Home / ସାହିତ୍ୟ ସଂସ୍କୃତି / ସାହିତ୍ୟ / ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwani

“ଓଡ଼ିଆ ସାହିତ୍ୟ, ବିଶେଷ କରି ଉପନ୍ୟାସରେ ଏହି ଦଳିତର ଚିତ୍ରର ଅଭାବ ନାହିଁ । ଫକୀର ମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ ଠାରୁ ଆରମ୍ଭକରି କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’, କୁନ୍ତଳା କୁମାରୀ ସାବତଙ୍କ ‘ନଅତୁଣ୍ଡୀ’ ଓ ଗୋପୀନାଥ ମହାନ୍ତିଙ୍କ ହରିଜନ, ଦାଦିବୁଢ଼ା, ପରଜା ଆଦି ଉପନ୍ୟାସରେ ଦଳିତ ଜୀବନର ଚିତ୍ର ରହିଛି । ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ ‘ଭେଦ’ ର ସ୍ରଷ୍ଟା ଅଖିଳ ନାୟକ ଓ ‘ପଡ଼ାପୋଡ଼ି’କୁ ଲେଖିଛନ୍ତି ବାସୁଦେବ ସୁନାନୀ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଦୁହେଁ ପ୍ରତିଷ୍ଠିତ କବି ।” ଉପନ୍ୟାସର ଚରିତ୍ରରେ ଦଳିତ ରହିବା ଆଉ ଜଣେ ଦଳିତ ନିଜେ ଉପନ୍ୟାସ ଲେଖିବାର ଅନୁଭୂତି ସମ୍ପୂର୍ଣ୍ଣ ଅଲଗା ବୋଲି ଏହି ସମୀକ୍ଷାରେ ଲେଖକ ଡ଼କ୍ଟର ଗୋପୀନାଥ ବାଗ ପ୍ରକାଶ କରିଛନ୍ତି । ତାଙ୍କ ଦୃଷ୍ଟିରେ ଅନୁଭୂତି ସମ୍ପନ୍ନ ବ୍ୟକ୍ତି ହିଁ ଜାଣେ ସ୍ୱ-ଅନୁଭବକୁ । ଲାଂଛିତ ମଣିଷକୁ ଜଣା ଲାଞ୍ଛନାର ଜ୍ୱାଳା । ଦଳିତ ଲେଖକ ଜାଣେ ଦଳିତର ଦୁଃଖ, ତା’ର ବେଦନା । – ସମ୍ପାଦକ

ଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ ପ୍ରସଙ୍ଗ। କେଉଁଟା ସାହିତ୍ୟ ନୁହେଁ, ସହଜରେ ଜାଣି ହୁଏ । କେଉଁଟା ସାହିତ୍ୟ ତାହା ବି ବୁଝାପଡ଼େ । ତେବେ ‘ସାହିତ୍ୟ କ’ଣ’ ପ୍ରଶ୍ନର ଉତ୍ତର ଦେଲା ବେଳେ ଦ୍ୱନ୍ଦ୍ୱରେ ପଡ଼ିବାକୁ ହୁଏ । ମୁଣ୍ଡ ଭିତରେ କିଛି କଥା ଗୁଡ଼େଇ ତୁଡ଼େଇ ହୁଏ । ‘ଜୀବନ’ ତ ଜୀବନ : ଜୀବନ ପୁଣି କ’ଣ? ‘ପାଣି’ ତ ପାଣି; ପାଣି ପୁଣି କ’ଣ? ‘ଭୋକ’ ତ ଭୋକ; ଭୋକ ପୁଣି କ’ଣ? ‘ପ୍ରେମ; ପ୍ରେମ ପୁଣି କ’ଣ? ଏ ସବୁର ଅର୍ଥ ଖୋଜିଲେ ମିଳେ କେମିତି? ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୁଡ଼ିକ କ’ଣ ସମାନ ଥାଏ? ଠିକ୍ ସେମିତି ‘ସାହିତ୍ୟ’ର ଅର୍ଥ ଖୋଜିବା । ସାହିତ୍ୟକୁ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞାରେ ସଂଜ୍ଞାୟିତ କରିବା ଦୁରୂହ ବ୍ୟାପାର । ତଥାପି ସାହିତ୍ୟର ସଂଜ୍ଞା ଓ ସ୍ୱରୂପର ଖୋଜା ପଡ଼େ । ପଣ୍ଡିତମାନଙ୍କ ବାଣୀ ଓ ଶାସ୍ତ୍ରାନୁ ମୋଦିତ ତତ୍ତ୍ୱ ଉପରେ ଆଶ୍ରୟ ନେବାକୁ ହୁଏ ।

ପ୍ରାଚ୍ୟ ସାହିତ୍ୟ ତତ୍ତ୍ୱାନୁସାରେ ‘ହିତେନ ସହ ମହିତଂ ତସ୍ୟ ଭାବଃ ସାହିତ୍ୟମ୍ ।’ ଅର୍ଥାତ୍‌, ସାହିତ୍ୟ ମାନବ ସମାଜର ହିତ ସାଧନ କରିଥାଏ । ପାଶ୍ଚାତ୍ୟ ପଣ୍ଡିତ ହଡ଼ସନ୍‌ଙ୍କ ମତରେ – It is thus fundamentally an expression of life through the ,medium of Language. ଅର୍ଥାତ୍‌, ସାହିତ୍ୟ ହେଉଛି ଜୀବନାନୁଭୂତିର ବାଙ୍‌ମୟ ପ୍ରକାଶ । ଏଭଳି ବହୁତ ସଂଜ୍ଞା ରହିଛି । ଏ ସବୁ ସଂଜ୍ଞାରୁ ସ୍ପଷ୍ଟ ହୋଇଥାଏ ଯେ, ମାନବର ଜୀବନକୁ ନେଇ ସାହିତ୍ୟର କାରବାର । ସାହିତ୍ୟରେ ଜୀବନର ଚିତ୍ର ବିମ୍ବିତ ହୋଇଥାଏ । ସାହିତ୍ୟ ସମ୍ପର୍କରେ ଏତକ ବୁଝାପଡ଼ିବା ପରେ ‘ଦଳିତ ସାହିତ୍ୟ’ ପ୍ରସଙ୍ଗକୁ ଆସିବା । ସାହିତ୍ୟରେ ଯଦି ଜୀବନର ଚିତ୍ର ରହୁଛି, ତେବେ ‘ଦଳିତ ସାହିତ୍ୟ’ ଆଉ କାହିଁକି? ତଥାକଥିତ ସାହିତ୍ୟରେ କ’ଣ ଦଳିତର ଜୀବନ ପ୍ରତିଫଳିତ ହୋଇପାରୁନି? ଏଭଳି ପ୍ରଶ୍ନକୁ ଏଡ଼ାଇ ଦିଆଯାଇ ନ ପାରେ । ତେବେ ‘ଦଳିତ ସାହିତ୍ୟ’ କ’ଣ ଓ କାହିଁକି ଜାଣିବା ପୂର୍ବରୁ କିଏ ଓ କ’ଣ ଏହି ‘ଦଳିତ’ ଚିହ୍ନଟ କରିବାକୁ ହେବ ।

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ ‘ଦଳିତ’ର ଅର୍ଥ ଯାହା ଦଳା ହୋଇଛି, ମର୍ଦ୍ଦିତ, ନିଷ୍ପୀଡ଼ିତ, ଖଣ୍ଡିତ, ପିଷ୍ଟ, ଶାସିତ, ଉତ୍‌ପୀଡ଼ିତ, ବିଭକ୍ତ, ବିଧ୍ୱସ୍ତ ଇତ୍ୟାଦି । ଡକ୍ଟର ସୌରାଜ ସିଂହ ବେଚୈନ ‘ଦଳିତ’ର ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି – ଦଳିତ ସେମାନେ, ଯେଉଁମାନଙ୍କୁ ଭାରତୀୟ ସମ୍ବିଧାନ ଅନୁସୂଚିତ ଜାତିର ମାନ୍ୟତା ଦେଇଛି ।

କଁୱଲ ଭାରତୀଙ୍କ ମତରେ – ‘ଦଳିତ’ ସେମାନଙ୍କୁ କୁହାଯିବ, ଯାହାଙ୍କ ଉପରେ ଅସ୍ପୃଶ୍ୟତାର ନିୟମ ଲଗାଯାଇଛି, ଯେଉଁମାନଙ୍କୁ କଠୋର ଏବଂ ଘୃଣ୍ୟୃ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଛି, ଯେଉଁମାନଙ୍କୁ ଶିକ୍ଷାଗ୍ରହଣ କରିବାକୁ ଏବଂ ସ୍ୱତନ୍ତ୍ର ବ୍ୟବସାୟ କରିବାକୁ ମନା କରାଯାଇଛି ଏବଂ ଯାହାଙ୍କ ଉପରେ ସ୍ପୃଶ୍ୟମାନେ ସାମାଜିକ ନିର୍ଯୋଗ୍ୟତାର ସଂହିତା ଲାଗୁ କରିଛନ୍ତି, ଏମାନେ ଦଳିତ, ଯାହାକୁ ଅନୁସୂଚିତ ଜାତି କୁହାଯାଏ ।

ମୋହନ ଦାସ ନୈମିଶରାୟଙ୍କ ବିଚାରରେ – ‘ଦଳିତ’ ଶବ୍ଦ ମାର୍କ୍ସ ପ୍ରଣୀତ ‘ସର୍ବହରା’ ଶବ୍ଦର ସମାନାର୍ଥବୋଧକ ଲାଗିଥାଏ । କିନ୍ତୁ ଏହି ଦୁଇଟି ଶବ୍ଦ ମଧ୍ୟରେ ପର୍ଯ୍ୟାପ୍ତ ପ୍ରଭେଦ ରହିଛି । ଦଳିତର ବ୍ୟାପ୍ତି ଅଧିକ ଥିବା ବେଳେ ସର୍ବହରାର ବ୍ୟାପ୍ତି ସୀମିତ । ଦଳିତ ମଧ୍ୟରେ ସାମାଜିକ, ଧାର୍ମିକ, ଆର୍ଥିକ, ରାଜନୈତିକ ଶୋଷଣର ଅନ୍ତର୍ଭାବ ରହିଛି ଅଥଚ ସର୍ବହରା କେବଳ ଆର୍ଥିକ ଶୋଷଣରେ ହିଁ ସୀମିତ । ଦଳିତ ଜଣକ ସର୍ବହରାର ଅନ୍ତର୍ଗତ ହୋଇପାରେ କିନ୍ତୁ ପ୍ରତ୍ୟେକ ଦଳିତ କହିବାକୁ ବାଧ୍ୟ ହୋଇବା ନାହିଁ… ଅର୍ଥାତ୍‌, ସର୍ବହରାର ସୀମା ମଧ୍ୟରେ ଆର୍ଥିକ ବିଷମତାର ଶିକାର ଗୋଷ୍ଠୀ ଆସୁଥିଲା ବେଳେ ଦଳିତ ବିଶେଷତଃ ସାମାଜିକ ବିଷମତାର ଶିକାର ହୋଇଥାଏ ।

‘ଦଳିତ’ ଶବ୍ଦକୁ ସ୍ପଷ୍ଟ କରିବାକୁ ଯାଇ ଡକ୍ଟର ମୈନେଜର ପାଣ୍ଡେୟ କହଛନ୍ତି – ଯେତେବେଳେ ମୁଁ ‘ଦଳିତ’ ଶବ୍ଦ ପ୍ରୟୋଗ କରେ, ସେତେବେଳେ ମୋର ଧ୍ୟାନରେ ଥାଏ ଯେ ଯାହାକୁ ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଶୂଦ୍ର କୁହାଯାଏ ଓ ଯାହାକୁ ସମାଜ ଅଚ୍ଛୁତ ମାନିଥାଏ । ଡକ୍ଟର ଏନ୍‌.ସିଂହ କହିଛନ୍ତି – ମୋର ବିଚାରରେ ‘ଦଳିତ’ ଶବ୍ଦର ଅର୍ଥ ହେଉଛି ଯାହାର ଦଳନ ବା ଉତ୍ପୀଡ଼ନ କରାଯାଇଛି । ଏହି ଉତ୍ପୀଡ଼ନ ହୁଏତ ‘ଶାସ୍ତ୍ର’ ଦ୍ୱାରା ‘ଶସ୍ତ୍ର’ ଦ୍ୱାରା ହୋଇଛି ।

ଭାରତୀୟ ସମାଜରେ ‘ଦଳିତ’ ସକାଶେ ଯେଉଁ ସବୁ ଶବ୍ଦ ପ୍ରୟୋଗ ରହିଛି ତନ୍ମଧ୍ୟରୁ ମୁଖ୍ୟ କେତେଟି ହେଉଛି – ଅସ୍ପୃଶ୍ୟ, ଅନ୍ତ୍ୟଜ, ହରିଜନ ଇତ୍ୟାଦି ।

ଓଡ଼ିଆ ସାହିତ୍ୟ, ବିଶେଷ କରି ଉପନ୍ୟାସରେ ଏହି ଦଳିତର ଚିତ୍ରର ଅଭାବ ନାହିଁ । ଫକୀର ମୋହନ ସେନାପତି ‘ଛ ମାଣ ଆଠଗୁଣ୍ଠ’ ଉପନ୍ୟାସରେ ତନ୍ତୀ ଓ ତନ୍ତିଆଣୀ, ଭଣ୍ଡାରୀ ଓ ଭଣ୍ଡାରୁଣୀ ଆଦି ନିମ୍ନବର୍ଗର ଲୋକଙ୍କ ସହ ଗୋବରା ଜେନା’ ଚୌକିଦାର ପରି ଅସ୍ପୃଶ୍ୟର କଥା କହି ଦଳିତଙ୍କ ସାମାଜିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଉପନ୍ୟାସରେ ମଙ୍ଗରାଜ ରତନପୁରର ନିରୀହ ଡମମାନଙ୍କୁ ବିନା ଦୋଷରେ ଜେଲ ପଠାଇଥିବା ଉଲ୍ଲେଖ ରହିଛି । ଔପନ୍ୟାସିକ ସେହି ଡମମାନଙ୍କ ଦ୍ୱାରା ମଙ୍ଗରାଜକୁ ଜେଲ୍‌ରେ ଘଣା ପେଲିବା ବେଳେ ଗୋଇଠା ମରାଇଛନ୍ତି ।

କୁନ୍ତଳା କୁମାରୀ ସାବତ ‘ନଅତୁଣ୍ଡୀ’ ଉପନ୍ୟାସରେ ହାଡ଼ି, ପାଣ, ମୋଚି ଆଦି ଅସ୍ପୃଶ୍ୟମାନଙ୍କର ସଂସ୍କାର ଆଣିବା ସହିତ ତାଙ୍କ ସ୍ଥିତି ଓ ସମ୍ଭାବନାକୁ ଏକ ଭିନ୍ନ ପର୍ଯ୍ୟାୟରେ ପହଞ୍ଚାଇବାର ପ୍ରଚେଷ୍ଟା କରାଯାଇଛି । କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’ରେ ଜଣେ ଦଳିତ ଉଚ୍ଚବର୍ଗର ହରି ମିଶ୍ରଙ୍କୁ ଜୀବନରେ ମାରି ଦେବା ପାଇଁ କଟୁରୀ ପଜାଇଛି ।

ଗୋପୀନାଥ ମହାନ୍ତିଙ୍କ ହରିଜନ, ଦାଦିବୁଢ଼ା, ପରଜା ଆଦି ଉପନ୍ୟାସରେ ଦଳିତ ଜୀବନର ଚିତ୍ର ରହିଛି । କାନ୍ତକବିଙ୍କ ‘କଣାମାମୁଁ’ ଉପନ୍ୟାସର ହଗୁରି ଜେନା ଚୌକିଦାର, ସୁରେନ୍ଦ୍ର ମହାନ୍ତିଙ୍କ ‘ନେତିନେତି’ ଉପନ୍ୟାସର ଗଉରା ମଳିକ ଚରିତ୍ର ଯଥାର୍ଥରେ ଏକ ଜୀବନ୍ତ ସୃଷ୍ଟି ।

ଶାନ୍ତନୁ ଆଚାର୍ଯ୍ୟଙ୍କ ‘ତିନୋଟି ରାତିର ସକାଳ’ରେ ଉଚ୍ଚବର୍ଗର ଯୁବକ (ବିଭୁ ପ୍ରସାଦ) ଦଳିତ କନ୍ୟାକୁ ବିବାହ କରିଥିବା ବେଳେ ‘ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ’ରେ ଲକ୍ଷ୍ମୀଧର ନିଜ ସ୍ତ୍ରୀର ଶବକୁ ଦଳିତଙ୍କ ଦ୍ୱାରା ଶ୍ମଶାନରେ ସତ୍କାର କରାଇଛି । ‘ଧରିତ୍ରୀର କାନ୍ଦ’ ଉପନ୍ୟାସରେ ଅରଖିତ ମଳିକ ଭଳି ଚରିତ୍ର ସୃଷ୍ଟି କରାଯିବା ସହିତ ଦଳିତମାନଙ୍କ ସାମାଜିକ ସମସ୍ୟାକୁ ଏକ ସୁନ୍ଦର ସମାଧାନରେ ପହଞ୍ଚାଇ ଦିଆଯାଇ ପାରିଛି ।

ରାମଚନ୍ଦ୍ର ବେହେରାଙ୍କ ‘ମନିକା ଏବେ କେଉଁଠି’ ଉପନ୍ୟାସରେ ଜଣେ ଉଚ୍ଚବର୍ଗର କନ୍ୟା ଶିକ୍ଷିତ ଦଳିତ ଯୁବକକୁ ବିବାହ କରିଛି । ଏହି ଉପନ୍ୟାସରେ ଦଳିତମାନେ ନିଜ ଉପରେ ହେଉଥିବା ଅତ୍ୟାଚାରର ପ୍ରତିରୋଧ କରିଛନ୍ତି ।

ଦଳିତର ଜୀବନକୁ ଅଳ୍ପେ ବହୁତେ ଓଡ଼ିଆ ଉପନ୍ୟାସ ଅବଶ୍ୟ ତୋଳି ଧରିଛି, ଏହାକୁ ସ୍ୱୀକାର କରିବାକୁ ହେବ । ତେବେ ଦଳିତର ଚିତ୍ର ରହିଥିବା ଏଭଳି ଉପନ୍ୟାସକୁ ଦଳିତ ଉପନ୍ୟାସ କୁହାଯାଇ ନ ପାରେ । ଦଳିତର କଥାକୁ ଚିତ୍ରିତ କରିଥିବା ଅଣଦଳିତ ଲେଖକଙ୍କୁ ମଧ୍ୟ ଦଳିତ ଲେଖକ କୁହାଯାଇ ପାରିବ ନାହିଁ । ଦଳିତ ଜୀବନ ପ୍ରତି ଏହି ଲେଖକମାନଙ୍କର ସହାନୁଭୂତି ଅଛି, ହେଲେ ସ୍ୱ-ଅନୁଭୂତି ନାହିଁ ।

ଦଳିତ ସାହିତ୍ୟ ଦଳିତ ଚେନାର ଅଭିବ୍ୟକ୍ତି । ଏଥିରେ ରହିଛି ଦଳିତ ମାନବତାର ସ୍ୱର । ଦଳିତ ସାହିତ୍ୟ ହେଉଛି ଦଳିତର ଉତ୍‌ଥାନର ସାହିତ୍ୟ । କଁୱଲ ଭାରତୀଙ୍କ ମତରେ- ଦଳିତ ସାହିତ୍ୟ ବର୍ଣ୍ଣବ୍ୟବସ୍ଥା ଦ୍ୱାରା ପୀଡ଼ିତ ସମାଜର ବେଦନାର ଶବ୍ଦରୂପ ।

ସାହିତ୍ୟ ସହିତ ଦଳିତ ଶବ୍ଦର ମିଶ୍ରଣରେ ଏହାର ବ୍ୟାପକତା ଆହୁରି ଅଧିକ କ୍ରାନ୍ତିବୋଧକ ହୋଇଥାଏ । ଅର୍ଥ ଆହୁରି ବେଶି ବ୍ୟଞ୍ଜନାତ୍ମକ ହୋଇ ସାହିତ୍ୟର ଭୂମିକାକୁ ପ୍ରଖର କରିଥାଏ । ଏହି ପର୍ଯ୍ୟାୟରେ ସାହିତ୍ୟ ସାମାଜିକ ଉତ୍ତର ଦାୟିତ୍ୱକୁ ଅଧିକ ବିଶ୍ଲେଷିତ କରିବାର କ୍ଷମତା ହାସଲ କରେ । ଅଧିକନ୍ତୁ ଦଳିତ ଶବ୍ଦ ବିରୋଧର ଅଭିବ୍ୟକ୍ତିର ପ୍ରତୀକ ଭାବରେ ପ୍ରକଟିତ ହୁଏ । ଦଳିତ ସାହିତ୍ୟ ସମାଜ-ସାପେକ୍ଷ । ସାହିତ୍ୟର ମୂଳ ସମ୍ବେଦନା ସହିତ ଦଳିତ ସାହିତ୍ୟ ମନୁଷ୍ୟର ସ୍ୱତନ୍ତ୍ରତା, ସମତା ତଥା ବନ୍ଧୁତ୍ୱର ଭାବନାକୁ ସ୍ୱୀକାର କରିଥାଏ ।

ଦଳିତ ସାହିତ୍ୟର ପରିଭାଷାକୁ କରିବାକୁ ଯାଇ ପ୍ରେମକୁମାର ମଣି କହିଛନ୍ତି ଦଳିତଙ୍କ ପାଇଁ ଦଳିତଙ୍କ ଦ୍ୱାରା ଲେଖାଯାଇଥିବା ସାହିତ୍ୟ ହିଁ ଦଳିତ ସାହିତ୍ୟ; ଏହା ବିଳାସର ନୁହେଁ? ଆବଶ୍ୟକତାର ସାହିତ୍ୟ । ସମ୍ପୂର୍ଣ୍ଣ ବିଜ୍ଞାନ ଏହାର ଦୃଷ୍ଟି ଏବଂ ପୀଡ଼ିତ ମାନବତାର ଉଦ୍ଧାର ଏହାର ଇଷ୍ଟ । ଦଳିତ ସାହିତ୍ୟ ଅନ୍ଧାରରେ ଓହ୍ଲାଇଥିବା ଏକ ପ୍ରକାଶପୁଞ୍ଜ । ବୁବୁରାଓ ବାଗୁଲଙ୍କ ଭାଷାରେ- ମନୁଷ୍ୟର ମୁକ୍ତିକୁ ସ୍ୱୀକାର କରୁଥିବା ମନୁଷ୍ୟକୁ ମହାନ୍ ମାନୁଥିବା, ବଂଶ ବର୍ଣ୍ଣ ଏବଂ ଜାତି ଶ୍ରେଷ୍ଠତ୍ୱକୁ ପ୍ରବଳ ବିରୋଧ କରୁଥିବା ସାହିତ୍ୟ ହିଁ ଦଳିତ ସାହିତ୍ୟ ।

ଏହି କେତୋଟି ପରିଭାଷାରୁ ସ୍ପଷ୍ଟ ହୁଏ – ଦଳିତ ଜାତିର ଲେଖକ ଦ୍ୱାରା ଦଳିତ ଜୀବନ ଉପରେ ଲେଖାଯାଇଥିବା ସାହିତ୍ୟ ହିଁ ଦଳିତ ସାହିତ୍ୟ, ଯାହା ପରମ୍ପରାଗତ ଶୋଷଣର ମାନ୍ୟତା ବିରୁଦ୍ଧରେ ବିଦ୍ରୋହର ଭାବନା ଜାଗରଣ କରିବାର ପ୍ରାୟାସ କରେ । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଦଳିତ ସାହିତ୍ୟ ଲେଖିବାକୁ ହେଲେ କ’ଣ ଦଳିତ ହେବା ଜରୁରୀ? ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ହୀନ୍ଦି ସାହିତ୍ୟକୁ କାଶୀନାଥ ସିଂହଙ୍କର ବକ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ସେ କହିଛନ୍ତି – ଘୋଡ଼ା ଉପରେ ଲେଖିବାକୁ ହେଲେ ଘୋଡ଼ା ହେବା ଜରୁରୀ ନୁହେଁ । ଏହା ନିରାଟ ସତକଥା । ତେବେ ଜଣେ ଘୋଡ଼ା ଉପରେ ଲେଖିଲେ କ’ଣ ଲେଖିବ? ତା’ର ବାହ୍ୟ ଅଙ୍ଗ, ତା’ର ଚାଲି, ତା’ର ହ୍ରେସାରାବ ଇତ୍ୟାଦି ଉପରେ ହିଁ ଲେଖିବ । ଭୋକ ଶୋଷରେ ବନ୍ଧା ପଡ଼ିଥିବା ଘୋଡ଼ାର ମାଲିକ ପ୍ରତି କି ଭାବନା, ତାହା କେବଳ ଘୋଡ଼ା ହିଁ ଜାଣେ ।

ଆଉ ଏକ ଛୋଟ ଉଦାହରଣ ଦେଇ ଦଳିତ ଲେଖକର ପରିଚୟକୁ ସ୍ପଷ୍ଟ କରାଯାଇପାରେ । ମିଠା । ମିଠାର ସ୍ୱାଦ ମିଠା, ମଧୁର । ତେବେ ଚିନି ଓ ଗୁଡ଼ର ମିଠା କ’ଣ ଏକା ସ୍ୱାଦ? ରସଗୋଲା ଓ ଜିଲ୍‌ବିର ମିଠା କ’ଣ ସମାନ? ହୋଇ ନ ପାରେ । ରସଗୋଲା ଚାଖିଥିବା ଲୋକ ହିଁ ତା’ର ମିଠା କେମିତି ଜାଣିବ । ତଦନୁରୂପ ଅନୁଭୂତି ସମ୍ପନ୍ନ ବ୍ୟକ୍ତି ହିଁ ଜାଣେ ସ୍ୱ-ଅନୁଭବକୁ । ଲାଂଛିତ ମଣିଷକୁ ଜଣା ଲାଞ୍ଛନାର ଜ୍ୱାଳା । ଦଳିତ ଲେଖକ ଜାଣେ ଦଳିତର ଦୁଃଖ, ତା’ର ବେଦନା । ସେ ଶବ୍ଦରୁ ଆଣେ ଉର୍ଜା, ଶବ୍ଦରେ ଦିଏ ପୀଡ଼ାର ଅଭିବ୍ୟକ୍ତି । ପାରମ୍ପରିକ ସାହିତ୍ୟର ସୌନ୍ଦର୍ଯ୍ୟ ନେଇ ଚିତ୍ର ଆଙ୍କେ ନାହିଁ, ସେ ବିଦ୍ରୋହ କରେ । ଦଳିତ ସାହିତ୍ୟର ଭାଷା, ବିମ୍ବ, ପ୍ରତୀକ, ଭାବବୋଧ ଆଦି ପାରମ୍ପରିକ ସାହିତ୍ୟ ଠାରୁ ଭିନ୍ନ, ଏହାର ସଂସ୍କାର ଭିନ୍ନ ।

ବର୍ତ୍ତମାନ ଭାରତୀୟ ସାହିତ୍ୟରେ ଆଉ ଦଳିତ ସାହିତ୍ୟ ପ୍ରସଙ୍ଗ ନୂଆ ହୋଇ ରହିନାହିଁ । ତେବେ ମରାଠୀ, ହୀନ୍ଦି, ବଙ୍ଗଳା, ତେଲୁଗୁ ପ୍ରଭୃତି ଭାଷାରେ ଯେଉଁଭଳି ଦଳିତ ସାହତ୍ୟ ସୃଷ୍ଟି ହୋଇଛି, ସେହି ଅନୁପାତରେ ଓଡ଼ିଆ ହୋଇ ନାହିଁ । ସଂଖ୍ୟା ଦୃଷ୍ଟିରୁ ଦଳିତ କବିତା ସନ୍ତୋଷ ଜନକ ଥିବା ବେଳେ କଥା ସାହିତ୍ୟ ଅତ୍ୟଳ୍ପ । ଓଡ଼ିଆରେ ଏଯାବତ୍ ଦୁଇଟି ଦଳିତ ଉପନ୍ୟାସ ରଚିତ ଓ ପ୍ରକାଶିତ ।

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ ‘ଭେଦ’ ୨୦୧୦ ଏବଂ ଦ୍ୱିତୀୟ ଦଳିତ ଉପନ୍ୟାସ ‘ପଡ଼ାପୋଡ଼ି’ ୨୦୧୪ରେ ପ୍ରକାଶ ପାଇଛି । ‘ଭେଦ’ର ସ୍ରଷ୍ଟା ଅଖିଳ ନାୟକ ଓ ‘ପଡ଼ାପୋଡ଼ି’କୁ ଲେଖିଛନ୍ତି ବାସୁଦେବ ସୁନାନୀ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଦୁହେଁ ପ୍ରତିଷ୍ଠିତ କବି । ବୃତ୍ତିରେ ଅଖିଳ ଅଧ୍ୟାପକ ଏବଂ ବାସୁଦେବ ଜଣେ ପ୍ରାଣୀ-ଚିକିତ୍ସକ ।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଓ ତା ଆଖପାଖର ଅଳ୍ପ କେତୋଟି ଗ୍ରାମର ଘଟଣା ଉପରେ ଆଧାରିତ ‘ଭେଦ’ ଉପନ୍ୟାସଟି ଏକ ଆଞ୍ଚଳିକ ଉପନ୍ୟାସ । ତଥାକଥିତ ସଭ୍ୟ, ଶିକ୍ଷିତ ତଥା ଉଚ୍ଚବର୍ଗର ଲୋକଙ୍କ ଦ୍ୱାରା ନିରୀହ ଦଳିତ ଓ ନିମ୍ନବର୍ଗର ଲୋକେ କିଭଳି ଶୋଷଣର ଶିକାର ପାଲଟି ଜୀବନ୍ମୃତ ଅବସ୍ଥାରେ ରହୁଛନ୍ତି ତା’ର ଏକ ନିଚ୍ଛକ ଚିତ୍ର ଏହି ଉପନ୍ୟାସରେ ଅଛି । ଲଲ୍‌ଟୁ ଓରଫ୍ ଲଲାଟେନ୍ଦୁ ଦୁରିଆ ହେଉଛି ଏହି ଉପନ୍ୟାସର ମୁଖ୍ୟ ନାୟକ । ଏହି ଦଳିତ ଯୁବକ ଶୋଷିତ ଓ ଅତ୍ୟାଚାରିତ ମଣିଷମାନଙ୍କ ସକାଶେ ସଂଗ୍ରାମ କରିଛି । ଉପନ୍ୟାସଟି ସାତୋଟି ଗୁରୁତ୍ୱପୂର୍ଣ୍ଣ ଚରିତ୍ରର ନାମାନୁସାରେ ସାତୋଟି ପରିଚ୍ଛେଦରେ ବିଭାଜିତ । ସେହି ସାତୋଟି ରଚିତ୍ର ହେଉଛି ୧) ଦିନାମାଷ୍ଟ୍ରେ, ୨) ବାୟା ଓକିଲ, ୩) ଲଲ୍‌ଟୁ, ୪) ସେମି ସେଠ୍‌, ୫) ମୁନା, ୬) ମାଷ୍ଟ୍ରାଣୀ ଓ ୭) ସନ୍ତୋଷ ପଣ୍ଡା ।

ନିହାତି ସାଧାରଣ ଓ ଛୋଟ ଛୋଟ ଘଟଣାକୁ ପ୍ରାସଙ୍ଗିକ ଭାବରେ ଉପସ୍ଥାପନ କରି ଔପନ୍ୟାସିକ ଏହାକୁ ପ୍ରାଣବନ୍ତ କରି ଗଢ଼ି ତୋଳିଛନ୍ତି । କଳାହାଣ୍ଡିର ଗ୍ରାମୀଣ ଜୀବନ ଓ ଲୋକ ଭାଷା ଏହାର ଅନ୍ୟ ଏକ ଆକର୍ଷଣ । ତେବେ ପାରମ୍ପରିକ ଗ୍ରାମ୍ୟ ଜୀବନ ଆଧାରିତ ଉପନ୍ୟାସ ଭଳି ଏଥିରେ ବର୍ଣ୍ଣନାର ବାହୁଲ୍ୟ ନାହିଁ । ରହିଛି ଦଳିତ ଚେତନାର ବୈଚାରିକ ଅଭିବ୍ୟକ୍ତି । କହିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଏହାର ଅନ୍ତଃଧାରାକୁ ବୁଝିବାକୁ ହେଲେ ତା’ର ବୈଚାରିକ ଏବଂ ସାମାଜିକ ଦୃଷ୍ଟିକୋଣକୁ ବୁଝିବାକୁ ହେବ । ଏଥିରେ ମାର୍କ୍ସବାଦ ଓ ଅମ୍ବଦକରବାଦ ଚିନ୍ତାଧାରା ସୁସ୍ପଷ୍ଟ ।

‘ଭେଦ’ ଉପନ୍ୟାସର ଆରମ୍ଭ ହୋଇଛି ‘ଦିନାମାଷ୍ଟ୍ରେ’ ପ୍ରସଙ୍ଗରୁ । ଶିକ୍ଷକତା ଭଳି ଏକ ପବିତ୍ର ବୃତ୍ତିକୁ ଆପଣେଇ ନେଇଥିବା ଦିନବନ୍ଧୁ ଦୁରିଆ ଶିକ୍ଷକତା ଜୀବନରେ ବହୁତ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଛନ୍ତି । ଛାତ୍ରବତ୍ସଳ ଦିନାଜ୍ଞାଙ୍କ ପ୍ରତି ଛାତ୍ରଛାତ୍ରୀମାନଙ୍କର ରହିଛି ଗଭୀର ଭଲପାଇବା ଓ ଭକ୍ତି । ଦିନେ ବିଦ୍ୟାଳୟ ପରିଦର୍ଶନରେ ହଠାତ୍ ପହଞ୍ଚି ଯାଆନ୍ତି ଏସାଇ ପଣ୍ଡା ଆଜ୍ଞା । ତାଙ୍କର ବିଭିନ୍ନ ପ୍ରଶ୍ନର ଠିକ୍ ଉତ୍ତର ଦିଅନ୍ତି ଛାତ୍ରଛାତ୍ରୀମାନେ; କିନ୍ତୁ ହେଡ଼ମାଷ୍ଟରଙ୍କ ପୂରା ନାଆଁ କହିପାରନ୍ତି ନାହିଁ । ଚିହିଁକି ଉଠନ୍ତି ଏ ସାଇ । ପିଲାଙ୍କ ସାମ୍ନାରେ ତାତ୍ସଲ୍ୟ କରି କହନ୍ତି – କି ଗେଣ୍ଠାଗୁଡ଼ ପଢ଼ାଉଛ କି ହୋ ମାଷ୍ଟ୍ରେ । ଛାତ୍ର ଉପସ୍ଥାନ ରେଜିଷ୍ଟର ଏବଂ ଖାଦ୍ୟ ବଣ୍ଟନ ରେଜିଷ୍ଟର ମଧ୍ୟରେ ସଂଖ୍ୟାର ମେଳ ନ ହେବାରୁ ମନଇଚ୍ଛା ବକି ଯାଆନ୍ତି । ଏପରିକି ଜାତିଆଣ ଆକ୍ଷେପ ମଧ୍ୟ କରନ୍ତି – କିଏ ତମକୁ ମାଷ୍ଟର କଲା ହୋ… ଯାଇ ବାଜା ବଜାଅ, ବାଜା… । (ଭେଦ, ପୃ-୮) ଦିନାମାଷ୍ଟ୍ରେ ଦଳିତ ସଂପ୍ରଦାୟ, ବାଜା ବଜାଇବା ତାଙ୍କ ଜାତିର ପ୍ରଧାନ ବୃତ୍ତି । ଏହି ପର୍ଯ୍ୟାୟରେ ସ୍ପଷ୍ଟ ହୋଇଯାଏ ଯେ ଦିନାମାଷ୍ଟ୍ରେଙ୍କୁ ଫସେଇବାର ଚକ୍ରାନ୍ତ କରି ସେହି ଗାଆଁର ଗଉନ୍ତିଆ ଛାୟା ଓକିଲ ଓରଫ ବନବିହାରୀ ତ୍ରିପାଠୀ ଡକାଇଥିଲେ ଏସାଇଙ୍କୁ ।

‘ବାୟାଓକିଲ’ ପର୍ଯ୍ୟାୟରେ ବାୟାଓକିଲ ଓ ତାଙ୍କ ପରିବାରର ପରିଚୟ ରହିଛି । ଔପନ୍ୟାସିକ ଏହି ପର୍ଯ୍ୟାୟରେ କଳାହାଣ୍ଡିର ଇତିହାସ ସମ୍ବନ୍ଧରେ ସାମାନ୍ୟ ସୂଚନା ଦେବା ସହିତ ଗୌନ୍ତିଆ ପଦର ନିଲାମ କଥା ବର୍ଣ୍ଣନା କରିଛନ୍ତି । ‘ଫିରୋଜପୁର ମୌଜାର ଅସଲ ଗଉନ୍ତିଆ ଥିଲେ ଲୋଚନ ହାତୀ । ଜାତିରେ ଗଉଡ଼ । ତିନି ଚାରି ଶହ ଏକର ଜମିର ମାଲିକ । ମାନେ, ମୌଜାର ଅଧାରୁ ଅଧିକ ଜମି ତାଙ୍କର କହିଲେ ଚଳେ । ବିଶେଷ ଲେଖପଢ଼ା କରି ନ ଥିଲେ । ବ୍ରାହ୍ମଣ- କରଣଙ୍କ ଛଡ଼ା ଆଉ କେହି ପାଠ ପଢ଼ୁନ ଥିଲେ ସେତେବେଳେ । ପାଠର ବି କିଛି ଦରକାର ନ ଥିଲା । ହିସାବ ନିକାସ୍ ଶିଖିଗଲେ ଢ଼େର୍ । ସେତକ ଶିଖିଥିଲେ । ଲୋଚନ ହାତୀ ଅକ୍ଷର ମଡ଼େଇ ଯେନତେନ ପ୍ରକାରେ ନିଜର ସଇଟା ବି କରିପାରୁଥିଲେ । ଲୋକେ କହନ୍ତି, ଲୋଚନ ଗଉନ୍ତିଆ ଭାରି ଭଲ ଲୋକ ଥିଲେ । ଯେମିତି ମେଲାପି ସେମିତି ସରଳ ବିଶ୍ୱାସୀ ବାଟରେ ଚାଲିଯାଉଥିବା ଲୋକଙ୍କୁ ଡାକିଆଣି ସୁଖଦୁଃଖ ପଚାରୁଥିଲେ, ହାନିଲାଭ ବୁଝୁଥିଲେ । ଆଉ ରଇତମାନେ ତ ତାଙ୍କର ପ୍ରଜା ନ ଥିଲେ, ଥିଲେ ପୁଅ କି ପୁତୁରା ।’ (ଭେଦ, ପୃ-୧୬) ଏଭଳି ଜଣେ ଗଉନ୍ତିଆଙ୍କର ପଦ ଚାଲିଯାଇଛି । ବାୟାଓକିଲଙ୍କ ବାପା ଶଚୀକାନ୍ତ ତ୍ରିପାଠୀ (ଯିଏ କି ସାହାଜଖୋଲ ଜଙ୍ଗଲର ଫରେଷ୍ଟର ଥିଲେ ଓ ଲୋଚନ ଗଉନ୍ତିଆଙ୍କର ମିତ ମାନ୍ୟରେ ଥିଲେ) କାରସାଦୀ କରି ଗଉନ୍ତିଆ ପଦକୁ ହାତେଇ ନେଇଛନ୍ତି । ଏଠାରେ ଔପନ୍ୟାସିକ କଳାହାଣ୍ଡିର ସରଳ ନିରୀହ ଲୋକ କିପରି ଶୋଷିତ ହୋଇଛନ୍ତି ଏବଂ ଛଳନାର ଶିକାର ହୋଇ ସର୍ବଶ୍ୱାନ୍ତ ହୋଇଛନ୍ତି, ତା’ର ଏକ ନଗ୍ନଚିତ୍ର ଅଙ୍କନ କରିଛନ୍ତି ।

‘ଲଲ୍‌ଟୁ’ ଶୀର୍ଷକ ପର୍ଯ୍ୟାୟରେ ଲଲଟୁର ପରିଚୟ ରହିଛି । ଲଲ୍‌ଟୁ ହେଉଛି ଦିନାମାଷ୍ଟ୍ରେଙ୍କ ପୁଅ, ଯିଏକି ‘ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି’ର ସଭାପତି । ସେ ଓ ତା’ ସାଙ୍ଗମାନେ ଧରିଥିଲେ ବାୟାଓକିଲଙ୍କ ଚୋରାକାଠପଟା ବୋଝେଇ ଟ୍ରାକ୍ଟରକୁ । ଏହି ପର୍ଯ୍ୟାୟରେ ଲଲ୍‌ଟୁର ପିଲାଦିନ ଓ ସ୍କୁଲ ଜୀବନ ବର୍ଣ୍ଣିତ । ଏକଦା ମେଧାବୀ ଛାତ୍ର ଥିବା ଲଲ୍‌ଟୁ ପରବର୍ତ୍ତୀ ସମୟରେ ପାଠପଢ଼ାରେ ଅବହେଳା କରିଛି । ପ୍ଲସ୍‌ଟୁ ପରୀକ୍ଷା ନ ଦେଇ ଗାଆଁରେ ରହିଛି । ନିରୀହ ଲୋକଙ୍କୁ ବିଭିନ୍ନ ସାହାଯ୍ୟ କରିଛି । ବିଧବା ଭତ୍ତାକୁ ଆତ୍ମସାତ୍ କରୁଥିବା ବି.ଡ଼ି.ଓ.ଙ୍କୁ ଚାପୁଡ଼ା ମାରି ଜେଲ ଯାଇଛି ଓ ଜନୈକ ସମ୍ବାଦପତ୍ରରେ ‘ଦୁର୍ନୀତିଗ୍ରସ୍ତ’ ବିଡ଼ିଓ୍‌କୁ ଚାପୁଡ଼ା ମାଡ଼ : ଯୁବ ସମାଜସେବୀ ଜେଲରେ’ ଶୀର୍ଷକ ସମ୍ବାଦ ପ୍ରକାଶ ପାଇବା ପରେ ଲଲ୍‌ଟୁକୁ ଜାମିନ୍ ମିଳିବା ସହିତ ବିଡ଼ିଓ ନିଲମ୍ବିତ ହେଲେ । ଅଞ୍ଚଳରେ ଲଲ୍‌ଟୁର ଖାତିର୍ ବଢ଼ି ଯାଇଛି । ଏହି ପର୍ଯ୍ୟାୟରେ କଳାହାଣ୍ଡିର ଦାରିଦ୍ର୍ୟ, ଅସହାୟ ମଣିଷଙ୍କ ଦୁରବସ୍ଥା, ବୁଢ଼ାବୁଢ଼ୀମାନଙ୍କ ଭତ୍ତା ଉପରେ ବିଡ଼ିଓଙ୍କ ଲୋଲୁପ ଦୃଷ୍ଟି, ସେମି ମାରବାଡ଼ିର ଚୋରା ବେପାର, ଗୁଣିଗାରିଡ଼ୀ ଆଦି ବର୍ଣ୍ଣିତ ହୋଇଛି । ଲଲ୍‌ଟୁ ସେହି ସମ୍ବାଦପତ୍ରରେ ସାମ୍ବାଦିକତା କରିବାର ସୂଚନା ମଧ୍ୟ ରହିଛି ।

ଉପନ୍ୟାସର ଚତୁର୍ଥ ପର୍ଯ୍ୟାୟର ନାମକରଣ କରାଯାଇଛି- ‘ସେମି ସେଠ୍‌’ । ସେମି ସେଠ୍‌ର ବାପା ପବନା ସେଠ୍ ବେହେଡ଼ା ହାଟକୁ ଲୁଣ ଓ ମାଟି ତେଲ ବିକିବାକୁ ଆସୁଥିଲା । ବେହେଡ଼ା ଗାଆଁର ଗଉନ୍ତିଆ ଦୁର୍ଜନ ମାଝୀଙ୍କ ସହିତ ତା’ର ପରିଚୟ ହୋଇଛି । ଗଉନ୍ତିଆଙ୍କ ଦୟାରେ ଗାଁରେ ଘରଟିଏ କରିଛି ଠିକ୍ ଗଉନ୍ତିଆଙ୍କ ଘର ସାମ୍ନାରେ । ପରବିର୍ତ୍ତୀ ସମୟରେ ଦୁର୍ଜନ ଗଉନ୍ତିଆ ଓ ତାଙ୍କ ଅନ୍ତେ ତାଙ୍କର ପୁଅଙ୍କ ଠାରୁ ପଇଁଚାଳିଶ ଏକର ଉର୍ବର ଚାଷ ଜମି କିଣିବା ସହିତ ବେହେଡ଼ା ଗାଁର ତିନି ଭାଗରୁ ଭାଗେ ଜମିର ମାଲିକ ହୋଇଛି । ପବନା ସେଠ୍ ଘର ଧୂର୍ତ୍ତ ସେମି ସେଠ୍ ବାପ ସମ୍ପତ୍ତିକୁ ବୃଦ୍ଧି କରାଇଛି । ସାତଟା ଟ୍ରକ୍‌, ତିନୋଟି ଦୋକାନ ଓ ବଡ଼ ରାଇସ୍ ମିଲ୍ କରିପାରିଛି । ସେ ସରପଞ୍ଚ ହେବାକୁ ଚାହିଁଛି; କିନ୍ତୁ ଲଲଟୁ ଓ ତା’ର ସାଙ୍ଗମାନେ ତାହା ହେବାକୁ ଦେଇ ନାହାନ୍ତି । ବାୟା ଓକିଲ ଓ ସେମି ସେଠ୍‌ର ସମ୍ବନ୍ଧ ତଥା ଦୁହିଁଙ୍କର ମନ୍ତ୍ରଣା ପ୍ରସଙ୍ଗ ଏଠାରେ ଚିତ୍ରତ । ବାୟାଓକିଲ ସଂଘର ପ୍ରଚାର- ପ୍ରସାରରେ ବହୁତ ଆଗ୍ରହ ବହୁତ ଆଗ୍ରହ ରଖନ୍ତି । ଫିରୋଜପୁରର ନାଆଁ ବଦଳାଇ ଶ୍ରୀରାମପୁର ରଖିବାକୁ ଚାହାନ୍ତି । ଅମ୍ବେଦକରଙ୍କ ପ୍ରତି ତାଙ୍କର ପ୍ରଚୁର ଘୃଣା ଓ କ୍ରୋଧ ଥିବା ବେଶ୍ ସ୍ପଷ୍ଟ ହୋଇଛି – ସମ୍ବିଧାନ ନା ଘୋଡ଼ାଡିମ୍ବ ସେଇଟା! ସେ ଲୋକର ଜାତି କ’ଣ ଜାଣିଛ? ମାହାର । ମାହାର, ମାନେ ଆମର ଏଠିକା ଡମ-ଘାସି ଯେମିତି, ସେମିତି । ଆମ ପାର୍ଟି ଶାସନକୁ ଆସୁ । ଦେଖିବ ଆମେ ସେ ମାହାରର ସମ୍ବିଧାନକୁ ଗବଡ଼ା ଗଦାରେ ଫୋପାଡ଼ି ଦେବୁ । ଏମିତି ଆଇନ୍ କରିବୁ ତମର ମିଲ୍‌ରେ କେବେ ବି ତାଲା ପଡ଼ିବ ନାହିଁ ।’ (ଭେଦ. ପୃ-୫୩) ଶ୍ରମିକମାନଙ୍କ ମଜୁରି ବୃଦ୍ଧି ଦାବିରେ ସେମି ସେଠ୍‌ର ମିଲରେ କାମ ବନ୍ଦ ହେବା ପ୍ରସଙ୍ଗ ମଧ୍ୟ ଏହି ପର୍ଯ୍ୟାୟରେ ସ୍ଥାନ ପାଇଛି ।

‘ମୁନା’ ଶୀର୍ଷକରେ ଉପନ୍ୟାସର ପଞ୍ଚମ ପର୍ଯ୍ୟାୟ ନାମିତ । ମୁନା ଦଳିତ ସଂପ୍ରଦାୟର ଏକ ନିତାନ୍ତ ଗରୀବ ଓ ନିରୀହ ଯୁବକ । ସେ ବେହେଡ଼ା ଗାଆଁର ଛକରେ ଛୋଟ କାଠ କେବିନ୍ କରି ଚିରାଫଟା ଲୁଗା ସିଲେଇ କରି ଗୁଜୁରାଣ ମେଣ୍ଟାଏ । ଦିନେ ହଠାତ୍ ତା’ କେବିନ୍ ପାଖକୁ ଦଳେ ଠେଙ୍ଗାବାଡ଼ି ଧରି ଆସି ତା’କୁ ମାଡ଼ ମାରନ୍ତି ଓ ତା’କେବିନ୍‌କୁ ପୋଡ଼ି ଦିଅନ୍ତି । ତା’ର କାରଣ ହେଉଛି ଗାଆଁର ଦଳିତ ସଂପ୍ରଦାୟର ଦୁଇ ଜଣ ମହିଳା ମହାଦେବ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ ଓ ପୂଜାରୀ ଆଜିଠୁ ମନ୍ଦିର ପଶିବାକୁ ଶଙ୍କର ଗଉନ୍ତିଆ ମନା କରିଥିବା ଜଣାଇଥିଲେ । ଦୁଇଜଣ ଯୁବକ ଗଉନ୍ତିଆଙ୍କୁ ଏ ବିଷୟରେ ପଚାରିବା ଯୋଗୁଁ ଉତ୍ତୋଜନ ବୃଦ୍ଧି ପାଇଛି ଓ ଗାଆଁର ସବର୍ଣ୍ଣ ଲୋକ ଦଳିତ ପଡ଼ା ଉପରେ ଆକ୍ରମଣ କରିଛନ୍ତି । ଏହି ପର୍ଯ୍ୟାୟ ପ୍ରଥମାର୍ଦ୍ଧରେ ରାଇସ୍ ମିଲ୍ ଶ୍ରମିକଙ୍କ କାମ ବନ୍ଦ ଆନ୍ଦୋଳନ, ଲଲ୍‌ଟୁର ସମ୍ବାଦପତ୍ର ପାଇଁ ସମ୍ବାଦ ଲେଖିବା କାର୍ତ୍ତିକ (ଲଲ୍‌ଟୁର ବଂଧୁ)କୁ ଆନ୍ଦୋଳନ ଭାଙ୍ଗିବା ପାଇଁ ଟଙ୍କା ଯାଚିବା ଆଦି ପ୍ରସଙ୍ଗ ରହିଛି ।

ଉପନ୍ୟାସର ଷଷ୍ଠ ପର୍ଯ୍ୟାୟର ଶୀର୍ଷକ ‘ମାଷ୍ଟ୍ରାଣୀ’ । ମାଷ୍ଟ୍ରଣୀ ହେଉଛନ୍ତି ଲଲ୍‌ଟୁର ମାଆ । ବେହେଡ଼ା ଗାଆଁରେ ଦଳିତମାନଙ୍କ ଉପରେ ଆକ୍ରମଣ ହେବା ଓ ଲୋକେ ଭୟରେ ଥିବାରୁ ଲଲ୍‌ଟୁ ଧରମଗଡ଼ ଥାନାକୁ ଯାଇଛି । ମାଷ୍ଟ୍ରାଣୀ ପୁଅର କଥା ଚିନ୍ତା କରି ବିକଳ ଓ ବିବ୍ରତ ଅବସ୍ଥାରେ ରହିଛନ୍ତି । ସେ ଖୁବ୍ ଶାନ୍ତ ଓ ସରଳ ସ୍ୱଭାବର । ଦେବୀଦେବତା, ଈଶ୍ୱର ବିଶ୍ୱାସ ତାଙ୍କର ପ୍ରବଳ । ଏହି ପର୍ଯ୍ୟାୟରେ ଅଞ୍ଚଳର ଲୋକସଂସ୍କୃତି -ଚୈତ୍ରା, ଘଁଟଯାତ୍ରା, କାଳିସୀ ଲାଗିବା ପ୍ରସଙ୍ଗ ସହିତ ଅଲେଖ-ମହିମା ଧର୍ମ ବିଷୟରେ ମଧ୍ୟ ଲେଖାଯାଇଛି । ଗାଆଁ ସ୍କୁଲରେ ହେଉଥିବା ସରସ୍ୱତୀ ପୂଜାରେ ଅଚ୍ଛବ ଜାତିର ପିଲାଙ୍କୁ ସାମିଲ ନ କରିବା ଓ ସ୍କୁଲରେ ଥିବା ପାଣି ମାଠିଆକୁ ଛୁଇଁବାକୁ ବାରଣ ଥିବା ବିଷୟରେ ଉଲ୍ଲେଖ ରହିଛି ।

ସପ୍ତମ ପର୍ଯ୍ୟାୟ ହେଉଛି ଉପନ୍ୟାସର ଶେଷ ପର୍ଯ୍ୟାୟ । ଏହାର ନାମ ରଖାଯାଇଛି ‘ସନ୍ତୋଷ ପଣ୍ଡା’ । ଲଲ୍‌ଟୁକୁ ଯିଏ ଜେଲ୍‌ରୁ ମୁକୁଳାଇ ଥିଲା, ସେ ସନ୍ତୋଷ ପଣ୍ଡା, ‘ହସ୍ତକ୍ଷେପ’ ସମ୍ବାଦପତ୍ରର ଜିଲ୍ଲା ପ୍ରତିନିଧି । ଏହି ପର୍ଯ୍ୟାୟରେ ଖବର କାଗଜ ମାଲିକ, ରାଜନୀତି, ପୋଲିସ ଡିପାର୍ଟମେଣ୍ଟର : ପୁରୁଣା ମୂଷା ବା ପୁମୂ ନାମରେ ଚର୍ଚ୍ଚିତ ଜନୈକ ଡ଼ିଏସ୍‌ପି ନକୁଳ ରଥ, ଜାତି ଆଣ ପ୍ରସଙ୍ଗ, ବେହେଡ଼ା ଗାଆଁରେ ଦଳତି ଉପରେ ଆକ୍ରମଣ, ଲଲଟୁ ସମେତ ପନ୍ଦର ଜଣଙ୍କ ଉପରେ ମନ୍ଦିରରେ ଗୋରୁହାଡ଼ ଫିଙ୍ଗିବାର ମିଥ୍ୟା କେଶ ଓ ଗିରଫ୍‌ର ବର୍ଣ୍ଣନା ରହିଛି ।

‘ଭେଦ’ ଉପନ୍ୟାସର କଥାବସ୍ତୁ ହେଉଛି ବେହେଡ଼ା ତଥା ଆଖପାଖ ଅଞ୍ଚଳର କିଛି ଘଟଣା । ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ଏବଂ ଶିକ୍ଷାର ଏତେ ଅଗ୍ରଗତି ସତ୍ତ୍ୱେ ସମାଜରେ ଏବେ ବି ଜାତିଆଣ ଭେଦଭାବେ ରହିଛି । ବେଳେ ବେଳେ ତାହା ଉଗ୍ରରୂପ ଧାରଣ କରି ମଣିଷର ହିତାହିତ ଜ୍ଞାନକୁ ଲୋପ କରାଇ ଦେଉଛି । ଗାଆଁର ଶାନ୍ତ-ଶୀତଳ ବାତାବରଣ ହୋଇଯାଉଛି କଳୁଷିତ । ଜାତି ନାଆଁରେ, ଧର୍ମ ନାଆଁରେ ଦଙ୍ଗା ହେଉଛି । ଦିନକୁ ଦିନ ଧନୀର ଧନ ବଢ଼ୁଛି । ଦାରିଦ୍ରଲୋକ ଯେଉଁ ଦରିଦ୍ରକୁ ସେହି ଦରିଦ୍ର ହୋଇ ରହିଯାଉଛି । ସ୍ୱାର୍ଥପର ମାତୁଛି ସ୍ୱାର୍ଥ ସିଦ୍ଧିରେ । ଧୂର୍ତ୍ତ ମଣିଷର ପଂଝାରେ ଛଟପଟ ହେଉଛି ସରଳ ଜୀବନ । ‘ଭେଦ’ ଉପନ୍ୟାସ ଏ ସବୁର ନଗ୍ନ ଚିତ୍ରରେ ଉତ୍କୀର୍ଣ୍ଣ ହୋଇଛି ।

ଔପନ୍ୟାସିକ ଅଖିଳ ନାୟକ ମୂଳତଃ ଜଣେ କବି ହୋଇଥିବାରୁ ଅନେକତ୍ର କାବ୍ୟିକତାର ଫୁଟି ଉଠିଛି । ତେବେ ତାହା କାହାଣୀର ପ୍ରବାହରେ ଅନ୍ତରାୟ ସୃଷ୍ଟି କରୁନାହିଁ । ବରଂ ତାହା କାହାଣୀକୁ ଆହୁରି ଆକର୍ଷଣୀୟ, ସମୃଦ୍ଧ ଓ ତୀବ୍ର କରିଛି । ଉପନ୍ୟାସର ଭାଷା ଅତ୍ୟନ୍ତ ସହଜ ଓ ସରଳ । ଆଞ୍ଚଳିକ ଭାଷାର ବହୁଳ ପ୍ରୟୋଗ ସତ୍ତ୍ୱେ ଏହାର ପ୍ରାସଙ୍ଗିକତା ଖୁବ୍ ବେଶି । ଉପନ୍ୟାସକୁ ପ୍ରାଣବନ୍ତ କରିବାରେ ମୁଖ୍ୟତଃ ଏହା ହିଁ ବିଶେଷ ଭୂମିକା ଗ୍ରହଣ କରିଛି । ଦଳିତ- ପୀଡ଼ିତ – ନିଷ୍ପେସିତ ମାନଙ୍କ ଜୀବନଯନ୍ତ୍ରଣାକୁ ଔପନ୍ୟାସିକ ବେଶ୍ ମାର୍ମିକ ଭାବରେ ଉପସ୍ଥାପନ କରିଛନ୍ତି । ଅଖିଳ ନାୟକଙ୍କ ଏହା ପ୍ରଥମ ଉପନ୍ୟାସ ହୋଇଥିବା ସତ୍ତ୍ୱେ ଏକ ସଫଳ ଉପନ୍ୟାସର ଦାବୀ ରଖେ ।


Share Samadhwani
Support Samadhwani

About ଡକ୍ଟର ଗୋପୀନାଥ ବାଗ

ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ

Check Also

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share SamadhwaniPhoto credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ …