ଆମ ଗାଁ “ପରଶଖଣ୍ଡିର ଗୌରା ଗୌରୀ ପୂଜା”

ସଂଗୀତା ମହାନନ୍ଦ
ସଂଗୀତା ମହାନନ୍ଦ543 Views
7 Min Read

ସଙ୍ଗୀତା ମହାନନ୍ଦ ହେଉଛନ୍ତି ପାଇକମାଳ ସ୍ଥିତ ଛେତ ଗାଁ ସ୍କୁଲର ଛାତ୍ରୀ । ନିଜ ଗାଁ ସମ୍ପର୍କରେ ଗବେଷଣା କରି ଗାଁ’ର ଇତିହାସ ଉପରେ ଏକ ଦସ୍ତାବିଜ ସେ ପ୍ରସ୍ତୁତ କରିଛନ୍ତି। ଗାଁ’ର ଲୋକମାନେ ସଙ୍ଗୀତା ମହାନନ୍ଦ ଙ୍କ ଉଦ୍ୟମକୁ ବହୁତ ପ୍ରଶଂସା କରିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ଦେବାପରେ ସଙ୍ଗୀତା ମହାନନ୍ଦ ନିଜର ମୂଲ୍ଯବାନ ସମୟକୁ ଏହିଭଳି ଏକ ଲେଖା ପ୍ରସ୍ତୁତ କରିବାରେ ଦେଇଛନ୍ତି। ସବୁ ସ୍କୁଲ ଛାତ୍ରଛାତ୍ରୀମାନେ ଚାହିଁଲେ ନିଜ ନିଜ ଗାଁ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରିପାରିବେ। ସମଧ୍ବନି ସେ ଦିଗରେ ସହଯୋଗ କରିବ। । – ସମ୍ପାଦକ

ଆମ ଗାଁ’ର ନାମ ପରଶଖଣ୍ଡି । ଗାଁ’ର ନାମ ପରଶଖଣ୍ଡି ଦିଆଯିବାର କାରଣ ହେଲା ଗାଁ ନଦୀ ଖଣ୍ଡିରେ ଅବସ୍ଥିତ । ଆମ ଗାଁ ନଦୀ ଖଣ୍ଡିରେ ପରଶ ନାମକ ଏକ ପଥର ମିଳିଥିବାରୁ ପୂର୍ବପୁରୁଷମାନେ ଗାଁ’ର ନାମ ପରଶଖଣ୍ଡି ଦେଲେ । ଆମ ଗାଁ ପ୍ରାୟ 300 ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିଲା । ଓଡିଶା ଛତିଶଗଡ଼ ବୋଡ଼ରରେ ଆମ ଗାଁ । ଓଡିଶା ରାଜ୍ୟର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଛେତଗାଁ ପଞ୍ଚାୟତରେ ଏହି ଛୋଟିଆ ଗାଁ’ଟି ଅବସ୍ଥିତ । ଆମ ଗାଁ ଜଙ୍ଗଲିଆ ଅଞ୍ଚଳ ଅଟେ । ଗାଁ’ର ସବୁଆଡେ ଜଙ୍ଗଲ ହିଁ ଜଙ୍ଗଲ ଦେଖାଯାଏ । ଛେତଗାଁ ପଞ୍ଚାୟତରେ ୫ଟି ଗାଁ ଅଛି । ସେ ୫ଟି ଗାଁ ଭିତରୁ ଗୋଟିଏ ଗାଁ ଆମର । ଏତେ ଗାଁ ଅଛି କିନ୍ତୁ ସବୁ ଗାଁ ଭିତରୁ ଆମ ପରଶଖଣ୍ଡି ଗାଁ ଟା ଅଲଗା । କାରଣ ଆମ ଗାଁ’ରେ ପର୍ବପର୍ବାଣି ଭିନ୍ନ ଓ କଳାସଂସ୍କୃତି ଭିନ୍ନ ଅଟେ । ଗାଁ’ରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଯେପରି; କଳଙ୍ଗା, କଲାର, ଗୌଡ଼, ତେଲି, ଲୁହୁରା ଓ ଅନୁସୂଚିତ ଜାତି ଇତ୍ୟାଦି । ଗାଁ’ର ଅଧିକ ଲୋକ କଳଙ୍ଗା ଅଟନ୍ତି । କଳଙ୍ଗା ଜାତିର ଭାଷା ଅଲଗା । ସେମାନେ ଲରିଆ ଭାଷାରେ କଥାବାର୍ତ୍ତା ହୁଅନ୍ତି ।

ଉଦାହରଣ-ତୁମନ୍ କୋତେ ଗାଁଓକେ ?ତୋର ନା କାନାଏ ?

ଅର୍ଥ-ତୁମେ କେଉଁ ଗାଁ’ର ଅଟ ? ତୁମ ନା କ’ଣ ?

ଲରିଆ ଭାଷାରେ ତୁନ କୁ ଶାଗ କୁହାଯାଏ । ଗାଁ’ରେ ବିଭିନ୍ନ ସମ୍ପ୍ରଦାୟର ଲୋକ ରହିଥିଲେ ମଧ୍ୟ କେହି କାହାକୁ ଘୃଣା କରନ୍ତି ନାହିଁ I ସମସ୍ତେ ମିଳିମିଶି ଚଳନ୍ତି I ସକାଳ ଏବଂ ସନ୍ଧ୍ୟାରେ ଗାଁ ଲୋକେ ଗୋଟିଏ ପିଣ୍ଡାରେ ବସି କଥାବାର୍ତ୍ତା ହୁଅନ୍ତି । ଗାଁ’କୁ ବାହାରର ଲୋକ ଦେଖିଲେ ଗାଁ ଯିବା ବାଟରେ ଅଧିକ ଜଙ୍ଗଲ ଥିବାରୁ କିଛି ଲୋକ ଜଙ୍ଗଲିଆ ଗାଁ କହିଥାନ୍ତି ଅର୍ଥାତ ଗାଉଁଲିଆ ଗାଁ ବୋଲି ଉପହାସ କରିଥାନ୍ତି । ଆମ ଗାଁ’କୁ ଯିଏ ଯେମିତି କହୁ ପଛେ ମୋ ଗାଁ ମୋ ପାଇଁ ସ୍ୱର୍ଗଠୁ କମ ନୁହେଁ । ଗାଁ’ର ପ୍ରତ୍ୟେକ ଲୋକ ଚାଷୀ ଅଟନ୍ତି । ଚାଷ କାମ କରି ଜୀବିକା ନିର୍ବାହ କରନ୍ତି । ଗାଁ’ରେ କାମ ନପାଇ କିଛି ଲୋକ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି ।

ଗାଁ’ରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଏ ଯଥା; ନୂଆଁଖାଇ, ଗଣେଶପୂଜା, ପୌଷପୂର୍ଣ୍ଣିମା(ଫୁଷପୁନି), ରକ୍ଷା ବନ୍ଧନ, ଭାଇ ଜିଉଁନ୍ତିଆ, ପୁଅ ଜିଉଁନ୍ତିଆ, ସାବିତ୍ରୀ ବ୍ରତ, ଲକ୍ଷ୍ମୀ ପୂଜା, ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଦୀପାବଳି, ଗୌରା ପୂଜା, ହୋଲି, ଅକ୍ଷୟ ତୃତୀୟା, ସେମି ତିହାର, ଚଉଳ ଧୁଆ ତିହାର, ଦୁଲହା ଯାତ୍ରା ଇତ୍ୟାଦି ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଏ । ଗାଁ’ରେ ବିଭିନ୍ନ ପର୍ବପର୍ବାଣୀ ପାଳନ କଲେ ମଧ୍ୟ ଗୌରା ଗୌରୀ ପୂଜାକୁ ଗାଁ’ର ସମସ୍ତେ ମିଶି ବହୁତ ଯାକଯମକରେ ପାଳନ କରନ୍ତି ।

ଗୌରା ଗୌରୀ ପୂଜା ବିଷୟରେ ଅଧିକ ଜାଣିବା ପାଇଁ ଚାଲ ଆମ ଗାଁ’ର ଗୌରା ଗୌରୀ ପୂଜା ଦେଖିବା ।

କାର୍ତ୍ତିକ ମାସ ଅମାବାସ୍ୟ ଦୀପାବଳୀ ଦିନ ଗୌରା ଗୌରୀ ପୂଜା କରାଯାଏ । ଏଇ ପୂଜା ପ୍ରାୟ ଗାଁ ଯେବେଠୁ ଆରମ୍ଭ ହୋଇଛି ସେବେଠୁ କରାଯାଉଛି । ଗାଁ’ର ପୂର୍ବ ଗଉଁତିଆ ସିଦାର ଘରର ବ୍ୟକ୍ତି ଏଇ ପୂଜାର ପୂଜାରୀ ଥିଲେ । ତାଙ୍କ ପରେ ହୀରାଲାଲ କଲାରୀ ,ଜ୍ୟୋତିରାମ କଲାରୀ ଓ ବର୍ତ୍ତମାନ ଗାଁ’ର ପୂଜାରୀ ଅଟନ୍ତି ଗଙ୍ଗାଧର କଲାରୀ । ଏଇ ଗୌରା ଗୌରୀ ପୂଜାକୁ ଗାଁ’ର କଳଙ୍ଗା ଜାତିର ଲୋକ କରନ୍ତି ।

ପୂଜା ପାଇଁ କ’ଣ କରାଯାଏ ଚାଲ ଜାଣିବା । ପୂଜା ଦିନ ପ୍ରଥମେ ସକାଳୁ ଉଠି ଗାଧୋଇ ସାରି ଗାଁ’ର ଝିଅମାନେ ଓ କିଛି ବୟସ୍କ ବ୍ୟକ୍ତି ମାଟି ନେଇଯାଆନ୍ତି I ମାଟି ନେଇଯିବା ସମୟରେ କିଛି ପୂଜା ସାମଗ୍ରୀ ନେଇକି ଯାଆନ୍ତି, ମନ୍ଦଳ, ଗିନି ବଜେଇକି ଗୀତ ଗାଈ ଗାଈ ସମସ୍ତେ ଯାକ ଯମକରେ ଗୌରା ମାଟି ନେଇ ଯାଆନ୍ତି । ମାଟି ନେବା ଜାଗାକୁ ପହଞ୍ଚିଲା ପରେ ସେଠାରେ ଗୋବର ଘସନ୍ତି, ସେଇ ମାଟିକୁ ଧୂପକାଠିରେ ପୂଜା କରିସାରିଲା ପରେ ମାଟିକୁ ହାଣିକି ପାତ୍ରରେ ଗାଁ’କୁ ଆଣନ୍ତି । ଗାଁ’ର ବଢ଼େଇ ହିରାଧର ବିହାରଙ୍କ ଘରେ ମାଟିକୁ ରଖାଯାଏ ଓ ପାଣି ଦେଇ ବୋତରା ଯାଏ(ଫୁଲା ଯାଏ)। ସନ୍ଧ୍ୟାରେ ମାଟି ବୁତୁରି ସାରିବା ପରେ ତାକୁ ବଢ଼େଇ ମୂର୍ତ୍ତି ତିଆରି କରନ୍ତି । ସେଇ ମୂର୍ତ୍ତିର ମାଆ ଘର ବିହାର ଘରଠୁ ସିର୍ଜିନା ହୋଇକି ତାଙ୍କ ଶାଶୁ ଘର କଲାରୀ ଘରକୁ ଆସନ୍ତି I ମୂର୍ତ୍ତି ସାତ ପ୍ରକାରର ବନାଯାଏ । ଯେପରି-ଶିବ ପାର୍ବତୀ ଓ ତାଙ୍କ ମନ୍ଦିର, ବଳଦ, କଇଁଛ(କେଛୋ), ଗଣେଶ, ହନୁମାନ, ଭୀମସେନ ଓ କଳସ ଏତିକି ମୂର୍ତ୍ତି ସେଇ ଗୌରା ମାଟିରୁ ତିଆରି କରାଯାଏ । ଗୌରା ଗୌରୀ ପୂଜାରେ ଶିବ ପାର୍ବତୀଙ୍କୁ ପୂଜା କରାଯାଏ । ଶିବ ପାର୍ବତୀର ବିବାହରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଏ ।

ରାତିହେଲେ ମାଆ ଘରରୁ ମୂର୍ତ୍ତି ବାହାର କରାଯାଏ । ଗାଁ ମଝିରେ ଥିବା ଠାକୁର ବୁଢାଙ୍କ ନିକଟରେ ମୂର୍ତ୍ତି ରଖାଯାଏ I ପ୍ରଥମେ ଗାଁ’ର ଝିଅମାନେ ଯେତେ ଝିଅ ଉପବାସ ରହିଥାନ୍ତି ସମସ୍ତେ କଳସରେ ଧାନ ସଜେଇ ତା’ଉପରେ ଦୀପ ଜାଳି ଠାକୁର ବୁଢାର ପରିକ୍ରମା କରନ୍ତି I ତା’ପରେ କିଛି ଝିଅ ଯାଇ ମୂର୍ତ୍ତି ବୋହିକି ପରିକ୍ରମା କରନ୍ତି I ପରିକ୍ରମା ସାରିଲା ପରେ ସମସ୍ତ ଝିଅ ଏକାଠି ହୋଇ ଗୌରା ଗୀତ ଗାଆନ୍ତି ।

ଗୌରା ଗୌରୀ ପୂଜାର ମୁଖ୍ୟ ପ୍ରସାଦ ହେଲା ସେଓରୋଟି(ସେଓ ପିଠା) ।

ସେଓରୋଟିର ପ୍ରସ୍ତୁତି ପ୍ରଣାଳୀ ହେଲା-(i) ଅରୁଆ ଚାଉଳକୁ ସଫା କରି ଧୋଇବା ।

(ii) ଟିକେ ଶୁଖିଲା ପରେ ତାକୁ ଚୁନା କରିବା ।

(iii) ଚୂନାରେ ପାଣିଦେଇ ଅଟାକୁ ଯେପରି ଚକୁଡ଼ନ୍ତି ସେହିପରି ଚକୁଡ଼ିବା ।

(iv) ଚଟୁର କଣାରେ ଚକୁଟି ଥିବା ଚୂନାକୁ ସେଥିରେ ବିନ୍ଦୁ ବିନ୍ଦୁ ହୋଇ ବାହାରିବ ।

(v) ପାଣି ଗରମ କରିବା ।

(vi) ସେଇ ଗରମ ପାଣିରେ ଚକୁଟି ଥିବା ଚୂନା ବିନ୍ଦୁକୁ ଢାଙ୍କିଦେବା ।

(vii) ସେଇ ଚୂନା ବିନ୍ଦୁ ସିଝି ଗଲେ ତାକୁ ଗୋଟିଏ ପାତ୍ରରେ ଅଲଗା କରିବା ।

(viii) ସେଥିରେ ଚିନି ମିଶାଇବା ।

(ix) ସେଇ ପାଣିରେ ଚିନି ମିଶାଇଥିବା ଚୂନା ବିନ୍ଦୁକୁ ଢାଙ୍କିଦେବା ।

(x) କିଛି ସମୟପରେ ତାହା ଅଲଗା ରଙ୍ଗ ହୋଇଯିବ/ରଙ୍ଗ ପରିବର୍ତ୍ତନ ହେବା ।

ତା’ ପରେ ସେଓ ରୋଟି ପ୍ରସ୍ତୁତି ହେଲା । ସେଇ ଭୋଗକୁ ପ୍ରଥମେ ଗୌରା ଗୌରୀଙ୍କୁ ଚଢ଼ାଇବେ ତା’ପରେ ଗାଁ’ର ସମସ୍ତ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯିବ ।

ଗୌରା ଗୌରୀ ପୂଜା ଦିନର ରାତିରେ ଗହମତର ଆୟୋଜନ କରାଯାଏ । ପ୍ରତ୍ୟେକ ଦୀପାବଳିର ସେଇ ପୂଜାଦିନ ଗହମତ ହୋଇଥାଏ । ସମସ୍ତେ ଖାଇପିଇ ସାରି ଗାଁ ମଝିରେ ଜମା ହୁଅନ୍ତି । ଗାଁ ମଝିରେ ଷ୍ଟେଜ ବନାଯାଏ । ସମସ୍ତେ ଷ୍ଟେଜ ପାଖରେ ପଟି ବା ବିଛଣା ପକାଇ ଏକାଠି ହୋଇ ବସନ୍ତି । ଅନ୍ୟ ଗାଁ’ର ମଧ୍ୟ ଦେଖିବାକୁ ଆସିଥାନ୍ତି । ଆମ ଗାଁ’ର ଆଖ ପାଖର ଓ ବହୁ ବହୁ ଦୂରରୁ ମଧ୍ୟ ଦେଖିବାକୁ ଆସନ୍ତି । ସେ ଦିନର ଗାଁ’ର ପରିବେଶ ଖୁବ ସୁନ୍ଦର ଦେଖାଯାଏ । ସେଇ ଦିନ ଗାଁ’କୁ ବିଭିନ୍ନ ଖାଇବା ଜିନିଷ ଆସିଥାଏ, ଯେପରି; ଗୁପଚୁପ ଵାଲା, ମୁଢି, ପାମ୍ପଡ଼, ମକା ଚୂଡ଼ା ଏପରି ବିଭିନ୍ନ ଖାଇବା ଜିନିଷ ଆସିଥାଏ ।

ପୂଜାର ଶେଷ ଦିନ ବା ତା’ପରଦିନ ସକାଳରେ ଯେତେଲୋକ ଗୌରା ମାଟି ନେଇ ଯାଇଥାନ୍ତି ସେତେଲୋକ କଳସ ବିସର୍ଜନ କରି ଯାଆନ୍ତି । ରାନୀ ଜୋରକୁ ବିସର୍ଜନ କରି ଯାଆନ୍ତି । ସେଇ ଦିନ ମଧ୍ୟାହ୍ନରେ ଗାଁ’ର ସମସ୍ତଙ୍କୁ ଏକାଠି କରି ଭୋଜନ/ଭୋଗ ଖାଆନ୍ତି । ଭୋଗରେ ଭାତ, ଡାଲମା, ଖଟା, ତରକାରୀ ଏବଂ କ୍ଷୀର ରନ୍ଧାଯାଏ । ସେଇ ଦିନ ସଂଧ୍ୟାରେ ଗାଁ’ର ଝିଅମାନେ ଖାଇ ସାରି ସଜେଇ ହୋଇ ବାହାରନ୍ତି ଶୁଆ ନାଚିବାକୁ । ଗାଁ’ର ପ୍ରତ୍ୟେକ ଘରକୁ ଯାଇ ଶୁଆ ନାଚନ୍ତି ।

ଶେଷରେ କହିବାକୁ ଚାହେଁ ଯେ, ଆମ ଗାଁ’ର ଗୌରା ଗୌରୀ ପୂଜା ମୋତେ ବହୁତ ଭଲ ଲାଗେ, କାରଣ ଆମ ଆଖ ପାଖର ଅନ୍ୟସବୁ ଗାଁ’ରେ ଏଇ ପୂଜା କରନ୍ତି ନାହିଁ । ଗୋଟେ ଦୁଇଟା ଗାଁ’ରେ କରନ୍ତି କିନ୍ତୁ ସେ ଗାଁ’ରେ ହେଲେ ମଧ୍ୟ ଆମ ଗାଁ’ର ପୂଜା ଭିନ୍ନ ଅଟେ । ଆମ ଗାଁ’ରେ ଏଇ ପୂଜା ବହୁତ ଯାକଯମକରେ ହୁଏ ।

Share This Article
Student Cultural Journalist