Home / ସାହିତ୍ୟ ସଂସ୍କୃତି / ରାଜନୀତିର ପରିଧି ଓ ନାରୀ ଲେଖନୀ

ରାଜନୀତିର ପରିଧି ଓ ନାରୀ ଲେଖନୀ

Share Samadhwani

(ପ୍ରସଙ୍ଗ: ୧୯୮୦ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଲେଖିକାଙ୍କ ଉପନ୍ୟାସ)

                ସାଂପ୍ରତିକ କାଳରେ ସମାଜରେ ରାଜନୀତି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶିକ୍ଷାଠାରୁ ଆରମ୍ଭକରି ସ୍ୱାସ୍ଥ୍ୟ, କଳା, ବିଜ୍ଞାନ ଆଦି ସକଳ କ୍ଷେତ୍ରକୁ ନିୟନ୍ତ୍ରଣ କରୁଛି ରାଜନୀତି। ସ୍ଥୂଳତଃ ଦେଖିବାକୁ ଦେଶର ଉନ୍ନତି ଓ ଅବନତି ନିର୍ଭର କରୁଛି ରାଜନୀତି ଉପରେ। ଜୀବନର ପୂର୍ଣ୍ଣାଙ୍ଗ ଚିତ୍ର ପ୍ରତିଫଳିତ ହୋଇଥିବା କାହାଣୀଧର୍ମୀ ଗଦ୍ୟ ରଚନାକୁ ଉପନ୍ୟାସ କୁହାଯାଏ। ଏଥିରେ ଅନେକ ଚରିତ୍ର ତଥା ଘଟଣା ରହିଥାଏ ଓ ଅପରିମିତ ବର୍ଣ୍ଣନାର ସୁଯୋଗ ଥାଏ। ସାହିତ୍ୟର ଅନ୍ୟ ସମସ୍ତ ବିଭାଗ ଅପେକ୍ଷା ରାଜନୀତିକ ଛକାପଞ୍ଝା ପଶାପାଲିର ବର୍ଣ୍ଣନା ପାଇଁ ଉପନ୍ୟାସ ଦେଇଛି ବ୍ୟାପ୍ତ ପରିସର। ଉତ୍ତର ଅଶୀ କାଳର ଲେଖିକା ଉପନ୍ୟାସରେ ଅନ୍ୟ ସମସ୍ତ ବିଭବକୁ ସ୍ଥାନ ଦେଲାଭଳି ସ୍ୱଳ୍ପ ସଂଖ୍ୟାରେ ହେଲେ ମଧ୍ୟ ଏହି ବିଭାଗ କ୍ଷେତ୍ରରେ ପଛଘୁଞ୍ଚା ଦେଇନାହାନ୍ତି। ଆମ ଦେଶରେ ନାରୀମାନଙ୍କର ରାଜନୀତି କ୍ଷେତ୍ରରେ ପ୍ରତ୍ୟେକ୍ଷ ସଂପୃକ୍ତି ସେପରି ଆଖିଦୃଶିଆ ହୋଇ ନଥିଲେ ମଧ୍ୟ ରାଜନୀତିର ବିସ୍ତୃତିକୁ ବୁଝି ଉପନ୍ୟାସରେ ତା’ର ପରିପ୍ରକାଶ କରିବାରେ ସମର୍ଥ ହୋଇଛନ୍ତି। ସଂଖ୍ୟାଦୃଷ୍ଟିରୁ କମ୍‌ ହେଲେ ମଧ୍ୟ ଲେଖିକାଙ୍କ ରାଜନୀତିକ ଉପନ୍ୟାସର ବିଷୟ-ବିଶ୍ଲେଷଣ ଆଲୋଚ୍ୟ ପ୍ରବନ୍ଧର ଉଦ୍ଦେଶ୍ୟ।

ରାଜନୀତିକ ତଥ୍ୟ ସମ୍ବଳିତ ରଚନାରେ ସାରସ୍ୱତ ଉପନ୍ୟାସସୁଲଭ କଳାତ୍ମକତାର ପ୍ରୟୋଗ କରାଗଲେ ରାଜନୀତିକ ଉପନ୍ୟାସ ସୃଷ୍ଟି ହୁଏ। ବିଜୟ କୁମାର ମହାନ୍ତିଙ୍କ ମତରେ – ‘‘ଶାସକ ଶାସିତ ମଧ୍ୟରେ, ଶ୍ରେଣୀ ଶ୍ରେଣୀ ମଧ୍ୟରେ ସ୍ୱାଧୀନତା ପାଇଁ ଏବଂ ଜୀବନର ମୌଳିକ ଦାବୀ ପାଇଁ ଆଲୋଡ଼ିତ ଏବଂ ଆନ୍ଦୋଳିତ ପ୍ରତ୍ୟେକ ଦେଶର ବିପ୍ଳବ, ବୈପ୍ଲବିକ ଚେତନା, ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ସଂଘର୍ଷର ଚିତ୍ର ନେଇ ସାମାଜିକ ଘଟଣା କିମ୍ବା ରାଜନୈତିକ ଘଟଣା ପରିପୁଷ୍ଟ ହେଲେ ସେ ଉପନ୍ୟାସ ରାଜନୈତିକ ଚେତନାର ସ୍ୱର ବହନ କରେ। ରାଜନୈତିକ ଉପନ୍ୟାସରେ ରାଜନୀତିର ଚିତ୍ର ଯେପରି ଜୀବନ୍ତ ମନେହୁଏ, ବ୍ୟକ୍ତିର ରାଜନୈତିକ ଚେତନାବୋଧ, ବ୍ୟକ୍ତି ଚେତନା ମଧ୍ୟ ସେହିପରି ଯେକୌଣସି ସାମାଜିକ ଉପନ୍ୟାସରେ ପ୍ରକଟିତ ହୋଇପାରେ। ରାଜନୈତିକ ଉପନ୍ୟାସର ସ୍ୱର ସାମାଜିକ ଆଲୋଡ଼ନ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଆର୍ଥନୀତିକ ଏବଂ ରାଜନୈତିକ  ସ୍ଥିତାବସ୍ଥା ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ।’’(୧)ସୁତରାଂ ରାଜନୀତିକ ଉପନ୍ୟାସ ସଂପର୍କରେ କୁହାଯାଇପାରେ, ଶାସନର ରାଜନୀତିକ ବ୍ୟକ୍ତି ବା ଘଟଣା ବା ରାଜନୀତିକ ଦଳର ଦର୍ଶନକୁ କେନ୍ଦ୍ର କରି ସମଗ୍ର ଉପନ୍ୟାସଟି ଗଢି ଉଠିଥିଲେ ତଥା ଉକ୍ତ ବ୍ୟକ୍ତି ବା ଘଟଣା ବା ରାଜନୀତିକ ଦଳର ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ସଙ୍ଗେ ଉକ୍ତ ବ୍ୟକ୍ତି ବା ଘଟଣାର କାର୍ଯ୍ୟକଳାପରେ ରାଜନୀତିକ ବ୍ୟାଖ୍ୟା ଦେଖାଗଲେ ତାହାକୁ ରାଜନୀତିକ ଉପନ୍ୟାସ କୁହାଯାଇଥାଏ।

ରାଜନୀତିକ ଉପନ୍ୟାସ ସଂପର୍କରେ ଆଲୋଚନା କଲାବେଳେ ଆଲୋଚକ ଏହାର ବୈଶିଷ୍ଟ୍ୟ ସଂପର୍କରେ ଲେଖନ୍ତି – ‘‘ଶାସନର କଥା ରହିଥିବ। ରାଜନୀତିକ ବ୍ୟକ୍ତି ବା ଘଟଣା ବା ରାଜନୀତିକ ଦଳର ଘଟଣାକୁ କେନ୍ଦ୍ର କରି ସମଗ୍ର ଉପନ୍ୟାସଟି ଗଢିଉଠିଥିବ। ଉକ୍ତ ବ୍ୟକ୍ତି ବା ଘଟଣା ବା ରାଜନୀତିକ ଦଳର ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବ। ଉକ୍ତ ବ୍ୟକ୍ତି ବା ଘଟଣାର କାର୍ଯ୍ୟକଳାପରେ ରାଜନୀତିକ ବ୍ୟାଖ୍ୟା ଦେଖାଯାଇଥିବ। ଉପନ୍ୟାସରେ ବର୍ଣ୍ଣିତ ବିଷୟବସ୍ତୁ ନିଶ୍ଚିତ ଭାବରେ ରାଷ୍ଟ୍ରର ସରକାର ଓ ଆଇନ ଶାସ୍ତ୍ର ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ିତ ହୋଇଥିବ। ରାଜନୀତିକ ଉପନ୍ୟାସରେ ରାଜନୀତିକ ଚରିତ୍ରଠାରେ ନିଶ୍ଚିତ ଭାବରେ ତ୍ୟାଗ, ନୀତିବାକ୍ୟ, ଆଦର୍ଶ, ଦେଶପ୍ରୀତି କିମ୍ବା କୂଟନୀତି, ଦୁର୍ନୀତି, ଷଡ଼ଯନ୍ତ୍ର, ଭ୍ରଷ୍ଟାଚାର, ଅନୀତିବାନ, ଦେଶଦ୍ରୋହୀ ପ୍ରଭୃତି ଆରୋପ କରାଯାଇଥିବ।’’(୨) ଏକାଧିକ ଦଳର ଦର୍ଶନଗତ ସଂଘର୍ଷ ରହିଥାଏ। ରାଜନୀତିକ ଉପନ୍ୟାସରେ ବର୍ଣ୍ଣିତ ଅଧିକାଂଶ ରାଜନୀତିକ ଚରିତ୍ର ଆମ ଗହଣରୁ ଆଦୃତ ହୋଇଥାନ୍ତି। ରାଜନୀତିକ ଉପନ୍ୟାସରେ ଅନ୍ୟାନ୍ୟ ବିଭାଗର ଉପନ୍ୟାସ ଅପେକ୍ଷା ସତ୍ୟତା, ବାସ୍ତବତା ଅଧିକ ପରିମାଣରେ ରହିଥାଏ ଓ କଳ୍ପନା, ମିଥ୍ୟା ଖୁବ୍‌ କମ୍‌ ପରିମାଣରେ ଥାଏ।

କୌଣସି ଘଟଣା ବା ଚରିତ୍ରକୁ କଙ୍କାଳ ଭାବରେ ଗ୍ରହଣ କରି ସେଥିରେ ପ୍ରାୟତଃ କଳ୍ପନାର ରକ୍ତ, ମାଂସ, ଚର୍ମ ଦେବାକୁ ପଡ଼ିଥାଏ ସବୁ ଉପନ୍ୟାସରେ; ମାତ୍ର ରାଜନୀତିକ ଉପନ୍ୟାସରେ ରାଜନୀତିକ ଘଟଣା ବା ଚରିତ୍ରକୁ କଙ୍କାଳ, ରକ୍ତ, ମାଂସ ରୂପେ ଗ୍ରହଣ କରି ସେଥିରେ କେବଳ କଳ୍ପନାର ଚର୍ମ ଦେବାକୁ ପଡ଼ିଥାଏ। ଏ ଉପନ୍ୟାସରେ ବର୍ଣ୍ଣିତ ଘଟଣା ବା ଚରିତ୍ର କେବେ ହେଲେ କଳ୍ପନା ନୁହେଁ, ତାହା ଆମ ସମାଜରେ କୌଣସି ନା କୌଣସି ସ୍ଥାନରେ ଓ ସମୟରେ ଘଟିଥିଲା ଏବଂ ଔପନ୍ୟାସିକ ତାକୁ କେନ୍ଦ୍ର କରି ରଚନା କରିଥାନ୍ତି ଉପନ୍ୟାସ। ଉପନ୍ୟାସର ପ୍ରତ୍ୟେକଟି ରାଜନୀତିକ ଚରିତ୍ର ବାସ୍ତବ ରାଜନୀତିଜ୍ଞଙ୍କର ପ୍ରତିନିଧିତ୍ୱ କରିଥାନ୍ତି, ମାତ୍ର ଛଦ୍ମ ନାମ ବ୍ୟବହାର ଦ୍ୱାରା ହୁଏତ ଆମେ ତାହା ଜାଣିପାରୁନା କେଉଁ ରାଜନୀତିଜ୍ଞଙ୍କର ପ୍ରତିନିଧିତ୍ୱ କରିଛନ୍ତି ଚରିତ୍ରମାନେ। କିନ୍ତୁ କେତେକ ଔପନ୍ୟାସିକ ଏପରି ଭାବରେ ସଫଳତାର ସହ କଳାତ୍ମକତା ପ୍ରୟୋଗ କରିଥାନ୍ତି ଯେ ଉପନ୍ୟାସଟି ପଢିବା ମାତ୍ରକେ ପାଠକ ସମ୍ମୁଖରେ ବାସ୍ତବ ଘଟଣା ଓ ଚରିତ୍ରଗୁଡ଼ିକ ନାଚି ଉଠନ୍ତି।  ଉତ୍ତର ଅଶୀ କାଳରେ ଏଭଳି ଉପନ୍ୟାସ କ୍ଷେତ୍ରରେ ପ୍ରତିଭା ରାୟ(ଉତ୍ତରମାର୍ଗ), ଦେବଯାନି ଦାସ(ଅପୂର୍ଣ୍ଣ ପୂର୍ଣ୍ଣତା), ମନ୍ନୁ ଭଣ୍ଡାରୀ(ମହାଭୋଜ), ମଞ୍ଜୁଲ ଭଗତ(ଖାତୁଲ), ନାସିରା ଶର୍ମା(ଜିନ୍ଦା ମୁହାୱରେ) ଆଦି ଲେଖିକା ଆପଣାର ପାରଦର୍ଶିତା ଦେଖାଇଛନ୍ତି। ରାଜନୀତିକ ତଥ୍ୟ ସମ୍ବଳିତ କଳାତ୍ମକତା ବିଜଡ଼ିତ ଏହି ଉପନ୍ୟାସଗୁଡ଼ିକ ଲେଖିକାଙ୍କର ବିଚାରଗତ ବଳିଷ୍ଠତାକୁ ଦର୍ଶାଏ।

ବହୁ ସଂଘର୍ଷ ଓ ସାଧନାର ଫଳସ୍ୱରୂପ ଭାରତ ସ୍ୱାଧୀନତା ଲାଭ କରିଥିଲା। କିନ୍ତୁ ସ୍ୱାଧୀନତା ଦେଶର ଜନତାଙ୍କ ପାଇଁ ସେତିକି ମାତ୍ରାରେ ସୁଖଦ ସାବ୍ୟସ୍ତ ହୋଇ ନଥିଲା, ଯେତିକି ହେବାର ସ୍ୱପ୍ନ ସେମାନେ ଭାରତର ସ୍ୱାଧୀନତା ପୂର୍ବରୁ ଦେଖିଥିଲେ। ଦେଶ ବିଭାଜନ ହେବାପରେ ଦୁଇଭାଗରେ ଭାଗ ହୋଇଥିବା ଭାରତୀୟଙ୍କର ମୋହଭଙ୍ଗ ଘଟିଲା। ଦେଶ ବିଭାଜନର ପ୍ରଭାବ ଦେଶରୁ ସମାଜ ଉପରେ ଏବଂ ସମାଜରୁ ବ୍ୟକ୍ତି ଓ ବ୍ୟକ୍ତି ମାନସିକତା ଉପରେ ପଡ଼ିଲା। ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାହିତ୍ୟରେ ଏହାର ପ୍ରଭାବ ଓ ପ୍ରତିଫଳନ ମଧ୍ୟ ଲକ୍ଷ୍ୟ କରାଗଲା। ଦେଶ ସ୍ୱାଧୀନ ହେବା ପରବର୍ତ୍ତୀ ସମୟରେ ଲେଖକମାନେ ହିଁ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ପ୍ରାରମ୍ଭିକ ସମୟରେ ଲେଖକଙ୍କ ଦ୍ୱାରା ଲିଖିତ ସାହିତ୍ୟରେ ରାଜନୀତି ଓ ରାଜନୀତିକ ଚେତନା ରୂପାୟିତ ହୋଇଥିଲାବେଳେ ଲେଖିକାଙ୍କ ରଚନାରେ ଏହାର ରୂପାୟନ ଦେଖିବାକୁ ମିଳେନାହିଁ। ଏହାର କାରଣ ହେଉଛି ବର୍ଷ ବର୍ଷ ଧରି ନାରୀ ପରିବାର ଭିତରେ ହିଁ ଆବଦ୍ଧ ଥିଲା। ସମାଜ ଓ ପରିବାର ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ସବୁ ସମାଧାନ କରିବାରେ ତା’ର ଚିନ୍ତନ ଏକମୁଖୀ ଥିଲା। ସେହି ସମୟରେ ଲେଖିକାଙ୍କ ଦ୍ୱାରା ରଚିତ ସାହିତ୍ୟ ବିଶେଷ କରି ଉପନ୍ୟାସରେ ସେଥିପାଇଁ ନାରୀ ବିଷୟକ ସମସ୍ୟା ହିଁ ଉପସ୍ଥାପିତ ହୋଇଥିବା ଦେଖାଯାଏ।

ଷାଠିଏ ଦଶକର ପରବର୍ତ୍ତୀ ସମୟରେ ଲେଖିକା ଏ କ୍ଷେତ୍ରରେ ନିଜର ଯୋଗଦାନ ଦେବାକୁ ଆରମ୍ଭ କଲେ। ସତୁରୀ ଦଶକ ବେଳକୁ ଜଗତୀକରଣର ପ୍ରଭାବରେ ସମାଜ ମାନସିକତା ଓ ନାରୀ ମାନସିକତାରେ ପରିବର୍ତ୍ତନ ପରିଲକ୍ଷିତ ହେବାକୁ ଲାଗିଲା। ନାରୀବାଦର ପ୍ରଭାବରେ ନୂତନ ଦୃଷ୍ଟିଭଙ୍ଗୀ ନେଇ ଲେଖିକାଙ୍କ ଦୃଷ୍ଟିଭଙ୍ଗୀରେ ଦେଖାଗଲା ବୈପ୍ଳବିକ ପରିବର୍ତ୍ତନ। ରାଜନୀତି କ୍ଷେତ୍ରରେ ସକ୍ରିୟ ଯୋଗଦାନ ଏବଂ ମହିଳା ସଶକ୍ତିକରଣ ଫଳରେ ରାଜନୀତିକୁ ବୁଝିବାରେ ସକ୍ଷମ ହୋଇଥିଲେ ନାରୀ ସ୍ରଷ୍ଟା। ଆଲୋଚିକାଙ୍କ ଭାଷାରେ, ‘‘ଦିନ ଥିଲା ନାରୀକୁ ମାନସିକ ସ୍ତରରେ ଓ ସାମାଜିକ ସ୍ତରରେ ଯାବତୀୟ ପରିସ୍ଥିତି ସହ ସଂଗ୍ରାମ କରିବାକୁ ପଡ଼ୁଥିଲା। ପ୍ରଥମେ ଶିକ୍ଷା ପାଇଁ, ପରେ ପରେ ସାମାଜିକ କ୍ଷେତ୍ରରେ ଓ ବୃତ୍ତିଗତ କ୍ଷେତ୍ରରେ ତାକୁ ନାନାଦି ପ୍ରତିରୋଧର ସାମ୍ନା କରିବାକୁ ପଡ଼ୁଥିଲା। ୧୯୮୦ ଦଶକ ବେଳକୁ ବିଶ୍ୱ ସ୍ତରରେ ନାରୀ ଏହି ସବୁ ସମସ୍ୟାର ଉର୍ଦ୍ଧ୍ୱକୁ ଆସିଲା – ସାମ୍ୱିଧାନିକ ଓ ସାମାଜିକ ଉଭୟ ପରିବର୍ତ୍ତନ ନାରୀର ସ୍ଥିତିକୁ ମଜଭୁତ କରି ମାନସିକ ସ୍ତରରେ ସ୍ୱାବଲମ୍ୱୀ କଲା। ଅନୁରୂପ ଧାରାରେ ସାହିତ୍ୟ ପୃଷ୍ଠାରେ ନାରୀ ଚରିତ୍ରମାନେ ପରିବର୍ତ୍ତିତ ହେଲେ। ପୂର୍ବ ଚରିତ୍ରର ସଂଜ୍ଞା ଓ ସ୍ୱରୂପ ବଦଳିଗଲା। କେବଳ ରୂପ ଗୁଣ ପରିପାଟୀରେ ନୁହେଁ ବରଂ ଅଧିକ ଭାବରେ ମାନସିକ ସ୍ତରରେ। ୧୯୮୦ ମସିହା ପରବର୍ତ୍ତୀ ସମୟରେ ନାରୀ ଯେଉଁ ଭିନ୍ନ ରୂପ ନେଇ ସାମଜ ଆଗରେ ଉଭା ହେଲା। ତା’ ଭିତରେ ଆସିଲା ଦୃଢ଼ ଆତ୍ମବଳ। ଶିକ୍ଷା ତାକୁ ଆଲୋକ ଦେଖାଇଲାବେଳେ, ଆର୍ଥିକ ସମ୍ୱଳ (ତା’ର ରୋଜଗାର) ତା’ ପାଇଁ ଦୃଢ଼ ଭିତ୍ତିଭୂମି ତିଆରି କରିଥିଲା। xxx ବିଭିନ୍ନ ସ୍ତରରେ ମହିଳା ସଶକ୍ତିକରଣ, ନାରୀର ମନୋବଳକୁ ବହୁଗୁଣିତ କରିଚି। ତା’ ଭିତରେ ଏକ ଲଢ଼ୁଆ ଭାବ ଜାଗ୍ରତ ହୋଇଛି।’’(୩) ସୁତରାଂ ଉତ୍ତର ଅଶୀ ସମୟରେ ନାରୀ ଭିତରେ ଦେଖାଦେଇଥିବା ଏହି ଲଢ଼ୁଆ ଭାବର ପ୍ରତିଫଳନ ଭାରତୀୟ ସାହିତ୍ୟରେ ଓଡ଼ିଆ ଓ ହିନ୍ଦୀ ଲେଖିକାଙ୍କ ଉପନ୍ୟାସରେ ମଧ୍ୟ ଦେଖାଯାଏ। ରାଜନୀତିର ପଶାପାଲି ଭିତରେ ଥିବା ଜନ ମାନସିକତାକୁ ସୂକ୍ଷ୍ମ ଭାବରେ ନିରୀକ୍ଷଣ କରି ଏହି ସମୟର ଲେଖିକାମାନେ ଉପନ୍ୟାସ ରଚନା କରିଛନ୍ତି।

ଓଡ଼ିଆ ସାହିତ୍ୟରେ ରାଜନୀତିକ ଚେତନା ବା ରାଜନୀତି ପ୍ରେକ୍ଷାପଟକୁ ଘେନି ପୂର୍ବରୁ ଲେଖକଙ୍କ ଦ୍ୱାରା ଉପନ୍ୟାସ ରଚନା କରାଯାଇଥିଲେ ମଧ୍ୟ ନାରୀ ସ୍ରଷ୍ଟାଦ୍ୱାରା ରଚିତ ପ୍ରଥମ ରାଜନୀତିକ ଉପନ୍ୟାସ ହେଉଛି ପ୍ରତିଭାରାୟଙ୍କ ’ଉତ୍ତରମାର୍ଗ’। ଉପନ୍ୟାସଟି ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା। ଉପନ୍ୟାସର କାହାଣୀ ଭାରତର ସ୍ୱାଧୀନତା ସଂଗ୍ରାମର ପଟ୍ଟଭୂମି ଉପରେ ପର୍ଯ୍ୟବସିତ। ତତ୍କାଳିନ ସମାଜରେ ପ୍ରଚଳିତ ଜମିଦାରୀ ପ୍ରଥା, ଜମିଦାରୀ ମହଲରେ ଦାସୀମାନଙ୍କ ଉପରେ ହେଉଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର, ଜମିଦାର ବଂଶର ଔରସରୁ ଦାସୀ କୋଳରେ ଜନ୍ମ ନେଇଥିବା ଅବୈଧ ଶିଶୁ ଜୀବନର ଯନ୍ତ୍ରଣା ଆଦିକୁ ଲେଖିକା ଉପନ୍ୟାସରେ ବର୍ଣ୍ଣନାକରିଛନ୍ତି। ଉପନ୍ୟାସ ସମ୍ପର୍କରେ ଲେଖିକାଙ୍କର ସ୍ୱୀକାରୋକ୍ତି ହେଉଛି – ‘‘ଉତ୍ତରମାର୍ଗର ଚରିତ୍ରମାନେ ସତ୍ୟ ପୁଣି କଳ୍ପନା-କଳ୍ପନା ଅଥଚ ମିଥ୍ୟା ନୁହଁନ୍ତି, xxx ଚରିତ୍ରମାନଙ୍କ ଭିତରେ କେବଳ ମୋ ଅଞ୍ଚଳର (ବାଲିକୁଦା, ଜଗତସିଂହପୁର ଅଞ୍ଚଳ) ନୁହେଁ, ମୋ ଦେଶର ସମସ୍ତ ମୁକ୍ତି ସଂଗ୍ରାମୀଙ୍କୁ ତର୍ପଣ କରାଯାଇଛି।’’(୪) ଉପନ୍ୟାସରେ ଭାରତକୁ ସ୍ୱାଧୀନ କରିବା ପାଇଁ ଆଚାର୍ଯ୍ୟ ଦିଗଦର୍ଶୀ, ହରି ବିଶ୍ୱାଳ, ଗୋବିନ୍ଦ ଦାସ, ଶାମ ପୁହାଣ, ପରଶୁରାମଙ୍କ ପରି ବହୁ ନିଃସ୍ୱାର୍ଥପର ସଂଗ୍ରାମୀ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ମାତ୍ର ଭାରତ ସ୍ୱାଧୀନ ହେବା ପରେ ଜମିଦାର ଗର୍ବଗଞ୍ଜନ ଦକ୍ଷିଣରାଏ, ଜମିଦାର ଡୋଳାମଣି ଶ୍ରୀଚନ୍ଦନ ମହାପାତ୍ରଙ୍କ ପରି କେତେଜଣ ପ୍ରଜାପୀଡ଼କ, ଅତ୍ୟାଚାରୀ ତଥା ଇଂରେଜଙ୍କ ଅନ୍ଧ ସମର୍ଥକମାନେ ସ୍ୱାଧୀନ ଭାରତରେ ନିର୍ବାଚନରେ ଭାଗନେଇ ମନ୍ତ୍ରୀ ହୋଇ ପୂର୍ବ ପରି ଅତ୍ୟାଚାର ଚଳାଇବାର ମାନସିକତା ରୂପ ପାଇଛି ‘ଉତ୍ତରମାର୍ଗ’ ଉପନ୍ୟାସରେ।

ରାଜନୀତିକ ଉପନ୍ୟାସ ଭାବରେ ’ଉତ୍ତରମାର୍ଗ’ରେ ଲେଖିକା କେବଳ ରାଜା ଜମିଦାରଙ୍କ ଅତ୍ୟାଚାର ଓ ଶୋଷଣ କିମ୍ବା ସ୍ୱାଧୀନତା ସଂଗ୍ରାମରେ ଆତ୍ମୋତ୍ସର୍ଗ କରିଥିବା ସଂଗ୍ରାମୀମାନଙ୍କର ପରବର୍ତ୍ତୀ ସମୟରେ ରାଜନୀତିରୁ ନିଷ୍କ୍ରୟିତା ବିଷୟ ବର୍ଣ୍ଣନା କରିନାହାନ୍ତି, ଆପଣା ପଲ୍ଲୀ ଜୀବନର ପ୍ରତ୍ୟକ୍ଷ ଅନୁଭୂତି ଜନିତ ଚିତ୍ର ମଧ୍ୟ ଉପସ୍ଥାପିତ କରିଛନ୍ତି। ଲେଖିକାଙ୍କ ଭାଷାରେ ‘‘ଉଦେ ନାଥ ଗୋସାଇଁ ଓ ତାଙ୍କ ସାନ ଭାଇ ବାଲୁଙ୍କେଶ୍ୱର ଗୋସାଇଁ ଯେତେବେଳେ ପୀଢ଼ାରେ ଚକାପାରି ବସି ଶବ୍ଦ କରି ମାଛ ଝୋଳ ହାପୁଡ଼ିଥାନ୍ତି, ସେତେବେଳେ ନିରିମାଖୀ ପରି ମୈଥିଳୀ ଦ୍ୱାରବନ୍ଧକୁ ଆଉଜି ଏକ ଲୟରେ ନନା, କକେଇଙ୍କ ଥାଳିକୁ ଚାହିଁ ଠିଆ ହୋଇଥାଏ।’’(୫) ଏଠାରେ ବାଲ୍ୟବିଧବା ମୈଥିଳୀର କଠୋର ଏକାଦଶୀ ବ୍ରତ ପାଳନ କରି ଘରର ଅନ୍ୟ ସଦସ୍ୟଙ୍କ ପାଇଁ ନ’ ତିଅଣ ଛଅ ଭଜା କରିଦେବାର ମାର୍ମିକ ଚିତ୍ର ଲେଖିକା ପ୍ରଦାନ କରିଛନ୍ତି।

ଔପନ୍ୟାସିକା ଦେବଯାନୀ ଦାସଙ୍କ ‘ଅପୂର୍ଣ୍ଣ ପୂର୍ଣ୍ଣତା’ ହେଉଛି ଏକ ଭିନ୍ନ ପ୍ରେକ୍ଷାପଟକୁ ନେଇ ରଚିତ ହୋଇଥିବା ରାଜନୀତିକ ଉପନ୍ୟାସ। ୧୯୭୧ ମସିହାରେ ସଂଘଟିତ ଭାରତ-ପାକିସ୍ଥାନ ଯୁଦ୍ଧ ହେଉଛି ଉପନ୍ୟାସର ପୃଷ୍ଠଭୂମି। ଏ ଯୁଦ୍ଧର ସତ୍ୟତା ରହିଛି। ବାସ୍ତବରେ ୧୯୭୧ ମସିହାରେ ପାକିସ୍ତାନ ଡିସେମ୍ବର ତିନି ତାରିଖରେ ଆକ୍ରମଣ କରିଥିଲା ଭାରତ ଉପରେ, ଆଉ ଭାରତ ତା’ର ଏପରି ଜବାବ ଦେଇଥିଲେ ଯେ ଡିସେମ୍ବର ୧୬ ତାରିଖରେ ପାକିସ୍ତାନ ପୂରା ପରାଜିତ ହୋଇସାରିଥିଲା ଏବଂ ପାକିସ୍ତାନର ପ୍ରାୟ ଅର୍ଦ୍ଧାଧିକ ସେନା ଅର୍ଥାତ ୯୭,୦୦୦ ଜଣ ପାକିସ୍ତାନ ସେନା, ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ତା’ପରେ ପାକିସ୍ତାନ ଭୟଭୀତ ହୋଇ ଆମେରିକା ପାଖକୁ ଗଲା ଏ ସମସ୍ୟାର ସମାଧାନ ପାଇଁ। ଆମେରିକାର ଚାପରେ ଭାରତ, ଆତ୍ମସମର୍ପଣ କରିଥିବା ୯୭୦୦୦ ଜଣ ପାକିସ୍ତାନୀ ସେନାଙ୍କୁ ମୁକ୍ତ କରିନଥିଲେ ପାକିସ୍ଥାନର ଆତଙ୍କ ଆଜି ବିଶ୍ୱରେ ମୁଣ୍ଡବ୍ୟଥାର କାରଣ ହୋଇନଥାନ୍ତା।(୬) ଅଦ୍ୟାବଧି ଚାଲିଥିବା ଭାରତ ପାକିସ୍ତାନ ଯୁଦ୍ଧ ସଂପର୍କରେ ଲେଖିକାଙ୍କର ବର୍ଣ୍ଣନା ତଥ୍ୟଯୁକ୍ତ ଓ ମର୍ମସ୍ପର୍ଶୀ ହୋଇ ପାରିଛି। ରାଜ୍ୟର ମନ୍ତ୍ରୀମଣ୍ଡଳ ମଧ୍ୟରେ ଚାଲିଥିବା କ୍ଷମତା କନ୍ଦଳକୁ ଆଧାର କରି ଉପନ୍ୟାସ ରଚନା କରିଚନ୍ତି ଔପନ୍ୟାସିକା ବିୟତ୍‌ ପ୍ରଜ୍ଞା ତ୍ରିପାଠୀ। ଲେଖିକା ଏହି ରାଜନୀତିକ ଉପନ୍ୟାସର ନାମକରଣ କରିଛନ୍ତି ’ମୁଖ୍ୟମନ୍ତ୍ରୀ’। ଉପନ୍ୟାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ମଧ୍ୟରେ ହୋଇଥବା ସଂଘର୍ଷର ଚିତ୍ର ରହିଚି। ଉପନ୍ୟାସରେ ଶିକ୍ଷାମନ୍ତ୍ରୀ ଭ୍ରମରବର ଦାସ ଦଳରେ ଲୋକପ୍ରିୟ ତୁଙ୍ଗ ନେତା ହୋଇଥିବାରୁ ନିଜ ଆସନ ପ୍ରତି ବିପଦ ଅନୁଭବ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ନକ୍ସଲଙ୍କ ଦ୍ୱାରା ହତ୍ୟା କରିବାର ଷଡ଼ଯନ୍ତ୍ର କରିଛନ୍ତି। ନିଜର ଗାଦିକୁ ସୁରକ୍ଷା ଦେବାକୁ ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେବାପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ମଧ୍ୟ ମାରିଦେବାକୁ ପଶ୍ଚାତପଦ ହୋଇନାହାନ୍ତି। ନିଜର ଆସନ ପ୍ରତି ବିପଦ ଆଶଙ୍କା କରି ସମଦଳର ଆଉଜଣେ ନେତାଙ୍କୁ ଚକ୍ରାନ୍ତ କରି ବିପଦରେ ପକାଇବା, ବର୍ତ୍ତମାନ ରାଜନୀତିରେ ଏକ ସାଧାରଣ କଥା ହୋଇଗଲାଣି। ଉପନ୍ୟାସରେ ଆନ୍ତଃଦଳ ଭିତ୍ତିକ ସଂଘର୍ଷର ଚିତ୍ରଣ ସାମସାମୟିକ ରାଜନୀତିର ପ୍ରତ୍ୟକ୍ଷ ଉଦାହରଣ। ଏପରି ଏକ ରାଜନୀତିକ କଥାବସ୍ତୁର ଅବତାରଣାରେ ଲେଖିକାଙ୍କ ଉପନ୍ୟାସ ଅତ୍ୟନ୍ତ ବାସ୍ତବଧର୍ମୀ ହୋଇଉଠିଛି।(୭) ଉପନ୍ୟାସଟି ରାଜନୀତିର ପଶାପାଲିରେ ନାରୀର ସ୍ଥିତି, ସଂଘର୍ଷ ଓ ମୁକ୍ତି ଖୋଜିବାର ପ୍ରୟାସକୁ ଉଜାଗର କରେ।

ହିନ୍ଦୀ ସାହିତ୍ୟ କ୍ଷେତ୍ରରେ ମନ୍ନୁ ଭଣ୍ଡାରୀଙ୍କ ’ମହାଭୋଜ’ ହେଉଛି ଲେଖିକାଙ୍କ ଦ୍ୱାରା ଲିଖିତ ପ୍ରଥମ ରାଜନୀତିକ ଉପନ୍ୟାସ। ଉପନ୍ୟାସଟି ସମକାଳରେ ଚାଲିଥିବା ଶଠ ରାଜନୀତିର ପର୍ଦ୍ଦାଫାସ କରେ। ବର୍ତ୍ତମାନ ସମୟରେ ରାଜନେତାମାନଙ୍କର ଶଠତା, ଶୋଷଣ ଆଦିର ପ୍ରତ୍ୟକ୍ଷ ଭାବରେ ବର୍ଣ୍ଣନା କରି ଲେଖିକା ଆଜିର ଜନତାଙ୍କୁ ସଚେତନ କରିବାର ପ୍ରୟାସ କରିଚନ୍ତି। ଗାଁ ଗାଁରେ କୁଜିନେତା ମାନଙ୍କଦ୍ୱାରା ଗୁଣ୍ଡାମୀ ଓ ଅରାଜକତାର ବାସ୍ତବ ଚିତ୍ରଣ ରହିଚି ଉପନ୍ୟାସରେ। ଏହା ବ୍ୟତୀତ ଗଣମାଧ୍ୟମ ଜରିଆରେ ସତ୍ୟତା ଉପରେ ପର୍ଦ୍ଦା ପକାଇ ଶଠତା ଓ ମିଛକୁ ଜନତା ସମ୍ମୁଖରେ ସତ ଭାବରେ ପ୍ରକାଶ କରିବା ଭଳି ଭଣ୍ଡ ରାଜନୀତିର ମୁଖା ଖୋଲି ଦେଇଛନ୍ତି ଲେଖିକା। ଭୋଟ ପାଇଁ ମୁହଁରେ ସୁମଧୁର ବାଣୀ କହି ସମାଜର ଅନୁସୂଚିତ ଜାତି-ଜନଜାତିର ଜନତାଙ୍କୁ କିଭଳି ଶୋଷଣ କରାଯାଉଛି ତାର ମର୍ମଭେଦୀ ରୂପ ଦେଖାଏ ‘ମହାଭୋଜ‘। ଦା’ ସାହେବ ହେଉଛନ୍ତି ସାମସମୟିକ ସମୟର ରାଜନୀତିରେ ଜଣେ ପକ୍କା ଖେଳୁଆଡ଼ ରାଜନେତାଙ୍କ ପ୍ରତିନିଧି। ଯିଏ କ୍ଷମତା ପାଇଁ ଯେକୌଣସି ସ୍ତରକୁ ଓହ୍ଳାଇ ଯାଇପାରେ। ବିରୋଧୀ ଦଳର ନେତା ଶକୁଲ ବାବୁ ଶାସକ ଦଳର କ୍ଷମତାଲିପ୍ସୁ ନେତାଙ୍କ ବିଷୟରେ ଗୋଟିଏ ସାଧାରଣ ସଭାରେ କହିଛନ୍ତି – ‘ଗାଁଠ୍ ବାଁଧ ଲୀଜିଏ କି ୟହ ସରକାର ଆପ ଲୋଗୋଁ କେ ଲିଏ କୁଛ ନହୀ କର ନେ ଜା ରହୀ ହେ। ଇସେ ଲଗାଓ ଆପସେ ନହୀ, ଅପନ କୁର୍ସିଓଁସେ ହେ, ଔର କୁର୍ସିଓଁ କା ତକାୟଜା ହୀ ହେ କି ଅଭୀ ଐସୀ ବାତୋକୋ ଗୋଲମୋଲ କରକେ ହୀ ଛୋଡ଼ ଦୋ। କୁର୍ସୀ ଔର ଇନ୍ସାନିୟତ ମେ ବୈର ହେ। ଇନ୍ସାନିୟତ କୀ ଖ୍ୱାବ୍‌ ପର୍‌ ହୀ କୁର୍ସି କେ ପାୟେ ଅଛୀ ତରହ ଜମ୍ତେ ହେ।’’(୮) ଉପନ୍ୟାସରେ ରାଜନୀତିକ ପରିବେଶର ବର୍ଣ୍ଣନା ସହିତ ସମାଜର ଉପେକ୍ଷିତ ନିମ୍ନବର୍ଗର ଜନତାଙ୍କ ଦୁର୍ବିସହ ଜୀବନର ବାସ୍ତବ କାହାଣୀ ଚିତ୍ରିତ କରାଯିବାର ଚେଷ୍ଟା ଲକ୍ଷ୍ୟ କରାଯାଏ।

ମୃଦୁଲା ଗର୍ଗଙ୍କର ଉପନ୍ୟାସ ’ଅନିତ୍ୟ’ରେ ରାଜନୀତିକ ବିସଙ୍ଗତିର ସଶକ୍ତ ଚିତ୍ରଣ ଦେଖିବାକୁ ମିଳେ। ଉପନ୍ୟାସରେ ଗାନ୍ଧୀଜୀଙ୍କ ଅହିଂସା ନୀତି, ଅସହଯୋଗ ଆନ୍ଦେଳାନ ଏବଂ ଭଗତ ସିଂହଙ୍କ କ୍ରାନ୍ତିକାରୀ ଆନ୍ଦେଳାନ ମଧ୍ୟରେ ସୃଷ୍ଟି ହୋଇଥିବା ବିରୋଧାଭାସ ଦେଖାଇ ଦିଆଯାଇଛି। ସ୍ୱାଧୀନତା ସଂଗ୍ରମାକୁ ନେଇ ରଚିତ ବହୁ ଉପନ୍ୟାସରେ ଦେଶର ସ୍ୱାଧୀନତା ପ୍ରାପ୍ତି ଏବଂ ମୋହଭଙ୍ଗ ସଂପର୍କରେ ପୂର୍ବରୁ ବର୍ଣ୍ଣିତ ହୋଇଥିଲେ ମଧ୍ୟ ଦେଶର ସ୍ୱାଧୀନତା ସଂଗ୍ରାମୀ ନେତୃବୃନ୍ଦଙ୍କ ମଧ୍ୟରେ ପାରସ୍ପରିକ ବିରୋଧାଭାସ ଏବଂ ବାଟବଣା ହେବା ବିଷୟ ମୃଦୁଲାଗର୍ଗଙ୍କ ’ଅନିତ୍ୟ’ ଉପନ୍ୟାସର ଏକ ବିଶେଷତ୍ୱ। ଏହା ଔପନ୍ୟାସିକା ଭାବରେ ଲେଖିକାଙ୍କ ରାଜନୀତିକ ଭାବଧାରାରେ ନୂତନତ୍ୱକୁ ଦର୍ଶାଏ। ନାସିରାଶର୍ମାଙ୍କ ଉପନ୍ୟାସ ‘ସାତନଦିୟାଁ ଏକ ସମନ୍ଦର’ରେ କ୍ଷମତା କେନ୍ଦ୍ରିତ ବିଦ୍ରୋହୀ ନେତାଙ୍କ ଆନ୍ଦୋଳନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଚୌକିର ଲୋଭ ଶାସକ ଦଳ ଏବଂ ବିରୋଧୀ ଦଳକୁ କିଭଳି ଆଚ୍ଛନ୍ନ କରି ପକାଏ ତାହାର ଚିତ୍ରଣ ରହିଚି ଉପନ୍ୟାସରେ। ପୁନଶ୍ଚ କ୍ଷମତା ପାଇଁ ଦଳ-ଦଳ ପରସ୍ପର ମଧ୍ୟରେ ବିଦ୍ରୋହ ସୃଷ୍ଟି କରିଛି ସାଧାରଣ ଜନତାଙ୍କୁ ଭ୍ରମିତ କରିବା ଭଳି ପ୍ରସଙ୍ଗ ଲେଖିକାଙ୍କ ଉପନ୍ୟାସରେ ସ୍ଥାନ ପାଇଛି।(୯)

ଲେଖିକାମାନଙ୍କ ଦ୍ୱାରା ଲିଖିତ ରାଜନୀତିକ ଚିନ୍ତାଧାରା ସମନ୍ୱିତ ଉପନ୍ୟାସଗୁଡ଼ିକୁ ପାଠକଲେ ଦେଖାଯାଏ ଯେ, ପ୍ରାଚୀନ କାଳରୁ ଶାସନ ବ୍ୟବସ୍ଥାରେ ଥିବା ପୁରୁଷର ଆଧିପତ୍ୟ ଓ ଶାସନ ନିୟନ୍ତ୍ରଣକାରୀ ଆଭିମୁଖ୍ୟ ବିରୋଧରେ ଲେଖିକାମାନେ ସ୍ୱର ଉତ୍ତୋଳନ କରିଛନ୍ତି । ଦୁର୍ନୀତି, ଷଡ଼ଯନ୍ତ୍ର, ଭ୍ରଷ୍ଟାଚାର ଭଳି ପ୍ରସଙ୍ଗ ହୁଏତ ନାରୀ ଲେଖନୀର ସ୍ୱାତନ୍ତ୍ର ନହୋଇପାରେ। କାରଣ ଲେଖକମାନଙ୍କ ଦ୍ୱାରା ଲିଖିତ ଉପନ୍ୟାସରେ ମଧ୍ୟ ଏ ପ୍ରସଙ୍ଗଗୁଡ଼ିକ ସାମାଜିକ ଶୃଙ୍ଖଳାରକ୍ଷାକାରୀ ଉପାଦାନ ଭାବରେ ସ୍ଥାନ ପାଇଛନ୍ତି। ଏହି ଦିଗଗୁଡ଼ିକୁ ଲେଖକ ଅଥବା ଲେଖିକାଙ୍କର ସମାଜସଂସ୍କାରଧର୍ମୀ ପ୍ରୟାସ କେବଳ । ମାତ୍ର ଶାସନ ବ୍ୟବସ୍ଥାରେ ନାରୀର ଅଧିକାର, ସମାନତା, ସ୍ଥାନ ଏବଂ ପାରଦର୍ଶିତାକୁ ନେଇ ଲେଖିକାମାନେ ଅଧିକ ସମ୍ବେଦନଶୀଳ ପ୍ରଶ୍ନ ଓ ସମ୍ଭାବ୍ୟ ସମାଧାନର ମାର୍ଗ ଦେଖାଇବା ପାଇଁ ଉଦ୍ୟମ କରିଛନ୍ତି ।

ପ୍ରାନ୍ତଟୀକା

୧.           ମହାନ୍ତି, ବିଜୟ କୁମାର; ଓଡ଼ିଆ ଉପନ୍ୟାସରେ ରାଜନୈତିକ ଚେତନା, କଟକ,କୋଣାର୍କ ପବ୍ଲିଶର୍ସ, ୧୯୯୨, ପୃ- ଉପକ୍ରମ

୨.           ଦେ, ମିଥୁନ ଚନ୍ଦ୍ର; ଓଡ଼ିଆ ରାଜନୀତିକ ଉପନ୍ୟାସ, ଭୁବନେଶ୍ୱର, ଟାଇମ୍‌ପାସ୍‌, ୨୦୧୩, ପୃ-୨୧-୨୨

୩.           ସାମନ୍ତ, ଇତି; ମୁଦ୍ରିତ ନାୟିକା, ୨୦୧୯, ପୃ-୧୯୨

୪.           ରାୟ, ପ୍ରତିଭା; ଉତ୍ତରମାର୍ଗ,  ୧୯୮୯, ପୃ. ଘ-ଙ

୫.           ସେହିଠାରେ, ପୃ. -୧୩୮

୬.           ଦେ, ମିଥୁନ ଚନ୍ଦ୍ର; ଓଡ଼ିଆ ରାଜନୀତିକ ଉପନ୍ୟାସ, ୨୦୧୩,ପୃ-୬୫

୭.           ସେହିଠାରେ, ପୃ-୧୧୮

୮.           ଭଣ୍ଡାରୀ, ମନ୍ନୁ; ମହାଭୋଜ, ନୂଆ ଦିଲ୍ଲୀ, ରାଜକମଲ ପ୍ରକାଶନ, ୧୯୮୪, ପୃ- ୪୦

୯.           ଶର୍ମା, ନାସିରା; ସାତ ନଦିୟାଁ ଏକ ସମନ୍ଦର, ନୂଆଦିଲ୍ଲୀ, ପ୍ରଭାତ ପ୍ରକାଶନ,୧୯୯୫, ପୃ-୩୭

 

ଡକ୍ଟର ଲୋପାମୁଦ୍ରା ସ୍ୱାଇଁ

ଓଡ଼ିଆ ବିଭାଗ

ସରକାରୀ ମହାବିଦ୍ୟାଳୟ, କୋରାପୁଟ

ଦୂରଭାଷ- ୯୮୫୩୩୧୬୯୮୧

ଇ-ମେଲ୍‌- swainlopamudra38@gmail.com

 

 

 

 


Share Samadhwani
Support Samadhwani

About ଡକ୍ଟର ଲୋପାମୁଦ୍ରା ସ୍ୱାଇଁ

Check Also

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share SamadhwaniPhoto credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ …