ନାନାବାୟା ଗୀତ -ନନ୍ଦକିଶୋର ବଳ

Swayamprava Parhi (Chief Editor)
2 Min Read

ବରଷା ରାତିରେ      ଯେ ଯାହାର ଘରେ

Support Samadhwani

ଶୁଅନ୍ତି ସମସ୍ତେ ଯାଇଁ,

କେଉଁଠାରେ କିଏ                      ଗୀତ ଗାଉଥାଏ

ପିଲା ଶୁଆଇବା ପାଇଁ ।

Support Samadhwani

ପହିଲି ଆଷାଢ଼େ        ବରଷଇ ମେଘ

ଆଣ୍ଠୁଆଣି ହୁଏ ପାଣି ।

ପାଣିରେ ଡିଅଁନ୍ତି        ଫକର ଫକର

ବେଙ୍ଗ ଆଉ ବେଙ୍ଗ ରାଣୀ ।

ଗହନେ ବାଜଇ         ଯୋଡ଼ି ମହୁରୀ ଗୋ

ଘନ ଘନ ରାବେ କାକ,

ବୋହୂ ବାପଘରୁ        ଭାର ଆସୁଛି ହୋ

ଶୁଭଇ ଉଠିଆ ଡାକ ।

ଆକାଶରେ ଚାଲେ    କଳାବଉଦ ଗୋ

ସୁଲୁ ସୁଲୁ ବହେ ବାଆ,

ବସା ଗଛ ଆଡ଼େ       ଉଡ଼ିଯାଏ କାଉ

ରାବ ଦେଇ କାଆ କାଆ ।

ଜୁଳୁ ଜୁଳୁ ଜଳେ          ଜୁଳୁ ଜୁଳିଆ ଗୋ

ଶାଶୂଘରେ ଗଲେ ତରା,

ମାଆ ଯାଇଛନ୍ତି         ମାମୁଁ ଘରକୁ ଗୋ

ତୁରିତେ ଆସିବେ ପରା ।

ହୁଙ୍କା ଚାରିପିଠି         ଫୁଟିଛି ଛତୁ ଗୋ

କିଏ ସେ ଛତୁ ତୋଳିଲା,

ଦୁଇକୂଳ ଖାଇ           ପର୍ବତ ପ୍ରମାଣେ

ନଈ ତ ମାଡ଼ି ଆସିଲା ।

ଅକାତ ପାଣିରେ       ଶାଶୂ ନଣନ୍ଦଙ୍କ

ଗଞ୍ଜଣା ସହି ନପାରି,

ବିସର୍ଜନା ଦେଲା        ସୁବର୍ଣ୍ଣ ପ୍ରତିମା

କାହାର ଏ ନବନାରୀ?

ଶ୍ରାବଣର ଧାରା        ଶୋକପସରା ଗୋ

ବାଟ ଚାଲେ ବଳଦିଆ,

କେଣେ ଯାଉଛରେ    ବଳଦିଆ ଭାଇ

ମେଘ ତ କଳାହାଣ୍ଡିଆ ।

ଗାଆଁ ତଳ ବିଲେ       ମଇଁଷି ପଲ ଗୋ

କୁହାଟେ ମଇଁଷିଆଳ,

ମଇଁଷି ଦୁଧକୁ            ବାସ ଚାଉଳ ଗୋ

ଜାଳିବାକୁ ଘଷି ଫାଳ ।

ପୋଖରୀ ହୁଡ଼ାରେ    ଘୁଷୁରୀପଲ ଗୋ

କିଏ ସେ କଣ୍ଟା ମାଡ଼ିଲା,

ଗହୀର ବିଲରେ        ଗୀତ ଗାଏ ଚଷା

ପବନ ଖରେ ବହିଲା ।

ନଈ ସେପାରିରେ      ଘୋର ଅନ୍ଧାର ଗୋ

କିଏ ସେ ଗୀତ ଗାଉଛି,

ରହ ରହ ଆହେ        ବିଦେଶୀ ବାଟୋଇ

ମେଘ ତ ମାଡ଼ି ଆସୁଛି ।

ଶ୍ରାବଣ ମାସରେ       ଘୋର ବରଷା ହୋ

ଶୁଭେ ଘନ ଗରଜନ,

ପର୍ବତ ନାସାର          ମହାବଳ ବାଘ

କ୍ଷେପି ବୁଲେ ଗ୍ରାମ ବନ ।

ଗିରି ଗହନରେ         ଝରଇ ଝରଣା

ମୟୂର ରାବ ଦିଅଇ,

ପର୍ବତ କୋଳକୁ         ତେଜି ଯାଏ ନଈ

ଦୂର ସିନ୍ଧୁ ପାଶେ ବହି ।

ପଶୁ ପକ୍ଷୀ ନର         ଗଛ ଘରଦ୍ୱାର

ଭାସିଯାଏ ଜଳ ସଙ୍ଗେ,

ଜଳମୟ ଦିଶେ          ଚଉଦିଗ ଯାକ

ପିଲା ଗୀତ ଗାନ୍ତି ରଙ୍ଗେ ।

ମେଘ ବରଷିଲା        ଟପର ଟପର,

କେଶୁର ମାଇଲା ଗଜା

କେଉଁ ରାଇଜରେ      ରହିଲେ ମୋ ରଜା

ତେଲଙ୍ଗି ବାଇଦ ବଜା ।

photo credit- https://bit.ly/3levYIX

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.