Home / ସାହିତ୍ୟ ସଂସ୍କୃତି / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଅବିସ୍ମରଣୀୟ ପ୍ରତିଭା କେଶବ କବିଙ୍କ ସ୍ମରଣେ

ଅବିସ୍ମରଣୀୟ ପ୍ରତିଭା କେଶବ କବିଙ୍କ ସ୍ମରଣେ

Share Samadhwani

ଯେପରି ବଣ ମଲ୍ଲୀ ଅରଣ୍ୟ ବନାନୀ ରେ ପ୍ରସ୍ଫୁଟିତ ହୋଇ ଵୃନ୍ତ ଚ୍ୟୂତ ହୋଇଯାଇ ବନ ଭୂମିରେ ଖସିପଡେ ତାହାର ସୌରଭକୁ କେହି ବାରି ପାରନ୍ତି ନାହିଁ ସେହିପରି ଆମ ଭାରତୀୟ ସାହିତ୍ୟ ସଂସ୍କୃତିରେ ଅନେକ ପ୍ରତିଭା ଦୀପ୍ତ ସାହିତ୍ୟିକ ନିଜର ସୃଷ୍ଟି ସମ୍ଭାର ର ସୌରଭ କୁ ବିଛୁରିତ କରିବା ନିମନ୍ତେ ପ୍ରୟାସ ନକରି ମଉଳି ଯାଇଥାଆନ୍ତି। ତାହାର ସୌରଭ ର ସୁଗନ୍ଧ କୁ କେହି ବାରିପାରନ୍ତି ନାହିଁ। ଯେମିତି ଅଳିଆ ଗଦା ରୁ ପଦ୍ମ ଫୁଲର ସୃଷ୍ଟି ହୋଇଥାଏ ସେମିତି ପରିବେଶ ପରିସ୍ଥିତି ରୁ ଅନେକ ସୃଜନଶୀଳ ପ୍ରତିଭା ସୃଷ୍ଟି ହୋଇ ନିଜର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ଵ କୁ ସମାଜ ରେ ପ୍ରତିଭା ଦୀପ୍ତ କରାଇବା ପାଇଁ ଆସ୍ପୃହା ରଖି ପ୍ରଚାର ପ୍ରସାର ନିମନ୍ତେ ନିଜ ମାନସିକତା ରୁ ନିବୃତ୍ତ ରହିବା ବହୁ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ଆମର ଦୃଷ୍ଟଗୋଚର ହୋଇଥାଆନ୍ତି। ଆଧୁନିକ ଓଡ଼ିଆ ଭାଷା ସାହିତ୍ୟ ଯୁଗର ଅନ୍ୟତମ ଅବିସ୍ମରଣୀୟ ପ୍ରତିଭା ସନ୍ଥ କବି ଭୀମ ଭୋଇ ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିବାରେ ସହାୟକ ହୋଇଥିଲେ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ର ସାହିତ୍ୟ ଲୋକଲୋଚନକୁ ଆସିବାରେ ବହୁ ବିଳମ୍ବ ହେବାର ପରିଲକ୍ଷିତ ହୋଇଥିଲା। ଯଥା ସମୟରେ ଇଂରେଜ ସରକାରଙ୍କ ଅଧିନରେ ସରକାରୀ ଚାକିରୀ କରି ନିଜର ପ୍ରତିଷ୍ଠା ଅର୍ଜନ ନିମନ୍ତେ ସାହିତ୍ୟ କୁ ଆବୋରି ନେଇଥିବା କବିବର ରାଧାନାଥ ରାୟ, ବ୍ୟାସ କବି ଫକୀରମୋହନ ସେନାପତି ଏବଂ ଭକ୍ତକବି ମଧୁସୂଦନ ରାଓ ନିଜ ସରକାରୀ ପଦବୀ ର ସଦ୍ ବିନିଯୋଗ କରି ଓଡ଼ିଆ ଭାଷା ସାହିତ୍ୟରେ ନିଜର ପ୍ରଭୂତ୍ୱ ଜାହିର କରିଥିବା ସମୟ ରେ କର୍ମଯୋଗୀ ଗୌରୀଶଙ୍କର ରାୟଙ୍କ ସମ୍ପାଦନରେ ସମ୍ପାଦିତ ଉତ୍କଳ ଦୀପିକା ମଧ୍ୟ ସନ୍ଥ କବି ଭୀମଭୋଇ ଙ୍କ ର ସାହିତ୍ୟ କୁ ପ୍ରଚାର ପ୍ରସାର କ୍ଷେତ୍ରରେ ସେମିତି କିଛି ବଳିଷ୍ଠ ପଦକ୍ଷେପ ଗ୍ରହଣ କରି ନଥିଲେ। ଏହାହିଁ ହେଉଛି ଆମ ସାମାଜିକ ବ୍ୟବସ୍ଥା ର ଦୁର୍ଭାଗ୍ୟ। ଯିଏ ନେଇ ଜାଣି ଥୋଇ ପାରିଲା, ସେହିଁ କେବଳ ବଞ୍ଚିପରିବ। ସନ୍ଥ କବି ଭୀମ ଭୋଇଙ୍କ ପରି ଆମ ଓଡ଼ିଆ ସାହିତ୍ୟ ର ଆଉ ଜଣେ ପ୍ରତିଭା ସମ୍ପନ୍ନ ସ୍ରଷ୍ଟା ହେଉଛନ୍ତି କେଶବ କବି କୃଷ୍ଣ ପ୍ରସାଦ ବେହେରା । ଏହି କବିଙ୍କର ଜନ୍ମ ୧୯୧୫ ମସିହା ମାର୍ଚ୍ଚ ମାସ ୫ ତାରିଖ ରେ ଅଧୁନା ଭଦ୍ରକ ଜିଲ୍ଲାର ଭଦ୍ରକ ସମିପବର୍ତ୍ତୀ କପାଳୀ ନଦୀ କୂଳରେ ଅବସ୍ଥିତ ମୂଳଗାଁ ଗ୍ରାମରେ ହୋଇଥିଲା ଏବଂ ମୃତ୍ୟୁ ୧୯୭୨ ମସିହା ଜୁଲାଇ ମାସ ୧୮ ତାରିଖ ରେ ବନ୍ଧୁଟିଆ ଗ୍ରାମ ରେ ହୋଇଥିଲା। କୃଷ୍ଣ ପ୍ରସାଦ ଙ୍କ ର ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ମାତ୍ର ତୃତୀୟ ଶ୍ରେଣୀ। ତାଙ୍କର ପରିବାର ର ଆର୍ଥିକ ସ୍ଥିତି ସେତେ ସୁଦୃଢ଼ ନଥିଲା। ଶୈଶବ ଅବସ୍ଥାରୁ ଆନୁଷ୍ଠାନିକ ଶିକ୍ଷା ଲାଭ ପ୍ରତି କୃଷ୍ଣ ପ୍ରସାଦ ଙ୍କ ର ବିମୁଖ ଭାବ ଥିଲା। ଶୈଶବ ଅବସ୍ଥାରୁ ନିଜ ପିତାଙ୍କର ଭଜନ କୀର୍ତ୍ତନ ର ପ୍ରଭାବ କୃଷ୍ଣ ପ୍ରସାଦ ଙ୍କ ଉପରେ ପଡିଥିଲା। ଯେମିତିକି ଜନ୍ମ ରୁ କୃଷ୍ଣ ପ୍ରସାଦ କଳା ପ୍ରତି ଉତ୍ସର୍ଗୀକୃତ ହୋଇ ଜନ୍ମ ହୋଇଥିଲେ। ଆନୁଷ୍ଠାନିକ ଶିକ୍ଷା ପ୍ରତି ବୀତସ୍ପୃହ ଥିବା କୃଷ୍ଣ ପ୍ରସାଦ ଙ୍କୁ ନିଜ ପିତା ମାତ୍ର ୧୨ ବର୍ଷ ବୟସରେ ଭଣ୍ଡାରିପୋଖରୀ ର ଅର୍ଜୁନ ଚାନ୍ଦ ଙ୍କ ଅପେରା ରେ କିଶୋର କଳାକାର ଭାବରେ ଅଭିନୟ କରିବା ପାଇଁ ଛାଡ଼ି ଦେଇଥିଲେ। ଅର୍ଜୁନ ଚାନ୍ଦ ଅପେରା ରେ କୃଷ୍ଣ ପ୍ରସାଦ ଅଭିନୟ କରୁଥିବା ସମୟରେ ତାଙ୍କ ମାଆ ଙ୍କ ର ଦେହାନ୍ତ ହୋଇ ଯାଇଥିଲା ଏବଂ ଏହା ପରେ ପରେ ଅର୍ଜୁନ ଚାନ୍ଦ ଅପେରା ମଧ୍ୟ ଭାଙ୍ଗି ଯାଇଥିଲା। ପରିବାର ର ଆର୍ଥିକ ସ୍ଥିତି ମଧ୍ୟ ଖୁବ ଦୁର୍ବଳ ହୋଇପଡ଼ିଥିଲା। ପରିବାର ର ଆର୍ଥିକ ବୋଝ କୁ ବୋହି ନେବା ଉଦ୍ଦେଶ୍ୟ ରେ କୃଷ୍ଣ ପ୍ରସାଦ ସୁଦୂର କଲିକତା କୁ ଚାଲିଯାଇ ବିଷମ ବରାଳ ଙ୍କ ବାଡ଼ିରେ ବୋଲକରା ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ଘରର ମାଲିକ ବିଷମ ବରାଳ କଲିକତା ରେଡ଼ିଓ ଷ୍ଟେସନ ର ଜଣେ ସ୍ଵୀକୃତି ପ୍ରାପ୍ତ ସଙ୍ଗୀତ ଶିଳ୍ପୀ ଓ କ୍ଲେରିଅନେଟ ବାଦକ ଥିଲେ। ଏକଦା କୃଷ୍ଣ ପ୍ରସାଦ ଏକାକୀ ବସି ଗୀତ ଟିଏ ଗାଉଥିଲେ। ଏହି ଗୀତକୁ ବିଷମ ବାବୁ ଶୁଣିପାରି ଗୁଣ ଚିହ୍ନେ ଗୁଣିଆ ନୀତି ରେ କୃଷ୍ଣପ୍ରସାଦ ଙ୍କୁ ସେ ସଙ୍ଗୀତ ଶିକ୍ଷା ଦେବା ଆରମ୍ଭ କଲେ। ମାତ୍ର ତିନି ବର୍ଷରେ କୃଷ୍ଣ ପ୍ରସାଦ ବିଷମ ବରାଳ ଙ୍କ ନିକଟ ରୁ ସଙ୍ଗୀତ ଶିକ୍ଷା ସମାପ୍ତ କରି ସୋର ନିକଟବର୍ତ୍ତୀ କୋଚିଆକୋଇଲି ର ଜମିଦାର ଶ୍ରୀ ନୀଳମଣି ଉପାଧ୍ୟାୟ ଙ୍କ ନିମନ୍ତ୍ରଣ ରକ୍ଷା କରି ୧୯୩୦ ମସିହାରେ ତାଙ୍କ ଦ୍ଵାରା ଗଢି ଉଠିଥିବା ଯାତ୍ରା ଦଳରେ ଓସ୍ତାଦ ଭାବରେ ଯୋଗ ଦେଇଥିଲେ। ସେତେବେଳ କୁ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା। ଦିନ କୁ ଦିନ କୃଷ୍ଣପ୍ରସାଦ ଙ୍କ ର ପ୍ରତିଭା ଗ୍ରାମ କୁ ଗ୍ରାମ ବ୍ୟାପିବାରେ ଲାଗିଲା। ଗ୍ରାମାଞ୍ଚଳରେ ଗଢ଼ିଉଠିଥିବା ବିଭିନ୍ନ ଯାତ୍ରା ଦଳରେ କୃଷ୍ନପ୍ରସାଦ ଙ୍କୁ ଉସ୍ତାଦଗିରି କରିବା ପାଇଁ ନିମନ୍ତ୍ରଣ ଆସିଲା । ନିମନ୍ତ୍ରଣ ରକ୍ଷା କରି ସେ ବିଭିନ୍ନ ଯାତ୍ରା ଦଳରେ ଓସ୍ତାଦଗିରି କରିଚାଲିଲେ। ।

୧୯୩୫ ମସିହା ବେଳକୁ ଓଡିଶାର ବିଭିନ୍ନ ଗ୍ରାମାଞ୍ଚଳରେ ଗଢି ଉଠିଥିବା ଏହି ଯାତ୍ରା ଦଳ ଗୁଡିକ ଭାଙ୍ଗି ଗଲା। ସୌଭାଗ୍ୟ କୁ ସେହି ବର୍ଷ କୃଷ୍ଣପ୍ରସାଦ ଓଡ଼ିଆ ନବ ନାଟ୍ୟ ଆନ୍ଦୋଳନ ର ତ୍ରାଣକର୍ତ୍ତା ଓ କର୍ଣ୍ଣଧାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ପୃଷ୍ଠପୋଷକତାରେ ଗଢି ଉଠିଥିବା ଓଡ଼ିଶା ଥିଏଟର ରେ କଳାକାର ଭାବରେ ଯୋଗ ଦେଇଥିଲେ। ଏହିଠାରୁ ହିଁ କୃଷ୍ଣପ୍ରସାଦ ଙ୍କ ର କଳାକାର ଜୀବନ ର ଗଠନ କବିଚନ୍ଦ୍ର ଙ୍କ କୁମ୍ଭାରଶାଳ ଗୃହରେ ସୁନ୍ଦର ପରିପାଟୀ ରେ ଗଠିତ ହୋଇଥିଲା। ସଙ୍ଗୀତ ଶିକ୍ଷା, ସଙ୍ଗୀତ ରଚନା, ସଙ୍ଗୀତର ସ୍ୱର ସଂଯୋଜନା, ଅଭିନୟ , ନାଟକ ରଚନା ଏବଂ ନାଟକ ନିର୍ଦ୍ଦେଶନା ର କଳା କୃଷ୍ଣପ୍ରସାଦ କବିଚନ୍ଦ୍ର କାଳୀଚରଣ ଙ୍କ ନିକଟ ରୁ ଶିକ୍ଷାଲାଭ କରିଥିଲେ। ସବୁଠୁ ଆନନ୍ଦର ବିଷୟ କୃଷ୍ଣପ୍ରସାଦ ଏହି ଅନୁଷ୍ଠାନ ରୁ ତାଙ୍କ ଜୀବନ ସାଥି ପ୍ରେମମୟୀ ଶ୍ରୀରାଧଙ୍କ ସାନ୍ନିଧ୍ୟ ଲାଭ କରିଥିଲେ। ଓଡ଼ିଶା ଥିଏଟର ରେ ନୃତ୍ୟ ସଙ୍ଗୀତ ପରିବେଷଣ ସହିତ ଅଭିନୟ କରୁଥିବା ସ୍ୱର୍ଣାଲତ ଦେଵୀ ଙ୍କୁ ସେ କୃଷ୍ଣ ରସରେ ସ୍ୱାଦ ଚଖାଇ ନିଜର ସବୁଦିନ ପାଇଁ ଶ୍ରୀରାଧା କରାଇ ନେଇଥିଲେ। ମାତ୍ର ଏହି ବିବାହ ପୂର୍ବରୁ କୃଷ୍ଣପ୍ରସାଦ କମଳା ଦେବୀ ଙ୍କୁ ପ୍ରଥମ ସ୍ତ୍ରୀ ଭାବରେ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ। ଖୁବ ମହତ୍ତ୍ୱପୂର୍ଣ୍ଣ କଥା ଉଭୟ ସ୍ତ୍ରୀ ଙ୍କ ମଧ୍ୟରେ ବହୁ ମଧୁର ସମ୍ପର୍କ ରହିଥିଲା ଏବଂ ସେମାନେ କୃଷ୍ଣପ୍ରସାଦ ଙ୍କ ର ଶେଷ ଜୀବନ ପର୍ଯ୍ୟନ୍ତ ଜୀବନ ସଙ୍ଗିନୀ ହୋଇ ରହିଥିଲେ। କାଳକ୍ରମେ ବିଭିନ୍ନ କାରଣ ହେତୁ ଓଡ଼ିଶା ଥିଏଟର ୧୯୩୯ ମସିହାରେ ଭାଙ୍ଗି ଗଲା । ଏହା ପରେ କୃଷ୍ଣପ୍ରସାଦ ପୁନଶ୍ଚ ନିଜ ଲୀଳା ଭୂମି ଗ୍ରାମାଞ୍ଚଳ ର ଯାତ୍ରା ଅନୁଷ୍ଠାନ ନିକଟକୁ ଫେରି ଆସିଥିଲେ। କୃଷ୍ଣପ୍ରସାଦ ଅଭିଭକ୍ତ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ଅନେକ ଯାତ୍ରା ଅନୁଷ୍ଠାନ ସହିତ ଜଡିତ ରହିଥିଲେ। ତନ୍ମଧ୍ୟରୁ ଅଭଣା, ମଙ୍ଗଳପୁର ( ରାଇପିତାମ୍ୱର), ଗୁଡ, ଅସ୍ତବାଙ୍କ, ନନ୍ଦୁର,ଅଞ୍ଜି ଏବଂ ନଳାଙ୍ଗ ଯାତ୍ରା ପାର୍ଟି ରେ ଓସ୍ତାଦ ଗିରି କରି ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଏହି ସମସ୍ତ ଯାତ୍ରା ପାର୍ଟି ମଧ୍ୟରୁ ସେ ଅଭଣା ଯାତ୍ରା ପାର୍ଟି ରେ ଦୀର୍ଘ ୧୮ ବର୍ଷ ଓ ମଙ୍ଗଳପୁର ( ରାଇପୀତାମ୍ୱର) ଯାତ୍ରା ପାର୍ଟି ରେ ଦୀର୍ଘ ୪ ବର୍ଷ ଓସ୍ତାଦ ଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ସଙ୍ଗୀତ ଏବଂ ନାଟକ ରଚନା କରିଥିଲେ। କୃଷ୍ଣପ୍ରସାଦ ଙ୍କ ର ଏକ ବିଶେଷତ୍ଵ ଥିଲା ସେ ଯେଉଁ ଯାତ୍ରା ପାର୍ଟି ପାଇଁ ନାଟକ ଏବଂ ସଙ୍ଗୀତ ରଚନା କରୁଥିଲେ ସେ ତାହା କୁ ସେହିଠାରେ ଛାଡ଼ି ଚାଲି ଆସୁଥିଲେ। ସେ ତାଙ୍କର ନାଟକ ପାଇଁ ସଙ୍ଗୀତ ରଚନା କରୁଥିଲେ। ନାଟକ ର ବିଷୟବସ୍ତୁ ଓ ପରିବେଶ ପରିସ୍ଥିତି କୁ ଖାପ ଖୁଆଇ ସଙ୍ଗୀତ ରଚନା କରିବା ରେ କୃଷ୍ଣପ୍ରସାଦ ଥିଲେ ଅତ୍ୟନ୍ତ ସିଦ୍ଧହସ୍ତ।

କୃଷ୍ଣପ୍ରସାଦ ତାଙ୍କ ଜୀବଦ୍ଦଶାରେ ସର୍ବମୋଟ ୮୦୦ ଟି ସଙ୍ଗୀତ ଓ ୬୮ ଖଣ୍ଡ ନାଟକ ରଚନା କରିଥିଲେ । ଏହି ସଙ୍ଗୀତ ଗୁଡ଼ିକ ମଧ୍ୟରେ ଥିଲା ଭକ୍ତି ସଙ୍ଗୀତ, ଓଡ଼ିଶୀ ସଙ୍ଗୀତ, ପଲ୍ଲୀ ସଙ୍ଗୀତ, ଉଦବୋଧନୀ ସଙ୍ଗୀତ, ଲଘୁ ସଙ୍ଗୀତ, ସାମ୍ୟବାଦୀ ଚିନ୍ତା ଚେତନାର ସଙ୍ଗୀତ, ଜାଗରଣ ସଙ୍ଗୀତ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟନାଟିକା ସଙ୍ଗୀତ ଏବଂ ସୁଆଙ୍ଗ ଇତ୍ୟାଦି। ନାଟକ ମଧ୍ୟରେ ଥିବା ନାଟକ ଗୁଡ଼ିକ ହେଲା ପୌରାଣିକ, କାଳ୍ପନିକ ଓ ସାମାଜିକ ନାଟକ । ତାଙ୍କ ଦ୍ବାରା ରଚିତ ସମସ୍ତ ନାଟକ ପ୍ରାୟ ମଞ୍ଚସ୍ଥ ହୋଇଥିଲା। କୃଷ୍ଣପ୍ରସାଦ ଙ୍କ ସାହିତ୍ୟ କୁ ଅଧ୍ୟୟନ କରି ସମୀକ୍ଷା କଲେ ଅନେକ ରସ ପୂର୍ଣ୍ଣ ଓ ପଲ୍ଲୀ ପ୍ରକୃତି ର ବିବିଧ ଚିତ୍ର ଆମ ଦୃଷ୍ଟି କୁ ଆସିବ। ବିଶେଷ କରି ତାଙ୍କ ଦ୍ଵାରା ରଚିତ ସାମ୍ୟବାଦୀ ଚିନ୍ତା ଚେତନା ଉପରେ ପର୍ଯ୍ୟବେଶିତ ସଙ୍ଗୀତ ଗୁଡ଼ିକ ଅଧିକ ଲୋକାଭିମୁଖୀ ଓ ପ୍ରଗତିବାଦୀ । ତଥାକଥିତ ସାମ୍ୟବାଦୀ ଚିନ୍ତାଧାରାର କବି ମାନଙ୍କର ରଚନା ଠାରୁ ତାଙ୍କ ସଙ୍ଗୀତ ର ରଚନା ଶୈଳୀ ଅତ୍ୟନ୍ତ ମନଛୁଆଁ, ଉଚ୍ଚକୋଟୀର ଏବଂ ସ୍ଵାଧୀନ ମତାଦର୍ଶ ଉପରେ ପର୍ଯ୍ୟବେଶିତ। ମୋଟାମୋଟି ଭାବରେ ତାଙ୍କ ସୃଷ୍ଟି ସମ୍ଭାର ର ମାନ କୁ ଯଦି ତଉଲା ଯାଏ , ତେବେ ତାଙ୍କ ସାହିତ୍ୟ କୃତି ସମକାଳୀନ ଓଡ଼ିଆ ଭାଷା ସାହିତ୍ୟ ର କେତେକ କତିପୟ ପ୍ରତିଥ ଯଶା ସାହିତ୍ୟିକ ମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ।

ଅର୍ଥ ସର୍ବସ୍ବ ଦୁନିଆର ମୋହରୁ କୃଷ୍ଣପ୍ରସାଦ ସଦାସର୍ବଦା ସଂପୂର୍ଣ୍ଣ ରୂପେ ନିର୍ଲିପ୍ତ ଥିଲେ । ପ୍ରତିଷ୍ଠା ଓ ଯଶ କିର୍ତ୍ତୀର ମୋହ ତାଙ୍କୁ ଆଚ୍ଛାଦିତ କରିପାରିନଥିଲା। ତାହାର ଏକ ନିଛକ ସତ୍ୟ ଘଟଣା ରୁ ଏହା ସ୍ପଷ୍ଟ ଭାବରେ ଅନୁଭବ କରି ହୁଏ । କିଶୋର ଅବସ୍ଥାରୁ ଯେହେତୁ କୃଷ୍ଣପ୍ରସାଦ ବାପା ମାଆ ଙ୍କୁ ହରାଇ ବସିଥିଲେ, ତାହାର ସୁଯୋଗ ନେଇ ଗ୍ରାମର କେତେକ ଚଞ୍ଚକ ପୂର୍ଣ୍ଣ ବ୍ୟକ୍ତି ବିଶେଷ ତାଙ୍କର ଭୁ ସମ୍ପତ୍ତି କୁ ଚଞ୍ଚକ ପୂର୍ଣ୍ଣ ଭାବେ ହଡ଼ପ କରି ନେଇଥିଲେ। ଯେତେବେଳେ ସେ କଳା ଜଗତରେ ଜଣେ ପ୍ରସିଦ୍ଧ କଳାକାର ର ମାନ୍ୟତା ଲାଭ କଲେ, ସେତେବେଳେ କିଛି ପଦସ୍ଥ ଅମଲା ଅଧିକାରୀ ସେହି ହଡ଼ପ ସମ୍ପତ୍ତି କୁ ଫେରାଇ ଦେବା ନିମନ୍ତେ ଉଦ୍ୟମ କରିବେ ବୋଲି ତାଙ୍କୁ ପ୍ରସ୍ତାବ ରଖିଥିଲେ। ମାତ୍ର କୃଷ୍ଣପ୍ରସାଦ ମତ ଦେଇଥିଲେ ଯେ ଲକ୍ଷ୍ମୀ ରହିଲେ ସରସ୍ଵତୀ ଦୂରେଇ ଯିବେ। ତେଣୁ ସମ୍ପତ୍ତି ଫେରିପାଇବା ସପକ୍ଷରେ ସେ ନଥିଲେ। ଆଉ ଏକ ଘଟଣା ଅଛି। କୃଷ୍ଣପ୍ରସାଦ ଙ୍କୁ ଯେତେବେଳେ ତାଙ୍କ ଶ୍ଵଶୁର ବସ୍ ମାଲିକ ହୋଇ ବସ୍ ବ୍ୟବସାୟ ସମ୍ବନ୍ଧରେ ବୁଝିବା ପାଇଁ କହିଲେ, ସେତେବେଳେ ସେ ଉକ୍ତ ବ୍ୟବସାୟ ପ୍ରତି ନିଜର ବିମୁଖତା ପ୍ରକାଶ କରିଥିଲେ। ଏଇଥିରୁ ସ୍ପଷ୍ଟ ବାରି ହୋଇ ପଡ଼େ ଯେ ସେ ବିଷୟ ବାସନା ପ୍ରତି କେତେ ନିର୍ଲିପ୍ତ , ଅନାସକ୍ତ ଓ ଉଦାସୀନ ଥିଲେ । ମାତ୍ର କଳା ଓ ସାହିତ୍ୟ ରଚନା ରସରେ ରସସିକ୍ତ ରସିକ ନାଗର କୃଷ୍ଣପ୍ରସାଦ କାଦମ୍ବରୀ ରସ ପ୍ରତି ଅନେକ ଆସକ୍ତ ଥିଲେ । କାଦମ୍ବାରୀର ବିନା ଆସ୍ୱାଦନ ରେ ତାଙ୍କର ଲେଖନୀ ମୁନରୁ ସୃଜନୀ ର ନିର୍ଝରଣୀ ଆଦୌ ନିର୍ଝରିତ ହେଉ ନଥିଲା । କୃଷ୍ଣ ରସ ସହିତ କାଦମ୍ବରି ରସର ମିଳିତ ସମାହାର ରେ କୃଷ୍ଣପ୍ରସାଦ ଙ୍କ ସୃଜନଶୀଳ ବ୍ୟକ୍ତିତ୍ଵ ର ପରିପ୍ରକାଶ ଘଟିଥିଲା।
କୃଷ୍ଣପ୍ରସାଦ ଇହ ଜଗତରେ ମାତ୍ର ସତାବନ ବର୍ଷ ବଞ୍ଚିଥିଲେ। ଏହି ସମୟ ସୀମା ମଧ୍ୟରେ ସେ ଉଭୟ ନାଟ୍ୟ ଜଗତ ଓ ସାହିତ୍ୟ ଜଗତ ପାଇଁ ଅନେକ ଉପାଦେୟ ଅମର କୃତିକୁ ଆମ ପୂର୍ବସୁରୀ ମାନଙ୍କ ପାଇଁ ସ୍ମୃତି ଉଦ୍ଦେଶ୍ୟ ରେ ଛାଡି ଯାଇଛନ୍ତି। କୃଷ୍ଣପ୍ରସାଦ ଅନେକ ସଙ୍ଗୀତରେ ନିଜକୁ କେଶବକବି ବୋଲି ଅଭିହିତ କରିଛନ୍ତି । ଏହି କେଶବ କବି କୃଷ୍ଣପ୍ରସାଦ ବେହେରା ସ୍ୱଳ୍ପ ସମୟ ପାଇଁ ପୃଥିବୀ ପୃଷ୍ଠ କୁ ଆସି ଆମ ସଂସ୍କୃତି ଜଗତକୁ ଅମୂଲ୍ୟ ଦାନ ଦେଇ ବର୍ଷା ମୁଖର ଗଭୀର ରାତ୍ରିରେ ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ ଆଜିର ଦିବସରେ ଅର୍ଥାତ ୧୯୭୨ ମସିହା ଜୁଲାଇ ମାସ ୧୮ ତାରିଖ ରେ ଇହଲୀଳା ସମ୍ବରଣ କରିଥିଲେ। ଏହି ପ୍ରତିଥିଯଶା କବିଙ୍କର ସଙ୍ଗୀତ ଓ ନାଟକ କୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟ ରେ ସୋର ଠାରେ କିଛି ସଂସ୍କୃତି ପ୍ରେମୀ ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ସ୍ଥାପିତ ହୋଇଥିବା କେଶବ କବି କୃଷ୍ଣପ୍ରସାଦ ସ୍ମୃତି ପରିଷଦ ତରଫରୁ ତାଙ୍କର ସମସ୍ତ ସଙ୍ଗୀତ ଓ ନାଟକ କୁ ଗ୍ରନ୍ଥାବଳୀ ଭାବରେ ପ୍ରକାଶ କରା ଯାଇଛି। କେଶବ କବି କୃଷ୍ଣପ୍ରସାଦ ସ୍ମୃତି ପରିଷଦ ଦ୍ଵାରା ପ୍ରକାଶିତ ତାଙ୍କର ସମସ୍ତ ସଙ୍ଗୀତ କୁ ନେଇ ସଂକଳିତ ହୋଇଥିବା ପ୍ରଥମ ଖଣ୍ଡ ଗ୍ରନ୍ଥାବଳୀ କୁ ରାଜା ରାମମୋହନ ରାୟ ଲାଇବ୍ରେରି ସୋସାଇଟ ନିର୍ବାଚିତ କରି ଓଡ଼ିଶା ରାଜ୍ୟ ସରକାର ଙ୍କ ଜରିଆରେ କ୍ରୟ କରିଛନ୍ତି। ସୌଭାଗ୍ୟର ବିଷୟ କେଶବ କବି କୃଷ୍ଣପ୍ରସାଦ ସ୍ମୃତି ପରିଷଦ ର ଉଦ୍ୟମ ଫଳରେ ଗତ ୨୦୨୧ ମସିହା ଠାରୁ ପାରମ୍ପାରିକ ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା କେଶବ କବି କୃଷ୍ଣପ୍ରସାଦ ବେହେରାଙ୍କ ପଚାଶ ତମ ଶ୍ରାଦ୍ଧ ଦିବସ ପାଳନ କରିବା ନିମନ୍ତେ ଉତ୍ସବ ଆୟୋଜିତ ହୋଇଛି। ଦୀର୍ଘ ଦିନର ନିରବତା ପରେ ଆଜି ପୂଜ୍ୟ ପୂଜାର ଆୟୋଜନ ହୋଇଥିବା ହେତୁ ରାଜ୍ୟ ସରକାର ଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ପ୍ରଷ୍ଫୁଟିତ ବଣ ମଲ୍ଲୀ ର ମହକ ଆଜି ସାରା ରାଜ୍ୟରେ ବିଚ୍ଛୁରିତ ହୋଇଉଠିଛି।


Share Samadhwani
Support Samadhwani

About ଶ୍ରୀ ନିରଞ୍ଜନ ପଣ୍ଡା

ଆଇନଜୀବୀ,ଓଡ଼ିଶା ହାଇକୋର୍ଟ,କଟକ

Check Also

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share SamadhwaniPhoto credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ …