Home / ସାହିତ୍ୟ ସଂସ୍କୃତି / ସାହିତ୍ୟ / ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share Samadhwani

Photo credit- Wikimedia Commons

ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ ବସି ଅଶ୍ରୁ ଗଡାଉଥିଲେ । ମଝିରେ ମଝିରେ ସାନ ଝିଅର କାନ୍ଦଣା ସଭିଙ୍କର କୋହକୁ ବଢାଇ ଦେଉଥିଲା । ମୁଁ ଅଶ୍ରୁ ସମ୍ବରଣ କରି, କାନ୍ଥକୁ ଆଉଜି ବସିଥିଲି ।

ଅଶ୍ରୁମୋଚନ ମୋର ବନ୍ଧୁ ଥିଲା ପଢିବା ଦିନରୁ । ମୋର ସହକର୍ମୀ ହେଲା ଅଧ୍ୟାପକ ଜୀବନରେ । ଅବସର ନେଲା ପରେ ଆମେ ରହିଲୁ ପାଖାପାଖି ଘର କରି । କିନ୍ତୁ ଏପରି ହଠାତ୍ ଚାଲିଯିବ ମୁଁ ଭାବି ପାରୁ ନ ଥିଲି । ସେ ବିବ୍ରତ ଥିଲା ତାର ପେନସନ କାଗଜ ଉପରେ ଅଧିକାରୀଙ୍କ ନିଷ୍ପତ୍ତିରେ ବିଳମ୍ବ ହେବାକୁ ନେଇ । ସରକାରୀ କଳରେ ଏପରି ବିଳମ୍ବ ଅସ୍ୱାଭାବିକ ନୁହେଁ ବୋଲି ମୁଁ ବୁଝାଇଛି ତାକୁ । କିନ୍ତୁ ଦରମା ବନ୍ଦ ହେବା ପରେ ଘରଚଳାଇବାର କଷ୍ଟ ବୋଧହୁଏ ତାକୁ ବାଧୁଥିଲା । ମୁଁ ଜାଣିଥିଲି ସେ ତାର ଚାକିରୀ ଜୀବନରେ ସେପରି କୈାଣସି ସେଭିଂସ୍ ନ ଥିଲା । ସେ ସବୁ ଖର୍ଚ୍ଚ କରିଦେଉଥିଲା । ପରିବାର ବାହାରେ ତାର ଗୋଟିଏ ବିରାଟ ପରିବାର ଥିଲା । ଅଭାବୀ ଛାତ୍ରଙ୍କର ପରିବାର । କିଏ କଲେଜ ଦରମା ଦେଇ ପାରୁ ନାହିଁ । ହଷ୍ଟେଲ ଫିସ ଦେଇପାରୁ ନାହିଁ । କାହାରି ଘରେ ରୋଗୀ ବିଧବା ମା, ଔଷଧ ଖର୍ଚ୍ଚ ଦେଇପାରୁ ନାହିଁ । ଭଲ ବିଶ୍ୱବିଦ୍ୟାଳୟରେ ପଢିବାର ସୁଯୋଗ ପାଇଛି , ଆଡମିଶନ ଫିସ ଦେଇ ପାରୁନାହିଁ । କେହି ସର୍ବଭାରତୀୟ ସେବାରେ ସାକ୍ଷାତକାରକୁ ଯିବ ଉପଯୁକ୍ତ ପୋଷକ ନାହିଁ- ଏ ସମସ୍ତଙ୍କର ଚାହିଦା ସେ ପୂରଣ କରୁଥିଲା । ଦରକାର ପଡିଲେ ଏଥିପାଇଁ ଧାର କରି ଚାହିଦା ପୂରଣ କରୁଥିଲା । ସେ ଦିନ ଗୁଡିକ ତ ମନେ ପଡୁଛି ଯେତେବେଳେ ତା ଶରଣାଗତ ଯୁବକ ଯୁବତୀଙ୍କୁ ସେମାନଙ୍କର ପରିବାରାର ସମସ୍ତ ବିରୋଧ ସତତ୍ୱେ ନିଜ ଖର୍ଚ୍ଚରେ ସେମାନଙ୍କର ବିବାହ କରାଉଥିଲା ଓ ନିଜ ଉଚ୍ଚଜାତିର ମୁରବୀମାନଙ୍କର ଗାଲିଗୁଲଜର ଶୀକାର ହେଉଥିଲା । ପଇସା କିଛି ବଳୁ ନ ଥିଲା । ପତ୍ନୀ ତନୁଶ୍ରୀ ବାରମ୍ବାର ସତର୍କ କରାଇଦେଉଥିଲେ- ‘ଝିଅଟି ସାନ ତାର ବିଭାଘର ତ କରିବାକୁ ହେବ । କିଛି ସଂଚୟ କରିବାକୁ ହେବ ।’ ତନୁଶ୍ରୀ କିଛି ସଂଚୟ କରିଥିଲେ,ଅଶ୍ରୁମୋଚନଙ୍କ ଆଜାଣତରେ । ଅବଶ୍ୟ ବେଶୀ ନୁହେଁ । କିନ୍ତୁ ସେ ପାଂଚଶହ , ହଜାରଟଙ୍କା ସବୁ ତ ହଠାତ୍ ଅଚଳ ହୋଇଗଲା । ସେହି ଝିଅଟି ଅଭିଆଡି ରହିଯ।।ଇଛି, ଅଶ୍ରୁମୋଚନର ଶବଧାରରେ ବସିଛି । ତାହାରି କୋହ ମଝିରେ ମଝିରେ ଶୁଭୁଛି ।

ତନୁଶ୍ରୀଙ୍କର ଲୁହ ପଥର ହୋଇଯାଇଥିଲା । ସେ ଅଶୃମୋଚନଙ୍କ ମୁହଁକୁ ଅନାଇ ନିର୍ବାକ୍ ବସିଥିଲେ । କଲେଜରେ ଅଶ୍ରୁମୋଚନ ତାଙ୍କର ସାର୍ ଥିଲେ । ମନସ୍ତତ୍ୱର ଅଧ୍ୟାପକ । ଅତି ପ୍ରିୟ ଥିଲେ ଛାତ୍ର ଛାତ୍ରୀଙ୍କର । ଅତ୍ୟନ୍ତ ଆକର୍ଷଣୀୟ ଥିଲା ତାଙ୍କର ପଢାଇବାର ଢଂଗ । ତନୁଶ୍ରୀ ପାଠ ବୁଝିବା ବାହାନାରେ ତାଙ୍କ କୋଠରୀକୁ ଅନେକ ଥର ଯାଇଛନ୍ତି । ସେ ବୋଧେ ବୁଝିପାରୁଥିଲେ -ଅଶ୍ରୁମୋଚନ ଯେପରି ଅନାଇ ବସୁଥିଲେ ତାଙ୍କ ଆଗମନକୁ । ବେଳେ ବେଳେ ଅଶ୍ରୁମୋଚନ ବଢାଇ ଦେଉଥିଲେ ସେ ଲେଖୁଥିବା କବିତାର କିଛି ଧାଡି, ପଚାରୁଥିଲେ ‘କେମିତି ହୋଇଛି?’ ମନସ୍ତତ୍ୱ ବିଜ୍ଞାନରେ ଅଶ୍ରୁମୋଚନ ପଢାଇଥିଲେ ଯେ ସମାନ ବୟସର ପୁଅ ଝିଅଙ୍କ ଭିତରେ ଝିଅମାନେ ଅଧିକ ପରିପକ୍ୱ ଓ ଅନ୍ୟର ମନକଥାକୁ ପଢି ନେଇ ପାରନ୍ତି । ଅଶ୍ରୁମୋଚନ ବଢାଇଥିବା କବିତାର ଧାଡିରୁ ସେ ଠିକ ବୁଝି ପାରୁଥିଲେ ଅଶ୍ରୁମୋଚନଙ୍କ ମନକଥା । କହିବାକୁ ପଡୁ ନ ଥିଲା ଯେ ସେମାନେ ପରସ୍ପରକୁ ଭଲ ପାଆନ୍ତି । ତନୁଶ୍ରୀଙ୍କ ପରିବାରର ସମ୍ମତି ଆସିଗଲା -ଅଶୃମୋଚନ ଘରର ଜ୍ୱାଇଁ ହୋଇଗଲେ । ଏ ପ୍ରାୟ ତିରିଶ ବର୍ଷ ତଳର କଥା । ସେହି ସମ୍ପର୍କ ଆଜି ଛିନ୍ନ ହେଲା । ଅଶ୍ରୁମୋଚନ ତାଙ୍କର ଅଭ୍ୟାସ ହୋଇଯାଇଥିଲେ । ଅଶ୍ରୁମୋଚନଙ୍କ ବିନା ରହିବାର ଅଭ୍ୟାସ କରିବାକୁ ହେବ-ତନୁଶ୍ରୀ କୋହକୁ ଚାପି ଧରୁଥିଲେ ।

ତନୁଶ୍ରୀ ଜାଣିଥିଲେ ଯେ ପେନସନକୁ ନେଇ ଅଶ୍ରୁମୋଚନ ବିବ୍ରତ ରହୁଛନ୍ତି । ବିବ୍ରତ ନ ହେବା ପାଇଁ କହୁଥିଲେ,ସେ ଚଳାଇନେବେ ଅଳ୍ପରେ ସଂସାର । ଆଶ୍ୱାସନା ଦେଉଥିଲେ ଅଶ୍ରୁମୋଚନଙ୍କୁ । କିନ୍ତୁ ବୋଧହୁଏ ଏହା ଯଥେଷ୍ଟ ହେଉ ନ ଥିଲା ବିବ୍ରତ ମନକୁ ଆଶ୍ୱସ୍ତ କରିବା ପାଇଁ । ମୁଁ ତାଙ୍କୁ ମନେ ପକାଇଦେଇଥିଲି-ଯେ ସେ ଭୁବନେଶ୍ୱର ଯାଇ ସୁଶାନ୍ତକୁ କହୁନାହାନ୍ତି ତାଙ୍କର ପେନସନ ସମସ୍ୟା ବିଷୟରେ । ସୁଶାନ୍ତ ସରକାରରେ ଏତେ ବଡ ଅଫିସର -କ’ଣ କିଛି କରିପାରିବ ନାହିଁ?

ମୁଁ ଦେଖିଛି ସୁଶାନ୍ତକୁ ସେ କେତେ ଆପଣାର କରି ପାଳି ଥିଲେ । ସୁଶାନ୍ତ ଯେପରି ତାଙ୍କ ଘରର ପିଲା ଥିଲା । ଘର ଭିତରକୁ ତାର ଯିବା ଆସିବା ଉପରେ କୈାଣସି କଟକଣା ନ ଥିଲା । ତାର ସମସ୍ତ ଅଭାବକୁ ଅଶ୍ରୁମୋଚନ ପୂରଣ କରୁଥିଲେ, କୈାଣସି ପ୍ରଶ୍ନ ନ କରି । ତାର ରୋଗିଣା , ବିଧବା ମାର ଚଳିବା ପାଇଁ ମଧ୍ୟ ପଇସା ପଠାନ୍ତି । ସୁଶାନ୍ତ ଭଲ ଛାତ୍ର ଥିଲା । ତାର ପରୀକ୍ଷା ଫଳ ବାହାରିଲେ, ମୁଁ ଦେଖିଛି କେତେ ଖୁସି ହୁଅନ୍ତି ଅଶ୍ରୁମୋଚନ ଓ କିପରି ମିଠା ବାଂଟନ୍ତି । ଆଉ ସେ ଦିନ, ଯେଉଁ ଦିନ ଖବର ଆସିଲା ଯେ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ ସୁଶାନ୍ତ ଉତୀର୍ଣ୍ଣ ହୋଇଛି , ଅଶ୍ରୁମୋଚନଙ୍କର ଖୁସି ନ ଦେଖିଲେ ଜାଣିବ ହେବ ନାହିଁ , କେତେ ଖୁସି ସେ ହେଉଥିଲେ । ଇଂଟରଭ୍ୟୁକୁ ଯିବ ସୁଶାନ୍ତ । ସହରର ସବୁଠାରୁ ଭଲ ଟେଲରିଂ ଦୋକାନକୁ ନେଇଗଲେ ସୁଶାନ୍ତକୁ । ସୁଟ ସିଲାଇବାର ଅର୍ଡର ଦେଇଦେଲେ । ସୁଶାନ୍ତ ନିରାଶ କଲା ନାହିଁ ଅଶ୍ରୁମୋଚନଙ୍କୁ । ସେ ଆଇ ଏ ଏସ୍ ହେଲା । ସେ ଦିନ ତ ଭୋଜି ଦେଇ ଦେଲେ ଅଶ୍ରୁମୋଚନ । ସୁଶାନ୍ତ ଅଶ୍ରୁମୋଚନଙ୍କର ପାଦ ଛୁଇଁ ସମସ୍ତଙ୍କ ଆଗରେ ପ୍ରଣାମ କଲା । ତନୁଶ୍ରୀଙ୍କୁ ମଧ୍ୟ ପ୍ରଣାମ କଲା । ଆମେ ଯେଉଁମାନେ ତାର ଅଧ୍ୟାପକ ଥିଲୁ ସମସ୍ତଙ୍କୁ ସେହି ସମ୍ମାନ । ଆମେ ଅଭିଭୂତ ହୋଇଥିଲୁ , ଏକ ସାର୍ଥକ ଛାତ୍ରଟିଏ ସୃଷ୍ଟି କରିପାରିଛୁ ବୋଲି , ସମାଜକୁ ଏକ ଉତ୍ତମ ଯୋଗ୍ୟ ବ୍ୟକ୍ତିଟିଏ ଦେଉଛୁ ବୋଲି । ଇତ୍ୟବସରରେ କୋଡିଏ ବର୍ଷ ବିତି ଗଲାଣି । ସରକାରୀ କଳରେ ସୁଶାନ୍ତ ଉପରକୁ ଉପରକୁ ଉଠିଛି । ବହୁ ଉଚ୍ଚ ପଦ ପଦବୀରେ ଆସୀନ ହୋଇଛି । ଆସିଲେ ଦେଖା କରେ । କିନ୍ତୁ ଅଶ୍ରୁମୋଚନ କେବେ ତା ଦପ୍ତରକୁ ଯାଇଥିବା ବା କୈାଣସି କାମ ପାଇଁ ଅନୁରୋଧ କରିଥିବା ମୁଁ ଜାଣି ନାହିଁ । ଖୋଲା ହୃଦୟର ମଣିଷ ଅଶ୍ରୁମୋଚନ । କିଛି ଲୁଚା ଛପାରେ କରି ନାହାଁନ୍ତି ସେ ।

ତନୁଶ୍ରୀଙ୍କ ଠାରୁ ଜାଣିଲି ଯେ ଦୁଇଦିନ ତଳେ ଅଶ୍ରୁମୋଚନ ଯାଇଥିଲେ ସୁଶାନ୍ତ ପାଖକୁ । ଆଉ ଫେରି ବେଶ ବିଷର୍ଣ୍ଣ ଦିଶୁଥିଲେ । ତନୁଶ୍ରୀ ପଚାରିଥିଲେ – “ସୁଶାନ୍ତ କ’ଣ କହିଲା ।” ନିରୁତତର ଅଶ୍ରୁମୋଚନଙ୍କୁ ବାରମ୍ବାର ପଚାରୁଥିଲେ । ତନୁଶ୍ରୀଙ୍କ ମନକୁ ପାପ ଛୁଉୁଁ ଥିଲା । ଅଶୃମୋଚନକୁ ହଲାଇ ଦେଲେ ତନୁଶ୍ରୀ – “କ’ଣ ଶୁଭୁ ନାହିଁ ?” “ହଁ କହିଲା ।” ଅଶ୍ରୁମୋଚନଙ୍କ ସ୍ୱରରେ ବିରକ୍ତି । ଉଦବିଗ୍ନ ତନୁଶ୍ରୀ ପୁଣି ପଚାରିଲେ, “କ’ଣ କହିଲା?” “କହିଲା ଆସିବା ପୂର୍ବରୁ ଆପଏଣ୍ଟମେଣ୍ଟ ନେଇ ଆସିବେ ।”, ରୁଦ୍ଧ କଣ୍ଠରେ କହିଲେ ଅଶ୍ରୁମୋଚନ । ତନୁଶ୍ରୀ ନଥ କିନା ବସିପଡିଲେ ଖଟ ଉପରେ, କହିଲେ, “କ’ଣ କହୁଛ! ସୁଶାନ୍ତ ଏଇୟା କହିଲା ।” ଏବେ ତନୁଶ୍ରୀ ବୁଝୁଥିଲେ ଅଶ୍ରୁମୋଚନ କାହିଁକି ବିଷର୍ଣ୍ଣ ଦିଶୁଥିଲେ । ଯେଉଁ ସୁଶାନ୍ତ ପାଇଁ ତାଙ୍କ ଘର ସବୁବେଳେ ମେଲା ରହୁଥିଲା-ତାଠାରୁ ଏପରି ବ୍ୟବହାର ନିଶ୍ଚୟ ଅପ୍ରତ୍ୟାଶିତ ଥିଲା । କିନ୍ତୁ ତନୁଶ୍ରୀଙ୍କର ମର୍ମବେଦନା ଅଶ୍ରୁମୋଚନ ବୁଝୁଥିଲେ । ନିଜମନର ବେଦନାକୁ ଚାପି ଦେଇ ପରିସ୍ଥିତିକୁ ହାଲୁକା କରିବା ପାଇଁ ଅଶ୍ରୁମୋଚନ କହିଲେ, “ତନୁ, ସୁଶାନ୍ତ ବଡ ସରକାରୀ ଅଫିସର । ତାର ଦାୟିତ୍ୱ ବହୁତ । ତେଣୁ ହଠାତ୍ କେହି ଜଣେ ପହଂଚି ଗଲେ ତାର ନିର୍ଦ୍ଧାରିତ କାର୍ଯ୍ୟରେ ବ୍ୟାହତ ହେବ ନାହିଁ କି? ସେଇଥିପାଇଁ ସେ ମୋତେ କହିଥିବ ଆପଏଣ୍ଟମେଣ୍ଟ ନେଇ ଆସିବା ପାଇଁ ।” ତନୁଶ୍ରୀ ଲୋତକ ଭରା ଆଖିକୁ ତଳକୁ କରି କହିଲେ , “ସୁଶାନ୍ତ ପାଇଁ, ତୁମେ ତ ‘କେହି ଜଣେ’ ନୁହଁ ।” ତନୁଶ୍ରୀଙ୍କର ଏହି ପ୍ରତିକ୍ରିୟାର କୈାଣସି ଉତ୍ତର ଅଶ୍ରୁମୋଚନଙ୍କ ପାଖରେ ନ ଥିଲା ।

ମୁଁ ଭାବୁଥିଲି ତନୁଶ୍ରୀ ଠିକ କହିଥିଲେ । ସୁଶାନ୍ତ ପାଇଁ ଅଶ୍ରୁମୋଚନ ନିଜକୁ ‘କେହି ଜଣେ’ ବ୍ୟକ୍ତି ବର୍ଗରେ କିପରି ରଖୁଥିଲେ? ମୁଁ ବୁଝି ପାରୁଥିଲି ମନ ଭିତରର ବହୁ ଆବେଗକୁ ଚପାଇ ସେ ତନୁଶ୍ରୀକୁ ବୁଝାଇବା ପାଇଁ କହୁଥିଲେ -ନା , ନିଜକୁ ବୁଝାଇବା ପାଇଁ କହୁଥିଲେ । ମୁଁ ଯେତେଦୂର ଅଶ୍ରୁମୋଚନର କବି ପ୍ରାଣ ସହ ପରିଚିତ ଥିଲି, ତାଙ୍କର ଆବେଗ ସହ ପରିଚିତ ଥିଲି, ସେ ନିଶ୍ଚୟ ଅସଫଳ ଚେଷ୍ଟା କରୁଥିଲେ ସୁଶାନ୍ତ ପାଇଁ ‘କେହି ଜଣେ’ ହୋଇଯିବାକୁ ,ସୁଶାନ୍ତ ସହ ତାଙ୍କର ସମ୍ପର୍କ ଯେ ‘ଖାସ’ ନୁହେଁ -ଏହାକୁ ସ୍ୱୀକାର କରିବାକୁ । ସମୟର ପ୍ରବାହରେ, ଫରକ ପ୍ରତିଷ୍ଠାରେ , ସୁଶାନ୍ତ ସହ ଖାସ ସମ୍ପର୍କ ଯେ ଅଶ୍ରୁମୋଚନଙ୍କର ଅଜାଣତରେ ତାର ଚମକ ହଜାଇ ଦେଇଛି -ତାହା ପ୍ରତି ଅଶୃମୋଚନ ବୋଧେ ସଚେତନ ନ ଥିଲୋ ।

ସୁଶାନ୍ତ ମନେ ପକାଇଦେଲା – ଆପଏଣ୍ଟମେଣ୍ଟ ନେଇ ଆସିବା ପାଇଁ ତାଗିଦ କରି । ଅଶ୍ରୁମୋଚନଙ୍କର କବି ପ୍ରାଣ ନରମା ହୃଦୟଟି ବୋଧେ ଏପରି ଆପଏଣ୍ଟମେଣ୍ଟ ଅନାବଶ୍ୟକ ବୋଲି ସ୍ଥିର କରିଦେଲା ଓ ସବୁ ଦିନ ପାଇଁ ବନ୍ଦ ହୋଇଗଲା ।

Photo Credit- https://bit.ly/3gy4v6h


Share Samadhwani
Support Samadhwani

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …