‘ବିନୟପିଟକ’, ‘ସୁତ୍ତପିଟକ’ ଓ ‘ଅଭିଧମ୍ମପିଟକ’କୁ ‘ତ୍ରିପିଟକ’ କୁହାଯାଏ । ତ୍ରିପିଟକ ବୌଦ୍ଧମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ ଅଟେ । ପିଟକ ଅର୍ଥ ‘ପେଟିକା’ ବା ‘ପେଡ଼ି’ । ବୁଦ୍ଧବଚନର ଏହି ସଂକଳନତ୍ରୟକୁ ସମ୍ଭବତଃ ପେଟିକାରେ ରଖାଯାଉଥିବାରୁ ଏପରି ନାମକରଣ ହୋଇଥାଇପାରେ । … ବୌଦ୍ଧ ଜାତକ ଗଳ୍ପଗୁଡ଼ିକର ପ୍ରଭାବ ପରିବର୍ତ୍ତୀ ସମୟରେ ଅନେକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ ପଡ଼ିଥିବାର ସ୍ପଷ୍ଟ ପ୍ରମାଣ ମିଳେ” । ଲେଖକ ଅଧ୍ୟପକ ବିଶ୍ଵନାଥ ସାହୁ ଜାତକ ଗଳ୍ପକୁ ଏକ ସର୍ବ ପୁରାତନ ସାହିତ୍ୟ ଭାବରେ ଗ୍ରହଣ କରନ୍ତି । ତାଙ୍କର ଯୁକ୍ତି ହେଲା ଯେ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟକୁ ପ୍ରଭାବିତ କରିଥିବା ଜାତକ ଗଳ୍ପ ଯେ ଭାରତୀୟ କଥାସାହିତ୍ୟର ଆଦିଉତ୍ସ ଏକଥା ନିଃସଂକୋଚରେ କୁହାଯାଇପାରେ । – ସମ୍ପାଦକ
ବେଦୋତ୍ତର ଭାରତର ରାଜନୈତିକ ଓ ସାମାଜିକ ସ୍ଥିତି ବିଷୟରେ ଜାଣିବାକୁ ହେଲେ ଆମକୁ ବୌଦ୍ଧ ଗ୍ରନ୍ଥମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ପୁନଶ୍ଚ ବୌଦ୍ଧ ଜାତକ କଥାଗୁଡ଼ିକରୁ ମିଳୁଥିବା ସନ୍ଦେଶ ତଥା ବୁଦ୍ଧଙ୍କ ଜୀବନୀ ତଥ୍ୟ ପରବର୍ତ୍ତି ପ୍ରାଚ୍ୟ ସାହିତ୍ୟକୁ ଅନେକ ପ୍ରକାରେ ଋଦ୍ଧିମନ୍ତ କରିଛି ନିଶ୍ଚୟ । ପ୍ରତ୍ୟେକ ଜାତକ କଥା ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଏକ ଆଇନା । ‘ଜାତ’ (ଜନ୍ମ) ସହିତ ସମ୍ବନ୍ଧାର୍ଥରେ ‘କ’ ଯୁକ୍ତ ହୋଇ ‘ଜାତକ’ ଶବ୍ଦର ବୁତ୍ପତ୍ତି ଘଟିଛି ।(୧) ତେଣୁ ଜାତକର ସାଧାରଣ ଅର୍ଥ ହେଉଛି ଜନ୍ମ ବା ଜନ୍ମିତ ସନ୍ତାନ । ଜାତକର ଅନ୍ୟ ଏକ ଅର୍ଥ ହେଲା, ଯାହା ଅତୀତ ବା ଘଟିଯାଇଛି । ଆଲୋଚ୍ୟ ପ୍ରସଙ୍ଗାନୁସାରେ ଭଗବାନ ବୁଦ୍ଧଙ୍କର ଅତୀତ ଜୀବନରେ ଯାହା ଘଟିଯାଇଛି ତାହାର ବର୍ଣ୍ଣନା ଜାତକ କଥାର ବିଷୟବସ୍ତୁ । ଶୁଦ୍ଧନିକାୟ ଅନ୍ତର୍ଗତ ‘ଜାତକଂ’ ଶବ୍ଦ ଜନ୍ମକଥା ଅର୍ଥରେ ବ୍ୟବହୃତ ହୋଇଛି । ଏଥିରେ ଜନ୍ମକଥା ଜନ୍ମାନ୍ତରର ଘଟଣାବଳୀକୁ ସୂଚୀତ କରୁଛି ।(୨) କେତେକଙ୍କ ମତରେ ଏବେ ଏବେ ଜନ୍ମିଥିବା ଶିଶୁକୁ ଜାତକ କୁହାଯାଏ; ଯଥା- ନବଜାତକ । ସେ ଦୃଷ୍ଟିରୁ ଶିଶୁକୁ ଶୁଣାଇବା ପାଇଁ ଯେଉଁ କଥା ଅଭିପ୍ରେତ ତାହା ଜାତକ କଥା ।
ଭଗବାନ ବୁଦ୍ଧ ବଞ୍ଚିଥିବାବେଳେ ଯେଉଁ ଧର୍ମବାଣୀ ବା ଉପଦେଶ ଶୁଣାଇଥିଲେ ତାହା ଲିପିବଦ୍ଧ ହୋଇପାରିନଥିଲା । ଏପରିକି ତାଙ୍କ ଜୀବିତାବସ୍ଥାରେ ବୌଦ୍ଧଧର୍ମ ଏକ ସ୍ୱତନ୍ତ୍ର ଧର୍ମରୂପେ ପ୍ରଚାରିତ ହୋଇନଥିଲା । ସନାତନ ଧର୍ମରେ ଯେଉଁ କୁସଂସ୍କାର ସବୁ ପ୍ରଚଳିତ ଥିଲା ତା’ର ସଂସ୍କାର କରିବା ହିଁ ଥିଲା ଏହାର ଉଦ୍ଦେଶ୍ୟ । ପରେ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ମୌଖିକ ଭାବରେ ଏହାର ପ୍ରଚାର ଓ ପ୍ରସାର ହୋଇଥିଲା । ବୁଦ୍ଧଦେବଙ୍କ ମହାନିର୍ବାଣର କିଛିକାଳ ପରେ ସପ୍ତପର୍ଣ୍ଣଗୁହାର ରାଜା ଅଜାତଶତ୍ରୁଙ୍କ ସମର୍ଥନ କ୍ରମେ ମହାକାଶ୍ୟପଙ୍କ ମନ୍ତ୍ରଣାରେ ରାଜଗୃହଠାରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୫୦୦ ଭିକ୍ଷୁ ଯୋଗଦାନ କରିଥିଲେ । ଏହା ହେଉଛି ପ୍ରଥମ ବୌଦ୍ଧ ସମ୍ମିଳନୀ । ଏହି ଆଲୋଚନାରେ ବୁଦ୍ଧଦେବଙ୍କଦ୍ୱାରା ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ପ୍ରବଚନଗୁଡ଼ିକୁ ସଂଗ୍ରହ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।(୩) ବୁଦ୍ଧଦେବଙ୍କ ପ୍ରିୟ ଶିଷ୍ୟଦ୍ୱୟ ଆନନ୍ଦ ଓ ଉପାଳି ଏହି ସଂହତିର ନିୟୋଜକ ଥିଲେ । ସମ୍ମିଳନୀର ଅନୁମୋଦନକ୍ରମେ ବୁଦ୍ଧବଚନକୁ ବିନୟପିଟକ ଓ ସୁତ୍ତପିଟକରେ ସଂକଳିତ କରାଯାଇଥିଲା ।
ବୁଦ୍ଧଦେବଙ୍କ ମହାପରିନିର୍ବାଣର ଶହେବର୍ଷ ପରେ ରାଜା କାଳାଶୋକଙ୍କ ଆନୁକୁଲ୍ୟରେ ଯଶ ମନାସ୍ଥବିରଙ୍କ ନେତୃତ୍ୱରେ ବୈଶାଳୀରେ ଅନ୍ୟ ଏକ ସମ୍ମିଳନୀ ବସିଥିଲା ଏବଂ ଏଥିରେ ୯୦୦ ଭିକ୍ଷୁ ଯୋଗ ଦେଇଥିଲେ । ଏ ସମୟରେ ବୁଦ୍ଧ ବଚନ ଅର୍ଥାନ୍ତର ଗ୍ରହଣ କରିବାଦ୍ୱାରା ଭିକ୍ଷୁ ସଂଘରେ କେତେକ ବିଶୃଙ୍ଖଳା ଦେଖାଦେଇଥିଲା । ତେଣୁ ପ୍ରକୃତ ବ୍ୟାଖ୍ୟା ସ୍ଥିର କରି ବିଶୃଙ୍ଖଳା ଦୂର କରିବାର ଉଦ୍ଦେଶ୍ୟ ନେଇ ଦ୍ୱିତୀୟ ସମ୍ମିଳନୀ ଡକା ହୋଇଥିଲା । ବୁଦ୍ଧଙ୍କ ମହାପରିନିର୍ବାଣର ଦୁଇଶହ ବର୍ଷ ପରେ ସମ୍ରାଟ୍ ଅଶୋକଙ୍କ ପୃଷ୍ଠପୋଷକତାରେ ପାଟଳୀପୁତ୍ରଠାରେ ତୃତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସ୍ଥବିର ମୋଗ୍ଗଲିପୁତ୍ତ ତିସ୍ସା ଏହିଠାରେ ‘କଥାବସ୍ତୁ ପ୍ରକରଣ’ର ଉପସ୍ଥାପନା କରିଥିଲେ ଓ ସମସ୍ତଙ୍କ ଅନୁମୋଦନ କ୍ରମେ ‘ଅଭିଧମ୍ମପିଟକ’ ରଚିତ ହୋଇଥିଲା । ‘ଅଭିଧମ୍ମପିଟକ’ ସୁତ୍ତପିଟକର ଦାର୍ଶନିକ ପ୍ରତିରୂପ । ଏଥିରେ ବୁଦ୍ଧବଚନର ଶାସ୍ତ୍ରୀୟ ଆଲୋଚନା ହୋଇ ସମାଧାନ କରାଯାଇଛି ।(୪)
‘ବିନୟପିଟକ’, ‘ସୁତ୍ତପିଟକ’ ଓ ‘ଅଭିଧମ୍ମପିଟକ’କୁ ‘ତ୍ରିପିଟକ’ କୁହାଯାଏ । ତ୍ରିପିଟକ ବୌଦ୍ଧମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ ଅଟେ । ପିଟକ ଅର୍ଥ ‘ପେଟିକା’ ବା ‘ପେଡ଼ି’ । ବୁଦ୍ଧବଚନର ଏହି ସଂକଳନତ୍ରୟକୁ ସମ୍ଭବତଃ ପେଟିକାରେ ରଖାଯାଉଥିବାରୁ ଏପରି ନାମକରଣ ହୋଇଥାଇପାରେ । ତ୍ରିପିଟକର ସଂକଳନ ସମ୍ରାଟ ଅଶୋକଙ୍କ ସମୟଯାଏଁ ପ୍ରାୟ ସମାପ୍ତ ହୋଇସାରିଥିଲା । ପ୍ରତ୍ୟେକ ପିଟକ କେତୋଟି ବିଭାଗରେ ବିଭକ୍ତି । ଯଥା- ବିନୟପିଟକକୁ ତିନି ଭାଗ (ସୁତ୍ତ ବିଭଙ୍ଗ, ସ୍କନ୍ଧକା, ପରିବାରପାଠ)ରେ, ଅଭିଧମ୍ମପିଟକକୁ ସାତ ଭାଗ (ଧମ୍ମସଙ୍ଗଣି, ବିଭଙ୍ଗ, କଥାବତ୍ଥୁ, ପୁଗଗଲପଞ୍ଜାତି, ଧାତୁକଥା, ଯମକ, ପଟ୍ଠାନ)ରେ ଏବଂ ସୁତ୍ତ ପିଟକକୁ ପାଞ୍ଚ ଭାଗ (ଦୀର୍ଘନିକାୟ, ମଜ୍ଝି ମନିକାୟ, ସଂଯୁତ୍ତନିକାୟ, ଅଙ୍ଗୁତ୍ତରନିକାୟ, ଖୁଦ୍ଦକନିକାୟ)ରେ ବିଭକ୍ତ କରାଯାଇଛି । ସୁତ୍ତପିଟକର ପଞ୍ଚନିକାୟ ମଧ୍ୟରୁ ଖୁଦ୍ଦକନିକାୟ ହେଉଛି ଅନ୍ୟତମ । ଏହି ନିକାୟ ଅନ୍ତର୍ଗତ ଗ୍ରନ୍ଥଗୁଡ଼ିକ ହେଉଛି- ୧) ଖୁଦ୍ଦକପାଠ, ୨) ଧମ୍ମପଦ, ୩) ଉଦାନ, ୪) ଇତିବୃତ୍ତକ, ୫) ସୁତ୍ତନିପାତ, ୬) ବିମାନ ବତ୍ଥୁ, ୭) ପେତ ବତ୍ଥୁ, ୮) ଥେରଗାଥା, ୯) ଥେରୀଗାଥା, ୧୦) ଜାତକ, ୧୧) ନିଦ୍ଦେସ, ୧୨) ପଟିସମ୍ଭିଦାମଗ୍ଗ, ୧୩) ଅପାଦାନ, ୧୪) ବୁଦ୍ଧବଂସ ଓ ୧୫) ଚରିୟାପିଟକ । ସୁତରାଂ ଜାତକ ହେଉଛି ସୁତ୍ତପିଟକର ଖୁଦ୍ଦନିକାୟ ଅନ୍ତର୍ଗତ ଏକ ବିଶେଷ ଗ୍ରନ୍ଥ ।(୫)
“ବିଷୟ ପ୍ରତିପାଦନ ଦୃଷ୍ଟିରୁ ‘ଜାତକ’ ପାଞ୍ଚ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା- କ) ପଚ୍ଚୁପ୍ପନ୍ନବତ୍ଥୁ (ପ୍ରତ୍ୟୁତ୍ପନ୍ନବସ୍ତୁ), ଖ) ଅତୀତବତ୍ଥୁ (ଅତୀତବସ୍ତୁ), ଗ) ଗାଥା, ଘ) ବେଯ୍ୟାକରଣ (ବ୍ୟାଖ୍ୟାକରଣ) ଓ (ଙ) ସମୋଧାନ (ସମାଧାନ) । ପ୍ରଥମ ବିଭାଗ ପଚ୍ଚୁପ୍ପନ୍ନବତ୍ଥୁରେ ଭଗବାନ ବୁଦ୍ଧଦେବଙ୍କର ସମସାମୟିକ ଅବସ୍ଥାନ ଓ ପ୍ରସଙ୍ଗ ବର୍ଣ୍ଣିତ । ଅତୀତବତ୍ଥୁରେ ବୋଧିସତ୍ତ୍ୱ ଅବସ୍ଥାରେ ଘଟିଥିବା ପ୍ରଧାନ କଥା ଓ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି । ଗାଥା ଅଂଶରେ କଥା ପ୍ରସଙ୍ଗର ଉନ୍ନତି ପରିଦୃଷ୍ଟ ହୁଏ । ଏହି ଗାଥା ଅଂଶର ବ୍ୟାଖ୍ୟାନ ବେଯ୍ୟାକରଣର ବିଷୟବସ୍ତୁ । ଶେଷ ବିଭାଗ ସମୋଧାନରେ ପୂର୍ବବୃତ୍ତକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସମାଧାନ କରାହୋଇଛି ।”(୬) ସମୋଧାନ ସର୍ବଦା ଶେଷରେ ଆସେ ଯେଉଁଥିରେ ବୁଦ୍ଧ କହନ୍ତି କି ସେ ଅତୀତ ବତ୍ଥୁଲେ ଯାହା ଯାହା ଶୁଣାଇଛନ୍ତି ସେଥିରେ ପ୍ରଧାନ ଚରିତ୍ରମାନଙ୍କ ଭିତରେ କିଏ କିଏ ଥିଲେ । ପୁନଶ୍ଚ ସେହି ସମୟରେ ସେ କେଉଁ ଯୋନିରୁ ଉତ୍ପନ୍ନ ହୋଇଥିଲେ । ସମୋଧାନରେ କେବଳ ପୂର୍ବ ଚରିତ୍ରଗୁଡ଼ିକର ସମନ୍ୱୟର କଥା ହିଁ କୁହାଯାଏ । ଏହାକୁ ଆଉଟିକେ ସ୍ପଷ୍ଟ ଭାବରେ ବୁଝିବା । ଜାତକ-ଗଳ୍ପଟିକୁ କହିବା ପୂର୍ବରୁ ଏଥିରେ ସାଂପ୍ରତିକ କୌଣସି ଗୋଟିଏ ଘଟଣାର ଅବତାରଣା କରାଯାଇଥାଏ । ପରେ ସେହି ସାଂପ୍ରତିକ ଘଟଣାଟିକୁ ବୁଦ୍ଧଦେବଙ୍କର ବୋଧିସତ୍ତ୍ୱ ରୂପରେ କୌଣସି ଏକ ପୂର୍ବଜନ୍ମର ଘଟଣା ସହିତ ସଂପୃକ୍ତ କରାଯାଏ । ଏହି ପ୍ରକାର ସଂଯୋଗ କରି ବୁଦ୍ଧଦେବ ସେହି ଅତୀତ କଥାଟିକୁ ଗଳ୍ପ ଆକାରରେ କହିଥାଆନ୍ତି । ଏହି ଅତୀତ କଥାଟି ହେଉଛି ମୂଳ ଜାତକ-ଗଳ୍ପ । ଜାତକ-ଗଳ୍ପଟି ସରିଗଲେ ତା’ର ଉପସଂହାର କରାଯାଏ ଆଉ ଏକ ଭାଗରେ, ଏହାକୁ ସମବଧାନ ବା ସମୋଧାନ କୁହାଯାଏ । ଏହି ସମୋଧାନ ଅନୁକ୍ରମରେ ବର୍ତ୍ତମାନ ଘଟଣାର ଚରିତ୍ରମାନଙ୍କୁ ଅତୀତ ଘଟଣାର ଚରିତ୍ରମାନଙ୍କ ସହିତ ସମବଧାନ ବା ସାମିଲ କରାଯାଏ । ଆଉ ମଧ୍ୟ ଅତୀତ କଥାଟିରେ ବୋଧିସତ୍ତ୍ୱ ରୂପରେ ଆବିର୍ଭୁତ ହୋଇଥିବା ବୁଦ୍ଧଦେବଙ୍କୁ ମଧ୍ୟ ଚିହ୍ନଟ କରାଯାଏ । ଜାତକ-ଗଳ୍ପଗୁଡ଼ିକରୁ ଗୋଟିକର ସମବଧାନକୁ ଲକ୍ଷ୍ୟ କଲେ ଏକଥା ପରିଷ୍କାର ଭାବରେ ଜଣାପଡ଼ିବ । ଯଥା-
ସେତେବେଳେ ଏହି ଭକ୍ତ ଭିକ୍ଷୁ ଥିଲା
ଶ୍ୱେତକେତୁ; ସାରୀପୁତ୍ତ ଥିଲେ ସେହି ଚଣ୍ଡାଳ;
ଏବଂ ମୁଁ (ବୁଦ୍ଧଦେବ ନିଜେ) ଥିଲି
ସେହି ପୁରୋହିତ । (ଶ୍ୱେତକେତୁ ଜାତକ (ସଂଖ୍ୟା-୩୭୭) : ସମବଧାନ)
ଏହି ପ୍ରକାର ମେଳ କରାଇବା ଫଳରେ ଜାତକ ବର୍ଣ୍ଣିତ ଆଖ୍ୟାୟିକାଟିର ସତ୍ୟତା ଓ ତଦ୍ବର୍ଣ୍ଣିତ ଜୀବନଦର୍ଶନର ଉପାଦେୟତା ବିଷୟରେ ଉପାସକ-ଉପାସିକାମାନଙ୍କର ଦୃଢ଼ ବିଶ୍ୱାସ ଜନ୍ମିଥାଏ ।(୭)
ଜାତକ ଗଳ୍ପର ସଂଖ୍ୟା ନିର୍ଣ୍ଣୟ ଏକ କାଠିକର ପାଠ । ଲଙ୍କା, ବର୍ମା ଓ ସିଆମରେ ପ୍ରଚଳିତ ପରମ୍ପରାନୁସାରେ ଜାତକର ସଂଖ୍ୟା ୫୫୦ ଅଟେ । ସମନ୍ତପାସାଦିକାର ନିଦାନ କଥାରେ ମଧ୍ୟ ଜାତକର ସଂଖ୍ୟା ଏତିକି ଅଟେ । ଯଥା- ‘ପଣ୍ଣାସା ଧକନି ପଞ୍ଚସତାନି ଜାତକନ୍ତି ବେଦିତବ୍ୱଂ ।’ ପୁନଶ୍ଚ ଅଟ୍ଠଶାଳିନୀର ନିଜାନ କଥାରେ ମଧ୍ୟ କୁହାଯାଇଛି- ‘ପଣ୍ଣାସାଧିକାନି ପଞ୍ଚଜାତକସତାନି’ । କିନ୍ତୁ ବର୍ତ୍ତମାନ ମିଳୁଥିବା ଜାତକରେ ୫୪୭ଟି କାହାଣୀ ଦେଖିବାକୁ ମିଳେ । ସର୍ବମୋଟ ୫୪୯ଟି ଜାତକ-ଗଳ୍ପ ମଧ୍ୟରୁ କୋଶଳୀର ରାଜଧାନୀ ଶ୍ରାବସ୍ତୀ ନିକଟସ୍ଥ ‘ଜେତବନ’ ବିହାରରେ ବୁଦ୍ଧଦେବ କହିଥିଲେ ୪୧୦ଟି ଗଳ୍ପ । ତା ପଛକୁ ରାଜଗୃହ ନିକଟସ୍ଥ ‘ବେଣୁବନ’ ବିହାରରେ କହିଥିଲେ ୪୯ଟି ଗଳ୍ପ । ଅବଶିଷ୍ଟ ଗଳ୍ପଗୁଡ଼ିକ କପିଳବାସ୍ତୁ, କୌଶାମ୍ବି ଆଦି ସ୍ଥାନମାନଙ୍କରେ କୁହାଯାଇଥିଲା । ଜେତବନ ବିହାରରେ ଏତେଗୁଡ଼ିଏ ଗଳ୍ପ କହିବାର କାରଣ, ସେଠି ବୁଦ୍ଧଦେବ ବେଶୀ ଦିନ ଧରି ରହିଥିଲେ । ତାଙ୍କର ୧୪ତମ ବସ୍ସାବାସ (ବର୍ଷା ବାସ) ଓ ୨୧ତମରୁ ୪୦ତମ ବସ୍ସାବାସ କଟିଥିଲା ଏହି ଜେତବନ ବିହାରରେ ।(୮)
ବୌଦ୍ଧ ଜାତକ ଗଳ୍ପଗୁଡ଼ିକର ପ୍ରଭାବ ପରିବର୍ତ୍ତୀ ସମୟରେ ଅନେକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ ପଡ଼ିଥିବାର ସ୍ପଷ୍ଟ ପ୍ରମାଣ ମିଳେ । ରାମାୟଣ ଓ ମହାଭାରତର ମୌଳିକ ଗଳ୍ପ ଲୋକକଥା ଆକାରରେ ବୋଧେ ବୁଦ୍ଧଙ୍କ ପୂର୍ବରୁ ଥିଲା । ରାମାୟଣ ଓ ମହାଭାରତ ଯେ ବୁଦ୍ଧଙ୍କ ପରେ ରଚିତ ଏବଂ ବୌଦ୍ଧ ତ୍ରିପିଟକ ରଚନାର ପରବର୍ତ୍ତୀ ଏକଥା ରାଇସ୍ ଡାଭିଡସ୍ ଆବଶ୍ୟକ ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ଜଳନ୍ଧର ଦେବ ‘ରାମାୟଣ’ ଶୀର୍ଷକ ଏକ ପ୍ରବନ୍ଧରେ ରାମାୟଣ ପାଣିନୀ ଓ ବୁଦ୍ଧଙ୍କର ପରବର୍ତ୍ତୀ ବୋଲି ପ୍ରମାଣ କରିଛନ୍ତି ବିଭିନ୍ନ ଉଦାହରଣ ମାଧ୍ୟମରେ । ରାମାୟଣରେ ବୁଦ୍ଧଙ୍କ ନାମୋଲ୍ଲେଖ ମଧ୍ୟ ଅଛି । ଯଥା- ଯଥା ହି ଚୌର ସ୍ତଥା ହି ବୁଦ୍ଧଃ, ତଥାଗତଂ ନାସ୍ତିକମନ୍ତ୍ର ବିଦ୍ଧି । ଏଠି ବୁଦ୍ଧ ଓ ତଥାଗତକୁ ଯଥାକ୍ରମେ ଚୋର ଓ ନାସ୍ତିକ କୁହାଯାଇଛି । ତେଣୁ କୁହାଯାଇପାରେ ରାମାୟଣର ରଚୟିତାଙ୍କ ନିକଟରେ ବୁଦ୍ଧ ଅଜ୍ଞାତ ନଥିଲେ । ଜଳନ୍ଧରଦେବ ସିଂହଳକୁ ଲଙ୍କାପୁରୀ ସହିତ ତୁଳନା କରି ସିଂହଳର ବୌଦ୍ଧମାନେ ରାମାୟଣ ବର୍ଣ୍ଣିତ ରାବଣ ଓ ତା’ର ଅସୁର ଅନୁଚରଗଣ ବୋଲି କହିଛନ୍ତି । ପୁଣି ଦଶରଥ ଜାତକକୁ ଅନୁଶୀଳନ କଲେ ଏହାର ପ୍ରଭାବ ରାମାୟଣ ଉପରେ ପଡ଼ିଥିବା କଥା ସ୍ପଷ୍ଟ ଅନୁମେୟ । ସେହିପରି ନ୍ୟଗ୍ରୋଧ ମୃଗ-ଜାତକର ପ୍ରଭାବ ମହାଭାରତ ବର୍ଣ୍ଣିତ ଶିବି-ରାଜାଙ୍କ ଉପାଖ୍ୟାନରେ ପଡ଼ିଥିବାର କଥା ଅନେକ ସମାଲୋଚକ କହନ୍ତି । ମହାଭାରତ ବର୍ଣ୍ଣିତ ଶକୁନ୍ତଳା ଉପାଖ୍ୟାନର ମୂଳ କଥାବସ୍ତୁ କାଠୁରିଆ ଜାତକରୁ ନିଆଯାଇଥିବାର ଅନୁମାନ କରାଯାଇପାରେ । ଦେବଧର୍ମ ଜାତକର ଶେଷାଂଶ ସହିତ ମହାଭାରତ ବର୍ଣ୍ଣିତ ଯକ୍ଷ କର୍ତ୍ତୃକ ଯୁଧିଷ୍ଠିରଙ୍କ ଧର୍ମଜ୍ଞାନ ପରୀକ୍ଷା ବୃତ୍ତାନ୍ତର ସାଦୃଶ୍ୟ ରହିଅଛି । ଜାତକ ଗଳ୍ପରେ ଜଳରାକ୍ଷସ ଏ ପରୀକ୍ଷା କରିଥିବାବେଳେ ମହାଭାରତରେ ବକରୂପୀ ଯକ୍ଷ ଏ ପରୀକ୍ଷା କରିଛି ।
ଏହା ବ୍ୟତୀତ ଜାତକ କଥାର ପ୍ରଭାବ ଗୁଣାଢ଼୍ୟଙ୍କ ବୃହତ୍ କଥା, ବିଷ୍ଣୁଶର୍ମାଙ୍କ ପଞ୍ଚତନ୍ତ୍ର ତଥା କଥାସରିତ ସାଗର ଓ ବେତାଳ ପଞ୍ଚବିଂଶତି ଉପରେ ପଡ଼ିଥିବାର ମଧ୍ୟ ଅନେକ ଦୃଷ୍ଟାନ୍ତ ସହଜ ଲଭ୍ୟ । ପାଶ୍ଚାତ୍ୟର ଇସପ୍ ଫେବୁଲ୍ସ ଓ ଆରବିୟନ୍ ନାଇଟ୍ସର କିଛି ଗଳ୍ପ ସହିତ ଜାତକ ଗଳ୍ପଗୁଡ଼ିକର ସାମଞ୍ଜସ୍ୟ ରହିଥିବାର ଦେଖାଯାଏ । ଅତଏବ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟକୁ ପ୍ରଭାବିତ କରିଥିବା ଜାତକ ଗଳ୍ପ ଯେ ଭାରତୀୟ କଥାସାହିତ୍ୟର ଆଦିଉତ୍ସ ଏକଥା ନିଃସଂକୋଚରେ କୁହାଯାଇପାରେ ।(୯)
ପ୍ରାନ୍ତଟୀକା :
(୧) ପ୍ରହାରାଜ, ଗୋପାଳ ଚନ୍ଦ୍ର, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃ-୨୯୫୨ ।
(୨) ତ୍ରିପାଠୀ, ଶ୍ରୀ ରାମଚନ୍ଦ୍ର, ପାଲିଜାତକ, ପ୍ର. କୃଷ୍ଣଚନ୍ଦ୍ର ବେହେରା, ଉତ୍କଳ ପ୍ରକାଶନୀ କଲେଜ ସ୍କୋୟାର, କଟକ-୩, ପ୍ରଥମ ପ୍ରକାଶ-୧୯୬୯, ପୃ-୪ ।
(୩) ପ୍ରଧାନ, ଡ. କୃଷ୍ଣଚନ୍ଦ୍ର, ବୌଦ୍ଧଧର୍ମ ଓ ଓଡ଼ିଆ ସାହିତ୍ୟ, ସୁଧା ପ୍ରକାଶନ, ବାଖରାବାଦ, କଟକ-୭୫୩୦୦୨, ପ୍ରଥମ ସଂସ୍କରଣ-୧୯୯୯, ପୃ-୧୭ ।
(୪) ପାଲିଜାତକ, ପୃ- ୩-୪ ।
(୫) ତତ୍ରୈବ, ପୃ-୩-୪ ।
(୬) ତତ୍ରୈବ, ପୃ-୬ ।
(୭) ଶତପଥୀ, ଶ୍ରୀ ସୁରେନ୍ଦ୍ର ନାଥ, ବୌଦ୍ଧ ଜାତକ ଗଳ୍ପ, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, ବାଲୁବଜାର, କଟକ-୨, ପ୍ରଥମ ସଂସ୍କରଣ ୧୯୮୬, ପୃ-୩-୪ ।
(୮) ତତ୍ରୈବ, ପୃ-୩ ।
(୯) ତତ୍ରୈବ, ପୃ-୨୯-୩୫ ।
ଅଧ୍ୟାପକ ବିଶ୍ୱନାଥ ସାହୁ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ବରପାଲି ମହାବିଦ୍ୟାଳୟ, ବରପାଲି