ନାନାବାୟା ଗୀତ -ନନ୍ଦକିଶୋର ବଳ

Chief Editor
Chief Editor 28 Views
2 Min Read

ବରଷା ରାତିରେ      ଯେ ଯାହାର ଘରେ

Support Samadhwani

ଶୁଅନ୍ତି ସମସ୍ତେ ଯାଇଁ,

କେଉଁଠାରେ କିଏ                      ଗୀତ ଗାଉଥାଏ

ପିଲା ଶୁଆଇବା ପାଇଁ ।

Support Samadhwani

ପହିଲି ଆଷାଢ଼େ        ବରଷଇ ମେଘ

ଆଣ୍ଠୁଆଣି ହୁଏ ପାଣି ।

ପାଣିରେ ଡିଅଁନ୍ତି        ଫକର ଫକର

ବେଙ୍ଗ ଆଉ ବେଙ୍ଗ ରାଣୀ ।

ଗହନେ ବାଜଇ         ଯୋଡ଼ି ମହୁରୀ ଗୋ

ଘନ ଘନ ରାବେ କାକ,

ବୋହୂ ବାପଘରୁ        ଭାର ଆସୁଛି ହୋ

ଶୁଭଇ ଉଠିଆ ଡାକ ।

ଆକାଶରେ ଚାଲେ    କଳାବଉଦ ଗୋ

ସୁଲୁ ସୁଲୁ ବହେ ବାଆ,

ବସା ଗଛ ଆଡ଼େ       ଉଡ଼ିଯାଏ କାଉ

ରାବ ଦେଇ କାଆ କାଆ ।

ଜୁଳୁ ଜୁଳୁ ଜଳେ          ଜୁଳୁ ଜୁଳିଆ ଗୋ

ଶାଶୂଘରେ ଗଲେ ତରା,

ମାଆ ଯାଇଛନ୍ତି         ମାମୁଁ ଘରକୁ ଗୋ

ତୁରିତେ ଆସିବେ ପରା ।

ହୁଙ୍କା ଚାରିପିଠି         ଫୁଟିଛି ଛତୁ ଗୋ

କିଏ ସେ ଛତୁ ତୋଳିଲା,

ଦୁଇକୂଳ ଖାଇ           ପର୍ବତ ପ୍ରମାଣେ

ନଈ ତ ମାଡ଼ି ଆସିଲା ।

ଅକାତ ପାଣିରେ       ଶାଶୂ ନଣନ୍ଦଙ୍କ

ଗଞ୍ଜଣା ସହି ନପାରି,

ବିସର୍ଜନା ଦେଲା        ସୁବର୍ଣ୍ଣ ପ୍ରତିମା

କାହାର ଏ ନବନାରୀ?

ଶ୍ରାବଣର ଧାରା        ଶୋକପସରା ଗୋ

ବାଟ ଚାଲେ ବଳଦିଆ,

କେଣେ ଯାଉଛରେ    ବଳଦିଆ ଭାଇ

ମେଘ ତ କଳାହାଣ୍ଡିଆ ।

ଗାଆଁ ତଳ ବିଲେ       ମଇଁଷି ପଲ ଗୋ

କୁହାଟେ ମଇଁଷିଆଳ,

ମଇଁଷି ଦୁଧକୁ            ବାସ ଚାଉଳ ଗୋ

ଜାଳିବାକୁ ଘଷି ଫାଳ ।

ପୋଖରୀ ହୁଡ଼ାରେ    ଘୁଷୁରୀପଲ ଗୋ

କିଏ ସେ କଣ୍ଟା ମାଡ଼ିଲା,

ଗହୀର ବିଲରେ        ଗୀତ ଗାଏ ଚଷା

ପବନ ଖରେ ବହିଲା ।

ନଈ ସେପାରିରେ      ଘୋର ଅନ୍ଧାର ଗୋ

କିଏ ସେ ଗୀତ ଗାଉଛି,

ରହ ରହ ଆହେ        ବିଦେଶୀ ବାଟୋଇ

ମେଘ ତ ମାଡ଼ି ଆସୁଛି ।

ଶ୍ରାବଣ ମାସରେ       ଘୋର ବରଷା ହୋ

ଶୁଭେ ଘନ ଗରଜନ,

ପର୍ବତ ନାସାର          ମହାବଳ ବାଘ

କ୍ଷେପି ବୁଲେ ଗ୍ରାମ ବନ ।

ଗିରି ଗହନରେ         ଝରଇ ଝରଣା

ମୟୂର ରାବ ଦିଅଇ,

ପର୍ବତ କୋଳକୁ         ତେଜି ଯାଏ ନଈ

ଦୂର ସିନ୍ଧୁ ପାଶେ ବହି ।

ପଶୁ ପକ୍ଷୀ ନର         ଗଛ ଘରଦ୍ୱାର

ଭାସିଯାଏ ଜଳ ସଙ୍ଗେ,

ଜଳମୟ ଦିଶେ          ଚଉଦିଗ ଯାକ

ପିଲା ଗୀତ ଗାନ୍ତି ରଙ୍ଗେ ।

ମେଘ ବରଷିଲା        ଟପର ଟପର,

କେଶୁର ମାଇଲା ଗଜା

କେଉଁ ରାଇଜରେ      ରହିଲେ ମୋ ରଜା

ତେଲଙ୍ଗି ବାଇଦ ବଜା ।

photo credit- https://bit.ly/3levYIX

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.