ନାଟ୍ୟଶାସ୍ତ୍ର ସମ୍ବନ୍ଧରେ ଧାରାବାହିକ ଗୋଟିଏ ଲେଖା ନାଟ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଦୃଷ୍ଟିରେ ରଖି ଲେଖିବାପାଇଁ ଡକ୍ଟର ଅଜିତ କୁମାର ମୁନୀ ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କର ଉଦ୍ୟମ ସଫଳ ହେଲେ ଅନେକ ଛାତ୍ରଛାତ୍ରୀଙ୍କୁ ଏହି ଲେଖାଟି ନାଟ୍ୟ ଶିକ୍ଷା କ୍ଷେତ୍ରରେ ସହଯୋଗୀ ସାବ୍ୟସ୍ତ ହେବ । – ସମ୍ପାଦକ
ସର୍ବଶାସ୍ତ୍ର୍ରାର୍ଥସମ୍ପନ୍ନଂ ସର୍ବଶିଳ୍ପପ୍ରବର୍ତ୍ତକମ୍
ନାଟ୍ୟବେଦମ୍ ତତଶ୍ଚକ୍ରେ ଚତୁର୍ବେଦାଙ୍ଗସମ୍ଭବମ୍ ||୧୬||
ଜଗ୍ରାହ ପାଠ୍ୟମୃଗ୍ବେଦାତ୍ସାମଭ୍ୟୋ ଗୀତମେବଚ
ଯଜୁର୍ବେଦାଭିନୟାନ୍ ରସାନାଥର୍ବଣାଦପି ||୧୭||
(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୩, ଓଡି଼ଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ, ଭୂବନେଶ୍ୱର, ଓଡି଼ଶା)
ଏହାପରେ ପିତାମହ ବ୍ରହା୍ମ ସୁରେଶ୍ୱର ଇନ୍ଦ୍ରଙ୍କୁ ନିକଟକୁ ଡାକି କହିଲେ ଯେ “ହେ ଦେବରାଜ ମୁଁ ଧ୍ୟ୍ୟାନ ବଳରେ ଇତିହାସ ଦର୍ଶନ କରି ନାଟ୍ୟବେଦ ରଚନା କଲି । ତୁମ୍ଭେ ବର୍ତ୍ତମାନ ଏହାର ତତ୍ୱାନୂସାରେ ଦେବତା ମାନଙ୍କୁ ବ୍ୟବହାର କରି ଏହାର ପ୍ରୟୋଗ ପୂର୍ବକ ଅଭିନୟ କରାଅ । ଯେଉଁ ଦେବତାମାନେ କୁଶଳ, ବିଦଗ୍ଧ, ପ୍ରଗଳ୍ଭ ଏବଂ ଜିତଶ୍ରମ ସେମାନଙ୍କ ଦ୍ୱାରା ଏହାର ପ୍ରୟୋଗ କରାଅ ।” ଦେବରାଜ ଇନ୍ଦ୍ର ପିତାମହ ବ୍ରହ୍ମାଙ୍କ ଠାରୁ ଏହିଭଳି ନିର୍ଦେଶ ଶୁଣି ସାରିବା ପରେ ଇନ୍ଦ୍ର ଆଶଙ୍କାଗ୍ରସ୍ତ ହୋଇ ପ୍ରତ୍ୟୁତ୍ତର ଦେଲେ ଯେ “ପ୍ରଭୁ, ଆପଣ ସୃଷ୍ଟି କରିଥିବା ନାଟ୍ୟବେଦର ପ୍ରୟୋଗ ନିମନ୍ତେ ଦେବତାମାନେ ସଂପୁର୍ଣ ଭାବରେ ଏହାର ଗ୍ରହଣ, ଧାରଣ ଏବଂ ଜ୍ଞାନରେ ଅପାରଗ ବା ଅଯୋଗ୍ୟ । ତେଣୁ ଯେଉଁ ମୁନି ମାନେ କୁଶଳ, ରସଜ୍ଞ, ଚତୁର, କର୍ମଠ ଏବଂ ବେଦଜ୍ଞ ସେମାନଙ୍କ ଦ୍ୱାରା ଏହାର ପ୍ରୟୋଗ କରାଇବା ହିିଁ ଶ୍ରେୟଷ୍କର ହେବ । ଇନ୍ଦ୍ରଙ୍କଠାରୁ ଏହି କଥା ଶୁଣି ବ୍ରହ୍ମା ଭରତଙ୍କୁ ସ୍ମରଣ କରିବା ସହ ତାଙ୍କର ଶତପୁତ୍ରଙ୍କୁ ନେଇ ଅଭ୍ୟାସ କାର୍ଯ୍ୟ ଆରମ୍ଭ କରିବାକୁ ଆଜ୍ଞା ଦେଲେ । ତେଣୁ ସେ ତତ୍ୱବିତ୍ ବ୍ରହ୍ମାଙ୍କ ନିର୍ଦେଶରେ ଶାଣ୍ଡିଲ୍ୟ, ବାତ୍ସ୍ୟ, କୋହଳ, ଦତ୍ତିଳ, ଜଟିଳ, ଅମ୍ବୁଷ୍ଟକ ଆଦି ଶତପୁତ୍ର ବା ଶତଶିଷ୍ୟଙ୍କୁ ଉପଯୁକ୍ତ ଭୂମିକା ଏବଂ ବିଭାଗ ପ୍ରଦାନ ପୂର୍ବକ ନାଟ୍ୟକ୍ରିୟା ଆରମ୍ଭ କଲେ । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତେବେଳେ ଭାରତୀ, ସାତ୍ୱତୀ ଓ ଆରଭଟ୍ଟୀ ବୃତ୍ତିକୁ ଆଧାର କରି ନାଟ୍ୟଶିକ୍ଷା ପ୍ରଦାନ କଲେ ସେତେବେଳେ ପିତାମହ ବ୍ରହ୍ମା ନାଟ୍ୟବେଦର ପ୍ରୟୋଗ ମଧ୍ୟରେ କୈଶିକୀ ବୃତ୍ତିକୁ ସଂଯୋଜିତ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କଲେ । ତେଣୁ ଭରତ କୈଶିକି ବୃତ୍ତିର ପ୍ରୟୋଗ ନିମନ୍ତେ ଆବଶ୍ୟକିୟ ଦ୍ରବ୍ୟମାନ ପ୍ରଦାନ କରିବାକୁ ଅନୁରୋଧ କରି କହିଲେ ଯେ
ଦୀୟତାଂ ଭଗବନ୍ ଦ୍ରବ୍ୟଂ କୈଶିକ୍ୟାଃ ସମ୍ପ୍ରଯେଜକମ୍
ନୃତ୍ତାଙ୍ଗହାରସମ୍ପନ୍ନା ରସଭାବକ୍ରିୟାତ୍ମିକା ।ା୪୪।।
ଦୃଷ୍ଟାମୟା ଭଗବତୋ ନୀଳକଣ୍ଠସ୍ୟ ନୃତ୍ୟତଃ
କେଶିକୀ ଶ୍ଲକ୍ଷ୍ଣନେପଥ୍ୟା ଶୃଙ୍ଗାରରସସଂମ୍ଭବା ।ା୪୫।।
ଅଶକ୍ୟା ପୁରୁଷୈଃ ସାଧୁ ପ୍ରଯୋକ୍ତୁଂ ସ୍ତ୍ରୀଜନାଦୃତେ
ତତୋଽସୃଜନ୍ ମହାତେଜା ମନସାପ୍ସରସୋ ବିଭୁଃ ।ା୪୬।।
(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୭, ଓଡି଼ଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ, ଭୂବନେଶ୍ୱର, ଓଡି଼ଶା)
ଅର୍ଥାତ୍ ନାଟ୍ୟକୋବିଦ ଭରତ ମୁନି ବ୍ରହ୍ମାଙ୍କୁ ପ୍ରାର୍ଥନା ପୁର୍ବକ ଅନୁରୋଧ କଲେ ଯେ ପ୍ରଭୁ ଦେବ ଦେବ ମହାଦେବ ନୀଳକଣ୍ଠଙ୍କ ନୃତ୍ୟ ସମୟରେ ଏହି କୈଶିକୀ ବୃତ୍ତିକୁ ମୁଁ ଲକ୍ଷ କରିଛି । ନୃତ୍ତ, ଅଙ୍ଗହାର, ରସ ଏବଂ ଭାବ ଏଥିନିମନ୍ତେ ନିତାନ୍ତ ଅପରିହାର୍ଯ୍ୟ । ଆମ୍ଭ ନିକଟରେ ଥିବା ପୁରୁଷ ୠଷି ମାନେ ଏହାର ପ୍ରୟୋଗ ନିମନ୍ତେ ଏକାନ୍ତ ଅସମର୍ଥ । ଯେହେତୁ ଏହି ବୃତ୍ତି ଶୃଙ୍ଗାର ରସରୁ ସୃଷ୍ଟି ହୁଏ । ତେଣୁ ଏ କ୍ଷେତ୍ରରେ ସ୍ତ୍ର୍ରୀ ଲୋକଙ୍କୁ ନିଯୋଗ କରିବା ଉଚିତ ହେବ । ନାଟ୍ୟ୍େୟକାବିଦ ଭରତଙ୍କ ଠାରୁ ପିତାମହ ବ୍ରହ୍ମା ଏତାଦୃଶ ବାକ୍ୟ ଶ୍ରବଣ କରି ତତ୍କ୍ଷଣାତ୍ ଯୋଗ ବଳରେ ଧ୍ୟାନସ୍ଥ ହୋଇ ତାଙ୍କ ଶରୀରରୁ ମଞ୍ଜୁକେଶୀ, ସୁକେଶୀ, ମିଶ୍ରକେଶୀ, ସୁଲୋଚନା ଆଦି ଅପ୍ସରା ମାନଙ୍କୁ ସୃଷ୍ଟିକଲେ । ଏହା ସହିତ ସ୍ୱାତୀଭାଣ୍ଡଙ୍କୁ ବାଦ୍ୟଯନ୍ତ୍ରରେ ଏବଂ ନାରଦ ଓ ଗନ୍ଧର୍ବ ମାନଙ୍କୁ ନାଟକରେ ସଂଗୀତର ବିଭିନ୍ନ ବିଭାଗରେ ନିଯୁକ୍ତ କଲେ । ନିଜର ଶତେକ ପୁତ୍ର ବା ଶିଷ୍ୟଙ୍କୁ ନେଇ ନାଟ୍ୟବିଦ୍ୟା ଶିକ୍ଷା ସମାପନ ପରେ ନାଟ୍ୟାଚାର୍ଯ୍ୟ ଭରତ ମୁନି ସ୍ୱାତୀ ଏବଂ ନାରଦଙ୍କୁ ସାଥିରେ ଧରି ନାଟ୍ୟବେଦର ମଞ୍ଚାୟନ ନିମନ୍ତେ ଅନୁରୋଧ କଲେ । ତଦନୁରୂପେ ବ୍ରହ୍ମା ମଧ୍ୟ ସେମାନଙ୍କୁ ଦେବରାଜ ଇନ୍ଦ୍ରଙ୍କ ଧ୍ୱଜ ଉତ୍ସବରେ ସେହି ନାଟ୍ୟବେଦର ପ୍ରୟୋଗ ନିମନ୍ତେ ନିର୍ଦେଶ ଦେଲେ । ତେଣୁ ବ୍ରହ୍ମାଙ୍କ ନିର୍ଦେଶ ମୁତାବକ ଆଚାର୍ଯ୍ୟ ଭରତ ନିଜର ପୁତ୍ର, ପୁତ୍ରୀ (ଶିଷ୍ୟା ଅପ୍ସରା), ସ୍ୱାତୀ, ନାରଦ ଆଦି ସହଯୋଗୀ ମାନଙ୍କୁ ସାଥିରେ ଧରି ନାଟ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କଲେ । ନାଟ୍ୟାରମ୍ଭରେ ପ୍ରଥମେ ଦେବତାଙ୍କ ଆଶିର୍ବାଦ ସୂଚକ ଅଷ୍ଟପଦି ନାନ୍ଦୀ ଗାନ କରାଗଲା । ଏହାର ପରବର୍ତ୍ତି ପର୍ଯ୍ୟାୟରେ ଦେବତା ଓ ଦାନବ ମାନଙ୍କ ମଧ୍ୟରେ ଯୁଦ୍ଧର ଅଭିନୟ ପରିବେଷିତ ହେଲା । ଏହି ପରିବେଷଣର ବିଷୟବସ୍ତୁ ଥିଲା ଦେବତା ମାନେ କିପରି ଚତୁରତାର ସହ ବିଭିନ୍ନ କୈାଶଳ ପ୍ରୟୋଗ କରି ଦେତ୍ୟ ମାନଙ୍କୁ ଯୁଦ୍ଧରେ ଅତ୍ୟନ୍ତ ଶୋଚନିୟ ଭାବରେ ପରାସ୍ତ କରିଥିଲେ । ଦେବତା ମାନଙ୍କର ବୀରତ୍ୱର ଏହିଭଳି ଏକ ନାଟ୍ୟକ୍ରିୟା ଧ୍ୱଜା ଉତ୍ସବରେ ସର୍ବ ସମ୍ମୁଖରେ ପରିବେଷିତ ହେଲା ତାହା ଦେବକୂଳର ସମସ୍ତ ଦେବାଦେବୀମାନଙ୍କୁ ଅତ୍ୟନ୍ତ ପ୍ରୀତ କଲା । ଫଳସ୍ୱରୁପ ବହୁ ଦେବାଦେବୀ ନାନାବିଧ ଆଶିର୍ବାଦ ଏବଂ ଉପହାର ପ୍ରଦାନ କରିଥିଲେ । ପ୍ରଥମତଃ ଇନ୍ଦ୍ର ନିଜର ଧ୍ୱଜକୁ ଉପହାର ରୁପରେ ପ୍ରଦାନ କରିଥିଲେ । ଏତଦ୍ବ୍ୟତିତ ବ୍ରହ୍ମା କମଣ୍ଡଳୁ, ବରୁଣ ଭୃଙ୍ଗାର, ସୂର୍ଯ୍ୟ ଛତ୍ର, ଶିବ ସିଦ୍ଧି, ବାୟୁ ବ୍ୟଞ୍ଜନ, ବିଷ୍ଣୁ ସିଂହାସନ, କୁବେର ମୁକୁଟ, ସରସ୍ୱତୀ ବାଣୀ ଆଦି ଉପହାର ସ୍ୱରୁପ ପ୍ରଦାନ କଲେ ।
କ୍ରମଶଃ ….