ଅନ୍ୟାନ୍ୟ

ଜାତିରେ ମୁଁ ମାହାର (ନଅ ବର୍ଷ ବୟସରେ ଆମ୍ବେଦକର ଭୋଗିଥିବା ଜାତିଗତ ବିଦ୍ୱେଷର କାହାଣୀ)

ଲେଖକ-ଭୀମରାଓ ଆମ୍ବେଦକର / ଅନୁବାଦକ – ଶୈଲେନ ରାଉତରାୟ
ଭାରତର ମହାନତମ ନେତାଙ୍କ ଭିତରେ ଅନ୍ୟତମ ଡକ୍ଟର ଭୀମରାଓ ଆମ୍ବେଦକର ୧୯୦୧ ମସିହାରେ ତାଙ୍କୁ ନଅ ବରଷ ହୋଇଥିବା ସମୟରେ ସେ ଭୋଗିଥିବା ଜାତିଗତ ବିଦ୍ୱେଷର ଅନୁଭୁତିର ଏକ ବିବରଣୀ ଆମକୁ ଦିଅନ୍ତି । ସେ ନିଜ ଭାଇ ଓ କୁଟୁମ୍ବର ଲୋକମାନଙ୍କ ସହିତ ବର୍ତ୍ତମାନର ମହାରାଷ୍ଟ୍ରର କୋରେଗାଓଁ ଯାଇଥିଲେ ନିଜର ବାପାଙ୍କୁ ଭେଟିବା ପାଇଁ ।
“ଆମେ ବହୁତ ସମୟ ଅପେକ୍ଷା କଲୁ । ହେଲେ କେହି ଆସିଲେ ନାହିଁ । ଘଣ୍ଟେ ଚାଲିଗଲା । ଷ୍ଟେସନ ମାଷ୍ଟର ପଚରାଉଚରା କରିବାକୁ ଆସିଲେ । ସେ ଆମକୁ ଟିକଟ ଦେଖାଇବାକୁ କହିଲେ । ଆମେ ତାଙ୍କୁ ଦେଖାଇଲୁ । ସେ ଆମକୁ ପଚାରିଲେ ଯେ ଆମେ ସେଠାରେ କାହିଁକି ଲନ୍ଦରପନ୍ଦର ହେଉଛୁ । ଆମେ ତାଙ୍କୁ କହିଲୁ ଯେ ଆମକୁ କୋରେଗାଓଁକୁ ଯିବାର ଅଛି । ଆମେ ଆମର ବାପା ଓ ଚାକରବାକରଙ୍କ ପାଇଁ ଅପେକ୍ଷା କରୁଛୁ । ହେଲେ ସେମାନଙ୍କ ଭିତରୁ କେହି ଏ ପର୍ଯ୍ୟନ୍ତ ଆସିନାହାନ୍ତି । ଆମେ କିପରି କୋରେଗାଓଁ ଯିବୁ ଆମକୁ ଜଣାନାହିଁ ।

ଆମେ ଭଦ୍ରଜନୋଚିତ ଲୁଗାପଟା ପିନ୍ଧିଥିଲୁ । ଆମର ଜାମା କିମ୍ବା କଥାବାର୍ତ୍ତାରୁ କେହି ଜାଣିପାରିବ ନାହିଁ ଯେ ଆମେ ଅଛୁଆଁମାନଙ୍କର ପିଲା ଥିଲୁ । ଷ୍ଟେସନ ମାଷ୍ଟର ପୂରା ନିଶ୍ଚିତ ଥିଲେ ଯେ ଆମେ ବ୍ରାହ୍ମଣ ପରିବାରର ବୋଲି ଓ ଆମକୁ ସେପରି ଅବସ୍ଥାରେ ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ।
ସାଧାରଣ ହିନ୍ଦୁ ଚଳଣି ଅନୁସାରେ ସେ ଆମକୁ ପଚାରିଲେ ଯେ ଆମେ କିଏ । ମୁଁ ଆଦୌ ମୂହୁର୍ତ୍ତକର ଚିନ୍ତା ଭାବନା ନ କରି କହିପକାଇଲି ଯେ ଆମେମାନେ ମାହାର । (ମାହାର ସେ ସମୟର ବମ୍ବେ ପ୍ରେସିଡେନ୍ସିରେ ଅଛୁଆଁ ବୋଲି ଗଣାଯାଉଥିବା ଜାତିମାନଙ୍କ ଭିତରୁ ଗୋଟିଏ ଥିଲା ।) ସେ ଏହା ଶୁଣି ସ୍ତବ୍ଧ ହୋଇଗଲେ । ତାଙ୍କର ମୁହଁରେ ହଠାତ କରି ଏକ ପରିବର୍ତ୍ତନ ଆସିଲା ।
ଆମେ ଦେଖି ପାରିଲୁ ଯେ ସେ ଜୁଗୁପ୍ସାର ବିଚିତ୍ର ଭାବନା ତାଙ୍କୁ ବଶକରିଦେଲା । ସେ ମୋର ଉତ୍ତର ଶୁଣି ତତକ୍ଷଣାତ ନିଜର କୋଠରୀକୁ ଚାଲିଗଲେ । ଆମେ ଯେଉଁଠାରେ ଥିଲୁ, ସେହିଠାରେ ଠିଆହୋଇରହିଲୁ । ପନ୍ଦର କୋଡ଼ିଏ ମିନିଟି କଟିଗଲା । ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲା ।
ଆମ ବାପା ସେ ପର୍ଯ୍ୟନ୍ତ ଆସିନଥିଲେ । ନା ସେ ଚାକରବାକରମାନଙ୍କୁ କାହାକୁ ପଠାଇଥିଲେ । ଏବେ ଷ୍ଟେସନମାଷ୍ଟର ମଧ୍ୟ ଆମକୁ ଛାଡ଼ି ଚାଲିଯାଇଥିଲେ । ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲୁ । ଯାତ୍ରାରମ୍ଭ ସମୟର ଆନନ୍ଦ ଓ ଖୁସିର ସ୍ଥାନ ଏବେ ଉତ୍କଟ ଦୁଃଖ ନେବାକୁ ଆରମ୍ଭ କରିଥିଲା ।
ଅଧ ଘଣ୍ଟାଏ ପରେ ଷ୍ଟେସନମାଷ୍ଟର ଫେରିଆସିଲେ । ସେ ଆମକୁ ଆମର ଭବିଷ୍ୟତ କର୍ମପନ୍ଥା ବିଷୟରେ ପଚାରିଲେ । ଆମେ କହିଲୁ ଯେ ଆମେ ଯଦି ଭଡ଼ାରେ ବଳଦଗାଡ଼ି ଗୋଟିଏ ପାଇବୁ ତାହାହେଲେ ଆମେ କୋରେଗାଓଁ ଅଭିମୁଖେ ଯାତ୍ରା ଆରମ୍ଭ କରିବୁ । ଯଦି ଗନ୍ତବ୍ୟସ୍ଥାନ ବେଶୀ ଦୂର ନୁହେଁ ତାହାହେଲେ ଆମେ ସାଙ୍ଗେସାଙ୍ଗେ ଚାଲିଯିବା ପାଇଁ ଚାହିଁବୁ ।

ଭଡ଼ା ପାଇଁ ସେଠାରେ ଅନେକ ବଳଦଗାଡ଼ି ଥିଲେ । କିନ୍ତୁ ଆମେ ଯେ ମାହାର ଜାତିର ପିଲା, ସେ ବିଷୟରେ ଷ୍ଟେସନ ମାଷ୍ଟରଙ୍କୁ ମୋର ଉତ୍ତର ଶଗଡ଼ିଆମାନଙ୍କ ଭିତରେ ଖେଳିଯାଇଥିଲା । ଅଛୁଆଁ ଜାତିର ଲୋକଙ୍କୁ ଗାଡ଼ିରେ ନେଇ ଜାତି ଚାଲିଯିବାର ଭୟରେ ସେମାନଙ୍କ ଭିତରୁ କେହି ଜଣେ ବି ଆମକୁ ନେବାପାଇଁ ରାଜି ନଥିଲେ ।

ଆମେ ସାଧାରଣ ଭଡ଼ାର ଦୁଇଗୁଣା ଅଧିକା ମଧ୍ୟ ଦେବାପାଇଁ ରାଜିଥିଲୁ । ହେଲେ ଆମକୁ ଜଣାପଡ଼ିଲା ଯେ ସେଠାରେ ଟଙ୍କାକଉଡ଼ିର କିଛି ମୂଲ୍ୟ ନଥିଲା । ଆମ ପାଇଁ କଥାବାର୍ତ୍ତା କରୁଥିବା ଷ୍ଟେସନ ମାଷ୍ଟର କଅଣ କରିବେ ଜାଣି ନପାରି ଚୁପ ହୋଇ ଠିଆ ହୋଇଥିଲେ ।”
ଉତ୍ସ – ଡ. ବି.ଆର. ଆମ୍ବେଦକର, ରଚନାବଳୀ ଓ ଭାଷଣ । ଦ୍ୱାଦଶ ଭାଗ । ବସନ୍ତ ମୁନ (ସମ୍ପାଦକ) । ବମ୍ବେ : ଶିକ୍ଷା ବିଭାଗମହାରାଷ୍ଟ୍ର ସରକାର । 

Cutesy – https://sailenroutray.blogspot.com/2022/04/blog-post_14.html

Please support atleast Rs 20/- , Rs 50/- , Rs 100/- for a story.

ଶୈଲେନ ରାଉତରାୟ

ଗବେଷକ, ଲେଖକ

Related Articles

Leave a Reply

Your email address will not be published.

Back to top button