ଶିକାର (ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିରେ ତାଙ୍କ ନିଜ ଲେଖନୀରୁ )

Swayamprava Parhi (Chief Editor)
4 Views
8 Min Read

[box type=”info” align=”” class=”” width=””] ୧ ଫେବୃଆରୀ ୧୯୦୮‌ରେ ଭଗବତୀ ଚରଣ ପାଣିଗ୍ରାହୀ ପୁରୀ ଜିଲ୍ଲାର ବିଶ୍ୱନାଥପୁରଠାରେ ଜନ୍ମଗ୍ରହଣ କରିଥିଲେ ଓ ୨୩ ଅକ୍ଟୋବର, ୧୯୪୩ରେ ଗଞ୍ଜାମରେ ବନ୍ୟା ବିପନ୍ନ ଲୋକଙ୍କୁ ରିଲିଫ ବାଣ୍ଟିବା କାମ କରି ଫେରିବା ପରେ ନିଜେ ରୋଗରେ ପୀଡିତ ହୋଇ ଅକାଳ ମୃତ୍ୟୁ ବରଣ କରିଥିଲେ । ସେ ଥିଲେ ପ୍ରଗତିଯୁଗର ଜଣେ ଲେଖକ । ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ ଭଗବତୀ ଚରଣ ପାଣିଗ୍ରାହୀ ।

ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶାରେ ମର୍ମାହତ ହୋଇ ସାହିତ୍ୟ ସୃଷ୍ଟି କରିଥିଲେ ସେସବୁ କଥା ବସ୍ତୁକୁ ନେଇ, ତାଙ୍କର ଭାଷା ବି ଥିଲା ଭାରି ସରଳ । ଶିକାର ଗଳ୍ପଟି ତାଙ୍କର ଏକ ବହୁ ଚର୍ଚ୍ଚିତ ଗଳ୍ପ, ଏଥିରେ ପ୍ରକାଶିତ ଚରିତ୍ରଟି କାଳ୍ପନିକ କିନ୍ତୁ ତା ଭିତରେ ରହିଛି ଅନେକ ବାସ୍ତବତାର ସ୍ପର୍ଶ, ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ମୃଣାଳ ସେନଙ୍କ ଫିଲ୍ମ ‘ମୃଗୟା’ରେ ଏହି କାହାଣୀର ଝଲକ ଦେଖିବାକୁ ମିଳେ । – ସମ୍ପାଦକ [/box]

ସେ ଅଂଚଳରେ ଘିନୁଆର ନାମ ବିଖ୍ୟାତ ଶିକାରୀ ହିସାବରେ । ସେ ବନ୍ଧୁକ ମାରି ଜାଣେ ନାହିଁ । ତା’ର ପ୍ରଧାନ ଅସ୍ତ୍ର ନିଜ ହାତ ତିଆରି ଧନୁଶର । ସେ ତୀର ମାରିଲାବେଳେ ଚିତ୍ ହୋଇପଡ଼େ ।

ବାଁ ପାଦଟି ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି ଟାଣି ନେଇ ଛାଡ଼ିଦିଏ । ମାଇଲିଏ ଦୂରରୁ ତୀର ମାରି ସେ ଲାଖ ବିନ୍ଧିପାରେ ।

Samadhwani Support us

ଏଇ ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବରାହ୍, ଭାଲୁ ମାରିଛି ଅଗଣନ; ଚିତାବାଘ ବି ମାରିଛି ଅନେକ । କିନ୍ତୁ ମହାବଳ ମାରିଛି ମୋଟେ ଦୁଇଟା । ମହାବଳ ମାରି ସେ ଡେପୁଟି କମିଶନରଙ୍କ ଠାରୁ ବେଶ୍ ପୁରସ୍କାର ପାଇଛି ମଧ୍ୟ ।

ସେଦିନ ସକାଳୁ ସେ ଏକ ଅଦ୍ଭୁତ ଶିକାର ନେଇ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର  । ଗୋଟିଏ କାନ୍ଧରେ ତାର ଧନୁ ଝୁଲୁଛି । ହାତରେ ଦି’ ତିନିଟା ତୀର, ଆଉ କାନ୍ଧରେ ଟାଙ୍ଗୀଆ ଟି ପଡ଼ିଛି ।

ଘିନୁଆକୁ ଏ ବେଶରେ ଦେଖି ଅର୍ଦ୍ଦଳୀ ପଚାରିଲା – “କିରେ, ଆଜି ଶିକାର ଆଣିଛୁ?” ତାର ବକସିସ୍ ଅଂଶୀଦାର ସେ କେତେ ଥର ହୋଇଛି। ଉତ୍ତରରେ ଘିନୁଆ ତୀର ମାଇଳା ଦାନ୍ତ ଦୁଇ ଧାଡ଼ି କେବଳ ଦେଖାଇଲା। ସେ ହସିଲା କି କାନ୍ଦିଲା ଜାଣିବାର ଉପାୟ ନାହିଁ।

ପ୍ରକୃତରେ ହସ ବୋଲି ଯାହାକୁ କୁହାଯାଏ ଘିନୁଆ ଠାରେ ତାହା କେହି କେବେ ଦେଖିନାହିଁ । କେତେବେଳେ ସେଏହିପରି ଦାନ୍ତ ଦେଖାଏ; ତାହ। ହସ ନୁହେଁ କି କାନ୍ଦ ନୁହେଁ- କେବଳ ଦାନ୍ତ ଦେଖା । ଅର୍ଦ୍ଦଳୀ ପଚାରିଲା, “କି, କି, ଶିକାର ଆଜି ଆଣିଛୁ?”

ଘିନୁଆ ତାର ଗାମୁଛାରେ ବନ୍ଧା ହୋଇଥିବା ଗୋଟିଏ ପଦାର୍ଥକୁ ଦେଖାଇ କହିଲା ଯେ, ସେ ଆଜି ଏକ ମସ୍ତ ଜାନୁଆର ଶିକାର କରି ଆଣିଛି।

ଅର୍ଦ୍ଦାଳୀ ପଚାରିଲା “ବାଘ”

ଘିନୁଆ ମୁଣ୍ଡ ହଲାଇ ନାହିଁ ଜଣାିଲା ।

“ଆଉ ତେବେ କଣ ବେ?”

ଗୋଳମାଳ ଶୁଣି ସାହେବ ବଙ୍ଗଳା ଭିତରୁ ବାହାରି ଆସିଲେ । ଘିନୁଆ ମୁଣ୍ଡିଆ ମାରି ପୁଣି ସାହେବଙ୍କୁ ସେହିପରି ଦାନ୍ତ ଦେଖାଇଲା। ସାହେବ ଶିକରର ଚେହେରାଟା ଦେଖିବାକୁ ଇଛା ପ୍ରକାଶ କରିବାରୁ ଘିନୁଆ ଗାମୁଛା ଭିତରୁ ବାହାର କରି ସାହେବଙ୍କ ପାଦ ତଳେ ଥୋଇଲା ଗୋଟିଏ ସଜକଟା ମଣିଷ ମୁଣ୍ଡ।

ସାହେବ ଚମକି ଉଠି ପାହୁଣ୍ଡେ ଦି’ ପାହୁଣ୍ଡ ପଛେଇଗଲେ । ଘିନୁଆ ହାତ ବଢ଼ାଇ ମାଗିଲା, “ସାହେବ, ବକ୍ସିସ୍ ।” କିଛି କ୍ଷଣ ପରେ ମନକୁ ମନ ସଂଭାଳି ନେଇ ସାହେବ ଘିନୁଆର ବକ୍ସିସ୍ ପାଇଁ ଅପେକ୍ଷା କରିବାକୁ ଇସାରା କଲେ ଓ ଭିତରକୁ ଯାଇ ଫୋନ୍ ଦ୍ୱାରା ସଶସ୍ତ୍ର ପୋଲିସ ଫୌଜ ଡକାଇଲେ।

ଏହା ବ୍ୟତୀତ ଘିନୁଆର ଜବତ୍ କରିବା ଉପାୟ ନାହିଁ । ଦେହରେ ତାର ଗୋଟିଏ ଅସୁରର ବଳ, ହାତରେ ପୁଣି ଧନୁଶର ଓ ଟାଙ୍ଗିଆ ରହିଛି।

ଯେତେବେଳେ ହାତକଡ଼ି ଗୋଡ଼ କଡ଼ି ପିନ୍ଧି ଘିନୁଆକୁ ହାଜତରେ ରହିବାକୁ ହେଲା, ସେ କିଛି ବୁଝିପାରିଲା ନାହିଁ । ତାକୁ ଏପରି ଭାବେ ଅଟକାଇ ରଖିବାର ମତଲବ କ’ଣ? ସବୁଧା ପାଇଲେ, ସେ କାହାରି କାହାରିକି ଏ ବିଷୟ ପଚାରେ କିଏ କହେ ତାର ଫାଶୀ ହେବ, କିଏ କହେ ସେ ଯିବ କଳାପାଣି।

କାହିଁକି, ସେ ଏମିତି କି ଅପରାଧ କରିଛି କି? କିଛି ବୁଝି ନ ପାରି ସେମାନଙ୍କ କଥାକୁ ସେ ବିଶ୍ୱାସ କରେନାହିଁ । ଶେଷରେ ଦିନେ ଡେପୁଟି କମିଶନର ଜେଲ ପରିଦର୍ଶନ କରିବାକୁ ଆସିଥିଲେ । ସେ ତାଙ୍କୁ ହିଁ ସବୁ ହାଲ ପଚାରିଲା।

ସେ କହିଲେ ଯେ, ପୂର୍ବରୁ ସେ, ବାଘ, ଭାଲୁ ମାରିଥିଲା ବୋଲି ସାଙ୍ଗେ ସାଙ୍ଗେ ବକ୍ସିସ୍ ପାଉଥିଲା । ଏବେ ମାରିଛି ମଣିଷ । ଏଥିର କି ବକ୍ସିସ୍ ପାଇବ ତାହା ପାଞ୍ଚଜଣ ତ ପୁଣି ବୁଝି ବଚାରି ଠିକ୍ କରିବେ । ଏ କଥାଟା ହିଁ ଘିନୁଆ ମନକୁ ମାନିଲା ।

ଯେଉଁ ତାର ବିଚାର ହେଲା, ଘିନୁଆ ମନେ ମନେ ଭାବିଲା ସେଦିନ ତାକୁ ବକ୍ସିସ୍ ମିଳିବ । ସେ ଉତ୍ସାହିତ ହୋଇ ଜଜଙ୍କ ଆଗେ ସବୁ ବର୍ଣ୍ଣନା କରିବାକୁ ଲାଗିଲା – ସେ ଯେ ଗୋବିନ୍ଦ ସର୍ଦ୍ଦାରଟାକୁ ହାଣିଲା, ସେଥିପାଇଁ ତାକୁ କମ୍ କଷ୍ଟ କରିବାକୁ ପଡ଼ିନାହିଁ ।

ଆଉ ଅନେକ ଲୋକ ତାକୁ ମାରିବାକୁ ଛକିଥିଲେ, କିନ୍ତୁ କେହି ପାରିନଥିଲେ । ଗୋବିନ୍ଦ ସର୍ଦ୍ଦାର ଯେ ସବୁବେଳେ ମଟର ଚଢ଼ି ଯିବା ଆସିବା କରେ! ସେ ତାର ଧନ ସଂପତ୍ତି କମେଇଛି ଅନ୍ୟ ସମସ୍ତଙ୍କୁ ଲୁଟିକରି; ବଡ଼ ସଇତାନ ଲୋକ ଥିଲା ସେ । କେତେକଙ୍କୁ ସେ ମାରିଛି, କେତେ ଲୋକଙ୍କୁ ବିଚ୍ଛିନ୍ନ କରିଛି; କେତେ ସ୍ତ୍ରୀ ଲୋକଙ୍କର ଇଜତ ନେଇଛି, ତା’ର ଠିକଣା ନାହିଁ ।ଘିନୁଆର ସବୁ ଜମିବାଡ଼ି ମଧ୍ୟ ସେହିପରି ସେ ନିଜର କରିଛି।

ସେ ଦିନ ସଂଧ୍ୟାରେ ଘିନୁଆର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ବସିଥିଲା । ଏଡ଼େ ବଡ଼ ବହପ । ଘିନୁଆକୁ ଦେଖି ମଟରରେ ପଳାଇଥିଲା । ଭାବିଥିଲା, ତା’ ହାବୁଡ଼ରୁ ଖସି ଚାଳିଯିବି । ତା’ର ମଟର ଚକକୁ ତୀରମାରି ଘିନୁଆ ମଟରକୁ ଅଚଳ କରିଦେଲା । ତାପରେ ଟାଙ୍ଗିଆରେ ତାର ମୁଣ୍ଡଟା କାଟିନେଇ , ସିଧା ଦୌଡ଼ିଲା ରାତା ରାତି ବଣ ଜଙ୍ଗଲ ଭିତର ଦେଇ ତିରିଶ ମାଇଲ ରାସ୍ତା । ଏକା ନିଶ୍ୱାସକେ ଦୌଡ଼ି ସେ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ହେଲା ।

ଗୋବିନ୍ଦ ସରକାର ସାମାନ୍ୟ ଲୋକ ନୁହେଁ। ହାତରେ ତା’ର ଥାଏ ସବୁବେଳେ ବନ୍ଧୁକ । ବାଘଭାଲୁଙ୍କ ଅପେକ୍ଷା ଲୋକେ ତାକୁ ଦେଖି ବେଶି ଭୟ କରନ୍ତି । ବାଘଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତି କରେ ଢେର ବେଶୀ, ତାକୁ ମାରିବା ପାଇଁ ଘିନୁଆ କମ୍ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରିନାହିଁ ।

କିଛି ବର୍ଷ ତଳେ ଝପଟସିଂହ ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ ପାଁଶ ଟଙ୍କା ବକ୍ସିସ୍ ଦେଇଥିଲା । ଝପଟସିଂହ ତ ଏକରକମ୍ ଭଲ ଲୋକ ଥିଲା । ସେ ସ୍ତ୍ରୀ ଲୋକଙ୍କ ଇଜତ ନେଇନାହିଁ କାହାରି ଜମିବାଡ଼ି ଦଖଲ କରିନାହିଁ ।

ସେ କେବଳ ଖଜଣାଖାନା ଲୁଟ କରିଥିଲା। ଆଉ କେତେଜଣ ସିପାହୀଙ୍କୁ ମାରିଥିଲା । ଗୋବିନ୍ଦ ସରଦାର କିନ୍ତୁ ବଡ଼ ଭୟଙ୍କର ଲୋକ । ତାକୁ ମାରିଥିବାରୁ ଅଧିକ ବକ୍ସିସ୍ ଘିନୁଆକୁ ମିଳିବା ଉଚିତ୍ ।

ଘିନୁଆର ଯୁକ୍ତି ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ଜଜ ସାହେବ୍ ହସି ହସି କହିଲେ – “ହଁ ଉପଯୁକ୍ତ ବକ୍ସିସ୍ ଦିଆଯିବ।” “ସରକାରୀ ଓକିଲ କହିଲେ “ତତେ ଏଠାକୁ ଖାସ୍ ଅଣାଯାଇଛି ବକ୍ସିସ୍ ଦିଆଯିବା ଲାଗି ।”

ଘିନୁଆ ଏହାକୁ ପରିହାସ ନମଣି, ସତ ବୋଲି ମନେକଲା । କାରଣ ହସ କୁତୁକ, ଥଟ୍ଟା ପରିହାସ ସେ ଜାଣେ ନାହିଁ । ତାର ଯେ ନିତାନ୍ତ ରସଶୂନ୍ୟ ପ୍ରକୃତି!

ଶେଷରେ ରାୟ ଦିଆଗଲା ପ୍ରାଣଦଣ୍ଡ ।

ଘିନୁଆ ଏହାର କୌଣସି ଅର୍ଥ ବୁଝିଲା ନାହିଁ । ପୁଣି ଜେଲକୁ ଫେରାଇ ନେଲାବେଳେ ତାକୁ ବୁଝାଇ ଦିଆଗଲା ଯେ, ତାର ବକ୍ସିସ୍ ପାଇବାର ଦିନ ଆସୁଛି । ଘିନୁଆ ସେ ପର୍ଯ୍ୟନ୍ତ ବୁଝିଲା ନାହିଁ ଯେ ସେ ଅପରାଧୀ ଓ ସେଥିଲାଗି ତାକୁ ପ୍ରାଣଦଣ୍ଡ ଆଦେଶ ହୋଇଛି ।

ଝପଟସିଂହକୁ ମାରିବା ଓ ଗୋବିନ୍ଦ ସରଦାରକୁ ମାରିବା ଯେ ଏକାକଥା ନୁହେଁ, ତାହା ସେ ବୁଝିବ କାହୁଁ? ସେ ଜାଣିଲା ନାହିଁ ସେ ଗୋଟିଏ ଗୌରବ ବିଷୟ, ଅନ୍ୟଟି ଦୋଷାବହ । ଆଇନର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତାର ମୁଣ୍ଡ ନାହିଁ । ସେ ଯେ ବଣୁଆ ସାନ୍ତାଳ ।

ମନେ ମନେ ଭାବେ – “ଡୋରା ପାଁଶ ଟଙ୍କା ପାଇଛି ଝପଟସିଂହକୁ ମାରି, ସେଥିରୁ ବେଶୀ ନ ହେଲେ ସେ କାହିଁକି ନେବ? ସବୁ ଫେରାଇଦେଇ କହିବ – “କିଛି ନଦିଅ ପଛେ ସାହେବ, ଡେରାଠାରୁ ବେଶି ପାଇବା ମୋର୍ ହକ୍ ।”

ଜେଲର୍ ଅନ୍ଧରିଆ ନିର୍ଜନ ଗୁମ୍ଫାରେ ରହି ସେ କେତେ କଣ ଭାବେ । କଥାବାର୍ତ୍ତା କରିବାକୁ ସେ କାହାରିକୁ ଦେଖେ ନାହିଁ । କଥାବାର୍ତ୍ତା କରିବାକୁ ବି ତାର ଆଗ୍ରହ ନଥାଏ । କେବଳ ବକ୍ସିସ୍ ପାଇ ଘରକୁ ଫେରିବାକୁ ତା’ର ମନ ଛଟପଟ ହେଉଥାଏ ।

ଶେଷରେ ତାର ଫାଶୀର ଦିନ ଆସିଲା । ତାକୁ ପଚରାଗଲା, ତାର ଶେଷରେ କଣ ଦରକାର । ସେ କହିଲା ‘ମୋର ବକ୍ସିସ୍’ ।

“ଆଚ୍ଛା ବକ୍ସିସ୍ ପାଇବୁ ଆ” କହି ତାକୁ ନେଇଗଲେ ।

ମୁଣ୍ଡରେ ତାର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା ।

ଘିନୁଆ ମନେ ମନେ ବିଚାରିଲା ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତାର ସୁନା ରୂପା ଢାଳି ଦିଆଯିବ ।

ସରକାର ଘରର କେତେ ଫାନ୍ଦ ଫିକର, କାଇଦା କଟକଣା ଅଛି ।

ଖାଲି ସେମିତି କଣ ବକ୍ସିସ୍ ଦିଆଯିବ?

ସେ ଘରକୁ ଫେରି ସବୁ ସ୍ତ୍ରୀକୁ ଦେଖାଇବ ।

କି ଖୁସି ହବ ସ୍ତ୍ରୀ ତାର ସବୁ ଦେଖି । ଭଲ ଘରଦ୍ୱାର କରି, ଜମିବାଡ଼ି କଷି ସେ ସୁଖରେ ରହିବ ଆଉ ତ ଗୋବିନ୍ଦ ସରଦାର ନାହିଁ ଯେ ସବୁ ଲୁଟି କରିନେବ ।

ହଠାତ୍ କଣ ଗୋଟାଏ ଆସି ତା ବେକରେ ବାଜିଲା ।

ଲେଖକ – ଭଗବତୀ ଚରଣ ପାଣିଗ୍ରାହୀ

PHOTO CREDIT –

https://www.google.com/search?biw=1366&bih=555&tbm=isch&sa=1&ei=fWYGXOmjGI_ZwQL954-oBQ&q=bhagabati+panigrahi+and+sikar&oq=bhagabati+panigrahi+and+sikar&gs_l=img.3…9256.19510..20099…0.0..0.642.12764.4-28j1….2..0….1..gws-wiz-img…….0j0i67j0i10.XT4Rlevx7yU#imgrc=p-plC3-ntG8IKM:

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.