Home / ସାହିତ୍ୟ ସଂସ୍କୃତି / ସହିଦ ବାଜି ରାଉତ ସମ୍ପର୍କରେ (ଶ୍ରୀମତୀ ମାଳତୀ ଚୈାଧୁରୀ-7)

ସହିଦ ବାଜି ରାଉତ ସମ୍ପର୍କରେ (ଶ୍ରୀମତୀ ମାଳତୀ ଚୈାଧୁରୀ-7)

Share Samadhwani

ଢେଙ୍କାନାଳ ପ୍ରଜା ଅନ୍ଦୋଳନର ଏକ ସ୍ମରଣୀୟ ଘଟଣା ହେଉଛି ବ୍ରାହ୍ମଣୀ ନଦୀର ନୀଳକଂଠପୁର ଘାଟରେ ଡଂଗା ଜଗି ଶୋଇଥିବା ବାର ବର୍ଷର ବାଳକ ବାଜି ରାଉତ ସିପାହୀ ଫୈାଜ ଗୁଳିରେ ଟଳି ପଡିବା, ସହିଦ ହୋଇଯିବା । ସେ ଦିନ ଥିଲା ୧୯୩୮ ମସିହା ଅକ୍ଟୋବର ୧୧, ପାହାନ୍ତା ବେଳ । ବାଜି ରାଉତ ସହ ପୁଲିସ ଗୁଳିରେ ଟଳି ପଡିଥିଲେ ଆଉ ପାଂଚ ଜଣ-ଲକ୍ଷ୍ମଣ, ନଟ ମଳିକ, ହୁରୁଷୀ ପ୍ରଧାନ, ରଘୁ ନାୟକ ଓ ଗୁରୀ ନାୟକ । ୧୨ ଅକ୍ଟୋବର ଦିନ ଏହି ୬ ଜଣଙ୍କର ମୃତ ଦେହକୁ କଟକ ଅଣାଯାଇଥିଲା ଓ ୬ଟି ଶଗଡରେ ରଖାଯାଇ ଏକ ବିଶାଳ ଶୋଭାଯାତ୍ରାରେ ଖାନନଗର ନିଆଯାଇ ଗୋଟିଏ ଚିତାରେ ଶୁଆଇ ଦେଇ ଦାହ ସଂସ୍କାର ହୋଇଥିଲା । ଏହି ଶୋଭାଯାତ୍ରାରେ ଅଗ୍ରଣୀ ଭୂମିକାରେ ଥିବା ସଚ୍ଚି ରାଉତରା ଚିତାର ଅଗ୍ନିର ଶିଖା ଦେଖି ଲେଖି ବସିଥିଲେ କବିତା -ଯାହା ପରବର୍ତ୍ତୀ ସମୟରେ ‘ବାଜି ରାଉତ’ ଶିରୋନାମାରେ ପ୍ରକାଶିତ ହେଲା ଓ ଏହାର ଅନୁବାଦ ବିଭିନ୍ନ ଭାଷାରେ (ଇଂରାଜୀ, କାଶ୍ମୀରୀ, ମାଲାୟଲୀ, ହିନ୍ଦୀ, ଉର୍ଦ୍ଦୁ, ବଂଗଳା, ଗୁଜୁରାଟୀ, ଅସମୀୟା,ତେଲୁଗୁ, ତାମିଲ, ମରାଠୀ ) ହୋଇ ବାଜି ରାଉତକୁ ସାରା ଭାରତବର୍ଷରେ, ପ୍ରଫୁଲ୍ଲ ଦାସଙ୍କ ଭାଷାରେ, “ଏକ ଜାତୀୟ ବୀର ଓ କନିଷ୍ଠତମ ସହୀଦର ସିଂହାସନରେ ଆସୀନ କରିଦେଲା ।”(ବହ୍ନିମାନ, ପୃ ୧୭୯) ମାଳତୀ ଦେବୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ପାରି ନ ଥିଲେ । କାରଣ, ତାଙ୍କରି ଭାଷାରେ, “ମୁଁ ସେତେବେଳେ ଆସନ୍ନପ୍ରସବା ଥିଲି । ମୁଁ ମୂଳରୁ ଢେଙ୍କାନାଳ ଏବଂ ଗଡଜାତ ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥିଲେ ମଧ୍ୟ ସେ ସମୟରେ ମୋର ଶାଶୁଙ୍କ ନିର୍ଦ୍ଦେଶ କ୍ରମେ ବାହାରକୁ ଯାଇ ନ ଥିଲି । ମାତ୍ର ପ୍ରଜାମଣ୍ଡଳର ବହୁ ନେତା ଓ କର୍ମୀମାନଙ୍କଠାରୁ ଏ ସମସ୍ତ କଥା ଶୁଣିଛି ଏବଂ ଆନନ୍ଦ ତଥା ଗର୍ବ ଅନୁଭବ କରିଛି ।”(ସହିଦ ବାଜି ରାଉତକୁ ଇତିହାସରୁ ଲୋପ କରିବା ଚେଷ୍ଟା, ନୁମା-ଏକ ସଙ୍କଳନ, ପୃ ୧୪୦) ସ୍ୱାଭାବିକ ସେ କିପରି ସହ୍ୟ କରନ୍ତେ ସୁରେନ୍ଦ୍ର ମହାନ୍ତିଙ୍କର ମନ୍ତବ୍ୟକୁ (ପଥ ଓ ପୃଥିବୀ , ସୁରେନ୍ଦ୍ର ମହାନ୍ତି, ପୃ ୨୮୮-୨୮୯) ଯେ “ପୁଲିସ ଫଉଜକୁ ପ୍ରତିରୋଧ କରିବାକୁ ଯାଇ ବାଜି ରାଉତ ଯେ ଗୁଳିଚୋଟରେ ଶହୀଦ ହୋଇଯାଇଛି -ଏହା ଏକ ସାହିତ୍ୟିକ କଳ୍ପନା ମାତ୍ର । ” (ସହିଦ ବାଜି ରାଉତକୁ ଇତିହାସରୁ ଲୋପ କରିବା ଚେଷ୍ଟା, ନୁମା-ଏକ ସଙ୍କଳନ, ପୃ ୧୪୦) ଏହା ବାଜି ରାଉତର “’ସହିଦତ୍ୱ’ ଲୋପ କରି ତାକୁ ଏକ ସାଧାରଣ ବାଳକର ସ୍ତରକୁ ଟାଣି ଆଣିବା ପାଇଁ ରାଜା ରାଜୁଡା ଏବଂ ତାଙ୍କ ପାଖ ଲୋକଙ୍କ ତରଫରୁ ବରାବର ଅପଚେଷ୍ଟା”ର ଏକ ଦୃଷ୍ଟାନ୍ତ ବୋଲି କୁହନ୍ତି ମାଳତୀ ଦେବୀ । (ସହିଦ ବାଜି ରାଉତକୁ ଇତିହାସରୁ ଲୋପ କରିବା ଚେଷ୍ଟା, ନୁମା-ଏକ ସଙ୍କଳନ, ପୃ ୧୪୦) କିନ୍ତୁ ସୁରେନ୍ଦ୍ର ବାବୁ ତାଙ୍କ ନିଷ୍କର୍ଷ ଯେ ତାଙ୍କର ବାଜି ରାଉତର ଗାଁକୁ , ୧୯୫୬ ମସିହାରେ , ନିର୍ବାଚନ ପ୍ରଚାର ବେଳେ ଯାଇ ବାଜିର ମା ସହିତ କଥାବାର୍ତ୍ତା ଉପରେ ଆଧାରିତ -ଏ ଧାରଣା ଦେବାକୁ ଚେଷ୍ଟା କରିଛନ୍ତି । ଏହା ତାତ୍ପର୍ଯ୍ୟ ପୂର୍ଣ୍ଣ ଯେଉଁ ନିର୍ବାଚନ ସଭାରୁ ସୁରେନ୍ଦ୍ର ବାବୁ ବାଜିର ଗାଁକୁ ଯାଇ ଥିଲେ ସେ ନିର୍ବାଚନ ସଭାରେ ଢେଙ୍କାନାଳ ସଦରରୁ ଆସେମ୍ବ୍ଲି ପ୍ରାର୍ଥୀ ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ବାହାଦୁର ପହଂଚିବାରେ ବିଳମ୍ବ ହେବାରୁ ଏହା ସମ୍ଭବ ହୋଇଥିଲା । ସ୍ମରଣ କରାଯାଇପାରେ ଯେ ରାଜା ଶଙ୍କର ପ୍ରତାପଙ୍କ ବିରୋଧରେ ହୋଇଥିବା ପ୍ରଜା ଆନ୍ଦୋଳନର ସହିଦ ଥିଲେ ବାଜି ରାଉତ । ବାଜି ରାଉତର ଆତ୍ମବଳିକୁ ଏପରି ବିକୃତ କରିବାର ଅପଚେଷ୍ଟା ଦ୍ୱାରା ଓଡିଶାର ଜନମତ ବିଭ୍ରାନ୍ତ ହେବନାହିଁ ବୋଲି ଆଶା ପ୍ରକାଶ କରି ମାଳତୀ ଦେବୀ ଲେଖିଥିଲେ, “ବାଜି ରାଉତ ଆଜି ଏକ ଜାତୀୟ ଅନୁଷ୍ଠାନ ଏବଂ ସେ ଥିଲା ଭାରତର ମୁକ୍ତି ସଂଗ୍ରାମ ଓ ସାମନ୍ତବାଦୀ ଶାସନ ତଥା ସାମନ୍ତବାଦ ବିରୋଧରେ ଏକ ସଚେତନ ସୈନିକ । ଆଗାମୀ ବଂଶଧରଙ୍କ ପାଇଁ ସେ ଶକ୍ତି ଓ ପ୍ରେରଣାର ଉତ୍ସ ହୋଇ ରହିଛି ରହିବ ।” (ସହିଦ ବାଜି ରାଉତକୁ ଇତିହାସରୁ ଲୋପ କରିବା ଚେଷ୍ଟା, ନୁମା-ଏକ ସଙ୍କଳନ, ପୃ ୧୪୦) ସୁରେନ୍ଦ୍ର ବାବୁ ରାଜରାଜୁଡାଙ୍କ ଦଳ ଗଣତନ୍ତ୍ର ପରିଷଦ ତରଫରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ, ରାଜା ଶଙ୍କର ପ୍ରତାପ ଗଣତନ୍ତ୍ର ପରିଷଦ ପକ୍ଷରୁ ବିଧାନ ସଭା ପ୍ରାର୍ଥୀ ଥିଲେ । ବାଜିରାଉତ ଉପରେ କବିତା ଲେଖି ଓଡିଶା ଓ ଓଡିଶା ବାହରେ ଏକ ପ୍ରତିଷ୍ଠିତ ସାହିତ୍ୟିକର ପରିଚିତି ପାଇଥିବା ଏହା ଏକ ଅପୂର୍ବ ସଂଯୋଗ ଯେ ଯେଉଁ ବର୍ଷ (୧୯୮୬) କବି ସଚ୍ଚି ରାଉତରା ପ୍ରତିଷ୍ଠିତ ଜ୍ଞାନପୀଠ ସାହିତ୍ୟ ପୁରସ୍କାର ପାଉଥିଲେ ସେହି ବର୍ଷ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଆତ୍ମଜୀବନୀ ‘ପଥ ଓ ପୃଥିବୀ’ ବାଜି ରାଉତର ସହିଦତ୍ୱ ସମ୍ପର୍କରେ ଏଯାବତ୍ ଜଣାଥିବା ସୂଚନାର ବିପରୀତ ସୂଚନା ବହନ କରି ପ୍ରକାଶ ପାଉଥିଲା । (ପଥ ଓ ପୃଥିବୀ , ସୁରେନ୍ଦ୍ର ମହାନ୍ତି, ପୃ ୨୮୮-୨୮୯)


Share Samadhwani
Support Samadhwani

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …