ନାରୀ, ପରିବାର ଓ ଏକ ନୂତନ ସମାଜର ସ୍ଵପ୍ନ

Swayamprava Parhi (Chief Editor)
9 Min Read

“ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା” ଅର୍ଥାତ୍ “ଯେଉଁଠି ନାରୀମାନେ ପୂଜା ପାଆନ୍ତି ସେଠି ଦେବତାମାନେ ବିଚରଣ କରନ୍ତି”।

ଏହି ପଂକ୍ତିଟି ମହାଭାରତର ତ୍ରୟୋଦଶ ଅଧ୍ୟାୟରେ ଉଲ୍ଲେଖ କରାଯାଇଛି ଏବଂ ଏହି ଏକା କଥା ମନୁସ୍ମୃତିର ତୃତୀୟ ଅଧ୍ୟାୟ ଗଦ୍ୟକାବ୍ୟ ୩୫୫ରେ ମଧ୍ୟ ଉଲ୍ଲେଖ କରାଯାଇଛି । କିନ୍ତୁ ପୁଣି ମନୁସ୍ମୃତିର ୩୫୬ରେ କୁହାଯାଇଛି ଯେ, ଜଣେ ନାରୀ କେବେ ବି ସ୍ଵୟଂସମ୍ପର୍ଣ୍ଣ ଭାବେ ବଞ୍ଚିବାପାଇଁ ଚେଷ୍ଟାକରିବା ଉଚିତ ନୁହଁ । ଏଭଳି ଅନେକ ବିରୋଧଭାସ ବା ଅନ୍ତର୍ଦ୍ଵନ୍ଦ ଭାରତୀୟ ଧର୍ମଶାସ୍ତ୍ରରେ ଆମକୁ ଦେଖିବାକୁ ମିଳିଥାଏ । ସବୁ ଲେଖା ଯେ ଯେମିତି ସେମିତି ରହିଛି ତାହା ନୁହଁ, ବିଭିନ୍ନ ସମୟରେ ଏହାକୁ ବଦଳେଇ ଦିଆଯାଇଥାଇ ପାରେ । ପ୍ରାଗ୍ ଐତିହାସିକ ଯୁଗରେ ନାରୀମାନଙ୍କର ସ୍ଥିତି ସମଜରେ କ’ଣ ଥିଲା ଜାଣିବା ସହଜ ନୁହଁ । କିନ୍ତୁ ଇତିହାସ କାଳରୁ ଆଜିଯାଏ ଯାହା ଆମେ ଦେଖିଆସିଛୁ ସାଧାରଣ ଅବହେଳିତ ଓ ଦୁର୍ବଳ ପରିବାରଠାରୁ ଆରମ୍ଭକରି ପୂର୍ବର ରାଜପରିବାର ଓ ଏବେକାର ସମ୍ଭ୍ରାନ୍ତ ପରିବାର ମାନଙ୍କଯାଏ କେଉଁଠି ବି ନାରୀ ସମ୍ମାନ ଓ ମର୍ଯ୍ୟାଦା ପାଇବାର ଗଣଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ । ଏହିସବୁ ପଂକ୍ତିଗୁଡ଼ିକ କଥା ପ୍ରବଚନରେ ବହୁଳଭାବେ ବ୍ୟବହାର କରାଯାଇଥାଏ । ଆମେ ବି ବିଭିନ୍ନ ଭାଷଣ ଓ ପ୍ରବନ୍ଧରେ ପଢ଼ିବାର ସୁଯୋଗ ପାଇଥାଉ । କିନ୍ତୁ ବ୍ୟବହାରିକ କ୍ଷେତ୍ରରେ ଆମ ସମାଜରେ ଓ ଆମ ପାରିବାରିକ ଜୀବନରେ ନାରୀକୁ ଦ୍ଵିତୀୟ ଶ୍ରେଣୀର ନାଗରିକ ଭାବେ ଦେଖିଥାଉ ।  ଆମ ସାମାଜିକ ଜୀବନ ଓ ପାରିବାରିକ ଜୀବନରେ ଛଳନା ଓ ଅନ୍ତର୍ଦ୍ଵନ୍ଦ ହିଁ ଏଭଳି ଅସମତାକୁ ଜନ୍ମ ଦେଇଛି । ସ୍କୁଲ କଲେଜରେ ଆମେ ନାରୀକୁ ସମ୍ମାନ ଦେବା ଓ ସମାନ ଅଧିକାର ଦେବା ଶିକ୍ଷା ଦେଉଛୁ କିନ୍ତୁ ପରିବାର ଭିତରେ ଝିଅ, ବୋହୁ, ମା ସିଏ ଯେକେହି ନାରୀ ହୁଅନ୍ତୁ ତାଙ୍କୁ ଅପମାନିତ କରୁଛୁ, ଖରାପ ବ୍ୟବହାର କରୁଛୁ ଓ ଅନେକ କ୍ଷେତ୍ରରେ ନିର୍ଯ୍ୟାତନା ଦେଉଛୁ । ପରିବାରରେ ନାରୀ ପ୍ରତି ହେଉଥିବା ଆଚରଣ ହିଁ ଆମ ସମାଜକୁ ଏକ ଅସଭ୍ୟ, ବର୍ବର ସମାଜ ଭାବରେ ପରିଣତ କରିଛି।

ଆମେ ଦେଖିଆସିଛୁ ଭାରତୀୟ ପରିବାରରେ ଝିଅମାନଙ୍କୁ ପୁଅମାନଙ୍କ ଠାରୁ ଛୋଟ ଦେଖାଯାଏ । ଆଧୁନିକ ଏବଂ ତଥାକଥିତ ଶିକ୍ଷାର ବିକାଶ ପରେ ମଧ୍ୟ ନାରୀଙ୍କ ପ୍ରତି ମାନସିକତାରେ କିଛି ପରିବର୍ତ୍ତନ ଆମ ସମାଜରେ ବା ପରିବାର ଭିତରେ ଆସୁନାହିଁ । ଝିଅ ପୁଅ ଭିତରେ ଭେଦଭାବ ଏବେ ବି କରାଯାଉଛି । ଝିଅମାନଙ୍କୁ ଶିକ୍ଷା କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ମିଳୁନାହିଁ ।  ଓଡ଼ିଆରେ ଗୋଟିଏ ଢ଼ଗ ରହିଛି; ଝିଅ ଜନମ ପରଘରକୁ । ଜନ୍ମ ଠାରୁ ଝିଅକୁ ପରଘରୀ ଭଳି ବ୍ୟବହାର କରାଯାଏ । ସେମାନଙ୍କୁ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ବଦଳରେ ସହନଶୀଳତା ଶିକ୍ଷା ଦିଆଯାଏ । ପ୍ରତ୍ୟେକ ଝିଅକୁ ପିଲାବେଳୁ କୌଣସି ଉପାୟରେ କୁହାଯାଇଥାଏ ଯେ, ତୁ ଜନ୍ମ ହୋଇଛୁ ପର ଘର ଯିବାପାଇଁ । ତା ଆଗରେ ତାର ଭାଇକୁ ଏକ ମୁକ୍ତ ଜୀବନ ବଞ୍ଚିବା ପାଇଁ ସୁଯୋଗ ମିଳେ । ହୁଏତ କିଛି ପରିବାର ଏ କ୍ଷେତ୍ରରେ ବ୍ୟତିକ୍ରମ କିନ୍ତୁ ଅଧିକାଂଶ ପରିବାରରେ ପୁଅ ଝିଅ ଭିତରେ ନିଜେ ବାପା ମା’ ପାତର ଅନ୍ତର କରନ୍ତି । ଝିଅମାନେ ନିଜ ପସନ୍ଦର ବିବାହ କରିବା, ଶିକ୍ଷା ପାଇବା ଓ ଅନ୍ୟାନ୍ୟ କ୍ଷେତ୍ରରେ ସମାନ ସୁଯୋଗ ସୁବିଧା ପାଇବାରୁ ସବୁବେଳେ ବଞ୍ଚିତ ହୁଅନ୍ତି । ସମ୍ପତ୍ତି ଉପରେ ସମାନ ଅଧିକାର ପାଇବା କ୍ଷେତ୍ରରେ ଆଇନ ଥିଲେ ବି ସେମାନଙ୍କୁ ସମାନ ଅଧିକାର ମିଳେନାହିଁ ।

ଅନେକ ଭାରତୀୟ ପରିବାରରେ ନାରୀମାନଙ୍କୁ ମଣିଷ ଭାବରେ ଗ୍ରହଣ କରାଯାଏ ନାହିଁ । କଥା କଥାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଏ । ନାରୀକୁ ନିର୍ଯ୍ୟାତନା ଦେବା ସମୟରେ ଏକ ପଂକ୍ତିକୁ ପ୍ରାୟ ଦୋହରା ଯାଇଥାଏ; ପଶୁ ଓ ନାରୀ ତାଡ଼ନାର ଅଧିକାରୀ । ମାନେ ନାରୀ ତାଡନା ଖାଇବାପାଇଁ ଯୋଗ୍ୟ । କଥା କଥାରେ ସ୍ତ୍ରୀକୁ ଚାପୁଡା ମାରିବା, ଗୋଇଠା ମାରିବା, ଶାରୀରିକ ନିର୍ଯ୍ୟାତନା ଦେବା ପୁରୁଷର ଯେମିତି ଜନ୍ମସିଦ୍ଧ ଅଧିକାର ଓ ଏହା ତାଙ୍କର ସ୍ତ୍ରୀ ପ୍ରତି ଶ୍ରଦ୍ଧା, ଭଲପାଇବା ବୋଲି ଅନେକ ପୁରୁଷ ଯୁକ୍ତି କରନ୍ତି । ଏହିଭଳି ଅସଭ୍ୟତା ପରିବାରରେ ଉପସ୍ଥିତ ଥିବା ପିଲାମାନଙ୍କର ମାନସିକ ସ୍ଥିତିକୁ କେଉଁଭଳି ପ୍ରଭାବିତ କରୁଥିବ ଅନୁମାନ କରାଯାଇପାରେ । ଛୋଟ ପୁଅମାନେ ପିଲାଦିନରୁ ନାରୀମାନଙ୍କ ପ୍ରତି ହେଉଥିବା ଏହି ଆଚରଣକୁ ଦେଖି ଦେଖି ବଡ଼ ହୁଅନ୍ତି । ଆମେ କେମିତି ଆଶା କରିବା ଯେ, ବଡ଼ ହୋଇ ସେ ଜଣେ ସୁନାଗରିକ ହେବ, ନାରୀମାନଙ୍କୁ ସମ୍ମାନ ଦେବ ବା ନାରୀମାନଙ୍କ ପ୍ରତି ସମ୍ମାନ ସୂଚକ ବ୍ୟବହାର କରିବ ! ସାମାଜିକ ଗଣମାଧ୍ୟମର ସୌଜନ୍ୟରୁ ଏହାର ଏକ ଉଦ୍ଭଟ ପ୍ରତିଫଳନ ଆମେ ଦେଖିପାରିବା ଯୂଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମର ବିଭିନ୍ନ ପୋଷ୍ଟିଂ ଭିତରେ । ନାରୀକୁ ବାଡ଼େଇବାର ଭିଡ଼ିଓ, ଖରାପ ବ୍ୟବହାର ପ୍ରଦର୍ଶନ କରିବାର ଭିଡ଼ିଓ, ଏମିତିକି ଧର୍ଷଣ କରିବାର ଭିଡ଼ିଓ ବହୁତ ସଂଖ୍ୟାରେ ଆଜିକାଲି ପ୍ରସାରିତ ହେଉଛି । ଆମ ଲୋକମାନେ ଏସବୁ ଘଟଣାକୁ ଦେଖୁଛନ୍ତି, ସେୟାରକରି ଘଟଣାକୁ ପ୍ରୋତ୍ସାହନ ଦେଉଛନ୍ତି ଓ ଏଥିରୁ ଅଦ୍ଭୁତ ଆନନ୍ଦ ପାଉଛନ୍ତି ।

Samadhwani Support us

ଗତ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଉଚ୍ଚ ଶିକ୍ଷିତା ନାରୀଙ୍କ ସହିତ ଏକ ଜଘନ୍ୟ ଘଟଣା ଘଟିଲା । ବହୁ ଚର୍ଚ୍ଚିତ ଏହି ଘଟଣା ସମ୍ପର୍କରେ ଏଠାରେ ଆମେ ଆଲୋଚନା ନକରି ସିଧା ସଳଖ ଆମ ସମାଜ ନାରୀମାନଙ୍କୁ କେମିତି ଦୃଷ୍ଟିରେ ଦେଖେ ଟିକେ ତର୍ଜମା କରିବା । ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଯେଉଁଭଳି କଦର୍ଯ୍ୟ, ଘୃଣ୍ଣ୍ୟ, ରୋଗଗ୍ରସ୍ତ ମାନସିକତାର ପରିପ୍ରକାଶ ଦେଖିବାପାଇଁ ମିଳିଥିଲା ସେଥିରୁ ଆମେ ନାରୀ ସମାଜକୁ କେଉଁଭଳି ସମ୍ମାନ ଓ ସମାନ ଅଧିକାର ଦେଇଛନ୍ତି ତାହା ପ୍ରମାଣିତ ହୋଇଗଲା। ଏହି ଉଦାହରଣ ଥିଲା ଜଣେ ଉଚ୍ଚ ଶିକ୍ଷିତା ନାରୀଙ୍କର । ସାମାଜିକ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର କରାଗଲା । କୁହାଗଲା ଯେ ସେ ରାତିରେ ବନ୍ଧୁଙ୍କ ସହିତ ବାହାରେ ବୁଲୁଥିଲେ, ମଦ ପିଇଥିଲେ, ଇଂରାଜୀରେ କଥାବାର୍ତ୍ତା କରୁଥିଲେ, ଆଧୁନିକ ବେଶପୋଷାକ ପିନ୍ଧିଥିଲେ, ପୋଲିସକୁ ପ୍ରଶ୍ନ କରୁଥିଲେ । ଆଧୁନିକ ସମାଜରେ ଯେଉଁ ଘଟଣା ଅତ୍ୟନ୍ତ ସ୍ଵାଭାବିକ ।  ସାମାଜିକ ଗଣମାଧ୍ୟମରେ ତଥାକଥିତ ନୀତି ନୈତିକତାର ଜ୍ଞାନ ବାଣ୍ଟୁଥିବା ପୁରୁଷ ଓ ନାରୀ ଉଭୟ ଏ ବିଷୟରେ ପୁନଃ ଚିନ୍ତନ କରିବା ଆବଶ୍ୟକ । ସେମାନେ ଯଦି ପ୍ରକୃତରେ ନାରୀମାନଙ୍କ ପାଇଁ ଏକ ନିରାପଦ ସମାଜ ଚାହୁଁଥାନ୍ତି ତେବେ ନିଜର ପିଲାମାନଙ୍କୁ ବଡ଼ କରିବା ସମୟରେ ନାରୀମାନଙ୍କୁ ଓ ନାରୀ ସ୍ୱାଧିନତାକୁ ସମ୍ମାନ କରିବା ଶିକ୍ଷାଦେବା ଜରୁରୀ । ନିଜ ପୁଅଟି ଯେତେବେଳେ ଯୁବକ ହେବେ ରାତି ଅଧରେ କୌଣସି ଝିଅକୁ ଦେଖି ପିଶାଚ ରୂପ ନଧରି ମଣିଷ ଭଳି ବ୍ୟବହାର କରିବା ଶିକ୍ଷା ପାଇଥିବେ ।

ଏହି ପିଶାଚ ମାନଙ୍କର ଔଦ୍ଧତ୍ୟର ଆଉ ଏକ ଉଦାହରଣ ଗତ କିଛି ଦିନ ତଳେ ଆମର ସାମାଜିକ ଗଣମାଧ୍ୟମରେ ଦେଖିବା ପାଇଁ ମିଳିଥିଲା ଯେତେବେଳେ ଜଣେ ଦଳିତ ନାରୀଙ୍କୁ ଗୁଣିଆ ସନ୍ଦେହ କରି ତାଙ୍କୁ ଲଣ୍ଡାକରି, ତାଙ୍କ ମୁହଁରେ କଳା ବୋଳିଦେଇ, ଗଛରେ ବାନ୍ଧି ବାଡେଇବାର ଦୃଶ୍ୟ ରିଲ୍ସହୋଇ ଭାଇରାଲ ହେଲା । ଏହି ରିଲ୍ସ ବହୁତ ସେୟାର ହୋଇଥିଲା । ନାରୀ ଜଣକ ଲୁହ ଛଳ ଛଳ ଆଖିରେ ବିକଳ ହୋଇ ଚାହିଁ ରହିଥିଲେ । କାହାରିକୁ ଏଭଳି ଏକ ଘଟଣା ଅମାନବୀୟ, ପାଶବିକ ମନେହେଲାନାହିଁ । ବରଂ ଏହାକୁ ଲୋକେ ଉପଭୋଗ କରୁଥିଲେ । ଏଭଳି ମାନସିକତା ପାଇଁ ଦାୟୀ କିଏ ? ଏଥିରେ ନାରୀର ସୀମା ନିର୍ଦ୍ଧାରଣ କରୁଥିବା ପ୍ରବକ୍ତା ମାନଙ୍କର ପାଟି କାହିଁକି ଚୁପ ଥିଲା ?

ଏହିଭଳି ଘଟଣାର ଏକ ବହୁଗୁଣିତ ରୂପ ଆମେ କୋଲକାତା ସହରର ଆରଜିକର ଡାକ୍ତରଖାନାରେ ଗତ ମାସରେ ଦେଖିବା ପାଇଁ ପାଇଥିଲେ। ମାନବ ସେବାପାଇଁ ଉତ୍ସର୍ଗୀକୃତ ଜଣେ ଡାକ୍ତରଙ୍କୁ ଗଣଧର୍ଷଣ ଓ ହତ୍ୟା କରାଗଲା । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ, କୋଲକାତା ସହରରେ ଏହା ବିରୋଧରେ ବିରାଟ ପ୍ରତିବାଦ ଚାଲିଥିବା ସମୟରେ ବିହାର, ମଧ୍ୟପ୍ରଦେଶ, କୋଲକାତା ଓ ଦେଶର କୋଣ ଅନୁକୋଣରେ ପ୍ରତି ମୁହୂର୍ତ୍ତରେ ନାରୀମାନଙ୍କ ଉପରେ ଧର୍ଷଣ, ଶାରୀରିକ ନିର୍ଯ୍ୟାତନା, ଘରୋଇ ହିଂସା, ଅତ୍ୟାଚାର ଘଟିଚାଲିଛି । ସରକାରୀ ଆକଳନ ଅନୁସାରେ ଭାରତରେ ପ୍ରତି ଘଣ୍ଟାରେ ୪ଜଣ ଝିଅ ଧର୍ଷଣର ଶିକାର ହେଉଛନ୍ତି । ନିର୍ଭୟା ଘଟଣାରେ ସୁପ୍ରିମ କୋର୍ଟଙ୍କ ରାୟ ପରେ ୨୦୨୦ ମସିହାରେ ୪ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦିଆଗଲା ତଥାପି ଏଭଳି ଘଟଣା ବନ୍ଦ ହେଲାନାହିଁ କାହିଁକି ? ଆମେ ସେ ବିଷୟରେ କେବେ ଚିନ୍ତା କରିଛନ୍ତି କି?

ଏସବୁର ମୂଳରେ ରହିଛି ଭେଦଭାବପୂର୍ଣ୍ଣ ଆମ ଭାରତୀୟ ପରିବାର ବ୍ୟବସ୍ଥା । ଆମେ ଭାରତୀୟମାନେ ପରିବାରକୁ ବହୁତ ଗୁରୁତ୍ତ୍ୱ ଦେଉ । ପରିବାରର ଗୁଣଗାନ କରୁ । ଅନେକ ପରିବାର ଭିତରେ ଝିଅମାନଙ୍କୁ କିନ୍ତୁ ଅତ୍ୟାଚାର(Sexual Harassment) କରାଯାଏ । ଆମେ ସବୁ ଜାଣି ଚୁପ ରହୁ । ପରିବାରର ସମ୍ମାନ ବାହାରେ ପଡ଼ିଯିବା ଭୟରେ ଝିଅମାନଙ୍କୁ ପାଟି ଖୋଲି ପ୍ରତିବାଦ କରିବାକୁ ମନାକରୁ । ଦୁର୍ବ୍ୟବହାର କରିଥିବା ଲୋକକୁ କ୍ଷମା କରିଦେବାକୁ କହୁ । ଯେଉଁମାନେ ପରିବାର ଭିତରେ ନାରୀକୁ ସମ୍ମାନ ଦିଅନ୍ତି ନାହିଁ ସେମାନେ ବାହାରେ ଝିଅମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବେ ଏଭଳି ଆଶା ଆମେ କେବେ ବି କରିପାରିବା ନାହିଁ । ଯେଉଁ ଘଟଣା ଆମେ ବର୍ତ୍ତମାନ ସମଜରେ ଦେଖୁଛୁ ସେଇଟା ଆମ ପରିବାର ଭିତରେ ହିଁ ଘଟିଆସିଛି । ଆଜି ଯେତେବେଳେ ଏକ ଅମାନବୀୟ ଲୋମହର୍ଷଣକାରୀ ଧର୍ଷଣ ଘଟଣା ଘଟୁଛି ଆମେ ପ୍ରତିବାଦ କରୁଛନ୍ତି । ଆମେ କେବେ ପ୍ରଶ୍ନ କରିଛନ୍ତି କି କାହିଁକି ଓ କେବେଠାରୁ ଆମ ଭାରତୀୟ ପୁରୁଷ ସମାଜ ଏମିତି ପିଶାଚ ସାଜିଛନ୍ତି ? ସେମାନଙ୍କୁ କିଏ ସୃଷ୍ଟି କରିଛି ? ଆମ ପରିବାର ବ୍ୟବସ୍ଥା କ’ଣ ଏଥିପାଇଁ ଦାୟୀ ନୁହଁ କି ? ଆମେ ଆମ ପରିବାରରୁ ଏହି ପିଶାଚମାନଙ୍କୁ ସୃଷ୍ଟି କରୁଛନ୍ତି ଏକଥା ଆମକୁ ସ୍ଵୀକାର କରିବାପାଇଁ ପଡ଼ିବ ।

ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କେମିତି ଏହି ବ୍ୟବସ୍ଥା ବଦଳିବ ? ଆମ ସମାଜ କେବେଠାରୁ ନାରୀ ପୁରୁଷ ସହିତ ସମାନ ବୋଲି ଗ୍ରହଣ କରିବ ? ଏକ ନୂଆ ସମାଜର ପରିକଳ୍ପନା କରିବା ପୂର୍ବରୁ ଜରୁରୀ ଆମେ ଆଜିଯାଏ ଆମ ପରିବାର ଭିତରେ ଯେଉଁସବୁ ଭେଦଭାବ ଶିକ୍ଷା ପାଇଛନ୍ତି ସେସବୁକୁ ପ୍ରଥମେ ଭୁଲିବା । ଇଂରାଜୀରେ ଯାହାକୁ କୁହାଯାଏ unlearn କରିବା । ନିଜ ପରିବାରରେ ଆମେ ଝିଅ ପୁଅ ମାନଙ୍କ ଭିତରେ ସମାନତା ଆଣିବାପାଇଁ ପ୍ରୟାସ କରିବା । ପିଲାଟି ଦିନରୁ ନିଜ ପୁଅମାନଙ୍କୁ ଶିକ୍ଷା ଦେବା ନିଜ ମା, ଭଉଣୀ, ଭାଉଜ, ପଡିଶା ଘରର ଝିଅ, ସାଙ୍ଗ ସାଥିମାନଙ୍କୁ କେମିତି ସମ୍ମାନ ଦିଆଯାଏ । ପୁଅ ଝିଅ ଉଭୟ ପରିବାର ପାଇଁ ସମାନ ଭାବରେ ଗୁରୁତ୍ତ୍ୱପୂର୍ଣ୍ଣ ଓ ଦୁଇଜଣ ସମାନ ସୁବିଧା ସୁଯୋଗ ପାଇବେ । କାରଣ ଏକ ନୂତନ ସମାଜର ମୂଳଦୁଆ ଏକ ସୁସ୍ଥ ପରିବାର ଓ ଏକ ସୁସ୍ଥ ଘର ଭିତରୁ ହିଁ ଆରମ୍ଭ ହୋଇଥାଏ । ପ୍ରଚଳିତ ଭେଦଭାବପୂର୍ଣ୍ଣ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ କେମିତି ହେବ ଗଭୀର ଭାବେ ଚିନ୍ତା କରିବା ଆଜିର ସମୟର ସବୁଠାରୁ ବଡ ଆହ୍ଵାନ । ଆସନ୍ତୁ ଆମ ପରିବାର ଭିତରେ ଏକାଠି ବସି ଏ ବିଷୟରେ ପ୍ରଥମେ ଚିନ୍ତା କରିବା । ସବୁ ପୁରୁଣା ଭେଦଭାବର ସଂସ୍କୃତିକୁ ଭୁଲି ଏକ ନୂତନ ସମାଜର ପରିକଳ୍ପନା ଆମ ପରିବାର ଭିତରୁ ପିଲାମାନଙ୍କର ପିଲାଟି ଦିନରୁ ହିଁ ଆରମ୍ଭ କରିବା – ଉଭୟ କଥାରେ ଓ ଆଚରଣରେ କହିବା ନାରୀ ପୁରୁଷ ଉଭୟ ମଣିଷ ଏବଂ ଉଭୟ ସମାନ ଭାବେ ସମ୍ମାନ ପାଇବା ପାଇଁ ଯୋଗ୍ୟ ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.