ଭଗବାନ, ଭଗବାନ
କେଉଁ ଦେଶେ ବସି ଦେଖୁଅଛ ଆଜି
ସୃଷ୍ଟିର ଅପମାନ?
ନିଜ ରୂପ ଦାନେ ମୁଗ୍ଧ ପରାଣେ
ବିଶ୍ୱ-ଭୂବନ-ଭୂମେ
ଜୀବ ଜଗତର ସୃଷ୍ଟି ଉପରେ
ଗଢ଼ିଚ ଯାହାକୁ ତୁମେ,
ଦୀପ୍ତ ଯାହାର ଶୁଭ୍ର ଲଲାଟେ
ବିଦାୟ ଆଲିଙ୍ଗନ
ଆସିବାର ବେଳେ ଆଙ୍କି ଦେଇଚ
ମଙ୍ଗଳ ବିଭୂଷଣ,
ଦିବସ ନିଶିର ସଙ୍ଗମ ଶିରୀ
ପ୍ରଭାତ ପ୍ରଦୋଷ ପରି
ମତ୍ତ୍ୟେ ଆସିଚି ଦେବ ଦୈତ୍ୟର
କାମ୍ୟ ମିଳନ ଧରି,
ପ୍ରିୟତମ ତୁମ ସୃଷ୍ଟି ସେଇ ସେ
ଶ୍ରେଷ୍ଠ ମଣିଷ ଜାତି
ଅନ୍ଧ ପରାଏ ଛନ୍ଦ ହଜାଇ
ଖୋଜିବି ନରକ ସାଥୀ ।
ଭଗବାନ, ଭଗବାନ
କେଉଁ ଦେଶେ ବସି ଦେଖୁଅଛ ଆଜି
ସୃଷ୍ଟିର ଅପମାନ?
ନିତି ଦେଖୁଅଛି ଶକୁନି ଶୃଗାଳ
ବିଶ୍ୱ-ଧରଣୀ-ତଳେ
ଜୀବନ ଶୋଷଇ ପରାଣ ତୋଷଇ
ନିର୍ଜୀବ ସବ ପରେ ।
ମାତ୍ର କଅଣ କରୁଚି ହାୟରେ
ସଭ୍ୟ ମଣିଷ ଜାତି
ବିକାର ନରଖି ମଣିଷ ଶିକାର
କରୁଅଛି ଦିବା ରାତି ।
ବିଜ୍ଞାନ-ଜାତ ଅଜ୍ଞାନ-ଜାତ
କମାଣ ଗୋଳାର ବଳେ
ଭସ୍ମ କରଇ ଧ୍ୱଂସ କରଇ
ପ୍ରବଳ ନିର୍ବଳରେ ।
ହଜାର ହଜାର ବକ୍ଷର ତଳେ
ଜଗାଇ ଶଙ୍କା ଭୟ
ବଜ୍ର ଆରବେ ବଜାଇ ହେଉଚି
ଆପଣାର ଜୟ ଜୟ ।
ଜୟ ପରାଜୟ ହାନି ଲାଭେ ଯାର
କିଂଚିତ ନାହିଁ ଭାଗ
କ୍ଷମତାର ଯୂପେ ନିରୀହ ଜୀବନ
ବଳି ପଡ଼ୁଅଛି ଆଗ ।
ମାଟିର ଭକତ ବରଷ ତମାମ
ଛାତିର ରକତ ଦେଇ
ମାଟିର ଉରସେ ସୁନାର ଫସଲ
ସୃଷ୍ଟି କରୁଛି ଏଇ ।
ରାଜାର ଶାସନ ପରଜା ନାଶନ
କଳେ ବଳେ କୌଶଳେ
ଦଣ୍ଡକେ ତାହା ଲୁଟି ନେଉଅଛି
ସିଂହ-ଆସନ-ତଳେ ।
ପୀଡ଼ିତ ପରଜା ଜଣାଇଲେ ଯାଇ
ଦୈନ୍ୟ ବେଦନା ଭାର
ଲୁହାର ଫଉଜ ବନ୍ଧୁକ ମୁଖେ
ବିଚାର କରୁଚି ତାର ।
ଧର୍ମର ଧ୍ୱଜା ବାହାରେ ଉଡ଼ାଇ
ଧର୍ମର ଧନେ ଆଜ
ଦେହର ଓଜନ ବଢ଼ାଉଛି ଖାଲି
ମଠପତି ମହାରାଜ ।
ଧର୍ମ ଜମାର ଉଜାଡ଼ କରୁଚି
ଟିକିଏ ବିଚାର ନାହିଁ,
ଗଣିକା ଦେହର ଦୋହନ କରୁଚି
ଟିକିଏ ବିକାର ନାହିଁ ।
ଦେଶ ବିଦେଶରେ ଦିଗ ବିଦିଗରେ
ପୁଞ୍ଜିପତିର ଦାଉ
ନିଖିଳ ଦୁନିଆ ଗ୍ରାସି ଯାଉଅଛି
ଦଣ୍ଡକେ ଚାହୁଁ ଚାହୁଁ ।
ଦୁଃଖ ଯାତନା କ୍ଳିଷ୍ଟ ଜୀବନ
ନିଃସ୍ୱ ଦଳିତ ଭାଇ
ଧରାତଳେ ମଥା ଗୁଞ୍ଜିବା ପାଇଁ
ଠାବ ପାଉନାହିଁ କାହିଁ ।
ଯନ୍ତ୍ରର ଯହିଁ ପୁଞ୍ଜିତ ଧୁଆଁ
ଘୋଟିଅଛି ଭରପୂର
କର୍ମଶାଳାରେ ଘର୍ମ ନିଗାଡ଼ି
ମରୁଅଛି ମଜଦୁର ।
ଅମାବାସ୍ୟାର ଘନ ଅନ୍ଧାରେ
ତଡ଼ିତ ଦୀପାଳି ଖଚି
ଉଚ୍ଚ ରୂଚିର ହର୍ମ୍ୟେ ମାଲିକ
ପୂର୍ଣ୍ଣିମା ପାଳୁଅଛି ।
ସୃଷ୍ଟି ପାଳନେ ଯା ହାତରେ ତୁମେ
ଦେଇଚ ଯେ ଅଧିକାର
ନ୍ୟାର୍ଯ୍ୟ ବେଭାର ନକରି ସେ ତାର
କରୁଅଛି ଅପଚାର ।
ଭଗବାନ, ଭଗବାନ
କେଉଁ ଦେଶେ ବସି ଦେଖୁଅଛ ଆଜି
ସୃଷ୍ଟିର ଅପମାନ?
ମଣିଷ ସହଜେ ଭୂଲିଯାଇଅଛି
ମଣିଷର ଅବଦାନ
ମଣିଷର ବୁକେ ଲକ୍ଷ୍ୟ କରି ସେ
ମାରୁଚି ବହ୍ନି-ବାଣ ।
ସାରା ଦୁନିଆରେ ଆଜି ସେ ହୋଇଚି
ଅମଙ୍ଗଳର ହେତୁ,
ସାରା ଆକାଶରେ ଜାଗି ଉଠିଚି ସେ
ଧ୍ୱଂସର ଧୂମକେତୁ ।
ଯେଉଁ ପଥେ ତାର ଚରଣ ପଡ଼ଇ
ମଉଳଇ ପଥ ଘାସ,
ଯେଉଁ ଦିଗେ ତାର ଦୃଷ୍ଟି ଚଳଇ
ସକଳ ଦଗ୍ଧ ନାଶ ।
ନିଶ୍ୱାସେ ତାର ବାୟୂମଣ୍ଡଳ
ଶଙ୍କାରେ ଉଠେ ଥରି
କ୍ରନ୍ଦସୀ ଏଇ ପ୍ରକୃତି ସାରା
କ୍ରନ୍ଦନେ ଉଠେ ଭରି ।
ଭଗବାନ, ଭଗବାନ
କେଉଁ ଦେଶେ ବସି ଦେଖୁଅଛ ଆଜି
ସୃଷ୍ଟିର ଅପମାନ?
୰ ରାଧାମୋହନ ଗଡ଼ନାୟକ
ଫୋଟୋ- ଇଣ୍ଟରନେଟ୍
[box type=”shadow” align=”” class=”” width=””]କବି ରାଧାମୋହନ ଗଡ଼ନାୟକଙ୍କର ଏହି କବିତାଟି ଏକ ଭିନ୍ନ ଚିନ୍ତନର କବିତା ଯେଉଁଠି କବି ପ୍ରଶ୍ନ କରିଛନ୍ତି ସୃଷ୍ଟିକର୍ତ୍ତାଙ୍କୁ । ମଣିଷ ଭଳି ଏକ ଦେବ-ଦାନବର ସୃଷ୍ଟି ପ୍ରକୃତି ଓ ଜୀବଜଗତ ପାଇଁ କେତେ ବଡ଼ ଧ୍ୱଂସ ଆଣିଦେଇଛି କବି ତାହାର ବ୍ୟାଖ୍ୟା କରିଛନ୍ତି କବିତାରେ । ସଭ୍ୟର ମୁଖାପିନ୍ଧି ନିର୍ବଳ ମଣିଷମାନଙ୍କୁ ଶିକାର କରୁଥିବା ଦାନବ ମଣିଷର ଉଦାହରଣ ଯେମିତି ଆଜିର ଦିନରେ ଆହୁରି ତୀବ୍ରତ୍ତର ହୋଇଛି । କବି ବଞ୍ଚିଥିଲେ ହୁଏତ ଆଜିଦିନର ମର୍ମନ୍ତୁଦ ଘଟଣାମାନଙ୍କୁ ବଳିଷ୍ଠ ଭାଷାରେ ସମାଲୋଚନା କରିଥାନ୍ତେ । କବିତାରେ କବି ପ୍ରଶ୍ନ କରିଛନ୍ତି,“ଏଭଳି ଦାନବ ସୃଷ୍ଟି କରି କାହିଁକି ସୃଷ୍ଟିର ଅପମାନ କଲ ଭଗବାନ?” ପୋକ ମାଛି ଭଳି ମଣିଷଙ୍କୁ ଆଜି ଯେତେବେଳେ ବନ୍ଧୁକ ମୁନରେ ଶିକାର କରାଯାଉଛି ସେତେବେଳେ କବିତାଟି ପ୍ରକାଶ ପାଇବା ନିହାତି ପ୍ରାସଙ୍ଗୀକ ମନେହେଉଛି । -ସମ୍ପାଦକ[/box]