତର ତର ହୋଇ ଘରେ ଯାଇ ତହୁଁ
କରୁଣାମୟୀ
ବେଲାଏ ପଖାଳ ଆଣି ସେଇ ଲାଗେ
ଥୋଇଲା ତହିଁ ।
ପିଇ ଦେ ଆରେ ଲାଗିବ ଭଲ,
ହାଲିଆ ଦିହରେ ଆସିବ ତୋହର
ଟିକିଏ ବଳ ।”
ସନାତନ ତହୁଁ ପିଇଲା ଉପର ତୋରାଣିତକ
ମାଇଲା ଧକ
ଯେଉଁ ଭାତ ତକ ରହିଲା ତହୁଁ
ନ ଖାଇ କଳେ
କରୁଣାମୟୀକି ଚାହିଁଲା ବିକଳେ
ଅତି ବିକଳେ ।
ତିନି ଦିନ ହେଲା ଆରେ ବାପ କିଛି ଖାଇନୁ ପରା
“ଖାଇ ଦଉ ନାହୁଁ?
ମନରେ କଅଣ ଭାବୁଚୁ ଭଲା?
ମନରେ କଅଣ ଭାବୁଚୁ ଆଉ?
ଲୁଚାଉଚୁ କିଆଁ ଖୋଲି କରି କହ,
ଗୋଳିଆ ଯାଉ ।”
“ନାହିଁ ଗୋ ମାଉସୀ କିଆଁ ଲୁଚାଇବି
ତୋଆଗରେ,
ଆସିଲା ବେଳେ ତ ଖାଇବାକୁ କିଛି
ନଥିଲା ଘରେ ।
ଜର ଭୋଗୁ ଥିଲା ବୋଉ ମୋର ,
କିଛି ନଥିବ ଖାଇ,
ଆଉଟି ପାଉଟି ହେଉଥିବ ଖାଲି
ମୋ ସାନ ଭାଇ ।
କହିଲ କେମିତି ଦେବି ମୁଁ ଗିଳି?
ଘରେ ନେଇଗଲେ ଖାଇବୁଁ ଏତକ
ସଭିଏଁ ମିଳି ।
ଆକାଶ ପାତାଳ ଭାବିଲା ସେତ ହୁଁ ମରମ ଗତେ
କଅଣ ସତେ!
“ପିଲା ବକଟେ ତୁ କେତେ ବଡ ଗୁଣ
ଅଛୁରେ ଧରି,
ମୋହରି ଥିଲାଯେ ରଙ୍କୁଣି ଥାଳ,
ଗୁଣରେ ସେଥିଲା ତୋହରି ପରି ।”
କହୁଁ କହୁଁ ତାର କମ୍ପି ଉଠିଲା ମୁଖର କଥା
ଲୁହ ଜମି ଉଠି ଛଳ ଛଳ ହେଲା ନୟନ ପତା,
ଆଉ କିଆଁ ତେବେ କରୁଚୁ ମଠ?
ବୋଉ ଭାଇ ତୋର ଚାହିଁ ରହିଥିବେ
ଯା’ତୁ ଝଟ ।”
ଭାତ ପୁଟୁଳାଟି ବାନ୍ଧିଲା ଅତି ଯତନ କରି
ମନରେ ଆତୁର ଆବେଗ ଧରି ।
‘ଯାଉଚି’ କହିସେ ଚଞ୍ଚଳ ହୋଇ ହେଲା ବାହାର ।
ଘର ମୁହାଁ ବାଟ- ଭାରି ଉଚ୍ଚାଟ ମନ ତାହାର
ଉପାସିଆ ଦେହ, ମୁଣ୍ଡତ ଝାଇଁ ମାରି ନଉଚି,
ପାଦ ଟଳ ଟଳ
ଛାତି ଥର ଥର
ତଥାପି ସଜୋରେ ପଥ ବାହୁଚି ।
ଉପରୁ ମାରୁଚି ନିରାଟ ଖରା,
ଦିହେ ଦିହେ ତାହା ଗଳି ଯାଉଅଛି ଅନଳ ପରା ।
କିଛିବାଟ ଗଲା ନାମ ଜଣା ନାହିଁ ନଈର କୂଳେ
ବସିଲା କଷ୍ଟେ ପୂରୁଣା ସେ ବରଗଛର ମୂଳେ ।
ଟୂପ ଟୂପ ଟୂପ ପଡିଲା କେତୋଟି ନାଲିଆ ଫଳ,
ପେଟ ବିକଳରେ ଭରିଲା କଳ ।
ଭୋକ ତ ମଲା ନି, ଓଲଟି ବଢ଼ିଲା ହେଲାନି ସହି,
ଫିଟାଇଲା ତାର ଭାତ ପୁଟୁଳାଟି ଆବେଗ ବହି ।
ପୁଣି ସେ କି ଭାବି ପୂରୁବ ପରି
ବାନ୍ଧିଲା ସେଇ ଭାତ ପୂଟୁଳାଟି
ଯତନ କରି ।
ଆହୁରି ବହୁତ ରାସ୍ତା ରହିଚି-ଅଢ଼େଇ କୋଶ,
କେମିତି ଭଲା ସେ ମାରିବ ଭୋକରେ ମାରିବ ଶୋଷ?
ନଈଧାରେ ଯାଇ ଆକ୍ୁଳେ ପିଇଲା ଗିରାସେ ପାଣି
ଛାଇକି ନେଉଟି ଆସିଲା ବହୁତ କଷ୍ଟ ମାନି ।
ଭାତ ପୁଟୁଳାଟି ଜଡ଼ାଇ ବୁକେ
ଭୁଇଁ ଶେଜତଳେ ଶୋଇପଡ଼ିଲା ସେ ବିରାମ ସୁଖେ ।
କଅଁଳ ପବନେ ଚାହୁଁଚାହୁଁ ଆହା ନୟନେ ତାର
କହୁଁ କହୁଁ ନିଦ ଭରିଗଲା ସତେ ଅନ୍ଧକାର!
ବେଳ ଖସି ଗଲା
ଖରା ମଉଳିଲା
ଆଉତ କାହିଁ,
ସନାତନ ଆଉ ଉଠିଲା ନାହିଁ ।
ବିଂଛାଡ଼ି ଦେଇ ଚାଉଳଟିମାନ ଭାତଟିମାନ,
କାଆ କାଆ ରାବି କୁଆ ଉଠାଇଲେ ଭୋଜିରତାନ ।
ଯାଉଁ ଯାଉଁ କେହି କହିଲା ସିଆଡ଼େ ଲକ୍ଷ୍ୟ କରି,
“କିଏ ସେ ଗୋଟିଏ ଯାଇଚି ମରି ।”
ଆକାଶ ବତାସ କାନେ କାନେ ତାର ଉଠିଲା କହି,
“ମରିନାହିଁ ସେତ- ମରଣ ଜୟୀ ।”
ରାଧାମୋହନ ଗଡ଼ନାୟକ
photo- internet