ଚେରଙ୍ଗାଝାଞ୍ଜର ଇତିହାସ ଓ ଖାଦ୍ୟ ସଂସ୍କୃତି

ସୀମା ପ୍ରଧାନ
ସୀମା ପ୍ରଧାନ 53 Views
23 Min Read

Support Samadhwani

ଆମ ଗାଁ’ର ନାମ ଚେରଙ୍ଗାଝାଞ୍ଜ । ଅତୀତରେ ଆମ ଗାଁ ନଦୀ ପାଖରେ ପ୍ରଚୁର ଚେରଙ୍ଗା କନ୍ଦା ଥିବାରୁ ତାକୁ ଲୋକମାନେ ଝାଞ୍ଜି କରି ଖାଉଥିଲେ ତାହାକୁ ଅନୁମାନ କରି ଆମ ଗାଁ’କୁ ଚେରଙ୍ଗାଝାଞ୍ଜି ନାମରେ ନାମିତ କଲେ । ଆମ ଗାଁ ୧୯୨୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଓ ପ୍ରଥମ ବାସିନ୍ଦା ଆଦିବାସୀ ମାନେ ଥିଲେ,ଏହାପରେ ଧିରେ ଧିରେ ବହୁଲୋକ ଆସି ବସବାସ କଲେ । ଗାଁ’କୁ ପରେ ଚେରୁ,ଗଇଁତା, ଘସିରାମ ମାଝୀଏହି ଲୋକ ମାନେ ଆସି ବସତି ସ୍ଥାପନ କଲେ । ଆମ ଗାଁ’ର ଲୋକ ସଂଖ୍ୟା ହାରାହାରି ହଜାରେରୁ ଅଧିକ । ଆମ ଗାଁ’ରେ ଏବେ ୨୧୬ଟି ଘର ଅଛି । ଆମ ଗାଁ’ରେ ଚାଳ ଘର ୯୬ଟି ଓ ପକ୍କାଘର ୧୨୦ଟି ଅଛି । ଆମ ଗାଁ’ରେ କୁଲତା, ବ୍ରାହ୍ମଣ, ଗଣା, ସଉଁରା, ହରିଜନ, ଗଉରା, କନ୍ଧ, କେଉଁଟ, ବିଞ୍ଚାଳ, ଲୁହୁରା, ବାରିକ, କୁମ୍ଭାର, ପଠାଣ ଇତ୍ୟାଦି ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି । ଆମ ଗାଁ’ରେ ଚିତ୍ର କଳା କାମ ହୁଏ। ଏହା ଲିଙ୍ଗରାଜ ସେଠ କରନ୍ତି ଓ ଆଉ କେହିବି କରନ୍ତି ନାହିଁ । ଗାଁ’ରେ ବଢ଼େଇ କାମ ମଧ୍ୟ ହୁଏ । ଏହି କାମକୁ ପଦୁ ବରିହା ଓ କ୍ଷୀରୋଦ ପ୍ରଧାନ କରନ୍ତି । ଗାଁ’ରେ ଗୋଟିଏ କୀର୍ତ୍ତନ ଦଳ ଅଛି ।  ଏଇମାନେ ସରକାରୀ ସ୍ତରରେ ପ୍ରମାଣ ପତ୍ର ଓ ଗୋଟିଏ ଗାମୁଛା ମିଳିଥିଲା ଏବଂ ଏଇମାନେ ଗାଁ ଗାଁ’ରୁ ଡାକିଲେ କୀର୍ତ୍ତନ କରିବାକୁ ମଧ୍ୟ ଯାଆନ୍ତି । ଆମ ଗାଁ’ରେ ଅତୀତରେ କେହିବି ସ୍ଵାଧିନତା ସଂଗ୍ରାମ କିମ୍ୱା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଭାଗ ନେଇ ନଥିଲେ ବୋଲି କହୁଛନ୍ତି । ମୁଁ ଦୁଇ,ତିନି ଜଣ ବୟସ୍କ ଲୋକଙ୍କୁ ପଚାରି ସେମାନେ ମଧ୍ୟ ନା ନାହିଁ କରୁଥିଲେ । କିନ୍ତୁ ଆମ ଗାଁ’ର ଲୋକମାନେ ‘ବାଲକୋ ହଟୋ’ ନାଟକ କରି ‘ବାଲକୋ ଆନ୍ଦୋଳନ କରିଥିଲେ । ଆମ ଗାଁ’ରେ ଗୋଟିଏ ବି ଦର୍ଶନୀୟ ସ୍ଥାନ ବା ପର୍ଯ୍ୟଟନ ସ୍ଥଳ ନାହିଁ । ଗାଁ’ରେ ଗୋଟିଏ ସ୍କୁଲ ଓ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ରହିଛି । ଆମ ଗାଁ’ସ୍କୁଲରେ ୧୧୦ ଜଣ ପିଲା ପାଠ ପଢ଼ନ୍ତି । ଆମ ଗାଁ’ରେ ସବୁ ପିଲା ପାଠ ପଢ଼ନ୍ତି । ଗାଁ’ରେ ଅତୀତରେ ପାଣିର ଉତ୍ସ କୂଅ ଥିଲା । ଏବେ ତ ସମସ୍ତଙ୍କ ଘରେ ଗୋଟିଏ ଗୋଟିଏ ନଳକୂପ ହେଲାଣି ତେଣୁ କେହିବି କୂଅରୁ ପାଣି ଆଣୁନାହାଁନ୍ତି । ସମସ୍ତେ ନିଜ ନଳକୂପରୁ ପାଣି ଆଣୁଛନ୍ତି । ଆମ ଗାଁ’ରେ ପାଣିର ଅସୁବିଧା କେବେବି ହୁଏନି । 

Support Samadhwani

ଗାଁ’ରେ ସବୁଠାରୁ ପୁରୁଣା ଲୋକ ହେଲେ ଶ୍ରୀମାନ ମିତ୍ରଭାନୁ ସାହୁ । ତାଙ୍କ ପିଲାବେଳେ କିଛି ନଥିଲା । ଲୋକେ ମହୁଲ,ଚାର,କୁବି କଞ୍ଚା ଖାଇ ଦେଉଥିଲେ । ଡାଳ ପତ୍ର ସିଝେଇ ଖାଇଦେଉଥିଲେ । ପଶୁ ପକ୍ଷୀଙ୍କୁ ମାରି ପୋଡିକି ଖାଇ ଦେଉଥିଲେ । ମାଣ୍ଡିଆକୁ ପେଜ ରାନ୍ଧି ପିଉଥିଲେ। କଞ୍ଚା ମାଣ୍ଡିଆକୁ ତୋଳି ଆଣି ସଫାକରି ଢ଼ିଙ୍କିରେ କୁଟୀ ପିଠା କରିକି ଖାଉଥିଲେ। ଆମ ଗାଁ’ରେ ତ ମାଣ୍ଡିଆକୁ ଔଷଧ ରୂପେ ମଧ୍ୟ ପିଆଯାଏ । ପେଟ ଗରମ ହେଲେ କଞ୍ଚା ମାଣ୍ଡିଆକୁ ବାଟି ପିଅନ୍ତି । କଞ୍ଚା କେନ୍ଦୁକୁ ଆଣି ଫଟାଇଦେଇ ତା’ଭିତର ମଞ୍ଜିକୁ ଧୋଇ ଦେଇ ଭାତ କେନ୍ଦୁ ବୋଲି ଖାଉଥିଲେ ।  ଏବଂ ଯାହା ଘରେ ଅରୁଆ ଚାଉଳ ଥିଲେ ସେଇ ଅରୁଆ ଚାଉଳରେ ଭାତ କେନ୍ଦୁକୁ ମିଶାଇ ଗୁଡ଼ ଟିକେ ପକାଇ ଖିରି ତିଆରି କରି ପିଇ ଦେଉଥିଲେ । ଏବଂ କଞ୍ଚା ରକଶିକୁ ଆଣି ମାଡ଼ିକି ତାକୁ କୁଟିକି ଭାତ ରାନ୍ଧିକି ଖାଇଦେଉଥିଲେ । ସେତେବେଳେ ତ କିଛି ନଥିଲା ଲୋକେ ଯାହା ପାଉଥିଲେ ସେଇ ୟା ଖାଉଥିଲେ । କେନା ଶାଗକୁ ସିଝାଇ ଲୁଣ ଲଗାଇ ଖାଉଥିଲେ । କୁଲିଆ କନ୍ଦାକୁ ମଧ୍ୟ ଶୁଖାଇ ଘନା/ହାଣିରେ ବାଲିଦେଇ ଭାଜି ଖାଉଥିଲେ । ଆଗର ଲୋକମାନେ ହରିଜନ ଜାତିର ଲୋକମାନେ ଭୋକ ସମ୍ଭାଳି ନ ପାରି ଯାହା ମିଳୁଥିଲା ତାହା ଖାଇଦେଉଥିଲେ । ମହିଳାମାନେ ଛୋଟ ଛୋଟ ଛୁଆକୁ ଧରି କୁଲି କାମ କରିବାକୁ ଯାଉଥିଲେ ଓ ଧନୀ ବ୍ୟକ୍ତି ମାନେ ତାଙ୍କୁ ଖୁଦ ମୁଠେ ଦେଲେ ସେଇ ଖୁଦକୁ ପାଛୁଡି ଭାତ ରାନ୍ଧି ଖାଇଦେଉଥିଲେ । ସେଇ କାଳରେ ସକାଳ ୪ଟାରୁ ଯାଇ ବୁଢ଼ୀ ମା’ମାନେ ତାଳ ଗୋଟେଇ ତାଳକୁ ଆଣି ହାତରେ ଚିପୁଡ଼ି ସେଇ ରସକୁ ଯାହା ପାଖରେ ଖୁଦ ମୁଠେ ଥିଲେ ସେ ଖୁଦକୁ ଦେଇ ତାକୁ ଘାଣ୍ଟି ଖିରି ତିଆରି କରୁଥିଲେ । ସେତେବେଳେ ସରକାର ଗହମ (୨୧KG )ଦେଉଥିଲେ । ସେଇ ଗହାମକୁ ପାଣିରେ ପକାଇ କି ଢ଼ିଙ୍କିରେ କୁଟିକି ଗରମ ପାଣିରେ ଗହମକୁ ଦେଇ ଗହମ ଭାତ କରି ଖାଉଥିଲେ । ସେମିତି ହିଁ ଲୋକମାନେ ଭୋକରୁ ଡାଳ ପତ୍ର ଖାଇ ପକାଉଥିଲେ ବୋଲି ଆମ ଗାଁ’ର ବୟସ୍କ ଲୋକ କହୁଥିଲେ ।   

ମା’ମାନେ ଗାଁ’କୁ ବିବାହ କରି ଆସିଲା ବେଳେ ଗାଁ’ରେ ସବୁ ମାଟିର ଘର ଥିଲା । ଏବେ ସବୁ ଘର ସିମେଣ୍ଟରେ ତିଆରି ଘର ହେଇଛି । କୂଅରୁ ପାଣି ଆଣି ପିଉଥିଲେ ଏବେ ନଳକୂପ ହେଲାଣି । ସେତେବେଳେ ହଳ ଗାଡ଼ିରେ ବିବାହ କରି ଆସୁଥିଲେ ଏବେ ବୋଲେରୋ କାର ହେଲାଣି । ସେତେବେଳେ କୁଦ ଭାତ, ଗୁଞ୍ଜି ଭାତ, ମାଣ୍ଡିଆ ଭାତ ଖାଉଥିଲେ । ଏବେ ତ କିଏ ବି କୁଦ ଭାତ ଖାଉନାହାନ୍ତି କି ଗୁଞ୍ଜି ଚାଉଳ ଚାଷ କରୁନାହାନ୍ତି । ଆଗ ସ୍ତ୍ରୀ ଲୋକମାନେ ମଠା କପଡା ପିନ୍ଧୁଥିଲେ ଏବେ ତ ଶାଢ଼ୀ ହେଲାଣି । ଆଗ ଲୋକମାନେ ଧୋତି ଗାମୁଛା ପିନ୍ଧୁଥିଲେ । ଏବେ ଜିନ୍ସ ପେଣ୍ଟ,ଟି-ସାର୍ଟ ପିନ୍ଧୁଛନ୍ତି । ଲୋକମାନେ ଅଲଗା ଗାଁ’କୁ ଗଲେ ଚାଲି ଚାଲି ଯାଉଥିଲେ ଚାଉଳ, ଡାଲି ଧରି ବାଟରେ ରାନ୍ଧି ଖାଇ ପୁଣି ଚାଲି ଚାଲି ଯାଉଥିଲେ । ଆଗ ଶିକ୍ଷକ ମାନଙ୍କ ଦରମା ୨୦୦୦ ଟଙ୍କା ଥିଲା । ସେତେବେଳେ ମଶା ଚାବିଲେ କୁଣ୍ଡା, ଛାଲି କୁ ଜଳାଇ ଲୋକମାନେ ଶୋଇ ଯାଉଥିଲେ । ଏବେ ତ ସମସ୍ତଙ୍କ ଘରେ ଗୋଟିଏ ପଙ୍ଖା ହେଲାଣି। ଆଗ ବହୁଲୋକ ଚାଷ କରୁଥିଲେ ଏବେ ତ ଲୋକମାନେ ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଆଗ ଛୋଟ ଛୋଟ ଛୁଆ ମାନେ ସ୍କୁଲ ଯାଉନଥିଲେ କୁଲି ମଜୁରୀ କାମ କରୁଥିଲେ । ଯାହା ଘରେ ଟିକେ ଧନୀ ଶ୍ରେଣୀର ଥିଲେ ସେମାନେ ଛୁଆ ମାନଙ୍କୁ ଗୁହାଳରେ ପାଠ ପଢ଼ାଉଥିଲେ । ସପ୍ତମ ପଢିଲା ଲୋକମାନେ ଶିକ୍ଷକ ଚାକିରୀ ପାଉଥିଲେ । ମା’ମାନେ ବିବାହ କରି ଆସିଲା ବେଳେ ଗାଁ’ର ସ୍ଥିତି ଏପରି ଥିଲା ବୋଲି ଗାଁ’ର ବୟସ୍କା ମା ମାନେ କୁହନ୍ତି ।   

ଗାଁ’ରେ ଧର୍ମ ପୀଠ ବା ପୂଜାସ୍ଥଳୀ କହିଲେ ଆମ ଗାଁ’ରେ ଗଛ ମୂଳରେ ପୂଜା କରାଯାଏ ଏବଂ ମନ୍ଦିରରେ ପୂଜା କରାଯାଏ ଓ ଗାଁ’ ଦେବୀଙ୍କୁ ଗୁଡିରେ ପୂଜା କରାଯାଏ । ଆମ ଗାଁ’ରେ ନୂଆଖାଇ ପର୍ବ,ଗଣେଶ ପୂଜା,କାଳିକା ପୂଜା,ଛୁଟି ବୁଢ଼ୀ ପୂଜା,ଇତ୍ୟାଦି ପର୍ବ ପର୍ବାଣି ପାଳନ କରାଯାଏ ଏବଂ ନାମଯଜ୍ଞ ଉତ୍ସବ ପାଳନ କରାଯାଏ । ପୂର୍ବରୁ ବଳି ପ୍ରଥା ଓ ହଳ ଧରା ପରମ୍ପରା ଥିଲା ଯାହା ବର୍ତ୍ତମାନ ଆଉ ନାହିଁ । ଗାଁ’ରେ ଲୋକମାନେ ଧର୍ମ ପୀଠ ବ୍ୟତୀତ ଗଛ ତଳେ,ଗୁଡିରେ ଆଦିରେ ପୂଜା କରନ୍ତି । ଗାଁ’ରେ ନୂଆଖାଇ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ସେହି ସମୟରେ ନୃତ୍ୟ ହୁଏ ଓ ଗୀତ ହୁଏ । ଗାଁ’ରେ ସଂସ୍କୃତିକ ଦଳ ଭିତରେ କୀର୍ତ୍ତନ ଦଳ ଅଛନ୍ତି । ଗାଁ’ରେ ଯାନିଯାତ୍ରା ସମୟରେ ଲୋକମାନେ ଧୋତି ଓ ମହିଳମାନେ ସମ୍ବଲପୁରୀ ଶାଢ଼ୀ ପରିଧାନ କରନ୍ତି ଓ ଉତ୍ସବରେ ନୂଆ ନୂଆ ଜିନିଷ ପରିଧାନ କରନ୍ତି । ଗାଁ’ରେ ପର୍ବ ପର୍ବାଣୀ ହେଲେ ଭାତ,ଡାଲି,ଖଟା,ତରକାରୀ,ଖିରି ଆଦି ରନ୍ଧା ହୁଏ, ଯେପରିକି, ନୂଆଖାଇ ପର୍ବରେ; ଭାତ, ଡାଲି, ତରକାରୀ, ଖଟା, ଖିରି, ବରା, ସୁଆଁଳି ପିଠା, ମଣ୍ଡା ପିଠା ଇତ୍ୟାଦି ଖାଦ୍ୟ ରନ୍ଧା ହୁଏ । ଫୁସପୁନିରେ ଆରିସା ପିଠା, ମଣ୍ଡା ପିଠା, ସୁଆଁଳି ପିଠା, ଦୁଧରା, ବରା, ଖଜା ଇତ୍ୟାଦି କରାଯାଏ । ମାର୍ଗଶିର ମାସରେ ଲକ୍ଷ୍ମୀ ପୂଜା କଲେ ଖିରି,ବରା ଓ ଅରୁଆ ଭାତ ରନ୍ଧା ହୁଏ । ପୂର୍ବରୁ କୋଳଥ ବରା କରୁଥିଲେ, ଗୁଞ୍ଜି ପିଠା କରୁଥିଲେ, କାକରା ପିଠା, ଏଣ୍ଡୁରୀ ପିଠା, ତାଳଜାଉ କରି ଆଗ ତ କିଛି ମିଳୁନଥିଲା ସେଥିପାଇଁ ପର୍ବପର୍ବାଣୀରେ ଯେଉଁ ଜିନିଷ ପାଇଲେ ସେଥିରେ ପୂଜା କରୁଥିଲେ । ଆମେ ପ୍ରତିଦିନ ଘରେ ସକାଳ ଜଳଖିଆରେ ଚକୁଳି ପିଠା ଖାଉ ଓ ମଧ୍ୟାହ୍ନରେ ଭାତ,ଡାଲି,ତରକାରୀ,ଭଜା ସନ୍ଧ୍ୟାରେ ମୁଢି,ପକୁଡି,ସୁଜି ଓ  

ରାତିରେ ଅଧିକାଂଶ ଲୋକ ଭାତ ଖାଆନ୍ତି ଓ କେତେ ଜଣ ରୁଟି ଖାଆନ୍ତି । ବାପା, ମା’, ଜେଜେ, ଜେଜେମା, ଅଜା, ଆଈ, ଦାଦା, ନାନା ତାଙ୍କ ପିଲାବେଳେ ସେମାନେ ମାଣ୍ଡିଆ ପିଠା,ଗୁଞ୍ଜି ପିଠା,ମହୁଲ ଫୁଟକା,କନ୍ଦାକୁ ସିଝାଇ,କୋଳଥକୁ ସିଝାଇ,ମହୁଲ ଲଠା,କରଡ଼ି ଏବଂ ଜଙ୍ଗଲର ଫଳ ମୂଳକୁ ଖାଉଥିଲେ, ସେଇ ସମୟରେ କିଛି ନ ମିଳୁଥିବାରୁ ଏଇ ସବୁ ଜିନିଷ ଖାଉଥିଲେ। ଏବେ ଗାଁ  ଛୁଆମାନେ ମ୍ୟାଗି, ପିଜ୍ଜା, ବର୍ଗର ଆଦି ଖାଉଛନ୍ତି । ଆଗ ବାଜରା ରୋଟି, ମାଣ୍ଡିଆ ଖିରି, ତାଳ ପିଠା, ମହୁଲ ପିଠା ଆଦି ପୁଷ୍ଟିସାର ଖାଦ୍ୟ ଖାଉଥିଲେ ଏବେ ତ ଦେହକୁ ଖରାପ କରିବାର ଖାଦ୍ୟକୁ ଛୋଟ ଛୋଟ ଛୁଆମାନେ ଭଲ ପାଉଛନ୍ତି ଓ ଖାଉଛନ୍ତି । ଆଗ କୁଦୋ,ମାଣ୍ଡିଆ,ଗୁଞ୍ଜି ଖାଉଥିଲେ ଏବେ ଲୋକ ଖାଉନାହାନ୍ତି । କୁଦରେ ଭାତ ରାନ୍ଧିକି ଖାଉଥିଲେ ଓ ମାଣ୍ଡିଆରେ ଖିରି, ପିଠା, ବରା କରୁଥିଲେ । ଗୁଞ୍ଜିରେ ଭାତ ଓ ପତ୍ର ପୋଡା ପିଠା କରୁଥିଲେ । ଏଇ ସବୁ ପୁଷ୍ଟିକର ଖାଦ୍ୟ ଅଟେ । ପିଲାମାନଙ୍କୁ ମ୍ୟାଗି, ପିଜା, ବର୍ଗର, ଗୁପଚୁପ, ସିଙ୍ଗଡ଼ା, ବରା ଇତ୍ୟାଦି ଖାଇବାକୁ ପସନ୍ଦ କରନ୍ତି  ଯାହା କି ଦେହ ଖରାପ ହୋଇଥାଏ। ଏହା ଅପପୁଷ୍ଟିକର ଖାଦ୍ୟ ଅଟେ । ଆଗ ଆମ ଗାଁ’ରେ ମାଣ୍ଡିଆ, ବାଜରା, ଯୁଆର, ସୁଆଁ, ଗୁନ୍ଦଲି , କୋଦ , ଗାଙ୍ଗାଇ, ଖିରା, ଜହ୍ନା ଏସବୁ ଖାଉଥିଲେ କିନ୍ତୁ ବର୍ତ୍ତମାନ ଆଉ ଖାଉନାହାନ୍ତି । 

ଗାଁ’ର ପାରମ୍ପରିକ ଖାଦ୍ୟ ଗୁଡିକ ହେଲା ମାଣ୍ଡିଆ,ମହୁଲ,ତାଳ ଇତ୍ୟାଦି । ମାଣ୍ଡିଆରେ ଟିଖିରୀ, ପେଜ, ଫୁଲକି, ଚକୁଳି, ପତ୍ର ପୋଡା ପିଠା ଏବଂ ମହୁଲରେ ମହୁଲ ପିଠା, ମହୁଲ ଫୁଟକା, ମହୁଲ ଫୁଲକି ଆଦି ତିଆରି କରୁଥିଲେ।

 ମାଣ୍ଡିଆ ଟିଖିରୀ ତିଆରି ପ୍ରଣାଳୀ : ମାଣ୍ଡିଆକୁ ବାଟି,ଛାଣିକି ଖଦାକୁ ଅଲଗା କରି ମାଣ୍ଡିଆ ଖିରି ତିଆରି କରାଯାଏ । ମାଣ୍ଡିଆ ପେଜ ତିଆରି କରାଯାଏ । ମାଣ୍ଡିଆ ଫୁଲକି – ଲୁଣ ପାଣିକୁ ଫୁଟାଇ ମାଣ୍ଡିଆ ଗୁଣ୍ଡକୁ ସେହି ଫୁଟା ପାଣିରେ ଚକଟି ଡୁରୀ ତେଲରେ ଛାଣି ମାଣ୍ଡିଆ ଫୁଲକି କରି ଖାଉଥିଲେ । ମାଣ୍ଡିଆ ଚକୁଳି- ଲୁଣ ପାଣିରେ ମାଣ୍ଡିଆ ଗୁଣ୍ଡକୁ ମିଶାଇ ପତଳା ପତଳା ମାଣ୍ଡିଆ ଚକୁଳି କରୁଥିଲେ । ମାଣ୍ଡିଆ ପତ୍ର ପୋଡା ପିଠା- ମାଣ୍ଡିଆ ଗୁଣ୍ଡ ଓ ଲୁଣ, ଲଙ୍କା ଗୁଣ୍ଡ, ପିଆଜ କୁ ଦେଇ ପାଣିରେ ମିଶାଇ ତଳେ ପତ୍ର ଦେଇ ସେଇ ଗୁଲେନକୁ ଦେଇ ତା ଉପରେ ପୁଣି ପତ୍ର ଦେଇକି ତା’ ଉପରେ ନିଆଁ ଦେଇ ପତ୍ର ପୋଡା ପିଠା କରୁଥିଲେ । ମହୁଲ ପିଠା- ମହୁଲର ଚେଇଁକୁ ଅଲଗା କରି ବିରି ଚାଉଳକୁ ବାଟି ସେଥିରେ ମହୁଲକୁ ବାଟି ପିଠା କରୁଥିଲେ । ମହୁଲ ଫୁଟକା- ମହୁଲକୁ ସିଝେଇ କି ଚକଟି କି ଶୁଖାଇ ଗହମ ମୁଠେ ରକସି ମୁଠେ ଓ ଧାନ ଲିଆ ମୁଠେ ଦେଇ ଢ଼ିଙ୍କିରେ କୁଟି ମହୁଲ ରସ ଦେଇକି ରଖନ୍ତି ଓ ତାକୁ ମହୁଲ ଫୁଟକା କହୁଥିଲେ ଏବଂ ଯେଉଁ ଜିନିଷ କରୁଥିଲେ ସେଇଟା ହେଲା – ରସ ଫୁଟକା ରାଶି, ମହୁଲ, ଲିଆ ଦେଇ ରସ ଫୁଟକା ତିଆରି କରୁଥିଲେ । ମହୁଲ ଫୁଲକା- ମହୁଲକୁ ଭାଜି ରାଶି, ଲିଆ ଦେଇ କୁଟୀ ମହୁଲ ଫୁଲକା କରାଯାଏ । ତାଳରେ ତାଳ ପିଠା- ତାଳର ଛାଲିକୁ ଅଲଗା କରି ତାଳ ଓ ଚାଉଳ, ବିରି ଦେଇ ବଟାଯାଏ ଓ ତାଳ ପିଠା କରାଯାଏ। ଏମିତି ଆମ ଗାଁ’ରେ ପାରମ୍ପରିକ ଖାଦ୍ୟ ରନ୍ଧା ଯାଉଥିଲେ । ଆଜି କାଲିର ଝିଅ ବହୁମାନେ ତାଳ ପିଠା ବିଷୟରେ ଜାଣିଛନ୍ତି। ତାଳକୁ ଆଣି ତାଳକୁ ଚିପୁଡ଼ି ଚୁଲିରେ କିଛି ସମୟ ବସାଇ ସେଥିରେ ବିରି, ଚାଉଳ ବଟା ଦେଇ ତାଳ ପିଠା କରାଯାଏ । ଏବଂ ତାଳ ଫୁଲକି କରାଯାଏ । ତାଳକୁ ଚିପୁଡ଼ି ଚୁଲିରେ କିଛି ସମୟ ଘାଣ୍ଟି ଚାଉଳ ଚୁନା ଦେଇ ଫୁଲକି କରାଯାଏ । ମହୁଲ ପିଠା- ମହୁଲକୁ ଆଣି ମହୁଲର ଚେଇଁକୁ ଅଲଗା କରି ମହୁଲ, ବିରି, ଚାଉଳକୁ ବାଟି ମହୁଲ ପିଠା କରାଯାଏ। ଆମ ଗାଁ’ର ଝିଅମାନେ ଏତିକି ପାରମ୍ପରିକ ଖାଦ୍ୟ ବିଷୟରେ ଜାଣିଛନ୍ତି । 

ଆମ ଗାଁ’ରେ  ଲୋକମାନଙ୍କଠାରେ ଜ୍ୱର, ଥଣ୍ଡା, କାଶ, ଝାଡାବାନ୍ତି ଏସବୁ ରୋଗ ଅଧିକ ଦେଖାଯାଏ । ଏହି ସବୁ ରୋଗ ହେଲେ ଆମ ଗାଁ’ର ଶ୍ରୀମତୀ ମିଲନ ପ୍ରଧାନ ଆଶା ଦିଦି ଠାରୁ ଔଷଧ ଆଣି ଲୋକେ ଖାଇଥାନ୍ତି । ଗାଁ ବଇଦକୁ ଦେଖାନ୍ତି ଓ ଝଡା ଫୁଙ୍କେ କରନ୍ତି ଯଦି ହେଲେ ବି ଦେହ ଭଲ ହେଲାନି ତାହେଲେ ଡାକ୍ତର ଖାନା ଯାଇଥାନ୍ତି । ଗାଁ’ରେ ହେଉଥିବା ଜଳବାହିତ ରୋଗ ଗୁଡିକ ହେଲା- କୋଲେରା, ଖୁଜୁରୀ, ଯାଦୁ, କାଛୁକୁଣ୍ଡିଆ । ରକ୍ତ ହୀନତା ରୋଗ ଗୁଡିକ ହେଲା- ଏନିମିଆ, ବ୍ଳଡ଼ପ୍ରେସର ଓ ଶିକିଲିଙ୍ଗି । ଭିଟାମିନ ଅଭାବ ଜନିତ ରୋଗ ପୋଲିଓ,ଅନ୍ଧାରକଣା,ହାଡ଼ଫୁଟି,ବାଳ ଝଡ଼ିବା,ପେଟ ଦରଜ ଆଦି । ପୁଷ୍ଟିହୀନତା ରୋଗ ଗୁଡିକ ହେଲା- ରକ୍ତହୀନତା, ବାରମ୍ବାର ରୋଗରେ ପଡିବା, ଗୋଡ଼ ହାତ ସରୁ ହୋଇଯିବା ଆଦି ପୁଷ୍ଟି ହୀନତା ରୋଗ ଦେଖାଯାଏ । ଗାଁ ପଂଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ଅଛି । ଗାଁ’ଠାରୁ ସ୍ୱାସ୍ଥ୍ୟସେବା କେନ୍ଦ୍ରଟି 01 କି.ମି ଦୂରରେ ଅଛି । ଗାଁ’ରେ ଅଧାରୁ ଅଧିକ ଲୋକ ରୋଗ ହେଲେ ଡାକ୍ତର ଖାନାକୁ ଯାଆନ୍ତି ଓ କେତେ ଜଣ ଆମ ଗାଁ’ର ଆଶା ଦିଦି ଶ୍ରୀମତୀ ମିଲନ ପ୍ରଧାନଙ୍କ ଠାରୁ ଔଷଧ ଆଣି ଖାଆନ୍ତି । ପ୍ରସୂତି ପାଇଁ ଗାଁ’ର ସବୁ ସ୍ତ୍ରୀ ଲୋକ ଡାକ୍ତର ଖାନାକୁ ଯାଆନ୍ତି । ଆମ ଗାଁ ବାହ୍ୟ ପରିମଳ ମୁକ୍ତ ଗାଁ ହେଇନାହିଁ । ଆଗ କୁଷ୍ଠ, ଡାଇରିଆ, ପୋଲିଓ ରୋଗ ଆମ ଗାଁ’ରେ ଅଧିକ ମାତ୍ରାରେ ଦେଖାଯାଉଥିଲା ଯାହା ଏବେ ଦେଖାଯାଉନାହିଁ । ଆମ ଗାଁ ପରିସ୍କାର ପରିଚ୍ଛନ୍ନ ରହେ । ଗାଁ’କୁ ଏସ. ଏଚ. ଜି ଗ୍ରୁପ ଓ ଗାଁ କଲ୍ୟାଣ ସମିତି ପରିଷ୍କାର ରଖନ୍ତି । ଗାଁ’ରେ ମାସକରେ ଥରେ ସମସ୍ତେ ସଫା କରନ୍ତି । ଆମ ଗାଁ’କୁ ସର୍ବଦା ଲୋକ ସଫା କରିବାକୁ ଚାହାନ୍ତି । ବର୍ଷା ହେଲେ  ଲୋକମାନେ ଗାଁ’ରେ ମଶା ମାଛିରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରନ୍ତି ଓ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତି । ଗାଁ’ରେ ଏବେ କରୋନା, ଆଖିଧରା, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଆଦି ନୂଆ ରୋଗରେ ଆକ୍ରାନ୍ତ ହେଉଛି । 

ଚାଷବାସ କହିଲେ ଆମ ଗାଁ’ରେ ଧାନ, ମୁଗ, ମକା, କପା, ମୁଗ, ବିରି, କୋଳଥ, ହରଡ଼, ପନିପରିବା ଆଦି ଚାଷ କରାଯାଏ । ଆମ ଗାଁ’ରେ ଧାନ ଚାଷ ଅଧିକ ମାତ୍ରାରେ କରାଯାଏ । ପୂର୍ବରୁ ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଥିଲା ମାଣ୍ଡିଆ, କୁଦୋ, ଗୁଞ୍ଜି । ଯେତେବେଳେ ଭୋକ ଲାଗିଲେ ଲୋକମାନେ ସେ ସବୁ ଖାଉଥିଲେ । ଏବେ ତ ଲୋକମାନେ ସକାଳୁ ଜଳଖିଆ, ମଧ୍ୟାହ୍ନରେ ଭାତ, ସନ୍ଧ୍ୟାରେ ଗୁପଚୁପ, ମକାଚୁଡା, ମ୍ୟାଗି ଖାଉଛନ୍ତି । ଆମ ଗାଁ’ରେ 150 ଏକର ଜମି ଅଛି । 120 ଏକର ଚାଷପାଇଁ ଉପଯୋଗୀ ଓ 30 ଏକର  ଅନୁପଯୋଗୀ । ଗାଁ’ରେ ସବୁ ଲୋକ ଚାଷ କାମ କରନ୍ତି ଓ କେତେ ଲୋକ ଚାଷ ସହିତ ଅନ୍ୟ କିଛି କାମ ମଧ୍ୟ କରନ୍ତି । ଚାଷ ବ୍ୟତୀତ ଲୋକମାନେ ଚାକିରୀ, ବ୍ୟବସାୟ କରନ୍ତି, ଆଦିବାସୀ ଲୋକଙ୍କ ଟିକିଏ ଟିକିଏ ଜମି ଥିବାରୁ କୁଲି, ମଜୁରୀ, ମାଟି ବୋହା କାମ କରନ୍ତି ଓ ପେଟ ପୋଷନ୍ତି। ବିହନକୁ ଲୋକମାନେ ବସ୍ତାରେ ଭରି ସାଇତି ରଖୁଛନ୍ତି । ଆମ ଗାଁ’ରେ ଉଠାଜଳସେଚନର ବ୍ୟବସ୍ଥା ଅଛି । ଆମ ଗାଁ’ର ଲୋକମାନେ ଚାଷକାମ ପାଇଁ ବର୍ଷା ଓ ଉଠାଜଳସେଚନ ଉପରେ ନିର୍ଭର କରନ୍ତି । ଆମ ଗାଁ’ରେ ଉଠାଜଳସେଚନର ବ୍ୟବସ୍ଥା ଦ୍ୱାରା 50 ଜଣ ଚାଷୀ ଉପକୃତ ହେଉଛନ୍ତି । ଗାଁ’ରେ ଆଧୁନିକ ପଦ୍ଧତିରେ ଚାଷ କରାଯାଏ । ଧାନ, ମୁଗ, ବିରି, ମାଣ୍ଡିଆ, ଗହମ, କପା, ଯଅ ଆଦି ଫସଲ ଚାଷ କରାଯାଏ । 

8-ଫସଲର ନାମ                                                                                                       କେତେ ଅମଳ ହୁଏ (ଏକରକୁ/କୁଇଣ୍ଟାଲ ) 

  (1)ଧାନ                                                                                                     ଏକରକୁ 20 କୁଇଣ୍ଟାଲ 

  (2)ବିରି                                                                                                      ଏକରକୁ 50 Kg 

  (3)ମୁଗ                                                                                                      ଏକରକୁ 60 Kg 

  (4)ମାଣ୍ଡିଆ                                                                                                   ଏକରକୁ 1 କୁଇଣ୍ଟାଲ 

  (5)ବାଜରା                                                                                                    ଏକରକୁ 1 କୁଇଣ୍ଟାଲ 

  (6)ଯଅ                                                                                                         ଏକରକୁ 5 କୁଇଣ୍ଟାଲ 

  (7)ସୁଆଁ                                                                                                        ଏକରକୁ 1 କୁଇଣ୍ଟାଲ 

  (8)ଗୁନ୍ଦଲି                                                                                                      ଏକରକୁ 2 କୁଇଣ୍ଟାଲ  

  (9)କୋଦ                                                                                                       ଏକରକୁ 3 କୁଇଣ୍ଟାଲ 

ଗାଁ’ରେ ପାଣିର ଅସୁବିଧା ଯୋଗୁଁ ଗାଁ’ରେ ଥରେ ଚାଷ ହୁଏ । ନିଜ ବାଡ଼ିରେ ନଳକୂପର ପାଣି ବାହାର କରି ପରିବା ଚାଷ ହୁଏ ।  ଗାଁ’ରେ 10 ରୁ 12 ଜଣ କାମ ନପାଇ ବାହାରକୁ ଯାଇଛନ୍ତି। ସେମାନେ ଗାଁ ଛାଡି ଗୁଜୁରାଟ ରେ ରୁହନ୍ତି । ସେଠି ମେସିନର କାମ କରନ୍ତି ଯେମିତି; ମୋବାଇଲ କଭର ତିଆରି କାମ କରନ୍ତି । ଆମ ଗାଁ’ରେ ପନିପରିବା, ଧାନ, କପା, ମାଣ୍ଡିଆ, ବାଜରା ଆଦି ପୁଷ୍ଟିଶସ୍ୟ ଚାଷ ହେଉଛି । ପୂର୍ବରୁ ଆମ ଗାଁ’ରେ ଗୁରୁଜୀ, ମାଣ୍ଡିଆ, ବାଜରା ଆଦି ପୁଷ୍ଟିଶଷ୍ୟ ଚାଷ ହେଉଥିଲା କିନ୍ତୁ ଏବେ ହେଉନାହିଁ । କେବଳ ମାଣ୍ଡିଆ ଓ ବଜାର ପୁଷ୍ଟିଶଷ୍ୟ ଚାଷ ହେଉଛି । ଆମ ଗାଁ’ରେ ଏବେ ଲୋକେ ଖରା ମାସରେ ପୁଷ୍ଟିଶଷ୍ୟ ଖାଦ୍ୟ ଖାଉଛନ୍ତି |ସେଥି ମଧ୍ୟରୁ କେତେ ଜଣ ଖାଉଛନ୍ତି । ଗାଁ’ରେ ବେଶୀ ଲୋକ ନୁହେଁ 10 ରୁ 15 ଜଣ ଲୋକ ପୁଷ୍ଟିଶଷ୍ୟ ଖାଉଛନ୍ତି । ସେମାନେ ପଞ୍ଚାୟତରେ ମିଳୁଥିବା ମାଗଣା ପୁଷ୍ଟିଶଷ୍ୟ ଖାଉଛନ୍ତି । ଖାଦ୍ୟ ବ୍ୟତୀତ ପୁଷ୍ଟିଶଷ୍ୟକୁ ରୋଗ ହେଲେ ବ୍ୟବହାର କରାଯାଏ ଯେପରି; ଗରମ ହେଲେ କଞ୍ଚା ମାଣ୍ଡିଆକୁ ବାଟି ପିଆଯାଏ । ପୁଷ୍ଟିଶସ୍ୟ ଖାଦ୍ୟ ଆମ ଶରୀରକୁ ପୁଷ୍ଟିସାର ମିଳିଥାଏ ଓ ରୋଗରୁ ବଞ୍ଚାଇଥାଏ । ପୁଷ୍ଟିଶଷ୍ୟ ଗୁଡିକ ହେଲା ମାଣ୍ଡିଆ, ଗୁଞ୍ଜି, ଚିନାବାଦାମ, କୋଦ, ସୁଆଁ ଆଦି । ମାଣ୍ଡିଆକୁ ପ୍ରଥମେ ପହ୍ଳା ପକାଯାଏ, ଏହାପରେ ଲଙ୍ଗଳରେ ଜୋତି ପହ୍ଳାକୁ ଜାଗାଯାଏ । ଏହାପରେ ପହ୍ଳା ପାଚିଗଲେ ତାକୁ କାଟିକି ମାଡ଼ିକି ମାଣ୍ଡିଆ ତିଆରି ହୁଏ । ଗୁଞ୍ଜିକୁ ଲଙ୍ଗଳରେ ଜୋତି ବିହନକୁ ପକାଇ ଗୁଞ୍ଜି ଚାଷ ହୁଏ । ଚିନାବାଦାମର ବିହନକୁ ଜଗାଯାଏ ଓ ଚିନାବାଦାମ ଅମଳ କରାଯାଏ । ଆମ ଗାଁ’ରେ ଏହିସବୁ ପୁଷ୍ଟିଶଷ୍ୟ ଚାଷ କରାଯାଉଥିଲା । ଯାହା ଏବେ ଆଉ କେହି କରୁନାହାନ୍ତି । ଖରାରେ ଦୁଇ ତିନି ଦିନ ସୁଖାଇକି ଆଗତ କୁଠୁଲ ହାଣିରେ ସାଇତି ରଖୁଥିଲେ ଏବେ ବସ୍ତାରେ ସାଇତି ରଖୁଛନ୍ତି । 

                  ”ଖାଇବା ଯଦି ମାଣ୍ଡିଆ ଟିଖିରୀ”

                    ”ସୁସ୍ଥ ରହି ଉଠିବ ସିରି”

ଆମ ଚତୁଃପାର୍ଶ୍ୱରେ ଘେରି ରହିଥିବା ସମସ୍ତ ପଦାର୍ଥ , ମାଟି, ପାଣି, ପବନ, ବଣ ଆଦିକୁ ଆମେ ପରିବେଶ ବୋଲି ବୁଝୁ । ଗାଁ’ରେ ଅତୀତରେ ମଧ୍ୟ ଏହି 6ଟି ଋତୁ ଅନୁଭବ ହେଉଥିଲା – ଋତୁ ଗୁଡିକ ହେଲା ବର୍ଷା ଋତୁ,ଶୀତ ଋତୁ,ହେମନ୍ତ ଋତୁ,ବସନ୍ତ ଋତୁ,ଶରତ ଋତୁ,ଗ୍ରୀଷ୍ମ ଋତୁ । ଗାଁ’ରେ ଏବେ ବର୍ଷା ଋତୁ ଅନୁଭବ ହେଉଛି ତା’ସାଙ୍ଗକୁ ଶୀତ ଋତୁ,ବସନ୍ତ ଋତୁ, ଗ୍ରୀଷ୍ମ ଋତୁ ଥାଏ । ଆଗରୁ ଗାଁ’ରେ ଗାଈ,ମେଣ୍ଢା,ଛେଳି ଓ କୁକୁଡ଼ା ,ପାରା,ବତକ ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ,ମେଣ୍ଢା,ଛେଳି,ପାରା,ଶୁଆ,କୁକୁଡ଼ା ସବୁ ପଶୁ ପକ୍ଷୀ ଅଛନ୍ତି । ଗାଁ ପାଖରେ ଗୋଟିଏ ଛୋଟ ଜଙ୍ଗଲ ଅଛି ଓ ସେ ଜଙ୍ଗଲକୁ ଲୋକମାନେ କ୍ଷେତ ହିଁ କୁହନ୍ତି । ଜଙ୍ଗଲରୁ ଲୋକମାନେ ମହୁଲ, ଚାର, କାଠ, ଝୁଣା, ମହୁ, ଚେରମୂଳି ଔଷଧ, କରଡ଼ି ଫଳ, ମୂଳ ସଂଗ୍ରହ କରନ୍ତି । ଆମ ଗାଁ’ରେ ମହୁଲ ଗଛ, ଚାର ଗଛ, ଶାଗୁଆନ ଗଛ, କଇଁଥ ଗଛ, ବେଲ ଗଛ, ଜାମୁ ଗଛ, ବାଉଁଶ ଗଛ, ଆମ୍ବ ଗଛ, ହରିଡ଼ା ଗଛ, ତେନ୍ତୁଳି ଗଛ ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ଗାଁ’ରେ ଆଗ ଯେଉଁ ସବୁ ଗଛ ଥିଲା ଏବେବି ସେଇ ଗଛ ଅଛି । ପୂର୍ବରୁ ଆମ ଗାଁ’ରେ ମରୁଡି ହୋଇଥିଲା  ଆମ ଗାଁ’ର ଜେଜେ ମା ,ଜେଜେ ବାପା ଓ ତାଙ୍କ ବୟସର ଲୋକମାନେ ପିଲା ଥିଲାବେଳେ ଗାଁ’ର ପାରିବେଶ ବହୁତ ଖରାପ ଥିଲା । ଏବେ ପାଇଖାନା, ଡଷ୍ଟବିନ ହେଲା ବୋଲି ଗାଁ ଟିକେ ସଫା ସୁତୁରା ଲାଗୁଛି, ଆଗର ଲୋକମାନେ ଏବେବି ପଡିଆକୁ ଶୌଚ କରିବାକୁ ଯାଉଛନ୍ତି । ଯଦି ରାତିରେ ଆବଶ୍ୟକ ହୁଏ ତେବେ କେମିତି କରିବେ । ବାହାରକୁ ଗଲେ ତ ସାପ କାମୁଡିବ, କିଛି ବିଷାକ୍ତ ଜନ୍ତୁ କାମୁଡ଼ିବାର ଆଶଙ୍କା ଥାଏ । ତେଣୁ ମୋ ମତରେ ଗାଁ’ରେ ତ ସମସ୍ତଙ୍କ ଘରକୁ ସରକାର ଗୋଟିଏ ଗୋଟିଏ ମାଗଣା ଶୌଚାଳୟ ଦେଇଛନ୍ତି । ତେଣୁ ସମସ୍ତେ ଶୌଚାଳୟ ବ୍ୟବହାର କରିବା ଉଚିତ । 

                               ”ଆମ ପାଇଖାନା କେତେ ବଢିଆ”

                                ”ଆଉ କାହିଁ ଯିବା ଆମେ ଝାଡା ପଡିଆ”

ଆମ ଗାଁ’ରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି । ଆଗ ଗାଁ’ରେ ଲୋକମାନେ ସମସ୍ତେ ଚାଷ କରୁଥିଲେ । ଏବେ ଲୋକମାନେ ତ ପଇସା ଫିଙ୍ଗି ଚାଉଳ ଆଣୁଛନ୍ତି । ଚାଷ ଲୋକେ କରୁନଥିବାରୁ ଆଗ ଗାଁ’ରେ ଚାରଣ ଭୂମି ନଥିଲା । ଏବେ ଗାଁ’ରେ ଚାରଣ ଭୂମି ଅଛି । ଆମ ଗାଁ’ ପଞ୍ଚାୟତରେ ହାଟ/ବଜାର ନାହିଁ । ଆମ ଗାଁ’ରେ ହାଟ ବସେ ନାହିଁ, ହେଲେ ଆମ ଗାଁ ପାଖ ବରତୁଣ୍ଡା ଗାଁ’ରେ ହାଟ ବସେ । ଆମ ଗାଁ’ରୁ ହାଟକୁ ଜିରା, ମସଲା, ଚିନି, ଚା, ହଳଦୀ ଆଦି ଗ୍ରୋସରୀ ଜିନିଷ ଯାଏ ଓ ପନିପରିବା ଯାଏ । ଗାଁ ଲୋକେ ହାଟ/ବଜାରରୁ ପନିପରିବା, ଗ୍ରୋସରୀ, କପଡା, ଖାଇବା ଜିନିଷ, ଗାଈ, ବଳଦ, ମାଛ, ମାଂସ ଆଦି କିଣନ୍ତି । ଆମ ଗାଁ’ରେ 10/12 ଜଣ ଛୋଟ ବେପାରୀ ଅଛନ୍ତି । ଗ୍ରାମବାସୀଙ୍କ ଦ୍ୱାରା ହାଟରେ ବିକ୍ରି କରାଯାଉଥିବା ଲାଭବାନ ଦ୍ରବ୍ୟ ଗୁଡିକ ହେଲା -ପନିପରିବା । ଗାଁ’ରେ ସୁନା, ରୁପା, ଯାନବାହାନ ଆଦି କିଣିବାକୁ ଦୁରକୁ ଯିବାକୁ ପଡେ । ଗାଁ ହାଟ/ବଜାରରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ କଳାକୃତି ବିକ୍ରି ହୁଏ । ମୂର୍ତ୍ତି ବିକ୍ରି ହୁଏ ।  ଆମ ଗାଁ’ ହାଟରେ ମାଣ୍ଡିଆ ପରି ପୁଷ୍ଟିଶଷ୍ୟ ମିଳେ । ପୁଷ୍ଟିଶସ୍ୟରୁ ପ୍ରସ୍ତୁତି ଖାଦ୍ୟ ବଜାରରେ ମିଳେ ନାହିଁ । ହାଟ/ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଜଙ୍ଗଲ ଦ୍ରବ୍ୟର ନାମ ହେଲା; ଛତୁ, ଖଲି, ଦନା, କାଠି, ଟୋକେଇ, ବାଉଁଶର କରଡ଼ି, ଝାରକୁନ୍ଦୁରୁ , କଙ୍କଡ । 

ଗାଁ’ଲୋକଙ୍କର ମୂଳ ଅସୁବିଧା ଗୁଡିକ ବିଷୟରେ ଗାଁ ଲୋକମାନେ କୁହନ୍ତି ଯେ ଗାଁ’ରେ ଆଉ ଏକ  ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟରେ ଶିକ୍ଷକ ମାନଙ୍କର ଅଭାବ ପୂରଣ, ଗ୍ରାମରେ ଡ୍ରେନର ଅସୁବିଧା, ସପ୍ଲାଇ ପାଣିର ଟାଙ୍କି ତିଆରି ହୋଇଛି ପାଣି ଆସୁନି, ବସ ଷ୍ଟାଣ୍ଡରୁ ଗାଁ’ଭିତରକୁ ଆସିବାକୁ ରାସ୍ତା ଠିକ ନାହିଁ , ପକ୍କା ରାସ୍ତା ହେବା ଦରକାର ।

Share This Article
(Student)