ପାହାଡର ମୃତ୍ୟୁ (ଘୁମେରଗଡ଼ର ଇତିହାସ)

ଲୋକମଞ୍ଚ Lokamancha
ଲୋକମଞ୍ଚ Lokamancha 334 Views
6 Min Read
ଲେଖକ – ଅଜିତ ଭୋଇ
ଏ ସେ ପାହାଡ ଯେଉଁ ପାହାଡର ଇତିହାସ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ “ଶୁଆ କଥାନି” ସହ ଜଡ଼ିତ ।
ଏକଦା କନ୍ଧାନ ଗଡ଼ର ପ୍ରବେଶ ଦ୍ଵାର ଥିଲା ତିରିତଲା ଗଡ଼ (ବର୍ତ୍ତମାନର ଟିଟିଲାଗଡ) ତୈତଳିକ ଜନପଦର ପ୍ରବେଶ ଦ୍ଵାର ଯାହା ତିରିତଲା ଗଡ଼ ପାଖରେ ଲାଗି ପାହାଡ ଶିଖରେ ଥିଲା ଐତିହାସିକ “#ଘୁମେର_ଗଡ଼” ।
ଏ ପାହାଡ ହେଉଛି ପାଷାଣ କାଳୀନ (ପ୍ରସ୍ତର ଯୁଗ) ମାନବୀୟ ପ୍ରମାଣ ଥିବା ଐତିହାସକ ପାହାଡ ଭିତରୁ ପଶ୍ଚିମ ଓଡିଶାର ଖୁବ୍ କମ୍ ପାହାଡ ମଧ୍ୟରୁ ଗୋଟେ ପାହାଡ । ନିଓଲିଥିକ ଏଜ (Neolithic Age) ର ପ୍ରମାଣ ଥିବା “ନିଉଲେଥିତ ମ୍ୟାନ୍” ର ବ୍ୟବହାରିକ ପ୍ରସ୍ତର ମାନଙ୍କ ଆକାର ଗୋଲ-ଗୋଲ ଥିବାରୁ ଅଂଚଳର ଲୋକେ ଏ ପାହାଡର ଅନ୍ୟ ଏକ ନାମ “ବିରିପୁଡ଼ା” ପାହାଡ ମଧ୍ୟ କୁହନ୍ତି ।
ଅଂଚଳର ଲୋକ ମାନଙ୍କ କହିବା ଅନୁଯାୟି ପାହାଡକୁ ବ୍ଲାଷ୍ଟ କରିବା ପୂର୍ବରୁ ପାହାଡ ଉପରେ ଅନେକ ଗୋଲ-ଗୋଲ ଆକାରର ଓ ଅନେକ ପାଷାଣ କାଳୀନ ପ୍ରସ୍ତର ଥିଲା ଏଣୁ ଏହି ପାହାଡ ନାଆ ସେ ଅନୁସାରେ ହେଲା । ଆଜି ଐତିହାସିକ କୀର୍ତ୍ତିରାଜି ସହ “ଘୁମେର ଗଡ଼” ର ଅବଶେଷ ଧୂଳିସାତ ହୋଇ ସାରିଛି ।
ବିରିପୁଡ଼ା ପାହାଡର ଇତିହାସ
ବିରିପୁଡ଼ା ପାହାଡ ଶୀର୍ଷରେ କନ୍ଧ ମାନେ ଏକ ଅଭେଦ୍ୟ ଘୁମେରଗଡ଼ ନିର୍ମାଣ କରିଥିଲେ । ” ଘୁମେର ଗଡ଼” ଟିଟିଲାଗଡ଼ ନିକଟସ୍ତ ଖୋଲାନ ପାଖରେ ଅବସ୍ଥିତ । ପାହାଡର ଚାରି ପାର୍ଶ୍ୱରେ; ଘଣ୍ଟସଡା-ଗନ୍ଧରଗଲା-କୁର୍ଲୁଭଟା, ସିଲଣ୍ଡା-ଅଦାବାହାଲ ଏ ସବୁ ଗ୍ରାମ ଘେରି ରହିଛି । ଏହି ଚାରିପଟେ ଆହୁରି ଅନେକ ଛୋଟ ବଡ଼ ପାହାଡ଼ ଘେରି ରହିଛି ।
ଲୋକଉକ୍ତି ଅନୁଯାୟୀ ଏକଦା (ସଠିକ୍ ସମୟର ଜଣାନାହିଁ) ଏ ଅଂଚଳକୁ ପଠାଣ ଓ ଭୋସଲା ମାନେ ଆକ୍ରମଣ କଲେ (ଆନୁମାନିକ ସମୟ ୧୮୦୦ ରୁ ୧୮୪୦ ମଧ୍ୟରେ) । ପଠାଣ ମାନଙ୍କ ସହ ସିଧାସିଧା ଲଢ଼େଇ ଏଠିକାର ଆଦିବାସୀ ମାନେ ଲଗାତାର ଭାବେ କରନ୍ତି । ପଠାଣ-ଭୋସଲା ଓ ଆଦିବାସୀ ଯୁଦ୍ଧରେ ଅଂଚଳର ଅନେକ ଆଦିବାସୀ ସହୀଦ ହୋଇଥିବାର ମଧ୍ୟ ପ୍ରମାଣ ଅଛି ।
(ଅଞ୍ଚଳର ସହୀଦ ମାନଙ୍କ ନାମ ସହ ପ୍ରମାଣ ଆଗାମୀ ଦିନରେ ଉଜାଗର କରିବି) । (*ବର୍ତମାନ ପାଇଁ ଗୁପ୍ତ ରଖା ଯାଇଛି । )
ପଠାଣ ଆକ୍ରମଣକାରୀ ମାନେ ଆଦିବାସୀଙ୍କ ସହ ମୁହାମୁହିଁ ଯୁଦ୍ଧରେ ବାରବାର ପରାସ୍ତ ହେବା ଫଳର ଷଡଯନ୍ତ୍ର ପୂର୍ବକ ଯୁଦ୍ଧ ଆରଂଭ କଲେ । ଅଂଚଳର କିଛି ଲୋକଙ୍କୁ ନିଜ ଆଡକୁ କରିନେଇ ଆଦିବାସୀ ମାନଙ୍କ ସ୍ତ୍ରୀ ଓ ଛୋଟ ଛୋଟ ଛୁଆ ମାନଙ୍କୁ ହତ୍ୟା କରିବା ଆରମ୍ଭ କଲେ । ଅନେକ ଆଦିବାସୀ ଗାଆଁ ସବୁ ଜଳେଇ ଦିଆଗଲା । ଏ ପରିସ୍ଥିତିରେ ଅଂଚଳର ଅନେକ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଘୁମେର ଗଡ଼ରେ ସମୟ ସମୟରେ ଲୁଚେଇ ରଖୁଥିଲେ ।
ଗୋଟେ ସମୟରେ ଅଦାବାହାଲ ଗ୍ରାମର ଗୋଟେ ଆଦିବାସୀ ଘରେ ଏକ ଶୁଆ ପୋଷି ଥିଲେ । ସେ ଶୁଆ ମଣିଷ ଭଲି କଥା କହୁଥାଏ । ଯୁଦ୍ଧରେ ଛୋଟ ଛୋଟ ପୁଅ-ଝିଅ ଓ ସ୍ତ୍ରୀ ମାନଙ୍କୁ ରକ୍ଷା କରିବା ପାଇଁ ଗାଆଁ ଛାଡି ଘୁମେରଗଡ଼ ପାହାଡର ଏକ ଗୁମ୍ଫାରେ ଲୁଚିବା ପାଇଁ ଚାଲିଗଲେ । କନ୍ଧ ପରିବାରର ସମସ୍ତେ ଚାଲିଯିବା ସମୟରେ ଘରେ ଥିବା ଶୁଆକୁ ସାଥିରେ ନେବା ଭୁଲି ଯାଇ ଏକା ଛାଡି ଚାଲିଗଲେ ।
ଶୁଆ ପଞ୍ଜୁରୀ ଭିତରେ ବନ୍ଧ ଥାଏ । ସେତେ ବେଳକୁ ପଠାଣ ମାନେ ଆସି ଗାଆଁରେ ଲୋକଙ୍କୁ ନଦେଖି ଶୁଆକୁ ପଚାରିବାରୁ ଶୁଆ ସବୁ ସତ ସତ କହିଦେଲା ।
ଶୁଆ କନ୍ଧ ଭାଷାରେ କହିଲା,
ମକେ ଛାଡଦେତେ ଘୁମେର ଗଡେ ଲୁକଲା ଚେତ୍
ମକେ ଛାଡଦେତେ ବିରିପୁଡ଼ା ତି ଲୁକଲା ଚେତ୍…!!
ପଠାଣ ମାନଙ୍କ ସହ ମିତ୍ରତା କରିଥିବା ଅଂଚଳର କିଛି ନିଶ୍ବାସ ଘାତକ ବ୍ୟକ୍ତି ଶୁଆ କହୁଥିବା କଥାର ଅର୍ଥ ପଠାଣ ମାନଙ୍କୁ କହିଦେଲେ ।
ପଠାଣ ମାନେ ଠିକଣା ପାଇଗଲେ ।
ଯେଉଁ ଗୁମ୍ଫାରେ ଅଂଚଳର ଅନେକ ଗାଆଁରୁ ଆସି ଏକାଠି ୬ କୁଡ଼ି ଧାଙ୍ଗଡା ୬ କୁଡି ଧାଙ୍ଗିଡି ……୧୨ କୁଡି ଢାଙ୍ଗଡା- ଢାଙ୍ଗିଡି ଲୁଚିଥିଲେ । ଅର୍ଥାତ ୨୪୦ ଜଣ କନ୍ଧ ଯୁବକ ଯୁବତୀ ଗୋଟେ ଗୁମ୍ଫାରେ ଲୁଚି ଥିଲେ । ପଠାଣ ମାନେ ସେହି ଗୁମ୍ଫାର ଦୁଇ ମୁଁହରେ ନିଆ ଲଗେଇ ଜୀବନ୍ତ ଜାଳିଦେଲେ । ସେ ମାନଙ୍କ ସହ ଅଭେଦ୍ୟ ଘୁମେର ଗଡ଼କୁ ଭାଙ୍ଗି ଦିଆଗଲା । ବର୍ତ୍ତମାନ ମଧ୍ୟ ଏହି ଲୋକ କଥା ଅଂଚଳରେ ଅଳ୍ପ କିଛି ଲୋକଙ୍କ ମୁଁହରେ ଜୀବିତ ଅଛି ।
ଏ ପାହାଡ ଏ ମାଟିର ସୁରକ୍ଷାରେ “ଘୁମେର ଗଡ଼”ର ଛାତି ଯେତେ ରକ୍ତାକ୍ତ ହୋଇଛି ଘୁମେରଗଡ଼ ସେତିକି ମଣିଷ ଦେହର ପାଉଁଶ ମାଖିଛି ।
ପଠାଣ ଆକ୍ରମଣ ଓ ଭୋସଲା ଆକ୍ରମଣର ମୁଖସାକ୍ଷୀ ଏ ଐତିହାସିକ ବିରିପୁଡ଼ା “ଘୁମେର ଗଡ଼” । ଏ ପାହାଡ ହେଉଛି ଏକା ଥରେ ୨୪୦ ଜଣ କନ୍ଧ ଧାଙ୍ଗଡା-ଧାଙ୍ଗିଡି ର କଲବଲ ଚିତ୍କାରକୁ ନିଜ ଛାତିରେ ଚାପି ଧରିଥିବା ପାହାଡ ।
ଏବେ ଏ ଗୁମ୍ଫାର ଦେହ ସାରା ବାରୁଦର ମାଡ଼ । ୨୪୦ ଧାଙ୍ଗଡା-ଧାଙ୍ଗିଡି ପରି ନିଇତି ଚିତ୍କାର କରୁଛି ପାହାଡ ।
ଏମିତି ଶେଷ ବିଶ୍ବାସ ନେଉଛି ପାହାଡ!!
ଶେଷ କଥା
ମୁଁ ଗତ ୨ ବର୍ଷ ତଳେ ଗବେଷଣା ପାଇଁ ଏହି ପାହାଡ଼କୁ ଯାଇଥିଲି । ପାହାଡ ଶୀର୍ଷର ଏକ ଗୁମ୍ଫାରେ ଶିବଙ୍କ ପୂଜା କରାଯାଉଥାଏ । ସୋମବାର ଦିନ ଗାଆଁ ଲୋକଙ୍କ ସହ ପାହାଡ ଚଢ଼ିଲି । ସ୍ଥାନେ ସ୍ଥାନେ ବହୁତ ଛୋଟ ଛୋଟ ଝରଣା ପରି ପାଣି ବୋହି ଯାଉଥାଏ । ସେଇଠୁ ମନ୍ଦିର ଯିବା ଲୋକ ପାଣି ଭରିଭରି ନେଉଥାନ୍ତି । ଲୋକେ କହୁଥିଲେ; ପାହାଡ ଛୋଟ ହେଲେ ମଧ୍ୟ….. ଚିରସ୍ରୋତା ଝରଣା ନଥିଲେ’ ମଧ୍ୟ ବର୍ଷ ସାର ପିଇବା ପାଣି ଅଭାବ ହୁଏ ନାହିଁ । ସତକୁ ସତ ଅନେକ ଜାଗାରେ ନିର୍ମଳ ସ୍ଵଚ୍ଛ ପାଣି ମୁଁ ଦେଖିଲି ।
ପାହାଡ ଦେହର ପାଣି ପିଇଲି ।
ସତେ ଯେମିତି ସେ ପାଣି ମୋ ଆତ୍ମାକୁ ନିଜର କରିନେଲା । ଆହାଃ କି ତୃପ୍ତି ! ଆଜି ମଧ୍ୟ ତାର ସ୍ଵାଦ ମୁଁ ବାରିପାରେ ।
ପାହାଡର ଶୀର୍ଷରେ ଏକ ସହର ସଭ୍ୟତା ଥିବାର ସ୍ପଷ୍ଟ ଅନୁମାନ କରି ହେଉଥିଲା । ତା’ ଭୂମିର ଗଠନ ଓ ପଥର ଚଟାଣ ମାନଙ୍କ ଅବସ୍ଥିତିକୁ ଦେଖି ଅତୀତରେ ଏକ ମାନବ ସଭ୍ୟତ ଗଢ଼ି ଉଠିଥିବା ଯେ କେହି ମଧ୍ୟ କହି ପାରିବ । ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ସୌନ୍ଦର୍ଯ୍ୟ ବର୍ଣ୍ଣନା କଲେ କାଳ୍ପନିକ ଲାଗିପାରେ ।
ଏଭଲି ଏକ ଐତିହାସିକ ପାହାଡକୁ । ପ୍ରାଚୀନ ମାନବୀୟ ସଭ୍ୟତାର ପରିଚୟକୁ ସୁରକ୍ଷା ଦେବା ବଦଳରେ “ଘୁମେର ଗଡ଼” ପାହାଡକୁ ବଳାତ୍କାର ଓ ହତ୍ୟା କରିବା ପାଇଁ ପଥର ମାଫିଆ ମାନଙ୍କୁ ପ୍ରଶାସନ ଟେକି ଦେଲେ ।
ଏବେ ନୀତି ଗୋଟେ ଗୋଟେ ପଥରକୁ ଦଳି-ଚକଟି ବଳାତ୍କାର କରାଯାଇ ହତ୍ୟା କରାଯାଉଛି । ପରେ ମୃତ ପାହାଡର ଶବକୁ ଟିକ୍-ଟିକ୍ କରି ଟ୍ରକରେ ସହର ଆଡ଼କୁ ପଠା ଯାଉଛି ।
ଆହୁରି ଖୁବ ଅଳ୍ପ ଦିନପରେ ଏ ପାହାଡ ସହ ତା’ ଘୁମେର ଗଡ଼ର ସ୍ୱର୍ଣିମ ଇତିହାସ ଓ ସଭ୍ୟତା ମାଟିରେ ମିଶିଯିବ ।
ପାହାଡର ଇତିରେ;
ଆଉ ଏକ ପାହାଡର ମୃତ୍ୟୁର ବଧେଇ ମାନବ ସମାଜକୁ । ଏ ବୋଧେ ଏ ପାହାଡର ଶେଷ ଲେଖା, ଏ ପାହାଡର ଶେଷ ଡାକ । କିଛିଦିନ ପରେ ଧୂଳିସାତ ହୋଇ ମାଟିରେ ମିଶି ସାରିଥିବା ଏ ପୃଥିବୀ ପୃଷ୍ଠରୁ । ଏ ଅଞ୍ଚଳର ଲୋକଙ୍କ ପାଖକୁ ଏ ପାହାଡର ଶେଷ ଇତିହାସ ଓ ଶେଷ ସ୍ମୁତିକୁ ପହଞ୍ଚାଇବା ପାଇଁ ସେଆର କରିବା ପାଇଁ ବିନମ୍ର ଅନୁରୋଧ କରିବି ।
From the Facebook timeline of Ajit Bhoi
https://www.facebook.com/profile.php?id=100051421382738
Share This Article