Home / ସାହିତ୍ୟ ସଂସ୍କୃତି / ସାହିତ୍ୟ / ତିନିଶହ ରାମାୟଣ (ଏ.କେ.ରାମାନୁଜନ୍)

ତିନିଶହ ରାମାୟଣ (ଏ.କେ.ରାମାନୁଜନ୍)

Share Samadhwani

ରାମାୟଣ କେତୋଟି? ତିନିଶହ? ତିନିହଜାର? କେତେକ ରାମାୟଣର ଶେଷରେ ଗୋଟିଏ ପ୍ରଶ୍ନ ପଚରାଯାଏ । ଏ ପର୍ଯ୍ୟନ୍ତ କେତୋଟି ରାମାୟଣ ହେଲାଣି? ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଗପଟିମାନ ମଧ୍ୟ ଅଛନ୍ତି । ଶୁଣନ୍ତୁ ସେଥିରୁ ଗୋଟିଏ ।
ଦିନେ ରାମ ନିଜର ସିଂହାସନ ଉପରେ ବିଜୟମାନ ଥିବାବେଳେ ଶ୍ରୀହସ୍ତରୁ ମୁଦ୍ରିକାଟିଏ ଗଳି ପଡ଼ିଲା । ଧରଣୀ ଛୁଇଁବା କ୍ଷଣି ଭୂମିରେ ଗାତଟିଏ ସୃଷ୍ଟି ହେଲା ଏବଂ ମୁଦ୍ରିକାଟି ହେଲା ସେଥି ମଧ୍ୟରେ ଅଦୃଶ୍ୟ; ଗଲା, ଆଉ ଦିଶିଲା ନାହିଁ । ତାଙ୍କର ବିଶ୍ୱସ୍ତ ଭୃତ୍ୟ ହନୁମାନ ପାଦଦେଶରେ ବିଜେ ହୋଇଥାଆନ୍ତି । ରାମ ହନୁମାନଙ୍କୁ କହିଲେ ‘ଦେଖ, ମୋ ମୁଦ୍ରିକାଟି ହଜିଅଛି । ମୋ ଲାଗି ତାହା ଖୋଜିଆଣ ।’
ହନୁମାନଙ୍କ ପାଇଁ ଗୋଟିଏ ଗର୍ତ୍ତ ଯେତେ ଛୋଟ ହେଇଥାଉନା କାହିଁକି, ସେଥିମଧ୍ୟରେ ପ୍ରବେଶ କରିବା ସମ୍ଭବ; ତାଙ୍କର ବୃହତ୍ତମ ଠାରୁ ବୃହତ୍ତମ ଓ କ୍ଷୁଦ୍ରତ୍ତମଠାରୁ କ୍ଷୁଦ୍ରତ୍ତମ ବନିବାର କ୍ଷମତା ଥିଲା । ଏଣୁ ସେ ଏକ କୁନି ରୂପ ନେଲେ ଏବଂ ଗାତ ଭିତର ଦେଇ ତଳକୁ ଗଲେ ।
ସେ ଗଲେ ଗଲେ ଏବଂ ଗଲେ ଆଉ ଗଲେ ଏବଂ ହଠାତ୍ ପାତାଳପୁରୀ ମଧ୍ୟକୁ ଗଳିପଡ଼ିଲେ । ସେଠାରେ ଥିଲେ ତିନୋଟି ନାରୀ । ‘ଦେଖ, କୁନି ମାଙ୍କଡ଼ଟିଏ! ଏହାଉପରୁ ଖସି ପଡ଼ିଛି!’ ସେମାନେ ତାଙ୍କୁ ଧରିନେଲେ ଓ ଗୋଟିଏ ଥାଳି ଉପରେ ରଖିଲେ । ପାତାଳପୁରୀରେ ରହୁଥିବା ଭୂତମାନଙ୍କର ରାଜାଙ୍କୁ ପଶୁଟିମାନ ଖାଇବାକୁ ଭଲ ଲାଗନ୍ତି । ତେଣୁ ପରିବାପତ୍ର ସହିତ ରାତିର ମଣୋହି ହିସାବରେ ରାଜାଙ୍କ ପାଖକୁ ହନୁମାନ ମଧ୍ୟ ପଠାଗଲେ । ହନୁମାନ ଥାଳି ଉପରେ ବସିଲେ ଓ କ’ଣ କରିବେ ବୋଲି ଭାବିଲେ । ପାତାଳପୁରରେ ଏସବୁ ଚାଲିଥିବାବେଳେ ରାମ ମର୍ତ୍ତ୍ୟପୁରରେ ନିଜ ସିଂହାସନରେ ବସିଥାଆନ୍ତି । ଋଷି ବଶିଷ୍ଠ ଓ ପରମେଷ୍ଟି ତାଙ୍କୁ ଭେଟିବାକୁ ଆସିଲେ । ସେମାନେ ରାମଙ୍କୁ କହିଲେ, ‘ଆମ୍ଭେ ତୁମ୍ଭ ସହ ନିରୋଳାରେ ବାର୍ତ୍ତାଳାପ କରିବାକୁ ଚାହୁଁ । ଆମ୍ଭେ ଯାହା କହିବୁ ଆମ୍ଭେ ଚାହୁଁ ନାହୁଁ କି କେହି ମଧ୍ୟ ତାକୁ ଶୁଣିବ କିମ୍ବା ସେଥିରେ ବିଭ୍ରାଟ ଉପୁଜାଇବ । ତୁମ୍ଭେ ଏଥିରେ ରାଜି ତ?
‘ଠିକ୍ ଅଛି, ଆମ୍ଭେ କଥାଭାଷା ହେବା,’ ବୋଲି ରାମ କହିଲେ ।
ଏଥୁ ଅନନ୍ତରେ ସେମାନେ କହିଲେ ‘ଗୋଟିଏ ନିୟମ ଧରି ରଖ, ଆମ୍ଭେ ବାର୍ତ୍ତାଳାପ କରୁଥିବା ସମୟରେ ଯଦି କିଏ ଏଠାକୁ ଆସେ ତାହାହେଲେ ତାହାର ଶିର ହେବ ସ୍କନ୍ଧଚ୍ୟୁତ । ଏଥିକୁ ରାମ କହିଲେ, ‘ଏହା ହିଁ ହେବ ।’ ଦ୍ୱାର ଜଗିବା ପାଇଁ ସବୁଠାରୁ ବିଶ୍ୱସ୍ତ ଲୋକ କିଏ ହୋଇପାରେ? ହନୁମାନ ତ ମୁଦ୍ରିକା ଆଣିବା ପାଇଁ ଯାଇ ତଳେ ଗର୍ତ୍ତଭିତରେ । ରାମ ଲକ୍ଷ୍ମଣଙ୍କ ତୁଳନାରେ ଅନ୍ୟ କାହାକୁ ଅଧିକ ବିଶ୍ୱାସ କରୁ ନଥିଲେ, ତେଣୁ ସେ ଲକ୍ଷ୍ମଣଙ୍କୁ ଦ୍ୱାର ପାଖେ ଦଣ୍ଡାୟମାନ ହେବା ପାଇଁ କହିଲେ । ସେ ଆଦେଶ ଦେଲେ, ‘ପ୍ରବେଶପାଇଁ କାହାରିକୁ ଅନୁମତି ଦେବ ନାହିଁ ।’
ଲକ୍ଷ୍ମଣ ଦ୍ୱାର ପାଖରେ ଦଣ୍ଡାୟମାନ ଥିବା ସମୟରେ ଋଷି ବିଶ୍ୱାମିତ୍ର ଉଭା ହୋଇଲେ ଓ କହିଲେ, ‘ମୁଁ ରାମଙ୍କୁ ବର୍ତ୍ତମାନ ସଙ୍ଗେ ସଙ୍ଗେ ଦେଖା କରିବାକୁ ଚାହେଁ, ଏହା ଏକ ଜରୁରୀ ବ୍ୟାପାର ଅଟେ । ଆମ୍ଭକୁ କୁହ, ରାମ କେଉଁଠି?’
ଲକ୍ଷ୍ମଣ କହିଲେ, ‘ଦୟାକରି ବର୍ତ୍ତମାନ ପ୍ରବେଶ କରନ୍ତୁ ନାହିଁ । ସେ କିଛି ଲୋକଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି; ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ‘ଏମିତି କ’ଣ ଅଛି ଯାହା ରାମ ମୋଠାରୁ ଲୁଚାଇବାକୁ ଚାହିଁବେ’ ବୋଲି ବିଶ୍ୱାମିତ୍ର ପଚାରିଲେ । ‘ମୁଁ ନିଶ୍ଚିତ ପ୍ରବେଶ କରିବି, ବର୍ତ୍ତମାନ ହିଁ ।’
ଲକ୍ଷ୍ମଣ କହିଲେ, ‘ମୋତେ ଆପଣଙ୍କୁ ଭିତରକୁ ଛାଡ଼ିବା ଆଗରୁ ଅନୁମତି ମାଗିବାକୁ ପଡ଼ିବ ।’
‘ତାହାହେଲେ ଭିତରକୁ ଯାଅ ପଚାର’ ।
‘ରାମ ବାହାରକୁ ନ ଆସିବା ପର୍ଯ୍ୟନ୍ତ ମୁଁ ଭିତରକୁ ଯାଇ ପାରିବି ନାହିଁ, ଆପଣଙ୍କୁ ଅପେକ୍ଷା କରିବାକୁ ହିଁ ପଡ଼ିବ ।’
‘ତୁମେ ଯଦି ବର୍ତ୍ତମାନ ଭିତରକୁ ଯିବ ନାହିଁ ଓ ମୋର ଉପସ୍ଥିତି ଘୋଷଣା କରିବ ନାହିଁ, ତାହାହେଲେ ମୁଁ ଅଭିଶାପ ବଳରେ ଏ ଅଯୋଧ୍ୟା ରାଜ୍ୟକୁ ଜାଳିଦେବି’, ବିଶ୍ୱାମିତ୍ର କହିଲେ ।
ଲକ୍ଷ୍ମଣ ଭାବିଲେ, ‘ଯଦି ମୁଁ ବର୍ତ୍ତମାନ ଭିତରକୁ ଗଲି ତାହାହେଲେ ମଲି, ଯଦି ନ ଯାଏ ତାହାହେଲେ ଏ କ୍ରୋଧି ମଣିଷଟି ପୁରା ରାଜ୍ୟକୁ ହିଁ ଜଳାଇଦେବ । ସମସ୍ତ ପ୍ରଜାଗଣ, ଏଥିରେ ଜୀବନଧାରଣ କରୁଥିବା ସମସ୍ତ ଜୀବଜନ୍ତୁ ନାଶ ଯିବେ । ଏହାଠାରୁ ଭଲ କି ମୁଁ ଏକୁଟିଆ ହିଁ ମୃତ୍ୟୁବରଣ କରିବି ।’
ତେଣୁ ସେ ଭିତରକୁ ଚାଲିଗଲେ ।
ରାମ ତାଙ୍କୁ ପଚାରିଲେ, ‘କ’ଣ ବ୍ୟାପାର?’
‘ବିଶ୍ୱାମିତ୍ର ଆସିଛନ୍ତି ।’
‘ତାଙ୍କୁ ଭିତରକୁ ପଠାଅ ।’
ଏଥୁ ବିଶ୍ୱାମିତ୍ର ଭିତରକୁ ଗଲେ, ଯେତେବେଳକୁ ଗୋପନୀୟ କଥାବାର୍ତ୍ତା ସରି ସାରିଥିଲା । ବ୍ରହ୍ମା ଓ ବଶିଷ୍ଠ ରାମଙ୍କୁ ଭେଟି ଏହା କହିବା ପାଇଁ ଆସିଥିଲେ ଯେ, ‘ମାନବଲୋକରେ ଆପଣଙ୍କର କାର୍ଯ୍ୟ ଶେଷ ହୋଇଅଛି । ରାମ ରୂପରେ ଆପଣଙ୍କର ଅବତାରକୁ ବର୍ତ୍ତମାନ ତ୍ୟାଗ କରିବାକୁ ପଡ଼ିବ । ଏହି ଶରୀରକୁ ତ୍ୟାଗ କରି ଊର୍ଦ୍ଧ୍ୱ ଲୋକକୁ ଗମନକରି ଦେବଗଣରେ ଯୋଗ ଦିଅନ୍ତୁ । ସେମାନେ ବାସ୍ ଏତିକି କହିବାକୁ ଚାହୁଁଥିଲେ ।
ଲକ୍ଷ୍ମଣ ରାମଙ୍କୁ କହିଲେ, ‘ଭ୍ରାତା ଆପଣ ମୋର ଶିରଚ୍ଛେଦ କରିବା ଉଚିତ୍ ହେବ ।’
ରାମ କହିଲେ, କାହିଁକି? ଆମର ତ ଆଉ କିଛି କହିବାର ନଥିଲା, କିଛି ହିଁ ବାକି ନଥିଲା, ଏଣୁ ମୁଁ ତୁମର ଶିରଚ୍ଛେଦ କାହିଁକି କରିବି?
ଲକ୍ଷ୍ମଣ କହିଲେ, ‘ଆପଣଙ୍କ ନିମନ୍ତେ ଏହା ଅକର୍ତ୍ତବ୍ୟ ହେବ । କେବଳ ମୁଁ ଆପଣଙ୍କର ଭ୍ରାତା ବୋଲି ଆପଣ ମୋତେ ଛାଡ଼ିଦେଇପାରିବେ ନାହିଁ । ତାହାହେଲେ ରାମ ନାମରେ କଳଙ୍କ ଲାଗିବ । ଆପଣ ଆପଣଙ୍କର ସ୍ତ୍ରୀଙ୍କୁ ମଧ୍ୟ ଛାଡ଼ି ନଥିଲେ; ଆପଣ ତାଙ୍କୁ ଜଙ୍ଗଲକୁ ପଠାଇଥିଲେ । ମୁଁ ଦଣ୍ଡିତ ହେବା ଆବଶ୍ୟକ; ଏଣୁ ମୁଁ ଯାଉଛି ।’
ଯେଉଁ ଶେଷନାଗଙ୍କର ଉପରେ ବିଷ୍ଣୁ ଶୟନ କରନ୍ତି ଲକ୍ଷ୍ମଣ ସେହି ଶେଷଙ୍କର ଅବତାର ଥିଲେ । ମର୍ତ୍ତ୍ୟଲୋକରେ ତାଙ୍କର ମଧ୍ୟ ସମୟ ପୂର୍ଣ୍ଣ ହୋଇଥିଲା । ସେ ସିଧା ସରଜୁ ନଦୀକୁ ଗଲେ ଏବଂ ଜଳସ୍ରୋତରେ ଅଦୃଶ୍ୟ ହୋଇଗଲେ ।
ଲକ୍ଷ୍ମଣଙ୍କର ଦେହତ୍ୟାଗ ପରେ ରାମ, ବିଭୀଷଣ, ସୁଗ୍ରୀବ ଆଦି ନିଜର ସମସ୍ତ ଅନୁଚରମାନଙ୍କୁ ଡକାଇଲେ ଏବଂ ନିଜର ଯମଜ ପୁତ୍ର ଲବ ଓ କୁଶଙ୍କର ରାଜ୍ୟାଭିଷେକ ପାଇଁ ଆୟୋଜନ କଲେ । ଏହା ପରେ ରାମ ମଧ୍ୟ ସରଜୁ ନଦୀକୁ ପ୍ରବେଶ ହୋଇଲେ ।
ଏହା ସବୁ ଘଟୁଥିବା ସମୟରେ ପାତାଳଲୋକରେ ହନୁମାନ ଥିଲେ । ଶେଷରେ ଭୂତରାଜାଙ୍କ ସମ୍ମୁଖକୁ ତାଙ୍କୁ ନିଆଗଲା ପରେ ସେ ରାମଙ୍କର ନାମ ଜପିବାରେ ଲାଗିଲେ । ‘ରାମ ରାମ ରାମ…’
ଏଥୁ ଭୂତରାଜ ପଚାରିଲେ, ‘କିଏ ତୁମେ?’
‘ହନୁମାନ’
‘ହନୁମାନ?’ ତୁମେ ଏଠାକୁ କାହିଁକି ଆସିଲ । ରାମଙ୍କର ମୁଦ୍ରିକା ଗୋଟିଏ ଗାତରେ ପଡ଼ିଲା, ମୁଁ ତାକୁ ନେବା ପାଇଁ ଆସିଛି ।’
ଏଥିରୁ ରାଜନ୍ ଚାରିଆଡ଼େ ଦୃଷ୍ଟି ପକାଇଲେ । ହନୁମାନଙ୍କୁ ଦେଖାଇଲେ ଗୋଟିଏ ଥାଳି । ଥାଳିଟି ଉପରେ ଥିଲା ସହସ୍ର ସହସ୍ର ମୁଦ୍ରିକାଟିମାନ, ସେ ସବୁଗୁଡ଼ିକ ଥିଲା ରାମଙ୍କର ମୁଦ୍ରିକା । ରାଜନ ଥାଳିଟିକୁ ହନୁମାନଙ୍କ ପାଖକୁ ଆଣି ତଳେ ଥୋଇଲେ ଓ କହିଲେ, ‘ତୁମର ରାମଙ୍କର ମୁଦ୍ରିକାଟି ତୁମେ ଉଠାଅ ଏବଂ ନିଅ ।’
ସବୁଗୁଡ଼ିକ ଥିଲା ଏକାଭଳି । ହନୁମାନ ନିଜର ମୁଣ୍ଡ ହଲାଇଲେ ଏବଂ କହିଲେ, ‘ମୁଁ ଜାଣିନାହିଁ ଏହା ଭିତରୁ କେଉଁଟି ରାମଙ୍କର ମୁଦ୍ରିକା ।’
ଭୂତରାଜ କହିଲେ, ‘ଏହି ଥାଳିରେ ଯେତୋଟି ମୁଦ୍ରିକାମାନ ଅଛି ଠିକ୍ ସେତିକିଟି ରାମ ଅବତରି ସାରିଛି । ତୁମ୍ଭେ ଯେତେବେଳେ ମର୍ତ୍ତ୍ୟ ଲୋକକୁ ଫେରିବ ଆଉ ରାମଙ୍କୁ ପାଇବ ନାହିଁ । ଏହି ରାମଙ୍କର ଅବତାର ବର୍ତ୍ତମାନ ପୂର୍ଣ୍ଣ ହୋଇଅଛି । ଯେତେବେଳେ ଏକ ରାମାବତାରର ଅନ୍ତ ହୁଏ, ସେତେବେଳେ ତାଙ୍କର ମୁଦ୍ରିକାଟି ଗଳିପଡ଼େ । ମୁଁ ସେଗୁଡ଼ିକୁ ସଂଗ୍ରହ କରି ରଖେ । ତୁମ୍ଭେ ବର୍ତ୍ତମାନ ଯାଇପାର । ଏହା ଶୁଣି ହନୁମାନ ପ୍ରସ୍ଥାନ କଲେ ।
ଏହିପରି ପ୍ରତ୍ୟେକ ରାମଙ୍କ ପାଇଁ ଯେ ଗୋଟିଏ ଲେଖାଏ ରାମାୟଣ ଅଛି, ସେକଥା ବୁଝାଇବା ପାଇଁ ଏହି ଗପଟି କୁହାଯାଇଥାଏ । ଗତ ପଚିଶି ଶହ ବର୍ଷ ଭିତରେ ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆରେ ଯେତିକି ସଂଖ୍ୟାରେ ରାମାୟଣ ଲେଖା ଯାଇଅଛି ଏବଂ ତଦ୍ଦ୍ୱାରା ଯାହା ପ୍ରଭାବ ପଡ଼ିଛି, ତାହା ସତରେ ଏକ ଆଶ୍ଚର୍ଯ୍ୟଜନକ ବ୍ୟାପାର ଅଟେ । ରାମଙ୍କର କଥା ଯେଉଁସବୁ ଭାଷା ମାନଙ୍କରେ କୁହାଯାଇଅଛି ଏବଂ ଲେଖାଯାଇଅଛି ତାହାର ଏକ ତାଲିକା କଲେ ଫାକାସ ଉଡ଼ିଯିବ । ଅନାମୀୟ ବାଲିଦେଶୀୟ, ବଙ୍ଗାଳି, କାମ୍ବୋଜୀୟ, ଚୈନୀକ, ଗୁଜୁରାତି, ମାଳୟ ଦେଶୀୟ, ମରାଠି, ଓଡ଼ିଆ, ପ୍ରାକୃତ, ସଂସ୍କୃତ, ସାନ୍ତାଳି, ସିଂହଳୀ, ତାମିଲ୍‌, ତେଲୁଗୁ, ଥାଇ, ତିବ୍ଦତୀୟ ତଥା ଅନେକ ପାଶ୍ଚାତ୍ୟ ଭାଷାଟିମାନଙ୍କରେ ମଧ୍ୟ ରାମକଥା ରଚିତ ହୋଇଅଛି ।
ଶତାବ୍ଦୀ ଶତାବ୍ଦୀ ଧରି ଏହି ମଧ୍ୟରୁ କେତେକ ଭାଷାଗୁଡ଼ିକରେ ଏକାଧିକ ରାମକଥା ମଧ୍ୟ ଅନୁସ୍ମୃଜିତ ହୋଇଛି । କେବଳ ସଂସ୍କୃତରେ ହିଁ କାବ୍ୟ ପୁରାଣ ଆଦି ଅନେକ ସାହିତ୍ୟିକ ବିଭାଗରେ ପଚିଶରୁ ଅଧିକ ରାମ କଥା ଆମେ ପାଇବା । ଯଦି ଉଭୟ ଶାସ୍ତ୍ରୀୟ ତଥା ଲୌକିକ ପରମ୍ପରାରେ ନାଟକ, ନୃତ୍ୟନାଟିକା ଆଦିକୁ ଆମେ ହିସାବ କରିବା ତେବେ ରାମାୟଣମାନଙ୍କ ସଂଖ୍ୟା ତ ଆହୁରି ବଢ଼ିଯିବ । ଏଥିରୁ ଆମକୁ ଅନେକ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସୀୟ ସଂସ୍କୃତିମାନଙ୍କର ସ୍ଥାପତ୍ୟ, ମୁଖାନାଟକ, କଣ୍ଢେଇନାଚ ଓ ଛାୟାନାଟିକା, ଇତ୍ୟାଦିକୁ ଯୋଡ଼ିବାକୁ ପଡ଼ିବ । କ୍ୟାମିଲ୍ ବୁଲ୍‌କେ (୧୯୫୦) ନାମକ ଜଣେ ରାମାୟଣର ଛାତ୍ର ଏହିପରି ସମୁଦାୟ ତିନି ଶହଟି ରାମାୟଣ ଅଛି ବୋଲି ହିସାବ କରିଥିଲେ । ତେଣୁକରି ଚତୁର୍ଦ୍ଦଶ ଶତାବ୍ଦୀର କନ୍ନଡ଼ କବି କୁମାରବ୍ୟାସ ଏକ ମହାଭାରତ ପ୍ରବନ୍ଧ କରିବା ପାଇଁ ନିଷ୍ପତ୍ତି ନେଲେ । କାରଣ ରାମାୟଣର କବିମାନଙ୍କର ଭାରାରେ ପୃଥିବୀକୁ ତୋଳି ଧରିଥିବା ଦିବ୍ୟସର୍ପ ବାସୁକୀ କହିବା ପାଇଁ ଦୀର୍ଘଶ୍ୱାସ ଛାଡ଼ୁଥିବାର ସେ ଶୁଣିବାକୁ ପାଇଲେ । ଏହି ପ୍ରବନ୍ଧରେ ମୁଁ ନିଜ ପାଇଁ ତଥା ଅନ୍ୟମାନଙ୍କ ପାଇଁ ଗୋଟିଏ କଥାର ଭିନ୍ନ ଭିନ୍ନ ସଂସ୍କୃତି, ଭାଷା ଓ ଧାର୍ମିକ ପରମ୍ପରାରେ ସୃଷ୍ଟି ହୋଇଥିବା ଏହି ଶହ ଶହ ରାମାୟଣଟି ମାନ କିଭଳି ପରସ୍ପର ସହିତ ସମ୍ପର୍କିତ ତାହା ଜାଣିବାକୁ ଚେଷ୍ଟା କରିଛି । ଏହି ଗୋଟିଏ କଥା କିଭଳି ଭାବରେ ଅନୁଦିତ, ବିସ୍ଥାପିତ ଓ ଅନୁବର୍ତ୍ତିତ ହୋଇଛି ତାହା ମଧ୍ୟ ବୁଝିବା ପାଇଁ ଚେଷ୍ଟା କରିବି । ଏଣୁକରି ଏହି ପ୍ରବନ୍ଧଟି ଲେଖିବା ନିମନ୍ତେ ମୁଁ ରାମାୟଣର ପୂର୍ବ ଅନୁବାଦକ ଓ ଆଲୋଚକମାନଙ୍କ ପାଖରେ ଋଣୀ ।

Photo Credit-

ସମଦୃଷ୍ଟି ୧-୧୫, ଅକ୍ଟୋବର ୨୦୧୫


Share Samadhwani
Support Samadhwani

About ଶୈଲେନ ରାଉତରାୟ

ଗବେଷକ, ଲେଖକ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …